Unknown

 

 

 

 

 

 

 

 

 

 

 

ତମସା ତୀରେ

କାହ୍ନୁ ଚରଣ ମହାନ୍ତି

 

କାହ୍ନୁ ଚରଣ

 

ଜନ୍ମ ୧୧.୮.୧୯୦୬

ସୋନପୁର, ବଲାଙ୍ଗିର

 

୧୯୨୭ ସାଲରେ ଯେତେବେଳେ ମୁଁ ମୋର ତୃତୀୟ ଉପନ୍ୟାସ ‘ବାଲିରାଜା‘ ଲେଖୁଥାଏ, ହେ ସାହିତ୍ୟରଥୀ ପଣ୍ଡିତ ନୀଳକଣ୍ଠ, ମୋର କ୍ଳାନ୍ତି ମନକୁ ସଜାଗ କରିବାକୁ ମୁଁ ଆପଣଙ୍କର ‘କୋଣାର୍କେ’ ଆଉଥରେ ପଢ଼ିଲି । ପଢ଼ୁ ପଢ଼ୁ ଉତ୍‌ଫୁଲ୍ଲ ହେଲି, ଭାବପ୍ରବଣ ହେଲି, ଆଉ ସପନ ଦେଖିଲି ଓଡ଼ିଆ ଜାତିର ସୁନା–ଅତୀତକୁ, ପୁଣି ସୁନା–ଭବିଷ୍ୟତ୍‌କୁ–‘ଚିଲିକା ଗରଭେ ଉଠିବ ଶତ ବୋଇତ ଭାସି’ x x ’ଭୀମ ତରବାରି–ଫଳକ ଯୋଧେ ଟେକିବେ ହାତେ’ । ହେ କୁଳ–ବୃଦ୍ଧ ଆଶାବାଦୀ ଗୁରୁଦେବ, ଅଦ୍ୟାବଧି ଆପଣଙ୍କର ଭବିଷ୍ୟତ–ବାଣୀ ଫଳବତୀ ହୋଇନାହିଁ । ମୋର ସ୍ୱପ୍ନବି ସଫଳ ହୋଇନାହିଁ । ଆପଣ ୮୩ ବର୍ଷ ବୟସରେ ନିର୍ବାକ୍‌ ହୋଇ ଜୁଳୁଜୁଳୁ ଚାହିଁ ଏବେବି ଜାତିର ସୁନା–ଭବିଷ୍ୟତକୁ ସ୍ୱପ୍ନ ଦେଖୁଛନ୍ତି ପରା ! ମୁଁ ୬୧ ବର୍ଷ ଅତିକ୍ରମ କରିବାକୁ ଆଗେଇ ଚାଲିଛି । ମୋର ତରୁଣ ଜୀବନର ସ୍ୱପ୍ନକୁ ଝୁରି ହେଉଛି, ଆଉ ଭାବୁଛି, ସେ ଦିନ ଚାଳିଶବର୍ଷ ତଳେ ଯେଉ ସ୍ୱପ୍ନ ଆପଣଙ୍କ ହାତର କାଉଁରୀ–କଲମ ମୋ ମନରେ ଜଗାଇଥିଲା, ସେ ସୁନେଲି ସ୍ୱପ୍ନ ଦିନେ ସଫଳ ହେବ, ଆମେ ଏ ଦୁନିଆରେ ଥାଉଁ ବା ନଥାଉଁ । ମୁଁ ଆପଣଙ୍କର ଏକଲବ୍ୟ–ଶିଷ୍ୟ, ମୋର ଗୁରୁଦକ୍ଷିଣା ‘ତମସା ତୀରେ’ ଉପନ୍ୟାସକୁ ଆପଣଙ୍କର ରିକ୍ତ କରକମଳରେ ଅର୍ପଣ କରୁଛି ।

 

କାହ୍ନୁ ଚରଣ

ତା ୨୯–୪–୬୭

 

ଏକ

 

ଅଗନାଅଗନି ଅରଣ୍ୟ ଭିତରେ ସାପେଇ ସାପେଇ ବହି ଯାଇଛି ଛୋଟ ନଇଟି, ତା’ ନାମ ତମସା । ଲମ୍ବ କୋଡ଼ିଏ ପଚିଶ ମାଇଲ ହୋଇପାରେ କିନ୍ତୁ ଚଉଡ଼ା ଅତି ଅଧିକ ହେଲେ ଶହେ ଫୁଟ୍‍ରୁ କେଉଁଠି ବେଶି ହେବ ନାହିଁ । ତମସା ମିଶିଛି ପଟେରୁ ନଦୀରେ । ତମସା ଉତ୍ତର–ପଶ୍ଚିମଆଡ଼ୁ ବହିଆସିଛି । ଉତ୍ତରରୁ ଦକ୍ଷିଣକୁ ବହି ଆସୁଥିବା ଆଉ ଗୋଟିଏ ଅତି ଛୋଟ ନଈ ସତୀ ତମସାର ଶେଷ ଅଂଶରେ ତା’ ସଙ୍ଗେ ମିଶିଛି । ପଟେରୁ ଉତ୍ତର–ପୂର୍ବଆଡ଼େ ପ୍ରବାହିତ ହୋଇ ଦକ୍ଷିଣ–ପଶ୍ଚିମମୁହାଁ ହୋଇ ବହିଯାଉଛି । ମିଶିଛି ଶବରୀ ନଦୀରେ । ମାଲକାନଗିରି ସବ୍‌ଡ଼ିଭିଜନକୁ ଏଇ ପଟେରୁ ନଦୀ କଣେଇଁ କରି ଦି’ଭାଗ କରିଛି ।

 

ଶବରୀ ନଦୀ ମାଲକାନଗିରି ଉପ–ଜିଲାର ପଶ୍ଚିମ ସୀମାରେ ପ୍ରବାହିତ । ନଦୀ ଆରପାଖେ ବସ୍ତର ଜିଲା । ଶବରୀ ପୁଣି ବହିଯାଇଛି ଦକ୍ଷିଣ ଆଡ଼କୁ, ମିଶିଛି ମାଲକାନଗିରି ଉପ–ଜିଲାର ଶେଷ ଗ୍ରାମ ମୋଟୁ ତଳେ ସିଲେରୁ (ଶିଳାଦ୍ରି) ନଦୀରେ । ସିଲେରୁ ମାଲକାନଗିରି ଉପ–ଜିଲାର ପୂର୍ବ ସୀମାରେ ପ୍ରବାହିତ । ନଈ ସେପାଖେ ଆନ୍ଧ୍ରପ୍ରଦେଶ । ସିଲେରୁ ଓ ଶବରୀର ସଙ୍ଗମ–ସ୍ଥଳରେ ଏ ପାଖେ ଓଡ଼ିଶା ପ୍ରଦେଶରୁ ମୋଟୁ ଗ୍ରାମ । ଆରପାଖେ ମଧ୍ୟପ୍ରଦେଶର ବସ୍ତର ଜିଲାର କୋଣ୍ଟା ଗ୍ରାମ ।

 

ଶବରୀ ଓ ସିଲେରୁ ସତେ କି ଦୁଇ ହାତ ବେଢ଼ାଇ ମାଲକାନଗିରିକୁ ଆଲିଙ୍ଗିଧରିଛନ୍ତି । ଦୁଇ ହଜାରରୁ ଅଧିକ ବର୍ଗମାଇଲ ମାଲକାନଗିରି ଉପ–ଜିଲାର କ୍ଷେତ୍ରଫଳ । ଅସଂଖ୍ୟ ପାହାଡ଼, ଅରଣ୍ୟ, ନାଳ, ନଦୀରେ ପରିପୂର୍ଣ୍ଣ । ଦୁଇ ହଜାରରୁ ଅଧିକ ହେବ ତ ଛୋଟ ବଡ଼ ଗ୍ରାମଗୁଡ଼ିକର ସଂଖ୍ୟା । ସେଗୁଡ଼ିକ ଅରଣ୍ୟଘେରା । ମଝିରେ ମଝିରେ ପାହାଡ଼, ଛୋଟ ବଡ଼ ନାଳ ଓ ଝୋଲା । ଯେଉଁଠି ଯେତେ ଚାଷୋପଯୋଗୀ ଉର୍ବର ଜମି ଥିଲା ସବୁ ଆଗରୁ କ୍ଷେତରେ ପରିଣିତ ହୋଇ ସାରିଥିଲା । ଯେଉଁ ଅଧା–ଉର୍ବର, ଉଚ୍ଚା ଓ ବାଲି ଆଂଶିକ ଚାଷୋପଯୋଗୀ ଭୂମି ବାକି ପଡ଼ିଥିଲା ସେତକ ପୂର୍ବ–ବଙ୍ଗ ପାକିସ୍ଥାନରୁ ଚାଲି ତିନି ଚାରିବର୍ଷ ମଧ୍ୟରେ ଟ୍ରାକ୍‌ଟର ସାହାଯ୍ୟରେ ଉଠିଆ ହୋଇଛି ଓ ହେଉଛି । ପୂର୍ବ–ବଙ୍ଗର ବାସଚ୍ୟୁତମାନଙ୍କୁ ଥଇଥାନ କରିବାପାଇଁ ପ୍ରାୟ ଶହେଟି ଗ୍ରାମ ସ୍ଥାପନ କରାଯାଇଛି, ପାଖାପାଖି ଅଢ଼େଇ ହଜାର କୁଟୁମ୍ବ ଥଇଥାନ ହେବେ ।

 

ଜୟପୁର ସହରରୁ ତେଷଠୀ ମାଇଲ ଦୂର ମାଲକାନଗିରି ଗ୍ରାମ । ବଡ଼ ଗ୍ରାମଟିଏ । ଅତ୍ୟାବଧି ସହର ପଦବାଚ୍ୟ ହୋଇନାହିଁ । ନିକଟ–ଭବିଷ୍ୟତରେ ହେବାର ସମ୍ଭାବନା ରହିଛି । ସମୁଦ୍ର ପତ୍ତନରୁ କୋରାପୁଟ ସହର ତିନି ହଜାର ଫୁଟ୍ ଉଚ୍ଚ । ପାହାଡ଼ ଘାଟି ଗଡ଼ି ଆସିଲେ ଚଉଦ ମାଇଲ ଦୂରରେ ଜୟପୁର । ସମୁଦ୍ର ପତ୍ତନରୁ ଉଚ୍ଚତା ହେବ ପ୍ରାୟ ଊଣେଇଶ ଶହ ଫୁଟ୍ । ଜୟପୁରରୁ ମାଲକାନଗିରି ରାସ୍ତାରେ ଏକତ୍ରିଶ ମାଇଲ ଦୂରରେ ଘାଟି ରାସ୍ତା ଶେଷରେ ଛୋଟ ଗ୍ରାମଟିଏ ଗୋବିନ୍ଦପଲ୍ଲୀ । ବାଁ ହାତି ବାଲିମେଳାକୁ ନୂଆ ପିଚୁ ରାସ୍ତା ପଡ଼ିଛି । ଗୋବିନ୍ଦପଲ୍ଲୀ ସମୁଦ୍ର ପତ୍ତନରୁ ନଅ ଶହ ଫୁଟ୍ ଉଚ୍ଚ । ଗୋବିନ୍ଦପଲ୍ଲୀରୁ ମାଲକାନଗିରି ବତିଶ ମାଇଲ । ମାଲକାନଗିରିର ଉଚ୍ଚତା ସମୁଦ୍ର ପତ୍ତନରୁ ପ୍ରାୟ ଛଅ ଶହ ଫୁଟ୍ । ସେଠାରୁ କୋରାପୁଟ ଜିଲାର ଶେଷ ଗ୍ରାମ ମୋଟୁ, ସିଲେରୁ ଓ ଶବରୀର ସଙ୍ଗମ ସ୍ଥଳ, ପ୍ରାୟ ପଚାଶ ମାଇଲ ଦୂର, ସମୁଦ୍ର ପତ୍ତନରୁ ପାଖାପାଖି ଦେଢ଼ଶ ଫୁଟ୍ ଉଚ୍ଚ ।

 

ଜୟପୁରକୁ ମୋଟୁ ଶହେ ବାର ମାଇଲ ଦୂର । ଆଠ ମାଇଲ ଦୂରରେ କୋଲାବ ନଦୀ, ଯିଏ କୋରାପୁଟ ଓ ବସ୍ତର ଜିଲାର ସୀମାରେ ଶବରୀ ନଦୀ ନାମରେ ପରିଚିତ । ଆହୁରି ଛଅ ମାଇଲ ଆଗେଇ ଗଲେ ପଡ଼େ ବୈପାରୀଗୁଡ଼ା ଗ୍ରାମ । ବୈପାରୀଗୁଡ଼ାରୁ ଗୋବିନ୍ଦପଲ୍ଲୀ ମଝିରେ ରକ୍ଷତ ଜଙ୍ଗଲ, ଲଗାଲଗି ପାହାଡ଼ମାଳ, ନିଘଞ୍ଚ ଅରଣ୍ୟ ଘେରା ଲହଡ଼ିଆ ମାଳଭୂମି, ଅସଂଖ୍ୟ ଛୋଟ ବଡ଼ ନାଳ । ଛୋଟ ନଦୀଟିଏ ସପ୍ତଧାରା । ସବୁ ନାଳ ଯାଇ ସେଇଥିରେ ମିଶିଛି ।

 

ଅରଣ୍ୟ ମଝିରେ ଦୁଇ ପାଖର ପାହାଡ଼ମାଳର ଉପତ୍ୟକାଗୁଡ଼ିକର ମଝିରେ, ପାହାଡ଼ଗୁଡ଼ିକର କଡ଼େ କଡ଼େ ବଙ୍କେଇ ବଙ୍କେଇ ଅଣଓସାରିଆ ରାସ୍ତାଟି ଗଡ଼ି ଚାଲିଛି । ଡାହାଣ ପାଖେ ସେହି ସପ୍ତଧାରୀ ନଦୀ । ତିଖ ଖଣ୍ଡୀ । ଗୋବିନ୍ଦପଲ୍ଲୀ ପାଖର ଘାଟି ଗଡ଼ାଣିର ଦୁଇ ତିନି ମାଇଲ ଉପରୁ ନଦୀ ରାସ୍ତାକୁ ଛାଡ଼ି ଆହୁରି ଦକ୍ଷିଣ ଆଡ଼କୁ ଅସୁମାରି ଛୋଟ ବଡ଼ ଲଗାଲଗି ଖୁନ୍ଦାଖୁନ୍ଦି ଢେଉଢ଼େଉକା ବିମାନିଆ ଘଞ୍ଚ ଅରଣ୍ୟଘେରା ପାହାଡ଼ର ଉପତ୍ୟକା ମଝିରେ ବଙ୍କେଇ ବଙ୍କେଇ ବହିଯାଇଛି । ଦୃଷ୍ଟିପଥରୁ ହଜି ଯାଇଛି ।

 

ରାସ୍ତାର ଗଡ଼ାଣି ଶେଷରେ ଗୋବିନ୍ଦପଲ୍ଲୀ । ପାଞ୍ଚ ମାଇଲ ପରେ ମାତିଲି (ମୈଥିଳୀ) । ସେଇଠୁ ପାଞ୍ଚ ଛଅ ମାଇଲ ପରେ ବଡ଼ ନଦୀଟିଏ ପଙ୍ଗମ । ଏ ନଦୀ ପାରି ହେଲେ ଯାଇଁ ମାଲକାନଗିରିର ପାଖାପାଖି ସତୀ ନଦୀର ଛୋଟ ଛୋଟ ଧାର ଦିଓଟି । ସେଇଠୁ ଛୋଟ ଘାଟିମାଳ ଭିତରେ ରାସ୍ତା ବଙ୍କେଇ ବଙ୍କେଇ ଗଡ଼ିଯାଇଛି ମାଲକାନଗିରିକୁ । ପାଞ୍ଚ ମାଇଲ ଅତିକ୍ରମ କଲେ ଛୋଟ ନଦୀଟି ତମସା । ପୁଣ୍ୟତୋୟା । ଜନକ ସୁତା ସ୍ନାନେ ପବିତ୍ର ନୀରା ! ଆହୁରି ନଅ ମାଇଲ ଅତିକ୍ରମିଲେ ବଡ଼ ନଦୀ ପଟେରୁ । ତାକୁ ପାରି ହେଲେ ସିଲେରୁ–ଶବରୀ ସଙ୍ଗମ ଉପର ମୋଟୁ ଯାଏଁ ଆଉ ବଡ଼ବଡ଼ ନଦୀ ନାହିଁ, ଅଛି ଅସୁମାରି ଛୋଟ ବଡ଼ ନାଳ ।

 

ପ୍ରାକୃତିକ ଶୋଭାର ଭଣ୍ଡାର ତ ଉତ୍କଳଜନନୀ, କୋରାପୁଟ ଜିଲା ପ୍ରାକୃତିକ ଶୋଭାସମ୍ଭାରରେ ଅନ୍ୟ କେଉଁ ଜିଲାଠାରୁ ନ୍ୟୁନ ନୁହେଁ । ପର୍ବତମାଳ କାହିଁ ଅରଣ୍ୟ ଆଚ୍ଛାଦିତ, କାହିଁ ବା ଅରଣ୍ୟବିବର୍ଜିତ । ନିଘଞ୍ଚ ଅରଣ୍ୟ, ଅଗଣନ ଛୋଟ ବଡ଼ ନଦୀ ନାଳ । ଶତାଧିକ ଛୋଟ ବଡ଼ ଜଳପ୍ରପାତ । ବିଞ୍ଚି ହୋଇଥିବା ପାହାଡ଼ମାଳର ମଝିରେ ମଝିରେ ସମତଳ ଉପତ୍ୟକା । ତହିଁରେ ସାନ ବଡ଼ ଗ୍ରାମ । ବିସ୍ତୀର୍ଣ୍ଣ ସମତଳ ଉର୍ବର କେଦାରମାଳ । ଦିଗ୍‌ବଳୟରେ ଅରଣ୍ୟ କି ପର୍ବତମାଳାର ସୁନୀଳ ସଂକେତ । ମାଲକାନଗିରି ଅଞ୍ଚଳ ମନୋରମ ଶୋଭାସମ୍ପଦରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ଭୂମିର ଉର୍ବରତା ଦୃଷ୍ଟିରୁ କୋରାପୁଟ ଜିଲାର ଅନ୍ୟାନ୍ୟ ଅଞ୍ଚଳ ସଙ୍ଗେ ସମକକ୍ଷ ନୁହେଁ ।

 

ପଟେରୁ ନଦୀର ଦକ୍ଷିଣ କୂଳରୁ ସିଲେରୁ–ଶବରୀ ସଙ୍ଗମ ଯାଏଁ, ଏବଂ ପଟେରୁ–ଶବରୀ ସଙ୍ଗମ ସ୍ଥଳରୁ ଉତ୍ତର–ପୂର୍ବକୁ ମେଲି ଯାଇଥିବା ଭୂ–ଖଣ୍ଡ ତମସା ନଦୀ ଯାଏଁ ଅନୁର୍ବର । ଛୋଟ ବଡ଼ ଗୋଟିଗୋଟିକା ପାହାଡ଼ । କାହିଁ ବା ବିଛା ମାଳ ପରି ଲମ୍ବିଯାଇଥିବା ଧାଡ଼ିକିଧାଡ଼ି ପାହାଡ଼ । ସବୁ ଲଘୁ ଅରଣ୍ୟରେ ଆଚ୍ଛାଦିତ । ମଝିରେ ମଝିରେ ଲମ୍ବିଯାଇଛି ମାଇଲ ମାଇଲ ଯାଏଁ ସମତଳ ଭୂମି । ସେହିପରି ଲଘୁ ଅରଣ୍ୟରେ ଆଚ୍ଛାଦିତ । ତାଆରି ମଧ୍ୟରେ, ସେହି ଅରଣ୍ୟ ଓ ପାହାଡ଼ କଡ଼ରେ, ଦୂରେଇ ଦୂରେଇ ତିନି ମାଇଲ ଚାରି ମାଇଲ ଅନ୍ତରରେ କୋୟା ଜାତି ଲୋକଙ୍କର ଛୋଟ ଛୋଟ ଗ୍ରାମ, ସେମାନଙ୍କର କ୍ଷେତ । ଲମ୍ବି ଯାଇଥିବା ସମତଳ ଅରଣ୍ୟଭୂମି ସାଧାରଣତଃ ଅନୁର୍ବର, ପଥୁରିଆ, ଅନୁଚ୍ଚ ମୁରମ, ପାହାଡ଼ପୂର୍ଣ୍ଣ । ସର ପଡ଼ିଲା ପରି ଯେଉଁଠାରୁ ମାଟି ଅଛି ବୋଲି ଆଖିକୁ ଦିଶେ, ସେଠାରେ ଚାଖଣ୍ଡେରୁ ମୁଠୁଣିଏ ତଳେ ପଡ଼େ ମୁରମ୍‌, କଙ୍କର, ପଥର । ଏଇଥିପାଇଁ ଉପରର ବଣ ଲଘୁ(୭) । ଗଛଗୁଡ଼ିକ ଦୁର୍ବଳ ଓ ଅନୁଚ୍ଚ । ସେ ସବୁ ପୁଣି ବାରଚାଉଳିଆ ଗଛ । ଆମ୍ବ, ପଣସ କି ସଭ୍ୟଜଗତର ଅନ୍ୟାନ୍ୟ ଉପାଦେୟ ଫଳ ଫୁଲ ଗଛ ନାହିଁ । ପଟେରୁ ଉପରୁ ପଙ୍ଗମ ନଦୀ ଯାଏଁ କାଁଭାଁ ଶାଳଗଛ ଦେଖାଯାଏ ପଟେରୁର ଦକ୍ଷିଣକୁ ଯାଏଁ, ପୁଣି ତମସା ଶବରୀ ଓ ପଟେରୁ ମଝିରେ ଶାଳଗଛ ବିରଳ । ନଦୀ କୂଳେ କୂଳେ ପ୍ରଚୁର ସାଗୁଆନ ଗଛ । ମଝିରେ ମଝିରେ ଗ୍ରାମ ପାଖ ଜଙ୍ଗଲମାନଙ୍କରେବି ଛିଞ୍ଚି ଦେଲା ପରି ସାଗୁଆନ ଗଛ ଲଘୁ ଅରଣ୍ୟ କି କେଉଁଠି ଘଞ୍ଚ ଅରଣ୍ୟର ସବୁଜିମା ଭେଦି ଆକାଶକୁ ମୁଣ୍ଡ ଟେକିଥାଏ ।

 

ଜାନୁଆରୀରୁ ଜୁନ୍‌ ମାସ ଅଧଯାଏଁ ମାଲକାନଗିରି ଉପ–ଜିଲାରେ ବର୍ଷା ପ୍ରାୟ ହୁଏ ନାହିଁ । ଛୋଟ ଛୋଟ ନଦୀ, ନାଳ ଓ ଝରଣାଗୁଡ଼ିକ ଶୁଖିଯାଏ । କେବଳ ସିଲେରୁ, ଶବରୀ, ପଙ୍ଗମ ଓ ପେଟରୁ ନଦୀରେ ଅଳ୍ପ ଜଳ ପ୍ରବାହିତ ହୁଏ । ଛିଣ୍ଡି ଛିଣ୍ଡିକା ଦୂରେଇ ଦୂରେଇ ଆଣ୍ଠୁଏ, ଛାତିଏ କି ବେଳେ ପାଣି ଥିବା ଗଣ୍ଡମାନ ରହେ । ସେଗୁଡ଼ିକ ପାଖ ଓ ଦୂର ଗ୍ରାମର ଲୋକମାନଙ୍କର ବ୍ୟବହାରରେ ଲାଗେ, ଗୃହପାଳିତ ଓ ବନସ୍ତର ପଶୁମାନଙ୍କର ମଧ୍ୟ ।

 

ନଦୀ କୂଳରୁ ଅତି ଦୂରରେ ଥିବା ଗ୍ରାମଗୁଡ଼ିକର ଅଧିବାସୀମାନେ ଶୁଖିଯାଇଥିବା ପର୍ବତ–ଝରଣାର କାଁ–ଭାଁ ଟୁବଗୁଡ଼ିକର ସଢ଼ା ପଚା କାଦୁଆ ପାଣିରେ ଜୀବନ ବଞ୍ଚାନ୍ତି । କୂଅ ପୋଖରୀ କି କଟା ସାଧାରଣତଃ ଆଖିରେ ପଡ଼େ ନାହିଁ । କେଉଁଠି କେଉଁଠି ହୁଏତ ଥିବ, କିନ୍ତୁ ଗ୍ରୀଷ୍ମକାଳରେ ସେଗୁଡ଼ିକ ଶୁଖିଯାଉଥିବ ।

 

ଗ୍ରୀଷ୍ମର ପ୍ରଚଣ୍ଡ ତାପରେ ପଥର, ପାହାଡ଼, ପଥୁରିଆ ଭୂଇଁ ନିଆଁ ଲାଗିଲା ପରି ତାତି ଉଠେ । ଅସହ୍ୟ ସେ ତାପ । ଅରଣ୍ୟ ଭିତରେ ଆଶ୍ରା ନେଇ ଗ୍ରୀଷ୍ମ ତାପରୁ ଉଦ୍ଧାର ପାଇବାର ଉପାୟ ନାହିଁ । ପତ୍ର ଝଡ଼ା ବାରମିଶା ଗଛଗୁଡ଼ିକ ହତଶ୍ରୀ ହୋଇ ଝୋଲାମାରିଲା ପରି ଠିଆ ହୋଇଥାନ୍ତି । ମନ୍ଦାଏ ପାଣିପାଇଁ ଅତି କରୁଣ ତାଙ୍କର ନୀରବ ନିବେଦନ । ତଳ ତାତି ଓ ଉପର ତାତିରେ ଆଗନ୍ତୁକ ଅଧା ପ୍ରାଣ ହୁଏ । ଶୁଖିଲା ପତ୍ର ଉଡ଼ାଇ ବାୟୁ ଓ ଘୂର୍ଣ୍ଣିବାୟୁ କେବେକେବେ ମାଡ଼ିଆସେ, କିନ୍ତୁ ସ୍ଥିର ନିରସ ନିରାଟ ତାପରୁ ସେ ଆହୁରି ଦୁରନ୍ତ ।

 

ସନ୍ଧ୍ୟା ଆସେ, ତାପ କମେ । ରାତ୍ରି ଆସେ, ଶୀତଳ ରାତ୍ରି, ଶୀତୁଳିଆ ଧୀର ପବନ ବନ ମର୍ମରି ଆସେ । ତପତ କ୍ଳାନ୍ତି ବିମର୍ଷ ଅରଣ୍ୟ ଅରଣ୍ୟାନୀର ଝାଉଁଳିଲା ଡାଳପତ୍ର ଚେଇଁ ଉଠନ୍ତି । ଶିଶିର ନୁହେଁ, ଶୀତଳ ପ୍ରକୃତିର ନାତିଶୀତଳ ଧୀର ବାୟୁରୁ ଜଳ–ଅଣୁର ଆହରଣ କରି ଉଲସି ଉଠନ୍ତି । ଉଲ୍ଲସିତ ବଣ୍ୟପଶୁ ବିଚରଣ କରନ୍ତି ଅରଣ୍ୟ ମଝିରେ । ଗ୍ରାମ ଭିତରେ ଶୀତଳ ଆକାଶର ଚାନ୍ଦୁଆ ତଳେ ମନ ଆନନ୍ଦରେ ବାଜା ବଜାଇ ଗୀତ ବୋଲି ନାଚନ୍ତି ଟୋକାଟୋକୀ ଦଳ-। ତାଳରସ ପିଇ ନିଶାରେ ଘାରି ହୋଇ ଟୁଳୁ ଟୁଳୁ ଆଖିରେ ଦୂରେଇ ବସି ଢୁଳେଇ ଢୁଳେଇ ଶୁଣୁଥାନ୍ତି, ଦେଖୁଥାନ୍ତି ବୁଢ଼ା ଓ ଅଧାବଇସିଆମାନେ ।

 

ଜୁନ୍‌ ମାସ ମଝିଆ ମଝି ଆରମ୍ଭ ହୁଏ ବର୍ଷା । ଆସେ ଚତୁର୍ମାସ୍ୟା । ମାଡ଼ିଆସେ ପ୍ରବଳ ବର୍ଷା, ପବନ । ହିଡ଼ ବାଡ଼ ଡେଇଁ ଅତି ବେଗରେ ଜଳର ପ୍ରବାହ ଛୁଟେ । ଅସଂଖ୍ୟ ଛୋଟ ଛୋଟ ବଡ଼ ନାଳ ଓ ନଦୀମାନଙ୍କରେ ଆବିଳ ଜଳର ପ୍ରବାହ । ଦୁଇ କୂଳ ବୁଡ଼ାଇ ଅରଣ୍ୟଭୂମି ପ୍ଳାବିତ କରି ଜଳସ୍ରୋତର ସହସ୍ର ସହସ୍ର ପ୍ରବାହ ଅମାନିଆଁ ଧାଏଁ । ଯେତେ ଦିନ ଯାଏଁ ବର୍ଷା ଲାଗି ରହିଥାଏ, ଯାତାୟାତ କଷ୍ଟ ହୁଏ । ଅସମ୍ଭବବି ହୁଏ । ବର୍ଷାର ଉପଶମ ହେଲେ ଛୋଟ ବଡ଼ ନାଳଗୁଡ଼ିକରୁ ଜଳ ନିଷ୍କାସନ ହେବାରୁ ଅଧିକ ସମୟ ଲାଗେ ନାହିଁ । ଦୁଇ ତିନି ଘଣ୍ଟାରୁ ଦୁଇ ତିନି ଦିନ ମଧ୍ୟରେ ଯଦି ବର୍ଷା ନଥାଏ ନାଳଗୁଡ଼ିକ ପୁଣି କ୍ଷୀଣ ହୁଅନ୍ତି । ତହିଁରେ ପଶି ପାରି ହେବାକୁ ଅସୁବିଧା ହୁଏ ନାହିଁ, ଅବଶ୍ୟ ମଝିଲା ଓ ବଡ଼ ନଦୀଗୁଡ଼ିକରେ ପଶି ପାରିହେବା ସମ୍ଭବ ହୁଏ ନାହିଁ । ନୌକାର ଚଳନ ନାହିଁ ।

 

ଅରଣ୍ୟ ପଲ୍ଲବିତ ହୁଏ । ଅରଣ୍ୟ ନିଘଞ୍ଚ ହୁଏ । ନିମ୍ନଦେଶର ତୃଣରାଜି ଅଙ୍କୁରିତ ହୁଅନ୍ତି-। ବଢ଼ି ଉଠନ୍ତି । କ୍ଷେତ୍ରମାନଙ୍କରେ କର୍ମମୁଖର ନରନାରୀ । ଶସ୍ୟ ମୁଣ୍ଡ ଟେକେ, ବଢ଼େ, ଫଳେ-। ଧୀରେ ଧୀରେ ଆସେ ପୁଣି ଶୀତଋତୁ । ନଭେମ୍ବର ଆରମ୍ଭରୁ ଫେବ୍ରୁଆରୀ ଶେଷଯାଏ ତା’ର କରାମତି । ପ୍ରବଳ ଶୀତ । ଆଦିବାସୀର ଆଶ୍ରା କେବଳ ଅନଳ । ସେ ଦରିଦ୍ର ଅଳସ ପ୍ରକୃତି, ସରଳ, ପ୍ରତିକାର ପାଇଁ ବିଶେଷ ଯତ୍ନଶୀଳ ନୁହେଁ । ଯାହା ଆସେ, ଦେବଦେବୀଙ୍କର ଦଣ୍ଡ ବୋଲି ଗ୍ରହଣ କରେ । ସହିଯାଏ । ଚାଷର ପ୍ରଣାଳୀ ସେ ଭଲ ଜାଣେନାହିଁ । ବିଲ ବଛା ହୁଏ ନାହିଁ, ବେଉଷଣ କରାଯାଏ ନାହିଁ । ଜମିରେ ଧାନ ଛିଞ୍ଚି ଦେଇ ସେ ଘରେ ବସେ, ନିଶ୍ଚିନ୍ତ ରହେ ଘାସ ସଙ୍ଗେ ପ୍ରତିଯୋଗିତା କରି ଧାନଗଛ ଯେତିକି ବଢ଼ୁଛି ବଢ଼ୁ, ଯେତିକି ଫଳୁଛି ଫଳୁ ଅବା ନ ଫଳୁ, ସେତିକି ତା’ର ଚିନ୍ତା ନାହିଁ ।

 

ଶୀତଦିନେ ବେଳେବେଳେ ବାଘ ମାତେ । ଗ୍ରାମ୍ୟ ପଶୁ ଓ ମଣିଷଙ୍କୁ ଓଟାରିନିଏ । ରକ୍ଷିତ ଜଙ୍ଗଲ ଓ ପାହାଡ଼ ପାଖର ଗ୍ରାମମାନଙ୍କରେ ବାଘର ଉପଦ୍ରବ ବଢ଼େ । ବେଶି ବେଶି ଜଙ୍ଗଲ ସଫା ହୋଇ ଚାଷଜମିରେ ପରିଣତ ହେବାରୁ ସାଧାରଣ ଗ୍ରାମଗୁଡ଼ିକରେ ଜଙ୍ଗଲ ହେଲାଣି ପୁଳି ପୁଳିକା । ମଝିରେ ଚାଷଜମି, ତେଣୁ ବାଘର ଅଚାନକ ଅତ୍ୟାଚାର କମୁଛି । ତଥାପି ରହିଛି । ଅରଣ୍ୟ ଭୟଶୂନ୍ୟ ନୁହେଁ ।

 

ସବୁ ଦେଶର ଛୋଟ ବଡ଼ ସବୁ ଅରଣ୍ୟର ଅବସ୍ଥା ଏହିପରି ହୋଇଥିବ । କେବଳ ଉତ୍କଳ କି କୋରାପୁଟ କି ମାଲକାନଗିରି ଉପ–ଜିଲାର ଏହା ବିଶେଷତ୍ୱ ନୁହେଁ । ଭଲମନ୍ଦ ସୁବିଧା ଅସୁବିଧା ସର୍ବତ୍ର ଅଛି । ସୁଖ–ଆନନ୍ଦ ଓ ଆପଦ–ବିପଦ ସବୁଠାରେ ହାତ ଧରାଧରି ହୋଇ ଚାଲିଛନ୍ତି ।

 

ଆୟତ୍ତହୀନ ହୋଇ ଘଟଣାର ଘୂର୍ଣ୍ଣିବାୟୁରେ ଅତି କ୍ଷୁଦ୍ର ତୃଣଖଣ୍ଡ ପରି ସେ ଚକା ଚକା ଭଉଁରୀ ଖେଳି ଶେଷକୁ ଫୋପାଡ଼ି ହୋଇ କଚଡ଼ା ଖାଇ ପଡ଼ିଛି ଏଇ ମାଲକାନଗିରିରେ, ତମସା ନଦୀର ତୀରରେ ।

 

ସେ ଅମିୟ ମଣ୍ଡଳ !

 

ଦୁଇ

 

ତମସା ନଦୀକୂଳରେ ଛୋଟ ଅକର୍ମ–ଶିଳା ଉପରେ ଠିଆ ହୋଇ ପଚିଶବର୍ଷର ସୁନ୍ଦର ବଳିଷ୍ଠ ଯୁବକ ଅମିୟ ମଣ୍ଡଳ ଆରପାରିକୁ ନିରର୍ଥକ ଦୃଷ୍ଟିରେ ଚାହିଁ ରହିଛି ।

 

ପଚାଶ ଗଜରୁ ଅଧିକ ହେବ ନାହିଁ ନଦୀର ପ୍ରସ୍ଥ । ଅନତିଦୂରରେ ବାମହାତି ନଦୀ ଦକ୍ଷିଣ ଆଡ଼କୁ ବଙ୍କେଇ ଯାଇଛି । ନିଘଞ୍ଚ ଅରଣ୍ୟ ଭିତରେ ଆତ୍ମଗୋପନ କରିଛି । ଡାହାଣହାତ ପ୍ରାୟ ତିନି ଶହ ଗଜ ଦୂରରୁ ଛୋଟ ନଦୀଟି ବହି ଆସୁଛି ଦୁଇ ଧାର ହୋଇ, ଗୋଟିଏ ଛୋଟ ପାହାଡ଼କୁ ବେଷ୍ଟନ କରିଛି, ଦୁଇ ଧାର ମିଶି ଏକ ହୋଇ ତଳକୁ ଦକ୍ଷିଣ–ପୂର୍ବଦିଗକୁ ଗଡ଼ି ଚାଲିଛି । ଡାହାଣ ପାଖରେ ମଧ୍ୟ ତା’ର ଧାରା ଅରଣ୍ୟର ଅନ୍ତରାଳରେ ଛପି ଯାଇଛି । ଯୁଆଡ଼େ ଚାହିଁଲେ ଅରଣ୍ୟ, କେବଳ ଅରଣ୍ୟ । କ୍ଷୀଣସ୍ରୋତ ତମସାର ସ୍ୱଚ୍ଛ ସଲିଳ ପ୍ରବାହର ସଲୀଳ ଛନ୍ଦୋମୟ ରାଗିଣୀ ଅମିୟର କାନରେ ଅବିରତ ବାଜୁଛି କିନ୍ତୁ, ତା’ର ନିବିଷ୍ଟତା ଭାଙ୍ଗିପାରୁ ନାହିଁ ।

 

ଆଖି ଆଗରେ ସବୁଜ ଅରଣ୍ୟର ଢେଉଢ଼େଉକା ସାଗର, କଲ୍ଲୋଳିନୀ ତମସାର ଅପର ପାର୍ଶ୍ୱରୁ ଲମ୍ବିଯାଇଛି । ସ୍ଥିର, ଅଚଞ୍ଚଳ । ସମୀରର ହିଲ୍ଲୋଳ ନାହିଁ । ମିଶିଯାଇଛି କାହିଁ କେତେ ଦୂରରେ ପାତଳ ହୋଇ ଆସୁଥିବ ଆଦ୍ୟ ମଗୁଶିରର ଦେହ ଦୋହଲା ଶୀତଳ ସକାଳର ନୀଳ କଳାମିଶା ଦିଗନ୍ତ ବିସ୍ତାରୀ କୁହେକି କୋଳରେ । ଆହୁରି ଦୂରରେ ସେହି କୁହେଳିକାର ପ୍ରାଚୀର ଉଜଳି ଆସୁଥିବା ସୁନୀଳ ଆକାଶରେ ମିଶିଯାଇଛି । ତରଙ୍ଗାୟିତ ପାହାଡ଼ମାଳର ଚିହ୍ନବର୍ଣ୍ଣ ନାହିଁ । ସବୁ ହଜିଯାଇଛି ସେହି ଆଚ୍ଛାଦିଲା କୁହୁଡ଼ି ଭିତରେ ଅବିକଳ ଅମିୟ ମଣ୍ଡଳର ଏଗାରବର୍ଷ ପୂର୍ବର ଅତୀତ ପରି ।

 

ବାମ ପାଖର ଅରଣ୍ୟ ଓ ଆଚ୍ଛାଦିତ କୁହେଳିର ଧୂଆଁଳିଆ ବିସ୍ତୃତି ଭିତରେ, ଅତି ଦୂରରେ, ଅନାମିକା କେଉଁ ପର୍ବତ ଧାଡ଼ିର ଅସ୍ପଷ୍ଟ ପାତଳିଆ ନୀଳିମାର ଫିଟି ପଡ଼ୁଥିବା ଅଞ୍ଚଳର ଫାଙ୍କାରେ, ଉଜଳି ଆସୁଥିବା ନୀଳ ଆକାଶ କୋଣରେ ଲୋହିତ ସୂର୍ଯ୍ୟ ମୁହଁ ଦେଖାଇଲେଣି । ଅତି ମନୋରମ ସେହି ବାଳାରୁଣର ତେଜୀୟାନ ହସ ଅମିୟର ନିବିଷ୍ଟତା ଭଙ୍ଗ କଲା । ସେ ଧୀରେ ଧୀରେ ମୁହଁ ବୁଲାଇ କ୍ଷଣେ ଚାହିଁଲା । ସେଇଠୁ ଦୃଷ୍ଟି ତା’ର ଭ୍ରମିବାକୁ ଲାଗିଲା । ସେ ଦୃଷ୍ଟିରେ ଉଦ୍ଦେଶ୍ୟ ନାହିଁ, ଭରପୂର କେବଳ ବିସ୍ମୟ, ହୁଏତ ଟିକିଏ ଆଗ୍ରହ, କେଜାଣିବା ସେ ଦୃଷ୍ଟି ଅଳପ ପ୍ରଶ୍ନିଳ,–ଏଇ ହେବ ତା’ର କର୍ମଭୂମି !

 

ପକ୍ଷୀଙ୍କର କଳରବ । କ୍ରୌଞ୍ଚ ଯୁଗଳଙ୍କର ରବ ମିଶିଛି ପରା ସେହି ସଂଶ୍ଳିଷ୍ଟ କାକଳୀରେ-! କ୍ରୌଞ୍ଚ–କୁଜୀ ବଗ, ତମସା ନଦୀରେ କ୍ଷୀଣ ଜଳ ଧାର ପାଖରେ ଏଠିସେଠି ବସିଛନ୍ତି କେତେ, ଏକଲୟରେ ଚାହିଁରହିଛନ୍ତି ଚଳନ୍ତି ପ୍ରବାହକୁ । କେତେ ମୀନ ଖେଳି ଖେଳି ଭାସି ଯାଉଛନ୍ତି, ବୁଡ଼ି ଉଠି, ବୁଡ଼ି ଉଠି । କୁଜୀ ବଗଗୁଡ଼ିଙ୍କର ଚଞ୍ଚଳ ଆଖିରେ ଆଶା–ଦୁରାଶାର ବ୍ୟଗ୍ରତା-। ରାମାୟଣରେ ବର୍ଣ୍ଣିତ ତମସା ନଦୀ, ଏଇ କ’ଣ ସେହି ତମସା ? ଅମିୟର ମନ ମୁହୂର୍ତ୍ତକରେ କେଉଁ ଭୁଲା ଅତୀତକୁ ଧାଇଁଲା,–ମହର୍ଷି ବାଲ୍ଲୀକି ଆଶ୍ରମକୁ !

 

ମୁଣ୍ଡ ଉପରକୁ ଲମ୍ବିଆସିଥିବା ମହୁଲଗଛର ଝଙ୍କା ପତ୍ରଭରା ଡାଳଟି ଅଳପ ଦୋହଲି ଉଠିଲା । କେତେ ପକ୍ଷୀ ରାବ ଛାଡ଼ି ଏଣେତେଣେ ଉଡ଼ି ପଳାଇଲେ । ଅମିୟର ମୁଣ୍ଡ ଉପରେ ଟପଟପ ହୋଇ ଜଳବିନ୍ଦୁ ଝରି ପଡ଼ିଲା । ଶୀତଳ ଜଳର ପରଶରେ ତା’ର ଦେହ କୋହଲି ଉଠିଲା-। ସେ ଅଳପ ଘୁଞ୍ଚି ଉପରକୁ ଚାହିଁଲା । ଆହୁରି ଅନେକ ପକ୍ଷୀ ଉପର ଡାଳରେ ବସି କଳରବ କରୁଛନ୍ତି । ନା, ବ୍ୟାଧ ଆସିନାହିଁ କି ମହର୍ଷି ବାଲ୍ଲୀକି ତମସାର ଶୀତଳ ଜଳରେ ସ୍ନାନ–ତର୍ପଣ କରୁ ନାହାନ୍ତି ।

 

ସେ ଅମିୟ ମଣ୍ଡଳ, ସେ ବ୍ୟାଧ ନୁହେଁ, ସେ ନୁହେଁ ବାଲ୍ମୀକି । ସେ ପୂର୍ବ–ବଙ୍ଗ ପାକିସ୍ଥାନରୁ ପଳାଇ ଆସିଥିବା ସର୍ବହରା ପଳାତକ ଆଶ୍ରୟପ୍ରାର୍ଥୀ ।

 

ସେ ରାମାୟଣ ପ୍ରଣୟନ କରିବାକୁ ମହାଦଣ୍ଡକାରଣ୍ୟରେ ଭ୍ରମଣ କରିବାକୁ ଆସି ନାହିଁ-। ସେ ଆସିଛି ଅତୀତକୁ ଭୁଲି ନୂତନ ଜୀବନ ଆରମ୍ଭ କରିବ । ମଲ୍ଲିକା ନଗରୀ କି ମଳୟଗିରି କି ମାଲକାନଗିରି ଅଞ୍ଚଳରେ ଏହି ପୁଣ୍ୟତୋୟା ତମସା ନଦୀର ତୀରରେ କେଉଁ ନୂତନ ଗ୍ରାମରେ ନୂଆ ଘର ତୋଳି ସଂସାର ଆରମ୍ଭ କରିବ ! ପଚିଶବର୍ଷର ଯୁବକ ସେ, ଦେହରେ ବଳ ଅଛି-। ମୋଟାସୋଟା ଅତି ବଳବାନ୍‌ ସେ ନୁହେଁ; କିନ୍ତୁ ଯେଉଁମାନଙ୍କ ସତେ ସେ ଏହି ନୂତନ ରାଜ୍ୟରେ ବସବାସ କରିବାକୁ ଆସିଛି ସେମାନଙ୍କ ତୁଳନାରେ ସେ ବଳିଷ୍ଠ ।

 

ଅମିୟ ମଣ୍ଡଳ ଦେଖିବାକୁ ସୁଶ୍ରୀ, ହେଉପଛେ ଶ୍ୟାମଳ, ଗୋଳମୁହଁ, ଚଉଡ଼ା କପାଳ, ଘଞ୍ଚାଳିଆ ସଳଖ ଭ୍ରୂଲତା ତଳେ ପୂରିଲା ପୂରିଲା ବଡ଼ବଡ଼ ଆଖି ଡୋଳା । ଧାର ନାକ । ମୁହଁରେ ରୁଢ଼ ବଢ଼ିଛି । କେହି ଖୁଣିଲେ ସେ ଖିଅର ହୁଏ ନୋହିଲେ ନାହିଁ । ଆବଶ୍ୟକ ମଣେ ନାହିଁ । ପିନ୍ଧୁଛି ଧଳା ଲୁଗା । ଦେହରେ ଗୋଟିଏ ଗେଞ୍ଚି ଉପରେ ଖଣ୍ଡେ ଅଧାହାତିଆ ପଟ୍ଟି ପଟ୍ଟିକିଆ ରଙ୍ଗିନ ହାଓ୍ୱାଇନ୍‌ । ସେତିକିରେ ସେ ଆଦ୍ୟ ମଗୁଶିରର ଶୀତୁଆ ସକାଳର କୋହଲା ପାଗକୁ ଅବଜ୍ଞା କରୁଛି ।

 

ଅଧମାଇଲ ଦୂରରେ ଅରଣ୍ୟ ମଝିରେ ମୋଟୁ ରାସ୍ତା କଡ଼ରେ ଶରଣାର୍ଥୀମାନଙ୍କ ପାଇଁ ନୂଆ କ୍ୟାମ୍ପ୍ ଖୋଲାଯାଇଛି । ଷାଠିଏ ଘର କୁଟୁମ୍ବ ସେଠାରେ ଅସ୍ଥାୟୀ ଭାବରେ ଟେଣ୍ଟ୍‍ମାନଙ୍କରେ ବାସକରୁଛନ୍ତି । ପନ୍ଦର ଦିନ ତଳେ ସେମାନେ ଏହି ଜିଲାର ଗୋଟିଏ ରାସ୍ତାକଡ଼ କ୍ୟାମ୍ପ୍‍ରୁ ଏଠାକୁ ସ୍ଥାନାନ୍ତରିତ ହୋଇଛନ୍ତି । ଏହିପରି ତ କ୍ୟାମ୍ପ୍‍ରୁ କ୍ୟାମ୍ପ୍ ସ୍ଥାନାନ୍ତରିତ ହୋଇ ବଙ୍ଗ, ବିହାର, ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ଏଗାରବର୍ଷ କଟିଗଲା କେଉଁଠି ସ୍ଥିର ହୋଇ ବସବାସ କରିବାର ସୁବିଧା ଓ ସୁଯୋଗ ମିଳିଲା ନାହିଁ । ଶେଷକୁ ଏହି ଉତ୍କଳ,–ଏଇଠି ଥଇଥାନ କରିବାର ଆଶା ଦେଇ ସେମାନଙ୍କୁ ଅଣାଯାଇଛି ।

 

ସାତ ଦିନ କାଳ ଅମିୟ ଆଖପାଖରେ ଅରଣ୍ୟ, ନଦୀ, ନାଳ, ପାହାଡ଼ ଓ ଅରଣ୍ୟର ନିମ୍ନଭୂମି ପରିଦର୍ଶନ କରୁଛି । ପରୀକ୍ଷା କରୁଛି ସେମାନଙ୍କ ସଙ୍ଗେ ପରିଚିତ ହେବାକୁ ଚେଷ୍ଟା କରୁଛି-। ସେମାନଙ୍କୁ ଆପଣାର କରିବାର ପ୍ରୟାସରେ ସେ ଏଣେତେଣେ ବୁଲି ଦେଖୁଛି । ଯାହା ସେ ପଢ଼ିଥିଲା ଏଇ ଦଣ୍ଡକାରଣ୍ୟ ସମ୍ବନ୍ଧରେ, ପୁଣି ଯାହା ସେ ଶୁଣିଥିଲା, ସେ ମିଳାଇ ଦେଖୁଛି-। ଏହି କ’ଣ ସତେ ରାମାୟଣବର୍ଣ୍ଣିତ ଦଣ୍ଡ ମହାରାଜାଙ୍କର ବିରାଟ ସାମ୍ରାଜ୍ୟ ଦିନେ ଥିଲା, ପ୍ରାୟ ପାଞ୍ଚ ହଜାରବର୍ଷ ତଳେ ?

 

ବାଳସୂର୍ଯ୍ୟ ଆକାଶ ଉପରକୁ ଉଠି ଆସିଲେଣି । କୋମଳ କିରଣ ତେରଛା ହୋଇ ମହୁଲଗଛର ପତ୍ରଗହଳ ଫାଙ୍କରେ ଝରଝର ହୋଇ ଝରି ଆସୁଛି । ଶୀତଳ ଦେହକୁ ଭଲ ସୁହାଉଛି-। ଗଛ ଉପରେ କାଉଗୁଡ଼ିଏ ରାବ ଛାଡ଼ିଛନ୍ତି । କୋମଳ କଣ୍ଠରେ କେଜାଣି କେତେ ଦୂରରୁ ଅରଣ୍ୟର ଅନ୍ତରାଳରୁ ବାଳିକାଟିଏ ଡାକ ଛାଡ଼ିଛି ।

 

କିଏ ?

 

ଅମିୟ ମୁହଁ ଫେରାଇଲା । ମନ ଗହନର କେଉଁ ଗୋପନ କୋଣରେ ଠିଆ ହୋଇଛି ତେରବର୍ଷ ବୟସର ହସକୁଡ଼ୀ ଗେହ୍ଲିଆ ଝିଅଟି ଅମିତା ! ହାତ ଟେକି ଆଙ୍ଗୁଠି ହଲାଇ ଡାକ ଛାଡ଼ିଛି, କକା, କକା– । ତା’ ପାଖରେ ଠିଆ ହୋଇଛନ୍ତି ଗମ୍ଭୀର ବଦନୀ ଅଶ୍ରୁମୁଖୀ ଜନନୀପ୍ରତିମ ଭ୍ରାତୃଜାୟା ଅନିମା !

 

ସେମାନେ ଆଖିକୁ ଦିଶୁ ନାହାନ୍ତି, ମନକୁ ଦିଶୁଛନ୍ତି । ଗତ ରାତିରେ ଅମିତା ଜିଗର ଲଗାଇଲା, ଅଝଟ ହୋଇ ତା’ର ମା’ ସଙ୍ଗେ ଅଳି କଲା, ରାତି ପାହିଲେ ଭ୍ରାତୃଦ୍ୱିତୀୟା, ମୋର ବଡ଼ ଭାଇ ନାହିଁ କି ସାନ ଭାଇ ନାହିଁ, କାହା ମୁଣ୍ଡରେ ମୁଁ ଟୋପା ଲଗାଇବି ମା’ ? କାହାକୁ ନୂଆ ନୂଆ ଜାମା ପିନ୍ଧାଇବି ? ପ୍ରକାର ପ୍ରକାର ପିଠାପଣା, ଭାତ ତରକାରୀ କରି ଖୁଆଇବି ?

 

ମିତାର ଝରିଲା ଆଖିକୁ ଅଞ୍ଚଳରେ ପୋଛି ସ୍ନେହମୟୀ ଜନନୀ ଅଶ୍ରୁଳ ମୁଖରେ ହାସ୍ୟର ଅସ୍ପଷ୍ଟ ଆଲୋକ ଛୁଟାଇ ସ୍ୱଭାବସୁଲଭ ଧୀର କୋମଳ ସ୍ୱରରେ କହିଲେ, ସମସ୍ତଙ୍କର ସମସ୍ତେ ସବୁବେଳେ ଥାଆନ୍ତି କି ? ପରକୁ ଆପଣାର କଲେ ସମସ୍ତଙ୍କୁ ସବୁ ମିଳିଯାଏ । ମଣ୍ଟୁକୁ ତୁ ଭାଇ ବୋଲି ଡାକୁ, ସେ ବି ମତେ ମାଉସୀ ବୋଲି ଡାକେ । ଭ୍ରାତୃଦ୍ୱିତୀୟାର ତୁ ତାକୁ କାଲି ସିନ୍ଦୂର ଚନ୍ଦନ ଠୋପା ପିନ୍ଧାଇଦେବୁ । ତାକୁ ତୁ ତୋର ମନଇଚ୍ଛା ଖାଇବାକୁ ଦେବୁ । ହେଲା ?

 

ମିତା ମୁଣ୍ଡ ହଲାଇଲା । କହିଲା, ନା, ପ୍ରତିବର୍ଷ ମୁଁ ଜଣେ ଭାଇ କରି ପାରିବି ନାହିଁ । ଗତ ବର୍ଷ ଏଇ ଭ୍ରାତୃଦ୍ୱିତୀୟାକୁ ଆମେ ସବୁ ଥିଲୁ ଜାମୁରଣ୍ଡା କ୍ୟାମ୍ପ୍‍ରେ । ଏଠାକୁ ଅନେକ ଦୂର । ଆମର ପଡ଼ୋଶୀ ଖୋକନ୍‌ଦା, ତାକୁ ମୁଁ ଭାଇ କରିଥିଲି । ସେମାନେ ବସ୍ତର ଜିଲାର ପାରେକୋଟକୁ ଚାଲିଗଲେ । ଚିଠି ଦେବ ବୋଲି ସେ କହିଥିଲା । କାହିଁ ଦେଲାନାହିଁ ତ ? ସେ ଅତି ସ୍ୱାର୍ଥପର । ତା’ ଆଗ ବର୍ଷ, ସେ କ୍ୟାମ୍ପ୍‍ର ନାମ ମୋର ମନେ ନାହିଁ, ଛୋଟ ପାହାଡ଼ ପାଖରେ, ଘଞ୍ଚ ଅରଣ୍ୟ ମଝିରେ ବହିଯାଉଛି ନାଳଟିଏ, ତାଆରି କଳରେ, ସେଠି ଯାହାକୁ ମୁଁ ଭାଇ କରିଥିଲି ତା’ର ନାମ ଭାଦୁ । ସେମାନେ ଗଲେ ରାୟଘର । ସେ ମଧ୍ୟ ଚିଠି ଦେଲା ନାହିଁ ।

 

ଅନିମାଙ୍କର ଓଠରେ କେଉଁ ଅଜଣା ବେଦନାର ଥରଥର ହସ ବିକଶି ଉଠୁଣୁ ବିଲୟ ଭଜିଲା । ମୁଖ ଗମ୍ଭୀର ହେଲା । ଅମିୟ ଉପରେ କରୁଣ ଆଡ଼ଚାହାଣି ପକାଇ ସେ ମୃଦୁ ସ୍ୱରରେ କହିଲେ, ମିତା, ସେଥିପାଇଁ ଦୁଃଖ କରନା । ଦୁଃଖରେ ଯେଉଁମାନଙ୍କର ଜୀବନ ଗଢ଼ା, ସେମାନଙ୍କର ଆଉ ଦୁଃଖ କ’ଣ ମ ? ସେମାନେ ତୋର ଭାଇ ହୋଇଥିଲେ । ଚିରଦିନ ସେମାନେ ତୋର ଭାଇ ହୋଇ ରହିବେ । ପତ୍ର ନ ଲେଖନ୍ତୁ ପଛେ ସୁଖରେ ରହନ୍ତୁ, ଆନନ୍ଦରେ ରହନ୍ତୁ ।

 

କିନ୍ତୁ ମଣ୍ଟୁ ଭାଇର ମୁଣ୍ଡରେ ମୁଁ ଟୋପା ଦେବି ନାହିଁ । ସେ ବି ଆଉ କୁଆଡ଼େ ଚାଲିଯିବ-। ସ୍ନେହ ଲଗାଇ ପୁଣି ସେ ସ୍ନେହର ଡୋର ଛିଣ୍ଡାଇବ । କହିବି, କହିବି କଥାଟିଏ, ରାଗିବୁ ନାହିଁ-?

 

କେବେ ରାଗିଛି କି ? ତୁ ମୋର ଭଲ ଝିଅଟି, କହ ।

 

ଅମିତା ଅମିୟ ପାଖକୁ ଘୁଞ୍ଚି ଆସିଲା । ଏକପରସ୍ତିଆ ଦଶ ଫୁଟ୍ ଲମ୍ବ ଆଠ ଫୁଟ୍ ଓସାର ଟେଣ୍ଟ୍‍ର ଉପର କନା ହେମାଳ ହେଲାଣି । ଥଣ୍ଡା ଅଜାଡ଼ି ହୋଇ ପଡ଼ୁଛି । ସେହି ଛୋଟ ଟେଣ୍ଟ୍‌–ଘର ଭିତରେ ତାଙ୍କ ସଂସାରର ସବୁ ଜିନିଷ କଡ଼ମାନଙ୍କରେ ସଜା ହୋଇ ରଖାହୋଇଛି । ଗୋଟିଏ କମ୍ବଳ ଘୋଡ଼ିହୋଇ ବସିଛି ଅମିୟ । ଅମିତା ଅମିୟ ହାତ ଧରି କହିଲା, ମା’, କାଲି ମୁଁ ମୋର କକାର ମୁଣ୍ଡରେ ସିନ୍ଦୂର ଚନ୍ଦନର ବିନ୍ଦୁ ନାଇଦେବି । କକା ଯେଉଁ ଧୋତି ହାଓ୍ୱାଇନ୍‌ କିଣି ଟ୍ରଙ୍କ୍‍ରେ ରଖିଛି ତାକୁ କାଢ଼ି ମୁଁ ତାକୁ ପିନ୍ଧାଇଦେବି । ହଁ, ସେ ଦିନକପାଇଁ ମୋର ଭାଇ ହେବ । ରାଜି ତ କକା ? ମୋଟେ ଦିନକପାଇଁ !

 

ଅମିୟ ଆଗ୍ରହଭରା ସ୍ନେହଶୀଳ ଦୃଷ୍ଟିରେ ଅମିତାର ଛଳଛଳ ଆଖିକୁ ଚାହିଁଲା । ହାର୍‍କିନି ଆଲୁଅରେ ମିତାର ଆଖି କୋଣରେ ଅଶ୍ରୁବିନ୍ଦୁ ଝଲସି ଉଠୁଛି । ସୁଗୋଲ ସୁଠାମ ଶ୍ୟାମଳ ସୁନ୍ଦର ଆନନ ଆଲିଙ୍ଗନ ପାଇଁ ନିମନ୍ତ୍ରଣ କରୁଛି ।

 

ସେଇ ଦୁର୍ବଳ କାନ୍ଦୁରୀ ଟିକି ଝିଅଟି ବଡ଼ ହୋଇ ଆସିଛି । ବୃନ୍ତଚ୍ୟୁତ ବାତ୍ୟାବିତାଡ଼ିତ ହତଭାଗ୍ୟ ସର୍ବହରା ମୁମୂର୍ଷୁ ବାଳକଟିଏ ଥିଲା ସେ ଅମିୟ, ରୋରୁଦ୍ୟମାନ ଅନାଥିନୀ ଗୋଟିଏ ନାରୀ, ପଶ୍ଚିମ–ବଙ୍ଗର କେଉଁ ପଥପ୍ରାନ୍ତରେ ତାକୁ ସାହାଯ୍ୟ କରିଥିଲେ । ମରଣମୁଖୀ ବାଳକର ମୁଖରେ ଅମୃତ ଢାଳି ଜୀବନ ରକ୍ଷା କରିଥିଲେ । ସେହି ହତଭାଗିନୀ ଜନନୀର ଉଲଙ୍ଗ ବକ୍ଷରୁ ଦୁଇବର୍ଷର ଶିଶୁଟି ଅମିତା, ସ୍ତନ୍ୟପାନ କରୁଥିଲା !

 

ସେହି ଶିଶୁଟି ଏ ଅମିତା । ତାକୁ ସେ ନିଜର କରିଛି । ଏଗାରବର୍ଷକାଳ ଛାତିରେ ପକାଇ ଦେହର ଉତ୍ତାପ ଓ ମନର ସରାଗ ଦେଇ ବଢ଼ାଇ ଆଣିଛି । ଅମିୟ ଭୁଲିଯାଇଛି ଯେ ତା’ର ନିଜର କେହି ଭାଇ ନଥିଲେ । ପିତା ମାତା, ତିନି ଭଉଣୀ ଓ ସେ, ଛଅଟି ପ୍ରାଣୀ ଥିଲେ ତାଙ୍କର କୁଟୁମ୍ବର ସମ୍ବଳ । ତା’ଠାରୁ ଆଠ ବରଷ ବଡ଼ ଜଣେ ଭଉଣୀ, ବହୁଦୂରରେ ସେ ବିବାହ କରିଥିଲେ-। ଉଷା ଅପା ! ତାଙ୍କର ଝିଅଟିଏ, ତା’ ନାମ ନୀତା । ଅମିୟ ଶୁଣିଛି, ଦେଖିବାର ସୁଯୋଗ ମାତ୍ର ଥରେ ପାଇଥିଲା । ମନେ ନାହିଁ ତା’ର ଟିକି ମୁହଁଟି ।

 

ନୀତା ହୋଇଥିବ ମିତା ବୟସର !

 

ଅମିୟ ଅମିତାର ହାତ ଧରିଲା । ରୁମରୁମିଆ ଅଳ୍ପ ମୂଲ୍ୟର ପୁରୁଣା କମ୍ବଳଟିକୁ ଆଡ଼େଇ ଦେଇ ଅମିତାକୁ ସେ କୋଳକୁ ଟାଣିନେଲା । ତା’ର ପୁଚୁକା ଗାଲରେ ବୋକ ଦେଇ ବହଳ ନାକରେ ନାକ ଘଷି ଛାତିରେ ଯାକିଲା । ତୃପ୍ତିରେ ଆଖି ନିମୀଳିତ କରି ପୁଣି ଆଖି ଖୋଲିଲା । ଅମିତାର ଗୋଲିଆ ମୁହଁକୁ ଦୁଇ ପାପୁଲିରେ ଧରି ସାମାନ୍ୟ ଦୂରେଇ ଦେଇ କହିଲା, ବେଶ୍‌ ମିତା, ତୋ କଥାରେ ମୁଁ ରାଜି । କାଲି ସକାଳେ ତୋର କକା ହେବ ତୋର ବଡ଼ଭାଇ ।

 

ଖୁସି ହୋଇ ଅମିତା ତା’ର ଜନନୀ ପାଖକୁ ଉଠିଗଲା । ଅନିମା ମୁଗ୍ଧ ନେତ୍ରରେ ଅମିୟକୁ ଚାହିଁରହିଲେ ।

 

ଅମିତା କହିବାକୁ ଲାଗିଲା, ଦେଖ ମା’ ମୋର ସୁନା ପୁଅ କକାକୁ, କାଲି ସେ ମୋର ଭାଇ ହେବେ । ପହରିଦିନରୁ ସେ ତ ହେବେ ମୋର ପୁଅ । ହେଲା ତ ? ମଣ୍ଟୁ ମୋର ପ୍ରୟୋଜନ ନାହିଁ ।

 

ଅମିୟ ହାସ୍ୟୋତ୍‌ଫୁଲ୍ଲ ନେତ୍ରରେ ତା’ର ସ୍ନେହମୟୀ ଭ୍ରାତୃଜାୟାଙ୍କର ସୁନ୍ଦର ଦୁର୍ବଳ ଧାର ମୁହଁକୁ କଣେଇଁ ଚାହିଁଲା । ଦେଖିଲା, ଆଖି ଦିଓଟିରେ ବେଦନାର ପାରାବାର ଉଦ୍‍ବେଳିତ ହେଉଛି । ନାହିଁ ନାହିଁର ଅକୁହା ଅସମ୍ମତିର ସ୍ମିତରେ ଓଠ ଦିଫାଳ ଦୋହଲି ଉଠୁଛି । ଭାବୁଛନ୍ତି ପରା, ମିତା ଯାହାକୁ ଭାଇରୂପେ ବରଣ କରେ, ବର୍ଷ ନ ପୂରୁଣୁ ସେ ଅନ୍ୟ ଆଡ଼େ ଚାଲିଯାଏ, ପତ୍ର ଖଣ୍ଡିଏବି ଦିଏ ନାହିଁ !

 

ଆଜି ଭାତୃଦ୍ୱିତୀୟା, ଯମଦ୍ୱିତୀୟା । ଭଗିନୀମାନେ ଭାଇମାନଙ୍କୁ ଦିବ୍ୟଭୋଜନ ଦେଇ ଆପ୍ୟାୟିତ କରିବେ । ଆଜି ସେ ହେବ ମିତାର ଭାଇ ।

 

ରାତି ପାହୁଣୁ ଛୋଟ ଟେଣ୍ଟ୍‍ର ଫ୍ଳାପ୍‌ ଖୋଲି ସେ ପଦାକୁ ବାହାରିଲା । ଅମିତା ତା’ର ମାତା ଅନିମାଙ୍କ ପାଖରେ ଶୋଇଛି । ମା’ ଝିଅ ଦୁହିଁଙ୍କର ନିଦ ଭାଙ୍ଗିନାହିଁ । ନିଜର ଘୋରିହେଲା କମ୍ବଳଟି ଦୁହିଁଙ୍କର ପୁରୁଣା କନ୍ଥା ଉପରେ ଧୀରେ ଧୀରେ ବିଛାଇ ଦେଇ ଅମିୟ ପଦାକୁ ଆସିଲା । ପାଖର ଟେଣ୍ଟ୍‍ଗୁଡ଼ିକରେ ଏବଯାଏଁ ଅନ୍ୟମାନେ ଶୋଇଛନ୍ତି । ଖରା ନ ପଡ଼ିଲେ ସେମାନେ ଉଠିବେ ନାହିଁ ।

 

ଅମିୟ ଖୋଲା ପାଦରେ ବନପଥରେ ନିର୍ଭୟରେ ଚାଲିଆସିଛି ।

 

ଆଗରେ ପୁଣ୍ୟତୋୟା ତମସା ନଦୀ । ଖଣ୍ଡେଦୂର ତଳେ ପୂର୍ବରୁ ପଶ୍ଚିମକୁ ବହି ଆସୁଥିବା ସତୀ ନଦୀରେ ସେ ମିଶିଛି । ସତୀ ନଦୀର ଧାର ଏଠାକୁ ଦେଖାଯାଉ ନାହିଁ । ଖରା ଆସିଲାଣି । ବିଛଣାରୁ ଉଠି ଅମିତା ଡାକ ଛାଡ଼ିଛି କି ? ନାହିଁ, ଆଉ କାହାର ଡାକ ଶୁଭୁ ନାହିଁ । ବେଶି ଦୂରକୁ ଚାହିଁ ହେଉ ନାହିଁ । ଅରଣ୍ୟ ତଳେ କେତେ ଜାତିର ବୁଦିବୁଦିକିଆ ଗଛ । ଛାତିଏ ଉଞ୍ଚର ଘଞ୍ଚ ଘାସ ଓ ପୁରୁଷେ ଉଞ୍ଚର ବଣ ଖଜୁରର ଲମ୍ବିଲା ଡାଳ ଦୃଷ୍ଟି ଅଟକାଉଛି ।

 

ଆଜି ଭ୍ରାତୃଦ୍ୱିତୀୟା ।

 

ତମସାର ପବିତ୍ର ନୀରରେ ସ୍ନାନ କରି ଫେରିଯିବ ସେ କଲୋନିକୁ । ସେଇଠି, ଛୋଟ କନାଟେଣ୍ଟ୍‍ରେ ଅପେକ୍ଷା କରି ବସିଥିବେ ଅନିମା ଦେବୀ, ଯାହାକୁ ଭ୍ରାତୃଜାୟାର ସମ୍ମାନ ସେ ଦେଇଛି, ଗୋଡ଼ର ଧୂଳି ମୁଣ୍ଡରେ ମାରି ଯାହାଙ୍କର ସେବା କରିବାର ସୁଯୋଗ ସେ ପାଇଛି, ଯାହାଙ୍କର ସ୍ନେହ ଓ କରୁଣାର ଅସରନ୍ତି ଧାରା ତା’ର ମସ୍ତକରେ ବୃଷ୍ଟି ହୋଇ ଆସିଛି !

 

ଏଗାରବର୍ଷ କଟିଗଲାଣି ।

 

ଅମିତା ତାଙ୍କରି ଦୁହିତା !

 

ପଥର ଚଟାଣ ଉପରୁ ଅମିୟ ଧୀରେ ଧୀରେ ଉଚ୍ଚ ଖଣ୍ଡୀର କଡ଼େ କଡ଼େ ତମସାର ଗର୍ଭ ଭିତରକୁ ଓହ୍ଲାଇ ଆସିଲା । ମନେ ପଡ଼ିଲା ତା’ର ବଡ଼ଭଉଣୀ ଉଷାରାଣୀଙ୍କର କଥା ! ସେ ବି ଗୋଟିଏ ଝିଅର ଜନନୀ, ଅବିକଳ ତା’ର ଭାଉଜ ଅନିମାଙ୍କ ପରି । ଟିକି ଝିଅଟି ବିନୀତା ଅମିତା ବୟସର ହୋଇଥିବ ।

 

ତିନି

 

ତମସାର କ୍ଷୀଣ ଧାରକୁ ସେ ଅନାଇଁ ରହିଲା । ବାଲୁକାଶର୍ଯ୍ୟା ଓ ଉପଳଖଣ୍ଡମାନଙ୍କ ଉପରେ ଅଗଭୀର ଜଳର ସ୍ରୋତ କଳକଳ ହୋଇ ବହିଯାଉଛି । ଚଳନ୍ତି ସ୍ରୋତର ଅବିରାମ ଛନ୍ଦ କାନରେ ଅମୃତର ଅସରନ୍ତି ଧାରା ଢାଳୁଛି । ଅମିୟର ମନେ ହେଲା ତମସାର ସେହି ମୁକ୍ତି କଳକଳ ରାଗିଣୀ ନିରର୍ଥକ ନୁହେଁ । ସେହି ରାଗିଣୀରେ ତପସ୍ୱୀ ବାଲ୍ମୀକିଙ୍କର ମୁଖନିଃସୃତ ସାତ କାଣ୍ଡ ରାମାୟଣର ଶ୍ଳୋକଗୁଡ଼ିକ ମିଶି ରହିଛି । ତମସା ଆବୃତ୍ତି କରୁଛି ।

ମା’ ନିଷାଦା ପ୍ରତିଷ୍ଠାଂ ତ୍ୱମଗମଃ ଶାଶ୍ୱତି ସମାଃ–ଯତ୍‌କ୍ରୌଞ୍ଚ ମିଥୁନାଦେକମବଧି କାମମୋହିତମ୍‌ ।’’

ଶୋଇ ପଡ଼ିଲ କି ଅମିୟ ?

ଦିନସାରା ଅକ୍ଳାନ୍ତ ପରିଶ୍ରମ କରିଥିଲା ପିଲାଟା, ଯେତେ କହିଲେ ମାନିବ ନାହିଁ । ପଥପ୍ରାନ୍ତର ପର୍ଣ୍ଣକୁଟୀର ପରି ଏଇ ଛୋଟ ଟେଣ୍ଟ୍ ଖଣ୍ଡି, କେତେ ଦିନ ବା ରହଣି କିଏ ଜାଣେ ? ତଥାପି ଏଇ ନିରାଟ ଖରାର ତାପ ଦେହରେ ମୁଣ୍ଡରେ ଭେଦାଇ ଟେଣ୍ଟ୍‍ର ଚାରିପାଖରେ ବାଡ଼ ବୁଜି ଆବୋର କଲ କାହିଁକି ଅମିୟ ? ତୁମେ ମୋର ଅତି ଆପଣାର ଅତି ସ୍ନେହର ଦେବରଟି । ଏଇ ହେବ ପରା ପଞ୍ଚବଟୀ, ଆଉ ତୁମେ ତ ମୋର ମନର ଲକ୍ଷ୍ମଣ । ଶୋଇପଡ଼ ବାବା ।

କ୍ଳାନ୍ତ ଅବଶ ଦେହଟିକୁ ଟେଣ୍ଟ୍‌ ତଳ ଚଟାଣ ଉପରେ ସେ ଲମ୍ବାଇ ଦେଇଥିଲା । ସାରା ଶରୀର ଘର୍ମାକ୍ତ । ଛାତି ଉପରେ ତିନିବର୍ଷର ଲଙ୍ଗୁଳି ଝିଅଟି ଅମିତା । ଅଝଟ ହେଲା ବୋଲି ଅମିୟ ତା’ର ପିଠି ଥାପୁଡ଼ି ଗୀତ ବୋଲି ଶୁଆଇବାକୁ ଚେଷ୍ଟା କରୁଥିଲା । ନୂଆଉ ଅନିମା ଟେଣ୍ଟ୍ ବାହାରେ ଆମ୍ବଗଛର ଛାୟାର ବାସନ ମାଜୁଥିଲେ । କେତେ ମଇଳା ଲୁଗାରେ ସାବୁନ ଲଗାଇ ରଖିଥିଲେ, ସେଗୁଡ଼ିକ ସେ କାଚି ସଫା କରିବେ । ଆମ୍ବଗଛ ପାଖରୁ କୋଡ଼ିଏ ପଚିଶ ହାତ ଦୂରରେ ନଳକୂଅ । କେତେ ମାଇପେ ଓ ପିଲାଏ ଜମା ହୋଇଛନ୍ତି । ପାଟିତୁଣ୍ଡ ଓ କଜିଆ କରୁଛନ୍ତି । ପଶ୍ଚିମବଙ୍ଗର କେଉଁ ଅସ୍ଥାୟୀ କ୍ୟାମ୍ପ୍‍ ଅମିୟର ମନେ ନାହିଁ ଆଜି ।

ସେଇଠି–ଅମିତାକୁ ନିଦ ଲାଗିଗଲା । ତା’ର ଫୁଙ୍ଗୁଳା ପିଠି ଉପରେ ଅମିୟର ଚାପଡ଼ିଲା ହାତ ପାପୁଲିଟି ଅଜାଣତରେ ନିଶ୍ଚଳ ହେଲା । ତାକୁ ମଧ୍ୟ ଛାଇନିଦ ଘୋଟି ଆସିଲା । ସେହି ଅଧା ଜାଗ୍ରତ ଅଧା ସୁପ୍ତ ଚେତନାର ଆଉଜା ଦ୍ୱାରରେ ନୂଆଉଙ୍କର କଅଁଳ ସ୍ୱଗତ ଉକ୍ତି ଧୀରେ ଧୀରେ ଆଘାତ କଲା । ଅନିମା ଗୋଟିଏ ପତର ପଙ୍ଖାରେ ଅମିୟକୁ ବିଞ୍ଚିବାକୁ ଲାଗିଲେ । ତୁହାକୁ ତୁହା ଲୋଟିଲା ପବନ ତା’ର ଘର୍ମାକ୍ତ ଦେହକୁ ଶୀତଳ କଲା, ଆରାମ ଦେଲା । ଅନିମା ଧୀରେ ଧୀରେ ଅମିତାକୁ ତା’ର ଛାତି ଉପରୁ ଉଠାଇନେଲେ । ଚଟାଣ ଉପରେ ତା’ରି ପାଖରେ ଶୁଆଇ ଦେଲେ । ଅମିୟର କ୍ଳାନ୍ତ ଆଖିପତା ଖୋଲିଗଲା ।

ମୁହୂର୍ତ୍ତେ ସେ ଅନାଇଁ ରହିଲା ତା’ର ଭାତୃଜାୟାଙ୍କର ଅଯତ୍ନ ଅଲରା ସୁନ୍ଦର ମୁହଁକୁ । ମଥା ଉପରେ ଆଠଣି ଆକାରର ସିନ୍ଦୂରବିନ୍ଦୁ ବାଳ ସୂର୍ଯ୍ୟ ପରି ଝଟକି ଉଠୁଛି । ମସ୍ତକର ଅସଜଡ଼ା କହରିଆ କେଶକୁ ଦୁଇଭାଗ କରି ଚଉଡ଼ା ସିନ୍ଦୂରର ଗାର ଉଜ୍ଜ୍ୱଳ ଦିଶୁଛି । ଲମ୍ବକେଶ ଇତସ୍ତତଃ ହୋଇ କାନ୍ଧ ପାଖରେ ଓ ଛାତି ଉପରେ ବିଞ୍ଚି ହୋଇ ପଡ଼ିଛି । ଛୋଟ ହାତ–ପଙ୍ଖାର ରହି ରହିକା ବତାସରେ ନୁଖୁରା କେଶ ଧୀରେ ଧୀରେ ଦୋହଲୁଛି । ହାତରେ ପିନ୍ଧିଥିବା ଚାରିପଟି ସରୁ ସରୁ ରଙ୍ଗ କାଚର ଝମ୍‍ଝମ୍ ଦୋହଲା କେଶ ସଙ୍ଗେ ସମତାଳ ପକାଉଛି । ଗୋରା ତକତକ ଅଳପ ଲମ୍ବାଳିଆ ପୂରଲା ମୁହଁର ଛୋଟ ସୁଗଠଣ ନାସା ତଳେ ପାତଳ ଓଠ ସାମାନ୍ୟ ଖୋଲିଛି । ସେ ହସହସ । ଗାଲ ଦି’ ପାଖ ହସହସର ଅଦମ୍ୟ ଲହଡ଼ିର ଆଗମପାଇଁ ତାଙ୍କର ସ୍ୱଭାବତଃ ଗମ୍ଭୀର ମୁଖରେ ଲହଡ଼ି ତୋଳିଛି । କୋଳରେ ଖୋଲା ହୋଇ ରହିଛି କୃତ୍ତିବାସଙ୍କର ବଙ୍ଗଳା–ରାମାଣୟ ।

କଅଁଳେଇ କହିଲେ ସେ ମାତୃମୂର୍ତ୍ତି, ନିଦ ଭାଙ୍ଗିଗଲା କି ଅମିୟ ? ତୁମର ଛାତି ଉପରୁ ମିତାକୁ ଉଠାଇ ଦେଉଣୁ ଅଜାଣତରେ ମୁଇଁ ତୁମର ନିଦ ଭାଙ୍ଗିଦେଲି । ତମ ଛାତିରେ ମିତାର ଫୁଙ୍ଗୁଳା ଦେହ ଲାଗି ଝାଳର ଅସରନ୍ତି ସୁଅ ଛୁଟିଥିଲା । ଅତି କ୍ଳାନ୍ତ ହୋଇଛ । ଏଥର ଶାନ୍ତିରେ ଟିକିଏ ଶୋଇପଡ଼ ବାବୁ, ଖରା ତେଜ କମି ନାହିଁ । ବାହାରେ ଅଗ୍ନିବୃଷ୍ଟି ହେଉଛି । ଟେଣ୍ଟ୍‌ ଉପରେ ତୁମେ ଯଦି ଡାଳପତ୍ର ବିଛାଇ ନଥାନ୍ତ, ଆମେ ସମସ୍ତେ ଏଇ ଗରମ ଭିତରେ ସନ୍ତୁଳି ହୋଇ ମରନ୍ତେ । ମୁଁ ବିଞ୍ଚି ଦେଉଛି ତୁମେ ଶୋଇପଡ଼ ।

ମିତାକୁ ଶୁଆଇ ଦେଉଣୁ ମୋର ଆଖିପତା ଅଜାଣତରେ ବନ୍ଦ ହୋଇଗଲା ନୂଆଉ, ଶୋଇବାକୁ ମୋର ଆଗ୍ରହ ନଥିଲା । ତୁମେ କ’ଣ କହୁଥିଲ କି ମତେ, ଅଥବା ମୁଁ ସପନ ଦେଖୁଥିଲି, କିଛି ମୋର ମନେ ନାହିଁ । ଆଜି ରାମାୟଣ ପଢ଼ିବ ନାହିଁ ? ନୋହିଲେ ତୁମେ ସେଇ ରାମାୟଣରୁ ଗଳ୍ପ କହ–ଦଣ୍ଡକାରଣ୍ୟ, ବାଲ୍ଲୀକି ଆଶ୍ରମ, ତମସା ନଦୀ, ତପସ୍ୱନୀ ସୀତା– !

କେତେ ଥର ତ କହିଛି ବାବୁ, ଆହୁରି ଶୁଣିବାକୁ ମନ ହେଉଛି ? ଅମୃତର ଧାରା ପରି ସେ, ଯେତେଥର ପାନକଲେ ଆନନ୍ଦ ଊଣା ହୁଏ ନାହିଁ । ଅତି ପୁରୁଣା ହେଲେବି ସବୁଦିନେ ନୂଆ । ପଢ଼ିବାକୁ, କହିବାକୁ, ଶୁଣିବାକୁ, ସମସ୍ତଙ୍କର ଆଗ୍ରହ ହୁଏ । ମହର୍ଷି ବାଲ୍ଲୀକିଙ୍କର ମୁଖନିଃସୃତ ଅମର ଚରିତ । ତୁମେ ଆଜି ଅତି କ୍ଳାନ୍ତ ହୋଇଛ । ମୁଁ ବିଞ୍ଚି ଦେଉଛି, ଟିକିଏ ଶୋଇପଡ଼ । ଅବାଧ୍ୟ ହୁଅନା ।

କେବେ ସେ ଅବାଧ୍ୟ ହୋଇ ନାହିଁ । ଅପରିଚିତା ସେହି ଦେବୀପ୍ରତିମା ଯାହାଙ୍କୁ ଭ୍ରାତୃଜାୟା ବୋଲି ପ୍ରଥମ ସାକ୍ଷାତ୍‌ରେ ସେ ସମ୍ବୋଧନ କରିଥିଲା, ଯିଏ ତାକୁ ଦେବରର ଆସନରେ ପ୍ରତିଷ୍ଠିତ କରି ସବୁ ସ୍ନେହର ଧାରା ତା’ରି ମୁଣ୍ଡରେ ଅଜାଡ଼ି ଦେଇଥିଲେ, କେବେ ସେ ତାଙ୍କର ଜୀବନର ପୂର୍ଣ୍ଣ ଇତିହାସ ଖୋଲି କହି ନାହାନ୍ତି । ସାହସ କରି ଅମିୟ କେବେ ପଚାରି ପାରି ନାହିଁ । ଆବଶ୍ୟକ ମଣି ନାହିଁ ।

 

କେବଳ ସେ ଏତିକି ଜାଣେ, ଅନିମା ଦେବୀଙ୍କର ସ୍ୱାମୀଙ୍କର ନାମ ଅଧର ମଣ୍ଡଳ । ପାକିସ୍ଥାନର ସୀମା ପାରିହୋଇ ବଙ୍ଗଦେଶକୁ ପଳାଇ ଆସୁଥିବାବେଳେ ତାଙ୍କର ଶାଶୁଶଶୁର ଓ ଦେବର ପାକିସ୍ଥାନୀ ଜବାନ୍‍ମାନଙ୍କର ଗୁଳି ଚାଳନାରେ ଆହତ ହୋଇ ପଡ଼ିଲେ; ଅଥବା ହତ ହେଲେ । ଅନ୍ଧକାର ରାତ୍ରି ଓ ବନପଥର ସୁଯୋଗ ନେଇ ସେମାନେ ପଳାଇ ଆସୁଥିବାବେଳେ ଶତ୍ରୁପକ୍ଷର ଅଚାନକ ଆକ୍ରମଣ । ସ୍ୱାମୀ ଆହତ ହେଲେ । ଶିଶୁଟିକୁ ନେଇ ଅନ୍ୟମାନଙ୍କ ସଙ୍ଗେ ଆଗେଇ ଯିବାକୁ ସେ ନିର୍ଦ୍ଦେଶ ଦେଇ ନୀରବ ହେଲେ ।

 

ଶତ୍ରୁଙ୍କର ଗୁଳିରେ ଟଳି ପଡ଼ୁଥିଲେ ମଧ୍ୟ ପଳାତକ ଦଳ ସମୁଦ୍ରର ଲହଡ଼ି ପରି ମାଡ଼ି ଆସୁଥାନ୍ତି । ସ୍ୱାମୀଙ୍କର ସୋରଶବଦ ନାହିଁ । ଅରଣ୍ୟର ଆବରଣ ତଳେ ଅନ୍ଧକାରରେ ସେ କେଉଁଠି ରହିଲେ ଜାଣିବାର ଉପାୟ ନାହିଁ । ଚିତ୍କାର କଲେ କି ରୋଦନ କଲେ ଶତ୍ରୁ–ଜବାନ୍‌ମାନେ ଶୁଣି ପାରିବେ । ସମସ୍ତଙ୍କର ଜୀବନ ଯିବ । ପଳାତକମାନଙ୍କର ଲହଡ଼ିର ହାବୁକାରେ ସେ ଶିଶୁଟିକୁ ଛାତିରେ ଜାଳି ଠେଲି ହୋଇ ସୀମା ପାରି ହୋଇ ପଶ୍ଚିମବଙ୍ଗକୁ ଆସିଲେ ।

 

ଆଜିଯାଏ ମନରେ ଦୃଢ଼ ଆଶା ଧରି ବିଶ୍ୱାସ କରି ରହିଛନ୍ତି ସେ ଦିନେ ନା ଦିନେ ତାଙ୍କର ସ୍ୱାମୀ ଫେରି ଆସିବେ । ଆଶାହିଁ ତାଙ୍କର ଜୀବନ । ବିଶ୍ୱାସହିଁ ତାଙ୍କର ପ୍ରେରଣା, ତାଙ୍କର ଆନନ୍ଦ । ଆଶା ଓ ବିଶ୍ୱାସର ଦୁଇ ବାହୁର ଅଭୟ ବେଷ୍ଟନୀ ମଝିରେ ତାଙ୍କର ସୁଖଦୁଃଖର ଘରକରଣା । ସେଇ ଘରକରଣାର ଚଳନ୍ତି ବନ୍ଧନୀ ଭିତରେ ଅନାଥ ବାଳକଟି ସେ ଅମିୟ, ଆଶ୍ରୟ ପାଇଛି । ନିଜର ଅତୀତକୁ ଆଡ଼େଇ ଦେଇ ପାରିଛି ।

 

ଏଗାରଟି ବର୍ଷ କଟିଗଲା ।

 

ତପସ୍ୱିନୀ ସେ ଅନିମାଦେବୀ ।

 

ସୂର୍ଯ୍ୟାଲୋକରେ ଉଦ୍ଭାସିତ ତମସାର ଚଳନ୍ତି ସ୍ରୋତର ଛୋଟ ଛୋଟ ଅସରନ୍ତି ତରଙ୍ଗରେ ଦିଶିଯାଉଛି ଆଉ ଜଣେ ତପସ୍ୱିନୀଙ୍କର ପ୍ରତିବିମ୍ବ, ମୁଖରୁ ନିର୍ଗତ ହେଉଛି ଅନବରତ ଗୋଟିଏ ଶବଦ–ରାମ, ରାମ, ରାମ– ।

 

ମହାସତୀ ଜନକ–ନନ୍ଦିନୀ ସୀତା !

 

ସ୍ୱାମୀଙ୍କର ସମ୍ମାନ ରକ୍ଷାପାଇଁ ସେ ଅଶ୍ରୁମୁଖରେ ବେଦନା ଜର୍ଜର ମନରେ ନତଶିର ହୋଇ ସ୍ୱାମୀଙ୍କର ନିର୍ମମ ଆଦେଶ ନିର୍ବାସନ ଦଣ୍ଡକୁ ଗ୍ରହଣ କରିଥିଲେ । ଏଇ ତେବେ ସେହି ଭୁବନ–ବିଖ୍ୟାତ ତମସା, ଯାହାରି କୂଳରେ ମହର୍ଷି ବାଲ୍ଲୀକିଙ୍କର ଆଶ୍ରମ ଥିଲା ?

 

କାହିଁ ଗଙ୍ଗା, କାହିଁ ଏ ତମସା ? ସହସ୍ର ମାଇଲର ବ୍ୟବଧାନ । ମଣିଷର ବିଶ୍ୱାସ ଓ ପ୍ରତ୍ୟୟ ଅସମ୍ଭବକୁ ସମ୍ଭବ କରେ । ଶହ ଶହ ବର୍ଷହେଲା ସହସ୍ର ସହସ୍ର ଲୋକ, ଯେଉଁମାନେ ଦିନେ ଥିଲେ, ଯେଉଁମାନେ ଏବେ ଏ ଅଞ୍ଚଳରେ ଅଛନ୍ତି, ବିଶ୍ୱାସ କରନ୍ତି ଯେ ଏଇ ସେ ତମସା ଯହିଁରେ ମହାସତୀ ସୀତା ସ୍ନାନ କରୁଥିଲେ ।

 

ପନ୍ଦର ଦିନ ତଳେ ସେମାନେ ଉମରକୋଟ ପାଖ ଜାମୁରଣ୍ଡା କ୍ୟାମ୍ପ୍‍ରୁ ଏ ସ୍ଥାନକୁ ଅଣାହେଲେ । ଏହି ପନ୍ଦର ଦିନ ଭିତରେ ସ୍ଥାନୀୟ ଲୋକ ଓ ଆଶ୍ରୟପ୍ରାର୍ଥୀଙ୍କ ଥଇଥାନ କାର୍ଯ୍ୟରେ ନିଯୁକ୍ତ ହୋଇଥିବା ବିଭିନ୍ନ କର୍ମଚାରୀଙ୍କ ମୁହଁରୁ ମାଲକାନଗିରି ବା ମାଲ୍ୟବନ୍ତଗିରି ଅଞ୍ଚଳ ବିଷୟରେ କେତେ ପ୍ରଚଳିତ କିମ୍ବଦନ୍ତୀ ଶୁଣିଛନ୍ତି । ସବୁ ତ ରାମାୟଣ ସଙ୍ଗେ ସମ୍ପୃକ୍ତ । ଏହି ଅଞ୍ଚଳ ମଧ୍ୟ ବିରାଟ ଦଣ୍ଡକାରଣ୍ୟର କିୟଦଂଶ । ମହାରାଜ ଦଣ୍ଡଙ୍କର ବିରାଟ ସାମ୍ରାଜ୍ୟର ଶେଷ ସୀମା; ଅଥବା ମଧ୍ୟସ୍ଥଳ, କିଏ କହିପାରିବ ?

 

ଅମିୟ ତମସାର ଜଳସ୍ରୋତ ଉପରୁ ଦୃଷ୍ଟିଟେକି ଚାରିଆଡ଼କୁ ଚାହିଁଲା । କାକରଭିଜା ବାଲୁକା ଉପରେ ଧୀରେ ଧୀରେ ପାଦ ପକାଇ ସେ ତର କଡ଼େ କଡ଼େ ଆଗେଇ ଚାଲିଲା । ଖଣ୍ଡେ ଦୂର ତଳେ ନଦୀ ମଝିରେ କେତେଗୁଡ଼ିଏ ଅକର୍ମଶିଳା ଛାଡ଼ିଛାଡ଼ିକା ଉଭା ହୋଇଛି । ଛାତିଏରୁ ପୁରୁଷେ ଉଞ୍ଚ ହେବ ସେ ପଥରଗୁଡ଼ିକ । ଫାଙ୍କମାନଙ୍କରେ ଉଠିଛି ବଣୁଆ ଗଛଲତା, ଛନ୍ଦି ହୋଇଛି-। ତମସାର ପ୍ରବାହ ପଥରଗୁଡ଼ିକର ଫାଙ୍କବାଟେ ଗଳି ଉପଳଶଯ୍ୟା ଉପରେ କଳକଳ ଧ୍ୱନି କରି ସେ ପାଖକୁ ବହିଯାଉଛି । ଛୋଟ ଛୋଟ ଜଳପ୍ରପାତ ସୃଷ୍ଟିକରି ଆରପାଖର ନିମ୍ନସ୍ତରକୁ ଡେଇଁ ପଡ଼ୁଛି । ଜଳ ପତନର ଶବଦ ଶୁଭୁଛି ।

 

ସେଇ ପଥର ଉପରେ ବସି ଅମିୟ ଚାରିପାଖର ସୁନ୍ଦର ପ୍ରାକୃତିକ ଦୃଶ୍ୟ ଦେଖି ମୁଗ୍ଧ ହେଲା, ପୁଣି ଛୋଟ ଛୋଟ ଜଳପ୍ରପାତଗୁଡ଼ିକୁ ଅନାଇଁ ରହିଲା । ସେଇଠି ମନ ହଜିଗଲା ପରା ! ସେ ହେଲା ଆତ୍ମବିସ୍ମୃତ । ଜଳର କଳକଳ ଧ୍ୱନି ସଙ୍ଗେ କାହାର ମୃଦୁହାସ୍ୟର ଖିଲ୍‌ ଖିଲ୍‌ ଶବ୍ଦ କାନରେ ବାଜୁଛି । ଅମିୟର ମରପିଣ୍ଡ ଛାଡ଼ି ଚେତନା ପଦାକୁ ଛୁଟିଛି । ବର୍ତ୍ତମାନର ସସୀମ ମୁହୂର୍ତ୍ତକୁ ଡେଇଁ ସେ ଚେତନା କେଉଁ ସୁଦୂର ଅତୀତକୁ ଉଜାଣି ଗତି କରୁଛି । ଉପସ୍ଥିତ ଜଡ଼ପିଣ୍ଡର ସୀମିତ ବନ୍ଧନୀ ଅତିକ୍ରମି ସେ ଚେତନା ହୋଇଛି ପରିବ୍ୟାପ୍ତ ।

 

ସେ ଦେଖୁଛି–

 

–ତମସା ନଦୀର ତଟଦେଶ । ଶୁକ୍ରାଚାର୍ଯ୍ୟଙ୍କର ଆଶ୍ରମସଂଲଗ୍ନ ମନୋରମ ତପୋବନ-। ବିବିଧ ବୃକ୍ଷଲତାରେ ପରିପୂର୍ଣ୍ଣ । ସୁଗନ୍ଧସୁମନ–ରାଜିର ଶୋଭାସମ୍ଭାର ମନୋମୁଗ୍ଧକର-। ବୃକ୍ଷଲତାର ଅନ୍ତରାଳରୁ ଭାସି ଆସୁଛି ତରୁଣୀର ହାସ୍ୟରୋଳ । ଲତାପତ୍ର ଆଡ଼େଇ ସୁନ୍ଦରୀ ଷୋଡ଼ଶୀ ଏହି ତମସା ନଦୀର ସୁରମ୍ୟ ତଟଦେଶରେ ଉଭା ହେଲା । ହାତରେ ଧରିଛି ମୃଗଶିଶୁଟିର ବେକରେ ବନ୍ଧା ହୋଇଥିବା ରଜ୍ଜୁ । ରୂପର ଶୋଭାରେ ବନସ୍ଥଳୀ ଉଜ୍ଜ୍ୱଳ ଦିଶିଲା ସତେ ! ସକାଳ ସୂର୍ଯ୍ୟର ସୁନେଲି କିରଣ ଚଇତି ଆକାଶରେ ଭାସମାନ ଖଣ୍ଡିଖଣ୍ଡିକା ବାଦଲ ଫାଙ୍କରେ ଝରି ଝରି ଆସି ପତ୍ର ଗହଳର ହଲ ହଲ ଫାଙ୍କରେ ଗଳି ତରୁଣୀର ଦେହ ଓ ମୁହଁରେ ଲୁଚକାଳି ଖେଳୁଛି ।

 

ତରୁଣୀ ତନ୍ମୟ ହୋଇ ତମସାର ଶୀତଳ କ୍ଷୀଣ ପ୍ରବାହକୁ ଚାହିଁଲା । ପ୍ରସ୍ଫୁଟିତ କମଳ ପରି ମୁଖମଣ୍ଡଳର ଆଭା ବିକଶି ଉଠିଲା । ମୃଗଶିଶୁର ବେକରୁ ରଜ୍ଜୁ ଖୋଲି ତା’ର ମୁଖ ଚୁମ୍ବନ କଲା । ଧୀରେ, ଅତି ଧୀରେ ମର୍ତ୍ତ୍ୟର ମେନକାରୂପିଣୀ ସୁନ୍ଦରୀ ଓହ୍ଲାଇ ଆସିଲା ନଦୀଗର୍ଭକୁ । ନିର୍ଜନ ଏ ବନସ୍ଥଳୀ । କେବଳ ସମୀରର ମର୍ମର, ପକ୍ଷୀଙ୍କର କାକଳି, ମୃଗଶାବକଙ୍କର ଚକିତ ଚାହାଣି । ନାନା ଜାତି ବଣ୍ୟକୁସୁମର ଧାର ଦେହଲା ନାଚ । ବାସ ଛୁଟିଛି । ଅତିକୁଳର ଗୁଞ୍ଜନ ଶୁଭୁଛି । କଅଁଳ ପତ୍ରରେ ସକାଳର ନରମ କିରଣ ହଲି ଦୋହଲି ଚକଚକ ଦିଶୁଛି । ତମସାର ତରଙ୍ଗାୟିତ ଶୀତଳ ମୁଖର ସ୍ରୋତରେ ଭାସିଆସୁଛି କେତେ ପତ୍ର ପୁଷ୍ପ !

 

ଅମିୟର ମୁଗ୍ଧ ତନ୍ମୟ ଦୃଷ୍ଟି ଅରଣ୍ୟଭୂମିରେ ଧୀରେ ଧୀରେ ଭ୍ରମିଗଲା । ନିଜର ଅସ୍ତିତ୍ୱ ସେ ଭୁଲିଲା । ପୁଣି ତା’ର ଚେତନା ଉଜାଣି ଛୁଟିଲା ଅତୀତକୁ ।

 

–ସତ୍ୟଯୁଗର ମନୁ ମହାରାଜାଙ୍କର ରାଜସଭାକୁ । ଏକମାତ୍ର ପୁତ୍ର ତାଙ୍କର ମହାମତି ଇକ୍ଷ୍ୱାକୁ । ତାଙ୍କୁ ମନୁ ବିଦର୍ଭ ଦେଶର ରାଜସିଂହାସନ ଅର୍ପଣ କରି ସ୍ୱର୍ଗକୁ ଗଲେ । ଇକ୍ଷ୍ୱାକୁ ରାଜା ଅତି ଧାର୍ମିକ ଥିଲେ । ପୁତ୍ରକନ୍ୟା ପରି ପ୍ରଜାମାନଙ୍କୁ ପାଳନ କରୁଥିଲେ । କେତେ ରାଣୀ ତାଙ୍କର ଥିଲେ ଜଣାନାହିଁ, କିନ୍ତୁ ତାଙ୍କର ଥିଲେ ଶହେ ପୁତ୍ର । ଗେଲବସର ସବା ସାନ ପୁଅ ଅତି ଉଦ୍ଦଣ୍ଡ ଦଣ୍ଡକୁ ଅନ୍ୟ ପୁତ୍ରମାନେ ଧାର୍ମିକ, ଉଦାର, ବିବେକୀ, ବୁଦ୍ଧିମାନ, ଓ ଚରିତ୍ରବାନ୍‍ ଥିଲେ ।

 

ଦଣ୍ଡ ଥିଲେ ଉଦ୍ଧତ, ଉତ୍ପୀଡ଼କ, ଅମାନିଆ ଓ ଦୁଶ୍ଚରିତ୍ର । ପିତାଙ୍କର ସେ ହେଲେ ଅବାଧ୍ୟ-। ଉଚ୍ଛୃଙ୍ଖଳ ହୋଇ ପ୍ରଜାମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ । ଇକ୍ଷ୍ୱାକୁ ମହାରାଜ ବ୍ୟଥିତ ହେଲେ । ତାକୁ ଅତ୍‌ପଥକୁ ଆଣିବା ସମ୍ଭବ ନୁହେଁ ଜାଣି ଓ ରାଜନବରରେ ସୁଖରେ ଓ ନିଶ୍ଚିନ୍ତରେ ରହିଲେ ତା’ର ଦାୟିତ୍ୱଜ୍ଞାନ ଆସିବ ନାହିଁ କି ତା’ର ସ୍ୱଭାବଚରିତ୍ର ବଦଳିବ ନାହିଁ ବୁଝି ବୁଦ୍ଧ ମହାରାଜ ଇକ୍ଷ୍ୱାକୁ ଅଲିଅଳ ସୁଶୋଭନ ସାନ ପୁଅ ଉପରେ କଠୋର ଦଣ୍ଡ ନିହିତ କଲେ-। ବିନ୍ଧ୍ୟଗିରି ଏବଂ ଋକ୍ଷଗିରି ଶୈଳର ମଧ୍ୟବର୍ତ୍ତୀ ବିଶାଳ ଭୂଖଣ୍ଡର ଅତି ଗହନ ଓ ଶ୍ୱାପଦଶଙ୍କୁଳ ଅରଣ୍ୟ ମଧ୍ୟରେ ଦଣ୍ଡକୁ ଛାଡ଼ିଦେଇ ଆସିଲେ । କହିଲେ, ସଭ୍ୟ ମନୁଷ୍ୟ ସମାଜରେ ବାସ କରିବାକୁ ତୁ ଅନୁପଯୁକ୍ତ । ବିଶାଳ ଓ ଭୟଙ୍କର ଏହି ବନ ପର୍ବତ ହ୍ରଦ ପୂରିତ ଭୂଖଣ୍ଡରେ ତୁ ତୋର ରାଜ୍ୟ ସ୍ଥାପନ କର ।

 

ସାହସୀ, ନିର୍ଭୀକ ଓ ନିଷ୍ଠୁର ଦଣ୍ଡ ତାଙ୍କର ବିରାଟ ସାମ୍ରାଜ୍ୟର ନାମକରଣ କଲେ ଦଣ୍ଡକାରଣ୍ୟ । ଅରଣ୍ୟ ମଧ୍ୟରେ ଭ୍ରମଣ କରି, ଅରଣ୍ୟ ପର୍ବତ ନଦୀ ହ୍ରଦର ଶୋଭା ସନ୍ଦର୍ଶନ କରି ସେ ମୁଗ୍ଧ ହେଲେ । ମନୋରମ ପ୍ରକୃତି ଓ ଆଦିମ ଅଧିବାସୀଙ୍କର ସରଳ ପ୍ରଫୁଲ୍ଲ ଜୀବନର ସଂସର୍ଗରେ ଆସି ଦଣ୍ଡରାଜନଙ୍କର ସ୍ୱଭାବ ଓ ପ୍ରକୃତିର ପରିବର୍ତ୍ତନ ହେଲା । ଦୁର୍ଦ୍ଦାନ୍ତପଣ ଅପସରିଲା । ଦଣ୍ଡକାରଣ୍ୟର ମଧ୍ୟବର୍ତ୍ତୀ ଗୋଟିଏ ମନୋରମ ସ୍ଥାନରେ ଦଣ୍ଡ ତାଙ୍କର ସୁରମ୍ୟ ନଗର ସ୍ଥାପନ କଲେ । ସେହି ନଗରର ନାମ ଦେଲେ ମଧୁବନ୍ତ ।

 

ସେହି ମଧୁବନ୍ତ ନଗରୀ କାଳକ୍ରମେ ମାଲ୍ୟବନ୍ତଗିରି ହେଲା କି ? ସେହି ପୁଣି ହେଲା ମାଲଂକ–ନଗରୀ ମାଲକାନଗିରି ? କିଏ ଜାଣେ, କିଏ ବା କହି ପାରିବ ? ନାମକୁ ତର୍ଜମା କରି ବୁଦ୍ଧିମାନ କିଏ ପୁରାଣର ଉପାଖ୍ୟାନ ସଙ୍ଗେ ମିଳାଇ ମିଳାଇ କିମ୍ବଦନ୍ତୀ ଗଢ଼େ । ଦେବତା ନାମରେ ସେହି କିମ୍ବଦନ୍ତୀ ପ୍ରଚାରିତ ହୁଏ । ସରଳ ବିଶ୍ୱାସୀ ଭକ୍ତିପଣୋଦିତ ହୋଇ ଅଥବା ଭୟଭୀତ ହୋଇ ବିଶ୍ୱାସ କରେ କିମ୍ବଦନ୍ତୀ । ସେ ବିଶ୍ୱାସ ପୁରୁଷକୁ ପୁରୁଷ ଗଡ଼ିଚାଲେ । ଆଗତ ପୁରୁଷର ରକ୍ତରେ ଭେଦେ । ଚିନ୍ତାରେ ମିଶେ । ଆଉ ଅବିଶ୍ୱାସର ପ୍ରଶ୍ନ ଉଠେ ନାହିଁ । ସବୁ ସତ୍ୟରେ ପରିଣିତ ହୁଏ ।

 

ଯଦି ଉତ୍ତରାକାଣ୍ଡର ଦଣ୍ଡ–ଉପାଖ୍ୟାର ସତ୍ୟ ହୋଇଥିବ ତ, ଏହି ମାଲକାନଗିରି ସତ୍ୟଯୁଗର ଦଣ୍ଡରାଜ ନଗର ମଧୁବନ୍ତ ନଗରୀ ହୋଇଥିବ ପରା ! ବିଶ୍ୱାସରେ ଆନନ୍ଦ ମିଳେ, ଅମିୟ ମଣ୍ଡଳ ଏପରି ଭାବିଲା । ତା’ର ଭାବପ୍ରବଣ ମନ ସବୁବେଳେ ମନସରସା ଘଟଣାକୁ ବିଶ୍ୱାସ କରିବାକୁ ଆଗଭର ହୁଏ ।

 

ଠିକ୍ ଠିକ୍, ଆମର ଏଇ ନୂତନ ବସତି କରିବାର ମନୋରମ ସ୍ଥାନଟି ନିଶ୍ଚୟ ମହାରାଜା ଦଣ୍ଡଙ୍କର ରାଜଧାନୀ ଥିଲା ।

 

ଅମିୟ ମଣ୍ଡଳ ମୁଣ୍ଡ ଟେକି ଚାହିଁଲା । ନଦୀ ଖଣ୍ଡି ଓ ଚାରିଆଡ଼ର ବୃକ୍ଷଲତାର ସବୁଜିମା ତା’ର ଆଖି ଅଟକାଇଲା । ଦୂରର ପର୍ବତ ଧାଡ଼ି ତା’ର ଆଖିରେ ପଡ଼ିଲା ନାହିଁ । ଉଚ୍ଚ ପାହାଡ଼ ଉପରେ ତମସାକୂଳରେ ଠିଆ ହୋଇ ସେ କେତେ ଥର ଅନାଇଛି । ମୁଗ୍ଧ ହୋଇଛି । ମାଲକାନଗିରି ଅଞ୍ଚଳ ସତେ କି ଗୋଟିଏ ବିରାଟ ଦୁର୍ଗ ପରି । ଦୂରେଇ ଦୂରେଇ ଧାଡ଼ିଧାଡ଼ିକା ପରସ୍ତ ପରସ୍ତ ଢେଉଢ଼େଉକା କାନ୍ଥ ପରି ପର୍ବତମାଳ ଲମ୍ବି ଯାଇଛି । ଗୋଟିଏ ପାହାଡ଼ର ଲମ୍ବିଲା ନାସି ଉଚ୍ଚଭୂଇଁ ହୋଇ ଆର ପାହାଡ଼ ମାଳର ଲମ୍ବିଲା ନାସିରେ ମିଶିଯାଇଛି ।

 

ଉତ୍ତର ଦିଗରେ ଗୋଇ ପର୍ବତ । ତା’ର ଉଚ୍ଚତମ ଶୃଙ୍ଗ ଆକାଶକୁ, ଦୁଇ ହଜାର ଚାରିଶ ଫୁଟ୍ ଉପରକୁ ମଥା ଟେକିଛି । ପୂର୍ବଦିଗରେ ମାନସକୋଣ୍ଡା ଓ ଦକ୍ଷିଣ–ପୂର୍ବରେ ବେଜିଙ୍ଗିଓ୍ୱାଡ଼ାର ପର୍ବତ । ଦକ୍ଷିଣ–ପଶ୍ଚିମରେ ଶୈଳକୋଟ, ଆଉ ପଶ୍ଚିମରେ ସିଆଡ଼ିମାଳ ପର୍ବତର ଉଚ୍ଚତମ ଶୃଙ୍ଗଗୁଡ଼ିକ ଦୁଇ ହଜାରରୁ ଅଢ଼େଇ ହଜାର ଫୁଟ୍ ଯାଏଁ ଆକାଶକୁ ମୁଣ୍ଡ ଟେକିଛି । ଏହାରି ମଝିରେ, ଗୋଇପର୍ବତ ଓ ମାନସ କୋଣ୍ଡାର ନିମ୍ନ ଦେଶରେ ଅବସ୍ଥିତ ଥିଲା ପରା ଦଣ୍ଡକ ମହାରାଜାଙ୍କର ନୂତନ ନଗରୀ ମଧୁବନ୍ତ–ମାଲକାନଗିରି !

 

ଚାରି

 

ଜଳ ଛଳଛଳ ଅମିୟର ଚେତନାକୁ ଫେରାଇ ଆଣିଲା ସେ କାଳର ତମସାର ଧାରକୁ । ତା’ର ଚିନ୍ତାର ଅଶରୀରୀ ନେତ୍ରରେ ପଡ଼ିଲା ସ୍ନାନରତା ଶୁକ୍ରତନୟା ଅରଜା, ସୁବର୍ଣ୍ଣ ବରନୀ ରୂପରାଇଜର ରାଣୀ ଏକାକିନୀ ଜଳକ୍ରୀଡ଼ା କରୁଛି । କେବେ ସନ୍ତରଣ, କେବେ ସୁନୀଳ ଶୀତଳ ଜଳରେ ନିମଜ୍ଜନ । ଅର୍ଦ୍ଧଉଲଗ୍ନ । ଷୋଡ଼ଶୀର ଭରପୂର ଯୌବନଶ୍ରୀ ପ୍ରତିଭାତ ହେଉଛି । ସେ ନିର୍ଭୀକା । ସେ ପ୍ରଫୁଲ୍ଲମୟୀ । ଅସଂଯତ ବାସ । କଜ୍ଜଳ କଳ ଉନ୍ମୁକ୍ତ କେଶ ତମସାର ପ୍ରବାହରେ ଇତସ୍ତତଃ ।

 

ଭୟ ବା ସଂକୋଚ କାହାକୁ ? ମହାରାଜା ଦଣ୍ଡଙ୍କର ମହାମନ୍ତ୍ରୀ, ଗୁରୁ ଓ ଉପଦେଷ୍ଟା ଶୁକ୍ରାଚାର୍ଯ୍ୟଙ୍କର ସେ ଜ୍ୟେଷ୍ଠାକନ୍ୟା ଅରଜା । ଦଣ୍ଡ ମହାରାଜାଙ୍କର ସେ ଗୁରୁପୁତ୍ରୀ, ଭଗିନୀ ସଦୃଶା-। ପିତାଙ୍କର ଆଶ୍ରମ ଓ ତମସା କୂଳର ସୁରକ୍ଷିତ ତପୋବନ ଭିତରେ ପ୍ରବେଶ କରିବାର ସାହସ କାହାରି ହେବ ନାହିଁ ।

 

ଦିନେ ଦଣ୍ଡରାଜ ଥିଲେ ଅତି ମୂଢ଼ । ସେ ଥିଲେ ଅକୃତିବିଦ୍ୟ ଓ ସେ ପୂର୍ବଜମାନଙ୍କୁ ସେବା କରୁ ନଥିଲେ । ସେଇଥିପାଇଁ ତ ଇକ୍ଷ୍ୱାକୁ ତାଙ୍କୁ ମହାଅରଣ୍ୟକୁ ନିର୍ବାସିତ କରିଥିଲେ । ଆଚାର୍ଯ୍ୟ ଶୁକ୍ରଙ୍କର ଉପଦେଶ ପାଳନକରି ରାଜ୍ୟଶାସନ କଲେ । ସାହସ ଓ ପରାକ୍ରମରେ ସେ ଥିଲେ ସ୍ୱର୍ଗର ଇନ୍ଦ୍ର ପରି । ସେ ପୁଣି ନ୍ୟାୟବାନ୍‌, ନୀତିପରାୟଣ । ପ୍ରଜାକୁଳଙ୍କୁ ଏବେ ପୁତ୍ର ପରି ପାଳନ କରୁଛନ୍ତି । ତାଙ୍କ ରାଜ୍ୟରେ ନିର୍ଜନ ଉପବନ ମଧ୍ୟରେ ପ୍ରବାହିତ ତମସା ନୀରରେ ସ୍ନାନରତା ଅରଜାର ଭୟ ଓ ସଂକୋଚ କାହାକୁ ?

 

ସଦ୍ୟସ୍ନାତା ରୂପର ପସରା ଅରଜା ଜଳରୁ ଉଠି କୂଳ ଅତିକ୍ରମ ଅରଣ୍ୟ ଭିତରକୁ ପାଦ ପକାଉଣୁ ସହସା ସ୍ତମ୍ଭିତ ହୋଇ ଠିଆହେଲା । ବୃକ୍ଷ ଉହାଡ଼ରେ, ଲତା କୁଞ୍ଜର ଅନ୍ତରାଳରେ ଠିଆହୋଇ କିଏ ସେ, ଏକ ଦୃଷ୍ଟିରେ ତା’ର ରୂପ–ଯୌବନକୁ ଲୋଲୁପ ଦୃଷ୍ଟିରେ ଚାହିଁ ରହିଛନ୍ତି, ମୁଖରେ ପ୍ରସ୍ଫୁଟିତ ହାସ୍ୟ !

 

ଲଜ୍ଜା ଓ କ୍ରୋଧରେ ଅରଜାର ସାରା ଶରୀର ଥରଥର ହୋଇ କମ୍ପିଉଠିଲା । ଚିନ୍ତା କଲା ଅରଜା, କିଏ ସେ ଅଭଦ୍ର ରାଜପୁତ୍ର ଦଣ୍ଡ ରଜାଙ୍କର ସୁ–ଶାସିତ ରାଜ୍ୟରେ ତାଙ୍କର ନିୟମ ଭଙ୍ଗ କରି ତପୋବନରେ ପ୍ରବେଶ କରିଛି ! ନୀତି ନିୟମ ସଂସ୍କାର ଓ ଲଜ୍ଜାକୁ ପାଦରେ ଦଳି ସ୍ନାନଘାଟ ପାଖରେ ନିଜକୁ ଗୋପନ କରି ନାରୀର ସ୍ୱାଧୀନ ଚଳନ ଓ ଆନନ୍ଦକୁ ପିପାସାକୁଳ ନେତ୍ରରେ ନିରୀକ୍ଷଣ କରିଛି । ଦଣ୍ଡରାଜାଙ୍କର ଗୋଚରକୁ ଗଲେ ଏହି ଅର୍ବାଚୀନର ମୃତ୍ୟୁଦଣ୍ଡ ସୁନିଶ୍ଚିତ ।

 

ସତେ କି ଅମିୟର ଆଖି ଆଗରେ ଘଟିଯାଉଛି କେଉଁ ଅତୀତ ଯୁଗର ଘଟଣା–

 

–ଆଗନ୍ତୁକ ଆଗେଇ ଆସିଲେ । ବାତ୍ୟାପ୍ରକମ୍ପିତ ରମ୍ଭାପତ୍ର ପରି ଥରଥର ଭୁବନ–ମୋହିନୀ ଅରଜାର ଆଗରେ ଉଭା ହେଲେ । କୋମଳ କଣ୍ଠରେ କହିଲେ, କିଏ ତୁମେ ଦେବୀ, ରୂପଲାବଣ୍ୟରେ ଏହି ନିର୍ଜନ ବନଭୂମିରେ ଆଲୋକିତ ଉଲ୍ଲସିତ କରୁଛ ? ତୁମେ କ’ଣ ସ୍ୱର୍ଗର ଉର୍ବଶୀ ଅଥବା ମେନକା ? ଦଣ୍ଡକାରଣ୍ୟର ଶୋଭାସମ୍ଭାରରେ ମୁଗ୍ଧ ହୋଇ, ଆକୃଷ୍ଟ ହୋଇ ତମସାରେ ଜଳକେଳି କରିବାକୁ ଓହ୍ଲାଇ ଆସିଛି ? ତୁମର ରୂପଯୌବନ ଦେଖି ମୁଁ ଆତ୍ମହରା ହୋଇଛି । ସୁଶ୍ରେଣୀ, ମୁଁ କାମପୀଡ଼ିତ ହୋଇଛି । ତୁମକୁ ମୁଁ ଗାନ୍ଧର୍ବ ମତରେ ବିବାହ କରିବାକୁ ଚାହେଁ ।

 

ଆଗନ୍ତୁକ ଅରଜାର ତନୁଲତାକୁ ବେଢ଼ାଇ ଧରିବାକୁ ଦୁଇ ବାହୁ ଉତ୍ତୋଳନ କଲେ । ଭୟଭୀତ ଅରଜା ଟଳଟଳ ହୋଇ ପଛେଇଗଲା । ଦୁଇ ଚକ୍ଷୁରୁ ତା’ର ଲୋତକର ଧାରା ପ୍ରବାହିତ ହେଲା । ସେ ଜାଣେ, ଆଗରେ ଠିଆ ହୋଇଥିବା ବଳିଷ୍ଠ ପୁରୁଷ ପାଖରୁ ପଳାଇ ଯାଇ ଆତ୍ମରକ୍ଷା କରିବା ସମ୍ଭବ ନୁହେଁ ।

 

ଅରଜାର ଦୁଇ ଆଖିରୁ ଲୋତକର ଧାରା ପ୍ରବାହିତ ହେଲା । ସେ ତା’ର ଥରଥର ହାତ ଦିଓଟି ଯୋଡ଼ି ବିନମ୍ର ସ୍ୱରରେ କହିଲା, ହେ ଆଗନ୍ତୁକ ! ମୁଁ ଶୁକ୍ରଙ୍କର କନ୍ୟା, ଆଶ୍ରମବାସିନୀ । ପିତାଙ୍କର ଆଶ୍ରମ ଦୂରରେ । ମୁଁ ବନର ଶୋଭାରେ ଆକୃଷ୍ଟ ହୋଇ ତମସାର କୂଳକୁ ଏକାକିନୀ ଆସିଥିଲି । ମୁଁ ଅବଳା, କିନ୍ତୁ ମୋର ମନରେ ଦମ୍ଭ ଥିଲା ଯେ ମହାପ୍ରତାପୀ ମହାମତୀ ଦଣ୍ଡରାଜାଙ୍କର ଗୁରୁ, ପୁରୋହିତ ଓ ମନ୍ତ୍ରୀ ଶୁକ୍ରଚାର୍ଯ୍ୟଙ୍କ ଆଶ୍ରମସଂଲଗ୍ନ ବନ ମଧ୍ୟକୁ କୌଣସି ଦୁରାଚାର ପ୍ରବେଶ କରି ପାରିବ ନାହିଁ । ତୁମେ ଅତି ଦୁଃସାହସିକ ପଦକ୍ଷେପ କରିଛ । ଦଣ୍ଡରାଜା ଏହା ଅବଗତ ହେଲେ ତୁମର ପ୍ରାଣଦଣ୍ଡ ସୁନିଶ୍ଚିତ । ତୁମେ ଏ ସ୍ଥାନ ପରିତ୍ୟାଗ କରି ଅତି ଶୀଘ୍ର ଚାଲି ଯାଅ ।

 

ଆଗନ୍ତୁକ ମୁହୂର୍ତ୍ତେ ନୀରବ ରହିଲେ । ମୁଖ ବିଷଣ୍ଣ ହେଲା । ଅରଜାର ବିନୟ ଅନୁରୋଧ ଓ ତାଙ୍କରି ଚରିତ୍ର, ପରାକ୍ରମ, ବିଚାରବୁଦ୍ଧି ଉପରେ ଯେଉଁ ପ୍ରଗାଢ଼ ବିଶ୍ୱାସ, ସେତକ ତାଙ୍କର ଅନ୍ତରାତ୍ମା ଥରାଇଦେଲା । ମନରେ ଜାଗିଲା ପ୍ରବଳ ଦ୍ୱନ୍ଦ୍ୱ । ସାରା ଶରୀରର ପ୍ରତ୍ୟେକ ଲୋମକୂପରେ ମିଳନର ତୀବ୍ର କାମନାର ଉତ୍କଟ ହଳାହଳ ପରିପୂର୍ଣ୍ଣ ହୋଇଛି । ରକତର ପ୍ରବାହରେ ଅତି ବେଗରେ ଛୁଟିଛି ସମ୍ଭୋଗଲିପ୍‌ସାର ଅତି ଉତ୍ତପ୍ତ ସୃଜନୀ ପ୍ରେରଣା, ଚିନ୍ତାରେ ପ୍ରଳୟଙ୍କରୀ ଝଟିକା ।

 

ଚଇତି ଆକାଶରେ ବାଳାରୁଣର ପ୍ରଦୀପ୍ତ ଆନନ ଭାସମାନ ବାଦଲରେ ଆଚ୍ଛାଦିତ ହେଲା । ଧୀର ସମୀରରେ ବନ ପୁଷ୍ପର ସୁରଭି ଦିଗଦିଗନ୍ତ ଛୁଟିଲା । କାନରେ ବାଜିଲା ପକ୍ଷୀକୁଳର କୂଜନ, ଭ୍ରମରପଂକ୍ତିର ଗୁଞ୍ଜନ, ତମସାର ସଙ୍ଗୀତ ।

 

ଆଗନ୍ତୁକ ଦଣ୍ଡରାଜନଙ୍କର ମନ ଉଚ୍ଚାଟ ହେଲା । ସେ ଯୋଡ଼ହସ୍ତ ଅରଜାକୁ କାମନାଜର୍ଜର ନେତ୍ରରେ ବ୍ୟାକୁଳ ମନରେ ଅନାଇଁ ରହିଲେ । ଭୁବନମୋହିନୀ ସୁନ୍ଦରୀ ସତେ, ଯୌବନର ଗର୍ବରେ ଗର୍ବିତା ଆଗେ ବହୁ ଚାରଣଙ୍କ ମୁଖରୁ ଅରଜାର ରୂପଯୌବନର ପ୍ରଶଂସା ସେ ବହୁବାର ଶୁଣିଥିଲେ । ସପନରେ କାମନାର ତୁଳିକାରେ ଏହି ପ୍ରତିମାର ଚିତ୍ର ସେ ମନର ପରଦାରେ ବାରମ୍ବାର ଅଙ୍କନ କରିଥିଲେ । ଛଟପଟ ହୋଇ କେତେ ଉନ୍ନିଦ୍ର ରଜନୀ ସେ କଟାଇଥିଲେ । ମନରେ କେତେଥର ସେ ବିଚାର କରିଥିଲେ, ଶୁକ୍ରଙ୍କ ଆଗରେ ନତଜାନୁ ହୋଇ ପ୍ରାର୍ଥନା କରିବେ, ଗୁରୁଦେବ, ଆପଣଙ୍କର କନ୍ୟା ଅରଜାକୁ ମୋତେ ଅର୍ପଣ କରନ୍ତୁ । ସେ ବିଶାଳ ଦଣ୍ଡକାରଣ୍ୟ ସାମ୍ରାଜ୍ୟର ରାଜରାଣୀ ହେବେ । ଯେଉଁ ରାଜ୍ୟର ସୁଖସମୃଦ୍ଧି କେବଳ ସମ୍ଭବ ହୋଇଛି ଆପଣଙ୍କର ଅପାର କରୁଣାରୁ, ସେହି ଦଣ୍ଡକାରଣ୍ୟର ପ୍ରଜାକୁଳକୁ ମାତୃତ୍ୱର ଅନୁକମ୍ପା ଦେବେ ଆପଣଙ୍କର ତନୟା ଅରଜା । ଆପଣ ସମ୍ମତ ହେଉନ୍ତୁ ଗୁରୁଦେବ !

 

କେତେ ରୂପରେ କେତେ ଭାଷାରେ ଶୁକ୍ରାଚାର୍ଯ୍ୟଙ୍କ ସମୀପରେ ମନର କାମନା ସେ ନିଜ ଭିତରେ ଉନ୍ମୋଚନ କରିଥିଲେ, କିନ୍ତୁ ମୁଖ ଖୋଲି ବାକ୍ୟରେ ପ୍ରକାଶ କରିବାକୁ ସାହସୀ ହୋଇ ନଥିଲେ । ସେ ଜାଣନ୍ତି, ଶୁକ୍ରାଚାର୍ଯ୍ୟ କ୍ଷଣକୋପୀ । ରାଜକାର୍ଯ୍ୟରେ ଦଣ୍ଡରାଜ କେବେ ଭ୍ରମ କଲେ କି ଅବହେଳା କଲେ ଆଚାର୍ଯ୍ୟ ବିରକ୍ତ ହୁଅନ୍ତି । ଅଗ୍ନିଶର୍ମା ହୋଇ ତିରସ୍କାର କରନ୍ତି । ଦଣ୍ଡ ନତମସ୍ତକ ହୋଇ ଗୁରୁଦେବ ଓ ମନ୍ତ୍ରୀଙ୍କର ବାକ୍ୟବାଣର ଆଘାତ ନିର୍ବାକ୍‌ ହୋଇ ସହ୍ୟ କରନ୍ତି । ତାଙ୍କର ତନୟାପ୍ରତି ଦଣ୍ଡଙ୍କର ଅଦମ୍ୟ ଆସକ୍ତି ଅଛି ଏହା ଜାଣିପାରିଲେ ହୁଏତ ଶୁକ୍ର ମଧୁବନ୍ତ ପରିତ୍ୟାଗ କରିବେ ।

 

ଭୟରେ ଅସ୍ଥିର ହୋଇ ଦଣ୍ଡ ନୀରବ ରହନ୍ତି ସିନା, ତାଙ୍କର ସପନପ୍ରତିମା ଅରଜାକୁ ଥରେ ଆଖି ପୂରାଇ ଦେଖିବାକୁ ସେ ଉତ୍କଣ୍ଠିତ ହୁଅନ୍ତି । ଏକାକୀ ତମସା କୂଳ ଉପବନରେ ସେ ବିଚରଣ କରନ୍ତି । ଆଜି ତାଙ୍କର ଭାଗ୍ୟରବି ହସି ଉଠିଛନ୍ତି । ଆଗରେ ତାଙ୍କର ସେହି ସପନପ୍ରତିମା ସଦ୍ୟସ୍ନାତା ଅରଜା । ରୂପ ଗର୍ବରେ ଗର୍ବିତା ! ତାଙ୍କର ଭାବନାବି ଏପରି ଚିତ୍ର ଅଙ୍କନ କରି ପାରି ନଥିଲା ।

 

କାମାତୁର ଦଣ୍ଡ କୋମଳ ସ୍ୱରରେ କହିଲେ, ତୁମେ ଭୟ କରନା ସୁନ୍ଦରୀ ଅରଜା, ମୁଁ ନିଜେ ଏହି ସାମ୍ରାଜ୍ୟର ଅଧିପତି ଦଣ୍ଡ !

 

ଅରଜା ଚମକି ଉଠିଲେ । ବିସ୍ମୟବିସ୍ଫାରିତ ନେତ୍ରରେ ଦଣ୍ଡଙ୍କର ଘର୍ମାକ୍ତ ମୁଖରେ ଚାହିଁଲେ । ନେତ୍ରରେ ପୁଣି ଅଶ୍ରୁ ଢଳଢ଼ଳ ହେଲା । ଅରଜା କହିଲା, ନାରୀର ଅସାବଧାନ ନଗ୍ନତାକୁ ଅବଲୋକିବା କେବଳ ନୀତିବିରୁଦ୍ଧ ନୁହେଁ ରାଜା, ଏହା ପାପ । ଏପରି ଗର୍ହିତ କର୍ମ କରି ଆପଣ ଆର୍ଯ୍ୟସଂସ୍କୃତି ଭଙ୍ଗ କରିଛନ୍ତି । ମୋର ଅନୁରୋଧ ରକ୍ଷା କରି ଆପଣ ଏହି ଆଶ୍ରମର ଉପବନ ଶୀଘ୍ର ପରିତ୍ୟାଗ କରନ୍ତୁ । ଆପଣଙ୍କୁ ମୋର ପିତା ଶୁକ୍ରାଚାର୍ଯ୍ୟ ହୁଏତ କ୍ଷମା କରି ପାରିବେ । ନୋହିଲେ,–

 

ବାଧାଦେଇ ଦଣ୍ଡ କହିଲେ, ମୁଁ ପରନାରୀର ରୂପଯୌବନ ଦେଖିବାକୁ ଆସି ନଥିଲି ଅରଜା ! ତୁମର ରୂପ ଓ ଗୁଣର ପ୍ରଶଂସା ଲୋକମୁଖରୁ ଅବଗତ ହୋଇ ବହୁ ଦିନରୁ ମୁଁ ସ୍ଥିର କରିଥିଲି ଯେ ତୁମକୁ ମୁଁ ବିବାହ କରିବି । ତୁମେହିଁ ହେବ ଏ ବିଶାଳ ସାମ୍ରାଜ୍ୟର ରାଜରାଣୀ, ସକଳ ପ୍ରଜାଙ୍କର ପାଳିକା ମାତା । ଦିନୁଦିନ ତୁମର କଳ୍ପିତ ରୂପଲାବଣ୍ୟର ମୂର୍ତ୍ତିକୁ ମୁଁ ମୋର ହୃଦୟରେ ବାରମ୍ବାର ଅଙ୍କନ କରିଛି ଦେବୀ ! ମନ ମଧ୍ୟରେ ତୁମେ ମୋର ପତ୍ନୀ ହୋଇ ସାରିଛ ।

 

କ୍ରୋଧରେ ଅରଜାର ମୁଖ ଆରକ୍ତ ହେଲା । ସେ କହିଲା, ରାଜ୍ୟର ରାଜା ଓ ରକ୍ଷକ ହୋଇ ତୁମେ ଅନାଚାରୀ ଓ ଭକ୍ଷକ ହେବାକୁ ଚେଷ୍ଟା କର ନାହିଁ; ଅଚିରେ ଏ ସ୍ଥାନ ତ୍ୟାଗ କର । ମୁଁ ତୁମର ଗୁରୁଙ୍କର କନ୍ୟା, ତୁମର ଭଗିନୀ । ମୋ ଆଡ଼କୁ ପାପଦୃଷ୍ଟିରେ ଅନାଅଁ ନାହିଁ । ଯାଅ–

 

ଦଣ୍ଡ ତାଙ୍କର ବଳିଷ୍ଠ ହସ୍ତରେ ଅରଜାର ଥରଥର ହସ୍ତ ଧରଣ କରି କହିଲେ, ମୁଁ ତୁମକୁ ବିବାହ କରିବାକୁ ସଂକଳ୍ପ କରିଛି । ତୁମେ ବିରକ୍ତ ହୁଅ ନାହିଁ ।

 

ଅରଜା ଦଣ୍ଡଙ୍କ ହାତରୁ ମୁକ୍ତିଲାଭ କରିବାକୁ ଚେଷ୍ଟା କରି ବିଫଳ ହେଲା । ଅଶ୍ରୁ ମୁଖରେ କମ୍ପିତ ସ୍ୱରରେ ସେ ପୁଣି ଅନୁନୟ କଲା, ରାଜା, ମୁଁ ଶୁକ୍ରଙ୍କ କନ୍ୟା, ଆଶ୍ରମବାସିନୀ, ମୋର ପିତା ତୁମର ଗୁରୁ, ତୁମେ ମୋର ଭ୍ରାତା ସଦୃଶ । ମୋର ଅଙ୍ଗ ସ୍ପର୍ଶ କରି ତୁମେ ମହାପାପ ଅର୍ଜନ କରିଛ-। ମୋତେ ଛାଡ଼ । ମୋତେ ବିବାହ କରିବାର ଆଗ୍ରହ ଯଦି ଆସିଛି, ତୁମେ ତୁମର ପ୍ରସ୍ତାବ ମୋର ପିତାଙ୍କ ପାଖରେ ଉତ୍ଥାପନ କର । ମୋତେ ବଳାତ୍କାର କରନାହିଁ । ମୋର ପିତା କ୍ରୁଦ୍ଧ ହେଲେ ମହାଅନିଷ୍ଟ ସମ୍ଭବିବ । ସେ ବିରକ୍ତ ହେଲେ ତ୍ରୈଲୋକ୍ୟ ଦହନ କରିଦେବେ । ତାଙ୍କୁ ମାଗିଲେ ସେ ମୋତେ ତୁମକୁ ଦେଇ ପାରନ୍ତି । ମୋର ହାତ ଛାଡ଼ିଦିଅ ।

 

କାମାନ୍ଧ ଦଣ୍ଡ କହିଲେ, କାଳେ ଶୁକ୍ରାଚାର୍ଯ୍ୟ ସମ୍ମତ ନ ହେବେ ସେହି ଆଶଙ୍କାରେ ମୁଁ ତାଙ୍କ ପାଖରେ ମୋର ପ୍ରସ୍ତାବ ଆଗତ କରିବାକୁ ଅଦ୍ୟାପି ସାହସ କରି ନାହିଁ । ଦେବୀ, କାମାନଳରେ ମୁଁ ଦଗ୍ଧ ହେଉଛି । ମୁଁ ତୁମକୁ ଗାନ୍ଧର୍ବ ମତରେ ଏହି ସୁରମ୍ୟ କାନନରେ ଦଶଦିଗପାଳଙ୍କୁ ସାକ୍ଷୀ ରଖି ବିବାହ କରିବାକୁ ଚାହେଁ । ତୁମେ ସମ୍ମତ ହୁଅ ।

 

କ୍ରୁଦ୍ଧା ସର୍ପିଣୀ ପରି ଅରଜା ଗର୍ଜିଉଠିଲେ, ମୋତେ ମୁକ୍ତ କର ମୂଢ଼ ! ପିତାଙ୍କର ବିନା ସମ୍ମତିରେ ମୁଁ କାହାରିକୁ ବିବାହ କରିବି ନାହିଁ ।

 

ଦଣ୍ଡ ଅଟ୍ଟହାସ୍ୟ କଲେ । ଅରଜାକୁ ମୁକ୍ତି ଦେବା ପରିବର୍ତ୍ତରେ ସେ ତାକୁ ଆଲିଙ୍ଗନ କଲେ । ଭୟଭୀତା ଋଷିକନ୍ୟା କୋମଳାଙ୍ଗୀ ଅରଜା ନିଷ୍ଠୁର ଦଣ୍ଡର ବାହୁପାଶର ଚାପରେ ମୂର୍ଚ୍ଛିତା ହୋଇ ଦଣ୍ଡରାଜାର କଠିଣ କମ୍ପିତ ବକ୍ଷରେ ଲୋଟି ପଡ଼ିଲା ।

 

ବାଳାରୁଣର ତେଜୀୟାନ ମୁଖ ଘନକୃଷ୍ଣ ବଉଦର ଅନ୍ତରାଳରେ ଗୋପନ ହେଲା । ପ୍ରକୃତି ହେଲା ନିଥର, ବାୟୁର ପ୍ରବାହ ସ୍ଥିର । କେବଳ ତମସା ଅଟ୍ଟହାସ୍ୟ କରିବାକୁ ଲାଗିଲା, ଅଥବା କରୁଣ କ୍ରନ୍ଦନ !

 

ପାଞ୍ଚ

 

ଅମିୟ ମଣ୍ଡଳ ସୁଦୂର ଅତୀତରୁ ଫେରିଆସିଲା ବର୍ତ୍ତମାନକୁ, ଏକବାର ତମସା ନଦୀ ଗର୍ଭର ଉପଳ ଉପରକୁ । ଚାରିଆଡ଼କୁ ଚାହିଁଲା । ନଦୀକୂଳର ଗୋଟିଏ ବୁଦାତଳୁ ଦିଓଟି ଶୃଗାଳ ବାହାରି ଖଣ୍ଡି ଉପରେ ଧାଇଁ ଯାଉଛନ୍ତି । ଫେରି ଫେରି ଚାହୁଁଛନ୍ତି ଭୟାତୁର ହୋଇ । ଦୂର ପତ୍ରଗହଳି ସନ୍ଧିରେ ସେମାନେ ଲୁଚିଗଲେ । ଏ ପାଖର ପଳାଶ ଗଛ ତଳେ ଦୁଇ ପୁରୁଷ ଉଞ୍ଚର ନାଲିଆ ହୁଙ୍କା । ପର୍ବତର ଶୃଙ୍ଗ ପରି କେତେ ଛୋଟ ବଡ଼ ଶୃଙ୍ଗ ବାହାରିଛି । ଦୁଇ ପାଖର ଦିଓଟି ଅଁଳା ଗଛର ଦୁଇଟି ନଇଁଲା ଡାଳକୁ ଏକାଠି କରି ଗୋଟିଏ ଅଜଣା ଲଟା ତା’ର ଘଞ୍ଚ ପତ୍ରସମ୍ଭାର ଘେନି ଓହଳି ପଡ଼ିଛି ସେହି ବଲ୍ଲୀକର ଶୃଙ୍ଗଗୁଡ଼ିକ ଉପରକୁ । ବଲ୍ଲୀକର ତଳ ଦେଶରେ ଅନେକ ବିବର । ଗୋଟିଏ ବିବରରୁ ପଦାକୁ ବାହାରିଛି ମାଟିଆ ରଙ୍ଗର ମୋଟା ନାଗ ସାପଟିଏ !

 

ଅମିୟର ଦେହ ଶୀତେଇ ଉଠିଲା । କି ଭୟଙ୍କର ! କେଡ଼େ ବିପଦପୂର୍ଣ୍ଣ ଅରଣ୍ୟ ! ଅଜାଣତରେ ସେହି ବାଟ ଦେଇ ଚାଲିଗଲେ ବିଷଧର ସର୍ପ ଯଦି ଗୋଡ଼ରେ ଚୋଟ ହାଣିବ ତ ମୁହୂର୍ତ୍ତକରେ ଜୀବନ ଯିବ । ଭଗବାନହିଁ କେବଳ ସାହା । ଅମିୟର ମନେ ହେଲା, ଯେପରି ସେହି ଯମର ଦୂତ ସର୍ପଟି ତାଆରି ଆଡ଼କୁ ଆସିବାକୁ ଉଦ୍ୟତ ହେଉଛି । ନଦୀ ଖଣ୍ଡି ଡେଇଁଲେ ପଥର ମାଳ, ସେଇଠୁ ବାଲି, ପାଣିଧାର ମଝିରେ ସେ ବସିଥିବା ପଥର ଖଣ୍ଡ । ନା, ସାପଟି ପଛେଇ ପଛେଇ ପୁଣି ହୁଙ୍କାମାଳର ଗାତ ଭିତରକୁ ପଶି ଯାଉଛି । ଯାଉ, ସେ ମରଣର ଅଗ୍ରଦୂତ । ଲୁଚିଗଲା ।

 

ସହସ୍ର ସହସ୍ର ସାପୁଆଳୀ ହୁଙ୍କା ସେ ଦେଖିଛି, କିନ୍ତୁ ତସମା କୂଳର ଏହି କେନିକେନିଆ ହୁଙ୍କାଟି ମନରେ ଆଜି ନୂତନ ଧାରଣା ଆଣୁଛି । ଦସ୍ୟୁ ରତ୍ନାକର ସତେ କି ତାଙ୍କର ପାପ–ମୋଚନ ପାଇ ରାମନାମ ଜପ କରୁଣୁ ଏହିଠାରେ ବାଲ୍ଲୀକି ପାଲଟିଛନ୍ତି । ହୁଙ୍କା ଭିତରୁ ଅତି କ୍ଷୀଣସ୍ୱରରେ ରାମନାମ ଭାସି ଆସୁଛି ସତେ !

 

ଏଇ ସେ ତମସା ନଦୀ, ଏହାରି କୂଳରେ ?

 

ଜୀବନ ଋଷିଙ୍କର ଆତ୍ମଜ ବ୍ରାହ୍ମଣ ପୁତ୍ର ରତ୍ନାକର ! ମୂର୍ଖ ଦସ୍ୟୁ ବୃତ୍ତକରି କୁଟୁମ୍ବ ପୋଷୁଥିଲା । ଅରଣ୍ୟ ମଧ୍ୟରେ ଲୁଚି ମୁଦ୍ଗରରେ ପିଟି ପାନ୍ଥଙ୍କର ଜୀବନ ନେଉଥିଲା । ପାପଭାର ସହି ନ ପାରି ଧରିତ୍ରୀ ଟଳମଳ ହେଲା । ଦୁଇଟି ଯୁବକ ସନ୍ନ୍ୟାସୀ ବେଶରେ ତା’ ଆଗରେ ଉପସ୍ଥିତ ହେଲେ, ବ୍ରହ୍ମା ଓ ନାରଦ । ଚାଲିଲା ବିତର୍କ ।

 

ବ୍ରହ୍ମା କହିଲେ, ଆମ ଏଇଠି ଅପେକ୍ଷା କରିଛୁ, ବିଶ୍ୱାସ କର ରତ୍ନାକର, ଯାଅ ତମର ପିତାମାତା ଓ ପତ୍ନୀଙ୍କୁ ପଚାରି ଆସ, କିଏ ତୁମର ମହାପାପର ଭାଗୀ ହେବାକୁ ପ୍ରସ୍ତୁତ ।

 

କେହି ପ୍ରସ୍ତୁତ ହେଲେ ନାହିଁ । ଅନୁତପ୍ତ ରତ୍ନାକର କାନ୍ଦି କାନ୍ଦି ଫେରି ଆସିଲେ । ଦୁଇ ସନ୍ନ୍ୟାସୀଙ୍କର ପଦତଳେ ପଡ଼ି ବିଳାପ କରି ପ୍ରାର୍ଥନା କଲେ, କିପରି ପାପମୁକ୍ତ ହେବି ମୋତେ ତା’ର ଉପାୟ କହିଦିଅ ସନ୍ନ୍ୟାସୀ !

 

ଦୟାପରବଶ ହୋଇ ବ୍ରହ୍ମା ତାଙ୍କୁ ରାମନାମ ଉଚ୍ଚାରଣ ଜପ କରିବାକୁ ଉପଦେଶ ଦେଲେ । ମହାପାପୀ ରତ୍ନାକରର ମୁଖରୁ ନାମ ବାହାରିଲା ନାହିଁ । ବ୍ରହ୍ମା କହିଲେ, ତେବେ ତୁମେ ମରା ମରା ଏଇଠି ବସି ଜପ କରୁଥାଅ, ଆମେ ଯାଉଛୁ । ଆମେ ପୁଣି ବାହୁଡ଼ି ଆସିବୁ ଏଇ ବାଟେ-। ବାହୁଡ଼ିବା ଯାଏଁ ତୁମେ ଏକନିଷ୍ଠ ହୋଇ ନାମ ଜପୁଥାଅ ।

 

ବହୁ ବର୍ଷ ପରେ ରତ୍ନାକରର କଥା ବ୍ରହ୍ମାଙ୍କର ମନେପଡ଼ିଲା । ସେ ମର୍ତ୍ତ୍ୟପୁରକୁ ଆସିଲେ, ଏଇ ତମସା ନଦୀ ତୀରକୁ । ହୁଙ୍କା ଭିତରୁ ଅତି କ୍ଷୀଣସ୍ୱରରେ ରାମନାମ ଶୁଭୁଛି । ରତ୍ନାକରର ସବୁ ପାପ କ୍ଷାଳନ ହୋଇ ସାରିଛି । ବ୍ରହ୍ମାଙ୍କ ଆଦେଶରେ ଇନ୍ଦ୍ର ମୂଷଳଧାରାରେ ବୃଷ୍ଟିପାତ କରି ଯୋଗ–ମଗ୍ନ ରତ୍ନାକରକୁ ଧୋଇଧୋଇ ସଫାକଲେ । ବ୍ରହ୍ମା ଦେଖିଲେ, ରତ୍ନାକରର ଅସ୍ଥିମୟ କଙ୍କାଳ, ମୁଖରୁ ଅତି କ୍ଷୀଣସ୍ୱରରେ ରାମନାମ ଉଚ୍ଚାରିତ ହେଉଛି । ବ୍ରହ୍ମା ସେହି କଙ୍କାଳ ମୂର୍ତ୍ତିର ଦେହ ଉପରେ ହସ୍ତ ସଞ୍ଚାଳନ କଲେ । ରତ୍ନାକରର ଅଙ୍ଗ ପଲ୍ଲବୀ ଉଠିଲା । ସେ ପୁଣି ନିଜରୂପ ଧାରଣ କଲା । ବ୍ରହ୍ମାଙ୍କୁ ପ୍ରମାଣ କଲା ।

 

ଅମିୟର ଆଖି ଆଗରେ ସ୍ନେହମୟୀ ଜନନୀସଦୃଶା ତପସ୍ୱିନୀ ଭ୍ରାତୃଜାୟା ଅନିମା ଦେବୀଙ୍କର ହସହସ ସଜଳ ମୁଖ ଉଭା ହେଲା । କହୁଛନ୍ତି ସେ ରାମ ନାମର ମହାତ୍ମ୍ୟ, ଏଥର ବୁଝିଲ ତ ଅମିୟ, ବ୍ରହ୍ମା ରତ୍ନାକରର ଦେଖି କହିଲେ, ରାମ ନାମର ପବିତ୍ର ଅନଳରେ ତୁମେ ତୁମର ସମସ୍ତ ପାପ ଦହନ କରି ସାରିଛ । ତୁମେ ବ୍ରହ୍ମର୍ଷି ହୋଇଛ । ତୁମେ ବାଲ୍ଲୀକି, ଉଇହୁଙ୍କାରୁ ପୁନର୍ଜନ୍ମ ଲାଭ କରିଛ । ତେଣୁ ତୁମେ ହେଲ ଆଜିଠାରୁ ବାଲ୍ଲୀକି ମହାମୁନି ।

 

କେତେ ପ୍ରଶ୍ନ ତ ଅମିୟର ମନରେ ଓଲଟପାଲଟ ହୁଏ, କିନ୍ତୁ ପଚାରିଦେଲେ କାଳେ ନୂଆବୋହୂଙ୍କର ବିଶ୍ୱାସ ଉପରେ ଅମିୟର ବିଶ୍ୱାସ ନାହିଁ ବୋଲି ସେ ମଣିବେ, ତାଙ୍କ ମନରେ ଦୁଃଖ ହେବ, ସେଥିପାଇଁ ଅମିୟ ମନର ସନ୍ଦେହ ପ୍ରକାଶ କରେ ନାହିଁ । ଦିନେ ସଂକୁଚିତ ହୋଇ ଅମିୟ ପଚାରିଦେଲା, ନୂଆଉ, ଏଇ କ’ଣ ସେଇ ତମସା ନଦୀ, ଯାହାର କୂଳରେ ରତ୍ନାକର, ବାଲ୍ଲୀକି ମହର୍ଷି ହେଲେ ?

 

ହସି ହସି ଅନିମା ଉତ୍ତର ଦେଲେ, ହୋଇଥିବ, କିନ୍ତୁ ମନରେ ସନ୍ଦେହ ଓ ଅବିଶ୍ୱାସକୁ ସ୍ଥାନ ଦେଲେ କେବଳ ତମସା କାହିଁକି, କାହାରିକୁ ଖୋଜି ତୁମେ ପାଇବ ନାହିଁ । ଅନ୍ଧାରରେ ଅଣ୍ଡାଳି ହେବାହିଁ ସାର ହେବ । ଆମେ ଏଇ ଦଣ୍ଡକାରଣ୍ୟ ଅଞ୍ଚଳରେ ଘର କରି ରହିବାକୁ ଆସିଛୁ । ଆମ ମନରେ ଦୃଢ଼ବିଶ୍ୱାସ ଥିଲେ ଆମେ ସୁଖରେ ସଂସାର କରି ପାରିବା । ରାମ ନାମରେ ବିଶ୍ୱାସ ଓ ଭରସା ଥିଲେ ଆମେ ଦିନେ ଅବଶ୍ୟ ଆମର ହଜିଲା ଆତ୍ମୀୟମାନଙ୍କୁ ଫେରି ପାଇବା ।

 

ଅମିୟ ପୁଣି ପଚାରିଥିଲା, ଉପାଖ୍ୟାନ ଅଧା ରଖିଲ ନୂଆଉ, ସତ୍ୟଯୁଗର କଥା କହୁଣୁ ତ୍ରେତୟା ଯୁଗକୁ ଡେଇଁ ପଡ଼ିଲ । କାମପ୍ରଣୋଦିତ ପାପାଚାରୀ ଦଣ୍ଡରାଜ ନିରିମାଖି ଅରଜାର ସର୍ବନାଶ କରି ଶୁକ୍ରଙ୍କର କ୍ରୋଧରୁ ଉଦ୍ଧାର ପାଇଲା କିପରି ?

 

ସେ ଉଦ୍ଧାର ପାଇଲା ନାହିଁ ଅମିୟ, ଶୁକ୍ରାଚାର୍ଯ୍ୟ ତାଙ୍କର ଶିଷ୍ୟମାନଙ୍କୁ ସଙ୍ଗରେ ଧରି ମଧୁବନ୍ତ ନଗରୀର ଉପକଣ୍ଠରେ ଥିବା କେଉଁ ଅରଣ୍ୟରେ ଭ୍ରମଣ କରୁଥିଲେ । କ୍ଷୁଧାତୁର ହୋଇ ଚୈତ୍ର ମଧ୍ୟାହ୍ନର ପ୍ରଖର ତାପ ଦେହରେ ଭେଦାଇ ଅତି କ୍ଳାନ୍ତ ହୋଇ ଆଶ୍ରମକୁ ଫେରିଲେ । ଦେଖିଲେ, ଆଶ୍ରମ ଆଗର ଉପବନରେ ତାଙ୍କର ପ୍ରିୟତମା କନ୍ୟା ଅରଜା ଧୂଳିରେ ଲୋଟୁଛି । କେଶବାସ ବିଞ୍ଚି ହୋଇ ଇତସ୍ତତଃ ପଡ଼ିଛି । ଉଚ୍ଚସ୍ୱରରେ ସେ କ୍ରନ୍ଦନ କରୁଛି ।

 

ଅଧୀର ହୋଇ ଆଚାର୍ଯ୍ୟ ପଚାରିଲେ, ତୋର କ’ଣ ହୋଇଛି ଅରଜା, କାହିଁକି ଧୂଳିରେ ଗଡ଼ି ଏହି ଭୀଷଣ ତାପ ଅଙ୍ଗରେ ସହି ଆକୁଳ ହୋଇ କାନ୍ଦୁଛୁ ?

 

ଅରଜା ଶୋକ ସମ୍ବରଣ କରି ଧୀର କୁଣ୍ଠିତ ସ୍ୱରରେ ସବୁ ବର୍ଣ୍ଣନା କଲା । କ୍ଷୁଧାର୍ତ୍ତ ଶୁକ୍ର କ୍ରୋଧରେ ଅଗ୍ନିଶର୍ମା ହେଲେ । ହିତାହିତ ଜ୍ଞାନ ଶୂନ୍ୟ ହୋଇ ସେ ତାଙ୍କର ଶିଷ୍ୟମାନଙ୍କୁ କହିଲେ, ଅକୃତଜ୍ଞ ପାପାଚାରୀ ଦଣ୍ଡରାଜାର ବିପରୀତ କର୍ମପାଇଁ କେବଳ ସେ ନୁହେଁ, ତା’ର ପୁତ୍ର ବଳବାହାନ ସହିତ ତା’ର ସମଗ୍ର ରାଜ୍ୟ ଧ୍ୱଂସ ହେବ । ସାତ ଦିନ ସାତ ରାତି ମଧ୍ୟରେ ଇନ୍ଦ୍ର ଶହେ ଯୋଜନ ପରିମିତ ଭୂମିରେ ଅଗ୍ନି ସହ ପାଂଶୁ ବୃଷ୍ଟି କରିବେ । ସମଗ୍ର ଭୂଖଣ୍ଡ ଦଗ୍ଧ ହେବ । ସମସ୍ତେ ବିଲୟ ପ୍ରାପ୍ତ ହେବେ ।

 

ଶତ୍ରୁ ଏହି ଅଭିଶାପ ଦେଇ ଆଶ୍ରମବାସୀଙ୍କ ଦଣ୍ଡକ ରାଜ୍ୟର ସୀମାନ୍ତକୁ ଚାଲିଯିବାକୁ କହିଲେ । କନ୍ୟା ଅରଜାକୁ କହିଲେ, ତୁ ଏହି ଆଶ୍ରମରେହିଁ ରହ, ଏକ ଯୋଜନ ବିସ୍ତୃତ ଏହି ସରୋବରର ସୁନିର୍ମଳ ଜଳକୁ ତୁ ଭୋଗ କର । ଯେଉଁ ଜୀବଜନ୍ତୁମାନେ ତୋ ପାଖରେ ଥିବେ, ସେମାନେ ଧ୍ୱଂସ ହେବେ ନାହିଁ ।

 

ଶୁକ୍ରାଚାର୍ଯ୍ୟଙ୍କର ଅଭିଶାପ ସଫଳ ହେଲା ।

 

ଅମିୟ ମଣ୍ଡଳ ପଥର ଉପରୁ ତଳକୁ ଓହ୍ଲାଇ ଆସିଲା । ସୂର୍ଯ୍ୟ ଗଛ ଗହଳି ଉପରକୁ ଉଠି ଆସିଲେଣି । ପୁଣ୍ୟତୋୟା ତମସା ତାକୁ ନିମନ୍ତ୍ରଣ କରୁଛି । ଯେପରି କହି ଚାଲିଛି, ମୁଇଁ ସେହି ସୁନିର୍ମଳ ଜଳରାଶି ଗୋଟିଏ ଯୋଜନ ଚବିଶି ମାଇଲ ମୋର ବିସ୍ତୃତି ଏବେବି ମୁଁ ବଞ୍ଚି ରହିଛି-। ସତ୍ୟ ତ୍ରେତୟା ଦ୍ୱାପର ଯୁଗ କେବେଠୁ ଶେଷ ହେଲାଣି । କ’ଣ ଯୁଗରୁ ପାଞ୍ଚ ହଜାର ଷାଠିଏବର୍ଷ ମଧ୍ୟ ମୁଁ ଭୋଗ କଲିଣି । ଅରଜାର ଅଶରୀରୀ ଆତ୍ମା ମୋରି କୂଳରେ ଏବେବି ବିଚରଣ କରୁଛି, ଦଣ୍ଡରାଜାର ଅନୀତି ଆଚରଣ କଥା କ୍ରନ୍ଦନର ସ୍ୱରରେ ବର୍ଣ୍ଣନା କରୁଛି । ସେ କ୍ରନ୍ଦନ ରୋଳରେ ମିଶିଯାଇଛି ଜାନକୀର କ୍ରନ୍ଦନ । ପରିତ୍ୟକ୍ତା ପତ୍ନୀର । ମିଶିଛି ପୁଣି ବ୍ୟାଧର ଶରରେ ନିହତ କ୍ରୌଞ୍ଚ–ପତ୍ନୀ କ୍ରୌଞ୍ଚୀର ବିକଳ ବିଳାପ । ମହର୍ଷି ବାଲ୍ଲିକୀଙ୍କର ମୁଖନିଃସୃତ ରାମାୟଣର ଅମୃତ ଚରିତ୍ର । ଆର୍ଯ୍ୟ–ସଂସ୍କୃତିର ଅସରନ୍ତି ଅବିରାମ ଆଶା ଉଦ୍ଦୀପନାର ଅମରୀ ମୂର୍ଚ୍ଛନା ମଧ୍ୟ ମିଶିଛି ମୋର ଏହି କ୍ଷୀଣ ପ୍ରବାହର ଶୀତଳ ନିର୍ମଳ ଉପଳବ୍ୟାକୁଳ କଳକଲ୍ଲୋଳରେ ।

 

ମୁଁ ଅତି ପ୍ରାଚୀନ, ମୁଁ ଜରତୀ ତମସା, ମୁଁ ସଭ୍ୟତାର ଆଈ ବୁଢ଼ୀ !

 

ଛଅ

 

ଅମିୟ ମଣ୍ଡଳ ଦୁଇ ହାତ ଯୋଡ଼ି ପ୍ରଣାମ କଲା । ତମସାର ପ୍ରବାହରୁ ଦୁଇ ହାତ ଆଞ୍ଜୁଳା କରି ଜଳ ଆଣି ମୁଣ୍ଡରେ ଛିଞ୍ଚିଲା । ମନେ ହେଲା, ସେ ପବିତ୍ର ହୋଇଛି । ଅକଳନ ଅତୀତର ଜୀବନ୍ତ ପ୍ରତୀକ ତମସାର ଜଳକଣା ସ୍ପର୍ଶରେ ସେ ଶିହରି ଉଠିଲା ।

 

ପଚିଶବର୍ଷର ଯୁବକଟିଏ ସେ । ଦୂରରୁ ଦେଖିଲେ ଯେ କେହି କହିବ, ସେ କାଲିକାର ମେଞ୍ଚଡ଼ ଟୋକା, କିନ୍ତୁ ସେ ବି ଅତି ପ୍ରାଚୀନ । କେବଳ ତା’ର ଚର୍ମାବୃତ ଶରୀର ମଧ୍ୟରେ ଥିବା ରକ୍ତମାଂସ ମଜ୍ଜା ସ୍ନାୟୁ ଓ ମସ୍ତିଷ୍କର ପ୍ରତି ଅଣୁ, ଅତୀତର କେତେକେତେ ଅଣୁ ପରମାଣୁର ସତ୍ତା ନେଇ ଉତ୍ପନ୍ନ ହୋଇଛି ଓ ବଢ଼ିଛି, ଏତିକି କହିଲେ ଯଥେଷ୍ଟ ହେବ ନାହିଁ । ତା’ର ମନର ଧାରଣା ବିଶ୍ୱାସ ଓ ଅବିଶ୍ୱାସ, କାର୍ଯ୍ୟ–କାରଣର ଦ୍ୱନ୍ଦ୍ୱ ମଧ୍ୟ ଅତି ପୁରାତନ । ଯୁଗଯୁଗ ଧରି ସଞ୍ଚିତ ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତାର ପ୍ରେରଣା ମଧ୍ୟ ଅତି ପୁରୁଣା ।

 

ସବୁ ସେ ସଙ୍ଗରେ ଧରି ନୂତନ ସଂସାର ଗଢ଼ିବାକୁ ଆସିଛି ଏହି ଦଣ୍ଡକାରଣ୍ୟକୁ । ଏହା କ’ଣ ତା’ର ଶେଷ ଯାତ୍ରା ! ଅନିଶ୍ଚିତତାର ଦିଗ–ହଜା ପାରାବାରରେ ନିୟତିର ଟଳମଳ ନୌକାରେ ବସି ସେ ଭାସିଛି । ସ୍ୱାର୍ଥାନ୍ଧମାନଙ୍କର ଅହେତୁକ ଉତ୍ତେଜନାର ଫୁତ୍କାର ପ୍ରବଳ ତୋଫାନ ହୋଇ ତା’ର ନିୟତିର ନୌକାକୁ ହଲାଇଛି, ଦୋହଲାଇଛି । ନିମଜ୍ଜନ ଓ ଧ୍ୱଂସର ଆଶଙ୍କାରେ ସେ ବାରମ୍ବାର ତଟସ୍ଥ ହୋଇଛି । ଜୀବନ ବଞ୍ଚାଇବାକୁ ଚଉଦବର୍ଷର ପିଲାଟିଏ ସେ, ଜନ୍ମଭୂମି ପୂର୍ବବଙ୍ଗରୁ ପଳାଇ ଆସିବା ଏଗାରବର୍ଷ କଟିଗଲା । ନିୟତିର ନୌକାଟି ଏଇ ଭାରତବର୍ଷର କେତେ ଅଜଣା ଘାଟରେ ଲାଗିଛି । ଅଟକିଛି, ପୁଣି ଭାସି ତଡ଼ି ହୋଇ ଯାଇଛି ଆଉ କେଉଁଠିକି । ଏଇ କ’ଣ ସତେ ତା’ର ଶେଷ ଯାତ୍ରା, ଶେଷ ଘାଟ, ତମସାନଦୀର ତୀର, ଅତୀତର ଧ୍ୱଂସସ୍ତୂପ ମଧୁବନ୍ତ ନଗରୀ–ମାଲକାନଗିରି ?

 

ଅମିୟ ଅନାଇଁ ରହିଲା ତରଙ୍ଗାୟିତ ଜଳକୁ । କେତେକଅଣ ଭାସି ଆସୁଛି । ପତ୍ର, ଅଜଣା ଫୁଲ, କାଠି, ପଥର ଖଣ୍ଡି ଖଣ୍ଡି ପାଖରେ ଅଟକି ଯାଉଛି ଟିକିଏ, ପୁଣି ତଳକୁ ତଡ଼ି ହୋଇ ଯାଉଛି । ହେଇ, ଭାସି ଆସୁଛି ଛୋଟ ଡାଳ ଖଣ୍ଡିଏ, ତହିଁରେ ଲାଗିଛି ଛୋଟ ବଡ଼ ପତ୍ର କେଇଟି । ଗୋଟିଏ ଡେମ୍ଫ ଉପରେ ବସିଛି ସବୁଜ ରଙ୍ଗର ଝିଣ୍ଟିକା । ପତ୍ର ଉପରେ କେତୋଟି କାଇ । କଙ୍କିଟିଏ ଉଡ଼ି ଉଡ଼ି ବସୁଛି । ତରଙ୍ଗରେ ଡାଳଟି ବୁଲିପଡ଼ିଲେ ପୁଣି ସେ ଉଡ଼ୁଛି, ପୁଣି ବସୁଛି । ପଥର କଡ଼ରେ ଡାଳଟି ଟିକିଏ ଅଟକି ଚକା ଭଉଁରୀ ଖେଳି ତଳକୁ ଖସିଗଲା ।

 

ଅମିୟ ଦୀର୍ଘନିଃଶ୍ୱାସ ଛାଡ଼ିଲା । ତା’ର ସଂସାରର ଦୋହଲା ନୌକାଟା ଏଇ ଭାସମାନ ଛୋଟ ଡାଳଟି ପରି । ତିନୋଟି ଆରୋହୀ, କିଏ କୁଆଡ଼ର । ଦୁନିଆ ଜାଣେ ଅନିମା ତା’ର ଭ୍ରାତୃଜାୟା, ଅଧର ମଣ୍ଡଳଙ୍କର ଖଣ୍ଡି ବାସନକୁସନ, ସପ, ବିଛଣା, ଲୁଗାପଟା, ନଲଟଣ, ଗୋଟିଏ ଗରା, ଦିଓଟା ଲୋଟା, ଖଣ୍ଡେ ଟୁଲ, ଏମିତି ଆଉ କେତେ ଛୋଟ ବଡ଼ ଘରକରଣା ଦ୍ରବ୍ୟ । ଚାଉଳ, ଡାଲି, ଆଳୁ, ଅନ୍ୟ ପରିବା ମସଲା ସବୁ କିଛି ଖଣ୍ଡେ କାଠ ଢାବଲରେ । କେଇଖଣ୍ଡି ବହି ଓ ତାଙ୍କର ଅତି ପ୍ରିୟ ଓ ପବିତ୍ର ରାମାୟଣ ଗ୍ରନ୍ଥ । ଛୋଟ ଟ୍ରଙ୍କ୍ ଭିତରେ ଗୋଟିଏ ମାଳି–ବ୍ୟାଗ୍‍ରେ ଦୁଇ ଶହରୁ କିଛି ଅଧିକ ଟଙ୍କା !

 

ଏହି ସବୁ ସମ୍ପତ୍ତି ଛାଡ଼ି ଟେଣ୍ଟ୍‌ ଓ ରୋଷଘରକୁ ମୁକୁଳା ପକାଇ ନାଳକୁ ଗାଧୋଇ ଯିବାକୁ ତାଙ୍କର ସାହସ କୁଳାଉ ନାହିଁ । ଯେଉଁ କୁଟୁମ୍ବର ଲୋକମାନେ ଆସି ଏଠାରେ ଏକାଠି ଅଛନ୍ତି, ସେମାନେ କିଏ କୁଆଡ଼ର । ସବୁ କୁଟୁମ୍ବ ପୁଣି ଗୋଟିଏ ପୁରୁଣା କ୍ୟାମ୍ପ୍‍ରୁ ଆସିନାହାନ୍ତି । କିଏ କେଉଁ ରାସ୍ତା କଡ଼ର ଅସ୍ଥାୟୀ କ୍ୟାମ୍ପ୍‍ରୁ ଏଠାକୁ ଅଣା ହୋଇଛନ୍ତି । ଏ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ସେମାନେ ଥଇଥାନ ହେବେ । ସମସ୍ତେ ତ ଭଦ୍ରଲୋକ, କିନ୍ତୁ କିଏ କାହାପାଇଁ ବ୍ୟସ୍ତ ?

 

ଘର ଛାଡ଼ି ପ୍ରାଣ ଘେନି ଭାରତବର୍ଷକୁ ପଳାଇ ଆସିବାର ଏଗାରବର୍ଷ କଟିଗଲାଣି । କେତେ ଅଜଣା ଅଶୁଣା ସମଦଶାପନ୍ନ ଅପରିଚିତ ବିଭିନ୍ନ କ୍ୟାମ୍ପ୍‍ରେ ଅତି ପରିଚିତ ଅତି ଆପଣାର ହୋଇଛନ୍ତି, ପୁଣି ସ୍ନେହ, ମମତା ଓ ଆତ୍ମୀୟତାର ଡୋର ଛିଣ୍ଡାଇ କିଏ କେଉଁଠିକି ଚାଲିଯାଇଛନ୍ତି । ଏହିପରି ଅଦଳବଦଳ ଫେଣ୍ଟାଫେଣ୍ଟିବେଳେ କେତେଥର ସେମାନେ ସର୍ବସ୍ୱ ହରାଇଛନ୍ତି । କାନ୍ଦିବା ଓ ଅସାବଧାନତା ପାଇଁ ନିଜକୁ ନିନ୍ଦିବା ଏବଂ ଅନୁତାପ କରିବାହିଁ ସାର ହୋଇଛି । ଆଶ୍ୱାସନାର ନିରସନିରର୍ଥକ ବାଣୀ ବ୍ୟତୀତ ସେ ଆଉ କିଛି ଫେରିପାଇ ନାହାନ୍ତି ।

 

ଦେହହାତରେ କାଦୁଅ ଶୁଖିଲାଣି । ଅନାଇ ରହିଲେ ଆହୁରି ବିଳମ୍ବ ହେବ । କ୍ଳାନ୍ତ ହୋଇ ଭୋକରେ ଛଟପଟ ହୋଇ, ମୁଣ୍ଡରେ ଡାଳ ପତ୍ର ଘାସ କି ବଣଖଜୁରି ବୋଝ ମୁଣ୍ଡରେ ବୋହି ଅମିୟ ଫେରି ଆସୁଥିବେ । ସକାଳୁ ତାଙ୍କର ପେଟରେ କିଛି ପଡ଼ି ନାହିଁ । କ୍ୟାମ୍ପ୍‍ ପାଖରୁ ଅରଣ୍ୟ ମଝିରେ ଛୋଟ ନାଳଟି ତିନି ଫର୍ଲଙ୍ଗ ଦୂର ହେବ । ନାଳକୁ ଯାଇ ସେଠାରୁ ଫେରିଲାବେଳକୁ ଡେରି ହେବ । କ୍ଳାନ୍ତ ଅମିୟ ଅପେକ୍ଷା କରି ରହିଥିବ । ବିଚିତ୍ର ସେ ପିଲାଟା । ନିଜର ଅଭାବ–ଅସୁବିଧା ସେ ତୁଣ୍ଡ ଖୋଲି କେବେ କହିବ ନାହିଁ । ଭୋକରେ ପେଟ ଜଳୁଥିଲେବି ଖାଇବାକୁ ମାଗିବ ନାହିଁ ।

 

ଦିଅର ସାନଭାଇ ଓ ଜନମିଲା ପୁଅ ପ୍ରତି ନାରୀ ମନର ସବୁ ଆଦର ସ୍ନେହକୁ ଏକାଠି ମିଶାଇ ଏଇ ଅମିୟକୁ ସେ ଏଗାରବର୍ଷକାଳ ଅରପି ଦେଇଛନ୍ତି । ଦେବରର କର୍ତ୍ତବ୍ୟ, ଭାଇର ସ୍ନେହ, ପୁତ୍ରର ଆନୁଗତ୍ୟ ସବୁ ସେ ପାଇଛନ୍ତି ଅମିୟ ପାଖରୁ, କିନ୍ତୁ ଦିଆ–ନିଆର ଅନ୍ତରାଳରେ ଗୋଟିଏ ଅନ୍ଧାରିଆ ଅସ୍ପଷ୍ଟ ପ୍ରଚ୍ଛନ୍ନ କିନ୍ତୁର ଆଗମ ଓ ପ୍ରସ୍ଥାନର ଧୂଆଁଳିଆ କାୟାର ଆଭାସ ସେ ପାଇଛନ୍ତି ବାରମ୍ବାର । ଅମିୟ ମଧ୍ୟ ସେହି କିନ୍ତୁର ପ୍ରଭାବରୁ ଦୂରେଇ ଯାଇପାରୁ ନାହିଁ । ଏହା ସେ ଅନୁଭବ କରିପାରୁଛନ୍ତି ।

 

ସେହି କିନ୍ତୁ–ମୂର୍ତ୍ତର ଦିଓଟି ସବଳ ପ୍ରବଳ ଅଦେଖା ହାତ ଦୁହିଁଙ୍କର ଅନାବିଳ ମମତାକୁ ଆଡ଼େଇ ରଖିଛି ଲୋକଦେଖାଣିଆ ଭଦ୍ରତା ଓ ଅଭାବ ଅସୁବିଧା ଦୂରୀକରଣ ପାଇଁ ଗଢ଼ା ହୋଇଥିବା ଅବାସ୍ତବ କୁଟୁମ୍ବର ସତତ ଜାଗ୍ରତ ଅଥଚ ମୂକ ଧାରଣା !

 

କେହି କେବେ କାହାକୁ ଭୁଲରେ ସୁଦ୍ଧା ପ୍ରଶ୍ନ ପଚାରିବାକୁ ସାହସ କରି ନାହାନ୍ତି । ସାକ୍ଷାତରେ ପରସ୍ପରର ମୁହଁକୁ ଚାହୁଁଣୁ, ମନ ତଳର କଲବଲିଆ ପ୍ରଶ୍ନ ଆଖିରେ ଓ ମୁହଁରେ ଚଳନ୍ତି ବଉଦର ଛାଇ ପକାଉଣୁ ଦିଓଟି ସତର୍କ ଚଳନର ଛଳନା ସେହି ଛାୟାକୁ ପଲକରେ ଦୂରେଇ ଦେଇଛି । କୁହାଟ ଛାଡ଼ିଛି

 

ତୁମେ ମୋର ସାନଭାଇ ପରି ଦିଅର ଅମିୟ, ତୁମକୁ ମୁଁ ପୁଅଠୁ ବଳି ଅଧିକ ଭଲପାଏ-

 

ତୁମେ ମୋର ବଡ଼ଭଉଣୀ ପରି ସ୍ନେହମୟୀ ଭାଉଜ, ତୁମକୁ ମୁଁ ଜନନୀ ପରି ଭକ୍ତି କରେ ।

 

ଅନିମା !

 

ଅନିମାଙ୍କର ଅନ୍ୟମନସ୍କତା ଭାବ କାହାର କଅଁଳ ଡାକର ଝିଙ୍କା ପାଇ ବର୍ତ୍ତମାନର ବାସ୍ତବତାକୁ ଫେରିଆସିଲା । ସେ ଓଠ ଉପରକୁ ସ୍ମିତ ଓଟାରି ଅଗଣାର କଞ୍ଚାବାଡ଼ ଆରପାଖ ଠିଆ ହୋଇଥିବ ପ୍ରୌଢ଼ାଙ୍କର ମୁହଁକୁ ଚାହିଁ ପଚାରିଲେ, କ’ଣ କମଳା ଅପା, ହାତରେ ଗରା, କାନ୍ଧରେ ଗାମୁଛା ପକାଇ ଠିଆ ହୋଇଛ ଯେ ! ନଳ କଳ ପାଖରେ ଭିଡ଼ ଦେଖି, କଜିଆ, ପାଟିତୁଣ୍ଡ ଶୁଣି, ନଳକୁ ଗାଧୋଇ ଯିବାକୁ ନିଶ୍ଚୟ ପ୍ରସ୍ତୁତ ହୋଇଛ ?

 

ହସହସ ହୋଇ ପଇଁଚାଳିଶବର୍ଷର ଧଡ଼ିଆ ଧେଡ଼ଙ୍ଗ ଲମ୍ବ ମୁହୀଁ ଶ୍ୟାମଳୀ କମଳା କହିଲେ, ଭିଡ଼କୁ କି ପାଟିତୁଣ୍ଡକୁ ମୋର ଡର ନାହିଁ ଗୋ ! ନଳ–କୂଳ ପାଖକୁ ଗଲେ ବଳେ ସେମାନେ ଆଡ଼େଇ ଯିବେ । ମୋ ଦେହଟା ସିନା ସରୁ, ମୋ ପାଟିଟା ବେଶ୍‌ ମୋଟା । ତମମାନଙ୍କ ପରି ବେଶି ପାଠ ମୁଁ ପଢ଼ି ନାହିଁ କି, ଶାସ୍ତ୍ର ପୁରାଣ ବୋଲୁ ନାହିଁ ଯେ ମୋ ତୁଣ୍ଡରୁ ଶୁଦ୍ଧ ଭାଷା ବାହାରିବ । କଳ ପାଖକୁ ଯାଉଣୁ ତୋତେ ଦେଖି ଅଟକିଲି, ଭାବିଲି, କାଦୁଅ ବଲବଲ ହୋଇ ନାଳକୁ ଯିବାକୁ ମନ କରି ତୁ ଠିଆ ହୋଇ ଭାବୁଛୁ, ଏତେଦୂରକୁ ଯିବୁ କି ନାହିଁ !

 

ସେଇଆ ଭାବୁଥିଲି ଅପା, ପୁଣି ଭାବୁଥିଲି ଅମିୟ କି ଅମିତା ଏତେବେଳଯାଏ ଫେରିଲେ ନାହିଁ, ଘର ମୁକୁଳା କରି ଯିବି କି ନାହିଁ । ବୁଲା କୁକୁର ଓ କୁକୁଡ଼ାଗୁଡ଼ାକ ଘରେ ପଶିବେ, ଜିନିଷପତ୍ର ଅସଜଡ଼ା ପଡ଼ିଛି ।

 

ତୋର ସେ ବେଢ଼ଙ୍ଗିଆ ଝିଅଟା କୁଆଡ଼େ ଗଲା କି ? ତାକୁ ଆଖିଏ ଆଖିଏ ରଖିଥିବୁଲୋ ଅନିମା ଏଡ଼େ ଖଣ୍ଡେ ଝିଅ, ଗାଲ ଚିପିଲେ ଦୁଧ ବାହାରିବ, ବୁଢ଼ୀ ଘରଣୀ ପରି କେତେ ବଡ଼ବଡ଼ କଥା ମୁହଁ ଉପରେ କହୁଛି । ତାକୁ ଟିକିଏ ଜାବତା କର । ନୋହିଲେ, ଦିନେ ସେ ତୋ ମୁହଁରେ କାଳି ବୋଳିବ । ହଉ, ତୁ ବାହାରି ପଡ଼ । ମୁଁ ଖେନ୍ଦାକୁ ଡାକି ଦେଉଛି । ସେ ତୋ ଘର ଉପରେ ନିଘା ରଖିଥିବ । ଖେନ୍ଦାଟା ବେଶ୍‌ ଚାଲାଖ ପିଲା ଯେ ! ତା’ ଦୃଷ୍ଟି ଆଗରେ ଘରେ ମାଛି ପଶି ପାରିବ ନାହିଁ । ବେଶ୍, ତୁ ପ୍ରସ୍ତୁତ ହ ।

 

କମଳା ସେଇଠି ଠିଆ ହୋଇ ଡାକ ଛାଡ଼ିଲେ, ଆରେ ଖେନ୍ଦା, ଖେନ୍ଦା, କୁଆଡ଼େ ଗଲୁରେ !

 

ତାଙ୍କର ହୁଇସିଲ୍‌ପରି କାନଥରା ଡାକ ଶୁଣି ଖେନ୍ଦା ରାସ୍ତାର ଆରପାଖ ଜଙ୍ଗଲ ଭିତରୁ ଜବାବ ଦେଲା, ଯାଉଛି ମା’–

 

ଶୀଘ୍ର ଆରେ ଲକ୍ଷ୍ମୀ–ଛଡ଼ା–

 

ଅନିମା କମଳାକୁ ଭୟ କରନ୍ତି । ସେ ଜାଣନ୍ତି କମଳା ଅପା କଥାକଥାରେ ଅନ୍ୟମାନଙ୍କୁ ସମାଲୋଚନା କରନ୍ତି । ପିଲାଛୁଆରୁ ବୁଢ଼ାବୁଢ଼ୀ ଯାଏଁ କାହାରି ଭଲଗୁଣ ତାଙ୍କର ଆଖିରେ ପଡ଼େ ନାହିଁ । ତାଙ୍କର ସମାଲୋଚନାରେ ବାଧାଦେଇ ପଦେ କହିଲେ ସେ ଅଭଦ୍ର ହୁଅନ୍ତି । ପଦକୁ ପଦ କଥା କଟାକଟି କଲେ ସେ ରଣଚଣ୍ଡୀ ମୂର୍ତ୍ତି ଧରନ୍ତି । ତାଙ୍କୁ ସତେ ଅଧିକ ଆତ୍ମୀୟତା କରିବା ଯେତିକି ବିପଦ, ହାବୁଡ଼େ ପଡ଼ି କରଛଡ଼ା ଦେଇ ରହିବା ତତୋଽଧିକ । ଆଲୋ ସଖୀ ଆପଣା ମହତ ଆପେ ରଖି ନୀତି ଅବଲମ୍ବନ କରି ତାଙ୍କ କଥାରେ ବାଧା ନ ଦେବା କି ଉଚ୍ଚବାଚ ନ ହେବା ଭଲ ।

 

ଗାମୁଛା ଖଣ୍ଡି ଆଣିବାକୁ ଅନିମା ଟେଣ୍ଟ୍ ଭିତରେ ପଶିଲେ । ମନେମନେ ଅମିତାକୁ ଖୋଜୁଥାଆନ୍ତି । ସେ ଯଦି ଆସି ପହଞ୍ଚନ୍ତା, ଖେନ୍ଦା ଉପରେ ଘର ଜଗିବାର ଦାୟିତ୍ୱ ପଡ଼ନ୍ତା ନାହିଁ । ଢେର୍ ଚଉଦବର୍ଷର ହାଡ଼ୁଆ ପିଲାଟା ଖେନ୍ଦା, କମଳା ଅପାଙ୍କର ହିନ୍ଦୁସ୍ଥାନପଟର ପ୍ରଥମ ସନ୍ତାନ ଚଗଲାପଣକୁ ସରିଛି । ଚାଲିଗଲା ଶଗଡ଼ରେ ହାତ ପୂରାଏ । କେଡ଼େ ଛଟକରେ ସାଥୀ ପିଲାଙ୍କର ଖେଳର ସାମଗ୍ରୀ ଚୋରାଇ ନେଇ ପର ମୁଣ୍ଡରେ ଅଠା ବୋଳେ । ତା’ ଜିମା ଘର ଛାଡ଼ିଯିବାକୁ ମନ ନାହିଁ କରୁଥିଲା, କିନ୍ତୁ, କମଳା ଅପା ରଡ଼ି ଛାଡ଼ିଲେଣି ବାହାରୁ, କିଏ ତୋର ଗୋଡ଼ ଅଟକାଇ ରଖିଲାକି ଅନିମା ? ଖେନ୍ଦା ଆସିଲାଣି, ଜଲଦି ବାହାରି ପଡ଼ ।

 

ଅନିମା ଦରମଳା କସ୍ତା ଖଣ୍ଡିଏ କାନ୍ଧରେ ପକାଇଲେ । ଢାବଲରୁ ବାହାରକରି ଛୋଟ ସାବୁନଟି କାଗଜରେ ଗୁଡ଼ାଇ ଧରିଲେ । ବଡ଼ ଗରାଟି ପଦାକୁ କାଢ଼ିଲେ । ଟେଣ୍ଟ୍‍ର ବାହାର ପାଖେ ଦଉଡ଼ି ବାନ୍ଧି ଆଶା–ମୁଖରେ ପାଣିକଳ ଆଡ଼େ ଦୃଷ୍ଟି ପକାଇଲେ । ଭିଡ଼ କମି ଆସିଲାଣି । ନଳ–କୂଅ ପାଖରେ କିଛି ସମୟ ଅପେକ୍ଷା କଲେ ବୋଧହୁଏ ବିନା ଯୁଦ୍ଧରେ ସେ ପାଣି ପାଇ ପାରନ୍ତେ, କିନ୍ତୁ କମଳା ଅପାଙ୍କର ନିମନ୍ତ୍ରଣ ସେ ଅନିଚ୍ଛା ସତ୍ତ୍ୱେ ଗ୍ରହଣ କରିଛନ୍ତି । ଖେନ୍ଦା ଟେଣ୍ଟ୍‌ ଆଗ ଅଗଣା ସେପାଖେ ବଡ଼ ମହୁଲ ଗଛତଳ ଛୋଟ ଅଁଳା ଗଛର ଦୋକେନା ଉପରେ ବସି କୁହାଟ ଛାଡ଼ି ଅନ୍ୟ ପିଲାଙ୍କୁ ଡାକ ଛାଡ଼ିଲାଣି । ଏତେବେଳେ ନାଳକୁ ଯିବାକୁ ମନା କରିଦେଲେ କମଳା ବିରକ୍ତ ହେବେ, ଏଣୁତେଣୁ ବକିବେ ।

 

ଅନିମା ପଦାକୁ ଆସିଲେ । ହସହସ ହୋଇ ଖେନ୍ଦାକୁ କହିଲେ, ବାବା ଖେନ୍ଦୁ, ଟେଣ୍ଟ୍ ଉପରେ ନଜର ରଖିଥିବୁ । ମିତା ସ୍ନାନ ସାରି ଆସୁଥିବ ଯେ–

 

ଖେନ୍ଦା ଅଁଳା ଗଛର ଉପର ଡାଳକୁ ଉଠି କହିଲା, ହଁ, ମାଉସୀ, ଶୀଘ୍ର ଫେରିବ ।

 

ଆଠ

 

ମୋଟୁ ରାସ୍ତା କଡ଼ରେ ରକ୍ଷିତ ଜଙ୍ଗଲ ଭିତରେ ଉଦବାସ୍ତୁମାନଙ୍କର ଅସ୍ଥାୟୀ କ୍ୟାମ୍ପ୍‍ । ତିରିଶି ଏକର ଜଙ୍ଗଲ ସଫା କରି ତା’ରି ଭିତରେ ଦୁଇଟି ପଡ଼ା ଟେଣ୍ଟ୍‌ ବସ୍ତି, ଛାଡ଼ିଛାଡ଼ିକା । ଗୋଟିଏ ପଡ଼ାରୁ ଆରଟି ପ୍ରାୟ ତିନି ଫୁଟ୍ ଦୂର । ସମତଳ ଉର୍ବର ଭୂମି । ମଝିରେ ମଝିରେ ଛୋଟ ବଡ଼ ବିଭିନ୍ନ ଜାତିର ଗଛ ଛିଡ଼ା ହୋଇଛି । ଟିକିଏ ଆବର ହେବ, ଛାୟା ଦେବ, ସୁନ୍ଦର ଦିଶିବ । କ୍ୟାମ୍ପ୍‍ ଚାରିପାଖେ ପାତଳ ଜଙ୍ଗଲ, ତଳେ ବଣ–ଖଜୁରି, ଆଣ୍ଠିଏ ଉଞ୍ଚର ଘାସ, ବଣୁଆ କଞ୍ଚନ, ବଣୁଆ ପାଳୁଅ ଗଛର ବୁଦା । ଦୂର ଛାଡ଼ି ଛୋଟ ପାହାଡ଼ଟିଏ, ମଥା ଉପର ସମତଳ । ତାଆରି ଉପରେ ବଡ଼ବଡ଼ ଗଛ, ଘଞ୍ଚ ଜଙ୍ଗଲ ।

 

ସେହି ଛୋଟ ପାହାଡ଼ର ଆରପାଖେ ଛୋଟ ଛୋଟ ଗହିଡ଼ା ନାଳଗୁଡ଼ିଏ, ଅସମତଳ ଭୂମି ମଝିରେ ବଙ୍କେଇ ଗତି କରିଛି । ଗୋଟିକ ସାଥିରେ ଆଉ ଗୋଟିଏ, ସେଇଠୁ ଆଉ ଗୋଟିଏ, ଏହିପରି ମିଶି ଏକାଠି ହୋଇ ଅଧମାଇଲ ଦୂରରେ ସବୁରି ମିଶ୍ରଣରେ ଯେଉଁ ନାଳ ହୋଇଛି, ସେଥିରେ ଛାତିଏ ପାଣି । ନାଳଟି ଦକ୍ଷିଣ ମୁହାଁହୋଇ ଗତି କରିଛି । ଧୀରେ ଧୀରେ କାୟା ବିସ୍ତାର ଉଚ୍ଚ ଭୂଇଁ ଓ ଛୋଟ ଛୋଟ ପାହାଡ଼ ମାଳର କନ୍ଦିରେ କନ୍ଦିରେ ଅଷ୍ଟବକ୍ର ହୋଇ ଗତିକରି ତିନି ଚାରି ମାଇଲ ତଳେ ସତୀନଦୀରେ ମିଶିଛି । ଅତି ଘଞ୍ଚ ନହେଲେବି ଘଞ୍ଚ ଅରଣ୍ୟ ମଝିରେ ତା’ର ପ୍ରବାହ-

 

ଦୁଇ ପାଖରେ ବାଉଁଶବଣ, ବଣ୍ୟ ପଶୁଙ୍କର କ୍ରୀଡ଼ାସ୍ଥଳୀ । କ୍ୟାମ୍ପ୍‍ର ବାସିନ୍ଦାମାନେ କୌତୂହଳ ମେଣ୍ଟାଇବାକୁ ସେହି ଅନାମିକା ବଡ଼ ନାଳ କୂଳକୁ ଯାଇ କେତେ ଥର ଚିତାବାଘ, ହେଟାବାଘ, ଭାଲୁକି ଆଉ କେଉଁ ଜନ୍ତୁ ଦେଖିଛନ୍ତି । ଜଙ୍ଗଲ ମଝିର ପଡ଼ାଉବା ଭୂଇଁର ଚଲାବାଟରେ, ସେହି ବଡ଼ନାଳର ପାଣିରେ ଗାଧୋଇବାକୁ ଏତେ ବାଟ ଯିବାକୁ ସ୍ତ୍ରୀ ପିଲାଙ୍କୁ ସେମାନେ ବାରଣ କରିଛନ୍ତି ।

 

ମୋଟୁ–ରାସ୍ତା ଅତିକ୍ରମ କରି ଉତ୍ତମ–ପଶ୍ଚିମ କୋଣଆଡ଼େ ଗଲେ ପ୍ରାୟ ଅଧମାଇଲ ଦୂରରେ ଆଉ ଗୋଟିଏ ଛୋଟ ନାଳ । ଉଚ୍ଚ ଖଣ୍ଡି, କିନ୍ତୁ ନାଳରେ ଅଳପ ପାଣି, କେଉଁଠି ହେଲେ ଅଣ୍ଟା ବୁଡ଼ିବ ନାହିଁ । ପାତଳ ଅରଣ୍ୟ । ସମତଳ ଭୂମି । ଚଲାବାଟ ପଡ଼ିଛି ହେଉ ପଛେ ସାପ ଗତିରେ । ବଣୁଆ ସ୍ଥାନ । ବିପଦ ନାହିଁ ଭାବିଲେ ଆଖିରେ ଦିଶେ ବାରହା ପାଖ ଉଚ୍ଚାଳିଆ ପଥୁରିଆ ଡଙ୍ଗର ଉପରେ କାଳିଆ ଭାଲୁ, ବୁଦାତଳେ ଭୟଙ୍କର ଖାଉରିଆ ନାଗ । କିନ୍ତୁ ଏ ସବୁ କୁଚିତ ଦେଖାଯାଏ ।

 

ସେହି ଛୋଟ ନାଳରେ ସ୍ନାନ କରିବାକୁ କି ସେଥିରେ ପାଣି ଆଣି ବ୍ୟବହାର କରିବାକୁ ସ୍ତ୍ରୀ ପିଲାଙ୍କୁ କେହି ବାରଣ କରି ନାହିଁ । ଦିଓଟି ନଳକୂଅର ପାଣି ଏତେଗୁଡ଼ିଏ କୁଟୁମ୍ବର ବ୍ୟବହାର ପାଇଁ ଯଥେଷ୍ଟ ହେଉ ନଥିଲା, ଏବେ ପୁଣି ତହିଁରୁ ଗୋଟିଏ ଅଚଳ । ତେଣୁ ଅଧିକାଂଶ ସ୍ତ୍ରୀ ଓ ପୁରୁଷ ଏହି ଛୋଟ ନାଳରେ ନିତ୍ୟକର୍ମ ସାରନ୍ତି । ସ୍ତ୍ରୀମାନେ ସେଥିରେ ମଇଳା ଲୁଗାପଟା କାଚି ପାଣିକୁ ଅପରିଷ୍କାର କରନ୍ତି । ପିଲାମାନେ ତ ସହଜେ । ହୁମ୍‌ ହୁମ୍‌ ହୋଇ ଖେଳି, ପହଁରି ଚୁନାମାଛ ଖିଅରେ ଧରି ପାଣି ଗୋଳିଆ କରନ୍ତି, କିନ୍ତୁ ଚଳନ୍ତି ପାଣିରେ ସବୁ ଆବର୍ଜନା ଭାସିଯାଏ ତଳକୁ, ମିଶିଯାଏ ଏଇମାଇଲ ଦୂରରେ ପ୍ରବାହିତା ତମସା ନଦୀର ଜଳରେ ।

 

ଅନିମା ଭାବୁଥିଲେ, ବୋଧହୁଏ ଅମିତା ସାଙ୍ଗ ପିଲାଙ୍କ ସଙ୍ଗରେ ମିଶି ନାଳରେ ପହଁରୁଥିବ କି ମାଛ ଧରୁଥିବ । ନାଳକୂଳରେ ତା’ ସଙ୍ଗେ ଦେଖା ହେବ । ଆଗ ତା’ର କାନ ଧରି ଗାଲରେ ଥାପଡ଼ ଦିଓଟି ନ ମାରିଲେ ତା’ର ଦୁଷ୍ଟାମି ଭାଙ୍ଗିବ ନାହିଁ ।

 

କେତେ ଥର ସେ ପଣ କରନ୍ତି, ଅମିତାକୁ ଏହିପରି ଶାସନ କରିବେ, କିନ୍ତୁ ତା’ର ସୁନ୍ଦର ମୁହଁ ଓ ଢଳଢ଼ଳ ଚପଳ ଆଖି ଦିଓଟିକୁ ଚାହିଁଲାକ୍ଷଣି ମନରୁ ସବୁ ରାଗରୋଷ ଅପସରି ଯାଏଁ । ମନର ଅନ୍ଧାରି କନ୍ଦରରେ ସେ ଦେଖାନ୍ତି ଆଉ ଗୋଟିଏ କୁଲୁକୁଲିଆ ମୁହଁ, ତିନି ବରଷର ସବଳ ସୁସ୍ଥ ଛୁଆଟିଏ, ଯାହାକୁ ଦଶ ମାସ ପେଟରେ ଧରି ସେ ଏ ସଂସାରକୁ ଆଣିଥିଲେ–ଅମିତାଭ !

 

ସାତ ବରଷର ବୋହୁପଣ ଓ ବାଞ୍ଝ ଜୀବନରେ ସେହି ପୁଅ ବକଟକ ଥିଲା ତାଙ୍କର ପ୍ରେମର ପ୍ରସୂନ । ବୁଢ଼ା ଶଶୁରଙ୍କର ନୟନର ଜ୍ୟୋତି । ସ୍ୱାମୀ ଓ ଦେବରଙ୍କର ପ୍ରାଣାଧିକ ଖେଳର ପିତୁଳା । ସେ ଅମିତାଭ, ତିନି ବରଷର ଶିଶୁ ପୁତ୍ରଟି !

 

କାହିଁ ସେ ? କୁଆଡ଼େ ରହିଲା ? କେଉଁ ଚଣ୍ଡାଳୁଣୀ ତାଙ୍କର ଜୀବନର ମଣିଟିକୁ ଛାତିରୁ ଓଟାରି ନେଲା, ରଖି ଦେଇଗଲା କନ୍ୟାଟିଏ, ସମବୟସର, ଯାହାକୁ ସେ ଅମିତା ବୋଲି ଡାକନ୍ତି ।

 

ଭୁଲି ପାରୁନାହାନ୍ତି ପୂର୍ବବଙ୍ଗରୁ ପଳାୟନ କାଳର ତୋଫାନିଆ ଛାତିଥରା ଘଟଣାଗୁଡ଼ିକ, ଘଟିଯାଉଛି ପରକୁ ପର । ଅବିରାମ ସେଇ ଦୁଃଖଦୋହଲା ଅପ୍ରତ୍ୟାଶିତ ଘଟଣାର ଢେଉ । ମାଡ଼ି ଆସୁଛି, ଅଟକୁ ନାହିଁ, ତଡ଼ି ଆଣୁଛି ଆଗକୁ ଆଗକୁ । ସେ ଅଣଆୟତ୍ତ ।

 

ଏବେଯାଏ ସେ ବଞ୍ଚି ରହିଛନ୍ତି କେଉଁ ସୁଖର ଆଶାରେ ? ଅପ୍ରାକୃତ ସଂସାର ପାତି, ନିଜେ ଗୃହିଣୀ ହୋଇ, କେଉଁ ଅନାଗତ ଅଲୌକିକ ଘଟଣାକୁ ସେ ଅପେକ୍ଷା କରି ବସିଛନ୍ତି ? ସ୍ୱାମୀ ଓ ପୁତ୍ର ଫେରି ଆସିବେ ? ଆତତାୟୀମାନଙ୍କ ହାତରେ ପ୍ରାଣ ଦେଇଥିବା ତାଙ୍କର ଦେବର ଅମିୟ ଫେରିଆସିବ ସେପୁରରୁ, ଆଉ ତାଙ୍କର ହଜିଲା ପୁଅ ଅମିତାଭ–?

 

କମଳା ହସି ଉଠିଲେ ।

 

ସହସା ଅନିମା ସତେ କି ଆକାଶ ଉପରୁ ଖସି ପଡ଼ିଲେ ତଳକୁ । ଅତୀତ ଉଭେଇ ଯାଇଛି । ଆଗରେ ଦିଶୁଛି ବନ–ପଥ । ଦୁଇଆଡ଼େ ଅରଣ୍ୟ ଭୂମି । ଉପର ସୂର୍ଯ୍ୟର କିରଣ ପତ୍ରଗହଳ ଠେଲି ମେଞ୍ଚିମେଞ୍ଚି ହୋଇ ତଳେ ବିଞ୍ଚିହୋଇ ପଡ଼ିଛି । ନାଳ ପାଖେଇ ଆସିଲାଣି । ଅରଣ୍ୟ ସନ୍ଧିରେ ନାଳର ଅସ୍ତିତ୍ୱ ହଜିଯାଇଛି । ତା’ର ଚଳନ୍ତି ଜଳର କଳକଳ ରବ ସଙ୍ଗେ ସ୍ତ୍ରୀ ପିଲାଙ୍କର କୋଳାହଳ ମିଶି ଧୀର ବାୟୁରେ ଭାସି ଯାଇଛି । ଜୀବନ୍ତ ପ୍ରକୃତି ତଳେ ମଣିଷ ଜୀବନର ସୂଚନା ଦେଉଛି ସେହି ମିଶାମିଶି ସ୍ୱର ।

 

ଅନିମା ବିଚଳିତ ହେଲେ । ନିଜର ଅଜାଣତରେ ମନର ତୋଫାନରେ ତାଙ୍କର ଦୁଇ ଆଖିକୁ ଭାସି ଆସିଥିଲା ଅକୁହା ଉଯନ୍ତ୍ରି ବେଦନାର ବାଦଲ, ଭରି ଯାଇଥିଲା ଅଶ୍ରୁ । ମନର ଗୋପନ ବଚନ ତୁଣ୍ଡରୁ ବାହାରିଲା ପରି ସେ ମଣିଲେ । ସତେ କି ସବୁ ସେ ମୁହଁ ଖୋଲି କହି ଦେଇଛନ୍ତି । ତାଙ୍କର ସୁଖର ସଂସାର ଭାଙ୍ଗିଯିବ ପରା !

 

ଅମିୟ ଆଗକୁ ଆସି ପଚାରିବେ, ତୁମେ ଏଡ଼େ କପଟୀ, ଅମିତା ଯେ ତୁମର କନ୍ୟା ନୁହେଁ । ଦଶବର୍ଷକାଳ ମୋ ପାଖରୁ ଏହା ଲୁଚାଇ ରଖିଥିଲା କାହିଁକି ?

 

ଅମିତା କୋଳରୁ ଉଠି ଦୂରକୁ ଘୁଞ୍ଚି ଯିବ । ପଚାରିବ, ତୁ ମୋର ଜନନୀ ନହୁ, ଅମିୟ କକା ମୋର କକା ନୁହନ୍ତି । ତେବେ ମୁଁ କିଏ ? କେଉଁଠୁଁ ତୁ ମୋତେ ଗୋଟାଇ ଆଣି କୋଳରେ ଥାନ ଦେଲୁ ?

 

ନା, ଅମିତା ବିଶ୍ୱାସ କରିପାରିବ ନାହିଁ । ଉପହାସ ମଣିବ । କୋଳରୁ ଦୂରେଇ ନ ଯାଇ ଛାତିରେ ମୁହଁ ଗୁଞ୍ଚିବ । ଶୁଖିଲା ସ୍ତନକୁ ମୁହଁରେ ଭରି କ୍ଷୀର ଶୋଷିବାର ପିଲାଦିନର ପ୍ରକୃତି ମେଣ୍ଟାଇବ, ଏଡ଼େବଡ଼ ଝିଅଟା । ଆହୁରି ନିବିଡ଼ ଭାବରେ ତାଙ୍କୁ ଆଲିଙ୍ଗନ କରିବ । ଗାଲରେ ବୋକ ଦେଇ କହିବ, ମୁଁ ତୋର ଝିଅ ଗୋ ମା’, ଆଉ ତୁ ବି ମୋର ଝିଅ ।

 

ଆଗରେ କମଳା । ପଛରେ ଅନିମା ।

 

କମଳା ଫେରି ଚାହିଁଲେ, । କହିଲେ ମୋ ଜୀବନର ଦୁଃଖର କାହାଣୀ ଶୁଣି ତୋର ଆଖିରେ ଲୁହ ଆସିଛି ଅନିମା, କିନ୍ତୁ ମୋର ହସ ତ ଶୁଣିଲୁ ? ମୁଁ କେବଳ ବାହାରେ ହସୁ ନାହିଁ ଗୋ, ମୋର ଅନ୍ତରବି ହସି ଉଠୁଛି । ମୁଁ ବୁଝିଛି, ମଣିଷ ଜୀବନ ଭଗବାନଙ୍କର ବିରାଟ ଉପହାସ । ମୁଁ ସେଇ ଉପହାସରେ ଯୋଗଦେଇଛି । ସବୁ ମଣିଷ ସମସ୍ତଙ୍କର ଶତ୍ରୁଲୋ ଅନିମା, ମିତ୍ରତା କେବଳ ନିଜର ସ୍ୱାର୍ଥପାଇଁ ! ବାପ ଭାଇ ସ୍ୱାମୀ ଦେବର କି, ପୁଅ ପୁତୁରା ଏଥିରୁ ବାଦ ଯିବେ ନାହିଁ-। ଖଟି ମରିବାକୁ ଆମ ମାଇପି ଜାତିର ଜନମ । ଯେତିକି ପାରିବା ଖଟିବା । ଦୁଃଖ ଜଞ୍ଜାଳକୁ ଫୁଟକି ମାରି ହସି ଉଡ଼େଇ ଦେବା । ନିଜର ସୁବିଧା ନିଜେ କରି ନେବା, ବୁଦ୍ଧି ଜୋରରେ ହେଉ କି ଦେହର ଜୋର ବା ତୁଣ୍ଡର ଜୋରରେ ହେଉ । ଜିତି ନ ପାରିଲେ ହାରିଗଲେ ପୁଣି ହସିବା । ଜିତିବାକୁ ବାଗ ଉଣ୍ଡୁଥିବା-

 

ଅନିମା ମୁହଁରେ ଟାଣିଲେ ମୁଡ଼ୁକି ହସ । ସେ ହସର ଅର୍ଥ ଓ ଭାଷା ହେଉଛି, ତୁମର ନୀତି ଓ ଚଳନର ନିୟମରେ ମୋର ମତାମତ ନାହିଁ । ଯେତେବେଳେ ଯିଏ ଯାହା ଭଲ ବୁଝିଛି, ସେଇଆ କରୁଛି । ସେଥିପାଇଁ ଅନ୍ୟର ସମର୍ଥନ କି ପ୍ରତିରୋଧକୁ ସେ କାହିଁକି ଅପେକ୍ଷା କରିବ ?

 

ଅନିମାଙ୍କ ମନ ତଳେ ଛଟପଟ ହେଉଥିଲା କମଳାଙ୍କର ଗୋଟିଏ ବାକ୍ୟ,–ମିତ୍ରତା କେବଳ ନିଜର ସ୍ୱାର୍ଥପାଇଁ !

 

ନଅ

 

ଆଗରେ ନାଳ ଦିଶିଲାଣି । ଜଣ ଜଣ ହୋଇ କେତେ ଘରଣୀ କାଖରେ ଜଳ–ଭରା କଳସୀ ଓ ହାତରେ ଟିକି ପିଲାଙ୍କର ଆଙ୍ଗୁଠି ଧରି ତାଙ୍କରି କଡ଼ ଦେଇ କ୍ୟାମ୍ପ୍‍କୁ ଫେରିଗଲେଣି । ଅନିମା ଓ କମଳାଙ୍କୁ କଣେଇ କଣେଇ ଚାହିଁ କିଏ ମୁଡ଼ୁକି ହସା ଦେଇଛି । ଭ୍ରୂଲତା ଟେକିଛି । କିଏ ମୁହଁ ଗମ୍ଭୀର କରି ଆଖି ଫେରାଇଛି । କିଏ ବା ଚିହ୍ନା ଘରଣୀ, ଆତ୍ମୀୟତାର ପ୍ରମାଣ ଦେବାକୁ କଅଁଳେଇ ପଦେ ପଚାରିଛି । ଏତେ ଡେରି କଲ ଭଉଣୀ ?

 

କମଳା ସଙ୍ଗେ ସଙ୍ଗେ ଓଲଟି–ପ୍ରଶ୍ନ ପଚାରିଛନ୍ତି, ନାଳରୁ ପାଣି ସରି ନାହିଁ ତ !

 

ଅନିମା ନିରୁତ୍ତର । ଦୃଷ୍ଟିରେ କୃତଜ୍ଞତାର ହସ !

 

ଗଡ଼ଣି ବାଟରେ ଦୁହେଁ ନାଳ ଭିତରକୁ ଗଡ଼ିଲେ । ନାଳର ପ୍ରସ୍ଥ ତିରିଶି ହାତ ହେବ । ମଝିରେ ବହି ଯାଉଥିବା ଜଳର ପ୍ରସ୍ଥ ଦଶ ହାତରୁ ଅଧିକ ହେବ ନାହିଁ । ମଝି ନାଳରେ ଜଙ୍ଘେ ପାଣି-। ବୁଢ଼ୀ ଦିଓଟି ପାଣି ଭିତରେ ବସି ସ୍ନାନ କରୁଛନ୍ତି । ସ୍ରୋତର ତଳ ପାଖେ ପ୍ରାୟ ଦୁଇଶ ହାତ ଦୂରରେ ନାଳଟିର ପ୍ରସ୍ଥ ବଢ଼ିଯାଇଛି । ସ୍ରୋତ ଦୁଇ ଧାର ହୋଇ ଗୋଟିଏ ପଥୁରିଆ ଉଚ୍ଚ ଭୂଇଁକୁ ବେଷ୍ଟନ କରି ଦୁଇ ଆଡ଼େ ବହିଯାଇଛି । କେତେ ଦୂର ତଳେ ଦୁଇଧାରା ମିଶି ପୁଣି ଏକଧାର ହୋଇଛି । ଆଖିକୁ ଦିଶୁ ନାହିଁ । ପଥୁରିଆ ଉଚ୍ଚ ଭୂଇଁ ଉପରେ ଘଞ୍ଚ ଜଙ୍ଗଲ । କେଇଟି ବଡ଼ବଡ଼ ସାଗୁଆନ ଗଛ ଆକାଶକୁ ମୁଣ୍ଡ ଟେକିଛନ୍ତି । ସେହି ଜଙ୍ଗଲିଆ ଭୂଇଁ ଆଡ଼ୁ ପିଲାଙ୍କର ପାଟି ଶୁଭୁଛି-। ବେଳେବେଳେ ସେମାନେ ଗଛ ଗହଳି ଭିତରୁ ବାହାରି ଚଳନ୍ତି ପାଣିର ଦୁଇ ଧାରକୁ କୋଳାହଳ କରି ଡେଇଁ ପଡ଼ୁଛନ୍ତି । ଧରାପରା ହେଉଛନ୍ତି । ପରସ୍ପର ଉପରକୁ ବାଲି ମାଟି ପକାଇ ହସି ହସି ପାଣିରେ ଟୁବ୍‌କରି ବୁଡ଼ି ଖଣ୍ଡେ ଦୂର ତଳକୁ ପହଁରି ଯାଉଛନ୍ତି । ପାଣି ଭିତରେ ସେମାନଙ୍କର ଗୋଡ଼ିଆଗୋଡ଼ି ଖେଳ, କିଏ କାହାକୁ ଛୁଇଁ ପାରିବାର ପଣ ଓ ପରାକ୍ରମ !

 

ଅନିମା ସେହିମାନଙ୍କ ଉପରେ ଦୃଷ୍ଟି ପକାଇଲେ, ମନେମନେ ଅମିତାକୁ ଖୋଜିଲେ । ଭାବିଲେ, ସେ ସେଇଠି ଥିବ । ପିଲାଗୁଡ଼ାକ ଦୁଷ୍ଟି ଓ ଅବାଧ୍ୟ ହେଉଛନ୍ତି । ବିବିଧ ପ୍ରକାର ଉତ୍ପାତ କରୁଛନ୍ତି । କ୍ୟାମ୍ପ୍‍ରେ ସେମାନଙ୍କ ପାଇଁ ଗୋଟିଏ ସ୍କୁଲ୍‍ ଖୋଲା ହେବ ବୋଲି କେହି କେହି କର୍ମଚାରୀ ଆସି ସାନ୍ତ୍ୱନା ଦେଇ ଗଲେଣି । ସ୍କୁଲ୍‍ ଘର ଖଣ୍ଡେ ତୋଳା ହେଉଛି ଯେ ଅଧା ହୋଇ ପଡ଼ିଛି । କେବେ ଶେଷ ହେବ, ପୁଣି କେବେ ଶିକ୍ଷକ ଆସି ପାଠ ପଢ଼ା ଆରମ୍ଭ କରିବେ, ଭଗବାନଙ୍କୁ ଜଣା । ଯେତେ କର୍ମଚାରୀ ଆସୁଛନ୍ତି, ସେମାନେ କେବଳ ବାଳକବାଳିକାଙ୍କର ତାଲିକା କରୁଛନ୍ତି । ବାରମ୍ବାର ସାନ୍ତ୍ୱନା ଦେଉଛନ୍ତି; ହେବ, ଶୀଘ୍ରହେବ, ପିଲାମାନଙ୍କୁ ଜାବତା କରି ରଖ !

 

କମଳା କହିଲେ, ଅମିତାକୁ ଖୋଜୁଛୁ ? ହଁ, ସେ ସେଇଠି ଥିବ । ଥାଉ, ପିଲାଲୋକ, ପାଞ୍ଚ ପିଲାଙ୍କ ସଙ୍ଗେ ମିଶି ଖେଳାଖେଳି କରୁ । ନାଳରେ ଅଳପ ପାଣି, ଜଙ୍ଗଲରେ କିନ୍ତୁ ନାହାଁନ୍ତି, ଭୟର କାରଣ ନାହିଁ । ଅମିତା ଭଲ ପିଲା ଯେ, ମୁଁ ତାକୁ ଭାରି ଭଲ ପାଏ । ତା’ର ବିଚକ୍ଷଣ ବୁଦ୍ଧି । ତେବେ ଟିକିଏ ନେସମା ହୋଇଛି । ପାଞ୍ଚ ପିଲାଙ୍କ ସଙ୍ଗେ ମଶିଲେ ଫୁର୍ତ୍ତି ହେବ । ଖେନ୍ଦା ଯଦି ମୋର ଆଉ ଟିକିଏ ବଡ଼ ହୋଇଥାନ୍ତା, ସତ କହୁଛି ତୋ ମିତାକୁ ବୋହୂ କରିବାକୁ ଆଜି ମୁଁ ଜବାବ ଦିଅନ୍ତି । ଭାରି ଭଲ ହୁଅନ୍ତା, ନାଇଁ କି ଅନିମା ! ଖେନ୍ଦାର ଯେମିତି ବାପ ନାହିଁ, ମିତାରବି ସେମିତି ବାପ ନାହିଁ ।

 

ଅନିମାଙ୍କର ଛାତିରେ କମଳାଙ୍କର ବାକ୍ୟଟି ତୀବ୍ର ଆଘାତ ଦେଲା । ସେ ଅସ୍ପଷ୍ଟ ସ୍ୱରରେ କହିଲେ, ତମର ପାଦ ଧରୁଛି ଅପା, ସେପରି କଥା ତୁଣ୍ଡକୁ ଆଣନା, ମୋ କାନରେ ପକାନା । ମିତାକୁ ତମେ ବୋହୂ କର ପଛେ ମୋର ଜୀବନର ଆଶାକୁ ଟଳାଇ ଦିଅନା । ଏତେ ବର୍ଷର ତପସ୍ୟା ମୋର ଦୋହଲାଇ ଦେବାକୁ ଚେଷ୍ଟା କରନା । ତୁମର ମୁଁ ଶରଣ ପଶୁଛି । ତୁମ ପାଖରେ ମୁଁ ମାଗୁଣି କରୁଛି । ତୁମେ ବିଶ୍ୱାସ କର, ମିତା ମୋର ପିତୃହୀନା ନୁହେଁ । ମୋର ଦେବତା ମତେ ମନ ଭିତରେ ବାରମ୍ବାର କହି ଦେଉଛନ୍ତି,–ମିତାର ବାପା ଜୀବନରେ ଅଛନ୍ତି । ପାକିସ୍ଥାନ ଛାଡ଼ି ସେ ହିନ୍ଦୁସ୍ଥାନକୁ ଚାଲି ଆସିଛନ୍ତି । ମୋତେ ସେ ଖୋଜୁଛନ୍ତି ଗୋ ଅପା, ଦିନେ ପୁଣି ଭେଟ ହେବ । ଠାକୁରଙ୍କ ପାଖରେ ତୁମପାଇଁବି ମୁଁ ପ୍ରାର୍ଥନା କରିବି ଯେ ଖେନ୍ଦାର ବାପା–

 

ଚୁପ୍‌ କରଲୋ ଅଲକ୍ଷଣୀ ! ତୋ ପରି ମୁଁ ବେହିଆ ନୁହେଁ କି ନିର୍ଲଜ୍ଜୀ ନୁହେଁ । ଖେନ୍ଦାର ବାପା ଆଉ ସେପୁରରୁ ଫେରିଆସିବ ନାହିଁ । ବିନ୍ଦା ଆଉ ବିନ୍ଦୁଙ୍କର ବାପ ଯେ ସାଧନ ସନ୍ନ୍ୟାସୀ, ସେଇ ଏକା ମୋ ଖେନ୍ଦାର ବାପ । ହଁ, ମୁଁ ମାନୁଛି, ନାରାୟଣ ମିସ୍ତ୍ରିଙ୍କର ହାତ ଧରି ଚଉଦବର୍ଷର ଝିଅଟିଏ ମୁଁ, ତାଙ୍କ ଘରକୁ ସଂସାର କରିବାକୁ ଯାଇଥିଲି । କୋଡ଼ିଏବର୍ଷ ସଂସାର କରିଥିଲି ।

 

ସେ କି ପ୍ରକାର ସଂସାର । ନାରଣ ମିସ୍ତ୍ରି ଯେ ମୋଠାରୁ ଦଶ କି ବାରବର୍ଷ ବଡ଼ । ଦୁଃଖର ସଂସାର । ଛୋଟ ଚାଳଘର, ଦିଓଟି ବଖରା । ଶାଶୁ ଶଶୁର ଦିଅରଙ୍କୁ ଧରି ସେଇ ଘରେ ଆମର ସଂସାର ।

 

ମାତୃଭକ୍ତ ପୁଅ ମାଆଙ୍କ କଥାରେ ବିଶ୍ୱାସ ଯାଆନ୍ତି । ବେଳ ଅବେଳ ନ ବୁଝି କଥା କାନକୁ ନ ନେଇ ମତେ ନିସ୍ତୁକ୍ ଛେଚନ୍ତି । ଶାଶୁ ଶଶୁର ମଲେ, ନଣନ୍ଦମାନେ ତାଙ୍କ ଶାଶୁଘରକୁ ଗଲେ । ଦିଅରମାନେ ତାଙ୍କ ସଂସାର କରି ଭିନେ ହୋଇଗଲେ । ତିନିଟା ପୁଅ ମୋ ପେଟରୁ ଜନମ ହେଲେ । ଖେନ୍ଦଟା ସବା ସାନ ।

 

ନାରଣ ମିସ୍ତ୍ରିଙ୍କର ଅଭ୍ୟାସ ବଦଳିଲା ନାହିଁ । ପରଘରେ ମୂଲଲାଗି ପେଟପୋଷିବା କଥା । ଅଭାବର ସଂସାର । ଯାହା କହନ୍ତି, ପାନରୁ ଟିକିଏ ଚୂନ ଖସି ପଡ଼ିଲେ, ପିଲାଙ୍କ ଆଗରେବି ମୋ ପିଠିରେ ବିଧା ଗୋଇଠା ବସେ । ସେ ବଳିଷ୍ଠ ପୁରୁଷ ପିଲା । ମୁଁ ଯେ ଦୁର୍ବଳ ନାରୀ । ମୋର ବଳ ଯେ ମୋର ତୁଣ୍ଡର ଭାଷା ।

 

ନାଳ ମଝିରେ ପଶି ଅନିମା ସ୍ନାନ କରୁଛନ୍ତି । ପାଖରେ କମଳା, ସ୍ନାନ କରୁଣୁ ଗପି ଚାଲିଛନ୍ତି । ତାଙ୍କ କଥାରେ ସତ କେତେ ମିଛ କେତେ କେବଳ ତାଙ୍କୁହିଁ ଜଣା । କେତେବେଳେ ସେ କାହା, ପାଖରେ କ’ଣ ବର୍ଣ୍ଣନା କରନ୍ତି ନିଜେ ମନେ ରଖିପାରନ୍ତି ନାହିଁ । କଥାର ଅମେଳ ହୁଏ । ସାହସ କରି ସେତକ ଦର୍ଶାଇ ଦେଲେ ସେ ଅଗ୍ନିଶର୍ମା ହୁଅନ୍ତି । ଅଭଦ୍ର ଭାଷାରେ ଗାଳି ଦିଅନ୍ତି । ଗପିବାକୁ ତାଙ୍କର ମନ ହୋଇଛି । ସ୍ଥାନ କାଳ ପାତ୍ରର ବିଚାର ରହୁନାହିଁ । କ’ଣ ସେ କହିବାର କହିଯାଉନ୍ତୁ । କାନ ଖୋଲା ଅଛି, ଶୁଣିବାକୁ ତ ପଡ଼ିବ । ଉତ୍ତର ନ ଦେଲେ, ଓଲଟି କିଛି ନ ପଚାରିଲେ ମହତ ରହିବ ।

 

ଆଲୋ ଅନିମା, ଧର୍ମଛଡ଼ା ମୁସଲମାନ ଗୁଣ୍ଡାମାନେ, ହିନ୍ଦୁ ସମାଜରେ ଆମେ ଅଛୁଆଁ ହେଲେବି ସେମାନେବି ଆମ ପାଖରେ ଅଛୁଆଁ ଥିଲେ ତ କେଉଁଠି କ’ଣ ଘଟିଲା, ସେମାନେ ସହସ୍ର ସଂଖ୍ୟାରେ ଆସି ଆମରି ଗାଁକୁ ରାତିଅଧରେ ଘେରାଉ କଲେ । ସେମାନଙ୍କ ହାତରେ ଅସ୍ତ୍ର ଅଛି । ବନ୍ଧୁକ ଅଛି । କିଏ ବାଧାଦେଇ ପାରିବ ?

 

ଗ୍ରାମରେ ନିଆଁ ଲଗାଇଲେ । ଠେଙ୍ଗାବାଡ଼ି ଛୁରି ପନିକି ଧରି ଯେଉଁମାନେ ବାଧାଦେଲେ, ସେମାନଙ୍କୁ କାଟି ପକାଇଲେ । ଛୁରିରେ ଭୂଷିଲେ ବନ୍ଧୁକ ଫୁଟାଇ ଗୁଳିରେ ମାରିଲେ-

 

କି ଦୋଷ ଆମେ କାହାରି କରିଥିଲୁ ? ପର ଜମିରେ ମୂଲ ଲାଗି କୌଣସିମତେ ସଂସାର ଚଳାଉଥିଲୁ । ରାଜା ଜମିଦାର ଧନୀ ବଡ଼ଲୋକମାନେ ଯେଉଁମାନଙ୍କର ଶହ ଶହ ବିଘା ଜମି, ଆମ ପରିକା ଗରିବ ମୁଣ୍ଡିଆ କି ହିନ୍ଦୁ, କି ମୁସଲମାନ, ଚାଷ କରୁଥିଲୁ, ଭାଗ ଧାନ, ମୁଗ, ଝୋଟ ସେମାନଙ୍କ ଘରେ ବୁଝାଇ ଦେଇ ଆସୁଥିଲୁ । ସେମାନେ କେମିତି ଆଗରୁ ଜାଣିଲା ପରି ଗ୍ରାମ ଛାଡ଼ି କଲିକତା କି ଆଉ କେଉଁ ବଡ଼ ସହରମାନଙ୍କୁ ଚାଲିଯାଇଥିଲେ । ସେମାନେ ତ ଫେରି ଆସି ଆମ ପିଠିରେ ପଡ଼ିଲେ ନାହିଁ !

 

ଅନିମା ବ୍ୟସ୍ତ ହୋଇ ଉଠିଲେ । କହିଲେ, ଅପା, ସବୁ ଗ୍ରାମରେ ଏହିପରି ସବୁ ଘଟିଛି । କେତେ ପ୍ରାଣ ହରାଇଛନ୍ତି, କେତେ ନିଜ ଧର୍ମଛାଡ଼ି ପ୍ରାଣ ବିକଳରେ ମୁସଲମାନ ହୋଇଛନ୍ତି । ଆମରି ପରିକା ଯେଉଁମାନେ ପ୍ରାଣ ଦେଇ ପାରିଲେ ନାହିଁ, ମହତ ରଖିବାପାଇଁ ଧର୍ମ ଛାଡ଼ି ପାରିଲେ ନାହିଁ, ପ୍ରାଣ ବିକଳରେ ଏ ଦେଶକୁ ପଳାଇ ଆସିଲେ । ସେଇମାନେ ହଇରାଣ ହେଉଛନ୍ତି । ହାଣ୍ଡିରେ କଳା ପଡ଼ୁନାହିଁ । ବାରଦ୍ୱାର ଶୁଣ୍ଢି ପିଣ୍ଡା ହେଲାପରି ଜୀବନ ବିତୁଛି ! ଦୁଃଖର କାହାଣୀ ମନେପକାଇ ଆଉ ଲାଭ ନାହିଁ । ପରିସ୍ଥିତି ସଙ୍ଗେ ମିଶି ଚଳିଯିବାର ଅଭ୍ୟାସ ହୋଇଛି ।

 

ଆଉ କି ଦୁଃଖଲୋ ମୁହଁପୋଡ଼ୀ, ଦୁଃଖର ଦିନ ସରିଯାଇଛି । ରାତିଅଧରେ, ହାଲୋଳମୟ ହୋଇ ଜଳୁଥିବା ଆମ ଗ୍ରାମ ଭିତରେ, ଗ୍ରାମର ଉପକଣ୍ଠରେ ଦିଶିଯାଉଛି ମଲା ମଣିଷଙ୍କର ରକ୍ତ ଜୁଡ଼ୁବୁଡ଼ୁ ଦେହ; କାନରେ ପଡ଼ୁଛି ଦରମରାଙ୍କର ଗଗନ ଫଟା ଆକୁଳ ଚିତ୍କାର । କେଉଁ ବିବାହିତ ଯୁବତୀ କି ଅଳ୍ପବୟସ୍କ ବାଳିକାଗୁଡ଼ିକଙ୍କର କାକୁତି ମିନତି ।

 

ଆଲୋ ଅନିମା, ଦୁର୍ବୃତ୍ତମାନଙ୍କର ଟହଟହ ହସବି କାନରେ ପଡ଼ୁଛି । ସେମାନେ ଆମରି ଜାତିର ଲୋକ, ବଙ୍ଗାଳୀ ! କେବଳ ତାଙ୍କର ଧର୍ମ ଅଲଗା । ତଥାପି, ସେମାନେ ଆମର ଜୀବନ ନେଲେ । ମୋ ସ୍ୱାମୀ ଓ ଦୁଇ ପୁତ୍ର କେଉଁଠି ରହିଲେ, ମୁଁ ଜାଣିଲି ନାହିଁ । ନିଆଁର କୋପରେ ଗ୍ରାମ ଭିତରକୁ ଫେରିଯାଇ ସେମାନଙ୍କର ଖବର ବୁଝିବା ସମ୍ଭବ ହେଲା ନାହିଁ । କିଏ ସାହସ କରିବ ? ଜୀବନ ପ୍ରତି କାହାର ମମତା ନାହିଁ ?

 

ଚାରିବର୍ଷର ପୁଅ ଖେନ୍ଦାକୁ ଛାତିରେ ଜାକି ପ୍ରାଣ ବିକଳରେ ଅନ୍ୟମାନଙ୍କ ସଙ୍ଗେ ପଳାଇ ଆସିବା କଥା । ଘରପୋଡ଼ିରୁ କୁଟାଖିଏ ପରି ଏଇ ଖେନ୍ଦା ଯେ ମୋର କୁଟାଖିଏ ।

 

ହଁ ଗୋ ଅପା, ଅନେକଙ୍କର ଜୀବନର ଆଉ ଏ ଦେଶକୁ ପଳାଇ ଆସିବାର କାହାଣୀ ଏହିପରି । ଯେଉଁ ଦେଶରେ ଆମର ଘର ଥିଲା, ଜମି ଥିଲା, ସେ ଦେଶ କୁଆଡ଼େ ଆମର ନୁହେଁ । ସେ ଦେଶ କୁଆଡ଼େ ପଠାଣମାନଙ୍କର । ଆଉ, ଆମରି ଦେଶ ଯେ ଏଇ ହିନ୍ଦୁସ୍ଥାନ । କେତେ ଜାତିର ଲୋକ ଏଠି କେତେ ପ୍ରକାର ଭାଷା କହନ୍ତି । ମୁଁ ବୁଝିପାରେ ନାହିଁ । ତୁମର ସ୍ୱାମୀ ଓ ଦୁଇ ପୁଅ ହୁଏତ ଜୀବିତ ଅଛନ୍ତି ।

 

ଥାଉନ୍ତୁ ସେମାନେ ଜୀବନରେ । ସେମାନେ ପଠାଣ ହୋଇଥିବେ ଧର୍ମ ବଦଳାଇ ସାରିଥିବେ । ବଞ୍ଚି ରହିବାପାଇଁ ମଣିଷ କ’ଣ ନ କରେ । ସପନ ପରି ମତେ ଲାଗୁଛି ଏଗାରବର୍ଷ ପୂର୍ବର ଜୀବନ ଓ ଚଳନର କଥା ପାକିସ୍ଥାନର ସୀମା ଡେଇଁଲା ପରେ ମୋର ଯେଉଁ ନୂଆ ଜୀବନଟି ଆରମ୍ଭ ହେଲା, ସେହି ଯେ ମୋର ପ୍ରକୃତ ଜୀବନ !

 

ସାଧନ ମିସ୍ତ୍ରି ମୋର ଜଣେ ନଣନ୍ଦଙ୍କର ଦିଅର ଲେଖା ହେବେ । ମୋରି ସାଥିରେ ସେ ମଧ୍ୟ ପଳାଇ ଆସିଥିଲେ । ସେ ମୋର ଶଶୁରଘର ଗ୍ରାମର ଲୋକ । ପିଲାଟି ଦିନରୁ ଉଦାସିଆ । ତାଙ୍କର ଥିଲା କୋଡ଼ିଏ ବିଘା ଉର୍ବର ନଈ–କୂଳିଆ ଜମି । ଭଲ ଘର । ପୂର୍ବଜନ୍ମର ସୁକୃତ ଫଳରୁ ପିଲାଟି ଦିନରୁ ଶ୍ରୀକୃଷ୍ଣଚୈତନ୍ୟ ତାଙ୍କ ଉପରେ ପ୍ରସନ୍ନ ହୋଇଥିଲେ । ବେଶି ପାଠ ପଢ଼ିନାହାନ୍ତି । ଶ୍ରୀକୃଷ୍ଣଚୈତନ୍ୟଙ୍କ ପ୍ରେମରେ ଭୋଳ ହୋଇଥିଲେ । ସଂକୀର୍ତ୍ତନ କରିବା, ଖୋଳ ଓ କରତାଳ ଏକତାରା ବଜାଇ ଢଳିଢ଼ଳି ନାଚ କରି ବିଭୁ ପ୍ରେମରେ ମତୁଆଳ ହେବା ଥିଲା ତାଙ୍କର ପ୍ରକୃତି ।

 

କାମିନୀ କାଞ୍ଚନ ପାଖରୁ ସେ ଦୂରେଇ ରହୁଥିଲେ ଗୋ ଅନିମା ! ବାଳଗୋପାଳ ଥିଲେ ତାଙ୍କର ଅତିପ୍ରିୟା ଚାଳିଶବର୍ଷ ଯାଏଁ ସେ ବିବାହ କରି ନଥିଲେ । ଚାଖଣ୍ଡେ କଳା ମିଚି ମିଚି ନିଶ ଓ ମୁଠୁଣିଏ ହେବ ଦାଢ଼ି ତାଙ୍କର ସୁନ୍ଦର ମୁହଁକୁ ବେଶ୍‌ ମାନୁଥିଲା ।

 

ଅନିମା ହସିଉଠିଲେ । ସାଧନ ମିସ୍ତ୍ରିଙ୍କର ଲମ୍ବ ଲମ୍ବ ନିଶ ଦାଢ଼ି ଏବେବି ବିଦ୍ୟମାନ କିନ୍ତୁ ସେଗୁଡ଼ିକ ଏବେ ଝୋଟପରି ଧଳା ହେଲାଣି । ସେ ଏବେ ଦୁର୍ବଳ ହେଲେଣି । ଦିନେ ଯେ ସେ ସୁନ୍ଦର ଥିଲେ ଏ କଥା ବିଶ୍ୱାସ କରିବାକୁ ହେବ, ନୋହିଲେ କମଳା ଅପା ତାଙ୍କୁ ନିଜର କରିପାରିଥାନ୍ତେ କିପରି ? ପୁଣି ତାଙ୍କର ଦିଓଟି ପିଲାଙ୍କୁ ପେଟରେ ଧରନ୍ତେ କିପରି ?

 

ପ୍ରକାଶ୍ୟରେ କହିଲେ, ସାଧନାବାବୁ ତାଙ୍କର ବୟସବେଳେ ନିଶ୍ଚୟ ସୁନ୍ଦର ଥିଲେ, ନୋହିଲେ ମୋ କମଳା ଅପାର ମନକୁ ସେ କିପରି କିଣି ପାରିଥାନ୍ତେ ?

 

ଅନିମା ପାଣି ଭିତରୁ ଉଠିଲେ । କୂଳଆଡ଼େ ଆଗେଇଲେ । କମଳା ମଧ୍ୟ ଉଠିଲେ । ଅନିମାଙ୍କର ଆଜାନୁଲମ୍ବିତ ମୁକ୍ତ ସିକ୍ତ କେଶ, ଫାଟି ପଡ଼ୁଥିବା ଦେହର–ସ୍ୱାସ୍ଥ୍ୟ ଓ ଭରପୂର ଯୌବନକୁ ଆଖିରେ ପରଖି ନିଜର ଦୁର୍ବଳ ଓ ବିନମ୍ର ଦେହ ସଙ୍ଗେ ମନରେ ଢଉଲିଲେ । ଅନିମାଙ୍କର ପ୍ରଶଂସିଲା ବାକ୍ୟରେ ସେ ଉପହାସର ଆଭାସ ପାଇଲେ । ରୂପ ଯୌବନର ଉଗ୍ର ଗର୍ବରେ ଗର୍ବିତା ନାରୀଟିର ଅଭିମାନକୁ ଦୋହଲାଇ ଦେବାକୁ ତୋଫାନିଆ ଭାଷା ଖୋଜିବାକୁ ସେ ନୀରବ ରହିଲେ । ଟିକିଏ ଲଜ୍ଜିତ ଓ ମନେମନେ କ୍ରୁଦ୍ଧ ହୋଇ ଚିନ୍ତା କରିବାକୁ ଲାଗିଲେ । ଆଗେଆଗେ କୂଳକୁ ଚାଲି ଯାଉଥିବା ନାରୀର ଖୋଲା ପିଠି ଓ ସିକ୍ତ ବସ୍ତ୍ରାବୃତ ଘନ ନିତମ୍ବକୁ ତୀକ୍ଷ୍ଣ ଓ ଈର୍ଷାନ୍ୱିତ ନେତ୍ରରେ ଚାହିଁ ସେ ଦୀର୍ଘଶ୍ୱାସ ଛାଡ଼ିଲେ । କାରୁଣ୍ୟର କୋହ ତାଙ୍କର ମନ କନ୍ଦାଇଲା, ସେ ବୁଢ଼ୀ ହୋଇଛନ୍ତି !

 

ମୁହଁ ଫେରାଇଲେ କଡ଼କୁ । ଆଶ୍ରୟପ୍ରାର୍ଥୀ କେଉଁ ପରିବାରର ବୁଢ଼ୀ ଦୁଇଟା ପାଣିରୁ ଉଠି ଦେହରୁ ବସନ କାଢ଼ି ପଞ୍ଜରାହାଡ଼ ଦେଖାଇ ପୋଛି ହେଉଛନ୍ତି । ମୁଣ୍ଡର ଛୋଟ ଛୋଟ କଦମ୍ବ–ଫୁଲିଆ କେଶ ଧଳା ଦିଶୁଛି । ପାକୁଆ ପାଟି ଥରାଇ ସେ ଦିହେଁ ହସଖୁସିରେ କଥାଭାଷା ହେଉଛନ୍ତି । କମଳାଙ୍କ ଆଡ଼କୁ ପରଳମଡ଼ା ଆଖିରେ ଅନାଇଛନ୍ତି । ଦୃଷ୍ଟି ଯେପରି ଡାକ ଛାଡ଼ିଛି, ସହାନୁଭୂତିଭରା ଅବ୍ୟକ୍ତ ବାକ୍ୟରେ ଏକ ସଙ୍ଗେ କହି ଉଠୁଛି, ପାଣି ମଝିରେ ଠିଆ ହୋଇ ରହିଲୁ କାହିଁକି କମଳା ଚାଲିଆ ଆମରି ମେଳକୁ ।

 

କମଳା ଆଖି ଫେରାଇଲେ । ସ୍ରୋତର ଉପର ପାଖରେ ଖଣ୍ଡେ ଦୂର ଉପରେ ବଡ଼ ପଥର କଡ଼ରେ ନଇଁ ଆସିଥିବା ବୁଦାର ଆରପାଖେ, ପଞ୍ଝାଏ ଆଦିବାସୀ ଝିଅ ଧରାପରା ହୋଇ ଉଚ୍ଚ ପାଟି କରି ହସି ହସି ସ୍ନାନ କରୁଛନ୍ତି । ଉନ୍ମୁକ୍ତ ଯୌବନା ! ସେମାନଙ୍କର ପିନ୍ଧିଲା ଲୁଗାଟିମାନ ବୁଦା ଉପରେ ରଖାହୋଇଛି । ନାକଟେକି କମଳା କହିଲେ ନିଜକୁ, ଛି କେଡ଼େ ବେହିଆ !

 

ଦଶ

 

ବୁଢ଼ୀ ଦିଓଟି ନଇଁ ନଇଁ ଆଗେଆଗେ ଚାଲିଗଲେ । କୋଳାହଳ କରି ଓଦା ସରସର ଝିଅ ପୁଅ କେତେଜଣ ଜଙ୍ଗଲ ଭିତରେ ଧାଇଁ ଧାଇଁ କ୍ୟାମ୍ପ୍‍ ଆଡ଼କୁ ଚାଲିଯାଉଛନ୍ତି । ଅନିମାଙ୍କର ଦୃଷ୍ଟି ଅମିତାକୁ ଖୋଜି ହତାଶ ହେଉଛି । କୁଆଡ଼େ ଗଲା ସେ ଝିଅଟା ? ଅତି ଚଗଲା ହେଲାଣି । ଏଣିକି ତା’ର ଗୋଡ଼ହାତ ବାନ୍ଧି ରଖିବାକୁ ହେବ ଶାସନ ନ କରି ଅଧିକ ସ୍ନେହ କରିବାରୁ ସେ ଅମାନିଆ ହୋଇଛି !

 

ଅନିମା ଭାବିଲେ, ମୋ ପେଟରୁ ଯଦି ସେ ଜନମି ଥାଆନ୍ତା, ଏପରି କେବେ ସେ ହୋଇ ନଥାନ୍ତା । ଯେଉଁ ମଞ୍ଜିର ଫଳ, ସେଇ ଗୁଣ ସେ ଦେଖାଉଛି । କି ଘର ଝିଅ ସେ କେଜାଣି-? ଆଖୁ କିଆରିରୁ ରସ ଟାଣି ବଢ଼ିଲେବି ଘାସ କେବେ ଆଖୁ ହେବ ନାହିଁ । ଅମିତା ମାଡ଼ ମୂଲଉଛି-। ହଁ, ସେ ତାକୁ କଠୋର ଶାସ୍ତି ଦେବେ !

 

କାଖରେ ଜଳଭରା କଳସୀ । ଅନିମା ଧୀରେ ଧୀରେ ବାଟ ଚାଲୁଛନ୍ତି । କାଖରେ ଜଳଭାଗ କଳସୀ ଧରି ପଛେ ପଛେ ଚାଲିଛନ୍ତି କମଳା । ତାଙ୍କର ମନ ଖାଲି ଚିଡ଼ି ଚିଡ଼ି ହେଉଛି । ସୂର୍ଯ୍ୟ ପଶ୍ଚିମ ଆଡ଼କୁ ନଇଁ ଆସିଲେଣି । ଗଳ୍ପ କରୁଣୁ ଡେରି ହୋଇଗଲା । ସେଥିପାଇଁ ତାଙ୍କର ଦୁଃଖ ନାହିଁ କିନ୍ତୁ, ଅନିମାଙ୍କର ଶ୍ଳେଷ–ପୂର୍ଣ୍ଣ ଭାଷାର ନିଷ୍ଠୁର ପ୍ରହାରରେ ସେ ପରାଜିତ ହୋଇଛନ୍ତି । ସେତିକି ତାଙ୍କର ବଡ଼ିମାକୁ ଛଟପଟ କରୁଛି । ଆହତ ସର୍ପ ପରି ତାଙ୍କର ପ୍ରକୃତି ଫଣାଟେକି ଫଁ ଫଁ ହେଉଛି । ଚୋଟ ମାରିବାକୁ ବାଗ ଉଣ୍ଡୁଛି । ସେଇଥିପାଇଁ ତାଙ୍କର ଅସ୍ୱାଭାବିକ ନୀରବତା ।

 

ଛିଣ୍ଡିଲା କଥାର ଖିଅ ଯୋଡ଼ିବାକୁ କମଳା କହିଲେ ! ଛି, କେଡ଼େ ବେହିଆ ଏ ଦେଶର ସ୍ତ୍ରୀ–ଲୋକମାନେ, ଦେହ ଫୁଙ୍ଗୁଳା କରି ସ୍ନାନ କରିବା ଅଲଗା କଥା, ପୁଣି ଆତଯାତ ହେଉଛନ୍ତି । କି କଦାକାର ଦିଶେଗୋ ଅନିମା ! କପାଳରେ ଥିଲା ! ଏଇ ଦେଶରେ ଆମେ ଘରକରି ରହିବା ! ନିଜ ଦେଶକୁ ଫେରିଯିବାକୁ ତମର ମନ ହେଉନାହିଁ ?

 

ତମ ନିଜ ମନକଥା ଆଗ କୁହ ଅପା ! ପରେ ମୋ ମନକଥା ବୁଝିବ । ଏ ଅଞ୍ଚଳର ଆଦିବାସୀ ଝିଅଟିମାନେ ହଁ, ସେମାନେ ଟିକିଏ ଲଙ୍ଗୁଳୀ । ମୋର ଧାରଣା ଥିଲା ସେମାନେ ଗରିବ-। ଦେହ ଘୋଡ଼ାଇବାକୁ ଯଥେଷ୍ଟ ଲୁଗାକିଣି ପାରନ୍ତି ନାହିଁ । ଭାବିଲି, ଜଙ୍ଗଲ ଦେଶର ସବୁଜ ଆବରଣ ତାଙ୍କର ବସନ । ଲାଜର ଧାରଣା ତାଙ୍କର ମନକୁ ଆସି ନଥିବ । ସେମାନେ ତାଙ୍କର ସବୁ ଅଭାବ ସତ୍ତ୍ୱେ, ବେଶ୍‌ ସୁଖଶାନ୍ତିରେ ଅଛନ୍ତି । ଦେଖିଲ ତ ତାଙ୍କର ଫୁର୍ତ୍ତି, ଆନନ୍ଦ, ଟହଟହ ବେପରୁଆ ହସ–ଖୁସି ?

 

ସେମାନେ ଆମର ଦୁର୍ଦ୍ଦଶା ଦେଖି ଉପହାସ କରୁଥିବେ । ଏ ଦୁନିଆର ଢଙ୍ଗ ଏଇଆଲୋ ଅନିମା ! ଖୁଦଖିଆ ପେଜଖିଆକୁ ଥଟ୍ଟା କରନ୍ତି । ଚହଟଚିକଣୀ ନବ ଯୌବନୀ ଅଧା–ବୟସୀଙ୍କୁ ଟାପରା କରନ୍ତି । ଅଧାବୟସୀ ଯେ ଟାହି କରନ୍ତି ନଇଁଲା ବୟସୀ ବୁଢ଼ୀ ହାଡ଼ିଙ୍କୁ । ସେଇ ଯୁବତୀ ପାହାଡ଼ିଆ–ଛାତି ଝିଅଗୁଡ଼ାକଙ୍କ ହୁମ୍‌ଧୁମ୍‌ ଓ ଘୋଡ଼ୀ–ହସପାଇଁ ଦାୟୀ ତାଙ୍କର ବୟସ ।

 

ଆଗୋ ଅପା, ସେମାନଙ୍କର କଥା ଦିନେ ଅମିୟ କହୁଥିଲେ । ଏ ଅଞ୍ଚଳର ଚଳନ୍ତି ପ୍ରବାଦ,–ରାମାୟଣ ଯୁଗର ଘଟଣା । ଏ ରାଜ୍ୟର ନାମ ଥିଲା ମଳୟନଗରୀ କି ମଲ୍ଲିକାନଗରୀ କି ମାଲ୍ୟବନ୍ତଗିରି । ସେ ସମୟରେ ଏ ରାଜ୍ୟର ଲୋକେ କୁଆଡ଼େ ସଭ୍ୟ ଥିଲେ । ଏଇ ତ ଦଣ୍ଡକାରଣ୍ୟ, କେଉଁଠୁଁ ତା’ର ଆରମ୍ଭ ଆଉ କେଉଁଠି ତା’ର ଶେଷ, କିଏ ଜାଣେ ? ରାମଚନ୍ଦ୍ର ସଙ୍ଗରେ ସୀତା ଓ ଲକ୍ଷ୍ମଣଙ୍କୁ ଘେନି ଦଣ୍ଡକାରଣ୍ୟରେ ବୁଲିଲାବେଳେ ଏଇଠି କେଉଁଠି ଆଶ୍ରମ କରି ରହିଥିଲେ । ତମସା ନଦୀ ପାଖରେ ।

 

କମଳା କହିଲେ, ଆମର କ୍ୟାମ୍ପ୍‍ ଯେଉଁଠି ପଡ଼ିଛି, ସେଇଠି ସେ ପତର କୁଡ଼ିଆ କରି ରହିଥିଲେ ପରା ! ଖେନ୍ଦାର ବାପା ସେଇଆ କହନ୍ତି । ୟେ କୁଆଡ଼େ ପବିତ୍ର ଭୂମି ! ମୁଁ ସେ ଗଳ୍ପ ଜାଣେଲୋ ଅନିମା ! ଖେନ୍ଦା ବିନ୍ଦାଙ୍କର ବାପା ସାଧନ ମିସ୍ତ୍ରି ଜାଣୁ ତ ସେ କେଡ଼େ ନିର୍ମାୟା ପୁରୁଷ, ଧର୍ମାତ୍ମା ନିଶ୍ଚୟ, ଦେବତା ଠାକୁରଙ୍କ ଉପରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ସେ କୋଉଁଠୁ ଶୁଣି ମତେ କହୁଥିଲେ । ସୀତାଠାକୁରାଣୀ ତମସା ନଦୀର ଜଳରେ ସ୍ନାନ କରୁଥିଲେ ଯେ ଦେହରୁ ମୁଣ୍ଡରୁ ଲୁଗା ଖସିଯାଇଥିଲା । ସେଇଠୁ କ’ଣ ହେଲା କହ ଅନିମା ! ମୁଁ ଭୁଲି ଯାଇଛି ।

 

ସବୁ ତ ଜାଣିଛ, ମୁଁ ଆଉ ଅଧିକ କ’ଣ କହିବି ? ତମେ ଫୁଲେଇ ହେଉଛ ।

 

ମୋତେ ରାଣ ଅଛି, ମୁଁ ଭୁଲି ଯାଇଛି । ଖେନ୍ଦାର ବାପ କେତେ ଥର କହିଛନ୍ତି । ମୁଁ ଅଳପ ଶୁଣେ, ବାକି ସେ ଯାହା ବକନ୍ତି, ସେ ଆଉ ଶୁଶନ୍ତି । ଏବେ ଦରକାର ନାହିଁ । ଚାରି ବରଷର ପୁଅ ଖେନ୍ଦାକୁ ଧରି ଯେତେବେଳେ ପ୍ରାଣ ଘେନି ପଳାଇ ଆସିଲି, ମୋର ଅଭିଭାବକ ହେଲେ ମୋର ସନ୍ନ୍ୟାସୀ ଭାଇ ସାଧନ ମିସ୍ତ୍ରି । ସ୍ୱାମୀ ଓ ଦୁଇ ପୁଅକୁ ଝୁରି ମୁଁ ଦିନରାତି କାଟୁଥାଏଁ । କେତେ କଷ୍ଟରେ ସରକାର ତ ଆମ କୁଟୁମ୍ବର ତିନିଜଣଙ୍କ ପାଇଁ ଢୋଲ ଭତ୍ତା ମଞ୍ଜୁର କରିଦେଲେ । ଚଳିବାର ଆଉ ଅସୁବିଧା ରହିଲା ନାହିଁ, କିନ୍ତୁ ଆଖିରୁ ଲୁହଧାର କେବେ ଶୁଖିଲା ନାହିଁ ।

 

ସେତିକିବେଳେ ସନ୍ନ୍ୟାସୀ ବାବା ଶାସ୍ତ୍ର–ପୁରାଣ ଶୁଣାଇ ମୋ ଦୁଃଖ ଦୂର କରୁଥିଲେ । ମୁଁ ତାଙ୍କୁ ଗୁରୁ ବୋଲି ମାନୁଥିଲି । ପଦ–ସେବା କରୁଥିଲି ଛୋଟ ଗୋଟିଏ ଟେଣ୍ଟ୍‍ରେ ଆମ ରହଣି । ସେଇଠି ବିନ୍ଦା ମୋର ପେଟରେ ରହିଲା । କେଳେଙ୍କାରିରୁ ଉଦ୍ଧାର ପାଇବାକୁ ଡେରି ନ କରି ସେକାଳର କ୍ୟାମ୍ପ୍‍–ଲୋକଙ୍କ ଆଗରେ ସାଧନ ସନ୍ନ୍ୟାସୀଙ୍କୁ ମୁଁ ବାହାହେଲି । ମୋ ଆଖିରୁ ଆଉ ଲୁହ ଝରିଲା ନାହିଁ । ଭାବିଲି, ଜୀବନଟା ଗୋଟିଏ ଉପହାସ !

 

ଜୋର ଯାହାର ମୁଲକ ତାହାର । ଯାହାର ବିଦ୍ୟା, ବୁଦ୍ଧି, ଆତ୍ମୀୟ, ଧନ କି ଦେହର ଜୋର ନାହିଁ ସେ ଜୋର ପାଇବ କେଉଁଠୁଁ ? ଭାବିଲି, ଭାବିଲି, ସ୍ଥିରକଲି, କିଛି ନଥାଉ, ମୋର ମନରେ ଜୋର ଅଛି । ଦେହର ଜୋର ନଥାଉ, ତୁଣ୍ଡର ଜୋର ତ ଅଛି । ନାରଣ ମିସ୍ତ୍ରିଙ୍କର ମାଡ଼ର ବିନିମୟରେ ସେତିକି ମୁଁ ଅର୍ଜନ କରିଛି । ହଁ, ଏଥର ତୁ ସୀତାଠାକୁରାଣୀଙ୍କ କଥା କହ । ଜଲଦି କହ, କ୍ୟାମ୍ପ୍ ପାଖେଇ ଆସିଲା । ବାଟ ସରିଯିବ ।

 

ବାଟ ଚାଲୁଣୁ ଅନିମା କମଳାଙ୍କର କଥା ଶୁଣୁଥିଲେ । ଭାବୁଥିଲେ, ସେ ଦୁର୍ବୋଧ୍ୟ ! ହୁଏତ କେତେ କାରଣରୁ ତାଙ୍କର ମସ୍ତିଷ୍କର ସମତା ଟଳମଳ ହେଉଛି । କଥା ଆରମ୍ଭ କଲେ କ’ଣ ଯେ ସେ ଗପି ଯାଆନ୍ତି, ନିଜର ଆୟତ୍ତରେ ରହେ ନାହିଁ । ନିଜକୁବି ସେ କ୍ଷମା ଦିଅନ୍ତି ନାହିଁ ।

 

ଅନିମା ରହ ରହ ହୋଇ କହିଲେ ! ତୁମେ ଅତି ସରଳ କମଳା ଅପା ତୁମର ମନରେ କିଛି ଲୁଚିଛପି ରହି ପାରେ ନାହିଁ । ଶୁଣିବାକୁ ମନ କରିଛ ତ ସୀତାଠାକୁରାଣୀଙ୍କ କଥା, କହୁଛି ତେବେ–

 

–ଠାକୁରାଣୀ ସ୍ନାନ କରୁଛନ୍ତି । ତମସା ନଦୀ ଛୋଟ ହେଲେବି ଅତି ପବିତ୍ର, ଗଙ୍ଗାମାତାଙ୍କ ପରି । ନଦୀ ଜନନୀଠାରୁ ବଳି ସ୍ନେହମୟୀ ତା’ କୋଳରେ ଆଶ୍ରା ନେଲେ ସେ ସବୁ ସନ୍ତାନଙ୍କୁ ଅଞ୍ଚଳ ଘୋଡ଼ାଏ । ସେଠି ଆଉ ଲାଜ ସରମ କ’ଣ ? ଜଗଜ୍ଜନନୀ ମା’–ଠାକୁରାଣୀ ମଣିଷ ଦେହଧରି ଜନକଙ୍କ ଘରେ ଜନମ ଲଭିଲେ । ସେ ତ ଜାଣନ୍ତି, ସାରା ଚରାଚର ତାଙ୍କରି ସନ୍ତାନ । କାହାକୁ ସେ ଲାଜ କରିବେ ?

 

–ଖିଲି ଖିଲି ହସ ଶୁଣି ସତୀରାଣୀଙ୍କର ତନ୍ମୟଭାବ ଭାଙ୍ଗିଲା । ସବୁବେଳେ ସେ ମନେମନେ ରାମନାମ ସ୍ମରଣ କରନ୍ତି । ତମସାର ସୁନୀଳ ଜଳରେ ସେ ଭଗବାନ ରାମଙ୍କର ରୂପହିଁ ଦେଖୁଥିଲେ । ନିବିଷ୍ଟତାଭାଙ୍ଗିବାରୁ ସେ ବିଚଳିତ ହେଲେ । ବିରକ୍ତିଭରା ନେତ୍ରରେ କୂଳକୁ ନିରେଖିଲେ । ସୁଶୋଭିତ କୁସୁମିତ କୁଳ ବିଥିକାରେ କେତେଜଣ ସୁସଜ୍ଜିତ ତରୁଣ ଠିଆହୋଇ ତାଙ୍କରି ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ରହିଛନ୍ତି । ଉଚ୍ଚସ୍ୱରରେ ହସୁଛନ୍ତି । ସତୀଙ୍କର ଦୃଷ୍ଟି ପଡ଼ିବାରୁ ସେମାନେ ନଦୀ ଭିତରକୁ ଓହ୍ଲାଇ ଜଳକୂଳକୁ ଆସିଲେ ।

 

–ମହାସତୀ ସ୍ନେହଶୀଳ କୋମଳ ସ୍ୱରରେ ପଚାରିଲେ, ତୁମେମାନେ କିଏ ମା’ ? ସେମାନେ ଉତ୍ତର ଦେଲେ, ଆମେ ମଲ୍ଲିକାନଗରୀର ରାଜକନ୍ୟାମାନେ । ତୁମେ କିଏ ସୁନ୍ଦରୀ ? ସ୍ୱର୍ଗର ମେନକା, ମର୍ତ୍ତ୍ୟର ବନଦେବୀ, କି ପାତାଳର ନାଗକନ୍ୟା ? ସୀତାଦେବୀ ନିଜର ପରିଚୟ ଦେଲେ, ପୁଣି ପଚାରିଲେ, ତୁମେ ସବୁ ହସୁଛ କାହିଁକି ? ସେମାନେ ଉତ୍ତର ଦେଲେ, ତମେ ଯିଏ ହୁଅ ପଛେ, ତୁମେ ଅତି ନିର୍ଲଜ୍ଜ । ଅର୍ଦ୍ଧଉଲଗ୍ନ ହୋଇ ତମସା ଭିତରେ ସ୍ନାନ କରୁଛ । ଜଗତ୍‌ମାତା ସ୍ମିତ ହସି କହିଲେ, ଏ ସ୍ଥାନ ନିର୍ଜନ ଥିଲା । ତା’ ଛଡ଼ା ମୁଁ ଯେ ତୁମ ସମସ୍ତଙ୍କର ମାତା, ମୋର ପୁଣି ଲାଜ କାହାକୁ ? ସେମାନେ ଉତ୍ତର ଦେଲେ, ତୁମର ନିଜକୁ ଅନ୍ତତଃ ତୁମର ଲାଜ କରିବା ଉଚିତ ।

 

–ସତୀ ବିରକ୍ତ ହେଲେ । କ୍ରୋଧକୁ ସେ ଆୟତ୍ତ କରି ନ ପାରି ଅଭିଶାପ ଦେଲେ, ତୁମେମାନେ ଆଜିଠାରୁ ଲଙ୍ଗଳା ହୋଇ ବନପର୍ବତରେ ବୁଲିବ । ଯିଏ ବସ୍ତ୍ର ପିନ୍ଧିବ, ତା’ର ଛାତିଫାଟି ମରଣ ହେବ ।

 

ରାଜକନ୍ୟାମାନେ ତତ୍‌କ୍ଷଣାତ୍‌ ପିନ୍ଧିଲା ବସନ ଫିଙ୍ଗି ଲଙ୍ଗଳା ହେଲେ, ଲଜ୍ଜାରେ ବିବ୍ରତ ହୋଇ କାନ୍ଦିବାକୁ ଲାଗିଲେ । କ୍ଷମାକରିବାକୁ ପ୍ରାର୍ଥନା କଲେ । ସତୀ ସେମାନଙ୍କର ପ୍ରାର୍ଥନା ରକ୍ଷାକଲେ ନାହିଁ । କୁଟୀରକୁ ଫେରି ଆସିଲେ । ଉଲଗ୍ନ ହୋଇ କାନ୍ଦି କାନ୍ଦି ରାଜକନ୍ୟାମାନେ ସତୀଙ୍କ ପଛେ ପଛେ ଆସିଲେ ।

 

–ସେମାନଙ୍କର ଅବସ୍ଥା ଦେଖି ଓ କରୁଣ କାହାଣୀ ଶୁଣି ସ୍ୱୟଂ ଭଗବାନ ରାମଚନ୍ଦ୍ର ଦୁଃଖିତ ହେଲେ । ସୀତାଙ୍କର କ୍ରୋଧ ସମ୍ବରଣ ପାଇଁ ସେ ରାଜକନ୍ୟାମାନଙ୍କ ସହ ସତୀଙ୍କୁ ପ୍ରାର୍ଥନା କଲେ । ସତୀଙ୍କର ମନ ତରଳିଲା । ସେ ଦୟାପରବଶ ହୋଇ କହିଲେ; ଅଭିଶାପ ତ ବ୍ୟର୍ଥ ହେବନାହିଁ କି ଫେରାଇ ନେଇ ହବ ନାହିଁ; ତେବେ ତୁମମାନଙ୍କୁ ଏତିକି ଅନୁମତି ନେଉଛି ଯେ ତୁମେମାନେ ଜନନେନ୍ଦ୍ରିୟ ଆବୃତ କରିପାରିବ ।

 

ଆଗୋ କମଳା ଅପା, ଯେଉଁମାନେ ତୁମେ ଦେଖିଲ, ସେମାନେ ସେ କାଳର ସେହି ରାଜକନ୍ୟାମାନଙ୍କର ବଂଶଧର ଅବଶ୍ୟ ହୋଇଥିବେ ।

 

କମଳା କହିଲେ, ହେଉନ୍ତୁ ସେମାନେ ରାଜକୁମାରୀ କି ଆଉ କିଛି ସେହିମାନଙ୍କ ମଝିରେ ଆମୁକୁ ରହିବାକୁ ପଡ଼ିବ । ସେମାନଙ୍କୁ ପୁଣି ଆପଣାର କରିବାକୁ ହେବ । ଛି, ଛି, କାହୁଁ ଆସି ପୁଣି କାହିଁ ଆମେ ଘରସଂସାର କରି ରହିବା । ଯେଉଁମାନଙ୍କୁ ଭୂମି ଦିଆହେବ, ଶୁଣୁଛି ସେମାନଙ୍କର ମାସିକ ଭତ୍ତା କୁଆଡ଼େ ସରକାର କାଟି ଦେବେ । ସତ କି ଅନିମା ! ଯଦି ତାହା ହୁଏ ତେବେ ଆମର ସର୍ବନାଶ ହେବ । ଗୋଟିଏ କୁଟୁମ୍ବକୁ ସେମାନେ କୁଆଡ଼େ କୋଡ଼ିଏ ବିଘା ଚାଷଜମି ଦେବେ ।

 

ଏଗାର

 

ମଟୁ ରାସ୍ତା ହେଲା ।

 

କ୍ୟାମ୍ପ୍‍ର ଟେଣ୍ଟ୍‍ଗୁଡ଼ିକ ଦେଖାଗଲାଣି । ଗରାଏ ପାଣି ଅଣ୍ଟାରେ ଧରି ଏତେଦୂର ଚାଲି ଚାଲି ଆସି ଅନିମା କ୍ଳାନ୍ତ ହୋଇ ପଡ଼ିଥିଲେ । ଗରାକୁ ଏ ଅଣ୍ଟା ସେ ଅଣ୍ଟା ବଦଳାଇଲାବେଳେ ପାଣି ଚହଲି ଓଦା ଲୁଗା ଆହୁରି ଓଦା ହୋଇଥିଲା । କମଳାଙ୍କର କଳସୀଟି ଛୋଟ । ପାଣି ଚହଲି ଅଧେ ଇଡ଼ି ଗଲାଣି । ଘର ପାଖେଇ ଆସିବାରୁ କ୍ଳାନ୍ତିର ଧାରଣା ମନକୁ ଆସିଲା । ଉଚ୍ଛନ୍ନ ଲାଗିଲା-। ଅନିମା ଭାବିଲେ, ମିତା ଓ ଅମିୟ ଫେରିଆସିଥିବେ । ଭୋକରେ କାଉଳି ହେଉଥିବେ-। ସେ ନିଜେ ବାଢ଼ି ନ ଦେବେ ଅମିୟ ତ କଞ୍ଚାପାଣି ମନ୍ଦିଏବି ମୁହଁରେ ଦେବ ନାହିଁ । ବଳାବଳି କରେ ଅମିତା ଗଣ୍ଡିଏ ଖାଇଥିବ ।

 

ମନ ଛନଛନ ହେଲା । କମଳାଙ୍କର ପ୍ରଶ୍ନର ସେ ଉତ୍ତର ଦେଲେ ଗୋଟିଏ ପଦରେ ହୋଇଥିବ ।

 

ଚାବୁରୀ କମଳା କହିବାକୁ ଲାଗିଲେ, ଏ ତ ଅତି ଅନ୍ୟାୟ କଥା ଭତ୍ତା ବନ୍ଦ କରିଦେଲେ ଆମେ ଚଳିବୁ କିପରି ? ହଁ ସାଧନ ମିସ୍ତ୍ରି ମୋ ପରାମର୍ଶ ନେଇ ନିଜକୁ ଚାଷୀ ବୋଲି ଥଇଥାନ ଅଫିସରଙ୍କ କାଗଜରେ ଲେଖାଇ ଦେଇଥିଲେ । ସେ ଚାଷୀ ନଥିଲେ ଆଉ କ’ଣ କି ! ବିସ୍ତର ଥିଲା-। ମୂଲିଆ ଓ ଭାଗ–ଚାଷୀମାନେ ଜମି ଚାଷ କରି ଉତ୍ପନ୍ନିର ଭାଗ ଘରେ ଦେଇ ଯାଉଥିଲେ । ତାଙ୍କର ଗୋଡ଼ରେ ପାଣି କାଦୁଅ–ଲାଗୁ ନଥିଲା ସେ ରାଧାକୃଷ୍ଣଙ୍କର ପ୍ରେମଲୀଳା ନେଇ ମଜ୍ଜି ରହୁଥିଲେ, ଗ୍ରନ୍ଥପାଠରେ, ସଂକୀର୍ତ୍ତନ ଓ ଅଷ୍ଟ–ପ୍ରହରୀରେ । ଧର୍ମାତ୍ମା ପୁରୁଷ ବିଷ୍ଣୁ ଅଂଶରେ ତାଙ୍କର ଜନ୍ମ ।

 

ଅନିମା ଛାତି ତଳର ଛଳଛଳ ହସକୁ ଓଠରେ ଚାପିରଖିଲେ । କହିଲେ, ସେ ସମୟ ଆଗ ଆସୁ ତ ଅପା ! ଜମି ମିଳୁ । ତା’ପରେ ଦେଖାଯିବ ଜମି ଦେବେ ଦେବେ କହି ପାଞ୍ଚ ଜାଗାକୁ ଆମ୍ଭଙ୍କୁ ପଠାଇ ଛୁଆଖାଇ ବିଲେଇ ପରି କଲେଣି । ଏଠି କେତେ ଦିନ ରଖିଲା ପରେ ପୁଣି କେଉଁଠିକୁ ତଡ଼ିବେ; କିଏ ଜାଣେ ?

 

କମଳା କହିଲେ ବରଂ ସେଇଆ ଭଲ । ସାଧନ ମିସ୍ତ୍ରି ଘାସ ପତରକୁ ଦିଖଣ୍ଡ କରିପାରନ୍ତି ନାହିଁ । ଲଙ୍ଗଳ କଣ୍ଟିରେ ସେ ହାତ ଦେଇ କେବେ ଚାଷ କରିବେ ? ଖେନ୍ଦା ଆଉ ବିନ୍ଦା ତ ଛୋଟପିଲା । ସେମାନେ ବଡ଼ ହେବାଯାଏ ଏମିତି ଭତ୍ତା ମିଳୁଥାଉ । ତୋ କଥା ଯେ ଅଲଗାଲୋ ଅନିମା ! ତୋର ଭେଣ୍ଡା ଦିଅର ଅଛି । ସବୁ କାମକୁ ଧୁରନ୍ଧର । ଜମି ଯଦି ମିଳେ, ତାକୁ ତାସ କରିବାକୁ କଷ୍ଟ ହେବ ନାହିଁ । କିନ୍ତୁ ଅନିମା, ତୋ ଦିଅର ଯେ ଜବାନ୍‌, ତା’ର ବାହା ହେବାର ବୟସ ହେଲାଣି । ଆଉ କାହିଁକି ଡେରି କରୁଛୁ ! ଟୋକା ମନକୁ ବିଶ୍ୱାସ ନାହିଁ । ନିଜ ମନର ପଘାବି କେବେ ହୁଗୁଳିଯିବ କିଏ କହିପାରିବ ? ଏକାଠି ତ ରହୁଛ !

 

ଏଗୁଡ଼ା କ’ଣ କହୁଛ ଅପା, ଛି !

 

ସତ କହୁଛି, ଯାହା ଅଙ୍ଗେ ନିଭେଇଛି । ସେଇଆ କହୁଛି । ସନ୍ନ୍ୟାସ ସାଧନ ମିସ୍ତ୍ରି ବିଷ୍ଣୁ ଅଂଶରେ ଜନମିଛନ୍ତି । କୃଷ୍ଣ ଭାବରେ ଭୋଳ ହୋଇ ସେ ବି କୃଷ୍ଣଚନ୍ଦ୍ରଙ୍କର ଖେଳ ଆରମ୍ଭ କରିଥିଲେ । ଅତି ଭକ୍ତିରେ ପାଦ–ସେବା କରୁଥିବା ଏଇ ମୁଁକୁ ବାହା ହେବାକୁ ବାଧ୍ୟ ହୋଇଥିଲେ, ରେଜିଷ୍ଟ୍ରି ବାହା । ନୋହିଲେ ବିନ୍ଦା ମୋର ଅଣବାପୁଆହୋଇ ଥାଆନ୍ତା ! ସାଧନ ମିସ୍ତ୍ରିଙ୍କୁ ପଚାରିଲେ ସେ କହିବେ, ସବୁ ହରିଙ୍କ କୃପା !

 

ନିଜ ପର ସମସ୍ତଙ୍କୁ ମନେକର ନା କମଳା ଅପା, ଅମିୟ ମୋର ସାନଭାଇ ପରି, ଦେବର । ପୁଅଠୁ ବଳି ଅଧିକ ସ୍ନେହ ମୁଁ ତାକୁ କରେ । ତୁମର ଅପବିତ୍ର ମନ ପାପପଙ୍କରେ ଘାଣ୍ଟିହେଉଛି । ଯାହା ହେବାର ତୁମର ହୋଇ ଯାଇଛି । ଏଥର ମନକୁ ତୁମେ ନିର୍ମଳ କର । ନିଜ ଦୁର୍ବଳତା ଓ ଗୋଡ଼ଖସା କଳଙ୍କର କାହାଣୀ ନିଜ ମୁହଁରେ ପ୍ରକାଶ କରୁଛ କାହିଁକି ? ଭାବିଛକି ଦୁନିଆ ଆଗରେ ତୁମର ବାହାଦୁରି ଗପି ତୁମେ ସମ୍ମାନ ପାଇବ ? ପିଲାଗୁଡ଼ିକ ବଡ଼ ହୋଇ ଆସୁଛନ୍ତି । ଦିନେ ବଡ଼ ହେବେ । ମଣିଷ ହେବେ । ନିଜ ତୁଣ୍ଡରୁ ବାହାରିଲା କଥା ଆକାଶରେ ଲେଖି ହୋଇ ରହେ । ସେଇଠୁ ଶବଦ ବାହାରେ । ତୁମ ପିଲାଙ୍କ କାନରେ ସେ ଶବଦ ପଡ଼ିଲେ ସେମାନେ କ’ଣ ମଣିବେ ? ସେମାନଙ୍କ ଜୀବନର ଗତି କ’ଣ ହେବ ?

 

କମଳା ଥକ୍କା ହୋଇ ଠିଆ ହେଲେ । ଆଗରେ ଟେଣ୍ଟ୍ ଦିଶୁଛି ଗଛ ଗହଳି ସନ୍ଧିରେ । ଅଧା ପାଣି ନୋଟା ତଳେ ରଖି ଅନିମାଙ୍କର ଆଗରେ ଠିଆ ହୋଇ ସେ ଫଁ ଫଁ ହେବାକୁ ଲାଗିଲେ-। ରୁକ୍ଷସ୍ୱରରେ କହିଲେ ରହ, ବେଶ୍ ତ କଥା କହି ଶିଖିଲୁଣି ? କାଲିକାର ଟୋକୀଟା ତୁ-! ମତେ ବୁଦ୍ଧି ଶିଖେଇବୁ ? ନିଜ କଥା ମୁଁ କହିଲି ତ ବେଶ୍‌ କଲି, ଭଲ କଲି । ମୁଁ ଚୁପ୍‍ସଇତାନ ନୁହେଁ-। ତୋ ପରି ବୁଡ଼ି ବୁଡ଼ି ପାଣି ପିଏ ନାହିଁ । ମୋର ଆଗର ସ୍ୱାମୀ ପଠାଣଙ୍କ ହାତରେ ଶେଷ ହୋଇଗଲେ, କି ଧର୍ମ ବଦଳାଇ ପଠାଣ ହେଲେ, ଏକା କଥାଟା ମୁଁ ବିଧବା ହେଲି । ବେଶ୍‌ ହାତରୁ ଗହଣା ଓହ୍ଲାଇ ମୁଣ୍ଡରୁ ସିନ୍ଦୂର ଲିଭାଇଲି । ସାଧନ ମିସ୍ତ୍ରିଙ୍କର ଉପଦେଶ ମାନି ମୁଣ୍ଡରେ ଦେହରେ ରାଧାକୃଷ୍ଣ ଛାପା ମାରିଲି । ବିନ୍ଦା ପେଟରେ ରହିବାର ଜାଣି ମୁଁ ପୁଣି ସଧବା ବେଶ ଧରିଲି-। ବିଧବା ସଧବା ହେବା ଗୌରବର କଥା ନୁହେଁ ? ଲୁଚାଇଥିଲେ ଲୁଚନ୍ତା ! ଲଜ୍ଜାକୁ ଘୋଡ଼ାଇ ରଖି ପାରିଥାନ୍ତି କି ? ଲଜ୍ଜାକୁ ପଦାକୁ ଫୋପାଡ଼ି ଦେଲି । ନୂଆ ସଂସାର କଲି ।

 

ବେଶ୍‌ କଲ, କିନ୍ତୁ ଅତୀତ ଲୁଚିଛପି ଯାଉ । ତା’ର ପରଦା ନିଜ ହାତରେ ଖୋଲି ନିଜେ ପ୍ରଚାର କରି କି ଆନନ୍ଦ ପାଉଛ ତୁମକୁ ଜଣା ।

 

ଶୁଣିଲା ଲୋକେ ତୁମକୁ ମଣିବେ ପାଗଳ । ନିଜେ ଆମୋଦିତ ହୋଇ କହିବେ ପରସ୍ପରକୁ, ସେଇଟା ନିର୍ଲଜ୍ଜ ? ଯାଉଛି, ଡେରି ହେଲାଣି । ପିଲାଦିଟା ମୋର ଫେରିଲେ କି ନାହିଁ ଜାଣିବାକୁ ମନ ଛଟପଟ ହେଉଛି । କ’ଣ ମୁଁ କହିଲି, ଯଦି ମୋର ଦୋଷ ହୋଇଥାଏ, କ୍ଷମା ମାଗି ନେଉଛି ।

 

ଅନିମା ଆଗେଇ ଗଲେ । ଭାବିଲେ, ବଡ଼ ଦୁର୍ଯୋଗରେ ଆଜି ରାତି ପାହିଥିଲା । ଟେଣ୍ଟ୍–ଜୀବନ ଅତିବାହିତ କରିବା ଦିନରୁ ସେ ପଣ କରିଥିଲେ ଯେ କିଏ କୁଆଡ଼ୁ ଆସି ଏକାଠି ହୋଇଥିବା ଘରଣୀମାନଙ୍କ ପାଖରୁ ସେ ଦୂରେଇ ରହିବେ ।

 

ପଣରଖି ହେଲା ନାହିଁ । ରଖିବାବି ସମ୍ଭବ ନୁହେଁ । ମଣିଷ ସାମାଜିକ ପଶୁ । କିଏ କାହାକୁ ଦେଖିଲେ ଅବଶ୍ୟ ପଦେ କହିବ କି ପଚାରି ଦେବ । ଉତ୍ତର ତ ଦେବାକୁ ହେବ । ଯେତେ ସାବଧାନ ହୋଇ କି ? କହିଲେ ମଧ୍ୟ ଓଠତଳେ ଅତି କଷ୍ଟରେ ଚାପିରଖିବାକୁ ଚେଷ୍ଟା କରୁଥିବା ମନର ଛଟପଟ ଭାବନା ଭାଷାର ସୁଅରେ ଖସିଯାଇ ପଦାରେ କାୟା ବିସ୍ତାରିବ । ସେଉଠୁ ଚାଲିବ ଭାଷା ଓ ଭାଷାର ଧରାପରା କଳି । ପରିଣାମ ତା’ର ବିଷମୟ । ଛି, କାହିଁକି ସେ ଏଇ ଅଧ–ପାଗଳୀ ଜାଣି–ସିଆଣା କମଳା ଅପାଙ୍କର କଥାର ଉତ୍ତର ଦେଲା ?

 

ଅନିମାଙ୍କର ଅନୁତପ୍ତ ମନ ତାଙ୍କୁ ଆକଟ କଲା, ତିରସ୍କାର କଲା । ଅନୁଶୋଚନାରେ ଅଳପ ଥରିଲା ପାଦ ଅବାଟରେ ପଡ଼ିଲା । ଆଗକୁ ଚାହିଁଲେ । ଟେଣ୍ଟ୍‍ମାଳ ଦୃଷ୍ଟିରେ ପଡ଼ିଲା । କଣେଇଁ ଦେଖିଲେ । ଅନତିଦୂରରେ ବନପଥରେ ଜଣକ ପଛରେ ଜଣେ, ଏପରି କେତେଜଣ ଲୋକ ମୁଣ୍ଡରେ ବୋଝ ବୋହି ଟେଣ୍ଟ୍–ମୁହାଁ ଚାଲିଛନ୍ତି । କାହା ମୁଣ୍ଡରେ ବାଉଁଶ, କାହା ମୁଣ୍ଡରେ ଘାସ, ବଣଖଜୁରି ପତର, ଶୁଖିଲା ଜାଳେଣି କାଠ, ଆଉ ସବୁ କ’ଣର ବିଡ଼ା ।

 

ଅନିମାଙ୍କର ମନେହେଲା, ଆଗରେ ଯିଏ ଚାଲିଛି, ମୁଣ୍ଡରେ ବାଉଁଶ ବୋଝ ଓ ହାତରେ ଟାଙ୍ଗିଆ, ସେଇ ଯେ ଅମିୟ ! ମୁହଁ ଦିଶୁନାହିଁ, ବୋଝର ଚାପ ଓ ଉପାସିଆ ପେଟର କୋପରେ ଚାଲିଲାବେଳେ ବଳିଷ୍ଠ ପାଦ ଟଳମଳ ହେଉଛି । ଚାଲିବାର ଭଙ୍ଗୀ ଦୂରରୁ କହିଦେଉଛି ସେ ତାଙ୍କରି ଅମିୟ ଛଡ଼ା କେହି ନୁହେଁ ।

 

ପାଦ ରହରହ ହେଲା । ମନ କୁରୁଳି ଉଠିଲା । କ୍ଷଣକ ମଧ୍ୟରେ ମନରେ ଭାବନା ଘୋଟିଗଲା । ଆହା ଆହାର ଅବସାଦ ! କେତେ ଦୁଃଖ ସହୁଛି ସେ ମନକୁ ମନ । ଅଭିମାନ ନାହିଁ, ଅଭିଯୋଗ ନାହିଁ । ମୁହଁଶୁଖା ନାହିଁ । ସବୁବେଳେ ହସହସ । ଧୀର କୋମଳ ସୁଚିନ୍ତିତ ଅଳପ କଥା-। ଘର ବାନ୍ଧିବାର ଦୁର୍ଜୟ ଅଜ୍ଞେୟ ଅନନୁଭୂତି ସ୍ୱାଭାବିକ ଗୋପନ ପ୍ରେରଣା । ନିଜେ ସେ ଜାଣିପାରୁ ନାହିଁ । ଭାବୁଛି, ନିଜର ଅତୀତକୁ ପାସୋରି ଦେଇଛି, ତାଆରି ଆନନ୍ଦ ଓ ତା’ର ଅଲିଅଳ କନ୍ୟାର ସୁଖ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ନିଜର ସ୍ୱାର୍ଥକୁ ଦୁର୍ଦ୍ଦଶାର ଜଳନ୍ତା ନିଆଁରେ ତିଳତିଳ କରି ଆହୁତି ଦେଉଛି ।

 

ଭାବିଲେ ଅନିମା, ତାଙ୍କର ନିଜର ତ କର୍ତ୍ତବ୍ୟ ଅଛି । ତାଙ୍କର ଅନ୍ୟମନସ୍କତା ଭାଙ୍ଗିଲେ କମଳାଙ୍କର ଥରିଲା ଦୀର୍ଘଶ୍ୱାସର ଶବଦରେ । କଣେଇଁ ଚାହିଁଲେ । କମଳାଙ୍କର ଆଖିରେ ଲୁହ ଛଳଛଳ ହେଉଛି । ସେ ତୀକ୍ଷ୍ଣଦୃଷ୍ଟିରେ ଅନିମାଙ୍କୁ ଅନାଇଁ ରହିଛନ୍ତି । ଦୃଷ୍ଟି ଦୃଷ୍ଟିର ମିଳନ ହେଲାରୁ ଧୀର ସ୍ୱରରେ କମଳା କହିଲେ, ତୁ ମତେ ଛିଗୁଲେଇ କହିଛୁ, ତଥାପି, ମୁଁ ରାଗିବି ନାହିଁ । ତୋ ପାଖରେ ମୁଁ ହାରିଛି ଅନିମା, ମୁଁ ମାନି ନେଉଛି ଯେ ମୁଁ ନିର୍ଲଜ୍ଜ କିନ୍ତୁ, କିଏ ମତେ ନିର୍ଲଜ୍ଜ କଲା ? ସେହି ସାଧନ ମିସ୍ତ୍ରି, ଭଜ ନିତାଳ ଗଉର ସନ୍ନ୍ୟାସୀ, ମୋର ଦୁଇ ପିଲାଙ୍କର ବାପ । ଦିହେଁ ଆମେ କେବଠୁ ଲାଜ ସରମକୁ ତାଙ୍କ ବାପଘରକୁ ବିଦାୟ କରି ଦେଇଛୁ । ବଞ୍ଚିବାକୁ କେବଳ ବଞ୍ଚି ରହିବାକୁ ଆଉ ଏଇ ପିଲା ତିନିଟାକୁ ବଞ୍ଚାଇ ରଖିବାକୁ ଆମେ ପରସ୍ପରକୁ ସହି ଏକାଠି ଚଳୁଛୁ । ନୋହିଲେ, କେବଠୁ ଦୁହେଁ ଦୁହିଁଙ୍କର ପ୍ରାଣନେଇ ସାରନ୍ତୁଣି ।

 

ତୁନି ହଁ, ଏସବୁ ଆଉ ତୁଣ୍ଡକୁ ଆଣନା । ଠାକୁରଙ୍କ ଉପରେ ଓ ତାଙ୍କର ନିର୍ଦ୍ଦେଶ ଉପରେ ଭରସା ରଖି ଗୋଡ଼ହାତ ଚଳୁଥିବା ଯାଏଁ, ନିଜେ ବଞ୍ଚି ଆଉ ଚାରୋଟିଙ୍କୁ ବଞ୍ଚାଇ ରଖିବାକୁ କର୍ମ କରିଯାଅ । ତେଣିକି ଯାହା ହେବାର ହେଉଥାଉ । ଦେଖ ଅପା, ଭୋକ ଉପାସରେ କାଉଳି ହୋଇ ଅମିୟ ବାଉଁଶ ବୋଝ ଧରି ଆସୁଛି । ଟୋକୀଟା ଗଲା କୁଆଡ଼େ, ଫେରିଲା ନାହିଁ ? ମୁଁ ଯାଏଁ ।

 

କିଏ ତୋତେ ଅଟକାଇ ରଖିଛି କି ? ଯାଉନୁ, ତୋ ମନ ଉଚ୍ଛନ୍ନ ହେବଣି । ଅମିୟଦେବର ବାଉଁଶ ବୋଝ ନେଇ ଫେରିଆସୁଛି । ଘର ଆଗରେ ପଛରେ ଚାରିଆଡ଼େ ନିବୁଜ କରି ବୁଜିଦେଲେ ଯେତେବେଳେ ପାରି ସେତେବେଳେ ଆଉ କେହି ହତା ଭିତରକୁ ପଶିପାରିବେ ନାହିଁ । ଅମିୟ ଭଲ କାମିକା ଟୋକା, ସାଧନମିସ୍ତ୍ରି ପରି ନିକମା କୋଢ଼ିଆ ନୁହେଁ । କିନ୍ତୁ, ଅନିମା, ତୋ ଗେରସ୍ତର କୌଣସି ଖବର କେବେ କାହାଠାରୁ ପାଇଥିଲୁ କି ? ଏଗାରବର୍ଷ କଟିଲା । ବଞ୍ଚିଥିଲେ ଅବଶ୍ୟ ତୁ ତା’ର ଖବର ପାଆନ୍ତୁଣି, ନୋହିଲେ ସିଏ ତୋ ଖବର ପାଇ ତୋତେ ଲୋଡ଼ିବାକୁ ଧାଇଁ ଆସନ୍ତାଣି । ଯିଏ ପାକିସ୍ଥାନରୁ ପଳାଇ ଆସୁଛି, ଏ ଦେଶର କାଗଜପତ୍ରରେ ତା’ର ନାମ ଗ୍ରାମ ସବୁ ଖବର ଲେଖାହୋଇ ରହୁଛି । ଏବଯାଏଁ କାହିଁକି ଉଛୁର ହେଲା ? ନାମଧାମ ମିଛ ଲେଖାଇଚ କି ? କାହିଁକି ବା ?

 

ଘରଘରର ଖବର ଜାଣିବାକୁ ତୁମେ ଏଡ଼େ ବ୍ୟଗ୍ର ହୁଅନା ଅପା, ତୁମ ଘର ତୁମେ ସମ୍ଭାଳ ।

 

ସମ୍ଭାଳିଛିଲୋ ! ସେଥିପାଇଁ କାହାରି ଉପଦେଶ ମୁଁ ଲୋଡ଼ୁନାହିଁ । ଆଖି ଦୁଇଟି ଅଣ୍ଟାରେ ଖୋସି କେହି କାରବାର ହୁଏ ନାହିଁ ଏ ଦୁନିଆରେ । ମୋ ଆଖି ଏଇଆ ଦେଖୁଛି, ମନ ଏଇଆ ବୁଝୁଛି ଯେ ବିଧବା ହୋଇ ତୁ ବିଧବା ପରି ରହିବାକୁ ପସନ୍ଦ କରୁନୁ । ସଜ ହେଉଛୁ, ସତେ କି ତୋ ବର ଘରେ କାରବାର ହେଉଛି । କାହା ସଙ୍ଗେ ତୁ ଲୁଚକାଳି ଖେଳୁଛୁଲୋ ଅତି ଚତୁରୀ ।

 

ଅପା !

 

ଅନିମା ଚମକି ଉଠିଲେ । ଚିତ୍କାର କଲେ । ଥରିଲା ଅଣ୍ଟାରୁ ପାଣି କଳସୀ ଦୁମ୍‌କରି ତଳେ ଖସିପଡ଼ିଲା । ପାଣି ବୋହିଗଲା । ଦୁଇ ହାତ ଥରିବାକୁ ଲାଗିଲା । ଆଖି ଆଗରେ ଦୁନିଆ ଭ୍ରମିବାକୁ ଲାଗିଲା । ମନରେ ତୁହାଇ ଉଠିଲା ଉତ୍ତପ୍ତ ଭାବନା, ଏଇ ଦୁର୍ବଳିଆ ଅଧା–ବାଇଆଣୀ ଅବା ଜାଣି–ସିଆଣା କାଳ–ସର୍ପିଣୀର ବେକକୁ ଦୁଇ ହାତରେ ଧରି ମୋଡ଼ି ଛିଣ୍ଡାଇ ଦେବେ । ଚିରଦିନ ପାଇଁ ତା’ର କୁ–ମୁଖର ପାପ ଓ ଅନୀତି–ଭରା ବିଷାକ୍ତ–ଭାଷାକୁ ନୀରବ କରିଦେବେ । ପରିମାଣ ଯାହା ହେଉପଛେ ।

 

ମୁଣ୍ଡରୁ ଅଞ୍ଚଳ ଖସିପଡ଼ିଛି । ମୁକୁଳା ଅଧଶୁଖା ଜଙ୍ଘଯାଏଁ ଲମ୍ବିଲା କେଶ ଥିରି ପବନରେ ଦୋହଲି ଉଠୁଛି । ଉନ୍ନତ ବକ୍ଷର ଗୋଟିଏ ପାଖରୁ ବସନ ଖସିପଡ଼ୁଛି । ଆକାଶ ଉପରେ ପଶ୍ଚିମ ଆଡ଼କୁ କିଞ୍ଚିତ୍‌ ଢଳି ପଡ଼ିଥିବା ତପନର ଉଷୁମ ତେଜ ଅନିମାର ମନର ସଂକଳ୍ପର ଆଭାସ ପାଇ କୋପିଲା ନାହିଁ ନାହିଁ ଆଖିରେ ବାରଣ କରି ମନ–ମହଲରେ ଝିଙ୍ଗାସି କହୁଛି, ଉତ୍ତ୍ୟକ୍ତ ହେଲେ ଫଳ ବିଷମୟ ହୁଏ । ସାବଧାନ ! କହିବା ଲୋକ ବଡ଼ଲୋକ ନୁହେଁ, ସହିବା ଲୋକହିଁ ବଡ଼ । ଛାତିର ତୋଫାନକୁ ଅଟକାଇ ରଖିବାକୁ ଦୁଇ ବାହୁ ବକ୍ଷରେ ଚାପି ଅନିମା ବସି ପଡ଼ିଲେ । ଆଖି ବୁଜିଲେ । ମୁଦିଲା ଆଖି ତଳେ ସହସ ଜୁଳୁକିପୋକ ଲିଭିଜଳି କେଡ଼େ ବେଗରେ ଆଯୋତ ହେଲେ ।

 

କିଛିକ୍ଷଣ ପରେ ପ୍ରକୃତିସ୍ଥ ହୋଇ ଅନିମା ଆଖି ଖୋଲିଲେ । ଦେଖିଲେ, ମରମରେ ଚୋଟମାରି ଭାବନାରେ ବିଷ ଚହଟାଇ, କାଳସର୍ପିଣୀ କମଳା ତାଙ୍କର ଅଣ–ଆବୋର ଛୋଟ ଟେଣ୍ଟ୍ ପାଖକୁ ଖସି ପଳାଉଛନ୍ତି । ପାତଳ ବଣର ଗଛସନ୍ଧିରେ ଦିଶିଯାଉଛି ତାଙ୍କର ଦୁର୍ବଳ ନହକା ଦେହର ଶାଢ଼ି । ଟିକିଏ ଦୂରରେ, ଟେଣ୍ଟ୍‍ମାଳ ଆରପାଖ ନୂଆ ବାଟରେ, ଚାଲି ଚାଲି ପାଖେଇ ଆସୁଛନ୍ତି ଅମିୟ । ମୁଣ୍ଡରେ ବାଉଁଶ ବୋଝ, ହାତରେ ଟାଙ୍ଗିଆ । ତାଙ୍କ ଟେଣ୍ଟ୍ ଆଗରେ ନୂଆ ବାଡ଼କୁ ଆଉଜି ଠିଆ ହୋଇଛି ଅମିତା । ଖୁସି ହୋଇ ଦୂରରୁ ଚିତ୍କାର କରୁଛି, କ–କା । ଅମିତାର ଦେହ ଦିଶୁନାହିଁ, ମୁହଁ ଦିଶୁଛି, ସ୍ୱର ଶୁଭୁଛି । ଅନିମା ଟଳଟଳ ହୋଇ ଉଠି ଠିଆହେଲେ । କଳସୀକୁ କାଖକୁ ନେଲେ । ନିଶ୍ଚିନ୍ତ ହେଲେ ଯେ ତାଙ୍କର ପିଲା ଦିଓଟି, ନିଜ ରଚନା ସଂସାରର ଦୁଇଟା ଆଖି, ଘରକୁ ଫେରିଆସିଛନ୍ତି ।

 

ଅନିମା ଆଗେଇ ଗଲେ ।

 

ବାର

 

ଟିକି ମୁଣ୍ଡରେ ତା’ର କେତେ ଭାବନା ଛଟପଟ ହେଉଛି । ମୁହଁ ଖୋଲି କାହାକୁ ପଚାରିବାକୁ ତା’ର ସାହସ ହେଉନାହିଁ । ଯେଉଁଦିନ ତା’ର ସ୍ନେହମୟୀ ହସହସ–ମୁହୀଁ ଜନନୀ ଖେନ୍ଦାର କଳିହୁଡ଼ୀ ମା’ କମଳାମାଉସୀ ସଙ୍ଗେ ଉଦୁଉଦିଆ ଦୁଇପ୍ରହର ନାଳରୁ ଫେରି ଝୋଲାମାରି ଦେଇ ଘରେ ଶୋଇ କାନ୍ଦିବାକୁ ଲାଗିଲେ, ସେଇଦିନରୁ ତାଙ୍କର ଏପରି ପରିବର୍ତ୍ତନ ହେଲା କାହିଁକି-? ପାଞ୍ଚ ଦିନ ତ କଟିଗଲା, ତାଙ୍କ ମନର କେଉଁ ଅଜଣା ଦୁଃଖ ଊଣା ହୋଇ ନାହିଁ ।

 

ନିଜ ଦେହର ସେ ଯତ୍ନ ନେଉନାହାନ୍ତି । ମଇଳା ଲୁଗା ସଫା କରୁନାହାନ୍ତି । ମୁଣ୍ଡର ଲମ୍ବା କେଶକୁ କୁଣ୍ଡାଉ ନାହାନ୍ତି । ସେମିତି ଅସଜଡ଼ା । ଦେହରେ ସାବୁନଟିକେବି ଲଗାଉ ନାହାନ୍ତି । ପାହାନ୍ତାରୁ ଉଠି ରାତିଅଧ ଯାଏଁ କାମରେ ଲାଗୁଛନ୍ତି । କାମ କରୁ କରୁ କାନ୍ଦି ଉଠୁଛନ୍ତି; ପୁଣି କାନ୍ଦର କୋହ ଚାପିରଖି ଆଖିରୁ ଗଡ଼ି ଆସୁଥିବା ଲୁହଧାରକୁ ତରତର କରି ହାତପିଠିରେ ପୋଛି ସେ ବାଆଁରେଇ ହୋଇ ଉଠି ଯାଉଛନ୍ତି ।

 

ଅନିତା ଭାବେ, କାହିଁକି ଏପରି ହେଲା ? ସାହସ କରି ପଚାରିବାକୁ ମନ କଲବଲ ଛଟପଟ ହୁଏ । ବାଆଁରେଇ ହୋଇ କେଉଁ ଅନାବଶ୍ୟକ ଆଳରେ କି ମାଆଙ୍କୁ କାମରେ ସାହାଯ୍ୟ କରିବା ବାହାନାରେ ସେ ତାଙ୍କ ପାଖେପାଖେ ଥାଏ । କିଛି ପଚାରିବାକୁ ତୁଣ୍ଡ ଖୋଲେ ନାହିଁ । କମଳା ମାଉସୀ ତାଙ୍କୁ କ’ଣ ଅଭଦ୍ର ଭାଷାରେ ଗାଳିଦେଇଛି କି ? କେଜାଣି କ’ଣ ମା’ ତାଆରି ଉପରେ ବିରକ୍ତ ହୋଇଛନ୍ତି । ନାଳକୁ ଗାଧୋଇବାକୁ ଯାଇ ଡେରି ଡେରି କରିଥିଲା । ମା’ ନ ପଚାରିଲେ ମଧ୍ୟ ସେ ନିଜେ ତାଙ୍କ ଆଗରେ ଡେରିର କାରଣ କହିଥିଲେ, ସବୁ ସତ କଥା କହିଥିଲା, କିଛି ସେ ଲୁଚାଇ ନଥିଲା ।

 

ମା’, ମୋର ଲକ୍ଷ୍ମୀ ମା’, ଦେଖିବୁ ଯା, ମୁଁ କକାଙ୍କପାଇଁ ଚୁନାମାଛକୁ ଚଡ଼ଚଡ଼ କରି ରଖିଛି । କାଲି ସଞ୍ଜରେ କକା ମୋ ନାମର ଆରା ଦେଇ ତାଙ୍କ ମନକଥା କହୁଥିଲେ । ତୋତେ ତ କହୁଥିଲେ, ତୁ ଶୁଣିନୁ କି ? କହିଲେ ଭାଉଜ, ଅନେକ ଦିନରୁ ଅମିତା ମାଛଟିକେ ଖାଇନାହିଁ । ପିଲାବୟସ, ମାଛ ନ ଖାଇଲେ ସ୍ୱାସ୍ଥ୍ୟ ଭଲହେବ ନାହିଁ, ବୁଦ୍ଧି ବିକଶିବ ନାହିଁ । ଏ ରାଜ୍ୟରେ ମାଛ ଯେ ଦୁଃସ୍ୱପ୍ନ !

 

ସତେ କି କକା, ମାଛ ଖାଇଲେ ବୁଦ୍ଧି ବଢ଼େ ?

 

ସେଇଆ ତ ଆମ ଦେଶରେ ସମସ୍ତେ କହନ୍ତି, ଆଉ ଅନୁଭବ କରନ୍ତିଲୋ ମିତା ! ଅତି ପିଲାଟିଏ ତୁ ହୋଇଥିଲୁ, ସେ ଦେଶରୁ ଏ ଦେଶକୁ ଆଇଲାବେଳେ । ମାଛର ମଜା ତୁ କେମିତି ବୁଝିବୁ ? ଆମର ବଙ୍ଗଦେଶରେ ବିଶେଷତଃ ପୂର୍ବ–ବଙ୍ଗରେ, ଛୋଟବଡ଼ ଅସଂଖ୍ୟ ନଈନାଳ ଅଛି । ଯୋର ଓ ବିଲରେବି ପାଣିର ସୁଅ ଛୁଟେ । ସମସ୍ତଙ୍କ ଘରେ ଜାଲ । ପୋଖରୀ ତ ଅଗଣନ । ବର୍ଷାଦିନେ ନଈଗୁଡ଼ିକ ବଢ଼ିଲେ ପାଣି ଚାରିଆଡ଼େ ବୁଡ଼ିଯାଏ । ସବୁ–ଯୋର ପୋଖରୀ–ଖାଲ ପୂର୍ଣ୍ଣହୁଏ । ବର୍ଷାଦିନେ ଖାଲି ଡଙ୍ଗାରେ ଆତଯାତ । ଗହୀର ବିଲରେବି ପାଣିର ସୁଅ ଛୁଟେ । ସମସ୍ତଙ୍କର ଘରେ ଜାଲ, ଡଙ୍ଗାରେ ବସି ଯେଉଁଠି ପାରି ସେଠି ଖେପାଜାଲ ପକାଇଲେ, ଯାହାକୁ ଯେତେ ମାଛ । ପଇସା ଦେଇ କିଏ କିଣୁଛି ? ବର୍ଷାଦିନେ କଟିଗଲେ, ଯୋର, ପୋଖରୀ, ନାଳ, ନଈରେ ପାଣିଥାଏ ତ, ପ୍ରଚୁର ପାଣି, ମାଛ ଖାଲି ହାଉଯାଉ ହଉଥାନ୍ତି । ଧରିଲେ ହେଲା ।

 

ଆମର ସେ ଦେଶ ଖୁବ୍ ଭଲ ତେବେ । ସେଇଠିକି ଆମେ ଫେରିଯିବା । ଲକ୍ଷ୍ମୀ–ଛଡ଼ା ପାହାଡ଼–ଜଙ୍ଗଲ ଦେଶରେ ଆମେ ରହିବା ନାହିଁ । ତୁମେ ବାପାଙ୍କୁ ଲେଖିଦିଅ, ସେ ଆସି ଆମୁକୁ ନେଇଯାଆନ୍ତୁ । କିନ୍ତୁ, ବାପା ତ କେବେ ଚିଠିପତ୍ର ଦିଅନ୍ତି ନାହିଁ ? କାହିଁକି କାକା ?

 

ମିତା, ତତେ ଭୋକ କରୁନାହିଁ କି ? ତୁ ଆ, ଆଉ ତୁମେବି ଆସ ଅମିୟ । ଭାତ ଦିଓଟି ଶୁଖି ଚଣାଚାଉଳ ହେବ । ହାଣ୍ଡିରୁ ଶୁଖୁଆବି ସରି ଯାଇଛି । ମାଛକୁ ସ୍ୱପ୍ନ ଦେଖି ଦେଖି ଡାଲି ଓ ଆଳୁଦମ୍‌ ଲଗେଇ ଗଣ୍ଡେ ଖାଇଦିଅ । ସେଇଠୁ ବସି ଗପ କରୁଥିବ । ଆସ– ।

Unknown

 

ମା’ ତୁ ତ ଜାଣୁ କକାଙ୍କର ମାଛରେ କେଡ଼େ ଶରଧା ! ବାମରଣ୍ଡା କ୍ୟାମ୍ପ୍‍ରେ ଥିଲାବେଳେ ଦିନେ ଦିନେ ରାତି ପାହାନ୍ତାରୁ ଉଠି ଆଉମାନଙ୍କ ସାଙ୍ଗରେ କାହିଁ କେତେ ଦୂରକୁ ନଈ ନାଳ କି ଜଙ୍ଗଲ ଭିତରେ କେଉଁ ପୋଖରୀକୁ ମାଛଧରି ଆଣିବାକୁ ଯାଆନ୍ତି ଯେ ଫେରନ୍ତି ସଞ୍ଜକୁ । ଅଖିଆ ଅପିଆ । ଆଣିଥାଆନ୍ତି ତ ଆଞ୍ଜୁଳାଏ କି ଦି’ଆଞ୍ଜୁଳା ସଢ଼ାମାଛ । ମା’ଗୋ, ଯେଉଁ ନାଳକୁ ତୁ ଗାଧୋଇବାକୁ ଯାଇଥିଲୁ, ଯେଉଁଠି ସେ ନାଳ ଦି’ଭାଗ ହୋଇ ଛୋଟ ଜଙ୍ଗଲିଆ ପାହାଡ଼ର ଚାରିପାଖରେ ଗୁଡ଼େଇ ହୋଇ ପୁଣି ତଳକୁ ଗଡ଼ିଯାଇଛି, ସେଇଠି, ଗୋଟିଏ ଖାଲ, ଯାହା ଚାରିପାଖୁ ପାଣି ଛାଡ଼ିଯାଇଛି । ତାଆରି ଭିତରେ, ଓଃ ! କେତେ ଛୋଟ ଛୋଟ ମାଛ ହାଉଯାଉ ହେଉଥିଲେ !

 

ବଳାଗଣ୍ଠିଏ ପାଣି । ଆମେ ପିଲାମାନେ ତା’ରି ଭିତରେ ପଶି ଗାମୁଛା ଖିଅ ଦେଇ ମାଛ ଧରିଲୁ । ମୋ ଭାଗରେ ପଡ଼ିଲା ମୋଟେ ଆଞ୍ଜୁଳାଏ । ସେଇଥିପାଇଁ ଡେରି ହେଲା ମା’ !

 

ମାଆ ତା’ର କଲବଲ କରି ମୁହଁକୁ ଅନାଇଲେ । ଉତ୍ତର ଦେଲେ ନାହିଁ । ଆକଟି କରି ପଦେ କହିଲେ ନାହିଁ । କକା ବାଉଁଶ ବୋଝକ ଦାଣ୍ଡରେ ପକାଇ ନଳକୂଅ ପାଖକୁ ବାଲଟି ଓ ଲୋଟା ଧରି ଚାଲି ଯାଇଥିଲେ–ଅମିତା ଭାବିଲା, ଆଉ କ’ଣ ଦୋଷ ସେ କରିଛି ଯେ ମା’ ତାକୁ କଥା କହୁନାହାନ୍ତି କି ଶାସନ କରୁନାହାନ୍ତି ? ଛୋଟ ମୁଣ୍ଡ ଭିତରେ ତା’ର କେତେ ଭାବନା ଓଲଟପାଲଟ ହେଲା । ଆଉ କି ଅନ୍ୟାୟ କାମ ସେ କରିଛି ଯାହା ସେ ତା’ର ମାଆଙ୍କୁ ଲୁଚାଇ ରଖିଛି । ଅଥଚ ମାଆ ଜାଣିପାରିଛନ୍ତି !

 

ବିପିନ୍‍ କର୍ମକାର ଲିଡ଼ର୍‍ଙ୍କର ପୁଅ ସୋମୁ ମାଛଧରାରେ ତା’ର ସାଙ୍ଗ ହୋଇଥିଲେ । ସୋମୁ ଦୁଷ୍ଟପିଲା ବୋଲି କେତେକଙ୍କର ଧାରଣା । ମାଆଙ୍କରବି ସେ ଧାରଣା । କିନ୍ତୁ ସୋମୁ ଦୁଷ୍ଟ ନୁହେଁ । ସେ ଦୁଃସାହସିକ କାର୍ଯ୍ୟ କରେ । ସେ ଗଛ ଆଗରେ ବସେ, ଡାଳ ଉପରୁ ପାଣିକୁ ଡିଏଁ । ତିଖ ପଥର ଉପରେ ଚଢ଼େ । ପାଣିରେ ପହଁରେ । ବାଘଭାଲୁ କି ସାପଙ୍କୁ ନ ଡରି ଗହନ ବନରେ ପଶେ । ଷୋଳବର୍ଷର ପିଲା ସେ, ହୃଷ୍ଟପୁଷ୍ଟ ବଳିଷ୍ଟ ଓ ଚଞ୍ଚଳ । ତା’ର ଦୁଃସାହସିକ କାର୍ଯ୍ୟରେ ତା’ ସଙ୍ଗେ ଯୋଗଦେବାକୁ ସେ ଅନ୍ୟ ପିଲାମାନଙ୍କୁ ଡାକେ ଓ ଫୁସୁଲାଏ । ଯିଏ ତା’ର କଥା ମାନେ, ସେଦିନପାଇଁ ସେ ତା’ର ବନ୍ଧୁ ଆଉ ଯିଏ ତା’ର କଥା ନ ମାନେ, ସେଦିନ ସେ ହୁଏ ତା’ର ଶତ୍ରୁ ।

 

ମିତା ଆଜି ତା’ର ବନ୍ଧୁ ହୋଇଥିଲା । ମା’ କ’ଣ ଜାଣିପାରିଛନ୍ତି ?

 

ତେର

 

ବିପିନ୍‍ ଲିଡ଼ର୍‍ବି ଉମରକୋଟ ପାଖ ଜାମରଣ୍ଡା କ୍ୟାମ୍ପ୍‍ରେ ଦୁଇବର୍ଷ ଥିଲେ । ସେ ଲୋକଙ୍କୁ ଭୋଳାଉଥିଲେ । ପିଟିସନ୍‌ ଲେଖି କର୍ମଚାରୀମାନଙ୍କ ବିରୁଦ୍ଧରେ ଅଭିଯୋଗ କରି ଉପରକୁ ପଠାଉଥିଲେ ପିଟିସନ୍‌ । ଏନ୍‌କ୍ୱାରିବେଳେ ଉପର ହାକିମମାନଙ୍କ ସଙ୍ଗେ ବିତର୍କ କରୁଥିଲେ, ଅମିତା ଜାଣେ । ଅମିୟ କକା ବିପିନ୍‍ ଲିଡ଼ର୍‍ର କଥାର ପ୍ରତିବାଦ କରନ୍ତି ନାହିଁ କି ତା’ ପିଟିସନ୍‌ରେ ସ୍ୱାକ୍ଷର କରନ୍ତି ନାହିଁ । କର୍ମଚାରୀମାନଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗରେ ଏନ୍‍କ୍ୱାରିବେଳେ ସେ ସାକ୍ଷୀ ଦିଅନ୍ତି ନାହିଁ । ତାଙ୍କରି ଚଗଲା ବଈଡ଼ଙ୍କ ପୁଅ ସେ ମୁଁ ସାଙ୍ଗେ ସାଙ୍ଗ ନ ହେବାକୁ ତା’ର ମା’ ବାରମ୍ବାର ଉପଦେଶ ଦିଅନ୍ତି ।

 

କହନ୍ତି, ପରଘରର ତାଟି ଖୋଲି ବାରିରେ ଗାଈ ଛେଳି ପୂରାଇ ଫସଲ ନଷ୍ଟ କରାଇବା ଭଲପିଲାର ଲକ୍ଷଣ ନୁହେଁ । ନାଳ କୂଅର ହାତ ଉପରେ ଘୋଡ଼ା ଚଢ଼ି ହକର ହକର ନ ଯିବା କ୍ଷଣକର ଅକାମୀ କରିବା କାମକୁ କେହି ପସନ୍ଦ ସ୍ନାନ କରିବା ଓ ସେହି ପାଣି ପିଇବା ଛଡ଼ାର ପକାଇଥିବା ବଡ଼ ଧର୍ମ ଗତି ନଥାଏ । ହଇଜା ବସନ୍ତ ଗ୍ରାମରେ ପଶନ୍ତି ।

 

କିନ୍ତୁ ବିପିନ୍‍ ଲିଡ଼ର୍‍ର ଅସ୍ଥାୟୀ ଘରେ ଏ ସବୁ କେହି ପଶି ନଥିଲେ । ଲୋଭରୁ ପାପ, ପାପରୁ ମୃତ୍ୟୁ । ବୁଢ଼ୀଙ୍କର ଅତି ଲୋଭହିଁ ସେ କୁଟୁମ୍ବର ବିନାଶର ହେତୁ ହୋଇଥିଲା । ଯେଉଁଦିନର ଘଟଣା, ତା’ ପୂର୍ବଦିନ ଆଦିବାସୀ ସ୍ତ୍ରୀଲୋକଟିଏ ସକାଳେ ଶାଗ ବିକିବାକୁ ଆସିଥିଲା-। ସେ ଆଣିଥିଲା ବରଡ଼ା ପତର ଶାଗ । ଦେଖିବାକୁ କଞ୍ଚନଗଛର କଅଁଳିଆ ପତ୍ର ।

 

ଭଲ ତ, କିନ୍ତୁ ଦୂରେଇ ରହି ହୁଏ ନାହିଁ । ଡେଙ୍ଗା ଡେଙ୍ଗା ଜାମୁ ଗଛରୁ କଳା କଳା ରୁଆଦିଆ ପାଚିଲା ଜାମୁକୋଳି ତୋଳି ପିଲାଙ୍କୁ ଦେବା ସୋମୁର ଅଭ୍ୟାସ । କାଲି କିଏ ତା’ର କଥା ମାନିଥିଲା ଆଉ କିଏ ତା’ର କଥା ମାନି ନଥିଲା, ସେ ସବୁ ତା’ର ମନେ ନଥାଏ । ମନେଥିଲେବି ସେ ସବୁରେ ସେ ଗୁରୁତ୍ୱ ଦିଏ ନାହିଁ । ପାଖ ଆଦିବାସୀ ଗ୍ରାମର ଲୋକଙ୍କୁ ଓ ଟୋକାଙ୍କୁ କଥାରେ ସେ କିଣିନେଇପାରେ । ତାଙ୍କ କ୍ଷେତର ମକା ଓ ବିଲର ଆଖୁ ଆଣି ନିଜେ ଖାଏ । ସାଙ୍ଗପିଲାଙ୍କୁ ଦିଏ । ସୋମୁବି ତା’ ବାପାଙ୍କ ପରି ଲିଡ଼ର୍ ହୋଇ ଆସୁଛି । ସାଙ୍ଗପିଲାଙ୍କୁ ସେ ବାଟରେ ଚଳାଉ କି ଅବାଟରେ ଚଳାଉ; ସେମାନଙ୍କୁ ସେ ଭଲପାଏ । ଆପଦ ବିପଦ ଆସିଲେ ସେ ନିଜେ ଆଗେଇ ଯାଇ ସାଙ୍ଗପିଲାଙ୍କୁ ପଛ କରେ । ସେ ଆଗୁଆଳ ହୁଏ ।

 

କାହାକୁ ସୋମୁ ଭଲ ପାଏ ଓ କାହାକୁ ସେ ଭଲ ନ ପାଏ, ମୁହଁ ଖୋଲି କହେ ନାହିଁ ସିନା, ଅମିତାକୁ ପାଖରେ ପାଇଲେ ସେ ତା’ର ହାତଟି ଧରି ମୁହଁ ଖୋଲି କହି ପକାଏ–ମିତା ! ମୁଁ ତୋତେ ଭଲପାଏ । କହ, ତୁ ମତେ ଭଲପାଉ କି ନାହିଁ ।

 

ମିତା ସଙ୍ଗେ ସଙ୍ଗେ ଜବାଦ ଦିଏନା, ମୁଁ ତମକୁ କି ଆଉ କାହାକୁ ଭଲପାଏ ନାହିଁ । ମୁଁ ମୋର ମାଆଙ୍କୁ ଭଲ ପାଏ, ଆଉ ଭଲ ପାଏ ମୋର କାକାଙ୍କୁ ।

 

ତା’ର ଦୁଃସାହସିକ କାର୍ଯ୍ୟରେ ତା’ ସଙ୍ଗେ କରି ତାକୁ ଅନାଏଁ । ଅନ୍ୟ ପିଲାମାନଙ୍କୁ ଡାକେ ଓ ଫୁସୁଲାଏ । ଯିଏ ତା’ର କଥା ମାନେ, ସେ ତା’ପାଇଁ ସେ ତା’ର ବନ୍ଧୁ, ଆଉ ଯିଏ ତା’ର କଥା ନମାନେ, ସେ ହୁଏ ତା’ର ଶତ୍ରୁ ।

 

ମିତା ଆଜି ତା’ର ବନ୍ଧୁ ହୋଇଥିଲା । ମା’ କ’ଣ ଜାଣିପାରିଛନ୍ତି ? କେତେ ଜଣଙ୍କର ସ୍ୱାକ୍ଷର କରାଇ ଓ ସଙ୍ଗରେ ଆଉ ତିନି ଜଣ ଆଶ୍ରୟୀଙ୍କୁ ଧରି ଜୋନ୍‌ ପରିଚାଳକଙ୍କ ସଙ୍ଗେ ସାକ୍ଷାତ କରିବାକୁ ଉମରକେଟ ଯାଇଥିଲେ, ସେଥିପାଇଁ ସେ ପରିତ୍ରାଣ ପାଇଗଲେ ।

 

ପିତାଙ୍କର ଅନୁପସ୍ଥିତିର ସୁଯୋଗ ନେଇ ସୌମେନ୍‌ ଆଉ ତିନି ଚାରିଜଣ ଟୋକାଙ୍କୁ ସଙ୍ଗରେ ଧରି ଭାସ୍କରୀ ନଦୀରେ ଖିଅ ଜାଲ ପକାଇ ମାଛ ଧରିବାକୁ ତିନି କୋଶ ବାଟ ଦୂରକୁ ଯାଇ ରାତି ପହରକୁ ବଡ଼ ମାଛ ଧରି ଫେରିଲା । ସେଇଥିପାଇଁ ସେ ବି ଯମର ମରଣ କାମୁଡ଼ାରୁ ରକ୍ଷାପାଇଗଲା । ନୋହିଲେ ସେ ବି ଖସି ଯାଇଥାନ୍ତା ।

 

ସେ କୁଟୁମ୍ବର ଅଧେ ଲୋକଙ୍କୁ ନିପାତ କରିବାକୁ ଯମର ଦୂତ ବାଘ, ସାପ, ବସନ୍ତ କି ହଇଜା ଆସି ନଥିଲେ । ଜଙ୍ଗଲ ମଝିରେ ପୁରୁଣା ଆଦିବାସୀ ଗ୍ରାମମାନଙ୍କ ପାଖରୁ ବେଶ୍‌ ଦୂରରେ, ରାସ୍ତାକଡ଼ କ୍ୟାମ୍ପ୍‍ମାନଙ୍କରେ ଅସ୍ଥାୟୀ ଭାବରେ ବାସକରିଥିବା ଆଶ୍ରୟପ୍ରାର୍ଥୀଙ୍କ ସଂସାରରେ ଏସବୁ ନୂଆ ଘଟଣା ନୁହେଁ ।

 

ବିଛଣା ତଳୁ ସାପ ବାହାରେ । ରାତିରେ ଟେଣ୍ଟ୍ ଭିତରେ ବେଳେବେଳେ ସାପ ପଶି ହିସ୍‌ ହିସ୍‌ ହୁଅନ୍ତି । ଦୂର ବଣ–ପାହାଡ଼ରୁ ମହାବଳର ଛାତି ଦୋହଲା ପର୍ବତଥରା ରଡ଼ି ଶୁଭେ । କେବେ କେବେ ବାଘ ଗଡ଼ିପଡ଼େ ରାସ୍ତା ଉପରକୁ । ହାବୁଡ଼େ ପଡ଼ିଲେ ଜୀବନ ଯିବା କ୍ଷଣକର କଥା-। ନାଳର ଆବଦ୍ଧ ସଢ଼ା ପାଣିରେ ସ୍ନାନ କରିବା ଓ ସେହି ପାଣି ପିଇବା ଛଡ଼ା ବେଳେବେଳେ ଅନ୍ୟଗତି ନଥାଏ । ହଇଜା ବସନ୍ତ ଗ୍ରାମରେ ପଶନ୍ତି ।

 

କିନ୍ତୁ ବିପିନ୍‍ ଲିଡ଼ର୍‍ର ଅସ୍ଥାୟୀ ଘରେ ଏ ସବୁ କେହି ପଶି ନଥିଲେ । ଲୋଭରୁ ପାପ, ପାପରୁ ମୃତ୍ୟୁ । ବୁଢ଼ୀଙ୍କର ଅତି ଲୋଭହିଁ ସେ କୁଟୁମ୍ବର ବିନାଶର ହେତୁ ହୋଇଥିଲା । ଯେଉଁଦିନର ଘଟଣା, ତା’ ପୂର୍ବଦିନ ଆଦିବାସୀ ସ୍ତ୍ରୀଲୋକଟିଏ ସକାଳେ ଶାଗ ବିକିବାକୁ ଆସିଥିଲା-। ସେ ଆଣିଥିଲା ବରଡ଼ା ପତର ଶାଗ । ଦେଖିବାକୁ କଞ୍ଚନଗଛର କଅଁଳିଆ ପତ୍ର ପରି । କହିଗଲା, ମୁଗଡ଼ାଲିରେ ଏଇ ଶାଗ ପକାଇ ତିଅଣ ରାନ୍ଧିଲେ ବେଶ୍ ଭଲ ଲାଗେ ।

 

କେହି କେହି କିଣିଲେ । ଅନିମା ଚାରି ପଇସାର କିଣିଥିଲେ । ବିପିନ୍‍ ଲିଡ଼ର୍‍ର ସ୍ତ୍ରୀ ମଧ୍ୟ-। ସତକୁସତ ଖାଇବାକୁ ଭଲ ଲାଗିଲା । ପିଲାଛୁଆ ଘର, ବୁଢ଼ୀଙ୍କ ଭାଗକୁ ମୋଟେ ହାଣ୍ତି ପୋଛାପୋଛି ଅଧ ଡଙ୍କିଏ ।

 

ପରଦିନ ସକାଳେ ସବୁଦିନ ପରି ବୁଢ଼ୀ ତାଙ୍କର ଛୋଟ ନାତି ଓ ନାତୁଣୀଙ୍କୁ ସଙ୍ଗରେ ନେଇ କ୍ୟାମ୍ପ୍‍ ପାଖରୁ ଟିକିଏ ଦୂରରେ ଥିବା ଛୋଟ କାଦୁଆ ନାଳର ଅଟକ ପାଣି ଟୁବରେ ସ୍ନାନ କରିବାକୁ ଗଲେ । ନାଳ ଆରପାଖ ଜଙ୍ଗଲିଆ ଉଚ୍ଚ ଭୂଇଁରେ ଏ କଡ଼ ସେ କଡ଼ ହେଲାବେଳେ ଦୃଷ୍ଟି ପଡ଼ିଲା ଗୋଟିଏ ବରଡ଼ା ଲଟା ଉପରେ । ବୁଦା ପାଖରେ ଶିଆଳି ଓ କଣ୍ଟାଳିଆ ମୃତରି ପାଖରେ ବରଡ଼ା ଶାଗର ଲଟା ଭୂତ ପରି ମାଡ଼ିଛି । ବେଶ୍ ଛନଛନିଆ । ତୋଳିଲେ ଦୁଇ ଟୋକେଇ ବାହାରିବ ।

 

ଭାବିଲେ–ଦେଖ ତ, ଏଇ ଜଙ୍ଗଲରୁ ତୋଳି ନେଇ ସେ ଆଦିବାସୀ ଝିଅଟି ବିକି ପଇସା ରୋଜଗାର କରୁଛି ! ଦୁଇ ଅଣାକୁ ଯେତିକି ଶାଗ ସେ ଦେଇଥିଲା, ନିଅଣ୍ଟ ହେଲା । ଭଗବାନ ସହାୟ, ସେ ବରଡ଼ା ଶାଗର ଆସ୍ଥାନ ଆବିଷ୍କାର କରିଛନ୍ତି । ତାକୁ ସେ ଗୋପନ ରଖିବେ । କ୍ୟାମ୍ପ୍‍ର ଆଉମାନେ ଜାଣିଲେ ଘଣ୍ଟାକରେ ସବୁ ଶେଷ ହୋଇଯିବ । ଡବଡ଼ବୀ ଧଡ଼ିଆ ଧେଡ଼ଙ୍ଗ ଦଶବର୍ଷର ନାତୁଣୀ ଟୋକୀକୁ କେଉଁ ବିଶ୍ୱାସ ! ସେ ପ୍ରଘଟ କରିଦେବ । ସାତବର୍ଷର ସାନ ନାତିଟି ଯେ ଥାକୁଲ ଥାକୁଲ କାଦୁଅ ମେଞ୍ଚା, ତାକୁ ଭୟ ନାହିଁ ।

 

ଆକାଶରେ ତେଜୀୟାନ ସୂର୍ଯ୍ୟ ହସୁଛି । ସ୍ନାନ ଶେଷ କରି ବୁଢ଼ୀ ଓ ତାଙ୍କର ଗେଲବସର ନାତୁଣୀ ଶାଗ ତୋଳିଲେ । ବୁଢ଼ୀଙ୍କର ଅଣ୍ଟି ଭରିଗଲା ।

 

ଭାବିଲେ, ସେତିକି ଥାଉ । ଚାରି ଅଣାର ହେବ । ବାକିତକ କାଲି ନିଆଯିବ ।

 

ବୁଢ଼ୀ ଦେଖି ମଧ୍ୟ ଦେଖିପାରିଲେ ନାହିଁ ଯେ ଯେଉଁ ବରଡ଼ା ଶାଗ ସେ ଏତେ ଆଗ୍ରହରେ ତୋଳୁଛନ୍ତି, ସେଥିରେ ଆଂଶ ଅଛି । ବିଛୁଆତିପତ୍ରର ଆଂଶ ପରି କିନ୍ତୁ କୋମଳ ଓ ଛୋଟ । ସେ ଜାଣି ମଧ୍ୟ ଜାଣିବାକୁ ଆଗ୍ରହ କଲେ ନାହିଁ ଯେ ଯେଉଁ ବରଡ଼ା ଶାଗ ସେ ଅତି ଆନନ୍ଦରେ ତୋଳି ନେଉଛନ୍ତି, ସେଥିରେ ଧୋବଲା କ୍ଷୀର ବାହାରୁଛି ।

 

ସକାଳୁ ଉଠି ବିପିନ୍‍ କର୍ମକାର ଉମରକୋଟ ଚାଲିଯାଇଥିଲେ । ଗ୍ରାମସେବକ କାମ ନ କରି ଡି–ପିଙ୍କର ହାଲ୍‍ଚାଲ୍ ନ ବୁଝି କେବଳ ଗାନା ବାଜଣାରେ କେବଳ କଟାଉଛନ୍ତି । କ୍ୟାମ୍ପ୍‍ର ବାସିନ୍ଦାମାନଙ୍କ ଭିତରେ ରାଜନୀତି ପ୍ରଚାର କରୁଛନ୍ତି । ତାଙ୍କୁ ଅନ୍ୟ କେଉଁଠିକୁ ବଦଳି କରି ଅନ୍ୟ ଜଣେ ବୟସ୍କ ଗ୍ରାମସେବକଙ୍କୁ ପଠାଇବାକୁ ବିପିନ୍‍ କର୍ମକାରଙ୍କର ଆବେଦନ । ଚଗଲା ସୌମେନ୍ ସାଙ୍ଗ ଟୋକାଙ୍କ ସଙ୍ଗେ ମାଛ ମାରିବାକୁ ଚାଲିଯାଇଛି । ଅତି କଷ୍ଟରେ ଅଷ୍ଟମ ଶ୍ରେଣୀ ଯାଏଁ ସେ ପାଠ ପଢ଼ିଲା । କ୍ୟାମ୍ପ୍‍ର ଇଉ.ପି. ସ୍କୁଲ୍‍ରେ ଆଉ ତା’ପାଇଁ ପାଠ ନାହିଁ । ସ୍କୁଲ୍‍ର ଚଷମା ପିନ୍ଧା ରାବୀନ୍ଦ୍ରିକ କେଶିଆ ଅଳ୍ପ ବୟସିଆ ପ୍ରଧାନ ଶିକ୍ଷକ ଡରିଡ଼ରିକା ତା’ ସଙ୍ଗେ ବନ୍ଧୁତା ସ୍ଥାପନ କରିଛନ୍ତି-

 

ସୌମେନ୍‌ର କାହାକୁ ଡର ଭୟ ନଥାଏ । ଜନ୍ମକଲା ମାଆଙ୍କୁବି ସେ ମୁହେଁ ମୁହେଁ ଜବାବ ଦିଏ । କେବଳ ଆଈଙ୍କର ଗାଳିକୁ ତା’ର ଡର । ମାଛ ଆଞ୍ଜୁଳିଏ ଆଗରେ ଅଜାଡ଼ି ଦେଲେ ଆଈଙ୍କର ଲାଳୁଆ ପାଟିରୁ ଟାଣ କଥା ବାହାରେ ନାହିଁ ।

 

ସୋମୁ ମାଛ ଆଣିବ । ଝାଲ ହେବ । ଚଡ଼ଚଡ଼ି ହେବ । ସେସବୁ ହେବ ରାତିକୁ । ଏ ବେଳା ଏଇ ବରଡ଼ାପତ୍ର ଡାଲଣା ଲଗାଇ ଖାଇଦିଅରେ ପିଲାଏ ! ଆଗୋ ବୋହୂ, ତୁମେ କାହିଁକି କାହାକୁ ଅନାଇ ବସିବ ? ତୁମେବି ମୁଠିଏ ଖାଇଦିଅ । ମୋତେବି ଗଣ୍ତିଏ ବାଢ଼ିଦିଅ । ସମୟ ହେଲାଣି ମଧ୍ୟାହ୍ନ । ଟିକିଏ ଖାରିଆ ଖାରିଆ ପିତୁଳି ଲାଗୁଛି ଡାଲ୍‌ନାଟା । ପରଜଣାଟି ବେଶ୍‌ ବାସୁଛି-। କଅଁଳ ପତ୍ର ବୋଲି କଷା–ପିତା ପଣ ଭାଙ୍ଗି ନଥିବ । କାଲିକି ଯେଉଁ ଶାଗ ଆଣିବେ ସେ ଟିକିଏ ପାକଳିଆ ହୋଇଥିବ ଯେ ତା’ର କଷା ଦୋଷ ଭାଙ୍ଗିଯାଇଥିବ । ଏହିପରି ବୁଢ଼ୀ ବୁଝାଇଦେଲେ, ନିଜ ମନକୁ ସାନ୍ତ୍ୱନା ଦେଲେ !

 

ସୌମେନ୍‌ ଫେରିଲା ସନ୍ଧ୍ୟା ପରେ । ତା’ ଭାଗ ମାଛ ଅଣ୍ଟିଏ ହେବ । ଅନିମାଙ୍କ ଆଗରେ କୁଢ଼େଇ ଦେଇ ସେ କାନ୍ଦି କାନ୍ଦି କହିଲା, ମା’ ଆଈ ଆଉ ମୋର ଭାଇ ଭଉଣୀ ଦିହେଁ କେଉଁ ବିଷାକ୍ତ ଶାଗ ଖାଇଛନ୍ତି ମାଉସୀ, ବାନ୍ତି ଉଛାଳ ଓ ଝାଡ଼ାରେ ଘର ଭାସୁଛି । ପିଲା ଦୁଇଟା ହତଜ୍ଞାନ ହୋଇ ପଡ଼ିଛନ୍ତି । ଅମିୟ ମଉସା କାହାନ୍ତି ? ବାପା ତ ଉମରକୋଟରୁ ଫେରି ନାହାନ୍ତି ।

 

ସମସ୍ତେ ବିପିନ୍‍ କର୍ମକାରଙ୍କ ଘରେ ରୁଣ୍ତ ହେଲେ । ସେ ତ ଫେରି ନାହାନ୍ତି କିନ୍ତୁ ତାଙ୍କୁ ଅପେକ୍ଷା କଲେ ଚାରୋଟି ପ୍ରାଣୀଙ୍କର ଜୀବନ ଯିବ । ଆମ୍ୱୁଲାନ୍‌ସ୍ ଗାଡ଼ି ମଗାଇ ଗ୍ରାମସେବକ, ଅମିୟ ଓ କେତେଜଣ ଗ୍ରାମବାସୀ ଚାରୋଟି ପ୍ରାଣୀଙ୍କୁ ଉମରକୋଟ ନେଲେ । ବିପିନ୍‍ ସେଇଠି ଖବର ପାଇଲେ ।

 

ଚିକିତ୍ସା ଚାଲିଲା । ଦିନକ ପରେ ଦୁର୍ବଳିଆ ଝିଅଟି ଆଖି ବୁଜିଲା । ଦୁଇ ଦିନ ପରେ ତା’ର ମା’, ଚାରି ଦିନ ପରେ ଛୋଟ ପୁଅଟି ମଧ୍ୟ ଖସିଗଲା । ବୁଢ଼ୀଙ୍କର ନିଉଛୁଣା ଜୀବନ ଅଟକି ରହିଲା ନିଜ ଅବିବେକତା ଓ ଅତିଲୋଭର ବିଷଫଳ ଚଖାଇ ଅନୁତାପ କରିବାକୁ ଯମରାଜା ତାଙ୍କୁ ଜାଣି ଜାଣି ଛାଡ଼ିଗଲେ ପରା !

 

ଚଉଦ

 

ନଅବର୍ଷ ପୂର୍ବେ ସ୍ୱାମୀ, ଦେବର ଓ ସାନ ସାନ ଭେଣ୍ତାପୁଅ ଦିଓଟିଙ୍କୁ ପୂର୍ବବଙ୍ଗର ନିଜ ଗ୍ରାମରେ ସେ ହରାଇଥିଲେ । ଆତତାୟୀ ଧର୍ମାନ୍ଧମାନଙ୍କ ସଙ୍ଗେ ଲଢ଼େଇ କରି ସେମାନେ ତାଙ୍କ ଦେହର ଶେଷ ରକ୍ତବିନ୍ଦୁ ହୋଇ ଆତତାୟୀମାନଙ୍କର ପ୍ରାଣନେଇ ଗ୍ରାମଦାଣ୍ତରେ ନିଜେ ଟଳି ପଡ଼ିଥିଲେ । ଜୀବନ ଓ ସମ୍ମାନ ରକ୍ଷା କରିବାକୁ ବଡ଼ପୁଅ ବିପିନ୍‍ ଓ ବୋହୂ ଏବଂ ଛୋଟ ନାତିଟି ସଙ୍ଗରେ ଲୁହ–ଝରା ଆଖିରେ ସେ ପୂର୍ବବଙ୍ଗରୁ ଚାଲି ଆସିଥିଲେ । ଧୀରେ ଧୀରେ ତାଙ୍କର ଛାତି ପଥର ହୋଇଥିଲା । ଆଖିରୁ ଝରଣା ଶୁଖିଯାଇଥିଲା । ଅତୀତ ଜୀବନ ଓ ସେ କାଳର ଆଭିଜାତ୍ୟ ସ୍ୱପ୍ନରେ ପରିଣତ ହୋଇଥିଲା ।

 

ବଧୂ ଓ ନାତିନାତୁଣୀଙ୍କର ମରଣ ତାଙ୍କର ପଥୁରିଆ ମନକୁ ଦୋହଲାଇ ଦେଲା । ସେ ହେଲେ ଅଧ–ବାଇଆଣୀ । ନଥିଲା ଲୋକଙ୍କର ଗୁଣ ସୁମରି ନିଜର ଓ ନିଜ କପାଳର ଦୋଷ ଦେଇ ଦିନରାତି ରୋଦନ କରିବା ତାଙ୍କର ପ୍ରକୃତି ପାଲଟିଲା । ବିପିନ୍‍ କର୍ମକାର ମୂକ ପାଲଟିଲେ । ନିଶ୍ଚେଷ୍ଟ ହୋଇ ସେ ଘରେ ବସିଲେ । ତୁଣ୍ତରୁ କଥା ବାହାରିଲା ନାହିଁ । ନୟନରୁ ଲୋତକ ଝୁରିଲା ନାହିଁ । ପରର କଥା ସେ କାନରେ ପକାନ୍ତି ନାହିଁ । ସୌମେନ୍‍ର ବାରଚାଉଳିଆ ଢଙ୍ଗ ଦିନାକେତେ ଅଟକି ରହିଲା । ଘର କାମରେ ସେ ମନଦେଲା । ନିଜେ ଚୁଲିରେ ହାଣ୍ତି ବସାଇ ଆଈ ଓ ବାପାଙ୍କୁ ରୋଷେଇ କରି ଦେଲା ।

 

ସେହି କୁଟୁମ୍ବର ଏହିପରି ଦୁର୍ଦ୍ଦିନରେ ସେମାନଙ୍କର ଦୁଃଖଦୁର୍ଦ୍ଦଶାରେ ସମସ୍ତେ ତ ସମବେଦନା ପ୍ରକାଶ କରିଥିଲେ । ସହାନୁଭୂତି ଦେଖାଇ ସାହାଯ୍ୟ କରିବାକୁ ଆଗେଇ ଆସିଲେ ପଡ଼ୋଶୀ ଅନିମା । ଅଧ–ପାଗଳୀ ବୁଢ଼ୀ ବେଲାରାଣୀଙ୍କୁ ସେ ମାଉସୀ ବୋଲି ଡାକନ୍ତି । ବୁଢ଼ୀ ମାଉସୀଙ୍କର ବେଳେବେଳେ ସେ ସେବା କରନ୍ତି, ଯତ୍ନ ନିଅନ୍ତି । ଅମିୟବି ବିପିନ୍‍ଙ୍କର ଦୁଃଖରେ ସମଦୁଃଖୀ ହୁଏ । ପାଖକୁ ଯାଇ ବୁଝାସୁଝା କରେ । ସାନ ପିଲାଟିଏ । ସେ ସୋମୁକୁ ସାହାଯ୍ୟ କରେ ।

 

ଘନିଷ୍ଠତା ବଢ଼ି ଆସିଥିଲା ।

 

ଯେତେ ବଡ଼ ଦୁଃଖ ହେଲେବି ତା’ର ରିହ ଅଧିକ ଦିନ ରହେନାହିଁ । ଧୀରେ ଧୀରେ ବୁଢ଼ୀ ପ୍ରକୃତିସ୍ଥ ହୋଇ ଉଠିଲେ । ଘରକାମରେ ମନଦେଲେ । ବିପିନ୍‍ଙ୍କର ବିଷଣ୍ଣଭାବ କଟିଲା । ସେ ଘର ଛାଡ଼ି ପଦାକୁ ବାହାରିଲେ । ନିଜର କର୍ମରେ ଯୋଗଦେଲେ । ଲୋକଙ୍କର ଭଲମନ୍ଦ ଶୁଣିଲେ, ବୁଦ୍ଧି ବଢ଼ାଇଲେ । ପିଟିସନ୍‌ ଲେଖି ପୁଣି କର୍ମଚାରୀମାନଙ୍କୁ ହରବର କଲେ । ପୁଣି ସେ କ୍ୟାମ୍ପ୍‍ର ଲିଡ଼ର୍ ନାମରେ ପରିଚିତ ହେଲେ । ସୋମୁର ପୁରୁଣା ପ୍ରକୃତି ଫେରିଆସିଲା । ଚଗଲାମି ତା’ର ବଢ଼ିଲା ପଛେ, କମିଲା ନାହିଁ ।

 

ଘନିଷ୍ଠତା ବଢ଼ି ଆସିଥିଲା ସେହି ଜାମୁରଣ୍ତା କ୍ୟାମ୍ପ୍‍ରେ । ସୋମୁ ଘନଘନ ଯାଏଁ ଅନିମାଙ୍କର ଅସ୍ଥାୟୀ ଘରକୁ । ଅନିମାଙ୍କୁ ମାଉସୀ ବୋଲି ଡାକେ, ବୋଲହାକ କରି ତାଙ୍କୁ ଖୁସି କରିବାକୁ ଚେଷ୍ଟାକରେ । କାହିଁ କେଣେ ସଙ୍ଗରେ ଯିବାକୁ ଅମିତାକୁ ଆଖିଠାର ମାରେ । ବାଗଉଣ୍ତି ଏକୁଟିଆ ଦେଖି କହେ ଚାଲମ ମିତା ଆଉ କେତେ ପିଲାବି ଯାଉଛନ୍ତି, ଆମେ ଆଜି ଫାଶ ବସାଇ ଜଙ୍ଗଲ ଭିତରେ ଠେକୁଆ ଧରିବା ।

 

ଯିବାକୁ ଅମିତାର ମନ ଛକପକ ହୁଏ କିନ୍ତୁ, ମାଆଙ୍କର ବିନା ଅନୁମତିରେ ସେ ଯିବାକୁ ସାହସ କରେ ନାହିଁ । ମାଆଙ୍କୁ ପଚାରିଲେ ସେ କେଉଁ କାମରେ ଆରା ଦେଖାଇ ହସହସ ହୋଇ ମନା କରିଦିଅନ୍ତି ।

 

ବିପିନ୍‍ କର୍ମକାର ବେଳେବେଳେ ଆସନ୍ତି । ଅମିୟ ସଙ୍ଗେ କଥାଭାଷା ହୁଅନ୍ତି । ଅମିୟ ତାଙ୍କର ସବୁ ମନ୍ତ୍ରଣା ଓ ପରାମର୍ଶ ଶୁଣେ । ଅଳପ କଥାରେ ଜବାବ ଦିଏ ବିପିନ୍‍ ଲିଡ଼ର୍‌ଙ୍କର ଯନ୍ତାରେ ସେ ମୁଣ୍ତ ଗଳାଏ ନାହିଁ । ନିଜର ବୁଦ୍ଧିହୀନତା ଓ ଅପାରଗତାକୁ ଅସ୍ତ୍ର କରି ସେ ନିଜର ନିଃସହାୟତା ଢାଲର ପଛରେ ଆଶ୍ରାନେଇ ପଛେଇ ଆସେ ।

 

ବିପିନ୍‍ ଅନିମାଙ୍କୁ ଭାଉଜ ବୋଲି ଡାକନ୍ତି ତାଙ୍କ ସଙ୍ଗେ ଗଳ୍ପକରି କଥା ଜମାଇବାକୁ ଚେଷ୍ଟା କରନ୍ତି । ଅତୀତର ଅନ୍ଧାର ଭିତରେ କ’ଣ ସବୁ ଘଟିଥିଲା, ଅମିତାର ବାପା କେଉଁଠି ଥାଇ ପାରନ୍ତି, ସେ ସଂସାରତ୍ୟାଗୀ କି ସଂସାରରେ ଥାଇ ଅନ୍ୟ ଧର୍ମାବଲମ୍ବୀ ଇତ୍ୟାଦି ବିଷୟରେ ଖବର ବାହାର କରିବାକୁ ଚେଷ୍ଟାକରନ୍ତି ।

 

ଅନିମା ମୁଣ୍ତରେ ଓଢ଼ଣା ଦେଇ ଅଳପ କଥାରେ ଜବାବ ଦିଅନ୍ତି । ତାଙ୍କ ଭାଇ ଅମିୟଙ୍କୁ ପଚାର, ସେ କହିପାରିବେ । ଅମିୟକୁ ପଚାରିଲେ ସେ ଉତ୍ତର ଦିଏ, ଆମେବି ଏସବୁ ପ୍ରଶ୍ନର ଉତ୍ତରକୁ ଉଦ୍‌ବିଗ୍ନ ହୋଇ ଅପେକ୍ଷା କରି ରହିଛୁ ।

 

ଅନିମା ନିଜ କାର୍ଯ୍ୟରେ ବ୍ୟସ୍ତ ରହନ୍ତି । ଅମିତାକୁ ବୋଲହାକ କରିବାକୁ ପାଖେପାଖେ ରହିବାକୁ କହନ୍ତି । ଅମିୟ ତା’ର କାର୍ଯ୍ୟରେ ମନଦିଏ । ବିପିନ୍‍ ଲିଡ଼ର୍‍ଙ୍କର ଗଳ୍ପ ଜମେ ନାହିଁ । କପେ ଚା’ ଓ ଦିଖଣ୍ତି ଜରଦାଦିଆ ପାନ ଟିକସ ନେଇ ସେ ଅନ୍ୟ କାହାଘରେ ଗପ ଜମାଇବାକୁ ଓ ଡ଼ି.ପି. ପଲିଟିକ୍‌ସ୍‍ର ସୂତ୍ରପାତ କରି ଅନ୍ୟମାନଙ୍କୁ ମତାଇବାକୁ ଚାଲିଯାଆନ୍ତି । ପୂର୍ବବଙ୍ଗରେ ଥିଲାବେଳେ ସେ ଜଣେ କମ୍ୟୁନିଷ୍ଟ ଥିଲେ ବୋଲି ଚୁପ୍‌ଚୁପ୍‌ କଥା ଶୁଣାଯାଏ ।

 

ବିପିନ୍‍ଙ୍କର ମା’–ବୁଢ଼ୀ କେବେ କେମିତି ଦୁଇ ପ୍ରହରରେ ଅନିମାଙ୍କର ଅସ୍ଥାୟୀ ଘରକୁ ଆସନ୍ତି । ଥରେ ଆସିଲେ ସେ ଆଉ ଉଠିଯିବାକୁ ମନ କରନ୍ତି ନାହିଁ । କେତେ କାଳର କେତେ ଘଟଣା ସେ ବର୍ଣ୍ଣନା କରନ୍ତି । ଥିଲା ନଥିଲା ସବୁ ଲୋକଙ୍କର । ଆଖିରୁ ଶ୍ରାବଣର ଧାରା ପରି ଲୋତକ ଝରେ ନଥିଲା ଲୋକଙ୍କର କର୍ମ ଓ ଗୁଣ ସୁମରଣା କରି ସେ ଅଧୀର–ଅସ୍ଥିର ହୁଅନ୍ତି ବିଶେଷତଃ ତାଙ୍କରି ବୋହୂ ସୌମେନ୍‌ର ମାଆକୁ ସ୍ମରଣା କରି ସେ କାନ୍ଦନ୍ତି ।

 

କହନ୍ତି, ମରୁ ମରୁ ମୁଁ ବଞ୍ଚିଗଲି ସିନା ! ଜୀବନ ହାରିଦେବାକୁ ମୁହୂର୍ତ୍ତେ ଲାଗିବ ନାହିଁଗୋ ବୋହୂ, କିନ୍ତୁ ମୁଁ ମରିବାକୁ ଚାହୁଁନାହିଁ । ଯେଉଁ ଅପରାଧ, ଯେଉଁ ପାପ ମୁଁ କରିଛି, ତାଆରି ପ୍ରତିଫଳ ପାଇବାକୁ ମୁଁ ବଞ୍ଚି ରହିବି । ଏଇ ଜୀବନରେ ମୁଁ ମୋର ନରକଦଣ୍ତ ଭୋଗ କରିଯିବି ।

 

ବୁଢ଼ୀ ଆଖିରୁ ଲୁହ ପୋଛନ୍ତି । ଅମିତା ଦେଖେ, ତା’ କୋହକୁ ଯେତେ ଚାପି ରଖିବାକୁ ଚେଷ୍ଟାକଲେବି ସେ ପାରନ୍ତି ନାହିଁ । ତାଙ୍କର ହସହସ ସୁନ୍ଦର ମୁହଁ କେଉଁ ଅଜଣା ଦୁଃଖର ତାପରେ ମହଳଣ ଦିଶେ । ସେ ଗମ୍ଭୀର ଦିଶନ୍ତି । ଓଠ ଥରଥର ହୁଏ । ନାକପୁଡ଼ା ଦିଓଟି ଫୁଲିଫୁଲି କମ୍ପେ ଦମକା ପବନ ପରି ଛାତିଥରାଇ କୋହ ଉଠେ; ରହିରହିକା ନିଃଶ୍ୱାସ ଯା–ଆସ କରେ । ଲୋତକର ଧାର ଚକ୍ଷୁରୁ ଗଡ଼େ ।

 

ବୁଢ଼ୀ ଉତ୍ତେଜିତ ହୋଇ କହନ୍ତି, ମୁଁ ଜାଣେ, ମୁଁ ଭଲକରି ଜାଣେଗୋ ବୋହୂ, ତୋର ମନଟି କୋମଳ, ସ୍ନେହଶୀଳ । ପରର ଦୁଃଖ–ଦୁର୍ଦ୍ଦଶା କଥା ଶୁଣିଲେ ତୋର ମନ ମନ୍ଥି ହୋଇଯାଏ-। ଅନ୍ୟର ଆଖିର ଲୁହ ଦି’ଧାର ମୋର ସନ୍ତୁଳି ହେଲା କଲବଲ ଜୀବନକୁ ଟିକିଏ ସାନ୍ତ୍ୱନା ଦିଏ-! ସେଇଥିପାଇଁ ତୋ ପାଖକୁ ମୁଁ ଘରଛାଡ଼ି ଧାଇଁ ଆସେ । ଆଲୋ ମା’, ତୁ ତୁଣ୍ତ ନ ଖୋଲିଲେ କ’ଣ ତୋ ଜୀବନର ଦୁଃଖ ମୁଁ ବୁଝିପାରୁନି ? ଆଶା–ଦୁରାଶା ତୋର ଛଟପଟ ଆତ୍ମାକୁ ସବୁବେଳେ ଦୁଇ ଆଡ଼ୁ ଓଟାରୁଛନ୍ତି ଯେ !

 

ଅନିମା କହନ୍ତି, ତୁନି ହ ମାଉସୀ !

 

ବୁଢ଼ୀ କହନ୍ତି, ତୁନି ହେଉଛି । ମୋର ସେଇ ଚଗଲା ନାତି ସୋମୁ ଯଦି ଆଉଟିକେ ବଡ଼ ହୋଇଥାନ୍ତା, ଆଉ ତୋର ଝିଅ ଏଇ ମିତା ଯଦି ବଡ଼ ହୋଇଥାନ୍ତା, ଦୁହିଁଙ୍କୁ ଆମେ ଛନ୍ଦି ଦିଅନ୍ତେ । ସୋମୁଟା ବେଶ୍‌ ବୁଦ୍ଧିଆ, ଆଉ କାମିକା । ସୋମୁ ମିତାକୁ ଭାରି ଭଲପାଏ । ତା’ ବୁଦ୍ଧିକୁ ପ୍ରଶଂସା କରି ମୋ ଆଗରେ ଗପେ ।

 

ଅମିତା ଦେଖେ, ତା’ର ମା’ ଲୁହଝରା ଆଖିରେ ତା’ ମୁହଁକୁ ଅନାନ୍ତି । ତାଙ୍କର ଦୃଷ୍ଟି ଯେପରି ତାକୁ ଶାସନ କରେ, ତିରସ୍କାର କରେ । ସୋମୁ ସଙ୍ଗେ ମିଶିବାକୁ, ବୁଲିବାକୁ, ତାଙ୍କ ଘରକୁ ଯିବାକୁ ତୋତେ ମୁଁ ମନା କରିଥିଲି ମିତା ସେ ଚଗଲା ପିଲା ।

 

ଅମିତାର ମୁହଁରେ ଉକୁଟେ ମୁଁ ତୋର କଥା ମାନିଛି, ତେଜ । ଅନିମା ବାରବର୍ଷର ବଢ଼ି ଆସୁଥିବା ଝିଅଟିର ହାତଧରି ପାଖରେ ବସାନ୍ତି । ତା’ର ମୁଣ୍ତଟିକୁ ଛାତିରେ ଯାକି କହନ୍ତି, ମିତା ମୋର ଦୁଧଖିଆ ଛୁଆଟା ମାଉସୀ !

 

ହଁ, ମା’ଦୁର୍ଗା ତାଙ୍କୁ ଆଇଷ ଦେଇଥାଆନ୍ତୁ । ସୋମୁ କେବେ ବଡ଼ ହେବ, ମଣିଷ ହେବ, ଘରକୁ ବୋହୂ ଆସିବ, ସେ ସଂସାର କରିବ, ସେ କଥା ମୁଁ ଭାବୁନାହିଁଗୋ ବୋହୂ, ସେତେ ଦିନ ଯାଏଁ ମୋର ଏଇ ପୋଡ଼ା ପ୍ରାଣ ମୋର ଦଦରା ଦେହରେ ନଥିବ । ମଣିଷ ଆଶାକରି ବଞ୍ଚେ । ଘର ଝଡ଼ବରଷାରେ ଭାଙ୍ଗି ଅଜାଡ଼ି ହୋଇ ପଡ଼ିଲେ ଅବା, ଅଚାନକ ନିଆଁରେ ପୋଡ଼ିଜଳି ପାଉଁଶ ହେଲେ ଶକ୍ତିସାମର୍ଥ୍ୟ ଥିବା ମଣିଷ କ’ଣ ଅଟକି ରହେ ? ଭଙ୍ଗା ଘରକୁ ସେ ସଜାଡ଼େ । ପୋଡ଼ା ଢିଅ ଉପରେ ସେ ନୂଆ କରି ଭଲ ଘର ବାନ୍ଧେ । ବିପିନ୍‍ ମୋର ବୁଢ଼ାହଡ଼ା ହୋଇ ନାହିଁ । ସେ ହଁ କହିଲେ ତା’ପାଇଁ କେଉଁଠି ବୋହୂଟିଏ ସ୍ଥିର କରନ୍ତି । ମୋ କଥା ସେ କାନକୁ ନେଉ ନାହିଁ । ଭଲ ହୁଅନ୍ତା ନାହିଁ ?

 

ଅନିମା ଅମିତାକୁ ମୁକ୍ତି ଦେଇ କହନ୍ତି, ପରଘରର ଭଲମନ୍ଦ ବିଚାରି କାହାକୁ ପରାମର୍ଶ ଦେବା ପରି ବୁଦ୍ଧି ବିବେକ ମୋର ନାହିଁ ମାଉସୀ ମୋର ଛୋଟ ସଂସାରର ଭାବନା ମତେ ବଳେଇ ପଡ଼ିଛି । ତୁମେ ଅଭିଜ୍ଞ ! ତୁମର ପୁଅ ବୁଦ୍ଧିମାନ । ଏ କ୍ୟାମ୍ପ୍‍ର ମୁରବି ତୁମେ ତୁମର ସଂସାରର ଭଲମନ୍ଦ ଓ ସୁଖ ଶାନ୍ତିପାଇଁ ଯାହା ଉଚିତ ମନେକରୁଛ କରିବ ।

 

ବୁଢ଼ୀ କହନ୍ତି, ମୁଁ ସେଇ କଥା ତାକୁ କହିଲି । ସେ କାନରେ ପୂରାଉ ନାହିଁ । ଜବାବ ଦେଉ ନାହିଁ । ରାତିରେ ଶୋଇବାକୁ ଆସେ । ଯାହା ଗଣ୍ତିଏ ଖାଇ ଦେଇ ସେ ଛୁଟ କରି ଶୋଇପଡ଼େ । ସକାଳେ ଚା’ କପେ ଖାଇ ଚାଲିଯାଏ ଯେ ଆସେ ଦିପହରେ । ଯାହା କହନ୍ତି, ଠିଆ ଠିଆ ମୁଠିଏ ଖାଇ ଦେଇ ପୁଣି ଚମ୍ପଟ୍ । କୁଆଡ଼େ ଯେ ଯାଏଁ, ଆଉ କ’ଣ କରେ ତାକୁହିଁ ଜଣା । ବୋହୂଟି ମଲାଦିନରୁ ତା’ର ପ୍ରକୃତି ଅଧିକ ଉଦାସିଆ ହୋଇଛି ।

 

ଅନିମା ଉଠୁ ଉଠୁ ଅଟକନ୍ତି । ଚାପୁଡ଼ି ବୁଢ଼ୀଙ୍କୁ ଗପ କରିବାକୁ ପ୍ରଶ୍ରୟ ଦେଲେ ସେ ବସି ଗପୁଥିବେ । ନିଜେ ଉଠିଯିବାକୁ ମନ କରିବେ ନାହିଁ ।

 

ବୁଢ଼ୀ ପୁଣି କହନ୍ତି, ବସଲୋ ମା’ ଆଉ ଟିକିଏ । ମନରେ ଛଟପଟ ହେଉଥିବା ଭାବନାଗୁଡ଼ିକ ପଦାକୁ କାଢ଼ି ପକାଇଲେ ମୁଁ ଶାନ୍ତି ପାଏ । ଆଉ କେହି ଶୁଣନ୍ତି ନାହିଁଗୋ ବୋହୂ ! କଥା ଆରମ୍ଭ କଲେ କାମ ବାହାନାରେ ଯିଏ ଯୁଆଡ଼େ ଉଠି ପଳାନ୍ତି । ଜଣକର ଦୁଃଖ ଆଉ ଜଣେ ଗ୍ରହଣ କରିବାର ଉଦାରତା ଏକା ମୁଁ ତୋଠାରେ ଦେଖେ । ସେଇଥିପାଇଁ ତତେ ମୁଁ ଏତେ ଭଲପାଏ ।

 

ଅନିମା କହିଲେ, ସେତକ ତମର ମହତପଣିଆ ।

 

ବୁଢ଼ୀ କହିଲେ, ସୁନା ଯିଏ, ସିଏ ସୁନା । ସମସ୍ତେ ତ ତୋର ପ୍ରଶଂସା କରନ୍ତି । ଆଉ ବିପିନ୍‍, ଅଳ୍ପ କଥା ତ ସେ ମତେ କହେ, ତମ ଘରକଥା କେବେ ପଡ଼ିଲେ ତୋର ପ୍ରଶଂସା କରିବାରେ ଯାହା କହନ୍ତି ସେ ଚତୁର୍ମୁଖ ବ୍ରହ୍ମା ହୋଇ ପଡ଼େ–ଅନିମା ଭାଉଜ ଭାରି ଭଲ, ଅତି ଭଦ୍ର, ଘରକରଣାରେ ଅତି ପଟୁ, ପରିଷ୍କାର ପରିଚ୍ଛନ୍ନ, ଧୀରସ୍ଥିର ମାନମହତ–ଦେଖିବ ତାଙ୍କରି ପାଖରେ, ଅଳ୍ପ କଥା କହନ୍ତି, ପରଘରର ଚର୍ଚ୍ଚା କରନ୍ତି ନାହିଁ । ବିପିନ୍‍ ଗପେ ବାର ବର୍ଷିଆ ଝିଅର ମା’ ବୋଲି କିଏ କହିବ ତାଙ୍କୁ ମା’, ଯେମିତି ସୁନ୍ଦର, ସେମିତି ସ୍ୱାସ୍ଥ୍ୟ–

 

ପର ମୁହଁରେ ମାଆଙ୍କର ପ୍ରଶଂସା ଶୁଣି ଅମିତାର ମନ କୁରୁଳି ଉଠେ । ସତେ, ତା’ର ମା’ କେଡ଼େ ଭଲ, କେତେ ସୁନ୍ଦର ! ସମସ୍ତେ ଏହା କହନ୍ତି । ଅମିତା ଆହୁରି ଛୋଟପିଲା ହୋଇଯାଏ । ଅନିମାଙ୍କର ପିଠିରେ ନାଉ ହୋଇ ବେକ ଚାରିପାଖେ ଦୁଇ ବାହୁ ବେଢ଼ାଇଦିଏ । ବୁଢ଼ୀଙ୍କର ପ୍ରଶଂସିଲା କଥାର ଉତ୍ତର ଦିଅନ୍ତି ଅନିମା ଥରଥର ଭୟ–ବିକଳିଆ କଣ୍ଠରେ । ତମର ଗୋଡ଼ ଧରୁଛି । ସେତିକି କହିଥା ମାଉସୀ, ମୋ ରୂପଗୁଣର ପ୍ରଶଂସା ମୁଁ କାହାରି ମୁହଁରୁ ଶୁଣିବାକୁ ଚାହେଁ ନାହିଁ । କଲ୍ୟାଣ କର ମୋର, ମରଣ ହେଉ । ଯେଉଁମାନଙ୍କୁ ମୁଁ ହରାଇ ଆସିଛି, କି ସୁଖ ଆଶାରେ ମୁଁ ନିଜେ ତ ଜାଣି ନଥିଲି, ସେଇମାନଙ୍କ ସଙ୍ଗେ ଶୀଘ୍ର ମୋର ଉଯନ୍ତି ଆତ୍ମାର ମିଳନ ହେଉ ।

 

ମାଆଙ୍କର କଥା ଶୁଣି ଅମିତା ହାତ ଖସାଇ ଆଣେ । ଅନିମାଙ୍କର ପିଠିରୁ ଉଠି ସେ ମନକୁ ମନ ଲାଜରା ହୋଇ କଡ଼ରେ ବସେ ।

 

ଗପୁଡ଼ି ବୁଢ଼ୀ ପୁଣି କହନ୍ତି; ମୋର ଆଗ୍ରହ ହୁଏ । ମୁଁ ସପନ ଦେଖେ ମା’, ତୋ ପରି ବୋହୂଟିଏ ମୁଁ ପାଇଛି । ଦୁଇଟା ଭଙ୍ଗା ସଂସାର ଯୋଡ଼ି ହୋଇ ଗୋଟାଏ ହୋଇଛି । ସ୍ୱପ୍ନ ଦେଖେ ମା’, ମୋରି ଘରେ ଦୁଇ ପୁଅ, ଆଉ ନାତିନାତୁଣୀ କାରବାର ହେଉଛନ୍ତି । ସୁଖରେ ମୋର ମରଣ ହେଉଛି ।

 

ଅମିତା ଦେଖେ, ତା’ର ମାଆଙ୍କର ସର୍ବାଙ୍ଗ ଥରି ଉଠୁଛି । ଆଖି ଦିଓଟିରେ ସତେ କି ଲହଲହ ନିଆଁ ଜଳି ଉଠୁଛି । ସେ ଡେରି ହୋଇ ବସିଲେ । ଦୁଇ ହାତରେ ମୁହଁ ଘୋଡ଼ାଇଲେ । କ୍ଷଣକ ପରେ ହାତ ଖୋଲିଲେ । ନିଜ ଅଞ୍ଚଳରେ ଲୁହ ପୋଛିଲେ । ଟାଣ ସ୍ୱରରେ କହିଲେ, ବହୁତ କହିସାରିଲଣି ମାଉସୀ, ଏଥର ତୁନି ହୋଇ ଘରକୁ ଯାଅ । ତମର ଆଶା ଆଉ ତମର ସ୍ୱପ୍ନ ଅତି ନିର୍ଦ୍ଦୟ । ସବୁ ତମ ମନ ଗହନରେ ଲୁଚାଇ ରଖିଥା । ଭାଷାରେ ପଦାକୁ କାଢ଼ିଲେ ଶୁଣିବା ଲୋକେ କହିବେ–ବୁଢ଼ୀଙ୍କର ଆଶା ଯେ ଅନୀତି, ଭାଷା ତ ଜାଣି ନିର୍ଲଜ୍ଜ ।

 

ବୁଢ଼ୀ ଥକ୍କା ହୋଇ ବସିଗଲେ । ଅନିମାଙ୍କର ମାଡ଼ ମାରିଲା ପରି କଥାର ମର୍ମ ସେ ତାଙ୍କର ବିବ୍ରତ ମନରେ ଭେଦାଉଥିଲେ । ତାଙ୍କର ଶୁଣିଲା ଆଖିରୁ ପୁଣି ଲୁହଧାର ଝରିଆସିଲା ।

 

ସେ କହିଲେ, ତୋ ମନରେ ଆଘାତ ଦେଲାପରି କ’ଣ ମୁଁ କହି ପକାଇଲିକି ମା’ ? ତୁ ମୋ ଉପରେ ବିରକ୍ତ ହେଲୁ କାହିଁକି ? ମୁଁ ତ ବାଇଆଣୀ ହୋଇଛି । କ’ଣ କହିବାକୁ ବସିଥିଲି କ’ଣ କହିଦେଲି ପରା ! ମୋ କଥାକୁ ତୁ ମନକୁ ନେଏନା ।

 

ଅନିମା କହିଲେ, ମୁଁ ତୁଣ୍ତ ଖୋଲିବି ନାହିଁ ବୋଲି ଯେତେ ପ୍ରତିଜ୍ଞା କରୁଛି ମାଉସୀ, ମୋର ପ୍ରତିଜ୍ଞା କୁଆଡ଼େ ଫସରଫାଟି ଯାଉଛି । କ’ଣ ମୋ ଅଜାଣତରେ ମୋ ପାଟିରୁ ଖସିଗଲା ସେଥିପାଇଁ ମୁଁ ଦୁଃଖିତ । କ୍ଷମା ଚାହୁଁଛି, ଅନୁରୋଧ କରୁଛି, ମୋ ବିଷୟରେ କି ମୋର କୁଟୁମ୍ବ ବିଷୟରେ ଆଉ କେବେ ମୋ ଆଗରେ କିଛି କହିବ ନାହିଁ । ଯାହା ଇଚ୍ଛା ତାହା ଦାଣ୍ତରେ ହାଟରେ ଗପିଲେ ମୋର ବାଧାଦେବାର ଶକ୍ତି ନାହିଁ । ସେସବୁ ମୋ କାନରେ ପଡ଼ିବ ନାହିଁ । ମୁଁ ଜାଣେ ।

 

ଅନିମା ଉଠି ଠିଆହେଲେ । ଅମିତାକୁ କହିଲେ, ଆଈଙ୍କର ହାତ ଧରି ନେଇଯା ତାଙ୍କ ଘର ପାଖରେ ଛାଡ଼ି ଦେଇ ସଙ୍ଗେ ସଙ୍ଗେ ଫେରି ଆସିବୁ ।

 

ବେଲାରାଣୀ ମାଟିରେ ହାତ ଭରା ଦେଇ ଉଠିଲେ । ଅଣ୍ଟା ସଳଖିଲେ । କହିଲେ, ଅଳ୍ପ ବାଟ ତ ! ମୁଁ ଏକା ଯାଇପାରିବି ଯେ ! ମିତା ଯିବା ଦରକାର ନାହିଁ । ହଁ ବୋହୂ, ମିତାର ବାପ ସମ୍ବନ୍ଧରେ କିଛି ଖବର ପାଇଛୁ ପରା, ସବୁ ଭଲ ତ ମା’ ?

 

ଅମିତା ତା’ ମାଆର ଉତ୍ତର ଶୁଣିବାକୁ କାନ ଡେରିଲା । ଅନିମା କିଛି କହିଲେ ନାହିଁ । ଘର ଭିତରୁ ଆଗ ସେ ପଦାକୁ ବାହାରି ଆସିଲେ ।

 

ପନ୍ଦର

 

ସେହି ଜାମୁରଣ୍ତା କ୍ୟାମ୍ପ୍‍ରେ–ମିତା ଦେଖିଲା, ତା’ର ମା’, ଆଉ କାହା ଘରକୁ ଯାତାୟାତ କରନ୍ତି ନାହିଁ । ଘର କାମରେ ବ୍ୟସ୍ତ ରହନ୍ତି । କାମ ସରିଲେ ସେ ରାମାୟଣ କି ଅନ୍ୟ କେଉଁ ପୁରାଣ ପଢ଼ନ୍ତି । କେବେକେବେ ମିତାକୁ ପଢ଼ିବାକୁ କହନ୍ତି । ମିତା ପଢ଼େ, ସେ ଶୁଣନ୍ତି । ରାମାୟଣ ପଢ଼ା ସରିଲେ ଆହୁରି ବେଳ ଥିଲେ ସେ କ୍ରୂସ୍‍କଣ୍ଟା ଧରି ସୁନ୍ଦର ବ୍ୟାଗ୍‌ ବୁଣନ୍ତି କନାଧଡ଼ି ସୂତାରେ । ସବୁ ପ୍ରକାର ବୁଣାବୁଣି କାମ ତାଙ୍କୁ ଜଣା । ବଣ ଖଜୁରିପତ୍ର, କାଇଁସ୍ ଓ ବାଉଁଶ ପାତିଆରେ ସେ ଟୋକେଇ, ସୁଟ୍‌କେଶ, ଚିକ୍ ଇତ୍ୟାଦି ବୁଣି ଜାଣନ୍ତି ।

 

କେବେକେବେ ବୁଣନ୍ତି, ଅମିତାକୁ ଶିଖାନ୍ତି । ଆସନ ବୁଣି ତହିଁରେ ଗଛ, ଲତା, ଫୁଲ, ଜୀବଜନ୍ତୁଙ୍କର ଛବି ଆଙ୍କନ୍ତି । ଯେଉଁମାନେ ଦେଖନ୍ତି ପସନ୍ଦ କରନ୍ତି, ପ୍ରଶଂସା କରନ୍ତି । କେଉଁ ହାକିମ କୋରାପୁଟରୁ ଆସି ଥରେ ଅନିମାଙ୍କର ହାତକାମ ଦେଖି ଖୁସି ହୋଇଥିଲେ । କେଉଁ ପ୍ରଦର୍ଶନୀକୁ ପଠାଇ ବିକ୍ରି କରିବାକୁ ତାଙ୍କରି ନିର୍ଦ୍ଦେଶରେ ଜଣେ ଛୋଟ ହାକିମ ଥରେ ସେସବୁ ନେଇ ଯାଇଥିଲେ । ଅନେକ ଟଙ୍କା ଆଣି ଅନିମାଙ୍କୁ ଦେଇ ଯାଇଥିଲେ । ଆଉ ବୁଣିବାକୁ ଅନୁରୋଧ ଓ ଉତ୍ସାହିତ କରି ଯାଇଥିଲେ ।

 

ଅନିମା ସେଥିପ୍ରତି ବିଶେଷ ମନୋଯୋଗୀ ହୋଇ ନଥିଲେ । ବୁଢ଼ୀ ବେଲାରାଣୀଙ୍କ ସଙ୍ଗେ ସେଦିନ କଥୋପକଥନ ଦିନୁ ପୁଣି ସେ ତାଙ୍କର ବୁଣା–ବୁଣି କାମ ଆରମ୍ଭ କରିଥିଲେ । ଝିଅକୁ ପାଖରେ ବସାଇ ଅଟକାଇ ରଖି ଏ ସବୁ କାମ ଶିଖାଇବା ଥିଲା ତାଙ୍କର ଉଦ୍ଦେଶ୍ୟ ।

 

ସୋମୁ ଆସେ । ମାଉସୀ ମାଉସୀ ହୋଇ ଏଣୁତେଣୁ ଗପ କରେ । ଅମିତାକୁ ଆଖିଠାର ମାରି ଖେଳିବାକୁ ଯିବାକୁ ସେ ଇସାରା ଦିଏ । ଅମିତାର ମନ ଛକପକ ହୁଏ । ସେ ଯାଇପାରେ ନାହିଁ । ଅନିମା ଗେହ୍ଲେଇ କହନ୍ତି, ତୁ ଏବେ ଯା ସୋମୁ, ମିତା କାମ ଶିଖୁଛି । ସେ ତ ଆଉ ଛୋଟପିଲା ନୁହେଁ । ପୁଅପିଲାଙ୍କ ସଙ୍ଗେ ଖେଳିବାକୁ ତା’ କକା ମନା କରିଛନ୍ତି ।

 

ଲାଜ ଲାଜ ହୋଇ ସୋମୁ ଫେରିଯାଏ ।

 

ଅମିତା ଚିନ୍ତାକରେ, ପୁଅପିଲା ଓ ଝିଅପିଲା ତ ସମସ୍ତେ ଏକାଠି ଖେଳୁଛନ୍ତି, ତାକୁ ଖେଳିବାକୁ କକା କାହିଁକି ବାରଣ କଲେ ? ପୁଣି ଭାବେ, ସୌମେନ୍ ଦୁଷ୍ଟ ପିଲା ବୋଲି ସେମାନଙ୍କର ଧାରଣା । ସେଇଥିପାଇଁ ତା’ ସଙ୍ଗେ ଖେଳିବାକୁ ତା’ର ମା’ ଓ କକା ପସନ୍ଦ କରୁ ନାହାନ୍ତି । ସୋମୁ ତ ଦୁଷ୍ଟ ପିଲା ନୁହେଁ । ସେ କାହାକୁ ମାରେ ନାହିଁ । ସେ ସାହସୀ, ବରଂ ଅନ୍ୟ–ପିଲାଙ୍କୁ ସାହାଯ୍ୟ କରେ । ଅମିତା ମୁହଁ ଖୋଲି ତା’ ମାଆଙ୍କୁ କି କକାଙ୍କୁ କିଛି ପଚାରେ ନାହିଁ ।

 

ବିପିନ୍‍ କର୍ମକାରବି ଆସନ୍ତି । ଅନିମା ଓ ଅମିୟଙ୍କ ସଙ୍ଗେ କଥାଭାଷା ହୁଅନ୍ତି । ଅନିମା ଯଥାସମ୍ଭବ କରଛଡ଼ା ଦେଇ ରହନ୍ତି । ପାନ ଦିଖଣ୍ତ ଅବା ଗୁଆ–ମସଲା ଟିକିଏ କାଚ ଥାଳିଆରେ ତାଙ୍କ ଆଗରେ ଥୋଇ ସେ ରୋଷଘରକୁ ଚାଲିଯାଆନ୍ତି ।

 

ପିବିନ ଲିଡ଼ର୍ କଥା ଆରମ୍ଭ କରନ୍ତି, ସବୁଗୁଡ଼ାକ ସେମାନେ ଚୋର । ଶୁଣ ଅମିୟ, ଭାରତ ସରକାର, ଆମ ଡ଼ି.ପି.ମାନଙ୍କ ପାଇଁ କୋଟି କୋଟି ଟଙ୍କା ଦେଇଛନ୍ତି । ସେସବୁ ଯାଉଛି କୁଆଡ଼େ ? ବଙ୍ଗାଳୀ ଅଫିସର ସବୁ କ୍ଷେତ୍ରରେ ନିଯୁକ୍ତ ନହେଲେ ବଙ୍ଗାଳୀ–ଜାତିର ମନକଥା ବୁଝିବ କିଏ ? ପଞ୍ଜାବୀ ଓଡ଼ିଆ, ତେଲେଙ୍ଗା, କେରଳୀ କି ମଧ୍ୟ–ପ୍ରଦେଶୀ କ’ଣ ବୁଝିବେ ? ସେମାନେ ଟଙ୍କାପାଇଁ ଆସିଛନ୍ତି–

 

ସେତିକି କହିଥା ବିପିନ୍‍ଭାଇ ! ଯେଉଁ ବଙ୍ଗାଳୀ ଅଫିସରମାନେ କାମ କରିବାକୁ ଆସିଛନ୍ତି, ସେମାନେ ଟଙ୍କାପାଇଁ ଆସି ନାହାନ୍ତି । ସେମାନେ ବଙ୍ଗାଳୀ–ଜାତି ପ୍ରୀତି ଭାରବେ ଗଦ୍‌ଗଦ୍‌ ହୋଇ ଲେଙ୍ଗୁଟି ମାରି ଖାଲି କାମ କରିବାକୁ ଆସିଛନ୍ତି ! ଯେ ଯେଉଁଥିପାଇଁ ଆସିଥାନ୍ତୁ, ସେମାନେ ତାଙ୍କର ନିଜ କାମ ବୁଝିବେ । ଆମର ସମାଲୋଚନାରେ ମୂଲ୍ୟ ନାହିଁ । ଏ କଥା ଏଇଠି ରହୁ ବିପିନ୍‍ ଭାଇ, ବଡ଼ବଡ଼ କଥାରେ ମୁଁ ମୁଣ୍ତ ଖେଳାଏ ନାହିଁ ।

 

ବିପିନ୍‍ କର୍ମକାର ଅନିମାଙ୍କୁ କହନ୍ତି, ଶୁଣ ଭାଉଜ, ମୋର ଗୋଟିଏ ସୁନ୍ଦର ପ୍ରସ୍ତାବ ଅଛି-। ଆମର ଏହି କ୍ୟାମ୍ପ୍‍ରେ ଗୋଟିଏ କ୍ଷୁଦ୍ରଶିଳ୍ପ ଅନୁଷ୍ଠାନ ଖୋଲାଯାଉ, ନାରୀମାନଙ୍କ ପାଇଁ । ତୁମେ ତା’ର ସମ୍ପାଦିକା ହେବ । ସବୁ ନାରୀ ତା’ର ମେମ୍ବର ରହିବେ । ତୁମ ନାମ ଓ କାମର ପ୍ରଶଂସା ଚାରିଆଡ଼େ ବ୍ୟାପିଛି । ସତେ, କେତେ ବିଚକ୍ଷଣ ତୁମର କାମ ! ତୁମେ ସମ୍ପାଦିକା ହେବାକୁ ସମ୍ମତ ହେଲେ, ବାକି ଯାହା କରିବାର ମୁଁ କରିବି । ଅନୁଷ୍ଠାନ ପାଇଁ ଗ୍ରାଣ୍ଟ୍‌ ତୁମପାଇଁ ଗୋଟିଏ ମାସିକ ବୋନସ୍‌,–

 

ଅନିମା ଟିକିଏ ଚିନ୍ତା କରି କହିଲେ, ମୋର ନାମରେ ପ୍ରୟୋଜନ ନାହିଁ । ମୋର ସମୟ ନାହିଁ । ପିଲା ଦୁଇଟାକୁ ମଣିଷ କରି କୂଳରେ ଲଗାଇବାକୁ, ତାଙ୍କର ସେବା–ଯତ୍ନ ନେବାକୁ ମୋର ବେଳ ଅଣ୍ଟୁନାହିଁ । ଆପଣ ଅନୁଷ୍ଠାନ ଗଢ଼ନ୍ତୁ ଭଲ ହେବ, କିନ୍ତୁ ମୁଁ ତା’ର ସମ୍ପାଦିକା ହେବିନାହିଁ । ମୁଁ ଜାଣେ, ମୋର ସେପରି ଦକ୍ଷତା ନାହିଁ ।

 

ବିପିନ୍‍ କହିଲେ, ନିଜର ପ୍ରତିଭାକୁ ନିଜେ କାହିଁକି ଛୋଟ ମଣୁଛ ? ଧନ ଓ ମାନ ଦିହେଁ ଆସି ତୁମରି ପାଖରେ ପହଞ୍ଚିବେ । ସେ କଥା ମୁଁ ବୁଝିବି । ଆବଶ୍ୟକ ପଡ଼ିଲେ ମୁଁ ଚେଆର୍‌ମେନ୍‌ଙ୍କ ପାଖକୁ ଯିବି । ତାଙ୍କୁ ଏଠାକୁ ଅଣାଇବି । ତୁମେ ରାଜି ହୁଅ ଭାଉଜ !

 

ଅନିମା କହିଲେ, ଧନ କି ମନ କିଛି ମୋର ଲୋଡ଼ା ନାହିଁ । ମୋର ଲୋଡ଼ା ଟିକିଏ ନୀରବ ଶାନ୍ତି, ଅବା ମରଣ । ମୋପାଇଁ ମୋର ପିଲା ଦୁଇଟିଙ୍କ ପାଇଁ, ଅନ୍ୟ କାହାର ଭାବିତ ହେବା ମୁଁ ମୋଟେ ପସନ୍ଦ କରେ ନାହିଁ । ଅମିୟ ବଡ଼ ହେଲାଣି । ଆମ ଦୁହିଁଙ୍କର ଦାୟିତ୍ୱ ଏବେ ତାଆରି ମୁଣ୍ତରେ । ସେ ତା’ର ଦାୟିତ୍ୱ ସମ୍ଭାଳିବ । ସେ ନ ପାରିଲେ ମୁଁ ମୋର କର୍ତ୍ତବ୍ୟ କରିବି । ଅନ୍ୟର ପରାମର୍ଶ କେବେ ଲୋଡ଼ିବି ନାହିଁ ।

 

ବିପିନ୍‍ କର୍ମକାର ଫେରିଯାଉଣୁ ଅନିମାଙ୍କୁ ଚାହିଁ ହସିହସି କହି ଯାଆନ୍ତି, ଭୁଲ୍‌ କରୁଛ ଭାଉଜ ! ଧନ, ମନ ଓ ପ୍ରତିପତ୍ତି ମଣିଷ ଜୀବନର କାମ୍ୟ । ସବୁ ସ୍ଥଳରେ ନୋହିଲେ ଜୀବନଟା ବ୍ୟର୍ଥ ହୋଇଯିବ । ନା, କ’ଣ କହୁଛ ଅମିୟ ? ମୋର କଥା ଟିକିଏ ସ୍ଥିର ମନରେ ସହାନୁଭୂତି ସହ ଚିନ୍ତା କରି ଦେଖିବ ଭାଉଜ !

 

ଅମିୟ କହିଲା, କିଛି କହିବା ଆଗରୁ ମୋର ଭାଉଜ ଧୀର ମନ ଓ ସ୍ଥିରବୁଦ୍ଧି ଦେଇ ସବୁ ବିଷୟ ଚିନ୍ତା କରି ସାରିଥାଆନ୍ତି ବିପିନ୍‍ଭାଇ, ସେ ସମ୍ବନ୍ଧରେ ତୁମେ ନିଶ୍ଚିତ ରହ ।

 

ତଥାପି, ବିପିନ୍‍ ଲିଡ଼ର୍ ଆସନ୍ତି, ବେଳେବେଳେ ପଚାରନ୍ତି, ମୋ କଥା ବିଚାର କରି ଦେଖିଲ କି ଭାଉଜ ? କ’ଣ ସ୍ଥିର କଲ ? ତୁମର ଉତ୍ତରକୁ ମୁଁ ଅପେକ୍ଷା କରି ରହିଛି ।

 

ଅନିମାଙ୍କର ଅଳ୍ପ କଥାରେ ଉତ୍ତର, ମୁଁ ସେଦିନ ସବୁ କହିଦେଇଛି । ସେ ସମ୍ବନ୍ଧରେ ଆଉ ଏଠି ଆଲୋଚନା ନହେଲେ ଭଲ । ନିଜର କାର୍ଯ୍ୟ ଆପଣ ନିଜେ କରି ଯାଆନ୍ତୁ । ଆପଣଙ୍କର ଧାରଣା ଭିତରକୁ ମୋତେ ଟାଣନ୍ତୁ ନାହିଁ, ଏତିକି ମୋର ପ୍ରାର୍ଥନା । ପାନ ତ ନାହିଁ, ଗୁଆ–ମସଲା ଟିକିଏ ହେଲେ ନିଅନ୍ତୁ ।

 

ଆଦେଶ ମିଳିଲା, ଅମିୟ ମଣ୍ଡଳର କୁଟୁମ୍ବ ଓ ଆଉ କେତେ କୁଟୁମ୍ବ ମାଲକାନଗିରି ଯିବେ । ସେଇ ଜୋନ୍‌ରେ କେତେ ନୂଆଗ୍ରାମ ବସାଯିବ, ସେଇଠି ମିଳିବ ଜମି, ଉର୍ବର ଜମି । ଯେଉଁ ତାଲିକାରେ ଅମିୟ ମଣ୍ଡଳକୁ ସ୍ଥାନତ୍ୟାଗର ଆଦେଶ ମିଳିଥିଲା, ସେଥିରେ ବିପିନ୍‍ କର୍ମକାରଙ୍କର ନାମ ନଥିଲା । ଅନିମା କହିଲେ ।

 

ମୁଦ୍ରଣ ପ୍ରମାଦ ଯୋଗୁଁ ୧୦୦ ପୃଷ୍ଠାପରେ ୧୦୧ ପୃଷ୍ଠା ପରିବର୍ତ୍ତେ ୧୦୫ ପୃଷ୍ଠା ହୋଇଛି । ପାଠକ୍ରମ କିନ୍ତୁ ଠିକ୍ ଅଛି । ଅଯଥା ପୃଷ୍ଠାଙ୍କ ନ ଖୋଜି–ପଢ଼ିଯିବାପାଇଁ ଅନୁରୋଧ ।

 

ମାଲକାନଗିରି ଯିବାକୁ ଅନ୍ୟମାନେ ଆପତ୍ତି କରୁଛନ୍ତି ଅମିୟ, ଶୁଣିଲି ସୋମୁ କହୁଥିଲା, ତା’ ବାପ ବିପିନ୍‍ ଲିଡ଼ର୍‌ ପିଟିସନ୍‌ ଲେଖି ଅନ୍ୟମାନଙ୍କୁ ମତାଇ ସେମାନଙ୍କର ଦସ୍ତଖତ ନେଇ ଉପରକୁ ପଠାଇଛନ୍ତି ଯେ ସେମାନେ ମାଲକାନଗିରି ଯିବେ ନାହିଁ । ସେମାନେ ଚାହାନ୍ତି ବସ୍ତର ଜିଲାର ପାରଲ୍‌କୋଟ ଜୋନ୍‌କୁ ଯିବେ ।

 

ଅମିୟ କହିଲା, ଦସ୍ତଖତ କରିବାକୁ ମୋତେ ବିପିନ୍‍ଭାଇ ପ୍ରବର୍ତ୍ତାଉଥିଲେ । ମୁଁ ବାରଣ କଲି ଭାଉଜ, କହିଲି, କର୍ତ୍ତୃପକ୍ଷ ଯେଉଁଠିକୁ ପଠାଉଛନ୍ତି ପଠାନ୍ତୁ, ଆମେ ଆପତ୍ତି କରିବୁ ନାହିଁ । ଆମର ଜନ୍ମଭୂମି ସୁନାର ବଙ୍ଗଦେଶରୁ ଯେତେବେଳେ ଆମେ ତଡ଼ାଖାଇ ଆସିଛୁ, ଆତ୍ମୀୟସ୍ୱଜନଙ୍କୁ ହରାଇଛୁ, ଦୁଃଖକଷ୍ଟ ସହିଛୁ, ଯେଉଁ ପ୍ରଦେଶର ଯେଉଁ ଅଞ୍ଚଳକୁ ଆମୁକୁ ପଠାଇବାର ସେମାନେ ପଠାନ୍ତୁ । ଅସୁବିଧା ତ ନିଶ୍ଚୟ ହେବ ଭାଉଜ, ଦୁଃଖକଷ୍ଟ ସହିବାକୁ ପଡ଼ିବ, କିନ୍ତୁ ସେ ସବୁ ଆମ ଦେହ ଓ ମନର ମଳି ହୋଇଗଲାଣି । ବୃଥାରେ ଉତ୍ତେଜନା ସୃଷ୍ଟିକରି ଉପରିକଙ୍କର କର୍ମ–ପନ୍ଥାରେ ପ୍ରତିବନ୍ଧକ ସୃଷ୍ଟି କରିବାକୁ ମୁଁ ଚାହେଁ ନାହିଁ ।

 

ଗେହ୍ଲେଇ ଗେହ୍ଲେଇ ଅମିତା ପଚାରିଲା, ମାଲକାନଗିରି ରାଜ୍ୟ କେଉଁଠି କକା, ସେଠି କ’ଣ ଆମର ଲୋକେ ଅଛନ୍ତି ? ସେ ରାଜ୍ୟ କ’ଣ ଏଇ ରାଜ୍ୟପରି ଜଙ୍ଗଲିଆ ? କକା, ଆମେ ୟା ଆଗରୁ ଯେଉଁଠି ଥିଲୁ ସେଠାକାର ଡି:ପି:ମାନେ ଦଣ୍ଡକାରଣ୍ୟକୁ ଆସିବାର ଖବର ଶୁଣି କେମିତି କାନ୍ଦବୋବାଳି ଛାଡ଼ିଥିଲେ ମୋର ମନେ ଅଛି । ସମସ୍ତେ ସେମାନେ କହୁଥିଲେ ଦଣ୍ଡକାରଣ୍ୟର ପାହାଡ଼–ପର୍ବତରେ ଗୁମ୍ଫାମାନଙ୍କରେ ଏବେବି ଲୁଚିଛପି ରାକ୍ଷସମାନେ ଅଛନ୍ତି । ସେମାନଙ୍କର ଅର୍ଘାତିଆ ଦେହ ଅତି ବଡ଼ବଡ଼ ମୁଣ୍ଡ, କୁଲାପରି କାନ, ବାଘ ପରି ଚଉଡ଼ା ପାଟି ଓ ସେଥିରେ ଗୋଜା ଗୋଜା ଦାନ୍ତ । ସେମାନେ କୁଆଡ଼େ ରାତିଅଧରେ କିଟିକିଟି ଅନ୍ଧାରରେ ବାହାରନ୍ତି । ଲମ୍ବହାତ ଘରେ ଗଳାଇ ମଣିଷକୁ ଓଟାରି ନେଇ ଖାଆନ୍ତି । ଓଃ, କି ଭୟଙ୍କର ଜନ୍ତୁ ! କିନ୍ତୁ କକା, ଆମେ ଯେଉଁ ଜଙ୍ଗଲିଆ କ୍ୟାମ୍ପ୍‍ମାନଙ୍କରେ ରହିଲୁ, କେବେ କେଉଁଠି ଗୋଟାଏ ରାକ୍ଷସ ପିଲା ଦେଖିଲୁ ନାହିଁ ତ ! ସୋମୁ କହୁଥିଲା, ମାଆଙ୍କୁ ପଚାର, ମାଲକାନଗିରିରେ ଏମିତି ରାକ୍ଷସମାନେ ଅଛନ୍ତି । ଆମେ ସେଠାକୁ ଯିବା ନାହିଁ । ଆମେ ଏଇଠି ରହିବା ।

 

ଅମିୟ କହିଲା, ଶୁଣୁଛ ଭାଉଜ, ଇଏ ସୋମୁର କଥା ନୁହେଁ, ବିପିନ୍‍ କର୍ମକାରର ମିଥ୍ୟା ପ୍ରଚାର । ପିଲାଙ୍କୁ ଡରାଇ କନ୍ଦାଇ ପରୋକ୍ଷରେ ଆମ ଉପରେ ଚାପ ପକାଇଲେ ମୁଁ ତାଙ୍କ ପିଟିସନ୍‌ରେ ଦସ୍ତଖତ କରି ମାଲକାନଗିରି ପଠାଇବାର ଆଦେଶ ବିରୁଦ୍ଧରେ ପ୍ରତିବାଦ ଜଣାଇବି । ଶୁଣ୍‌ ମିତା, ସୋମୁର କାହାଣୀରେ କେବେ ତୁ ବିଶ୍ୱାସ କରିବୁ ନାହିଁ । ସେ ଚଗଲା ହୁର୍‌ଦୁରିଆ ମିଥ୍ୟାବାଦୀ ଟୋକା । ସେମାନେ ଏଇଠି ରହନ୍ତୁ, ଆମେ ଆମର ମାଲକାନଗିରି ଯିବା । ଭାଉଜ, ବିହାରର ବେଠିଆ କ୍ୟାମ୍ପ୍‍ରୁ ଆମୁକୁ ଯେତେବେଳେ ଓଡ଼ିଶାର ସୁନ୍ଦରଗଡ଼ ଜିଲାକୁ ସେମାନେ ପଠାଇବାକୁ କହିଲେ କଲିକତାରୁ କେତେ ଜଣ ଦଲାର ଭଦ୍ରଲୋକ ଆସି କ’ଣ ପ୍ରଚାର କରିଥିଲେ ତୁମର ମନେ ଅଛିଟି ?

 

ଅନିମା କହିଲେ, କାହିଁକି ଆଉ ସେ କଥା ଉଠାଇଛ ଅମିୟ ? ଅର୍ଥଲୋଭୀ ନରପିଶାଚମାନେ ସବୁ ଯୁଗରେ ସବୁଠି ଥିଲେ, ଏବେବି ଅଛନ୍ତି । କି ଚକ୍ରବର୍ତ୍ତୀ ସେ ଗଜାବୟସିଆ ଟୋକାଟାର ନାମ ମୋର ମନେ ନାହିଁ । ଇଂରେଜୀ ବଙ୍ଗଳା ହିନ୍ଦୀ ସବୁ ଭାଷାରେ ଲେକ୍‌ଚର ଦିଏ । ସେ ଓ ତା’ର ସାଙ୍ଗମାନେ ଆଖିରେ ଦେଖିଲା ପରି ପ୍ରଚାର କଲେ ଯେ ଦଣ୍ଡକାରଣ୍ୟରେ ଖାଲି ବାଘ ଓ ମଣିଷ–ଗିଳା ସାପ ପଲ ପଲ ଅଛନ୍ତି । ସେମାନେ ମଣିଷଙ୍କୁ ଟାକ କରି ଗିଳି ଦିଅନ୍ତି । ପୁଣି, ଯେଉଁ ଆଦିବାସୀ ଅଛନ୍ତି ସେମାନେ କୁଆଡ଼େ ମଣିଷ ମାରି ମାଂସ ଖାଆନ୍ତି । ତାଙ୍କ କଥା ଶୁଣି ଘରେ ଘରେ କାନ୍ଦବୋବାଳି ପଡ଼ିଯାଇଥିଲା । ଦେଖିଲ ତ କିପରି ଅପ–ପ୍ରଚାର । ସେହିପରି ମାଲକାନଗିରିର ବଦନାମ କରି କେତେ ଲୋକ କେଉଁ ସ୍ୱାର୍ଥସିଦ୍ଧି ଉଦ୍ଦେଶ୍ୟରେ ପ୍ରଚାର ଚଳାଇଛନ୍ତି-। ଆମେ ସେଥିରେ କାନ ଦେବା ନାହିଁ । ଅଧିକାରୀମାନେ ଯେଉଁ କ୍ୟାମ୍ପ୍‍କୁ ପଠାଇବେ ଆମେ ଯିବା-

 

କେତେ ଟ୍ରିପ୍‌ରେ ବିଭିନ୍ନ ୱାର୍କ–କ୍ୟାମ୍ପ୍‍ରୁ ଆଶ୍ରୟପ୍ରାର୍ଥୀମାନେ ମାଲକାନଗିରିକୁ ଆସିଲେ-। ଆଉ କେତେ କୁଟୁମ୍ବଙ୍କ ସଙ୍ଗରେ ଅମିୟର କୁଟୁମ୍ବ ଗୋଟିଏ ପ୍ରୋଜେକ୍ଟ୍ ବସ୍‌ରେ ଆସିଥିଲେ । ସେ ବସ୍‌ରେ ବିପିନ୍‍ କର୍ମକାରଙ୍କର କୁଟୁମ୍ବ ଆସି ନଥିଲେ । ଅନିମା ମନେମନେ ଖୁସି ହୋଇଥିଲେ ଯେ ଅନ୍ତତଃ ଏହି ଯାତ୍ରା ସେମାନଙ୍କୁ ଜଣେ ଗଣ୍ଡଗୋଳିଆ ଅନୁଦାର ବେ-ପରୱା ସଇତାନ୍‌ର ଅସ୍ୱାସ୍ଥ୍ୟକର ପରିସ୍ଥିତିର ବାହାରକୁ ନେଇ ଯାଇଛି ।

 

ଅମିୟର ଖୁସି ହେବାର କି ଦୁଃଖିତ ହେବାର କିଛି ନଥିଲା । ସେ ଜାଣେ, ନିଜର ବୁଦ୍ଧିଶୁଦ୍ଧି ଥିଲେ, ପରର ଲେକ୍‌ଚର ଶୁଣି ମୋହବତ୍‍ରେ ନ ଭାବି ନ ବିଚାରି ଭାସି ନ ଗଲେ, ମଣିଷ ଅସୁବିଧାରେ ପଡ଼ିବ ନାହିଁ । ନିଜ ଉପରେ ତା’ର ବିଶ୍ୱାସ ଅଛି । କେବେ ସେ ବିପିନ୍‍ଙ୍କର ପାଲରେ ପଡ଼ି ନାହିଁ । ସେ ମାଲକାନଗିରି ଆସନ୍ତୁ କି ନ ଆସନ୍ତୁ ଅମିୟ ସେଥିପାଇଁ ଚିନ୍ତା କରେ ନାହିଁ ।

 

ଅମିତାର ମନ ସୋମୁକୁ ଖୋଜିଥିଲା । ଅନ୍ୟମାନେ ସୋମୁର ଯେତେ ନିନ୍ଦା କଲେ ମଧ୍ୟ ଅମିତା ତାକୁ ସ୍ନେହ କରୁଥିଲା । ସୋମୁ ଭାଇ ନିଜେ ମୁହଁ ଖୋଲି କହେ, ତୋତେ ମୁଁ ଭଲପାଏ ମିତା । ସେ ତୁନି ତୁନି କହେ ନାହିଁ, ସେ ବଡ଼ପାଟିକରି କହେ, ହସିହସିକା ସବୁ ପିଲାଙ୍କ ଆଗରେ କହେ । ତା’ର ପ୍ରମାଣ ସେ ଦିଏ, ପର ବାରିରୁ ଚୋରି କରିଥିବା ମକା, କାକୁଡ଼ି, ଆଖୁ, ବାଛି ବାଛି ଭଲ ଚିଜ ସେ ଆଗ ଦିଏ ମିତାକୁ ।

 

ସୋମୁ ଜାମୁରଣ୍ଡାରେ ରହି ଯାଇଥିଲା ବୋଲି ମିତାର ମନରେ ଦୁଃଖ ହୋଇଥିଲା ଏହା ନୁହେଁ । ମନ ଟିକିଏ ଖୋଜିଥିଲା, କିଲିବିଲି ହୋଇଥିଲା । ସେତିକି । ତା’ର ପିଲାଳିଆ ଜୀବନ କାଳ ଭିତରେ ବିଭିନ୍ନ ସ୍ଥାନରେ କେତେ ଖେଳ–ସାଥୀ ଆସିଛନ୍ତି, ଚାଲି ଯାଇଛନ୍ତି, ଅବା ସେମାନଙ୍କୁ ଛାଡ଼ି ନିଜେ ମିତା ନୂଆ ଜାଗାକୁ ଚାଲି ଆସିଛି । ସେମାନେ ମନରୁ ହଜି ଯାଇଛନ୍ତି । ସେମାନଙ୍କର ନାମ ମଧ୍ୟ ମିତାର ମନେ ନାହିଁ । ସେମିତି ଏ ସୋମୁ ଓ ଜାମୁରଣ୍ଡାର ଅନ୍ୟାନ୍ୟ ଖେଳ ସାଥୀମାନେ ମନରୁ ହଜି ଯିବେ । ସେମାନେ ହେବେ ସାତ ସପନ ।

 

ଷୋହଳ

 

ରାତିଅଧରେ ଦିନେ ଆଉ ଗୋଟିଏ ପ୍ରୋଜେକ୍ଟ୍‍ବସ୍‍ରେ ଲଦା ହୋଇ ମାଲକାନଗିରିରେ ପହଞ୍ଚିଲେ କେତେ କୁଟୁମ୍ବ । ସେମାନେ ବିଭିନ୍ନ ୱାର୍କ–କ୍ୟାମ୍ପ୍‍ରୁ ଗୋଟିଆ ହୋଇ ଆସିଛନ୍ତି, ଅବଶ୍ୟ ସେମାନଙ୍କ ମତ ନିଆହୋଇଛି । ମାଲକାନଗିରିରେ ଥଇଥାନ ହେବାକୁ ସେମାନେ ସମ୍ମତି ଦେଇଛନ୍ତି । ସେମାନଙ୍କ ମଧ୍ୟରେ ଜାମୁରଣ୍ଡା କ୍ୟାମ୍ପ୍‍ରବି କେତୋଟି କୁଟୁମ୍ବ ଥିଲେ, ଆଉ ବିପିନ୍‍ କର୍ମକାରଙ୍କର କୁଟୁମ୍ବ ତହିଁରୁ ହେଉଛି ଅନ୍ୟତମ ।

 

ଦଶ ବାର ଦିନ ତଳେ ବିପିନ୍‍ କର୍ମକାର ମାଲକାନଗିରିକୁ ଆସିବା ଖବର ଅମିତାର ମା’ ଓ କକା ଭଲକରି ଜାଣନ୍ତି । ନିଜେ ବିପିନ୍‍ ଦୁଇଥର ଆସି ଅମିୟ ଓ ଅନିମାନଙ୍କ ସଙ୍ଗେ କଥାଭାଷା କରି ଗଲେଣି । ଅମିୟକୁ ସେ କହୁଥିବାର ଅମିତା ଶୁଣିଛି, ଆମର ଦରଖାସ୍ତ କେହି ଗ୍ରହଣ କଲେ ନାହିଁ । ଓଲଟି ନୋଟିସ୍‍ ଦେଇ ସେମାନେ ଧମକ ଦେଲେ ଯେ ଯଦି ମାଲକାନଗିରି ନ ଯାଅତ ମାସିକ ଭତ୍ତା ବନ୍ଦ କରି ଦିଆଯିବ । ଶୁଣ ଅମିୟ, ସେମାନେ ଆମର ଶତ୍ରୁ । ବଙ୍ଗାଳୀ ଅଫିସର ବୋଲି ସେମାନଙ୍କୁ ବନ୍ଧୁ ବୋଲି ଗ୍ରହଣ କରିବ ନାହିଁ । ସେମାନେ ବିଭୀଷଣ ଦଳ । ଆମର ଭଲମନ୍ଦ ସବୁ ସେମାନଙ୍କୁ ଜଣା କିନା, ତେଣୁ ସେମାନେ ଅତି ଅନୁଦାର । ଆରେ ଅମିୟ, ବରଂ ଯେତକ ଅଣ–ବଙ୍ଗାଳୀ ଅଫିସର ଅଛନ୍ତି ସେମାନେ କଥା ଶୁଣନ୍ତି ।

 

ଅମିୟ କହିଲା, ଆଉ ସେ ସବୁ ଦୋଷଦିଆ କଥା କାହିଁକି ପଡ଼ିଛି ? ଏଠାକୁ ଆସିଲ ତ ଭଲ କଲ । ଏଥର ନିଜ ଘରକରଣାରେ ଲାଗିପଡ଼ ।

 

ଆରେ ଯା’ମ, ବିପିନ୍‍ କର୍ମକାର ସେମାନଙ୍କର ରାଣ୍ଡ–ଧମକକୁ ଡରି ଏଠାକୁ ଚାଲି ଆସିଲା ଭାବୁଛ ? ନାଇଁ ନାଇଁ । ମନ କରିଥିଲେ ତାଙ୍କୁ ନାକରେ ପାଣି ପେଇ ଥାଆନ୍ତି । ଦେଖିଥାନ୍ତି କେମିତି ସେ ଭତ୍ତା ବନ୍ଦ କରି ଥାଆନ୍ତେ । ପ୍ରଧାନମନ୍ତ୍ରୀଙ୍କ ପାଖକୁ ମୋର ପିଟିସନ୍‌ ଦିଲ୍ଲୀ ଯାଇଥାନ୍ତା । ମୁଁ ତାଙ୍କୁ ପଚାରିଥାନ୍ତି, ଆମର ଦୁର୍ଦ୍ଦଶାପାଇଁ ଦାୟୀ କିଏ । ଭାରତବର୍ଷକୁ ତିନିଖଣ୍ଡ କରି ହାଣି ଦେବା ପୂର୍ବରୁ ଆମର ମତ ତୁମେ ନେଇଥିଲ କି ? ମୁଁ ତାଙ୍କୁ ପଚାରିଥାନ୍ତି,–

 

ଅମିୟ କହିଲା, ଯାହା ତାଙ୍କୁ ପଚାରି ଥାଆନ୍ତ ସେ ସବୁର ଉତ୍ତର ମୋର ଦେବାର ଧୃଷ୍ଟତା ନାହିଁ । ନୂଆ ଜାଗାରେ ନୂଆ ଘରକୁ ସଜାଡ଼ିବାର ଦାୟିତ୍ୱ ମୋ ମୁଣ୍ଡରେ । ମୁଁ କାଠ ଆଣିବାକୁ ଜଙ୍ଗଲକୁ ଚାଲିଲି ବିପିନ୍‍ବାବୁ, ସମ୍ପ୍ରତି ମୋର ଅସ୍ତ୍ର ହେଲା ଟାଙ୍ଗିଆ ଓ କଟୁରି । ବାଉଁଶ ଓ ଗଛ ସଙ୍ଗରେ ମୋର ଯୁଦ୍ଧ ।

 

ଟିକିଏ ଶୁଣ ଅମିୟ, ନେତାଜୀ ଯଦି ଭାରତକୁ ଫେରି ଆସି ଥାଆନ୍ତେ, ନେହୁରଙ୍କର ବାଲିଙ୍ଗି କାଢ଼ିବାକୁ ସାହାସ ହୋଇ ନଥାନ୍ତା । ବଙ୍ଗାଳୀଜାତି ଆଜି ଭିଟାମାଟି ଛାଡ଼ି ବାରଦ୍ୱାର ଶୁଣ୍ଢି ପିଣ୍ଡା ହେଉ ନଥାନ୍ତା । ଆମୁକୁ ପୋଷିବାର ଦାୟିତ୍ୱ ନିଶ୍ଚୟ ସେହି ଭାରତ ସରକାରଙ୍କର, ଆମେ କାମ କରୁ ବା ନ କରୁ—

 

ବିପିନ୍‍ କର୍ମକାରଙ୍କର ଲେକ୍‌ଚର ଶୁଣିବାକୁ ଅମିୟ ଅପେକ୍ଷା କରି ରହିଲା ନାହିଁ । ଅନ୍ୟ କେତେଜଣ ଆଶ୍ରୟ ପ୍ରାର୍ଥୀଙ୍କ ସଙ୍ଗେ ସେ ଅରଣ୍ୟରେ ପଶିଲା ।

 

ସତେକି ବିପିନ୍‍ କର୍ମକାର ଏହି ସୁବିଧାକୁ ଅପେକ୍ଷା କରି ରହିଥିଲେ । ସେ ତାଙ୍କର ବକ୍ତବ୍ୟ ପୁଣି ଆରମ୍ଭ କଲେ, ଶୁଣ ଅନିମା ଦେବୀ, ମୁଁ ନିଶ୍ଚୟ ସେମାନଙ୍କର ମଜାଟା ଦେଖି ଥାଆନ୍ତି, କିନ୍ତୁ, ବୁଢ଼ୀମା ମୋତେ ବାରଣ କଲେ, ଆଉ କହିଲେ, ଜାମୁରଣ୍ଡାରେ ମୁହୂର୍ତ୍ତେ ରହିବାକୁ ତାଙ୍କର ମନ ହେଉନାହିଁ । ତାଙ୍କରି ଲୋଭରୁ ତାଙ୍କରି ଦୋଷରୁ ଯେଉଁମାନେ ସେଠାରେ ମରିଛନ୍ତି, ଏଇ ଉମରକୋଟ ଅଞ୍ଚଳରେ ସେମାନେ ଦିନରାତି, ତାଙ୍କର ମନେ ପଡ଼ୁଛନ୍ତି । ମା’ ଜିଗର ଧରିଲେ, ପୁଣି କହିଲେ, ଆମେ ମାଲକାନଗିରି ଯିବା, ଅନିମା ସେଇଠି ଅଛି, ମୁଁ ଯେ ଅନିମାକୁ ନିଜର ପୁତ୍ରବଧୂ ପରି ଭଲ ପାଏ– ।

 

ବିପିନ୍‍ କର୍ମକାର ଆଉ କ’ଣ କହିବାକୁ ମନ କରିଥିଲେ ଅନିମା ଶୁଣିବାକୁ ଅପେକ୍ଷା କଲେ ନାହିଁ । ସେ ଟେଣ୍ଟ୍‌ ଭିତରୁ ବାଲଟି ଓ ଗରା ଆଣି ମୁଣ୍ଡର ଓଢ଼ଣା ସାମାନ୍ୟ ତଳକୁ ଟାଣି ନଳ–କୂଅ ପାଖକୁ ପାଣି ଆଣିବାକୁ ଚାଲିଗଲେ ।

 

ସକାଳ ନଅଟା । ସୂର୍ଯ୍ୟ କେତେ ଉପରକୁ ଉଠିଲେଣି । ଅମିତା ଦେଖିଲା, ବିପିନ୍‍ ଲିଡ଼ର୍‍ର ମୁହଁ କେସରା ପଡ଼ିଗଲା । ସେ ମୁହଁ ପୁଣି ରୁକ୍ଷ ହୋଇ ଉଠିଲା । ଅନିମାଙ୍କର ଗତିପଥକୁ ସେ ଚାହିଁ ରହିଲେ । ମୁହଁ ଫେରାଇ ଧୀରେ ଧୀରେ ଟେଣ୍ଟ୍‍ କଡ଼ ବାଟେ ମୋଟୁ–ରାସ୍ତା ଆଡ଼େ ସେ ଚାଲିଗଲେ ।

 

ଅମିତା ଭାବିବାକୁ ଲାଗିଲା, ଆଜି କାହିଁକି ତା’ର କକା ଫୋପାଡ଼ିଲା ପରି ବିପିନ୍‍ଙ୍କ ସଙ୍ଗେ ଦିଚାରି ପଦ କଥାଭାଷା ହୋଇ ଜଙ୍ଗଲକୁ ଚାଲିଗଲେ ? ତାଙ୍କୁ ବସିବାକୁ କହିଲେ ନାହିଁ ? ପୁଣି, କାହିଁକି ତା’ର ମା’ ପଦେ ଜବାବ୍‌ ଦେଲେ ନାହିଁ ? ଗୁଆ ଓ ମସଲା ଟିକେ କାଚ ଥାଳିଆରେ ନିଜେ ସେ ଦେଲେ ନାହିଁ କି ଦେବାକୁ ଅମିତାକୁ ଆଦେଶ ଦେଲେ ନାହିଁ ? ମାଡ଼ ଖାଇଲା ପରି ମୁହଁ ଆମ୍ବିଳା କରି ସେ ଚାଲିଗଲେ । ଥରେ ସୁଦ୍ଧା ପଛକୁ ଫେରି ଚାହିଁଲେ ନାହିଁ ।

 

ଦୁଇ ତିନି ଥର ସୋମୁ ଆସିଥିଲା । ମାଆ ଓ କକାଙ୍କୁ ପ୍ରଣାମ କରିଥିଲା । ଦୁହେଁ ଓଠରେହିଁ ହସି ଥିଲେ, ଟିକିଏ ସ୍ମିତ । କେହି ତାକୁ ଆଦର କରି ନଥିଲେ । ପଦଟିଏ କିଛି ପଚାରି ନଥିଲେ । ଅମିତା ଅତି ଆନନ୍ଦରେ ତା’ର ହାତ ଧରି ଟେଣ୍ଟ୍‌ ଚାରିପାଖେ ବୁଲିଥିଲା । ସୋମୁର ମଜା ଗଳ୍ପ ଶୁଣି ଦୋହଲି ଦୋହଲି ଧାଇଁ ଧାଇଁ ହିଁହିଁ ହୋଇ ହସି ଥିଲା ।

 

ମାଆ ଆକଟି ନଥିଲେ, ବାଧା ଦେଇ ନଥିଲେ । ଆଉ ପିଲାମାନଙ୍କ ସଙ୍ଗେ ତମସା ନଦୀତଟକୁ ବୁଲିଯିବାକୁ ସୋମୁ ତାକୁ ଅନୁରୋଧ କରିଥିଲା । ଯିବାକୁ ତା’ର ମନ ଛକପକ ହେଉଥିଲା । ମାଆଙ୍କର ଅନୁମତି ନେବାକୁ ସେ ଥରକୁଥର ଆଗ୍ରହରେ ଧାଇଁ ଆସିଥିଲା । ମାଆଙ୍କର ଗମ୍ଭୀର ମୁଖ ଦେଖି ଓ ଆଖିରେ ବାରଣର ଇଙ୍ଗିତ ପାଇ ସେ ମୁହଁ ଖୋଲି ପାରି ନଥିଲା-

 

ସୋମୁ ହତାଶ ହୋଇ ବାଆଁରେଇ ହୋଇ ବାରମ୍ବାର ଫେରି ଯାଇଥିଲା ।

 

ମା’ କହିଥିଲେ, ମିତା, ପୁଅପିଲାଙ୍କ ସଙ୍ଗେ ମିଶି ହୁର୍‌ ହୁର୍‌ ହେଲେ ଶୋଭା ଦିଶିବ ନାହିଁ-। ତୋପାଇଁ ତୋ କକା କେଡ଼େ ସୁନ୍ଦର ସୁନ୍ଦର ବହି କିଣି ଆଣିଛନ୍ତି । ତୁ ସେ ସବୁ ପଢ଼ । ତୋର ହସ୍ତାକ୍ଷର ଅସୁନ୍ଦର ହେଉଛି । ହସ୍ତାକ୍ଷର ଲେଖ ମା’, ବୁଣାବୁଣି କାମରେ ତୁ ମନ ଦେ ।

 

ମାଆଙ୍କର ଉପଦେଶ ମିତା ଅମାନ୍ୟ କରି ନଥିଲା । ତଥାପି ତା’ର ଟିକି ମୁଣ୍ଡରେ ଭାବନା ପଶିଥିଲା । ସତେ କ’ଣ ସୋମୁ ଖରାପ ପିଲା ? ନାହିଁ ତ, ସେ ସମସ୍ତଙ୍କୁ ଭଲ ପାଏ, ଆଉ ଅଧିକ ଭଲ ପାଏ ଅମିତାକୁ । ସେ କଥା ସେ ଡାକି ବଜାଇ ମୁହଁରେ କହେ ।

 

ସେ ଦିନ ମାଆଙ୍କର ଅସଜଡ଼ା ଦେହ, ଫଣଫଣ କାନ୍ଦୁରା ମୁହଁ ଓ ଆଖିରେ ଢଳଢ଼ଳ ଲୁହ ଦେଖି ସେ ଭୀତ ହୋଇଥିଲା । ମୁହଁରୁ କଥା ବାହାରୁନାହିଁ । କକା ଅମିୟଙ୍କୁ ମଧ୍ୟ ସେ ଭଲ କରି କଥା କହୁ ନାହାନ୍ତି । ଦୁହିଁଙ୍କୁ ସେ ଭାତ ବାଢ଼ି ଦେଲେ । ଚୂନା ମାଛର ଚଡ଼ଚଡ଼ି ଯାହାକୁ ଅତି ଯତ୍ନରେ ନିଜେ ମିତା ରାନ୍ଧିଥିଲା, ତାକୁ ଆଣି ଦାଦି ଝିଆରୀଙ୍କ ପାଖରେ ବାଢ଼ି ଦେଲେ । ଅମିୟର ଆନନ୍ଦ ଓ ପ୍ରଶଂସା ଶୁଣି ମଧ୍ୟ ଅନିମା ମୁହଁ ଖୋଲିଲେ ନାହିଁ । କେଜାଣି କାହିଁକି ସେ ନିଜେ ସେଦିନ ଉପାସ ରହିଲେ ।

 

ତାଙ୍କର ଏପରି ପ୍ରକୃତି–ବିରୁଦ୍ଧ ଢଙ୍ଗ ଦେଖି ଅମିୟ ଓ ମିତା ଦୁହେଁ ଚିନ୍ତିତ ହୋଇଥିଲେ-। ଅମିୟ ନିଜ ଦେହର କ୍ଳାନ୍ତିକୁ ଉପେକ୍ଷା କରି ପୁଣି ଘର ତିଆରି କାମରେ ଲାଗିଗଲା-। କାନ ଦିଓଟି ସଜାଗ ରହିଥାଏ ଭ୍ରାତୃଜାୟାଙ୍କର ଗେହ୍ଲାଳିଆ କଅଁଳ ଡାକ ଶୁଣିବାକୁ,–ଏ କ’ଣ କରୁଛ ଅମିୟ ? ଦିନସାରା କ୍ଳାନ୍ତ ହୋଇଛ । ବଣରୁ କାଠ କାଟିଲାବେଳେ ଡାଳବାଜି ମୁଣ୍ଡରେ ଆଘାତ ଲାଗିଛି ପରା, କପାଳ ଉପରେ ଫୁଲା, ମଳିଚମ ଆଞ୍ଚୁଡ଼ି ହୋଇଚି । ଛୋଟେଇ ଛୋଟେଇ ଆସୁଥିଲା ଅମିୟ, ପାଦରେ ଆଘାତ ଲାଗିଛି । ସାନ ଭାଇଟି, ମୋ ରାଣ, ଫେରି ଆସ-। କାମ ଆଜି ସେତିକି ଥାଉ, ଟିକିଏ ବିଶ୍ରାମ କର, ଆସ ଶୁଣିବ, ମୁଁ ରାମାୟଣ ପଢ଼ିବି ।

 

ଅମିୟର ସ୍ନେହ–ରଙ୍କୁଣା କାନ ଦିଓଟି ତୃଷାର୍ତ୍ତ ହୋଇ ଚାହିଁ ରହିଛି ଦୟାମୟୀ ଭାଉଜଙ୍କର ଦୁଃଖ ଓ ମମତାମିଶା ଶୀତଳ ବାଣୀର ଆସ୍ୱାଦପାଇଁ, ହାତଗୋଡ଼ କାମ କରୁଛି । ଘରପାଇଁ ଖୁଣ୍ଟ ପୋତିବ ବୋଲି ସେ ଖଣତି ଧରି ଗାତ ଖୋଳୁଛି । ଦେହ ଘର୍ମାକ୍ତ ହୋଇଛି । ବିକଳ ହେଉଛି ତା’ର ଛନଛନ ମନ । ଭାଉଜ ତାକୁ ଆଜି ପଚାରି ନାହାନ୍ତି,–କାହିଁକି ଓ କିପରି ତୁମର କପାଳରେ ଓ ପାଦରେ ଆଘାତ ଲାଗିଲା ବାବୁ ? ଆସ ଟିକିଏ ପେନ୍‌ସିଲିନ୍‌ ଅଏଣ୍ଟମେଣ୍ଟ ମାଲିସ କରି ଦିଏଁ ।

 

ଅମିୟ ଆଗ ବଳିପଡ଼ି ନିଜେ କହି ନାହିଁ,–ଝଟାଳିଆ ବାଉଁଶଟିଏ କାଟି ବୁଦାରୁ ଓଟାରିଲାବେଳେ ଗୋଡ଼ ଖସିଗଲା । ନଈଖଣ୍ଡି ଉପରୁ ସେ ନଈ ତଳକୁ ଫୋପାଡ଼ି ହୋଇ ପଡ଼ିଲା ମୁହଁମାଡ଼ି । ବାଲିଆ ଜାଗା ହୋଇଥିଲେବି ସେ କିଛିକାଳ ଚେତା ହରାଇଥିଲା । ଚେତା ହେଲାରୁ ତା’ର ମୁଣ୍ଡ ଘୂରିବାକୁ ଲାଗିଲା । ଚତୁର୍ଦ୍ଦିଗ ଅନ୍ଧାର ଦିଶିଲା । ହାତ ଭରା ଦେଇ ସେ ଉଠି ବସିଲା । ପଥର ଖଣ୍ଡେକୁ ଆଉଜିଲା । କେତେବେଳକେ ପ୍ରକୃତିସ୍ଥ ହେଲା । ସତୀନଦୀର ଚଳନ୍ତି ପାଣିରେ ମୁଣ୍ଡ ଧୋଇଲା । ଚଳଚଳ କରି ପାଣି ଛାଟିଲା ଆଖିକୁ । ପେଟେ ପିଇଲା ।

 

କାହାକୁ ସେ କିଛି କହି ନାହିଁ । ଅନିମା ଜାଣନ୍ତି ନାହିଁ । କେଜାଣି, ତା’ର ଦୁରବସ୍ଥା ଆଉ କେହି ଦେଖିଥିଲା କି, ସାହାଯ୍ୟ ନ କରି ଅନ୍ୟର ଦୁଃଖରେ ସେହି ଲୋକଟି ଆମୋଦ ଅନୁଭବ କରୁଥିଲା ? ଆଶାକରି ଥିଲା, ଅବସ୍ଥା ସାଙ୍ଘାତିକ ହେଲେ ସେ ଆଗେଇ ଆସିବ ? ବୀରତ୍ୱ ଦେଖାଇ ବାହାଦୁରି ନେବ ?

 

ଆଶା ତା’ର ବିଫଳ ହେଲା, ଆଗରୁ ଆସି ବନେଇ ଚୂନେଇ ଅମିୟର ଦୁର୍ଦ୍ଦଶା ଓ ଅସାବଧାନତା ଅନିମାଙ୍କ ଆଗରେ ବର୍ଣ୍ଣନା କଲା ? ସ୍ନେହମୟୀ ସେ, ଅଭିମାନ କରି କଥା କହୁ ନାହାନ୍ତି ? ଅମିୟର ଦୁଃଖକୁ ନିଜ ଉପରକୁ ଟାଣି ନେଇ ସେ ନିଜେ କାରୁଣ୍ୟ କରୁଛନ୍ତି ?

 

ତାଙ୍କର ରୁକ୍ଷ କେଶ ଓ ସଜଳ ନେତ୍ର ପ୍ରକାରାନ୍ତରରେ ତାକୁ କୋମଳ ଭର୍ତ୍ସନା କରୁଛି,–ଏତେ ଦୁଃଖ ସହି ପରିଶ୍ରମ କରି କେଇଦିନ ପାଇଁ କାହିଁକି ତୁମେ ଘର ତୋଳୁଛ ? ମନ ମାନୁ ନାହିଁ-। ପୁଣି କେଉଁଠିକୁ ସେମାନେ ଆମୁକୁ ବିଦା କରିବେ ହୁଏତ ସେମାନେ ନିଜେବି ଅନୁମାନ କରି ନଥିବେ । କ୍ଷାନ୍ତ ହୁଅ ଅମିୟ । ଏଇ ଛୋଟ ଟେଣ୍ଟ୍‍ଟି ତିନୋଟି ପ୍ରାଣୀଙ୍କୁ ବେଶ୍‌ ଆଶ୍ରା ଦେଇ ପାରିବ-

 

ଅମିୟ ନିଠେଇ ନିଠେଇ ଗାତ ଖୋଳୁଛି । ତା’ର ନିପୁଣ କର୍ମହିଁ ନୀରବ ଉତ୍ତର ଦେଉଛି, ଏହି କର୍ମ ଏହି ନିଯୁକ୍ତି ନିଜର ଶକ୍ତି ସାର୍ମଥ୍ୟ ଉପରେ ଆସ୍ଥା ବଢ଼ାଉଛି ଭାଉଜ, ଏ ଦୁନିଆର କୌଣସି ପରିସ୍ଥିତି ଯେ ଆମୁକୁ ଡରାଇ ପାରିବ ନାହିଁ, କୌଣସି ବିପଦ ଯେ ଆମୁକୁ ଅକଡ଼େଇ ଦେବ ନାହିଁ ସେହି ଆତ୍ମ–ବିଶ୍ୱାସ ଓ ଦୃଢ଼ତା ମନରେ ବଦ୍ଧମୂଳ ହେଉଛି । କେଉଁ ଆନନ୍ଦ ଏହାଠାରୁ ବଳି ବଡ଼ ? ତୁମେ ନିଶ୍ଚିନ୍ତ ହୁଅ, ତୁମେ ମୋପାଇଁ ଦୁଃଖ କରନା ।

 

ଅମିୟ କଣେଇଁ ଚାହିଁଲା । ଟେଣ୍ଟ୍ ଭିତରେ ଅନିମା ଜିନିଷଗୁଡ଼ିକୁ ପୁଣି ଏ ପାଖ ସେ ପାଖ କରି ସଜାଇ ରଖୁଛନ୍ତି । ବାଇଆଣୀ ପରି ଦିଶୁଛନ୍ତି । ମୁଣ୍ଡର ଖୋଲା କେଶ ମାଟିରେ ଲୋଟି ଯାଉଛି । ହସହସ ମୁହଁରେ ବିଷାଦର କାଳିମା ଲେପି ହୋଇଛି । କେଉଁ ଦୁଃସମ୍ବାଦ ଆସି କାନରେ ପଡ଼ିଲା ? ଦୁଃ–ସ୍ୱପ୍ନ ଦେଖିଲେ ? ବିପିନ୍‍ କର୍ମକାର କି ତାଙ୍କର ଅଧା ବାଇଗଣୀ ନିର୍ବୋଧ ଜନନୀ ପୁଣି କ’ଣ ଏଣୁତେଣୁ କହି ପକାଇଲେ ?

 

ଅମିତା ତାଙ୍କର ପାଖେପାଖେ ଅଛି । ପିଲାଟାର ମନରେବି ସରାଗ ନାହିଁ ।

 

ଅମିୟ ଟାଉଟାଉ କରି ଗାତ ଭିତରୁ ମାଟି କାଢ଼ିଲା । ଭାବିଲା, ସବୁ ବଳେ ଜଣା ପଡ଼ିଯିବ । ସବୁ ପୁଣି ସୁଧୁରି ଯିବ । ମହାକାଳ ଯେତିକି ଅନୁଦାର ସେତିକି ଉଦାର । ସେ ଅପେକ୍ଷା କରେ । ଲମ୍ବ ଦଉଡ଼ି ଛାଡ଼ି ଦେଇଥାଏ । ତା’ର ଧୈର୍ଯ୍ୟର ପଟାନ୍ତର ନାହିଁ । ତୁମରି ଉପଦେଶ ତୁମରି ଉପରେ କିପରି ପ୍ରଭାବ ପକାଇବ ସେଇଆ ଦେଖିବାକୁ ମୁଁ ଧୈର୍ଯ୍ୟଧରି ଅପେକ୍ଷା କରିଛି । ତୁମର ମନେପକାଇ ଦେବାର ସାହସ ମୋର ନାହିଁ ।

 

ପୁଣି ତୁମେ ପ୍ରକୃତିସ୍ଥ ହେବ । ନିଜେ ହସି ମୋ ପରି ହତଭାଗ୍ୟକୁବି ହସାଇବ । ତୁମର ଅକଳନ ସ୍ନେହ ଓ ଉଦାରତାର ଆଲୋକ ପ୍ରାଚୀର ଘେରାଇ ମୋର ମନର ଅତୀତ ଅନ୍ଧାର ଆଡ଼କୁ ଛୁଟିବାକୁ ବୀଗ୍ର କଲବଲ ପ୍ଳାବନକୁ ଅଟକାଇ ରଖିବ ।

 

ମୁଁ ଅମିୟ, ମୁଁ ଦତ୍ତ ନୁହେଁ, ମୁଁ ମଣ୍ଡଳ । ଚଉଦବର୍ଷ ବୟସରେ ମୁଁ ପୁନର୍ଜନ୍ମ ଲାଭକରିଥିଲି । ତୁମେହିଁ ମତେ ଜନ୍ମଦାନ କରିଥିଲ । ଉଦରରୁ ନୁହେଁ, ମନରୁ । ଗର୍ଭବେଦନା ତୁମେ ସହି ନଥିଲ । ଯେଉଁ ମାନସିକ ବେଦନା ତୁମେ ସହିଥିଲ କରୁଣାମୟୀ, ଗର୍ଭବେଦନାରୁ ସେ କେତେ ତୀବ୍ର, କେଡ଼େ ଉଗ୍ର ! ଅମିତାକୁ ତଳେ ପକାଇ ସ୍ତନଭାଙ୍ଗି ସ୍ୱର୍ଗର ଅମୃତଧାରା ମୁମୂର୍ଷୁର ତୃଷିତ କଣ୍ଠରେ ଅଜାଡ଼ି ଦେଇଥିଲ ମୋର ପାଗଳୀ ଜନନୀ ! ଏଗାରବର୍ଷ ପରେ ଆଜି ସେହି ରୂପ ମୋର ଆଖିରେ ପଡ଼ୁଛି !

 

ଲୁହ–ଝରା ମୁହଁଟିକୁ ଲୁଚାଇ ଦେବାକୁ ଅମିୟ ବୁଲି ବସିଲା । ଭାବିଲା, ଭଗବାନ୍‌ କରନ୍ତୁ ଅମିତାର ପିତା ଅଧର ମଣ୍ଡଳଙ୍କର ଶୀଘ୍ର ଖବର ମିଳୁ । ସେ ଫେରି ଆସନ୍ତୁ । ପତ୍ନୀ ଓ କନ୍ୟାଙ୍କର ଦାୟିତ୍ୱ ସେ ନିଜ ମୁଣ୍ଡକୁ ନେଉନ୍ତୁ । ସେଇଠୁ ତା’ର କର୍ତ୍ତବ୍ୟ ସରିବ । ପୁଣି ସେ ଦୁନିଆର ଦାଣ୍ଡକୁ ଓହ୍ଲାଇ ପଡ଼ିବ । ନୂତନ କର୍ତ୍ତବ୍ୟ ବାଛି ନେବ । ନୂତନ ପନ୍ଥାରେ ବାଟ ଚାଲିବ ।

 

ଥରେ ନୁହେଁ, ଦୁଇଥର ସେ ମରି ସାରିଛି । ମୁଣ୍ଡରେ ଆଘାତ କରି ନହୁନୁହାଣ ମୂର୍ଚ୍ଛିତ ଦେହକୁ ମୃତ ବୋଲି ମଣି ପୂର୍ବ–ପାକିସ୍ଥାନର ପଶ୍ଚିମ–ଆତତାୟୀମାନେ ତାକୁ ପରିତ୍ୟାଗ କରି ଚାଲି ଯାଇଥିଲେ । ମୃତ ପିଣ୍ଡରେ ଜୀବନ ସଂଚାରିଥିଲା ଅଦୃଷ୍ଟ ! ସୀମା ପାର ହୋଇ ଦୁର୍ବଳ ଦେହକୁ ଟାଣିଓଟାରି ଉପାସ ଭୋକରେ ଦୁଇଦିନ ଚାଲି ନିରାଟ ଖରାରେ ସେ ଦରମରା ହୋଇ ଗଛତଳେ ପଡ଼ି ରହିଥିଲା । ପାଦଟିଏ ଆଉ ଆଗେଇବାକୁ ଦେହରେ ଶକ୍ତି ନଥିଲା । ପାଟି ଅଠଅଠା ହେଉଥିଲା । ଶୋଷରେ ପ୍ରାଣ କଣ୍ଠାଗ୍ରତ ହୋଇଥିଲା । ମରଣ ସୁ–ନିଶ୍ଚିତ ।

 

ମରଣ ଦୁଆରୁ ଫେରାଇ ଆଣିଥିଲ ତୁମେ, ଅନିମା !

 

ସତର

 

ଆତୁର କଣ୍ଠରେ ଅମିତା କହିଲା, ମା’, ତୁ ଖାଇଲୁ ନାହିଁ କାହିଁକି ମୁଁ ଜାଣିସାରିଲିଣି । ତୋର ଗୋଡ଼ ଧରୁଛି, ଆଉ କେବେ ତୋର ଅବାଧ୍ୟ ହେବି ନାହିଁ । ମାଛ ସାଲୁବାଲୁ ହେଉଥିଲେ ସେ ନାଳର ଆବଦ୍ଧ ପାଣିରେ । ମୋର ଲୋଭ ହେଲା । ସାଙ୍ଗ ପିଲାମାନେ ପାଣିରେ ପଶି ଖିଅ ଦେଲେ । କକାଙ୍କପାଇଁ ପୁଞ୍ଜିଏ ମାଛ ଆଣିବାକୁ ମୋ ମନ ଛକପକ ହେଲା । ପାଣିରେ ପଶିଲି । ଆଞ୍ଜୁଳାରେ ଧରିବାକୁ ଚେଷ୍ଟା କଲି । ଚୂନା ମାଛ କେଡ଼େ ଛଟକରେ ଆଙ୍ଗୁଳି ପାଙ୍କରେ ଗଳି ପଳାଇଲେ । ସାଙ୍ଗ ପିଲାମାନେ ଟହଟହ ହସୁ ଥାଆନ୍ତି । ଖିଅଦେଇ ପୋଷ ପୋଷ ଧରି ଅଣ୍ଟିରେ ପୂରାଉଥାନ୍ତି । ମୋ ସଙ୍ଗରେ ମିଶି ଖିଅଦେଇ ଧରିବାକୁ ଯାହାକୁ କହିଲି ସେ ମନାକଲା । ଜିଭ ଦେଖାଇ ଓଲଟି ଖତେଇ ହେଲା । ଗାମୁଛାରେ ଖିଅ ଦେଇ ଏକାଏକା ଧରିବାକୁ ମୁଁ ଚେଷ୍ଟାକଲି । ତେବେବି ହେଲା ନାହିଁ । ହତାଶ ହୋଇ ପାଣି ଭିତରୁ ମୁଁ ଉଠି ଆସିଲି ।

 

ଅମିତାର ଡରଡ଼ର ଆଖିରେ ଲୁହ ଢଳଢ଼ଳ ହେଲା । ଅନିମା କଣେଇଁ ଚାହିଁଲେ । ମିତା ପାଖରେ ବସି ତାଙ୍କର ମୁକୁଳା କେଶକୁ ହାତ ଆଙ୍ଗୁଠିରେ ସାଉଁଳୁଛି । କିଏ ସେ ହତଭାଗିନୀ ଝିଅଟି, କାହାର ତନୁଜା, ଜାତିଗୋତ୍ର ତା’ର କ’ଣ ? ସେ ନିଜେ ତ ଜାଣନ୍ତି ନାହିଁ । ମୁହଁଖୋଲି ମନର ପ୍ରଶ୍ନ କାହାକୁ କେବେ ସେ ପଚାରି ନାହାନ୍ତି । ପ୍ରକୃତ ସତ୍ୟ ଜାଣନ୍ତି ଏକା ସେ ଓ ସବୁବେଳେ ସର୍ବତ୍ର ବିଦ୍ୟମାନ ଯେଉଁ ଭଗବାନ୍‌ ସେ ।

 

ନିଦ୍ରା କୋଳରେ ଅଚେତନ ହୋଇ ସେ ପଡ଼ିଥିଲେ । ଛାତିରେ ଲାଖି ରହିଥିଲା ତିନି ବରଷର ଶିଶୁ ପୁତ୍ର ଅମିତାଭ, ଯାହାକୁ ବଞ୍ଚାଇ ମଣିଷ କରିବାକୁ ଗହନ ଅନ୍ଧାର ରାତିରେ, ନିଶାର୍ଦ୍ଧରେ ଓ ବନ ପଥରେ ଆହତ ସ୍ୱାମୀଙ୍କର କରୁଣ ନିର୍ଦ୍ଦେଶ, ଆତୁର ଅନ୍ତିମ ଅନୁରୋଧ ପାଳନ କରିବାକୁ ପଳାତକଙ୍କର ଜୁଆରରେ ହାବୁକା ଖାଇ ଠେଲି ହୋଇ ଅଧାପ୍ରାଣ ହୋଇ ସେ ଚାଲି ଆସିଥିଲେ ପଶ୍ଚିମବଙ୍ଗକୁ ।

 

ଛୋଟ ରେଳ–ଷ୍ଟେସନ୍‍–

 

ପ୍ଲାଟ୍‌ଫର୍ମ୍ ଭିତରେ ଓ ବାହାରେ ଅଗଣନ ନରନାରୀ ଓ ଶିଶୁ । ସମସ୍ତେ ଗୃହହରା ପଳାତକ ଆଶ୍ରୟ–ପ୍ରାର୍ଥୀ । କୁଆଡ଼େ । କାହିଁ ପଳାଇଯାଇ କୌଣସି ଉପାୟରେ ପ୍ରାଣ ବଞ୍ଚାଇବାକୁ ବ୍ୟାକୁଳ ଚଞ୍ଚଳ । ରେଳଗାଡ଼ି ଆସୁଛି ଓ ଯାଉଛି । ଲୋକେ ଠେଲାଠେଲି ପେଲାପେଲି ହୋଇ ପ୍ଲାଟ୍‍ଫର୍ମ୍ ଉପରକୁ ଧସେଇ ଯାଉଛନ୍ତି । ପ୍ରତି ଡବା ଭିତରେ ଖୁନ୍ଦାଖୁନ୍ଦି ଲୋକ । ଡବାଗୁଡ଼ିକର ବାହାର ପାଖ ହାଣ୍ଡଲ୍‌ ଧରି କେତେ ଝୁଲି ରହିଛନ୍ତି । ଡବା ଉପରେବି ଭିଡ଼ । ସମସ୍ତଙ୍କ ମନରେ ଉଦ୍‍ବେଗ, କିପରି ସେମାନେ ସେହି ସ୍ଥାନ ଛାଡ଼ି ଆଉ କୁଆଡ଼କୁ ଚାଲି ଯିବେ, ରେଳଗାଡ଼ି ଯୁଆଡ଼େ ନେବ ସେମାନଙ୍କୁ, ପାକିସ୍ଥାନର ନରକ ମଝିକୁ ଫେରି ନ ଗଲେ ହେଲା । ହଁ, ନରକ ସତେ, ସେତେବେଳକାର ପାକିସ୍ଥାନ, ଯମର ଦୂତ ଘୂରି ବୁଲୁଛନ୍ତି । ତିନି ବରଷର ପୁଅ ଅମିତାଭକୁ ଛାତିରେ ଯାକି ଭିଡ଼ ଭିତରେ ଧସେଇ ପଶି ଷ୍ଟେସନ୍‍ର ପ୍ଲାଟ୍‍ଫର୍ମ୍‍କୁ ଯିବା ସମ୍ଭବ ହେଲା ନାହିଁ । ପଥଶ୍ରାନ୍ତ ଦୁର୍ବଳ ଦେହ । ଖାଦ୍ୟ ଅଭାବରେ ନିଜେ ସେ ଟଳଟଳ । ଦେହ ଝୋଲା ମାରି ଦେଉଛି ।

 

ଦୁର୍ବଳ ଭୋକିଲା ପିଲାଟା ଆଲିଜା ଦେଇ ଛାତିରେ ଲାଖିଛି । ରେକେଟି ରେକେଟି କ୍ଷୀର ଶୋଷୁଛି । ସରକାର ଯେଉଁ ଅନ୍ନଛତ୍ର ଖୋଲିଛନ୍ତି, ତା’ ଭିତରେ ପଶି ମୁଠିଏ ଅନ୍ନ ଖାଇବା ଅସମ୍ଭବ ହୋଇ ପାରୁନାହିଁ । ତିନିବେଳା ପରେ ଅନିମା ସେହି ଅନ୍ନରୁ ମୁଠିଏ କଷ୍ଟେମଷ୍ଟେ ଉଦରସ୍ଥ କରିପାରିଥିଲେ । ବଣ୍ଟା ହେଉଥିବା କ୍ଷୀରରୁ ଗିଲାସେ ଅମିତାଭକୁ ପିଆଇଥିଲେ ।

 

ଦେହ ହାତରେ ପଡ଼ିଆ–ସୁନାର କାଚ ଦି’ପଟି ଓ ବେକରେ ନିରସା ସୁନାର ଦେଢ଼ଭରି ଓଜନର ଚେନ୍‌ଟି ବ୍ୟତୀତ ଦେହରେ ଆଉ ଗହଣାଗାଣ୍ଠି ନାହିଁ । ପ୍ରାଣବିକଳରେ ପଳାଇ ଆସିଲାବେଳେ ଯେଉଁ ଛୋଟ ଟିଣ ସୁଟ୍‌କେଶକୁ ସଙ୍ଗରେ ଆଣିଥିଲେ, ସେଇଟି ଗତ ରାତ୍ରିରେ କିଏ ଚୋରିକରି ନେଲା । ଲୁଗାପଟା ଦି’ ଚାରିଖଣ୍ଡ, ନୋଟା, ଗିଲାସ, ଥାଳି ତାଟିଆ ସଙ୍ଗରେ ସାମାନ୍ୟ କେଇଟି ପାକିସ୍ଥାନୀ ନୋଟ୍ ଓ ରେଜ୍‌କି କିଏ ନେଇ ପଳାଇଲା ।

 

ଏପରି ଚୋରି ପ୍ରତିଦିନ କେତେ ହେଉଛି । ବେକରୁ ହାର କାଟି ନେଉଛନ୍ତି । ଟିକିଏ ଅସାବଧାନ ହେଲେ ଆଖି ପିଞ୍ଛଡ଼ାକେ କିଏ କାହାର ଲୁଗା, ଶାଢ଼ି, ଜାମା ନେଇ ପଳାଉଛନ୍ତି । କାହା ଆଗରେ କିଏ ଗୁହାରି କରିବ ? ହୁଲସ୍ତୁଲିଆ ଇତସ୍ତତଃ ଲୋକଙ୍କର ଗମନାଗମନ । କିଏ ସାଧୁ କିଏ ଚୋର ଜାଣିବା ସମ୍ଭବ ନୁହେଁ । ନିଜର ଓ ପିଲାକୁଟୁମ୍ବଙ୍କର ପ୍ରାଣ ବଞ୍ଚାଇବାକୁ ସମସ୍ତେ ବ୍ୟାକୁଳ । ଧର୍ମ ଅଧର୍ମ ଓ ନୀତି ଅନୀତି ବିଚାର କର୍ମ କରିବାର ପ୍ରବୃତ୍ତି ମଣିଷ ମନରୁ ନିର୍ବାସିତ ହୋଇଛି । ମଣିଷ ହୋଇଛି ଅରଣ୍ୟର ପଶୁ । ନିଜପାଇଁ ନିଜେ, ଅତି ଆପଣାସାର୍ଥିକ୍ୟା । ଅନ୍ୟ ଆଡ଼କୁ ଦୃଷ୍ଟି ଦେବା କି ଅନ୍ୟର ସୁବିଧା ଅସୁବିଧା ବିଚାର କରିବାକୁ କାହାରି ଆଗ୍ରହ ନାହିଁ, କି ସମୟ ନାହିଁ !

 

ଅନିମା ହୋଇଛନ୍ତି ସର୍ବହରା । ବାଟର ଭିକାରୁଣୀ ସେ, ଭିକ୍ଷା କରି ନିଜର ଓ ପିଲାଟିର ଜୀବନ ବଞ୍ଚାଇବା ଛଡ଼ା ଅନ୍ୟ ପନ୍ଥା ନାହିଁ । ଯାହାକୁ ବଞ୍ଚାଇବାର ଦାୟିତ୍ୱ ନେଇ ମୁମୂର୍ଷୁ ସ୍ୱାମୀଙ୍କୁ ଅପନ୍ତରାରେ ଆତତାୟୀମାନଙ୍କ ମଝିରେ ସେ ଛାଡ଼ି ଆସିଛନ୍ତି, ସତେ ସେ ସେହି ଶିଶୁଟିକୁ ବଞ୍ଚାଇ ପାରିବେ ? ସ୍ୱାମୀ ଟିକିଏ ସୁସ୍ଥ ହୋଇ ଅପନ୍ତରାରୁ ଏ ଦେଶକୁ ପଳାଇ ଆସିଲେ ତାଙ୍କର ଦାୟିତ୍ୱ ପୁଣି ତାଙ୍କ ହାତକୁ ଟେକି ଦେବେ ? ତିନି ଦିନ ତ ହେଲା, କାହାନ୍ତି ସେ ?

 

ଛାତିରେ ଛନକା ପଶେ । କେଉଁ ଅମଙ୍ଗଳ ଚିନ୍ତା ତାଙ୍କୁ ଅସ୍ଥିର କରେ । ମନର ଆଶା ଦୁର୍ଭାବନା ପାଖରେ ନେହୁରା ହୋଇ ଅଳିକରେ, ନାଇଁ ନାଇଁ, ଆଘାତ ମୋଟେ ସାଙ୍ଘାତିକ ନୁହେଁ, ସେ ଉଠିଥିବେ, ଅନ୍ୟମାନଙ୍କ ସାହାଯ୍ୟରେ ସେହି ଅନ୍ଧାର ରାତିରେ ଅରଣ୍ୟ ପଥରେ ପାକିସ୍ଥାନ ସରହଦ ଅତିକ୍ରମ କରିଥିବେ । ସେ ଆସିବେ । ସେ ସୁସ୍ଥ ହେବେ । ତାଙ୍କର ଜୀବନ ସଙ୍ଖାଳି ଯମ ଅଇଁଠାକୁ ଖୋଜି ସେ ବାହାର କରିବେ, କୋଳକୁ ନେବେ । ଭଗବାନ ଅବଶ୍ୟ ଏହା କରିବେ । ମା’ ଦୁର୍ଗା, ମା’ କାଳୀ ସେଥିପାଇଁ ଅବଶ୍ୟ ସାହା ହେବେ ।

 

କାହିଁକି ନିର୍ଦ୍ଦୋଷ ଉପରେ ସେସାନେ ଦଣ୍ଡ ନିହିବେ ?

 

ଛୋଟ ରେଳ ଷ୍ଟେସନ୍‌ ।

 

ପ୍ଲାଟ୍‍ଫର୍ମ୍ ବାହାରେ ଛୋଟ ୱେଟିଙ୍ଗ୍‌ ରୁମ୍‌ । ସିମେଣ୍ଟ ଚଟାଣ ଉପରେ କ୍ଳାନ୍ତ ଅବଶ ଦେହ ଲମ୍ବାଇଦେଇଛନ୍ତି ଅନିମା । ବାଁ ହାତକୁ ମୁଣ୍ଡତଳେ ତକିଆ କରିଛନ୍ତି । କୋଳରେ, ସେହି ଚଟାଣ ଉପରେ ଶୋଇ ପଡ଼ିଛି ଅମିତାଭ । ଡାହାଣ ହାତରେ ଟିକି ପୁଅର ଦେହକୁ ଗୁଡ଼ାଇ ଧରିଛନ୍ତି । କିରାସିନି ଲ୍ୟାମ୍ପ୍‍ଟି କାନ୍ଥଉପର ଠଣାରେ ମିଞ୍ଜିମିଞ୍ଜି ହୋଇ ଜଳୁଛି । ତା’ର କ୍ଷୀଣ ଆଲୁଅ ଅନ୍ଧାର ରାତିକୁ ସ୍ୱଳ୍ପ ଆଲୋକିତ କରୁଛି । ଅନିମାଙ୍କର ଆଖିପତା ମାଡ଼ିମାଡ଼ି ପଡ଼ୁଛି । ମୁଣ୍ଡ ଭିତର ଭାଁ ଭାଁ ହେଉଛି । ଲୋକଙ୍କର ପାଟିତୁଣ୍ଡରେ କାନଅତଡ଼ା ପଡ଼ୁଛି ।

 

ଲୋକଗହଳି ବଢ଼ୁଛି । ପାଟିତୁଣ୍ଡ ବଢ଼ୁଛି । ଶିଶୁଙ୍କର କ୍ରନ୍ଦନ, ନାରୀମାନଙ୍କର ବାହୁନା ଓ ଅଜଣା ପାକିସ୍ଥାନୀ ଆତତାୟୀଙ୍କୁ ଅଭିଶାପ, ପରସ୍ପର ଭିତରେ କଜିଆ, କିଏ କାହାକୁ ନିଜ ଦୁର୍ଦ୍ଦଶାର କାହାଣୀ କଇଁକଇଁ କାନ୍ଦଣାସ୍ୱରରେ ବର୍ଣ୍ଣନା କରୁଛି, ଛାଡ଼ି ଆସିଥିବା ମୃତ ଏବଂ ଆହତ ଜୀବିତ ଆତ୍ମୀୟମାନଙ୍କୁ ସ୍ମରଣା କରି ନାମ ଧରି ସେମାନଙ୍କର ଗୁଣ ସୁମରି ବିକଳ ହେଉଛି । ଆହତର ଅସ୍ଥିର ବ୍ୟସ୍ତତାର କୁନ୍ଥନ । ଠେଲାଠେଲି ଭିତରେ ଏପାଖ ସେପାଖ ହେଉଣୁ କାହାର ଗୋଡ଼ହାତ କି ଦେହରେ ଆଉକିଏ ପାଦ ପକାଉଛି । ଲାଗି ଯାଉଛି କନ୍ଦଳ । ବାକ୍‌ଯୁଦ୍ଧରୁ ହସ୍ତଯୁଦ୍ଧ-

 

କେଉଁ ଭାଗ୍ୟବାନ୍‌ ସବୁ ଆତ୍ମୀୟକୁ ସଙ୍ଗରେ ଘେନି ଏ ଦେଶକୁ ପଳାଇ ଆସିପାରିଥିବାରୁ ନିଜର ବୁଦ୍ଧି, କୌଶଳ ଏବଂ ବୀରତ୍ୱର ବଡ଼ପଣ ପଡ଼ୋଶୀ ଆଗରେ ବର୍ଣ୍ଣନା କରୁଛି । ଅନାବଶ୍ୟକ ଉପଦେଶ ସବୁ ବମନ କରୁଛି । କାହାର କ’ଣ ହଜିଲାଣି କି ଚୋରି ଗଲାଣି, ସେ ପାଟିକରି ୟାକୁ ତାକୁ ଟଣାଓଟରା କରୁଛି । ନିଜେ କହୁଣୀ କେଞ୍ଚା ଖାଇ ଅସଭ୍ୟ ଅଶ୍ଳୀଳ ଭାଷାରେ ଶୋଧିବାକୁ ଆରମ୍ଭ କରିଛି ।

 

ଅନିମାଙ୍କର ତନ୍ଦ୍ରା–ଜୁଡ଼ୁବୁଡ଼ୁ ଆଖିରେ ଏହିପରି କେତେ ଦୃଶ୍ୟ ପଡ଼ୁଛି । କାନରେ କେତେ ଶବ୍ଦ ଧକ୍କା ଖାଇ ଫେରୁଛି । ସେ ଆଖି ବୁଜୁଛନ୍ତି । କାହାର ପାଦ ଗୋଡ଼ରେ ପଡ଼ିଲାଣି । କିଏ ତେଣୁ ପିଠିଆଡ଼ୁ ଗୋଡ଼ରେ କି କହୁଣୀରେ ଠେଲିଲାଣି । ସେ ଚିହିଁକି ଉଠୁଛନ୍ତି । କାହାକୁ କ’ଣ କହି ଧିକ୍‌କାରିବେ । ନେହୁରା ହୋଇ ଅନୁରୋଧ କରିବେ, ସାବଧାନ ହେବାକୁ ସତର୍କ କରିବେ ?

 

ସ୍ତ୍ରୀ ପୁରୁଷ ବାଳକ ବାଳିକା ଶିଶୁ ସମସ୍ତେ ମିଶାମିଶି । ସମସ୍ତେ ଅଧୀର ଅସ୍ଥିର, ଦୁର୍ଗତି–ଚଞ୍ଚଳ । ସମସ୍ତେ ଅପରିଚିତ । କିଏ କୁଆଡ଼ର, ଆଶ୍ରା ନେବାକୁ, ନିଜର ଓ ଆତ୍ମୀୟମାନଙ୍କର ପ୍ରାଣ ବଞ୍ଚାଇବାକୁ ଆକୁଳବିକଳ । ନିଜର ତ ଅସୀମ ଦୁଃଖ, ଅମାପ କାରୁଣ୍ୟ, ବର୍ଣ୍ଣାତୀତ ଉଦ୍‍ବେଗ । କାହାରି ଆଗରେ ମୁହଁ ଖୋଲି କହିବାକୁ, ମନର ଯାତନା ଊଣା କରିବାକୁ, ସମୟ ସୁଯୋଗ ନାହିଁ । ଆବଶ୍ୟକ ମଧ୍ୟ ନାହିଁ । କହିବାର ଲୋକ କହିଯାଉଛି । ନିଜର ଦୁଃଖର ବୃତ୍ତାନ୍ତ ନିଜେହିଁ ଶୁଣୁଛି । ଅନ୍ୟର ଶୁଣିବାକୁ ଆଗ୍ରହ ନାହିଁ । ଧୈର୍ଯ୍ୟନାହିଁ । ପ୍ରକାଶ କରିବାକୁ ଅନ୍ୟର ମନବି କଲବଲ ।

 

ସମସ୍ତେ ଜଣେ ଜଣେ ଚଳନ୍ତି ଇତିହାସ କି ବିୟୋଗାନ୍ତ ଉପନ୍ୟାସ, କାବ୍ୟ–କବିତା କିନ୍ତୁ, ପ୍ରାଣ ବଞ୍ଚାଇବାକୁ ସମସ୍ତେ ଉଚ୍ଛନ୍ନ । ଅନିମା ନିରବ । ଆଖି ଖୋଲିଲେ ଅମିତାଭର ଫୁଙ୍ଗୁଳା ପିଠିରେ ହାତ ବୁଲାଉଛନ୍ତି । କାନି ଘୋଡ଼ାଇ ପାଖକୁ ପାଖକୁ ଲଗାଇ ଆଣୁଛନ୍ତି । ଏତେ ପାଟିତୁଣ୍ଡ ଗଣ୍ଡଗୋଳ ସତ୍ତ୍ୱେ ସେ ନିଶ୍ଚିନ୍ତ ନିଦରେ ଶୋଇଛି । ଗୋଡ଼ପାଖରେ ଆଉ ଗୋଟିଏ ପିଲା । ଫୁଙ୍ଗୁଳା ଦେହ । ଅମିତାଭର ଗୋଡ଼ ତଳକୁ ତା’ର ମୁଣ୍ଡ । ତା’ର ଜନନୀ କଣେଇଁ ଶୋଇଛି । ମୁହଁଟି ଝାପସା ଦିଶୁଛି, କ୍ଷୀଣତର ହୋଇ ଆସୁଥିବା କିରାସିନି ଆଲୁଅର ଶିଖାରେ । ଅମିତାଭର ଆରପାଖରେ ଆଉ ଗୋଟିଏ ଶିଶୁ । ତା’ର ମାଆର ସ୍ତନରୁ କ୍ଷୀର ଶୋଷି ଶୋଷି ଖାଉଛି । ତା’ର ଟିକିଟିକି ଗୋଡ଼ ଦିଓଟି ଅମିତାଭର ମୁଣ୍ଡ ଉପରଦେଇ ଲମ୍ବିଛି ଅନିମାଙ୍କର ବେକଯାଏ । ସମସ୍ତେ ସେମାନେ ନିଦ୍ରାରେ ଅଚେତନ ।

 

ଅଠର

 

କେତେବେଳେ କ୍ଳାନ୍ତ ଆଖିପତା ମୁଦିହୋଇଗଲା । କାନରେ ମିଶାମିଶି ଶବଦ ବାଜୁଥାଏ । ଦେହରେ ମୁଣ୍ଡରେ ଓ ଗୋଡ଼ରେ ଅନ୍ୟମାନଙ୍କର ଠେଲାପେଲାର ଆଘାତ ଲାଗୁଥାଏ-। ତଥାପି ଆଖି ଖୋଲୁ ନଥାଏ । ଚେତନା ହଜି ଯାଇଥାଏ । ମନ ଭ୍ରମୁଥାଏ ସୀମା ସେପାରି ପାକିସ୍ଥାନର ଅରଣ୍ୟ ଭୂମିରେ, ନୀରବ ଅନ୍ଧାର ରାତିରେ, ବାଟ ଅବାଟ ନ ମାନି କଣ୍ଟାଝଣ୍ଟା ଆପଦ ବିପଦକୁ ମନରେ ନ ଘେନି ଯେଉଁଠି ଛୁଟିଥାଏ ପଳାତକଙ୍କର ସ୍ରୋତ ।

 

ସେହି ଅନ୍ଧାରିଆ ଅରଣ୍ୟ ଭିତରେ, କେଜାଣି କେତେ ଦୂରରେ, ବିଭିନ୍ନ ଦିଗରୁ ଶୁଭୁଥାଏ ମେସିନ୍‌–ଗନ୍‌ର ଆବାଜ । ବେଳେବେଳେ ଆର୍ତ୍ତନାଦ କରି କିଏ କେଉଁଠାରେ ଟଳି ପଡ଼ୁଥାଏ । ରୋଦନର ରୋଳ । ସମସ୍ତେ ଜୀବକକୁ ହାତରେ ଧରି ପ୍ରାଣ ବଞ୍ଚାଇବାକୁ ଆକୁଳ ହୋଇ ପଡ଼ିଉଠି ଛୁଟି ଥାଆନ୍ତି । ପରତେ ନଥାଏ ମନରେ ଯେ ଆଗରେ ବିପଦ ଓ ମରଣନାହିଁ । ଆଶା ଦୋଦୁଲ୍ୟମାନ, ଜୀବନ ବଞ୍ଚିବ କି ନାହିଁ । ପବନରେ କୁଟାକାଟି ଉଡ଼ିଗଲା ପରି ସେମାନେ ଆୟତ୍ତହୀନ ହୋଇ ଉଡ଼ି ଯାଉଛନ୍ତି । ଭାଗ୍ୟରେ କ’ଣ ଅଛି କେହି ଜାଣେନାହିଁ ।

 

ଆଗରେ ଚାଲିଛନ୍ତି ଅନିମାକୋଳରେ ଅମିତାଭ । ପଛରେ ତାଙ୍କର ସ୍ୱାମୀ ଅଧର ମଣ୍ଡଳ । ସେମାନଙ୍କର ଆଗରେ ପଛରେ ଓ ଦୁଇକଡ଼ରେ କେତେ ସ୍ତ୍ରୀପୁରୁଷ ଓ ବାଳକବାଳିକା ଧାଇଁଛନ୍ତି । ଫୁସ୍‌ଫୁସ୍‌ କଥା କାନରେ ବାଜୁଛି । ରହିରହିକା ଦୂରରୁ ମେସିନ୍‌–ଗନ୍‌ର କ୍ରମାଗତ ଢୁଢ଼ୁ ଶବଦ ଅନ୍ଧାରି ଅରଣ୍ୟର ଛାତି ଥରାଉଛି । କିଏ କେଉଁଠି ଟଳି ପଡ଼ିଲାଣି ।

 

ଛାତିର ସ୍ପନ୍ଦନ ଦ୍ରୁତତର ହେଉଛି । ଅନ୍ୟମାନେ ଜୀବନ–ମୂର୍ଚ୍ଛା ଆଗକୁ ଧାଇଁଛନ୍ତି । ଛାତିରେ ଶିଶୁ ପୁତ୍ରକୁ ଚାପିଧରି, ଆରହାତରେ ଛୋଟ ଟିଣର ସୁଟ୍‌କେଶ୍ ଝୁଲାଇ, ଅନିମା କଣ୍ଟାଝଣ୍ଟା ଖାଲଢ଼ିପ ଡେଇଁ ବନପଥରେ କି ଅବାଟରେ ଧାଇଁଛନ୍ତି । ଗଛଲଟା ଗୋଡ଼ ଛନ୍ଦୁଛି । ଅନ୍ଧାର ଆଖି–ସହା ହେବାରୁ ସେସବୁର ଆକୃତି ଓ ପଳାତକ ଦଳର ଚଳନ ଅସ୍ପଷ୍ଟ ହୋଇ ଆଖିକୁ ଦିଶୁଛି ।

 

ଅଧର ମଣ୍ଡଳ ମୁଣ୍ଡରେ ବଡ଼ ଟ୍ରଙ୍କ୍‍ଟିଏ ବୋହିଛନ୍ତି । ପିଠିରେ ବୁଜୁଳା । ଗୋଟିଏ ହାତରେ ବଡ଼ ଠେଙ୍ଗା ଓ ଆର ହାତରେ ଛୋଟ ପୁଡ଼ାଟିଏ ଧରିଛନ୍ତି । ତିରିଶବର୍ଷର ଯୁବକ । ସ୍ୱାସ୍ଥ୍ୟବାନ । ଦେହରେ ଶକ୍ତି ଖୁନ୍ଦିହୋଇଛି, ତଥାପି ସେ ବୋଝର ଭାରରେ ଟଳି ଟଳି ଚାଲୁଛନ୍ତି । କାହାରି ତୁଣ୍ଡରେ ଭାଷା ନାହିଁ । ସମସ୍ତେ ଯେପରି ସମସ୍ତଙ୍କୁ ନୀରବ ଭାଷାରେ ଚେତାଇ ଦେଉଛନ୍ତି, ଚାରିଆଡ଼େ ମୃତ୍ୟୁ ଟାକି ରହିଛି, ଗଳି ଦେବାକୁ ଆଗେଇ ଆସୁଛି, ପଳାଅ, ପଳାଅ ।

 

ଚିତ୍କାର କରି ଟଳି ପଡ଼ିଲେ ଅଧର ମଣ୍ଡଳ । ଚମକି ଉଠି କ’ଣ ହେଲା ବୋଲି ପାଟି କରି ଉଠିଲେ ଅନିମା । ସଙ୍ଗେ ସଙ୍ଗେ କାନରେ ବାଜିଲା ବନ୍ଧୁକର ଆବାଜ୍‌ । କେତେ ଯେ ବନ୍ଧୁକ ଗର୍ଜିଉଠିଲା କଳନା କରିବା ସମ୍ଭବ ନୁହେଁ । ପତ୍ରଗହଳି ଭିତରେ ଗୁଳି ବୃଷ୍ଟିର ସିଁ ସିଁ । ଆବାଜ୍‌ ପାଖେଇ ଆସୁଛି ପଛରୁ । କିଏ କେଉଁଠି ଆଗରେ ପଛରେ ଦୁଇ କଡ଼ରେ କରୁଣ ଚିତ୍କାର କରି ଟଳିପଡ଼ିଲେଣି । ଅନ୍ୟମାନଙ୍କର ରୋଦନର ସ୍ୱର । ବିପଦ ଘନେଇ ଆସୁଛି । ଲୋକେ ନଇଁନଇଁକା ପ୍ରାଣ ବିକଳରେ ଧାଇଁ ପଳାଇବାକୁ ଲାଗିଲେଣି । ପିଲାଟିକୁ ଛାତିରେ ଯାକି ହତବୁଦ୍ଧି ହୋଇ ଅନିମା ନଇଁନଇଁ ପଛକୁ ଫେରୁଛନ୍ତି ।

 

ବ୍ୟାକୁଳ ସ୍ୱରରେ ପଚାରିଲେ, ତୁମେ କେଉଁଠି ଅଛ, ତୁମର କ’ଣ ହେଲା ?

 

ଶହ ଶହ ବନ୍ଧୁକର ଶବଦ ସଙ୍ଗେ ଗୁଳି ଚାଳନାର ଶବଦ । ଆହତଙ୍କର ଆର୍ତ୍ତନାଦ । ସେମାନଙ୍କର ଆତ୍ମୀୟମାନଙ୍କର ଭୟଭୀତ ଚୁପ୍‌ଚୁପ୍‌ ରୋଦନ, ପଳାତକମାନଙ୍କର ଜୀବନ–ମୂର୍ଚ୍ଛା ପଳାୟନର ପଦାଘାତ ଓ ନାଦ ସତେକି ଅନିମାକୁ ଅଧୀର କରିଥିଲା । ସେ ଫେରି ଆସୁଣୁ ପୁଣି ପଚାରିଲେ, ଆଗୋ, ତୁମେ କେଉଁଠି ? ତୁମର କ’ଣ ହୋଇଛି ?

 

ଅନତିଦୂରରୁ କେଉଁ ନିଘଞ୍ଚ ବୃକ୍ଷ–ଗହଳିର ଅନ୍ଧାରୁଆ ଅସ୍ପଷ୍ଟତା ଆରପାଖରୁ, ସତେକି ଗଭୀର ଗହ୍ୱର ଭିତରୁ କ୍ଷୀଣସ୍ୱରରେ ଅଧର ମଣ୍ଡଳ ଡାକି କହୁଛନ୍ତି, ମୁଁ ଆହତ ହୋଇଛି ଅନିମା, ମୋର ନଳୀଗୋଡ଼ରେ ଚୋଟ ଲାଗିଛି । କେଡ଼େ ଗଭୀର ଏଇ ଆବର୍ଜନାଭରା କାଦୁଆ ଖାଲରେ ପଡ଼ିଛି । ଉଠି ପାରନ୍ତି, ହାତ ପାଉନି, ମୋର କପାଳ କଡ଼ରେ ଚୋଟ ଲାଗିଛି । ସାଙ୍ଘାତିକ ନୁହେଁ, ମରିବି ନାହିଁ । ତୁମେ ପଳାଅ, ତୁମେ ପଳାଅ ଅନିମା, ମୁହୂର୍ତ୍ତେ ଆଉ ଅପେକ୍ଷା କରନା, ତୁମେ ପଳାଅ । ମୋର ଅମିତାଭକୁ ବଞ୍ଚାଅ । ମୁଁ ବଞ୍ଚି ରହିଲେ, ଉଦ୍ଧାର ପାଇଲେ ଯେଉଁଠି ହେଲେ ତମକୁ ଠାବ କରିବି । ପଳାଅ ଅନିମା, ମୋର ଅମିତାଭ ମୋର କୁଳର ପ୍ରଦୀପକୁ ବଞ୍ଚାଇ ରଖ । ଦେଖିଲ ତ ଆଖି ଆଗରେ ଅମିୟର କି ଅବସ୍ଥା ହେଲା ? ପଳାଅ, ଅମିକୁ ମୋର ବଞ୍ଚାଅ ଅନିମା ।

 

ଥକ୍କା ହୋଇ ଅନିମା ଶୁଣିଲେ । ଅବୋଧ ଶିଶୁ ଅମିତାଭ ଛାତି ଉପରେ ମୁଣ୍ଡଟେକିଲା, ରାହାଧରି କାନ୍ଦି ଉଠିଲା । ପୁଣି ଗର୍ଜିଉଠିଲା ପଛରୁ କେତେ ବନ୍ଧୁକ । ଶବଦରେ ନୈଶ ଆକାଶ ଓ ଅଚିହ୍ନା ଅରଣ୍ୟ ଧ୍ୱନିତ ହେଲା । ପୁଣି କିଏ କେଉଁଠି ଟଳି ପଡ଼ିଲା ପରା ! ଛାତି ଦୋହଲା ଆର୍ତ୍ତ ଚିତ୍କାର, ପଳାତକ ନରନାରୀଙ୍କର ପଳାୟନ ।

 

ଅଧର ମଣ୍ଡଳ ଆଉ କଥା କହୁନାହାନ୍ତି । ପୁଅର ତୁଣ୍ଡରେ ହାତ ଦେଇ ରୁଦ୍ଧ ଆବେଗ ଅନିମା ଥରିଲା ତୁଣ୍ଡକୁ ଭାଷା ଆସିଲା, ଆଗୋ ତୁମେ କେଉଁଠି ? ଅମିତାଭ ରାହା ଧରିଛି, ଖାଜୁଛି ତୁମକୁ । ହାତ ବଢ଼ାଉଛି, ମୋ ହାତଧରି ଉଠିଆସ । ହଁ, ଗହିଡ଼ା ଚଉଡ଼ା ଖାଲଟା ହେଇ ତ ଆଗରେ, ଆଗୋ, ଆଗୋ, ଆଗୋ–

 

ସ୍ୱାମୀଙ୍କର ଉତ୍ତର ନାହିଁ । ଗହ୍ୱର ଭିତରୁ ନୀରବ ଅନ୍ଧାର ସତେକି ଅନୁନୟ କରୁଛି, ପଳାଅ ପଳାଅ, ମୋ କୁଳର ପ୍ରଦୀପ ଅମିତାଭକୁ ବଞ୍ଚାଇ ରଖ ଅନିମା, ଏତିକି ମୋର ଶେଷ ଭିକ୍ଷା-। ପଳାଅ, ପଳାଅ–

 

ଯନ୍ତ୍ର–ଚାତିତପରି ସେ ପଳାଇ ଆସିଛନ୍ତି । କୁଳର ଏକମାତ୍ର ପ୍ରଦୀପ ଅମିତାଭକୁ ସେ ବଞ୍ଚାଇ ରଖିବେ । ଦେବର ଅମିୟ ଆତତାୟୀ ମୁସଲମାନ ଗୁଣ୍ଡାଦଳଙ୍କ ମଝିରେ ପଶିଥିଲା । ଅକାରଣ ବୀରତ୍ୱର ଉଦ୍ୟମ । ଆହା, ତାକୁ ସେ ପୁତ୍ରାଧିକ ସ୍ନେହ କରୁଥିଲେ । ଅସ୍ତ୍ରଧାରୀ ନିର୍ମମ ପଞ୍ଜାବୀ ଗୁଣ୍ଡା ମୁସଲମାନ ସୈନିକମାନଙ୍କ ଘେରରୁ ସେ ଉଦ୍ଧାର ପାଇଲା ନାହିଁ, ଜୀବନ ହାରିଲା ।

 

ଅମିତାଭକୁ ସେ ବଞ୍ଚାଇ ରଖିବେ, ସେତିକି ଆହତ ସ୍ୱାମୀଙ୍କର ଆଦେଶ !–

 

ପିଠିଉପରେ କାହାର ବଳିଷ୍ଠ ଚାପ ପାଇ ସେହି ଛୋଟ ରେଳଷ୍ଟେସନ୍‌ର ଅତିଛୋଟ ୱେଟିଙ୍ଗ୍‍ ରୁମ୍‌ ଭିତରେ ଅନିମାଙ୍କର ତନ୍ଦ୍ରାବିଜଡ଼ିତ ଆଖିପତା ଅଳାପ ଖୋଲିଲା । ମନପରଦା ଉପରେ ଅତୀତ ଘଟଣାର ଜୀବନ୍ତ ଚଳ–ଚ୍ଚିତ୍ର କ୍ଷଣକରେ ଉଭେଇଗଲା । କିରାସିନି ଆଲୁଅର ଶିଖା ମିଞ୍ଜିମିଞ୍ଜି ହୋଇ ଆସିଲାଣି, ସବୁ ଦିଶୁଛି ଅସ୍ପଷ୍ଟ । କେତେ ଲୋକଙ୍କର ଚଳପ୍ରଚଳର ଅସ୍ପଷ୍ଟ ଆକାର ଦେଖା ଯାଉଛି । ସେ କଡ଼ ଲେଉଟାଇଲେ ।

 

କିଏ ତା’ର ପାଦ ଦିଓଟି ତାଙ୍କର ପିଠି ଉପରେ ଲଦି ଦେଇଛି । ପୁରୁଷର ଜୋତାପିନ୍ଧା ପାଦ । ଲୋକେତ ଦେହକୁ ଦେହ ଭିଡ଼ି ଶୋଇଛନ୍ତି । ଘୁଞ୍ଚିବାକୁ ସ୍ଥାନ ନାହିଁ । ଅନିମା ସେହି ବଳିଷ୍ଠ ପାଦଦିଓଟିକୁ ପିଠିଉପରୁ ଖସାଇ ଦେଲେ । ପୁଣି ଆଖିପତା ମାଡ଼ି ପଡ଼ିଲା । ପରିସ୍ଥିତି ଭୁଲି ସେ ଅଣାୟତ୍ତ ହୋଇ ନିଦ୍ରାକୋଳରେ ଅଚେତନ ହେଲେ ।

 

ପିଠିଆଡ଼େ ଠେଲାଠେଲି, ଦେହରେ କଅଁଳ ପିଲାର ପାଦର ଆଘାତ ସେ ଅନୁଭବ କରୁଛନ୍ତି,–ଅମିତାଭର ! ରେଳଗାଡ଼ି ଆସିବାର ଶବଦ ଲୋକଙ୍କର କୋଳାହଳ, ଯାତାୟାତ । ଶିଶୁଗୁଡ଼ିକଙ୍କର କ୍ରନ୍ଦନ, ସପନପରି ଲାଗୁଛି । କ୍ଳାନ୍ତ ଦେହ ଉଠି ପାରୁନାହିଁ । ଧୀରେଧୀରେ ସେ ଗୋଡ଼ ଲମ୍ବାଇବାକୁ ଚେଷ୍ଟାକଲେ । ଗୋଡ଼ତଳେ କିଏ ସବୁ ଶୋଇଛନ୍ତି । ଗୋଡ଼ ଜାକିଲେ, କଡ଼ ଲେଉଟାଇଲେ ।

 

ଆଖି ଖୋଲିଲେ । ୱେଟିଙ୍ଗ୍ ରୁମ୍‌ର କିରାସିନି ଆଲୁଅ କେତେବେଳୁ ଲିଭିଗଲାଣି । ଅନ୍ଧାରିଆ ଦିଶୁଛି । ଝରକାବାଟେ ପ୍ଲାଟ୍‍ଫର୍ମ୍‍ରୁ ଆସୁଥିବା ଆଲୁଅର ତେଜ ୱେଟିଙ୍ଗ୍‍ ରୁମ୍‌ର ଗୋଟିଏ ପାଖ ସାମାନ୍ୟ ଉଜ୍ଜ୍ୱଳ କରୁଛି । ଲୋକେ ଠେଲାଠେଲି ହୋଇ ଗାଡ଼ି ଚଢ଼ିବାକୁ ପ୍ଲାଟ୍‌ଫର୍ମ୍ ଆଡ଼େ ଯାଉଛନ୍ତି । ଏତେ ଭିଡ଼ ଓ ଠେଲାଠେଲି ଭିତରେ ଶିଶୁ ପୁତ୍ରକୁ ନେଇ ସେ ଯାଇ ପାରିବେ ନାହିଁ । ସନ୍ଧ୍ୟାବେଳେ କିଏ ଜଣେ ଆରପାଖରୁ ଚିତ୍କାର କରି କହୁଥିଲା, ତା’ର ଛୋଟ ପୁଅଟି କାଖରୁ ଖସି ରେଳ–ଲାଇନ୍‌ କଡ଼ରେ ପଡ଼ିଲା, ମୁଣ୍ଡ ଫାଟି ପିଲା ହତ–ଜ୍ଞାନ ହେଲା ।

 

ଜାଣୁଜାଣୁ ସେ ଏପରି ଦୁଃସାହସିକ କାର୍ଯ୍ୟ କରିବେ ନାହିଁ । ବିପଦକୁ ନିମନ୍ତ୍ରଣ କରିବେ ନାହିଁ । ଡେରିହେଲେ ହେବ, ଅପେକ୍ଷା କରିବେ । ଭିଡ଼ କମି ଆସିଲେ ପଛେ ଗାଡ଼ିରେ ଚଢ଼ି କଲିକତା ଯିବେ । ଗାଡ଼ିସବୁ କୁଆଡ଼େ ସିଆଲ୍‍ଦା ଯାଉଛି । ସବୁ ପଳାତକ ସେଇଠିକି ଯାଉଛନ୍ତି । କାନରେ ବାଜିଯାଉଛି ଆହତ ସ୍ୱାମୀଙ୍କର କରୁଣ ନିର୍ଦ୍ଦେଶ,–ପଳାଅ, ପଳାଅ, ଆମର କୁଳର ପ୍ରଦୀପ ଅମିତାଭକୁ ବଞ୍ଚାଅ ।

 

ଅମିତାଭ ନିଦରେ ଶୋଇ କାନ୍ଦୁଛି, କଇଁ ଉଠୁଛି, ତା’ର ଟିକି ମୁଣ୍ଡଟି ଅନ୍ଧାରରେ ଛାତିକୁ ଲାଗିଛି । ନିଦବାଉଳାରେ ସେ ବୁଲି ପଡ଼ିଲାଣି ।

 

ହାତ ବଢ଼ାଇ ପିଲାର ଫୁଙ୍ଗୁଳା ପିଠିକୁ ସେ କୋଳକୁ ଆଉଜାଇ ନେଲେ, ପିଲାର ମୁହଁକୁ ସ୍ତନରେ ଲଗାଇ ଆଖିବୁଜିଲେ । ପିଲାଟି କ୍ଷୀର ଶୋଷିବାକୁ ଲାଗିଲା । ପାଖକୁ ପାଖକୁ ଲାଗି ଆସିଲା । ସତେକି ସେ ଅନିମାଙ୍କର ପେଟଭିତରେ ପଶିଯିବ । ଗୋଟିଏ ଟିକି କଅଁଳ ହାତରେ ସେ ଅନିମାଙ୍କର ଆର ସ୍ତନଟିକୁ ଅଣ୍ଡାଳିବାକୁ ଲାଗିଲା ।

 

ଅମିତାଭର ସେଇ ଅଭ୍ୟାସ, ସେ ସେମିତି ଖେଳିବାକୁ ଖୁସି ପାଏ । ତା’ର ଉପରେ କି ତଳେ ଅନ୍ୟକେହି ପ୍ରତିଦ୍ୱନ୍ଦ୍ୱୀ ନାହିଁ । ଦିଓଟି ସ୍ତନର ରସ ଉପରେ ଅମିତାଭରହିଁ ଏକଚାଟିଆ ଅଧିକାର । ଉଭୟେ ଏହା ଜାଣନ୍ତି । ସେ ଖେଳିବ, ଶୋଷିଶୋଷି ରସ ଟାଣିବ, ଦାନ୍ତ ଶୁଳେଇ ହେଲେ ରୁଟ୍‌କରି କାମୁଡ଼ି ଦେବ ସେ ଅବେଇବ ଟୋକାଟା, ଶୋଷୁ, ଭୋକ କରୁଥିବ, ଶୋଇପଡ଼ୁ ।

 

ଅନିମା ଧୀରେ ଧୀରେ ତା’ର ପିଠି ଚାପଡ଼ିଲେ । ପୁଣି ତାଙ୍କୁ କାଳ ନିଦ୍ରା ଘୋଟିଗଲା । ହାତ ନିଶ୍ଚଳ ହେଲା । ପାହାନ୍ତାର ଶୀତଳ ପବନ ତାଙ୍କର ଘର୍ମାକ୍ତ ଦେହକୁ ଆଉଁସିବାକୁ ଲାଗିଲା । ଦୁର୍ଭାଗ୍ୟ ଉପହାସ କରି ଅବଚେତନ ମନରେ ସ୍ୱାମୀଙ୍କର ବାଣୀ ବାରମ୍ବାର ଉଚ୍ଚାରଣ କଲା,–ଏକମାତ୍ର କୁଳର ପ୍ରଦୀପ ଯେ ଅମିତାଭ, ନିଜକୁ ତିଳତିଳ କରି ଦୁଃଖଦୁର୍ଦ୍ଦଶାର ଜ୍ୱଳନ୍ତ ଶିଖାରେ ଆହୁତି ଦେଇ ତାକୁ ବଞ୍ଚାଅ ।

 

ସେହି ଶିଶୁଟିକୁ ସେ ବଞ୍ଚାଇଛନ୍ତି, ବଡ଼ କରିଛନ୍ତି, ଯାହାକୁ ସେ ନିଜେ କୋଳକୁ ଟାଣି ନେଇଥିଲେ, ସେହି ଅନ୍ଧାରିଆ ୱେଟିଙ୍ଗ୍ ରୁମ୍‌ର ଚଟାଣ ଉପରେ ।

 

ସେ ଅମିତାଭ ନୁହେଁ, ସେ ଅମିତା !

 

ଆଗରେ ସେ ବସିଛି । ସଜଳ ନେତ୍ରରେ ଅନିମାଙ୍କର ଅସଜଡ଼ା କେଶ ସାଉଁଳୁଛି । ଅନିମାଙ୍କର ମନର ଉଚ୍ଚାଟ ଭାବନାର ଆଭାସ ସେ ପାଉନାହିଁ । ତାଙ୍କର ବୀତସ୍ପୃହଭାବ ଓ ଲୋତକ ଧାରର ଅର୍ଥ ବୁଝିବାକୁ ସେ ଚେଷ୍ଟା କରୁଛି, ଅଳି କରୁଛି, ଛଟପଟ ହେଉଛି । ତା’ର ନିଜ ବିବେଚନାରେ କି ଭୁଲ ସେ କରିଥିଲା, ସେତେକ ପ୍ରକାଶ କରି ମାତାଙ୍କ ମନର ଦୁଃଖ ଓ କ୍ରୋଧ ଦୂର କରିବାକୁ ସେ ଉଦ୍‌ବିଗ୍ନ ହେଉଛି ।

 

ଅନିମା କଣେଇଁ ଚାହିଁଲେ ଅମିତାର ସଜଳ ମୁହଁକୁ । ସୁନ୍ଦର ମୁହଁଟି ତା’ର ମଳିନ ଦିଶୁଛି । କେଶ ଅସଜଡ଼ା । ଦେହରେ ଅପରିଷ୍କାର ଜାମା ।

 

ଊଣେଇଶ

 

ଡରି ଡରି ଅମିତା କହିଲା, ସୌମେନ୍‌ କେଉଁଠିଥିଲା ମୁଁ ଜାଣି ନଥିଲି । ସତ କହୁଛି ମା’, ମୁଁ ତାକୁ ଡାକି ନଥିଲି । ଏକାଏକା ମାଛ ଧରି ହେବନାହିଁ ଜାଣି ମୁଁ ପାଣିଭିତରୁ ଓଦା ସରସର ହୋଇ ଉଠି ଆସିଲି । କୂଳରେ ଠିଆ ହୋଇ ମୁଁ ଦେଖୁଥିଲି । ଗଛ ଉପରେ ସୋମୁ ଚଢ଼ିଥିଲା, ମୋତେ ଜଣାନାହିଁ । ସେ କେତେବେଳେ ପଛରୁ ଆସି ମୋର ଦୁଇ ଆଖି ବୁଜି ଧରିଲା । ମୁଁ ଛାଟିପିଟି ହୋଇ ତା’ ହାତକୁ ଖସାଇ ଦେଲି ।

 

ମୁଁ ତା’ ଉପରେ ରାଗି ଥାଆନ୍ତି ମା’, କିନ୍ତୁ ସେ ମୋ ଗାମୁଛା ଧରି ପାଣିରେ ପଶିଲା । ମୋତେ ମାଛ ଧରିବାକୁ ଡାକିଲା । ମୁଁ ମାଛ ଲୋଭରେ ଭୁଲିଗଲି ଯେ ତୁ ସୋମୁକୁ ଘୃଣାକରୁ, ତା’ ସଙ୍ଗେ ମିଶିବାକୁ ତୁ ମନା କରିଥିଲୁ । ମୁଁ ଖୁସି ହୋଇ ପୁଣି ପାଣିରେ ପଶିଲି । ଆମେ ଦିହେଁ ପାଣିରେ ଖିଅ ଦେଇ ମାଛଧରିଲୁ । ଅଳ୍ପ ମାଛ ହେଲା ବୋଲି ସୋମୁ ତା’ର ଭାଗ ନେଲା ନାହିଁ । ସବୁ ମତେ ଦେଲା । ସେଇଥିପାଇଁ ସେଦିନ ମୋର ଡେରି ହୋଇଗଲା ମା’ । ଅଜାଣତରେ ମୁଁ ତୋର ଅବାଧ୍ୟ ହେଲି ମୁଁ ଦୋଷ କରିଛି ।

 

ଅମିତା ଅନିମାଙ୍କର ପାଦରେ ମୁଣ୍ଡ ଲଗାଇଲା । ଅନିମା ଶିହରି ଉଠିଲେ । ମୁହୂର୍ତ୍ତକରେ ଅତୀତର ସବୁ ଭାବନା ଅଟକିଗଲା । ଅମିତାର ମୁଣ୍ଡଟି ଧରି ତଳୁ ଉଠାଇ ଅନିମା ଅତି ପାଖରୁ ଚାହିଁ ରହିଲେ । ସୁନ୍ଦର ପରିଲା ପୂରିଲା କୁଲୁକୁଲିଆ ମୁହଁଟି ଭିତରେ ମୁହୂର୍ତ୍ତକ ପାଇଁ ସେ ହଜିଗଲେ । ପୋଟଳ ଫାଳ ପରି ଆଖି ଦିଓଟିରେ ତା’ର ଲୁହ ଢଳଢ଼ଳ ହେଉଛି । ସେଇ ଅଶ୍ରୁ ଢଳଢ଼ଳ ଆଖିଦିଓଟି ସତେକି ଅଳି କରୁଛି, ମୋତେ ତୁ କୋଳକୁ ନେ ମା’, ମୁଁ ତୋର କୌଣସି ଅପରାଧ କରିନାହିଁ । ମୋର ଜନନୀ କୋଳରୁ ତୁଇ ମତେ ବିଚ୍ୟୁତ କରି ନିଜର କୋଳରେ ସ୍ଥାନ ଦେଇଥିଲୁ ।

 

ଅନିମା ମୁଣ୍ଡ ହଲାଇ ହଲାଇ କହିଲେ ବ୍ୟଥାଭରା ସ୍ୱରରେ, ସୋମୁକୁ ମୁଁ ଘୃଣା କରେ ନାହିଁ କି ତୋ ଉପରେ ମୁଁ ବିରକ୍ତ ହୋଇ ନାହିଁ । ସୋମୁ ପରର ପିଲା । ସେ ଭଲହେଉ କି ମନ୍ଦ ହେଉ ଆମର ସେଥିରେ କି ଥାଏ ? ତୁ ବଡ଼ପିଲା ହୋଇ ଆସିଲୁଣି । ପଦାରେ ହୁରୁହୁରୁ ହେବା ଆଉ ଶୋଭା ଦିଶିବ ନାହିଁ । ଏଣିକି ତୁ ମୋ ପାଖେପାଖେ ରହିବୁ । ମତେ ନପଚାରି ଆଉ କେଉଁ ପୁଅ–ପିଲା ସଙ୍ଗେ ଏଣେତେଣେ ବୁଲିବୁ ନାହିଁ କି ଖେଳିବୁ ନାହିଁ । ହେଲାତ ?

 

ଅମିତା ଖୁସି ହୋଇ ମୁଣ୍ଡ ବଙ୍କାଇ ହଁ କଲା । ଅନିମା ତା’ର ମୁଖ ଚୁମ୍ବନ କଲେ । କହିଲେ, ମୁଣ୍ଡଟା ତୋର ଅଲରା ହୋଇଛି । ଆ, କୁଣ୍ଡାଇ ଦିଏଁ । କେତେ ଯତ୍ନରେ ତୋ ମୁଣ୍ଡର କେଶ ମୁଠୁଣିକ ମୁଁ ବଢ଼ାଇଛିଲୋ, ଯତ୍ନ ନ ନେଇ ତାକୁ ତୁ ଅଡ଼ୁଆ କରିବୁ ?

 

ଅନିମା ରାଶି ତେଲ ଅମିତାର ମୁଣ୍ଡରେ ଲଗାଇଲେ । ଚିରୁଣୀ ଧରି ଧୀରେ ଧୀରେ ଅମିତାର କେଶ ପ୍ରସାଧନ କଲେ । ସ୍ୱାମୀଙ୍କୁ ସୁମରଣା କରି ମନେମନେ ସେ କହିଲେ, ଅଜାଣତରେ ତୁମର ଅମିତାଭକୁ ମୁଁ ନିଜେ ଦୂରେଇ ଦେଇ ଏହି ପିଲାଟିକୁ ଉପହାର ଦେବି, ଗ୍ରହଣ କରିବ ନାହିଁ ?

 

କି ଘର ପିଲା ସେ ?

 

ଜାଣେ ନାହିଁତ, କିନ୍ତୁ, ତାକୁ ମୁଁ ଦୂରେଇ ଦେଇ ପାରିଲି ନାହିଁ । ଭଗବାନଙ୍କ ପାଖରେ ଦ୍ରୋହୀ ହୋଇଥାନ୍ତି ? ଅଜ୍ଞାନ ଶିଶୁ ସେ, ମୋର ଭ୍ରମପାଇଁ କାହିଁକି ସେ କେଉଁ ଅପନ୍ତରାରେ ପଡ଼ି ଜୀବନ ହାରନ୍ତା ?

 

ସେହି ଛୋଟ ରେଳ ଷ୍ଟେସନ୍‌ର ୱେଟିଙ୍ଗ୍ ରୁମ୍‌ରେ ମୋର ରାତି ପାହିଲା । ମୋ ଛାତିରେ ଏହି ଝିଅଟି ଲାଖି ରହିଥାଏ । ଭିଡ଼ କମି ଯାଇଥାଏ । ଯେଉଁମାନେ ମୋର ଚାରିପାଖରେ ଶ୍ରାନ୍ତି ହରୁଥିଲେ, ରାତିରୁ ଉଠି କିଏ କୁଆଡ଼େ ଚାଲି ଗଲେଣି । ଟିକିଟିକି ପିଲାଟିମାନେବି ନାହାନ୍ତି । ସେମାନଙ୍କର ମା’ମାନେ ତାଙ୍କୁ ନେଇ ଚାଲି ଗଲେଣି ।

 

ମୁଁ ଉଠି ବସିଲି । ପିଲାଟିର ନିଦ ଭାଙ୍ଗିଗଲା । ତାକୁ ଦେଖିବାକ୍ଷଣି ମୁଁ ଚମକି ଉଠିଲି । ଗତ ରାତିର ସବୁ ଘଟଣା ମୋର ମନେ ପଡ଼ିଲା । ମୁଇଁ ନିଆଁଲାଗି ନିଦ ବାଉଳାରେ ଏତେ ବଡ଼ ଭୁଲ୍‌ କରି ପକାଇଛି । ପିଲାଟା ମୋ ମୁହଁକୁ ଚାହିଁ ଅଚିହ୍ନା ବାରିଲା । ମୋଓରି କୋଳରେ ଥାଇ ସେ ରାହାଧରି କାନ୍ଦିଲା । ସେହି କାନ୍ଦିଲା ପିଲାକୁ ଛାତିରେ ଧରି ନିଜେ ମୁଁ କାନ୍ଦି କାନ୍ଦି ପାଗଳ ପରି ଏଣେତେଣେ ଛୁଟିଲା । ଯାହା ପାଖରେ ଉତାଣି ପିଲା ଅଛି ତାଆରି ପାଖରେ ପହଞ୍ଚିଲି । ମନର କଥା କାହାରିକୁ କହିବାକୁ ମୋର ସାହସ ହେଲା ନାହିଁ ।

 

ଏଇ ଝିଅଟାର କାନ୍ଦଣା ଶୁଣି, ଅମିତାଭର କାନ୍ଦଣା ମୋର କାନରେ ବାଜୁଥାଏ । କେଉଁଠିତ ତାକୁ ପାଇଲି ନାହିଁ, ଅଦ୍ୟାବଧିବି ତାକୁ ମୁଁ ପାଇ ନାହିଁ ।

 

ଭଗବାନଙ୍କ ପାଖରେ ମୋର ସବୁବେଳେ ଏତିକି ପ୍ରାର୍ଥନା, ଅମିତାଭ ଜୀବନରେ ଥାଉ, ଯେଉଁ ହତଭାଗିନୀର ଛାତିର କଲିଜା ମୁଁ ତା’ର ଅଜାଣତରେ ଓ ମୋର ଅଜ୍ଞାତସାରରେ ନିଦବାଉଳାରେ ଓଟାରି ଆଣିଥିଲି, ସେ ମଧ୍ୟ ଅନ୍ଧାର ରାତିରେ ଲୋକ ଭିଡ଼ ଭିତରେ ବ୍ୟାକୁଳ ବ୍ୟସ୍ତ ହୋଇ ମୋର ଶୋଇଲା ପୁଅକୁ ଛାତିରେ ଧରି ଟ୍ରେନ୍‌ରେ ଚଢ଼ି ନେଇ ଯାଇଥିବ ।

 

ମୁଁ ତା’ର ଝିଅକୁ ନିଜର କରିବି । ହତାଦର କରିବି ନାହିଁ । ସେ ମଧ୍ୟ ତୁମର ପୁଅକୁ ନିଜର କରୁ । ଏ ଦୁନିଆରେ ସେ ବଞ୍ଚି ରହୁ । ହାତୀ ବନସ୍ତରେ ବଢ଼ିଲେ ରଜାଙ୍କର ତ !

 

ଅନିମାଙ୍କର ହାତ ଅଟକିଲା । କଙ୍କତିକା ଥରି ଉଠିଲା ।

 

କାହାକୁ ସେ ମନ ଭିତରେ କ’ଣ କହୁଛନ୍ତି ? ଅମିତାଭର ବାପା ସତେ ଜୀବନରେ କେଉଁଠି ଅଛନ୍ତି ? ପୁତ୍ର ପତ୍ନୀଙ୍କୁ ପାଇବାକୁ ସେ ନିଜେ ଚେଷ୍ଟା କରୁଛନ୍ତି ?

 

ଏଗାରଟି ବର୍ଷ କଟିଗଲା । ନିଜ–ଗ୍ରାମରୁ ପତ୍ରର ଉତ୍ତର ଥରେ ଆସିଥିଲା—ଅଧର ମଣ୍ଡଳ ହିନ୍ଦୁସ୍ଥାନକୁ ପଳାଇ ଯାଇଛନ୍ତି, ସେ ଆଉ ଗ୍ରାମକୁ ଫେରି ଆସି ନାହାନ୍ତି, ସମସ୍ତେ ପଳାତକ, ସେମାନଙ୍କର ଘରଡ଼ିହ ଓ ଚାଷ–ଜମି, ସ୍ଥାନୀୟ ଓ ବିଦେଶୀ ମୁସଲମାନ ଶ୍ରମିକମାନେ ଦଖଲ କରି ବସିଛନ୍ତି !

 

କଳିହୁଡ଼ୀ ଆଡ଼–ବାଇଆଣୀ କମଳାଅପା ଆକ୍ଷେପ କରି ସତ କହିଥିଲେ ? ସେ ତେବେ ବିଧବା ? କେବଳ ନିଜର ସ୍ୱାର୍ଥପାଇଁ ସେ ଗୋଟାଏ ଅବାସ୍ତବ କୁଟୁମ୍ବ ସର୍ଜନା କରି ବେଳ ବିତାଉଛନ୍ତି ? ବୈଧବ୍ୟର ସଂଯମକୁ ନିଜ ଦେହ ଓ ମନର ସ୍ୱପ୍ନମୟୀ ଆଶା ଆଡ଼େଇ ରଖିଛି ?

 

ସବୁ ତାଙ୍କର ଶେଷ ହୋଇ ସାରିଛି ତେବେ ? ଏ ଦୁନିଆରେ ସେ ଏକାକିନୀ, ଅନାଥିନୀ ? ନିର୍ମମ ଧର୍ମାନ୍ଧ ସ୍ୱାର୍ଥାନ୍ୱେଷୀ ପଡ଼ୋଶୀ ମୁସଲମାନମାନେ ତାଙ୍କର ସମସ୍ତଙ୍କୁ ଶେଷ କରି ଦେଇଛନ୍ତି ?

 

ଅନିମାଙ୍କର ମନେ ପଡ଼ିଗଲା କେତେ ହତଭାଗ୍ୟ ଓ ହତଭାଗିନୀଙ୍କର ଲୁହଝରା ଛାତିଥରା କାହାଣୀ । କେତେ ଅସ୍ଥାୟୀ କ୍ୟାମ୍ପ୍‍ରେ ଯେଉଁମାନଙ୍କର ସଂସର୍ଗରେ ସେ ଆସିଥିଲେ ସେହିମାନେ ବର୍ଣ୍ଣନା କରନ୍ତି ।

 

ଊଣେଇଶ ସତଚାଳିଶ ସାଲର ଘଟଣା । ନୂଆଖାଲି ଜିଲାରେ । ଭାରତ ସ୍ୱାଧୀନ ହେଲା । ବିରାଟ ବଙ୍ଗଦେଶକୁ ଦୁଇଖଣ୍ଡ କରି ହାଣି ପୂର୍ବ–ପାକିସ୍ଥାନ ଗଠନ କରାଗଲା । ଅଖଣ୍ଡ ବଙ୍ଗଦେଶର ଥିଲା ଗୋଟିଏ ସଂସ୍କୃତି । କି ହିନ୍ଦୁ କି ମୁସଲମାନ ସମସ୍ତଙ୍କର ଗୋଟିଏ ଭାଷା । ଭାଇବନ୍ଧୁ କୁଟୁମ୍ବ ପରି ଦୁଇ ସମ୍ପ୍ରଦାୟର ଲୋକେ ସୁଖ ଶାନ୍ତିରେ ଆଗରୁ ବେଳ କାଟୁଥିଲେ । ପରସ୍ପରପ୍ରତି ସ୍ନେହ ସହାନୁଭୂତିର ଅଭାବ ନଥିଲା ।

 

ଥରେ ବ୍ରିଟିଶ ସରକାର ବିରାଟ ବଙ୍ଗଦେଶକୁ ଦୁଇଭାଗରେ ବାଣ୍ଟିବାକୁ ଚେଷ୍ଟା କରିଥିଲେ । ବଙ୍ଗାଳୀ ଜାତିର ଜାତୀୟତାବୋଧର ହୁଙ୍କାରରେ ସେ ଚେଷ୍ଟା ତାଙ୍କର ବିଫଳ ହୋଇଥିଲା । ଭାରତ–ପାକିସ୍ଥାନର ସ୍ୱାଧୀନତାହିଁ ବଙ୍ଗ ଭଙ୍ଗର କାରଣ ହେଲା । ଊଣେଇଶ ସତଚାଳିଶରେ ନୂଆଖାଲି ଜିଲାରେ କାହିଁକି ବଙ୍ଗାଳୀ ବଙ୍ଗାଳୀର ବେକରେ ଛୁରି ଦେଲା ?

 

ଗୋଟିଏ ଜାତି, ଗୋଟିଏ ଭାଷା, ଗୋଟିଏ ଧାର ରକ୍ତ ! ପ୍ରଭେଦ ଏତିକି ଯେ ସେମାନଙ୍କ ଭିତରୁ କେତେ ହେଲେ ରାମଙ୍କର ଭକ୍ତ ହିନ୍ଦୁ, ଆଉ କେତେ ହେଲେ ରହିମ୍‌ଙ୍କର । କେହି କାହାର ଧର୍ମ–ବିଶ୍ୱାସ ଉପରେ କେବେ ବାଧା ଦେଇ ନଥିଲେ । କ’ଣ ହେଲା ତେବେ ? କାହିଁକି ସଂଖ୍ୟାଗରିଷ୍ଠ ମୁସଲମାନ ସମ୍ପ୍ରଦାୟ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର କଲେ ? ପଶ୍ଚିମପାକିସ୍ଥାନୀ ବନ୍ଧୁକଧାରୀ ସୈନିକମାନଙ୍କ ସାହାଯ୍ୟର ହିନ୍ଦୁ ଗ୍ରାମ ଓ ପଡ଼ା ଗ୍ରାମ ଉପରେ ଚଢ଼ାଉ କଲେ । କେବଳ ଧନସମ୍ପଦ ଲୁଣ୍ଠନ କରି ସେମାନେ ସନ୍ତୁଷ୍ଟ ହେଲେ ନାହିଁ । ଗ୍ରାମମାନଙ୍କରେ ଅଗ୍ନିସଂଯୋଗ କରି ପୋଡ଼ି ପାଉଁଶ କଲେ । ନିରସ୍ତ୍ର ନିରାଶ୍ରୟ ଶରଣାଗତ ଲୋକଙ୍କର ବିନା ପ୍ରତିରୋଧରେ ଜୀବନ ନେବାକୁ ସେମାନେ କୁଣ୍ଠାବୋଧ କଲେ ନାହିଁ ।

 

ଅପାରଗ ବୃଦ୍ଧ ଓ ଶିଶୁ ମଧ୍ୟ ସେମାନଙ୍କର ରକ୍ତ–ଲୋଭରୁ ରକ୍ଷା ପାଇଲେ ନାହିଁ । ଜନ୍ମମାଟିର ପଥପ୍ରାନ୍ତର ରକ୍ତସ୍ନାନ କରି ସେମାନେ ମରି ଶୋଇଲେ । ଜୀବନ ବିକଳରେ ସର୍ବହରା ପଳାତକମାନଙ୍କ ପଛେ ପଛେ ଧାଇଁ ସେମାନେ ପଳାତକଙ୍କୁ ମଧ୍ୟ ମାରି ତଳେ ଗଡ଼ାଇଲେ । ସୁନାର ବଙ୍ଗଳା ରକ୍ତ–ସ୍ନାନ କଲା ।

 

ସେତିକିରେ ଶେଷ ହେଲା ନାହିଁ । କୁଳଲକ୍ଷ୍ମୀ ଜନନୀମାନଙ୍କର ସ୍ତନ କାଟି ଦେଲେ, ପେଟ ଚିରି ମରଣ ଭିଆଇଲେ । କିଏ ସେମାନେ ରକ୍ତ–ପିପାସୁ ରାକ୍ଷସ ଦଳ ? ନବବଧୂ ଓ ଅବିବାହିତା ଯୁବତୀ କନ୍ୟାମାନଙ୍କୁ ବିବସନା କରି ଦିବାଲୋକରେ ଧାଡ଼ି ଧାଡ଼ି କରି ଗ୍ରାମ ଓ ସହରର ପ୍ରଧାନ ରାସ୍ତା ଓ ଗଳିମାନଙ୍କରେ ଚଲାଇ ନେଲେ । ସ୍ୱାମୀ ଶଶୁର ପିତା ଓ ଭ୍ରାତାମାନଙ୍କର ଆଖି ଆଗରେ କୁଳକାମିନୀ, ଯୁବତୀ–କନ୍ୟା ଓ ଅଳ୍ପବୟସ୍କାମାନଙ୍କ ଉପରେ ବଳାତ୍କାର କଲେ । କିଏ ସେମାନେ ମାଂସ ଲୋଭୀ ପିଶାଚ ଦଳ ?

 

ସେମାନଙ୍କ ସଙ୍ଗେ ପଶ୍ଚିମ–ପାକିସ୍ଥାନର ପଞ୍ଜାବୀ ମୁସଲମାନମାନେ ସୈନିକ ଥାଇ ପ୍ରରୋଚନା ଦେଉଥିଲେ ହୁଏତ, କିନ୍ତୁ ଯେଉଁମାନେ ଆଗରୁ ଶୁଣା ନଥିବା କି ଜଣା ନଥିବା ଅତି ନୃଶଂସ ଜଘନ୍ୟ ନିର୍ଲଜ୍ଜ ଅମାନୁଷିକ କାର୍ଯ୍ୟରେ ଲିପ୍ତଥିଲେ, ସେମାନେ ନରକରୁ ପ୍ରେତଦଳ ଉଠି ଆସି ନଥିଲେ । ସେମାନେ ମଣିଷ !

 

ସେମାନଙ୍କର ପିତା ମାତା, ପତ୍ନୀ ଓ ଭଗିନୀ, ଭାଇବନ୍ଧୁ ଓ ପୁତ୍ର କନ୍ୟା ଥିଲେ । ଯେଉଁମାନଙ୍କର ଜୀବନ ସେମାନେ ଅତି କଲବଲ କରି ନେଲେ, ଧନ ସମ୍ପତ୍ତି ଛାରଖାର କଲେ, ବଳାତ୍କାର କରି କେବଳ ସମ୍ମାନ ନୁହେଁ, କାହାରି କାହାରି ଜୀବନ ମଧ୍ୟ ବହୁ ପୁରୁଷ–ଦାନବଙ୍କର ଯୌନକ୍ଷୁଧା ମେଣ୍ଟଣବେଳରେ ନେଲେ ଓ ଅଟ୍ଟହାସ୍ୟ କରି ମହାଉଲ୍ଲାସରେ ଆତ୍ମଗୌରବ ଅନୁଭବ କଲେ, ସେମାନଙ୍କର ଓ ପାଗଳ ଆତତାୟୀଙ୍କର ରକ୍ତମାଂସ ଏକ । ସେମାନେ ସମସ୍ତେ ବଙ୍ଗାଳୀ ! ନିଜ ଦେଶର ଟେକ ରଖିବାକୁ ଗର୍ବିତ କଣ୍ଠରେ ଯେଉଁମାନେ ଭାରତର ଅନ୍ୟାନ୍ୟ ପ୍ରାନ୍ତରେ ଓ ଭାରତ ବାହାରେ ବଙ୍ଗାଳୀର ବଡ଼ପଣ ଘୋଷଣା କରୁଥିଲେ, ସେହିମାନେ । ସତେ, ସେମାନେ ବଙ୍ଗାଳୀ, ସେମାନଙ୍କ ତୁଣ୍ଡରେ ବଙ୍ଗଳା–ଭାଷା !

 

ଅନିମାଙ୍କର ହାତ ଥରଥର ହେଲା । ଅମିତାର ମୁଣ୍ଡ ସେ ବାନ୍ଧି ସାରିଥିଲେ । ଛୋଟ ଛୋଟ ବେଣୀ ଦିଓଟି ମୁଣ୍ଡ ପଛପାଖେ ଗୁଡ଼ାଇ ବେଲାକୃତି କରି ତହିଁରେ ଲାଲ୍‌ ରିବନ ବାନ୍ଧିଲେ । ଅମିତାର ବାହୁ ଧରି ତା’ର ଆଖପାଖ ନିଜ ଆଡ଼କୁ ବୁଲାଇଲେ । ନିଜ ଅଞ୍ଚଳରେ ଟିଅର ମୁହଁ ପରିଷ୍କାର କରି ପୋଛିଲେ । ଅତି ଯତ୍ନରେ ତା’ର ଦୁଇ ଭ୍ରୂଲତା ମଝିରେ ରଙ୍ଗଠୋପା ଲଗାଇଲେ । ତାଙ୍କର ଆଖିରୁ ଲୋତକ ଶୁଖି ନଥାଏ ।

 

ଅମିତାର ଦୁଇ ଚିବୁକରେ ପାପୁଲି ଦେଇ ତା’ର ସଜକଲା ସୁନ୍ଦର ମୁହଁକୁ ତନ୍ମୟ ହୋଇ ଚାହିଁ ରହିଲେ । ମନର ଉଲ୍ଲାସ ତାଙ୍କର ଗମ୍ଭାର ଆସ୍ୟରେ ଛପିଲା ହାସ୍ୟର ଧୀର ତରଙ୍ଗ ତୋଳିଲା । ସେ ମୁହଁ ନୁଆଁଇ ଅମିତାର ଚିବୁକରେ ଗେଲ କଲେ ।

 

ମନ ଗୁମୁରି ଉଠିଲା ମରମ ତଳେ, ତୁଇ, ତୁଇ ମୋ ସର୍ବସ୍ୱ ! ତୁଇ ଏକା ମୋର ବାସ୍ତବ, ଯାହାକୁ ମୁଁ ଗୋଟାଇ ଆଣି ମୋ ଦେହର ରକ୍ତ ଓ ମନର ବ୍ୟାକୁଳତା ଖୁଆଇ ଏଇ କୋଳରେ ବଢ଼ାଇ ଆଣିଛି । ଆଉମାନେ ମୋର ସ୍ୱପ୍ନ !

 

କୋଡ଼ିଏ

 

ସ୍ୱପ୍ନକୁ ସେ ଆଡ଼େଇ ଦେଇ ପାରନ୍ତି ନାହିଁ । ସ୍ୱପ୍ନହିଁ ତାଙ୍କର ଜୀବନ ଓ ଚଳନକୁ ଓଟାରି ଓଟାରି ଆଣିଛି । କେଉଁ ସୁଖ ଆନନ୍ଦର ଆଶାରେ ଅବାସ୍ତବକୁ ବାସ୍ତବ କରିଛି । ସମୟର ସ୍ରୋତ ବହି ଚାଲିଛି । କମଳାଙ୍କର ସେଦିନର ଉପହାସିଆ ବାକ୍ୟ–ବାଣର ତାପ ଶୀତଳ ହୋଇଛି । ଶବଦଟା କାନରେ ବାଜିଯାଏ, ବେଳେବେଳେ ଦେହ ଚିହିଁକି ଉଠେ, ମୁହୂର୍ତ୍ତକ ପରେ ଦେହ ପ୍ରକୃତିସ୍ଥ ହୁଏ । ସେ କାମରେ ମନ ଦିଅନ୍ତି । କନ୍ୟା ଓ ଦେବରଙ୍କର ତତ୍ତ୍ୱ ନିଅନ୍ତି । ନିଜର ରୂପଭେକକୁବି ଉପେକ୍ଷା କରନ୍ତି ନାହିଁ । ନିଜକୁ ନିଜେ କହନ୍ତି, ଯିଏ ଯାହା ଭାବିବାର ଭାବୁଥାଇ, କହିବାର କହୁଥାଉ, ସେ କାନ ଦେବେ ନାହିଁ, ଛଳ କରିବେ ନାହିଁ । ସେ ଜାଣନ୍ତି, ତାଙ୍କର ମନ ନିର୍ମଳ ।

 

କାହିଁକି ସେ ସଧବାର ବେଶଭୂଷା ତ୍ୟାଗ କରିବେ ? ନିଜର ମନକୁ ନିରାଶାର ତପତ ନୀରରେ ପକାଇ ଛଟପଟ ଜୀବନଯାପନ କରିବେ ? ବଞ୍ଚି ଥାଉଣୁ ମରଣ ଯନ୍ତ୍ରଣା ଭୋଗ କରୁଥିବେ ? ନା, ସେ ପରିସ୍ଥିତିକୁ କେତେ କଷ୍ଟରେ ନିଜର କରିପାରିଛନ୍ତି । ତାଆରି ଭିତରୁ, ସବୁ ଅଭାବ ଅସୁବିଧା ଓ ଦୁଃଖ କଷ୍ଟ ସତ୍ତ୍ୱେ, ଶାନ୍ତି ସନ୍ତୋଷ ଆହରଣ କରିଛନ୍ତି । ସେମିତି ସେ ସମୟ କାଟିବେ । ଆଜୀବନ ଅପେକ୍ଷା କରି ରହିବେ । କେବେହେଲେ କେଉଁଠୁଁ ଖବର ଆସି ପହଞ୍ଚିବ ଯେ ତାଙ୍କର ସ୍ୱାମୀ ପୁତ୍ର ଜୀବିତ ଅଛନ୍ତି । ଭେଟ ହେବ, ହଁ ଅବଶ୍ୟ ଭେଟ ହେବ । ଦେବତାମାନେ ଦୟା କରିବେ ।

 

ବିପିନ୍‍ କର୍ମକାର ମାଲକାନଗିରି କ୍ୟାମ୍ପ୍‍ର ଲିଡ଼ର୍ ଓ ମୁଖପାତ୍ର ହେବାକୁ ଚେଷ୍ଟା କଲେଣି । ସେ ତାଙ୍କର ମା’ ବେଲାରାଣୀ ଓ ପୁଅ ସୌମେନ୍ ପୁଣି ଅନିମାଙ୍କ ଘରକୁ ଆସିବାକୁ ଆରମ୍ଭ କଲେଣି । ପ୍ରଚାର କଲେଣି ଯେ ଅମିୟର କୁଟୁମ୍ବ ସେମାନଙ୍କର ଆତ୍ମୀୟ, ଅମିୟ ମାଲକାନଗିରି ଆସିଲା ବୋଲି ବିପିନ୍‍ ପାରଲ୍‌କୋଟ୍‌ ନ ଯାଇ ଏଠାକୁ ଚେଷ୍ଟାକରି ଆସିଛନ୍ତି । ନିଜ ଲୋକଙ୍କର ପାଖରେ ଥିଲେ ଆପଦ ବିପଦବେଳେ ପରସ୍ପରର ସାହା ହେବେ । କୁହନ୍ତୁ ସେମାନେ ଯାହା କହିବାର, ନିଜ ଆଡ଼ୁ ଘନିଷ୍ଠତା ନ ବଢ଼ାଇଲେ ଉପରେ ପଡ଼ି ଆସୁଥିବା ଲୋକେ ନିଜେ ବଳେ ଦୂରେଇ ଯିବେ ।

 

ସେହି ବିପିନ୍‍ କର୍ମକାର, ନିଜକୁ ଯେ ମହାପଣ୍ଡିତ ସର୍ବଜାଣ ବୁଦ୍ଧିଆ ମଣନ୍ତି ଓ ଅନ୍ୟମାନଙ୍କୁ ସେ ବିଷୟ ଜଣାଇଁ ଦେବାକୁ ଚାହାନ୍ତି । ଦିନେ ସଞ୍ଜବେଳେ ଅମିୟର ନବ–ନିର୍ମିତ କୁଡ଼ିଆର ଗୋଟିଏ ଘରେ ବସି ଅନିମାଙ୍କୁ ଶୁଣାଇଁ ଲେକ୍‌ଚର ଦେଉଥିଲେ । ଅମିୟ ଶୁଣିବାକୁ ଆଗ୍ରହୀ ନଥିଲେ ମଧ୍ୟ ବାଧ୍ୟ ହେଉଥିଲା ଶୁଣିବାକୁ । ସାଧନ ମିସ୍ତ୍ରି ଓ ଆଉ ଦୁଇ ଚାରିଜଣ ଲୋକ ଜୁଟି ଯାଇଥିଲେ ।

 

ବିପିନ୍‍ କହୁଥିଲେ, ପୂର୍ବ–ବଙ୍ଗରେ ସେମାନେ ଆଉ ହିନ୍ଦୁଙ୍କୁ ରଖେଇ ଦେବେ ନାହିଁ । ନୁଆଖାଲି ଜିଲାରେ ୧୯୪୭ରେ ବିନ୍ଦୁମାନଙ୍କ ଉପରେ ଯେଉଁ ନିର୍ମମ ଅତ୍ୟାଚାର ହେଲା, ଇତିହାସରେ ସେପରି କେବେ କେଉଁଠି ଆଉ ହୋଇଥିଲା କି ନାହିଁ ସନ୍ଦେହ । ସେତେବେଳେ ମହାତ୍ମା ଗାନ୍ଧୀ ଜୀବିତ ଥିଲେ । ନୁଆଖାଲି ଅତ୍ୟାଚାରର ଠିକଣା ଜବାବ ଦିଆଗଲା କଲିକତାରେ ଓ ବିହାରରେ । ସେଇଠୁ ଗୋଟାଏ ରଫା ହେଲା, କିନ୍ତୁ ପରସ୍ପର ପ୍ରତି ଘୃଣାଭାବ ଓ ଅବିଶ୍ୱାସ ଦୂର ହେଲା ନାହିଁ । ପାକିସ୍ଥାନର ମୁଖ୍ୟ ଜିହ୍ନା ହିନ୍ଦୁଙ୍କ ବିରୁଦ୍ଧରେ ଅଗ୍ନି ଉଦ୍‌ଗାରୁ ଥାଆନ୍ତି । ପ୍ରଧାନମନ୍ତ୍ରୀ ଲିଆକତ୍‌ ଆଲି ଯେ ତହୁଁ ବଳି ।

 

ସାଧନ ମିସ୍ତ୍ରି କହିଲେ, ରଫା ଆଉ ହେଲା କ’ଣ ? ଯେଉଁଦିନରୁ ସେ ପାକିସ୍ଥାନକୁ ଇସ୍‌ଲାମ ରାଷ୍ଟ୍ର ବୋଲି ଘୋଷାଣା କଲେ ସେହି ଦିନରୁ ହିନ୍ଦୁମାନେ ପ୍ରମାଦ ଗଣିଲେ । ୧୯୪୭ ପରେ ଧନୀ ଓ ଜମିଦାରମାନେ ବୁଦ୍ଧିଆପଣ କରି ଯିଏ ଯେବେ ସୁବିଧା କରି ପାରିଲା ପିଲା କୁଟୁମ୍ବ ଓ ଧନଦରବ ଘେନି ପଶ୍ଚିମବଙ୍ଗ କି ଆଉ କେଉଁ ପ୍ରଦେଶକୁ ପଳାଇଲେ । କିନ୍ତୁ, ଗରିବ ଚାଷୀ ମୂଲିଆଙ୍କର ପଳାଇ ଆସିବାର ସୁବିଧା ସୁଯୋଗ ନଥିଲା । ଅବସ୍ଥା ଯାହା ହେବାର ହେଉ ପଛେ ସେମାନେ ମାଟି କାମୁଡ଼ି ସେଇଠି ପଡ଼ି ରହିବାକୁ ବାଧ୍ୟ ହେଲେ ବିପିନ୍‍ବାବୁ, ତାଙ୍କ ପକ୍ଷରେ ଅନ୍ୟଉପାୟ ଆଉ ନଥିଲା ।

 

ସେହିମାନେ, ସେହିମାନେହିଁ ଆମର ଦୁର୍ଦ୍ଦଶାପାଇଁ ମୁଖ୍ୟତଃ ଦାୟୀ, ସେହି ଧନୀ ଜମିଦାର ଓ ବଡ଼ବଡ଼ ଚାଷୀ ଏବଂ ଧନିକମାନେ । ଆମେ ଗରିବ, କି ହିନ୍ଦୁ କି ମୁସଲମାନ, ଆମର ଥିଲା ଗୋଟିଏ ଜାତି–ଚାଷୀ, ମୂଲିଆଙ୍କର ଜାତି, ଖଟିଖିଆଙ୍କ ଜାତି । ଆମର ପ୍ରକୃତ ଦେବତା ଥିଲା ପେଟ । ବଡ଼ଜାତିଆ ଧନୀ ଜମିଦାରମାନେ ମୁସଲମାନମାନଙ୍କୁ ଯେମିତି ଘୃଣା କରୁଥିଲେ, ପଚାଶହାତ ଦୂରରେ ରଖୁଥିଲେ, ସେମିତି ଆମୁକୁ ନମଃଶୂଦ୍ର ଅଛୁଆଁ ବୋଲି ଘୃଣ୍ୟ କରି ରଖିଥିଲେ-। କେବଳ ହିନ୍ଦୁ ବୋଲି ଆମେ ଗଣା ହେଉଥିଲୁ ।

 

ଏତିକି ଥିଲା ବଡ଼ଜାତିଆ ଧନିକ ଓ ଆମ ଭିତରେ ସ୍ନେହ ନୁହେଁତ, ଗୋଟିଏ ଦୁର୍ବଳ ସହାନୁଭୂତିର ଯୋଗ–ସୂତ୍ର । ସେହି ଯୋଗସୂତ୍ର ଯେ ଦରିଦ୍ର ଚାଷୀ ମୂଲିଆ ଦଳକୁ ଦୁଇଆଡ଼କୁ ଠେଲି ଦେଇଥିଲା,–ହିନ୍ଦୁ ଓ ମୁସଲମାନ । ଆମ ମଝିରେ ଲୁଚି ରହିଥିଲା ଗୋଟାଏ ଦି’ ଦାଢ଼ୁଆ ତୀକ୍ଷ୍ଣ ଛୁରି–ବାହାରକୁ ଦିଶୁ ନଥିଲା, ଲୁଚି ରହିଥିଲା ସେହି ଅଦୃଶ୍ୟ ଛୁରି, ଘୃଣା ସନ୍ଦେହ ଓ ପ୍ରତିଶୋଧ କାମନାର ଉପାଦାନରେ ଯୁଗଯୁଗ ଧରି ସେ ଗଢ଼ା ହୋଇଥିଲା । ସ୍ୱାଧୀନତାପରେ ଆଉ ଦେଶ ଭଙ୍ଗ ହେଲାରୁ ଯେପରି ଲୋକେ ତାଙ୍କର ଶକ୍ତି ସାମର୍ଥ୍ୟ ବୁଝିଲେ, ଆରମ୍ଭ କଲେ ପେଟପାଟଣା ପାଇଁ ଅଭିଯାନ । ଖଟିଖିଆ ହିନ୍ଦୁ ମୁସଲମାନ ଏକାଠି ହୋଇ ଅତ୍ୟାଚାରୀ ଧନୀଙ୍କ ଶୋଷଣ ବିରୁଦ୍ଧରେ ଅଭିଯାନ କଲେ ନାହିଁ । ହିନ୍ଦୁ ଓ ମୁସଲମାନଙ୍କର ଚଳନର ଯେଉଁ ବିଭେଦ ସେତେକ ଦୁଇ ଗୋଷ୍ଠୀକୁ ଅଲଗା ରଖିଥିଲା । ସେହି ବିଭେଦହିଁ ଥିଲା ଘୃଣା ଓ ସନ୍ଦେହର ମୂଳ । ଅଭିଯାନଟା ଆରମ୍ଭହେଲା ସଂଖ୍ୟାଲଘୁ ହିନ୍ଦୁଙ୍କ ବିରୁଦ୍ଧରେ ।

 

ସାଧନ ମିସ୍ତ୍ରି ସମ୍ମତି ଜଣାଇଁ ମୁଣ୍ଡ ହଲାଇଲେ । କହିଲେ, ବିପିନ୍‍ବାବୁ ଯାହା କହିଲେ ସେଥିରେ ଭୁଲ୍‌ ନାହିଁ । ୧୯୪୭ର ହିନ୍ଦୁ ମାରଣ ଓ ହିନ୍ଦୁ–ତାଡ଼ନ ତୁଳନାରେ ୧୯୫୦ର ଅତ୍ୟାଚାର ଶହେ ଗୁଣ ଅଧିକ । ଆମେ ସମସ୍ତେ ସେହି ଅତ୍ୟାଚାରର ଫଳ । ସାରା ପୂର୍ବ–ବଙ୍ଗରେ ନରକର ବିଭୀଷିକା ଖେଳିଗଲା ।

 

ବଙ୍ଗ ବିଚ୍ଛେଦ ଓ ପାକିସ୍ଥାନ ସର୍ଜନା ହେଲାବେଳେ ପୂର୍ବ–ବଙ୍ଗରେ ଏକକୋଟି ଅର୍ଥାତ୍‌ ଶହେ ଲକ୍ଷ ହିନ୍ଦୁଥିଲେ । ୧୯୫୦ର ଅତ୍ୟାଚାରରେ ଚାଳିଶି ଲକ୍ଷରୁ ଅଧିକ ହିନ୍ଦୁ ଭାରତବର୍ଷକୁ ପଳାଇ ଆସିଲେ । କେତେ ମଲେ ତା’ର ତାଲିକା ନାହିଁ, ପୁଣି କେତେ ମୁସଲମାନ ହୋଇଗଲେ ତା’ର ମଧ୍ୟ ହିସାବ ନାହିଁ । ମୋର ଠିକ୍‌ ମନେ ଅଛି ଅମିୟବାବୁ, ଆପଣ ତ ସେତେବେଳେ ପିଲା, ଅପ୍ରେଲ ମାସ ଆଠ ତାରିଖରେ, ସେଇ ୧୯୫୦ ସାଲରେ, ଆମର ଭାରତର ପ୍ରଧାନମନ୍ତ୍ରୀ ନେହେରୁ ଓ ପାକିସ୍ଥାନର ପ୍ରଧାନମନ୍ତ୍ରୀ ଲିଆକତ୍‌ ଆଲ୍ଲିଙ୍କ ମଧ୍ୟରେ ଗୋଟିଏ ଚୁକ୍ତି ହୋଇଥିଲା । ସମସ୍ତେ ଭାବିଥିଲେ, ଆଉ ହିନ୍ଦୁଙ୍କ ଉପରେ ଅତ୍ୟାଚାର ହେବ ନାହିଁ । ଦିନାକେତେ ବେଶ୍‌ ଶାନ୍ତିରେ ବେଳ କଟିଲା । କିନ୍ତୁ, ପୁଣି ଯେଉଁ କଥାକୁ ସେଇ କଥା । ଏଗାରବର୍ଷ କଟିଲା, ଏବେ ୧୯୬୧ ସରିବାକୁ ବସିଲା, ହିନ୍ଦୁ–ମାରଣ ଓ ହିନ୍ଦୁ–ତାଡ଼ନ ତଥାପି ଚାଲିଛି !

 

ଅମିୟ ମଣ୍ଡଳ ଏତେବେଳକେ ମୁହଁ ଖୋଲିଲା, ମୋର ମନେ ହେଉଛି, କେବଳ ହିନ୍ଦୁ ମାରଣ ଓ ହିନ୍ଦୁ ତାଡ଼ନ କରି ପାକିସ୍ଥାନର କର୍ତ୍ତାମାନେ ସନ୍ତୁଷ୍ଟ ରହିବେ ନାହିଁ । ପାକିସ୍ଥାନର ପ୍ରକୃତ ଶାସକ କେଉଁମାନେ କି ? ପଞ୍ଜାବୀ ମୁସଲମାନ ! ସିନ୍ଧୁପ୍ରଦେଶ, ପଞ୍ଜାବ, ପାଖତୁନି ସ୍ଥାନ, ପଶ୍ଚିମ–ପ୍ରାନ୍ତୀୟ ଦେଶ, ସବୁଗୁଡ଼ିକୁ ମିଶାଇ ପଶ୍ଚିମ ପାକିସ୍ଥାନ କରିଛନ୍ତି । ସବୁଗୁଡ଼ିକର ଲୋକସଂଖ୍ୟା ମିଶିଲେ ପୂର୍ବ–ପାକିସ୍ଥାନର ଲୋକ–ସଂଖ୍ୟାରୁ ଯଥେଷ୍ଟ ଅଳ୍ପ । ପଶ୍ଚିମ ପାକିସ୍ଥାନରେ ବହୁ ଭାଷା ପ୍ରଚଳିତ କିନ୍ତୁ ପୂର୍ବ–ପାକିସ୍ଥାନର ଗୋଟିଏ ଭାଷା । ବଙ୍ଗଳା ହିନ୍ଦୁ ମୁସଲମାନ ସମସ୍ତଙ୍କର ମାତୃଭାଷା ।

 

ବୃଦ୍ଧ ଗୋପାଳ ହାଉଲ୍‌ଦାର ବାଧା ଦେଇ ଚନ୍ଦା ମୁଣ୍ଡଟି ହଲାଇ ହଲାଇ କହିଲେ, ଭାଷା ରକ୍ତର ପରିଚୟ ଦିଏ ନାହିଁ, ଧର୍ମ ରକ୍ତର ପରିଚୟ ଦିଏ ନାହିଁ କି, ଜାତି ରକ୍ତର ପରିଚୟ ଦିଏ ନାହିଁ-। ରକ୍ତ ସମ୍ପର୍କ କି ଏକ କୃଷ୍ଟି ଯେ ସ୍ନେହ–ସହାନୁଭୂତି ଆଣେ ଏପରିବି କହି ହେବ ନାହିଁ-। ସମୂହ ସ୍ୱାର୍ଥ ଗୋଷ୍ଠୀ ଭିତରେ ସାମୟିକ ଏକତ୍ୱର ଧାରଣା ଆଣେ । ଏତିକି ମୁଁ ବୁଝିଛିରେ ପିଲାଏ-। ମୋର ଧାରଣା ଭୁଲ ନୁହେଁ ବୋଲି ମୋର ବିଶ୍ୱାସ ।

 

ଭାରତ ଓ ପାକିସ୍ଥାନ ସ୍ୱାଧୀନ ହେଲା । ଭାରତ ହେଲା ଧର୍ମନିରପେକ୍ଷ ଦେଶ । ପାକିସ୍ଥାନ ହେଲା ମୁସଲମାନ ଦେଶ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଭାରତବାସୀ, କି ହିନ୍ଦୁ, କି ମୁସଲମାନ, ଖ୍ରୀଷ୍ଟାନ୍, ଜୈନ, ବୁଦ୍ଧିଷ୍ଟ, ନିଜକୁ ଭାରତ–ବାସୀ ବୋଲି ମଣିଲେ । ସେଇଆ ସେ ଅନୁଭବ କଲେ । ନିଜକୁ ଗୋଟିଏ କୁଟୁମ୍ବର ସୁଖ–ସ୍ୱାଚ୍ଛନ୍ଦ୍ୟ ଓ ଭବିଷ୍ୟତ୍‌ର ଉନ୍ନତିପାଇଁ ଭାରତବର୍ଷରେ ସମସ୍ତଙ୍କର ସୁବିଧା ସୁଯୋଗ ଅଛି । ସେଇଥିପାଇଁ ସବୁ ଜାତି ଓ ସବୁ ଧର୍ମ ଏବଂ ଶ୍ରେଣୀର ଲୋକେ ଏ ଦେଶରେ କାନ୍ଧକୁ କାନ୍ଧ ମିଳାଇ ଦେଶପାଇଁ ତଥା ନିଜପାଇଁ କାମ କରୁଛନ୍ତି ! ସମସ୍ତେ ନିଜକୁ ଆଗ ଭାରତୀୟ ବୋଲି ମଣୁଛନ୍ତି, ସେଇଠୁ ଆଉ ଯାହା ।

 

ପୂର୍ବ–ପାକିସ୍ଥାନ ବା ପୂର୍ବ–ବଙ୍ଗର ହିନ୍ଦୁମାନେ ସେ ଦେଶର ବାସିନ୍ଦା ଓ ନାଗରିକ ହେଲେବି ନିଜକୁ ମୁସଲମାନ ଦେଶ ପାକିସ୍ଥାନର ନାଗରିକ ବୋଲି ଅନୁଭବ କରି ପାରୁ ନାହାନ୍ତି, ଅନ୍ତତଃ ମୁଁ ତ କରି ପାରିନାହିଁ । ଦେହ ଓ ସ୍ୱାର୍ଥ ସେଠାରେ ଥିଲେବି ମନ ଯାଇଁ ଭାରତବର୍ଷରେ ବାସ କରିଥିଲା । ସେମାନେ ଏହା ଜାଣନ୍ତି । ପୂର୍ବ–ବଙ୍ଗର ହିନ୍ଦୁମାନଙ୍କୁ ସେମାନେ ସନ୍ଦେହ କରନ୍ତି-। ପଞ୍ଚମ ବାହିନୀ ବୋଲି ମଣନ୍ତି । ତେଣୁ, ହିନ୍ଦୁ ତାଡ଼ନ ଓ ହିନ୍ଦୁମାରଣ ଅବା, ହିନ୍ଦୁଙ୍କୁ ମୁସଲମାନ କରଣର ନୀତି ସେମାନେ ଧରିଛନ୍ତି ।

 

ଊଣେଇଶ

 

ଗୋପାଳ ସତୁରିବର୍ଷର ବୃଦ୍ଧ । ସେ ଶିକ୍ଷିତ, ଇଣ୍ଟର୍‌ମିଡ଼ିଏଟ୍‌ ପାସ୍ । ବରିସାଲ୍‌ ଜିଲ୍ଲାର ଧୋଇଆ ମୁଲକରେ ତାଙ୍କର ଘର । ଆଜୀବନ ସ୍କୁଲ୍‍ ମାଷ୍ଟର କାମ କରି ବେଳ କଟାଇଲେ । ୧୯୪୭ର ମାରଣ ପରେ ଭାରତବର୍ଷକୁ ପଳାଇ ଆସିବାକୁ ସେ ଛଟପଟ ହେଉଥିଲେ । ତାଙ୍କର ମନ ତାଙ୍କୁ କହି ଦେଇଥିଲା ଯେକୌଣସି ହିନ୍ଦୁପରିବାର ପକ୍ଷରେ ପୂର୍ବ–ବଙ୍ଗରେ ସମ୍ମାନ ରକ୍ଷାକରି ନିର୍ଭୟରେ ବାସ କରିବା ଆଉ ସମ୍ଭବପର ନୁହେଁ । ବାଗ ଉଣ୍ଡି ଭାରତକୁ ପଳାଇ ଆସିଲେ ଭଲ । ନାହିଁ ଯଦି ସମ୍ପତ୍ତି ଲୋଭରେ ମାଟି କାମୁଡ଼ି ପଡ଼ି ରହିବାର କଥା ତ ଧର୍ମ ବଦଳାଇ ମୁସଲମାନ ହେବା ଭଲ ।

 

ତିନି ଚାରିବର୍ଷ କାଳ ଏହି ଦିଓଟି ବିଷୟକୁ ସେ ମନେମନେ ବହୁବାର ଆଲୋଚନା କଲେ । ସବୁ ଧର୍ମ ସମାନ, ଯେକୌଣସି ଧର୍ମକୁ ଆଉଜି ପଡ଼ି ସୁଖରେ ବେଳ କଟାଇଲେ ଭଲ । ମୁସଲମାନ ବନିଲେ କ୍ଷତି କ’ଣ ? ତୁଣ୍ଡର ବଙ୍ଗଳା ଭାଷାକୁ କେହି ଚୋରାଇ ନେବେ ନାହିଁ । ସାରା ଜୀବନ ପରିଶ୍ରମ କରି ଯେଉଁ କୋଡ଼ିଏ ବିଘା ଜମି ସେ କ୍ରୟ କରି ନିଜର କରିପାରିଛନ୍ତି, ସେତକ ରକ୍ଷା କରି ହେବ । ପିଲା କୁଟୁମ୍ବ ସୁଖରେ ରହିବେ । ଭିନେହେଲା ବଡ଼ପୁଅ ନଗେନ୍‌ ଆଉ ତାଙ୍କୁ ଧମକେଇ ପାରିବ ନାହିଁ ।

 

ପ୍ରଥମ ପତ୍ନୀଙ୍କର ସେଇ ଗୋଟିଏ ପୁଅ ବୋଲି ତାକୁ ତାଙ୍କର ଦୁତୀୟାପତ୍ନୀ ଅତି ଆଦରରେ ବଢ଼ାଇଥିଲେ । ନଗେନ୍‌ ପାଠ ପଢ଼ିଲା ନାହିଁ । ଉଚ୍ଛୃଙ୍ଖଳ ହେଲା । ଗୁଣ୍ଡାମିର ଶେଷସୀମାରେ ପହଞ୍ଚିଲା । ମୁସଲମାନ ଟୋକାଙ୍କ ସଙ୍ଗେ ମିଶି ମଦପିଆ, ଦୁଶ୍ଚରିତ୍ରତା ଓ ଚୋରି ଡକାୟତିରେ ମନ ଦେଲା । ଭେଣ୍ଡା ପୁଅ, ଶେଷକୁ ଗୋଟାଏ ମୁସଲମାନୀ ଝିଅକୁ ନେଇ ରହିଲା । ନିଜେ ମୁସଲମାନ ହୋଇ ସେଇ ଝିଅକୁ ବିବାହ କଲା । ଘରୁ ଯାଇ ପଦାରେ ଅଲଗା ଘର କରି ରହିଲା । ସେ ହେଲା ମଟର–ଡ୍ରାଇଭର ।

 

ନଗେନ୍‌ ହେଲା ନଗିମିଆଁ । ନୈଷ୍ଠିକ ମୁସଲମାନ । କୋରାନ୍‌ ପାଠ ଓ ଦିନକୁ ଚାରିଥର ପ୍ରାର୍ଥନା । ଅତି ଆଶ୍ଚର୍ଯ୍ୟ ଭାବରେ ଘଟିଲା ତା’ର ସ୍ୱଭାବ ଚରିତ୍ରର ପରିବର୍ତ୍ତନ । ମଦ ଛାଡ଼ିଲା, ଗୁଣ୍ଡାମି ଛାଡ଼ିଲା, ସେ ହେଲା ଭଦ୍ର, ମିଷ୍ଟ-ଭାଷୀ, ଚରିତ୍ରବାନ୍‌ । ଭିନ୍ନ ସ୍ଥାନରେ ଘର କରି ରହିଲେ ମଧ୍ୟ ରାତିଅଧରେ କେବେ କେମିତି ସେ ଆସେ । ବିମାତାଙ୍କୁ ସଲାମ କରେ । ଭାଇ ଦିଓଟି ବୀରେନ୍‌ ଓ ସୁରେନ୍‌ ଏବଂ ସାନ ଭଉଣୀ ଗିରିଜାଙ୍କର ଖବର ବୁଝେ । କାଗଜପତ୍ର ଓ ବହି କିଣିବାକୁ ଟଙ୍କା ଦିଏ ।

 

ପିତା ଗୋପାଳ ହାଓଲ୍‌ଦାରଙ୍କୁ ପ୍ରଣାମ କରି ଧମକାଇ କହେ, ମୋର କଥା ମାନି ଆପଣ ଧର୍ମ ପରିବର୍ତ୍ତନ କରି ମୁସଲମାନ ହୁଅନ୍ତୁ । ସବୁ ଧର୍ମ ସମାନ, ତେଣୁ ଧର୍ମ ଅପେକ୍ଷା ଜୀବନ ଓ ସମ୍ମାନ ବଡ଼ ।

 

ଗୋପାଳ ବିରକ୍ତ ହୋଇ କହନ୍ତି, କୁଳାଙ୍ଗାର ବିଧର୍ମୀ ସଇତାନ, ତୁ ମତେ ବୁଦ୍ଧି ଶିଖାଇବୁ ? ନିଜେ ନିଜର ଲାଙ୍ଗୁଡ଼ କାଟିଛୁ ବୋଲି ଅନ୍ୟମାନଙ୍କର ଲାଙ୍ଗୁଡ଼ କାଟିବାକୁ ପ୍ରବର୍ତ୍ତାଉଛୁ-? ଭଗବଦ୍‍ଗୀତାରେ ସ୍ୱୟଂ ଭଗବାନ୍‌ କହିଛନ୍ତି, ନିଜ ଧର୍ମରେ ବରଂ ମରଣ ଭଲ, ପର ଧର୍ମ ଯେ ଅତି ଭୟାବହ ।

 

ନଗେନ୍‌ କହିଲା, ଆପଣଙ୍କର ବିଶ୍ୱାସରେ ମୁଁ ପ୍ରତିବାଦ କରୁ ନାହିଁ । ଅନ୍ୟ ଆଡ଼େ ନିଆଁ ଜାଳିବାକୁ ସେମାନେ ପ୍ରସ୍ତୁତ ହେଉଛନ୍ତି । ଆପଣମାନେ ସମସ୍ତେ ଧ୍ୱଂସ ହୋଇ ଯିବେ । ବେଳ ଥାଉଣୁ ତେବେ ଆପଣ ମା’ ଓ ପିଲା ତିନୋଟିଙ୍କୁ ସଙ୍ଗରେ ନେଇ ହିନ୍ଦୁସ୍ଥାନ ଚାଲି ଯାଉନ୍ତୁ । ମୋ କଥା ମାନନ୍ତୁ ।

 

ଗୋପାଳ ଥଟ୍ଟା କରି କହିଲେ, ସାରା ଜୀବନ ଶିକ୍ଷକତା କରି କେତେ ସହସ୍ରଙ୍କୁ ଶିକ୍ଷା ଦେଇଛି, ଉପଦେଶ ଦେଇଛି । ତୋ ଉପଦେଶର ଉଦ୍ଦେଶ୍ୟ କ’ଣ ମୁଁ ଜାଣିପାରୁ ନାହିଁ ମନେ କରିଛୁ-? ମୋର ସ୍ୱୋପାର୍ଜିତ କୋଡ଼ିଏ ବିଘା ଅଉଲ କିସମ ଜମି ଉପରେ ତୋର ଲୋଭ ହୋଇଛି-। ଆମେ ପାକିସ୍ଥାନ ଛାଡ଼ି ହିନ୍ଦୁସ୍ଥାନ ଚାଲିଗଲେ ତୁ ସବୁଯାକ ଜମି ମାଡ଼ି ବସିବୁ ଓ ତୋର ମୁସଲମାନୀ ସ୍ତ୍ରୀକୁ ସାଙ୍ଗରେ ଘେନି ଆସି ଏଇଠି ରହିବୁ । ଦେହରେ ପ୍ରାଣ ଥିବାଯାଏ କଦାପି ଏହା ମୁଁ କରାଇ ଦେବି ନାହିଁ । ତୁ ଏ ଘରୁ ଚାଲିଯା ।

 

କାହିଁକି ନଗେନ୍‌ର ଆଖିରୁ ଲୁହ ଦୁଇ ଧାର ଝରି ଆସିଲା ଗୋପାଳ ହାଉଲ୍‌ଦାର ସେଦିନ ରାତିଅଧରେ ବୁଝିପାରି ନଥିଲେ । ଆଖିରୁ ଲୁହ ପୋଛି ସେ ଧୀରେ ଓ ବିନୀତ ସ୍ୱରରେ କହିଲା, ଆପଣଙ୍କର କଷ୍ଟୋପାର୍ଜିତ ଜମି ଉପରେ ମୋର ତିଳେମାତ୍ର ଲୋଭ ନାହିଁ । ଯେଉଁଦିନ ମୁଁ ମୁସଲମାନ ହେଲି ସେହି ଦିନ ମୁଁ ଆପଣଙ୍କର ସ୍ନେହ, ଶାସନ ଓ ସମ୍ପତ୍ତିରୁ ବଞ୍ଚିତ ହେଲି ବୋଲି ମୁଁ ଜାଣେ । ଏ ସବୁ ମୁଁ କିଛି ଆଶା କରୁ ନାହିଁ କିନ୍ତୁ, ଆପଣମାନଙ୍କ ପ୍ରତି ମୋର ସ୍ନେହହିଁ ମୋତେ ଏଠାକୁ ବାରମ୍ବାର ଟାଣି ଆଣୁଛି । ମୁଁ ଲୁଚିଛପି ଆସୁଛି । ମୋର ଅନୁରୋଧ ଆପଣ ନିଶ୍ଚୟ ବିଚାର କରି ଦେଖିବେ । ଯଦି ସକୁଟୁମ୍ବେ ମୁସଲମାନ ହେବେ ତ କାଲି ହୁଅନ୍ତୁ, ନୋହିଲେ ପୂର୍ବବଙ୍ଗ ଛାଡ଼ି ହିନ୍ଦୁସ୍ଥାନକୁ ପଳାଇ ଯାଉନ୍ତୁ । ତୋଫାନ ଉଠେଇଲାଣି । ମାଡ଼ି ଆସିଲେ ଆଉ ବଳ ପାଇବ ନାହିଁ ।

 

ନଗେନ୍‌ ଚାଲିଗଲା । ଅଳ୍ପଦିନ ପରେ ସତକୁସତ ଧର୍ମାନ୍ଧତାର ଭୟଙ୍କର ତୋଫାନ ପ୍ରବଳ ବେଗରେ ମାଡ଼ି ଆସିଲା । ଅଗ୍ନି ବମନ କଲା । ପୁଣି ହିନ୍ଦୁ ତାଡ଼ନ ଓ ମାରଣ; ଧର୍ମାନ୍ତର ଗ୍ରହଣ । ନଗେନ୍ଦ୍ରର ଆଉ ଦେଖା ଦର୍ଶନ ମିଳିଲା ନାହିଁ । ଆଖପାଖ ଗ୍ରାମମାନଙ୍କରେ ଯେତେବେଳେ ଅତ୍ୟାଚାର ଲାଗିଲା, ନିରସ୍ତ୍ର ନିଃସହାୟ ଗ୍ରାମବାସୀମାନେ ଆତ୍ମ–ରକ୍ଷା କରିବାକୁ ପ୍ରତିରୋଧ କଲେ । ଶହଶହ ସଂଖ୍ୟାରେ ଆତତାୟୀଙ୍କୁ ଟଳାଇ ନିଜେ ଟଳି ପଡ଼ିଲେ । କେହି କେହି ଜୀବନ ଲୋଭରେ ଧର୍ମାନ୍ତର ଗ୍ରହଣ କରି ଶରଣ ପଶିଲେ । ଅନ୍ୟମାନେ ସହସ୍ର ସଂଖ୍ୟାରେ ହିନ୍ଦୁସ୍ଥାନକୁ ପଳାଇ ଆସିବାକୁ ଚେଷ୍ଟା କଲେ । ଏହି ସବୁ ଖବର ଏବଂ ନାରୀ ଅପହରଣ ସମ୍ବାଦ ହୁଏତ ଅତିରଞ୍ଜିତ ହୋଇ ଗୋପାଳ ହାଉଲ୍‌ଦାରଙ୍କର କାନରେ ବାଜିଲା । ସେତିକିବେଳେ ନଗେନ୍‌ର ପରାମର୍ଶ ତାଙ୍କର ମନେ ପଡ଼ିଲା ।

 

ଗୋପାଳ ତାଙ୍କର ପତ୍ନୀ ତନୁଜା ଓ ଦୁଇ ପୁତ୍ର ବୀରେନ୍ଦ୍ର ଓ ସୁରେନ୍ଦ୍ର–ପିଲା ଦୁଇଟା ତ, ଜଣକର ବୟସ ଊଣେଇଶ, ସେ ସୁନ୍ଦର, ବଳିଷ୍ଠ, ବୁଦ୍ଧିମାନ ମାଟ୍ରିକ୍‌ପାସ୍‌ ଓ ଆରକର ବୟସ ଚଉଦ, ଦୁର୍ବଳ ନବମ ଶ୍ରେଣୀର ଛାତ୍ର, କୁଟାଖଣ୍ଡି ଦିଖଣ୍ଡ କରେ ନାହିଁ–ଏବଂ ବାରବର୍ଷର ଥାକୁଲିଆ ଝିଅ ଗିରିଜା, ଏମାନଙ୍କୁ ପାଖକୁ ଡାକି କହିଲେ, ସ୍ତ୍ରୀଙ୍କୁ ସମ୍ବୋଧି, ଆଗୋ, ଶୁଣୁଛତ ବ୍ୟାପାର କ’ଣ-? ଏଥର ତୁମର ପୂଜାପାଠ ଓ ଧର୍ମକର୍ମ ବନ୍ଦ କର । କି ମିଳିବ ତହିଁରୁ ? ଲକ୍ଷ୍ମୀଠାକୁରାଣୀଙ୍କୁ ପୂଜାକରି ଆଉ ଲାଭ ନାହିଁ । ଏ ଦେଶରେ ଧନଧାନ୍ୟ ଗୋପଲକ୍ଷ୍ମୀ ଆଉ ମିଳିବାର ସମ୍ଭାବନା ନାହିଁ । ମୁଣ୍ଡର ଝାଳ ତୁଣ୍ଡରେ ମାରି ମୁଠିଏ ଭଲ ଖାଇବା ଓ ଖଣ୍ଡିଏ ଭଲ ପିନ୍ଧିବାର ପ୍ରଲୋଭନକୁ ଦମନ କରି ଯାହା ଆମେ ସଞ୍ଚୟକରି ପାରିଛୁ ସେତେକ ଆତତାୟୀ ମୁସଲମାନ ଗୁଣ୍ଡାଙ୍କର ହେବ-। କ’ଣ କଲେ ଜୀବନ ଓ ସମ୍ମାନ ରକ୍ଷା କରିପାରିବା ସେ ବିଷୟ ଚିନ୍ତା କର ।

 

ଅଶ୍ରୁଳ ନେତ୍ରରେ ଗଳ–ବସ୍ତ୍ର ତନୁଜା ମା’ ଦୁର୍ଗା ଓ କାଳୀଙ୍କର ଚନ୍ଦନଚିତ୍ରିତ କାଚ ଫ୍ରେମ୍‌ବନ୍ଧା ଫଟୋଗୁଡ଼ିକ ଆଗରେ ମୁଣ୍ଡ ନୁଆଁଇଲେ । ଆହୁରି ଅନେକ ବନ୍ଧା ଫଟୋ ତ ସଜାହୋଇ ରଖା ହୋଇଛି,–ଢଳିଢ଼ଳି ନାଚୁଛନ୍ତି ନିତାଇ–ଗଉର, ଧ୍ୟାନ–ମଗ୍ନ ପରମହଂସ ଶ୍ରୀ ଶ୍ରୀ ରାମକୃଷ୍ଣ, ଧ୍ୟାନରତ ଅରବିନ୍ଦ, ବତ୍କୃତା ଦେବା ସମୟର ବିବେକାନନ୍ଦ, ବୀରବର ପବନ କୁମର ହନୁମାନ ଗନ୍ଧମାଦନ ପର୍ବତକୁ ଗୋଟିଏ ହାତରେ ଟେକି ଶୂନ୍ୟମାର୍ଗରେ ଉଡ଼ି ଯାଉଛନ୍ତି, ସୁଦର୍ଶନଚକ୍ର ଧରି ଭଗବାନ୍‌ ଶ୍ରୀକୃଷ୍ଣ ଅର୍ଜୁନଙ୍କର ରଥ ଚଳାଉଛନ୍ତି, ଆଗରେ କୁରୁବଳ ।

 

ସମସ୍ତେ ସେହି ଫଟୋଗୁଡ଼ିକୁ ଅନାଇ ରହିଲେ । ଦିନ ହେବ ଦଶଟା । ଚୈତ୍ରର ରୌଦ୍ର ଟାଣ ହୋଇ ଆସୁଛି । ତନୁଜା ସବୁ ଦେବଦେବୀଙ୍କୁ ଆକୁଳବିକଳ ପ୍ରାଣରେ ପ୍ରାର୍ଥନା କରି ମୁଣ୍ଡ ଟେକିଲେ । ନୟନରୁ ନୀରଧାର ପୋଛି ସ୍ୱାମୀଙ୍କ ମୁହଁକୁ ଅନାଇ ସ୍ମିତ ହସି କହିଲେ, ଆଉ ଭୟ ନାହିଁ । ଜଣ ଜଣ କରି ସବୁ ଦେବତାଙ୍କୁ ମୁଁ ପ୍ରାର୍ଥନା କରିଛି. ଆମର ନିଃସହାୟପଣ ଜଣାଇଛି । ଆମୁକୁ ଏଇ ଧର୍ମାନ୍ଧ ପାଗଳ ପଶୁପାଲଟା ଆତତାୟୀ ମୁସଲମାନ ଗୁଣ୍ଡାଙ୍କ କବଳରୁ ରକ୍ଷା କରିବାକୁ ମିନତି କରିଛି । ମହିଷାସୁର–ମର୍ଦ୍ଦିନୀ ଜନନୀ ଦୁର୍ଗା, ନୃମୁଣ୍ଡମାଳିନୀ ଖର୍ପରଧାରିଣୀ ମା’ କାଳୀ, ସୁଦର୍ଶନଚକ୍ରଧାରୀ ସ୍ୱୟଂ ଭଗବାନ୍‌ ଆମୁକୁ ରକ୍ଷା କରିବେ ।

 

ଗୋପାଳ କହିଲେ, ନଗେନ୍ଦ୍ରର ଉପଦେଶ ଏବେ ମୁଁ ବିଚାରି ଦେଖୁଛି, ସବୁ ସତ୍ୟ । ଆଗୋ, କଳିଯୁଗପରା ୟେ, ଏ ଯୁଗରେ ଏ ଦୁନିଆରେ ତୁମର ଦେବତାମାନେ ହୁଏତ ମର୍ତ୍ତ୍ୟଲୋକ ତ୍ୟାଗକରି ସ୍ୱର୍ଗଲୋକକୁ ଏକାଥରେ ପଳାଇଲେଣି, ଆଉ ଆସୁ ନାହାନ୍ତି, ଅଥବା, ଯଦି ପ୍ରାର୍ଥନାର ଡୋରରେ ଟାଣି ହୋଇ ଆସୁଥିବେ, ମର୍ତ୍ତ୍ୟଲୋକର ମଣିଷଙ୍କର ବିଭିନ୍ନ ପ୍ରକାର ଶକ୍ତିଶାଳୀ ମାରଣ ଅସ୍ତ୍ର ଦେଖି ସେମାନେ ସେମାନଙ୍କର ପୁରୁଣାକାଳିଆ ଅସ୍ତ୍ରର ଦୁର୍ବଳ ଶକ୍ତି କଥା ବିଚାରି ମାନେ ମାନେ ଖସି ପଳାଉଥିବେ ସ୍ୱର୍ଗକୁ ।

 

ସେମାନେ ଆମୁକୁ ଏ ବିପଦରୁ ଉଦ୍ଧାର କରି ପାରିବେ ନାହିଁ ଏହାତ ଜଣାଶୁଣା କଥା । ତା’ ହୋଇଥିଲେ, ଚାଳିଶିଲକ୍ଷ ହିନ୍ଦୁ ଏ ଦେଶ ଛାଡ଼ି, କେତେ ଦେବଦେବୀ, କେତେ ଦେବ ମନ୍ଦିର ଛାଡ଼ି, ଜୀବନ ରକ୍ଷା କରିବାକୁ ହିନ୍ଦୁସ୍ଥାନ ପଳାଇ ଯାଇ ନଥାନ୍ତେ । କାହିଁ ରହିଲେ ସେମାନଙ୍କର ଦେବଦେବୀମାନେ ଓ ସେମାନଙ୍କର ପବିତ୍ର ଦେବମନ୍ଦିର ? ସେହି ସବୁ ମନ୍ଦିର ଓ ମଠମାନଙ୍କର ଆଜି କ’ଣ ସବୁ ହେଉଥିବ ବେଶ୍‌ ଅନୁମାନ କରି ହେଉଛି ।

 

ତନୁଜା କହିଲେ, ଛି, ଛି, ଏପରି ଅବିଶ୍ୱାସଭରା କଥା ଆଉ କହନା, ଅଧର୍ମ ହେବ । ମା’ କାଳୀ, ମା’ ଦୁର୍ଗା, ଭଗବାନ୍‌ ନାରାୟଣ ତୁମକୁ ଓ ମୋ ପିଲାଙ୍କୁ ଘଣ୍ଟଘୋଡ଼ାଇ ରଖିବେ । ଦେଖିବ ରହ ସେଇ ନଗେନ୍‌କୁ, ସେ ତା’ର ଭୁଲ୍‌ ବୁଝିପାରିଲାଣି । ଘର ପୁଅ ପୁଣି ଏଇ ଘରକୁ ଫେରି ଆସିବ । ଅନୁତାପ କରିବ । ଏଇ ଦେବଦେବୀଙ୍କ ଆଗରେ ମୁଣ୍ଡ ନୁଆଁଇ ନିଜର ଭୁଲପାଇଁ କ୍ଷମା ମାଗିବ । ସେ ହୋଇଥିଲା ପରା ତିନିବର୍ଷର, ଯେତେବେଳେ ତା’ର ମା’ ସେପୁରକୁ ଗଲେ । ତୁମେ ମରଦ ମଣିଷ ଆଠବର୍ଷକାଳ ତାକୁ ବଢ଼ାଇ ଆଣିଲ ସିନା ତାକୁ ଉପଯୁକ୍ତ ଶିକ୍ଷା ଦେଇ ପାରିଲ ନାହିଁ-। ତା’ର ମା’ ହୋଇ ମୁଁ ଏ ଘରକୁ ଆସିଲାବେଳେ ସେ ଅବାଧ୍ୟ ଉଚ୍ଛୃଙ୍ଖଳ ହୋଇଥିଲା । ଯେତେ ଚେଷ୍ଟା କଲି ସେ ବାଟକୁ ଆସିଲା ନାହିଁ । ଠାକୁରମାନଙ୍କର ଦୟା ଥିଲେ ସେ ଭଲ ହେବ, ମୋ ପାଖକୁ ଫେରି ଆସିବ ।

 

ଗୋପାଳ ହାଉଲ୍‌ଦାର କହିଲେ, ନିଜର ଶକ୍ତି ଉପରେ ନିର୍ଭର ନ କରି, ନିଜର ଶକ୍ତି ବଢ଼ାଇ ଆତ୍ମରକ୍ଷା କରିବାକୁ ଚେଷ୍ଟା ନ କରି, କେବଳ ଠାକୁରମାନଙ୍କ ଦୟା ଓ ଶକ୍ତି ଉପରେ ବିଶ୍ୱାସ ଓ ଆସ୍ଥା ରଖି ହିନ୍ଦୁ ସମାଜର ଦେହବଳ, ମନବଳ ଓ ସାହାସ ହଜିଛି । ଯାହା ହେବାର ହୋଇ ସାରିଛି । ଆତ୍ମରକ୍ଷା କରିବାପାଇଁ ଧର୍ମ ବଦଳାଇବା, ନୋହିଲେ ହିନ୍ଦୁସ୍ଥାନକୁ ପଳାଇ ଯିବାହିଁ ଉପାୟ । ଯାହା ତୁମେମାନେ ସ୍ଥିର କରିବ ସେଇଆ କରିବା । ବିଳମ୍ବ କଲେ ସର୍ବନାଶ ହେବ ।

 

ଭାବି ସ୍ଥିର କରିବାକୁ ସମୟ ମିଳିଲା ନାହିଁ । ତୋଫାନ ମାଡ଼ି ଆସିଲା । ଦୁଇଦିନ ପରେ ଆତତାୟୀ ଗୁଣ୍ଡାମାନେ ଅଚାନକ ଗ୍ରାମ ଉପରେ ଚଢ଼ାଉ କଲେ । ଗ୍ରାମବାସୀମାନେ ବାଧା ଦେଲେ, ପ୍ରାଣ ଦେଲେ, ପ୍ରାଣ ବିକଳରେ ପଳାୟନ କଲେ ।

 

ଗୋପାଳ ହାଉଲ୍‌ଦାର ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଏବଂ ଝିଅକୁ ସଙ୍ଗରେ ନେଇ ଅନ୍ୟମାନଙ୍କ ସଙ୍ଗେ ହିନ୍ଦୁସ୍ଥାନକୁ ପଳାଇ ଆସୁଥିଲେ । ଚାରିଆଡ଼େ ସବୁ ଗ୍ରାମରେ ତ ହିନ୍ଦୁ ମାରଣ, ହିନ୍ଦୁ ତାଡ଼ନ ଓ ଧର୍ମାନ୍ତର ଗ୍ରହଣ ଚାଲିଛି । ତେଣୁ ସୁରୁଖୁରୁରେ ପୂର୍ବ–ବଙ୍ଗର ସୀମା ପାରହେବା ସମ୍ଭବ ହେଲା ନାହିଁ । ଯେଉଁ କୁଟୁମ୍ବମାନଙ୍କ ସଙ୍ଗେ ମିଶି ସେମାନେ ପଳାଇ ଆସୁଥିଲେ ସେମାନଙ୍କ ଉପରେ ମଧ୍ୟ କେଉଁ ଅପନ୍ତରାରେ ଆକ୍ରମଣ ହେଲା । ଗହଣାଗଣ୍ଠି ଓ ଟଙ୍କାକଉଡ଼ି ସେମାନଙ୍କ ପାଖରେ ଯାହା ଥିଲା, ପାକିସ୍ଥାନୀ ଗୁଣ୍ଡାମାନେ ସବୁ ଅପହରଣ କଲେ । ସେମାନେ ସଶସ୍ତ୍ର ଆଉ, ଯେଉଁ ନିଃସହାୟଙ୍କର ସର୍ବସ୍ୱ ସେମାନେ ଲୁଣ୍ଠନ କଲେ ସେମାନେ ନିରସ୍ତ୍ର । କ’ଣ ଧରି ସେମାନେ ପ୍ରତିରୋଧ କରି ପାରନ୍ତେ ? ବିକଳ କ୍ରନ୍ଦନ, ମାନସମ୍ଭ୍ରମ ଓ ଜୀବନପାଇଁ ଯୋଡ଼ହସ୍ତ ଅନୁରୋଧ ସବୁ ବ୍ୟର୍ଥ ହେଲା ।

 

ସେମାନେ ଅଟ୍ଟହାସ୍ୟ କଲେ । ଛୋରା ଓ ବନ୍ଧୁକ ଦେଖାଇ, କି ସ୍ତ୍ରୀ କି ପୁରୁଷ ସମସ୍ତଙ୍କୁ ବିବସନ କଲେ, କାଳେ ବସନ ଭିତରେ ଲୁଚାଇ ସେମାନେ ପାକିସ୍ଥାନରୁ ଧନରତ୍ନ ନେଇ ପଳାଇ ଆସୁଥିବେ, ହିନ୍ଦୁସ୍ଥାନକୁ ନେଇ ଚାଲିଯିବେ !

 

ସୂର୍ଯ୍ୟ ପଶ୍ଚିମ ଦିଗନ୍ତରେ ବୁଡ଼ି ଯାଉଥାନ୍ତି । କାଁଭାଁ ଖଣ୍ଡଖଣ୍ଡ ବାଦଲ ରଙ୍ଗ ବଦଳାଇ ଆକାଶ ଛାତିରେ ଭାସି ଯାଉଥାନ୍ତି । କାଳବୈଶାଖୀ ତୋଫାନର ବେଗ ମନ୍ଥର ହୋଇଥାଏ । ଦୂରରେ ଦିଶୁଥାଏ ଅରଣ୍ୟର ଧୂଆଁଳିଆ ଧାର ଦିଗ୍‌ବଳୟରେ, ଯାହାର ପାଖକୁ ଲାଲ୍‌ ସୂର୍ଯ୍ୟ ନଇଁ ନଇଁ ଯାଉଥାନ୍ତି । ଆକାଶ ବାଦଲ ତୋଫାନ ଓ ଧରିତ୍ରୀ ସମସ୍ତେ ଯେପରି ଅଟ୍ଟହାସ୍ୟ କରୁଥାନ୍ତି । ନିରୀହ ନିର୍ଦ୍ଦୋଷ ନିରସ୍ତ୍ର ଜନତାର ଦୁଃଖଦୁର୍ଦ୍ଦଶା ଦେଖି ମଧ୍ୟ ସେମାନେ ନିରବ । ମଣିଷ ବିଷୟରେ ସେମାନେ କେବେ ଭାବନ୍ତି ନାହିଁ, ସେମାନେ ବୀତସ୍ପୃହ ।

 

କେବଳ ଅଳଙ୍କାର ଓ ଧନ ଅପହରଣ କରି ସେହି ଦୁର୍ବୃତ୍ତମାନେ ପଳାତକ ବିପଦଗ୍ରସ୍ତଙ୍କୁ ଛାଡ଼ି ପଳାଇଲେ ନାହିଁ । ତା’ପରେ ସେମାନେ ଯାହା ଅପହରଣ କଲେ ସଭ୍ୟ ଦୁନିଆର ଲୋକେ ଆଖିରେ ଦେଖିଲେ ତଟସ୍ଥ ହେବେ । ରକ୍ତ ଟକମକ ହୋଇ ଫୁଟିବ । ସେମାନେ ମଣିଷ ଜାତିର ସଭ୍ୟତା ଓ ସଂସ୍କୃତିକୁ ପୋଡ଼ି ପାଉଁଶ କଲେ । ସେମାନେ ପଶୁ ପାଲଟିଲେ, ଦାନବ ହେଲେ, ନା, ପାଗଳ ହେଲେ । ଭଗବାନ୍‌ ସୂର୍ଯ୍ୟ ସେମାନଙ୍କୁ ପୋଡ଼ିଜାଳି ପାଉଁଶ କଲେ ନାହିଁ, ମୁଣ୍ଡ ଉପରର ଆକାଶ ଅଜାଡ଼ିହୋଇ ପଡ଼ିଲା ନାହିଁ, ଇନ୍ଦ୍ରଦେବ ଅଶନି ବୃଷ୍ଟି କଲେ ନାହିଁ, ପବନଦେବ ମହାଫୁତ୍କାରରେ ସେମାନଙ୍କୁ ଉଡ଼ାଇ ଦେଲେ ନାହିଁ ।

 

ଗୋପାଳ ହାଉଲ୍‌ଦାର ନୀରବ ହେଲେ । ଆଖି ବୁଜିଲେ । ଦୁର୍ବଳ ହାତ ଦିଓଟିରେ ଚନ୍ଦା ମୁଣ୍ଡକୁ ଆଉଁସିଲେ । ଅନ୍ୟମାନେ ନୀରବ । ସମସ୍ତଙ୍କ ଜୀବନରେ ଏହିପରି କିଛି ଦୁର୍ଘଟଣା ଘଟିଛି, ମନେ ପଡ଼ି ଯାଉଛି ଅତୀତ, ଆଉ ଛାତି ଥରି ଉଠୁ ନାହିଁ, ରକ୍ତ ତାତି ଉଠୁ ନାହିଁ, ସମୟର ଅବିରାମ ହାତୁଡ଼ି ମାଡ଼ରେ ମନ ହୃଦୟ ଓ ସ୍ନାୟୁ ପଥୁରିଆ ହୋଇଛି । ଦୁଃଖଦୁର୍ଦ୍ଦଶାର କାହାଣୀ କାନରେ ପଶୁଛି, ମନରେ ଲାଗୁଛି, ଭେଦୁ ନାହିଁ ।

 

ବାଇଶ

 

ନୂଆ ଘରର ଦ୍ୱାରବନ୍ଧ ପାଖରେ ବାଉଁଶ–କାନ୍ଥକୁ ଆଉଜି ଠିଆ ହୋଇଛନ୍ତି ଅନିମା । ତାଙ୍କ ପାଖରେ ଅମିତା । ଗୋପାଳ ହାଉଲ୍‌ଦାରଙ୍କ ତୁଣ୍ଡରୁ ତାଙ୍କ କୁଟୁମ୍ବର କରୁଣ ଇତିହାସ ଶୁଣିବାକୁ ଅଜାଣତରେ ଅନିମା ବ୍ୟଗ୍ର ହୋଇ ଉଠିଛନ୍ତି । ହାଉଲ୍‌ଦାର କୁଟୁମ୍ବ କେଉଁ କ୍ୟାମ୍ପ୍‍ରୁ ଆସି ମାଲକାନଗିରିରେ ପହଞ୍ଚିଛନ୍ତି କେଜାଣି, ଅନିମା ସେ କୁଟୁମ୍ବକୁ ଚିହ୍ନନ୍ତି ନାହିଁ ।

 

ଗୋପାଳ ହାଉଲ୍‌ଦାର ହାତ ତଳକୁ ଓହ୍ଲାଇଲେ । ଆଖି ଛଳଛଳ କରି କହିଲେ, ଭଗବାନ୍‌ ଶ୍ରୀକୃଷ୍ଣ କୁରୁସଭାତଳେ ଦିନେ ବସ୍ତ୍ର ଦାନ କରି ଦ୍ରୌପଦୀଙ୍କର ଲଜ୍ଜା ନିବାରଣ କରିଥିଲେ-। ତାଙ୍କ ହାତରେ ବିଶ୍ୱ–ବ୍ରହ୍ମାଣ୍ଡ ଧ୍ୱଂସକାରୀ ସୁଦର୍ଶନଚକ୍ର । ବିଶ୍ୱ–ଜନନୀ ଦଶଭୁଜାଦୁର୍ଗା, ନୃ–ମୁଣ୍ଡମାଳିନୀ ଚଣ୍ଡୀ, ବୀର ହନୁମାନ, କେହି ଥରେ ଆଡ଼ଆଖିରେ ଆମର ଦୁର୍ଦ୍ଦଶା ଆଡ଼କୁ ଦୃଷ୍ଟିପାତ କଲେ ନାହିଁ । ଯେଉଁ ଭାଷାପାଇଁ ଆମେ ଗର୍ବ ଅନୁଭବ କରୁ, ସେଇ ଭାଷା କହୁଥିଲେ ସେହି ନିର୍ଲଜ୍ଜ ନିର୍ମମ ଲୁଣ୍ଠନକାରୀ ଦଳ ।

 

ବାଧା ଦେବାକୁ ଖାଲିହାତରେ ଆମରି ଭିତରୁ ଯେଉଁମାନେ ଉତ୍ୟକ୍ତ ହୋଇ ଧାଇଁ ଯାଇଥିଲେ, ସେମାନେ କେବଳ ଛାତିର ରକ୍ତ ତାଳି ଦେଇ ଚିରଦିନ ପାଇଁ ଭୂମିରେ ଶୟନ କଲେ । ଅନ୍ୟମାନେ ଜୀବନ ଦେଇ ବାଧା ଦେବାକୁ ଆଗେଇ ଯିବାକୁ ଆଗ୍ରହ କଲେ ମଧ୍ୟ ପାଦ ଟେକି ପାରିଲେ ନାହିଁ । ଛୋରା ବନ୍ଧୁକ ଧରି ପ୍ରତ୍ୟେକଙ୍କ ଆଗରେ ସେମାନେ ଜଗି ରହିଥିଲେ । ଭଗବାନ୍‌ ଶୁଣନ୍ତୁ କି ନାହିଁ, ଆଖି ବୁଜି ତାଙ୍କୁହିଁ ପ୍ରାର୍ଥନା କରୁଥିଲୁ, ଡାକ ଛାଡ଼ିଥିଲୁ, ହେ ପ୍ରଭୁ, ରକ୍ଷାକର ।

 

ସନ୍ଧ୍ୟାର ଅନ୍ଧାର ମାଡ଼ି ଆସୁଥାଏ, ସେମାନେ ଆମୁକୁ ଛାଡ଼ି ଚାଲିଗଲେ । ସଙ୍ଗରେ ଯେଉଁ ଝିଅ ବୋହୂମାନଙ୍କ ଅପହରଣ କରିନେଲେ ସେମାନଙ୍କର କରୁଣ କ୍ରନ୍ଦନର ସ୍ୱର କାନରେ ବାଜୁଥାଏ । ସେମାନଙ୍କୁ ଉଦ୍ଧାର କରିବାକୁ ଆମେସବୁ ପଛରୁ ଗୋଡ଼ାଇଲୁ । ଗୁଳି ଚୋଟରେ କେତେଜଣ ଟଳି ପଡ଼ିଲେ । ବାରବର୍ଷର କନ୍ୟା ମୋର ଗିରିଜା, ତାକୁ ତ ଛଡ଼ାଇ ଆଣି ପାରିଲୁ ନାହିଁ, ଆଗୁଆଳ ହୋଇ ବାଧା ଦେବାକୁ ଧାଇଁଥିଲା ମୋର ବୀର ପୁତ୍ର ବୀରେନ୍ଦ୍ର, ଗୁଳିମାଡ଼ରେ ସେ ଟଳି ପଡ଼ିଲା । ଧରିତ୍ରୀ ମାତାର କୋଳରେ ସେ ତା’ର ରକ୍ତବୋଳା ମୁଣ୍ଡଟିକୁ ନିଶ୍ଚଳ କଲା । ତୁଣ୍ଡରେ ଏତିକି ତା’ର ଶେଷକଥା, ଗିରିଜା, ମାଆ ଡାକୁଛନ୍ତି—

 

ପଦାରୁ ଅନିମା ଚିର୍‌ଚିରେଇ ଉଠିଲେ, ଅମିୟ, ଅମିୟ, କେଉଁଠି ଅଛ ତୁମେ ? କାହାଁନ୍ତି ତୁମର ଭାଇ ? କାହିଁ, କାହିଁ ମୋର ଅମିତାଭ– ।

 

ଅଧାପାଗଳୀ ପରି ଘର ଭିତରକୁ ପଶିଗଲେ ଅନିମା । କେଶବାସ ଅସମ୍ଭାଳ । ଦୁଇ ଆଖିରୁ ଶ୍ରାବଣର ଧାରାପରି ଝରି ପଡ଼ୁଛି ଲୋତକ । ଗୋପାଳ ହାଉଲ୍‌ଦାରଙ୍କର ଆଗରେ ନଇଁପଡ଼ି ତାଙ୍କର ଦୁଇ ପାଦରେ ହାତ ଦେଲେ । ପଚାରିଲେ, ଗିରିଜାର ସନ୍ଧାନ କିଛି ପାଇଲ କି ବାବା ?

 

ଗୋପାଳ ଦୁର୍ବଳ ହାତ ଦିଓଟି ବଢ଼ାଇ ଅନିମାଙ୍କର ହାତ ଧରି ତଳୁ ଉଠାଇଲେ । ହସହସ ହୋଇ କହିଲେ, ଆଜିଯାଏ ତ ପାଇ ନଥିଲି ମା’, ଆଜି ମୁଁ ପାଇଲି ତା’ର ସନ୍ଧାନ । ଆଖିରୁ ଲୁହ ଝରାଇ ବାବା ଡାକି ପାଦ ଛୁଇଁଲୁ ପରା, ତୋରି ଡାକରେ, ତୋଓରି ହାତର ପରଶରେ ମୁଁ ମୋ ଗିରିଜାର ପରଶ ପାଇଲି । ଏକଥା ତୋର ପାଗଳୀ ମାଆକୁ ମୁଁ ଜଣାଇଁ ଦେବି । ସାଧନ ମିସ୍ତ୍ରିଙ୍କ ପାଖରୁ ତୋର ଦୁର୍ଦ୍ଦଶାର କାହାଣୀ ମୁଁ ଅବଗତ ହୋଇଛି ।

 

ଅମିତା ତା’ର ମାଆର ଅଞ୍ଚଳ ଧରି କହିଲା, ତୁ କ’ଣ ପାଗଳ ହେଲୁକି ? ହେଇଟିତ ମୋର କକା ସେଠି ଠିଆ ହୋଇଛନ୍ତି । କ’ଣ ଯେ ଏତେ ତୁ ଭାବୁ ।

 

ଅନିମା ସାଧନ ମିସ୍ତ୍ରିଙ୍କ ମୁହଁକୁ ଚାହିଁଲେ । ସେ ମୁଡ଼ୁକି ହସା ଦେଉଛନ୍ତି । ଅନିମାଙ୍କର ଆଖିରେ ତାଙ୍କର ଆଖି ପଡ଼ିବାରୁ ସେ କହିଲେ, ଗତକାଲିର କଥା ଭାବି ଯେ ଆସନ୍ତାକାଲିର ସମ୍ଭାବ୍ୟ ସୁଖ ଆନନ୍ଦକୁ ଆଖିର ଲୁହରେ ଭସାଇ ଦିଏ, ସେ ନିର୍ବୋଧ । ଗିରିଜା ଆଜି କେଉଁ ମୁସଲମାନ ଜାମାତାର ପତ୍ନୀ ହୋଇ ଆପଣଙ୍କର ନାତିନାତୁଣୀମାନଙ୍କୁ ଲାଳନପାଳନ କରୁଥିବ ହାଉଲ୍‌ଦାରବାବୁ, କେବଳ ନାମ ବଦଳାଇ ଆଉ କେଉଁ ନାମରେ ତାକୁ ଡାକୁଥିବେ । ଆପଣଙ୍କର ନାତିନାତୁଣୀମାନଙ୍କର ନାମ ତ ଆଉ ଆମ ଠାକୁରଠାକୁରାଣୀମାନଙ୍କ ନାମର ଅନୁକରଣରେ ଦିଆଯାଇ ନଥିବ, ସେଥିପାଇଁ ଚିନ୍ତା ନାହିଁ । ସ୍ୱଇଚ୍ଛାରେ ହେଉ କି ଅନ୍ୟ କାହାର ପ୍ରରୋଚନା କି ବଳାତ୍କାରରେ ହେଉ ଯେ ସମାଜରୁ ଗଲା, ଧର୍ମାନ୍ତର ଗ୍ରହଣ କଲା, ସେ ଆମ ଦୃଷ୍ଟିରେ ମୃତ ବ୍ୟକ୍ତି ସଙ୍ଗେ ସମାନ । ସେହି ଦୃଷ୍ଟିରେ ଦେଖିଲେ କହିବାକୁ ପଡ଼ିବ ଯେ ଗିରିଜାର ମରଣ ହୋଇଛି, ଯେପରି ହେଲା ନଗେନ୍ଦ୍ରର ।

 

ଅନିମାଙ୍କର ହାତ ଧରି ଅମିତା ପଦାକୁ ନେଲା ।

 

ଅମିୟ ଠିଆ ହୋଇ କହିଲା, ରାତି ଅଧିକ ହେଲାଣି ଏବେ ସଭା ଭଙ୍ଗ କରାଯାଉ । ବୃଥା ବାକ୍‌ବିତଣ୍ଡାରେ ଆଜି ଅନେକ ସମୟ ନଷ୍ଟ କଲାଗଲା । ଅନ୍ୟ କିଛି କାମ କରିଥିଲେ ବରଂ ଉପକାର ହୋଇଥାନ୍ତା । ଯେତେ କୁଟୁମ୍ବ ଆମେ ପୂର୍ବବଙ୍ଗରୁ ପ୍ରାଣଘେନି ପଳାଇ ଆସିଛୁ ସମସ୍ତଙ୍କର ସେପାରି ଅତୀତ ଜୀବନର ଏହିପରି କିଛି ନା କିଛି ମର୍ମନ୍ତୁଦ ଇତିହାସ ଅବଶ୍ୟ ଅଛି । ଏପାରିକୁ ଆସି ଏହି ଏଗାରବର୍ଷ ଭିତରେ ସମସ୍ତେ ଯେ ଥଇଥାନ ହୋଇ ସୁଖ ଆନନ୍ଦରେ ବେଳ କଟାଉଛନ୍ତି ତାହା ତ ନୁହେଁ, କେତେ ଅଭାବ ଅସୁବିଧାର ମଧ୍ୟଦେଇ ଦୁଃଖ କଷ୍ଟରେ ଜୀବନ କଟି ଆସିଛି । ତେଣୁ, ନିଜର କର୍ମଦକ୍ଷତା ବଳରେ କିପରି ଆମେ ଏପାରି ଜୀବନକୁ ସୁଖର କରିପାରିବା ସେତିକି ଆମର ଚିନ୍ତାର ବିଷୟ ହେଉ ।

 

ବିଦାୟ ନେବାକୁ ସମସ୍ତେ ଉଠିଲେ । ଏତେବେଳେକେ ବିପିନ୍‍ କର୍ମକାର ମୁହଁ ଖୋଲିଲେ, ବୟସରେ ଛୋଟ ହେଲେ ମଧ୍ୟ ଅମିୟର ବୁଦ୍ଧି ଅଛି । ଜୀବନକୁ ଅବଶ୍ୟ ସୁଖର କରିବାକୁ ହେବ । ସେଥିପାଇଁ ମୁଖର ହେବାକୁ ପଡ଼ିବହେ, ମୂକହେଲେ ଚଳିବ ନାହିଁ । ମୁଖ ନ ଫିଟିଲେ ଦୁଃଖ ଯିବ ନାହିଁ । ଶୋଇଲା ପିଲା ଆଡ଼କୁ ତା’ର ସ୍ନେହମୟୀ ଜନନୀ ମଧ୍ୟ ଅନାଏ ନାହିଁ-। ଭାବେ, ଶୋଇଛିତ ପିଲାଟି, ଶାନ୍ତିରେ ଶୋଇଥାଉ ।

 

ଆମେ କିନ୍ତୁ ଶୋଇବା ନାହିଁ । ଆମର ଜୀବନର ସୁଖପାଇଁ, ଆମେ ପୂର୍ଣ୍ଣଭାବରେ ଥଇଥାନ ନ ହେବାଯାଏ, ପାଟିତୁଣ୍ଡ କରିବା । ସରକାରଙ୍କୁ ତାଙ୍କର ଶୟନ କକ୍ଷରୁ ନିଶ୍ଚୟ ଉଠାଇବା । ଆମର ଅଭାବ ଅସୁବିଧା କଥା ତାଙ୍କ କାନରେ ନିଶ୍ଚୟ ବାରମ୍ବାର ପକାଇବା । ଆମର ସବୁ ପ୍ରକାର ସୁବିଧା ଆମେ କରାଇ ନେବାକୁ ଚେଷ୍ଟିତ ହେବା । ଏ ବିଷୟ ଆପଣମାନେ ଭଲକରି ମନେ ରଖିଥିବେ ।

 

ଗୋପାଳ ହାଉଲ୍‌ଦାର ବିପିନ୍‍ କର୍ମକାର ଆସନ୍ତା–କାଲିର ଲିଡ଼ର୍‍ଙ୍କର ବକ୍ତବ୍ୟ ଶୁଣୁ ନଥିଲେ । ସେ ଭାବୁଥିଲେ ଅମିୟର ମନ୍ତବ୍ୟ ବିଷୟରେ । ପଦାକୁ ଆସି ଥଙ୍ଗେଇ ଥଙ୍ଗେଇ କହିଲେ, କିଏ ଭୁଲିପାରେ ଅତୀତକୁ ? ଅତୀତ ସ୍ମରଣ ଆମୁକୁ ଯେତିକି ଦୁଃଖ ଦିଏ, ଭବିଷ୍ୟତ ପାଇଁ ସେତିକି ପ୍ରେରଣା ଯୋଗାଏ । ତୁମର ଭାଇଙ୍କ କଥା ଥରେ ମନେପକାଅ ଅମିୟ । ବିପିନ୍‍ କର୍ମକାରଙ୍କଠାରୁ ସବୁ ମୁଁ ଶୁଣିଛି । ଏଗାରବର୍ଷ ହେଲା ତୁମର ଭାଇଙ୍କ ସମ୍ବନ୍ଧରେ କୌଣସି ଖବର ପାଇନାହିଁ । ତଥାପି ତାଙ୍କର ଅଚାନକ ଆଗମନ କି ସମ୍ବାଦକୁ ତୁମେମାନେ ଅପେକ୍ଷା କରି ରହିଛ । ମଣିଷର ଆଶା ତାକୁ ଆନନ୍ଦ ଦିଏ, ବଞ୍ଚି ରହିବାକୁ ପ୍ରେରଣାବି ଯୋଗାଏ ।

 

ଟେଣ୍ଟ୍‌ ଆଗରେ ସମସ୍ତେ ବିଦାୟ ନେଲେ । ବିପିନ୍‍ କର୍ମକାର ଟେଣ୍ଟ୍ ମୁହଁ ପାଖକୁ ଆଗେଇ ଆସିଲେ । କହିଲେ, ସତେକି ଅନିମାଙ୍କୁ ଶୁଣାଇଁ ଶୁଣାଇଁ, ଗୋପାଳ ବୁଢ଼ା ଅତି ଭଲଲୋକ ଓ ଶିକ୍ଷିତ ହେଲେ ମଧ୍ୟ ଟିକିଏ ନିର୍ବୋଧ ପରି ମନେ ହେଉଛନ୍ତି । ତୁମର ଭାଇ ଅଧର ମଣ୍ଡଳ, ଭଗବାନ କରନ୍ତୁ ସେ ପାକିସ୍ଥାନୀ ଗୁଣ୍ଡାଦଳ ଓ ଯମ ରଜାକୁ ଫାଙ୍କି ଦେଇ ବଞ୍ଚି ରହିଛନ୍ତି, କାହିଁକି ତାଙ୍କର ଖବର ଅନ୍ତର କିଛି ମିଳୁ ନାହିଁ ? ମୋର ମନେ ହେଉଛି, ପ୍ରାଣବିକଳରେ ସେ ମଧ୍ୟ ଗୋପାଳ ହାଉଲଦାରଙ୍କର ବଡ଼ପୁଅ ନଗେନ୍‌ପରି ମୁସଲମାନ ହୋଇଛନ୍ତି । ସେ ମଧ୍ୟ ହିନ୍ଦୁ ତାଡ଼ନରେ ସେହି ଗୁଣ୍ଡାମାନଙ୍କ ସଙ୍ଗେ ହାତ ମିଳାଇ କାମ କରୁଛନ୍ତି ।

 

ଟେଣ୍ଟ୍ ଭିତରେ ଅନିମାଙ୍କ କାନରେ ତାଙ୍କର କଥା ପଡ଼ିଲା । ସେ ସତେକି ରଣଚଣ୍ଡୀ ମୂର୍ତ୍ତି ଧରି ଅସ୍ତବ୍ୟସ୍ତ ହୋଇ ପଦାକୁ ଛୁଟି ଆସିଲେ । କେଶବାସ ଅସମ୍ଭାଳ । ଝୋଟରେ ନିଆଁ ଲାଗିଲା ପରି ସେ ହାକ୍‌କରି ଜଲି ଉଠିଲେ । କହିଲେ, ବିପିନ୍‍ବାବୁ, କାହିଁକି ଆପଣ ବାରମ୍ବାର ମୋ ମନରେ ଓ ମୋ ପିଲା ଦୁଇଟାଙ୍କ ମନରେ ଆଘାତ ଦେବାକୁ ଚାହୁଁଛନ୍ତି ? ଯେଉଁଥିପାଇଁ ଉମରକୋଟର ଜାମୁରଣ୍ଡା କ୍ୟାମ୍ପ୍‍ରୁ ପାରାଲ୍‌କୋଟ ନ ଯାଇ ଆମ ପଛେ ପଛେ ମାଲକାନଗିରି ଧାଇଁ ଆସିଛନ୍ତି ? ସେ କଥା ମୋତେ ବେଶ୍‌ ଜଣା ଅଛି । ମୋର ସ୍ୱାମୀ ଏ ସଂସାରରେ ଥାଆନ୍ତୁ କି ନାହିଁ, ଥିଲେ ସେ ମୁସଲମାନ ହୋଇଛନ୍ତି କି ଆଉ କ’ଣ ହୋଇଛନ୍ତି ସେଥିପାଇଁ ଆପଣଙ୍କର ଏତେ ମୁଣ୍ଡବଥା କାହିଁକି ? ମୋ ନିଜକଥା ଓ ମୋ ଘରକଥା ମୁଁ ନିଜେ ବୁଝିବି । ଆପଣ ଦାଣ୍ଡରେ ଯେଉଁଠି ଯାହା ଲେକ୍‌ଚର ଦେଉନ୍ତୁ, ମୋ ଘରକୁ ଆସି ଏଠି ଲେକ୍‌ଚର ଦେଲେ ଅପମାନିତ ହୋଇ ଫେରିବେ ।

 

ବିପିନ୍‍ କର୍ମକାର କେବେ ଆଶା କରି ନଥିଲେ ଯେ ଅନିମାଙ୍କ ପରି ଧୀରସ୍ଥିର ଅଳ୍ପଭାଷୀ ଓଢ଼ଣା–ମୁହୀଁ ସ୍ୱାମୀ–ବିରହିଣୀ ନାରୀଟିଏ ଚଣ୍ଡୀ ମୂର୍ତ୍ତି ଧରି ଆଗକୁ ଆସି ଏପରି ମାଡ଼ ମାରିଲାପରି କହି ପାରିବେ । ଚଣ୍ଡୀ ରୂପରେ ବେଶ୍‌ ଭଲ ଦିଶୁଛନ୍ତି ସେ, ତାଙ୍କ କଥାରେ ଛଳ କରିବା ମୋଟେ ଉଚିତ ନୁହେଁ । କେତେ ନାରୀ ସେ ଦେଖିଛନ୍ତି, ପରଖିଛନ୍ତି । ତୁଣ୍ଡରେ ଭାଷା ଓ ଧନର ଆଶାରେ ନିଜ ଆଡ଼କୁ ଢଳାଇ ପାରିଛନ୍ତି । ଫଁ ଫଁ ହୋଇ ଫଣା–ଟେକା ନାଗିଣୀର ଚୋଟ ସହିଛନ୍ତି ଓ ଫଣା ନୁଆଁଇ ପାରିଛନ୍ତି ।

 

ଅନିମା ସେହି ନାଗିଣୀରୁ ଗୋଟିଏ !

 

ବିପିନ୍‍ ମୁଣ୍ଡ ନୋଇଁ କହିଲେ, ତୁମର ଗୋଡ଼ ଧରୁଛି ଭାଉଜ, ତୁମ ମନରେ ଦୁଃଖ ଦେବାକୁ ମୁଁ କିଛି କହି ନାହିଁ । କଥା ନହସରେ କ’ଣ କହି ହୋଇଗଲା । ସେଥିପାଇଁ ମୁଁ ଦୁଃଖିତ, ଅନୁତପ୍ତ । ମୁଁ ପ୍ରତିଜ୍ଞା କରୁଛି, ଅଧର ଭାଇଙ୍କ ସମ୍ବନ୍ଧରେ ସଠିକ୍ ଖବର ଆଣି ତୁମ ନିକଟରେ ଯେତେ ଶୀଘ୍ର ପାରେ ପହଞ୍ଚାଇବି । ବୁଢ଼ୀମା ଓ ପିଲା ବକଟକ ସୌମେନ୍‌ ଛଡ଼ା ମୋର ଆଉ ଏ ଦୁନିଆରେ କେହି ନାହିଁ ଏହା ସମସ୍ତେ ଜାଣନ୍ତି । ଯେଉଁମାନେ ସେପୁରକୁ ଚାଲିଗଲେ ସେମାନଙ୍କୁ ମୁଁ ଭୁଲି ଯିବାକୁ ଚାହେଁ । ଯେଉଁମାନେ ଅଛନ୍ତି ସେମାନଙ୍କ ବିଷୟରେ ମୁଁ ବେଶି ଚିନ୍ତା କରେନାହିଁ । ମୋପରି ସମଦଶାପନ୍ନ ଅନ୍ୟମାନଙ୍କର କିପରି ଭଲ ହେବ, କିପରି ସୁବିଧା ହେବ, ଦିନରାତି ମୁଁ ସେହି ଚିନ୍ତା କରେ । ସେଥିପାଇଁ ଗାଳିମନ୍ଦ ସହେ ଅପମାନକୁ ହସି ହସି ମନରୁ ଝାଡ଼ିଦିଏ । ମୋ ନାମରେ କୁତ୍ସା ରଟାଇବାକୁ କେହି କେହି ଦୁଃସାହସ କରନ୍ତି । ସେ ସବୁ ମୁଁ ହଜମ କରି ଆଗେଇ ଯାଏଁ ଭାଉଜ ।

 

ଅନିମା ଉଚ୍ଚ ହାସ୍ୟ କଲେ । ଅମିୟର ହାତ ଧରି ଟେଣ୍ଟ୍ ଆଡ଼କୁ ଟାଣି ନେଉଣୁ ସେ କହିଲେ, ଆସ ଅମିୟ, ନିଜ ପ୍ରଶଂସାର ଢୋଲ ଯେଉଁ ନିର୍ଲଜ୍ଜମାନେ ପରଲୋକଙ୍କ ଆଗରେ ପିଟନ୍ତି ସେମାନେ କି ଶ୍ରେଣୀର ଲୋକ ଏତେ ପାଠପଢ଼ି ଆଜିଯାଏ ବୁଝିପାରିନ, ଏଡ଼ିକି ନିର୍ବୋଧ ? ବିପିନ୍‍ ଲିଡ଼ର୍‍ଙ୍କର ସ୍ତ୍ରୀ ବିଷାକ୍ତ ଶାଗ ଖାଇ ଦୁଇଟି ପିଲାଙ୍କୁ ସଙ୍ଗରେ ନେଇ ସେପୁରକୁ ଚାଲିଗଲେ । ମରିବା ଆଗରୁ ସେହି ଜାମୁରଣ୍ଡା କ୍ୟାମ୍ପ୍‍ରେ କେତେଥର ସେ ଆମ ଘରକୁ ଆସିଛନ୍ତି । ନିଜ ମନକୁ ସେ ତାଙ୍କର ଗୃହସ୍ଥଙ୍କର ଗୁଣଗ୍ରାମ ବର୍ଣ୍ଣନା କରିଛନ୍ତି । ଆଖିରୁ ଲୁହ ପୋଛିଛନ୍ତି । ପିଲାଙ୍କୁ ଖୋଇବେ ବୋଲି କେବେ କେମିତି ଟଙ୍କାଏ ମସାଏ ଧାର ନେଇଛନ୍ତି । ବିପିନ୍‍ ଲିଡ଼ର୍ ବହୁ ଉପାୟରେ ଅନେକ ଟଙ୍କା ରୋଜଗାର କରୁଥିଲେ, କିନ୍ତୁ ସେ ସବୁ ଟଙ୍କା ବଦଖର୍ଚ୍ଚ କରି ଉଡ଼ାଇ ଦେଉଥିଲେ । ପିଲା ଛୁଆଙ୍କ କଥା କି ତାଙ୍କର ଭବିଷ୍ୟତ୍‌ ବିଷୟରେ ଚିନ୍ତା କରୁ ନଥିଲେ ।

 

ବିପିନ୍‍ କର୍ମକାର ମୁଣ୍ଡରେ ଦୁଇହାତ ଲଗାଇ ପଛରୁ କହିଲେ, ନମସ୍କାର ଭାଉଜ, ମୋର ସ୍ତ୍ରୀ କେବେ ମିଛ କହନ୍ତି ନାହିଁ କି ମୋର ଚିନ୍ତାଧାରା ଏବଂ କର୍ମରେ ବାଧା ଦିଅନ୍ତି ନାହିଁ । ସେ ଜାଣିଥିଲେ ଯେ ମୁଁ ଅନ୍ୟମାନଙ୍କର ମଙ୍ଗଳପାଇଁ ମୋର ସବୁ ଅର୍ଜନ ଉଡ଼ାଇ ଦିଏ । ମୁଁ ବେ–ପରୱା ଭାଉଜ, କିଏ ମତେ ଭଲ ପାଏ କି ଘୃଣାକରେ ସେ ସବୁ କଥା ମୁଁ ମନରେ ଧରେ ନାହିଁ ।

 

ବିପିନ୍‍ କର୍ମକାର ଚାଲିଗଲେ । ଆଗେଇ ଯାଇଥିବା ଅନ୍ୟମାନଙ୍କ ସଙ୍ଗେ ମିଶିବାକୁ ବଡ଼ବଡ଼ ପାହୁଣ୍ଡ ଚାଲିଲେ ।

 

ତେଇଶ

 

ଟେଣ୍ଟ୍ ଭିତରେ ଆଲୁଅ ଜଳୁଛି । ଅମିତା ଅଚଳ କାଠ ମୂର୍ତ୍ତି ପରି ଠିଆ ହୋଇଛି କାଠ ଢାବଲକୁ ଆଉଜି । ଅନିମାଙ୍କର ଅଧ–ବାଇଆଣୀ ମୂର୍ତ୍ତି ଉପରେ ତା’ର ଦୃଷ୍ଟି ସ୍ଥିର ରହିଛି । ଟିକି ମୁଣ୍ଡ ଭିତରେ ଓଲଟପାଲଟ ହେଉଛି ତା’ର ଜନନୀଙ୍କର ତୁଣ୍ଡରୁ ଖସିଲା ବଚନ,–କାହିଁ ମୋର ଅମିତାଭ ! କିଏ ସେ ଅମିତାଭ, କିଏ ସେ ? ତା’ର ବଡ଼ ଭାଇ କି ଛୋଟଭାଇ ? ପାକିସ୍ଥାନରୁ ପଳାଇ ଆସିଲା ଆଗରୁ ସେଇ ଭାଇଟି ତା’ର କେଉଁଠି ହଜି ଯାଇଛି, ଅବା ଗୁଣ୍ଡାମାନେ ତାକୁ ମାରି ଦେଇଛନ୍ତି । ଭୁଲରେ ସୁଦ୍ଧା କେବେ ତା’ର ମା’ ସେଇ ଭାଇଟି ସମ୍ବନ୍ଧରେ ପଦେ କଥା ପାଟିରୁ ଖସାଇ ନାହାନ୍ତି । କାହିଁକି ଏହା ସେ ଗୋପନ ରଖିଛନ୍ତି ?

 

ଅମିୟ ଅଶ୍ରୁ ଢଳଢ଼ଳ ନେତ୍ରରେ କହିଲା, ଆମ ଘରେ ସେମାନଙ୍କୁ ଏକଜୁଟ ହୋଇ ବିତର୍କ କରିବାକୁ ସୁଯୋଗ ଦେଇ ମୁଁ ଭୁଲ କରିଛି ଭାଉଜ, ବିନା କାରଣରେ କାହିଁକି ସେମାନେ ଏଣୁତେଣୁ କହିଲେ, ତୁମେ ଉତ୍ତେଜିତ ହେଲ, ଦୁଃଖ କଲ ? ମୁଁ ଏଥିପାଇଁ ଦୋଷୀ । ତୁମର ପାଦଧରି ମୁଁ କ୍ଷମା ଚାହୁଁଚି । ଆଉ କେବେ ଏତେ ବଡ଼ ଭୁଲ୍‌ କରିବି ନାହିଁ ।

 

ଅମିୟ ନଇଁ ପଡ଼ି ଅନିମାନଙ୍କର ପାଦରେ ହାତ ଦେଲା । ଅନିମା ତାକୁ ତଳୁ ଉଠାଇଲେ । ତା’ର ଅଶ୍ରୁଭରା ଦୁଇ ଆଖିକୁ ଅତି ପାଖରୁ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ଚାହୁଁଣୁ ନିଜର ଚକ୍ଷୁରେ ଲୋତକ ଢଳଢ଼ଳ ହେଲା । ସେ କହିଲେ, ଭୁଲ ତୁମର ନୁହେଁ ଅମିୟ, ଭୁଲ୍‌ ପ୍ରକୃତରେ ମୋର । ଯେଉଁଦିନ ବାଧ୍ୟ ହୋଇ ସାଧନ ମିସ୍ତ୍ରିଙ୍କର ସ୍ତ୍ରୀ କମଳା ଅପାଙ୍କ ସଙ୍ଗେ ନାଳକୁ ଗାଧୋଇବାକୁ ଯାଇଥିଲି, ସେ କଣ୍ଟାବାଡ଼ରେ ଲୁଗା ପକାଇ ମୋ ସଙ୍ଗେ କଜିଆ କରିବାକୁ ମୋତେ କେତେ ଟାଣ ଟାଣ ଅସନା କଥା କହିଥିଲେ । ତୁମେ ଦିହେଁତ ମୋର ପିଲା ପିଲା ପୁଅ ଝିଅ, ସେ ସବୁ ଭାଷା ତୁମ ଆଗରେ ପ୍ରକାଶ କରନ୍ତି କିପରି ? ତାଙ୍କର ବାକ୍ୟବାଣକୁ ହଜମ କରି ପାରି ନଥିଲି । ମୁଁ କଡ଼ା ଉତ୍ତର ଦେଇଥିଲି । ସେଥିପାଇଁ ଏବଯାଏଁ ଅନୁତାପ କରୁଛି ।

 

ବାବୁ ଅମିୟ, ଆମର ଯେଉଁ ଉଡ଼ାଚଢ଼େଇର ଜୀବନ, ସେଥିରେ ଛଳକରି ଉତ୍ୟକ୍ତ ହେଲେ ନିଜରହିଁ କ୍ଷତି । ଦେହ ଯେପରି କାଠ ପଥର ହୋଇଛି । ମୋର, ମନକୁ ମୁଁ ସେହିପରି କାଠ ପଥର କରିବାକୁ ଅନବରତ ପ୍ରାଣପଣ ଚେଷ୍ଟା କରିଥିଲି । ଦେବତାମାନଙ୍କ ଉପରେ ମୋର ଯେଉଁ ପ୍ରଗାଢ଼ ବିଶ୍ୱାସ ଥିଲା, କେଜାଣି କିପରି ମୋର ଅଜାଣତରେ ସେ ବିଶ୍ୱାସ କେବେ ଟଳମଳ ହେଲା । ସେଇଥିପାଇଁ ମୋ ମନର ଶାନ୍ତି ଓ ସ୍ଥିରତା ଦୋହଲି ଉଠିଥିଲା । ମନରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

 

ଦୁନିଆର ଲୋକେ ଦୀପତଳର ଅନ୍ଧାରକୁ ଦେଖନ୍ତି ନାହିଁ । ନିଜର ଆଲୁଅରେ ଅନ୍ୟମାନଙ୍କ ଦେହରେ ଲାଗିଥିବା ମଳିକୁ ଦେଖି ଚିତ୍କାର କରନ୍ତି । ସେମାନଙ୍କର ପାଟିତୁଣ୍ଡ ଶୁଣି ବିବ୍ରତ ହେବା କି ଉତ୍ତେଜିତ ହେବା ଉଚିତ ନୁହେଁ । ମୁଁ ଉତ୍ତେଜିତ ହେଲି । ମୋର ଦୁଃଖପାଇଁ କେବଳ ମୁଁ ଦାୟୀ । ଯେଉଁମାନେ ମତେ ଉତ୍ତେଜିତ କଲେ, ସେମାନେ ବେଶ୍‌ ଆମୋଦ ଅନୁଭବ କରୁଥିବେ । ସେମାନେ ଜିତିଲେ ଅମିୟ, ମୁଁ ହାରିଗଲି । ଆଉ କେବେ ମୁଁ ଏପରି ଭୁଲ୍‌ କରିବି ନାହିଁ-

 

ଆଖିରୁ ଲୁହ ପୋଛି ଖଜୁରି ପତ୍ରରେ ବୁଣିଥିବା ପଟ୍ଟି ଉପରେ ଅନିମା ଚେକା ପକାଇ ବସିଲେ । ଅମିତା ତାଙ୍କ ପାଖରେ ଦୁଇଆଣ୍ଠୁ ମାଡ଼ି ବସିଲା । ଅମିୟର ଚିର ହସହସ ମୁହଁକୁ ଭସା–ବିଷାଦ ଆଚ୍ଛାଦନ କରିଥିଲା । ଭ୍ରାତୃଜାୟାଙ୍କର କଥା ଶୁଣି ତା’ର ସୁନ୍ଦର ବଳିଷ୍ଠ ମୁହଁଟି ପ୍ରଫୁଲ୍ଲ ଦିଶିଲା । ସେ ଅନିମାଙ୍କର ଆଗରେ ବସିଲା ।

 

ଗେହ୍ଲେଇ ହୋଇ ଅମିତା ତା’ର ମାଆଙ୍କର ହାତପାପୁଲି ସାଉଁଳି କହିଲା, କମଳା ମାଉସୀ କାହିଁକି ତୋତେ ଗାଳି ଦେଲେ ? ଆମେ କାହାର ଖାଉ ନା ଧାରୁ ? ମୋର ଧାରଣା ଥିଲା ମା’, ସେ ଯେତେ କଜିଆଖୋର ହେଉନ୍ତୁ ପଛେ, ତୋତେ ଭାରି ଭଲ ପାଆନ୍ତି, ନୋହିଲେ କାହିଁକି ସେ ଉପରେପଡ଼ି ଆସି ତୋର ମୁଣ୍ଡ ବାନ୍ଧି ଦିଅନ୍ତେ, ତୋ ସଙ୍ଗେ ଏତେ କଥାଭାଷା ହୁଅନ୍ତେ ?

 

ଅମିତାର ମୁଣ୍ଡରେ ହାତ ସାଉଁଳି ଅନିମା କହିଲେ, ସବୁ ଅପାଙ୍କ ପରି କମଳାଅପାବି ଭଲ । ଆଲୋ ମା’, ମଣିଷ ଗୋଟିକେ ପ୍ରକୃତି ଗୋଟିଏ । ଯେମିତି ଠାକୁରେ ଦୁଇଟି ମଣିଷଙ୍କୁ ଏ ଦୁନିଆରେ ଏକାପରି ଗଢ଼ି ନାହାନ୍ତି, ସେମିତି ଦୁଇଟି ମଣିଷଙ୍କର ମନ, ପ୍ରକୃତି ଓ ଚଳନକୁ ଏକାପରି କରି ନାହାନ୍ତି । ନିଜେ ଭଲ ହେଲେ ଦୁନିଆ ଭଲ । କମଳା ଅପା କ’ଣ ତାଙ୍କ ମନକୁ ପାଗଳିଆ ହୋଇ କହୁଥାଆନ୍ତି ମୁଁ ସେଥିରେ ମନ ଦିଏନାହିଁ । ହଁ କି ନାହିଁ କହେ ନାହିଁ । ସେ କହନ୍ତି ସେ ଶୁଣନ୍ତି । ତୋତେବି ତାଙ୍କ କଥା ମୁଁ ଶୁଣାଇଁ ଦିଏ ନାହିଁ । ତୁ ପିଲା ଝିଅ, କାହାରି କଥାରେ କାନ ଦେବୁ ନାହିଁ । ଘରକଥା ଭୁଲ୍‌ରେ ହେଲେ କେବେ ଦାଣ୍ଡରେ ପକାଇବୁ ନାହିଁ । ଘରକଥା ଦାଣ୍ଡରେ ଥୋଇଲେ ଯାହା ନିଜ କେଶକୁ ପର ହାତରେ ଦେଲେ ସେଇଆ । ଝିଙ୍କା ଓଟାରା ଖାଇବା ସାର । ବୁଝିଲୁ ତ ମା’ ?

 

ହଁ, ମା’ ।

 

ବେଶ୍‌, ତୁ ମୋର ସୁନାଝିଅ । ରୋଷଘରେ ଡିବିର ଜଳୁଛି । ତୁ ଯା, ବାସନକୁସନ ସଜାଡ଼ି ରଖ, ପାଣି ରଖ, ତୁମ ଦୁହିଁଙ୍କୁ ଆଗ ମୁଁ ଖାଇବାକୁ ବାଢ଼ିଦେବି । ତା’ପରେ ତୁ ମତେ ବାଢ଼ିଦେବୁ । ଆମର ଖିଆପିଆ ସରିଲେ ତୋ କକା ଆଜି ରାମାୟଣ ପଢ଼ିବେ, ଆମେ ଦିହେଁ ଶୁଣିବା । ଇସ୍‌, କେଡ଼େ ଅନ୍ଧାରିଆ ଦିଶୁଛି ବାହାରଟା ମିତା, ସବୁ ଗଛ ଲଟା ଅରଣ୍ୟ ଅନ୍ଧାର ଭିତରେ ଲୁଚିଛପି ଯାଇଛନ୍ତି । ରୋଷଘର ଚାଳିଆ ଭିତରକୁ ଏକାଯିବାକୁ ଡରିବୁ କି ମା’ ?

 

ମତେ ଡର ଲାଗେ ନାହିଁ, ଟେଣ୍ଟ୍ ପଛରେ ତ ଆମର ରୋଷଘର । ଆମୁକୁ ଠାକୁର ସହାୟ । ଡିରିବି କାହିଁକି ?

 

ଅମିତା ଅନିମାଙ୍କ ପାଖରୁ ଉଠିଗଲା । ତା’ର କକା ତା’ପାଇଁ ଯେଉଁ ଦାମିକା ଫ୍ରକ୍‌ ଖଣ୍ଡିକ ମାଲକାନଗିରିରୁ କିଣି ଆଣିଥିଲେ ସେଇଆକୁ ପିନ୍ଧି ସେ ଆଜି ଫୁଲେଇ ହେଉଛି । ଜାମୁକୋଳି ରଙ୍ଗର କନା ଉପରେ ଟୋପିଟୋପିକା ଧଳା ନକ୍ଷତ୍ର ମାଳର ମନ୍ଦା । ଟିକିଏ ହୁଗୁଳା ହେଲେବି ଲମ୍ବା କମ୍‌ । ଜଙ୍ଘ ତଳଯାଏ ଓହଳିଛି । କେଡ଼େ ଯତ୍ନକରି ଆଜି ତା’ର ମା’ ତା’ ମୁଣ୍ଡ ବାନ୍ଧି ବେଣୀ ପକାଇଛନ୍ତି । ମୁଠୁଣିଏ ଲମ୍ବର ବେଣୀ ଦିଓଟି ତା’ର ପିଠି ଉପରେ ଦୋହଲୁଛି । ଆଖିରେ କଜଳ, କପାଳ ଉପରେ ସିନ୍ଦୁର ବିନ୍ଦୁ ।

 

ସଞ୍ଜବେଳୁ ତାକୁ ଆଗରେ ଦେଖି ମଧ୍ୟ ଅନିମା ଓ ଅମିୟ ସତେକି ତାକୁ ଦେଖି ନଥିଲେ-। ଛୋଟ ଫ୍ରକ୍‌ ତା’ର ଖୋଲା ଗୋଡ଼କୁ ଆହୁରି ଲମ୍ବାଳିଆ କରିଛି । ଦୁହେଁ ଅନୁଭବ କଲେ ଯେ ତାଙ୍କର ନିରସ ନିର୍ଜନ ଜୀବନର ଏକମାତ୍ର ଖେଳଣା ଏକମାତ୍ର ଆନନ୍ଦ ଅମିତା ଶୀଘ୍ର ଶୀଘ୍ର ବଡ଼ହୋଇ ଯାଉଛି । କୋଳରେ କାଖରେ ଓ ଛାତି ଉପରେ ଧେଇନାଟ କରି ହସି ହସାଇ ବଢ଼ିଥିବା-। ଦୁଃଖ–ପାଶୋରା ଟିକି ଝିଅଟି କିଶୋରୀ ହେବାକୁ ଜୀବନ ପଥରେ ଆଗେଇ ଚାଲିଛି-। ଆନନ୍ଦର ପଛେପଛେ ଦୁହିଁଙ୍କ ମନରେ କିପରି ଗୋଟିଏ ବିଷଣ୍ଣତାର କ୍ଷୀଣ କରୁଣ ରାଗିଣୀ ବାଜି ଉଠିଲା-

 

ପିଲାଟାର ହାତ ଧରି କୋଳକୁ ଟାଣିନେଇ ମୁହଁରେ ବୋକା ଦେବାର ପ୍ରବଳ ଆଗ୍ରହ ଅମିୟର ଦୁଇ ହାତକୁ ଖୁଜୁବୁଜୁ କରୁଣୁ କେଉଁ ଅଜରା ସଂକୋଚ ପୁଣି ସେ ହାତ ଦିଓଟିକୁ ସ୍ଥିର କଲା । ସେ ହସିଲା ମୁହଁରେ ଅମିତାକୁ ଚାହିଁ କହିଲା, ତୋ ଦେହକୁ ଅତି ସୁନ୍ଦର ମାନୁଛି ସେ ଫ୍ରକ୍‌ଟି ମିତା, ତୁ ମତେ ଗେଲ କରିନୁ କାହିଁକି ?

 

ଅଭିମାନରେ ମୁହଁଟିକେ ଗମ୍ଭୀର କରି ଅମିତା କହିଲା, ଯେଉଁ ଫ୍ରକ୍‌ତ ଆଣିଛ, ଦେହକୁ ଗଳଗଳ ହେଉଛି । ଆଣ୍ଠୁ ଉପରଯାଏ ଲମ୍ବିଛି । ମୁଁ କ’ଣ ତକିଆ ଖୋଳ ହୋଇଛି ? ଆଉ ଟିକିଏ ଛୋଟ ଫ୍ରକ୍‌ ମିଳିଲା ନାହିଁ କି ?

 

ଅମିତା ଟେଣ୍ଟ୍‍ର ପଛପାଖ ପରଦା ଟେକି ରୋଷ–ଚାଳିକୁ ଚାଲିଗଲା । ଅନିମା କହିଲେ, ପାଗଳୀଟା ସେ, ଏଣିକି ତା’ପାଇଁ ଫ୍ରକ୍‌ ପରିବର୍ତ୍ତେ ଶାଢ଼ି ଓ ବ୍ଲାଉଜ୍ ଆଣିବ ।

 

Unknown

ଅମିୟ ଉତ୍ତର ଦେଲା ନାହିଁ । ଉଭୟେ କିଛିକ୍ଷଣ ନୀରବ ରହିଲେ । ସେ ନୀରବତା କେଡ଼େ ଭୟଙ୍କର ! ଏତେ ବର୍ଷପରେ ଉଭୟଙ୍କୁ ଏଗାରବର୍ଷ ତଳକୁ ଓଟାରି ନେଲା ।

 

ମୁହୂର୍ତ୍ତକ ପରେ ଦିହେଁ ପୁଣି ଫେରିଆସିଲେ ବର୍ତ୍ତମାନକୁ ।

 

ଅମିୟ ଭାବିଲା, ସତେକି ସେ ଆଖିରେ ଦେଖି ପାରିଲା, ସୁସ୍ଥ ସବଳ ଅଧର ମଣ୍ଡଳ କେତେ ଆଡ଼େ ଖୋଜି ଖୋଜି ତାଙ୍କର ପ୍ରିୟତମା ପତ୍ନୀ ଓ ସ୍ନେହର ପିତୁଳା ଅମିତାକୁ ଏଇ ମାଲକାନଗିରିରେ ଠାବ କରିପାରିଛନ୍ତି । ସେ ଆସି ଏଇ ଛୋଟ ଟେଣ୍ଟ୍‍ରେ ଉପସ୍ଥିତ ହେଉଛନ୍ତି । ଅମିୟକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଚାରୁଛନ୍ତି, ସେ କିଏ ଅନିମା ?

ତୁମର ଭାଇ ଅମିୟ !

ସେ ତ ପାକିସ୍ଥାନୀ ଗୁଣ୍ଡାଦଳଙ୍କ ହାତରେ ପ୍ରାଣ ହରାଇଥିଲା, ଇଏତ ମୋର ସାନଭାଇ ଅମିୟ ନୁହେଁ ।

ଅନିମା ସ୍ୱାମୀଙ୍କର ମୁହଁରେ ଓ ଆଖିରେ ସନ୍ଦେହ ଓ ବିସ୍ମୟର ଭାବ ଦେଖି ବିଚଳିତ ହେଉ ନାହାନ୍ତି । ଆତ୍ମବିଶ୍ୱାସରେ ଉଜ୍ଜ୍ୱଳ ଦିଶୁଛି ତାଙ୍କର ଆଖି ଦିଓଟି । ସେଇ ଆଖିର ସ୍ନିଗ୍ଧ–କୋମଳ ଆଲୋକରେ ପରିପୂର୍ଣ୍ଣ ସ୍ନେହ ଓ ସହାନୁଭୂତି । ଦରହସିତ ଓଠ ଦି’ଫାଳିରୁ ଝରି ପଡ଼ୁଛି ବିନମ୍ର କୋମଳ ବାଣୀ, ମୋର ଏ ଅମିୟ ତୁମର ନଥିଲା ଭାଇ ଅମିୟର ରୂପାନ୍ତର । ଅପନ୍ତରାର ପଥପ୍ରାନ୍ତରୁ ମରଣ–ଯାତ୍ରୀ ଏଇ ଅମିୟ ଦତ୍ତକୁ ଯମର ହାତରୁ ମୁଁ ଟାଣି ଆଣିଛି । ଜଳ ନ ପାଇ ପାଗଳିନୀ ହୋଇ ତା’ର ତୃଷିତ କଣ୍ଠରେ ମୋର ବକ୍ଷ–ରସ ନିଗାଡ଼ି ଦେଇଛି । ତା’ରି ସାଥିରେ ଝରାଇ ଦେଇଛି ମୋର ମାତୃତ୍ୱର ମମତାର ଧାରା । ମୋର ନଥିଲା ଦେବର, ଅମିୟର ଆତ୍ମାକୁ ଆଣି ସମ୍ପାଦିଛି ଏଇ ମରଣ–ଯାତ୍ରୀ ଅମିୟର ଦେହରେ । ସେ ହୋଇଛି ମୋର ଦେବର । ତୁମ ଅମିତାର କକା, ତୁମର କନିଷ୍ଠ ଭାଇ, ସେ ମୋର ଲକ୍ଷ୍ମଣ । ତା’ର ଆନୁଗତ୍ୟ ବିନା ଏ ସଂସାର ଆଜିଯାଏ ରହି ନଥାନ୍ତା । ତୁମର ପତ୍ନୀ ଓ ତୁମର କନ୍ୟା କେବେଠୁଁ ସେପୁରକୁ ଚାଲିଯାଇ ସାରନ୍ତେଣି ।

 

ଅମିୟ, ତୁମର ଭାଇ ଯେ ତୁମରି ଆଗରେ ଠିଆ ହୋଇଛନ୍ତି । ତାଙ୍କୁ ପ୍ରଣାମ କର ।

 

ଅମିୟ ଦତ୍ତ ଅଧର ମଣ୍ଡଳଙ୍କର ଦୁଇପାଦ ଧରି ଓଳଗି ହେଉଛି । ଅଧର ମଣ୍ଡଳ ଅଳପ ଘୁଞ୍ଚି ଯାଉଛନ୍ତି । ଅମିୟର ହାତ ଧରି ସେ ତଳୁ ଉଠାଉ ନାହାନ୍ତି । ତାକୁ କୋଳକରି ସ୍ନେହ ଓ କୃତଜ୍ଞତାରେ ଆଲିଙ୍ଗନ କରୁ ନାହାନ୍ତି । ଅନାଉଛନ୍ତି ଅନିମାକୁ । ଦୃଷ୍ଟିରେ କର୍କଶଭାବ । କି ସନ୍ଦେହର କାଳ–ସର୍ପ ତାଙ୍କର ଚିନ୍ତାରେ ଛଟପଟ ହେଉଛି ? ସେ ଦୃଷ୍ଟି ଫେରାଉଛନ୍ତି ଅଶ୍ରୁମୁଖୀ ଅଭିମାନିନୀ କନ୍ୟା ଆଡ଼କୁ । ଅମିତା ଅଚଳ ପଥର ମୂର୍ତ୍ତିପରି କାନ୍ଥକୁ ଆଉଜି ଠିଆହୋଇଛି । ପିତା ବୋଲି ଜାଣି ମଧ୍ୟ ସେ ଓଳଗି ହୋଇନାହିଁ । ଛୋଟ ମୁଣ୍ଡରେ କି ଭାବନା ତା’ର ଘାଣ୍ଟିଚକଟି ହେଉଛି ?

 

ଅନିମା ତାଙ୍କର କନ୍ୟାକୁ ଚାହିଁ ଗେହ୍ଲେଇ କହିଛନ୍ତି, ଚିହ୍ନିପାରୁନୁ ତୋର ବାପାଙ୍କୁ ମା’, ପ୍ରଣାମ କରିନୁ ଯେ ? ହଁ, ଅଢ଼େଇ ବରଷର ଟିକି ପିଲାଟିଏ ତୁ ହୋଇଥିଲୁ ଯେତେବେଳେ ଅରଣ୍ୟ ପଥରେ ପାକିସ୍ଥାନୀ ଗୁଣ୍ଡାଙ୍କ ଗୁଳିମାଡ଼ରେ ତୋର ବାପା ଆହତ ହୋଇ ମୁରମ୍‌ ଖାଲରେ ପଡ଼ିଲେ-। ତୋତେ ବଞ୍ଚାଇ ରଖିବାର ଆବେଗପୂର୍ଣ୍ଣ ଆଦେଶ ତୋର ଆହତ ପିତାଙ୍କର ଥରିଲା କଣ୍ଠରୁ ଶୁଣି ମୁଁ ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ତୋତେ ଛାତିରେ ଯାକି ଟଳି ଟଳି ଚାଲି ଆସିଥିଲି—

 

ଅଧର ମଣ୍ଡଳ ଆଗେଇ ଯାଉଛନ୍ତି । କନ୍ୟାର ହାତଧରି ଛାତି ଉପରକୁ ଆଉଜାଇ ନେଉଛନ୍ତି । ନିବିଡ଼ ଆଲିଙ୍ଗନ କରି ମୁହଁରେ ବୋକ ଦେଉଛନ୍ତି । ପିତା ପୁତ୍ରୀଙ୍କର ବହୁବର୍ଷପରେ ମିଳନ ! ସମସ୍ତଙ୍କ ଆଖିରୁ ଆନନ୍ଦାଶ୍ରୁ ଝରି ଆସୁଛି ।

 

ଅମିୟ ଦତ୍ତ ଯିଏ ନିଜକୁ ଗୋଟିଏ ଯୁଗ ଅମିୟ ମଣ୍ଡଳ କରିପାରିଛି, ଅଧର ମଣ୍ଡଳଙ୍କର ସାନ ଭାଇର ରୋଲ୍‌ରେ ଗୋଟିଏ ଯୁଗ ସୁଦକ୍ଷ ଅଭିନେତାପରି ଅଭିନୟ କରିପାରିଛି, ଦେଶର ପ୍ରଚଳିତ ଆଇନ ଆଖିରେ ଯେ ଦୋଷୀ, ଝରଝର ଆଖିରେ ସେ ଚିନ୍ତା କରୁଛି, ତା’ର କର୍ତ୍ତବ୍ୟ ଏବେ ସମାପନ ହୋଇଛି । ଏ କୁଟୁମ୍ବରେ ସେ ହେବ ଆଲୋଡ଼ା । ଏ ସମାଜରେ ସେ ହେବ ସମାଲୋଚିତ । କେହି ଜାଣିବା ଆଗରୁ ସେ ଏ ସ୍ଥାନ ପରିତ୍ୟାଗ କରି ଚାଲିଯିବ । ଖୋଜିବ ତା’ର ଆତ୍ମୀୟମାନଙ୍କୁ । କରୁଣାମୟୀ ଅନିମା ଦେବୀ, ଯାହାଙ୍କୁ ସେ ଭାଉଜ ବୋଲି ଡାକେ, ଜନନୀପରି ମଣେ, ତାଙ୍କର କରୁଣାର ଋଣ ପରିଶୋଧ କରିବାକୁ ସେ ପ୍ରାଣପଣ ଚେଷ୍ଟା କରିଛି । ସେ ଧାରୁଆ ହୋଇ ରହିନାହିଁ । ଅଧର ମଣ୍ଡଳ ତାକୁ ସାନଭାଇ ବୋଲି ଗ୍ରହଣ କରି ପାରି ନାହାନ୍ତି । ଚାଲିଯିବ ସେ, ଚାଲିଯିବ– ।

 

ଅମିୟର ଆଖିରୁ ଲୋତକ ଧାର ଝରିଲା । ଝଲ ଝଲ ଆଖିରେ ସେ ଦେଖି ପାରିଲା, ଅନିମାଦେବୀ ମଧ୍ୟ ଆଖିରୁ ଝରିଆସୁଥିବା ଲୋତକର ପ୍ରବାହକୁ ନିଜ ଅଞ୍ଚଳରେ ପୋଛୁଛନ୍ତି ।

 

ଅନିମା ମଧ୍ୟ ଭାବୁଥିଲେ ନିକଟ ଭବିଷ୍ୟତର କଥା—

 

ତାଙ୍କର ସ୍ୱାମୀ ଫେରି ଆସିଛନ୍ତି । ଦୁର୍ବଳ ରୂପ, ଅଧାପାଗଳ ଢଙ୍ଗ, ରୂପଭେକ ଓ ସ୍ୱର ବଦଳିଛି । ଆହା, ଜନ୍ମ ଭୂମି ଓ ସ୍ତ୍ରୀ ପୁତ୍ର ଆତ୍ମୀୟସ୍ୱଜନମାନଙ୍କୁ ହରାଇ ଅତି ଦୁଃଖରେ, ଉଦ୍‌ବେଗ ଓ ଉତ୍କଣ୍ଠାରେ ପତରଚକି ପରି ସେ ଗୋଟିଏ ଯୁଗ ସେହିମାନଙ୍କୁ ଖୋଜିଛନ୍ତି । ଖିଆପିଆର ଠିକ୍‌ ନାହିଁ । ନିଜର ଦେହ ଓ ରୂପଭେକ ଆଡ଼କୁ ନିଘାନଜର ନାହିଁ ।

 

କ’ଣ ସେ ଦେଖୁଛନ୍ତି ?

 

ଅଶ୍ରୁମୁଖୀ ପତ୍ନୀ ! ସ୍ୱାସ୍ଥ୍ୟ ଓ ରୂପ ଯେମିତି ଥିଲା, ସେମିତି ଅଛି । ବାରବରଷର ବାରଠା ଜୀବନ ତାକୁ ବଦଳାଇ ନାହିଁ ବରଂ, ଦେହରେ ମାଂସ ଲାଗିଛି । ମୁହଁରୁ କଥା ବାହାରୁ ନାହିଁ-। ପାଖରେ ଯେଉଁ ଡଉଲ ଡାଉଲ ସୁନ୍ଦର ଝିଅଟି ଠିଆହୋଇଛି ଆଖିରେ ଲୋତକ ପୂରାଇ, ବଲବଲ କରି ଅନାଇଁ ରହିଛି, ସେ କିଏ ? ଦୂରେଇ ହୋଇ ଠିଆ ହୋଇଛି ଯେଉଁ ସ୍ୱାସ୍ଥ୍ୟବାନ ବଳିଷ୍ଠ ଯୁବକଟି, ଓଠ ଓ ଆଖିରେ ହସହସ ଭାବ, ସେ ପୁଣି କିଏ ?

 

କାହାରି ମୁହଁରୁ ଭାଷା ବାହାରୁ ନାହିଁ । ଯେଉଁମାନେ ତାଙ୍କୁ ଘର ଦେଖାଇ ଦେଇଥିଲେ, ସେମାନେ ଚାରିଆଡ଼େ ରୁଣ୍ଡହୋଇ ପାଟି କରୁଛନ୍ତି । ପିଲା ଓ ସ୍ତ୍ରୀଲୋକମାନେ ଅନ୍ୟାନ୍ୟ ଟେଣ୍ଟ୍‍ରୁ ଆସି ବେଢ଼ି ଗଲେଣି ।

 

ସାଧନ ମିସ୍ତ୍ରି, ବିପିନ୍‍ କର୍ମକାର ଓ ବୁଢ଼ା ଗୋପାଳ ହାଉଲ୍‌ଦାର ସେମାନଙ୍କ ମଧ୍ୟରେ ଅଛନ୍ତି । ବିପିନ୍‍ କହୁଛନ୍ତି ଗୋପଳଙ୍କୁ ତୁମର ପୁଅ ନଗେନ୍‌ ମୁସଲମାନ ହେଲା କିନ୍ତୁ ଅମିୟର ଭାଇ ଶେଷକୁ ଫେରିଆସିଲା ନିଜର ଆତ୍ମୀୟଙ୍କ ପାଖକୁ । କେଡ଼େ ଭଲ ହେଲା ସତେ । ଅଧର ମଣ୍ଡଳ ଅତି ସଚ୍ଚା ଲୋକ ।

 

ସୌମେନ୍ କହୁଛି ଖେନ୍ଦାକୁ, ଆରେ, ଅମିତାର ବାପା ପାକିସ୍ଥାନରୁ ଫେରିଛନ୍ତି । ଇସ୍‌, କେଡ଼େ ଦୁର୍ବଳ । ପ୍ରାଣ ଆଉଛି କି ଯାଉଛି ।

 

କମଳା କହୁଛନ୍ତି ଗିରିଜାଙ୍କୁ ଅନିମାର ତପସ୍ୟା ସଫଳ ହୋଇଛି ଅପା, ସେ କେଉଁ ଭଣ୍ଡ–ସନ୍ନ୍ୟାସୀର ଚରଣସେବା କରିନାହିଁ । ଦୀକ୍ଷାନେଇ ମାଳାଧରି ହରେ ରାମ କୃଷ୍ଣ ଜପି ନାହିଁ । ମୁଁ ଜାଣେ, ସେ ତା’ର ମନକୁ ସମର୍ପି ଦେଇଛି ନିଜର ବିଶ୍ୱାସର ଦେବତା ପାଖରେ । ଫଳ ଫଳିଛି । ଅନିମା ସତୀ ସାଧ୍ୱୀ ଭାଗ୍ୟବତୀ ।

 

ଗିରିଜା, ଯାହାଙ୍କୁ ଅନିମା କେବେ ଦେଖି ନାହାନ୍ତି, ମନ ଆନନ୍ଦରେ କହୁଛନ୍ତି ଧୀରେ ଧୀରେ, ଭାଗ୍ୟବତୀ ଯେ ସେଇ ଝିଅଟି, ଅମିତା, ବାରବର୍ଷ ପରେ ବାପକୁ ସେ ଫେରି ପାଇଛି । ଭଗବାନ ସୁଖୀ କରନ୍ତୁ ।

 

ସମସ୍ତଙ୍କ ବଚନିକା ଅଧର ମଣ୍ଡଳଙ୍କ କାନରେ ପଡ଼ୁଛି । କ’ଣ ସେ ଭାବୁଛନ୍ତି ? ହତବୁଦ୍ଧି ହୋଇ ଏ ମୁହଁରୁ ସେ ମୁହଁକୁ ଦୃଷ୍ଟିନିକ୍ଷେପ କରୁଛନ୍ତି । ଭାବୁଛନ୍ତି ପରା, କିଏ ଏ ଅପରିଚିତ ଯୁବକ, ଯିଏ ନିଜକୁ ଅମିୟ ମଣ୍ଡଳ ନାମରେ ପରିଚୟ କରାଇ ତାଙ୍କରି ପତ୍ନୀଙ୍କର ଅଭିଭାବକତ୍ୱ କରୁଛି ? କିଏ ପୁଣି ଏଇ ଝିଅଟି, ଯାହାକୁ ଅଧର ମଣ୍ଡଳର କନ୍ୟା ବୋଲି ଜାଲ୍ ଅମିୟ ଓ ଅନିମା ସଂସାର ଆଗରେ ପରିଚିତ କରାଉଛନ୍ତି ? କାହିଁ ତାଙ୍କର ପ୍ରାଣର ସଙ୍ଖାଳି ଅମିତାଭ ?

 

ଅନିମା !

 

ଥରଥର ବ୍ୟଥାଭରା ଡାକଟି ଅନିମାଙ୍କର ଛାତି ଥରାଉଛି । ସେ ମୁହଁ ଟେକି ଚାହୁଁଛନ୍ତି । ଧୈର୍ଯ୍ୟଧରି ଆଗେଇ ଆସି କହୁଛନ୍ତି, ଘର ଭିତରକୁ ଆସ, ପଦାଟାରେ ଠିଆହୋଇ ରହିଛ କାହିଁକି-? ଦେଖୁଛତ ଲୋକଭିଡ଼ !

 

ମୋର ଅମିତାଭ କାହିଁ ଅନିମା ?

 

ଭିତରକୁ ଆସ, ସବୁ କହିବି ।

 

ଅମିତାଭ ମୋର ନାହିଁ ?

 

ଭିତରକୁ ଆସ, ସବୁ କହିବି । ଆରେ ଅମିୟ, ତୁମର ଭାଇଙ୍କୁ ତୁମେ ପ୍ରଣାମ କରିନ ? ବହୁବର୍ଷ ପରେ ଦେଖା । ତୁମେ ଚିହ୍ନିପାରୁନା ? ଆରେ ଅମିତା, ତୋର ବାପାଙ୍କର ହାତଧରି ଘରଭିତରକୁ ନେ ମା’ ସେମିତି ଠିଆହୋଇ କାନ୍ଦିଲେ କ’ଣ ହେବ ?

 

ଅମିୟ ଅଧର ମଣ୍ଡଳଙ୍କ ପାଦଧରି ପ୍ରଣାମ କରୁଛି । ଲାଜେଇ ଲାଜେଇ ଅମିତା ପାଖେଇ ଆସି ଅଧର ମଣ୍ଡଳଙ୍କର ହାତଧରି ଟାଣୁଛି । କହୁଛି, ଭିତରକୁ ଆସ ବାପା, ତୁମେ ଅତି କ୍ଳାନ୍ତ ଦିଶୁଛ । ଆସ—

 

ଯନ୍ତ୍ରଚାଳିତ ପରି ସେ ଚାଳଘର ଭିତରକୁ ଆସୁଛନ୍ତି । ମଣୁଛନ୍ତି ପରା, ସେ ସପନ ଦେଖୁଛନ୍ତି । ସପନରେ ମଲା ମଣିଷ ଜୀବନ୍ତ ହୋଇ ଆଗକୁ ଆସିପାରେ କିନ୍ତୁ ପୁଅଟିଏ କେବେ ଝିଅ ହୋଇ ହାତଧରି ଟାଣେ ନାହିଁ । ଯାହା ସେ ଭାବନ୍ତୁ, ଯାହା ସେ ମଣନ୍ତୁ, ସବୁ ସତ୍ୟ ତାଙ୍କରି ଆଗରେ ଉନ୍ମୋଚିତ ହେବ । ତା’ପରେ ସେ ତାଙ୍କର ଯାହା କର୍ତ୍ତବ୍ୟ ତାହାହିଁ କରିବେ ।

 

ରୋଷଘରୁ ଅମିତା ଡାକ ଛାଡ଼ିଲା, ମା’ ସବୁ ସଜାଡ଼ି ରଖିଲାଣି । କକା ଆଉ ତୁ ଆସ ।

 

ଅମିତାର ଡାକରେ ଦୁହିଁଙ୍କର ଜାଗ୍ରତ ସ୍ୱପ୍ନ ଭାଙ୍ଗିଲା । ଦୁହେଁ ତରବର ହୋଇ ଉଠିଲେ । ଏକ ସଙ୍ଗେ ଦିହେଁ ଆଖିରୁ ପୋଛିଲେ ଲୁହ । କାହାରି ମନର ଗୋପନ ଭାବନା କେହି ପ୍ରକାଶ କଲେ ନାହିଁ । ଦୁହେଁ ଲାଜରା ହେଲେ । କେହି କାହାର ମୁହଁକୁ ଅନାଇଁ ପାରିଲେ ନାହିଁ, ପଦଟିଏ ପ୍ରଶ୍ନବି ପଚାରି ପାରିଲେ ନାହିଁ ।

 

ଚବିଶ

 

ଅନିମାଙ୍କର ଆଖିର ଲୁହ ଦି’ଧାରର ଅର୍ଥ ଅମିୟ ବୁଝିଲା ନାହିଁ କି, ଅମିୟର ଆଖିର ପ୍ରସ୍ରବଣ କେଉଁ ଅଜଣା ବେଦନାର ପାହାଡ଼ର ଛାତି ଚିରି ଝରି ଆସିଲା ଅନିମା ଅନୁମାନ କରି ପାରିଲେ ନାହିଁ । ଦିହେଁ ଅନୁଭବ କଲେ, ଯେପରି କେଉଁ ଅଜ୍ଞାତ ଅବୋଧ୍ୟ କାରଣପାଇଁ ଦିହେଁ ପରସ୍ପର ପାଖରୁ ଅନ୍ତର ଭିତରେ ଦୂରେଇ ଯାଉଛନ୍ତି । ସେହି ଗୋପନ ଅନୁଭୂତିହିଁ ବାହାରେ, ଲୋକଦେଖାଣିଆ ଦୁନିଆ ଆଗରେ, ପରସ୍ପରଙ୍କୁ ନିକଟତର କଲା । ଛୋଟ ସଂସାରର ଚଳନ ଓ ଉନ୍ନତିପାଇଁ ଦିହେଁ ମନପ୍ରାଣ ଢାଳି ଦେଲେ, ପ୍ରତୀକ ହେଲା ଦୁହିଁଙ୍କର ଆଖିର ପିତୁଳା ଅମିତା !

 

ପାରିଶ୍ରମିକ ପଚାଶ ଟଙ୍କା ପାଇ ଅମିୟ ସରକାରୀ ଟେଣ୍ଟ୍‌ ଫେରସ୍ତ ଦେଲା । ନିଜେ ତୋଳିଥିବା ଛୋଟଘର ଦୁଇ ବଖରାରେ ସେମାନେ ଆସି ରହିଲେ । ଆଠହାତ ଲମ୍ବ ଓ ଛ’ ହାତ ଚଉଡ଼ା ଘର ଦି’ ବଖରା । ଆଗରେ ତିନି ହାତ ଚଉଡ଼ାର ଅଳ୍ପ ଉଚ୍ଚ ବାରଣ୍ଡା । ଦଶ ବାର ହାତ ଛାଡ଼ି ଛୋଟ ଚାଳ ବଖରାଏ, ସେଇ ହେଲା ରୋଷଘର । ଝାଟିମାଟି କାନ୍ଥ, ଘର ଉପର ଚାଳରେ ଘାସ ଛୁଆଣି । ପ୍ରତି ଘରର ଚଉକାଠ ବଣର ବାଉଁଶରେ ତିଆରି । କବାଟ ପରିବର୍ତ୍ତରେ ବାଉଁଶ ପାତିଆର ତାଟି । ନିଜେ ଅନିମା ବାଉଁଶରୁ ପାତିଆ କାଢ଼ି ବୁଣିଛନ୍ତି । କମକୁଟ କାମ ହୋଇଛି । ଘର ଚାରିପାଖେ ଚଉଖୁଣ୍ଟିଆକରି ବଣର ଝାଟିରେ ବାଡ଼ବନ୍ଦୀକରା ହୋଇଛି । ଦରଜାରେ ଲାଗିଛି, ବାଉଁଶ–ପାତିଆରେ ବୁଣା ତାଟି, ଆବୋର ହୋଇଛି ।

 

ପୂର୍ବପାଖ ଘର ବଖୁରିରେ ଅମିୟ ରହେ । ଘରକରଣା ଜିନିଷରେ ଭରପୂର । ତଳେ ବାଉଁଶ ପୋତି ଯେଉଁ ର୍ୟାକ୍‌ ସେ କରିଛି ସେଥିରେ ରଖିଛି ବହିପତ୍ର । ପଶ୍ଚିମ ପାଖ ବଖୁରିରେ ଅନିମା ଓ ଅମିତା ରହନ୍ତି । ସେ ଘରେ ମଧ୍ୟ ଘରକରଣା ପଦାର୍ଥ ପୂର୍ଣ୍ଣ । ଘର ଦୁଇଟିରେ ଜାଲି ଝରକା । ଦ୍ୱାରମୁହଁ ଆଗ ପିଣ୍ଡାର ବାରଣ୍ଡାକୁ ଓ ଦି’ଘର ମଝିରେ ତାଟି କବାଟ । ନିଜେ ଅନିମା ରଙ୍ଗ ମାଟିରେ କାନ୍ଥ ଓ ତଳ ଲିପି ମସୃଣ କରିଛନ୍ତି । କାନ୍ଥରେ ଅତି ଯତ୍ନକରି ଚିତା ପକାଇଛନ୍ତି,–ବୃକ୍ଷ, ଲତା, ନାନାପ୍ରକାର ମନଗଢ଼ା ଫୁଲ । କମକୁଟ ଡିଜାଇନ୍‌ । ଦେବଦେବୀଙ୍କର ଚିତ୍ର, ବିଭିନ୍ନ ରଙ୍ଗ ଦେଇ ସେଗୁଡ଼ିକୁ ଜୀବନ୍ତ କରିପାରିଛନ୍ତି ।

 

କେବଳ ଅସ୍ଥାୟୀ କ୍ୟାମ୍ପ୍‍ର ସ୍ତ୍ରୀ ପୁରୁଷ ନୁହନ୍ତି, କ୍ୟାମ୍ପ୍‌ ବାସିନ୍ଦାମାନଙ୍କର ସୁଖଦୁଃଖ ଓ ଅଭାବ ଅସୁବିଧା ଖବର ବୁଝି ସମାଧାନର ଚେଷ୍ଟା କରିବାକୁ ଆସନ୍ତି ଯେଉଁ ବଡ଼ ଓ ଛୋଟ କର୍ମଚାରୀ ବୃନ୍ଦ, ସେମାନେ ମଧ୍ୟ ଅମିୟ ମଣ୍ଡଳର ସୁନ୍ଦର ପରିଷ୍କାର ପରିଚ୍ଛନ୍ନ ଅସ୍ଥାୟୀ କୁଟୀର ଓ ତା’ର ସାଜସଜ୍ଜା ଦେଖିବାକୁ ଶୁଭାଗମନ କରନ୍ତି । ଅନିମା ଓ ଅମିତାକୁ ପ୍ରଶଂସା କରନ୍ତି । ସେମାନଙ୍କର କାର୍ଯ୍ୟକୁ ଅନୁକରଣ କରିବାକୁ କେହି କେହି କର୍ମଚାରୀ ଅନ୍ୟମାନଙ୍କୁ ଉପଦେଶ ଦିଅନ୍ତି ।

 

ଅମିତାକୁ ପାଖକୁ ଡାକି ସ୍ନେହରେ ତା’ର ହାତ ପାପୁଲି ଚାପି ପିଠି ଥାପୁଡ଼ାଇ କଅଁଳେଇ କରି ତା’ର ବିଦ୍ୟାବୁଦ୍ଧି ସମ୍ବନ୍ଧରେ ପ୍ରଶ୍ନ ପଚାରନ୍ତି । ଆହୁରି ପଢ଼ିବାକୁ ଓ ଶିଖିବାକୁ ମାହାଳିଆ ଉପଦେଶ ଦିଅନ୍ତି । ଘରର ହାନିଲାଭ ବୁଝିବାକୁ କେତେ ପ୍ରଶ୍ନ ପଚାରନ୍ତି । ଦୁଃଖ ପ୍ରକାଶ କରନ୍ତି ଯେ ତା’ର ପିତା ଅଧର ମଣ୍ଡଳ ଅଦ୍ୟାପି ଆସିଲେ ନାହିଁ, କି କୌଣସି ଖବର ପଠାଇଲେ ନାହିଁ । ସେମାନେ ସାନ୍ତ୍ୱନା ଦିଅନ୍ତି ଯେ ଅଧର ମଣ୍ଡଳ କେଉଁଠି ହେଲେ ଶୁଭରେ ଅଛନ୍ତି, ସମ୍ବାଦ ମିଳିବ ଓ ସେ ଫେରି ଆସିବେ !

 

ସେମାନଙ୍କର ସ୍ନେହ ଓ ସାନ୍ତ୍ୱନା ଅମିତାର ମନରେ କୌଣସି ପ୍ରଭାବ ପକାଏ ନାହିଁ । କଣେଇଁ ଚାହେଁ ଅନିମାଙ୍କୁ । ଦେଖେ, ତା’ର ମାତାଙ୍କ ଦୃଷ୍ଟିରେ ଗୋପନ ବେଦନା । ସେ ଦୃଷ୍ଟି ସତେକି ଇଙ୍ଗିତ ଦେଉଛି, ଚାଲିଆ ତାଙ୍କ ପାଖରୁ, ଭଦ୍ରଲୋକଙ୍କର ଅଲଣା ଆହାଉହୁ ସହାନୁଭୂତି ଆମର ଅବସ୍ଥାକୁ ବଦଳାଇ ପାରିବ ନାହିଁ ।

 

ଅମିତା ପଛେଇ ଆସେ । ଦୂରେଇ ଠିଆ ହୋଇ ଡବଡ଼ବ କରି ଅନାଇଁ ରହେ । କର୍ମଚାରୀ ସଦଳବଳରେ ଅନ୍ୟ ଟେଣ୍ଟ୍‌ କିମ୍ବା ଅସ୍ଥାୟୀଘର ଆଡ଼େ ଆଗେଇ ଯାଆନ୍ତି, ଗୋଟିଏ କୁଟୁମ୍ବର ନୁହେଁ, ସବୁ କୁଟୁମ୍ବର ହାଲ୍‍ଚାଲ୍ ବୁଝି ଅସୁବିଧା ଦୂର କରିବାକୁ ଚେଷ୍ଟା କରିବା ତାଙ୍କର କର୍ତ୍ତବ୍ୟ ।

 

ପଚିଶ

 

ମାଲକାନଗିରି ଅଞ୍ଚଳ ଟିକିଏ ଚଞ୍ଚଳ ହୋଇ ଉଠିଛି । ଦଣ୍ଡକାରଣ୍ୟ ଉନ୍ନୟନ ଯୋଜନାର ବଡ଼ ଛୋଟ କର୍ମଚାରୀ ବୃନ୍ଦ ଜିପ୍‌, ଷ୍ଟେସନ୍‌ ଓ୍ୟାଗେନ୍‌ ଓ ମଟରକାର୍‌ମାନ ଚଢ଼ି କୋରାପୁଟ, ଜୟପୁର, ଉମରକୋଟ, କୋଣ୍ଡାଗାଁ ଓ ଜଗଦଲପୁରରୁ ଘନଘନ ଧାଇଁ ଆସୁଛନ୍ତି । ଗଣ୍ଡା ଗଣ୍ଡା ଟ୍ରକ୍‌ ଓ ବିଭିନ୍ନ ପ୍ରକାର ଛୋଟ ବଡ଼ ଟ୍ରାକ୍ଟର୍‌ ଆସି ଠୁଳ ହେଲାଣି ।

 

ଦୁଇବର୍ଷ ହେଲା ଗାଁ ଗାଁ ବୁଲି କେଉଁଠି କେତେ ଚାଷୋପଯୋଗୀ ଅରଣ୍ୟ ଭୂମି ଅଛି ସେସବୁ ମାପଚୁପ କରି ସର୍ଭେ–କର୍ମଚାରୀମାନେ ନକ୍ସା ପ୍ରସ୍ତୁତ କରୁଛନ୍ତି । କର୍ତ୍ତବ୍ୟନିଷ୍ଠ ନୀରବ କର୍ମୀ ସେମାନେ । ନ୍ୟସ୍ତ–କର୍ତ୍ତବ୍ୟ ସମାଧାନ ପାଇଁ ସେମାନେ ଜୀବନ–ମୂର୍ଚ୍ଛା ପରିଶ୍ରମ କରୁଛନ୍ତି । ଅରଣ୍ୟ ଭିତରେ କର୍ମ । ଶ୍ୱାପଦଶଙ୍କୁଳ ଅରଣ୍ୟ । ନଦୀ, ନାଳ, ଝୋଲା, ପାହାଡ଼ ଓ ପର୍ବତ ସେମାନଙ୍କର ସଂକଳ୍ପ ଆଗରେ ପରାଜିତ ! ବିଷଧର ସର୍ପ ମୁଣ୍ଡ ନୁଆଁଇ ସେମାନଙ୍କୁ ବାଟ ଛାଡ଼ୁଛି ! ଅରଣ୍ୟର ପଶୁ, ବାଘ, ଭାଲୁ, ଗୟଳ ଓ ବଣ ମଇଁଷି ସେମାନଙ୍କୁ ଡବଡ଼ବ କରି ଚାହିଁଛନ୍ତି । କେବେ କେମିତି ବାଟ ଓଗାଳି ଗର୍ଜନକରି ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କିନ୍ତୁ ଉନ୍ନୟନ ଯୋଜନାର ଅଗ୍ରଦୂତ ସର୍ଭେ–କର୍ମଚାରୀ ବୃନ୍ଦ କୌଣସି ବାଧା ମାନି ନାହାନ୍ତି ।

 

ହାତରେ ଅସ୍ତ୍ରଶସ୍ତ୍ର ନାହିଁ । ମନରେ ଅଛି ଦୃଢ଼ସଂକଳ୍ପ । ହୃଦୟରେ ଅଛି ଅସୀମ ସାହସ-। ଯୁଗଯୁଗର ଅନ୍ଧକାର ଆଚ୍ଛାଦିତ ଦୁର୍ଜୟ ବନ ଭୂମିକୁ ଚାଷୋପଯୋଗୀ ଉର୍ବର ଭୂମିରେ ପରିଣତ କରି ସୁଜଳା–ସୁଫଳା କରି ମଣିଷର ଉପକାରରେ ଲଗାଇବା ପାଇଁ ଯେଉଁ ସଂଗ୍ରାମ ହେବ, ଯେଉଁଥିପାଇଁ ଅନ୍ୟତ୍ର ଅନ୍ୟମାନେ ଦଳ–ବଳ ଘେନି ପ୍ରସ୍ତୁତ ହେଉଛନ୍ତି, ଆଉ ଅନାଇଁ ରହିଛନ୍ତି ଉଦ୍‌ଗ୍ରୀବ ହୋଇ, ସର୍ଭେ–ଆଗୁଆଳ ପଥ–ପ୍ରଦର୍ଶକ ନିର୍ଭୀକ ନିରହଙ୍କାର ସର୍ଭେ–ସୈନିକଙ୍କର ନିର୍ଦ୍ଦେଶକୁ, ଆଗେଇ ଆସ, ମାଡ଼ିଚାଲ ଆମର ପଛେ ପଛେ– ।

 

ପୂର୍ତ୍ତ ବିଭାଗ ଆହୁରି ତତ୍ପର ହୋଇ ଉଠିଛନ୍ତି । ଜୟପୁରରୁ ମାଲକାନଗିରି ଯାଏଁ ଛଅଷଠି ମାଇଲ ରାଜପଥର କଡ଼ରେ କେତେ ଜାଗାରେ ଗ୍ରାମପାଖ ଅରଣ୍ୟମାନଙ୍କରେ, ଜଙ୍ଗଲ ପରିଷ୍କାର କରି ଅସ୍ଥାୟୀ ରହଣୀ କ୍ୟାମ୍ପ୍‍ମାନ ନିର୍ମିତ ହେଉଛି,–ବୈପାରିଗୁଡ଼ା, କୋଲାର, ଟାଙ୍ଗଣିଗୁଡ଼ା, ଗୋବିନ୍ଦପଲ୍ଲି, ପଙ୍ଗମନଦୀକୂଳ, ପଖନାଗୁଡ଼ା । ସବୁ ଅସ୍ଥାୟୀଘର, ଶାଳ ବହ୍ମା ପୋତ-। ଘରର ଖୁଣ୍ଟ କରାଯାଇଛି । ବାଉଁଶ ଚଟେଇରେ କାନ୍ଥ, ଉପରେ ଜିଙ୍କ ସିଟ୍ ।

 

ପାଣିର ସୁବିଧାପାଇଁ ନଳ–କୂଅ କରାହେଉଛି । ଦଳଦଳ ହୋଇ ପୂର୍ବ–ବଙ୍ଗର ବାସ–ଚ୍ୟୁତମାନେ ସିଧାସଳଖ ଆସି ଆଗ ସେହିସବୁ ଅସ୍ଥାୟୀ କ୍ୟାମ୍ପ୍‍ମାନଙ୍କରେ ରହିବେ । ମାଲକାନଗିରି ଅଞ୍ଚଳର ଅରଣ୍ୟମାନଙ୍କରେ ସେମାନଙ୍କ ପାଇଁ ଗ୍ରାମର ସ୍ଥାନ ନିରୂପଣ ହେଲେ ସେମାନଙ୍କୁ ସେଇଠିକି ନିଆଯିବ । ଘରକରି ରହିବାକୁ ସେମାନଙ୍କୁ ଜମି ଦିଆହେବ । ସେମାନେ ନିଜେ ନିଜେ ତାଙ୍କର ଘର ତୋଳିବେ । ସେଥିପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଉପକରଣ ସେମାନଙ୍କୁ ଯୋଗାଇ ଦିଆଯିବ । ପୂର୍ତ୍ତ ବିଭାଗର ଇଞ୍ଜିନିୟର୍‍ମାନେ ସେମାନଙ୍କୁ ଉପଦେଶ ଦେବେ, ସାହାଯ୍ୟ କରିବେ ।

 

ରାସ୍ତାଘାଟ ମରାମତ ହେଉଛି, ଶହ ଶହ ଆଦିବାସୀ କାମ କରୁଛନ୍ତି । ବାସଚ୍ୟୁତ ପୂର୍ବବଙ୍ଗର ଆଗନ୍ତୁକମାନେ ଦୈହିକ କର୍ମକୁ ଅନୁପଯୁକ୍ତ ବୋଲି ପ୍ରମାଣିତ ହୋଇ ସାରିଛି । ୧୯୫୯ ଓ ୧୯୬୦ ସାଲରେ ଯେତେବେଳେ ଉମରକୋଟ ଜୋନ୍‌ ଓ ପାରଲକୋଟ୍‌ ଜୋନ୍‌ରେ ସେମାନଙ୍କୁ ଥଇଥାନ କରିବାକୁ ଅଣାହୋଇ ଅସ୍ଥାୟୀ କ୍ୟାମ୍ପ୍‍ମାନଙ୍କରେ ରଖାହେଲା, ସେମାନଙ୍କୁ ରାସ୍ତାକାମ, ପୋଖରୀ ଖୋଳା ଓ ଅନ୍ୟ କାମଗୁଡ଼ିକରେ ନିଯୁକ୍ତ କରାହେଲା । ସେମାନେ କାର୍ଯ୍ୟ କରିବାକୁ ଅକ୍ଷମ ହେଲେ । ଯେଉଁ କାନ୍ତରାଟିମାନେ କାର୍ଯ୍ୟଭାର ଗ୍ରହଣ କରିଥିଲେ, ସେମାନେ ହତାଶହୋଇ ବାଧ୍ୟହୋଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତ କଲେ । ବାସଚ୍ୟୁତମାନଙ୍କ ମୁହଁଟାଣ ସିନା, ଦେହ ଟାଣ ନୁହେଁ । ଯେଉଁମାନଙ୍କର ଦେହ ଟାଣ ଅଛି ସେମାନେ ମଧ୍ୟ ଦୈହିକ ପରିଶ୍ରମ କରିବାକୁ ବୀତସ୍ପୃହ ।

 

ପୂର୍ବବଙ୍ଗ ପାକିସ୍ଥାନରୁ ବିତାଡ଼ିତ ହୋଇ ସେମାନେ ବାରମ୍ବାର ଶୁଣ୍ଢି ପିଣ୍ଡା ହେଲାପରେ ଭାରତ ସରକାର ସେମାନଙ୍କୁ ଥଇଥାନ କରିବାର ପୂର୍ଣ୍ଣ ଦାୟିତ୍ୱ ନେଲେ । ଥଇଥାନ ହେବାଯାଏ ଜାତୀୟ ପାଣ୍ଠିରୁ ଧନ ଦେଇ ସେମାନଙ୍କୁ ପୋଷିବାର ଦାୟିତ୍ୱ ମଧ୍ୟ ଭାରତ ସରକାର ଗ୍ରହଣ କଲେ-। ପ୍ରତି କୁଟୁମ୍ବର ଲୋକସଂଖ୍ୟା ଅନୁସାରେ ମାସିକ ଭତ୍ତାର ପରିମାଣ ସ୍ଥିର କରାଗଲା । ଛୁଆଟିଏ ଜନ୍ମ ହେଲେ ସେ କୁଟୁମ୍ବର ଭତ୍ତାର ପରିମାଣ ବଢ଼ାଇ ଦିଆଗଲା । ମାସକୁ ମାସ ଭତ୍ତା ବଣ୍ଟନ କରାଗଲା । ଘରେ ବସି ବିନାପରିଶ୍ରମରେ ସେମାନେ ଭତ୍ତା ପାଇଲେ । ଅସନ ବସନ ଓ ବାସଗୃହର ବ୍ୟବସ୍ଥା କରାଗଲା । ସେମାନେ କର୍ମ–ବିମୁଖ ହୋଇ ପଡ଼ିଲେ । ଦେହପାଇଁ, ପେଟପାଇଁ, ଗୃହପାଇଁ ଆଉ ସେମାନଙ୍କର ଭାବନା ରହିଲା ନାହିଁ ।

 

ଯେଉଁଠି ସେମାନେ ରହିଲେ ସେମାନଙ୍କର ସୁବିଧା ଅସୁବିଧା ବୁଝି ପ୍ରତିକାର କରିବାକୁ ଓ କରାଇବାକୁ କେତେ କର୍ମଚାରୀ ନିଯୁକ୍ତ ହେଲେ । ସେମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ଡାକ୍ତର ଡାକ୍ତରାଣୀ ଓ ନର୍ସମାନେ ନିଯୁକ୍ତ ହେଲେ । ସେମାନଙ୍କର ପିଲାମାନଙ୍କୁ ପଢ଼ାଇବା ପାଇଁ ଶିକ୍ଷକମାନଙ୍କୁ ରଖାଗଲା । ସ୍କୁଲ୍‌ ଖୋଲାଗଲା । ନିଜ କୁଟୁମ୍ବର ସ୍ୱଚ୍ଛନ୍ଦ ଚଳନପାଇଁ ଅନ୍ୟମାନେ ଚିନ୍ତା କରୁଛନ୍ତି, କାର୍ଯ୍ୟ କରୁଛନ୍ତି । ଭାରତ ସରକାର ଧନ ଦେଉଛନ୍ତି । ତେବେ ଆଉ ଉଦ୍ୟମର ପ୍ରୟୋଜନ କ’ଣ ? କାହିଁକି ଏଥିପାଇଁ ସେମାନେ ପରିଶ୍ରମ କରିବେ ?

 

ବର୍ଷ ବର୍ଷ ଧରି ଜୀବନ–ସଂଗ୍ରାମରୁ ଅବ୍ୟାହିତ ପାଇ ଦୈହିତ ଓ ମାନସିକ ଅଚଳ ଅବସ୍ଥାକୁ ଆଶ୍ରାକରି ସମୟ କଟିଲା । ପରର ହାତଟେକାରେ ରହି ସେମାନେ ଜାଣିଲେ ଯେ ସେମାନେ ସୁଖୀ । ଧୀରେ ଧୀରେ ଆତ୍ମ–ନିର୍ଭରଶୀଳତା ପାଖରୁ ଦୂରେଇ ଆସି ମାନସିକ କ୍ଲୀବତ୍ୱର ଶରଣାପନ୍ନ ହେଲେ । ଡୋଲ୍‌ କହ କି, ସରକାରୀ ଭତ୍ତା କହ କି, ଅଯାଚିତ ଭିକ୍ଷା କହ ସେତକ ତାଙ୍କର ମଉରସୀ ସମ୍ପତ୍ତି ବୋଲି ସେମାନେ ଗ୍ରହଣ କଲେ । ପଶୁପକ୍ଷୀ ମଧ୍ୟ ନିଜର ଓ ନିଜ କୁଟୁମ୍ବର ଭରଣପୋଷଣ ପାଇଁ ପରିଶ୍ରମ କରନ୍ତି, କିନ୍ତୁ ସେମାନେ ମାହାଳିଆ ମିଳୁଥିବା ଭତ୍ତା ଓ ଅନ୍ୟାନ୍ୟ ସୁବିଧାକୁ ଚାହିଁ ବସିଥାନ୍ତି । କେଉଁଠି ଅସୁବିଧା ହେଲେ ପାଟିତୁଣ୍ଡ ଓ ଆନ୍ଦୋଳନ କରନ୍ତି । ନୂଆ ନୂଆ ସୁବିଧା ହାସଲ କରିବାକୁ ସେମାନଙ୍କର ଏହି ଦିଓଟିହିଁ ପ୍ରଧାନ ପନ୍ଥା ।

 

ସମସ୍ୟା ସୃଷ୍ଟି କରି ତା’ର ସମାଧାନ ପାଇଁ ପାଟିତୁଣ୍ଡ, ଲେଖାଲେଖି ଓ କେବେ କେମିତି ଆନ୍ଦୋଳନ କରିବା ହେଲା ସେମାନଙ୍କର ପ୍ରଣାଳୀ । ସେମାନଙ୍କୁ ଟେହି ଦେବାକୁ ଓ ଉତ୍ତେଜିତ କରିବାକୁ କଲିକତାର ଦୈନିକ ଓ ମାସିକ ପତ୍ରିକାଗୁଡ଼ିକ ସବୁବେଳେ ପ୍ରସ୍ତୁତ । ବଙ୍ଗାଳୀଜାତିର ଦ୍ୱାହିଦେଇ ସେଗୁଡ଼ିକ ଅତି ଭାବପ୍ରବଣ ହୋଇ ସେମାନଙ୍କୁ ଉତ୍ତେଜିତ କରିବାକୁ ତିଳେହେଲେ କୁଣ୍ଠିତ ହୁଅନ୍ତି ନାହିଁ ।

 

ବଙ୍ଗଳାଭାଷା, ବଙ୍ଗାଳୀ କୃଷ୍ଟି, ବଙ୍ଗାଳୀ–ଜାତି ଓ କ୍ଷୁଦ୍ର କ୍ଷୁଦ୍ର ବଙ୍ଗଳା ସର୍ଜନା କରିବାର ସ୍ୱପ୍ନ, ଏହିସବୁ ସଂକୀର୍ଣ୍ଣ ମନୋଭାବ ନେଇ ବଙ୍ଗଳାରୁ ବେଳେବେଳେ ଆସନ୍ତି କେତେ ତଥାକଥିତ ଗଣ୍ୟମାନ୍ୟ ଲୋକ, ସାମ୍ବାଦିକ ଓ ରାଜନୈତିକ । ଆଳସ୍ୟ ଓ ଭତ୍ତାପାଇଁ ବ୍ୟସନରେ ସମୟ କଟାଉଥିବା ବଙ୍ଗଳା–କୁହା ବାସଚ୍ୟୁତଙ୍କୁ କର୍ମରେ ଲାଗିପଡ଼ି ନିଜର ଓ ଦେଶର ଅବସ୍ଥା ସୁଧାରିବାକୁ ପ୍ରରୋଚିତ କରିବେ କ’ଣ ଅଳସୁଆ ବୃନ୍ଦଙ୍କର ଚଳନରେ କେଉଁଠି କାହିଁକି ଅସୁବିଧା ହେଲା ସେତକ ତିଳକୁ ତାଳକରି ପ୍ରଚାର କରିବା ହେଲା ସେମାନଙ୍କର ଉଦ୍ଦେଶ୍ୟ । ସେମାନେ ବୁଦ୍ଧିମାନ, ସେମାନଙ୍କ ହାତରେ ଖବରକାଗଜ ଅଛି, ପ୍ରଚାର କରିବାର ବିଦ୍ୟା ସେମାନେ ହାସଲ କରିଛନ୍ତି । ତେଣୁ, ମହା–ଭାରତୀୟ ଭାବଧାରାର କୁହେଳିକା ସୃଷ୍ଟି କରି ପ୍ରାନ୍ତୀୟ ମନୋଭାବର ଅଟାଳିକା ତାଆରି ଭିତରେ ଗଢ଼ିତୋଳିବା ହେଲା ସେମାନଙ୍କର ସତେ କି ଲକ୍ଷ୍ୟ ।

 

କର୍ମ–ବିମୁଖ ଆଶ୍ରୟ–ପ୍ରାର୍ଥୀ ଘାସ ପତରକୁ ଦିଖଣ୍ଡ କରିବାକୁ ଅସମ୍ମତ । ସର୍ବଦା କେବଳ ସେମାନଙ୍କର ଅଭିଯୋଗ ଦଳଦଳ ହୋଇ ମେଳିକରି ଛୋଟ ଛୋଟ ସମସ୍ୟାରେ ଆପତ୍ତି, କେବଳ ଆପତ୍ତି,–ଏଟା, ହେଲାନାହିଁ, ସେଟା ହେଲା ନାହିଁ, ଏହା ଦିଅ ତାହା ଦିଅ, ନୋହିଲେ ଆମେ ପଶ୍ଚିମବଙ୍ଗକୁ ଫେରିଯିବୁ । ପୂର୍ବ–ବଙ୍ଗରେ ଆମର ଏତେ ଜମିଥିଲା, ସେଥିରେ ସୁନା ଫଳୁଥିଲା, ଆମର ଏତେ ଘର ଥିଲା, ଆମେ ଅତି ସୁଖରେ ଥିଲୁ, ଘିଅରେ ଖାଇ ଦୁଧରେ ଆଞ୍ଚୋଉଥିଲୁ । ଆମୁକୁ ପ୍ରଚୁର ମାଛ ମିଳୁଥିଲା । ହାୟରେ ଦୁର୍ଭାଗ୍ୟ, କେଉଁଠୁଁ ଆସି ଆମେ କେଉଁଠି ମିଳିଲୁ । ଆମେ କିଛି କରିବାକୁ ଚାହୁଁନାହୁଁ, ଆମୁକୁ ରୀତିମତ ଭତ୍ତା ଦିଅ, ସବୁ ସୁବିଧା କରିଦିଅ—

 

ଯୋଜନା ପ୍ରକାରେ ରାସ୍ତା କାମ ହେଉଛି । କୋଠାବାଡ଼ି ତୋଳା ଚାଲିଛି । ଲୋକେ ଖଟୁଛନ୍ତି କିନ୍ତୁ ସେମାନେ ବାସଚ୍ୟୁତ ବଙ୍ଗାଳୀ ନୁହନ୍ତି । ସେମାନେ ସ୍ଥାନୀୟ ଲୋକ । ଛୋଟ ବଡ଼ କାନ୍ତରାଟି କାମ ବଙ୍ଗାଳୀଙ୍କୁ ଦିଆଯାଉଛି । ଦିଆଯିବାକୁ ନିୟମ କରାହୋଇଛି କାରଣ, ଏ ଯୋଜନା କେବଳ କୁଆଡ଼େ ତାଙ୍କରିପାଇଁ ଓ ଭାରତ ସରକାର ରାଷ୍ଟ୍ରୀୟ ପାଣ୍ଠିରୁ ଯେତେ ଧନ ଦଣ୍ଡକାରଣ୍ୟ ଉନ୍ନୟନ ଯୋଜନାପାଇଁ ବର୍ଷକୁ ବର୍ଷ ଦେଉଛନ୍ତି, ସବୁ କୁଆଡ଼େ ତାଙ୍କରି ।

 

ବିଭିନ୍ନ ପ୍ରଦେଶରୁ ଭିନ୍ନ ଭାଷାଭାଷୀ କର୍ମଚାରୀମାନେ ଆସି କାମ କରୁଛନ୍ତି । କର୍ମର ବିଭାଗ ତ ଅନେକ,–ଥଇଥାନ ବିଭାଗ, ପୂର୍ତ୍ତ, ଜଳ–ସେଚନ, କୃଷି, ଭୂମି–ସଂରକ୍ଷଣ, ପଶୁ–ପାଳନ, ମତ୍ସ୍ୟ–ଉତ୍ପାଦନ, ସର୍ଭେ, ରିକ୍ଲାମେସନ୍‌, ଶିକ୍ଷା, ସମବାୟ, ଅରଣ୍ୟ, ଲୋକ–ସମ୍ପର୍କ, ଇଣ୍ଡଷ୍ଟ୍ରୀଜ୍‌, ପରିବହନ ଇତ୍ୟାଦି; କର୍ମଚାରୀମାନେ ଯେଉଁ ପ୍ରଦେଶରୁ ଆସିଥାନ୍ତୁ ପଛେ, ଯେଉଁ ଭାଷା କହୁଥାନ୍ତୁ, ସେମାନଙ୍କର କର୍ମ ଓ କର୍ତ୍ତବ୍ୟ ଯାହା ହୋଇଥାଉ, ସମସ୍ତଙ୍କର ଉଦ୍ଦେଶ୍ୟ ଗୋଟିଏ,–ଉନ୍ନୟନ ! ବହୁ ଜଟିଳତା ଓ ବାଧାବିଘ୍ନ ସତ୍ତ୍ୱେ ନିଜ ନିଜର ନ୍ୟସ୍ତ–ପରିସ୍ଥିତି ଭିତରେ ନିଜର ଗୁରୁଦାୟିତ୍ୱ ଓ କର୍ତ୍ତବ୍ୟ ସମାପନ ପାଇଁ ସମସ୍ତେ ବଦ୍ଧ–ପରିକର । ସମସ୍ତେ ସଜାଗ ଓ ତତ୍ପର ।

 

ତଥାପି, ପଶ୍ଚିମ–ବଙ୍ଗର ପତ୍ର–ପତ୍ରିକା, ପଶ୍ଚିମ–ବଙ୍ଗରୁ ବେଳେବେଳେ ଆସୁଥିବା ନ୍ୟସ୍ତ–ସ୍ୱାର୍ଥ ପରିଦର୍ଶକମାନେ ସଂକୀର୍ଣ୍ଣ ପ୍ରାଦେଶିକତାର ବିଷାକ୍ତ–ବାଷ୍ପର କୁହୁଡ଼ି ବିଛାଇ ଦିଅନ୍ତି । ସେହି ବାଷ୍ପର ବିଷ କେବଳ କର୍ମଚାରୀ ନୁହନ୍ତି, ଆଶ୍ରୟନେବାକୁ ଆସିଥିବା ନିରୀହ ନିରାଶ୍ରୟ ବାସ–ଚ୍ୟୁତ ଓ ଅତି ଉଦାର ସହାନୁଭୂତିଶୀଳ ସ୍ଥାନୀୟ ଅଧିବାସୀମାନଙ୍କର ରକ୍ତରେ ସଞ୍ଚରେ । ଆଶ୍ରୟ–ପ୍ରାର୍ଥୀ ଉତ୍ୟକ୍ତ ହୁଅନ୍ତି । କର୍ମରେ ମନପ୍ରାଣ ଢାଳି ଅନୁଷ୍ଠାନର କର୍ମଚାରୀମାନଙ୍କୁ ତାଙ୍କରି ମଙ୍ଗଳ ଓ ଭବିଷ୍ୟତ୍‌ ଦୃଷ୍ଟିରୁ ସାହାଯ୍ୟ କରିବା ପରିବର୍ତ୍ତରେ, ପ୍ରତିବାଦ ଓ ପ୍ରତିରୋଧ କରି ଅଡ଼ି ବସନ୍ତି ।

 

ଅନ୍ୟ ପ୍ରଦେଶାଗତ କର୍ମଚାରୀମାନଙ୍କ ମନରେ ଭୟ ଓ ସନ୍ଦେହ ଜାଗେ । ସ୍ୱାଧୀନଭାବରେ ଚିନ୍ତାକରି ନିଜ ଦାୟିତ୍ୱରେ ତତ୍ପର ହୋଇ ଉତ୍ସାହରେ କର୍ତ୍ତବ୍ୟ ସମାଧାନ କରିବାର ପ୍ରେରଣା ଶିଥିଳ ହୁଏ । ସେମାନେ ପ୍ରତି ପଦକ୍ଷେପ ପାଇଁ ଉପରିକଙ୍କର ଆଦେଶକୁ ଅପେକ୍ଷାକରି ରହନ୍ତି, କାର୍ଯ୍ୟ ହେଲେହେଲା ନହେଲେ ନାହିଁ । କୈଫିୟତଦେଇ ଦୋଷ ହୋଇ ନାହିଁ ବୋଲି ପ୍ରମାଣ କରି ପାରିଲେ ହେଲା । ଦାୟିତ୍ୱକୁ ଅନ୍ୟ ମୁଣ୍ଡକୁ ଖସାଇ ଦେବାର ଉପାୟ, ଦକ୍ଷତା, ଓ ଭାଷା ଜଣାଥିଲେ ଚାକିରି ବେଶ୍‌ ଚଳିବ ।

 

ଆଉ, ସ୍ଥାନୀୟ ଅଧିବାସୀ, ସେମାନେ ମଧ୍ୟ ଭୟ, ସନ୍ଦେହ ଓ କୌତୂହଳରେ ଚାହିଁ ରହନ୍ତି । ସେମାନଙ୍କର ଅତି ପ୍ରିୟ ଅରଣ୍ୟ କଟୁଛି । କେଉଁମାନେ ସବୁ ଦଳବଳ ଘେନି କେଉଁଠୁଁ ଆସି କ’ଣ କରୁଛନ୍ତି କରନ୍ତୁ, ପେଟ ପୋଷିବାକୁତ କାମ ମିଳୁଛି, ମୂଲ ମିଳୁଛି !

 

ଛବିଶ

 

ମାଲକାନଗିରି ଉପଜିଲାର କେହି କେହି ଜାଣନ୍ତି ଯେ ଉନ୍ନୟନ ଓ ଥଇଥାନ କାମ ଏ ଅଞ୍ଚଳରେ ଭାରତ ସରକାରଙ୍କର ଦଣ୍ଡକାରଣ୍ୟ ଯୋଜନା ସଂସ୍ଥା ନୂଆକରି କରୁ ନାହାନ୍ତି । ଏହିପରି କାମ କୋରାପୁଟ ଜିଲାର ଉମରକୋଟ ତହସିଲରେ ହୋଇସାରିଛି । ଏବେ ମଧ୍ୟ ହେଉଛି ।

 

ଗ୍ରାମମାନଙ୍କର ବଳକା ଜଙ୍ଗଲ ଟ୍ରାକ୍ଟର ସାହାଯ୍ୟରେ ସଫା କରାଗଲା । ସେହି ଟ୍ରାକ୍ଟର ସାହାଯ୍ୟରେ ଜମି ପ୍ରସ୍ତୁତକରି ଜମିରେ ହିଡ଼ ଦିଆଗଲା । ଉମରକୋଟ ଗ୍ରାମର ଚାରିପାଖେ ଓ ସେଠାରୁ ଅଠର ମାଇଲ ଉତ୍ତର–ପଶ୍ଚିମ ଦିଗରେ ଅବସ୍ଥିତ ରାୟ ଘରର ଆଖପାଖରେ ପଚାଶ ଖଣ୍ଡି ନୂଆ ଗ୍ରାମ ବସାଯାଇଛି । ସେସବୁ ଗ୍ରାମମାନଙ୍କରେ ପ୍ରାୟ ତିନି ହଜାର ପୂର୍ବବଙ୍ଗରୁ ପଳାତକ ଆଶ୍ରୟହୀନ କୁଟୁମ୍ବଙ୍କୁ ଥଇଥାନ କରାହୋଇଛି ।

 

ସବୁ ଗ୍ରାମର ଆକାର ସମାନ ନୁହେଁ । ଉଠିଆ କରାହୋଇଥିବା ଜମିର ପରିମାଣକୁ ଦୃଷ୍ଟିଦେଇ କେଉଁ ଗ୍ରାମରେ କେତେ କୁଟୁମ୍ବ ଥଇଥାନ ହୋଇପାରିବେ, ତାହା ସ୍ଥିର କରାହୋଇଛି । ପଚିଶ ତିରିଶ କୁଟୁମ୍ବବିଶିଷ୍ଟ ଛୋଟ ଗ୍ରାମ, ପଚାଶ–ଷାଠିଏ କୁଟୁମ୍ବବିଶିଷ୍ଟ ମଝଲା ଗ୍ରାମ ଓ ଶତାଧିକ କୁଟୁମ୍ବ ରହିଥିବା ବଡ଼ ଗ୍ରାମମାନ ମଧ୍ୟ ସ୍ଥାପନ କରାଯାଇଛି ।

 

ପ୍ରତ୍ୟେକ କୁଟୁମ୍ବକୁ ଘରଢ଼ିଅ ସମେତ ସାତ ଏକରରୁ କିଛି ଅଧିକ ଜମି ଯୋଗାଇ ଦିଆଯାଇଛି । ପ୍ରତି କୁଟୁମ୍ବକୁ ଦିଆଯାଇଛି ଘର, ହଳେ ବଳଦ ଓ ଗୋଟଏ ଦୁହାଁଳି ଗାଈ । ଚାଷ କରିବାକୁ ହଳଲଙ୍ଗଳ ଓ ଅନ୍ୟାନ୍ୟ ଉପକରଣମାନ ମଧ୍ୟ ଦିଆଯାଇଛି । ଧାନ, ରବି ଓ ଶାଗସବ୍‍ଜିର ବିହନ ଯୋଗାଇ ଦିଆହୋଇଛି । ଯେଉଁ ନୂଆ ଗ୍ରାମର ଗହୀରରେ ଆଗେ ଅରଣ୍ୟ ଭିତରେ ଛୋଟ ଛୋଟ ନାଳ ପ୍ରବାହିତ ହେଉଥିଲା, ସେଠାରେ ନାଳରେ ବନ୍ଧ ପକାଇ ପୋଖରୀ ଖୋଳି ଛୋଟ ଛୋଟ ଜଳସେଚନ କଟାମାନ କରାହୋଇଛି । ଏବେ ମଧ୍ୟ କରାଯାଉଛି ।

 

ଉମରକୋଟ ତହସିଲରେ ବସାହୋଇଥିବା ପୂର୍ବବଙ୍ଗର ବାସଚ୍ୟୁତ ପରିବାରମାନଙ୍କ ପାଇଁ ନୂଆ ଗ୍ରାମଗୁଡ଼ିକ ଦେଖିଲେ ଆନନ୍ଦ ଲାଗେ, ବିସ୍ମୟବି ଲାଗେ । କୁଆଁରୀ କାଠି ଛୁଆଁଇ ମରୁଭୂମିକୁ ଶସ୍ୟଶ୍ୟାମଳ କୋଦାରମାଳ କଲା ପରି ଲାଗେ । ଆଲ୍ଲାଦିନ୍‌ର କୁହୁକ ଦୀପ ଜାଳି ଏକ ମୁହୂର୍ତ୍ତରେ ଧନ–ଧାନ୍ୟଭରା ଗ୍ରାମ ଓ ସହର ସର୍ଜନା କଲା ପରି ମନେହୁଏ ।

 

ଜାମୁରଣ୍ଡା କ୍ୟାମ୍ପ୍‍ରେ ଥିବାସମୟରେ ଯୁବକ ଅମିୟ ମଣ୍ଡଳ ଓ ପ୍ରୌଢ଼ ବିପିନ୍‍ କର୍ମକାର ଏ ସବୁ ପରିବର୍ତ୍ତନ ନିଜ ଆଖିରେ ଦେଖି ଆସିଛନ୍ତି । ଅନିମା ମଧ୍ୟ କେବେ କେମିତି ଆଖପାଖ ନୂଆ ବଙ୍ଗାଳୀ ଗ୍ରାମମାନଙ୍କୁ ସଙ୍ଗିନୀମାନଙ୍କ ସଙ୍ଗେ ଯାଇ ଦେଖିଛନ୍ତି । ସୌମେନ୍‌ ଓ ଅନ୍ୟାନ୍ୟ ସାଙ୍ଗ–ସାଥୀଙ୍କ ସଙ୍ଗେ ଯାଇ ଅମିତା ସବୁ ବୁଲି ବୁଲି ଦେଖିଛି । ସେମାନେ ଅନୁଭବ କରୁଛନ୍ତି ଯେ ଏହି ମାଲକାନଗିରି ଅଞ୍ଚଳର ଗହନ ଅରଣ୍ୟ ଭିତରେ ଉମରକୋଟ ପରି ନୂଆ ଗ୍ରାମମାନ ଜାଗି ଉଠିବ । ଏଠାରେ ମଧ୍ୟ ସହସ୍ର ସହସ୍ର ବାସଚ୍ୟୁତ ବଙ୍ଗାଳୀ ଆଶ୍ରୟପ୍ରାର୍ଥୀ ଥଇଥାନ ହେବେ ।

 

ଆଜି ଯେଉଁ ଅଞ୍ଚଳ ନିଘଞ୍ଚ ଅରଣ୍ୟ ଆଚ୍ଛାଦିତ, ଯେଉଁଠି ଶହ ଶହ ଛୋଟ ବଡ଼ ପର୍ବତ, ପାହାଡ଼, ଉଚ୍ଚଭୂମି, ଶିଳାଖଣ୍ଡମାନ ବିଞ୍ଚି ହୋଇ ରହିଛି, ସବୁଜ ଶିଖରମାନ ଆକାଶକୁ ମୁଣ୍ଡ ଟେକିଛନ୍ତି, ସେହି ଅଞ୍ଚଳ ହେବ ନବାଗତ ପୂର୍ବବଙ୍ଗରୁ ବହିଷ୍କୃତ ସହସ୍ର ସହସ୍ର ହତଭାଗ୍ୟଙ୍କର ଆଶ୍ରୟସ୍ଥଳ ।

 

ଛୋଟ ବଡ଼ ନାଳଟି ମାନ, ବର୍ଷା କାଳରେ ଯେଉଁଗୁଡ଼ିକ କଳକଳ ହୋଇ ଦୁଇ କୂଳର ବହଳ ଅରଣ୍ୟଭୂମି ପ୍ଳାବିତ କରି ଉଚ୍ଚ ଜମି ଓ ଉପଳମାଳ ଉପରୁ ଡେଇଁ ଡେଇଁ, ଶହ ଶହ ସାନ ବଡ଼ ଜଳପ୍ରପାତ ସର୍ଜନା କରି, ନାଚିନାଚିକା ତଳକୁ ତଳକୁ ପ୍ରବାହିତ ହୁଅନ୍ତି, ଶୀତ କାଳରେ ଯେଉଁଗୁଡ଼ିକ କ୍ଷୀଣସ୍ରୋତା ନିର୍ମଳ–ନାରୀ ହୋଇ ଧୀରେ ଅତି ଧୀରେ ଲାଜକୁଳୀ କୁଳକାମିନୀମାନଙ୍କ ପରି ଅଳସେଇ ଅଳସେଇ ଦୁଇ ପାଖରୁ ନଇଁ ଆସିଥିବା ସବୁଜ ବ୍ରତତୀର ଅନ୍ତରାଳରେ ଲୁଚିଛପି ଗତି କରନ୍ତି, ଗ୍ରୀଷ୍ମକାଳରେ ଯେଉଁଗୁଡ଼ିକ ନିର୍ଜୀବ ହୋଇ ଶୁଖିଲା ପତ୍ରରେ ଅଙ୍ଗଭରି ପଡ଼ି ରହନ୍ତି, ସେମାନଙ୍କର ଅସ୍ତିତ୍ୱ ଲୋପ କରିବ ମାର୍କିନ୍‌–ଟ୍ରାକ୍ଟରଦଳ ।

 

ଏହାହିଁ ତ ହୋଇଛି ଉମରକୋଟ ଓ ରାୟଘର ଅଞ୍ଚଳରେ । ଆମେରିକା ଓ ଜାପାନରୁ ଶହ ଶହ ଟ୍ରାକ୍ଟର ଆସି ଜମା ହେଲା । ଗୋଟିଏ ଗୋଟିଏ ୟୁନିଟ୍‌ ବା ଦଳରେ ପନ୍ଦର ଷୋଳଟି ଟ୍ରାକ୍ଟର । ଚାରୋଟି ଗଛ ଓପାଡ଼ୁଛନ୍ତି, ଦୁଇଟିକରି ଗୋଟିଏ ଚକଡ଼ାରେ । ରାକ୍ଷସିଆ ଦୁଇଟି ଟ୍ରାକ୍ଟର ପ୍ରାୟ ଦୁଇଶ ଫୁଟ୍ ଦୂର ବ୍ୟବଧାନରେ ସମାନ୍ତରାଳ ହୋଇ ଧୀରେ ଧୀରେ ଆଗକୁ ମାଡ଼ି ଚାଲିଛନ୍ତି-। ବଡ଼ବଡ଼ ଲମ୍ବା ଆଂଶିଆ ଦାନ୍ତୁରା ଚକ ଗଡ଼ିଚାଲିଛି । ଆଗରେ ମୋଟା ଲୁହାର ଜୁଆଳିଆ ଧାରୁଆ ପଟା । ସାମନାରେ ପଡ଼ୁଥିବା ଗଛଗୁଡ଼ିକୁ ଠେଲି ଠେଲି ଓପାଡ଼ି ଓପାଡ଼ି ଚାଲିଛି ସେ ଟ୍ରାକ୍ଟର । ଗବଗଛ ପରି ତଳେ ଉପୁଡ଼ି ଶୋଉଥିବା ଗଛଗୁଡ଼ିକର ଉପରେ ଦାନ୍ତୁରା ଚକ ମାଡ଼ି ଚକଟି ଚାଲିଛି-। ଗଛଗୁଡ଼ିକର ଗଣ୍ଡି ଓ ଡାହି ସବୁ ଭାଙ୍ଗି ଚୂରମାର ହେଉଛି ।

 

ପ୍ରାୟ ଦୁଇଶ ଫୁଟ୍ ଅନ୍ତରାଳରେ ଚାଲିଥିବା ହାତୀ ପରି ଟ୍ରାକ୍ଟର ଦୁଇଟିର ପଛରେ ଲଗାହୋଇଛି ମୋଟା ଲୁହାର ଚେନ୍‌ । ଟ୍ରାକ୍ଟର ଦୁଇଟି ଚାଲିବା ସଙ୍ଗେ ସଙ୍ଗେ ଲୁହାର ଚେନ୍‌ ତଳେ ଘୋସାରି ହୋଇ ଆଗକୁ ଯାଉଛି । ଯେତେ ଗଛ ଚେନ୍ ଆଗରେ ପଡ଼ୁଛନ୍ତି, ଆଖି ପିଞ୍ଛୁଡ଼ାକେ ସେସବୁ ମୂଳରୁ ଉପୁଡ଼ି ମୁଣ୍ଡ ନୁଆଁଇ ସ–ଶବ୍ଦରେ ତଳେ କଚାଡ଼ି ହୋଇ ପଡ଼ୁଛନ୍ତି ।

 

ପଛେ ପଛେ ଚାଲିଛି ଆଉ ଦିଓଟି ଟ୍ରାକ୍ଟର । ଅତିବଡ଼ ଗଛ, ଯିଏ ଲୁହାଚେନ୍‌ର ଠେଲାରେ ଚଙ୍କୁ ନାହିଁ ତାକୁ ପଛକୁ ଧକ୍କା ମାରୁଛି ସେ ଟ୍ରାକ୍ଟର । ଚାରି ଛଅ ଧକ୍କାରେ ସେ ବଡ଼ଗଛବି ମୂଳରୁ ଉପୁଡ଼ି ଭୂମିରେ ଚାରି ଛଅ ଫୁଟ୍ ଗହିଡ଼ା ଗାତକରି ଲୋଟିପଡ଼ୁଛି ତଳେ । ଶକ୍ତିଶାଳୀ ମାର୍କୀନ୍ ଟ୍ରାକ୍ଟଟରମାନଙ୍କ ଆଗରେ କେହି ଆତ୍ମରକ୍ଷା କରିପାରୁ ନାହାନ୍ତି । ଚାଳକ ହେଉଛନ୍ତି ଆମରି ଦେଶର ଶିକ୍ଷିତ ଓ ଅଭିଜ୍ଞ ଲୋକ । ଜୀବନ ମୂର୍ଚ୍ଛା କାମ ।

 

ପଛେ ପଛେ ଆଉ କେତେଗୁଡ଼ିଏ ଟ୍ରାକ୍ଟର–ସେମାନଙ୍କ ଆଗରେ ଲାଗିଛି ଅତି ବଡ଼ବଡ଼ ଲୁହାର ବିଦା, ଲମ୍ବ ଲମ୍ବ ଲୁହାର ଦାନ୍ତ, ଗୋଜିଆ ଗୋଜିଆ । ତଳେ ପଡ଼ିଥିବା ଗଛଗୁଡ଼ିକୁ ଠେଲି ଠେଲି ଧାଡ଼ି ଧାଡ଼ି କରି ରଖି ଜମି ପରିଷ୍କାର କରୁଛନ୍ତି । କେତେ ଟ୍ରାକ୍ଟର ନ ଉପୁଡ଼ି ମୂଳରୁ ଭାଙ୍ଗି ଯାଇଥିବା ଗଛଗୁଡ଼ିକର ମୂଳ ଓପାଡ଼ିବାରେ ନିଯୁକ୍ତ । ସେତକ ସରିଲେ ଟ୍ରାକ୍ଟର ଚଳାଇ ଜମି ସମତୁଲ କରାହେଉଛି । ଜମି ଚାଷ କରାହେଉଛି । ଧୂଳି ପରି ମାଟି ଗୁଣ୍ଡ କରାହେଉଛି । ସେଇଠୁ ଲେଭଲ୍‌ ବା ପତ୍ତନ ଯନ୍ତ୍ର ସାହାଯ୍ୟରେ ଦିଗ ସ୍ଥିର କରି ବଡ଼ ଓ ଛୋଟ ବନ୍ଧମାନ ଟ୍ରାକ୍ଟର ସାହାଯ୍ୟରେ ନିର୍ମାଣ କରି କିଆରି ପ୍ରସ୍ତୁତ କରାହେଉଛି ।

 

ଦିନ କେଇଟା ଭିତରେ ଯାହା ଥିଲା ନିଘଞ୍ଚ ଅରଣ୍ୟ ଓ ବାଘ, ଭାଲୁ, ମିରିଗ, ଶମ୍ବର ଆଦି ବଣ୍ୟଜନ୍ତୁଙ୍କର ଆଶ୍ରୟସ୍ଥଳ, ତାହା ଦିଗନ୍ତବିସ୍ତାରୀ କେଦାରମାଳରେ ପରିଣତ ହେଉଛି । ସ୍ଥାନ ଚିହ୍ନି ହେଉ ନାହିଁ ।

 

ଉମରକୋଟ ଅଞ୍ଚଳରେ ଦେଖି ଆସିଛି ଅମିୟ ମଣ୍ଡଳ, ଏ ଯୁଗର ବିଜ୍ଞାନ ଉନ୍ନତିର କରାମତି, ଲୌହରାକ୍ଷସ ଟ୍ରାକ୍ଟର ଓ ତା’ର ଜୀବନ ଡିଜେଲ ତେଲର କରାମତି । ବେଳେବେଳେ ତା’ର ମନରେ ପ୍ରଶ୍ନ ଉଠିଥିଲା, ସବୁ ଯନ୍ତ୍ରପାତି ବିଦେଶରୁ ବିଶେଷତଃ, ଆମେରିକା ଓ ଜାପାନରୁ ଆସୁଛି କାହିଁକି ? ଭାରତବର୍ଷରେ ଲୁହାପଥରର ଅଭାବ ନାହିଁ । ପତ୍ର–ପ୍ରତିକାରୁ ପଢ଼ିଛି, ସାରା ଦେଶରେ ଅଦ୍ୟାପି ଯେତେ ଯେଉଁଠି ଲୁହାପଥରର ଖଣି ଅଛି ଓ ସେ ସବୁ ଖଣିରେ ଯେତେ ପରିମାଣର ଲୁହାପଥର ପ୍ରକୃତି ସମ୍ପାଦି ରଖିଛି, ତା’ର ଶତକଡ଼ା ପଇଁଚାଳିଶ ଭାଗରୁ ଅଧିକ ଅଛି ଏହି ଉତ୍କଳ ପ୍ରଦେଶରେ, ଯାହା ଦିନେ ହେବ ପୂର୍ବବଙ୍ଗରୁ ଚାଲିଆସି ଥଇଥାନ ହୋଇଥିବା କୁଟୁମ୍ବଗୁଡ଼ିକର ପ୍ରିୟ ଜନ୍ମଭୂମି; ଏ ପ୍ରଦେଶ ଦରିଦ୍ର ହୋଇ ରହିବ ନାହିଁ । କରି ପାରିଲେ ଏ ପ୍ରଦେଶ ଅନ୍ୟ ପ୍ରଦେଶଗୁଡ଼ିକର ସମକକ୍ଷ ହେବ ।

 

ଉମରକୋଟରୁ ବସ୍ତର ଜିଲାର କୋଣ୍ଡାଗାଁ ସହରଯାଏ ଯେଉଁ ଅଡ଼ତ୍ରିଶ ମାଇଲ ପକ୍କା ରାସ୍ତା ଏବେ କରାଯାଇଛି, ଠିକ୍‌ ପଶ୍ଚିମ–ମୁହାଁ, ସେହି ରାସ୍ତାର ଦଶ ମାଇଲ ଦୂରରେ ଜାମୁରଣ୍ଡା ଗ୍ରାମ । ସେହି ଗ୍ରାମରେ ଅସ୍ଥାୟୀ କ୍ୟାମ୍ପ୍‍ରେ ସେମାନେ ଦେଢ଼ବର୍ଷ କଟାଇଥିଲେ । ସେହି ଗ୍ରାମରେ ଦିଓଟି ସ୍ଥାୟୀ ଆଶ୍ରୟପ୍ରାର୍ଥୀ ଗ୍ରାମ ସ୍ଥାପନା କରାଯାଇଛି । ସେଠାରେ ଶହେ କୋଡ଼ିଏଟି କୁଟୁମ୍ବ ଥଇଥାନ ହୋଇଛନ୍ତି । ସେସବୁ କୁଟୁମ୍ବ ଆଗରୁ ଅଣାହୋଇ ଅସ୍ଥାୟୀ କ୍ୟାମ୍ପ୍‍ମାନଙ୍କରେ ଥିଲେ । ତେଣୁ, ସେମାନଙ୍କୁ ସେହିଠାରେ ଥଇଥାନ କରାଗଲା ।

 

ସେଠାରୁ ଚାରି ପାଞ୍ଚ ମାଇଲ ଦୂରରେ ହୀରାପୁର ଓ ଦଣ୍ଡସରା ଆଦିବାସୀ ଗ୍ରାମ ଦିଓଟିର ନିଘଞ୍ଚ ଜଙ୍ଗଲ ଆରପାରି, ଦକ୍ଷିଣ–ପଶ୍ଚିମ ଦିଗରେ ସିଲେଟି ଓ ଶଙ୍କରଦା ଗ୍ରାମରେ ଆଉ ଦିଓଟି ନୂଆ ଗ୍ରାମ ସ୍ଥାପନା କରାଯାଇଛି । ସେଥିରେ ମଧ୍ୟ ଶହେ କୋଡ଼ିଏଟି ଆଶ୍ରୟପ୍ରାର୍ଥୀ କୁଟୁମ୍ବଙ୍କୁ ରଖାହୋଇଛି । ଉଠିଆ ଜମି ଅଭାବରୁ ଅମିୟ ମଣ୍ଡଳ ଓ ଆଉ କେତୋଟି କୁଟୁମ୍ବଙ୍କୁ ସେ ସବୁ ଗ୍ରାମମାନଙ୍କରେ ରଖାଯାଇପାରିଲା ନାହିଁ । ମାଲକାନଗିରିକୁ ପଠାଗଲା ।

 

ଅମିୟ ଜାମୁରଣ୍ଡା ପାଖ ଭୂଖଣ୍ଡକୁ ସ୍ନେହ କରୁଥିଲା । ମନୋରମ ପ୍ରାକୃତିକ ଦୃଶ୍ୟ । ଦଣ୍ଡସରା, ହୀରାପୁର ଓ ଶଙ୍କରଦା ଗ୍ରାମଗୁଡ଼ିକର ସରହଦକୁ ଲାଗିଛି ବସ୍ତର ଜିଲା । ଛୋଟ ନାଳଟିଏ ଦୁଇ ଜିଲାର ସୀମାରେ ପ୍ରବାହିତ । ଦୁଇ ପାଖରେ ଗହନ କାନନ; ଯାହା କହନ୍ତି, ସୂର୍ଯ୍ୟର କିରଣ ପଡ଼େ ନାହିଁ । ଶହ ଶହ ମାଇଲ ଲମ୍ବିଯାଇଛି ସେ ଅରଣ୍ୟ ବସ୍ତର ଜିଲାରେ । ଜଗଦଲ୍‍ପୁର–ରାୟପୁର ଜାତୀୟ ରାସ୍ତାକୁ ଡେଇଁ ସେ ଅରଣ୍ୟ ଲାଗିଛି ନାରାୟଣପୁର, ଅନନ୍ତଗଡ଼, ସୋନପୁର ଓ ପାରଲକୋଟକୁ, ଯେଉଁଠୁ ବସ୍ତର ଜିଲାର ସୀମା ଶେଷ ହେଲା ଆଉ ଆରମ୍ଭ ହେଲା ମହାରାଷ୍ଟ୍ର ପ୍ରଦେଶର ବନପର୍ବତ ପରିପୂର୍ଣ୍ଣ ଚାନ୍ଦା ଜିଲା ।

 

ଅରଣ୍ୟ କେବଳ ଅରଣ୍ୟ ନୁହେଁ । ଅରଣ୍ୟ ମଧ୍ୟରେ ଛାଡ଼ିଛାଡ଼ିକା ଅଗଣନ ଛୋଟ ବଡ଼ ପର୍ବତ, କେଉଁଠି ଗୋଟିଗୋଟିକା ଲାଗିଲାଗିକା, କେଉଁଠି ବା ଧାଡ଼ିଧାଡ଼ିକା–ମାଇଲ ମାଇଲ ଧରି ଲମ୍ବି ଯାଇଛି । ପ୍ରସ୍ଥ ମଧ୍ୟ ମାଇଲ ମାଇଲ ଭୂମି ମାଡ଼ି ବସିଛି । ଅସୁମାର ଛୋଟ ବଡ଼ ନଦୀ ନାଳ ପ୍ରବାହିତ ହେଉଛି ସେ ସହସ୍ର ସହସ୍ର କ୍ରୋଶ ପରିବ୍ୟାପ୍ତ ଅରଣ୍ୟ ଆଚ୍ଛାଦିତ ଗିରିମାଳା ବିଶୋଭିତ ବସ୍ତର ଜିଲାରେ । ଯେଉଁଠି ସମତଳ ଉର୍ବରା ଭୂମି, ନିକଟରେ ଅବଶ୍ୟ କଳକଳ ଗାମିନୀ ନଦୀ, ନାଳ, କି ଛୋଟ ନିର୍ଝରିଣୀ ଥିବ, ସେଇଠି ଯୁଗଯୁଗ ଧରି ବସିଛି ଗ୍ରାମ, ବନଚାରୀ ଆଦିବାସୀଙ୍କର ଗ୍ରାମ । କେଉଁଠି ଗୋଟିଗୋଟିକା, କେଉଁଠି ଗହୀରମାଳ ଲଗାଲଗି, ଗୋଛିଗୋଛିକା । ଗାଁରୁ ଗାଁ ଅରଣ୍ୟ ମଝିରେ ଚଲାବାଟ ଓ ଶଗଡ଼–ଗୁଳା ପଡ଼ିଛି ।

 

ଅମିୟ ମଣ୍ଡଳ ତା’ର ବନ୍ଧୁମାନଙ୍କ ସଙ୍ଗେ କେତେଥର ଆଖପାଖ ଅଞ୍ଚଳ ବୁଲି ଦେଖିଛି । ଆନନ୍ଦିତ ତନ୍ମୟ ହୋଇଛି । ପ୍ରକୃତିର ଶୋଭାସମ୍ଭାର ଦେଖି ଆତ୍ମହରା ହୋଇଛି । ମଣିଛି, ସେ ଏଇ ଦେଶର ପିଲା । ନଦୀନାଳ ପରିପୂର୍ଣ୍ଣ, ବନ୍ୟା ତୋଫାନ ଧର୍ମ ବିଦ୍ୱେଷ ପ୍ରପୀଡ଼ିତ, ଅହମିକା ବିଷ ଜର୍ଜରିତ, ମୁଁ ବଙ୍ଗାଳୀ ଅତି ଚତୁର, ମୁଁ ବଙ୍ଗାଳୀ ଅତି ସଭ୍ୟ, ଅନ୍ୟମାନେ ନିର୍ବୋଧ, ଅନ୍ୟମାନେ ଅସଭ୍ୟ, ମୁଁ ବଙ୍ଗାଳୀ ମନୁଷ୍ୟ, ଅନ୍ୟମାନେ ନୁହନ୍ତି, ସେମାନେ ଦି’ ଗୋଡ଼ିଆ ଜନ୍ତୁ, ମୋର ଭାଷା ସର୍ବୋତ୍କୃଷ୍ଟ, ଅତି ଉନ୍ନତ ଓ ମଧୁର, ଅନ୍ୟମାନଙ୍କର ଭାଷା କିଚିମିଚି, କଡ଼ମଡ଼–ଏପରି ଆତ୍ମବଡ଼ୀମାଜଡ଼ିତ ବଙ୍ଗପ୍ରଦେଶ ତଥା ବିଖଣ୍ଡିତ ବଙ୍ଗ ପାକିସ୍ଥାନର ସନ୍ତାନ ନୁହେଁ । ମୁଁ ଏହି ସ୍ୱର୍ଗଭୂମିର ସନ୍ତାନ, ଏହି ଉତ୍କଳ ପ୍ରଦେଶର, ଯେଉଁଠି ଶ୍ରୀଜଗନ୍ନାଥଙ୍କର ସମସ୍ତେ ସମାନ ନୀତି ପ୍ରଚଳିତ । ସମସ୍ତେ ଆମର ଧାରଣା ଯେଉଁ ପ୍ରଦେଶର ପ୍ରତି ଅଞ୍ଚଳର ବିଭିନ୍ନ ଜାତି ଉପଜାତିଙ୍କର ରକ୍ତର ଅଂଶ ହୋଇଛି । ଯୁଗଯୁଗର କୃଷ୍ଟି ।

 

ସତେଇଶ

 

ଜାମୁରଣ୍ଡା ଗ୍ରାମର ଦକ୍ଷିଣ ସୀମାରେ ଥିବା ହୀରାପୁର ଗ୍ରାମର ଅନୁଚ୍ଚ ପାହାଡ଼ଗୁଡ଼ିକରୁ ବାହାରିଛି ନଦୀ ନାଳ, ଛୋଟ ନଦୀଟିଏ; ପୂର୍ବଦିଗକୁ ପ୍ରବାହିତ ହୋଇଛି । ପନ୍ଦର ଷୋଳ–ମାଇଲ ଅତିକ୍ରମ କରି ଗୋବରୀ ଗ୍ରାମ ପାଖରେ ନବରଙ୍ଗପୁର–ଉମରକୋଟ ବଡ଼ ରାସ୍ତା ପାରି ହୋଇ ଉତ୍ତରରୁ ଦକ୍ଷିଣକୁ ବହିଆସୁଥିବା ଭାସ୍କରୀ ନଦୀରେ ମିଶିଛି । ସେହି ନଙ୍ଗୀନଦୀର ଠିକ୍‌ ଦକ୍ଷିଣକୁ ହୀରାପୁର ଓ ସରାଗୁଡ଼ା । ଗ୍ରାମକୁ ଲାଗି ପୋଡ଼ାଗଡ଼ର ରକ୍ଷିତ ଜଙ୍ଗଲ । ସେ ଜଙ୍ଗଲ ମଧ୍ୟରେ କେଉଁ ରାଜ୍ୟର କେବେ ଗଡ଼ ଥିଲା, କି କାରଣରୁ କେବେ ସେ ଗଡ଼ ପୋଡ଼ି ଜଳି ପାଉଁଶ ହେଲା, କେହି କହି ପାରନ୍ତି ନାହିଁ । ପାହାଡ଼, ପଥର, ଅନୁର୍ବର ଜମି ଓ ଦୁର୍ବଳ ଘଞ୍ଚ ଜଙ୍ଗଲ ଆବୃତ ସେହି ରକ୍ଷିତ ଜଙ୍ଗଲ, ଉଚ୍ଚ ଉଠାଣିଆ ଭୂଇଁ ଉପରେ ଲମ୍ବିଯାଇଛି ହୀରାପୁର ଓ ପିପଳା ପାହାଡ଼ ଉପରକୁ-

 

ଦୁଇଟି ପାହାଡ଼ ଲଗାଲଗି, ଏହି ପାହାଡ଼ମାଳର ଲମ୍ବ ପୂର୍ବରୁ ପଶ୍ଚିମକୁ ହବ ପ୍ରାୟ ସାତ ମାଇଲ; ଆଉ ଚଉଡ଼ା ତିନି ଚାରି ମାଇଲ । ହୀରାପୁର ପାହାଡ଼ର ଉଚ୍ଚତା ପ୍ରାୟ ତିନିହଜାର ଫୁଟ୍ ଏବଂ ପିପଲ ଡଙ୍ଗର ପାହାଡ଼ର ଉଚ୍ଚତା ପ୍ରାୟ ଦୁଇ ହଜାର ଆଠ ଶହ ଫୁଟ୍ । ପାହାଡ଼ ଦୁଇଟିର ଉପରେ ଏବଂ ଗଡ଼ାଣି ଓ ନିମ୍ନ–ଭୂମିରେ ପ୍ରଚୁର ଲୁହାପଥର ଅଛି । କେଉଁ ଆଦିମକାଳରୁ କେଜାଣି ଉମରକୋଟ ଅଞ୍ଚଳର ବିଭିନ୍ନ ଗ୍ରାମମାନଙ୍କର ଲୋହାରୀମାନେ ହୀରାପୁର ଆସି ନିଜ ନିଜ ଗ୍ରାମକୁ ଶଗଡ଼ରେ ଲୁହାପଥର ବୋଝେଇ କରି ନିଅନ୍ତି । ନିଜେ ଭାଟିକରି, ଅଙ୍ଗାର ନିଆଁରେ ତରଳାଇ ଉତ୍କୃଷ୍ଟ ଲୁହା ବାହାର କରନ୍ତି । ସେହି ଲୁହାରେ ଚାଷୋପକରଣର ଯନ୍ତ୍ରପାତି–ଲଙ୍ଗଳ ଲୁହା, ଦା, କଟୁରି, ନିଦାକାଠି ଓ ଶିକାର ଉପକରଣ ଯନ୍ତ୍ରପାତି, ଟାଙ୍ଗିଆ, ଫାରସା, ଛୁରି, ତୀର ପ୍ରସ୍ତୁତ କରି ହାଟ ବଜାରରେ ବିକ୍ରୟ କରନ୍ତି ।

 

ଛୋଟ ଲୁହାକାରଖାନାଟିଏ ଯଦି ହୀରାପୁର ଗ୍ରାମରେ ବସାଯାଇ ପାରନ୍ତା, କେଡ଼େ ଭଲ ହୁଅନ୍ତା ସେତ ! କୋରାପୁଟ ଜିଲାରେ ଜଳବିଦ୍ୟୁତ୍ ଶକ୍ତିର ଅଭାବ ନାହିଁ । କେବେ ଏହା ସମ୍ଭବ ହେବ କେଜାଣି ? ଉମକୋଟ ଅଞ୍ଚଳ ହସିଉଠିବ । ଭାସ୍କରୀ ନଦୀର ଦୁଇ କୂଳରେ ଅବସ୍ଥିତ ଗ୍ରାମଗୁଡ଼ିକ, ପୁରୁଣା ଆଦିବାସୀ ଏବଂ ନୂଆ କରି ବସାହୋଇଥିବା ପୂର୍ବବଙ୍ଗର ବାସଚ୍ୟୁତ କୁଟୁମ୍ବଗୁଡ଼ିକର ଥଇଥାନ ପାଇଁ ଗ୍ରାମ, ଉଲ୍ଲସି ଉଠିବ ।

 

ଉତ୍ତର–ପଶ୍ଚିମ କୋଣରୁ ବସ୍ତର ଜିଲାର ସୀମାରେ ଥିବା ତରା ଗାଁ, ଇଙ୍ଗିରା ଓ ଉମର ଗାଁର ପାହାଡ଼ମାଳର ଗଡ଼ନ୍ତା ପାଣିର ଛୋଟ ଛୋଟ ନାଳ ଏକାଠି ହୋଇ ଖରକା ଗ୍ରାମ ପାଖରେ ଯେଉଁ ତିରିଶି ହାତ ଚଉଡ଼ାର ଗହିଡ଼ା ନାଳଟି ହୋଇଛି, ତାଆରି ନାମ ଭାସ୍କରୀ ନଦୀ । ତଳକୁ ବହି ଆସିବା ସଙ୍ଗେ ସଙ୍ଗେ ତା’ର ପ୍ରସ୍ଥ ମଧ୍ୟ ବଢ଼ି ବଢ଼ି ଚାଲିଛି । ଦଶ ବାର ମାଲର ବହି ଆସିଲା ପରେ ଉମରକୋଟ ଗ୍ରାମ ତଳେ ଭାସ୍କରୀର ପ୍ରସ୍ଥ ଷାଠିଏ ହାତ ହେବ । ବର୍ଷାଦିନେ ନାଗମୁଣ୍ଡ ଦିଖଣ୍ଡ ହେଲାପରି ସ୍ରୋତର ତୋଡ଼ । ଖରାଦିନେ ଶୁଖିଲା ଠାଉ ଠାଉ, ତେବେ ଝିରିଝିରି ହୋଇ ପାଣି ବହେ । ଠାଏଠାଏ ଗଣ୍ଡମାନଙ୍କରେ ଯେଉଁ ପାଣି ଜମିଥାଏ, ଦୁଇ କୂଳର ଗ୍ରାମଗୁଡ଼ିକର ଅଧିବାସୀମାନେ ସେହି ଜଳ ବ୍ୟବହାର କରନ୍ତି ।

 

ଖଡ଼କା ଗ୍ରାମ ପାଖରେ ଭାସ୍କରୀନଦୀ ବନ୍ଧାଯାଉଛି । ଆନିକଟ୍‌ ତିଆରି ହୋଇ ଉପର ଉପତ୍ୟକାରେ ପାଣି ସଞ୍ଚୟ କରାହେବ । ବନ୍ଧର ଦୁଇ ପାଖରୁ ଦିଓଟି କେନାଲ ବାହାରିବ । ଅମିୟ ମଣ୍ଡଳ ଖବର ପାଇଛି ଯେ ସେହି କେନାଲ ଦୁଇଟିରେ ଯେଉଁ ଜଳ ଛଡ଼ାହେବ, ସେ ଜଳ ପ୍ରାୟ ଅଠର ହଜାର ଏକର ଜମିକୁ ଜଳ ଯୋଗାଇବ । ଯୋଜନାରେ କୁଆଡ଼େ ଖର୍ଚ୍ଚହେବ କୋଟିଏ ଟଙ୍କା-। ଇଞ୍ଜିନିୟର୍‍ମାନ ସର୍ଭେକାମରେ ଓ ଯନ୍ତ୍ରପାତି ଆଣି ସ୍ଥାନ ଉପରେ ରହଣୀଘର ତୋଳିବା କାମରେ ବ୍ୟସ୍ତ ଅଛନ୍ତି ।

 

ବଙ୍ଗଦେଶରୁ ଯେଉଁ ବଡ଼ବଡ଼ିଆ କର୍ମଚାରୀମାନେ ଉଡ଼ା ଚଢ଼େଇ ପରି ଆସି ଡାଳରେ ବସି ରଡ଼ି ଛାଡ଼ନ୍ତି, ଜାତିଭାଇଙ୍କର ଥଇଥାନ ପାଇଁ ଅତି ବ୍ୟାକୁଳ ହୋଇ କ’ଣ ସବୁ କରି ପକାଇବାକୁ ହମହମ ହୁଅନ୍ତି, ସେମାନଙ୍କ ମନରେ ଗଭୀର ଦୁଃଖ ଯେ ଭାସ୍କରୀ–ଜଳସେଚନ ଯୋଜନା ଯେତେ ଜମିକୁ ପାଣି ଯୋଗାଇ ଉର୍ବର କରିବ, ତାହାର ଅଧିକ ଭାଗ ହେଉଛି ସ୍ଥାନୀୟ ଅଧିବାସୀଙ୍କର ପୁରୁଣା ଜମି । ଟ୍ରାକ୍‌ଟର ସାହାଯ୍ୟରେ ଉଠିଆ କରି ବାସଚ୍ୟୁତ ଅଧିବାସୀଙ୍କୁ ଯେଉଁ ଜମି ଦିଆଯାଇଛି, ସେ ସବୁର ଅଧିକାଂଶ ଉଚ୍ଚ ଜମି, ପାଣି ଉଠିବ ନାହିଁ ।

 

ହୋଇପାରେ ସତ୍ୟ; ସହସ୍ର ସହସ୍ର ବର୍ଷ ଧରି ପୁରୁଣା ଗ୍ରାମଗୁଡ଼ିକର ଅଧିବାସୀମାନେ, ଯାହାଙ୍କୁ ଆଦିବାସୀ ବୋଲି ପରିଚିତ କରାଯାଉଛି, ଦଣ୍ଡକାରଣ୍ୟରେ ବସବାସ କରି ରହିଛନ୍ତି । ଯୁଗଯୁଗର ଅଭିଜ୍ଞତା ତାଙ୍କୁ ଶିଖାଇଛି କେଉଁ ଜମି ଭଲ, କାହିଁରେ କି ଫସଲ ହୁଏ ଏବଂ କେଉଁ ଜମି ମନ୍ଦ । ସେମାନଙ୍କର ପୂର୍ବପୁରୁଷେ ନିର୍ବୋଧ ନଥିଲେ । ସେମାନଙ୍କୁ ଏହା ଭଲକରି ଜଣାଥିଲା ଯେ ଶସ୍ୟର ଜୀବନ ହେଉଛି ଉତ୍ତମ ମାଟି, ପାଣି ଓ ସୂର୍ଯ୍ୟାଲୋକ । ଭଲ ମାଟି ଓ ପାଣି ଜଳାଧାରର ପାଖେପାଖେ ଓ ନିମ୍ନ ଭୂମିରେ ମିଳେ ।

 

ଜନସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ଆଦିବାସୀ ନୂତନ ଭୂମି ପୁରୁଷାନୁକ୍ରମେ ଖୋଜିଛି । ନୂତନ ଗ୍ରାମ ବସାଇଛି । ବାଘ, ଭାଲୁ, ସାପ ଓ ବିଷାକ୍ତ କୀଟଙ୍କ ବିରୁଦ୍ଧରେ ସଂଗ୍ରାମ କରି ଅରଣ୍ୟ କାଟି ଚାଷର ଉପଯୋଗୀ ଜମି କାଢ଼ିଛି । ଏହା କରିବାକୁ ଯାଇ ତା’ର କେତେ ପୂର୍ବପୁରୁଷେ ହିଂସ୍ରଜନ୍ତୁଙ୍କ ମୁହଁରେ ପ୍ରାଣ ଦେଇଛନ୍ତି । କେତେ ପୁଣି ରୋଗରେ ଘାଣ୍ଟିଚକଟି ହୋଇ, ଛଟପଟ ହୋଇ ଉତ୍ତର ପୁରୁଷଙ୍କର କଲ୍ୟାଣ ମନାସି ଆଖି ବୁଜିଛନ୍ତି । ହିଂସ୍ରଜନ୍ତୁଙ୍କର ପ୍ରକୋପରୁ ଉଦ୍ଧାର ନ ପାଇ କେତେ ପୂର୍ବପୁରୁଷଙ୍କର ପୁରୁଣା ଗ୍ରାମ ଭାଙ୍ଗିଛି । ପ୍ରାଣ ବିକଳରେ ଅନ୍ୟତ୍ର ପଳାଇଯାଇ ନୂତନ ଗ୍ରାମ ବସାଇ ରହିଛନ୍ତି ।

 

ପୂର୍ବ–ବଙ୍ଗର ଆଶ୍ରୟପ୍ରାର୍ଥୀଙ୍କ ପାଇଁ ଏବଯାଏଁବି ରହିଯାଇଛି କାଁଭାଁ ହୋଇ ଯେଉଁ ନିମ୍ନଭୂମି, ଅତି ଉର୍ବର ଭୂମି ସେତକ ସମ୍ଭବ ହୋଇ ପାରିଛି ହିଂସ୍ରଜନ୍ତୁଙ୍କ ଦୟାରୁ, ଅଥବା ଶାସକ ଗୋଷ୍ଠୀଙ୍କ ଦୟାରୁ, ଯେଉଁମାନେ ଦଣ୍ଡଦେବାର ଭୟ ଦେଖାଇ, ଦଣ୍ଡ ଦେଇ ଅରଣ୍ୟକୁ ଅଟକ କରିଥିଲେ, ଆକଟ କରିଥିଲେ । ବିଂଶ ଶତାବ୍ଦୀର ଉନ୍ନତ ଯୁଗରେ, ଯେଉଁ ଯୁଗରେ ସବୁଦିଗରେ ବିଜ୍ଞାନ ଅଗ୍ରଗତି କରି ଚାଲିଛି, ମଣିଷ ସବୁ ପ୍ରକାର ଭୂମିକୁ ଉର୍ବର କରିପାରେ । ସବୁ ପ୍ରକାର ଭୂମିରେ ଜଳସେଚନର ବ୍ୟବସ୍ଥା କରିପାରେ । ଯନ୍ତ୍ର–ଯୁଗରେ ସବୁ ସମ୍ଭବ ହୋଇପାରେ ।

 

ସେତକ ନ କରି ଅବା କରିବାକୁ ଅକ୍ଷମ ହୋଇ, ଯେଉଁ ଭାବପ୍ରବଣ ଓ ଭାଷା–ପ୍ରୀତିର ବୃଥା–ଆସ୍ଫାଳନକାରୀ ଉଡ଼ା ଚଢ଼େଇମାନେ ଦୁଇଦିନ ପାଇଁ ଆସି ଆଖି ଛଳଛଳ କରି ଦୀର୍ଘ–ଶ୍ୱାସ ଛାଡ଼ନ୍ତି, ସ୍ଥାନୀୟ ଅଧିବାସୀଙ୍କର ଉତ୍ତମଭୂମି ଉପରେ ଦୃଷ୍ଟି ପକାଇ ଭିତରେ ଭିତରେ ଈର୍ଷାରେ କୁହୁଳି ହୁଅନ୍ତି ଓ ପ୍ରତ୍ୟକ୍ଷରେ ହେଉ ଅବା ପରୋକ୍ଷରେ ହେଉ, ସିଧାସଳଖ ସରଳ ଭାଷାରେ ହେଉ କି, କୂଟକପଟଟିଆ ଭାଷାର ଇନ୍ଦ୍ରଜାଲରେ ହେଉ, ମନଗହନରେ ଛପି ରହିଥିବା ଓ ଛଟପଟ ହେଉଥିବା ହନ୍ତସନ୍ତିଆ ଈର୍ଷାକୁ ଅତି ସୁନ୍ଦର କରି ଭାଷାର ଆଭରଣରେ ସଜାଇ ପ୍ରକାଶ କରନ୍ତି, ସେମାନେ ମୋଟେ ଭବିଷ୍ୟତ୍‌ ଦ୍ରଷ୍ଟା ନୁହନ୍ତି । ସେମାନେ ଈର୍ଷାର ଯେଉଁ ସୁନ୍ଦରୀ ବିଷ କନ୍ୟାମାନଙ୍କୁ ମନ ଆଗରେ ଓ ଚଳନ–ପଥରେ ଛାଡ଼ି ଯାଆନ୍ତି, ତାଙ୍କର ବିଷ–ଶ୍ୱାସ ଧୀରେ ଧୀରେ ଆଗତ ଓ ଅନାଗତଙ୍କ ରକ୍ତରେ ବିଷ ଚହଟାଇବ । ଫଳ ହେବ ବିଷ ବମନ, ଏହା ତ ଅବଶ୍ୟମ୍ଭାବୀ-। ନିର୍ମଳ ପ୍ରେମରୁ ଜନମେ ସିନା ପ୍ରେମାମୃତା ।

 

ଅଠେଇଶ

 

ଦିନ ଦଶଟା ହେବ । ସୂର୍ଯ୍ୟକିରଣ ପ୍ରଖର ହେଲାଣି । ମାଲକାନଗିରି ସିହତଲ୍‌ର ସତୀନଦୀକୂଳରେ ବଡ଼ ମହୁଲଗଛ ତଳେ ଖଣ୍ଡେ ଚଟା ଅକର୍ମଶିଳା ଉପରେ ଅମିୟମଣ୍ଡଳ ବସି ଆରପାରିକୁ ଅନାଇଁ ରହିଛି । ସେଇଠି ତମସାନଦୀ ଓ ସତୀନଦୀଙ୍କର ମିଳନସ୍ଥଳ, ତମସା ଗ୍ରାମର ଦକ୍ଷିଣରେ । ଦକ୍ଷିଣ–ପଶ୍ଚିମ କୋଣରେ ତମସାର ପଶ୍ଚିମରେ ତଣ୍ଡାପଲ୍ଲୀ ଗ୍ରାମର ରକ୍ଷିତ ଜଙ୍ଗଲ । ଉଚ୍ଚଭୂମି ଓ ଅନୁଚ୍ଚ ପାହାଡ଼ର ସବୁଜିମା ଦୃଷ୍ଟି ଆକର୍ଷୁଛି । ଡେଙ୍ଗା ଡେଙ୍ଗା ସାଗୁଆନ ଗଛଗୁଡ଼ିକ ସବୁଜିମାର ସ୍ତର ଭେଦି ମୁଣ୍ଡ ଟେକିଛନ୍ତି ଆକାଶକୁ । ଏ ସ୍ଥାନରେ ଶାଳଗଛ ନାହିଁ । ଦୂରରେ, ଲମ୍ବି ଯାଇଥିବା ବହଳ ବନାନୀର ବିସ୍ତୃତି ଭେଦି ପୂର୍ବଦିଗରେ, ବୁଦୁଗୁଡ଼ାର ପାହାଡ଼ । ସେଇ ଅନୁଚ୍ଚ ପାହାଡ଼ର ନାସି ନୁଆଁଣିଆ ହୋଇ ଉତ୍ତର–ପୂର୍ବରେ ସରଡ଼ାଗୁଡ଼ାର ପାହାଡ଼ରେ ମିଶିଗଲା ପରି ଦିଶୁଛି । ଏସବୁ ସତୀ ନଦୀର ବାମ କୂଳରେ । ବହୁଦୂରରେ ଦକ୍ଷିଣ କୂଳରେ କଣେଇଁ ହୋଇ ଦିଶୁଛି ନିଲିମାରି ଓ କୋଇଲିପାରିର ପାହାଡ଼ଧାଡ଼ି ।

 

ଅମୟ ତନ୍ମୟ ହୋଇ ଚାହିଁ ରହିଛି । ଆଖି ଧୀରେ ଧୀରେ ବୁଲି ଯାଉଛି । ଅନତିଦୂରରେ ସେହି ମହୁଲ ଗଛର ଛାଇରେ, କୁସୁମିତ ବଣମଲ୍ଲୀ ବୁଦା ପାଖରେ ବୃଦ୍ଧ ଗୋପାଳ ହାଉଲ୍‌ଦାର ଗୋଡ଼ ଲମ୍ବାଇ ବସି ଘୁଡ଼ୁଘୁଡ଼ୁ କରି ହୁକା ଟାଣୁଛନ୍ତି । ବେଳେବେଳେ ଧୂଆଁର କୁଣ୍ଡଳୀ ଆକାଶକୁ ଛାଡ଼ୁଛନ୍ତି । ଅନାଇଁ ରହୁଛନ୍ତି ମୁହୂର୍ତ୍ତେ । ସେହି କ୍ରମବର୍ଦ୍ଧମାନ ଧୂଆଁଭିତରେ ସେତକି ସେ ଅତୀତ ଜୀବନର ସ୍ୱପ୍ନ ଦେଖୁଛନ୍ତି । ଦୃଷ୍ଟି ପୁଣି ହଜି ଯାଉଛି ଆକାଶରେ ଭାସମାନ ଉଜ୍ଜ୍ୱଳ ମେଘମାଳ ଉପରେ ।

 

ଭାବୁଛନ୍ତି ପରା, ସେହି ମେଘ–ଯାନରେ ବସି କେଉଁ ଦୂରଦୂରାନ୍ତକୁ ଉଡ଼ିଯିବେ । ଦେଖି ଆସିବେ ତାଙ୍କ ଜନ୍ମଭୂମି ପୂର୍ବବଙ୍ଗର ସମତଳ କେଦାର ମାଳ, ଅଗଣିତ ନଦୀ ଓ ନାଳ । ଦେଖି ଆସିବେ ତାଙ୍କର କୁ–ପୁତ୍ର ନଗେନ୍ଦ୍ର–ନଗିମିଆଁକୁ, ଯେ କଳାପାହାଡ଼ ପରି ହିନ୍ଦୁ ମାରଣ ବା ହିନ୍ଦୁ ତାଡ଼ନପାଇଁ ହାତରେ ବନ୍ଧୁକ ଧରି ଅନ୍ୟ ଗୁଣ୍ଡାଙ୍କ ସଙ୍ଗେ ଯୋଗ ଦେଇ ରେରେକାର କରି ଧାଇଁଥିବ । ବୃଦ୍ଧ ଖୋଜି ବୁଲିବେ ସେହି ପାତଳ ଧବଳ ମେଘ–ଯାନରେ ବସି, ତାଙ୍କର ଅତି ପ୍ରିୟ ବୀର ପୁତ୍ର ବୀରେନ୍ଦ୍ରର ଅମର ଆତ୍ମାକୁ, ଯିଏ ଭଗ୍ନୀକୁ ଉଦ୍ଧାର କରିବାପାଇଁ ସମ୍ମାନକୁ ଫେରାଇ ଆଣିବାକୁ ଦେହର ଶୋଣିତ ଅକାତରେ ଢାଳିଦେଲା, ଜୀବନ ମୂର୍ଚ୍ଛିଲା ।

 

ଦେଖି ଆସିବେ କି, ତାଙ୍କର ସ୍ନେହର କନ୍ୟା ଗିରିଜାକୁ ? ଅପହୃତ ହେଲାବେଳେ ସେ ହୋଇଥିଲା ବାର ବରଷର କିଶୋରୀ, ରୂପ ଓ ଗୁଣରେ ଅମିୟର ଝିଆରୀ ଅମିତା ପରି । ଏବେ ସେ ଚବିଶବର୍ଷର ଯୁବତୀ ହୋଇଥିବ । ବଞ୍ଚିଥିବ ସତେ ? ଜାତି ଧର୍ମ ଓ କୃଷ୍ଟିର ମୁହଁରେ କଳଙ୍କ ଲଗାଇ ବଞ୍ଚିଥିବ ସେ, ହୋଇଥିବ କେଉଁ ନିର୍ମମ ଦୁର୍ଦ୍ଦାନ୍ତ ଧର୍ମାନ୍ଧ ମୁସଲମାନ ଆତତାୟୀର ମନୋହାରିଣୀ, ସନ୍ତାନଗଣଙ୍କର ଜନନୀ ? ନା, ନା, ନା–

 

ବୃଦ୍ଧ ଗୋପାଳ ମୁଣ୍ଡ ହଲାଇଲେ । ଦୃଷ୍ଟିନତ କଲେ । ଉତ୍ତେଜିତ ହୋଇ ହୁକା ଚିଲମର ମହଳଣ ନିଆଁକୁ ଫୁଙ୍କିବାକୁ ଲାଗିଲେ । ପାଉଁଶ ଉଡ଼ି ନିଆଁ ଉଜ୍ଜ୍ୱଳ ଦିଶିଲା । ହୁକାର ନାଡ଼କୁ ପାକୁଆ ପାଟି ଭିତରେ ଭରି ଘନଘନ ଶୋଷିବାକୁ ଲାଗିଲେ । ଧୂଆଁ ଉପରକୁ ନ ଛାଡ଼ି କଡ଼କୁ ଛାଡ଼ିଲେ, ସତେକି ସବୁ ଦୁଃଖ ଓ ଦୁଶ୍ଚିନ୍ତାରୁ ଉଦ୍ଧାର ପାଇବାକୁ ସେ ଧୂଆଁର ଦୁର୍ଗଭିତରେ ଆତ୍ମଗୋପନ କରିବାକୁ ଚାହାନ୍ତି ।

 

ସାନ ପୁଅ ସୁରେନ୍‌ ବଡ଼ ହୋଇଛି । ଛବିଶବର୍ଷର ଭେଣ୍ଡାପୁଅ । ଧୀରସ୍ଥିର ଶାନ୍ତ ଓ କର୍ମଦକ୍ଷ । ପୂର୍ବବଙ୍ଗରୁ ଚାଲି ଆସିଲାବେଳେ ସେ ମାଟ୍ରିକୁଲେସନ୍‌ କ୍ଲାସ୍‍ରେ ପାଠ ପଢ଼ୁଥିଲା । କ୍ୟାମ୍ପ୍‍ରୁ କ୍ୟାମ୍ପ୍‍ ବଦଳି ହେବା ଜୀବନରେ ସେ ଆଉ ପଢ଼ିପାରି ନଥିଲା । ଗୋପାଳହାଉଲ୍‌ଦାର ସବୁ କାମକୁ ନିକମା ହୋଇ ପଡ଼ିଛନ୍ତି । ଆଗେ ଘରର ଖବର ଅନ୍ତର ଯାହା ଯେମିତି ବୁଝୁଥିଲେ କିନ୍ତୁ ପୂର୍ବ–ବଙ୍ଗରୁ ଚାଲି ଆସିଲା ପରେ ସେ ତାଙ୍କର ଦୁଇ ପୁଅ ଓ ଝିଅଟିର କଥା ଭାବି ଭାବି ମଣିଷପଣିଆରୁ ରହିଲେଣି । ତନୁଜା ଯନ୍ତ୍ରଚାଳିତ ପରି ଘରର କାମ କରନ୍ତି, କିନ୍ତୁ ଅଧିକାଂଶ ସମୟରେ ତାଙ୍କର ଦେବଦେବୀଙ୍କର ଫଟୋ ଆଗରେ ବସି ସେମାନଙ୍କର ପୂଜା ଆରାଧନାରେ ନିମଗ୍ନ ରହନ୍ତି । ପ୍ରାର୍ଥନା କରନ୍ତି ମନକୁ ମନ । କ’ଣ ସେ ପ୍ରାର୍ଥନା କେବଳ ତାଙ୍କୁହିଁ ଜଣା ।

 

ତେଣୁ, ପିଲାଟି ଦିନରୁ ଘରର ସବୁ ଦାୟିତ୍ୱ ଆପେଆପେ ସୁରେନର ମୁଣ୍ଡରେ ଲଦି ହୋଇ ଯାଇଛି । ଦୁଇବର୍ଷତଳେ, କୋଣ୍ଡାଗାଁ କ୍ୟାମ୍ପ୍‍ରେ ରହଣି କାଳରେ ସେ କୋଣ୍ଡାଗାଁ ସ୍କୁଲ୍‍ରେ ନାମ ଲେଖାଇ ପୁଣି ପାଠ ଆରମ୍ଭ କରିଥିଲା । କୌଣସିମତେ ସମୟ ଦେଇ ପାଠ ପଢ଼ି ଭଲରେ ଭଲରେ ଦୁତୀୟ ଶ୍ରେଣୀରେ ମାଟ୍ରିକୁଲେସନ୍‌ ପାସ୍‌ କରିଥିଲା । ଆଉ ଅଧିକ ପଢ଼ିବାକୁ ସମୟ ନାହିଁ, ଧୈର୍ଯ୍ୟ ନାହିଁ, କି ସମ୍ବଳ ନାହିଁ । ବୃଦ୍ଧ ପିତାମାତାଙ୍କର ସେବା କରି ସେମାନଙ୍କୁ ସୁଖ ଶାନ୍ତିରେ ଚଳାଇବା ହେଲା ସୁରେନର ଜୀବନର ବ୍ରତ । ସେମାନଙ୍କୁ ଛାଡ଼ି ସେ ଅନ୍ୟ କେଉଁଠିକି ଯାଇ ପାରିବନାହିଁ ।

 

ଗୋପାଳ ହାଉଲ୍‌ଦାରଙ୍କର କୁଟୁମ୍ବ ଓ ଅମିୟ ମଣ୍ଡଳର କୁଟୁମ୍ବ ସମଦୁଃଖୀ ବୋଲି ପରସ୍ପର ପାଖକୁ ଟାଣିହୋଇ ଆସିଛନ୍ତି । ଗୋପାଳ ଓ ତାଙ୍କର ପତ୍ନୀ ତନୁଜାଙ୍କୁ ଅମିୟ ଭକ୍ତିକରେ-। ସୁରେନକୁ ସେ ସ୍ନେହ କରେ । ସେମାନେ ମଧ୍ୟ ଅମିୟ, ଅନିମା ଓ ଅମିତାକୁ ଭଲ ପାଆନ୍ତି, କିନ୍ତୁ ସ୍ନେହ ସୁଆଗ ଦେଖାଇ ହୁଅନ୍ତି ନାହିଁ ।

 

ଅମିୟ ବୃଦ୍ଧ ଗୋପାଳଙ୍କୁ କଣେଇଁ ଚାହିଁଲା । ସେ ନୀରବ ହୋଇ ହୁକା ଟାଣୁଛନ୍ତି, କ’ଣ ସବୁ ଭାବୁଛନ୍ତି । କାହିଁକି ସେ ଅସ୍ଥାୟୀ କ୍ୟାମ୍ପ୍‌ ଛାଡ଼ି ସତୀ ଓ ତମସାର ସଙ୍ଗମସ୍ଥଳ ଦେଖିବାକୁ ଧାଇଁ ଆସିଥିଲେ ? ଅରଣ୍ୟ ପଥରେ ଆସୁ ଆସୁ ସେ କହିଥିଲେ, ସେହି ସଙ୍ଗମସ୍ଥଳ ଦିନେ ହେବ ନୂତନ ପ୍ରୟାଗ, ଗଙ୍ଗା ଓ ଯମୁନାର ମିଳନସ୍ଥଳ ପରି । କେଉଁଠି ମୋର ଜନ୍ମ ହେ ଅମିୟ, କିନ୍ତୁ ଏହି ମାଲକାନଗିରିରେ ମୁଁ ମୋର ଶେଷ ନିଃଶ୍ୱାସ ତ୍ୟାଗ କରିବି । ସମୟ ପାଖେଇ ଆସୁଛି । ମୋର ଗୋଟିଏ ଅନୁରୋଧ ଅଛି ବାବୁ, ରକ୍ଷା କରିବ ?

 

କି ଅନୁରୋଧ ଗୋପାଳବାବୁ ?

 

ଛୋଟ ଅନୁରୋଧଟିଏ । ଦେଖ, ଏଇ ଆମର ନୂତନ ପ୍ରୟାଗ ! ଗଙ୍ଗା–ଯମୁନା ନୁହେଁ, ସତୀ ଓ ତମସାର ସଙ୍ଗମସ୍ଥଳ । ଏଇଠି ମୋର ଜଡ଼ ଦେହଟାକୁ ପୋଡ଼ି ପାଉଁଶ କରିବ । ସେହି ପାଉଁଶକୁ ସତୀ ନଦୀର ପ୍ରବାହରେ ଭସାଇ ଦେବ । ଏତକ କଲେ ସେହି ପାଉଁଶ ଆପେଆପେ ଚାଲିଯିବ ପଟେରୁ ନଦୀକୁ । ପଟେରରୁ ପ୍ରବାହ ତାକୁ ମିଶାଇବ ଶବରୀ ନଦୀର ଜଳରେ । ଶବରୀ ମୋର ଶରୀରର ଶେଷ ଅଂଶ ପାଉଁଶରୁ ଟିକିଏ ସିଲେରୁ ସଙ୍ଗମକୁ ନେବ । ସେ ଯିବ ସାନ ଗୋଦାବରୀରେ, ମିଶିବ ପୁଣ୍ୟତୋୟା ଗୋଦାବରୀର ପ୍ରବାହରେ । ଆପେଆପେ ସେ ସମୁଦ୍ରକୁ ଚାଲିଯିବ, ସେହି ବଙ୍ଗୋପସାଗରକୁ, ଯେଉଁଠିକୁ ଗଙ୍ଗା–ଯମୁନା ସଙ୍ଗମସ୍ଥଳ ପ୍ରୟାଗ କ୍ଷେତ୍ରରୁ ମଧ୍ୟ ମରଦେହର ଅବଶେଷ ଚାଲିଯାଏ ।

 

ଅମିୟ ହସିଥିଲା । ଉତ୍ତର ଦେଇଥିଲା, ଏତକ କଲେ ସତରେ ଯଦି ଆପଣଙ୍କର ବ୍ୟଥିତ ଆତ୍ମାର ସଦ୍‌ଗତି ହେବ ବୋଲି ଆପଣଙ୍କର ମନରେ ବିଶ୍ୱାସ ଆସିଛି, ତେବେ ତାହାହିଁ କରାହେବ, କିନ୍ତୁ ଆପଣ ଏତେ ଶୀଘ୍ର ଖସି ଯିବେ ନାହିଁ ଏହା ମୁଁ ଜାଣେ । ସୁରେନକୁ ନୂଆ ଦେଶରେ ସଂସାରୀ କରାଇ ତା’ପରେ ଯିବା ନ ଯିବା କଥା ବିଚାର କରିବେ ।

 

ଉତ୍ତର ଶୁଣି ଗୋପାଳ ନୀରବ ହୋଇଥିଲେ । ସେତିକିବେଳୁ ସେ ଚିନ୍ତିତ ।

 

ଅମିୟ ଭାବିବାକୁ ଲାଗିଲା, ବିପିନ୍‍ କର୍ମକାର ଓ ସାଧନ ମିସ୍ତ୍ରି କ’ଣ ସତୀନଦୀର ଜଳରୁ ଉଠିବେ ନାହିଁ ? କେତେବେଳଯାଏଁ ଖିଅ ଜାଲ ପକାଇ ଛୋଟ ଛୋଟ ମୀନ ଧରୁଥିବେ ? ସେହି ଉଦ୍ଦେଶ୍ୟରେ ସକାଳୁ ଉଠି ସେମାନେ ସତୀନଦୀକୁ ଆସିଥିଲେ । ଛୋଟ ଛୋଟ ମାଛରେ ଟୋକେଇ ଅଧା ହୋଇଛି । ବିପିନ୍‍ଙ୍କର ପ୍ରତିଜ୍ଞା ଯେ ଟୋକେଇ ପୂର୍ଣ୍ଣ ନ କରି ସେମାନେ କ୍ୟାମ୍ପ୍‍କୁ ଫେରିବେ ନାହିଁ ।

 

ସାଧନ ସନ୍ନ୍ୟାସୀ ଯେ ମାଛରଙ୍କା । ପତ୍ନୀ କମଳା ଓ ଦୁଇ ପୁଅ ଖେନ୍ଦା, ବିନ୍ଦା ଏବଂ ସାନ ଝିଅ ବିନ୍ଦୁଙ୍କୁ ବିକ୍ରି କରି ସେ ମାଛ ଖାଇବାକୁ ରାଜି ହେବେ । ସେଥିପାଇଁ କମଳାଙ୍କ ପାଖରୁ ଭର୍ତ୍ସନା ଶୁଣନ୍ତି, ଛଳ କରନ୍ତି ନାହିଁ କି ଉତ୍ତର ଦିଅନ୍ତି ନାହିଁ । ପଥର ପରି ସେ ନିଶ୍ଚଳ ଓ ନିର୍ବିକାର । କମଳାଙ୍କର ଭର୍ତ୍ସନାର ତୋଫାନ ସେହି ହସହସ ପଥର ଦେହରେ ବାଜି ଫେରେ ତାଙ୍କରି ନିଜ ଉପରକୁ । କ୍ରୋଧରେ ସେ ନିଜେ ଥରନ୍ତି । ତାଙ୍କର କେଶ ଖୋଲେ, ଅସମ୍ଭାଳ ବାସ ଖସେ । ସେ ତୀକ୍ଷ୍ଣ ସର ପେଶନ୍ତି, ନିର୍ଲଜ୍ଜ, ଭଣ୍ଡ ସନ୍ନ୍ୟାସୀ, ପରର ନିଃସହାୟା ଘରଣୀକୁ ପାଦସେବା କରାଇ ମାଳା ଧରାଇ ରାଧାକୃଷ୍ଣ ଜପାଇଲ, ନିରିମାଖୀ ଅନୁଗତ ଶିଷ୍ୟାକୁ ଗୃହିଣୀ କଲ, ନରକରେ ଘାଣ୍ଟିଲ ।

 

ପଥର ତରଳେ । ଧୀରେ ଧୀରେ ସାଧନ ମୁଣ୍ଡ ଟେକନ୍ତି । ଅଳପ ହସି ଦାଢ଼ି ନିଶ ଆଉଁସି ଉତ୍ତର ଦିଅନ୍ତି, ମୋର ତ ମନେ ହୁଏ, ଦେବରାଜ ଇନ୍ଦ୍ର କୂଟକପଟ କରି ଛଦ୍ମବେଶରେ ଉର୍ବଶୀଙ୍କୁ ପଠାଇ ସାଧନର ସାଧନା ଭଙ୍ଗକଲେ । ଉର୍ବଶୀ କଳିଯୁଗରେ ଶିଷ୍ୟତ୍ୱ ବରଣ କରି ଇନ୍ଦ୍ର ପଥ ପ୍ରାର୍ଥୀ ଗୁରୁବେଦଙ୍କୁ ଗୃହସ୍ଥ କରାଇଲେ । ଇନ୍ଦ୍ର ନିଜକୁ ନିରାପଦ ମଣିଛନ୍ତି, କିନ୍ତୁ ବେଶୀ ଦିନ ସେ ନିଶ୍ଚିନ୍ତରହି ପାରିବେ ନାହିଁ କମଳା, ପୁଣି ମେନକାଙ୍କୁ ପଠାଇବାକୁ ଚିନ୍ତା କରିବେ । ଦେଖୁଛତ, ତୁମେ ଯେତେ ପ୍ରତିବନ୍ଧକ ଆଣି ସାଧନ ସନ୍ନ୍ୟାସୀ ଆଗରେ ଥୋଇଲେ କି ହେବ, ସେ ହରିନାମ କୀର୍ତ୍ତନ ଛାଡ଼ି ନାହିଁ କି ଛାଡ଼ିବ ନାହିଁ ।

 

ସାଧନ ମିସ୍ତ୍ରି ତାଙ୍କଏ ଏକ–ତାରା ବାଦ୍ୟଯନ୍ତ୍ରଟି ହାତରେ ଧରି ଅରଣ୍ୟକୁ ଯାଇ ହରିନାମ କୀର୍ତ୍ତନ କରନ୍ତି । କେବେ ବାଳ ଗୋପାଳ ରୁଣ୍ଡ ହୁଅନ୍ତି ତାଙ୍କ ପାଖରେ । ପାଳି ଧରନ୍ତି । କମଳା ଗର୍ଜନ କରନ୍ତି । ପାଟି ଘୋଳି ହେଲେ ତୁନି ହୁଅନ୍ତ । ଗୃହକର୍ମରେ ମନ ଦିଅନ୍ତି । ରୋଷେଇ ସରିଲେ କେଉଁ ପିଲାକୁ ପଠାଇ ମଣୋହି କରିବାକୁ ପତି–ପରମ–ଗୁରୁଙ୍କୁ ଡକାଇ ଆଣନ୍ତି । ପାଖରେ ବସି ଭୋଜନ କରନ୍ତି । କମଳାଙ୍କରହିଁ ମାଛ–ମହୁର ଖାଇବାକୁ ମନ ହୋଇଛି । ସେହି କଥା ସାଧନ ମିସ୍ତ୍ରି ବଡ଼ି ସକାଳୁ ବିପିନ୍‍ଙ୍କ ଆଗରେ ଗୁପ୍ତରେ ପ୍ରକାଶକଲେ । ବିପିନ୍‍ ଡାକିଲେ ଅମିୟକୁ । ବୃଦ୍ଧ ଗୋପାଳବି ସଙ୍ଗରେ ବାହାରିଲେ ।

 

କେବେ କେମିତି ମାଲକାନଗିରିରେ ବଡ଼ ହାକିମମାନଙ୍କର ମନ୍ତ୍ରଣା–ସଭା ବସେ । ସେମାନେ କ’ଣ ବିଚାରନ୍ତି, କ’ଣ କରନ୍ତି କେବଳ ସେହିମାନଙ୍କୁ ଜଣା, ତେବେ ହାକିମମାନେ ଯେ ଆସୁଛନ୍ତି ଏ ଖବର କେହି ପ୍ରଚାର ନ କଲେବି ଆପେଆପେ ଜଣା ପଡ଼ିଯାଏ । ତଳିଆ କର୍ମଚାରୀମାନେ ତତ୍ପର ହୋଇ ଉଠନ୍ତି । ଅସ୍ଥାୟୀ କ୍ୟାମ୍ପ୍‍କୁ ଧାଁଧପଡ଼ କରନ୍ତି ।

 

ଆଗ ଆସନ୍ତି ସ୍ଥାନୀୟ ଉପରିକ । ସେ ସରଳ ସାଧାସିଧା ମଣିଷ, ସମସ୍ତେ ଯେପରି ତାଙ୍କର ଆପଣାର ଲୋକ । ଘୃଣା ନାହିଁ, ସଂକୋଚ ନାହିଁ । ପ୍ରତି ଟେଣ୍ଟ୍ ଭିତରେ ସେ ପଶନ୍ତି । କେବଳ ଗୋଟିଏ କୁଟୁମ୍ବର ନୁହେଁ, ପ୍ରତି କୁଟୁମ୍ବର ଜଣ ଜଣଙ୍କର ଭଲମନ୍ଦ ଖବର ବୁଝନ୍ତି, ଉପଦେଶ ଦିଅନ୍ତି । ଅସୁବିଧାକୁ ସୁଧାରିବାକୁ ଚେଷ୍ଟା କରନ୍ତି । ପର ପିଲାଙ୍କୁ ସେ ସ୍ନେହ କରନ୍ତି । ଘର ଭିତରର ଓ ବାହାରର କଜିଆ ଭାଙ୍ଗନ୍ତି । ସମସ୍ତଙ୍କର ଭକ୍ତି ଓ ବିଶ୍ୱାସ ସେ ଅର୍ଜନ କରିଛନ୍ତି ।

 

ଧାଇଁ ଆସନ୍ତି ଡାକ୍ତରବାବୁ, ସଙ୍ଗରେ କମ୍ପାଉଣ୍ଡର ଓ ନର୍ସ । ଡାକ୍ତରୀ ଔଷଧ ଓ ଯନ୍ତ୍ରପାତିଭରା ବଡ଼ ମେଡ଼ିକାଲ ଭ୍ୟାନ୍‌ ଗାଡ଼ିଟି ଜୟପୁର କି କୋଣ୍ଡାଗାଁରୁ ଧାଇଁ ଆସିଥାଏ । ତତ୍ପର ଡାକ୍ତର ସବୁ ରୋଗୀଙ୍କୁ ପରୀକ୍ଷା କରନ୍ତି, ଔଷଧ ଦିଅନ୍ତି । ଭିଟାମିନ୍‌ ବଟିକା ବଣ୍ଟନ କରନ୍ତି । ସେ ଅଳ୍ପଭାଷୀ ଓ ମିଷ୍ଟଭାଷୀ । ରୋଗ ଓ ରୋଗୀଙ୍କର ଖବର ସେ ବୁଝନ୍ତି, କାହାରି କୁଟୁମ୍ବର ଘରୋଇ ଘଟଣା ସେ ବୁଝିବାକୁ ଚାହାନ୍ତି ନାହିଁ । ଉପରେପଡ଼ି ଉତ୍ୟକ୍ତ ହୋଇ କିଏ କ’ଣ କହିଲେ ସେ ଧୈର୍ଯ୍ୟଧରି ଶୁଣନ୍ତି । ଉତ୍ତର ନ ଦେଇ ଉଠନ୍ତି ।

 

ନଳ–କଳ ପରୀକ୍ଷା କରିବାକୁ ଆସନ୍ତି ଜଣେ ଦାଢ଼ିଆ କର୍ମଚାରୀ । ତାଙ୍କର କାମ କରି ସେ ବାହୁଡ଼ନ୍ତି । ଆସନ୍ତି ପୁଣି ମାଛ ଓ କୁକୁଡ଼ାଚାଷ ଯୋଜନାକାରୀ ଜଣେ କର୍ମଚାରୀ । ମାସେ ଦେଢ଼ ମାସରେ ତାଙ୍କର ଦେଖା ଦର୍ଶନ ମିଳେ । ଆଉ କେଉଁ ଅଞ୍ଚଳରୁ କି ଜୟପୁର, ଜଗଦଲପୁର, କୋଣ୍ଡାଗାଁ ଅଥବା ରାୟପୁରରୁ କି ଆଉ କେଉଁଠୁଁ ମାଛ ଭ୍ୟାନ୍‍ରେ ବୋଝେଇ କରି ସେ ବଡ଼ବଡ଼ ମାଛ ଆଣନ୍ତି । ଶସ୍ତା ଦରରେ ଆଶ୍ରୟ ପ୍ରାର୍ଥୀ କୁଟୁମ୍ବମାନଙ୍କୁ ବିକ୍ରି କରନ୍ତି । ଆଶ୍ୱାସନା ଦିଅନ୍ତି ଯେ ଏହି ମାଲକାନଗିରିରେ ପ୍ରତି ଗ୍ରାମରେ ଦିନେ ମାଛ ଚାଷ କରାଯିବ । ପ୍ରତିଦିନ ଏହିପରି ମାଛ ମିଳିବ । ଅପେକ୍ଷା କର, ଧୈର୍ଯ୍ୟ ଧର, ସମୟ ଆସୁଛି । ସେ ସୁସମୟ ଆସିବାଯାଏ କୁକୁଡ଼ା ପାଳନ କର । ଖବର ଅଳ୍ପ, ଲାଭ ଅଧିକ । ସେମାନେ ତାଙ୍କର ବଢ଼ିବେ । ଟିକିଏ ନଜର ରଖିଲେ ହେଲା ।

 

ବଡ଼ବଡ଼ ରୋହି ଓ ଭାକୁଡ଼ ମାଛ ଦେଖି ସାଧନ ସନ୍ନ୍ୟାସୀଙ୍କର ପାଟିରୁ ଲାଳ ବହେ । ଡହଳବିକଳ ହୋଇ ମାଛଗାଡ଼ି ପାଖରେ ବାଆଁରେଇ ହୋଇ ଳଙ୍ଗର ପଙ୍ଗର ହୁଅନ୍ତି । ମନର କାମନା କମଳାଙ୍କୁ କହିବାକୁ ସାହସ ହୁଏନାହିଁ । ସେ ବିରକ୍ତ ହେବେ, ଧିକ୍‌କାରି କହିବେ, ଜିଭର ଲୋଭକୁ ଆୟତ୍ତ ନ କଲେ ପିଲା ତିନିଟା ବାଟରେ ଠିଆ ହେବେ । ମାଛ ନହେଲେ କ’ଣ ଭାତଗୁଣ୍ଡା ତଣ୍ଟିରେ ଗଳିବ ନାହିଁ ? ସାଧନ ସନ୍ନ୍ୟାସୀ ତୁନି ହୋଇ ନିଜ ଟେଣ୍ଟ୍‍କୁ ଫେରନ୍ତି । ଖେନ୍ଦା, ବିନ୍ଦା ଓ ବିନ୍ଦୁଙ୍କୁ ଚାଲିଆସିବାକୁ କହନ୍ତି ।

 

କମଳା ପଚାରନ୍ତି, ଫେରିଆସିଲ ଯେ ?

 

ସାଧନ ମିସ୍ତ୍ରି ଉତ୍ତର ଦିଅନ୍ତି, ଦେଖି ଆସିଲି, ବେଶ୍‌ ଭଲ ମାଛ, ପାଟି ଓ ପେଟ ଲାଲ୍‌ ଦିଶୁଛି । ଆକାରରୁ ଜଣାଯାଉଛି ଭଲ ଚିକଣା ହୋଇଥିବ । ଭାବିଲି, ଲୋଭସମ୍ବରଣ କରିବାକୁ ହେବ । ଜିହ୍ୱାକୁ ଆୟତ୍ତାଧୀନ ନ କଲେ, କାମନାକୁ ପ୍ରଶ୍ରୟ ଦେଲେ, ଜୀବ କେବଳ ମାୟାରେ ଛଟପଟ ହେବ । ଜୀବର ମୁକ୍ତି ହୋଇ ପାରିବ ନାହିଁ । ଏହା ଛଡ଼ା, ଜିହ୍ୱାର ଆନନ୍ଦ କରିବାକୁ ଆଗ୍ରହ କଲେ ଯଥେଷ୍ଟ ମୂଲ୍ୟ ଦେବାକୁ ହେବ । ଅଭାବର ସଂସାର– ।

 

କମଳା ଗର୍ଜି ଉଠନ୍ତି, ଦେଖୁଛ ଅମିୟ, ଶୁଣୁଛୁ ଅନିମା, ଭଲ ସାଧନ ସନ୍ନ୍ୟାସୀ ମାଛ ଛାଡ଼ି, ଜିଭକୁ ଆୟତ୍ତ କରି, କାମନାକୁ ଦମନ କରି ମୁକ୍ତିଲାଭ ପାଇଁ ଧର୍ମ ଓ ଗୃହ ସଂସାରପାଇଁ ଅର୍ଥ ସଞ୍ଚୟ କରିବାକୁ ଚାହାନ୍ତି । ମୁଁ ଖାଲି ଏଇ ସଂସାରର ମାୟାକୁଣ୍ଡରେ ଘାଣ୍ଟି ହେଉଥିଲି ନା ? ତୁମର ମୁକ୍ତି ମୁଁ କରାଇ ଦେବିନାହିଁ । ଭତ୍ତାର ପରିମାଣ କମିଯିବ ।

 

ଭଲ ମାଛ ଟିଏତ ଆଣିଛ ଅମିୟ ! ଆଗୋ ସନ୍ନ୍ୟାସୀ, ଶୁଣୁଛ, ସମସ୍ତଙ୍କ ଘରେ ମାଛ ତିଅଣ ହେବ । ସବୁ ପିଲାଏ ଖାଇବେ, ଆଉ ମୋ ପିଲାଏ ଡାଆଁଣାଙ୍କ ପରି ଏପାଖ ସେପାଖ ହୋଇ ବାସନା ଶୁଙ୍ଘି ମନ ମାରି ଘରେ ପଶିବେ ? ନେରେ ଖେନ୍ଦା, ଏ ପାଞ୍ଚଟଙ୍କିଆ ନୋଟ୍‌, ସବୁଠୁ ବଡ଼ ମାଛଟା ତୁ ଆଣିବୁ ।

 

ଖେନ୍ଦା ପାଞ୍ଚଟଙ୍କିଆ ନୋଟ୍‌ ଧରି ସାଧନଙ୍କ ମୁହଁକୁ ଅନାଏଁ । ସେ ଜାଣେ ଯେ ତା’ର ପିତାଙ୍କର ଆସନ ଟଳିବ । ଟଳେ । ସାଧନମିସ୍ତ୍ରି ଦାଢ଼ି ସାଉଁଳି ଉଠନ୍ତି । କହନ୍ତି, ଆରେ ଖେନ୍ଦା, ତୋର ମାଆଙ୍କର ମାଛ ଖାଇବାକୁ ମନ ହୋଇଛି । ଚାଲ୍‌ ଚାଲ୍‌, ମୁଁ ଚିହ୍ନି ଦେବି, ବାଛି ଦେବି ଅସଲ ତେଲିଆ ମାଛ ।

 

ଅମିୟ ହସିହସି ନାୟାନ୍ତ ହୁଏ । ତା’ ହସର ସଂକ୍ରାମକ ଡିଏଁ ଅନିମାଙ୍କ ଆଖିକୁ ଓ ଅମିତାର ଓଠକୁ ।

 

ଅମିୟର ହସ ଥମେ । ସେ ଗମ୍ଭୀର ହୁଏ । ସହସା ମନରେ ଛୁଟେ ଅନୁତାପର ଝଡ଼ । ତା’ ମନ ଚିତ୍କାର କରେ, ସବୁ ମଣିଷ ଜଣ ଜଣ ହୋଇ ମାୟାବୀ, ସମସ୍ତେ କୁହୁକ କରନ୍ତି । ନିଜର ସ୍ୱରୂପକୁ ପ୍ରାଣପଣେ ଗୋପନ କରି ଅନ୍ୟରୂପରେ ଦୁନିଆ ଆଗରେ ନିଜକୁ ଠିଆ କରନ୍ତି, ପରିଚୟ ଦିଅନ୍ତି । ଅନ୍ୟକୁ ଠକିବାକୁ ଆଗଭର ହୋଇ ନିଜକୁ ଠକି ଠକି ଚାଲନ୍ତି କ’ଣ ସେ ନିଜେ, ଆଉ କ’ଣ ତା’ର ସ୍ନେହମୟୀ ଭ୍ରାତୃଜାୟା ?

 

ସମସ୍ତେ ପ୍ରତାରକ । ଜଣ ଜଣ ହୋଇ ସମସ୍ତେ ପ୍ରହେଳିକା ।

 

ଅମିୟ ଭାବିବାକୁ ଲାଗିଲା, ବିପିନ୍‍ କର୍ମକାର ମଣିଷଟି ଅବୋଧ୍ୟ । ଗୃହ ସଂସାର ଥାଇ ମଧ୍ୟ ସେ ଯେପରି ଅଘରୀ । ଚିନ୍ତା ଦକ ନାହିଁ । ପତ୍ନୀ ଓ ସନ୍ତାନଙ୍କର ମରଣ ପରେ ବେଶୀ ଦିନ ସେ ଦୁଃଖ କରି ନାହାନ୍ତି । କେହି ସେମାନଙ୍କର କଥା ଉଠାଇଲେ ନିର୍ବିକାର ହୋଇ ବିପିନ୍‍ ଉତ୍ତର ଦିଅନ୍ତି, ଯାହା ହେବାର ହୋଇ ଯାଇଛି । ସେମାନେ ଆଉ ଫେରିବେ ନାହିଁ କି ମୋର ଆଦର ଯତ୍ନ ଖୋଜିବେ ନାହିଁ । ସୌମେନ୍ ବଡ଼ ହୋଇଛି, ବୁଢ଼ୀମାଙ୍କର ଯତ୍ନନେଇ ପାରୁଛି । ମୁଁ ନିଶ୍ଚିତ । ଚାରିଅକ୍ଷର ପଢ଼ିଛି ସୌମେନ୍‌, ସେଇ ଯଥେଷ୍ଟ । ସବୁ କାମକୁ ଧୁରନ୍ଧର ସେ, ପେଟ ପୋଷି ପାରିବ ।

 

ସବୁ ଘରକୁ ତାଙ୍କର ଅବାଧ ଗତି । କାହାଘରେ କ’ଣ ଘଟୁଛି ସବୁ ଖବର ସେ ରଖନ୍ତି । ସମସ୍ତଙ୍କର ଜୀବନର ସୁଖଦୁଃଖର କାହାଣୀ ସେ ଜାଣନ୍ତି । ବେଳେବେଳେ ଭରସି କରି ମୁଣ୍ଡ ଗଳାଇବାକୁ ଚେଷ୍ଟା କରନ୍ତି । ଚିମୁଟା ଓ ଚୁଟିଟଣା ଖାଇ ଓହରି ଆସନ୍ତି । ଗାଳିମନ୍ଦ ଶୁଣିଲେ ହସି ଦିଅନ୍ତି । ଅପମାନିଆ କଥାକୁ ଛଳ ନଥାଏ । ମାଛି ପରି ସେ ଗୁରେଇ ତୁରେଇ ହୁଅନ୍ତି, ଯେଉଁଠି ବ୍ରଣ ଥାଏ, ମଇଳା ଥାଏ, ଗନ୍ଧ ଥାଏ । କିଛି ନଥିଲେବି ସେ ଭଲ ଥାନରେ ବସନ୍ତି । ଯେତେ ହୁରୁଡ଼ାଇଇେ କ’ଣ ହେବ, ସେ ପୁଣି ଉଡ଼ିଆସି ଦେହରେ ମୁହଁରେ ବସିବେ । ଥାପଡ଼ ମାରିଲେ ତମ ଥାପଡ଼ ତମଠିହିଁ ବାଜିବ । ଟିକିଏ ଦୂରେଇ ଯାଇ ସେ ପୁଣି ଫେରି ଆସିବେ ।

 

ଶରଣ ପଶି ଲୋକେ କହିବେ, ବିପିନ୍‍ ଲିଡ଼ର୍ ଅଖଳା ମଣିଷ, ଆମର କାମଟା ସେ କରିଦେଇ ପାରିବେ । ମୁହଁ ଖୋଲିଲେ ବିପିନ୍‍ ଲିଡ଼ର୍ ଅନ୍ୟର କାମ କରିବାକୁ କି କରାଇବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ସେଥିପାଇଁ ହାତରୁ ଦି’ଟଙ୍କା ଖରଚ କରିବାକୁ ସେ କୁଣ୍ଠିତ ନୁହନ୍ତି । ଘରେ ଘରଣୀ ନାହାନ୍ତି ଯେ ପଦେ ପ୍ରଶ୍ନ ପଚାରିବେ, ମୁହଁ ଶୁଖାଇ କଜିଆ କରିବେ, ବଦନାମ ରଟାଇବେ-

 

ମା’ ବେଲାରାଣୀ ଟଙ୍କା କଉଡ଼ିପାଇଁ ବ୍ୟସ୍ତ ନୁହନ୍ତି । ସେ କେବଳ ଚାହାନ୍ତି, ବିପିନ୍‍ ସଂସାର କରୁ, ଆଉ ଗୋଟିଏ ଘରଣୀ ଘରକୁ ଆଣୁ । ତାଙ୍କ ଆଖିରେ କାଲିକାର୍‌ ପିଲାଟାତ ବିପିନ୍‍, ସତେକି ତା’ର କୁଆଁରଡ଼ି ବେଲାରାଣୀଙ୍କ କାନରେ ବାଜି ଯାଉଛି ।

 

ସତୀନଦୀ କୂଳ ଖଣ୍ଡିର ତଳୁ ବିପିନ୍‍ ଓ ସାଧନଙ୍କର ପାଟି ଶୁଭୁଛି । ପାଣି ଚବଚବ ହେଉଛି । ସେମାନେ ଅମିୟକୁ ଦେଖାଯାଉ ନାହାନ୍ତି । ସେମାନଙ୍କର ମାଛଧରା ଶେଷ ହୋଇନାହିଁ । ଅମିୟ ପଥର ଚଟାଣ ଉପରୁ ଉଠି ଗୋପାଳ ହାଉଲ୍‌ଦାରଙ୍କ ପାଖକୁ ଆସିଲା । ଗୋପାଳଙ୍କର ହୁକା ଚିଲମରୁ ନିଆଁ ଲିଭି ସାରିଥିଲା । ତଥାପି, ସେ ଫୁଙ୍କୁଥିଲେ । ଅମିୟକୁ ଦେଖି ସେ ହୁକାରୁ ଚିଲମ କାଢ଼ି ତଳେ ଅଜାଡ଼ିଲେ । ହୁକାଟିକୁ ପାଖ ପଥରକୁ ଆଉଜାଇଲେ । କହିଲେ, ଖରା ତେଜ ଟାଣ ହେଲାଣି, ଏବଯାଏଁ ସେ ଦିହେଁ ମାଛ ଧରୁଛନ୍ତି, ନ ଡାକିଲେ ପାଣିରୁ ଉଠିବାକୁ ମନ କରିବେ ନାହିଁ । କାହିଁକି ଜାଣ କି ଅମିୟ ?

 

ଅମିୟ ପାଖରେ ବସି କହିଲା, ଜାଣେ ଗୋପାଳବାବୁ ମାଛଧରା ଗୋଟାଏ ନିଶା । ଜାଲ ହେଉ କି ବନଶି ହେଉ, ମାଛ ପଡ଼ୁଥିବାଯାଏ ଉଠିବାକୁ ମନ ହୁଏନାହିଁ । ସେମାନେ ପାଣିରେ ପଶିଛନ୍ତି । ଖରା ତେଜ ବାଧୁନାହିଁ ।

 

ଠିକ୍‌ କହିଛ ଅମିୟ, ଏଥର ସେମାନଙ୍କୁ ଡାକ । ଆଜି ସେତିକି ଥାଉ । ଆଉ କେବେ ପୁଣି ଆସିବେ । ଅଧିକ ବିଳମ୍ବ ହେଲେ ମୋତେ ଖୋଜିବାକୁ ସୁରେନ୍ ଧାଇଁ ଆସିବ । ତମର ବୁଢ଼ୀ ଭାଉଜ ତନୁଜା ସବୁବେଳେ ମୋର ବିପଦ ଆଶଙ୍କା କରି ନିଜେ ତ୍ରସ୍ତ ହୁଅନ୍ତି । ଅରଣ୍ୟକୁ ତାଙ୍କର ଭୀଷଣ ଭୟ । ଏ ଅରଣ୍ୟବି ଭୟଙ୍କର ମନେ ହେଉଛି । କିଏ କହିବ, ବିପଦ କେଉଁଠି ଲୁଚିଛପି ଥିବ, ଅଚାନକ ବାହାରି ପଡ଼ିବ ।

 

ଅଣତିରିଶ

 

ଅମିୟ ନଈ ସେପାରିକୁ ଅନାଇଁ ରହିଲା । ଦଳେ ଆଦିବାସୀ ଝିଅ, ସବୁ ବୟସର, ହସଖୁସିରେ ଗପକରି ବଣ ଭିତରେ ପତ୍ରଗହଳି ଆଡ଼େଇ ଆଡ଼େଇ ଆସୁଣୁ ଖୋଲା ଜାଗା ଦେଖି ଆରପାଖରେ ଅଟକି ଗଲେ । ମାଛଧରା ଦେଖି ପାଣିକୁ ଅନାଇଁ ରହିଲେ ।

 

ସତୀ ନଦୀର ପ୍ରସ୍ଥ ସେଠାରେ ଶହେ ଫୁଟ୍‍ରୁ ଅଧିକ ହେବ ନାହିଁ । ତିଖ ଖଣ୍ଡି । ଗୋଟିଏ ସ୍ଥାନରେ ନଈ ଭିତରକୁ ବାଟ ପଡ଼ିଛି । ବଳାଗଣ୍ଠିଏ ପାଣିର କ୍ଷୀଣ ଧାର ନଦୀଗର୍ଭର ସାନବଡ଼ ଅଗଣିତ ପଥର ଭିତରେ, ବାଲିଶଯ୍ୟା ଉପରେ ବଙ୍କେଇ ବଙ୍କେଇ ଗଳିଗଳି କଳକଳେଇ ଖଣ୍ଡେଦୂର ତଳେ ଛୋଟ ପାହାଡ଼ର କାନ୍ଥ (…..) ପାଦଦେଶରେ, ତମସାର ଝିରିଝିରି ଝରଣାକୁ କୋଳ କରିବାକୁ ନାଚି ନାଚି ଗଡ଼ି ଚାଲିଛି ।

 

ଉପର ଧାରରେ, ନଦୀକୂଳ ତଳେ, ଛେକିଲା ପଥରମାଳର କୋଳମାନଙ୍କର ଅଣ୍ଟାଏ, ଛାତିଏ, କେଉଁଠିବା ପୁରୁଷେ ପାଣି । ସାନବଡ଼ ମାଛ ସେହିସବୁ ଗଣ୍ଡମାନଙ୍କରେ ଆଶ୍ରା ନେଇଛନ୍ତି । ଅମିୟ, ବିପିନ୍‍ ଓ ସାଧନ ସେହି ଗଣ୍ଡମାନଙ୍କରେ ଜାଲଟାଣି ମାଛ ଧରୁଥିଲେ । ଅମିୟ ଉଠି ଆସିଛି-। ଆରଦିହେଁ ଆହୁରି ମାଛ ଧରୁଛନ୍ତି । ଲୋଭର ଉପଶମ ହୋଇ ନାହିଁ ।

 

ଆଦିବାସୀ ଝିଅଟିମାନେ ଠିଆହୋଇ ମାଛଧରା ଦେଖୁଛନ୍ତି ପରା !

 

ଅମିୟ କହିଲା, ଦିନବେଳା ଆପଦ ବିପଦ ନାହିଁ ଗୋପାଳବାବୁ, ନିଶାଚର ହିଂସ୍ରଜନ୍ତୁମାନେ ରାତି ପାହିବା ଆଗରୁ ନିଜ ନିଜର ଗୁହାକୁ କି କେଉଁ ନିଘଞ୍ଚ ଅରଣ୍ୟ ମଝିର ବାସସ୍ଥାନକୁ ଫେରି ଯାଇଥିବେ । ଦେଖୁଛନ୍ତି ତ, କେଡ଼େ ନିର୍ଭୟରେ ସେହି ଝିଅଟିମାନେ ପେଟପାଟଣାର ବ୍ୟବସ୍ଥା କରିବାକୁ ଅରଣ୍ୟ ଭିତରେ ବିଚରଣ କରୁଛନ୍ତି ? ହିଂସ୍ରଜନ୍ତୁଙ୍କୁ ସେମାନଙ୍କର ଡର ନାହିଁ । ସରଳ ସେମାନେ, ଡରନ୍ତି କେବଳ ସଭ୍ୟ ମଣିଷ ଦଳକୁ, ଅର୍ଥାତ୍‌, ଆମରି ପରି ବୁଦ୍ଧିଆ କୁଚକ୍ରୀ ହସହସ କଅଁଳକୁହା ଦିଗୋଡ଼ିଆ ଜାନୁଆରଙ୍କୁ ।

 

ବୃଦ୍ଧ ଗୋପାଳ ପାକୁଆ ପାଟି ଅଳପ ଖୋଲି ମୁଣ୍ଡ ଟେକି ନଈ ସେପାରିକୁ ଚାହିଁଲେ । ଦେଖିଲେ, ହଁ ଝିଅଟିମାନେ, ଭରପୂର ସ୍ୱାସ୍ଥ୍ୟ ସେମାନଙ୍କର କଳା, ଶ୍ୟାମଳ ଓ ତମ୍ବାଳିଆ ଦେହଟିମାନଙ୍କୁ ସୁଠାମ କରିଛି । ଗୋଳିଆ ମୁହଁଟିମାନଙ୍କୁ ସୁନ୍ଦର କରିଛି । ମଇଳା ଲୁଗା, ଫୁର୍‌ଫୁର୍‌ କେଶ, ମୁଣ୍ଡରେ ଓ କାଖରେ ଛୋଟବଡ଼ ଟୋକେଇମାନ ଧରିଛନ୍ତି । ହାତରେ ଦା, ମାଟି ଖୋଳିବାକୁ ଛୋଟ ଛୋଟ ଶାବଳ କି ଆଉ କ’ଣ ।

 

ଟୋକେଇ ଓ ଯନ୍ତ୍ରପାତି ନଦୀଖଣ୍ଡି ଉପରେ ରଖି କିଲ୍‌କାଲିଆ ହୋଇ ପାଟିତୁଣ୍ଡ କରି, ହସର ତରଙ୍ଗ ଛୁଟାଇ ଦଶବାରଟି ଝିଅ ନଦୀ ଭିତରକୁ ଗଡ଼ିଲେ ।

 

ଗୋପାଳ ଅମିୟ ଆଡ଼କୁ ମୁହଁ ଫେରାଇଲେ । କହିଲେ, ତୁମର ଧାରଣା ଭୁଲ । ସେମାନେ ଭୟ କରନ୍ତି ନାହିଁ । ସେମାନେ ନିର୍ଲଜ୍ଜୀ ନୁହନ୍ତି ଅମିୟ, ଲଜ୍ଜା କ’ଣ ସେମାନଙ୍କୁ ଜଣାନାହିଁ । ଦଣ୍ଡକାରଣ୍ୟର ବିଭିନ୍ନ ସ୍ଥାନରେ ଆମର ରହଣିକାଳରେ ମୁଁ ସେମାନଙ୍କ ମନର ପରିଚୟ ପାଇଛି । ତୁମର ଗୋଟିଏ ସିଦ୍ଧାନ୍ତରେ ମୁଁ ଏକମତ ଯେ ସେମାନେ ସରଳ । ସ୍ନେହ ଆଦର ଓ ଭଲ ବ୍ୟବହାର ପାଇଲେ ସେମାନେ ବିଶ୍ୱାସ କରନ୍ତି, ପାଖେଇ ଆସନ୍ତି । କହି ପାରିବ କି, ଅରଣ୍ୟରେ ବୁଲି କ’ଣ ସେମାନେ ଆହରଣ କରୁଛନ୍ତି ?

 

ଅମିୟ କହିଲା, ଉମରକୋଟ ତହସିଲର ଅସ୍ଥାୟୀ କ୍ୟାମ୍ପ୍‍ ଜାମୁରଣ୍ଡାରେ ଥିଲାବେଳେ ମୁଁ ସେମାନଙ୍କୁ ଦେଖିଛି । କୁତୂହଳୀ ହୋଇ ସେମାନଙ୍କର ଚଳନ ସମ୍ବନ୍ଧରେ ଅନୁସନ୍ଧାନ କରିଛି । ଏମାନେ ଦରିଦ୍ର ଆଦିବାସୀ ଘରର ଝିଅବୋହୂ ହୋଇଥିବେ ଗୋପାଳ ଭାଇ, ଘରେ ଖାଇବାକୁ ଧାନ, ମାଣ୍ଡିଆ, କି ଜହ୍ନା ନଥିବ ଅବା ଅଳପ ଥିବ । କେବଳ ଆମ୍ବ ଟାକୁଆର ଶଶ ଓ ତେନ୍ତୁଳି ମଞ୍ଜିର ଗୁଣ୍ଡରେ ସେମାନଙ୍କର ଗୁଜୁରାଣ ମେଣ୍ଟିବ ନାହିଁ ! ଜଙ୍ଗଲରେ ବୁଲି ସେମାନେ କନ୍ଦା ଖୋଜୁଛନ୍ତି । ଭିନ୍ନ ଭିନ୍ନ ପ୍ରକାର ଶାଗ ଖୋଜୁଛନ୍ତି । କେଉଁଠି ଯଦି କାଇ–ପିମ୍ପୁଡ଼ିର ଠୁଙ୍ଗା, ବଣୁଆଁ ମୂଷା କି ଢେମଣା ସାପ ହାବୁଡ଼ିଗଲା ତ ଆନନ୍ଦର କଥା ।

 

ଗୋପାଳ କହିଲେ, ଆପ୍‌ରୁଚି ଖାନା ବୋଲି ଗୋଟାଏ କଥା ଅଛି । ଆମେ ନ ଖାଉ କି ଖାଇ ପାରୁନାହିଁ ବୋଲି ଅନ୍ୟର ଖାଦ୍ୟକୁ ଘୃଣା କରିବା ଉଚିତ ନୁହେଁ । ଶୁଣିଛି, ଚାଇନା ଦେଶର ସଭ୍ୟସମାଜରେ ଓ ଉନ୍ନତ ଜାପାନ ଦେଶରେ ଝିଟିପିଟି ଆଚାର ଓ ସାପଖଣ୍ଡର ଭଜାବି ଖାଆନ୍ତି । ଆମରିମାନଙ୍କ ମଧ୍ୟରୁ କେହି କେହି ମାଛପରି ପାଣି ବେଙ୍ଗର ଚଡ଼ଚଡ଼ି କରି ଖାଆନ୍ତି । ଏକା କଥା ସେ, ଶୁଣିଛି ଦକ୍ଷିଣ ଦେଶରେ ଗୋଟିଏ ଯାଯାବର ଜାତି ଅଛନ୍ତି ଯେ ସେମାନେ ବିଲୁଆ ଶିକାର କରି ତା’ର ମାଂସ ଖାଆନ୍ତି । ବିଚିତ୍ର ଏ ଦୁନିଆ ଅମିୟ, ଏଠାରେ ସବୁ ସମ୍ଭବ । ମଣିଷତ ଦିନେ ପଶୁପରି ଏ ଦୁନିଆରେ ଆତଯାତ ହେଉଥିଲା । ସେ ସଭ୍ୟ ହେଲେ ମଧ୍ୟ ସଭ୍ୟତାର ସ୍ତର ସର୍ବତ୍ର ସମାନ ନୁହେଁ ।

 

ଅମିୟର ଭାବନା ମୁହୂର୍ତ୍ତକ ମଧ୍ୟରେ ଛୁଟିଗଲା ପୁଣି ସେହି ଉମରକୋଟ ତହସିଲକୁ, ଦେଖିଆସିଲା, ଯାହାକୁ ସଭ୍ୟସମାଜ ବୋଲି କହନ୍ତି, ତାଆରି ଭିତରେ କେତେ ଗୋପନୀୟ କଳଙ୍କ କାଳିମାବୋଳା ଦୃଶ୍ୟ ଛପି ରହିଛି । ବର୍ଣ୍ଣିବାକୁ ତୁଣ୍ଡ ଖୋଲିବ ନାହିଁ । ଭଲ ଲୁଗା ଜାମା କି ଶାଢ଼ି ବ୍ଲାଉଜ୍ ପିନ୍ଧି ସଫାସୁତୁରା ହୋଇ ପଦାକୁ ବାହାରି ଆସିଲେ ସମସ୍ତେ ସଭ୍ୟ ! କାହା ଜୀବନରେ କ’ଣ ସବୁ ଘଟି ଯାଇଛି, କିଏ କ’ଣ କରିକାକୁ ମନରେ ପାଞ୍ଚୁଛି, ଅନ୍ୟ ପକ୍ଷରେ ଜାଣିବା ସମ୍ଭବ ନୁହେଁ । ଯେଉଁମାନଙ୍କୁ ଆଦିବାସୀ ବୋଲି ପ୍ରଚାର କରନ୍ତି, ଆଧୁନିକ ସଭ୍ୟତାର ବହୁ ନିମ୍ନ ସୋପାନରେ ଯାହାଙ୍କର ପ୍ରଗତି ଅଟକି ଯାଇଛି ବୋଲି ନବାଗତମାନେ କୁହାକୁହି ହୁଅନ୍ତି, ଧୀରସ୍ଥିର ହୋଇ ଚିନ୍ତାକଲେ ଅବଶ୍ୟ ସେମାନେ ବୁଝିପାରିବେ ଯେ ପ୍ରକୃତ ମଣିଷପଣିଆ ଓ ଅନ୍ତର୍ନିହିତ ସଭ୍ୟତା ସେହି ସରଳ ସହଜ ବିଶ୍ୱାସୀ ଆଦିବାସୀଙ୍କ ପାଖରେ ଅଛି । ଭିତର ବାହାର ସେମାନଙ୍କର ସମାନ । ସେମାନଙ୍କୁ ନିର୍ବୁଦ୍ଧିଆ ଓ ନିର୍ବୋଧ ସେହିମାନେ କହନ୍ତି ଯେଉଁମାନେ ତାଙ୍କର ସରଳ ପ୍ରକୃତି ଓ ସହଜ–ଚଳନର ସୁଯୋଗ ନେଇ, ସେମାନଙ୍କୁ ବାକ୍ୟ ଓ ବ୍ୟବହାରରେ ଭଣ୍ଡାଇ, ଚିତାକାଟି, ସେମାନଙ୍କର ସର୍ବନାଶ କରନ୍ତି ଓ ତାଙ୍କୁ ବୁଝାଇ ଦିଅନ୍ତି ଯେ ସେମାନଙ୍କର ଏ ଦୁନିଆରେ ବଞ୍ଚି ରହିବାର ଅଧିକାର ନାହିଁ ।

 

କ’ଣ ଭାବୁଛ ଅମିୟ, ହଠାତ୍‌ ଏପରି ଗମ୍ଭୀର ହୋଇ ପଡ଼ିଲ କାହିଁକି ? ସାଧନ ବିପିନ୍‍ଙ୍କୁ ଡାକି ପାଣିରୁ ଉଠାଇବାକୁ ରହ ରହ ହେଉଛ, କାଳେ ସେମାନେ ବିରକ୍ତ ହେବେ ? ଥାଉ ତେବେ, କେତେବେଳେ ସେମାନଙ୍କର ମାଛଧରା ସରୁଛି ସରୁ ! ତୁମେ ସେମାନଙ୍କୁ ଡାକି ତାଙ୍କର ଆନନ୍ଦରେ ବାଧା ଦିଅନା । ଆମେ ଅପେକ୍ଷା କରିବା ।

 

ହଁ, ଗୋପାଳ ଭାଇ ସେମାନଙ୍କୁ ଅପେକ୍ଷା କରିବା । ମୁଁ କିନ୍ତୁ ସେମାନଙ୍କ କଥା ଭାବୁ ନଥିଲି । ମୁଁ କିନ୍ତୁ ସେମାନଙ୍କ କଥା ଭାବୁ ନଥିଲି । ମୁଁ ଭାବୁଥିଲି ଉମରକୋଟ କଥା, ଯାହା ଦିନେ ଏହିପରି ଅରଣ୍ୟରେ ଭରପୂର ଥିଲା, ହିଂସ୍ରଜନ୍ତୁଙ୍କର କ୍ରୀଡ଼ାଭୂମି ଥିଲା । ପ୍ରଥମେ ଯେଉଁଦିନ ଟ୍ରାକ୍ଟରଗୁଡ଼ିକ ଆସି ସେଠାରେ ଠୁଳ ହେଲା ଆଉ ଟ୍ରାକ୍ଟର ଚାଳନାର ଶବଦରେ ଅରଣ୍ୟଭୂମି ଓ ଗଗନ ପବନ କେବଳ ମୁଖରିତ ହେଲାନାହିଁ ତ ପ୍ରକମ୍ପିତ ହେଲା, ପାଖ ଓ ଦୂର ଗ୍ରାମମାନଙ୍କରୁ ସହସ୍ର ସହସ୍ର ଆଦିବାସୀ ଆବାଳବୃଦ୍ଧବିନିତା, ସେହି ସବୁ ଲୌହ–ରାକ୍ଷସଗୁଡ଼ିକୁ ଦେଖିବାକୁ ଆସିଲେ । ଭୟ ବିସ୍ମୟ ସନ୍ଦେହ ଓ ଆନନ୍ଦରେ ସେମାନଙ୍କର ମନ ପୂର୍ଣ୍ଣ ହୋଇଥିଲା । ଟ୍ରାକ୍‌ଟରଗୁଡ଼ିକ ଧାଡ଼ିବାନ୍ଧି ଆକାଶଫଟା ଶବଦ କରି ଗତି କରିବାକୁ ଆରମ୍ଭ କଲେ । ସେମାନେ ପ୍ରାଣ ବିକଳରେ କିଲ୍‌କାଲିଆ ହୋଇ ପଡ଼ିଉଠି ଖଣ୍ଡେ ଦୂର ଯାଏଁ ଧାଇଁ ପଳାଉଥିଲେ । ବେଶ୍‌ ଆମୋଦପ୍ରଦ ହେଉଥିଲା ସେ ଦୃଶ୍ୟ ।

 

ଗୋପାଳ କହିଲେ, ଏ ଦୃଶ୍ୟ ମୁଁ ବସ୍ତର ଜିଲାର ପାରଲାକୋଟ ଅଞ୍ଚଳରେ ଦେବଦାନଦୀକୂଳରେ ଥରେ ଦେଖିଥିଲି । କୋଣ୍ଡାଗାଁ କ୍ୟାମ୍ପ୍‍ରୁ ସେହି ଭୀଷଣ ଅରଣ୍ୟ ରାଜ୍ୟ ଥରେ ଦେଖିବାକୁ ମୁଁ ଜଣେ ବନ୍ଧୁଙ୍କ ସଙ୍ଗେ ଯାଇଥିଲି ଅମିୟ, କିନ୍ତୁ ଯେତେବେଳେ ଆଦିବାସୀମାନେ ବୁଝିଲେ ଯେ ଏ ଟ୍ରାକ୍ଟର ରାକ୍ଷସ ନୁହେଁ, ଧାଇଁ ଗୋଡ଼ାଇ ମଣିଷ ଉପରେ ମାଡ଼ି ଚକଟି ଯାଏଁ ନାହିଁ କି ଗୋଟା ଗୋଟା ଧରି ଗିଳିଦିଏ ନାହିଁ, ସେମାନଙ୍କର ଭୟ ଭାଙ୍ଗିଲା । ସେମାନେ ତାଙ୍କ ମନକୁ ପାଖକୁ ଆସି ଟ୍ରାକ୍ଟରଗୁଡ଼ିକର ବିଭିନ୍ନ ସ୍ଥାନରେ ହାତ ମାରି ଦେଖୁଥିଲେ, ଆହ୍ଲାଦିତ ହେଉଥିଲେ । ରାତିରେ ପାଖ ଗାଁମାନଙ୍କୁ ଆସି ଗୀତ ବୋଲି ହାତ ଧରି ଅଣ୍ଟା ଧରାଧରି ହୋଇ, ଆନନ୍ଦରେ ନାଚିଥିଲେ । ଓଃ, ସେ କି ଉନ୍ମାଦନା !

 

ଗୋପାଳଙ୍କର ପାକୁଆ ପାଟିରେ ହସ ଖେଳିଗଲା ।

 

ଅମିୟ କହିଲା, ଅବିକଳ ଉମରକୋଟରେ ସେଇଆ ହୋଇଥିଲା । ସେମାନଙ୍କର ଆନନ୍ଦ ବେଶୀ ଦିନ ରହିଲା ନାହିଁ । ଟ୍ରାକ୍ଟର ଦଳ ଜଙ୍ଗଲ ସଫେଇ କାମରେ ଲାଗିଗଲେ । ଅରଣ୍ୟ ନିର୍ମୂଳ ହେଲା । ଛୋଟ ବଡ଼ ଗଛ, ମହା ମହା ଦାରୁ ଟଳି ପଡ଼ିଲେ । ସେଗୁଡ଼ିକୁ ଧାଡ଼ି ଧାଡ଼ି କରି ପର୍ବତ ପ୍ରମାଣେ ଟ୍ରାକ୍ଟର ସବୁ ଗଦାକଲେ । ଯାହା ଦିନେ ମହାଅରଣ୍ୟ ଥିଲା, ସେସବୁ ଦିଗହଜା ଚାଷଜମିରେ ପରିଣତ ହେଲା । ଦେଖିବାକୁ ଆନନ୍ଦ ଲାଗେ । ସଭ୍ୟ ମଣିଷର ବୁଦ୍ଧିର କରାମତିର ଫଳ ଦେଖି ମନରେ ଛପି ଛପି ଅହମିକା ଲୁଚକାଳି ଖେଳେ, ହେଉପଛେ ସେ ଟ୍ରାକ୍ଟର ଆମେରିକା କି ଜାପାନରେ ତିଆରି ।

 

ସରଳ ଆଦିବାସୀ ଗ୍ରାମବାସୀମାନେ, ଦେଖଣାହାରି ବା କର୍ମଚାରୀ କି ନବାଗତ ଆଶ୍ରୟ ପ୍ରାର୍ଥୀଙ୍କ ଆନନ୍ଦରେ ଯୋଗ ଦେଇ ପାରନ୍ତି ନାହିଁ । ସେମାନେ ଭୟଭୀତ ହୋଇ ଅନାଇଁ ରହନ୍ତି । ମୁହଁରେ ବିଷାଦର କାଳିମା ଲେପି ହୋଇଯାଏ । ସେମାନେ ଜାଣନ୍ତି ଯେ ଅରଣ୍ୟ ତାଙ୍କର ନୁହେଁ, ଅରଣ୍ୟ ସରକାରଙ୍କର । ତେଣୁ ସେମାନଙ୍କର ଆପତ୍ତି ବା ପ୍ରତିବାଦ କରିବାର କିଛି ନାହିଁ ।

 

ଗୋପାଳଭାଇ, ଅରଣ୍ୟ ସଫାହୋଇ ନୂଆ ଗ୍ରାମମାନ ବସିଛି । ଶହ ଶହ ପୂର୍ବବଙ୍ଗର ବାସଚ୍ୟୁତ କୁଟୁମ୍ବ ଥଇଥାନ ହୋଇଛନ୍ତି । ଉମରକୋଟକୁ ନିଜର ବାସଭୂମିରୂପେ ଗ୍ରହଣ କରି ସାରିଛନ୍ତି । ସ୍ଥାନୀୟ ଆଦିବାସୀ ଅଧିବାସୀଙ୍କୁ ମଧ୍ୟ ବଙ୍ଗାଳୀ ପୁଅ ଆପଣାର କରି ସାରିଛି । ସେମାନଙ୍କର ଭାଷା ଶିଖିଛି, ଆୟତ କରିଛି । ଦୁର୍ଗାପୂଜା ଓ କାଳୀପୂଜାମାନଙ୍କରେ ଉମରକୋଟରେ ଓ ସେ ଅଞ୍ଚଳର ବିଭିନ୍ନ ନୂଆ ଗ୍ରାମମାନଙ୍କରେ ଯେଉଁଠି ଦେବୀ ମୂର୍ତ୍ତିମାନ ଗଢ଼ାହୋଇ ପୂଜିତ ହୁଅନ୍ତି ସେଠାକୁ ଶହ ଶହ ଆଦିବାସୀ ସ୍ତ୍ରୀ–ପୁରୁଷ ଆସନ୍ତି । ପୂଜାରେ ଯୋଗ ଦିଅନ୍ତି । ନାଚନ୍ତି, ଗୀତ ବୋଲନ୍ତି, ପ୍ରସାଦ ସେବନ କରନ୍ତି । ସେମାନେ ମଧ୍ୟ ନବାଗତମାନଙ୍କୁ ଆପଣାର କରି ନେଇଛନ୍ତି ।

 

ଗୋପାଳ ହାଉଲ୍‌ଦାର କହିଲେ, ବଙ୍ଗାଳୀ ଜାତିର ଏହାହିଁ ବିଶେଷତ୍ୱ ଅମିୟ, ସେ ଯେଉଁଠିକୁ ଯାଏଁ ଯେଉଁଠି ରହେ ସେଠାକାର ଲୋକଙ୍କୁ ନିଜର କରିନିଏ । ନିଜେବି ସେହି ଲୋକଙ୍କ ମଧ୍ୟରୁ ଜଣେ ବୋଲି ପରିଚିତ କରାଏ କିନ୍ତୁ ସେ କେଉଁ ଜାତି କି ଲୋକ ସମାଜ ଭିତରେ ନିଜର ସତ୍ତା ହଜାଏ ନାହିଁ । ସେ ନିଜର କୃଷ୍ଟି ଓ ଭାଷାକୁ ସ୍ୱତନ୍ତ୍ର ରଖିବାକୁ ପୁରୁଷାନୁକ୍ରମେ ପ୍ରାଣପଣେ ଚେଷ୍ଟା କରେ । ବେଳେବେଳେ ଗୋଟିଏ ଚିନ୍ତା ମୋ ମନରେ ବାରମ୍ବାର ଓଲଟପାଲଟ ହୁଏ । ଠିକ୍‌ କି ଭୁଲ୍‌ ମୁଁ ଅଦ୍ୟାପି ସ୍ଥିର କରିବାର ସୁଯୋଗ ପାଇନାହିଁ ।

 

କି ଚିନ୍ତା ଗୋପାଳଭାଇ ?

 

ବଙ୍ଗ ବିଚ୍ଛେଦର କଥା । ପୂର୍ବ–ବଙ୍ଗରେ ଅଧିକ ମୁସଲମାନ ଅଛନ୍ତି ବୋଲି ବ୍ରିଟିଶ କର୍ତ୍ତୃକ ତାହା ପଶ୍ଚିମବଙ୍ଗରୁ କଟାଯାଇ ପୂର୍ବ–ପାକିସ୍ଥାନ କରାଗଲା । ବହୁବର୍ଷ ପୂର୍ବେ ବିଂଶ ଶତାବ୍ଦୀର ପ୍ରଥମ ପାଦରେ

 

ସେମାନେ ଏହିପରି ଗୋଟାଏ ଚେଷ୍ଟାକରି ବିଫଳ ହୋଇଥିଲେ । ତା’ପରେ, ବହୁବର୍ଷ ପରେ, ବ୍ରିଟିଶର କୂଟବୁଦ୍ଧି ଜୟଯୁକ୍ତ ହେଲା । ମୁଁ ଭାବେ, କାହିଁକି ଏହା ସମ୍ଭବ ହୋଇଥାନ୍ତା, ଯଦି ବଙ୍ଗାଳୀ ତା’ର ଜନ୍ମଭୂମି ବଙ୍ଗଦେଶକୁ ପ୍ରକୃତରେ ଭଲ ପାଇଥାନ୍ତା ?

 

ବ୍ରିଟିଶ ରାଜତ୍ୱର ଦୁଇଶହବର୍ଷ ଭିତରେ ବଙ୍ଗାଳୀ ଇଂରେଜ ଶିକ୍ଷା ଓ ପାଶ୍ଚାତ୍ୟ ସଭ୍ୟତାର ଯେଉଁ ଆଦ୍ୟ ସୁଯୋଗ କି ଦୁର୍ଯୋଗ ପାଇଲା ତାଆରି ସୁବିଧା ନେଇ ସେ ଖେଦିଗଲା ଭାରତର ବିଭିନ୍ନ ପ୍ରଦେଶକୁ, ସେ ପାଖେ ଉତ୍ତର ପ୍ରଦେଶରୁ ଆରମ୍ଭ କରି ଏ ପାଖେ ଆସାମ–ମଣିପୁର ଯାଏଁ । ଭାଷାର ବଡ଼ିମା ଗାଇ ଜାତିର ବଡ଼ତି ପ୍ରଚାର କଲା ସିନା, ବଙ୍ଗଳା ଦେଶକୁ ପର କରି ଅନ୍ୟ ପ୍ରଦେଶକୁ ଘର କଲା । ସେମାନେ ଅଧିକାଂଶ ହିନ୍ଦୁ ଥିଲେ । ତେଣୁ, ବନ୍ୟା ଓ ବାତ୍ୟାପ୍ରପୀଡ଼ିତ ପୂର୍ବ–ବଙ୍ଗରେ ମୁସଲମାନଙ୍କ ସଂଖ୍ୟା ବଢ଼ିଗଲା । ଫଳ ହେଲା, ଦ୍ୱିଖଣ୍ଡିତ ବଙ୍ଗ । ଫଳ ହେଲା, ପୂର୍ବ–ପାକିସ୍ଥାନ । ଫଳ ହେଲା, ହିନ୍ଦୁ ତାଡ଼ନ ଓ ବିତାଡ଼ନ ।

 

ଅମିୟ କହିଲା, ହୋଇପାରେ ଅବା ନ ହୋଇପାରେ ମୋତେ ଜଣାନାହିଁ । ଅତୀତର ଜୀର୍ଣ୍ଣ ପୃଷ୍ଠା ଓଲଟାଇ ଆଉ ଲାଭ ନାହିଁ ଗୋପାଳଭାଇ, ଏ ଦୁନିଆ ଆଉ ଦୁଇ ଶହବର୍ଷ ପଛକୁ ଫେରିବ ନାହିଁ । ଅବସ୍ଥା ଯାହା ହୋଇଛି, ପୂର୍ବ–ବଙ୍ଗରେ ହିନ୍ଦୁ ଆଉ ନିରାପଦରେ ସୁଖସ୍ୱାଚ୍ଛନ୍ଦରେ ରହି ପାରିବ ନାହିଁ । ଧନ ମାନ ଜୀବନର ଭରସା ନାହିଁ । ଯେଉଁ ହିନ୍ଦୁମାନେ ସେଠାରେ ସୋନାର–ବଙ୍ଗଳା ଗୀତ ଗାଇ ଜନ୍ମଭୂମି–ଜନନୀର କୋଡ଼ ଛାଡ଼ି ଚାଲି ଆସିବାକୁ ରାଜି ନୁହନ୍ତି, ସେମାନେ ସେଠାରେ ବହୁ ଦୁଃଖ ସହିବେ । ହିନ୍ଦୁଙ୍କର ସଂଖ୍ୟା ଯେତିକି କମୁଥିବ ଅତ୍ୟାଚାର ଓ ନିର୍ଯାତନା ସେତିକି ବଢ଼ୁଥିବ । ହୁଏତ ଆପଣଙ୍କର ବଡ଼ପୁଅ ନଗେନ୍‌ପରି ସେମାନଙ୍କୁ ଧର୍ମ ବଦଳାଇବାକୁ ହେବ, ନୋହିଲେ ବୀରେନ୍‌ପରି ଆତ୍ମସମ୍ମାନ ଫେରାଇ ଆଣିବାର ଚେଷ୍ଟାରେ ଜୀବନ ଦେବାକୁ ହେବ । ତେବେବି ସମ୍ମାନ ଫେରିବ ନାହିଁ ।

 

ବୃଦ୍ଧ ଗୋପାଳ ଶିହରି ଉଠିଲେ । ସହସା ବେଦନାରେ ବାଦଲ ତାଙ୍କର ଦୁର୍ବଳ ମୁହଁକୁ ଆଚ୍ଛାଦନ କଲା । ସେ ଜାଣନ୍ତି, ଅମିୟପରି ଉତ୍ତମ, ସ୍ନେହଶୀଳ, ବୁଦ୍ଧିମାନ୍‌ ଓ କର୍ମଠ ପିଲା ଅନ୍ୟ କାହାର ମନରେ ଆଘାତ ଦେବାର ଉଦ୍ଦେଶ୍ୟରେ କୌଣସି ବାକ୍ୟ ଉଚ୍ଚାରଣ କରିବ ନାହିଁ । କଥା ନହସରେ, ଟିକିଏ ଉତ୍ତେଜନାରେ ସେ ତାଙ୍କର ଅତୀତ ଜୀବନର ଦୁଃଖପ୍ରଦ ମର୍ମନ୍ତୁଦ ଘଟନାବଳି ମନେ ପକାଇ ଦେଲା, ଯେଉଁସବୁ ଘଟଣା ଥରେ ନୁହେଁ ବହୁବାର କେତେ ଅପରିଚିତଙ୍କ ଆଗରେ ଟିକିନିଖିକରି ବର୍ଣ୍ଣନା କରି ସାମୟିକ ଭାବରେ ମନର ବେଦନାର ଭାର ସେ ଲାଘବ କରିଛନ୍ତି । ଆଉ ନୁହେଁ, ଆଉ କାହାରି ଆଗରେ ସେ କେବେ ଅତୀତର ରକ୍ତ–ଲିପ୍ତ ଜୀର୍ଣ୍ଣ ପୃଷ୍ଠା ବ୍ୟକ୍ତ କରିବେ ନାହିଁ ।

 

ତିରିଶ

 

ବୃଦ୍ଧଙ୍କର ବିଷାଦମଳିନ ମୁହଁ ଓ ବିଚଳିତଭାବ ଦେଖି ଅମିୟ ବ୍ୟଥିତ ହେଲା । ଅନୁତପ୍ତ ହେଲା । ଚିନ୍ତାକଲା, ବୋଧହୁଏ ଅଜାଣତରେ ଅଦମନୀୟ ଉତ୍ତେଜନା ଓ ଭାବପ୍ରବଣତା ତା’ର ତୁଣ୍ଡରୁ ଯେଉଁସବୁ ଭାଷା ଖସାଇଲା ସେ ଭାଷା ବୃଦ୍ଧଙ୍କର ସେକାଳିଆ ବିଶ୍ୱାସ ଓ ପ୍ରଚ୍ଛନ୍ନ ବଡ଼ିମାକୁ ଆଘାତ କରିଛି । ଗୋପାଳ ସେ ଯୁଗର ଲୋକ, ଯେଉଁ ଯୁଗରେ ବଙ୍ଗାଳୀ ସବୁଠୁ ବୁଦ୍ଧିଆ ସଭିଠୁ ବଡ଼ ଧାରଣାର ଦୁଇ ଶହ ବର୍ଷର ରଜ୍ଜୁର ଶେଷଭାଗ ।

 

ସେ କଥାର ସ୍ରୋତ ବଦଳାଇ କହିଲା, ଦେଖନ୍ତୁ ଭାଇ, ଆଗରେ ପବିତ୍ରନାରୀ ସତୀନଦୀ । କାହିଁକି ଏଡ଼େ ପବିତ୍ର ଜାଣନ୍ତିକି ? ଗଙ୍ଗାନଦୀ ହିମାଳୟ ଉପରେ ଅବସ୍ଥିତ ମାନସ ହ୍ରଦରୁ ବାହାରିଛି । ସତୀନଦୀ ବାହାରିଛି ପ୍ରକୃତରେ କହିବାକୁ ଗଲେ ମାନସପର୍ବତରୁ, ଅବଶ୍ୟ ମାନସପର୍ବତ ସୁନ୍ଦରୀମାଳ ଉଚ୍ଚଭୂମିକୁ ଲାଗିଛି ଯେଉଁଠୁ ଦିଓଟି ଛୋଟ ଛୋଟ ନାଳ ବାହାରି ମାନସ ପର୍ବତ ତଳେ ଏକାଠି ମିଶି ସତୀ ନାମରେ ପରିଚିତ ହେଉଛି ।

 

ଗୋପାଳ ମୁଣ୍ଡ ହଲାଇଲେ, କହିଲେ, ଅଳ୍ପକାଳ ମଧ୍ୟରେ ତୁମେ ଏ ଅଞ୍ଚଳ ଓ ଏଠାକାର କିମ୍ବଦନ୍ତୀ ସଙ୍ଗେ ବେଶ୍ ପରିଚିତ ହୋଇ ସାରିଲଣି ଅମିୟ, ବାଃ !

 

ଅମିୟ କହିଲା, ଯିଏ ହେବ ଆମର ଅନ୍ନ–ଦାତ୍ରୀ, ଆମର ଦେଶମାତୃକ୍ୟ, କେବଳ ମାଟି ନୁହେଁ ମାଆଟି, ତା’ ସଙ୍ଗେ ପରିଚିତ ହେବା ମୋର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ବୋଲି ମୁଁ ମଣିଲି ଗୋପାଳ ଭାଇ । ତା’ ଛଡ଼ା ଆଉ ମୋର ସମ୍ପ୍ରତି କି କାମ ଅଛି ? ମାସକୁ ମାସ ସରକାର ଆମର ଚଳନପାଇଁ ଭତ୍ତା ଦେଉଛନ୍ତି । ମୋର ଭାଉଜଙ୍କ ପରି ମିତବ୍ୟୟୀ ଲକ୍ଷ୍ମୀ ଯେଉଁଠି ଘର ଚଳାଉଛନ୍ତି, ସେଠି ଅଭାବ କି ଅନଟନ ହେବ ନାହିଁ । ବେଳ ପାଇଲେ ମୁଁ ଏଠାକାର ସ୍ଥାନୀୟ ଲୋକମାନଙ୍କ ସଙ୍ଗେ ଯାଏଁ, ବୁଲିବୁଲି ଦେଖେ । ସେମାନଙ୍କର ଭାଷା ବୁଝିବାକୁ ଚେଷ୍ଟା କରେ, କହିବାକୁ ମଧ୍ୟ ଚେଷ୍ଟାକରେ । ସେମାନେ ଖୁସି ହୁଅନ୍ତି । ସତେ ଗୋପାଳ ଭାଇ, ଅନ୍ୟକୁ ତା’ର ନିଜର ଭାଷାରେ କଥା କହିଲେ, କେତେ ଶୀଘ୍ର ତା’ର ହୃଦୟ ପାଖକୁ ଟାଣିହୋଇ ଯିବ, ଏହା ଉମରକୋଟରେ ଥଇଥାନ ହୋଇଥିବା ଉଦ୍ଦାସ୍ତୁମାନଙ୍କୁ ଦେଖିଲେ ବଳେ ବୁଝି ପାରିବେ ।

 

ଗୋପାଳ ନିରୁତ୍ତର ରହିଲେ । ଅମିୟ ଅନୁମାନ କଲା, ବୃଦ୍ଧ ତା’ର ଧାରଣାରେ ଏକମତ ହୋଇ ପାରିଲେ ନାହିଁ । ସେ ଅତୀତ ଅହମିକା ପ୍ରଣୋଦିତ ଯୁଗର ଶେଷ–ପୁରୁଷର ବ୍ୟକ୍ତି । ସେମାନଙ୍କର ପଣଥିଲା ଯେ ଅନ୍ୟ ଭାଷାଭାଷୀ ଲୋକ ସେମାନଙ୍କର ଭାଷା ବୁଝନ୍ତୁ ଅବା ନ ବୁଝନ୍ତୁ ସେମାନଙ୍କୁ ବଙ୍ଗଳାରେ କହିବାକୁ ହେବ । ବୃଦ୍ଧ ଥରେ ଉମରକୋଟ ଗଲେ ତାଙ୍କର ପୁରୁଣାକାଳିଆ ଧାରଣା ବଦଳାଇ ପାରନ୍ତେ । ଉମରକୋଟ ତହସିଲରେ ପଚାଶଖଣ୍ଡି ଆଶ୍ରୟପ୍ରାର୍ଥୀ ଗ୍ରାମ ବସିଛି । ପ୍ରତି ଗ୍ରାମରେ ପ୍ରାଇମେରି ସ୍କୁଲ୍‍, କେତେଖଣ୍ଡି ମଝିମଝିଆ ଗ୍ରାମରେ ମିଡ଼ିଲ ସ୍କୁଲ୍‍ ଉମରକୋଟରେ ହାଇସ୍କୁଲ୍‍ । ବଙ୍ଗାଳୀପିଲାଏ ବଙ୍ଗଳାରେ ପାଠ ପଢ଼ୁଛନ୍ତି । ତାଙ୍କୁ ଓଡ଼ିଆ ପଢ଼ିବାକୁ ଓ କହିବାକୁ ଉତ୍ସାହିତ କରାଯାଉଛି । ଉଦ୍ଦାସ୍ତୁ ପରିବାରମାନେ ସ୍ଥାନୀୟ ଲୋକଙ୍କ ସଙ୍ଗେ ବେଶ୍‌ ମିଳିମିଶି ଚଳୁଛନ୍ତି । ସେମାନଙ୍କର ଭାଷା ଶିଖି ସେମାନଙ୍କୁ ଆପଣାର କରିପାରିଛନ୍ତି । ଗ୍ରାମ ଗ୍ରାମ ବୁଲି କେଉଁଠି କ’ଣ ମିଳେ କ୍ରୟ କରି ବିକ୍ରୟ କରି ଛୋଟବଡ଼ ବେପାର ଆରମ୍ଭ କଲେଣି । କେତେ କୁଟୁମ୍ବ ଧନ ଉପାର୍ଜନ କରି ଧନୀ ହେଲେଣି ।

 

ବୃଦ୍ଧ ଗୋପାଳ ନ ଦେଖିଲେ କିପରି ବୁଝିବେ ଯେ ନୂଆ ଗ୍ରାମର ବଙ୍ଗାଳୀ ଅଧିବାସୀମାନେ ଯୋଜନା–କର୍ମଚାରୀମାନଙ୍କର ଉପଦେଶ ଓ ସାହାଯ୍ୟ ପାଇ କିପରି ବିବିଧ ପ୍ରକାରର ପ୍ରଚୁର ପନିପରିବା, କୁକୁଡ଼ା ଓ କୁକୁଡ଼ା ଡିମ୍ବ ଉତ୍ପାଦନ କରୁଛନ୍ତି । ଉତ୍ପନ୍ନ ହେଉଥିବା ପଦାର୍ଥକୁ ନେଇ ନିଜେ ଉମରକୋଟ, ରାଇଘର, ଝରିଗାଁ, ଡାବୁଗାଁ ଓ ଗ୍ରାମାଞ୍ଚଳରେ ବସୁଥିବା ଅନ୍ୟାନ୍ୟ ଛୋଟ ବଡ଼ ହାଟମାନଙ୍କରେ ବିକ୍ରୟକରି ଭଲ ଚାରିପଇସା ରୋଜଗାର କରୁଛନ୍ତି । ସେମାନେ ଉତ୍ପନ୍ନ କରୁଥିବା ପନିପରିବା ଓ ଗ୍ରାମାଞ୍ଚଳରୁ ଆହରଣ କରୁଥିବା ଅନ୍ୟାନ୍ୟଦ୍ରବ୍ୟ ସୁଦୂର ରାୟପୁର, ନବରଙ୍ଗପୁର ଓ ଜୟପୁର ହାଟମାନଙ୍କୁ ପଠାଯାଉଛି । ସେଠାରେ ବିକ୍ରୟ କରାଯାଉଛି । ସେମାନେ ପରିଶ୍ରମ କରି ନିଜର ଅବସ୍ଥା ସୁଧାରିବାକୁ ଓ ଉନ୍ନତ କରିବାକୁ ଚେଷ୍ଟା କରୁଛନ୍ତି ।

 

ସେମାନେ ଯଦି ସ୍ଥାନୀୟ ଭାଷାକୁ ଶିଖି ଆୟତ୍ତ କରି ସ୍ଥାନୀୟ ଲୋକଙ୍କର ବିଶ୍ୱାସଭାଜନ ହୋଇ ପାରି ନଥାନ୍ତେ, ତେବେ କେବଳ ବେପାର ବଣିଜରେ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆଗେଇ ପାରନ୍ତେ ନାହିଁ । ଅନ୍ୟମାନଙ୍କର ଈର୍ଷା ପ୍ରଜ୍ଜ୍ୱଳିତ ହୁଅନ୍ତା । ସ୍ଥାନୀୟ ଅଧିବାସୀମାନେ ଦେଖୁଛନ୍ତି କ’ଣ, ଅନୁଭବ କରୁଛନ୍ତି କ’ଣ ? ଜଙ୍ଗଲ କାଟି ନୂଆ ନୂଆ ଗ୍ରାମମାନ ବସିଲା । ଗରିବଗୁରୁବା ଆଦିବାସୀ ଝିଅବୋହୂଙ୍କର ଜଙ୍ଗଲୀ କନ୍ଦା ଖୋଳି ସିଝାଇ ବାପା ଭାଇ ଗେରସ୍ତଙ୍କୁ ପେଜ ଖୁଆଇବାର ସୁଯୋଗ ଓ ସୁବିଧା ଗଲା । ସହସ୍ର ସହସ୍ର ହରିଡ଼ାଗଛ ଓ ସୁନାରିଗଛ କଟା ହେଲା । ଯେଉଁ ଦରିଦ୍ର ଘରଣୀମାନେ ହରିଡ଼ା ଗୋଟାଇ, ସୁନାରିଗଛର ଛାଲି ସଂଗ୍ରହକରି, ବିକ୍ରୟ କରି କୁଟୁମ୍ବର ଉପାସଭୋକ ଦୂର କରିପାରୁଥିଲେ, ସେମାନେ ଏବେ ମୂଲ ଲାଗୁଛନ୍ତି । ଶିକାର କରି ହରିଣ, ସମ୍ବର, ଜିଆଦ ମାରି ମାଂସ ଖାଇବା ତ ସାତ ସପନ, ମୂଷାଟିଏ କି ଢେମଣା ସାପଟିଏ ଆଉ ମିଳିବା କଷ୍ଟ ହେଉଛି । ହଁ, ନଅମାଇଲ ଦୂର ଧୋଡ଼ରାହାଟର ବଡ଼ ବରଗଛ ତଳେ ହାଟପାଳି ଦିନ ପୋଡ଼ା ଲୁଣଦିଆ ମୂଷା ବେଳେବେଳେ ବିକ୍ରିହୁଏ, ଆଦୀବାସୀଙ୍କର ସେ ଉପାଦେୟ ଖାଦ୍ୟ ।

 

ନୂଆଗ୍ରାମ ବସିଲା । ପ୍ରତିଗ୍ରାମରେ କରାଗଲା ପୋଖରୀ, ନଳ–କୂଅ, ଖୋଲା କୂଅ ଓ ସ୍କୁଲ୍‍ । ଗ୍ରାମସେବକ ରହିଲେ । ଘରଗୁଡ଼ିକ କରୋଗେଟେଡ଼୍‌ ଲୁହାସିଟ୍‌ରେ ଛାଉଣି । ବର୍ଷକୁବର୍ଷ ଖଡ଼ କି ଘାସରେ ଛାଉଣି କରିବାର ଝିଞ୍ଜଟ ନାହିଁ । ଚାରିଆଡ଼େ ରାସ୍ତା ।

 

ଆଖପାଖ ପୁରୁଣା ଆଦିବାସୀ ଗ୍ରାମଗୁଡ଼ିକର ଅବସ୍ଥା ପୂର୍ବପରି ରହିଛି । ଛୋଟ ଛୋଟ ଧାଡ଼ିଧାଡ଼ିକା ନୁଆଁଣିଆ ଚାଳଘର । ଅପରିଷ୍କାର ଗାଁ, ଦାଣ୍ଡ, ହୁଏତ କୂଅ କି ପୋଖରୀ ନାହିଁ । ଯେଉଁଠିବା ଅଛି, ସେଗୁଡ଼ିକ ଖରାଦିନେ ଶୁଖେ ।

 

ସେମାନଙ୍କର ଈର୍ଷା ନାହିଁ । ନିଜର ଭାଗ୍ୟ, ଭଗବାନ୍‌, ଓ ଅବସ୍ଥାକୁ ଗ୍ରହଣ କରିଛନ୍ତି । ପେଟରେ ପାଣି ତୋରାଣି ପେଜ ପୂରାଇ ସେମାନେ ହସୁଛନ୍ତି, ନାଚୁଛନ୍ତି, ଗୀତ ବୋଲୁଛନ୍ତି । ସେମାନେ ନବାଗତଙ୍କୁ ଆପଣାର ମଣି ସବୁ ବିଷୟରେ ସାହାଯ୍ୟ କରୁଛନ୍ତି । ପୂଜାପାର୍ବଣରେ ଯୋଗ ଦେଇ ଆନନ୍ଦିତ ହେଉଛନ୍ତି । ନବାଗତମାନେ ତାଙ୍କର ଭାଷା ଶିଖି, ତାଙ୍କର ଚଳନ ଓ ସାମାଜିକ ବିଶ୍ୱାସକୁ ସମ୍ମାନ ଦେଖାଇ ବେଳେବେଳେ ସାହାଯ୍ୟକରି ସେମାନଙ୍କୁ ନିଜର କରି ପାରିଛନ୍ତି ।

 

କିପରି ବୁଝିବେ ସେକାଳ–ମନୋବୃତ୍ତିର ବୃଦ୍ଧି ଗୋପାଳ ହାଉଲ୍‌ଦାର, ନିଜ ଦୁଃଖର ରଡ଼ନିଆଁର ତାପରେ ଯେ ସତତ ସନ୍ତପ୍ତ !

 

ଗୋପାଳ ଦୀର୍ଘଶ୍ୱାସ ଛାଡ଼ିଲେ । ନିଃସହାୟ ନେତ୍ରରେ ଚାରିଆଡ଼କୁ ଚାହିଁଲେ । ସତୀନଦୀର ଖଣ୍ଡିତଳୁ ପଥର ଉହାଡ଼ରୁ ପାଣି ଚବ ଚବ ଶବଦ ଓ ଆଦିବାସୀ ଝିଅଟିମାନଙ୍କର ଉଚ୍ଛ୍ୱସିତ ହସର ହିଲ୍ଲୋଳ ଭାସି ଆସୁଛି । ସେମାନଙ୍କର ସବୁ ଦୁଃଖ, ଦୈନ୍ୟ ଓ ଅସୁବିଧାକୁ ସେମାନେ ବିଶ୍ୱାସ ଓ ଆନନ୍ଦର ଆଭରଣ ତଳେ ହଜାଇ ଦେଇଛନ୍ତି ।

 

ସତେ କ’ଣ ସେମାନେ ସୁଖୀ ଯେଉଁମାନେ ସ୍ୱଚ୍ଛନ୍ଦ ବନଜାତେନ ଶାକେନାପି ସନ୍ତୁଷ୍ଟ ? ଯେଉଁମାନେ ଅଭାବ କ’ଣ ଅନୁଭବ କରି ପାରନ୍ତି ନାହିଁ, ଅବା ଅନୁଭବ କଲେବି ପରିପୂରଣ ପାଇଁ ଉପାୟ ନ ପାଞ୍ଚି, ଉଦ୍ୟମ ନ କରି, ନହେଲେ ନାହିଁ ଚଳିଯିବ ଯେ ଏପରି ସାନ୍ତ୍ୱନା ମନକୁ ଆଣି ଯେତିକି ଯାହା ଅଛି ସେତିକିରେ ସନ୍ତୁଷ୍ଟ ହୁଅନ୍ତି, ସେମାନେ କ’ଣ ସୁଖୀ ?

 

ଅମିୟର ସ୍ୱରରେ ତାଙ୍କର ଭାବନା ଭାଙ୍ଗିଲା । ସେ କହିଲା, ହସିପାରେ ଯିଏ ସେ ସୁଖୀ-। ଶୁଣୁଛନ୍ତି କି ସେହି ଆଦିବାସୀ ଝିଅଟିମାନଙ୍କର ହସର ଶବଦ ? ପ୍ରକୃତରେ ସେହିମାନେହିଁ ସୁଖୀ ଗୋପାଳ ଭାଇ । ହେଇଟି ଶୁଣନ୍ତୁ, ଅସମୟରେ ସୁଦ୍ଧା ମନ ଫୁର୍ତ୍ତିରେ କେତେଜଣ ଆମର ଅବୋଧ୍ୟ କେଉଁ ଭାଷାରେ ଲହଡ଼ିଆ ଗୀତର ଲହର ମେଲାଇ ଦେଲେଣି । ବୁଝି ହେଉ ନାହିଁ ସେ ଭାଷା, ଅଦ୍ୟାପି ମୁଁ ଆୟତ୍ତ କରି ପାରିନାହିଁ ।

 

ଗୋପାଳ କହିଲେ, ଶୀଘ୍ର ଆୟତ୍ତ କର, ଭବିଷ୍ୟତରେ ଉପକାରରେ ଆସିବ । ଶୁଣ ଅମିୟ, ଜନ୍ମସ୍ଥାନରେ ମୋର ପୁତ୍ରକନ୍ୟାଙ୍କୁ ହରାଇ ଏ ନିରର୍ଥକ ଜୀବନ ଘେନି ଭାରତବର୍ଷରେ ଆଶ୍ରା ନେବାକୁ ପଳାଇ ଆସିଲା ଦିନୁ ଭାଷା ପ୍ରତି ମୋର ଆଉ ସ୍ୱତନ୍ତ୍ର ସୋହାଗ ନାହିଁ । ମନୁଷ୍ୟ କହୁଥିବା ସବୁ ଭାଷା ସୁନ୍ଦର । ଭାବ ପ୍ରକାଶର ଆଧାର ତ ! କେଉଁ ଭାଷାରେ କେଉଁଠି କ’ଣ ଅଭାବ ରହିଥିଲେ କାଳକ୍ରମେ ସେଇ ଅଭାବ ଆପେଆପେ ପୂରଣ ହେବ । ଯେତେ ପ୍ରକାର ଭାଷା ଶିଖୁଛ ଶିଖ, କିନ୍ତୁ ମାତୃଭାଷାକୁ ଭୁଲ ନାହିଁ । ମାତୃଭାଷା ଓ ଜାତିର କୃଷ୍ଟି ନିବିଡ଼ଭାବରେ ଜଡ଼ିତ । କେତେ ଡେରି ଆଉ କରିବେ ସାଧନ ସନ୍ନ୍ୟାସୀ ଓ ବିପିନ୍‍ ଲିଡ଼ର୍‌ ? ପାଣିରୁ ଉଠିବାକୁ ସେମାନଙ୍କୁ ଯାଇ କହ ।

 

ଗୋପାଳ ଉଠ ଠିଆ ହେଲେ । ଅମିୟ ମଧ୍ୟ ଉଠିଲା । ଚାରି ଆଡ଼କୁ ଅନାଇଲା । ପଛଆଡ଼ର ଅରଣ୍ୟ ଭିତରୁ କେଉଁମାନଙ୍କର ପାଟି ଶୁଭୁଛି । ଆଗ ପାଖର ଅରଣ୍ୟ ଆଡ଼ୁ ନଦୀ କୂଳେ କୂଳେ ସାଧନ ଓ ବିପିନ୍‍ ନୀରବରେ ଆସୁଛନ୍ତି । ସାଧନଙ୍କର କାଖରେ ମାଛ–ଭରା ଟୋକେଇ, ବିପିନ୍‍ଙ୍କ ହାତରେ ଖିଅ–ଜାଲ ।

 

ଅମିୟ କହିଲା, ସେମାନେ ଫେରୁଛନ୍ତି ଗୋପାଳ ଭାଇ । ଦେଖନ୍ତୁ ଏଣେ, ସେମାନେ ବୁଦା ଉହାଡ଼ରେ ଲୁଚି ଯାଇଛନ୍ତି । ଗୋପାଳ ଅନାଇ ରହିଲେ ।

 

ପଛ ଜଙ୍ଗଲ ଭିତରୁ କଥୋପକଥନ ଓ ହସ ଶୁଭୁଛି । ଯେଉଁମାନେ ଆସୁଥିଲେ ସେମାନେ ଆଖିରେ ପଡ଼ିଲେଣି । ଆରେ, ଏମାନେତ କ୍ୟାମ୍ପ୍‍ର ଲୋକ !

 

ଅମିୟ ଦେଖିଲା, ଚଲା ବାଟରେ ଆଗେଆଗେ ଆସୁଛି ସୁରେନ୍‌ । ତା’ ପାଖରେ ଚାଲିଛି ଅମିତା । ଅରଣ୍ୟର ଗଛ ଗହଳି ଫାଙ୍କରେ ଧାଇଁ ଆସୁଛି ଖେନ୍ଦା, ତା’ ପଛରେ ସୌମେନ୍‌ । ପଛକୁ ପଛ ଓ ଦୁଇ କଡ଼ରେ ଆହୁରି ଅନେକ ପୁଅଝିଅ ।

 

ସେମାନଙ୍କର କୋଳାହଳ ଶୁଣି ଗୋପାଳ ମୁହଁ ଫେରାଇଲା । ସୌମେନ୍‌ ଓ ଖେନ୍ଦାଙ୍କର ପଛେ ପଛେ ଧାଇଁ ଆସୁଛି ଥାକୁଲିଆ ସୁନ୍ଦର ଝିଅଟି ।

 

ଅମିୟ ସେମାନଙ୍କ ପାଖକୁ ଆଗେଇଗଲା । ଟିକିଏ ଦୂରରୁ ପଚାରିଲା, ଖରାରେ ଧାଇଁ ଧାଇଁ ହୋଇ ବଣ ଭିତରେ ଧାଇଁ ଆସିବାକୁ କିଏ ତୋତେ କହିଲା ଅମିତା, ଜାଣୁତ ଏ ବଣ ନିରାପଦ ନୁହେଁ ?

 

ମୁଣ୍ଡ ହଲାଇ ବେଣୀ ଦୋହଲାଇ ହସି ହସି ଅମିତା କହିଲେ, ମୁଁ ଜାଣି ନଥିଲି କକା, ଶୁଣିଥିଲି । କେବେ କେମିତି ଛୋଟ ଛୋଟ ସାପ, କୋକିଶିଆଳ ଓ ବିଲୁଆ ଛଡ଼ା ଆଉ କିଛି ଜଙ୍ଗଲ ଭିତରେ ଦେଖି ନଥିଲି । ରାତିରେ ଅଣ୍ଡିରା ବିଲୁଆର ବୋବାଳି ଶୁଣିଛି । କେଉଁ ଦୂର ପର୍ବତ କନ୍ଦରରୁ ମହାବଳ ବାଘର ହେଣ୍ଟାଳ ଶୁଣିଛି । ସେତିକି । ଥରେ ଦିପହରେ ତମସା ନଦୀ ଆରପାଖେ, ଅବଶ୍ୟ ଟିକିଏ ଦୂରରେ, ଦୁଇଟା ବଡ଼ବଡ଼ ଭାଲୁ ଆମେ ଦେଖିଥିଲୁ । ସୋମୁ ଆମୁକୁ ଦେଖାଇଦେଲା । ଭାଲୁ ଦୁଇଟା ହୁଙ୍କାତଳ ତାଡ଼ୁଥିଲେ, ସେମାନେ ଉଇ ଖାଉଥିଲେ । ନୁହେଁ କି ସୋମୁ ?

 

ସୋମୁ ମୁଣ୍ଡ ହଲାଇ ସ୍ୱୀକୃତି ଜଣାଇ କହିଲା, ହଁ ଅମିୟ କକା, ଆମେ ସମସ୍ତେ ପ୍ରାଣ ବିକଳରେ ପଳାଇ ଆସିଲୁ । କେତେଥର ମୁଁ ଦୂରରୁ ଭାଲୁ ଦେଖିଛି । ପାଟି ଶୁଣିଲେ ସେମାନେ ଘଞ୍ଚ ଅରଣ୍ୟ ଭିତରକୁ ପଳାନ୍ତି । ଆଜି ଯେଉଁ ବିରାଟ ଅତି ଭୟଙ୍କର ମହାବଳ ବାଘଟା ଆମ କ୍ୟାମ୍ପ୍‍କୁ ଆସିଥିଲା—

 

ଅମିତା ସୋମୁ ପାଖକୁ ଯାଇ ତା’ର ପାଟିରେ ହାତ ଦେଲା । ତାକୁ କହିବାକୁ ନ ଦେଇ ସେ କହିଲା, ରହମ, ମୁଁ କହିବି, ହଁ କକା ଭୟଙ୍କର ବଡ଼, ଆଉ କି ଦୁର୍ଗନ୍ଧ—

 

ସୌମେନ୍‍ର ମୁହଁ ଅମିତା ଖୋଲି ଦେଲା ।

 

ଖେନ୍ଦା କହିଲା, କ’ଣ ଆଉ ତୁ କହିବୁ ? ମଲା ବାଘଟା ତ, ମୁଣ୍ଡ ଓ ଦେହଯାକ ଖଣ୍ଡିଆ ହୋଇଛି । ବେକରେ ବନ୍ଧୁକର ଗୁଳି ଫୁଟିଛି । ପଚି ଗଲାଣି, ଗନ୍ଧ ହେଉଛି । ଦେଖିଲୁ ତ କେମିତି ମୁଁ ତା’ର କାନ ଟାଣୁଥିଲି ?

 

ଓଃ, ଭାରିତ ସାହସ, ସୋମୁ କହିଲା ବିଦ୍ରୂପ କରି, ମଲା ବାଘଟାର କାନ ଓଟାରିଲୁ ଯେ କ’ଣ ହେଲା ? ମୁଁ ତା’ର ଲାଙ୍ଗୁଡ଼ ସିଧାକରି ମାପୁ ନଥିଲି କି ? ମିତା ତଥାପି ବିଶ୍ୱାସ କରୁ ନଥାଏ ଯେ ସେ ବାଘ ମରିଛି । କୋଡ଼ିଏ ଫୁଟ୍ ଦୂରରେ ସେ ତା’ ମାଆଙ୍କର କାନି ଧରି ଠିଆ ହୋଇଥାଏ । ଭାବୁଥାଏ, କାଳେ ସେ ବାଘଟା ବଞ୍ଚି ଉଠିବ ଆଉ ହୁଙ୍କାର ଦେଇ ଆକ୍ରମଣ କରିବ ।

 

ମୁହଁ ଶୁଖାଇ ଲାଜରା ହୋଇ ଅମିତା କହିଲା, ମରିଲା ବାଘଟାକୁ ମୁଁ କାହିଁକି ଡରନ୍ତି ? ପଚି ଯାଇଥାଏ ବୋଲି ଗନ୍ଧରେ ପାଖରେ ପଶି ହେଉ ନଥାଏ । ସେଥିପାଇଁ ମୁଁ ଦୂରେଇ ଠିଆ ହୋଇଥାଏ । ପ୍ରକୃତରେ ଡରୁଥାନ୍ତି ଯେ ମୋର ମା’ । ତନୁଜା ମାଉସୀଙ୍କର ଭୟ ଯେତିକି, ଦୁଃଖବି ସେତିକି । ଯେଉଁମାନେ ତାଙ୍କୁ ବାନ୍ଧି ମାଲକାନଗିରି ମାଜିଷ୍ଟ୍ରେଟଙ୍କ ପାଖକୁ ବୋହି ନେଉଥିଲେ ଇନାମ୍‌ ପାଇବେ ବୋଲି, ସେମାନେ କହିଲେ, ସେଇଟା ବାଘ ନୁହେଁ ଯେ ବାଘୁଣୀ । ତା’ ପେଟରେ ତିନିଟା କି ଚାରିଟା ଛୁଆ ଅଛନ୍ତି । ଏ କଥା ଶୁଣି ମାଉସୀ କେତେ ଦୁଃଖ କଲେ । କହିଲେ, ଭ୍ରୂଣହତ୍ୟା ଦୋଷ ଲାଗିଲା ।

 

ଏତେବେଳେକେ ସୁରେନ୍‌ ମୁହଁ ଖୋଲିଲା, ସେମାନେ କହୁଥିଲେ ବାପା, ବାଘୁଣୀଟାକୁ ନ ମାରି ରକ୍ଷା ନଥିଲା । ସତୀନଦୀ ସଙ୍ଗେ ବାଁ ଆଡ଼ୁ ପୂର୍ବପଟରୁ ବହିଆସି ଯେଉଁଠି କୋରକଣ୍ଡା ନଦୀ ମିଶିଛି ଗୋରେଖଣ୍ଡା ଗାଁର ଜଙ୍ଗଲ ଭିତରେ, ସେଇଠି ବାଘ ଓ ଏ ବାଘୁଣୀ ରହୁଥିଲେ । ଚିଡ଼ୁପଲ୍ଲି ଗାଁର ରକ୍ଷିତ ଜଙ୍ଗଲ ଥିଲା ସେମାନଙ୍କର ଚରାଭୂମି । ଏଇ ସତୀ ନଦୀର ଆରପାଖଟାହିଁ ଚିଡ଼ୁପଲ୍ଲି ଗାଁ । ବେଶ୍‌ ସୁଖ ଶାନ୍ତିରେ ଥିଲେ ସେ ବାଘ ପରିବାର । ବଣର ଜନ୍ତୁ ଶିକାର କରି ଖାଉଥିଲା । ଗ୍ରାମ ଭିତରକୁ ଯାଉ ନଥିଲେ କି ମଣିଷର କିଛି କ୍ଷତି କରୁ ନଥିଲେ । ବଣର ଦେବୀ କାହିଁକି ଗ୍ରାମବାସୀମାନଙ୍କ ଉପରେ ବିରକ୍ତ ହୋଇ ବାଘ ବାଘୁଣୀ ଓ ପିଲାଙ୍କୁ ମତେଇ ଦେଲେ । ପ୍ରାୟ ଛଅ ମାସ ହେବ ସେମାନେ ମାତିଛନ୍ତି, ଅତ୍ୟାଚାର କରୁଛନ୍ତି ।

 

ଗୋପାଳ କହିଲେ, ମଣିଷ ଖାଇଲେଣି ? ସେମାନେ ନିଶ୍ଚୟ ରଏଲ୍‌–ବେଙ୍ଗଳ୍–ଟାଇଗର । ଅତି ଭୟଙ୍କର !

 

ସୁରେନ୍‌ କହିଲା, ହଁ ବାପା, ସେମାନେ ରଏଲ୍‌–ବେଙ୍ଗଲ ଟାଇଗର । ସ୍ଥାନୀୟ ଲୋକେ ତାଙ୍କୁ ମହାବଳ ବୋଲି କହନ୍ତି । ବାଘ ବାଘୁଣୀ ଦୁଇଟା କୁଆଡ଼େ ରାତିରେ ବିଭିନ୍ନ ଗ୍ରାମ ଭିତରେ ପଶି ଗୁହାଳରୁ ଗାଈ ଗୋରୁ ଟାଣି ନେଲେ । ଆଜି ଏ ଗ୍ରାମରେ ତ କାଲି ଦଶ ପନ୍ଦର ମାଇଲ ଦୂରରେ ଆଉ କେଉଁ ଗ୍ରାମରେ । କେତେଜଣ ଲୋକଙ୍କୁବି ଧରି ଖାଇଲେ । ପଟେରୁ ନଦୀ କୂଳ ଚିମଟାପଲ୍ଲି ଗ୍ରାମରେ ଏଇ ବାଘୁଣୀ ଜଣକର ଖୋଲା ଘରେ ପଶ, ତା’ର ଛୋଟ କୁଟୁମ୍ବକୁ ନିପାତ କଲା । ଗୃହକର୍ତ୍ତାର ବୁଢ଼ୀ ମାଆକୁ ଟାଣି ନେଇଗଲା କେଉଁ ଅରଣ୍ୟକୁ ଯେ ଆଉ ତା’ର ପତ୍ତା ମିଳିଲା ନାହିଁ ।

 

ଚିଡ଼ପଲ୍ଲିକୁ ଲାଗି କୋରକଣ୍ଡା ନଦୀର ଦକ୍ଷିଣ ପାଖରେ ମାରିଓ୍ୱାଡ଼ା ଗାଁ । ସେହି ଗ୍ରାମର ଲୋକେ ଦେଶୀ–ବନ୍ଧୁକ ଧରି କେତେ ଦିନ ଛକିଲେ । ଶେଷକୁ ସେହିମାନେ ସେ ବାଘୁଣୀକୁ ମାରିଲେ । ବାଘଟା ଖସି ପଳାଇଲା । ସେ କୁଆଡ଼େ ଭୟଙ୍କର ହୋଇ ଯାଉଛି । କେତେବେଳେ କାହାକୁ ଧରିବ ତା’ର କି ଠିକଣା ବାପା ?

 

ଖେନ୍ଦା କହିଲା, ମୋ ବାପାଙ୍କ ପାଇଁ ମୋ ମା’ ଭୟରେ ଅସ୍ଥିର ହେଉଛନ୍ତି । ତାଙ୍କ ଫେରାଇ ନେବାକୁ ସେ ମତେ ପଠାଇଲେ ।

 

ଅମିତା କହିଲା, ତୁମର କ’ଣ ଚିଠି ଆସିଛି କକା, ସରକାରୀ ଚିଠି, ବନ୍ଦ ଲଫାଫା । ମୋତେ ଖୋଲିବାକୁ ମା’ ବାରଣ କଲେ । ସେ ଚିଠି ମା’ ରଖିଛନ୍ତି । ମୁଁ ଭାବିଲି, ଖେନ୍ଦା, ସୋମୁ, ସୁରେନ୍‌ ଭାଇ ଓ ଆଉ କେତେ ପିଲା ସତୀନଦୀରେ ମାଛଧରା ଦେଖିବାକୁ ଓ ତମକୁସବୁ ଡାକିବାକୁ ଆସୁଛନ୍ତି ତ, ମୁଁ ବି ଯାଏଁ ମୋ କକାଙ୍କୁ ଡାକି ଆଣିବି, ସେ ଚିଠି ଖୋଲିବେ ।

 

ଅମିୟ ପଚାରିଲା, ସରକାରୀ ଚିଠି ଆସିଛି ?

 

ଅମିତା ଉତ୍ତର ଦେଲା, ହଁ କକା । ମୁଁ ଭାବୁଛି ମୋ ବାପାଙ୍କ ସମ୍ବନ୍ଧରେ ଖବର ଆସିଛି । ତୁମେ ନାହିଁ କରନା କକା, ନିଶ୍ଚୟ ମୋ ବାପାଙ୍କର ସନ୍ଧାନ ମିଳିଛି । ସେ ଏଠାକୁ ଆସିବେ, ନୋହିଲେ ଆମେ ତାଙ୍କ ପାଖକୁ ଯିବା ।

 

ଅମିୟ ନିରୁତ୍ତର ରହିଲା ।

 

ଅମିତାର ଦୁଇ ଆଖିରୁ ଝରି ଆସିଲା ଦୁଇଧାର ଲୁହ । ବାପାଙ୍କୁ ସେ କେବେ ଦେଖିଲାପରି ତା’ର ମନେ ହେଉନାହିଁ । ହେତୁ ପାଇଲା ଦିନରୁ ମାଆଙ୍କ ମୁହଁରୁ ଓ କକାଙ୍କ ମୁହଁରୁ ବାରମ୍ବାର ତା’ର ବାପାଙ୍କ ସମ୍ବନ୍ଧରେ ନାନା କଥା ଶୁଣି ସେ ତା’ ମନ ଭିତରେ ଗୋଟିଏ ଧାରଣାର ଚିତ୍ର ନିଜେ ଆଙ୍କିଛି,–ତା’ର ବାପା ଅଧର ମଣ୍ଡଳ ସୁନ୍ଦର ପୁରୁଷ, ଲମ୍ବା, ବଳିଷ୍ଠ, କର୍ମଠ । ବିଦ୍ୱାନ ଓ ବୁଦ୍ଧିମାନ୍‌ । ସେ ସ୍ନେହଶୀଳ, ମିଷ୍ଟଭାଷୀ । ତାଙ୍କର ଧୀର କଥା, କାହାରି ଉପରେ ସେ ବିରକ୍ତ ହୁଅନ୍ତି ନାହିଁ ।

 

ଟିକି ଅମିତାକୁ ସେ ଅତ୍ୟନ୍ତ ସ୍ନେହ କରନ୍ତି । ଛାତିରେ ଜାକି ବୁଲନ୍ତି । ସେ ହଜି ଯାଇଥିଲେ, ସନ୍ଧାନ ମିଳିଛି । ନିଶ୍ଚୟ ସରକାରୀ ଚିଠି ସେଇଥିପାଇଁ ଆସିଛି ।

 

ଅମିତାର ମନଗହନରେ ସେହି କଳ୍ପିତସୁନ୍ଦର ରୂପ ଉଭା ହେଉଛି । ସେ ହସହସ ହୋଇ ହାତ ବଢ଼ାଇଆସୁଛନ୍ତି । ଆଲିଙ୍ଗନ କରିବେ, ଗେଲ କରିବେ ।

 

କେତେ ଦିନ ହେଲା ମା’ ତାକୁ ଗେଲ କରୁ ନାହାନ୍ତି । ଆକଟ କରି କହୁଛନ୍ତି, ସେମିତି ହମହମ ହୋଇ ପଦାକୁ ପଳାନା । ଘରେ ରହ । ପଦାକୁ ବାହାରିଲେ ଆଉ ସେଇ ମଇଳା ଢୋଲିଆ ଫ୍ରକ୍‌ ପିନ୍ଧିବୁ ନାହିଁ । ଚିରା ପୁରୁଣା ଧଳା ଶାଢ଼ିରେ ତୋପାଇଁ ଯେଉଁ ବ୍ଲାଉଜ୍ କରି ଦେଇଛି, ସେଇଆକୁ ପିନ୍ଧିବୁ ମା’, ଶାଢ଼ିଟି ବେଢ଼େଇ ହେବୁ । ତୁ ବଡ଼ ହୋଇ ଆସୁଛୁ ମିତା, ବଡ଼ ଝିଅଙ୍କର ଦେହ ଓ ମୁହଁରେ ଯେମିତି ଲାଜ ଆଶ୍ରାନିଏ, ଧୀରେ ଧୀରେ କାୟା ବଢ଼ାଏ, ସେମିତି ମନରେ ଚଳନରେ ଢଙ୍ଗରେ ସରମ ଓ ସଂକୋଚ ଆଣିବା ଭଲ ।

 

ମାତାଙ୍କର ଉପଦେଶକୁ ବିସ୍ମରି, ସାଙ୍ଗ ପିଲାଙ୍କ ସଙ୍ଗେ ଅମିତା ଅରଣ୍ୟକୁ ଚାଲି ଆସିଲା ଗୋଟାଏ ନହସରେ । ମାଆଙ୍କର ଅନୁମତି ଲୋଡ଼ିବାକୁ ତା’ର ମନେ ନଥିଲା । ନହେଲେ ନାହିଁ, କକା ତ ଅଛନ୍ତି !

 

ଭାରିତ କକା !

 

ଭଲ ଫ୍ରକ୍‌ ଆଣି ଦେବେ ବୋଲି କହି ଆଜିଯାଏ ଆଣି ଦେଇ ନାହାନ୍ତି । ଆଗପରି ଛାତିରେ ଧରି ସେ ଗଲେ କରୁ ନାହାନ୍ତି । ସବୁବେଳେ କ’ଣ ଭାବିଲା ପରି ଅନ୍ୟମନସ୍କ ରହୁଛନ୍ତି । ପାଖକୁ ଯାଇ କିଛି ପଚାରିଲେ ହୁଁ ହୁଁ କହି ଚମକି ଉଠୁଛନ୍ତି । ହାତଟି ଧରି ହସହସ ହୋଇ କହୁଛନ୍ତି, ମିତା, ତୁ ମୋର ସୁନା ଝିଅଟି, ଦେଖ୍‌ତ, ମା’ କେମିତି ଖଟୁଛନ୍ତି, ତାଙ୍କୁ ତୁ ସାହାଯ୍ୟ କରିବୁ ଯା । ମାଆଟି ମୋର, ତୁ ବଡ଼ ଝିଅ ହେଲୁଣି, ମାଆଙ୍କ ପାଖେପାଖେ ଥାଇ ତାଙ୍କୁ ବିଭିନ୍ନ କାମରେ ସାହାଯ୍ୟ କର, ଘରକରଣା କାମ ଶିଖ୍‌ । ଯା— ।

 

ଛଳଛଳ ଆଖିରେ ଅମିୟର ପାଖକୁ ଆସି ଅମିତା ତା’ର ହାତ ଧରି କହିଲା, ଆସ କକା ଆମେ ଆଗ ଫେରିଯିବା । ମା’ ଦାଣ୍ଡରେ ଅପେକ୍ଷା କରି ବାଟକୁ ଚାହିଁ ଠିଆ ହୋଇଥିବେ । ମଲା ବାଘୁଣୀ ଦେଖି, ଆଉ ସେମାନଙ୍କଠାରୁ ଶୁଣି ଯେ ବାଘଟା ମାତିଛି, ବର ଭିତରେ ଛପିଛପି ଆସୁଛି, ଗୋରୁ ଗାଈ କି ମଣିଷ ଦେଖିଲେ ଘୋସାରି ନେଉଛି, ମା’ ଖାଲି ଏପାଖ ସେପାଖ ହେଉଛନ୍ତି । କହୁଛନ୍ତି, ତୋ କକା ଅବାଧ୍ୟ ହେଲେଣି, କଥା ନ ମାନି ବଣ ଭିତରେ ପଶୁଛନ୍ତି । ଶୁଣିଲୁ ତ ସେମାନେ କ’ଣ କହିଲେ ? କେବେ ସେ ଫେରିବେଟି !

 

ଅମିୟ କହିଲା, ଆଚ୍ଛା, ଆମେ ଫେରିଯିବା । ହେଇ ଦେଖ, ସାଧନବାବୁ ଆଉ ବିପିନ୍‍ବାବୁ ଟୋକେଇ ପୂର୍ଣ୍ଣକରି ଚୂନାମାଛ ଧରି ଆଣିଛନ୍ତି ।

 

ସେ ଦିହେଁ ପାଖେଇ ଆସିବାର ଦେଖି ପାଟିକରି ଖେନ୍ଦା ସୌମେନ୍‌ ଓ ଅନ୍ୟାନ୍ୟ ପିଲାମାନେ ମାଛ ଦେଖିବାକୁ ତାଙ୍କ ପାଖକୁ ଧାଇଁଲେ । ଗୋପାଳ ଅମିତାକୁ ଚାହିଁ ଅମିୟକୁ କହିଲେ, ଗିରିଜାକୁ ଯେତେବେଳେ ସେମାନେ ନେଇ ପଳାଇଲେ, ସେ ଏଇ ଅମିତା ପରି ହୋଇଥିଲା । ଏମିତି ସ୍ୱାସ୍ଥ୍ୟ, ଏମିତି ରୂପ । ତା’ ମୁହଁଟି ଆଉ ଟିକିଏ ଗୋଲିଆ । ଗାଲ ଦିଓଟି ଟିକିଏ ଅଧିକ ପୁଚୁକା । ଆଖି ଦିଓଟି କି ସୁନ୍ଦର ନେଳିଆ । ରଙ୍ଗ ଖୁବ୍‌ ସଫା । ସେଇଥିପାଇଁ ତା’ର ନାମକରଣ ଦିନ ହତଭାଗ୍ୟ କୁଳାଙ୍ଗାର ନଗେନ୍ଦ୍ର ତା’ର ନାମ ଗିରିଜା ଦେବାକୁ ଜିଗର୍‌ ଲଗାଇଲା । ତେରବର୍ଷ ହୋଇଥିଲା ତାକୁ, ସୁରେନକୁ ଚଉଦ ପୂରି ପନ୍ଦର ଚାଲୁଥାଏ । ଗିରିଜାର ରୂପଟି ତୋର ନିଶ୍ଚୟ ମନେଥିବ ସୁରେନ୍‌, ଠିକ୍ ଏଇ ଅମିତା ପରି ସେ ନୁହେଁ କି ?

 

ସୁରେନ୍‌ ମୁହଁ ନ ଖୋଲି ମୁଣ୍ଡ ହଲାଇ ସ୍ୱୀକୃତି ଜଣାଇଲା ।

 

ଗିରିଜା ତା’ର ମନେ ଅଛି । ତାକୁ ଉଲଙ୍ଗ କରି ଭିଡ଼ିଓଟାରି ଯମଦୂତ ପରି ଛୁରି ଓ ବନ୍ଧୁକଧାରୀ ଆତତାୟୀମାନେ ଯେତେବେଳେ ଘୋଷାରି ନେଉଥିଲେ ସେ ଆକାଶ–ଫଟା ରୋଦନ କରୁଥିଲା । ଆତତାୟୀମାନେ ଛୋରା ବନ୍ଧୁକ ଦେଖାଇ ନିରସ୍ତ୍ର ପଳାତକମାନଙ୍କୁ ଜଗି ରହିଥିଲେ । ଗିରିଜା ପରି ଅନ୍ୟ ଯେଉଁ ଝିଅ ବୋହୂଙ୍କୁ ସେମାନେ ନେଇ ଯାଉଥିଲେ ସେମାନଙ୍କର କେହି କେହି ଆତ୍ମିୟ ଲଜ୍ଜା ଅପମାନ ଓ ବିକଳ କାନ୍ଦଣା ସହି ନ ପାରି ବାଧା ଦେବାକୁ ପଛରେ ଧାଇଁ ଛୋରା ଓ ଗୁଳି ମାଡ଼ରେ ଟଳି ପଡ଼ି ଜୀବନ ହାରିଥିଲେ ।

 

ବୀରେନ୍‌ର ସେହି ଗତି ହେଲା । ଉଦ୍ଧାର କରିବା ତ ସମ୍ଭବ ନୁହେଁ, ନିରର୍ଥକ ରକ୍ତ ଢାଳି ଜୀବନ ଦେବାକୁ ଅନ୍ୟମାନେ ଆଗେଇଗଲେ ନାହିଁ ।

 

ଗିରିଜାର ଆକୁଳ କ୍ରନ୍ଦନର ଧ୍ୱନି ଏବେବି କାନରେ ବାଜି ଯାଉଛି । ତାଆରି ବୟସର ଯେଉଁଝିଅଟିମାନଙ୍କୁ ଗୋପାଳ ଯେଉଁଠି ଦେଖନ୍ତି, ସେ ମନେ କରନ୍ତି ଯେ ଝିଅଟି ଅବିକଳ ଗିରିଜା ପରି ।

 

ଏକତିରିଶ

 

ଅମିୟର ଛୋଟ କୁଟୁମ୍ବରେ ଆନନ୍ଦ ଓ ନିରାନନ୍ଦ, ଆଲୁଅ ଛାଇର ଖେଳ । ଉମରକୋଟ ଥଇଥାନ ଅଫିସ୍‍ରେ ସେ ଗୋଟିଏ କିରାଣି ଚାକିରି ପାଇଛି । ବହୁଦିନପୂର୍ବେ ଯେତେବେଳେ ସେ ଜାମୁରଣ୍ଡା କ୍ୟାମ୍ପ୍‍ରେ ଥିଲା, ଗ୍ରାମ–କର୍ମଚାରୀଙ୍କର ବାରମ୍ବାର ଉପଦେଶ ଓ ବିପିନ୍‍ ଲିଡ଼ର୍‍ଙ୍କର ଉତ୍ସାହ ପାଇ ଥଇଥାନ ବିଭାଗର ବଡ଼ହାକିମଙ୍କ ପାଖରେ ଖଣ୍ଡେ ଦରଖାସ୍ତ ଦାଖଲ କରିଥିଲା । ଚିଠି ଲେଖି ନିଜେ ଥରେ କୋରାପୁଟ ଯାଇ, ନିଯୁକ୍ତି ବିଭାଗରେ ନାମ ରେଜିଷ୍ଟ୍ରି କରିଥିଲା, ରେଜିଷ୍ଟ୍ରେସନ କାର୍ଡ଼ ଥଇଥାନ ବିଭାଗର ବଡ଼ହାକିମଙ୍କ ଅଫିସ୍‍କୁ କୋଣ୍ଡାଗାଁ ପଠାଇଥିଲା । ଭାବିଥିଲା, ସେତିକିରେ ତା’ର କର୍ତ୍ତବ୍ୟ ଶେଷ ହେଲା, କାରଣ ସେ ଚାକିରିକରି ଦାସତ୍ୱ ବରଣ କରିବାକୁ କେବେ ଆଗ୍ରହୀ ହୋଇ ନଥିଲା ।

 

ଚାକିରି ପାଇବାପାଇଁ କେତେ ପରିମାଣରେ ପରୋକ୍ଷରେ ତା’ର ଭ୍ରାତୃଜାୟା ଅନିମାହିଁ ଦାୟୀ । (….)ରୁ ଆହତ ହୋଇ ମରମର ଅବସ୍ଥାରେ ଯେତେବେଳେ ସେ ପଶ୍ଚିମ ବଙ୍ଗକୁ ପଳାଇଆସିଲା, ଭାବିଥିଲା, ସେ କେଉଁ ଅପନ୍ତରାରେ ପଡ଼ି ପ୍ରାଣ ହାରିବ । ଅଜଣା ଆତତାୟୀର ଛୁରି ମାଡ଼ ତା’ର କପାଳରେ ବାଜିଥିଲା । କ୍ଷତ ଗଭୀର ହୋଇଥିଲେ ମଧ୍ୟ ବୋଧହୁଏ ଗୁରୁତର ହୋଇ ନଥିଲା । ରକ୍ତସ୍ରାବ ପାଇଁ ଦେହ, ହୃଦୟ ଓ ମନ ଦୁର୍ବଳ ହୋଇଥିଲା ।

 

ଜୀବନଦୀପଟି ଲିଭିଯିବା ପାଇଁ ଥରଥର ହେଉଥିଲା । ବୃକ୍ଷମୂଳରେ ଦୁର୍ବଳ ଦେହଟିକୁ ଛାୟାତଳେ ଲମ୍ବାଇଦେଇ ପ୍ରଖର ରୌଦ୍ରତାପର ଧାସରେ ସେ ତୃଷାତୁର ହୋଇଥିଲା । ପ୍ରାଣ କଣ୍ଠାଗ୍ରତ । ଆଗରେ ଉଭାହେଲେ ଜୀବନ ଦାୟୀନୀ, ଶୋକାକୁଳା ଅନିମା, କୋଳରେ ଦୁଇ ତିନିବର୍ଷର ଶିଶୁ ।

 

ଜୀବନ ଦେଇ, ପୁତ୍ରବତ୍‌ ଯତ୍ନ ନେଇ, ମୁଣ୍ଡର କ୍ଷତ ସେ ଭଲକଲେ । ନିଜେ ଉପବାସ ରହି ତା’ର ତୁଣ୍ଡରେ ଆହାର ଦେଲେ । ତାକୁ ସୁସ୍ଥ ସବଳ କଲେ । ମନେ ପଡ଼ୁଛି ବିରାଟ କଲିକତା ସହର, ସିଆଲ୍‌ଦା ରେଳ ଷ୍ଟେସନ୍‌ । ପ୍ଲାଟ୍‌ଫର୍ମ୍‍ର ଗୋଟିଏ କଣରେ, ସହସ୍ର ସହସ୍ର ସମଦଶାପନ୍ନଙ୍କ ସଙ୍ଗରେ ରହଣି । ସିମେଣ୍ଟ ଚଟାଣ । ଆଶ୍ରୟ ପ୍ରାର୍ଥୀଙ୍କର ଲହଡ଼ି ପୁଣି ପୁଣି ମାଡ଼ି ଆସୁଛି । କଲିକତା ନଗରୀର କୌଣସି ରାସ୍ତାର ଫୁଟ୍‌–ପାଥ ଆଉ ଖାଲି ରହିନାଇଁ । ଅଖା, ଛିଣ୍ଡାକନ୍ଥା, ସପମସିଣା ଝୁଲାଇ ଅସ୍ଥାୟୀ ବସା ବାନ୍ଧି ସେହି ଫୁଟ୍‌–ପାଥ କଡ଼ ବସାମାନଙ୍କରେ ଗୋଟିଏ ଗୋଟିଏ କୁଟୁମ୍ବ ଆଶ୍ରା ନେଇଛନ୍ତି ।

 

କାହାରି ପିଣ୍ଡାରେ ଆଉ ସ୍ଥାନ ନାହିଁ । କୁକୁର ମାଙ୍କଡ଼ ପରି ବ୍ୟବହାର ପାଇ, ପ୍ରତି ମୁହୂର୍ତ୍ତରେ ପଳାଅ ପଳାଅ ଭର୍ତ୍ସନା ଶୁଣି ମଧ୍ୟ ଚାରି ହାତ ଲମ୍ବା ତିନି ହାତ ଚଉଡ଼ା ପରିମିତ ଗୋଟିଏ ସ୍ଥାନରେ ଗୋଟିଏ ଗୋଟିଏ କୁଟୁମ୍ବର ରହଣି–ବାପ ମା’, ପୁଅ ବୋହୂ, ଅବିବାହିତ ବଡ଼ ସାନ ପୁଅ ଓ ଝିଅ । ଲୋକଙ୍କର ଉତ୍ତେଜନାର ତାତି ଶୀତଳ ହେଲାପରେ ଦେଇ ଦେଇ ମନର ଦୟାଭାବ ପଥୁରିଆ ପଡ଼ିଲାରୁ, ସେମାନେ ବୀତସ୍ପୃହ ହୋଇଛନ୍ତି । ଏବେ ଖାଲି ନାକଟେକା ଘୃଣା, ଅନାବଶ୍ୟକ ଉପଦେଶ, ସମ୍ବେଦନାହୀନ ତିରସ୍କାର, ଦୟାହୀନ ପଳା ପଳା ବୋବାଳି ।

 

ସିଆଲ୍‌ଦା ରେଳଷ୍ଟେସନ୍‍ରୁ ଆସି ବଡ଼ ସହରର କେଉଁ ଏକ ଛୋଟ ଗଳିର କେଉଁ ଧନିକର ବାରଣ୍ଡାରେ ଯେଉଁ କେତେଦିନ ସେମାନେ ଆଶ୍ରା ନେଇଥିଲେ, ସେମାନେ ଏହିପରି ବ୍ୟବହାର ପାଇଥିଲେ । ବୁଲା କୁକୁରଙ୍କ ଜୀବନଠାରୁ ମଧ୍ୟ ତାଙ୍କର ଜୀବନ ଆହୁରି ଦୟନୀୟ ହୋଇଥିଲା ।

 

ଅମିୟ ମୁଣ୍ଡର କ୍ଷତରେ ପଟି ବାନ୍ଧି କିଛି ରୋଜଗାର କରିବାକୁ ଚେଷ୍ଟା କରିଥିଲା । ଅନିମା ବାଧା ଦେଇଥିଲେ, କିନ୍ତୁ ସେ ଶୁଣି ନଥିଲା । କି କାମ ସେ କରିବ, କାହିଁ ତା’ପାଇଁ ନିଯୁକ୍ତି-? ଲକ୍ଷଲକ୍ଷ ପୁରୁଷ, ଆବାଳବୃଦ୍ଧବନିତା ମୁଠିଏ ଅନ୍ନପାଇଁ ନିଯୁକ୍ତି ଖୋଜିବାକୁ ମହାନଗରୀ କଲିକତାର ସର୍ବତ୍ର ଦଳଦଳ ହୋଇ ବୁଲୁଛନ୍ତି । ଶୁଣୁଛନ୍ତି ନାସ୍ତି ବାଣୀ, ହାତହଲା ପଳାପଳା ରଡ଼ି ।

 

ଦୁର୍ବଳ କ୍ଳାନ୍ତ ଦେହ ଓ ହତାଶାଜର୍ଜରିତ ମନ ଘେନି ଲଜ୍ଜା ଓ ଗ୍ଳାନିରେ ମ୍ରିୟମାଣ ଅମିୟ ମଣ୍ଡଳ ଟଳଟଳ ହୋଇ ଫେରିଆସିଛି ଅଜଣା ଗଳିର ଅପରିଚିତ ଅନୁଦାର କେଉଁ ଧନୀ ଗୃହସ୍ଥର ବାରଣ୍ଡାକୁ । ସନ୍ଧ୍ୟାର ଆଲୋକରେ ଉଦ୍ଭାସିତ ହେଲାଣି ମହାନଗରୀ । ଦ୍ୱିତଳ ଓ ତ୍ରିତଳ ଉପରେ କୋଳାହଳ । ରେଡ଼ିଓ କରୁଣ କଣ୍ଠରେ ନାରୀ ମୁଖରେ ଗାଉଛି ରବୀନ୍ଦ୍ର ସଙ୍ଗୀତ । ଭୋକିଲା ପେଟର ବିଦ୍ରୋହୀ କାନକୁ ସେ ସଙ୍ଗୀତ ଶୁଭୁଛି ବିଷାକ୍ତ ଅଭିଶାପ ଓ ରୋଦନ ପରି । ବାସଚ୍ୟୁତ, ଅତ୍ୟାଚାରିତ, ପଳାତକ, ହତଭାଗ୍ୟ ଆଶ୍ରୟପ୍ରାର୍ଥୀ ଅମିୟ ମଣ୍ଡଳ, ବଞ୍ଚିବ କି ମରିବ ଆଶାଦୁରାଶାର ଦୋଳିରେ ଦୋଳାୟମାନ ଯାହାର ଭାବନା, ତାକୁ ସେହି ସଙ୍ଗୀତ ଲାଗୁଛି ଅତି ନିର୍ଦ୍ଦୟ ଉପହାସପରି ।

 

ଅମିୟ !

 

ଭାଉଜ !

 

ମୁଁ ମନା କରିଥିଲି, କଥା ନ ମାନି ଦୁର୍ବଳ ଦେହରେ ଟଳିଟଳି ଚାକିରି ଖୋଜିବାକୁ ଚାଲିଗଲ ? କି ଚାକିରି ମିଳିବ ତମପରି ଦୁର୍ବଳିଆ ରୋଗୀ ପିଲାଟିକୁ ? ମୂଲଲାଗି ପାରିବ ନାହିଁ । ଅଭ୍ୟାସ ନାହିଁ କି ଦେହରେ ଶକ୍ତି ନାହିଁ । ତୁମେ ସୁସ୍ଥ ହୋଇପାର, ଦେହରେ ଶକ୍ତି ଆସୁ, ତା’ପରେ ଯାହା ମନ ତା’ କରିବ । ଆଗରେ, ବଡ଼ ରାସ୍ତା କଡ଼ରେ ଯେଉଁ ମଧ୍ୟଭଳିଆ ହୋଟେଲଟି, ମହାଲକ୍ଷ୍ମୀ ହୋଟେଲ, ସେଇଠି ଦୁଇବେଳା ବାସନ ମାଜି, ଘରଗୁଡ଼ିକ ଧୋଇ ସଫାସୁତୁରା କଲେ ହୋଟେଲ ମାଲିକ ବିକ୍ରି ନ ହୋଇ ବଳିପଡ଼ିଥିବା ଭାତ ଡାଲି ତରକାରିରୁ କିଛି ଦେଉଛି । ମୋ ପରିକା ଆଉ ଚାରୋଟି ଘରଣୀବି ସେଇ କାମ କରୁଛନ୍ତି । ପିଲାଟା ଶୋଇ ପଡ଼ିଲାଣି । ତୁମେ ମୁହଁ ହାତ ଧୋଇ ମୁଠିଏ ଖାଇଦିଅ ।

 

ଭାଉଜ !

 

ଡେରି କରନା ବାବୁ, ଖରାବେଳର ଭାତ, ଶୁଖି ଗଲାଣି ।

 

ସେଇଠୁ ଆଶ୍ରୟ ପ୍ରାର୍ଥୀଙ୍କ ଅସ୍ଥାୟୀ କ୍ୟାମ୍ପ୍‍ ଓ ଭତ୍ତାର ବ୍ୟବସ୍ଥା ହେଲା । ମୁଠିଏ ଅନ୍ନପାଇଁ ଆତ୍ମ–ସମ୍ମାନ ବିକିବାକୁ ପଡ଼ିଲାନାହିଁ । ଗୋଟିଏ କ୍ୟାମ୍ପ୍‍ରୁ ଆଉ ଗୋଟିଏ କ୍ୟାମ୍ପ୍‍, ବଙ୍ଗ ପ୍ରଦେଶରୁ ବିହାରର ବେଠିଆକ୍ୟାମ୍ପ୍‍, ୟା ଦିଅ ତା’ ଦିଅ ଆପତ୍ତି କରି କ୍ୟାମ୍ପ୍‍ବାସୀଙ୍କର ଆନ୍ଦୋଳନ, ଅସହଯୋଗ, ଅଶାନ୍ତି । ସେ ବି ଗଲା । ଅନିମାଙ୍କର ଉପଦେଶ ମାନି, ସୁଧର ପିଲାଟି ସେ, କୌଣସି ଆନ୍ଦୋଳନରେ ଯୋଗ ଦେଇନାହିଁ ।

 

କେତେମାସ ପରେ ଅନ୍ୟାନ୍ୟ କୁଟୁମ୍ବଙ୍କପରି ତା’ର କୁଟୁମ୍ବ ମଧ୍ୟ ଓଡ଼ିଶା ପ୍ରଦେଶକୁ ଆସିଲେ । ମନେପଡ଼ୁଛି ଢେଙ୍କାନାଳ ଜିଲାର ଛୋଟ ଅନୁଗୋଳ ସହରଟି, ସେଇଠି ଦିନେ ପାଖ ରନ୍ତଲେଇ ଗ୍ରାମର ଗଉଡ଼ ପିଲାଟିଏ ଭଗବାନଙ୍କର ଅବତାର ବୋଲି ପ୍ରଚାରିତ ହୋଇଥିଲା । ଅମିୟ ଶୁଣିଛି–କେତେ ରାଜ୍ୟରୁ, କେତେ ଦେଶରୁ ସହସ୍ର ସହସ୍ର ଲୋକ ସେହି ଛୋଟ ସହରଟିରେ ଜମା ହୋଇଥିଲେ । ପ୍ରଭୁଙ୍କର ଦର୍ଶନ ଲାଭ କରିବେ, ସେ ଦେଉଥିବା କେଉଁ ଅଜଣା ଗଛର ଛାଲିର ଗୁଣ୍ଡା ଖାଇ ବିବିଧ ରୋଗରୁ ମୁକ୍ତିଲାଭ କରିବେ । ଛାଲିର ଗୁଣ୍ଡାଖାଇ ରୋଗ ମୁକ୍ତ ହେଉଛନ୍ତି ବୋଲି ପ୍ରଚାରିତ ହେଲା । ମାଡ଼ିଆସିଥିଲେ ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଲୋକ । ହଇଜା ବ୍ୟାପିଲା, ଅସଂଖ୍ୟ ଲୋକ ପ୍ରାଣ ହାରିଲେ । ଛତ୍ରଭଙ୍ଗ ଦେଲାପରି ଲୋକେ ପଳାଇଗଲେ । କେତେ ବାଟରେ ଘାଟରେ ପଡ଼ି ଜୀବନ ଦେଲେ । ଅବତାର ଲଭିଥିବା ଗଉଡ଼ପିଲା ରନ୍ତଲେଇ ବାବାଙ୍କର ଦୈବୀ–ଶକ୍ତିର ପ୍ରଦୀପ ଆପେଆପେ ଲିଭିଲା ।

 

ସେହି ଅନୁଗୋଳ ସହର ମଝିରେ କଟକରୁ ସମ୍ବଲପୁରକୁ ଜାତୀୟ ରାଜପଥ ଯାଇଛି । ତାହାରି କଡ଼ରେ ଗୋଟିଏ ଆମ୍ବତୋଟାରେ ଶତାଧିକ ଶରଣାର୍ଥୀ କୁଟୁମ୍ବଙ୍କୁ ରଖାଗଲା । ସମସ୍ତେ କହିଲେ, ଯାହାହେଉ ଉଦ୍‌ବାସ୍ତୁ ହତଭାଗ୍ୟ କୁଟୁମ୍ବଗୁଡ଼ିକ ଏଇଠି ଥଇଥାନ ହେଲେ । ସେମାନଙ୍କୁ ଭୂମି ଦିଆହେବ । ଚାଳଘର ତ ଦିଆଯାଇଛି । ସେମାନେ ନିଜେ ପରିଶ୍ରମ କରି ଏଣିକି ନିଜ ଥଇଥାନର ବ୍ୟବସ୍ଥା କରିବେ, ସୁଖରେ ରହିବେ ।

 

ସରକାରଙ୍କଠାରୁ ଧାର ସୂତ୍ରରେ ସାହାଯ୍ୟ ନେଇ କେତେ ଉତ୍ସାହୀ ଆଶ୍ରୟପ୍ରାର୍ଥୀ ଛୋଟ ଛୋଟ ବ୍ୟବସାୟ ଆରମ୍ଭ କରିଦେଲେ–ଚାହା ଦୋକାନ, ପନିପରିବା ଦୋକାନ, ମନୋହରୀ ଦୋକାନ, ଚାଉଳ ଡାଲି ଓ ତେଜରାତିର ଦୋକାନ । କେହି କେହି ମୋଫସଲରୁ କାଠ ଆଣି ବିକ୍ରୟ କଲେ । ଅବସ୍ଥା ବଦଳି ଆସିଲା । ରୂପଭେକ ମଧ୍ୟ ବଦଳିଲା । ଆସିଲାବେଳେ ଧଡ଼ିଆ ଧେଡ଼ଙ୍ଗ ମଇଳା କୋତରା ହୋଇ ଆସିଥିଲେ । ଭଲ ଖାଦ୍ୟ ଅଭାବରୁ ପିଲାଗୁଡ଼ିକଙ୍କର କଣ୍ଟା ଦୋହଲୁଥିଲା । ପେଟ ବଡ଼, ଛାତିରେ ବିଦାକାଠି ପରି ହାଡ଼ ଗଣି ହେଉଛି, ମୁହଁ ସୁଣୁଜା, ଆଖି ପଶିଲା ପଶିଲା । ଦେହରେ ଜୀବନୀ ଶକ୍ତି ନାହିଁ । ବାର ଦିନେ ତେର ରୋଗ । ଦେଖିଲେ ବିକଳ ଲାଗେ ।

 

ଟିକିଏ ସୁସ୍ଥରେ ରହିଲେ, ଭଲ ଖାଇବାକୁ ଓ ପିନ୍ଧିବାକୁ ଚେଷ୍ଟା କଲେ । ମାସ କେଇଟିରେ ପୂର୍ବ ସ୍ୱାସ୍ଥ୍ୟ ଫେରିଆସିଲା । ମୁହଁରେ ଜ୍ୟୋତି ପ୍ରକାଶିଲା । ଭଲ ଲୁଗା ଭଲ ଜାମା ପିନ୍ଧି ସୁନ୍ଦର ଦିଶିଲେ । ଆନନ୍ଦରେ ସମୟ କାଟିଲେ । ଅମିତାଟି କୁଲୁକୁଲିଆ କଣ୍ଢେଇପରି ଦେଖାଗଲା । ଛୋଟ ଚାଳଘରଟିରେ ସେ ତା’ର ହସ, କୌତୁକ ଓ ଖେଳରେ ଆନନ୍ଦର ଢେଉ ଛୁଟାଇଲା । ଯିଏ ଦେଖିଲା ସ୍ନେହରେ ତାକୁ କାଖ କଲା, ମୁହଁରେ ବୋକ ଦେଲା । ଅମିୟର ସେ ହେଲା ଖେଳ କଣ୍ଢେଇ ।

 

ସେତିକିବେଳେ ଅମିୟ ପ୍ରସ୍ତାବ ବାଢ଼ିଥିଲା ଅନିମାଙ୍କ ପାଖରେ, ଭାଉଜ, ଅନ୍ୟମାନଙ୍କପରି ସରକାରଙ୍କ ପାଖରୁ ଟଙ୍କା କରଜ ଆଣି ମୁଁ ମଧ୍ୟ ବ୍ୟବସାୟ କରିବି, ଦୋକାନ କରିବି । ଦେଖ, ସେମାନେ କେଡ଼େ ସୁଖରେ ଅଛନ୍ତି । ଆମର ସମ୍ବଳ କେବଳ ସରକାରୀ ଭତ୍ତା । ସେଥିରେ ଯତ୍ରେକତ୍ରେ ପେଟ ପୂରିପାରେ କିନ୍ତୁ ଅବସ୍ଥା ସୁଧିରିବ ନାହିଁ । ଜମି ଦେବେ ଦେବେ ବୋଲି କହୁଛନ୍ତି । କେଉଁଠି ଦେବେ, କେବେ ଦେବେ, କି ପ୍ରକାର ଜମି, କିଛି ଜଣାଯାଉନାହିଁ ।

 

ଅନିମା କହିଲେ, ଭଲ କହୁଛ । ବାଣିଜ୍ୟ କଲେ ଲକ୍ଷ୍ମୀ ଆସନ୍ତି, କିନ୍ତୁ ବାବୁ, ବ୍ୟବସାୟ କରିବାର ବୟସ ତମର ହୋଇନାହିଁ । ବ୍ୟବସାୟ କଲେ ଯେତେ ପ୍ରକାର କୂଟନୀତି ପ୍ରୟୋଗ କରିବା ଲୋଡ଼ା ହୁଏ, ସେତକ ତୁମକୁ ଜଣାନାହିଁ । ଏଠାରେ ଯେଉଁମାନେ ବ୍ୟବସାୟ ନାମରେ ଦୋକାନ କରିଛନ୍ତି ସେମାନଙ୍କର ଅବସ୍ଥା କ’ଣ ହୋଇଛି ଟିକିଏ ଭିତରେ ପଶି ଦେଖ । ସେମାନଙ୍କ ଘରଣୀମାନଙ୍କର କାରବାର ମୁଁ ଦେଖୁଛି । ମାଛ ମାଂସ, କ୍ଷୀରୀପୁରି, ପୁଣ୍ୟ ପର୍ବରେ ପିଠାପଣା ଓ ଭଲ ଭଲ ଦାମିକା ଶାଢ଼ି ବ୍ଲାଉଜ୍‍ରେ ମୂଳଧନ କମି କମି ଯାଉଛି । କ’ଣ ହେବ ଭବିଷ୍ୟତ୍‌ରେ କିଏ ଜାଣେ ? ସବୁର କର । ଆମେ ସାହାଯ୍ୟ ଭତ୍ତାରେ ଯେମିତି ଦୁଃଖେସୁଖେ ଚଳିଆସୁଛି ସେମିତି ଚଳିବା । ତୁମେ ମୋର କଥା ମାନ, ଏଠାକା ସ୍କୁଲ୍‍ରେ କୌଣସିମତେ ନାମ ଲେଖାଇ ମାଟ୍ରିକ୍‌ ପାସ୍‌ କର । ପାକିସ୍ଥାନରେ କେବେ କ’ଣ ପଢ଼ିଥିଲ, ସେ ସବୁ ପାସୋରିଯାଅ । ନିଜର ଭବିଷ୍ୟତ୍‌ପାଇଁ ନିଜକୁ ଆଗରୁ ଗଢ଼ ।

 

ବାହାରିଆ ଛାତ୍ର ହିସାବରେ ସ୍କୁଲ୍‍ରେ ସେ ପାଠ ପଢ଼ିଲା, ପରୀକ୍ଷା ଦେଲା । ବାସ–ଚ୍ୟୁତ ଆଶ୍ରୟ ପ୍ରାର୍ଥୀ ବୋଲି ସେ ସବୁସ୍ଥଳରେ ସମସ୍ତଙ୍କ ପାଖରୁ ସହାନୁଭୂତି ପାଇଥିଲା । ଦଶମ ଶ୍ରେଣୀରେ ନାମ ଲେଖାଇଲା । ଏ ପ୍ରଦେଶର ଲୋକେ, ଏଇ ଓଡ଼ିଆ ଜାତିର ଉଦାରତାର ପରିଚୟ ସେ ସର୍ବତ୍ର ଅନୁଭବ କରିଛି ।

 

ସଂକୀର୍ଣ୍ଣ ପ୍ରାଦେଶିକ ମନୋଭାବ ଏଇ ଅତି ପୁରାତନ ଐତିହାସିକ ଜାତିର ପ୍ରକୃତି–ବିରୁଦ୍ଧ । ଭାଷାର ଗର୍ବ କି ଜାତିର ଅହଂ ଏମାନଙ୍କୁ ସ୍ପର୍ଶ କରି ନାହିଁ । ନିଜେ ଦୁଃଖ କଷ୍ଟ ସହି ପରକୁ ସେ ଆପଣାର କରିଛି । ଉଦାରତା ଓ ମହତପଣକୁ ଅନ୍ୟମାନେ ନିର୍ବୋଧତା ଓ ଭୀରୁତା ଆଖ୍ୟା ଦେଇଛନ୍ତି, ଏବେ ମଧ୍ୟ ଦେଉଛନ୍ତି । ନିଜର ସର୍ବନାଶ ହେଲେ ମଧ୍ୟ ହାତ ଟେକିବା ତ ଦୂରର କଥା ସେମାନେ ତୁଣ୍ଡ ଖୋଲୁ ନାହାନ୍ତି । ହୋଇଥିବେ ସେମାନେ ନିର୍ବୋଧ, ନିର୍ବୁଦ୍ଧିଆ ଓ ଭୀରୁ, ତା’ର କି ଥାଏ ?

 

ପରିଶ୍ରମ କରି ପୁଣି ଅମିୟ ପାଠ ପଢ଼ିଲା । ଓଡ଼ିଆ ଭାଷା ଶିଖିବାକୁ ତାକୁ ଅଧିକ ଦିନ ଲାଗିଲା ନାହିଁ । ଏକା ପରି ତ ଭାଷା, ତଳେଇ ଦେଖିଲେ ଅଧିକାଂଶ ଅକ୍ଷରର ମୂଳବି ସମାନ । କହିବାକୁ ଓ ଲେଖିବାକୁ ଅଭ୍ୟାସ କଲେ ଅଳ୍ପ ଦିନରେ ଆୟତ୍ତ ହୋଇଯାଏ । ଅନ୍ୟମାନେ ଥଟାତାମସା କରନ୍ତି, କିନ୍ତୁ ଅମିୟ ଜିଦି ଧରି ଓଡ଼ିଆ ଶିଖେ, ଲେଖେ ଓ କହେ ।

 

ଉତ୍କଳ ବିଶ୍ୱବିଦ୍ୟାଳୟ ମ୍ୟାଟ୍ରିକୁଲେସନ ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲା । ଦ୍ୱିତୀୟ ଶ୍ରେଣୀ ପାଇଥିଲା । ସେ ଅମିୟ ମଣ୍ଡଳ ସ୍ୱର୍ଗୀୟ ଅନୁପମ ମଣ୍ଡଳଙ୍କର ଦ୍ୱିତୀୟ ପୁତ୍ର, ଖବର ଅନ୍ତର ମିଳି ନଥିବା ଅଧର ମଣ୍ଡଳଙ୍କର ଅନୁଜ ! ଯଥାସମୟରେ ସେ ସାଟିଫିକେଟ୍ ହାସଲ କରିଥିଲା ।

 

ସେ ପ୍ରତାରକ ନୁହେଁ । ଅନୁପମ ମଣ୍ଡଳ ଯାହାଙ୍କୁ କୁଳବଧୁ କରି ଘରକୁ ଆଣିଥିଲେ ସେହି ଅନିମା ଦେବୀ, ପିଣ୍ଡଛାଡ଼ି ଚାଲି ଯାଉଥିବା ଗୋଟିଏ ଛଟପଟ ଆତ୍ମାକୁ ମମତାର ଅମୃତ ଦେଇ ଅଟକାଇ ରଖିଥିଲେ । ଶ୍ୱଶୁରଙ୍କର ଅଶରୀରୀ ଆତ୍ମା ହାତରେ ଟେକିଦେଇ କହିଥିଲେ ପରା, ମୁଁ ଆପଣଙ୍କର କୁଳବଧୂ, ଆପଣଙ୍କର ପୁତ୍ର ଅମିୟ ଆମର ଜୀବନ ଓ ସମ୍ମାନରକ୍ଷା କରିବାକୁ ପିଣ୍ଡ ଫୋପାଡ଼ି, ରକ୍ତ ଢାଳି ପ୍ରୟାଣ କରିଥିଲା; ମୁଁ ଏହି ଅମିୟଦତ୍ତର ଆତ୍ମାକୁ ଅଟକାଇ ରଖିଛି । କ୍ଷତବିକ୍ଷତ ଅଙ୍ଗକୁ ତା’ର ଯତ୍ନକରି ସେବା ସହାନୁଭୂତିର ମଲମ ବୋଳି ସୁସ୍ଥ କରିଛି । ସେ ଆପଣଙ୍କର ପୋଷ୍ୟପୁତ୍ର !

 

ସେ ଗ୍ରହଣ କରନ୍ତୁ ଅବା ନ କରନ୍ତୁ ଅମିୟ ନିଜେ ପୋଷ୍ୟପୁତ୍ର ତା’ ଗ୍ରହଣ କରିଛି, ସେ ହୋଇଛି ଅମିୟ ମଣ୍ଡଳ, ଅନୁପମ ମଣ୍ଡଳଙ୍କର ପୁତ୍ର ।

 

ବତିଶ

 

ଅନିମାଙ୍କର ଭବିଷ୍ୟତ୍‌ ବାଣୀ ସତ୍ୟ ହେଲା । ଜଣକର ଦେଖି ଆଉଜଣେ, ଏପରି ଅଧିକାଂଶ କୁଟୁମ୍ବ ବେପାର କରିବାକୁ ସରକାରଙ୍କ ପାଖରୁ କରଜ ନେଲେ । ବେପାର ଆରମ୍ଭ କଲେ । ଆଶ୍ରୟ–ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ପୂର୍ବ–ବଙ୍ଗରେ ଥିଲେ ଚାଷୀ, ମୂଲିଆ, ବଢ଼େଇ, କମ୍ଭାର ଓ ମାଛଧରାଳୀ । ବ୍ୟବସାୟର ଉପାୟ ସେମାନଙ୍କୁ ଜଣା ନଥିଲା ।

 

ଆଉ କେତେ ଆଶ୍ରୟପ୍ରାର୍ଥୀ ପୂର୍ବ–ବଙ୍ଗରେ ଭୂମିହୀନ ମୂଲିଆ ଥିଲେ । ଭାରତ ସରକାର ଭତ୍ତା ଦେବେ, ଭୂମି ଦେଇ ଥଇଥାନ କରିବେ, ଏହି ଲୋଭରେ ଅତ୍ୟାଚାରିତ ନ ହୋଇ ମଧ୍ୟ ପଳାଇ ଆସିଛନ୍ତି । ଏହି ସୁବିଧାର ପୂର୍ଣ୍ଣ ସୁଯୋଗ ନେବାକୁ କେତେ ଭୂମିବାଡ଼ିଥିବା କୁଟୁମ୍ବ ମାହାଳିଆ ସାହାଯ୍ୟର ଲୋଭରେ ପୂର୍ବ–ବଙ୍ଗରେ ନିଜ କୁଟୁମ୍ବର ଅଧେ ଲୋକଙ୍କୁ ରଖି ଚାଲି ଆସିଛନ୍ତି । ଧୀରେ ଧୀରେ ବ୍ୟବସାୟରେ ଖଟାଇଥିବା କରଜ–ସୂତ୍ରରେ ପାଇଥିବା ମୂଳ ଧନ ଖାଇପିଇ ଶେଷ କରି, ସେମାନେ କାହାକୁ କିଛି ନ କହି ବଙ୍ଗଦେଶକୁ ଛୁ କଲେଣି । ପୁଣି କେଉଁ ନାମରେ ମନଗଢ଼ା ଅତ୍ୟାଚାରର କରୁଣ କାହାଣୀ ପ୍ରଚାର କରି, ଆଉଥରେ ନାମ ରେଜିଷ୍ଟ୍ରିକରାଇ ଅନ୍ୟ କେଉଁ କ୍ୟାମ୍ପ୍‍କୁ ଯିବେ କିଏ କହି ପାରିବ ?

 

ଦେଖୁଦେଖୁ ଅନୁଗୋଳ କ୍ୟାମ୍ପ୍‍ ଶୂନ୍ୟ ହୋଇ ଆସିଲା । ସବୁ ଅସ୍ଥାୟୀ ଘର ଭାଙ୍ଗି ମାଟିରେ ମିଶିଲା । ଶେଷ ମୁହୂର୍ତ୍ତଯାଏ ରହି ଭୂମି ଦେଇ ଭୂମି ଦେଇ ଥଇଥାନ କରିବାର ଆଶୁ ବ୍ୟବସ୍ଥା ଉପରେ ସନ୍ଦିହାନ ହୋଇ ବାଧ୍ୟ ହୋଇ ପୁଣି ଅମିୟ କଲିକତାକୁ ଫେରିଗଲା ।

 

ଏଥର ସେ ହୋଇଛି ଶିକ୍ଷିତ । ବାରଘାଟରେ ପାଣି ପିଇ ବିଭିନ୍ନ ପ୍ରକାର ଲୋକଙ୍କର ସଂସ୍ପର୍ଶରେ ଆସି ସେ ହୋଇଛି ଅଭିଜ୍ଞ ଓ ଚତୁର । କଲିକତାର ଫୁଟ୍‌ପାଥ୍‌ କଡ଼ରେ କି ଅନ୍ୟ କାହାର ପିଣ୍ଡାରେ ଆଉ ସେ ବେଳ କଟାଇ ନାହିଁ । ସିଧା ସଳଖ ସିଆଲ୍‌ଦା ଷ୍ଟେସନ୍‍ର ୱେଟିଙ୍ଗ୍ ରୁମ୍‌ ଓ ପରେ ପ୍ଲାଟ୍‌ଫର୍ମ୍‍ରେ ରହଣି । ଅନିମାଙ୍କ ପାଖରେ ସାମାନ୍ୟ କେତେ ଶହ ସଞ୍ଚିତ ଟଙ୍କା ଅଛି । ଉପାସ ଭୋକରେ ବେଳ କଟୁନାହିଁ କି ଅନିମାଙ୍କୁ କେଉଁ ହୋଟେଲରେ ଦାସୀ–ବୃତ୍ତି କରିବାକୁ ପଡ଼ୁନାହିଁ । କ୍ୟାମ୍ପ୍‍ମାନଙ୍କରେ ରହି ଯାଯାବର ଜୀବନ ଦେହସୁହା ହେଲାଣି ।

 

ଅନିମା ଉପଦେଶ ଦେଲେ, ବଙ୍ଗଦେଶ ଛାଡ଼ି ଅନ୍ୟ କେଉଁଆଡ଼େ ଯିବାକୁ ମୋର ମନ ହେଉନାହିଁ । ଅମିୟ, ଦୁଃଖ ପଛେ ଟିକିଏ ସହିବା, ଯେଉଁଥିପାଇଁ ମୁଁ ବଞ୍ଚି ରହିଛି, ସେ ଆଶା ମୋର ଅନ୍ୟ ସ୍ଥାନରେ ପୂରଣ ହେବନାହିଁ । କିପରି ସେ ଜାଣିବେ ମୁଁ କେଉଁଠି ଅଛି ? ଚିଠିପତ୍ରର ଉତ୍ତର ପାଉନାହିଁ । ସତକଥା, ପୋଡ଼ିଜଳି ଛାରଖାର ହୋଇଥିବା ଗ୍ରାମରେ, ଯେଉଁଠି ରକ୍ତର ସୁଅ ଛୁଟିଥିଲା, ସେଠାକୁ ସେ ବା ଫେରିଯାଆନ୍ତେ କାହିଁକି ? ସେ ବଙ୍ଗଦେଶକୁ ଆସିଥିବେ । ହୁଏତ ଏଇଠି ଥିବେ । ଅବଶ୍ୟ ଦିନେ ନା ଦିନେ ଦେଖା ହେବ । ତୁମେ ଏଇ ସହରରେ କେଉଁଠି ଚାକିରି କର । ନୋହିଲେ ଛୋଟ ବ୍ୟବସାୟ କର । ମୁଁ ଟଙ୍କା ଦେବି । କେଉଁଠି ସାନଘର କି ଦି’ ବଖରା ଘରଭଡ଼ା ନେବାକୁ ଶୀଘ୍ର ଚେଷ୍ଟାକର । ଛୁଆଟାକୁ ଧରି ଆଉ ପ୍ଲାଟ୍‌ଫର୍ମ୍‍ରେ ରହିବା ସମ୍ଭବ ନୁହେଁ । ଦେଖୁଛ ତ ଭିଡ଼ !

 

ଅନିମାଙ୍କର ଆଖିରେ ଲୁହ ଦେଖି ଅମିୟ ପ୍ରତିବାଦ କରି ନଥିଲା । ଉପଦେଶ ପାଳିବାକୁ ଆପ୍ରାଣ ଚେଷ୍ଟା କରିଥିଲା । ଏ ଅଫିସ୍‍ରୁ ସେ ଅଫିସ୍ ଧାଇଁ ସକାଳୁ ସଞ୍ଜଯାଏ ଚାକିରି ଖୋଜି ବୁଲୁଥିଲା । ପୁଣି ହେଲା ଭାଗ୍ୟର ବିପର୍ଯ୍ୟୟ । ତା’ର ଅନୁପସ୍ଥିତିରେ ଅନିମାଙ୍କର ଟିକିଏ ଅସାବଧାନତା ପାଇଁ, ସନ୍ଧ୍ୟା ସମୟରେ ତାଙ୍କର ସର୍ବସ୍ୱ ଚୋରି ହୋଇଗଲା ।

 

ସତେକି ମୁଣ୍ଡରେ ବଜ୍ରପାତ ହେଲା । ରାତି ପାହିଲେ କ’ଣ ଖାଇ ବଞ୍ଚିବେ ତାହାହିଁ ହେଲା ଭାବନା । ପ୍ରାୟ ସାତଶହ ଟଙ୍କା ହାତରେ ଧରି ସେମାନେ ଅନୁଗୋଳର ଭଙ୍ଗା କ୍ୟାମ୍ପ୍‍ ଛାଡ଼ିଥିଲେ । ସେତକ ଗଲା, ଆଉ ଭତ୍ତା ମିଳୁ ନାହିଁ । କିପରି ଜୀବନ ବଞ୍ଚାଇବେ ?

 

ପୁଣି ଘୋଟି ଆସିଲା ଦୁଃଖ ନୈରାଶ୍ୟର ସମୟ । ଯେକୌଣସି ଉପାୟରେ ଆଗ ପେଟପୋଷିବାର ବ୍ୟବସ୍ଥା କରିବାକୁ ହେବ, କିନ୍ତୁ କି ବ୍ୟବସ୍ଥା ? ଆହୁରିଥରେ ଉଦ୍‌ବାସ୍ତୁ–ରେଜିଷ୍ଟ୍ରେସନ ସଂସ୍ଥା !

 

ଦଣ୍ଡକାରଣ୍ୟ ଯୋଜନା ସେତେବେଳେ ପରିକଳ୍ପିତ ହୋଇ ନଥାଏ ।

 

ପୁଣି ସେହି କ୍ୟାମ୍ପ୍‍ ଜୀବନ ।

 

ଅନିଶ୍ଚିତତାର ପାରାବାରରେ ସେମାନେ ତାଙ୍କ କୁଟୁମ୍ବର ଛୋଟ ନୌକାଟି ଭସାଇଦେଲେ । ଆଶା ନାହିଁ, ଉଦ୍ଦୀପନା ନାହିଁ । ଯୁଆଡ଼କୁ ଭାସିଯାଉଛି ସେ ନୌକା ଭାସିଯାଉ, ନିୟତିର ଅଜଣା ନିର୍ଦ୍ଦେଶ ପୂରଣ ହେଉ । ନିଶ୍ଚେଷ୍ଟ ହୋଇ ରହିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।

 

ବଙ୍ଗ ଦେଶର ବିଭିନ୍ନ କ୍ୟାମ୍ପ୍‍ରେ ରହଣି । ଶୁଣାଗଲା, ଦଣ୍ଡକାରଣ୍ୟରେ ଥଇଥାନ କଥା-

 

ବର୍ଷପରେ ବର୍ଷ କଟି ଯାଇଛି । ବଙ୍ଗଳା ବାହାରେ ପୁଣି କେତେ କ୍ୟାମ୍ପ୍‍ରେ ସୁଖଦୁଃଖର ଜୀବନ କଟିଛି । ବୟସ ସଙ୍ଗେ ସଙ୍ଗେ ଦୁନିଆର ଅଭିଜ୍ଞତା ବଢ଼ିଛି । ଛୋଟ ଅମିତା ବଡ଼ ହୋଇଛି । କୁଟୁମ୍ବର ତିନୋଟି ପ୍ରାଣୀ କେବେ ଛଡ଼ାଛଡ଼ି ହୋଇ ନାହାନ୍ତି ।

 

ଏତେ ଦିନକେ ଅମିୟ ପାଇଛି ନିଯୁକ୍ତି ।

 

ଆନନ୍ଦ ହେବାର କଥା, କିନ୍ତୁ ଦୁଃଖିତ ହେଉଛି । କିପରି ସେ ଜଣେ ସ୍ତ୍ରୀ ଓ ଗୋଟିଏ ବାଳିକାଙ୍କୁ ଏକାଛାଡ଼ି ଦୂରକୁ, ଉମରକୋଟ୍‌କୁ ଚାଲିଯିବ ? କିଏ ସେମାନଙ୍କର ତତ୍ତ୍ୱ ନେବ ? ଏହାହିଁ ଅମିୟର ଭାବନା । ତେବେ କ’ଣ ଚାକିରି ଗ୍ରହଣ ନ କରି ତୁନି ହୋଇ ରହିବ ? ଜୀବନଟା ଯେପରି କଟୁଛି ସେହିପରି କଟିବ ?

 

ଅମିୟ ରାତିରେ ଉନ୍ନିଦ୍ର ହୋଇ ଏହାହିଁ ଚିନ୍ତା କରୁଥିଲା ।

 

ତା’ ଭାଉଜଙ୍କର ଆନନ୍ଦର ସୀମା ନାହିଁ । ଯିଏ ପାଖକୁ ଆସୁଛି ତାକୁ ସେ ଆଗ ବଳିପଡ଼ି କହୁଛନ୍ତି, ଅମିୟ ମୋର ଚାକିରି ପାଇଛି, ଶହେ ଟଙ୍କା ଦରମା । ଠାକୁରେ ତା’ର ଉତ୍ତରୋତ୍ତର ଉନ୍ନତି କରିବେ । ଯିବ ସେ ଉମରକୋଟ । ଜଣାଶୁଣା ସ୍ଥାନ । ବେଶି ଦୂର ନୁହେଁ, ମନ କଲେ ରବିବାରଦିନ ଆସି ସୋମବାରଦିନ ଫେରିବ ।

 

ତେତିଶ

 

କାଲି ଭଲଦିନ, ଶୁଭଦିନ, ମଙ୍ଗଳବାର । ରାତି ପାହାନ୍ତାରୁ ଅମିୟ ଅନୁକୂଳ କରିଯିବ । ବୁଧବାର ସକାଳ ବସ୍‌ରେ ଗଲେ ଦିନ ଦଶଟାରେ ଜୟପୁରରେ ପହଞ୍ଚିବ । କେଉଁ ହୋଟେଲରେ ଖିଆପିଆ କରି ଉପରବୋଳା ଦୁଇଟା ବସ୍‌ରେ ଜୟପୁରରୁ ବାହାରିଲେ ସଞ୍ଜ ସରିକି ସେ ଉମରକୋଟରେ ପହଞ୍ଚିବ । ଜୟପୁର ଯେ ମଝିଆମଝି ପେଣ୍ଠଜାଗା । ସେଠାରୁ ମାଲକାନଗିରି ପଞ୍ଚଷଠି ମାଇଲ, ଉମରକୋଟବି ପ୍ରାୟ ସେତିକି । ବସ୍ତର ଜିଲାର ରାଜଧାନୀ ଜଗଦଲ୍‌ପୁର ସେମିତି ସେଠାରୁ ତେପନ ମାଇଲ ବାଟ । ସେହି ଜୟପୁରରୁ ଚାରିଦିଗକୁ କେତେ ବସ୍‌ ଚାଲିଛି । ଆଜିକାଲିକା ଯୁଗରେ ମାଲକାନଗିରିରୁ ଜୟପୁର ମୋଟେ ଶହେ ତିରିଶି ମାଇଲ ବାଟ । ପୂର୍ବକାଳର ଡାକେବାଟ ସଙ୍ଗେ ସମାନ । ସେଥିକି ଚିନ୍ତାନାହିଁ । ସବୁଦିନେ ଖବର ଆସିପାରିବ, ଯାଇପାରିବ । ମନରେ କିମ୍ବାକିନ୍ତୁ ଆସିବ କାହିଁକି ?

 

କାର୍ଯ୍ୟବ୍ୟସ୍ତ ଅନିମା ମନକୁ ଭୁଲାଉଥିଲେ । ନୂଆ ଟ୍ରଙ୍କ୍‍ରେ ଅମିୟପାଇଁ ଦରକାରୀ ଜିନିଷ ସଜାଉଥିଲେ । ଛୋଟ ସଂସାରରେ ଯେତିକି ସମ୍ବଳ ଥିଲା, ଅମିୟର ଯାହାଯାହା ଲୋଡ଼ା ହୋଇପାରେ, ସବୁ ସେ ସଜାଇ ରଖୁଥିଲେ । ଲୁଗା, ପ୍ୟାଣ୍ଟ, ସାର୍ଟ୍, ଗେଞ୍ଜି, ନିଜେ ବୁଣିଥିବା ଉଲ୍‌ର ସ୍ୱେଟର୍‌, ମୁଣ୍ଡରେ ଭିଡ଼ିବାକୁ କମ୍ଫର୍ଟ, ଆଇନା, ପାନିଆ, କ୍ଷୁରବାକ୍‌ସ । ହାତତିଆରି ଚାରୋଟି ରୁମାଲ, ଥାଳି, ତାଟିଆ, ନୋଟା । ନିଜର ଓ ଅନିମାର ଖଣ୍ଡେଖଣ୍ଡେ ଛୋଟ ଫଟୋ, କିଏ ଜଣେ ଜାମୁରଣ୍ଡାରେ ଉଠାଇଥିଲା, ସେତକ ମଧ୍ୟ ଟ୍ରଙ୍କ୍‍ରେ ରଖିଦେଇଛନ୍ତି । ଖଣ୍ଡେ ସତରଞ୍ଜି, ଦିଖଣ୍ଡି ପରିଷ୍କାର ବିଛଣାଚଦର, ତକିଆ, ଫୁଲପକା ଖୋଳ ଦିଖଣ୍ଡି, ଅଲଗା କରି ବାନ୍ଧି ରଖିଛନ୍ତି । ଛୋଟ ମାଳିରେ ତିଆରି ମନି–ବ୍ୟାଗ୍‍ଟିରେ ଶହେଟଙ୍କାର ନୋଟ୍‌ ପୂରାଇ ଟ୍ରଙ୍କ୍‌ ତଳେ ଲୁଚାଇ ଦେଇଛନ୍ତି । ତାଆରି ଉପରେ ସଜାଇ ରଖିଛନ୍ତି କେତେଖଣ୍ଡି ଇଂରାଜୀ ଓ ବଙ୍ଗଳା ବହି, ଖଣ୍ଡେ ଓଡ଼ିଆ କବିତା ପୁସ୍ତକ ଓ ଦୁଇଖଣ୍ଡି ଓଡ଼ିଆ ଉପନ୍ୟାସ, ଅମିୟର ଅତି ଆଦରର ପୁସ୍ତକଗୁଡ଼ିକ ।

 

ପୁରୁଣା ସଫାଲୁଗା ଓ ଶାଢ଼ି କେତେଖଣ୍ଡି ଏକାଠି ଯୋଡ଼ି କେତେ ଦିନ ହେଲା ସେ ଖଣ୍ଡିଏ କନ୍ଥା ତିଆରି କରୁଛନ୍ତି । ବିଭିନ୍ନ ରଙ୍ଗର ସୂତାରେ ସେଥିରେ ପତ୍ର, ଫୁଲ, ଚଢ଼େଇ ପକାଉଛନ୍ତି । କମକୁଟ ନିକିମା କାମ । ଧୈର୍ଯ୍ୟ ଲୋଡ଼ା, ସମୟ ଲୋଡ଼ା । ଅନିମା ଆଶା କରିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟା ଆଗରୁ କନ୍ଥା ଖଣ୍ଡି ଶେଷ ହୋଇଯିବ, ଅମିୟ ସଙ୍ଗରେ ନେବ । ବୁଧବାର ସନ୍ଧ୍ୟାରେ ସେ ଉମରକୋଟରେ ପହଞ୍ଚିଲେ ଗୁରୁବାର ଦିନ କାର୍ଯ୍ୟରେ ଯୋଗ ଦେବ ।

 

ସୂର୍ଯ୍ୟ ଅସ୍ତ ହୋଇ ନଥାନ୍ତି । ପଶ୍ଚିମ ଦିଗନ୍ତର ଦୂର ପାହାଡ଼ମାଳର ମଥାନ ତଳକୁ ଓହ୍ଲାଇ ଗଲେଣି । ତୀରଗୁଡ଼ିଏ ଛୁଟିଗଲାପରି ଉଜ୍ଜ୍ୱଳ ରଶ୍ମି ନୀଳ ଆକାଶର ଭାସିଲା ମେଘମାଳ ଆଡ଼କୁ ଛୁଟିଛି ଅବିରାମ । ଅନିମା ତାଙ୍କ ନୂଆ ଅସ୍ଥାୟୀ ଛଣଘରର ପିଣ୍ଡାରେ ବସି କନ୍ଥା ସିଲାଇକରୁଣୁ ମୁହଁ ଟେକି ପଶ୍ଚିମ ଆକାଶକୁ ଚାହିଁଲେ । ଭାବିଲେ, କେତେବେଳୁ ଅମିୟ ଅମିତାକୁ ସଙ୍ଗରେ ନେଇ ବୁଲିବାହାରିଲେଣି, ବନ୍ଧୁମାନଙ୍କଠାରୁ ବିଦାୟ ନେଇ ଆସିବେ । ଘରର ହାନିଲାଭ ଖବର ବୁଝିବାକୁ କାହାକୁ ଅନୁରୋଧ କରି ଆସିବେ । ଅଟକି ଯାଇଥିବେ ପରା ଗୋପାଳ ହାଉଲ୍‌ଦାରଙ୍କ କ୍ୟାମ୍ପ୍‍ରେ । ବୁଢ଼ା ଗପପେଡ଼ି ଖୋଲି ବସିଥିବେ ।

 

ସୁରେନ୍ଦ୍ରର ସମବୟସ୍କ ଅମିୟ । ଉଭୟେ ଉଭୟଙ୍କୁ ଭଲ ପାଆନ୍ତି । କେଜାଣି, ସୁରେନ୍‌ ସଙ୍ଗରେ ସେ ଗଳ୍ପ ଜମାଇଁଥିବେ । ସୁରେନ୍‌ ପୁଣି ଅସ୍ଥାୟୀ କ୍ୟାମ୍ପ୍‍ରେ ଖୋଲାହୋଇଥିବା ନୂଆ ପ୍ରାଇମେରୀ ସ୍କୁଲ୍‍ରେ ଶିକ୍ଷକ କାର୍ଯ୍ୟରେ ନିଯୁକ୍ତି ପାଇଛି । ଦୁଇଦିନତଳେ କାର୍ଯ୍ୟରେ ଯୋଗ ଦେଇଛି ।

 

ଗୋଟିଏ ବଡ଼ ସାମିଆନା ତଳେ ସ୍କୁଲ୍‌ ହେଉଛି । ଧୀରେ ଧୀରେ ପିଲାମାନେ ଯୋଗ ଦେଉଛନ୍ତି । ହୁଏତ ସେଇଠି ସେମାନେ ସ୍କୁଲ୍‌ ସମ୍ବନ୍ଧରେ କଥାଭାଷା ହେଉଥିବେ । କେତେବେଳେ ଫେରିବେ ସେ ଦିହେଁ କେଜାଣି ।

 

ଅନିମାକୁ ସୁରେନ୍‌ର ମା’ ତନୁଜା ସ୍ନେହରେ କିଣି ନେଇଛନ୍ତି । ତାଙ୍କର ସ୍ନେହର ଡୋରରେ ଟାଣିହୋଇ ସେ ଧାଇଁଯାଏ ।

 

ଅଳ୍ପ–ଭାଷୀ ତନୁଜା କାହିଁକି ତାକୁ ଏତେ ଭଲ ପାଆନ୍ତି, କେବେ ତୁଣ୍ଡଖୋଲି କହିନାହାନ୍ତି । କାହିଁକି ? କ’ଣ ଗୋଟାଏ ଅନୁମାନ କରିବାକୁ ଆଗ୍ରହ ଡହଳବିକଳ ହୁଏ । ସୁରେନ୍‌ ଭଲ ପିଲା, ସୁନ୍ଦର ଚେହେରା, ଧୀରସ୍ଥିର । ବିନୟୀ, ଭଲ ସ୍ୱାସ୍ଥ୍ୟ । ମନ୍ଦ ହୁଅନ୍ତା ନାହିଁ, କିନ୍ତୁ ଘରଯୋଗ୍ୟା ହୋଇଥିଲେବି ଅମିତା ଅତି ପିଲା, ଚଉଦବର୍ଷର ଝିଅ । ପିଲାଳିଆ ଢଙ୍ଗ, ପିଲାଳିଆ ବୁଦ୍ଧି ଛାଡ଼ିନାହିଁ । ସୁରେନ୍‌ଠାରୁ ଅନ୍ତତଃ ସେ ଦଶବର୍ଷ ସାନ ହେବ । ତେବେ, ସୁରେନ୍‌ ମରଦ ପିଲା-। ସେଥିକି ଭାବନା ନାହିଁ । ଏତେ ଛୋଟପିଲା ଅମିତାକୁ ସେ ପରଘରକୁ ଦେବେ ନାହିଁ-। ଯାଉ ଦୁଇବର୍ଷ ଗଡ଼ି । ତେଣିକି ସେ ବିଷୟ ମନକୁ ଆଣିବେ । ଆଜିଠାରୁ ହମହମ ହେବେ କାହିଁକି-?

 

କିଏ କହୁଚି କି ?

 

ଅନିମାଙ୍କର ନିଜ ମନ ମେଲିଯାଇଥିବା ଭାବନାକୁ ପ୍ରଶ୍ନ ପଚାରିଲା, ବାଟ ଓଗାଳିଲା । ଛି, ଏତେ କଥା ଆଜହୁଁ ସେ ବିଚାରିବେ ନାହିଁ । ତନୁଜାଙ୍କର ଟେଣ୍ଟ୍‍ରେ ବସି ଦିନେ ଦ୍ୱିପ୍ରହରେ ସୁଖଦୁଃଖ ହେଉଥିଲେ । ଆଖି ଛଳଛଳ କରି ତନୁଜା କହିଲେ, ତୋର ଏଇ ଝିଅଟିକୁ ପାଖରେ ଦେଖିଲେ ମୋର ଗିରିଜା ମନେ ପଡ଼େ । ତା’ର କାନ୍ଦଣା ମୋର କାନରେ ବାଜିଯାଏ । ମଣିଷର ଚାରା ନାହିଁ । ସବୁ ସେହି ଭଗବାନ୍‌ ନିୟନ୍ତ୍ରଣ କରୁଛନ୍ତି ।

 

ଦେଖ ଏଣେ ଭଉଣୀ, କେତେ ରୂପରେ ଧରାଧାମରେ ସେ ଅବତୀର୍ଣ୍ଣ ହୋଇଛନ୍ତି–ରାମ, କୃଷ୍ଣ, ଦୁର୍ଗା, କାଳୀ, ହନୁମାନ, ଶ୍ରୀଚୈତନ୍ୟ, ରାମକୃଷ୍ଣ । ସବୁ ରୂପରେ ତାଙ୍କୁ ପୂଜା କଲେବି, ମୁଁ ତାଙ୍କୁ ସନ୍ତୁଷ୍ଟ କରି ପାରିଲି ନାହିଁ । ନଗେନ୍ଦ୍ର ବିଧର୍ମୀ ହେଲା । ବୀରେନ୍ଦ୍ର ପ୍ରାଣ ଦେଲା । ଆଉ, ଗିରିଜାକୁ ସେମାନେ ଚୋରାଇ ନେଲେ । ସବୁ ପ୍ରଭୁଙ୍କର ଇଚ୍ଛା । ଯାହା ସେ କରନ୍ତୁ, ତାଙ୍କୁ ମୁଁ ଛାଡ଼ି ଦେବିନାହିଁ । ଗୋଟିଏ ରୂପରେ ନୁହେଁ, ସହସ୍ର ରୂପରେ ତାଙ୍କୁ ମୁଁ ଆରାଧନା କରିବି । ଦୁଃଖ ଜଣାଇବି । ସେ ଶୁଣିଲେ ଶୁଣିବେ, ନ ଶୁଣିଲେ ନାହିଁ ।

 

ଅନିମା ଫଟୋଗୁଡ଼ିକୁ ଚାହିଁ ପ୍ରଣାମ କରିଥିଲେ । ତନୁଜାଙ୍କର ଆଖିର ଲୁହର ଉତ୍ତର ଦେଇଥିଲେ ଆଖିର ଲୁହରେ । ମୁହଁ ଖୋଲି ନଥିଲେ । ପାଖରେ ବସି ଅମିତା ଦୁଇଟି ମୁହଁର ଝରିଲାଆଖିକୁ ଚାହିଁ ନିଜେ କାନ୍ଦି ପକାଇଥିଲା ।

 

ଅମିତାବି ସଂସାରର ଭଲମନ୍ଦ ବୁଝିଲାଣି । ଅମିୟ ଚାକିରି ପାଇଛି ଜାଣି ସେ କେଡ଼େ ଖୁସି ହେଉଛି । ଘର ଘର ବୁଲି ସେ ସବୁ ଚିହ୍ନାପରିଚ ଘରଣୀ ଓ ତା’ର ସାଙ୍ଗମାନଙ୍କୁ ସୁସମ୍ବାଦଟି ଜଣାଇଁ ଦେଇଛି । ଗୋଡ଼ ତା’ର ତଳେ ଲାଗୁ ନାହିଁ ।

 

ସକାଳେ ସେ କହୁଥିଲା, ମା’, ଏଥର କଳାଙ୍କର ବାହାଘର କରିଦେ । ନୂଆ ଖୁଡ଼ୀ ଆସିବେ, ଆମ ଘରେ କେତେ ଆନନ୍ଦ ହେବ ।

 

ଅନିମା ତା’ର ମୁଣ୍ଡ ଆଉଁସି ମୁଡ଼ୁକେଇ ହସିଥିଲେ । ଉତ୍ତର ଦେଇ ପାରି ନଥିଲେ । ମନରେ ଖେଳି ଯାଇଥିଲା ଭାବନା, ଭଲ ପାତ୍ରଟିଏ କିଏ ଖୋଜି ଦେବ, କାହାକୁ ସେ କହିବେ ?

 

ସେହି ଭାବନା ଏବେବି ମୁଣ୍ଡ ଭିତରେ ଓଲଟପାଲଟ ହେଉଛି । ଅମିତା ମଧ୍ୟ ବୁଝିଲାଣି ଯେ ତା’ର କଳାଙ୍କର ବାହାଘର ହେବାର ସମୟ ଆସିଛି । ଜାମୁରଣ୍ଡା କ୍ୟାମ୍ପ୍‍ରେ କେତେ ବାହାଘର ସେ ଦେଖିଛି । ମାଲକାନଗିରି କ୍ୟାମ୍ପ୍‍ରେ ଏହି ଅଳ୍ପଦିନ ଭିତରେ ଦୁଇ ଦୁଇଟି ବାହାଘର ହୋଇ ସାରିଲାଣି । ପୁଅ ପାତ୍ରମାନେ ବୟସରେ ଅମିୟଠାରୁ ସାନ ହେବେ । ଝିଅଟିମାନେ ଅଳ୍ପ ବୟସର-

 

ବାହା ନିମିତ୍ୟପାଇଁ ସ୍ଥାନ ସମୟ କି ଅବସ୍ଥାକୁ କେହି ଅନାଇଁ ବସନ୍ତି ନାହିଁ । ପାକିସ୍ଥାନରୁ ପଳାଇଆସି ବିଭିନ୍ନ କ୍ୟାମ୍ପ୍‍ରେ ଅବସ୍ଥାନ କାଳରେ କେତେ ବାହାଘରର ଖବର ସେ ପାଇଛନ୍ତି । ନିଜେ ଦେଖିଛନ୍ତି, ଯୋଗ ଦେଇଛନ୍ତି । କେତେ ନୂଆବୋହୂ ତାଙ୍କ ଦେଖନ୍ତିରେ ସନ୍ତାନବତୀ ହୋଇଛନ୍ତି । ସଂସାର ଏମିତି ଚାଲିଛି । ସୃଷ୍ଟିର ପ୍ରବାହରେ କିଏ ବାଧା ଦେଇ ପାରିବ-?

 

ଅମିୟର ବୟସ ହୋଇଛି । ସେ ଚାକିରି ପାଇଛି, ପଦସ୍ଥ ହୋଇଛି । ଆଉ ଡେରି କଲେ ଲୋକେ ନିନ୍ଦା କରିବେ । ଅମିୟର ପିଲାମନ କୁଆଡ଼େ ଅରଣ୍ୟକୁ ମାଡ଼ିଗଲେ ତା’ର ଦୋଷ ଦେଇହେବ ନାହିଁ ।

 

ଆଉ ସେ ଡେରି କରିବେ ନାହିଁ । ଗୋପାଳହାଉଲ୍‌ଦାର କି ତାଙ୍କ ପୁଅ ସୁରେନ୍ଦ୍ରକୁ କହିଲେ ସେମାନେ ଭଲ ଝିଅଟିଏ ଖୋଜିଦେବେ । ଅନିମା ଦେଖି ପସନ୍ଦ କରିବେ । ଅମିୟକୁ ଦେଖାଇବେ । ତା’ ମନକୁ ଆସିଲେ ପକ୍କା ଜବାବ୍‌ ଦିଆଯିବ । ବାହାଘର ହେବ । ଘରକୁ ଟିକି ବୋହୂଟିଏ ଆସିବ । ଭାରି ଭଲ ହେବ । ସାନ ଯାଆକୁ ନିଜର ସାନ ଭଉଣୀ ପରି ସେ ସ୍ନେହ କରିବେ, ପାଳିବେ । ଘରକରଣା ଶିଖାଇବେ । ଯିଏ ଆସିବ ସେ ହେବ ଅମିତାର ଖୁଡ଼ୀ, ପୁଣି ସଙ୍ଗିନୀ । ତାଙ୍କର ଛୋଟ ସଂସାର ହସି ଉଠିବ !

 

କାହାପାଇଁ ଏ ସଂସାର ? କାହାପାଇଁ ଏ ବନ୍ଧନ ? କାହିଁ ତାଙ୍କର ଅମିତାଭ, କାହାନ୍ତି ତା’ର ପିତା ? ବର୍ଷ ପରେ ବର୍ଷ କଟି ଯାଇଛି । ଅତୀତ ହୋଇଛି ଗୋଟିଏ ଯୁଗ । ତଥାପି ସେ ସେମାନଙ୍କୁ ଦେଖିଲେ ନାହିଁ, ଖବର ଅନ୍ତର କିଛି ପାଇଲେ ନାହିଁ । ସେମାନେ କ’ଣ ଏ ସଂସାରରେ ନାହାନ୍ତି ? ତାଙ୍କର ଆଶା ବିଫଳ ହୋଇଛି ? କାହିଁକି ତେବେ ସେ ବଞ୍ଚି ରହିବେ ? ଗୋଟାଏ ଅବାସ୍ତବ ସଂସାର ସର୍ଜନା କରି ଜାଲ୍‌ ଜୀବନ କଟାଇବେ ? ବାହାରେ ଆନନ୍ଦର ମୁଖା ପିନ୍ଧି ମନଭିତରେ ବେଦନାର ତତଲା କଡ଼େଇରେ ପଡ଼ି ଛଟପଟ ହେଉଥିବେ ? କିଏ ସେ ଅମିତା, ଆଉ କିଏ ସେ ଅମିୟ, ଯେଉଁ ଦିହେଁ ତାଙ୍କୁ ବାନ୍ଧି ରଖି ଛଟପଟ କରାଉଛନ୍ତି ?

 

ଅନିମାଙ୍କର ହାତ ଅଟକିଲା । ଆଖିରୁ ଅଶ୍ରୁଧାର ଝରିବାକୁ ଲାଗିଲା । ଅଧା ହୋଇଥିବା କନ୍ଥାର କାନି ହାତରୁ ଖସି ପଡ଼ିଲା । ତାଙ୍କର ଅନ୍ତର ତଳୁ ଉଠିଲା ଯେଉଁ ନିର୍ଦ୍ଦୟ ପ୍ରଳୟଙ୍କର କାଳ–ବୈଶାଖୀର ତୋଫାନ, ତାହା ହୃଦୟ ଥରାଇ ଚିତ୍କାର କଲା, ସେମାନେ ନାହାନ୍ତି, ସେମାନେ ଫେରିବେ ନାହିଁ । ସେହି ତୋଫାନର ଅନୁଦାର ରଡ଼ିକୁ ବଞ୍ଚିରହିବାର ପ୍ରବଳ ବାସନା, ପ୍ରତୀକ୍ଷାର ଗୋପନ ଆନନ୍ଦ ଉତ୍ତର ଦେଲା, ସେମାନେ ଅଛନ୍ତି, ସେମାନେ ଦିନେ ନା ଦିନେ ଫେରିବେ । ହଁ–ନାହିଁର ଦ୍ୱନ୍ଦ୍ୱରେ ଅନିମାଙ୍କର ଆଶା–ତରୀ ଦୋହଲି ଉଠିଲା ।

 

ଚଉତିରିଶ

 

କମଳା ବାରିର ଫାଟକ ଖୋଲି ହସହସ ହୋଇ ଭିତରକୁ ପଶି ଆସୁଛନ୍ତି । ଅନିମା ଅସ୍ତବ୍ୟସ୍ତ ହୋଇ ଉଠିଲେ । ଆଖିରୁ ଲୋତକ ପୋଛି ପାଛୋଟି ନେବାକୁ ପିଣ୍ଡାତଳକୁ ଓହ୍ଲାଇଲେ । କମଳାଙ୍କର ପ୍ରକୃତି ସଙ୍ଗେ ପରିଚିତ ହେଲା ଦିନରୁ ସେ ତାଙ୍କ ପାଖରେ ସତର୍କ ହୋଇ ଚଳନ୍ତି । ଆଗୋ ସଖୀ ଆପଣା ମହତ ଆପେ ରଖି ପଦ୍ଧତିକୁ ମାନି ଯେତିକି କହିଲେ ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ ସେତିକି କହନ୍ତି ।

 

କମଳା ତାଙ୍କର ହାତ ଧରି କହିଲେ, ଘରର କାମ କରି କରି ମୁଁ ଦିନରାତି ମରୁଛି, ଆସି ପାରୁଛି କେଉଁଠି ? ତୁ ବି ଏଡ଼େ ବାଦୋଇ ଯେ ଅନିମା, ମୋର ଗରିବ ଟେଣ୍ଟ୍ ଭିତରେ ପାଦ ପକାଇବାକୁ କେବେ ମନ କରୁ ନାହିଁ । ମୁଁ କ’ଣ ବାଘ ହୋଇଛି ଯେ କାମୁଡ଼ି ଭିଣ୍‌ଭିଣା କରିବି, ନା ସାପ ହୋଇଛି ଯେ ଗୋଡ଼ରେ ଚୋଟ ମାରିବି ?

 

ଅନିମା କମଳାଙ୍କର ହାତ ଧରି ପିଣ୍ଡା ଉପରକୁ ନେଲେ । ବଣ ଖଜୁରି ପତ୍ରରେ ନିଜ ହାତରେ ବୁଣିଥିବା ପଟ୍ଟିଟିଏ ବିଛାଇ ଦେଇ କହିଲେ, ବସ ଅପା, ମୁଁ ବି ଘର କାମରେ ଏତେ ବ୍ୟସ୍ତ ଯେ କୁଆଡ଼େ ଯାଇପାରେ ନାହିଁ । ବେଳ ମିଳେ ନାହିଁ ।

 

ମୋ ଆଗରେ ମିଛ କହନା ଅନିମା, ମୁଁ ନିଜେ ଦେଖେ ତୁ ମୋ ଘର ଆଗ ଦେଇ ଝିଅକୁ ସଙ୍ଗରେ ନେଇ ଦିପହରେ, ପୁଣି କେବେକେବେ ରାତିରେ, କ୍ୟାମ୍ପ୍‍ର କେଉଁମାନଙ୍କ ଘରକୁ ଯାଉ । ଡାକିବି ବୋଲି ହୁଏ, ପୁଣି ଭାବେ, କେବେ କ’ଣ କହିଥିଲି ଯେ ସେଇ କଥାକୁ ଗଣ୍ଠି କରି ଧରିଛୁ । ମୋତେ ଛି କରି ଦେଇଛୁ । ଆଲୋ ଅନିମା, ମୋ ପ୍ରକୃତି ଏଡ଼େ ଖରାପ ନଥିଲା ମ, ମୁଁ ଭାରି ଭଲ ଥିଲି । ମୋ ପ୍ରକୃତିକୁ ବିଗାଡ଼ି ଦେଲେ ସାଧନ ସନ୍ନ୍ୟାସୀ । ଅଳସୁଆପଣକୁ ସରିଛନ୍ତି; କାଣିଚାଏ ବୁଦ୍ଧି ନାହିଁ । ଫିକର କରି ଚାରିପଇସା ରୋଜଗାର କରିବାକୁ ସେ ଅପାରଗ । ଖାଲି ବାଜେ ଗପ, ଏକ ତାରା ଧରି ବଜାଇ ପୁରୁଣା ରାଧା କୃଷ୍ଣଙ୍କ ପ୍ରେମ ଗୀତ । ଏତେ ଅଶ୍ଳୀଳ ଅସନା ଯେ କାନରେ ହାତ ଦେବ । ସେଇ ସବୁ ଗୀତ ସେ ବୋଲନ୍ତି ।

 

ରାଧା–କୃଷ୍ଣ ପ୍ରେମ ପବିତ୍ର ଅପା ।

 

କିଏ ମନା କରୁଛି ? ଦେଖିନୁ କି, ସାଧନ ସନ୍ନ୍ୟାସୀ ସେଇ ପ୍ରେମ–ରସ ତାଙ୍କ ଘାଗଡ଼ା ସ୍ୱରରେ ଅଜାଡ଼ି ଦେଉଥିଲାବେଳେ ପିଲାରୁ ବୁଢ଼ାବୁଢ଼ୀ ଯାଏଁ କେମିତି ରୁଣ୍ଡ ହୋଇ ଶୁଣନ୍ତି ? ଆମ ମାଇପି ଜାତିଙ୍କ ଯୁବତୀ ବୟସର ଦେହ ମୁଣ୍ଡ ଆଖି କାନ ଚାଲିଚଳନର ବର୍ଣ୍ଣନା ସବୁ ଅଲାଜୁକଙ୍କୁ ଆନନ୍ଦ ଦିଏ । ମାଇପିଗୁଡ଼ାଙ୍କୁବି କୌତୁକ ଲାଗେ, ଆନନ୍ଦ ଦିଏମ, ଅଳପ ବୟସୀମାନେ ନିଜର ଆଗତ ରୂପଯୌବନ ଓ ଢଙ୍ଗକୁ ସପନ ଦେଖି ଉଲସି ଉଠନ୍ତି । ବୟସ–ଖସିଲା ଯୌବନ–ନଇଁଲାମାନେ ନିଜର ଅତୀତକୁ ଝୁରି ହେଉଣୁ ଅତୀତକୁ ଫେରି କୁରୁଳି ଉଠନ୍ତି । ନିର୍ଲଜ୍ଜ ବୁଢ଼ାହଡ଼ା ସାଧନ ମିସ୍ତ୍ରି ନିଜକୁ କୃଷ୍ଣ ବୋଲି ସେତେବେଳେ ମନେ କରନ୍ତି, ଢଳିଢ଼ଳି ନାଚନ୍ତି ।

 

ନିଶ ଦାଢ଼ି ଲମ୍ବ ହେଲେ ମଣିଷ ବୁଢ଼ା ହୁଏ ନାଇଁମ ଅପା, ସାଧନଭାଇଙ୍କ ଭିତରେ ଯୁବାପଣର ଯେଉଁ ମୂର୍ଚ୍ଛନା ଅଛି, ସେତକ ତାଙ୍କୁ କେବେ ବୁଢ଼ା କରାଇ ଦେବ ନାହିଁ ।

 

ବାସ୍‌, ତୁ ବି ତାଙ୍କ ପ୍ରେମ–ରସ–ସଙ୍ଗୀତ କାନରେ ପିଇ ତାଙ୍କର ପ୍ରେମରେ ପଡ଼ିଲୁଣି । ସେ ଲୋକଟା ସେଇଆ । ଏବେ ବୁଝିଲୁ, କାହିଁକି ‘ପତି ପରମ ଗୁରୁ’ ତା’ ମୋ ପକ୍ଷରେ ଦିନେ ଓଲଟି ଗଲା, ହେଲା, ‘ଗୁରୁ ପରମ ପତି’ ? ଠାକୁର ତାଙ୍କ ଦୀର୍ଘାୟୁ କରନ୍ତୁ, ତାହାହେଲେ ମୁଁ ଆଉ ବିଧବା ହେବି ନାହିଁ । ତୋଅରି ପରି କାଚ ସିନ୍ଦୁର ନାଇ ସଧବା ରହିବି । ମୋର ରୂପ ନଥିଲେ କ’ଣ ହେଲା, ଯାହା ଅଛି ସେଇଆକୁ ଏମିତି ସଜେଇ ରଖି ଖୁସି ହେଉଥିବି

 

ଅନିମା ବୁଝିଲେ, କମଳା କଥାକୁ ବୁଲାଇ ଆଣି ତାକରି ଉପରକୁ ପକାଇଲେଣି । କଣ୍ଟାବାଡ଼ରେ ଲୁଗା ଲଗାଇ କଳି କରିବାକୁ ସଜ ହେଲେଣି । ତାଙ୍କ ପାଖରେ ଆଉ ଅଧିକ ସମୟ ବସି କଥାଭାଷା ହେବା ନିରାପଦ ନୁହେଁ । ସୂର୍ଯ୍ୟର ଆଲୋକ ନିଶ୍ଚିହ୍ନ ହେଲାଣି । ଅନ୍ଧାର ପାତଳ ହୋଇ ମାଡ଼ି ଆସିଛି । ଠାକୁରମାନଙ୍କ ପାଖରେ ବତୀ ଜଲାଇ ସନ୍ଧ୍ୟା ଆରତି କରିବାର ସମୟ ହେଲାଣି ।

 

ସେ ଉଠିବାକୁ ପ୍ରସ୍ତୁତ ହୋଇ କହିଲେ, ଅପା, ସନ୍ଧ୍ୟା ହେଲା, ଆରତି ଦେବାର ସମୟ ଆସିଲା । କାହିଁକି ତୁମେ ଆସିଥିଲ କହିଲ ନାହିଁ ତ ?

 

କମଳା ଉଠି ଠିଆହେଲେ । ତାଙ୍କ ଟେଣ୍ଟ୍‌ ଆଡ଼ୁ ସାନ ଝିଅ ବିନ୍ଦୁର କାନ୍ଦଣା ଶୁଭୁଛି । ଖେନ୍ଦା ଓ ବିନ୍ଦାଙ୍କର ପାଟି ଶୁଭୁଛି । ପିଲା ଦୁଇଟା ପୁଣି କଜିଆ କଲେଣି । ଚଗଲା ଖେନ୍ଦା ବୋଧହୁଏ ବିନ୍ଦା ଓ ବିନ୍ଦୁଙ୍କୁ ମାରିଛି । ସାଧନ ମିସ୍ତ୍ରି ଘରେ ନଥିବେ । ତାଙ୍କର ଅନୁପସ୍ଥିତିରେ ପିଲା ତିନିଟା ଉଚ୍ଛୃଙ୍ଖଳ ହୋଇ ପଡ଼ିଲେଣି । ସେମାନଙ୍କୁ ଶାସନ କରିବା ଦରକାର ବିଶେଷତଃ, ଖେନ୍ଦାକୁ-

 

କମଳା କହିଲେ, ଆରେ ହଁ, କଥା ନହସରେ ଆସିବାର ଉଦ୍ଦେଶ୍ୟ ଭୁଲି ଯାଇଥିଲି । ସେମିତିଆ ଭୁଲ ମନ ମୋର ।

 

କ’ଣ କୁହ ଅପା ।

 

ତୋର ଦେବର ଅମିୟ ଉମରକୋଟରେ କିରାଣି ଚାକିରି ପାଇଛି ବୋଲି ଖବର ପାଇଲି । ଖେନ୍ଦା କହୁଥିଲା । ଏଡ଼େ ଖୁସିର ଖବର ଆମଠାରୁ ଲୁଚାଇ ରଖିଛୁ କାହିଁକି ? ହଉ, ଭଲ ହେଲା । ଠାକୁରେ ତୁମକୁ ଭଲରେ ରଖନ୍ତୁ । ତୁମେ ଦିହେଁ କ’ଣ ତା’ ସଙ୍ଗେ ଯିବ ?

 

Unknown

ସରକାରୀ ଚାକିରି, ଆଜି ଉମରକୋଟ ଯାଉଛନ୍ତି ଅମିୟ, କେଜାଣି ମାସ କେଇଟା ପରେ ପୁଣି ଆଉ କୁଆଡ଼େ ବଦଳି ହେବେ । ଆମେ କ’ଣ ତାଙ୍କ ପଛେ ପଛେ ଗୋଡ଼େଇଥିବୁ ? ଉମରକୋଟ ଯିବାକୁ ଅମିତା ଉଚ୍ଛନ୍ନ ହେଉଥିଲା, ମୁଁ ଏହା ବୁଝାଇ ଦେଲାରୁ ସେ ତୁନି ରଖିଛି । ସେ ଝିଅ ତା’ କକାକୁ ପ୍ରାଣରୁ ବଳି ଭଲ ପାଏ ଅପା, ଦଣ୍ଡେ ନ ଦେଖିଲେ ବଣା ହୁଏ । ବଡ଼ ଝିଅ ହେଲାଣି, ସବୁ ଜାଣିଲାଣି, ସବୁ ବୁଝିଲାଣି, ତଥାପି, କକାକୁ ଦେଖିଲେ ସେ ଅବୋଧ ଶିଶୁ ପରି ହୁଏ ।

 

ଜାଣେ ଗୋ ଜାଣେ, ଝିଅଟା ଫୁଲେଇ ପଣକୁ ସରିଛି । ଆକଟ ନ କଲେ ଚୁଲିରେ ପଶିବ । ଝିଅ ବଡ଼ ହେଲେ ବାପଭାଇଙ୍କ ପାଖରୁ ତ ଦୂରେଇ ରହିବା କଥା, ଅମିୟ ତ କକା; ତା’ ମୁହଁ ବଢ଼ିଯିବ । ଖେନ୍ଦା କହୁଥିଲା, ଗୋପାଳ ବୁଢ଼ାଙ୍କ ଭେଣ୍ଡାପୁଅ ସୁରେନ୍‌ ସଙ୍ଗେ ତା’ର ଆତ୍ମୀୟତା ବଢ଼ିଛି । ସୁରେନ୍‌ମ, ତମ ଅମିୟର ସାଙ୍ଗ, ଯିଏ ମାଷ୍ଟର ଚାକିରି ପାଇଛି, ସେଇ । ଯେଉଁଦିନ ସେମାନେ ସତୀନଦୀକୁ ମାଛମାରି ଯାଇଥିଲେ, ମଲା ମହାବଳ ବାଘକୁ ଆଣିଥିଲେ ଯେଉଁଦିନ ଆମ କ୍ୟାମ୍ପ୍‍କୁ, ଅମିତା ସୁରେନ୍‌ର ହାତ ଧରି ଜଙ୍ଗଲ ଭିତରେ ଯାଉଥିଲା । ଯେଉଁ ହସ, ଯେଉଁ ପାଟି—

 

ତୁନି ହୁଅ । ତମ ପୁଅ ଖେନ୍ଦା କାଲିକାର ଛୁଆଟା, ସେ ଏତେ କଥା ଜାଣିଲାଣି, ପୁଣି ତମ ଆଗରେ କହି ପାରିଲା ? ଯାହା କହନ୍ତି ସେ ଏଞ୍ଚୋଡ଼–ପକ୍କା ହୋଇଛି । ତା’ ପ୍ରତି ତୁମେ ଦୃଷ୍ଟି ଦିଅ । ମୋ ଝିଅ କଥା ମୁଁ ବୁଝିବି ।

 

କମଳା ଅପ୍ରସ୍ତୁତ ହେଲେ । ବିଳିବିଳେଇଲା ପରି କହି ଉଠିଲେ, ମୋ ଖେନ୍ଦା ପାଠରେ ନିରସ ହେଉ ପଛେ ବୁଦ୍ଧିରେ ସରସ । ବିପିନ୍‍ କର୍ମକାରର ପୁଅ ତାକୁ ଯାହା କହିଲା ସେ ଆସି ମୋ ଆଗରେ ଗପିଲା ।

 

ଅନିମା ହସି ଉଠିଲେ । କହିଲେ, ଖେନ୍ଦା ତା’ ମନକୁ ଗପିଗଲା ? ଗାଲ ଟିପିଲେ ତା’ର ଦୁଧ ବାହାରିବ, ସେ ଏତେ କଥା ମନରେ ଭେଦାଇଲାଣି ? ଓଳିଆରୁ ପଡ଼ି ଗଜା ହେଲାଣି ? ପୁଅଟିଏ ଝିଅଟିର ହାତଧରି ହସଖୁସିରେ ଆହୁରି ଦଶ ପଚିଶ ପିଲାଙ୍କ ମେଳରେ ଦିନ ଦିପହରେ ଅରଣ୍ୟ ବାଟରେ ଛାନିଆ ହୋଇ ବାପାଦାଦିଙ୍କୁ ଡାକିବାକୁ ଗଲାବେଳେ ଗପ କରୁଥିଲେ । ସେଥିରେ ପ୍ରମୋଦ ଅଛି, ଆଉ, ସେ କି ପ୍ରକାର ପ୍ରମୋଦ ଏ ସବୁ ଧାରଣା ବିପିନ୍‍ କର୍ମକାରର ବଡ଼ ପୁଅ ସୌମେନ୍‌, ତା’ ମୁଣ୍ଡରେ ପଶିଥାଇପାରେ, ଛୋଟପିଲା ଖେନ୍ଦାର ମନରେ ପଶିଲା, ସେ ତା’ ମନକୁ ତା’ର ଜନ୍ମଦାତ୍ରୀ ମାତା ଆଗରେ ଉଦ୍‌ଗାରିଲା, ଏହା ବିଶ୍ୱାସ କରିବାକୁ ସାହସ ଲୋଡ଼ା ଭଉଣୀ, ସେ ସାହସ ମୋର ନାହିଁ ମୁଁ ଏହା ମାନୁଛି ।

 

ଅନିମା ଏତିକି କହି ହାତରେ ଅଧା ତିଆରି କନ୍ଥା ଓ ଛୁଞ୍ଚିସୂତା ଧରି ଘର ଭିତରକୁ ଉଠିଗଲେ । କମଳା ଉଠି ଠିଆ ହେଲେ । ସଞ୍ଜ ଅନ୍ଧାର ଘନେଇ ଆସୁଛି । ତାଙ୍କ ପିଲା ତିନୋଟିଙ୍କର ପାଟିତୁଣ୍ଡ କାନରେ ବାଜୁଛି । ଅନିମାଙ୍କର ଲମ୍ବା ବାକ୍ୟର ମର୍ମ ତାଙ୍କ ମନରେ ଭେଦିବାକୁ ସମୟ ଲାଗିଲା । ସେ ବୁଝିଲେ, ଅନିମା ତାଙ୍କୁ ଉପହାସ କରିଛନ୍ତି । ବଡ଼ପାଟି କରି ତାଙ୍କୁ ଜବତ ନ କଲେ କମଳାଙ୍କର ବଡ଼ପଣିଆ ଅନିମାଙ୍କ ପାଖରେ ମୁଣ୍ଡ ନୋଇଁବ, ଆଉଦିନକୁ ଆଉଦିନ ଅଛି । ଜଣକ ପାଖରେ ହାରିଲେ ଅନ୍ୟମାନେ ଆଉ ଡରିବେ ନାହିଁ । ତାଙ୍କର ସମ୍ବଳ ତ କେବଳ ତାଙ୍କର ଗାଳି ! ସେତକରୁ ନିରସ୍ତ ହେଲେ ଆଉ ତାଙ୍କର ରହିବ କ’ଣ ?

 

କମଳା ଗର୍ଜି ଉଠିଲେ, ତୋ ଘରକୁ ଭଲମନ୍ଦ ବୁଝିବାକୁ ମୁଁ ଆସିଲି ବୋଲି ତୁ ମତେ ଅପମାନ ଦେବୁ, ତୋର ଏତେ ସାହାସ ? ଖେନ୍ଦାକୁ ପଚାରି ତୋ ଝିଅର ଢଙ୍ଗ ମୁଁ ବୁଝିଛି । ଘରକରି ଏକାଠି ରହିଲେ ସମସ୍ତଙ୍କ ଖବର ସମସ୍ତେ ବୁଝନ୍ତି । ସେଥିପାଇଁ କିଏ କାହାର ଦୋଷ ଦେବ ? ତୋ ଡହରୀ ଝିଅର ହୁରୁହୁରୁ ପଣ ସମସ୍ତେ ଜାଣନ୍ତି । ତୋ ଆଖିରେ ସେ ପିଲା ବୋଲି ଦୁନିଆ ଆଖିରେ ସେ ପିଲା ନୁହେଁ । ତତେ ଚେତେଇ ଦେବାକୁ କହିଲି । ସେ ଯଦି ନାଆଁ ନ ପକେଇଛି ତ ମୋ ନାମ କମଳା ନୁହେଁ । ଯାହା ପେଟରୁ ଯିଏ ଜନମ ଦିନେ ନା ଦିନେ ସେ ତା’ ଗୁଣ କାଢ଼ିବ । ବଞ୍ଚିଥିଲେ ପୁଣି ଦିନେ କହିବି ଯେ— ।

 

ଅନିମା ଉତ୍ତର ଦେଲେ ନାହିଁ । ହାରିକେନ ଆଲୁଅ ଜାଳିଲେ । ପୁଞ୍ଜିଏ ଧୂପ–କାଠିରେ ନିଆଁ ଲଗାଇ ତାକୁ ଫୁଙ୍କି ଧୂଆଁ କଲେ । ଅଗ ଜୁକୁଜୁକୁ କାଠି ପୁଞ୍ଜିକ ନେଇ କାନ୍ଥରେ ଝୁଲୁଥିବା ରାମାଭିଷେକ ଫଟୋ ପାଖକୁ ଗଲେ ।

 

ତାଙ୍କ ତୁଣ୍ଡରୁ ଉତ୍ତର ଶୁଣି କମଳା ତମତମ ହୋଇ ପିଣ୍ଡା ଉପରୁ ଓହ୍ଲାଇ ଫାଟକ ପାଖକୁ ଗଲେ । ଫାଟକ ବାହାରେ ଅମିତା ଓ ତା’ ପଛରେ ଅମିୟ ଠିଆ ହୋଇଛନ୍ତି । ମାଈସଞ୍ଜବେଳେ ସେମାନେ ଫେରି ଆସିଛନ୍ତି ।

 

ଅମିତା ଫାଟକ ଖୋଲି କହିଲା, ମାଉସୀ କି ? ମୋର ପ୍ରଣାମ ନିଅ ।

 

ଅମିୟ ନମସ୍କାର କରି କହିଲା, ଭାଉଜ, ଏମିତି ତରତର ହୋଇ ଚାଲି ଯାଉଛ କାହିଁକି-? ତୁମ ଟେଣ୍ଟ୍‍କୁ ଗଲି ଯେ ଦେଖିଲି ପିଲାମାନେ ହାଉହାଉ ହେଉଛନ୍ତି । ବିନ୍ଦା ପିଟିଲା ବିନ୍ଦୁକୁ-। ଖେନ୍ଦା ଦୁଇଜଣଙ୍କର କାନଧରି ତାଙ୍କୁ ଉଠ୍‌ବସ କରାଉଥିଲା । ବର୍ତ୍ତମାନ ସବୁ ଶାନ୍ତ । ଖେନ୍ଦା ବେଶ୍‌ ଚତୁର ପିଲା ।

 

ଅମିତା କମଳାଙ୍କର ହାତ ଧରି ଟାଣିଲା, କହିଲ, ଆସ ମାଉସୀ ଶୁଣିବ । ସୋମୁର ଆଈମା’ ତାଙ୍କ ଟେଣ୍ଟ୍‍ରେ ଅଚେତ ହୋଇ ପଡ଼ିଛନ୍ତି । ସୋମୁ କାନ୍ଦୁଛି । ବିପିନ୍‍ ଲିଡ଼ର୍ ଡାକ୍ତର ଆଣିବାକୁ ଯାଇଛନ୍ତି । ସାଧନ ମଉସା ତାଙ୍କ ପାଖରେ ବସି କୃଷ୍ଣ ନାମ ଜପୁଛନ୍ତି ।

 

ତିନିହେଁ ପିଣ୍ଡା ଉପରକୁ ଆସିଲେ । ଅନିମା ଠାକୁରଙ୍କ ଫଟୋ ପାଖରେ ନତଜାନୁ ହୋଇ ପ୍ରଣାମ କରି ଉଠିଲେ । ହାରିକେନ ଆଲୁଅ ଧରି ପିଣ୍ଡାକୁ ଆସି ପଚାରିଲେ, ବେଲାରାଣୀ ମାଉସୀଙ୍କର କ’ଣ ହୋଇଛି ?

 

କମଳା କହିଲେ, ଅମିତାକୁ ପଚାର, ବୁଢ଼ୀ ଆଉ ଠାକିବେ ନାହିଁ ପରା । ତାଙ୍କର ବୋହୂର ପ୍ରେତ ଆସି ତାଙ୍କୁ ବରାବର ଡାକୁଛି । ସେପରକୁ ନେବାକୁ ହାତଧରି ଟାଣୁଛି । ଖେନ୍ଦା କହୁଥିଲା, ସେ ତିନି ଦିନ ହେଲା ବେମାର ପଡ଼ିଛନ୍ତି । ଜରରେ ଛଟପଟ ହେଉଛନ୍ତି । ବୋହୂର ନାମଧରି ଡାକୁଛନ୍ତି । ତାଙ୍କୁ ଦେଖିବାକୁ ଯିବି ଯିବି ବୋଲି ଯାଇ ପାରି ନାହିଁ । ପିଲା ଦିହେଁ ତୋର ଫେରିଲେଣି ତ, ଯିବା କି ଥରେ, ଦେଖି ଆସିବା ଅନିମା ?

 

ଅମିତା କହିଲା, ଯାଉନୁ ଥରେ ଦେଖି ଆସିବୁ ମା’ । ବୁଢ଼ୀଙ୍କ ଦେହରେ ତାତି ରହିଛି । ପାଖରେ ବସି ମୁଁ ପାଣି–ପଟ୍ଟି ଦେଉଥିଲି । କକା ମତେ ଡାକିଲେ, ମୁଁ ଚାଲି ଆସିଲି । ସୋମୁ ଏବେ ପାଣି ପଟ୍ଟି ଦେଉଛି । ବେଳେବେଳେ ତାଙ୍କର ଚେତା ହେଉଛି । ବିର୍‌ ବିର୍‌ ହୋଇ କ’ଣ କହୁଛନ୍ତି ।

 

କମଳା କହିଲେ, କ’ଣ ଆଉ କହୁଥିବେ କି ? ତାଙ୍କ ବୋହୂର ପ୍ରେତ–ପୁରୁଷ ସଙ୍ଗେ କଥାଭାଷା ହେଉଥିବେ । ତା’ ସଙ୍ଗରେ ଯିବେ ନାହିଁ ବୋଲି କଜିଆ କରୁଥିବେ । ଭିଡ଼ା–ଓଟରା ଲଗାଇଥିବେ । ବୁଢ଼ୀଙ୍କର ଆଶାଥିଲା ଯେ ପୁଅର ଭଙ୍ଗା ସଂସାରକୁ ଯେମିତି ହେଲେ ସେ ଯୋଡ଼ିଦେଇଯିବେ । ସେଇଥିପାଇଁ ସେ ସେପୁରୁକୁ ଯିବାକୁ ଅମଙ୍ଗ ହେଉଛନ୍ତି । ଦିନେ ସେ ତାଙ୍କ ମନକଥା ମୋ ଆଗରେ ଗପୁଥିଲେ । ମଣିଷର ବୟସ ଅଧିକ ହେଲେ, ମୁଣ୍ଡ ବିଗିଡ଼ିଲେ, ସେ ଅକଥାକୁ କଥା କରିବାକୁ, ଅସମ୍ଭବକୁ ସମ୍ଭବ କରିବାକୁ ଆଶା କରେ ମ ଅନିମା, ବୁଢ଼ୀଙ୍କର ଦୋଷ ଦେଇ ହେବ ନାହିଁ । ତୋତେ ସେ ଆଗରୁ ଚିହ୍ନନ୍ତି । ତୋ ରୂପଗୁଣକୁ ବେଶୀ ପ୍ରଶଂସନ୍ତି । ତୋତେ ସେ ସ୍ନେହ କରନ୍ତି ।

 

ଅମିତା କହିଲା, ବିଳିବିଳେଇଲାବେଳେ ତୋ ନାମବି ତୁଣ୍ଡରେ ଧରି କ’ଣ କହୁଥିଲେ ଯେ ବୁଝି ହେଲା ନାହିଁ । ମାଉସୀ ସଙ୍ଗରେ ଯାଉନୁ ତୁ ଥରେ ଦେଖି ଆସିବୁ ?

 

ଅନିମା ମନେମନେ ଅମିତା ଉପରେ ରକ୍ତ ଚାଉଳ ଚୋବାଇବାକୁ ଲାଗିଲେ । ଭାବିଲେ, ସତ କହୁଥିଲେ କମଳା ଅପା, ଝିଅଟା ଉପରମୁହୀଁ ଡବଡ଼ବୀ ହୋଇଛି । ଆକଟ ନ କଲେ, ଶାସନ ନ କଲେ, ସେ ନାମ ପକେଇବ ! କମଳା ଓ ଅମିୟଙ୍କ ଆଗରେ ସେ ତାକୁ ଶାସନ କରି ପାରିବେ ନାହିଁ ।

 

ସେ କଅଁଳ ବିନମ୍ର ସ୍ୱରରେ କହିଲେ, ଅପା, ବୁଢ଼ୀଙ୍କୁ ମୁଁ ସ୍ନେହ କରେ, ଭକ୍ତି କରେ । ଜାମୁରଣ୍ଡା କ୍ୟାମ୍ପ୍‍ରେ ଥିଲାବେଳେ ତାଙ୍କର ବୋହୂ ବଞ୍ଚିଥିଲାବେଳେ, ଆମ ଦୁଇ କୁଟୁମ୍ବର ଯିବା ଆସିବା ସମ୍ପର୍କ ଥିଲା । ବୁଢ଼ୀଙ୍କର ଅଜଣା ଭୁଲ୍‌ପାଇଁ ଯେଉଁ ଯେଉଁ ସର୍ବନାଶ ଘଟିଲା, ସେ ତମକୁ ସବୁ କହିଥିବେ । ବେଳେବେଳେ ତାଙ୍କର ମୁଣ୍ଡରେ ପାଗଳାଖିଆଲ ପରଘରର ପଶେ ଯେ ଯେଉଁ ବୋହୂକୁ ଦେଖନ୍ତି, ସେ ଯେତେ ପିଲାଛୁଆଙ୍କର ମା’ ହୋଇଥାଉ, ତାକୁ ନିଜର ବୋହୂକରି ଘରକୁ ନେବାକୁ ଝୁଙ୍କ ଧରନ୍ତି ।

 

ସତେ କି ଅନିମା ?

 

ତୁମେ ଯଦି ତାଙ୍କ ମନକୁ ପାଇଯିବ ତ–

 

ମୁଁ ମନା କରିବି ନାହିଁ ଅନିମା, ସାଧନ ସନ୍ନ୍ୟାସୀଙ୍କ ପାଲରୁ ତ ଖସିଯିବି । ତାଙ୍କୁ ନାକେ ପାଣି ପେଇବି । ତାଙ୍କ ରାଧାକୃଷ୍ଣ ମିଳନ ସଙ୍ଗୀତ ଶୁଣି ଓ ତଳିତଳିକା ନାଚ ଦେଖି ତାଳି ମାରି ତାଳ ପକାଇବି । ଆରେ ହଁ, ଯେଉଁଥିପାଇଁ ଆସିଥିଲି ସେତକ ଭୁଲିଯାଇଛି । ଅନିମା, ଅମିୟ ଉମରକୋଟ ଯାଉଛି ଜାଣି ସାଧନ ସନ୍ନ୍ୟାସୀ କହିଲେ ତାକୁ ଆଜି ରାତିରେ ନିମନ୍ତ୍ରଣ କର । ବାପପୁଅ ଦିହେଁ ତମସା ନଦୀରେ ଖିଅଜାଲ ଦେଇ ଦୁଇ ଘଣ୍ଟା ପରିଶ୍ରମ କରି ମୁଠିଏ ହେବ ଚୂନାମାଛ ଧରି ଆଣିଛନ୍ତି । ଦେଖ ତ ତାଙ୍କର ବୁଦ୍ଧି ! କହୁଛନ୍ତି ଏତକ ଝାଲ୍‌ କରିଦେଲେ ଅମିୟ ଖାଇବ । ମୁଁ ତାଙ୍କୁ ତିନି ଟଙ୍କା ଦେଇ ପାଖ ଗାଁକୁ ଗୋଟାଏ ମୁରଗୀ କିଣିବାକୁ ପଠାଇଲି । ଦୁଇ ଘଣ୍ଟା ହେଲା ସେ ଗଲେଣି । ମୁଁ ଅମିୟଙ୍କୁ ନିୟନ୍ତ୍ରଣ କରିବାକୁ ଆସିଥିଲି ଯେ–

 

ଅମିୟ ହସିହସି କହିଲା, ସେ ତିନି ଟଙ୍କା ସାଧନଭାଇ ଔଷଧ କିଣିବାକୁ ବିପିନ୍‍ଭାଇଙ୍କୁ ଧାର ଦେଇ ଦେଲେଣି ଭାଉଜ, ମୁଁ ନିଜେ ଦେଖିଛି । ଯାହାହେଉ, ଭଲ କାମରେ ଲାଗିଲା । ଔଷଧ ଖାଇ ବୁଢ଼ୀ ପୁଣି ଝାଡ଼ିଝୁଡ଼ି ହୋଇ ବସିବେ । ତମର ସ୍ନେହ ଅପେକ୍ଷା କୁକୁଡ଼ା–ଭୋଜି ବଡ଼ ନୁହେଁ । ତମର ସ୍ନେହପାଇଁ ମୁଁ କୃତଜ୍ଞ ।

 

କମଳା ଥକ୍କା ହୋଇ ବସିଗଲେ ।

 

ଅନିମା କହିଲେ, ବଡ଼ମଣିଷଙ୍କ ପାଖରେ ବସି ନିର୍ଲଜ୍ଜୀଙ୍କ ପରି କ’ଣ ତୁ ଣୁଣୁଛୁ ଅମିତା-? ଯା, ଚୁଲି ଲଗାଇ ଭାତ ପାଣି ବସେଇଦେ । ଆର ଆଲୁଅଟା ତୋ କକାଙ୍କ ଟେବୁଲ୍‌ ଉପରେ ଅଛି; ଆଗ ସେଇଟା ଜାଳିଦେ । ଅମିୟ, ତୁମେ ଏଇ ଆଲୁଅ ନେଇ ଅପାଙ୍କୁ ଛାଡ଼ି ଦେଇ ଆସ-। ପୁଣି ତାଙ୍କର ପିଲାମାନେ କଜିଆ କଲେଣି କି କ’ଣ, ପାଟି ଶୁଭୁଛି ।

 

ଅନିମା ନିଜ କୋଠରୀରେ ପଶିଲେ । ମାତାଙ୍କର ଆଦେଶ ପାଇ ଅମିତା ଧୀରେ ଧୀରେ ଉଠି ତା’ର କକାଙ୍କ କୋଠରୀ ଭିତରକୁ ଗଲା । କମଳା ମଧ୍ୟ ଉଠିଲେ । ମନକୁ ମନ କହିହେଲେ, ଲକ୍ଷ୍ମୀଛଡ଼ା ମଣିଷଟାକୁ ଆଉ ମୁଁ ପାରିବି ନାହିଁ । ଯାହା ଦାୟିତ୍ୱ ସେ ତୁଲେଇବ । ତୁମେ ଉପରେ ପଡ଼ି ଭଲେଇ ହେଉଛ କାହିଁକି ? ବୁଢ଼ୀ ବଞ୍ଚିଲେ କି ମରିଲେ ତୁମର କି ଥାଏ ? ଆଜି ତମର ମଜା ଦେଖୁଛି, ରହ ।

 

କମଳା ଟଙ୍ଗଟଙ୍ଗ ହୋଇ ଫାଟକ ପାଖକୁ ଗଲେ କହିକହିକା, ମୋର ଆଲୁଅ ଲୋଡ଼ା ନାହିଁ ମ, ଦି’ ଖୋଜ ବାଟ ତ ଆମର ଟେଣ୍ଟ୍ !

 

ପଇଁତିରିଶ

 

କଅଁଳ ତପନ ପୂର୍ବଦିଗର ନିଘଞ୍ଚ ଅରଣ୍ୟର ଢେଉଢ଼େଉକା ସବୁଜ ବିସ୍ତୃତି ସେପାଖ ଦୂର ପରବତ ଧାଡ଼ିର ପାଣିଚିଆ ନେଳିଆ ଲହଡ଼ିଆ ମଥାନର ଖୋଲା ଭିତରୁ ବାହାରି ଆସିଲେ । ମାଲକାନଗିରି ମୋଟୁ ରାସ୍ତା କଡ଼ରେ ଠିଆ ହୋଇ ଅନିମା ରାସ୍ତାର ଦୂର ବାଙ୍କକୁ ଅନାଇଁ ରହିଥିଲେ । ଅମିତା ଆହୁରି ଖଣ୍ଡେଦୂର ଆଗେଇ ଯାଇ ରାସ୍ତା ମଝିରେ ଠିଆ ହୋଇ ଦୂରକୁ ଚାହିଁ ହାତ ହଲାଇ ‘ଟା–ଟା’ କହୁଥିଲା ।

 

ତା’ର ହାତ ହଲା ବନ୍ଦ ହୋଇଛି । ବୋଧହୁଏ ଦୂର ବାଙ୍କର ସବୁଜିମା ଭିତରେ ଅମିୟ ଲୁଚି ଯାଇଛି । ତଥାପି ସେ ଚାହିଁରହିଛି । ଅନିମାଙ୍କ ଆଖି ଆଗରୁ ଅମିୟ କେତେବେଳୁ ଛପି ଯାଇଥିଲା । ରାସ୍ତା ମଝିରେ ଠିଆ ହୋଇଥିବା ଅମିତାକୁ ସେ ଦେଖୁଥିଲେ । ତା’ର ହାତଟେକା ଓ ଆଙ୍ଗୁଠି ଦୋହଲା ଭିତରେ ଅମିୟର ଉପସ୍ଥିତି ଅନୁଭବ କରୁଥିଲେ । ତୁଣ୍ଡର ‘ଟା–ଟା’ ରାବରେ ଶୁଣୁଥିଲେ ଅମିୟର କଥା । ଟିକି ପିଲାଟି ଅମିତା, ଠୁକୁଠୁକୁ ଚାଲି, କକାଙ୍କ ପଛରେ ଖଣ୍ଡେଦୂର ଧାଇଁ ଯାଇ, ‘ଟା–ଟା’ କରୁଛି ।

 

ଜିପ୍‌–ଗାଡ଼ିଟିଏ ମାଲକାନଗିରି ଆଡ଼ୁ ଅତି ବେଗରେ ଛୁଟି ଆସୁଛି । ଅମିତା ଅସ୍ତବ୍ୟସ୍ତ ହୋଇ ଏ ପାଖ ସେ ପାଖ ଧାଇଁ ଆଡ଼େଇ ଗଲା । କଡ଼େଇ ଚାହିଁଲା ଅନିମାଙ୍କୁ । ତା’ର ସବୁବେଳେ ଡର କାଳେ ଜିପ୍‌–ଗାଡ଼ି ମାଡ଼ିଯିବ । ପ୍ରୋଜେକ୍ଟର୍ ଟ୍ରକ୍‌ ଆଉ ଜିପ୍‌ ପବନ ବେଗରେ ଛୁଟେ । ଲୋକ ଓ ଜୀବଜନ୍ତୁ ମଡ଼ାଇ ଦେବାର ଖବର ରଟେ । କେବେ କେମିତି ଅଖଞ୍ଜ ବାଟରେ ଗଛରେ କି ପଥରରେ ପିଟି ହୋଇ ଓଲଟେ, ଆରୋହୀ ଜଖମ ହୁଅନ୍ତି । ଡ୍ରାଇଭର ଖଣ୍ଡିଆ ହୁଏ, ପ୍ରାଣହାରେ । ଏପରି ଖବର ଲୋକଙ୍କ ପାଖରେ ପହଞ୍ଚେ । ଅମିତା ତା’ର ମାଆଙ୍କ ପାଇଁ ଚିନ୍ତିତ, ଅନିମା ଚିନ୍ତିତ ତାଙ୍କ ଝିଅଟି ପାଇଁ । କେଉଁ ଗାଡ଼ିରେ ମଦୁଆ ଡ୍ରାଇଭର ଥିବ କିଏ ଜାଣେ ?

 

ଜିପ୍ ଅମିତାକୁ ଅତିକ୍ରମି ଆସିଲା । ଗତି ଶିଥିଳ କରି ହର୍ଣ୍ଣ ବଜାଇ ଅନିମାଙ୍କ ପାଖରେ ଅଟକାଇଲା । ଲୋତକ ଢଳଢ଼ଳ ଆଖି ଦିଓଟି ଲୁଚାଇବାକୁ ଅନିମା ମୁଣ୍ଡରେ ଓଢ଼ଣା ଅଳପ ଟାଣିଲେ । ଗାଡ଼ି ଷ୍ଟାର୍ଟ୍ ଉପରେ ଥାଏ । ଧକ୍‌ଧକ୍‌ ଶବ୍ଦ କରୁଥାଏ । ଗାଡ଼ିର ଶବଦକୁ ବୁଡ଼ାଇ, ଡ୍ରାଇଭର ମୁହଁ ଝୁଙ୍କାଇ ବଡ଼ପାଟି କରି ପଚାରିଲା, ସେ ଝିଅଟି କ’ଣ ଆପଣଙ୍କର, ମା’ ?

 

ଅନିମା ଉତ୍ତର ଦେଲେ, ହଁ, କାହିଁକି ?

 

ରାସ୍ତା ମଝିରେ ଠିଆ ହେବାକୁ ତାକୁ ବାରଣ କରିଦେବ । ଡ୍ରାଇଭର ଯେତେ ସାବଧାନ ହେଲେବି ଅଚାନକ ଦୁର୍ଘଟଣା ଘଟେ । ମୋ ଗାଡ଼ିର ଷ୍ଟିଅରିଂଟା ପୁଣି ଢିଲା !

 

ପାଖରେ ବସିଥିବା ଟୋକା ଅଫିସରଟି କହିଲେ ରହସ୍ୟ କରି, ଷ୍ଟିଅରିଂ ଠିକ୍ ଅଛି, କେବଳ ତୁମର ମୁଣ୍ଡ ଭିତରର ପେଚଗୁଡ଼ିକ ହୁଗୁଳା । ଲୋକଙ୍କୁ ସାବଧାନ କରିବାକୁ ବାଟରେ ପଚାଶ ଜାଗାରେ ଗାଡ଼ି ଅଟକାଇଲାଣି । ଧୀରେ ଧୀରେ ଚଲାଅ । ଆଗରୁ ହର୍ଣ୍ଣ ଦିଅ । ଲୋକେ ସାବଧାନ ହୋଇ ଆଡ଼େଇ ଯିବେ । ଦୂରରୁ ହର୍ଣ୍ଣ ଦେଇଥିଲେ ସେ ଝିଅଟି କେତେ ଆଗରୁ ଆଡ଼େଇ ଯାଇଥାନ୍ତା । ତାକୁ ପାର୍‌ ହୋଇ ଆସିଲା ପରେ ହର୍ଣ୍ଣ ଦେଉଛ । ରାତିର ନିଶା ଏବଯାଏଁ ପୂରାପୂରି ଛାଡ଼ି ନାହିଁ ଅଧମ ଚଣ୍ତାଳ, ଏବଯାଏଁ ଆଖିରୁ ରଙ୍ଗ ଖସି ନାହିଁ । ଚାଲ ଏଥର– ।

 

ଡ୍ରାଇଭର ଅଧମ ଚଣ୍ଡାଳ ହସି ଉଠିଲା । ଓଢ଼ଣା–ମୁହୀଁ ଅନିମାଙ୍କୁ ମୁହୂର୍ତ୍ତେ ଡବଡ଼ବ କରି ଚାହିଁଲା । ଧାଇଁ ଧାଇଁ ଆସି ଅମିତା ତାଙ୍କ ପାଖିରେ ଠିଆହେଲା । ଧଇଁସଇଁ ହୋଇ ପଚାରିଲା, କ’ଣ ମା’, କ’ଣ ସେ କହୁଛନ୍ତି ?

 

ଡ୍ରାଇଭରର ରୁକ୍ଷ ମୁଖ ଓ ରଙ୍ଗିଲା ଆଖିକୁ ବିସ୍ମୟଭରା ନେତ୍ରରେ ନିରେଖୁଣୁ ଅଳପ ଥରିଲା ସ୍ୱରରେ ସେ ଅମିତାକୁ ଉତ୍ତର ଦେଲେ, ମିତା, ରାସ୍ତା ମଝିରେ କାହିଁକି ଠିଆହେଲୁ ? ତୋତେ ଆକଟିବାକୁ ସେ କହୁଛନ୍ତି ।

 

ଅଫିସର କହିଲେ, ତୁମେ ତୁମର ଯାଆ ମା’ ! ଡ୍ରାଇଭର ଉଦ୍ଦେଶ୍ୟରେ କହିଲେ, ଡବଡ଼ବ କରି କ’ଣ ଦେଖୁଛୁ ଅଧମ ? ଗାଡ଼ି ଚଳାଅ । ଝିଅକୁ ତା’ ମା’ ସାବଧାନ କଲେଣି, ଆଉ କ’ଣ ଚାହଁ ?

 

ଡ୍ରାଇଭର ଅଧମ ଚଣ୍ଡାଳ ଗାଡ଼ି ଚଳାଇଲେ । ଆଉ ସେ ପଛକୁ ଫେରି ଚାହିଁଲା ନାହିଁ । ରାସ୍ତାମୋଡ଼ରେ ଜିପ୍‌ ଅଦୃଶ୍ୟ ହେବାଯାଏ ଅନିମା ଚାହିଁ ରହିଲେ । ତାଙ୍କର ଅଜାଣତରେ ଛାତିତଳେ ଛପିଲା ଉଦ୍‌ବେଗ ଭିଡ଼ିମୋଡ଼ି ହୋଇ ମୁଣ୍ଡ ଟେକିଲା, ପ୍ରଶ୍ନେଇ ଉଠିଲା ତନ୍ଦ୍ରିଳ ହୋଇ,–କିଏ ସେ ଅଧମ ଚଣ୍ଡାଳ ? ନ ଶୁଣିଲା ଅଦ୍ଭୁତ ନାମଟି । ମଦ ନିଶାରେ ଢଳଢ଼ଳ ରଙ୍ଗିଲା ଆଖି । ମୁହଁର ଢାଞ୍ଚାରେ ପାତଳ ହୋଇ ନେସିହୋଇଛି ଅତି ପରିଚିତ କାହାର ଛିଟିକା ? ଘାଗଡ଼ିଆ ରାଗିଲା ସ୍ୱରରେ କ୍ଷୀଣ ହୋଇ ମିଶିଛି ଆଉ କେଉଁ ଜଣା ଲୋକର ସ୍ୱରରୁ ଟିକିଏ । କିଏ ସେ ଅଧମ ଚଣ୍ଡାଳ ? ରାସ୍ତା କଡ଼ରେ ଠିଆ ହୋଇଥିବା ପରନାରୀକୁ କଟମଟ କରି ଚାହିଁଲା ?

 

ରାସ୍ତା କଡ଼ରେ ଠିଆହୋଇ ରହିଥିବା କି ମା’ ? ସୂର୍ଯ୍ୟ ଉଠିଲାଣି । କେତେ ଲୋକ ଯା–ଆସ କଲେଣି ! କ୍ୟାମ୍ପ୍‍ ଅତି ପାଖରେ ନୁହେଁ । ଆମ ଘରେ ତାଲା ପଡ଼ି ନାହିଁ । ଆସୁ ଆସୁ କେତେ ବାଟ ଆମେ ଚାଲି ଆସିଛୁ ଯେ–

 

ଗଡ଼ି ଆସୁଥିବା ଲୁହଧାରକୁ ହାତ ପିଠିରେ ପୋଛି ଅନିମା ଆଗକୁ ଚାଲିଲେ । ପ୍ରବୋଧନା ଦେଇ ଅମିତା ପୁଣି କହିଲା, ଉମରକୋଟରେ ପହଞ୍ଚି ସଙ୍ଗେ ସଙ୍ଗେ ଚିଠି ଦେବେ ବୋଲି କକା କହିଛନ୍ତି; ତାଙ୍କପାଇଁ ତୁ ଏତେ ଭାବୁଛୁ କାହିଁକି ? ସେ ପିଲାଛୁଆ ନୁହନ୍ତି । ସୁରେନ୍‌ଭାଇ ଟ୍ରଙ୍କ୍ ମୁଣ୍ଡେଇ ସଙ୍ଗରେ ଗଲେ, ବସ୍‌ରେ ବସାଇ ଷ୍ଟାଣ୍ଡ୍‍ରୁ ବସ୍‌ ଛାଡ଼ିଲେ ସେ ଫେରିବେ । କକାଙ୍କର କିଛି ଅସୁବିଧା ହେବ ନାହିଁ ବସ୍‌ରେ ।

 

ମା’ ଝିଅ ଦିହେଁ ନୀରବରେ କ୍ୟାମ୍ପ୍‍–ଘରକୁ ଫେରିଲେ । ସୂର୍ଯ୍ୟାଲୋକ ଚାରିଆଡ଼େ ବିଞ୍ଚିହୋଇ ପଡ଼ିଲାଣି । କ୍ୟାମ୍ପ୍‍ ହେଲାଣି ମୁଖର । ସ୍ତ୍ରୀ–ପୁରୁଷ ଆତଯାତ ହେଉଛନ୍ତି । ନଳକୂଅ ପାଖରେ ମାଇପିଭିଡ଼ । କେତେ ଘରଣୀ ସାଙ୍ଗରେ ପୁଅଝିଅମାନଙ୍କୁ ଧରି ନାଳକୁ ଗାଧୋଇ ବାହାରିଲେଣି । କେତେ ପୁରୁଷ ଦଳଦଳ ହୋଇ ଜଙ୍ଗଲ ଭିତରକୁ ପଶୁଛନ୍ତି । ସମସ୍ତେ ଅସ୍ତବ୍ୟସ୍ତ । ନିତିଦିନିଆ ଦୃଶ୍ୟ ।

 

ଅନିମାଙ୍କର ଘର ଏକପାଖିଆ । ଆଗରେ ଓ କଡ଼ରେ ରାସ୍ତା । କଡ଼–ରାସ୍ତାର ଆରପାଖେ ଖଣ୍ଡେଦୂର ଛାଡ଼ି ବୁଦିବୁଦିକା ଜଙ୍ଗଲ । ସେହି ଜଙ୍ଗଲ ଲାଗିଯାଇଛି ବଡ଼ ଜଙ୍ଗଲକୁ । ଆଗ ରାସ୍ତାର ସେ ପାଖରେ ଉଚ୍ଚନୀଚ ପଡ଼ିଆଟିଏ, ସେହି ପଡ଼ିଆକୁ ଲାଗି ଗୋଟି ଗୋଟି ହୋଇ ରାସ୍ତାର ବାମକଡ଼ରେ ଟେଣ୍ଟ୍‍ମାନ ପଡ଼ିଛି । ଗୋଟିଏ ଟେଣ୍ଟ୍‍ରେ ଗୋଟିଏ କୁଟୁମ୍ବର ବାସ । ଅଧିକାଂଶ କୁଟୁମ୍ବ ଅସ୍ଥାୟୀ ଘର କରିବାକୁ ଉଦ୍ୟମ କରୁଛନ୍ତି । ଅନିମାଙ୍କର ଅସ୍ଥାୟୀ ଘରର ଡାହାଣ ପାଖେ ଖଣ୍ଡେଦୂର ଛାଡ଼ି ସାଧନମିସ୍ତ୍ରିଙ୍କର–ଟେଣ୍ଟ୍‌ । ତା’ପରେ ଗୋଟି ଗୋଟି ହୋଇ ଅନ୍ୟମାନଙ୍କର-। ସେମାନେ ମଧ୍ୟ ଅସ୍ଥାୟୀ ଘର କରିବାକୁ ଚେଷ୍ଟା କରୁଛନ୍ତି ।

 

ଏକା ଅଳସୁଆ ସାଧନମିସ୍ତ୍ରି ତେଣିକି ମନ ଦେଉ ନାହାନ୍ତି । କମଳାଙ୍କଠାରୁ ବାରମ୍ବାର ଗାଳିଖାଇ ଖେନ୍ଦା ଓ ଅନ୍ୟମାନଙ୍କ ସାହାଯ୍ୟରେ ଅତି କଷ୍ଟରେ ଟେଣ୍ଟ୍‌ ପଛରେ ଖଣ୍ଡେ ଛୋଟ କୁଡ଼ିଆ ସେ କରିପାରିଛନ୍ତି । ସେଇଠି ରୋଷେଇ ହୁଏ ଓ ରାତିରେ ଖେନ୍ଦା ବିନ୍ଧା ଶୁଅନ୍ତି । ଟେଣ୍ଟ୍‌ ଭିତରେ ରହନ୍ତି ବିନ୍ଦୁ ଓ ତା’ର ବାପ–ମା’ । ଚଳିଯାଉଛି, ତେଣୁ ସାଧନ ନିଶ୍ଚିନ୍ତ ।

 

ଅନିମା ଫାଟକ ଆଗରେ ମୁହୂର୍ତ୍ତେ ଠିଆହେଲେ । ଫାଟକ ଓ ଘରଗୁଡ଼ିକରେ ବାଉଁଶ–ଫାଳଯୋଡ଼ା ହୋଇ ତାଟି ଭିଡ଼ାହୋଇ ତିଆରି ହୋଇଥିବା କବାଟଗୁଡ଼ିକ ବନ୍ଦ ଅଛି । ଜଞ୍ଜିର ଦିଆହୋଇଛି । ଏ କ୍ୟାମ୍ପ୍‍କୁ ଆସିଲା ଦିନରୁ ତାଙ୍କର କିଛି ଚୋରି ଯାଇନାହିଁ । ସମସ୍ତେ ସେମାନେ ସବୁବେଳେ ସାବଧାନ ରହୁଥିଲେ । ଡାହାଣ ପାଖ କଚ୍ଚା ରାସ୍ତା ଆରପାଖେ କମଳା ଓ ବିନ୍ଦୁ ସେମାନଙ୍କର ଛୋଟ ରୋଷେଇ କୁଡ଼ିଆଘରୁ ବାସନକୁସନ ପଦାକୁ କାଢ଼ୁଛନ୍ତି, ମାଜିବାକୁ ପ୍ରସ୍ତୁତ ହେଉଛନ୍ତି । କମଳାଙ୍କର ଦୃଷ୍ଟିପଡ଼ିବାରୁ ସେ ପାଖକୁ ଆସିଲେ । ଅମିତା ଫାଟକ ଖୋଲି ହାତଭିତରକୁ ଗଲା । ଅନିମା ବାଧ୍ୟ ହୋଇ ଅପେକ୍ଷା କଲେ ।

 

କମଳା କଅଁଳେଇ କହିଲେ, ପିଲାପଣିଆ ତୋର ଗଲା ନାହିଁ କି ଅନିମା, ଏଡ଼େ ହାଉଳିବାଉଳୀ ତୁ ? ଘରଗୁଡ଼ିକର କବାଟ ଠିଆମେଲା କରି ଚାଲିଗଲୁ ? ଫାଟକବି ଖୋଲା ! ରାତି ପାହିଲାରୁ ଖେନ୍ଦା ଦେଖି ମତେ କହିଲା । ମୁଁ ନିଜେ ଯାଇ ଜଞ୍ଜିର ଦେଇ ଆସିଲି ।

 

ଭଲ କଲ ଅପା, ଅମିୟଙ୍କୁ ବଳେଇ ଦେଇ ଆସିବାକୁ ମିତା ଜିଦି ଧରିଲା । ସେ ଆଉ ଏକୁଟିଆ ଫେରିଥାନ୍ତା କିପରି ? ମୁଁ ତା’ ସଙ୍ଗରେ ଗଲି । ତରତର ହୋଇ ଗଲି ତ,–ତମର ଉପକାର ମୁଁ ଶୁଝିପାରିବି ନାହିଁ ।

 

ତୋ ପିତା ଯେମିତି ଫୁଲେଇ ତୁ ବି ସେମିତି । କିଲୋ, ଅମିୟ ଚାକିରି କରିବାକୁ ଯାଉଛି । ଝିଅ ଶାଶୁଘରକୁ ଯାଉ ନାହିଁ କି କୃଷ୍ଣ ମଥୁରାକୁ ଯାଉନାହାନ୍ତି । ସୁରେନ୍‌ ପୁଣି ବଳେଇ ଦେବାକୁ ଯିବ ବୋଲି ରାତିରେ ଆସି ତୋ ଘରେ ଥିଲା । ସେ ଯାଇଥିବ ସଙ୍ଗରେ । ମା’ ଝିଅ ଦିହେଁ ବସ୍‌ ପାଖକୁ ଦୁଇ ମାଇଲ ବାଟ ମାଲକାନଗିରି ଧାଇଁଗଲେ କାହିଁକି ? ସତେ କି ରାଧା ବାଇଆଣୀ !

 

ରୁଦ୍ଧ ବେଦନାର ଅଶ୍ରୁ ଝରିଆସିଲା ଅନିମାଙ୍କର ଦୁଇ ଆଖିରୁ । ସେ ବ୍ୟଥାଭରା ସ୍ୱରରେ କହିଲେ, ଅପା, ଅନ୍ୟର ମନର ବେଦନାର ରୂପ ତୁମେ ଦେଖିବ କିପରି ? ଅଢ଼େଇ ବରଷର ହୋଇଥିଲା ମୋର ଅମିତା, ଯେତେବେଳେ ଆମେ ପାକିସ୍ଥାନରୁ ପଳାଇ ଆସିଲୁ । ମୋର ଅମିୟ ସେତେବେଳେ ଚଉଦବର୍ଷର ପୁଅ । ସେଇ ଅମିୟ ଯେ ପିଲାଟାକୁ ଛାତିରେ ଯାକି, ପିଠିରେ ଧରି, କୋଳରେ ଖେଳାଇ, ଏଡ଼େଟିଏ କରିଛି । ମିତାର ସେ ଖାଲି କକା ନୁହେଁ ଅପା, ସେ ମିତାର ଭାଇବନ୍ଧୁ, ଖେଳର ସାଥୀ; ପୁଣି ଜୀବନଦାତା ।

 

ପିଣ୍ଡା ଉପରକୁ ଉଠି ମାଆଙ୍କ ତୁଣ୍ଡର କଥା ଶୁଣି, ଅମିତା ତା’ର କକାକୁ ସୁମରି ଅସ୍ଥିର ହେଲା । ଦୁଇ ହାତରେ ମୁହଁ ଘୋଡ଼ାଇ ସେ କଇଁକଇଁ ହୋଇ କାନ୍ଦିଉଠିଲା ।

 

ଅନିମା କହିବାକୁ ଲାଗିଲେ, କହ ଗୋ ଅପା ! କାହା ମୁହଁକୁ ଚାହିଁ ମୁଁ ବଞ୍ଚି ରହିଥିଲି ? ଯାହାଙ୍କୁ ଦେଖିବି ବୋଲି ମୁଁ ଅନାଇଁ ରହିଛି, ବାରବର୍ଷ କଟିଲା, ତାଙ୍କର ଖବର ପାଇଲି ନାହିଁ । ତା’ ବୋଲି ଜାଣୁଜାଣୁ ମୁଁ ନିଜକୁ ବିଧବା ମଣିବି, ତାଙ୍କର ଅଶୁଭ ମନାସିବି ?

 

କମଳା ପାଖେଇ ଆସିଲେ । ତାଙ୍କର ଆଖିରେ ଲୁହ ଢଳଢ଼ଳ ହେଲା । କହିଲେ, ମୋ କଥାକୁ ତୁ ଗଣ୍ଠି କରନା ଅନିମା ! ମୋ ତୁଣ୍ଡରୁ କ’ଣ କେବେ ଖସିଯାଏ, ମୋତେ ଜଣା ନଥାଏ । ମୋ ମୁହଁରେ ତୁ ଆଉ ନିଆଁ ଜାଳନା !

 

ତୁମର ଇଙ୍ଗିତ କଥା ମୋ ମନରେ ବାରମ୍ବାର ନିଆଁ ଜାଳୁଛି । ସେଇଥିପାଇଁ ମୁଁ କହୁଛି । ଅମିୟଙ୍କର ମୁହଁକୁ ଅନାଇଁ ମୁଁ ବଞ୍ଚିରହିଥିଲି ଗୋ, ସେଇ ମୋର ଦିଅର, ସେଇ ମୋର ବାପଭାଇ ପୁଣି କୋଳର ପୁଅ । ଏଡ଼େଟିକିଏ ପିଲା । ବାରବର୍ଷକାଳ ଆହାରନିଦ୍ରା ଭୁଲି, ଅକ୍ଳାନ୍ତ ପରିଶ୍ରମ କରି ଏ କୁଟୁମ୍ବର ଆଶା ଓ ଜୀବନକୁ ଅଟକାଇ ରଖିଛନ୍ତି । ଦିନେ କେବେ ଅବାଧ୍ୟ ହୋଇ ନାହାନ୍ତି । ହାତରେ ମୁଁ ବାଢ଼ି ନ ଦେଲେ, ଅମୃତ ପାରଣା ଜିଭରେ ଲଗାଇବେ ନାହିଁ, ଉପାସ ରହିବେ । ଦେହ ଅସୁସ୍ଥ ହେଲେ ଏଇ କୋଳରେ ମୁଣ୍ଡ ନ ରଖିଲେ, କପାଳରେ ଏଇ ହାତର ଆଉଁସା ନ ପାଇଲେ ତାଙ୍କୁ ନିଦ ହେବ ନାହିଁ ଅପା ! ତମ ଆଖିରେ ସେ ଯବାନ୍‌ ଟୋକା, ମୋ ଆଖିରେ ସେ ମୋର ଉତାଣି ପିଲା !

 

ଜାଣେ ଅନିମା, ସେ ଭଲ ପିଲା । ମୋତେ ଗାଳି ଦେଇ ଆସେଲୋ, ମୋତେ ଥଟ୍ଟା କରିଆସେ ନାହିଁ । ମୋ କଥାକୁ ତୁ ଆଉ ମନରେ ଧରିବୁ ନାହିଁ ।

 

ମନଇଚ୍ଛା ମୋତେ ତୁମେ ଗାଳି ଦିଅ, ଅଭିଶାପ ଦିଅ, ମୁଁ ମଥାପୋତି ସବୁ ଗ୍ରହଣ କରିବି । ତୁମର ଥଟ୍ଟା ମୋ ପ୍ରାଣରେ ନିଆଁହୁଳା ଜାଳେ । ଅପା ଗୋ, ମୋର ଦେହରେ ଟିକିଏ ରୂପ ଅଛି, ଟିକିଏ ଯୌବନ ଅଛି ବୋଲି ତୁମେ କି ଆଉମାନେ ଅନୁଭବ କରୁଛ ପରା ! ବାର ବରଷ ହେଲା ସେପରି ଅନୁଭୂତି ମୋର ନାହିଁ । ମୁଁ ମା’, ମୁଁ କେବଳ ମା’ । ମୋର ମାଆପଣିଆର ଖୋଳାପାଟାକୁ ମୁଁ ବଞ୍ଚେଇ ରଖିଛି, ମୋର ସ୍ନେହମମତାର ଦୁଇଟି ପିଲାଙ୍କ ପାଇଁ, ଏ ପାଖେ କନ୍ୟା ଅମିତା; ସେ ପାଖେ ଦେବର ଅମିୟ ।

 

ସେଇ ଦେହଖୋଳପାର ଯତ୍ନ ନିଏ । ନିଜ ହାତରେ ନିଜେ ସଜାଏ, ମୋର ମନତଳେ ନିଘୋଡ଼ ନିଦରେ ଅଚେତ ପ୍ରେମ–ସୋହାଗପାଇଁ ନୁହେଁ ଗୋ ଅପା, ସେଇ ଅମିୟପାଇଁ, ଏଇ ଅମିତାପାଇଁ, ହାତରୁ ‘କାଚ’ ଦିଖଣ୍ଡି ଉତାରି ଦେଲେ, ମୁଣ୍ଡରୁ ସିନ୍ଦୂର ଠୋପା ପୋଛିଦେଲେ, ପିଲା ଦୁଇଟା ହତାଶ ହେବେ ।

 

ସେ କଥା ଆଉ ତୁ ତୁଣ୍ଡରେ ଧରନା ।

 

ଅମିୟ ମୋର ଶ୍ରୀକୃଷ୍ଣ ଗୋ ଅପା, କିନ୍ତୁ ମୁଁ ତା’ର ମା’ ଯଶୋଦା, ମୁଁ ରାଧା ବାଇଆଣୀ ନୁହ । ସେ ମଥୁରାକୁ ଯାଇଛି । ତୁମେ ଯଦି ମୋର ହାତରୁ କାଚ ଦିଖଣ୍ଡି କାଢ଼ି ଦେବ ତ ଦିଅ । ମୁଣ୍ଡରୁ ସିନ୍ଦୂର ଠୋପା ଲିଭାଇ ଦେବ ତ ଦିଅ । ସେ ଦେଖିବ ନାହିଁ କି ଅନୁଭବ କରିବ ନାହିଁ ଯେ ଚିରଦିନ ପାଇଁ ସେ ଏକୁଟିଆ ହୋଇଛି, ଅନାଥ ହୋଇଛି । ତୁମର ମନରେ ଆନନ୍ଦ ଆସିବ ତ ମୋତେ ବିଧବା କରିଦିଅ । ମୋର ଆପତ୍ତି ନାହିଁ ।

 

ଅନିମା କମଳାଙ୍କ ଆଡ଼କୁ ହାତ ଦିଓଟି ବଢ଼ାଇଦେଲେ । ଆଖିରୁ ଲୋତକର ଝରଣା ବହିଲା । ଅମିତା ଚିତ୍କାର କରି ପାଖକୁ ଧାଇଁ ଆସିଲା । କମଳା ଅଶ୍ରୁସିକ୍ତ ମୁହଁରେ ଅନିମାଙ୍କର ଥରିଲା ହାତ ଦିଓଟି ଧରି ଚୁମ୍ବନ କଲେ । ମୁଣ୍ଡରେ ଲଗାଇ କହିଲେ, ସତୀ, ସାଧ୍ୱୀ ସାନ ଭଉଣୀ ତୁ ମୋର, ମୁଁ କଲ୍ୟାଣ କରୁଛି, ତୋର ହାତର କାଚ ବଜ୍ର ହେଉ । ତୋର ମୁଣ୍ଡର ସିନ୍ଦୁର ସକାଳର ଲାଲ ସୂର୍ଯ୍ୟ ପରି ଚିରଦିନ ଝଟକୁଥାଉ । ମୁଁ ଆଶୀର୍ବାଦ କରୁଛି, ଅଚିରେ ମୋର ଅନିମାର ମନର ଦେବତା ଫେରି ଆସନ୍ତୁ । ମତେ ତୁ କ୍ଷମାକର ଅନି, ଥଟ୍ଟା ନକଲରେବି ଆଉ ଦିନେ କେବେ ତୋ ମନରେ ମୁଁ ଦୁଃଖ ଦେବି ନାହିଁ ।

 

ମୋ ଜୀବନର ଅସୀମ ଆବର୍ଜନାର ପାହାଡ଼ରୁ ମୁଠାଏ ମୁଠାଏ ଚାରିଆଡ଼କୁ ଫୋପାଡ଼ି ତା’ର ଭାର ଊଣା କରୁଥିଲି ଅନିମା ! ନା, ଆଉ ନୁହେଁ । ସେଇ ଆବର୍ଜନାର ପାହାଡ଼କୁ ମୁଁ ମୁଣ୍ଡରେ ବୋହି ଚାଲିବି । ଜାଣିଛୁ ତ ମୋର ଜୀବନ ବୃତ୍ତାନ୍ତ । ଦେଖୁଛୁ ତ ମୋର ଚଳନ୍ତି ଜୀବନ !

 

ଅପା !

 

କମଳା ଆଖିରୁ ଲୁହ ପୋଛୁଣୁ ଉତ୍ତର ନ ଦେଇ ଫାଟକ ପାଖରୁ ରାସ୍ତା ଉପରକୁ ଉଠିଲାବେଳେ ହର୍ଣ୍ଣ ବଜାଇ ଦ୍ରୁତଗତିରେ କ୍ୟାମ୍ପ୍ ଭିତରକୁ ସେହି ରାସ୍ତାରେ ଛୁଟିଆସୁଥିବା ଜିପ୍‌–ଗାଡ଼ିଟିଏ ହଠାତ୍‌ ବ୍ରେକ୍‌ ଦେଇ ଅଟକିଗଲା । ଅସ୍ତବ୍ୟସ୍ତ ହୋଇ କମଳା ରାସ୍ତା ପାରି ହୋଇ ପଛକୁ ଚାହିଁ ଚାହିଁ ନିଜ ଟେଣ୍ଟ୍‍କୁ ଗଲେ ।

 

ଭୟଭୀତ ହୋଇ ଅନିମା ମୁହଁ ବୁଲାଇ ଦେଖିଲେ । ମୁଣ୍ଡରେ ଓଢ଼ଣା ନାହିଁ, ଆଖିରେ ଦି’ଧାର ଲୁହ । ଦେହ ଗୋଟାଛାଏଁ ଥରୁଛି ।

 

ସେଇ ଜିପ୍‌ଟା । ଡ୍ରାଇଭର ମୁହଁ ପଦାକୁ କାଢ଼ି ଫାଟକ ଆଡ଼କୁ ଚାହିଁଲେ । ରଙ୍ଗିଲା ଆଖି ଆଗରେ ସୁଦୂର କେଉଁ ଦେଖିଲା ଦେଖିଲା ପରିଚିତ ମୁହଁର ଆଭାସ ପାଇଲା ପରି ମନେହେଲା । ଅତୀତର କେଉଁ ସ୍ମୃତିର ଗୋଟାଏ ଝାପ୍‌ସା ଛାୟା ! ଅଶ୍ରୁର ବାଦଲ ଭିତରେ ଅନିମା ତନ୍ମୟ ହୋଇ କ’ଣ ଦେଖୁଥିଲେ ।

 

ଅଫିସର କହିଲେ, ଦିନେ ତୁମେ ମଣିଷ ମାରିବ ଡ୍ରାଇଭର ଅଧମ ଚଣ୍ଡାଳ ! ଏଣିକି ଆଉ ତୁମେ ସବୁବେଳେ ମଦ ପିଅ ନାହିଁ । ବୁଢ଼ୀଟା ଏବେ ଚାପା ପଡ଼ିଥାନ୍ତା ।

 

ଗମ୍ଭୀର ହୋଇ ଡ୍ରାଇଭର ଅଧମ ଚଣ୍ଡାଳ କହିଲେ, ଅନେକ ମାରିଛି ସାର୍‌, ଆଉ ମାରିବାକୁ ଆଗ୍ରହ ନାହିଁ କି ଉତ୍ତେଜନା ନାହିଁ । ଲୋଡ଼୍‌ କମିବାରୁ ଧ୍ୟାନଟା ସ୍ଥିର ରହୁନାହିଁ । କ୍ଷମା କରିବେ ।

 

ହଉ, ଚାଲ ଏଥର ସ୍କୁଲ୍‌ ପାଖକୁ ।

 

ଡ୍ରାଇଭର ଗାଡ଼ି ଚଳାଇଲେ । ଅଫିସର ତୁନି ତୁନି କହିଲେ, ସାବଧାନ, ପିଲାଛୁଆ ଚଳପ୍ରଚଳ ହେଉଛନ୍ତି ।

 

ଅଧମ ଚଣ୍ଡାଳ ଅଶ୍ରୁମୁଖୀ ନାରୀଟି ଆଡ଼କୁ କଣେଇଁ ଚାହିଁ ଧୀରେ ଧୀରେ ରାସ୍ତାର ବାଙ୍କ ବୁଲେଇଲେ ।

 

ଅମିତା ଅନିମାଙ୍କର ହାତ ଧରି କହିଲା, ଆ ମା’, ସେଇ ମଦୁଆ ଅଭଦ୍ର ଡ୍ରାଇଭରଟା !

 

ଅନିମା ମୁଣ୍ଡ ଉପରକୁ ଓଢ଼ଣା ଉଠାଇ ପିଣ୍ଡାକୁ ଗଲେ । କଣେଇଁ ଚାହିଁଲେ, ଜିପ୍‌–ଗାଡ଼ି କ୍ୟାମ୍ପ୍‍ ମଝିରେ ଟଣା ହୋଇଥିବା ସ୍କୁଲ୍‍–ସାମିଆନା ପାଖକୁ ଯାଉଛି ।

 

ଛତିଶ

 

ସେ ଆହତ ହୋଇଥିଲେ ସତ; କିନ୍ତୁ ସେ ବଞ୍ଚି ରହିଥିଲେ । ଅଧର ମଣ୍ଡଳ, ନିଜକୁ ଯିଏ ଅଧମ ଚାଣ୍ଡାଳ ନାମରେ ଏଇ ଭାରତ ଭୂମିରେ ପରିଚିତ କରାନ୍ତି, ମୁରମ୍‌ ଖାଲ ଭିତରେ ସୀମାନ୍ତର ବୁଦିବୁଦିକା ଛାଡ଼ିଛାଡ଼ିକା ଜଙ୍ଗଲ ମଝିରେ ଆହତ ଗୋଡ଼ ଓ କପାଳର କ୍ଷତର ତୀବ୍ର ଜ୍ୱାଳା ସହି ନ ପାରି ଅନ୍ଧାର ରାତିରେ ସେ ଛଟପଟ ହେଉଥିଲେ । ତାଙ୍କର କରୁଣ ଅନୁରୋଧ ମାନି ଅନିମା ତିନି ବରଷର ପୁଅ ଟିକି ଅମିତାଭକୁ ଛାତିରେ ଜାକି ଚାଲି ଯାଇଛନ୍ତି, ସେତିକି ତାଙ୍କର ଯନ୍ତ୍ରଣା–ଆକୁଳ ମନରେ ଥରଥର ଆଶାର ହଲହଲ ସାନ୍ତ୍ୱନାର ଦୀପ ଜାଳୁଥିଲା, କାଁଭାଁ ଉଡ଼ି ବୁଲୁଥିବା ମିଟିମିଟିକା ଜଳୁଛି ପୋକ ପରି ।

 

ରାତିର ଅନ୍ଧାରକୁ ଥରାଇ ଆତତାୟୀମାନଙ୍କର ବନ୍ଧୁକ–ଫୁଟା ଶବଦ କାନରେ ବାଜୁଥିଲା । ଛାତିର ସ୍ପନ୍ଦନକୁ ଦ୍ରୁତତର କରୁଥିଲା । ବେଳେବେଳେ ଆହତ କେଉଁ ପୁରୁଷ, ନାରୀ କି ଶିଶୁର ଆର୍ତ୍ତ ଚିତ୍କାର ଥରଥର ଆଶାର ପ୍ରଦୀପକୁ ଲିଭାଇ ଦେଉଥିଲା । ଆତ୍ମା କଳବଲ ହୋଇ ବାହୁନି ଉଠୁଥିଲା, ଆହା, କିଏ ସେ ନାରୀ ? ଅନିମା ! ଆଉ, କିଏ ସେ ଶିଶୁ ? ମଣ୍ଡଳବଂଶର ଶେଷ ସମ୍ବଳ ଅମିତାଭ ! ନିର୍ଦ୍ଦୋଷ ନିରୀହ ନାରୀ ଓ ଶିଶୁ ଅଜଣା ଦୁର୍ବୃତ୍ତର ଗୁଳି ମାଡ଼ରେ ଟଳିପଡ଼ିଲେ ? ସବୁ ସରିଗଲା ବ୍ୟର୍ଥ ଜୀବନରେ ତାଙ୍କର ଆଉ କି ପ୍ରୟୋଜନ ? ମରଣକୁ ନିମନ୍ତ୍ରଣ କଲେବି ସେ ଆସୁ ନାହିଁ ।

 

ଆଖି ମାଡ଼ି ମାଡ଼ି ପଡ଼ୁଛି ଅବସନ୍ନତା ପାଇଁ । ନୀରବତା ସାରା ପ୍ରକୃତିକୁ ଘୋଡ଼ାଇ ରଖିଛି । ଅତି ଭୟଙ୍କର ସେହି ନୀରବତା ଚିହିଁକା ଚମକ ଆଣୁଛି । ଆଖିପତା ଖୋଲୁଛି । ମନରେ ଆସୁଛି ଭାବନା, ଯେଉଁମାନେ ଟଳିପଡ଼ିଲେ, ସେମାନେ ଆଉ କିଏ ହୋଇଥିବେ । ପିଲାଟିକୁ ନେଇ ଅନିମା ଅନ୍ୟମାନଙ୍କ ସଙ୍ଗେ ରାତାରାତି ସୀମା ପାରି ହୋଇ ଯିବେ । ତା’ପରେ ଆଉ ଭୟ ରହିବ ନାହିଁ; ସେମାନେ ବଞ୍ଚି ରହିବେ । ଅମିତାଭ ବଞ୍ଚିତ, କୁଳର ଏକମାତ୍ର ପ୍ରଦୀପ ! ଜୀବନରେ ଦେଖା ହେଉ ବା ନ ହେଉ, ଚିନ୍ତା ନାହିଁ ।

 

ରକ୍ତ କ୍ଷୟ ହେତୁ ଦେହ ଓ ମନ ଦୁର୍ବଳ ହୋଇଛି । ସନ୍ତସନ୍ତିଆ ଆବର୍ଜନା ପୂର୍ଣ୍ଣ ମୁରମ୍‌ ଖାତରେ ଅମସୃଣ ତିଖ କାନ୍ଥିକୁ ସେ ଆଉଜି ପଡ଼ିଛନ୍ତି । ଆଖି ପତା ବୁଜିହୋଇଛି ! ଦେହ ଲାଗୁଛି ହେମାଳିଆ । ପୁଣି ଗର୍ଜି ଉଠିଲା ବନ୍ଧୁକଗୁଡ଼ିକ ଅତି ନିକଟରୁ । ଅଧର ମଣ୍ଡଳ ଚିହିଁକି ଉଠିଲେ । ଆଖି ଖୋଲିଲେ । ଅନ୍ଧାର ପାତଳ ଦିଶୁଛି । କାହାରି କରୁଣଚିତ୍କାର ଶୁଭୁ ନାହିଁ । ପଳାତକମାନେ ନିଶ୍ଚୟ ଦୂରେଇ ଗଲେଣି । ସେମାନେ ଅନିର୍ଦ୍ଦିଷ୍ଟ ଗୁଳିରେ ଆହତ ହୋଇ ନାହାନ୍ତି । ସେମାନଙ୍କ ସଙ୍ଗେ ଅନିମା ଓ ଅମିତାର ଅବଶ୍ୟ ଥିବେ । ଭଗବାନ୍‌, ଏତିକି କରୁଣା ତୁମେ କର ।

 

କାହିଁକି ଏ ଦାରୁଣ ଦୁଃଖ ଦେଲ ଭଗବାନ୍‌, କି ଦୋଷ ଆମେ କରିଥିଲୁ ? ମଣିଷ କରି ଜନ୍ମ ଦେଇଥିଲ, ଦୁଃଖସୁଖରେ ଆପ୍ରାଣ ପରିଶ୍ରମ କରି ତୁମରି ପୂଜା ବିବିଧ ରୂପରେ କରି ଆମେ ଜୀବନ ଧରି ରହିଥିଲୁ । ବଞ୍ଚି ରହିବା ଛଡ଼ା ଆମର ଅନ୍ୟ କୌଣସି ଉଚ୍ଚାଶା ନଥିଲା । ହେତୁ ପାଇଲା ଦିନରୁ ମାଟି କାଦୁଅ ଚକଟି ଦେହରେ ପାଣି ପବନ ଓ ତାପ ଭେଦାଇ, ଧରିତ୍ରୀମାତାର ଦେହରୁ ଫସଲ ଉତ୍ପାଦନ କରୁଥିଲୁ । ନିଜର ଭୂମିରେ ମାଲିକ ହୋଇ, ପରର ଭୂମି ଭାଗରେ ଚଷି ଅବା ପର ଦୁଆରେ ମୂଲଲାଗି, ନିଜର ଓ କୁଟୁମ୍ବର ପେଟକୁ ଗଣ୍ଡିଏ ଦାନା ଓ ଦେହକୁ ଖଣ୍ଡିଏ କନା ଅତି କଷ୍ଟରେ ଆମେ ଯୋଗାଡ଼ କରୁଥିଲୁ । ଆମ ଭିତରୁ ପୁଣି କେତେ ନଈନାଳରେ ମାଛ ଧରି ବର୍ଷା ତୋଫାନର ତୋଡ଼ ସହି, ଜୀବନକୁ ପାଣିଛଡ଼ାଇ, ଟଳଟଳ ନୌକାରେ ସ୍ରୋତ ଓ ଲହଡ଼ିରେ ଭାସି, ହଲି ଦୋହଲି ପେଟ ପିଠିପାଇଁ ବଞ୍ଚିବାମାନିଆଁ ଅର୍ଜନ କରୁଥିଲୁଁ । କିଏ ଝାଳନାଳ ହୋଇ ବଟାଳି ଠୁକୁ ଠୁକୁ କରି ବଢ଼େଇ କାମ କରୁଥିଲା । କିଏ ନିଆଁଧାସରେ ରକ୍ତମାଂସ ଆଉଟାଇ କମାର କାମ କରୁଥିଲା । କିଏ ପ୍ରଭୁର ତମ୍ବି ତୋଫାନ ସହି ଗାଳିମାଡ଼ ଖାଇ ପେଟ ପୋଷୁଥିଲା ।

 

ନାନା ରୂପରେ ପୂଜିତ ହେ ଅଜ୍ଞେୟ ପ୍ରହେଳିକାମୟ ମହାଶକ୍ତିମାନ ଭଗବାନ, ଯିଏ ଯେଉଁ ଉପାୟରେ ହେଉ, କର୍ମ କରୁଥିଲା । ଟିକିଏ ବେଳ ପାଇଲେ ନାନାରୂପରେ ନାନା ଭାବରେ ତୁମକୁ ସ୍ମରଣ କରୁଥିଲା, ପୂଜା କରୁଥିଲା; ଆତୁର ହୋଇ ଦୁଃଖ ଦୂର କରିବାକୁ ପ୍ରାର୍ଥନା କରୁଥିଲା ।

 

ଯେଉଁ ସମାଜର ସନ୍ତାନ ହୋଇ ସେ ଜନ୍ମ ହୋଇଥିଲା, ସେହି ସମାଜର ପ୍ରଚଳିତ ରୀତିନୀତି ପଦ୍ଧତିକୁ ଆଶ୍ରୟ କରି, ସେ ତା’ର ଆତ୍ମସମ୍ମାନକୁ ଜଗି, ଅନ୍ୟର ଚଳନ ଓ ବିଶ୍ୱାସରେ ହସ୍ତକ୍ଷେପ ନ କରି, ସେ କାଳାତିପାତ କରୁଥିଲା ।

 

ତୁମେ କ’ଣ ସତରେ ଅଛ ? ଶାନ୍ତ, ଶିଷ୍ଟ, ସାମାଜିକ ନିୟମାନୁବର୍ତ୍ତୀ, ସ୍ୱଧର୍ମ ପାଳନ ଅନୁରାଗୀ, ନିରୀହ ନିରିମାଖି ଜନତା ଉପରେ ନିର୍ମମ ଅତ୍ୟାଚାର ତୁମେ ଦେଖୁଛଟି; ଜାଣୁଛଟି; ବୁଝୁଛଟି ? କାହିଁକି ତୁମର ଆସନ ଟଳମଳ ହେଉ ନାହିଁ ? କାହିଁକି ତୁମେ ଏ ଜଘନ୍ୟ ଅତ୍ୟାଚାରର ପ୍ରତିକାର କରୁନାହିଁ ? ତୁମକୁ ମୋର କୋଟି ନମସ୍କାର ।

 

ଅଧର ମଣ୍ଡଳ ଦୁଇହାତ ଯୋଡ଼ି ରକ୍ତଲିପ୍ତ କପାଳରେ ଲଗାଇଲେ । ମୁଣ୍ଡର ଓ ଗୋଡ଼ର କ୍ଷତ ଜଳି ଉଠୁଛି । ହାତଖୋଲି ପାପୁଲିରେ କପାଳ ଉପରୁ ପୋଛିଦେଲେ ବସିଲା–ରକ୍ତ, ଧୀରେ ଅତି ଧୀରେ । ଡାହାଣ ଅକ୍ଷତ ଗୋଡ଼କୁ ଟାଣି ଆଣିଲେ । ଦୁଇ ହାତରେ ବାମ ଗୋଡ଼ର ପାଦଧରି ଯାକି ଆଣିଲେ, ଆତତାୟୀର ଗୁଳି ବାମ ଗୋଡ଼ର ଭଣ୍ଡା ଉପର ମାଂସପେଶୀ ଭେଦି ଆରପାଖେ ଚାଲିଯାଇଛି, କ୍ଷତ ଗଭୀର ହୋଇଛି କିନୁ ହାଡ଼ ଭାଙ୍ଗିନାହିଁ ।

 

ଯନ୍ତ୍ରଣାରେ ସେ ଚିତ୍କାର କରି ଉଠିଲେ । କାଳେ କିଏ ଶୁଣିବ, ଏହି ଡରରେ ଓଠ ଚାପି ଦେହକୁ କାଠ କଲେ । ସେ ଶୁଣିଥିଲେ, ପାକିସ୍ଥାନୀ ଗୁଣ୍ଡାମାନେ ଆହତ ବ୍ୟକ୍ତିକୁ ଆଖିରେ ଦେଖିଲେ ତାକୁ ଜୀବନ୍ତ ଛାଡ଼ି ଯାଆନ୍ତି ନାହିଁ । ଶେଷକରି ଦିଅନ୍ତି । କାଳେ ସେ ବଞ୍ଚିଲେ ସେମାନଙ୍କର କାଣ୍ଡ ପରେ କାହା ଆଗରେ ବୟାନ କରିବ, ସେହିପରି ସୁଯୋଗ ସେମାନେ ଆହତ ଦରମରାକୁ ଦେଇ ନିଜପାଇଁ ଚଳନ୍ତା–ବିପଦକୁ ବଞ୍ଚାଇ ରଖିବାକୁ କେବେ ଚାହାନ୍ତି ନାହିଁ । ଅଧର ମଣ୍ଡଳ ଓଠ ଚାପି ଛାତିର ସ୍ପନ୍ଦନକୁ ଆୟତ୍ତ କରିବାକୁ ନାକପୁଡ଼ା ଥରାଇ ଥରାଇ ନିଃଶ୍ୱାସ ଛାଡ଼ିଲେ-

 

ଟିକିନିଖି କରି, ଅଙ୍ଗେ ଲିଭାଇଥିବା ସବୁ ଭୟାବହ ଅନୁଭୂତି ଏବେଯାଏ ତାଙ୍କର ମନେ ଅଛି । ସେହି ଦୁଃଖପ୍ରଦ ଅନୁଭୂତିଗୁଡ଼ିକୁ ପାସୋରି ଯିବାକୁ ସେ ମଦର ଆଶ୍ରୟ ନେଇଛନ୍ତି ! ନିଜକୁ କର୍ମର ସ୍ରୋତରେ ଭସାଇ ଦେଇଛନ୍ତି । କାଳକ୍ରମେ ଅଭ୍ୟସ୍ତ ହେଲାରୁ ମଦ କି କର୍ମ ତାଙ୍କର ବ୍ୟଥିତ ମଥିତ ଜୀବନର ଅନୁଭୂତିର ସହସ୍ର ବିଷାକ୍ତ ଫଣାକୁ ଚାପି ପାରୁ ନାହିଁ । ଗୋଟି ଗୋଟି ହୋଇ ସେହି ଫଣାଗୁଡ଼ିକ ତାଙ୍କର ଛଟପଟ ଜୀବନକୁ ଦଂଶନ କରୁଛନ୍ତି । ଦେହ ଓ ମନରେ ବେଦନାର ବିଷ ଚହଟାଉଛନ୍ତି । ସହସ୍ର କ୍ଷତ ଏକାଥରେ ହାକୁହାକୁ ହୋଇ ଜଳିଉଠୁଛି, ସତେ କି ସହସ୍ର ଚୁଲିରେ ବ୍ୟଥାର ଇନ୍ଧନରେ ସ୍ମୃତିର ଅନଳର ସହସ୍ର ଲେଲିହାନ ଶିଖା ଜଳିଉଠୁଛି । ସେ ପୋଡ଼ି ଜଳି ପାଉଁଶ ହେଉ ନାହିଁ । କେବଳ ସନ୍ତୁଳି ହେଉଛି ।

 

ଅଧର ମଣ୍ଡଳ–ଅଧମ ଚଣ୍ଡାଳ ମାଲକାନଗିରି କ୍ୟାମ୍ପ୍‍ ପାଖ ବଡ଼ ରାସ୍ତାର କଡ଼ରେ ଅଣାଆଡ଼ିଆ ହୋଇ ବଡ଼ ଅଚିହ୍ନା ଗଛର ଛାଇତଳେ ବସି ଗଛକୁ ଆଉଜି ଘୁମାଉଛନ୍ତି । ଆଗରେ ଛାଇ; ଜିପ୍‌ ଗାଡ଼ିଟି ରଖାହୋଇଛି । ଟୋକା ଇଞ୍ଜିନିୟର୍ ସାହେବ ତାଙ୍କର କାମ ଶେଷ କଲେ ଡକାଇ ପଠାଇବେ । କିଏ ସେ ଇଞ୍ଜିନିୟର୍, ତାଙ୍କର ଘର କେଉଁଠି ତାଙ୍କର ଜାତି ଗୋତ୍ର ଭାଷା ଓ କାର୍ଯ୍ୟ କ’ଣ, ସେ ବିଷୟରେ ସେ ଭୁଲରେ କେବେ ମୁଣ୍ଡ ଖେଳାନ୍ତି ନାହିଁ । ଯେଉଁ ହାକିମ କି ଅହାକିମ ତାଙ୍କୁ ଏବେ ମିଳିଥିବା ଜିପ୍‌ ଗାଡ଼ିରେ ବସନ୍ତି ଓ ଗାଡ଼ି ସେ ବ୍ୟବହାର କରିପାରିବେ ଏପରି ଆଦେଶ ଦେଖାନ୍ତି, ତାଙ୍କର ଆଦେଶ ସେ ପାଳନ କରନ୍ତି । ଚଳାଅ କହିଲେ ଓ ସ୍ଥାନର ନିର୍ଦ୍ଦେଶ ଦେଲେ ସେ ଗାଡ଼ି ଚଳାନ୍ତି । ରଖ କହିଲେ ସେ ରଖନ୍ତି, ଏତିକି ତାଙ୍କର କର୍ତ୍ତବ୍ୟ ବୋଲି ସେ ମଣନ୍ତି ।

 

ଦଣ୍ଡକାରଣ୍ୟ ଯୋଜନାରେ ଡ୍ରାଇଭର ହୋଇ ଯୋଗଦେବାର ତିନିବର୍ଷ କଟିଗଲା । ଏହି ସମୟକାଳ ମଧ୍ୟରେ କେତେ ଟ୍ରକ୍‌, ଜିପ୍‌, ଷ୍ଟେସନ୍‍ ୱାଗନର ସେ ଚାଳକ ହୋଇଛନ୍ତି । ଗାଡ଼ିର ଯତ୍ନ ନେଇଛନ୍ତି, ଅଚଳ ଗାଡ଼ିକୁ ନିଜ ହାତରେ ସଜାଡ଼ି ଚଳ କରିଛନ୍ତି । ଗାଡ଼ିର ଚଳନରୁ ଓ ଇଞ୍ଜିନ୍‌ର ଶବଦରୁ ସେ ବୁଝିପାରନ୍ତି, ଗାଡ଼ି ଠିକ୍‌ ଅଛି କି କେଉଁଠି କ’ଣ ଯନ୍ତ୍ର ବିଗିଡ଼ିଛି । ବିଗିଡ଼ା ଗାଡ଼ିକୁ ସେ ସଜାଡ଼ି ପାରନ୍ତି, ସେଥିପାଇଁ ଡ୍ରାଇଭର ମହଲରେ ତାଙ୍କର ସୁଖ୍ୟାତି ଅଛି ।

 

ହାକିମମାନଙ୍କର ଏ ଦକ୍ଷତାପାଇଁ ମୋଟେ ଓପ୍ରୋଧ ରହେ ନାହିଁ । ଅଧର ମଣ୍ଡଳର ମଦଖିଆ ଓ ନାଲିଆଖିକୁ ସେମାନଙ୍କର ଡର, ତାଙ୍କ ଗାଡ଼ିରେ ବସିଲେ ସେମାନେ ଆଗ ମା’ ଦୁର୍ଗାଙ୍କର ନାମ ଉଚ୍ଚାରଣ କରନ୍ତି । ଜୀବନ ରହିବ କି ଯିବ, ସେଥିପାଇଁ ମନ ଦୁଡ଼ୁଗୁଡ଼ୁ ହୁଏ । ମଦୁଆ ଡ୍ରାଇଭର, ଗାଡ଼ି ଗଛରେ ପିଟିବ କି ନାଳରେ ପକାଇବ କି ପୋଲ ଡିଆଁଇବ, କିଏ ଜାଣେ-? ଗାଡ଼ି ଚଳାଇଲାବେଳେ ସେ ଗୁମ୍ ହୋଇ ବସନ୍ତି । ଦଶପଦ ପଚାରିଲେ ସେ ପଦେ ଜବାବ୍‌ ଦେଲେ ଦିଅନ୍ତି । ନୋହିଲେ ନାହିଁ । ସେ ଅବାଧ୍ୟ ନୁହନ୍ତି, ସେ ଜିଦିଖୋରିଆ ।

 

ହାକିମମାନଙ୍କର ଧାରଣା କ’ଣ, ସେ ବିଷୟ ଅଧର ମଣ୍ଡଳଙ୍କୁ ଅଜଣା ନାହିଁ । ସେ ଆହୁରି ଜାଣନ୍ତି ଯେ ଦିନରାତି ଖଟିଲେ ମଧ୍ୟ ସେମାନଙ୍କର ଅଧର ମଣ୍ଡଳଙ୍କ ବିରୁଦ୍ଧରେ ଗୋଟିଏ ବଡ଼ ଅଭିଯୋଗ ଯେ ସେ ଠିକ୍‌ ସମୟରେ ଆସି ଘର ଆଗରେ ଗାଡ଼ି ଠିଆ କରାନ୍ତି ନାହିଁ । ଆଠଟାରେ ଆସିବ କହିଲେ ବେଳେବେଳେ ସେ ନଅଟା ଦଶଟାରେ ଆସନ୍ତି, କାମ ଭଣ୍ଡୁର କରନ୍ତି, କୈଫିୟତ ମାଗିଲେ ସେ କୈଫିୟତ ଦିଅନ୍ତି ନାହିଁ । ଚୋର ଚଣ୍ଡାଳ ପରି ଶୋଧିଲେ ସେ ଓଲଟି ପଦେ ଉତ୍ତର ଦିଅନ୍ତି ନାହିଁ । ସବୁ ଶୁଣନ୍ତି, ସବୁ ବାକ୍ୟ ତାଙ୍କର କାନରେ ହଜମ ହୁଏ । ଥରେ କାମ ଉପରେ ଆସି ହାଜର ହେଲେ, ଯାଅ (…) କହିବା ଯାଏଁ, ସେ ଚାଲି ଯାଆନ୍ତି ନାହିଁ ।

 

ହାକିମମାନେ ଜାଣନ୍ତି, ଅଧମ ଚଣ୍ଡାଳ ଡ୍ରାଇଭରଙ୍କର ନିଜର ଆୟତ୍ତ ନଥାଏ । ତାଙ୍କର ପୃଥୁଳ ଦେହ ଓ ଭୀମ ପରି ଦେହର ଶକ୍ତି ଏବଂ ବିଚଳିତ ଚିନ୍ତାଧାରାକୁ ମଦ ନିୟନ୍ତ୍ରଣ କରେ । କେହି କେବେ ତାଙ୍କର ଚାକିରି ଖଣ୍ଡିକ ନେବାକୁ ଆଗ୍ରହ କରନ୍ତି ନାହିଁ, ଯଦିଚ ଚାକିରି ନେବାକୁ କାଲ ଆଗରେ ମୂଳା ଚୋବାଇଲା ପରି ବାରମ୍ବାର ଧମକ ଦିଅନ୍ତି । ସେମାନେ କିନ୍ତୁ ବିବିଧ ପ୍ରକାର ଛଳନା ଦେଖାଇ କୌଶଳ ପ୍ରୟୋଗ କରି ଅଧମ ଚଣ୍ଡାଳଙ୍କୁ ନିଜ ପାଖରୁ ଅନ୍ୟତ୍ର ବଦଳି କରିବାକୁ ଚେଷ୍ଟା କରନ୍ତି । ଶୀଘ୍ର ହେଉ କି ବିଳମ୍ବରେ ହେଉ, ସେମାନେ କୃତକାର୍ଯ୍ୟ ହୁଅନ୍ତି, କାରଣ, ବଦଳି ହେବାକୁ ତାଙ୍କର ଆପତ୍ତି ନଥାଏ ।

 

ଅଧମ ଚଣ୍ଡାଳ ବହୁ ଯାନର ସାରଥି ହୋଇ ସାରିଛନ୍ତି । ସେଥିପାଇଁ ବହୁ ସ୍ଥାନରେ ସେ ରହି ଆସିଛନ୍ତି । କୌଣସି ଯାନ, ସ୍ଥାନ କି ବ୍ୟକ୍ତିବିଶେଷ ପ୍ରତି ତାଙ୍କର ଆସକ୍ତି କି ଅନୁରକ୍ତି ନାହିଁ । ନିଜ ପ୍ରତି ମଧ୍ୟ ନାହିଁ ।

 

ତେବେ, ବଞ୍ଚି ରହିଛନ୍ତି କାହିଁକି, ସେ ସର୍ବହରା ଅଧର ମଣ୍ଡଳ, କେଉଁ ସୁଖର ଆଶାରେ-? ଯେଉଁ ଅଧାପାଗଳି ଝିଅଟିକୁ ସେ ଶତ୍ରୁଦଳର କବଳରୁ ଉଦ୍ଧାର କରିଥିଲେ, ଯାହାର ଅତୀତ ସମ୍ବନ୍ଧରେ ସେ କିଛି ଜାଣନ୍ତି ନାହିଁ, ଜାଣିବାକୁ ସେ କେବେ ଆଗ୍ରହୀ ହୋଇ ନାହାନ୍ତି, ସେହି ନିରିମାଖୀ ଝିଅଟିର ଭବିଷ୍ୟତ୍‌ ତାଙ୍କୁ ଏ ଦୁନିଆରେ ଅଟକାଇ ରଖିଛି ? ହୋଇପାରେ, କିନ୍ତୁ ଅଧର ମଣ୍ଡଳ ନିଜେ ତାଙ୍କର ଏପରି ଅସ୍ପଷ୍ଟ ଧାରଣାକୁ ବିଶ୍ୱାସ କରି ପାରନ୍ତିନାହିଁ । ସେହି ଅପରିଚିତା ନିର୍ଯାତିତା ଝିଅଟି, ଯାହାପାଇଁ ସେ ପାକିସ୍ଥାନ ତ୍ୟାଗ କରି ଛଅବର୍ଷ ତଳେ ଭାରତବର୍ଷକୁ ଚାଳିଆସିଥିଲେ, ତା’ର ଭବିଷ୍ୟତ୍‌ ପାଇଁ ସେ କେବଳ ଅବାନ୍ତର ଚିନ୍ତା କରିଛନ୍ତି, ଆଉ କିଛି କରିପାରି ନାହାନ୍ତି ।

 

କାହିଁକି ତେବେ ସେ ବଞ୍ଚି ରହିଛନ୍ତି, ଅଧର ମଣ୍ଡଳ ?

 

ବଞ୍ଚାଇ ରଖିଛି ସେଇ ଝିଅଟି ଗାୟତ୍ରୀ, ଛଅବର୍ଷ କାଳ ଯେ ତାଙ୍କର ସେବା କରି ଆସିଛି-। ପେଟରେ ଓଦାକନା ଦେଇ ଅବାଧ୍ୟ ବିପଥଗାମୀ ଅଧମ ଚଣ୍ଡାଳଙ୍କର ସବୁ ତୋଡ଼ ସହି, ଯିଏ ମାତା ପରି ଯତ୍ନ ନେଇଛି, ଆକଟ କରିଛି; ଯିଏ ତାକୁ ସ୍ନେହର ଡୋରରେ ଦିନୁଦିନ ପରସ୍ତ ପରସ୍ତ କରି ଗୁଡ଼ାଇ ଧରିଛି । ସେଇ ଝିଅ ଗାୟତ୍ରୀର ଉପସ୍ଥିତି ଅତୀତକୁ ଜୀବନ ଦିଏ, ପୁଣି ଅତୀତର ଛାତିଥରା ସ୍ମୃତିଗୁଡ଼ିକର ତୀବ୍ରତାକୁ ପ୍ରଶମିତ କରେ । ପତ୍ନୀ ଓ ପୁତ୍ରଙ୍କର ତିରୋଧାନର ଜ୍ୱଳନ୍ତ ବେଦନାକୁ ତାହାର ସାନ୍ନିଧ୍ୟ କିଛି କାଳପାଇଁ ନିର୍ବାପିତ କରେ, ଶୀତଳ କରେ ।

 

ପତ୍ନୀ ଅନିମା, କୁଳର ନିଷ୍ଠାପର ବଧୂ । କର୍ମ–କୁଶଳା ସେବାରତା ଗୃହିଣୀ । ସୁଖଦୁଃଖର ବାନ୍ଧବୀ । ଧୈର୍ଯ୍ୟର ଚଳନ୍ତି ପ୍ରତିମା, ସହିଷ୍ଣୁତାର ଅବତାର ! ପ୍ରେମମୟୀ ପ୍ରେୟସୀ ସେ । ରୂପର କମନୀୟତାରେ, ଓଠ ଦି’ ଫାଳରେ ସାମାନ୍ୟ ସ୍ମିତର ସ୍ନିଗ୍ଧତାରେ, ସରଳ ଉଜ୍ଜ୍ୱଳ ଆଖି ଦିଓଟିର ମନକିଣା ସ୍ନେହଶୀଳ ଚାହାଣିରେ, ଧୀର କୋମଳ କଥାରେ ସେ ପରକୁ ଆପଣାର ହୃଦୟ ନିକଟକୁ ଟାଣିନିଅନ୍ତି । ଛାତିରେ ତିନି ବରଷର ଉତାଣି ପିଲାଟିକୁ ଯାକି ଚାଲି ଯାଇଥିଲେ–

 

ଫେରି ଆସିଛନ୍ତି ?

 

ଅଧର ମଣ୍ଡଳ ଆଖି ଖୋଲିଲେ । ଜିପ୍‌–ଗାଡ଼ିର ଗୋଟିଏ ପାଖରେ ଛୋଟ କାଠବାକ୍‌ସ ଭିତରେ ବୋତଲରେ ଯେଉଁ ଦେଶୀ ମହୁଲ ମଦ ଲୁଚାଇ ରଖିଥିଲେ, ସେଥିରୁ ସେ ଅଧେ ପିଇ ସାରିଛନ୍ତି । କାଳେ ଅଧିକ ନିଶା ଲାଗିବ, ସେହି ଡରରେ ବୋତଲଟି ଶେଷକରି ପାରିଲେ ନାହିଁ । ହାକିମଙ୍କର ଫେରିବାକୁ ବିଳମ୍ବ ହେଉଛି । ଆଉ ଦି’ ଢୋକ ପିଇ ଦେବାକୁ ପ୍ରବଳ ଆଗ୍ରହ ହେଉଛି । ଅବଶ ଦେହ ଉଠିବାକୁ ରାଜି ହେଉ ନାହିଁ ।

 

ସେ ଭିଡ଼ିମୋଡ଼ି ହୋଇ ଦେହ ସଳଖିଲେ । ପୃଥୁଳ କଳେବର ସେ ନିଜେ ଜାଣନ୍ତି ନାହିଁ, କାହିଁକି ଧୀରେ ଧୀରେ ତାଙ୍କର ଦେହରେ ଚର୍ବି ଜମିଯାଉଛି, ଦିନୁଦିନ ସେ ମୋଟା ହେଉଛନ୍ତି ।

 

ଅଧର ଆଗରେ ରଖା ହୋଇଥିବା ଜିପ୍‌କୁ ଅନାଇଁଲେ । ଠିକ୍‌ ଅଛି । ପିଲାମାନେ ଆଉ ଦୁଷ୍ଟାମି କରୁ ନାହାନ୍ତି, ଗାଡ଼ି ଭିତରେ ପଶି ହୁର୍‌ଜୁର୍‌ କରୁ ନାହାନ୍ତି, କି ହର୍ଣ୍ଣ ବଜାଉ ନାହାନ୍ତି । ତାଙ୍କର ବିରାଟ ବପୁ ଦେଖି ଓ ଗର୍ଜନ ଶୁଣି ଚିଲ ପରି ଯିଏ ଯୁଆଡ଼େ ପଳାଇଛନ୍ତି । ବାଇଡ଼ଙ୍କମାନେ, ଆଉ ଆସି ଉତ୍ପାତ କରିବାକୁ ସାହସ କରିବେ ନାହିଁ । ଯାଉନ୍ତୁ ସେମାନେ, ଅବେଇଜ ଦୁଷ୍ଟ ପିଲାଗୁଡ଼ିକ । ସେ ଟିକିଏ ନିଶ୍ଚିନ୍ତରେ ଆଖିବୁଜି ଶ୍ରାନ୍ତି ହରଣ କରି ପାରିବେ ।

 

ସେ ଉଠି ଠିଆହେଲେ । ଜିପ୍‌–ଗାଡ଼ି ପାଖକୁ ଯାଇ ତା’ର ବସିଲା ସ୍ଥାନରୁ ନରମା ରବର–ସିଟ୍‌ଟି ଉଠାଇ ଆଣିଲେ । ଗଛତଳୁ ଦୂରେଇ ଯାଇ ଘାସ ଉପରେ ଦେହଟିକୁ ଲମ୍ବାଇ ମୁଣ୍ଡତଳେ ସିଟ୍‌ଟି ରଖି ଆଖି ବୁଜିଲେ । ଆଖିପତା ତଳ ପାତଳିଆ ଅନ୍ଧାର ଭିତରେ ଦେଖିଲେ, ସେହି ରୂପଟି–ନାରୀଟିଏ ମୋଟୁରାସ୍ତା କଡ଼ରେ ଠିଆ ହୋଇଛନ୍ତି, ଆଖିରେ ଛଳଛଳ ଲୋତକ । ପାଖରେ ତାଙ୍କର ଝିଅ, ଉଦ୍ଦଣ୍ଡୀ ଅସାବଧାନ ଝିଅ !

 

ସଇଁତିରିଶ

 

ଅନିମା ଫେରିବେ ନାହିଁ, ଅମିତାଭ ଫେରିବ ନାହିଁ କି ପ୍ରାଣରୁ ବଳି ଅଧର ମଣ୍ଡଳ ଭଲ ପାଉଥିଲେ ଯେଉଁ ସାନଭାଇ ଅମିୟକୁ, ସେ ମଧ୍ୟ ଫେରିବ ନାହିଁ । ଆକ୍ରମଣକାରୀମାନଙ୍କୁ ବାଧାଦେବାକୁ ଯେଉଁମାନେ ଜୀବନରେ ପାଣିଛଡ଼ାଇ ଯିଏ ଯାହା ପାଖରେ ପାଇଲା ହାତରେ ଧରି ଧାଇଁ ଯାଇଥିଲେ, ଅମିୟ ସେମାନଙ୍କ ସଙ୍ଗରେ ଥିଲା । ସମସ୍ତଙ୍କ ସଙ୍ଗେ ସେ ମଧ୍ୟ ଦେହର ରକତ ଢାଳି ଟଳି ପଡ଼ିଥିଲା । ସେ ଆଉ କେବେ ସ୍ୱଦେହରେ ସେପୁରରୁ ଫେରିବ ନାହିଁ । ଆଖି ବୁଜିଲେ ସେ ଆଗକୁ ଆସେ । ନଇଁପଡ଼ି ଅଧର ମଣ୍ଡଳଙ୍କର ପାଦ ଛୁଇଁ ପ୍ରଣାମ କରେ । ଅଧର ତା’ର ସ୍ମୃତି–ପ୍ରତିମାକୁ କୋଳାଗ୍ରତ କରନ୍ତି, ବଞ୍ଚିଥିବାଯାଏ କରୁଥିବେ ।

 

ଆଉ ତାଙ୍କର ଶିଶୁ ପୁତ୍ରଟି ! ଗୁଲୁଗୁଲୁ କରି ଖନେଇଁ ଖନେଇଁ କଥା କହୁଥିଲା । କାଖ ହେବାପାଇଁ ମା’ ଛାତିରୁ କ୍ଷୀରଶୋଷା ଛାଡ଼ି କୋଳ ହେବାକୁ ଉହୁଁକି ପଡ଼ୁଥିଲା । ହେଇଟି, ଅନିମାଙ୍କ ବାଙ୍କିଲା ହାତ ଉପରେ ଶୋଇ ଗୋଟିଏ ସ୍ତନର ନାସିକୁ ନାଲି ଟକୁଟକୁ କଅଁଳିଆ ଓଠରେ ଚୁଚୁମି ଚୁଚୁମି କ୍ଷୀର ଖାଉଛି । ବେଳେବେଳେ ମୁହଁ କାଢ଼ି ମୁଣ୍ଡ ବଙ୍କେଇ ଅନାଉଛି, ବାପର ହସିଲା ମୁହଁକୁ-। ହାତ ବଢ଼ାଇ ଆ–ଆ ଡାକିଲେ ନାଇଁ ନାଇଁ କହି ମୁଣ୍ଡ ହଲାଇ ମୁହଁ ଲୁଚାଉଛି । ଦୁଇ ସ୍ତନ ମଝିରେ ଆଙ୍ଗୁଠିରେ ଅଞ୍ଚଳ ଧରି ଲଜ୍ଜାବତୀ ଅନିମା ଛାତି ଉପରକୁ ଟାଣି ଆଣୁଛନ୍ତି । ମୁହଁରେ ସରମମିଶା ତୃପ୍ତିର ଆନନ୍ଦର ଆଭା ପରିସ୍ଫୁଟ ।

 

କିଏ ସେ ରମଣୀ, ଯାହାଙ୍କୁ ସାବଧାନ କରିବାକୁ ଦୁଇ ଘଣ୍ଟା ଆଗେ ସେ ମୁହିଁ କାଢ଼ି କଥା କହିଥିଲେ ? କେବଳ ମୁହଁରେ ନୁହେଁ, ସାରା ଦେହରେ, ଢଙ୍ଗରେ, ବଚନରେ ଯାହାଙ୍କର ଅନିମାଙ୍କର ସାମଞ୍ଜସ୍ୟ ସେ ଉପଲବ୍ଧି କରିଥିଲେ ? କାହାର ସେ ଘରଣୀ, ସେହି କନ୍ୟାର ଜନନୀ-?

 

ମନ ଓଟାରି ହୋଇଯିବ ଆଜି ନୂଆ ନୁହେଁ । ଛାତିତଳେ ଛପିଲା ପ୍ରତିମାର ସାମଞ୍ଜସ୍ୟ କେତେ ସ୍ଥାନରେ ଦେଖିଛନ୍ତି ସେ ଦୂରରୁ, ପାଖରୁ । ଭଦ୍ରତାର ପାଚିରି ଡେଇଁ ସେ ଆଗକୁ ଆଗକୁ ଆତ୍ମ–ବିସ୍ମୃତ ହୋଇ ନାରୀଦଳ ମଝିକୁ ତଡ଼ି ହୋଇ ଆସିଛନ୍ତି । ଦରବୁଢ଼ା ଅର୍ଘାତିଆ, କୁମ୍ଭକର୍ଣ୍ଣ ପରି ବପୁ ଘେନି ନିର୍ଲଜ୍ଜ ଭାବରେ ସେ ଚାହିଁଛନ୍ତି ନାରୀପ୍ରତିମାକୁ ହତାଶ ହୋଇ ମୁଣ୍ଡ ନୋଇଁଛନ୍ତି । ମନଦୁଃଖରେ ସେ ବାଟ କଡ଼କୁ ଆସି ଜଣେଇଁ ଚାହିଁଛନ୍ତି ।

 

ସେମାନେ ହସି ଉଠିଛନ୍ତି । ମନ୍ତବ୍ୟ ପ୍ରକାଶ କରିଛନ୍ତି, ପାଗଳଟିଏ କି ମଦୁଆଟାଏ ମ-?

 

କାହାସଙ୍ଗେ କେଉଁଠି କ’ଣ ମିଶିଯାଏ । ନାକ, କାନ, ଆଖି, ମୁହଁ । କେଉଁଠି ମିଶିଯାଏ ପୁଣି ଢଙ୍ଗରୁ ଟିକିଏ, ଚାଲିଚଳନରୁ କାଣିଚାଏ, କହିଲା କଥାର ସ୍ୱର । ଅଧର ଚିହିଁକି ଉଠନ୍ତି । ନାଲି ନାଲି ଆଖିରେ ଡବଡ଼ବ କରି ଚାହାନ୍ତି । ନିଭିଲା ଆଶା ମିଞ୍ଜି ମିଞ୍ଜି ହୋଇ ଜଳିଉଠେ । ନିର୍ମମ ନିରାଶାର ପ୍ରଖର ନିଃଶ୍ୱାସରେ ନିର୍ବାପିତ ହୁଏ ଆଶାର ଅତି କ୍ଷୀଣ ଆଲୁଅର ଶିଖା ।

 

କାହିଁକି ତାଙ୍କର ନିର୍ଲଜ୍ଜ ଆଶା ଜଳିଉଠେ ?

 

ସେ ଜାଣନ୍ତି, ନ ଜାଣିଲେ ମଧ୍ୟ ସବୁ ଭୟାବହ କାଣ୍ଡର ପରିଣତି କଥା ଅନେକଙ୍କ ମୁହଁରୁ ଶୁଣି, ନିଜେ ଅନ୍ୟମାନଙ୍କର ଦୁରବସ୍ଥା ପାକିସ୍ଥାନର ପୂର୍ବ–ବଙ୍ଗରେ ଆଖିରେ ଦେଖି, ଜାଣିଲା ପରି ଅନୁଭବ କରନ୍ତି ଯେ, ଅନିମା ଅଙ୍ଗରେ ଭରପୂର ଯୌବନ ଓ ରୂପ ଧରି ସୀମା ପାରି ହୋଇ ଭାରତବର୍ଷକୁ ଆସି ପାରି ନଥିବେ । ଅଧବାଟରେ ରାତି ପାହିଥିବ । ସେ ନୃଶଂସ ଗୁଣ୍ଡାମାନଙ୍କର ହାବୁଡ଼ରେ ପଡ଼ିଥିବେ । ତା’ପରେ ଯାହା ଘଟିଥିବ, ଯାହା ସତ୍ୟ, ସପନରେ ସୁଦ୍ଧା କଳ୍ପନା କରି ହେବ ନାହିଁ ।

 

ଏ ଦୁନିଆର ମଣିଷ ଜାତି ଏଇଆ ସତେ !

 

କେବେ ରକ୍ତର ବଡ଼େଇରେ, କେବେ ଦେହର ରଙ୍ଗର ବିଭିନ୍ନତା ପାଇଁ, ନାକ ଧାର କି ଚେପ୍‌ଟା, ଦେହ ଲମ୍ବା କି ବାମନିଆଁ, ତୁଣ୍ଡର ଭାଷାର ଅସାମଞ୍ଜସ୍ୟ, ଧର୍ମ–ବିଶ୍ୱାସରେ ପ୍ରଭେଦ ଧାରଣା, କେଉଁ ଶାସକର କରାୟତ୍ତ କେଉଁ ଭୂଖଣ୍ଡ ଯାହାକୁ କହନ୍ତି ଦେଶ, ତା’ର ଆତ୍ମବୋଧର ଆଖି, ସଭ୍ୟତାର ସ୍ତରପାଇଁ କେଉଁଦଳର ଉଚ୍ଚ ଓ ଉନ୍ନତ ସଭ୍ୟତା ଧାରଣା, ଏବଂ ବୀରପଣିଆର ଅହମିକା ସକାଶେ, ବିଜିତ କରି, ଲୁଣ୍ଠନ କରି, ଗୋଟିଏ ଦେଶର ଧନରତ୍ନ ନିଜ ଦେଶକୁ ବୋହିନେବା ମାନସରେ, କେଉଁ ରୂପସୀକୁ ଲାଭକରିବାର ଆଶାରେ, ଗୋଟିଏ ଦଳ ମଣିଷ ଆଉଦଳେ ମଣିଷଙ୍କ ସଙ୍ଗେ କନ୍ଦଳ ଭିଆନ୍ତି । ଥରେ ସେ କନ୍ଦଳ ଲାଗିଲେ, ଚାଲେ ତଣ୍ଟିକଟାକଟି । ରକ୍ତର ପ୍ରବାହ ଛୁଟେ । ଗ୍ରାମନଗର ଧ୍ୱଂସହୁଏ, ଉତ୍ତେଜନାର ନିଶା ନ ଛାଡ଼ିବା ଯାଏଁ ସମସ୍ତେ ହୁଅନ୍ତି ପାଗଳ ।

 

ଦିନେ ସେ ନିଶା ଛାଡ଼େ; କିନ୍ତୁ ଛୁଟିଲା କାଣ୍ଡର ଗତି ନଥିଲେବି, ତା’ର କର୍ମ ଆଉ ଫେରାଇ ହୁଏ ନାହିଁ । ଯେଉଁମାନେ ଧ୍ୱଂସ ହୋଇଥାନ୍ତି, ବିଲୟ ହୋଇଥାନ୍ତି, ସେମାନେ ପୁଣି ଉଠନ୍ତି ନାହିଁ । ଯେଉଁମାନେ ବଞ୍ଚି ରହିଥାନ୍ତି, ସେମାନଙ୍କ ମନରେ ଧ୍ୱଂସ–ଲୀଳାର ବିଭୀଷିକା, ଅନ୍ୟାୟର କୁକର୍ମ ସ୍ମୃତି ହୋଇ ରହେ । ପ୍ରତିହିଂସାର ବୀଜ ବୁଣେ । ସୁଯୋଗ ପାଇଲେ ସେ ବୀଜ ଅଙ୍କୁର ହୁଏ, ବିଷବୃକ୍ଷ ହୋଇ ମୁଣ୍ଡଟେକେ । ସହସ୍ର ଶାଖାହୋଇ ବିସ୍ମୃତି ଲାଭକରେ । ବିଷ–ଶ୍ୱାସ ଛୁଟାଏ । ସେ ହୁଏ ପ୍ରଳୟଙ୍କରୀ ତୋଫାନ ।

 

ପ୍ରତିଶୋଧ ନେବାକୁ ସେ ତୋଫାନ ଉନ୍ମାଦ ହୋଇ ଛୁଟେ— ।

 

ସୁଯୋଗ ନ ପାଇଲେ ମନର ପ୍ରତିହିଂସା ମନରେ ମରେ । ସ୍ମୃତି ଲୁଚେ ବିସ୍ମୃତିର ଗର୍ଭରେ । ବିଜିତ ଓ ବିଜେତାଙ୍କୁ ସମୟ ଫେଣ୍ଟିଦିଏ । ଏକ କରେ । ସମୂହ–ସ୍ୱାର୍ଥର ବନ୍ଧନରେ ବାନ୍ଧେ । ସେମାନେ ହୁଅନ୍ତି ଗୋଟିଏ ଗୋଷ୍ଠୀ । ଅତୀତ ହୁଏ ଇତିହାସ, ଗଳ୍ପ–ଉପନ୍ୟାସ, କିମ୍ବଦନ୍ତୀ । ଶୁଣିବାକୁ ଓ ଜାଣିବାକୁ ସେସବୁ ବେଶ୍‌ ଆମୋଦପ୍ରମୋଦ ହୁଏ । ଭାବପ୍ରବଣତାରେ ରକ୍ତ ତାତେ । ଆଖିରେ ଲୁହ ଜକାଏ, ଛାତିର ସ୍ପନ୍ଦନ ଦ୍ରୁତତର ହୁଏ, ହାତ ହୁଏ ମୁଠାମୁଠା ।

 

କିନ୍ତୁ, କାହାନ୍ତି ସେମାନେ—ସୁଦୂର ଅତୀତରେ ଭାରତ ଉପମହାଦେଶକୁ ଆସିଥିଲେ ଯେଉଁ ଅଜଣା ଦୂର ଦେଶରୁ ସେକାଳର ବିଜେତା ଦ୍ରାବିଡ଼, ଆର୍ଯ୍ୟ, ଶକ, ହୁନ, ମଙ୍ଗୋଲ, ପାରସି, ପଠାଣ, ମୋଗଲ, ପର୍ତ୍ତୁଗୀଜ୍, ଓଲନ୍ଦାଜ ଓ ଇଂରେଜମାନେ ? ଯେଉଁମାନେ ଫେରିଗଲେ ସେମାନଙ୍କ କଥା ଅଲଗା । ଯେଉଁମାନେ ରହିଗଲେ, ସେମାନେ ମିଶି ଏକାକାର ହୋଇଛନ୍ତି । ହେଉଛନ୍ତି ।

 

ଏ ଭାରତ–ଭୂଇଁ ଅତୀତର ବିଜେତା ଓ ବିଜିତଙ୍କର ମାତୃଭୂମି ହେଲା । ସମସ୍ତେ ହେଲେ ଗୋଟିଏ ବିରାଟ ଗର୍ବିତ ଜାତିର ଦାୟାଦ ।

 

କିଏ କେବେ କେଉଁଥିପାଇଁ କାହାକୁ ବିଜୟ କରିଥିଲା, କେତେ ନରହତ୍ୟା, ଗ୍ରାମନଗର ଧ୍ୱଂସ ଓ ଧର୍ମ ପରିବର୍ତ୍ତନ କରାଇପାରିଥିଲା, କେହି ଆଜି ସେ ସବୁକୁ ମନେ ପକାଇବାକୁ ଚାହାନ୍ତି ନାହିଁ । ମନେ ପଡ଼ିଲେବି ଏ ଯୁଗର ଦାୟାଦମାନଙ୍କୁ ଘୃଣା ଓ ଆକ୍ରୋଶର ଭାବନେଇ ଚାହାନ୍ତି ନାହିଁ-। ଇତିହାସରେ ଯାହା କେବେ ସମ୍ଭବି ନଥିଲା, ତାହା ଏବେ ସମ୍ଭବ ହୋଇଛି । ସାରା ଭାରତ ହୋଇପାରିଛି ଗୋଟିଏ ରାଷ୍ଟ୍ର, ଅତି ଗର୍ବିତ ରାଷ୍ଟ୍ର, ଯେଉଁଠି ସବୁଶ୍ରେଣୀ ସବୁଧର୍ମର ସମନ୍ୱୟ ସମ୍ଭବ ହୋଇଛି ।

 

ବ୍ରିଟିଶ ଜାତିର କୂଟ–ନୀତି କଟୁରିରେ ଅଖଣ୍ଡ ଭାରତମାତାର ବିଂଶ ଭୁଜରୁ କଟି ଯେଉଁ ଦିଓଟି ଭୁଜ ଦୁଇ ଆଡ଼େ ହଜାର ମାଇଲ ବ୍ୟବଧାନରେ ରକ୍ତାକ୍ତ ହୋଇ ପଡ଼ି ଛଟପଟ ହେଲା, ସେହି ଦିଓଟି ଖଣ୍ଡିତ ଭୁଜକୁ କେବଳ ଗୋଟାଏ ଧର୍ମର ଧାରଣାରେ ଯୋଡ଼ି ଗଢ଼ାହେଲା ଗୋଟାଏ ଅବାସ୍ତବ ଦେଶ । ସେ ଦେଶର ଦୁଇ ଅଂଶରେ କେଉଁ ବିଷୟରେ ବା ସମତା ଅଛି ? ଧର୍ମ ବିଶ୍ୱାସକୁ ମୂଳ କରି ଯଦି ଦେଶ ଓ ଜାତିର ଅବାସ୍ତବ ଏକତ୍ୱ କରାଯାଇପାରନ୍ତା, ତେବେ ଆଫ୍‌ଗାନିସ୍ଥାନ, ଆରବ, ପାରସ୍ୟ, ଇଣ୍ଡୋନେସିଆ ମିଶି ଗୋଟିଏ ଦେଶ ଓ ଗୋଟିଏ ଜାତି ହୋଇପାରନ୍ତା । ସାରା ଇଉରୋପ ଓ ଆମେରିକା–ଅଷ୍ଟ୍ରେଲିଆ ମିଶି ମଧ୍ୟ ଗୋଟିଏ ଜାତି ହୋଇପାରନ୍ତା !

 

ଯାହା ଅବାସ୍ତବ, ବ୍ରିଟିଶ କୂଟନୀତି ତାକୁ ପରୋକ୍ଷରେ ବାସ୍ତବ କରାଇଛି, ସୃଷ୍ଟି କରିଛି ଇସ୍‌ଲାମ–ରାଜ୍ୟ ପାକିସ୍ଥାନ । ସ୍ୱାଧୀନତାର ସ୍ୱର୍ଣ୍ଣମୁକୁଟ ନ୍ୟସ୍ତସ୍ୱାର୍ଥମାନଙ୍କ ହାତରେ ପଡ଼ିଛି । ସେମାନେ ଜନତାକୁ ମୂକ କରି ଧର୍ମ–ନାମର ଭାବପ୍ରବଣତାର ତୋଫାନ ଛୁଟାଇ ଅବାସ୍ତବକୁ ବାସ୍ତବ କରିବାକୁ ଚେଷ୍ଟା କରୁଛନ୍ତି । ଧର୍ମଭାବପ୍ରବଣତାକୁ ପୂର୍ବବଙ୍ଗରେ ଉସ୍କେଇ, ଫୁଙ୍କିଫୁଙ୍କି ଜାଳି ପ୍ରଳୟବହ୍ନି ଜଳାଇଛନ୍ତି ।

 

ପ୍ରବଳ ହୋଇଛନ୍ତି ଗୁଣ୍ଡାଦଳ । ସତ୍‌–ଶାସନ ଲୋପ ହୋଇଛି । ହିନ୍ଦୁମାରଣ, ହିନ୍ଦୁତାଡ଼ନା, ଶିଶୁହତ୍ୟା, ନାରୀଧର୍ଷଣ, ଲୁଟତରାଜ ହୋଇଛି ସେହି ଗୁଣ୍ଡାଦଳଙ୍କର କର୍ମ । ହିନ୍ଦୁମାନେ ଭୀତ ହୋଇ ପଳାଇଗଲେ, ସେମାନଙ୍କର ଭୂମି–ସମ୍ପତ୍ତି ହସ୍ତଗତ ହୋଇ ପାରିବ । ଚାଲୁ ଅତ୍ୟାଚାର, ! ସରକାର ସବୁ ଜାଣି ନ ଜାଣିଲା ପରି କେବଳ ନୀରବ ନୁହନ୍ତି, ଆଖିର ଇସାରା ଦେଉଛନ୍ତି, ଟିହାଉଛନ୍ତି ।

 

ଅଧର ମଣ୍ଡଳ କଡ଼ମୋଡ଼ି ଓଲଟି ଶୋଇଲେ । ଆଖି ଖୋଲି ପୁଣି ଆଖି ବୁଜିଲେ । ଅନ୍ଧାର ଭିତରେ ପୁଣି ଆସି ଉଭାହେଲେ ସେହି ବିଷାଦବଦନୀ ଅବଗୁଣ୍ଠନବତୀ ନାରୀ । ଦିଶି ଯାଉଛନ୍ତି ଅନିମାଙ୍କ ପରି । ଦେହରେ ମାଂସ ଲାଗିଛି । ବୟସ ପଛେଇ ଯାଉଛି ପରା । ଯେଉଁଦିନ ସେ ନବ–ବଧୂ ହୋଇ ଦରିଦ୍ରର ସଂସାରରୁ ଆସି ତାଙ୍କ ଘରେ ପାଦ ଦେଇଥିଲେ, ସେ ଦିଶୁଥିଲେ ଅବିକଳ ଏହିପରି ।

 

ସେ କୋଳକୁ ଆଣିଥିଲେ ପୁତ୍ରଟିଏ–ଅମିତାଭ । କିନ୍ତୁ, ଏହି ରମଣୀର ପାଖରେ ଠିଆହୋଇଥିଲା ଯେଉଁ ସ୍ୱାସ୍ଥ୍ୟବତୀ ଛନଛନିଆ କୁଲୁକୁଲିଆ ସୁନ୍ଦର ଝିଅଟି, ସେ ତ ତାଙ୍କର ତନୟା-! କ୍ୟାମ୍ପ୍‍ ଭିତରକୁ ଗାଡ଼ି ନେଇ ଆସିଲାବେଳେ ପୁଣି ସେହି ନାରୀ ଓ ତା’ର କନ୍ୟାକୁ ସେ କଣେଇଁ ଚାହିଁଥିଲେ । ସେହି ରୂପ ତ !

 

ତେବେ କ’ଣ ପାକିସ୍ଥାନରୁ ପଳାଇ ଆସିଲା ପରେ ଅନିମା ଅନ୍ୟ କାହାର ଘରଣୀ ହୋଇଛନ୍ତି, ପୁଣି ହୋଇଛନ୍ତି ଜନନୀ, କନ୍ୟାର ମାତା ? ଖଣ୍ଡପ୍ରଳୟରେ ସବୁ ସମ୍ଭବ ହୋଇପାରେ-। ବଞ୍ଚି ରହିବାର ଅଦମ୍ୟ ଆଗ୍ରହପାଇଁ ମଣିଷ ନୀତି ଓ ଅନୀତିର ପ୍ରଭେଦ ଭୁଲେ । ପାପ ପୁଣ୍ୟର ଧାରଣାକୁ ମନରୁ ନିର୍ବାସିତ କରେ । ବଞ୍ଚିପାରିଲେ ସେ ଖୋଜେ ସୁଖ ଓ ଆନନ୍ଦ, ଆଗ କାମନା ଜର୍ଜର ଦେହରେ, ସେଇଠୁ ମନର ।

 

କେତେ ଘଟଣା ଏପରି ଘଟିଥିବାର ସମ୍ବାଦ ତାଙ୍କ କାନରେ ପଡ଼ିଛି । ବିଚିତ୍ର ଜୀବଟିଏ ଏଇ ମଣିଷ, ନିଜକୁ ପାଗଳ ନ କରି ଏ ଦୁନିଆରେ ଆତଯାତ ହେଲେ ପ୍ରଲୋଭନର ବୁଢ଼ିଆଣୀ ଜାଲରେ ଅଜାଣତରେ କୀଟପତଙ୍ଗ ପରି ପଡ଼ି ବାନ୍ଧି ହୋଇଯିବା ଅତି ସ୍ୱାଭାବିକ ।

 

ସେଇ ତେବେ ତାଙ୍କର ଅନିମା

 

ହୋଇପାରନ୍ତି ଅବା ନ ହୋଇପାରନ୍ତି । ଆତତାୟୀମାନଙ୍କ କବଳରୁ ଉଦ୍ଧାର ପାଇ ସେ ପଳାଇ ଆସି ପାରିଥିଲେ ତେବେ ? ହୋଇପାରେ । ସମସ୍ତେ ନିହତ ହୋଇ ନଥିଲେ । ସବୁ ଯୁବତୀଙ୍କୁ ସେମାନେ ଅପହରଣ କରି ନେଇ ନଥିଲେ । ଯେଉଁମାନଙ୍କୁ ନେଇ ପଳାଇଥିଲେ ସେମାନଙ୍କ ମଧ୍ୟରୁ ପରେ ଅନେକଙ୍କୁ ଉଦ୍ଧାର କରାଯାଇଥିଲା । ଅନେକ ପୁଣି ନିଜ ଉପାୟରେ ଅନ୍ୟର ଘରୁ ପଳାଇ ଆସି ପାରିଥିଲେ । ପରେ, ନିଜେ ସେ କେତେଜଣଙ୍କୁ ଗୁଣ୍ଡାଙ୍କ କବଳରୁ ଉଦ୍ଧାର କରିବାରେ ସାହାଯ୍ୟ କରିଥିଲେ । କେତେକଙ୍କୁ ପୁଣି ସୀମା ପାରି କରାଇଥିଲେ । କ’ଣ ହୋଇଥିବ ଅନିମାଙ୍କର କିଏ କହିପାରିବ ?

 

ଅଠତିରିଶ

 

ରାତି ପାହିଥିଲା ସତେ କି ଗୋଟିଏ ଯୁଗ ପରେ, ସେହି ଅରଣ୍ୟର ମୁରମ ଖାଲ ଭିତରେ । ଆଖି ଖୋଲିଲେ ଅଧର ମଣ୍ଡଳ । କେତେବେଳୁ ସୂର୍ଯ୍ୟ ଉଠିଲେଣି । ସୂର୍ଯ୍ୟରଶ୍ମି ପତ୍ର ଗହଳିର ଫାଙ୍କମାନଙ୍କରେ ଗଳିଗଳି ଆସି ଖାଦାନ ଭିତରେ ପଡ଼ୁଛି । ସେ ବଲବଲ କରି ଚାରିଆଡ଼କୁ ଚାହିଁଲେ । ଦୂରରୁ ପାଖରୁ ନାନାଜାତି ପକ୍ଷୀଙ୍କର କାକଳି ଶୁଭୁଛି । ସେତିକି, ଆଉ କିଛି କାନରେ ପଡ଼ୁନାହିଁ । ମଣିଷର କଣ୍ଠସ୍ୱର କି ବନ୍ଧୁକର ଆବାଜ୍‌ ଶୁଭୁନାହିଁ । ଗୁଣ୍ଡାମାନେ ପଳାତକମାନଙ୍କର ଧନ ଓ ଜୀବନ ନେଇ ବୋଧହୁଏ ଚାଲି ଯାଇଛନ୍ତି । କେତେ ନାରୀଙ୍କୁ ମଧ୍ୟ ଅପହରଣ କରି ନେଇଥିବେ, କିଏ କହିବ ?

ସେ ବଞ୍ଚି ରହିଛନ୍ତି ।

କାହିଁକି ସେ ବଞ୍ଚି ରହିଲେ ? ସାନଭାଇ ଅମିୟ ପରି ପାକିସ୍ଥାନୀ ଗୁଣ୍ଡାଙ୍କର ସମ୍ମୁଖୀନ ହୋଇ ଅନ୍ତତଃ ଜଣକର ଜୀବନ ନେଇ ନିଜେ ଟଳି ପଡ଼ିଥିଲେ ଭଲ ହୋଇଥାନ୍ତା । ପ୍ରତିଶୋଧ ନେଇ ପାରିଛନ୍ତି, ଏହି ସାନ୍ତ୍ୱନା ଓ ଆନନ୍ଦ ନେଇ ସେ ସେପୁରକୁ ଚାଲିଯାଇଥାନ୍ତେ । ସତ, ସେ ନିରସ୍ତ୍ର ଥିଲେ, କିନ୍ତୁ ହାତପାଖରେ ଯାହା ପାଇଥାନ୍ତେ, ସେଇଆକୁ ଧରି ଆଗେଇ ଯାଇଥାନ୍ତେ । ପ୍ରତିଶୋଧ ନେବାର ଉଦ୍ୟମ ଓ ଉନ୍ମାଦନାରେ ପ୍ରାଣ ଦେଇଥାନ୍ତେ ।

ଯେଉଁମାନଙ୍କୁ ବଞ୍ଚାଇବାକୁ ସେ କାପୁରୁଷ ପରି ପଳାଇ ଆସିଲେ, ସେମାନଙ୍କୁ ସେ ବଞ୍ଚାଇ ପାରିଲେ ନାହିଁ । ଯଦି ସେମାନେ ପ୍ରାଣଘେନି ପଳାଇ ଯାଇଥିବେ, ତାହା ତାଙ୍କର ସୌଭାଗ୍ୟର କଲ୍ୟାଣ, ଅଧର ମଣ୍ଡଳଙ୍କର ବୀରପଣ ଓ ଦକ୍ଷତାର ଫଳ ନୁହେଁ ।

 

ଅଧର ମଣ୍ଡଳ ହାତଭରା ଦେଇ ମୁରମ୍‌ ଖାତରୁ ଉଠିଲେ, ମୁଣ୍ଡର କ୍ଷତରୁ କି ବାମଗୋଡ଼ ଭଣ୍ଡାରୁ ଆଉ ରକ୍ତ ଝରୁ ନାହିଁ । ବାମ ଗୋଡ଼ର ପାଦ ତଳେ ଲଗାଇଲେ ବେଦନା ହେଉଛି । ସେ ହାତଭରା ଦେଇ କିଛି ଦୂର ଆସିଲେ । ଖାଦାନ୍‌ ଭିତରୁ ଉପରକୁ ଉଠି ଆସିବାକୁ ଗୋଟିଏ କଡ଼ରେ ଖୋଳାଳିମାନେ ପାହାଚ କରିଛନ୍ତି । ପ୍ରତି ପାହାଚର ଉଚ୍ଚତା ମୁଠୁଣୁଏଁ ହେବ । ଗୋଟିଏ ଗୋଡ଼ ଓ ଦୁଇହାତର ସାହାଯ୍ୟରେ ସେ ପାହାଚପରେ ପାହାଚ ଉଠିଲେ । ଗୋଟିଏ ପାହାଚ ଉଠି ଆର ପାହାଚକୁ ଅନାଇଁଲେ ପର୍ବତ ପରି ମନେହୁଏ । ଆଶା ଓ ଉତ୍ସାହ ମଉଳି ଯାଆନ୍ତି । ଯନ୍ତ୍ରଣାରେ ଛଟପଟ ଦେହ । ମନ ବିଶ୍ୱାସ ଗଢ଼ା ଭଗବାନଙ୍କୁ ଡାକେ, ମାଗୁଣ କରେ, କଳବଲ ପ୍ରାଣକୁ ତୁମେ ନେଇଯାଅ, ଆଉ ମୋର ଲୋଡ଼ାନାହିଁ । କାହିଁକି ଛଟପଟ କରି ବଞ୍ଚାଇ ରଖିଛ ?

 

ଘଣ୍ଟାଏ ପରିଶ୍ରମ କରି ଅଧର ମଣ୍ଡଳ ଖାଦାନର ଉପରକୁ ଉଠିଲେ । ମନେ ହେଲା, ଯେପରି ସେ କେତେ ଯୁଗ ପାତାଳ ପୁରରେ କଟାଇ ପ୍ରିୟ ମର୍ତ୍ତ୍ୟପୁରକୁ ଉଠି ଆସିଛନ୍ତି । ଚାରିଆଡ଼େ ଯାହା ଦେଖୁଛନ୍ତି ସବୁ ତାଙ୍କର ଜଣାଶୁଣା, ଆପଣାର । ବୃକ୍ଷଲତା, ଧରିତ୍ରୀ, ଆଲୋକ ଓ ବହୁଥିବା ଧୀର ପବନ । ସେ ପାଖ ବୃକ୍ଷର ଛାଇ ତଳକୁ ଘୋଷାରି ହୋଇଗଲେ । ଗଛତଳେ ଶୁଖିଲା ପତ୍ର ବିଛା ହୋଇଛି । ତାହାରି ଉପରେ ବସିଲେ । ଗୋଡ଼ ଲମ୍ବାଇ କଣେଇଁ ଶୋଇଲେ ।

 

ବଳିଷ୍ଠ ଦେହରେ କ୍ଳାନ୍ତି ଚହଟି ଥିଲା । ସାରା ଶରୀର ଘର୍ମାକ୍ତ ହୋଇଥିଲା । ଭାବିଲେ, ଏଥର ଯାହା ହେବାର ହେଉ । ସେମାନେ ଯଦି ଜଙ୍ଗଲ ଭିତରେ କାହିଁ ଲୁଚିଛପି ରହିଥିବେ, ଏବେ ବାହାରି ଆସିବେ, ଆହତ ଲୋକମାନଙ୍କର ଜୀବନ ନେବେ ।

 

ତାହାହିଁ ଭଲ, ଏ ଛଟପଟ ଜୀବନରେ ଆଉ କି ପ୍ରୟୋଜନ ? ଯାହାର ଘରଦ୍ୱାର ଧ୍ୱଂସ ହୋଇଛି, ଧନ ସମ୍ପତ୍ତି ଲୁଟ ହୋଇଛି, ଭୂମିବାଡ଼ି ଅନ୍ୟମାନେ ମାଡ଼ି ବସିଛନ୍ତି, ଯାହାର ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ, ପଡ଼ୋଶୀମାନେ ମରଣ–ମୁହଁରେ ପଡ଼ିଛନ୍ତି, ତାହାର ବଞ୍ଚି ରହିବା କି ପ୍ରୟୋଜନ ? ଦେଶ–ମାତୃକା ଯାହାର ଦେଶ ହୋଇ ରହିଲା ନାହିଁ, ପୂର୍ବପୁରୁଷଙ୍କର ଅଶରୀରୀ ଆତ୍ମା, ଯେଉଁମାନେ ଏହି ଦେଶର ପାଣିପବନରେ, ଭୂମି ଓ ଆକାଶରେ ଓତପ୍ରୋତଭାବେ ମିଶି ଏକାକାର ହୋଇଛନ୍ତି, ଉତ୍ତର–ପୁରୁଷମାନଙ୍କର ମଙ୍ଗଳ କାମନା କରୁଥିଲେ ଯେଉଁମାନେ, ସେମାନଙ୍କୁ ଛାଡ଼ି ଯିଏ ଅନ୍ୟ ଦେଶକୁ ଯିବାକୁ ବାଧ୍ୟ ହେଉଛି ତା’ର ବଞ୍ଚି ରହିବା ଆବଶ୍ୟକ ନାହିଁ । ମରଣହିଁ ତା’ର କାମ୍ୟ !

 

ସୂର୍ଯ୍ୟ–କିରଣ ବେଳୁବେଳ ପ୍ରଖର ହେଉଛି । ଝାଲିଝାଲିଆ ପତ୍ର ସନ୍ଧିରେ ଆସି ଅଧର ମଣ୍ଡଳଙ୍କର ଦେହରେ ପଡ଼ୁଛି ।

 

ସେ ହାତଭରା ଦେଇ ଉଠି ବସିଲେ । ରକ୍ତ କ୍ଷୟହେତୁ ଦୁର୍ବଳ ଲାଗୁଛି । ଛାତି ଥରି ଉଠୁଛି, ମୁଣ୍ଡ ବୁଲାଉଛି । ସେ ବାମ ଗୋଡ଼ ଭଣ୍ଡାର କ୍ଷତକୁ ପରୀକ୍ଷା କଲେ । କାହାର ଗୁଳି ତାଙ୍କର ନଳୀ–ଗୋଡ଼ ଭଣ୍ଡାର କଡ଼ ଦେଇ ଫୁଟି ବାହାରି ଯାଇଛି । କ୍ଷତ ମାରାତ୍ମକ ନହେଲେ ମଧ୍ୟ ଗୁରୁତର-। ଆଣ୍ଠୁତଳୁ ପାଦତଳିପା ଯାଏଁ ଏତେ ଦରଜ ହୋଇଛି ଯେ, ତଳେ ପାଦ ଲଗାଇ ହେଉ ନାହିଁ-। ଯିବେ କିପରି, କୁଆଡ଼େ ବା ଯିବେ, ଗୁଣ୍ଡାଦଳ ଆଉ ଫେରିଲେ ନାହିଁ କାହିଁକି ?

 

ପିନ୍ଧିଲା ଲୁଗା ରକ୍ତାକ୍ତ ହୋଇଛି । ମୁଣ୍ଡର କ୍ଷତରୁ ରକ୍ତ ଗଡ଼ି ଦେହର ଜାମାର କେତେକାଂଶ ମଧ୍ୟ ରକ୍ତାକ୍ତ କରିଛି । ସେ ଦେହରୁ ଜାମା ଉତାରିଲେ । ସେହି ଜାମାରେ ଗୋଡ଼ର ଭଣ୍ଡାକୁ ଉତ୍ତମରୂପେ ବାନ୍ଧିଲେ । ଦେହ କାଠ କଲେ । ଉଠିଲେ । ଧୀରେ ଧୀରେ ଭୂମିରେ ପାଦ ଲଗାଇ ଛୋଟେଇ ଛୋଟେଇ ତିନି ଚାରି ପାଦ ଆଗେଇ ଯାଇ ଅଟକି ଅଟକି ଆଗକୁ ଚାଲିଲେ ।

 

ସୀମା ପାରି ହୋଇ ବଙ୍ଗଦେଶକୁ ଯିବା ସମ୍ଭବ ନୁହେଁ । ଅତି ନିକଟରେ କେଉଁଠି ଗ୍ରାମ ଅଛି ତାହା ସେ ଜାଣନ୍ତି ନାହିଁ । ନିକଟ ଗ୍ରାମମାନଙ୍କରୁ ହୁଏତ ହିନ୍ଦୁ ପରିବାରମାନେ ପଳାଇ ଯାଇଥିବେ । କେଜାଣି ନ ଯାଇ ଥାଇବି ପାରନ୍ତି । ଯେଉଁ ମୁସଲମାନ ପରିବାରମାନେ ବାସ କରୁଛନ୍ତି, ସେମାନେ ଯେ ସମସ୍ତେ ଧର୍ମାନ୍ଧ ଓ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରି ସେମାନଙ୍କୁ ପୂର୍ବ–ବଙ୍ଗରୁ ବହିଷ୍କାର କରି ଦେବାକୁ ବଦ୍ଧ–ପରିକର ଏହାବି ନୁହେଁ ।

 

ସେ ଜାଣନ୍ତି ଏବଂ ବହୁ ସ୍ଥାନରୁ ସମ୍ବାଦ ପାଇଛନ୍ତି ଯେ, କେତେ ମୁସଲମାନ ପରିବାର ନିଜର ଓ କୁଟୁମ୍ବର ଲୋକଙ୍କୁ ବିପନ୍ନ କରି ହିନ୍ଦୁପରିବାରମାନଙ୍କୁ ଆଶ୍ରାଦେଇ ଉନ୍ମତ୍ତ ଗୁଣ୍ଡାମାନଙ୍କ କବଳରୁ ରକ୍ଷା କରିଛନ୍ତି । ସାଧାରଣ ଜନତା ହିନ୍ଦୁ ତାଡ଼ନ ଓ ମାରଣ ନୀତିକୁ ମୋଟେ ସମର୍ଥନ କରନ୍ତି ନାହିଁ । ସେମାନେ ଜାଣନ୍ତି, କେବଳ ଧର୍ମ–ବିଶ୍ୱାସକୁ ଛାଡ଼ିଦେଲେ ପୂର୍ବ–ବଙ୍ଗର ହିନ୍ଦୁ ଓ ମୁସଲମାନ ଆଉ ସବୁ କ୍ଷେତ୍ରରେ ଏକ,–ରକ୍ତ, ଭାଷା, ଚାଲିଚଳନ, ଜାଣିକରି ତ ସମୂହ ସ୍ୱାର୍ଥ ।

 

ଶହଶହ ବର୍ଷଧରି ପରସ୍ପରକୁ ଆପଣାର କରି ଗୋଟିଏ ଜାତିର ଦିଓଟି ହାତ ଏକାଠି ଚଳିଆସିଛି । ବଙ୍ଗଳା ଭାଷା ଓ ସାହିତ୍ୟକୁ ଉନ୍ନତ କରି ବିଶ୍ୱର ବାଣୀ–ଦରବାରରେ ବିଶିଷ୍ଟ ସ୍ଥାନ ଅଧିକାର କରିବାର ଉଦ୍ୟମରେ ଉଭୟ ସମ୍ପ୍ରଦାୟର ସୁଧୀବୃନ୍ଦ ଆଜୀବନ ସାଧନା କରି ଆସିଛନ୍ତି । ବିଂଶ ଶତାବ୍ଦୀର ପ୍ରଥମ ପାଦରେ ଯେତେବେଳେ ବ୍ରିଟିଶ ସରକାର ବଙ୍ଗଦେଶକୁ ଦ୍ୱିଖଣ୍ଡିତ କରିବାକୁ ଚେଷ୍ଟା କଲେ, ଜାତି ଧର୍ମର ବିଭେଦଭାବ ଭୁଲି ବଙ୍ଗାଳୀ ତା’ର ତୀବ୍ର ପ୍ରତିବାଦ ଜଣାଇଲା । ସ୍ୱାଧୀନତା ଲାଭ ସଙ୍ଗେସଙ୍ଗେ ସେହି ବ୍ରିଟିଶ–ଜାତିର କୂଟ–ନୀତି ପାଇଁ ବଙ୍ଗ ହେଲା ଦ୍ୱିଖଣ୍ଡିତ । ସାମ୍ପ୍ରଦାୟିକ ଘୃଣା, ବିଦ୍ୱେଷ ଓ ତଜ୍ଜନିତ ଅତ୍ୟାଚାର ହେଲା ତା’ର ବିଷଫଳ ।

 

ସାଧାରଣ ଜନତାର ସମର୍ଥନ ନଥିଲେ ମଧ୍ୟ ସେମାନେ ନ୍ୟସ୍ତସ୍ୱାର୍ଥ ଦଳର କ୍ରିୟାକଳାପରେ ସିଧାସଳଖ ପ୍ରତିବାଦ କରିବାକୁ ଓ ବାଧାଦେବାକୁ ଶଙ୍କିତ । ଦେଶ ସ୍ୱାଧୀନ ହୋଇଛି କିନ୍ତୁ ପଶ୍ଚିମ ପାକିସ୍ଥାନର ନ୍ୟସ୍ତ–ସ୍ୱାର୍ଥ ରାଜନୈତିକମାନଙ୍କର କୂଟନୀତିର ପାଦତଳେ ମୁଣ୍ଡ ନୋଇଁଛି । ପଞ୍ଜାବୀ ମୁସଲମାନ ସୈନ୍ୟବାହିନୀର ଉପସ୍ଥିତି ଓ କାର୍ଯ୍ୟ ଦେଖି ପୂର୍ବପାକିସ୍ଥାନବାସୀ ଶଙ୍କିତ ଓ ସନ୍ଦିହାନ । ଗୁଣ୍ଡା ପ୍ରକୃତିର ସ୍ଥାନୀୟ ମୁସଲମାନ ଅଧିବାସୀ, ଯେଉଁମାନେ ଗୋଳିପାଣିର ସୁବିଧା ଖୋଜୁଥିଲେ, ପଶ୍ଚିମ ପାକିସ୍ଥାନୀଙ୍କ ଆଖିଠିରିକା ଓ ସାହାଯ୍ୟ ପାଇ ମାତି ଉଠିଛନ୍ତି । ଭଲଲୋକେ, ସହାନୁଭୂତିଶୀଳ ଲୋକେ ବଲବଲ କରି ଚାହିଁ ରହିଛନ୍ତି । ସୁବିଧା ପାଇଲେ ବିପଦ–ଗ୍ରସ୍ତ ହିନ୍ଦୁ ପରିବାରଙ୍କୁ ସାହାଯ୍ୟ କରିବାକୁ ଓ ତାଙ୍କର ଜୀବନ ଏବଂ ସମ୍ମାନ ରକ୍ଷା କରିବାକୁ କୁଣ୍ଠିତ ହେଉନାହାନ୍ତି ।

 

ସେମାନଙ୍କର ଶଙ୍କିତ ସହାନୁଭୂତି ଓ ସାହାଯ୍ୟ ସମୁଦ୍ରକୁ ଶଙ୍ଖେପରି ।

 

ଅଧର ମଣ୍ଡଳ ବାଡ଼ିଖଣ୍ଡେ ଧରି ଛୋଟେଇ ଛୋଟେଇ ଆଗକୁ ଚାଲିଲେ । ବଣ ଭିତରେ କେତେ ଚଲାବାଟ ପଡ଼ିଛି । ଗୋଟିଏ ବାଟକୁ ଅନୁସରଣ କରି ସେ ଚାଲୁଛନ୍ତି । ବାଟର ଅନତିଦୂରରେ ତାଙ୍କର ଦୃଷ୍ଟିରେ ପଡ଼ିଲା, ଗୋଟିଏ ନାରୀର ଅର୍ଦ୍ଧ–ଉଲଗ୍ନ ଶବ । ଚମକି ଉଠିଲେ । ଛାତିର ସ୍ପନ୍ଦନ ଦ୍ରୁତ ହେଲା । ସେ ଧୀରେ ଧୀରେ ପାଖକୁ ଗଲେ । ଦେଖିଲେ, ଯୁବତୀ ନାରୀଟିର ଛାତି ଭେଦକରି ଗୁଳି ପିଠିବାଟେ ବାହାରି ଯାଇଛି । ତଳେ ପଡ଼ି ଛଟପଟ ହେଉଣୁ ପାଖରେ ଭୂମି ରକ୍ତାକ୍ତ ହୋଇଛି । ନାରୀର ଦେହ ଓ ବସନ ମଧ୍ୟ ରକ୍ତାକ୍ତ ।

 

ତାଙ୍କର ମନ ହାହାକାର କରି ଉଠିଲା । କାହାର କନ୍ୟା ସେ, କାହାର ପତ୍ନୀ ? ପ୍ରାଣ ବଞ୍ଚାଇବାକୁ ପଳାଇ ଯାଉଥିଲା, ଆତତାୟୀର ଗୁଳି ମାଡ଼ରେ ପ୍ରାଣ ହାରିଲା ?

 

ଦୁଃଖ କଲେ କି ରୋଦନ କଲେ ଯେ ମରିଛି ସେ ଫେରି ଆସିବ ନାହିଁ । ତାଙ୍କର ଅନିମା ଓ ଅମିତାଭଙ୍କର ଏହି ଅବସ୍ଥା ହୋଇଥିବ ? ଅଧର ମଣ୍ଡଳ ଅଧା–ବାଇଆ ହୋଇ ଆଗେଇଗଲେ ! ସେହି ଅରଣ୍ୟ ଭିତରେ ଆଉ କେତେଜଣ ସ୍ତ୍ରୀ, ପୁରୁଷ, ବାଳକବାଳିକା ଓ ଶିଶୁଙ୍କର କ୍ଷତବିକ୍ଷତ ମୃତ ଦେହ ଦେଖିଲେ । ଅନିମା ଓ ଅମିତାଭ ବଞ୍ଚି ରହିଛନ୍ତି ବୋଲି ତାଙ୍କର ଧାରଣା ହେଲା । ମନରେ ପୁଣି ନିର୍ଜୀବ ଆଶା ତେଜି ଉଠିଲା ଯେ, ସେମାନେ ଅନ୍ୟମାନଙ୍କ ସଙ୍ଗରେ ନିର୍ବିଘ୍ନରେ ପାକିସ୍ଥାନ ସୀମା ପାରିହୋଇ ଭାରତବର୍ଷକୁ ଚାଲି ଯାଇ ପାରିଛନ୍ତି ।

 

ତାଙ୍କର ସେ ଆଶା ପୁଣି ଦୋହଲି ଉଠିଲା । ସୂର୍ଯ୍ୟ ମୁଣ୍ଡ ଉପରେ ହେଲେଣି । ପ୍ରଖର ରୌଦ୍ରର ତାପ ଆଉ ସହି ହେଉନାହିଁ । କ୍ଳାନ୍ତ ଦେହକୁ ଘୋଷାରି ଘୋଷାରି ସେ ଆଉ ଅଧିକ ଦୂର ନେଇ ପାରିବେ ନାହିଁ । କ୍ଷୁଧାରେ ପେଟ ଆଉଟି ହେଉଛି । ତୃଷାରେ ତଣ୍ଟି ଅଠାଅଠା ହେଉଛି । ଛାଇନେଉଟ ଯାଏଁ ସେ କେଉଁ ବୃକ୍ଷ ମୂଳରେ ଆଶ୍ରା ନେବାକୁ ମନକରି ଧୀରେ ଧୀରେ ଆହୁରି ଖଣ୍ଡେଦୂର ଆଗେଇଗଲେ । ଘଞ୍ଚ ଗଛ ଗହଳି ଦେଖି ଛାଇତଳେ ବସିଲେ ।

 

କାନରେ ଅନତିଦୂରରେ କାହାର ବେଦନା–ବ୍ୟସ୍ତ ସ୍ୱରର ଆଭାସ ବାଜିଲା । କ୍ରସ୍ତହୋଇ ସେ ଚାରିଆଡ଼କୁ ଚାହିଁଲା । ଖଣ୍ଡେଦୂରରେ ଗୋଟିଏ ବୁଦା–ଉହାଡ଼ରେ ଜଣେ ଲୋକ ପଡ଼ି ଛଟପଟ ହେଉଛି । ଅଧର ମଣ୍ଡଳ ବାଡ଼ିଭରା ଦେଇ ଛୋଟେଇ ଛୋଟେଇ ତା’ ପାଖକୁ ଗଲେ-। ଯେଉଁ ଦୃଶ୍ୟ ସେ ଦେଖିଲେ, ତାଙ୍କର ମନେ ପଡ଼ିଲେ, ଏବଯାଏଁ ଛାତି ଥରଥର ହୋଇ କମ୍ପିଉଠେ-

 

ଆହତ ବ୍ୟକ୍ତିଟି ଯୁବକ । ଛୁରାମାଡ଼ରେ ଦେହ କ୍ଷତବିକ୍ଷତ ହୋଇଛି । ଛାତିରେ ଓ ମୁଣ୍ଡରେ ଛୁରି ଭେଦିଛି । ଦେହର ରକ୍ତରେ ଭୂମି କାଦୁଅ ହୋଇଛି । ଗୁଳିମାଡ଼ରେ ଡାହାଣ ଜଙ୍ଘର ହାଡ଼ ଭାଙ୍ଗିଛି । ଏତେ ଆଘାତ ଓ ରକ୍ତ କ୍ଷୟ ସତ୍ତ୍ୱେ ପଚିଶି–ତିରିଶବର୍ଷ ବୟସ୍କ ଯୁବକର ମୃତ୍ୟୁ ଘଟିନାହିଁ । ସତେ କି ସେ ବଞ୍ଚି ରହିଛି, କେବଳ ଅଙ୍ଗେ ଲିଭାଇଥିବା ଘଟଣାର ବିଭୀଷିକା ବର୍ଣ୍ଣନା କରିବାକୁ ।

 

ଆଶ୍ୱାସନା ପାଇ ସେ କ୍ଷୀଣ କଣ୍ଠରେ ତା’ର ଦୁଃଖ ବର୍ଣ୍ଣନା କଲା—

 

ରାତି ପାହିପାହି ଆସୁଥାଏ । ଆମେ ଆଶା କରିଥିଲୁ, ଦୁର୍ବୃତ୍ତମାନେ ଅନ୍ୟ କୁଆଡ଼େ ଚାଲିଗଲେଣି, ଆମେ ରାତି ପାହିବା ଆଗରୁ ସୀମା ପାରି ହୋଇ ଯିବୁ । ଆମ ଦଳରେ ସ୍ତ୍ରୀ ପିଲା ମିଶି କେତେ ପଳାଇ ଯାଉଥିଲେ, ମୋର ଧାରଣା ନାହିଁ । ତେବେ, ଥିଲେ ତ ଅନେକ । କିଏ କେଉଁଗ୍ରାମର ଜାଣିବା ଅସମ୍ଭବ ।

 

ସହସା ମସ୍‌ମସ୍‌ ହୋଇ ରାତିପାହାନ୍ତାବେଳେ ଦୁଇ କି ତିନିଦଳ ସଶସ୍ତ୍ର ଗୁଣ୍ଡା ଟର୍ଚ୍ଚ ଆଲୁଅ ଚାରିଆଡ଼କୁ ପକାଇ ଆମୁକୁ ବେଢ଼ିଗଲେ ।

 

ଆମ ଦଳର ଲୋକେ ଅସ୍ତବ୍ୟସ୍ତ ହୋଇ କିଏ କୁଆଡ଼େ ପଳାଇଯାଇ ଲୁଚିବାକୁ ଚେଷ୍ଟା କଲେ । ସେମାନେ ବନ୍ଧୁକ ଫୁଟାଇ ହାତରେ ଛୁରାଧରି ପଛରେ ଧାଇଁଲେ । ଆତ୍ମରକ୍ଷାର ଉପାୟ ନ ଦେଖି ଆମେ କେତେଜଣ ବାଧା ଦେଇଥିଲୁ । ଅନ୍ୟମାନଙ୍କର କି ଅବସ୍ଥା ହେଲା ମୁଁ କହି ପାରିବି ନାହିଁ । ସେମାନେ ମତେ ଛୁରାରେ ଭୁଷିବାକୁ ଲାଗିଲେ । ମୁଁ ତଳେ ପଡ଼ିଲି । ମରିଗଲି ଭାବି ସେମାନେ ମୋତେ ପରିତ୍ୟାଗ କରି ଅନ୍ୟମାନଙ୍କ ପଛରେ ଧାଇଁଲେ । ତା’ପରେ କ’ଣ ଘଟିଲା ଜାଣେ ନାହିଁ ।

 

ଆଖିବୁଜି ଯନ୍ତ୍ରଣାରେ ଛଟପଟ ହୋଇ ଆହତ ବ୍ୟକ୍ତି ରୋଦନ କଲା । କିଛିକ୍ଷଣ ନୀରବ ହେଲା । କ୍ଷୀଣସ୍ୱରରେ ନିଜକୁ ନିଜେ କହିଲା ପରି ଓଠଥରାଇ ପ୍ରକାଶ କଲା, ମୋର ସ୍ତ୍ରୀ ଓ ପାଞ୍ଚବର୍ଷର ପୁଅ ଏବଂ ଦୁଇବର୍ଷର ଝିଅ ଗଲେ କୁଆଡ଼େ ? ମରଣ ଯନ୍ତ୍ରଣାରେ ଛଟପଟ ହୋଇ ରକ୍ତାକ୍ତ ଦେହରେ ତଳେ ହାତଭରା ଦେଇ ଉଠିଲି । ଗଛକୁ ଆଉଜି ଠିଆହେଲି ଏଇ ବୁଦା ଉହାଡ଼ରେ, ରାତି ପାହିଲା ।

 

ସେମାନେ ବଣଭିତରେ ଖେଳେଇ ହୋଇଥାନ୍ତି । କେହି ଆଖିକୁ ଦିଶୁ ନଥାନ୍ତି । ସେମାନଙ୍କର କୋଳାହଳ ଓ ସ୍ତ୍ରୀ ପିଲାଙ୍କର ରୋଦନ ଶୁଭୁଥାଏ । ଯାହାପାଖରେ ଯାହା ଥିଲା ସବୁ ସେମାନେ ଲୁଟି ନେଇଥିଲେ । ଛୋଟପିଲାଙ୍କର ଜୀବନ ନେବାକୁ ସେମାନେ ଭୁଲି ନଥିଲେ । ଯୁବତୀ ସ୍ତ୍ରୀ ସେ ବିବାହିତା ହେଉ କି ଅବିବାହିତା ହେଉ, ସତରେ କ’ଣ ସେମାନେ ଯେଉଁମାନେ ପଳାଇ ପାରି ନଥିବେ ଗୁଣ୍ଡାମାନଙ୍କର ହାବୁଡ଼େ ପଡ଼ିଥିବେ ? ନିଜର ସମ୍ମାନ ଓ ଜୀବନ ରଖି ପାରିଥିବେ ? ସୀମା ପାରି ହୋଇ ଏ ଦେଶରୁ ପଳାଇ ଯାଇଥିବେ ?

 

ପୁଣି ସେ ନୀରବ ହେଲା । ଆଖି ବୁଜିଲା । ଅଧର ମଣ୍ଡଳ ନିଜର ଦୁଃଖ ଓ ଯନ୍ତ୍ରଣାକୁ ଭୁଲି ଏକ ଦୃଷ୍ଟିରେ ଚାହିଁ ରହିଲେ । ଆହତ ଲୋକଟିର ଛାତିରୁ ଓ ଜଙ୍ଘରୁ ଏବଯାଏଁ କସର, ପାଣିଆ ରକ୍ତ ଝରୁଛି । ଭାବିଲେ, କିପରି ତା’ର ଯତ୍ନ ନେଇ ପାରିବେ ? ନିଜ ଗୋଡ଼ର ବେଦନା ସହି ହେଉ ନାହିଁ । ବାମ ଗୋଡ଼ର ବ୍ୟଥାରେ ପ୍ରାଣ ଛାଡ଼ିଗଲା ପରି ଲାଗୁଛି । ଭାବିଲେ, ପ୍ରାଣ ଯଦି ବାହାରି ଯାଆନ୍ତା, ନରକଯନ୍ତ୍ରଣାରୁ ସେ ଉଦ୍ଧାର ପାଇ ଯାଆନ୍ତେ ।

 

ଲୋକଟି ଆଖି ଖୋଲି କହିଲା, କିଏ ତୁମେ ମୋ ପାଖରେ ବସିଛ ? ତଣ୍ଟିମୋର ଶୁଖିଯାଉଛି, ପାଣି ମନ୍ଦାଏ ଦେଇ ପାରିବ ? ତଣ୍ଟି ଶୁଖିଯାଉଛି, ଆଉ ମୁଁ ଯନ୍ତ୍ରଣା ସହି ପାରୁ ନାହିଁ । ବେଶିବେଳ ଆଉ ବଞ୍ଚିପାରିବ ନାହିଁ । ସେମାନେ ଯେତେବେଳେ ନାରୀମାନଙ୍କୁ ଧରି ନେଇଗଲେ, ବୋଧହୁଏ ସହି ନ ପାରି କେଉଁମାନେ ବାଧା ଦେଇଥିଲେ । ନାରୀମାନେ ଆତୁର ହୋଇ ଡାକ ଛାଡ଼ିଥିଲେ । ମୋର ସ୍ତ୍ରୀଙ୍କର କରୁଣ ଡାକ ଏବେବି ମୋର କାନରେ ବାଜିଯାଉଛି । ନିଜର ଯନ୍ତ୍ରଣା ଭୁଲି ତାଙ୍କୁ ଉଦ୍ଧାର କରିବାକୁ ଦୁଇ ଚାରି ପାଦ ଏକା ନହସରେ ଛୁଟିଲି । ଛାତିର କ୍ଷତରୁ ପିଚ୍‌ପିଚ୍‌ ରକ୍ତ ଛୁଟିଲା । ଦୂରରୁ ବନ୍ଧୁକଚାଳନାର ଶବ୍ଦ ଆସିଲା । କୁଆଡ଼ୁ ସହସା ଗୁଳିଟିଏ ଛୁଟିଆସି ମୋ ଜଙ୍ଘରେ ବାଜିଲା । ମୁଁ ଏଇଠି କଟା କଦଳୀଗଛ ପରି ଟଳି ପଡ଼ିଲି, ଜ୍ଞାନ ହାରିଲି ।

 

ସେ ତୁନି ହେଲା । ଅଧର ମଣ୍ଡଳ ନିଜ କଥା ଭାବୁଥିଲେ । ସେ ଜାଣନ୍ତି, ତାଙ୍କର ନିଜର ରକ୍ଷଣ ଅସମ୍ଭବ, ସେ କିପରି ବା ପରକୁ ରକ୍ଷା କରି ପାରିବେ ? ତାଙ୍କର ଦୁଇ ଆଖିରୁ ଝରି ଆସିଲା ଲୁହଧାର । ସେମାନେ ଅମିତାଭକୁ ମାରି ଦେଇଛନ୍ତି । ସେମାନେ ଅନିମାଙ୍କୁ ଅପହରଣ କରି ନେଇଛନ୍ତି ।

 

ସମସ୍ତେ ତ ଗଲେ, ତାଙ୍କର ବ୍ୟର୍ଥ ଜୀବନ ରହି ଲାଭ କ’ଣ ?

 

ଆହତ ବ୍ୟକ୍ତିଟି ତଳେ ଛଟପଟ ହେବାକୁ ଲାଗିଲା, ମୁଣ୍ଡ ଏ ପାଖ ସେ ପାଖ କରି ଆଖି ତରାଟି ମୁହଁ ବିକୃତ କଲା । ନିଜର ଦୁଃଖକଷ୍ଟ ଭୁଲି ଅଧର ମଣ୍ଡଳ ଦେହ ଘୋଷାରି ତା’ର ଆହୁରି ପାଖକୁ ଘୁଞ୍ଚିଗଲେ । ଛଟପଟ ମୁଣ୍ଡଟିକୁ ଦୁଇ ହାତରେ ଟେକି ଡାହାଣ ଜଙ୍ଘ ଉପରେ ରଖିଲେ । କେତେକଅଣ ସେ ପଚାରିଲେ । ତା’ର ଆଖି ଫାଡ଼ି ହୋଇ ଯାଇଥାଏ, ଓଠ ଥରି ଉଠୁଥାଏ ।

 

କିଛିକ୍ଷଣ ପରେ ତା’ର ଆଖିପତା ବୁଜି ହୋଇଗଲା । ଓଠର କମ୍ପନ ଚିରଦିନ ପାଇଁ ବନ୍ଦହେବା ଆଗରୁ ଛାତି ଥରାଇ ରକ୍ତର ପିଚକାରି ମାରି ହେକା ଉଠିଲା । ତା’ର କ୍ଷତବିକ୍ଷତ ଜୀର୍ଣ୍ଣ ଦେହପିଞ୍ଜରା ଛାଡ଼ି ଜୀବନ–ପକ୍ଷୀ ଚିରଦିନ ପାଇଁ କେଉଁ ଅଜଣା ଦେଶକୁ ଉଡ଼ି ଚାଲିଗଲା । କମ୍ପନ ପରେ ଦେହ ହେଲା ସ୍ଥିର ।

 

ଅଧର ମଣ୍ଡଳଙ୍କର ଦୁଇ ଆଖିରୁ ତପ୍ତ ଅଶ୍ରୁଧାର ଗଡ଼ି ଆସିଲା । ମୁହୂର୍ତ୍ତକ ପାଇଁ, ସେ ଭୁଲିଗଲେ ଯେ ସେ ଆହତ; ସେ ମଧ୍ୟ ମରଣର ଦ୍ୱାରଦେଶରେ ଠିଆ ହୋଇଛନ୍ତି । ଅବାହୁଡ଼ା ପୁରର କବାଟ ତାଙ୍କପାଇଁ ଉନ୍ମୁକ୍ତ ହେଲାଣି । ସେ ଭୁଲିଗଲେ ଯେ, ତାଙ୍କ କୁଟୁମ୍ବର ଶେଷ ସମ୍ବଳ ଅମିତାଭକୁ ସେ ଆଉ ଏ ପୁରରେ ଖୋଜିଲେ ପାଇବେ ନାହିଁ । ତାଙ୍କର ପ୍ରିୟତମା ପତ୍ନୀଙ୍କୁ ସେମାନେ ଅପହରଣ କରି ନେଇଛନ୍ତି ଓ ଏ ଜୀବନରେ ଆଉ ତାଙ୍କ ସଙ୍ଗେ ଦେଖାହେବ ନାହିଁ ।

 

ଅପରିଚିତ ସମଦଶାପନ୍ନ ବନ୍ଧୁଟିର ନିଶ୍ଚଳ ନୀରବ ମୁହଁକୁ ଚାହୁଁଣୁ ମନ ଓ ଚେତନ ହାହାକାର କରି ଉଠିଲା । ପର ମୁହୂର୍ତ୍ତରେ ଛାତି ଥରଥର ହୋଇ କମ୍ପିଉଠିଲା । ଆତତାୟୀମାନଙ୍କୁ ନୁହେଁ, ସେହି ମୃତ ବ୍ୟକ୍ତିଟିର ଜୀବନ ହୀନ ପିଣ୍ଡଟିକୁ ନିରେଖୁଣୁ କେଉଁ ଅଜଣା ଭୟରେ ଉଜ୍ଜ୍ୱଳ ଦିବାଲୋକରେ ମଧ୍ୟ ତାଙ୍କୁ ତିନି ପୁର ଅନ୍ଧାର ଦିଶିଲା । ସେ ତାଙ୍କର ଥରିଲା ହାତରେ ମୃତର ମୁଣ୍ଡକୁ ଜଙ୍ଘରୁ ଓହ୍ଲାଇ ତଳେ ରଖିଲେ । ଅସ୍ତବ୍ୟସ୍ତ ହୋଇ ଘୁଞ୍ଚି ଆସିଲେ । ଗୋଟେଇଥିବା ବାଡ଼ି ଖଣ୍ଡି ଧରି ଉଠି ଠିଆହେଲେ, ଛୋଟେଇ ଛୋଟେଇ ଚାଲି କିଛି ଦୂର ଆଗେଇ ଗଲେ । ପଛକୁ ଚାହିଁବାକୁ ସାହସ ହେଲା ନାହିଁ । ମନେହେଲା, ଯେପରି ସେହି ମୃତବ୍ୟକ୍ତିର ଛଟପଟ ଆତ୍ମା ତାଙ୍କର ପିଛା ଧରିଛି । ଦୁଇ ହାତ ବଢ଼ାଇ ତାଙ୍କୁ ମାଗୁଛି ଚଳେ ପାଣି !

 

ଅଧର ମଣ୍ଡଳ ଡରଡ଼ର ପଛକୁ ଚାହିଁଲେ । ଯେଉଁ ବୁଦାଟି ପାଖରେ ଶବ ପଡ଼ିଥିଲା, ସେହି ବୁଦା କେତେ ଦୂରରେ ଗଛଗହଳି ସେ ପାଖରେ ଲୁଚିଗଲାଣି । ସେ ଅତି କ୍ଳାନ୍ତ ହୋଇ ଛାଇତଳେ ବସିଲେ । ଗୋଡ଼ ଭଣ୍ଡାର ଘା ପୋଡ଼ି ଉଠୁଛି, ଯନ୍ତ୍ରଣା ସହି ହେଉ ନାହିଁ । ଅଧର ମଣ୍ଡଳ ହାତଭରା ଦେଇ ଭୂମି ଉପରେ କଣେଇଁ ଶୋଇଲେ, ଆଖିପତା ଆପେଆପେ ବୁଜି ହୋଇଗଲା । ମନେହେଲା, ଯେପରି କାହିଁ କେତେ ଦୂରରୁ ଅରଣ୍ୟ ମଝିରୁ ଜିପ୍‌–ଗାଡ଼ିର ଶବ୍ଦ ଶୁଭୁଛି । ହର୍ଣ୍ଣର ବୋବାଳି ଓ ଲୋକଙ୍କର କୋଳାହଳ ଶୁଭୁଛି । ମୁଣ୍ଡଟେକି ଚାହିଁବାକୁ କି ଉଠି ଠିଆ ହେବାକୁ ମନ ଉଚ୍ଚାଟ ହେଉଥିଲା; କିନ୍ତୁ ଦୁର୍ବଳ, କ୍ଳାନ୍ତ ଓ ଆହତ ଦେହ ଚଙ୍କିଲା ନାହିଁ । ଅବସନ୍ନ ଅବଶ ହୋଇ ଜୀବନ ନଥିଲା ପରି ଭୂମି ପରେ ପଡ଼ି ରହିଲା ।

 

ଅଣଚାଳିଶ

 

ଅଧର ମଣ୍ଡଳ ଆଖି ଖୋଲିଲେ ।

 

ଅରଣ୍ୟ ଆଖି ଆଗରେ ଲମ୍ବିଯାଇଛି । ଛାପିଛାପିକା ଆଲୁଅଛାଇ ନିମ୍ନଭୂମିରେ ଦୋହଲି ଦୋହଲି ନାଟ କରୁଛି । ଉଷୁମ ପବନ କେବେ ଧୀର କେବେ ଅଳପ ଚଞ୍ଚଳ ବେଗରେ ବହୁଛି । ବନସ୍ତର ଗହଳି ଭିତରେ ଲୁଚି ଲୁଚି ପ୍ରବାହିତ ହେଉଥିବା ଛୋଟ ନାଳଟିଏର କଳକଳ ଶବ୍ଦ ଧୀରେ ଧୀରେ ଭାସିଆସୁଛି । ସେହି ଶବ୍ଦକୁ ବୁଡ଼ାଇ କେବେ ଶୁଭୁଛି ନାନା ଜାତି ପକ୍ଷୀଙ୍କର କାକଳି । କେବେ ପୁଣି ଶୁଭୁଛି ନାରୀମାନଙ୍କର କଣ୍ଠସ୍ୱର, ବାଳକବାଳିକାମାନଙ୍କର କୋଳାହଳ ଓ ଉଚ୍ଚସ୍ୱରରେ ହସ ।

 

ଅଧର ବିଚଳିତ ହେଲେ । ମୁଣ୍ଡ ଟେକିଲେ । ସେ କେଉଁଠି ଅଛନ୍ତି ? କାହାନ୍ତି ସେ ପାକିସ୍ଥାନୀ ନୃଶଂସ ଗୁଣ୍ଡାଦଳ, ଆହତ ଓ ମୃତ ପଳାତକମାନେ ? ଅଧର ଉଠି ବସିଲେ । ଆଖି ମଳିଲେ । ପାଖରେ ଜିପ୍‌–ଗାଡ଼ିଟି ଠିଆହୋଇଛି । ତା’ ଆରପାଖେ ବଡ଼ ରାସ୍ତା । ରାସ୍ତାକଡ଼ରେ ଓ ଜିପ୍‌ ପାଖରେ କେତେଜଣ ଆଦିବାସୀ ଓ ବଙ୍ଗାଳୀ ପୁଅଝିଅ ଠିଆହୋଇ ଦେଖୁଛନ୍ତି । ଅଧର ଡ୍ରାଇଭର ନିଦରୁ ଉଠିଲେଣି ଦେଖି କେତୋଟି ପିଲା ଜିପ୍‌ ଭିତରୁ ତଳକୁ ଡେଇଁପଡ଼ିଲେ । କିଏ ଜଣେ ହର୍ଣ୍ଣ ବଜାଉଛି ।

 

ଅଧର ଝାଡ଼ିଝୁଡ଼ି ହୋଇ ଉଠିଲେ । ମୁହୂର୍ତ୍ତକ ମଧ୍ୟରେ ଅତୀତ ଘଟଣାର ପୁନରାବର୍ତ୍ତନ ଅବଚେତନ ମନରେ ବିଲୁପ୍ତ ହେଲା । ସେ ସଙ୍ଗେ ସଙ୍ଗେ ବୁଝିପାରିଲେ ଯେ, ସେ ପାକିସ୍ଥାନରେ ନାହାନ୍ତି, ସେ ଅଛନ୍ତି ଭାରତବର୍ଷରେ । ସେ ଆହତ ହୋଇ ସୀମାର ଅରଣ୍ୟରେ ପଡ଼ି ନାହାନ୍ତି, ସେ ଉମରକୋଟରୁ ଜିପ୍‌ ନେଇ ମାଲକାନଗିରି ଆସିଛନ୍ତି । ଗଛ ଛାଇରେ ଶ୍ରାନ୍ତି ହରଣ କରିବାକୁ ବସୁ ବସୁ ସେ ଶୋଇ ପଡ଼ିଥିଲେ ପରା ! ଅନେକ ଡେରି ହୋଇଗଲାଣି । ହାକିମ କ୍ୟାମ୍ପ୍‍ ଭିତରେ ଅପେକ୍ଷା କରି ବସିଥିବେ, ବିରକ୍ତ ହେବେ ।

 

ଅଧର ରବର ସିଟ୍‌ଟି ତଳୁ ଉଠାଇ ଜିପ୍‌–ଗାଡ଼ିରେ ଯଥାସ୍ଥାନରେ ରଖିଲେ । ତାଙ୍କୁ ଦେଖି ପିଲାମାନେ ଭୟରେ ରାସ୍ତା ଉପରକୁ ଉଠିଗଲେ । ବଡ଼ ଝିଅଟିଏ ଓଦାଲୁଗା ପିନ୍ଧି ଅନତିଦୂରରେ ଠିଆ ହୋଇଥିଲା । ମୁଣ୍ଡର ଓଦାବାଳ ପିଠି ଉପରେ ଅଣ୍ଟାତଳ ଯାଏଁ ବିଛେଇ ହୋଇ ପଡ଼ିଛି । ତା’ ପାଖରେ ଆଉ ଦୁଇ ତିନୋଟି ଛୋଟପିଲା ଏ ପାଖ ସେ ପାଖ ହେଉଛନ୍ତି । ତେର ଚଉଦବର୍ଷର ସେହି ସୁନ୍ଦର ସ୍ୱାସ୍ଥ୍ୟବତୀ ଝିଅଟି ତାଙ୍କର ଦୃଷ୍ଟିଆକର୍ଷଣ କଲା । ସେ ଗୋଟିଏ ହାତରେ ଜଳପୂର୍ଣ୍ଣ ଲୋଟାଟାଏ ଧରିଛି, ଆର ହାତରୁ ଝୁଲାଇଛି ଓଦାଲୁଗା କେଇଖଣ୍ଡି ।

 

ମନେପଡ଼ିଲା, ଆରେ ! ଏଇ ତ ସେଇ ଅସାବଧାନ ଝିଅଟା, ରାସ୍ତା ମଝିରେ ଠିଆ ହୋଇ ଯେ ସାନପିଲାଙ୍କ ପରି ହାତ ହଲାଇ ଲୁହଝରା ଆଖିରେ କାହାକୁ ବିଦାୟ ଦେବାକୁ ଟା–ଟା କହୁଥିଲା । ସତେ ତ, ଏଇ ସେ ଗେଲବସର ଝିଅ !

 

କାହାର ଝିଅ ସେ; କିଏ ତା’ର ଜନନୀ ? ଏହି ପ୍ରଶ୍ନର ଉତ୍ତର ପାଇବାକୁ ତାଙ୍କର ଆଗ୍ରହୀ ରଙ୍ଗିଲା ଆଖି ଦିଓଟି ବିହ୍ୱଳ ହୋଇ ଚାହିଁ ରହିଲା, ତା’ର କୁଲୁକୁଲିଆ ପୂରିଲା ପୂରିଲା ନିଖୁଣ ମୁହଁକୁ । ଅମିତାବି ଚାହିଁରହିଥିଲା ସେହି ଅଦ୍ଭୁତ ମଦୁଆ ଡ୍ରାଇଭରକୁ, କୁତୂହଳୀ ହୋଇ ଶ୍ୟାମଳ ବର୍ଣ୍ଣର ଅର୍ଘାତିଆ ମଣିଷ, ମୋଟା ଦେହ, ଗୋଲିଆ ମାଉଁସିଆ ମୁହଁରେ ଲମ୍ବ ନାକ । ବଡ଼ବଡ଼ ନିଶ ଧଳାକଳା ବାଳର ମିଶ୍ରଣ । ରୁଢ଼ ବଲବଲ କଦମ୍ବ–ଫୁଲିଆ ଥୋମଣି । ଛୋଟ ଛୋଟ ଆଖି ଅଳପ ରଙ୍ଗ ଦିଶୁଛି । ଚଉଡ଼ା କପାଳ ଉପରେ ଗହିଡ଼ା କଟା ଦାଗ । ମୁଣ୍ଡର କେଶ ଅଲରା ହୋଇ ଫୁର୍‌ଫୁର୍‌ ଉଡ଼ୁଛି । ଦେହର ଜାମା ପେଟ ଉପରେ ଫୁଲି ଉଠିଛି । ଥନ୍ତଲପେଟ । ପିନ୍ଧିଥିବା ମଇଳା ଖାକିରଙ୍ଗର ପ୍ୟାଣ୍ଟ ଉପରେ କଳା କଳା ଦାଗ । ଟଳି ଟଳି ଚାଲୁଛି, ସତେ କି ଢଳି ପଡ଼ିବ !

ଅମିତା ମୁହଁବୁଲାଇ ଚାଲିଯାଉଥିଲା; ଅଧର ଡ୍ରାଇଭର ଡାକିଲେ, ହେ ଝିଅ, ଶୁଣ ତ !

ଅମିତା ଅଟକିଲା । ମୁହଁ ବୁଲାଇ ପଚାରିଲା, କ’ଣ ?

ଅଛି ।

କେତେ ଦୂର ହେବ ?

ପାଖରେ ତ, ଏଇ ଜଙ୍ଗଲ ଭିତରେ ସେ ଯେଉଁ ଛୋଟ ପାହାଡ଼ଟି ଦିଶୁଛି, ଡେଙ୍ଗା ଡେଙ୍ଗା ଗଛ, ତାଆରି ତଳେ । ଆଣ୍ଠୁଏ ପାଣି ଗଡ଼ି ଚାଲିଛି, ପରିଷ୍କାର ପାଣି ।

ଅଧର ମଣ୍ଡଳ ମୁଣ୍ଡ ହଲାଇଲେ । ଜିପ୍‌ ଭିତରୁ ଗୋଟିଏ ବଡ଼ କାଚ ଗ୍ଲାସ୍ ଟାଣିଆଣି କହିଲେ, ମତେ ଶୋଷ କରୁଛି, ପାଣି ଗିଲାସେ ଦେଇ ପାରିବ କି ମା’ ?

ଅମିତା ପାଖକୁ ଆସିଲା । ତା’ ଦେଖାଦେଖି ଅନ୍ୟ ପିଲାମାନେ ପାଖେଇ ଆସିଲେ । ଅମିତା ପାଣିଲୋଟା ତଳେ ରଖି କହିଲା, ଆପଣ ଏ ପାଣି ବ୍ୟବହାର କରନ୍ତୁ । ମୁଁ ପୁଣି ନାଳକୁ ଯାଇ ଆଉ ନୋଟାଏ ନେଇ ଆସିବି । ବେଶି ଦୂର ତ ନୁହେଁ ।

 

ଅଧର ଗିଲାସ ଦେଖାଇ କହିଲେ, ଏଇଥିରେ ପାଣି ଭରି ଦିଅ । ଗିଲାସେ ହେଲେ ମୋର ଚଳିବ ।

 

ଅମିତା ଲୋଟା ଟେକି ପାଣି ଅଜାଡ଼ିଲା । ଅଧର ଦୁଇ ଗ୍ଲାସ୍ ପାଣି ଢକଢ଼କ କରି ପିଇଲେ । ଆହୁରି ଗିଲାସେ ନେଇ ମୁହଁ ଧୋଇଲେ ! ମୁଣ୍ଡର ଅଲରା ବାଳକୁ ଅଙ୍ଗୁଠିରେ ସଜାଡ଼ି ଦେଇ କୃତଜ୍ଞତା ଦେଖାଇବାକୁ କହିଲେ, ତୁମର କଥା ଠିକ୍‌ ହେଲା, ଲୋଟାକ ପାଣି ସରିଗଲା । ପୁଣି ତୁମକୁ ନାଳକୁ ଯିବାକୁ ପଡ଼ିବ ।

 

ଲୋଟା ଉଠାଇ ଅମିତା କହିଲା, ଚିନ୍ତା ନାହିଁ । ତୃଷାର୍ତ୍ତକୁ ଜଳ, କ୍ଷୁଧାର୍ତ୍ତକୁ ଅନ୍ନ, ଆଉ ବସ୍ତ୍ରହୀନକୁ ବସ୍ତ୍ର ଦେବା ତ ସୌଭାଗ୍ୟର କଥା । ଆଉ କିଛି ଦେବାକୁ ଯାହାର ସମ୍ବଳ ନାହିଁ, ପାଣି ମନ୍ଦିଏ ଦେଇ ଅତି ଶସ୍ତାରେ ସେ ସୌଭାଗ୍ୟ ଅର୍ଜନ କରିବ ।

 

ଅଧରଙ୍କର ରୁକ୍ଷମୁଖ ଉପରେ ଆନନ୍ଦର ଚଳନ୍ତି ଆଲୁଅ ଖେଳିଗଲା । ଓଠ ଦିଓଟି ଅଳପ ଖୋଲିଲା । କାନରେ ପୁଣି ବାଜିଲା ପରି ମନେହେଲା ସେହି ବାକ୍ୟଟି,–ତୃଷାର୍ତ୍ତକୁ ଜଳ, କ୍ଷୁଧିତକୁ ଅନ୍ନ, ଆଉ ବସ୍ତ୍ରହୀନକୁ ବସ୍ତ୍ରଦେବା ସୌଭାଗ୍ୟର କଥା !

 

କେଉଁଠି ଶୁଣିଥିଲେ ସେ ଏହି ଅତି ପୁରୁଣା ଅଥଚ ମଣିଷ ମନର ସହାନୁଭୂତି–ଦୋହଲା ବିନୟ–ଭରା କରୁଣ ରାଗିଣୀ ? କେଉଁ ପୁରୁଣା ବୀଣାର କଳଙ୍କିଲଗା ତାରକୁ ଝଙ୍କୃତ କରୁଛି ସେହି ମନଥରା ସଙ୍ଗୀତଟି । ଭାସିଆସୁଛି ଦୂର ଦୂରାନ୍ତରୁ, ଭୁଲା ଅତୀତର ଗହ୍ୱରରୁ । ସ୍ମୃତିର ଆଲୁଅ ମୁହୂର୍ତ୍ତକରେ ଅତୀତ ଅନ୍ଧାରକୁ ଅଣ୍ଡାଳିଲା । ଉଭାହେଲା ଆଖି ଆଗରେ ତାଙ୍କର ଖୁସିବାସିଆ ଟଣା–ଓଟରା ସୁଖର ସଂସାର; ଆଉ ସେହି ସଂସାର ଭିତରେ ଆତଯାତ ହେଉଥିବା ଚଳନ୍ତି ବୀଣାଟି । ରକ୍ତ–ମାଂସର ବୀଣା–ସାମାଜିକ କର୍ତ୍ତବ୍ୟ, ଆତ୍ମୀୟ–ସ୍ୱଜନଙ୍କ ପ୍ରତି ସ୍ନେହ, ଅପରିଚିତ ହେଲେ କି ଦୁସ୍ଥ ଅଭାବଗ୍ରସ୍ତଙ୍କ ପ୍ରତି ସହାନୁଭୂତି, ଦେବଦେବୀ ଓ ଗୁରୁଜନଙ୍କ ପ୍ରତି ଅନାବିକ ସମ୍ମାନ ଓ ଅଚଳା ଭକ୍ତି,–ସବୁ ରସରେ ଭରପୂର ଯେଉଁ ବୀଣାଟି । କେତେବେଳେ କେଉଁ ରାଗରେ ଝଙ୍କୃତ ହୁଏ ସେ ବୀଣା । ବାଜିଉଠେ ମନକିଣା ସଙ୍ଗୀତ !

 

ସେହି ଯେ ତାଙ୍କର ଅନିମା !

 

ଏ ନୁହେଁ, ଏଇ ଛୋଟ ଝିଅଟି, ଅନିମାଙ୍କର ରୂପ ଓ ଗଢ଼ଣର କାଣିଚାଏ କେଉଁଠି ହେଲେ ତା’ ମୁହଁରେ ସେ ଦେଖିପାରୁ ନାହାନ୍ତି; କିନ୍ତୁ ଅନିମାଙ୍କର ପ୍ରିୟ ଭାଷା ନିର୍ଗତ ହେଲା, ତା’ର ଛନଛନିଆ ସୁନ୍ଦର ମୁହଁରୁ । କିଏ ସେ, କାହାର ତନୟା ?

 

ଅଧର ମଣ୍ଡଳ ନିଃଶ୍ୱାସ ଢୋକିଲେ । ଦୁଇ ହାତରେ ଆଖି ମଳିଲେ । ଦେଖିଲେ, ତାଙ୍କ ଆଡ଼କୁ ପଛକରି ଝିଅଟି ଗୋଟିଏ ହାତରେ ଖାଲି ଲୋଟା ଓ ଆର ହାତରେ ଓଦାଲୁଗାଧରି ନାଳ ଆଡ଼କୁ ଫେରି ଯାଉଛି । ତା’ର ଚାଲି ଓ ଦେହ ଦୋହଲାର ଭଙ୍ଗୀରେ ସେ ଅନୁଭବ କଲେ ଜଣାଜଣା ରୀତି । ଦେହ ଶିହରି ଉଠିଲା । ଟଳଟଳ ହୋଇ କେଇ ପାଦ ଆଗକୁ ଯାଇ ସେ ଥରିଲା ସ୍ୱରରେ ଡାକ ଛାଡ଼ିଲେ, ମା’– !

 

ସେ ଡାକ ଅମିତାର କାନରେ ବାଜିଲା । ସେ ଅଟକିଲା । ଫେରି ଚାହିଁଲା । ଡ୍ରାଇଭର ମଦୁଆ, ଅଧା ପାଗଳ ହୋଇପାରେ, ଗୁଣ୍ଡାଟାଏବି ହୋଇପାରେ । କ୍ରୋଧରେ ଓ ଘୃଣାରେ ତା’ର ମୁହଁ ଫଣଫଣ ହେଲା । ସେ ବିରକ୍ତିସୂଚକ ସ୍ୱରରେ ଉତ୍ତର ଦେଲା, କ’ଣ ?

 

ଟିକିଏ ରହ ।

 

ଅମିତା ଅପେକ୍ଷା କଲା । ଅଧର ମଣ୍ଡଳ ତା’ ପାଖକୁ ଯାଇ ଆଉଥରେ ତା’ ମୁହଁକୁ ତୀକ୍ଷ୍ଣଦୃଷ୍ଟିରେ ଅନାଇଲେ । ଯାହା ସେ ଖୋଜୁଥିଲେ, ତା’ର ଆଭାସ ପାଇଲେ ନାହିଁ । କଅଁଳେଇ କହିଲେ, ତୁମେ ଅତି ଭଲ ଝିଅ, ତମର ମନରେ ଦୟାଭାବ ଅଛି । ତୁମର ନାମଟି ତୁମର ରୂପ ଓ ମନ ପରି ଅବଶ୍ୟ ସୁନ୍ଦର ହୋଇଥିବ । କ’ଣ ତୁମର ନାମ ?

 

ମୋ ନାମରୁ ଆପଣଙ୍କୁ କ’ଣ ମିଳିବ ? ରୂପ ସଙ୍ଗେ କି ଗୁଣ ସଙ୍ଗେ ନାମର ସମ୍ବନ୍ଧ ନଥାଏ । ଆପଣଙ୍କର ନାମ କ’ଣ ଆଗ କୁହନ୍ତୁ ତ ଦେଖି ?

 

ଅଧର କହିଲେ, ବାଃ, ଠିକ୍‌ କହିଲ ଝିଅ ! ତୁମେ ବୁଦ୍ଧିମତୀ । ରୂପ ଓ ଗୁଣ ସଙ୍ଗେ ନାମର ସମ୍ବନ୍ଧ ନଥାଏ । ମୋ ନାମ ଜାଣିବାକୁ ତୁମେ ଚାହୁଁଛ ପରା, କହୁଛି, ନାକ ଟେକିବ ନାହିଁ କି ଡରିବ ନାହିଁ । ମୋ ନାମ ଅଧମ ଚଣ୍ଡାଳ । ଏବେ କହ ତ ମା’, ରୂପଗୁଣ ଓ ନାମର ସମତା ଅଛି କି ନାହିଁ ? ଏଥର ତୁମର ନାମଟି କହିଦିଅ– ।

 

ଅମିତା ହସୁହସୁ ହସ ଅଟକାଇଲା । କହିଲା, ଆପଣଙ୍କର ନାମଟି ଅଦ୍ଭୁତ କିମ୍ବା ସତ ନ ହୋଇପାରେ । ତେବେ ଯେଉଁ ନାମଟି କହିଲେ, ସେଇଟି ଆପଣଙ୍କ ସଙ୍ଗେ ବେଶ୍‌ ମିଳୁଛି । ମୋ ନାମ ଅମିତା–

 

ଅଧର ମଣ୍ଡଳ ଚମକି ଉଠିଲେ । ପଚାରିଲେ, ଅମିତା, ବେଶ୍‌ ସୁନ୍ଦର ନାମଟି । ତୁମର ଭାଇଭଉଣୀ କେଇଟି ?

 

ମୋର ଆଉ କେହି ଭାଇଭଉଣୀ ନାହାନ୍ତି କି କେହି କେବେ ନଥିଲେ । ବାପମାଆଙ୍କର ମୁଁ ଗୋଟିଏ ସନ୍ତାନ ।

 

ତୁମର ବାପାଙ୍କର ନାମ କ’ଣ ଅମିତା ?

 

ଅମିତା ପଚାରିଲେ, କାହିଁକି ଆମ ସମ୍ବନ୍ଧରେ ଆପଣ ଏତେ ଖବର ରଖିବାକୁ ଚାହାନ୍ତି-? ଆପଣଙ୍କର ପୁଅଝିଅ କେଇଟି ଆଗ କହନ୍ତୁ ।

 

ମୋର ଗୋଟିଏ ବୋଲି ଝିଅ, ତା’ ନାମ ଗାୟତ୍ରୀ । ତୁମରି ପରି ସେ ହେବ । ସେ ମାତୃହରା । ତୁମକୁ ଦେଖି ଗାୟତ୍ରୀ ମୋର ମନେ ପଡ଼ୁଛି । ସେଇଥିପାଇଁ ତୁମକୁ ମୁଁ ତୁମର କଥା ଏତେ ପଚାରୁଛି ।

 

ତୁମର ଝିଅ ଯେମିତି ମାତୃହରା, ମୁଁ ସେମିତି ପିତୃହରା । କହୁ କହୁ ଅମିତାର ଦୁଇ ଆଖିରେ ଲୁହ ଢଳଢ଼ଳ ହେଲା । ପୁଣି କହିଲା, ମୋର ବାପା ପାକିସ୍ଥାନରୁ ଆସି ପାରି ନାହାନ୍ତି । କେଜାଣି ସେ ଯଦି କେବେ ଚାଲି ଆସିଥିବେ ଆଜିଯାଏ ତାଙ୍କର କୌଣସି ଖବର ମିଳିଲା ନାହିଁ । ତାଙ୍କୁ କେବେ ଦେଖିଲା ପରି ମୋର ମନେ ହେଉ ନାହିଁ । ମୁଁ ପିଲାଟିଏ ହୋଇଥିଲି ସେ ହଜିଗଲେ ମୋର ବାପାଙ୍କର ନାମ ଅଧର ମଣ୍ଡଳ ।

 

ଅଧର ମଣ୍ଡଳଙ୍କ ମୁଣ୍ଡରେ ସତେ କି ସହସା ବଜ୍ରପାତ ହେଲା । ସତେ କି କେଉଁ ଅଜଣା ଆତତାୟୀ ତାଙ୍କର ଛାତିରେ ଶାଣିତ ଛୁରିକା ବିଦ୍ଧ କଲା । ସେ ଅବୋଧ୍ୟ ଚିତ୍କାର କରି ଆଖି ବୁଜି ତଳେ ବସି ପଡ଼ିଲେ । ଛାତିରେ ଦୁଇ ହାତ ଚାପି ଧରିଲେ । ମୁଣ୍ଡ ଭ୍ରମିବାକୁ ଲାଗିଲା । ଉତ୍ତେଜିତ ବ୍ୟଥିତ ମନରେ ବାତ୍ୟା ବିକ୍ଷୋଭିତ ସାଗରର ଲହଡ଼ି ପରି ପ୍ରଶ୍ନଗୁଡ଼ିଏ ବାରମ୍ବାର ମୁଣ୍ଡ ଟେକି କଚାଡ଼ି ହୋଇ ପଡ଼ିଲା । କାହିଁ ତାଙ୍କର ଅମିତାଭ, ମଣ୍ଡଳ ବଂଶର, ତାଙ୍କ କୁଳର ଶେଷ ସମ୍ବଳଟି ? ପାକିସ୍ଥାନୀ ଗୁଣ୍ଡାଦଳଙ୍କ ହାତରେ ସେ ତେବେ ନିହତ ହୋଇଥିଲା ? ଏହାହିଁ ସେ ବିଶ୍ୱାସ କରିଥିଲେ ।

 

କିଏ ଏ ଝିଅଟି, କେଉଁ ଅଧର ମଣ୍ଡଳର କନ୍ୟା ? କେଉଁ ପାକିସ୍ଥାନୀ ମୁସଲମାନ ଗୁଣ୍ଡାର କନ୍ୟା ନୁହେଁ କି ସେ ? କେତେ ନାରୀ ଅପହୃତା ହୋଇଥିଲେ, ଧର୍ଷିତା ହୋଇଥିଲେ । କେତେ କାହାକୁ ନିକା ହୋଇ ମୁସଲମାନୀ ଘରଣୀ ହୋଇ ସଂସାର କରୁଛନ୍ତି । ଏହିପରି କେଉଁ ଘରଣୀ ହୋଇଥିଲେ ଅନିମା ? ନୂତନ ଅବାସ୍ତବ ସଂସାରରୁ ମୁକ୍ତି ଲଭି ପଳାଇ ଆସିବାକୁ ଚେଷ୍ଟାକରି ସଫଳ ହୋଇଥିଲେ ?

 

ଆସିଥିଲେ ଏହି ଆଶାରେ ଯେ, ଶକ୍ତିହୀନା ଆୟତ୍ତ ହୀନ ହୋଇ, ମନ ନିର୍ମଳ ରଖି, ଦେହ ଉପରେ ଯେତେ ଅତ୍ୟାଚାର ସହିଲେ ମଧ୍ୟ ସେ ତାଙ୍କ ସ୍ୱାମୀଙ୍କର ଗ୍ରହଣୀୟ ହେବେ ? ମନର ପବିତ୍ରତା ଦେହର କଳୁଷକୁ ଧୋଇ ନିର୍ମଳ କରିବ ? ଆଉ, ଦେହରୁ ଜନମି ଥିବା ପୁତ୍ର ଓ କନ୍ୟା ସେହି ଧାରଣାରେ ପବିତ୍ର ବୋଲି ଗୃହୀତ ହେବେ ? ଜନନୀର ସ୍ୱାମୀ ତାଙ୍କୁ ନିଜର ପୁତ୍ର କନ୍ୟା ବୋଲି ଗ୍ରହଣ କରିବେ, ସମାଜ ଅନୁମୋଦନ କରିବ ? ଅଥବା, ପୁତ୍ରହରା ଅନିମା ଏ ଦେଶକୁ ଆସି କେଉଁଠି ପ୍ରବଳ ପ୍ରଲୋଭନ ପାଖରେ ଆତ୍ମସମର୍ପଣ କରି ଦୁନିଆକୁ ଆସିଛନ୍ତି କନ୍ୟାଟିଏ, ଯାହାର ନାମ ଅମିତା ?

 

ସବୁ ସମ୍ଭବ ହୋଇପାରେ ଏ ଦୁନିଆରେ । ମଣିଷ ଜାତି ସବୁ ଅସମ୍ଭବକୁ ସମ୍ଭବ କରିପାରେ । ଯେଉଁ ଧର୍ଷିତା ଓ ଲୋକ ଧାରଣାରେ ପତିତା କନ୍ୟାଟିକୁ ଉଦ୍ଧାର କରି କୋଳକୁ ନେଇଛନ୍ତି, ଅତି ସ୍ନେହରେ ଯାହାର ନାମ ଦେଇଛନ୍ତି ଗାୟତ୍ରୀ, ସେ ବି ସର୍ବ–ସହଣି ଅନୁଗତ କନ୍ୟାଟିଏ ତାଙ୍କର; ଯାହାପାଇଁ ସେ ଅଦ୍ୟାପି ବଞ୍ଚି ରହିଛନ୍ତି । ସେ କ’ଣ ତୁଳସୀ ବୃକ୍ଷ ପରି ପବିତ୍ର ନୁହେଁ, ସମାଜରେ ଗ୍ରହଣୀୟ ନୁହେଁ ? କାହିଁକି ତେବେ ସେ ଅନିମାଙ୍କୁ ତାଙ୍କର ପତ୍ନୀତ୍ୱର ଅଧିକାର ଦେବେ ନାହିଁ ? ତାଙ୍କର କନ୍ୟା ଅମିତାକୁ ନିଜର କନ୍ୟା ବୋଲି ଗ୍ରହଣ କରିବେ ନାହିଁ ?

 

ଅନିମା, ମଣ୍ଡଳ ବଂଶର ଲକ୍ଷ୍ମୀ–କୁଳବଧୂ !

 

କିନ୍ତୁ ଅମିତାର ଜନନୀ କ’ଣ ଅନିମା ? ଆଉ କିଏ ହୋଇ ଥାଇପାରେ । ଝିଅଟିକୁ ତା’ର ମାତାର ନାମ ସେ ପଚାରି ପାରିଲେ ନାହିଁ । ପଳାତକ ଆଶ୍ରୟ ପ୍ରାର୍ଥୀମାନଙ୍କ ମଧ୍ୟରେ କେତେ ଅଧର ମଣ୍ଡଳ ଥାଇପାରନ୍ତି । କେଉଁ ଅଧର ମଣ୍ଡଳର ଆତ୍ମଜ ହୋଇଥିବ ସେ ଝିଅଟି ଅମିତା । ଅନ୍ୟର ସଂସାର ଓ ଭଲମନ୍ଦ ବିଷୟରେ ଚର୍ଚ୍ଚା କରିବା ତାଙ୍କର ପ୍ରକୃତିବିରୁଦ୍ଧ । ଅଧର ମଣ୍ଡଳ କେବଠୁ ମରିଛନ୍ତି । ସେ ଅଧମ ଚଣ୍ଡାଳ କେଉଁ ଅଶୁଭ ମୁହୂର୍ତ୍ତରେ ଜନମ ଲଭିଥିଲେ, ଚାଲି ଯିବାକୁ ସତତ ପ୍ରସ୍ତୁତ । ସେ ଏକାକୀ, ହଁ ସେ ଏକାକୀ ।

 

ଅଧର ମଣ୍ଡଳ ପ୍ରକୃତିସ୍ଥ ହେଲେ । ଉଠି ଠିଆହେଲେ । ଅଜାଣତରେ ଝରି ଆସୁଥିବା ଲୁହ ହାତ ପାପୁଲିରେ ପୋଛିଲେ, ଆଗକୁ ଚାହିଁଲେ । ଅମିତା ଅରଣ୍ୟ ପଥରେ ଗଛ ଲଟାର ପଛ ଆଡ଼େ ଲୁଚି ଯାଇଛି । ତାଙ୍କର ମନେ ହେଲା, ଗୋଟିଏ ଅନ୍ଧାର ରାତିର ଅତି ଭୟଙ୍କର ସ୍ୱପ୍ନଟାଏ ନିଶୀଥର ଅଚାନକ ଶୁଖିଲା ଘଡ଼ଘଡ଼ିର ରଡ଼ିରେ ହଠାତ୍‌ ଭାଙ୍ଗି ଯାଇଛି । ଦେହ ଥରୁଛି । ଆଗପରି କିଟିକିଟି ଅନ୍ଧାର ଘୋଟି ରହିଛି ।

 

ହର୍ଣ୍ଣର ଶବଦ ହେଲା । ମୁହଁ ବୁଲାଇ ଅଧର ଜିପ୍‌–ଗାଡ଼ି ଆଡ଼କୁ ଚାହିଁଲେ । ଇଞ୍ଜିନିୟର୍ ଗାଡ଼ିକୁ ଧରି ଠିଆ ହୋଇଛନ୍ତି । ଆଉ କେତେଜଣ ଲୋକ ତାଙ୍କ ପାଖରେ ରୁଣ୍ଡ ହୋଇଛନ୍ତି । ଇଞ୍ଜିନିୟର୍‍ଙ୍କର କାର୍ଯ୍ୟ ବୋଧହୁଏ ସରିଛି ।

 

ବେଳ ଏଗାରଟା ଟପିଗଲାଣି । ଆଗରୁ ତାଙ୍କର ପ୍ରୋଗ୍ରାମ୍‌ ଥିଲା ଯେ ମାଲକାନଗିରିରେ କାର୍ଯ୍ୟ ଶେଷକରି ସେ ବାଲିମେଲା ଯିବେ । ରାତିରେ ସେ ଅରଣ୍ୟ ଭିତର ବଙ୍ଗଳାରେ ରହିବେ । କାଲି ସକାଳେ ଫେରିଯିବେ ଉମରକୋଟ । ଆଗରୁ ମାଲକାନଗିରିରେ ଯେଉଁ ଇଞ୍ଜିନିୟର୍ ଥିଲେ ସେ ଛୁଟିରେ ଯାଇଛନ୍ତି କି ଆଉ କୁଆଡ଼କୁ ବଦଳି ହୋଇଛନ୍ତି । ତାଙ୍କ ସ୍ଥାନରେ ସ୍ଥାୟୀ ବନ୍ଦୋବସ୍ତ ହୋଇ ନାହିଁ । ଉମରକୋଟର ଏହି ଟୋକା ଇଞ୍ଜିନିୟର୍ ଦୁଇ ଜୋନ୍‍ର ଦାୟିତ୍ୱରେ ଅସ୍ଥାୟୀ ଭାବରେ ରହିଛନ୍ତି ।

 

ସେ ଡାକିଲେ, ଅଧମ !

 

ଅଧର ମଣ୍ଡଳ ପଚାଶ ହାତ ଦୂରରୁ ଗଳା ସଫାକରି ଉଚ୍ଚ ସ୍ୱରରେ ଉତ୍ତର ଦେଲେ, ଯାଉଛି ସାର୍‌ ।

 

ଶୀଘ୍ର ଆସ, ଡେରି ହୋଇଗଲା ।

 

ଏପରି ଆଦେଶ ସେ ଅନେକ ଲୋକଙ୍କଠାରୁ ଶୁଣିଛନ୍ତି । ସେଥିପାଇଁ ସେ ମୋଟେ ବିଚଳିତ ନୁହନ୍ତି । ଡେରି ହେଲା ବୋଲି ଅଭିଯୋଗ ଯେଉଁ କାନେ କରନ୍ତି ତାଙ୍କର ଆଗରୁ ସତର୍କ ହେବା ଉଚିତ । ବୃଥା ଗଳ୍ପ କରି ଚାହାପାଣି ପିଇ ସମୟ ନଷ୍ଟ କରିବା ଉଚିତ ନଥିଲା । ସେ କଥା ସେ ବୁଝନ୍ତୁ । ଉତ୍ତର ନ ଦେଇ ଧୀରେ ସୁସ୍ଥେ ଦୋହଲି ଦୋହଲି ଅଧର ଜିପ୍‌–ଗାଡ଼ି ପାଖକୁ ଗଲେ-। ଡ୍ରାଇଭର ସିଟ୍‌ରେ ବସି ଇଞ୍ଜନ୍‌ ଷ୍ଟାର୍ଟ୍ କଲେ । ପିଅନ୍‌ ବସିଲା ପଛ ସିଟ୍‌ରେ । ତା’ ପାଖରେ ଆଉ ଜଣେ କିଏ କ୍ୟାମ୍ପ୍‍ବାସିନ୍ଦା ବସିଲେ । ହାକିମ ଆଗ ସିଟ୍‌କୁ ଆସିଲେ । ତଥାପି ତାଙ୍କର ଗପ ସରିଲା ନାହିଁ ।

 

କ୍ୟାମ୍ପ୍‍ ବାସିନ୍ଦା ଆହୁରି କେତେ ଅଭିଯୋଗ କରୁଥାନ୍ତି—ପ୍ରଶ୍ନ ପଚାରୁଥାନ୍ତି, କେବେ ଜଙ୍ଗଲ ସଫା ହେବ ଓ ଗ୍ରାମମାନ ବସିବ, ଭତ୍ତା ମିଳିବାରେ ଡେରି ହେଉଛି, ବାରମ୍ବାର ନଳ–କୂଅ ବିଗୁଡ଼ୁଛି, ଟେଣ୍ଟ୍ ଭିତରକୁ ସାପ ପଶୁଛନ୍ତି, ରାତିରେ ପାଖ ଜଙ୍ଗଲରୁ ବାଘ ବୋବାଉଛି, ମାଲକାନଗିରିରେ ମାଛ ମିଳୁ ନାହିଁ,–

 

ଇଞ୍ଜିନିୟର୍ କହିଲେ, ଏ ସବୁ ବିଷୟ ସ୍ଥାନୀୟ ଥଇଥାନ ଅଫିସରଙ୍କୁ କୁହ, ସେ ପ୍ରତିକାର କରି ପାରିବେ । ଏଥର ଗାଡ଼ି ଚଳାଅ ଚଣ୍ଡାଳ, ଆମେ ଆଜି ଜୟପୁର ଯିବା । ସେଇଠି ମଧ୍ୟାହ୍ନ ଭୋଜନ । ତା’ପରେ–

 

ହାକିମ ତୁନି ହେଲେ । ଗାଡ଼ି ଷ୍ଟାର୍ଟ୍ ହୋଇଛି, କିନ୍ତୁ ଡ୍ରାଇଭର ଚଳାଉ ନାହିଁ । ଷ୍ଟିଅରିଂ ଉପରେ ହାତ ରଖି ସେ ଅରଣ୍ୟ ଆଡ଼କୁ ଅନାଇଛି ।

 

ଟୋକା ହାକିମ ତେଣିକି ଚାହିଁଲେ । ଦେଖିଲେ, ଅଳ୍ପ ଦୂରରେ ବନ–ପଥରେ ଆସୁଛନ୍ତି କେତେ ନାରୀ । ସଙ୍ଗରେ ଛୋଟ ଛୋଟ ପୁଅଝିଅ । କାହାରି କାହାରି କାଖରେ ଜଳଭରା କଳସୀ । ସେ ମୁଡ଼ୁକେଇ ହସିଲେ । ମଦ୍ୟପ ଅଧମ ଚଣ୍ଡାଳ ଡ୍ରାଇଭରଙ୍କର ଭାବ–ରାଜ୍ୟରେ ହଠାତ୍‌ କି ଆନ୍ଦୋଳନ ସୃଷ୍ଟି ହୋଇଛି ? ସେ କୁତୂହଳୀ ହୋଇ ଅଧର ମଣ୍ଡଳର ପିଠିରେ ହାତ ରଖି ଧୀରେ ଧୀରେ କହିଲେ, କ’ଣ ଦେଖୁଛ, ଡେରି ହେଲାଣି, ଗାଡ଼ି ଚଳାଅ ।

 

ଅଧର ମୁହଁ ଫେରାଇଲେ । ଦୁଇ ଆଖିରେ ଢଳଢ଼ଳ ଲୁହ । ହାତ ପାପୁଲିରେ ଲୁହପୋଛି ସେ ଗାଡ଼ି ଚଳାଇ ରାସ୍ତା ଉପରକୁ ଆଣିଲେ ।

 

ହାକିମ ବିସ୍ମିତ ହୋଇ ପଚାରିଲେ, ତୁମେ କାନ୍ଦୁଛ କାହିଁକି ଅଧମ, ଆଜି ତୁମର କ’ଣ ହୋଇଛି ଶୁଣେ ?

 

ଅଧର ମନେମନେ ତା’ର ଉତ୍ତର ଦେଲେ, ଆଜିଯାଏ ଉଦ୍ୟମ କରିଥିଲି ସାର୍‌, ଦୁଃଖ କରିଥିଲି ସିନା କାନ୍ଦି ନଥିଲି । ମୋର ହିମାଳୟ ପରି ଦୁଃଖକୁ ମଦର ନିଶାରେ ବୁଡ଼େଇ ରଖିଥିଲି । ସ୍ୱପ୍ନ ଦେଖୁଥିଲି, ସ୍ୱପ୍ନ ! ସ୍ୱପ୍ନ ମୋର ଭାଙ୍ଗିଛି । ମୋର ଅସରନ୍ତି ଅସୀମ ନୈରାଶ୍ୟର ସାଗରରେ ଦୁଃଖର ପାହାଡ଼ ବୁଡ଼ିଛି । ତା’ ସଙ୍ଗେ ସଙ୍ଗେ ମରିଛି ଅଧର ମଣ୍ଡଳ । ଲୋତକର ଧାର ଅର୍ଘ୍ୟ ଦେଇ ଅଧର ମଣ୍ଡଳର ଆତ୍ମା ସ୍ୱର୍ଗଗାମୀ ହେବାକୁ ନୁହେଁ ନରକଗାମୀ ହେବାକୁ, ମୁଁ ଅଧମ ଚଣ୍ଡାଳ, ତର୍ପଣ କରୁଥିଲି ସାର୍‌, ମୋ କର୍ମ ସରିଛି । ଗାଡ଼ି ଏଥର ଭଲରେ ଚାଲିବ । ଆପଣ ନିର୍ଭୟରେ ନିଶ୍ଚିନ୍ତରେ ବସନ୍ତୁ ।

 

ଗାଡ଼ି ଦ୍ରୁତ ବେଗରେ ଚାଲିଲା ।

 

ଅଧର ମଣ୍ଡଳଙ୍କୁ ନିରୁତ୍ତର ଦେଖି ହାକିମ ପଚାରିଲେ, ତୁନି ରହିଲ କାହିଁକି ? ନୀରବରେ ଅଶ୍ରୁ ଢାଳୁଥିଲ, କାହାର ପ୍ରେମରେ ପଡ଼ିଛ କି ଅଧମ ଚଣ୍ଡାଳ, ହତାଶ ହୋଇ ଅନୁତାପ କରୁଛ ?

 

ଅଧର ମଣ୍ଡଳ ଉତ୍ତର ଦେଲେ, ଆପଣଙ୍କର ଚିନ୍ତା ଶକ୍ତି ଅତି ପ୍ରଖର । ଆଖିରେ ପାଣି ଦେଖି ମନର ପ୍ରକ୍ରିୟା ଆପଣ ନିର୍ଭୁଲକରି ଅନୁମାନ କରନ୍ତି ! ସତକୁ ସତ ମୁଁ ଆଜି ପ୍ରେମରେ ପଡ଼ିଲି ସାର୍‌, ନିଜର ପ୍ରେମରେ । ଡେରି ହୋଇଗଲା ବୋଲି ମୋର ମନ ବିଳପି ଉଠିଲା ସାର୍‌, ଆଖିରେ ଭରିଲା ଲୁହ । ଲୁହ ପୋଛା ସରିଛି ।

 

ଚାଳିଶ

 

ଅଧମ ଚଣ୍ଡାଳଙ୍କର ଆଖିରୁ ଆଉ ଲୁହ ଗଡ଼ୁ ନାହିଁ । ହୃଦୟ ଭିତରେ ଯେଉଁ ବେଦନାର ସିନ୍ଧୁ ଉଦ୍‌ବେଳିତ ହେଉଥିଲା ସେ ମଧ୍ୟ ସ୍ଥିର, ଅଚଞ୍ଚଳ । ଢେଉଟିଏବି ତହିଁରେ ଉଠୁନାହିଁ । ମନ ଭିତରେ ଶୂନ୍ୟ । ଆଖି ଦେଖୁଛି ମାଲକାନଗିରି–ଜୟପୁର ରାସ୍ତାକୁ,–ଖାଲ ଢିପ, ପଡ଼ା ଉଠା, ସିଧାସଳଖ, ମଣିଷ ଓ ଗାଈଗୋରୁ, ଛୋଟ ବଡ଼ ଘାଟି । ଷ୍ଟିଅରିଂ ଉପରେ ହାତ । ଆକ୍‌ସିଲେଟ୍‌ର ଉପରେ ପାଦ । ଆଖିକାନ ହାତଗୋଡ଼ ସମସ୍ତେ ଆପେଆପେ ନିଜର କାମ କରି ଯାଉଛନ୍ତି, ଯେପରି ସମସ୍ତେ ସେହି ଚଳନ୍ତା–ଯନ୍ତ୍ରର ଗୋଟିଏ ଗୋଟିଏ ଅଂଶ ।

 

ଘଣ୍ଟାକୁ ତିରିଶ ମାଇଲ ହାରରେ ଜିପ୍‌ଗାଡ଼ି ଚାଲିଛି । ଆପେଆପେ ସେ ଗତି କେଉଁଠି କମି ଆସୁଛି, ପୁଣି ବଢ଼ିବଢ଼ିକା ତିରିଶ ମାଇଲଯାଏ ଉଠୁଛି । ଦୁଇ ପାଖର ଅରଣ୍ୟ ଓ ସେହି ଅରଣ୍ୟ ମଝିରେ କାଁଭାଁ ଗହୀର, କଦବା କେଉଁଠି ମୁଣ୍ଡିଆ କି ଅକର୍ମଶୀଳା, ଛୋଟବଡ଼ ନାଳ ଗତିଶୀଳ ହୋଇଛନ୍ତି ।

 

ଅନ୍ୟ ଆରୋହୀମାନେ ଚାହିଁ ରହିଛନ୍ତି କିନ୍ତୁ ଚଣ୍ଡାଳଙ୍କର ଦୃଷ୍ଟି ଆଗୁଆ ରାସ୍ତା ଉପରେ ସ୍ଥିର । ଟୋକା ହାକିମ ରହିରହିକା ଚଣ୍ଡାଳଙ୍କ ନିଜ ସମ୍ବନ୍ଧରେ ପଦେଅଧେ, ତାଙ୍କର ଆଗ୍ରହ ମେଣ୍ଟାଇବାକୁ ସହାନୁଭୂତି ଜରଜର ପ୍ରଶ୍ନ ପଚାରୁଛନ୍ତି । ସବୁ ପ୍ରଶ୍ନର ମୁନ ଅଛି, ସବୁ ପ୍ରଶ୍ନ ତୀକ୍ଷ୍ଣଶର ପରି ହୃଦୟରେ ଭେଦିବାର କଥା କିନ୍ତୁ, ଅଧମ ତାଙ୍କର ହୃଦୟକୁ ପଥର କରିଛନ୍ତି । ସବୁ ପ୍ରଶ୍ନ ସେହି ପଥର ଛାତିରେ ବାଜି ଦନ୍ଥରା ହେଉଛି । ତଳେ ଝଡ଼ୁଛି, ଅଥବା ଓଲଟି ଫେରୁଛି ପ୍ରଶ୍ନକର୍ତ୍ତାର ମନ ଭିତରକୁ ।

 

ଅଧମ ନିରୁତ୍ତର ।

 

ସେ ଜାଣନ୍ତି ବଡ଼ରୁ ସାନଯାଏ, ଛୋଟପିଲାରୁ ଅଶୀବର୍ଷର ବୁଢ଼ାଯାଏ ଅନ୍ୟର ଭଲମନ୍ଦ ଓ ଅନ୍ୟ ସଂସାରର ହାନିଲାଭ ଶୁଣିବାକୁ ଜାଣିବାକୁ ଆଗ୍ରହୀ । ଶୁଣିଲାବେଳେ ଆହାଉହୁ, ଚୁଚୁ କହି ସମବେଦନା ପ୍ରକାଶ କରନ୍ତି । ଉପରେ ପଡ଼ି ନରମିଆଁ ସମାଲୋଚନା କରନ୍ତି,–ୟା କରିଥିଲେ ଭଲ ହୋଇଥାନ୍ତା, ତା’ କରିଥିଲେ ମଙ୍ଗଳ ହୋଇଥାନ୍ତା । ଉପଦେଶବି ଦିଅନ୍ତି, ୟା କରନ୍ତୁ ତା’ କରନ୍ତୁ, ସମସ୍ୟାର ସୁବିଧା ଓ ଲାଭପ୍ରଦ ସମାଧାନ ହୋଇଯିବ । ସବୁ ଖବର ସଂଗ୍ରହ କରି, ମନରେ ସାଇତି ରଖି, ତାକୁ କଳ୍ପନାର ଖୋରାକ ଯୋଗାଇ ବଢ଼ାଇ ପ୍ରଚାର କରିବାକୁ ସେମାନେ କୁଣ୍ଠିତ ହୁଅନ୍ତି ନାହିଁ ।

 

ତୁନି ରହିବା ଭଲ ।

 

ଅଧମ ତୁନି ରହିଛନ୍ତି । ଜାଣନ୍ତି, କାହାରି ଦୁଃଖର ଭାଗୀ ହେବାକୁ ଅନ୍ୟ କେହି ମୁଣ୍ଡ ପାତେ ନାହିଁ । ଆପଣାର ବୋଲି ଦେଖାଇ ହେବାକୁ ବହୁତ ଲୋକ ଅଛନ୍ତି, କିନ୍ତୁ ଏ ଦୁନିଆରେ କେହି କାହାରି ନୁହେଁ । ନିଜନିଜର ସ୍ୱାର୍ଥସାଧନ ପାଇଁ ସମସ୍ତଙ୍କର ଦଉଡ଼ । କିଏ କେତେବେଳେ କେଉଁ କାରଣରୁ ଆଗେଇ ଯାଉଛି, ଅଟକି ରହୁଛି, ପଛେଇ ଯାଉଛି । ଆଗେଇଲା ଲୋକ ଝୁଣ୍ଟି ପଡ଼ୁଛି, ପଛେଇଲା ଲୋକ ଆଗକୁ କୁଦା ମାରୁଛି ।

 

ଅଧମ ଚଣ୍ଡାଳଙ୍କର ଜୀବନ ବହୁ ଅଭିଜ୍ଞତାର ବୋଝରେ ଭାରାକ୍ରାନ୍ତ ହୋଇ ଅଟକି ଯାଇଛି । ସେଇଠି ସେ ଟଳି ପଡ଼ିବେ । ଆୟୁ ଅଟକି ରହୁ ନାହିଁ, ସେ ତା’ର ଦୃଢ଼ ପଦକ୍ଷେପରେ ବଢ଼ିଚାଲିଛି । ଶିଶୁକୁ ବୃଦ୍ଧ କରୁଛି, ପୁଣି ଟଳାଇ ଦେଇ ଆଗକୁ ଚାଲିଛି । ଜୀବନ ହେଉଛି ଅତୀତ । କାଳକ୍ରମେ ସେହି ଜୀବନ ସବୁ ଅଭିଜ୍ଞତାର ବୋଝକୁ ଫିଙ୍ଗି ବିସ୍ମୃତିର ଅସୀମ ଅନ୍ଧାରି ଗହ୍ୱରରେ ନିଶ୍ଚିହ୍ନ ହେଉଛି ।

 

ତାଙ୍କର ମଧ୍ୟ ସେଇଆ ହେବ, ସେହି ଅଧର ମଣ୍ଡଳ ଅଧମ ଚଣ୍ଡାଳଙ୍କର !

 

କେଉଁଠି ସେ ଜମନିଥିଲେ, ବଢ଼ିଥିଲେ, ପାଠ ପଢ଼ିଥିଲେ । ପାଠଛାଡ଼ି କୃଷିକାର୍ଯ୍ୟରେ ମନ ଦେଇଥିଲେ, ଓ ଆଦର୍ଶ କର୍ମନିଷ୍ଠ କୃଷକ ହୋଇ ସଂସାର କରିଥିଲେ, ସବୁ ହୋଇଛି ଅତୀତ । ସ୍ୱପ୍ନର ଛବି । ଆଜି ସେ ଯାହା ସେହିଆ,–ଜଣେ ଜିପ୍‌–ଚାଳକ, ଗୃହସଂସାରହୀନ ମଦ୍ୟପ ! କାହିଁକି ଏପରି ହେଲା ? କିପରି ଏହା ସମ୍ଭବ ହେଲା ?

 

ପିଲାଟି ଦିନରୁ ସେ ଥିଲେ ସୁଧାର, ଶାନ୍ତଶିଷ୍ଟ । ପିତାମାତାଙ୍କୁ ଭକ୍ତି କରୁଥିଲେ । ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ ଓ ପଡ଼ୋଶୀଙ୍କୁ ସ୍ନେହ କରୁଥିଲେ । କୃଷିକାର୍ଯ୍ୟ ଓ ଗାଈ ବଳଦଙ୍କର ଯତ୍ନ ନେବାରେ, ଘରକାମରେ ବାପାଙ୍କୁ ସାହାଯ୍ୟ କରୁଥିଲେ । ଦେବାଦେବୀ ଓ ସନ୍ନ୍ୟାସୀ ସାଧୁଜନଙ୍କ ପ୍ରତି ତାଙ୍କର ଅଟଳ ଭକ୍ତି ଥିଲା । ହିନ୍ଦୁ ମୁସଲମାନ ଧାରଣା ମନରେ ପଶି ନଥିଲା । କାଳୀ–ମନ୍ଦିର କି ବିଷ୍ଣୁ–ମନ୍ଦିର ହେଉ, ଶିବଙ୍କର ଆସ୍ଥାନ ହେଉ କି ମସଜିଦ ହେଉ, ତାଙ୍କ ମନରେ ଅଲଗା ଧାରଣା ନଥିଲା । ଇଏ ସନ୍ନ୍ୟାସୀ, ସିଏ ଫକୀର ଏପରି ଧାରଣା ଓ ଭେଦଛେଦ ମନ ଛୁଇଁ ନଥିଲା । ସେମାନେ ମହାତ୍ମା । ସେମାନେ ମଣିଷକୁ ସତ୍‌ଶିକ୍ଷା ଦେଇ ସତ୍‌ପଥରେ ଚାଲିବାକୁ ଉତ୍ସାହିତ କରୁଥିଲେ । ନିଜକୁ, ନିଜର କୁଟୁମ୍ବ, ସମାଜ ଓ ମଣିଷ ଜାତିକୁ ନିର୍ମଳ, ଶୁଦ୍ଧ ହେବାକୁ ପ୍ରେରଣା ଦେଉଥିଲେ । କେଉଁଟା ଭଲ, କେଉଁଟା ମନ୍ଦ ବୁଝାଇ ଦେଉଥିଲେ ।

 

ଅଧର ମଣ୍ଡଳଙ୍କର ମନରେ କେବେ ଧାରଣା ହେଇ ନଥିଲା ଯେ, ଇସଲାମଧର୍ମ ପାଳନ କରି ପବିତ୍ର କୋରାନ୍‌ର ଶିକ୍ଷା ଓ ନିର୍ଦ୍ଦେଶକୁ ମାନି ଯେଉଁ ପଡ଼ୋଶୀମାନେ ଚଳନ୍ତି, ପୁଣି ପବିତ୍ର ବାଇବେଲ ଧର୍ମଶାସ୍ତ୍ରର ଶିକ୍ଷା ଓ ଉପଦେଶ ମାନି ଯେଉଁମାନେ ତାଙ୍କର ସାମାଜିକ ଓ ଆଧ୍ୟାତ୍ମିକ ଚଳନକୁ ନିୟନ୍ତ୍ରିତ କରନ୍ତି ଏହି ଭାରତୀୟ ବିରାଟ ସମାଜରେ, ପୁଣି ଯେଉଁମାନେ ରାମାୟଣ ମହାଭାରତ ଅଷ୍ଟାଦଶପୁରାଣ ପଢ଼ନ୍ତି, ଭଗବତ ଗୀତାର ଉପଦେଶ ଗ୍ରହଣ କରନ୍ତି, ଚୈତନ୍ୟଙ୍କର ପ୍ରେମ–ଧର୍ମରେ ତନ୍ମୟ ହୋଇ ରହନ୍ତି, ସେମାନେ କୁଆଡ଼େ ଭିନ୍ନ ରାଷ୍ଟ୍ରର ଲୋକ ।

 

କିପରି ଧାରଣା ପଶିପାରନ୍ତା ତାଙ୍କର ସରଳ ସ୍ନେହଶୀଳ ଉଦାର ମନରେ ? ରାଷ୍ଟ୍ର ତ ଗୋଟିଏ, ଭାରତବର୍ଷ, ହିମାଳୟରୁ କୁମାରିକା ଯାଏଁ, ଆଫଗାନିସ୍ଥାନରୁ ମଣିପୁର ଶେଷ ବ୍ରହ୍ମଦେଶର ସୀମା ଯାଏଁ ।

 

ଏହି ରାଷ୍ଟ୍ରକୁ ଭଗବାନଙ୍କ ନିର୍ଦ୍ଦେଶରେ ପ୍ରକୃତି ଗଢ଼ିଛି । ସେହି ଅତି ପବିତ୍ର ଭାରତଭୂମିର ଗୋଟିଏ ପ୍ରଦେଶ ବଙ୍ଗ, ଯାହାର ଅଧିବାସୀଙ୍କ ତୁଣ୍ଡରୁ ବାହାରେ ମନକିଣା କୋମଳ ଭାଷାଟିଏ ବଙ୍ଗଳା, ଯାହାକୁ କହୁଥିବା ଲୋକେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ ବା ଆଉ ଯେଉଁ ଧର୍ମରେ ଚଳୁଥିବା ଲୋକେ, ନିଜକୁ ସାରା ଦୁନିଆରେ ବଙ୍ଗାଳୀ ବୋଲି ପରିଚୟ ଦିଅନ୍ତି, ଆତ୍ମଗୌରବ ଅନୁଭବ କରନ୍ତି । ସମସ୍ତଙ୍କର ନିଜ ଧର୍ମ–ବିଶ୍ୱାସରେ ସ୍ୱାଧୀନ ଚଳନ କିନ୍ତୁ ପଡ଼ୋଶୀର ଚଳନକୁବି ସହନଶୀଳତା ନିଜର କରିଛି ।

 

ରାଷ୍ଟ୍ର ହେଲା ସ୍ୱାଧୀନ, କିନ୍ତୁ ବଙ୍ଗ ହେଲା ଦ୍ୱିଖଣ୍ଡିତ । ପଞ୍ଜାବ ହେଲା ଦ୍ୱିଖଣ୍ଡିତ ! ସୁଦୂର ପ୍ରାନ୍ତର ଦୁଇ ଖଣ୍ଡିକୁ ଗୋଟିଏ ଧର୍ମ–ବିଶ୍ୱାସର ଡୋରରେ ଓହଳାଇ ସୃଷ୍ଟି କରାଗଲା ପାକିସ୍ଥାନ–ଇସଲାମ ରାଷ୍ଟ୍ର ! ପଞ୍ଜାବ ମୁସଲମାନ ଶାସକଙ୍କର ଧର୍ମାନ୍ଧତାର ବିଷ ଚହଟିଲା ପୂର୍ବ–ବଙ୍ଗରେ । ଯୁଗଯୁଗର ପଡ଼ୋଶୀଭାବ ମାତୃଭାଷାର, ପବିତ୍ର ନିଗୂଢ଼ ବନ୍ଧନ, ଧର୍ମାନ୍ଧତାର ବିଷ ନିଃଶ୍ୱାସରେ ଜଳିପୋଡ଼ି ଛାରଖାର ହେଲା ।

 

ଭାଇର ଛାତିରେ ଭାଇ ଭୁଷିଲା ଛୁରି, ଭାଇର ମାନ–ସମ୍ମାନ ଭାଇ ଦଳିଲା ଗୋଡ଼ରେ, ଭାଇର ମୁହଁରୁ ଖାଦ୍ୟ ଓଟାରି ନେଲା ଭାଇ !

 

ଅଧର ମଣ୍ଡଳ ଜିପ୍‌ ଚଳାଉଛନ୍ତି ।

 

ତୁଣ୍ଡରେ ଭାଷା ନାହିଁ । ସତର୍କ ଦୃଷ୍ଟି ରାସ୍ତାଉପରେ । ଅଜାଣତରେ ଶୂନ୍ୟ ମନ ଭିତରକୁ ଉଙ୍କି ମାରିଲା ନିଦୁଆ ଭାବନା, ତାଙ୍କର ଚାରା ନଥିଲା,–ଯେଉଁ ଅନିମା ଅପହୃତା ହୋଇ କେଉଁ ଆତତାୟୀ ମୁସଲମାନ ଗୁଣ୍ଡାଘରେ ଦାସୀ ହୋଇ କି ନିକା–ପତ୍ନୀ ହୋଇ ରହିଥିବାର ଶଙ୍କିତ ଅନୁମାନ ତାଙ୍କୁ ଛଅଟି ବର୍ଷ କାଳ ପାକିସ୍ଥାନରେ ଅଟକାଇ ରଖିଥିଲା, ଯେକୌଣସି ପରିସ୍ଥିତିରେ ତାଙ୍କ ସଙ୍ଗେ ଭେଟ ହେଲେ ତାଙ୍କୁ ଉଦ୍ଧାର କରିବାର ସଂକଳ୍ପରେ, ସେହି ସେ ଅନିମା, ବନ ପଥରେ ଅମିତାର ଆଗେଆଗେ କାଖରେ ଜଳପୂର୍ଣ୍ଣ କଳସୀ ଧରି କ୍ୟାମ୍ପ୍‍ର ଅନ୍ୟାନ୍ୟ ନାରୀ ଓ ପୁଅଝିଅଙ୍କ ଗହଣରେ ଧୀରେ ଧୀରେ ଗୁଣ୍ଠୁଣି ହାତୀ ପରି ହଲି ଦୋହଲି ଚାଲି ଯାଉଥିଲେ ।

 

ନିର୍ଭୁଲ ତାଙ୍କର ଆଶାୟୀ ଉପବାସୀ ଆଖି ଦିଓଟିର ଡହଳବିକଳ ଦୃଷ୍ଟି । କେବଳ ରୂପ ନୁହେଁ, ଚାଲି ଓ ଚଳନ ଅନିମାଙ୍କର ନିଜତ୍ୱ ପ୍ରକାଶ କରିଛି ।

 

କାହିଁକି ସେ ଧାଇଁଗଲେ ନାହିଁ, ନିଜର ଚିହ୍ନା ଦେଇ ହାତ ଧରି ଚିତ୍କାର କଲେ ନାହିଁ,–ତୁମେ ମୋର ଧର୍ମପତ୍ନୀ ଅନିମା, ମଣ୍ଡଳ ବଂଶର କୁଳବଧୂ, । ଏତେ ବର୍ଷ ପରେ ତୁମକୁ ମୁଁ ଖୋଜି ଖୋଜି ପାଇଛି, ମୋର ଉଦ୍ୟମ ସଫଳ ହୋଇଛି !

 

ସେ ହାତ ଟାଣି ନେବେ, ସନ୍ଦେହ ଓ ଘୃଣାମିଶା ତିର୍ଯ୍ୟକ୍‌ ତେଜିଲା ଦୃଷ୍ଟିରେ ନୀରବ ତିରସ୍କାରର ହୁତାଶ ଜଳାଇ ଓଲଟି ପଚାରିବେ, କିଏ ତୁମେ, ଅତି ଅଭଦ୍ର ଦୁଃସାହସୀ ମଦ୍ୟପ ଆଗନ୍ତୁକ ? ମୁଁ ତୁମକୁ ଚିହ୍ନେ ନାହିଁ । ତୁମେ ପ୍ରବଞ୍ଚକ । ତୁମେ ଅଧର ମଣ୍ଡଳ ନୁହ ! ଅଧର ମଣ୍ଡଳଙ୍କର କୌଣସି ସାମଞ୍ଜସ୍ୟ ମୁଁ ତୁମଠାରେ ଦେଖିପାରୁ ନାହିଁ । ତୁମେ ପାଗଳ । ହଟି ଯାଅ, ବାଟ ଛାଡ଼ିଦିଅ !

 

ଚିହ୍ନି ପାରୁନା ମୋତେ ? ଯାହା ଆଜି ମୁଁ ହୋଇଛି ସବୁ କେବଳ ତୁମରିପାଇଁ । ଟିକିଏ ରହ, ଶୁଣ ମୋର ଜୀବନର କରୁଣ କାହାଣୀ– ।

 

ଗଳ୍ପ ଶୁଣାଇବାକୁ ରଞ୍ଜାଳିଆ ଖରାବେଳଟାରେ ଛାଇଅଳି ଅରଣ୍ୟ ଭିତରେ ପରଘରର ଘରଣୀର ବାଟ ଓଗାଳି ଲୋକହସା କରିବାକୁ ଲଜ୍ଜା ହେଉନାହିଁ, ଅପରିଚିତ ମଦ୍ୟପ ଡ୍ରାଇଭର ? ହଟିଯାଅ–

 

ବାଟ ଭାଙ୍ଗି ସେ ତାଙ୍କର କନ୍ୟା ଅମିତାର ହାତ ଧରି ଆଗେଇ ଯିବେ । ସମସ୍ତେ ଉଚ୍ଚସ୍ୱରରେ ଚିତ୍କାର କରିବେ । ଅକଥ୍ୟ ଭାଷା ଉଚ୍ଚାରି ଉର୍ତ୍ସନା କରିବେ ।

 

ଅଧମ ଚଣ୍ଡାଳଙ୍କ ଫମ୍ପା ମନ ଭିତରକୁ ତାଙ୍କର ଅଜଣାରେ ତାଙ୍କର ଅଣଆୟତ୍ତରେ ପୁଣି ଛୁଟିଲା ଭାବନାର ସୁଅ । ଗୋଡ଼ ହାତ ଆଖି ଓ କାନ ଅଭ୍ୟାସବଶତଃ ଆପେଆପେ କାମ କରୁଛନ୍ତି । ଜିପ୍‌–ଗାଡ଼ି ସମଗତିରେ ମାଲକାନଗିରି–ଜୟପୁର ରାସ୍ତାରେ ଆଗେଇ ଚାଲିଛି । ପଙ୍ଗମ୍‌ ନଦୀର ପୋଲ ପାରିହୋଇ ପୁଣି ଅରଣ୍ୟ ମଝିରେ ପଶିଲାଣି ।

 

ଅଧମ ଅଳପ ହସିଲେ, ମନକୁ ମନ । ହସିହୋଇ ଗଲା ପରା ! ଅନ୍ୟୂନ ବାରବର୍ଷ ମଧ୍ୟରେ ତାଙ୍କର ଓଠ ଉପରକୁ କେବେ ହସ ଆସି ନଥିଲା । ସେ କେବେ ଆମୋଦିତ ହୋଇ ନଥିଲେ କି, କାହାରି ଉପରେ ମାନାଭିମାନ କରି ନଥିଲେ । ବିବୃତ ହୋଇ, ବ୍ୟାକୁଳ ହୋଇ ଯାହା ତାଙ୍କର କର୍ତ୍ତବ୍ୟ ବୋଲି ସେ ମଣିଥିଲେ, ସେତକ କରିବାକୁ ସେ ଚେଷ୍ଟା କରିଥିଲେ ।

 

ଆଜି ତାଙ୍କର ଓଠରେ ଖେଳିଲା ହସ, ହତାଶାର ବିଦ୍ରୂପ ହସ, ନୈରାଶ୍ୟର କୁତୁକୁତୁ, ଲକ୍ଷ୍ୟଭ୍ରଷ୍ଟ ହେବାର ମାଡ଼ମୂଲା ବେହିଆପଣ !

 

ଏ ସଂସାର ଏଇଆ ତେବେ ! ଆଗ ନିଜେ, ତା’ପରେ ସ୍ୱାମୀ ପୁତ୍ର, ଦେବର ଓ ଅନ୍ୟାନ୍ୟ ଆତ୍ମୀୟ । ପୁରୁଣା ଶାସ୍ତ୍ର ପୁରାଣ ଏବେବି ଚଳୁଛି । ବହୁ ରୂପରେ ବହୁ ଭାବରେ ପ୍ରଚାରିତ ହେଉଛି । ସବୁ ଆଦର୍ଶର ବାଣୀ ସେଥିରେ ଆଗ ପରି ରହିଛି କିନ୍ତୁ, ପୁରୁଣା ମଣିଷର ଦାୟାଦମାନଙ୍କର ମନ ଚଳନ ଓ ନିଷ୍ଠା ବଦଳି ବଦଳି ଯାଇଛି । ଆତ୍ମୋତ୍ସର୍ଗର ଗୌରବ ନୂଆ ମଣିଷ ପାଖରେ ମୂଲ୍ୟହୀନ ହୋଇ ଉଠିଛି ।

 

ଅନିମାଙ୍କୁ ଖୋଜି ବାହାର କରିବାକୁ ଯେଉଁ କେତୋଟି ବର୍ଷ ପୂର୍ବବଙ୍ଗରେ ସେ ନିଜକୁ ଭୁଲି ଜୀବନକୁ ହାତମୁଠାରେ ଧରି ଚେଷ୍ଟା କରି ବିଫଳ ହୋଇଥିଲେ, ସେହି ସମୟ କାଳ ଭିତରେ କେତେ କେତେ ଘଟଣା ତାଙ୍କର କାନରେ ପଡ଼ିଛି, ଗୋଚରକୁ ଆସିଛି । କାହାରି ଦୋଷା–ଦୋଷ ସେ ମନରେ ଘେନି ନାହାନ୍ତି । ଶୁଣିଛନ୍ତି ନିର୍ଲିପ୍ତ ହୋଇ । ସେତିକି ।

 

କାହାର ପତ୍ନୀ କେଉଁ ଆତତାୟୀ ବା ଆଶ୍ରୟଦାତାର ତୃତୀୟା ପତ୍ନୀ ହୋଇଛନ୍ତି । ବିଧର୍ମୀର ସନ୍ତାନକୁ କୋଳରେ ଧରି ନୂଆଘର ନୂଆ ସମାଜର ନୂଆ କରି ଜୀବନ ଆରମ୍ଭ କରିଛନ୍ତି-। ଦୁଃ–ସ୍ୱପ୍ନ ପରି ଭୁଲିଯାଇଛନ୍ତି ଅତୀତକୁ,–ସ୍ୱାମୀ, ପୁତ୍ର ଓ ଆତ୍ମୀୟଙ୍କର ମରଣ ସେହି ଆତତାୟୀର ହାତରେ, ବନ୍ଧୁକ ଗୁଳିରେ, ଅବା ଛୁରିର ଆଘାତରେ ।

 

ଆତ୍ମହତ୍ୟା କରି ମରି ନାହାନ୍ତି ସେ, ନୂଆ ସମାଜରେ, ନୂଆଜୀବନକୁ ଆପଣାର କରିଛନ୍ତି । ଜୀବନକୁ ଉପଭୋଗ କରୁଛନ୍ତି । ଚେର ନୂଆସ୍ଥାନର ନୂଆ ମାଟିରେ ତଳକୁ ଭେଦିଛି । ଛିଣ୍ଡିଲା ଡାଳପତ୍ର ପୁଣି କଅଁଳିଛି, ଲଟାଇଛି । ନୂଆ ପରିସ୍ଥିତିକୁ ଗୁଡ଼ାଇ ଧରିଛି ।

 

ଜୀବନ !

 

କେଉଁ କୁଟୁମ୍ବର ଅଲିଅଳ କନ୍ୟା, ଧର୍ଷିତା, କାହାର ପାଦତଳେ ଶରଣ ପଶିଛି । ନିଜକୁ ସମର୍ପି ଦେଇଛି । ପୁନରୁଦ୍ଧାର କରି ବାପଭାଇ ଆତ୍ମୀୟସ୍ୱଜନଙ୍କୁ ସମର୍ପଣ କରିବାବେଳେ ଅଶ୍ରୁମୁଖୀ ମୁଣ୍ଡ ହଲାଇ ପଛେଇ ଯାଇଛି । କହିଛି, ମୁଁ ମରିଛି ବୋଲି ଗ୍ରହଣ କର । ହିନ୍ଦୁ ସମାଜରେ ମୁଁ ହେବି ପତିତା, ଆଛୁଆଁ । ମୋପାଇଁ ସମସ୍ତେ ଦୁଃଖ ପାଇବ । ମୋ ଜୀବନର ଯନ୍ତ୍ରଣା ନରକଯନ୍ତ୍ରଣାଠାରୁ ବଳିବ । ମୁଁ ନାହିଁ, ମୁଁ ମରିଛି ।

 

ନିରିମାଖୀ ଅତୀତକୁ ପଛ କରି ବର୍ତ୍ତମାନଙ୍କୁ ଆଲିଙ୍ଗିଧରିଛି । ସେ ଜାଣେ, ଅତୀତ ଯେତେ ମଧୁର, ଯେଡ଼େ ସୁଖମୟ ହେଉ ପଛେ, ଫେରିଗଲେ ଭବିଷ୍ୟତ୍‌ ତା’ର ଅନ୍ଧାର ହେବ । ଅନିଶ୍ଚିତ ହେବ । ରକ୍ଷଣଶୀଳ ସମାଜର ନିର୍ଯାତନାରେ ଦେହ, ମନ, ଜୀବନ ତିଳତିଳ ହୋଇ ଜଳିପୋଡ଼ି ଛଟପଟ ହେବ ।

 

କେଉଁ ଭାବପ୍ରବଣ ଦୁଃସାହସିକ ଉଦାର ଯୁବକ ସବୁ କୁସଂସ୍କାରକୁ ପାଦରେ ଦଳି ଆଗେଇ ଆସି ହାତଧରି ପତ୍ନୀତ୍ୱର ସମ୍ମାନ ଓ ଗୌରବ ଦାନ କଲେ, ସମାଜର ସବୁ ବିଷଦୃଷ୍ଟି ଠୁଳ ହେବ ତାଙ୍କରି ଉପରେ । ସହସ୍ର ଆଙ୍ଗୁଠି ସହସ୍ର ସଙ୍ଗିନ ପରି ସେହି ଯୁବକଙ୍କ ଆଡ଼କୁ ନିର୍ଦ୍ଦେଶିତ ହେବ ।

 

କାହିଁକି ଏ ଜଞ୍ଜାଳ ?

 

ଅଧର ମଣ୍ଡଳଙ୍କର ଆଖି ଆଗରେ ଉଭାହେଲା ସତେ କି ବିରସବଦନୀ, ଅଧା ବାଇଆଣୀ ଆଦରିଣୀ କନ୍ୟାଟି ତାଙ୍କର, ଗାୟତ୍ରୀ । ଗଙ୍ଗାଜଳ ପରି ସବୁ ଆବିଳତାକୁ ଯାହାର ମନ ଧୋଇଧାଇ ସାତତାଳ ତଳେ ପାତାଳପୁରରେ ପଙ୍କକରି ନିକ୍ଷେପିଛି, ଯିଏ ହୋଇଛି ନିର୍ମଳ, ପବିତ୍ର-!

 

ଜିପ୍‌–ଗାଡ଼ିରେ ବସିଥିବା ଟୋକା ହାକିମ ସାବଧାନ କରିଦେବାକୁ ପାଟିକରି ଉଠିଲେ, ଗାଡ଼ିଟା ରାସ୍ତାର ଏ ପାଖ ସେ ପାଖ କରୁଛ ଅଧମ, ତୁମର ହାତଗୋଡ଼ ସ୍ଥିର ନିର୍ଦ୍ଦିଷ୍ଟ ନ ହେଲା ପରି ଲାଗୁଛି । ସ୍ପିଡ଼୍‌ କମାଅ । ଟିକିଏ ଅଧିକ ପିଇ ଦେଇଛ କି ଚଣ୍ଡାଳ ? ଆଗରେ ଗୋବିନ୍ଦପଲ୍ଲୀ । ସେଇଠି ଗାଡ଼ି ଅଟକାଅ, କିଛି ସେଠି ଖାଇ ନିଅ ।

 

ଅଧର ମଣ୍ଡଳ ଫେରିଆସିଲେ ଅତୀତରୁ । ସ୍ପିଡ଼୍‌ କମାଇଁ ହାତଗୋଡ଼ ଦୃଢ଼ କଲେ । ହାକିମ ବିରକ୍ତ ହୋଇଛନ୍ତି । ତାଙ୍କର ଉପହାସିଆ କେଞ୍ଚିଲା କଥାରେ ଅବିଗୁଣ ପାଇବାର କିଛି ନାହିଁ । ସେ କହିଛନ୍ତି ସତ । ଅଧମ ଚଣ୍ଡାଳ ମହୁଲ–ମଦ ପାନ କରି ନାହାନ୍ତି । ତଣ୍ଟି ଶୁଖିଯାଉଛି । ପାଟି ଅଠା ଅଠା ହେଉଛି । ମନ ହେଉଛି, ଗାଡ଼ି ଅଟକାଇ, ଯନ୍ତ୍ରବାକ୍‌ସ ଭିତରୁ ଅଧା ବୋତଲଟି କାଢ଼ି ସବୁଯାକ ଢକଢ଼କ କରି ସେ ପିଇ ଦେବେ । ହାତ ଗୋଡ଼ ଦୃଢ଼ ହେବ । କିନ୍ତୁ, ସମସ୍ତଙ୍କ ଆଗରେ ସେ ଏହା କରି ପାରିବେ ନାହିଁ ।

 

ହାକିମ ସତ କହିଛନ୍ତି । ଅଧମ ଚଣ୍ଡାଳ ଡ୍ରାଇଭର ସମସ୍ତଙ୍କ ଅଜାଣତରେ, ନିଜର ଅଜାଣତରେ ମଧ୍ୟ, ଆକଣ୍ଠ ପାନ କରିଥିଲେ ଅତୀତକୁ । ସେ ଅତୀତ ମହୁଲ–ମଦରୁ ବଳି ତୀବ୍ର । ପ୍ରବଳ ତା’ର ଦାହିକାଶକ୍ତି ! ଆତ୍ମ–ବିସ୍ମୃତି ଆଣିଥିଲା । ଅତୀତର ସବୁ–ବିସ୍ମରିଲା ନିଶା ଛାଡ଼ିଛି । ଜିପ୍‌ ଭଲରେ ଚାଲିଛି ।

 

ଏକଚାଳିଶ

 

ଗୋଟିଏ ଯୁଗ ତଳର କଥା–

 

ପାକିସ୍ଥାନ ଓ ଭାରତବର୍ଷର ସୀମାପାଖ ଛୋଟ ଅରଣ୍ୟ ଭିତରକୁ ଯେଉଁମାନେ ଆସିଥିଲେ, ସେମାନେ ଆତତାୟୀ ନୁହନ୍ତି । ଲୁଣ୍ଠିତ ଆହତମାନଙ୍କର ଜୀବନ ନେବାକୁ ସେମାନେ ଆସି ନଥିଲେ । ସେମାନେ ସାହାଯ୍ୟକାରୀ, ପୂର୍ବ–ବଙ୍ଗର ପୋଲିସ୍‌ ଦଳ । ଆହତମାନଙ୍କୁ ଉଠାଇ ଟ୍ରକ୍‌–ଗାଡ଼ିରେ ଲଦି ସେମାନେ ଖୁଲ୍‌ନା ସହରକୁ ନେଇ ଯାଇଥିଲେ । କେତେ ଟ୍ରକ୍ ବୋଝେଇ ହୋଇଗଲା, ଅଧର ମଣ୍ଡଳ ବା ଜାଣନ୍ତେ କିପରି ? ଯେଉଁ ଟ୍ରକ୍‌ରେ ସେ ଯାଇଥିଲେ, ସେଥିରେ ପଚିଶ ତିରିଶଜଣ ମୁମୂର୍ଷୁ ଥିଲେ,–ସବୁ ବୟସର,–ପୁରୁଷ, ସ୍ତ୍ରୀ, ବାଳକ ଓ ବାଳିକା । ଯେଉଁମାନଙ୍କର ଅବସ୍ଥା ଶୋଚନୀୟ ଥିଲା, ସେମାନେ ଖୁଲ୍‌ନା ପହଞ୍ଚିବା ଆଗରୁ ସେହି ଟ୍ରକ୍‌ରେହିଁ ପ୍ରାଣ ହାରିଥିଲେ । ସନ୍ଧ୍ୟାର ଅନ୍ଧାର ଘୋଟି ଆସୁଥାଏ । ଆହତ ଓ ମୃତଙ୍କୁ କୋଳରେ ଧରି ଟ୍ରକ୍‌ଗୁଡ଼ିକ ସହରରେ ପହଞ୍ଚିଲା ।

 

ଅସ୍ଥାୟୀ ହାସପାତାଳରେ ରହଣି । ଡାକ୍ତର ଓ ନର୍ସମାନଙ୍କର ସେବାଯତ୍ନ ସତ୍ତ୍ୱେ କେତେ ଆହତ ପ୍ରତିଦିନ ପ୍ରାଣ ଛାଡ଼ନ୍ତି । ରାତି ପାହିଲେ ମଡ଼ା ବାହାରନ୍ତି । ପୁଣି କୁଆଡ଼ୁ ଟ୍ରକ୍‌ମାନଙ୍କରେ ବୋଝେଇ ହୋଇ ଆସନ୍ତି । ହିନ୍ଦୁତାଡ଼ନ, ହିନ୍ଦୁମାରଣ, ନାରୀହରଣର ପୈଶାଚିକ କାଣ୍ଡ ଲାଗିଥାଏ । ନେହରୁ ଓ ଲିଆକତ୍‌ଙ୍କର ବୁଝାମଣା ଏବଂ ଚୁକ୍ତିପତ୍ର ସ୍ୱାକ୍ଷର ହେଲାପରେ ଏହି ଧ୍ୱଂସଲୀଳାର ଅବସାନ ହୋଇଥିଲା । ହେଉପଛେ ଅସ୍ଥାୟୀ ।

 

ନେହରୁ ଓ ଲିଆକତ୍‌ଙ୍କର ଚୁକ୍ତିପତ୍ର ସ୍ୱାକ୍ଷରିତ ହେଲା ଅପ୍ରେଲ ମାସ ଆଠ ତାରିଖରେ, ଊଣେଇଶ–ପଚାଶ ସାଲରେ । ପୂର୍ବବଙ୍ଗର ଭୟଭୀତ ନିରାଶ୍ରୟ ହିନ୍ଦୁ ଜନତାର ମନରେ ଆଶାର ପ୍ରଦୀପ ଜଳିଉଠିଲା । ସେମାନେ ଦୀର୍ଘଶ୍ୱାସ ଛାଡ଼ି ଦେବତାମାନଙ୍କୁ ପ୍ରାର୍ଥନାକଲେ, କେଉଁ ଅପରାଧରୁ କେଜାଣି ତୁମେମାନେ ନିର୍ଦ୍ଦୟ ହୋଇଥିଲ, ଦୃଷ୍ଟି ଫେରାଇଥିଲ । ମା’ ଦୁର୍ଗା, ମା’ କାଳୀ, ବହୁତ ରକ୍ତ ପାନ କରିଛ । ଏଣିକି ଶାନ୍ତ ହୁଅ । ଦୟା କର । ଦୁଃଖଦୁର୍ଦ୍ଦଶା ଦୂର କର । ଯେଉଁମାନେ ନିର୍ଦ୍ଦୋଷ ଜନତାର ଧନ, ମାନ, ଜୀବନ ହରଣ କରିଛନ୍ତି, ସେହିମାନଙ୍କୁ ତୁମ ଲୋଚନର ପ୍ରଳୟ ଅନଳରେ ଧ୍ୱଂସ କର, ଭସ୍ମ କର !

 

କଲିକତା ଓ ଢାକାରେ ଦୁଇ ପକ୍ଷର ବଡ଼ବଡ଼ ନେତାମାନଙ୍କର କେତେଥର ବୈଠକ ହୋଇଗଲା । କେତେ ଆଲୋଚନା । ଫଳାଫଳ ପାଇଁ, ଶାନ୍ତିପାଇଁ, ଚାତକ–ଚକ୍ଷୁରେ ଦୋହଲା ମନରେ ଅନାଇଁ ରହିଥିଲେ । ସହଜ–ବିଶ୍ୱାସୀ, ସରଳମନା, ନିଷ୍କପଟୀ, ହିନ୍ଦୁ ପରିବାରଗୁଡ଼ିକ । ଦୁଡ଼ୁଗୁଡ଼ୁ ଛାତି ! କ’ଣ ହେବ ! ପୁଣି କ’ଣ ପ୍ରଳୟ ତୋଫାନ ମାଡ଼ି ଆସିବ ?

 

ଦୂର ଦୂରାନ୍ତରୁ ଅତ୍ୟାଚାରର ଖବର ଆସି ପହଞ୍ଚୁଛି–ମାରଣ, ତାଡ଼ନ, ହରଣ, ଧର୍ଷଣ । ଆତ୍ମରକ୍ଷା କରିବାକୁ ଆଗୁ ସାବଧାନ ହୋଇ ପଳାଇ ଯିବାକୁ ଗୋଡ଼ ଛକପକ, ମନ ଉଚ୍ଚାଟ । ତଥାପି, ଯାଇ ହେଉନାହିଁ । କେଇ ବିଘା ଜମି, ଯହିଁରେ ସୁନାଫଳେ, ଯାହାର ମାଟିରେ ପୂର୍ବପୁରୁଷଙ୍କର ଜୀବନର ସ୍ପନ୍ଦନ ଜଡ଼ିତ, ତାଆରି ମମତା ଅଟକାଇ ରଖେ । ଚାଷଜମି ନାହିଁ ଯାହାର, ପରର ଜମିରେ ଝାଳ ନିଗାଡ଼ି ଯିଏ କୁଟୁମ୍ବର ଭରଣପୋଷଣ କରେ, ତାକୁ ମଧ୍ୟ ଅଟକାଇ ରଖେ ସେହି ଦିଗହଜା ଗହୀର ବିଲ ଆଉ, ମୁଣ୍ଡ ଉପରର ଚାଳ ଖଣ୍ଡିକ । କେତେ ପୁରୁଷର କେତେ ସୁଖଦୁଃଖର ସ୍ମୃତିରେ ସେ ଜରଜର !

 

ଜନ୍ମଭୂମି, ଜନ୍ମମାଟି; ସୁନାର ବଙ୍ଗ !

 

ଉପରମହଲାର ସଭା, ବୈଠକ, ବୁଝାମଣା ହିନ୍ଦୁ, ଜନତାର ନିରାପଦ ଜୀବନଯାତ୍ରା ପାଇଁ ମନରେ ନିଶ୍ଚିନ୍ତ ଧାରଣା ଆଣିପାରିଲା ନାହିଁ । ପାକିସ୍ଥାନର ପଞ୍ଜାବୀ ସ୍ୱାର୍ଥାନ୍ୱେଷୀ ତଥାକଥିତ ପଞ୍ଝାଏ ଶକ୍ତି ପାଗଳ ନେତା ମୁହଁରେ ଶାନ୍ତି ଶାନ୍ତି ଚିତ୍କାର କରନ୍ତି, ଭେଳିକି ଲଗାଇ ଦୁନିଆ ଆଗରେ ଭଲେଇ ହେବାକୁ କିନ୍ତୁ, ସେମାନେ ଶାନ୍ତି ଚାହାନ୍ତି ନାହିଁ । ସେମାନେ ଗୋଳିପାଣିର ସୁବିଧା ନେଇ ମିଥ୍ୟା ପ୍ରଚାର କରି ଶାନ୍ତିପ୍ରିୟ ପୂର୍ବବଙ୍ଗର ଜନତା ମନରେ ଉତ୍ତେଜନା ସର୍ଜନା କରି ନିଜେ ଗୋଳିପାଣିର ସୁବିଧାରେ ଫାଇଦା ଉଠାଇବାକୁ ଚାହାନ୍ତି । ସେହିମାନଙ୍କର ପ୍ରରୋଚନାରେ ସୈନିକମାନେ ମାତି ଉଠିଛନ୍ତି । ଗୁଣ୍ଡାମାନଙ୍କୁ ସମାଜବିରୋଧୀ ଅନୀତି କାର୍ଯ୍ୟରେ ଲିପ୍ତ ହେବାକୁ ସୁଯୋଗ ମିଳିଛି ।

 

ଊଣେଇଶ ପଚାଶ ସାଲରୁ ଆରମ୍ଭ କରି ରହିରହିକା ଜଳିଉଠୁଛି ଧର୍ମ–ବିଦ୍ୱେଷର ବହ୍ନି ଏବଯାଏଁ । ସେ ବହ୍ନିର ଲେଲିହାନ ଜିହ୍ୱା ଚାଟି ଦେଉଛି ସହସ୍ର ସହସ୍ର ନିରୀହ ହିନ୍ଦୁଜନତା । ସହସ୍ର ସହସ୍ର ସର୍ବସ୍ୱାନ୍ତ ହୋଇ ବାଟରେ ଠିଆ ହେଉଛନ୍ତି । ଅନ୍ନାଭାବରୁ ବୁଭୁକ୍ଷୁ ପଥଚାରୀ କୁଟୁମ୍ବଗୁଡ଼ିକର ଜୀବନଶକ୍ତି ଦିନୁଦିନ କ୍ଷୀଣରୁ କ୍ଷୀଣତର ହେଉଛି । ଅତି ଅନିଚ୍ଛାରେ ମରଣ ସଙ୍ଗେ ରଣ କରିକରି କଙ୍କାଳସାର ନିରାଶ୍ରୟ ବିବିଧପ୍ରକାର ରୋଗର ଯନ୍ତ୍ରଣାରେ ଛଟପଟ ହୋଇ ଟଳିପଡ଼ୁଛି ପଥପ୍ରାନ୍ତରେ । ଜ୍ଞାତିକୁଟୁମ୍ବ ବଲବଲ କରି ଚାହିଁ ରହିଛନ୍ତି । ଛାତିରୁ ରକତ ଝରୁଛି; ମନରେ ବହୁଛି ବେଦନାର ଝଞ୍ଜା । ଆତ୍ମା ପ୍ରତିହିଂସାର ତପତ କଡ଼େଇରେ ଛଟପଟ ହୋଇ ବିଳାପ କରୁଛି; କିନ୍ତୁ ଶୁଖିଲା ଆଖିରୁ ନୀର ଝରୁନାହିଁ; ସେ ଆଖିରେ ଲୋତକ ନାହିଁ ।

 

ଏ ଦୁନିଆରେ ମଣିଷ ଘଟରେ ଅଟକି ରହିବାକୁ ଜୀବନ ଯେତେବେଳେ ଛଟପଟ, ଡହଳବିକଳ, ମାନମହତକୁ ଜଗି ରଖିବାକୁ କାହିଁ ମଣିଷର ଦେହ ଓ ମନର ବଳ ? ନିରାପଦରେ ରହିବାର ବ୍ୟାକୁଳ ଆଗ୍ରହରେ ସମୁଦ୍ରର ଲହଡ଼ି ପରି ତୁହାକୁ ତୁହା ମାଡ଼ି ଆସିଛନ୍ତି ଲକ୍ଷଲକ୍ଷ ହିନ୍ଦୁ ଜନତା ଟ୍ରେନ୍‌ରେ, ନୌକାରେ ଓ ସେତକ ସୁବିଧା ନହେଲେ ଚାଲିଚାଲିକା । ପଥରେ ସହସ୍ର ସହସ୍ର ଆବାଳବୃଦ୍ଧଜନିତା ଆତତାୟୀଙ୍କ ହାତରେ ପ୍ରାଣ ଦେଇଛନ୍ତି । ସହସ୍ର ସହସ୍ର ହଜି ଯାଇଛନ୍ତି । ସେମାନଙ୍କର ଆଉ ପତ୍ତା ମିଳିନାହିଁ । ବିବାହିତା, ସନ୍ତାନଙ୍କର ମାତା, ଅବିବାହିତା ଯୁବତୀ, ଅପ୍ରାପ୍ତ–ଯୌବନା କିଶୋରୀ, ଯେଉଁମାନଙ୍କର ରୂପ ଥିଲା, ଏପରି କେତେ ନିରାଶ୍ରୟା, ବିବେକହୀନ ପଶୁ ଆତତାୟୀଙ୍କର କାମାଗ୍ନିର ଆହୁତି ହୋଇ ଜଳି ଯାଇଛନ୍ତି । କେତେ ପୁଣି ଅପହୃତା !

 

ଧରିତ୍ରୀ ଫାଟି ଯାଇ ନାହିଁ । ସମୁଦ୍ର ମାଡ଼ିଆସି ନାହିଁ । ଅନ୍ତରିକ୍ଷ ଅଜାଡ଼ି ହୋଇ ପଡ଼ି ନାହିଁ । ସେମାନେ ସେମିତି ରହିଛନ୍ତି ବୀତସ୍ପୃହ । ବିଂଶ ଶତାବ୍ଦୀର ସଭ୍ୟ ଜଗତକୁ ପୂର୍ବ–ବଙ୍ଗର ହିନ୍ଦୁ–ଧର୍ଷଣ ଅବିଦିତ ନାହିଁ । ରାଜନୀତି ଓ କୂଟନୀତି ଦୁଇ ଅସ୍ତ୍ର ହାତରେ ଧରି ଜାଣି ଜାଣି ନ ଜାଣିଲା ପରି ଅନ୍ୟାନ୍ୟ ଦେଶର ଶାସକମାନେ ବଲବଲ କରି ଚାହିଁ ରହିଛନ୍ତି । ଗଣ୍ଡଗୋଳିଆ ପରିସ୍ଥିତିରୁ କି ପ୍ରକାର ଲାଭ ଉଠାଯାଇପାରେ, ସେହି ବିଷୟ ବିଚାର କରିଛନ୍ତି । କେତେ, ତାଙ୍କର ଓଠର ସହାନୁଭୂତି ପ୍ରକାଶ କରିଛନ୍ତି, ଅତି ସାବଧାନତାରେ, ସାପ ମରିବ ନାହିଁ କି ବାଡ଼ି ଭାଙ୍ଗିବ ନାହିଁ ନୀତିରେ ।

 

ସର୍ବହରା ପଳାତକ ଆଶ୍ରୟପ୍ରାର୍ଥୀମାନଙ୍କୁ ଥଇଥାନ କରିବାକୁ ବଦ୍ଧପରିକର ଭାରତବର୍ଷ-। ପ୍ରତିଶୋଧ ନେବାକୁ ସେ କେବେ ଚିନ୍ତା କରି ନାହିଁ । ପୂର୍ବବଙ୍ଗର ହିନ୍ଦୁମାନେ ଏକଯୋଟ ହୋଇ ସେଠାକାର ଶାସକମାନଙ୍କ ବିରୁଦ୍ଧରେ ହାତଟେକି ପାରି ନାହାନ୍ତି । ସେମାନେ ନିରସ୍ତ୍ର । ସେମାନେ ସଂଖ୍ୟାଲଘୁ । ଅନ୍ୟ କେଉଁଆଡ଼ୁ ବିଦ୍ରୋହପାଇଁ ସାହାଭରସା ପାଇବାର ଆଶା ନାହିଁ । ସେଇଥିପାଇଁ ପୂର୍ବ–ବଙ୍ଗରୁ ଭିଟାମାଟି ଛାଡ଼ି, ଅତି ପ୍ରିୟ ଜନ୍ମଭୂମିକୁ ପଛ କରି ପ୍ରାଣଘେନି ପଳାଇ ଆସିବାକୁ ଚେଷ୍ଟା କରିଛନ୍ତି ସେମାନେ ।

 

ଅଧର ମଣ୍ଡଳ ସୁସ୍ଥ ହେଲେ । ଉଡ଼ା ଖବର ସଂଗ୍ରହ କଲେ ଯେ, ତାଙ୍କର ପତ୍ନୀ ଅପହୃତା ଆଉ, ଏକମାତ୍ର ପୁତ୍ର ମୃତ । ଅନେକଙ୍କ ଭାଗ୍ୟରେ ଯାହା ଘଟିଛି, ଯାହା ତାଙ୍କର ଆଖି ଦେଖିଛି, କାନ ଶୁଣୁଛି, ତାଙ୍କ ଭାଗ୍ୟରେ ମଧ୍ୟ ତାହା ଘଟିଲା । ପଳାତକ ହୋଇ ଭାରତବର୍ଷକୁ ପଳାଇ ଯିବା ଆଉ ପ୍ରୟୋଜନ ନାହିଁ । ପିତାମାତା ଭାଇ ଓ କୁଳର ଏକମାତ୍ର କଳିକା ପ୍ରାଣ ହାରିଛନ୍ତି । ତାଙ୍କ ଜୀବନର ମୂଲ୍ୟ ନାହିଁ । ଯାହା ହେବାର ହେଉ, ସେ ଏଇଠି ଏଇ ପୂର୍ବ–ବଙ୍ଗରେ ରହିବେ, ଅନ୍ୱେଷଣ କରିବେ ଅପହୃତା ଅନିମାଙ୍କୁ । ଠାବ କରିବେ, ଉଦ୍ଧାର କରିବେ, ତା’ପରେ ଯାହା ହେବାର ହେବ ।

 

ଏହି ସଂକଳ୍ପ ମନରେ ଧରି ସେ ସୁସ୍ଥ ହୋଇ ବାହାରିଲେ । ନିରୀହ ଚାଷୀ ଘରର ପୁଅ, ଦଶ କ୍ଲାସ୍ ଯାଏଁ ପାଠ । ନିଜର ସୁଖଦୁଃଖ ଛଡ଼ା ପରର ଭଲମନ୍ଦରେ ସେ ନିଜକୁ କେବେ ସମ୍ପୃକ୍ତ କରି ନଥିଲେ । ପ୍ରକୃତି ତାଙ୍କର ସରଳ । ସଚୋଟ ନିଷ୍କପଟ ମଣିଷ । ପର ଦରବରେ ଦୃଷ୍ଟି ନଥିଲା-। ସେହି ସେ ଅଧର ମଣ୍ଡଳ, ସର୍ବସ୍ୱାନ୍ତ ହୋଇ ସମସ୍ତଙ୍କୁ ହରାଇ ସେ ଦାଣ୍ଡକୁ ବାହାରିଛନ୍ତି ।

 

ପଇଁତରିଶବର୍ଷର ସ୍ୱାସ୍ଥ୍ୟବାନ ବଳିଷ୍ଠ ଯୁବକ । ବସ୍ତ୍ରଘେରା ଗୋଟିଏ ଦେହ । ମୁଣ୍ଡ ଭିତରେ ଅତୀତର ଅମାପ ସ୍ମୃତି ଓ ଲହଡ଼ି ଭାଙ୍ଗୁଥିବା କେତେ ଭୟଙ୍କର ଭାବନା । ତାଆରି ମଝିରେ ଗୋଟିଏ ଉଦ୍ଦେଶ୍ୟ,–ଅନିମାଙ୍କୁ ଠାବ କରି ଉଦ୍ଧାର କରିବା, ଗୋଟାଏ ଦେହରେ ବାକି ରହିଥିବା ସବୁ ରକ୍ତ ପଛେ ନିଗଡ଼, ଜୀବନଟା ଯାଉଯାଉ ଅଟକି ଯାଇଛି ତ, ସେଇ ଜୀବନ ଯାଉ ପଛେ, ଆତତାୟୀଙ୍କର ରକ୍ତରେ ହାତ ପଖାଳିବା–ଏକ, ଦୁଇ, ତିନି– ।

 

ମନଗଢ଼ା ଦେବତାମାନେ ମନ ଭିତରେ ଭାଙ୍ଗିରୁଜି ନିଶ୍ଚିହ୍ନ ହେଉନ୍ତୁ, ଜଳିପୋଡ଼ି ପାଉଁଶ ହେଉନ୍ତୁ । ପାପପୁଣ୍ୟର ଧାରଣା ଇନ୍ଧନ ହୋଇ ନିଜେ ଜଳି ସେ ବିଶ୍ୱାସକୁ ଜାଳି ଦେଉ । ଅଧର ମଣ୍ଡଳ ହେଉନ୍ତୁ ଅଧମ ଚଣ୍ଡାଳ ।

 

ବଇଆଳିଶ

 

ଛଅଟି ବର୍ଷ ଧାଇଁଥିଲେ ସେ, ନିଜର ଉଦ୍ଦେଶ୍ୟ ସାଧନରେ । ଦେହ ମେହେନତ୍‌ କରି ପେଟ ପୋଷିଛନ୍ତି । କେତେ ନାମରେ ନିଜକୁ ସେ ପରିଚିତ କରାଇଛନ୍ତି । ସେ ହୋଇଛନ୍ତି ମୁସଲମାନ ଗୁଣ୍ଡା । ମଦ ସଙ୍ଗେ ମାଂସ ଖାଇ ହାତରେ ଛୁରି ଧରି ହିନ୍ଦୁ ମାରଣ ଓ ତାଡ଼ନରେ ଯୋଗ ଦେଇଛନ୍ତି ସେ ଅଧର ମଣ୍ଡଳ–ଯେ ହୋଇଛନ୍ତି ଗଫୁର୍‌ ମିଆଁ । ଚୋରି ଡକାୟତି, ସବୁଥିରେ ସେ ପାରଙ୍ଗମ । ମସଜିଦରେ ପଶିଛନ୍ତି, ପ୍ରାର୍ଥନା କରିଛନ୍ତି । ଅନ୍ୟମାନଙ୍କ ସଙ୍ଗେ ମିଶି ମନ୍ଦିର ଲୁଟିଛନ୍ତି, କଳାପାହାଡ଼ ପରି ମୂର୍ତ୍ତି ଭାଙ୍ଗିଛନ୍ତି । ଖୁଲ୍‌ନା ସହର ଛାଡ଼ି, ଯେଶୋରର ଉପକଣ୍ଠରେ ରହିଛନ୍ତି ସେ ଅନ୍ୟମାନଙ୍କ ସାଥିରେ । କେବେ ପୁଣି ଆଉ କେଉଁଠି ନିଜର ସ୍ୱତନ୍ତ୍ର ଘରେ ରହଣି ।

 

ଗଫୁର୍ ହୋଇଛି ମଟର–କ୍ଳିନର । ଅଦମ୍ୟ ଆଗ୍ରହ, ଅସୀମ ପରିଶ୍ରମ । କାମ ଶିଖିଛି । ଆଙ୍ଗୁଠି ଦେଖାଇଲେ ସେ ବାହା ଗିଳିବାକୁ ଧାଇଁଛି । ଡ୍ରାଇଭିଂ ଶିଖିଛି । ବିଶ୍ୱାସୀ ସୁଦକ୍ଷ ଡ୍ରାଇଭର ହୋଇଛି । ପ୍ରଚୁର ମଦ୍ୟପାନ କରିଛି । ମାଲିକମାନଙ୍କର ଆଦେଶ ପାଳିଛି । ସଚ୍ଚୋଟ ସୁଦକ୍ଷ ଗୋଲାମ । ପଳାତକମାନଙ୍କ ପଛରେ ଧାଇଁଛି । ଲୁଣ୍ଠନ କରିବାରେ ସାହାଯ୍ୟ କରୁ କରୁ ସୁବିଧା ଉଣ୍ଡି କେଉଁ ଆତତାୟୀର ତଣ୍ଟି କାଟିଛି । ଛାତିରେ ଭୁଷିଛି ଛୁରିକା, ଜୀବନ ନେଇଛି । ନିଜେବି ଆହତ ହୋଇଛି କେତେଥର । ସୁସ୍ଥ ହୋଇ ଉଠିଛି । ପୁଣି ଚଳାଇଛି କେଉଁ ମାଲିକର ଟ୍ରକ୍‌ ।

 

ଗଫୁର୍ ମିଆଁ ସେ, ହିନ୍ଦୁ–ବିଦ୍ୱେଷୀ ପାଗଳ ମୁସଲମାନ ଗୁଣ୍ଡା ଅପହୃତା ନାରୀକୁ ଧର୍ଷଣ କରିବା ଛଳରେ ଆଶ୍ରୟ ଦେଇଛି । ବନ୍ଧୁମାନଙ୍କ ସଙ୍ଗେ କଳହ କରିଛି । ସୁବିଧା ଦେଖି ଜୀବନ ନେଇଛି । ଅପହୃତାକୁ ଉଦ୍ଧାର କରି ସୀମାପାଖରେ ଛାଡ଼ି ଅନ୍ୟ ପଳାତକମାନଙ୍କ ସଙ୍ଗେ ମିଶି ହିନ୍ଦୁସ୍ଥାନକୁ ପଳାଇ ଯିବାକୁ ସୁଯୋଗ ଦେଇଛି ।

 

ଜୀବନକୁ ହାତମୁଠାରେ ଧରି ଆତଯାତ ହୋଇଛି ଡ୍ରାଇଭର ଗଫୁର୍ ମିଆଁ, ପୂରା ଛଅଟି ବର୍ଷ । ଖୁଲ୍‍ନା, ଯେଶୋର, ଫରିଦ୍‌ପୁର, ଢାକା, ସର୍ବତ୍ର ସେ ଯାଇଛି । ଆଖି ଅନୁସନ୍ଧାନ କରିଛି,–ଅନିମାଙ୍କର ଦେଖା ପାଇନାହିଁ । ହୁଏତ ସେ ମରିଛନ୍ତି, ଭାରତବର୍ଷକୁ ପଳାଇ ଯାଇଛନ୍ତି ଅବା କେଉଁ ମୁସଲମାନ ଆତତାୟୀର ମନୋହାରିଣୀ ହୋଇ ଅନ୍ତଃପୁରରେ ଛପି ରହିଛନ୍ତି ।

 

ଯାହା ତାଙ୍କର ହେବାର ହୋଇଥାଉ ସେଥିକି ଆଉ ଶୋଚନା କରି ଲାଭ ନାହିଁ । ଅଧରମଣ୍ଡଳ ମରିଛି । ମଣ୍ଡଳ ବଂଶ ଲୋପ ପାଇଛି । ସେହି ବଂଶର ପୋଡ଼ା ପାଉଁଶ ଭିତରୁ ଉଠି ଆସିଛି ପ୍ରେତାତ୍ମା ଗଫୁର୍ ମିଆଁ ! ସେହି ପ୍ରେତାତ୍ମାର ବିଲୋପ ହେବା ଆଗରୁ ସେ କେତେ ଦୁର୍ଦ୍ଦାନ୍ତ ଅତତାୟୀ ଗୁଣ୍ଡାଙ୍କ ଜୀବନ ନେବ । ନାନା ଉପାୟରେ ନେଇଛି ମଧ୍ୟ ।

 

ପୂର୍ବ–ବଙ୍ଗରେ ତା’ର ଶେଷ ରାତ୍ରିର କଥା ମନେ ପଡ଼ୁଛି । ଦୁର୍ଗମ ଅନ୍ଧାର ରାତିର ଝଡ଼ ବରଷା । ମାଲିକର ଆଦେଶ ଯେ, ସେ ଟ୍ରକ୍‌ଭରା ଜିଙ୍କ୍‌ ସିଟ୍‌ ନେଇ ସେ ଯେଶୋର–ବନିଆଁ ଗାଁ ରାସ୍ତାର ହମିଦ୍‌ପୁର ଗ୍ରାମକୁ ଯିବ । ପୂର୍ବବଙ୍ଗର ସୀମା ପାଖରୁ ପାଞ୍ଚ ଛଅ ମାଇଲ ହେବ ସେ ଗ୍ରାମଟି । ବଡ଼ ରାସ୍ତା କଡ଼ରୁ ଡାହାଣକୁ ଭାଙ୍ଗିଗଲେ ଦେଢ଼ମାଇଲ ଦୂରରେ ଅବସ୍ଥିତ ସେ ଛୋଟ ଗ୍ରାମଟି, ସବୁ ଗୁଣ୍ଡାଙ୍କର ଆଶ୍ରୟସ୍ଥଳ ।

 

ସେଇଠୁ ବାହାରି ସୀମା–ଜଗୁଆଳି ଓ ମିଲିଟାରି ଜଗୁଆଳିମାନଙ୍କ ସାହାଯ୍ୟରେ ଦୂର ଦୂରାନ୍ତ ସୀମାରେ ପଳାତକ ହିନ୍ଦୁ କୁଟୁମ୍ବଙ୍କର ସର୍ବସ୍ୱ ଲୁଣ୍ଠନ କରିବା ଓ ଅତ୍ୟାଚାର କରିବା ସେମାନଙ୍କର କାମ । ଲୁଣ୍ଠିତ ଦ୍ରବ୍ୟ ଓ ଅପହୃତା ନାରୀମାନଙ୍କୁ ରାତାରାତ ଅନ୍ୟତ୍ର ଚାଲାନ୍‌ କରାଯାଏ ସେଇ ଗ୍ରାମରୁ । ମାଲିକର ସେଥିରେ ପୂରା ହାତ ଅଛି । ସେଇଠି ତୋଳା ହେଉଛି ବଡ଼ ଗୋଦାମ ଜିଙ୍କ୍‌ ସିଟ୍‌ ଗଫୁର୍‌ ମିଆଁ ଟ୍ରକ୍‌ରେ ନେବ ଓ ଲୁଣ୍ଠିତ ଦ୍ରବ୍ୟ ବୋହି ଆଣିବ ଯେଶୋର । ବିଶ୍ୱାସୀ ଗଫୁର୍‌ ଏପରି କାମକୁ ଧୁରନ୍ଧର ।

 

ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ସେ ବାହାରିଛି । ପାଖରେ ବସିଛି କୋଡ଼ିଏବର୍ଷର ଟୋକା କ୍ଳିନର୍‌ ଆବିଦ୍‌ ।

 

ବର୍ଷା ତୋଫାନ ମାଡ଼ିଆସିଛି ଅଧାବାଟରେ । ଗଫୁର୍‌ ସେଥିକୁ ଖାତିର କରିନାହିଁ । ମାଲିକର ଆଦେଶ ସେ ଅବଶ୍ୟ ପାଳନ କରିବ । ସୁବିଧା ଉଣ୍ଡି କେଉଁ ଧର୍ଷିତା ଅପହୃତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିବ । ମଦ, ଧନ ଏବଂ ଆବଶ୍ୟକ ହେଲେ ଦେହର ରକ୍ତ ତା’ର ମୂଲ୍ୟ ଦେବ । ଜୀବନ ଦେବାକୁ ସେ କୁଣ୍ଠିତ ନୁହେଁ ! ଟ୍ରକ୍‌ ଭିତରେ ଦୁଇଟିଣ ମଦ ସେ ଲୁଚାଇ ରଖିଛି । ନିଜେ ଅଳପ ପିଇଛି । ଟୋକା ଆବିଦ୍‍କୁ ଆକଣ୍ଠ ପାନ କରିବାକୁ ଦେଇଛି । ମଦର ଚୋରା କାରବାର କରି ଗଫୁର୍‌ ଭଲ ଚାରି ପଇସା ରୋଜଗାର କରେ । ମଦଦେଇ ଅପରିଚିତ ରକ୍ତ–ମୁଖା ଗୁଣ୍ଡାଙ୍କୁ ସେ ଆପଣାର କରେ । ସବୁ ସମ୍ବାଦର ସେ ଯୋଗାଡ଼ କରେ ।

 

ବଡ଼ ରାସ୍ତାରୁ ହମିଦ୍‌ପୁର ଆଡ଼କୁ ଗଡ଼ି ଯାଇଥିବା ଛୋଟ ରାସ୍ତାଟି ଗହୀର ମଝିରେ ପଡ଼ିଛି । ରାସ୍ତା କଡ଼ରେ ଛାଡ଼ିଛାଡ଼ିକା ବଡ଼ବଡ଼ ଆମ୍ବତୋଟା, ନଡ଼ିଆ ବଗିଚା, ଦୂରେଇ ଦୂରେଇ ତାଳ ଖଜୁରି ବଣ । ବଣ ସେପାରି ଖଣ୍ଡେ ଦୂର ଛାଡ଼ି ନାଳ ଉପରେ ସଂକୀର୍ଣ୍ଣ ପୋଲ । ପୋଲ ସେ ପାଖେ ବଡ଼ ଝିଲଟିଏ । ଝିଲ ମଝିରେ ରାସ୍ତା । ଝିଲ ପାରି ପୁଣି ତୋଟା ଓ ନଡ଼ିଆ ବଗିଚା, ତାଳ–ଖଜୁରି ବଣ । ସେଠିକୁ ହମିଦ୍‌ପୁର ଅଧମାଇଲ ବାଟ ।

 

ବଜିଚା ମଝିରେ ଟ୍ରକ୍‍ର ଲାଇଟ୍‌ ଲିଭିଲା । ପୁଣି କେଉଁଠି ତାର ଛିଣ୍ଡିଲାଣି । ଗଫୁର୍‌ ଟ୍ରକ୍‌ ଅଟକାଇଲା । ପୁରୁଣା ଟ୍ରକ୍‌କୁ ଯେତେ ସଜାଡ଼ିଲେ ସେ ହେଉନାହିଁ । ବେଳେବେଳେ ଏମିତି ସେ ହଇରାଣ କରୁଛି, ଦଗା ଦେଉଛି ।

 

ତୋଫାନ କମିଛି । ବର୍ଷା ଥମି ଥମି ଆସୁଛି । ଆକାଶ ମେଘାଚ୍ଛନ୍ନ । ଉଆଁସୀ ଅନ୍ଧାର ସାରା ଦୁନିଆକୁ ଘୋଡ଼ାଇ ରଖିଛି, ମୁହଁକୁ ମୁହଁ ଦିଶୁନାହଁ । ବାଟଯାକ ବାରମ୍ବାର ସେ ହଇରାଣ ହୋଇଛି । ଯେତେ ସଜାଡ଼ିଲେ ଖଣ୍ଡେଦୂର ଆସିଲା ପରେ ପଡ଼ାଉଠା ଖାଲିଢ଼ିପ ରାସ୍ତାରେ ପୁଣି କଳ ବିଗୁଡ଼ୁଛି । ସଜାଡ଼ିବାକୁ ଘଣ୍ଟାଏ । ଗୋଟାଛାଏଁ ଓଦାସରସର ଗଫୁର୍‌ ମିଆଁ, ବିରକ୍ତ ହୋଇ ଆବିଦ୍‌କୁ ହଲାଇ ଉଠାଇଲା । ରୁକ୍ଷ–ସ୍ୱରରେ କହିଲା, ଉଠ, ପୁଣି ଗାଡ଼ି ବିଗିଡ଼ିଲା ।

Unknown

 

ଆବିଦ୍‌ ଚିହିଁକି ଉଠିଲା । ଛୋଟ ଟର୍ଚ୍ଚ ଆଲୁଅ ଟ୍ରକ୍‌ର ଖୋପରୁ କାଢ଼ି ଗଫୁର୍‌କୁ ଦେଲା । ଗଫୁର୍‌ ଆଲୁଅ ଟିପି ରିଷ୍ଟଓ୍ୱାଚ୍‍କୁ ଚାହିଁଲା । ରାତି ବାରଟା ଗଡ଼ିଗଲାଣି । ନିଜ ଉପରେ ବିରକ୍ତ ହୋଇ ଗଫୁର୍ ହାତରୁ ରିଷ୍ଟଓ୍ୱାଚ୍ ଖୋଲି ପକେଟ୍‌ରେ ରଖିଲା । ସେ ଓ ଆବିଦ୍‌ ଟ୍ରକ୍‌ର ତଳକୁ ଓହ୍ଲାଇଲେ । ଯନ୍ତ୍ରବାକ୍‌ସରୁ ଯନ୍ତ୍ରପାତି କାଢ଼ିଲେ । ଟର୍ଚ୍ଚ ଆଲୁଅ ଜାଳି, ବନେଟ୍‌ ଟେକି ଗଫୁର୍‌ ପରୀକ୍ଷା କରିବାକୁ ଲାଗିଲା,–କେଉଁଠି ତା’ର ଛିଣ୍ଡିଛି, ବିଜୁଳି ସମ୍ପର୍କ ବ୍ୟାହତ ହୋଇଛି । ଅଭିଜ୍ଞ ଗଫୁର୍‍କୁ ଆଲୁଅ ସଜାଡ଼ିବାକୁ ଅଧିକ ସମୟ ଲାଗିଲା ନାହିଁ ।

 

ଆଲୁଅ ଜଳିଲା । ଦୁଇ ଫର୍ଲଙ୍ଗ ଦୂରଯାଏ ରାସ୍ତାକୁ ହାଲୋଳମୟ କଲା । ଗଫୁର୍ ଦୀର୍ଘ–ଶ୍ୱାସ ଛାଡ଼ି ଟ୍ରକ୍‌ ଭିତରୁ ବୋତଲ କାଢ଼ିଲା । ଢକଢ଼କ କରି ଅଧବୋତଲ ଆରକ୍‌ ଉଦରସ୍ଥ କରି, ବୋତଲକୁ ଆବିଦ୍ ହାତକୁ ବଢ଼ାଇ ଦେଲା । ଅନୁଗତ ଭୃତ୍ୟପରି ଆବିଦ୍‌ ଅବଶିଷ୍ଟ ମଦ ଉଦରସ୍ଥ କରି ଖୋଲା ବୋତଲକୁ ଟ୍ରକ୍‌ ଉପରକୁ ପକାଇଲା । ଗଫୁର୍‌କୁ ସଲାମ କରି କହିଲା, ଦେଖ ତ ଭାଇ, ରାସ୍ତା ଉପରେ କିଏ ଜଣେ ଦଉଡ଼ି ଦଉଡ଼ି ଏଣିକି ଆସିଲାପରି ମନେ ହେଉଛି !

 

ଗଫୁର୍ ଚାହିଁଲା । ସତେ ତ, ମୂର୍ତ୍ତିଟା ଅସ୍ତବ୍ୟସ୍ତ ହୋଇ ଧାଇଁଛି । ପାଖେଇ ଆସୁଛି । ଅର୍ଦ୍ଧରାତ୍ରିରେ ପ୍ରେତିନୀ ପରି ଦେଖାଯାଉଛି ସେ ନାରୀ–ମୂର୍ତ୍ତି ! ମୁଣ୍ଡର ଖୋଲାକେଶ ଏପାଖ ସେପାଖ କେରା କେରା ହୋଇ ଦୋହଲୁଛି । ପିନ୍ଧିଥିବା ଧଳାଶାଢ଼ିର ଭିଜା ଅଞ୍ଚଳ ତଳେ ଘୋଷାରି ହେଉଛି । ଗୋଡ଼ ଛନ୍ଦୁଛି । ତାକୁ ହାତରେ ଓଟାରି ଓଟାରି ଦରଲଙ୍ଗୁଳି ନାରୀ ମୂର୍ତ୍ତି ପଡ଼ିଉଠି ପ୍ରାଣ ବିକଳରେ ଧାଇଁଛି ଆଗକୁ ।

 

ଘଟଣାଟା ବୁଝିବାକୁ ଗଫୁର୍‍କୁ ଡେରି ଲାଗିଲା ନାହିଁ । ଆବିଦ୍‌କୁ ଉତ୍ତର ନ ଦେଇ ସେ ଜଙ୍ଗଲିଆ ବଗିଚା ଫାଙ୍କରେ ଦେଖାଯାଉଥିବା ଝିଲ୍‌ର କୀୟଦଂଶ ଉପରେ ଦୃଷ୍ଟି ପକାଇଲା । ଯାହା ସ୍ଥିର କରିବାର ସେ ସ୍ଥିର କରି ନେଲା । ସିଟ୍‌ ପାଖକୁ ଆସି ଚାବି ମୋଡ଼ି ସ୍ୱଚ୍‌–ଅଫ୍‌ କଲା । ଆଲୁଅ ଲିଭିଲା । ଘୋଟିଗଲା ଦଶଦିଗ ଦୁର୍ଭେଦ୍ୟ ଅନ୍ଧାର । ଟ୍ରକ୍‌ର ଚାବିକୁ ସେ ଅଧା–ପ୍ୟାଣ୍ଟ ପକେଟ୍‌ରେ ରଖିଲା, ଟର୍ଚ୍ଚ ଆଲୁଅ ଜାଳି ଯନ୍ତ୍ରବାକ୍‌ସ ଭିତରୁ ଓଟାରି ନେଲା ହାତେ ଲମ୍ୱର ଛୁରା–ତୀକ୍ଷ୍ଣଧାର, ମୁନିଆଁ ମୁଣ୍ତ । ଗୋଟିଏ ଭୁଷାରେ ଅନ୍ତବୁଜୁଳା ପଦାକୁ ଆସିବ, ଗୋଟିଏ କେଞ୍ଚାରେ ଛାତି ଫୁଟାଇ କଲିଜା ଛିଣ୍ଡାଇ ପିଠିଆଡ଼େ ବାହାରିବ । ଗୋଟିଏ ଚୋଟରେ ଗଣ୍ତିରୁ ଅଲଗା କରିବ ମୁଣ୍ତ ।

 

ଗଫୁର୍ ପଦାକୁ ଆସିଲା । ଧୀର ସ୍ୱରରେ କଥା ଉପରେ ଜୋର୍‌ ଦେଇ କହିଲା, ଆବ୍‌ବେ ଆବିଦ୍‌, ସାଲ୍ଲା ଚିଲ୍ଲେଇବୁ ତ ତୋର ଜାନ୍‌ ଲେବି । ଟ୍ରକ୍‌କୁ ଧରି ଖାଡ଼ା ରହ । କାଫେର୍‌ ଲଡ଼କୀ ପଳାଉଛି, ପଛରୁ କିଏ ଖେଦୁଛି–, ବୁଝିଲୁ ?

 

ନିଶା ଜୋରରେ ଆବିଦ୍‌ ଟଳୁଛି । ମୁଣ୍ତ ଭ୍ରମୁଛି । ଟ୍ରକ୍‌ର ବନେଟ୍‌କୁ ଆଉଜି ମୁଣ୍ତ ଝୁଙ୍କାଇ ସେ ଉତ୍ତର ଦେଲା, ମାରୋ ସେ କାଫେର୍‌ ଲଡ଼କୀକୁ । ମାରୋ ଦାଦା, ମାରୋ–

 

ଟର୍ଚ୍ଚ ଆଲୁଅ ଗୋଟିଏ ହାତରେ ଓ ଛୋରାଟି ଡାହାଣ ହାତରେ ଧରି ଗଫୁର୍ ନୁହେଁ, ମଦ୍ୟପ ଅଧର ମଣ୍ତଳ,–ଅଧମ ଚଣ୍ତାଳ, ଧୀରେ ଧୀରେ ଆଗେଇ ଗଲେ । କର୍ତ୍ତବ୍ୟର ସମୟ ଆସିଛି । ପ୍ରତିଶୋଧ ନେବାର ପୁଣି ସୁଯୋଗ ମିଳିଛି । ଆତ୍ମ–ରକ୍ଷା କରିବାକୁ ପାଗଳିନୀ ଅନିମା କୁକୁରମାନଙ୍କ କବଳରୁ କୌଣସି ଉପାୟରେ ଖସି ପଳାଇ ଆସିଛନ୍ତି, ସେମାନେ ଧାଇଁଛନ୍ତି ପରା ପଛରେ । ପୁଣି ସେମାନେ ଧରିବେ ତାଙ୍କର ଅନିମାକୁ, ବଳାତ୍କାର କରି ବୋହିନେବେ ତାଙ୍କର ଆଡ଼୍‍ଡ଼ାକୁ ।

 

ହିନ୍ଦୁ ରମଣୀ ସେମାନଙ୍କର ଭୋଗର ସାମଗ୍ରୀ । ବଞ୍ଚିଥିଲେ ସ୍ଥାନାନ୍ତରିତ ହେବ, ଆଉ କେଉଁ ଆଡ଼୍‍ଡ଼ାକୁ । ଅଜଣା କେଉଁ ଗ୍ରାମକୁ । ମରିଗଲେ ଲାସ୍‌ଟାକୁ କେଉଁ ଅପନ୍ତରାରେ ନିକ୍ଷେପ କରିବେ । ଯେଉଁ ଦେହଟା ଅଜଣା କେତେ ନର–ପଶୁଙ୍କର ଦେହର କ୍ଷୁଧା ମେଣ୍ଟାଇଛି, ସେ ହେବ ଶ୍ୱାନ ଶୃଗାଳ ଗୃଧ୍ରଙ୍କର ଆହାର ହେବ । ଦେହ ଭିତରେ ଯଦି ଆତ୍ମା ବୋଲି କ’ଣ ଗୋଟାଏ ଅବିନଶ୍ୱର ଥିବ, ସେହି ଅଶରୀରୀ ଆତ୍ମା ବିଳାପ କରି ଭ୍ରମୁଥିବ ଏଇ ଆକାଶତଳେ, ଅନନ୍ତ କାଳ ଯାଏଁ ।

 

ଅଧର ମଣ୍ତଳ ଟର୍ଚ୍ଚ ଆଲୁଅ ଚିପି ଆଗେଇ ଗଲେ, ଦ୍ରୁତପଦରେ । ହଁ, ହେଇଟି ଆଗରେ, ନାରୀଟି ପାଗଳିନୀ ପରି ଧାଇଁ ଆସୁଛି । ଚଳନ୍ତି ହଲିଲା ଟର୍ଚ୍ଚ ଆଲୁଅ ଦେଖି ସେ ରାସ୍ତା କଡ଼ରେ ଠିଆ ହେଲା । ଧଇଁସଇଁ ହେବାକୁ ଲାଗିଲା । ଅନିମ ନୁହନ୍ତି, ତାଙ୍କରି ପରି ଆଉ କେହି ଜଣେ ହତଭାଗିନୀ !

 

ଅଧର ମଣ୍ତଳ ପାଟିକରି କହି ଉଠିଲେ, ଭୟ ନାହିଁ, ଧାଅଁ ନାହିଁ, ଧୀରେ ଧୀରେ ଆସ, ନୋହିଲେ ଅପେକ୍ଷା କର । ସେ ଶୁଣି ପାରିଲା । ମନରେ ପ୍ରତ୍ୟୟ ଆସିଲା ପରା, ସେଇଠି ସେ ଠିଆ ହୋଇ ରହିଲା । ଅଧର ମଣ୍ତଳ ଆଲୁଅ ଲିଭାଇ କ୍ଷିପ୍ରଗତିରେ ପାଖକୁ ଗଲେ । ଆଲୁଅ ଚିପିଲେ । ଝିଅଟି ପାଖେଇ ଆସିଲା ।

 

ଥରଥର ହୋଇ କଟା କଦଳୀ ଗଛପରି ତାଙ୍କର ପାଦତଳେ ପଡ଼ି ଦୁଇ ଗୋଡ଼କୁ ଯାବୁଡ଼ି ଧରିଲା । କୋହ ସମ୍ଭାଳି ନପାରି କଇଁକଇଁ ହୋଇ କାନ୍ଦି ଉଠିଲା ।

 

ଅଧର ବାଧା ଦେଲେ ନାହିଁ । କାନ୍ଦୁ ସେ, ଜୀବନର ସମସ୍ତ ଦୁଃଖ, ମନର ସବୁ ବେଦନା ଅଶ୍ରୁର ବନ୍ୟାରେ ଭସାଇ ଦେଉ । ତା’ପରେ ସେ ଉଠିବ । ତା’ର ଦୁଃଖର କାହାଣୀ ବର୍ଣ୍ଣିବ । ସେଇଠୁ କି ଅନୁରୋଧ ସେ କରିବ, ମଦୁଆ ଗୁଣ୍ତା ଗଫୁର୍ ମିଆଁ ପାଖରେ ?

 

ସେ ଜାଣେ, ତା’ର ଅନୁରୋଧ କେହି ରଖିବେ ନାହିଁ । ସେ ଯୁବତୀ, ସେ ସ୍ୱାସ୍ଥ୍ୟବତୀ, ବିବ୍ରତ ରୁକ୍ଷ ରୂପରୁ ମନ–କିଣା ସୌନ୍ଦର୍ଯ୍ୟର ଆଭା ପରିସ୍ଫୁଟ । ଦେହର ସଫେଦ୍‌ ରଙ୍ଗ । ପୂରିଲା ମୁହଁ, ଧାର ନାକ । ମାଂସଳ ଗାଲ, ସୁଗୋଲ ଭରପୂର ଛାତି ।

 

ଟର୍ଚ୍ଚ ଆଲୁଅରେ ସବୁ ସେ ଲକ୍ଷ୍ୟ କରିଛନ୍ତି । ତାଙ୍କର ମଣିଷ ଦେହର ଆବରଣ ତଳେ ପଶୁତ୍ୱର କାମନା ଭୋକେଇ ଉଠୁଛି । ନିର୍ଜନ ଅନ୍ଧାର ରାତି । ନିଶୀଥ । ମଦର ତେଜ ସ୍ନାୟୁରେ ଚରିଛି । ପିତୃତ୍ୱର ଉପାସୀ ପ୍ରେରଣା ତାରୁଣ୍ୟକୁ ଗ୍ରାସ କରିବାକୁ ନିର୍ଦ୍ଦେଶ ଦେଉଛି । ଅଧର ମଣ୍ଡଳ ଆଲୁଅ ଟିପି ଝିଅଟିର ଅବନତ ଦେହ ଉପରେ ଆଖି ପକାଇଲେ । ସଫେଦ୍‌ ଶାଢ଼ି ଉପରେ ରକ୍ତର ଛିଟା !

 

ଅଧର ପଛେଇ ଆସିଲେ । ଭାବିଲେ, ସେ କ’ଣ ଆହତ ହୋଇଛି ? ଥରିଲା ସ୍ୱରରେ ପଚାରିଲେ, ତୁମର କ’ଣ ହୋଇଛି ? ଉଠ, କହ, ଏପରି ଅସ୍ତବ୍ୟସ୍ତ ହୋଇ କେଉଁଠୁଁ ଧାଇଁ ଆସୁଛ-? କୁଆଡ଼େ ଯିବାକୁ ଚାହୁଁଛ ? ତୁମେ କ’ଣ ହିନ୍ଦୁଘରର ବୋହୂ ? କେଉଁମାନେ ତୁମକୁ ଚୋରାଇ ଆଣିଛନ୍ତି ? ଉଠ । ରାତିଅଧ ହେଲାଣି । ପୁଣି ବର୍ଷା ମାଡ଼ି ଆସୁଛି ।

 

ଝିଅଟି ଉଠି ଠିଆ ହେଲା । ଥରିଲା ନିଃଶ୍ୱାସକୁ ଅଟକାଇ କହିଲା, ସେମାନେ ମତେ କେଣ୍ଟାକେଣ୍ଟା କରି ଖାଇଛନ୍ତି । ନିଜ ଭିତରେ ହଣାହଣି ହେଉଛନ୍ତି । ସେହି ଗୁଣ୍ତାମାନେ ଓ ପଞ୍ଜାବୀ ସିପେଇ । ମୋତେ ଭିଣଭିଣା କରି ଖାଇବେ । ଦରମରା କରି ଘରେ ବନ୍ଦକରି ରଖିବେ । ଛଅବର୍ଷ ହେଲା ଚାଲିଛି ଏପରି । ତେରବର୍ଷର ହୋଇଥିଲି ତ ଘରଛାଡ଼ି ପଳାଇଗଲାବେଳେ, ସେମାନେ ମତେ ଚୋରାଇ ଆଣିଲେ ।

 

ସେମାନଙ୍କର ମୁଁ ଆହାର ହୋଇଛି । ଯେତେ ଅନୁରୋଧ କଲେ ମୋତେ ସେମାନେ ମାରି ଦେଉ ନାହାନ୍ତି । ଠାଆକୁ ଠା ସହସ୍ର ଠା ମୋତେ କଲେଣି । କିଏ କୁଆଡ଼େ ଯାଉଛନ୍ତି । ଯାହା ହାତରେ ମୁଁ ପଡ଼ୁଛି ସେମାନେ ମତେ ଝୁଣୁଛନ୍ତି, କୁକୁର ଦଳ । ପଳାଇ ଆସିଛି । ସେମାନେ ପଛରେ ଗୋଡ଼ାଇ ଆସିଥିବେ । ପୁଣି ଧରିନେବେ ।

 

ଝିଅଟି ତୁନି ହେଲା । କଇଁକଇଁ ହୋଇ ପୁଣି କାନ୍ଦିଲା । ଅଧର ମଣ୍ତଳ ପଥର ମୂର୍ତ୍ତିପରି ଠିଆହୋଇ ରହିଲେ ମୁହୂର୍ତ୍ତେ । ଆଲୁଅ ଲିଭାଇଲେ, ଛାତିତଳେ ଅସୀମ ବେଦନାର ପାରାବାର ଉଛୁଳି ଉଠିଲା । ଧର୍ମାନ୍ଧ ନିର୍ମମ ରାକ୍ଷସ ସେମାନେ, କାହାକୋଳର ସୁକୁମାରୀ କନ୍ୟାଟିକୁ ଓଟାରି ଆଣି ନିଜ ନିଜର କାମାନଳର ଇନ୍ଧନ କରି ଜାଳିଛନ୍ତି ।

 

ଅଧର ମଣ୍ତଳ ଆଲୁଅ ଟିପିଲେ । ଝିଅଟି ଥରଥର ହୋଇ ରାସ୍ତା କଡ଼କୁ ଗଡ଼ି ଚାଲିଛି । କହିଲେ, ରହ, ଶୁଣ–

 

ସେ ଅଟକିଲା ନାହିଁ । ବୁଦିବୁଦିକା ଅରମା ଓ ତାଳ ଖଜୁରିର ବଣଆଡ଼କୁ ମୋହିଲା । ଦ୍ରୁତପଦରେ ଚାଲିବାକୁ ଲାଗିଲା । ତାଆରି ପଛେ ପଛେ ଆସି ଖଣ୍ତେ ଦୂରରେ ଅଧର ତା’ର ହାତଧରି ଅଟକାଇଲେ । ସେ ଭୟରେ ଥରିବାକୁ ଲାଗିଲା । କାନ୍ଦଣା ସ୍ୱରରେ କହିଲା, ମୋର ହାତ ଛାଡ଼ି ଦିଅ । ସେମାନେ ମଦଖାଇ ମୋତେ ପୁଣି କେଣ୍ଟାକେଣ୍ଟା କରିବାକୁ ମରାମରି ହେଉଥିଲେ । ପଛରେ ଧାଇଁ ଆସୁଥିବେ । ପୁଣି ମତେ ଧରି ନେବେ ।

 

ଅଧର ମଣ୍ତଳ କହିଲେ, ମୋ ହାତରେ ତୁମେ ଧରାପଡ଼ି ସାରିଲଣି । ଯିବ କୁଆଡ଼େ ? ସେମାନେ ଯଦି ପଛରୁ ଆସନ୍ତି ତ ମୋର ଏଇ ଛୁରାର କରାମତି ବୁଝିବେ । ଚାଲିଆସ ମୋ ସଙ୍ଗରେ । ଟିକିଏ ଦୂରରେ ମୋର ଟ୍ରକ୍ ରଖା ହୋଇଛି । ଆସ, ମୋର ହାତ ଧରି ଆସ । ଡର ନାହିଁ । ମୁଁ ତୁମର କୌଣସି ଅନିଷ୍ଟ କରିବି ନାହିଁ ।

 

ଝିଅଟି ତା’ର ହାତ ପାପୁଲି ଅଧରଙ୍କର ହାତରୁ ଖସାଇ ନେଲା । ଛୋଟ ଟର୍ଚ୍ଚ ଆଲୁଅଟି ସେହି ହାତରୁ ଖସି ତଳେ ପଡ଼ିଲା । ଅଧର ଆଲୁଅଟି ତଳୁ ଗୋଟାଇ ପ୍ୟାଣ୍ଟ ପକେଟରେ ଭରିଲେ-। ଦି’ ଖେପା ଆଗେଇ ଗଲେ । ଝିଅଟିର ବାହୁଧରି ଅଟକାଇଲେ । କଅଁଳେଇ କହିଲେ, ଆସ ମୋ ସଙ୍ଗରେ ।

 

ଝିଅଟି ନୈଶ ଆକାଶ ଥରାଇ ଚିତ୍କାର କରି ଉଠିଲା, ନା, ନା । ମୋତେ ଛାଡ଼ିଦିଅ । ମୋତେ ମରିବାକୁ ଦିଅ । ସେମାନେ ମୋର ରକ୍ତମାଂସ ସବୁ ଚୋବାଇ ଶୋଷିଛନ୍ତି । ତଥାପି ମୋ ଦେହରେ ଜୀବନ ଅଛି । ସେତକ ତୁମେ ଶୋଷି ଖାଇଦିଅ । ତମର ହାତରେ ସେଇ ମୁନିଆଁ ଛୁରିରେ ମୋର ତଣ୍ଟି କାଟି ଦିଅ । ମୋର ଛାତି ଚିରିଦିଅ । କଲିଜା ଛିଣ୍ତାଅ ।

 

ଛଅବର୍ଷ ତଳେ ମୋତେ ଉଦ୍ଧାର କରିବାକୁ ଆଗେଇ ଆସିଥିଲା ମୋର ଭାଇ, ସେମାନେ ତା’ର ଛାତି କଣା କଲେ । ସେମାନେ ତା’ର ତଣ୍ଟି କାଟି ଦେଲେ । ସେମିତି ମୋତେ ମାରିଦିଅ ତୁମେ । ମୋତେ ଆଉ ନରକ ମଝିକୁ ଟାଣିନିଅ ନାହିଁ । ତୁମର ଗୋଡ଼ ଧରୁଛି । ମୋର ଏ ଦେହଟା ତ ଅଛି, ତୁମର ଆଶା ମେଣ୍ଟାଇ ନିଅ । ମୋର ରକ୍ତମାଂସ ସଙ୍ଗେ ମୋ ଜୀବନକୁ ଶୋଷି ନିଅ, ଶୋଷି ନିଅ, ଶୋଷିନିଅ–

 

ପାଗଳିନୀ ପରି ସେ ତଳେ ଲୋଟିଲା । ଦୁଇ ପାଦରେ ମୁଣ୍ତ ଲଗାଇଲା ।

 

ଅଧର ମଣ୍ତଳଙ୍କର ପଥର ଆଖିରୁ ଝରିଆସିଲା ଦୁଇଧାର ଲୁହ । ନଇଁ ପଡ଼ି ଝିଅଟିର ହାତଧରି ତଳୁ ଉଠାଉଣୁ ସେ ସ୍ନେହମିଶା କୋମଳ ଧୀର ସ୍ୱରରେ କହିଲେ, ଉଠୁ ମୋର ମା’, ମୁଁ ବି ତୋଅରି ପରି ଦୁଃଖୀ । ମୁଁ ମୁସଲମାନ ନୁହେଁ କି ଗୁଣ୍ତା ନୁହେଁ । ଯିଏ ମୋର ହଜିଛି ତାକୁ ଖୋଜିଛି ଛଅବର୍ଷକାଳ, ଠାବ କରି ପାରିଲି ନାହିଁ । ସେଇଥିପାଇଁ ମୁଁ ମୁସଲମାନର ରୂପଭେକ ଧରିଛି, ନାମବି ।

 

ତାକୁ ସିନା ପାଇଲି ନାହିଁ ମା’, କେଜାଣି ସେ ଭାରତବର୍ଷକୁ ଚାଲି ଯାଇଥିବେ, ତୋ ପରି ହତଭାଗିନୀ ଝିଅଟିକୁ ମୁଁ ପାଇଛି, ଉଠ । ମୋର ମା’, ଆଜି ତୋର ନୂଆ ଜନମ । ମୁଁ ବଞ୍ଚି ଥାଉଣୁ କେହି ତୋର କିଛି କରି ପାରିବେ ନାହିଁ । ମୁଁ ମରିବା ଆଗରୁ ତୋତେ ଆଗ ଏ ଦୁନିଆରୁ ନିଷ୍କୃତି ଦେଇଯିବି । ହେଲା ତ ଏବେ ? ଉଠ ଏଥର ।

 

ଝିଅଟି ଥରଥର ହୋଇ ଉଠିଲା । ଦୁଇ ହାତରେ ଅଧର ମଣ୍ତଳଙ୍କର ବଳିଷ୍ଠ ଦେହକୁ ବେଷ୍ଟନ କରି ଛାତିରେ ମୁହଁ ଘଷି କଇଁକଇଁ ହୋଇ କାନ୍ଦି ଉଠିଲା । ଗୋଟିଏ ହାତରେ ଅଧର ତା’ର କଅଁଳ ଶୀତଳ ନଗ୍ନ ପିଠିକୁ ଆଉଁସି ଝରିଲା ନେତ୍ର ଓ ଥରିଲା ସ୍ୱରରେ କହିଲେ, ପ୍ରକୃତିସ୍ଥ ରହ, ଧୈର୍ଯ୍ୟଧର । ଆତ୍ମରକ୍ଷା କରି ପାକିସ୍ଥାନର ନରକଭିତରୁ କିପରି ପଳାଇ ପାରିବା, ସେତିକି ଏବେ ମୋର ଭାବନା । ଚାଲିଆ ମୋର ସଙ୍ଗରେ ।

 

ଝିଅଟି କ୍ଷୀଣସ୍ୱରରେ କହିଲା, ମୋର ତ ମୁକ୍ତି ଲୋଡ଼ାନାହିଁ ବାପା, ମୁଁ ଭ୍ରଷ୍ଟା, ମୁଁ ପତିତା-। ମୋର ମରଣହିଁ ଲୋଡ଼ା ।

 

ଅଧର ମଣ୍ତଳ କହିଲେ, କିଏ ଜାଣେ, ଭାରତବର୍ଷକୁ ଚାଲିଯିବାର ଚେଷ୍ଟାକରି ଆତତାୟୀମାନଙ୍କ ହାତରେ ଆମ ଦୁହିଁଙ୍କରବି ମରଣ ହୋଇପାରେ ! ତେବେ ଏତିକି ନିର୍ଭର ଜବାବ୍‌ ମୁଁ ତତେ ଦେଉଛି, ଗୁଣ୍ତାଙ୍କ କବଳରେ ପଡ଼ିବା ଆଗରୁ ମୋର ଏଇ ରକ୍ତଖିଆ ଛୁରିର ମୁନରେ ଆଗ ତୋତେ ମୁକ୍ତି ଦେବି । ତା’ପରେ ଯାହା ହେବାର ହେବ । ସୈନିକମାନେ ଦୁଇ ଦେଶର ସୀମାରେ ଦୁଇପଟରେ ଦିନରାତି ପହରା ଦେଉଛନ୍ତି । କେଉଁ ବାଟରେ ପଳାଇଲେ ସେମାନଙ୍କର ଅଜାଣତରେ ଓ ଅଦେଖାରେ ଆମେ ରାତିରାତି ସୀମା ଡେଇଁ ପାରିବା, ମୁଁ ତାହା ଜାଣେ । ଅତି ଦୁର୍ଗମ ପଥ, ବିଶେଷତଃ ରାତିରେ । ଧରା ପଡ଼ିବାର କି ଗୁଳି ଚୋଟରେ ପ୍ରାଣଯିବାର ସମ୍ଭାବନା ଅଛି । ତଥାପି ଆମେ ଚେଷ୍ଟା କରିବା । ଚାଲିଆ ମୋର ପଛେ ପଛେ ।

 

ବରଷା ମାଡ଼ି ଆସିଲା । ଦେହ ଶୀତେଇ ଉଠିଲା ।

 

ଝିଅଟିକୁ ସଙ୍ଗରେ ଧରି ଅଧର ମଣ୍ତଳ ଟ୍ରକ୍‌ ପାଖକୁ ଆସିଲେ । ମଦ ନିଶାରେ ହତଜ୍ଞାନ ହେଇ ଆବିଦ୍ ସିଟ୍‌ଉପରେ ଗଡ଼ୁଛି । ହଲାଇ ଉଠାଇଲେ ସେ ଉଁ ଉଁ ହୋଇ କଡ଼ ଲେଉଟାଉଛି । ଉଠିବସିବାର ଶକ୍ତି ତା’ର ନାହିଁ ।

 

ଅଧର ମଣ୍ତଳ ତାକୁ ଶୂନ୍ୟେ ଶୂନ୍ୟେ ଟେକି ଗଛତଳକୁ ଆଣିଲେ । ଗଛକୁ ଆଉଜାଇ ନିଜେ ଟ୍ରକ୍‌ଭିତରକୁ ଆସିଲେ । ଝିଅର ହାତଧରି ତଳୁ ଟେକି ପାଖ ସିଟ୍‌ରେ ବସାଇଲେ । କହିଲେ, ତୁ ଡରନା, ଏଇ ଟ୍ରକ୍‌ରେ ବସି ଆମୁକୁ ଆହୁରି ପନ୍ଦରମାଇଲ ଆଗେଇ ଯିବାକୁ ହେବ । ସେଇ ଅପନ୍ତରାରୁ ଗହୀର ବିଲ, ଛୋଟ ଜଙ୍ଗଲ, କେତୋଟି ନାଳ ଅତିକ୍ରମ କରି ଯିବାକୁ ପଡ଼ିବ ।

 

ଟ୍ରକ୍‌ ଚାଲିଲା ।

 

ପଛରୁ ଆବିଦ୍‌ ବିଳିବିଳେଇଲାପରି ଡାକ ଛାଡ଼ି ଟଳିଟଳି ରାସ୍ତା ଉପରେ ଧାଉଁଣୁ ତଳେ ପଡ଼ିଲା । ଅଧରଙ୍କର କାନରେ ତା’ର ଡାକ ପଡ଼ିଲା ନାହିଁ । ବର୍ଷା ତୋଫାନ ମଝିରେ ବୋଝେଇଟ୍ରକ୍ ଜୀବନମୂର୍ଚ୍ଛା ଚଳାଇ ହମିଦ୍‌ପୁର ଗ୍ରାମ ଅତିକ୍ରମ କଲେ ! ଗତି କମାଇଁ କଅଁଳେଇ ପଚାରିଲେ, ତୋର ନାମଟି କ’ଣ ମା’ !

 

ଝିଅଟି ଉତ୍ତର ଦେଲା ନାହିଁ । ତା’ର ମନକଥା ବୁଝିଲା ପରି ନିଜେହିଁ ନିଜ ପ୍ରଶ୍ନର ଉତ୍ତର ଦେଲେ, ବୁଝିଲି, ତୁ ତୋର ନାମବି ତୁଣ୍ତରେ ଧରିବୁ ନାହିଁ । ନିଜର ପରିଚୟ ଦେବୁନାହିଁ । ଭଲକଥା-। ମରୁ, ମରିଯାଉ ତୋର ଅତୀତ । ସମସ୍ତେ ମରନ୍ତୁ । ସବୁ ତୁ ଭୁଲି ଯା ଆଜି ତୋର ନୂଆ ଜନମ-। ବାପା ବୋଲି ଡାକିଛୁ ପରା, ମୁଁ ଅଧମ ଚଣ୍ତାଳ, ଆଜି ତୋର ନୂଆ ନାମ ଦେବି । ବଞ୍ଚିରହିଲେ ସେଇ ନାମରେ ତତେ ମୁଁ ଡାକିବି । ତୁମ ମୋର ଅଲିଅଳ ଝିଅ ଗାୟତ୍ରୀ !

 

ଗାୟତ୍ରୀ କୋହ ସମ୍ଭାଳି ପାରିଲା ନାହିଁ । ଚଳନ୍ତି ଗାଡ଼ିରେ କଇଁକଇଁ ହୋଇ କାନ୍ଦି ଉଠିଲା । ଭାବୁଥିଲା ପରା, କିଏ ଏ ଅଧମ ଚଣ୍ତାଳ, କୁଆଡ଼େ ନେଉଛି ତାକୁ ? ମୁହଁରୁ ତା’ର ଭଣଭଣ ମଦର ଗନ୍ଧ ବାହାରୁଛି । ହୁଏତ ସେ ବି ଅନ୍ୟମାନଙ୍କ ପରି ଜଣେ ଆତତାୟୀ, ରୂପଲୋଭୀ ଗୁଣ୍ତା, ମରଣ ଯାତ୍ରାରୁ ତାକୁ ଭୁଲାଇ, ବୋଧଶୋଧ ଦେଇ ଓଟାରି ଆଣିଛି କେବଳ ତା’ର ଉଚ୍ଚିଷ୍ଟ ଅପବିତ୍ର ଅଲୋଡ଼ା ତାରୁଣ୍ୟର ମାଉଁସ ଲୋଭରେ !

 

ତେଇଆଳିଶ

 

ଆଗରେ ଭାସ୍କରୀ ନଦୀର ଛୋଟ ଧାରଟି, ପଛରେ ଉମରକୋଟ ଗ୍ରାମରେ ସ୍ଥାପନା କରାଯାଇଥିବା ପ୍ରୋଜେକ୍ଟ୍‌ କଲୋନି ଓ ସରକାରୀ ଅଫିସ୍‌ଗୁଡ଼ିକ । ସବୁ ଶ୍ରେଣୀର କର୍ମଚାରୀମାନଙ୍କ ରହିବାପାଇଁ ଅସ୍ଥାୟୀଘର–ଜାଉଁଳି ଖଞ୍ଜା, ଛାଡ଼ିଛାଡ଼ିକା, ଧାଡ଼ିକି ଧାଡ଼ି । ଦୁଇଧାଡ଼ି ମଝିରେ ରାସ୍ତା । ଶେଷ ଧାଡ଼ି ବ୍ଳକଟ୍‌ର ମଝିରେ ଘରଟିଏ ମିଳିଛି ଅଧର ମଣ୍ତଳଙ୍କୁ । ସଂଲଗ୍ନ ଘରଟି ଗୋଟିଏ ମେସ୍‌, ବିଭିନ୍ନ ଅଫିସ୍‍ରେ କାମକରୁଥିବା ଚାରିଜଣ କିରାଣି ରହନ୍ତି । କୋଣ୍ତାଗାଁରୁ ଉମରକୋଟ ବଦଳି ହୋଇ ଆସିବା ପରେ ଅଧର ମଣ୍ତଳଙ୍କୁ ଜାଉଁଳି ବ୍ଳକ୍‌ର ଯେଉଁ ଘରଟି ମିଳିଛି ସେଥିରେ ରହିବାପାଇଁ ମୋଟେ ଦିଓଟି କୋଠରୀ । ଛୋଟ ବାରଣ୍ତାକୁ ଲାଗି ରୋଷଘର । ତାକୁ ଲାଗି ଗାଧୁଆଘର । ପଛପାଖରେ ଗାଧୁଆଘରକୁ ଲାଗି ଦୁଇହାତ ଲମ୍ୱ ଓ ଦୁଇହାତ ଚଉଡ଼ାର ପାଇଖାନା ଘର ।

 

ଘରଗୁଡ଼ିକର ମୂଳଦୁଆ ପକ୍କା କିନ୍ତୁ କାନ୍ଥଗୁଡ଼ିକ ବାଉଁଶ ତାଟିରେ ତିଆରି । ଶାଳଗଛର ଖମ୍ୱମାନ ପୋତା ହୋଇ ତହିଁରେ ଲୁହା କଣ୍ଟାଦେଇ ବାଉଁଶ ତାଟି ଲଗା ହୋଇଛି । କରୋଗେଟେଡ଼୍‌ ଲୁହା ଦସ୍ତା ଶାଳବଲ୍ଲା ଉପରେ କଣ୍ଟାରେ ଯୋଡ଼ି ଛାତ ହୋଇଛି, ଚାରି ଆଡ଼କୁ ଗଡ଼ାଣିଆ । ବାଉଁଶ ତାଟିର କାନ୍ଥ ମଝିରେ ଖୋଲା ଝରକାରେ ପାତଳ ପଟାର କବାଟ । କୋଠରୀଗୁଡ଼ିକର ଦ୍ୱାର ମଧ୍ୟ ସେହି ରାତିରେ ତିଆରି । ତାଟି–କାନ୍ଥରେ ଓ ଖମ୍ୱମାନଙ୍କରେ ବଗିରାଳ ବୋଳା ହୋଇଛି ।

 

ଲଗାଲଗି ଦୁଇ ଖଞ୍ଜାର ରହଣି–ଘର ଦୁଇ ଦୁଇଟି ମଝିର ପୃଥକକାରୀ କାନ୍ଥବି ସେହି ବାଉଁଶ ତାଟିରେ ତିଆରି । ଏ ପାଖ ଘରେ ପଇସାଟିଏ ହାତରୁ ଖସିଲେ ତା’ର ଶବଦ ଆର ଘରକୁ ଶୁଭେ । ଅଧର ମଣ୍ତଳଙ୍କ ଘରର କୋଠରୀରେ ରହେ ତାଙ୍କର ଯୁବତୀ ଝିଅ ଗାୟତ୍ରୀ । ସେହି କୋଠରୀରୁ ଦାଣ୍ତଘର କୋଠରୀ ଓ ବାରଣ୍ତାକୁ ଦିଓଟି ଦ୍ୱାର । ଦାଣ୍ତ–କୋଠରୀରେ ରହନ୍ତି ଡ୍ରାଇଭର ଅଧମ ଚଣ୍ତାଳ । ସେହି କୋଠରୀରୁ ବାରଣ୍ତାକୁ ବାଟ । ସେଇ ଘରର ଖୋଲା ଝରକା ଦିଓଟି ପୂର୍ବକୁ ଖୋଲିଛି ।

 

ଅଧର ମଣ୍ତଳ ତକ୍ତପୋଷ ଉପରେ ବସି ପୂର୍ବଦିଗକୁ ଭାସ୍କରୀ ନଦୀ ଓ ତା’ର ଆରପାଖ ଅରଣ୍ୟ ଆଡ଼କୁ ଚାହିଁ ରହିଛନ୍ତି । ଗାୟତ୍ରୀ ଦିଓଟି ବାଲଟି ହାତରେ ଧରି ବଡ଼–ରାସ୍ତା କଡ଼ର ନଳକୂଅ ପାଖକୁ ପାଣିପାଇଁ ଯାଇଛି । ସୂର୍ଯ୍ୟ ଅସ୍ତ ହୋଇଗଲେଣି କିନ୍ତୁ, ଏବେବି ଆଲୋକ ଲିଭିନାହିଁ ।

 

ଅଧର ମଣ୍ତଳ ନଈ ଆଡ଼କୁ ଅନାଇଁ ଚିନ୍ତା କରୁଛନ୍ତି ନିଜ ଜୀବନର ଅତୀତ କଥା । ଗାୟତ୍ରୀକୁ ସେ ଅତି କଷ୍ଟରେ ପାକିସ୍ଥାନରୁ ଉଦ୍ଧାର କରି ପୂର୍ବବଙ୍ଗକୁ ଆଣିଲେ । ସେ ଆସିଲେ କଲିକତା ମହାନଗରୀକୁ । ତିନୋଟି ବର୍ଷ ସେଠି ତାଙ୍କର ରହଣି । ଭିକ୍ଷା କରି, ଚୋରି ଡକାୟତି କରି କି ସରକାରଙ୍କଠାରୁ ଡୋଲ୍‌ ନେଇ ଅଳସ ଜୀବନ କଟାଇବାକୁ ସେ ମନ କଲେ ନାହିଁ । ଦେହ ମିହନ୍ତ କରି ମୂଲଲାଗି ସେ ଅର୍ଥ ଉପାର୍ଜନ କଲେ । ଗୋଟିଏ ମଟର–ଓ୍ୱାର୍କସପ୍‌ରେ ସେ ମେକାନିକ୍‌ର ସାହାଯ୍ୟକାରୀ ହୋଇ କାମ କଲେ । ଦିନରାତି ଅକ୍ଳାନ୍ତ ପରିଶ୍ରମ ସେ କରନ୍ତି । ଯାହା ସେ ରୋଜଗାର କରନ୍ତି ସବୁ ଆଣି ଗାୟତ୍ରୀ ପାଖରେ ପକାଇ ଦିଅନ୍ତି । ମଦ ଖାଇବାକୁ ଯେତେବେଳେ ଲୋଡ଼ା ପୁଣି ଗାୟତ୍ରୀ ପାଖରୁ ମାଗି ନିଅନ୍ତି । ମାସ ଅଧା ନ ହେଉଣୁ ସବୁ ରୋଜଗାର ସରେ । ଅବଶିଷ୍ଟ ଦିନ ଧାର ଉଧାର କରି ଚଳେ । ନ ମିଳିଲେ ଉପାସ ଭୋକରେ କଟେ ।

 

ବାରମ୍ୱାର ସେ ସଂକଳ୍ପ କରନ୍ତି ଯେ ଆଉ ମଦପାଣି ଛୁଇଁବେ ନାହିଁ । ଦୁଇଚାରିଦିନ କଟେ ଟକଟକ ହୋଇ । ସୁବିଧା ମିଳିଲେ ପୁଣି ସେ ବଦଭ୍ୟାସ ଓଲଟି ଆସେ । ଅଧର ମଣ୍ତଳ,–ନିଜକୁ ଯେ ଅଧମ ଚଣ୍ତାଳ ନାମରେ ନିଜର କୁ–ଅଭ୍ୟାସ ପାଇଁ ପରିଚିତ କରାନ୍ତି, ନିଜର କର୍ମକୁଶଳତା ଓ ସଚ୍ଚୋଟପଣ ପାଇଁ ସମସ୍ତଙ୍କର ସହାନୁଭୂତିର ପାତ୍ର ହୋଇ ପାରିଥିଲେ । କେତେ ଗାଳି ସେ ଖାଆନ୍ତି । କେତେ ସଦୁପଦେଶ ସେ ଶୁଣନ୍ତି । ସବୁ ସେ ନିର୍ବିକାର ଚିତ୍ତରେ ଢୋକି ହଜମ କରନ୍ତି । ନିଜର ଦୁର୍ବଳତା ସେ ଜାଣନ୍ତି । କାହାରି କଥାକୁ ସେ ଛଳ କରନ୍ତି ନାହିଁ । ସମୟ କଟି ଯାଉଛି । କଟିଯାଉ, ବେଳ ବିତିଯାଉ, ଝିଅଟାର ଭବିଷ୍ୟତ କେବେ ସ୍ଥିର ହେବ କି ନ ହେବ ସେ ବିଷୟର ଚିନ୍ତା କେବେ ମନରେ ପଶେ ନାହିଁ । ମନ ଯାହାଙ୍କୁ ଖୋଜେ, ଆଖି ଯାହାଙ୍କୁ ଦେଖିବାକୁ ଚାହେଁ, ପ୍ରାଣ ଯେଉଁମାନଙ୍କର ସ୍ମୃତିକୁ ଝୁରି ହୁଏ, ସେମାନେ ଅନିମା ଓ କୋଳର ପୁଅ ଅମିତାଭ । ତାଙ୍କର ଦେଖା ମିଳେ ନାହିଁ । କ୍ଷୀଣ ଆଶାର ପ୍ରଦୀପ ହତାଶାର ଅମା ଅନ୍ଧକାର ଭିତରେ କେବେ କେମିତି ଜଳି ଉଠେ । ଆଶାୟୀ ମନ ବିଳିବିଳେଇ ଉଠେ; ସେମାନେ ବଞ୍ଚିଛନ୍ତି, ଭାରତବର୍ଷକୁ ପଳାଇ ଆସିଛନ୍ତି । ସେମାନେ ଏଇଠି ଅଛନ୍ତି, ଏହି କଲିତକା ସହରରେ ।

 

ପାଗଳପରି ସେ ବୁଲି ଦେଖନ୍ତି–ହାବଡ଼ା ଓ ସିଆଲ୍‌ଦା ରେଳ ଷ୍ଟେସନ୍‍, ହସରର ବିଭିନ୍ନ ସ୍ଥାନ, ବଡ଼ଲୋକଙ୍କର ବାରଣ୍ତା, ଫୁଟ୍‌ପାଥ୍‌ ଇତ୍ୟାଦି । ଆଶ୍ରୟ ପ୍ରାର୍ଥୀମାନେ ଦଳଦଳ ହୋଇ ପୂର୍ବବଙ୍ଗରୁ ପଳାଇ ଆସୁଛନ୍ତି । ଆଶ୍ରୟପ୍ରାର୍ଥୀ–ଶିବିରମାନଙ୍କୁ ପଠା ଯାଉଛନ୍ତି । ସେଠାରୁ ପୁଣି ପଠାହେଉଛନ୍ତି ବଙ୍ଗପ୍ରଦେଶ କି ଆଉ କେଉଁ ପ୍ରଦେଶମାନଙ୍କର ବିଭିନ୍ନ ଅଞ୍ଚଳକୁ ।

 

ଅଧର ମଣ୍ତଳ ଅଧ–ବାଇଆପରି ବୁଲି ବୁଲି ଦେଖନ୍ତି । ସେମାନଙ୍କର ସନ୍ଧାନ କେଉଁଠି ପାଆନ୍ତି ନାହିଁ । ହତାଶ ହୋଇ ଫେରି ଆସନ୍ତି ନିଜର ଭଡ଼ାଘରକୁ । ଅପେକ୍ଷା କରି ବସିଥାଏ ତାଙ୍କର ଅଧପାଗଳୀ ମଉନମୁହୀଁ ଝିଅ ଗାୟତ୍ରୀ–ଅଲଗା ବେଶ, ଆଖିରେ ଲୁହ କି ମୁହଁରେ ପ୍ରଶ୍ନ ନାହିଁ । ପଦଟିଏ ପଚାରେ ନାହିଁ–କେଉଁଠିଥିଲ, କ’ଣ କରୁଥିଲ, କାହାକୁ ଖୋଜୁଛ, କାହିଁକି ମଦ ପିଉଛ ? ମନ ପ୍ରାଣ ଦେଇ ସେ ଅଧରଙ୍କର ଯତ୍ନ ନିଏ, ସେବା କରେ । କେବେ କେମିତି କହେ, ଘରେ ଚାଉଳ, ଡାଲି, ତେଲ, ଲୁଣ ନାହିଁ ।

 

ଅଧରଙ୍କର ମନରେ ପଶେ । ସେ ତାଙ୍କର ଚିନ୍ତାରାଇଜରୁ ଫେରନ୍ତି । ଅବାସ୍ତବତାର ଦୋହଲା ପାହାଚରେ ଟଳିଟଳିକା ଓହ୍ଲାଇ ଆସନ୍ତି ବାସ୍ତବତାର ଉପହାସକରା କରାଳ ମୂର୍ତ୍ତି ଆଗକୁ-। ନିଜକୁ ସେ ନିନ୍ଦନ୍ତି । ଅନୁତାପ କରନ୍ତି । ବିଷାଦବଦନୀ ଝିଅର ମୁହଁକୁ ଅନାଇବାକୁ ତାଙ୍କୁ ଲାଜ ମାଡ଼େ । ସେ ମନେମନେ ସଂକଳ୍ପ କରନ୍ତି, ଆଉ ମଦ ଛୁଇଁବେ ନାହିଁ । ଚେଷ୍ଟା କରନ୍ତି, ପୁଣି ଅଭ୍ୟାସ–ରାକ୍ଷସର ପାଦତଳେ ମୁଣ୍ତ ନୁଆଁନ୍ତି ।

 

ଅଧର ମଣ୍ତଳ ଡ୍ରାଇଭର ହେଲେ । କେତେ ମାଲିକଙ୍କର କାର୍‌, ଜିପ୍‌, ଷ୍ଟେସନ୍‍–ଓ୍ୱାଗନ, ଟ୍ରକ୍ ଚଳାଇ ବିଭିନ୍ନ ସ୍ଥାନକୁ ଗଲେ । ଗୋଟିଏ ସ୍ଥାନରେ ଚାରି ଛଅ ମାସରୁ କେଉଁଠି ସେ ଅଧିକ ରହି ପାରିଲେ ନାହିଁ । ନିଯୁକ୍ତି ପାଇଲାବେଳେ ସେ ଭଲଲୋକ, ପ୍ରକୃତିସ୍ଥ ଭଦ୍ରଲୋକ ପରି ଦିଶନ୍ତି । ଅର୍ଥାଭାବରୁ ମଦପାଣି ଛୁଅନ୍ତି ନାହିଁ । ଦରମା ପାଇଲେ, ହାତକୁ ପଇସା ଆସିଲେ ପୁଣି ପୁରୁଣା ଅଭ୍ୟାସ ଫେରି ଆସେ । ମାଲିକର କାର୍ଯ୍ୟରେ ଅବହେଳା ହୁଏ । ଥରେ ଦୁଇଥର ତିରସ୍କାର, ଥରେ ଦୁଇଥର ତାଗିଦ୍‌, ସେଇଠୁ ବରଖାସ୍ତ । ପୁଣି ନୂଆ ଚାକିରି ଖୋଜା, ଅଭାବ ଅନଟନର ବେତ୍ରାଘାତ-

 

କଲିକତା ନଗରୀ ମନରେ ଆଶା ଓ ଉତ୍ତେଜନା ଆଣୁଛି; ନିରର୍ଥକ ସେ ତାଙ୍କର ଅନିମା ଓ ଅମିତାଭଙ୍କର ଅନ୍ୱେଷଣ କରୁଛନ୍ତି । ଦଳଦଳ ହୋଇ ପୂର୍ବ–ବଙ୍ଗରୁ ପଳାଇ ଆସୁଛନ୍ତି ଅତ୍ୟାଚାରିତ ହିନ୍ଦୁ ଜନତା । ସ୍ରୋତ ଛୁଟିଛି । ସେମାନେ ସର୍ବସ୍ୱ–ଲୁଣ୍ଠିତ । ପୂର୍ବପୁରୁଷଙ୍କର ଦେଶ, ସୁଜଳା–ସୁଫଳା, ସବୁ ଆଶା ଆକାଂକ୍ଷାର ଉତ୍ସ, ସ୍ନେହମୟୀ, କଲ୍ୟାଣମୟୀ ଦେଶମାତୃକାର କୋଳ ଛାଡ଼ି ଜୀବନ ଧରି, କେବଳ ଜୀବନ ଧରି, ସେମାନେ ପଳାଇ ଆସୁଛନ୍ତି । ଭାରତର ବିଭିନ୍ନ ପ୍ରଦେଶରେ ବିଶେଷତଃ, ଉତ୍କଳ ଓ ମଧ୍ୟପ୍ରଦେଶର କୋରାପୁଟ ଓ ବସ୍ତର ଜିଲାମାନଙ୍କରେ, ଯେଉଁଠି ଦଣ୍ତକାରଣ୍ୟର–ଉନ୍ନୟନ ଯୋଜନା ପ୍ରତିଷ୍ଠିତ ହୋଇଛି, ସେଇଠି ଥଇଥାନ କରିବାକୁ ଆଶ୍ରୟପ୍ରାର୍ଥୀମାନଙ୍କୁ ପଠାଇ ଦିଆହୋଇଛି ।

 

ଦଳଦଳ ହୋଇ ସ୍ପେଶାଲ–ଟ୍ରେନ୍‌ରେ ସେମାନେ ରାୟପୁର ଯାଉଛନ୍ତି । ରାୟପୁରରୁ ସେମାନଙ୍କୁ ଦଣ୍ତକାରଣ୍ୟ ଅଞ୍ଚଳରେ ବସାହୋଇଥିବା ଅସ୍ଥାୟୀ କ୍ୟାମ୍ପ୍‍ମାନଙ୍କ ପ୍ରୋଜେକ୍ଟର୍ ନିଜ ବସ୍ ଓ ଟ୍ରକ୍‌ମାନଙ୍କରେ ପଠାଯାଉଛି ।

 

ଡ୍ରାଇଭର ନିଯୁକ୍ତିପାଇଁ ପ୍ରୋଜେକ୍ଟ୍ ଅଫିସରମାନେ ଉପଯୁକ୍ତ ଲୋକ ଖୋଜିବାକୁ କଲିକତା ଆସିଛନ୍ତି । ଅଧର ମଣ୍ତଳ ପ୍ରାର୍ଥୀ ହେଲେ । ଅଧର ଚାଣ୍ତାଳ ନାମରେ ହାସଲ କରିଥିବା ଲାଇସେନ୍‌ସ୍ ଦେଖାଇ ଉପଯୁକ୍ତ ବିବେଚିତ ହୋଇ ବଛା ହେଲେ ଓ ନିଯୁକ୍ତିପତ୍ର ପାଇଲେ ।

 

ଦଣ୍ତକାରଣ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭର ଅଧମଙ୍କର ତିନୋଟି ବର୍ଷ କଟି ଯାଇଛି । ସବୁ ଦୁଃଖଦୈନ୍ୟର ଭାଗୀ ହୋଇ ପାଖେପାଖେ ଅଛି ଅନୁଗତା ଗାୟତ୍ରୀ । କନ୍ୟାର ଆସନରେ ଅଧିଷ୍ଠିତା ହୋଇ ସେ କେବଳ ତାଙ୍କର ସେବା କରିଛି । ନିଜର ବର୍ତ୍ତମାନ କି ଭବିଷ୍ୟତ୍‌ ବିଷୟରେ କେବେ ଭାବି ନାହିଁ । ନିଜପାଇଁ ମୁହଁ ଖୋଲି ନାହିଁ । ତିନିଦିନ ତଳେ ମାଲକାନଗିରିରୁ ଫେରି ରାତି ଦିଘଡ଼ିକୁ ସେ ତାଙ୍କ ବସାରେ ପହଞ୍ଚିଲେ । ଆରପାଖ ଘରେ କିରାଣିବାବୁମାନେ ପେଟ୍ରୋମାକ୍‌ସ ଆଲୁଅ ଜାଳି ପାଟିତୁଣ୍ତ କରୁଛନ୍ତି । ଟ୍ରାନ୍‌ଜିଷ୍ଟର ବାଜୁଛି । ତାସ ଖେଳ ଚାଲିଛି । ଆଜି ସେମାନେ ଭୋଜି କରୁଛନ୍ତି ପରା, ଖଣ୍ତେଦୂରରୁ ମାଂସକସାର ଗନ୍ଧ ନାକରେ ବାଜୁଛି ।

 

ଅଧର ମଣ୍ତଳ ନିଜ ବସାକୁ ଚାହିଁଲେ, ଅନ୍ଧାର, ସୋରଶବଦ ଶୁଭୁ ନାହିଁ ।

 

ଦରଜାରେ ହାତ ମାରି ଶବଦ କରି ସେ ଡାକ ଛାଡ଼ିଲେ, ଗାୟତ୍ରୀ, ଗାୟତ୍ରୀ– ।

 

ଭିତରୁ ସଙ୍ଗେ ସଙ୍ଗେ ଉତ୍ତର ଆସିଲା, ଖୋଲୁଛି ବାପା– ।

 

ଗାୟତ୍ରୀ କବାଟ ଖୋଲିଲା । ଡିଆସିଲି ଜାଳି ହାରିକେନ ଲଗାଇଲା । ଟୁଲ ଉପରେ ରଖି କଣକୁ ଘୁଞ୍ଚି ଠିଆହେଲା । ଧୀର କଣ୍ଠରେ ପଚାରିଲା, କ’ଣ ଖାଇଛ ବାପା, ଏମିତି ଦୁର୍ବଳ ଦିଶୁଛ କାହିଁକି ?

 

ଅଧର ମଣ୍ତଳ ଉତ୍ତର ନ ଦେଇ ଘର ଭିତରରୁ ଆସିଲେ । ଖଟ ଉପରେ ବସି ଗୋଡ଼ ଲମ୍ବାଇଲେ । ଗାୟତ୍ରୀ ପାଖକୁ ଆସିଲା । ତଳେ ବସି ଗୋଡ଼ରୁ ଜୋତା ଖୋଲି ଦେଲା । ଛିଣ୍ତା ଜୋତା ହଳକ ଖଟ ତଳକୁ ଠେଲି ଦେଇ ବାରଣ୍ତାକୁ ଯାଇ ବିଛଣାପତ୍ରର ପୁଟୁଳାଟି ଟେକି ଆଣିଲା ଭିତରକୁ । ନଇଁପଡ଼ି ପୁଟୁଳାର ରସି ଖୋଲୁଣୁ ପୁଣି ପଚାରିଲା, ଆପଣ କ’ଣ ଖାଇଛନ୍ତି ?

 

ଅଧର ମଣ୍ତଳ ଉତ୍ତର ଦେଲେ, ଦେହ ଭଲ ଲାଗୁ ନାହିଁ । ଗିଲାସେ ପାଣି ଦେଲେ ମୁଁ ପିଇ ଶୋଇବି । ତୁ କ’ଣ ଖାଇଛୁ ତ ମା’ ?

 

ଗାୟତ୍ରୀ ଉତ୍ତର ଦେଲା ନାହିଁ । ପୁଟୁଳା ଖୋଲି ସେ ଲୁଗାପଟା କାଢ଼ି ଝାଡ଼ିଝୁଡ଼ି ଅଲଗୁଣିରେ ରଖିଲା । କହିଲା, ଗାଧୁଆଘରେ ବାଲଟିରେ ପାଣି ଅଛି, ଆପଣ ଧୋଇଧାଇ ହେଉନ୍ତୁ । ଡିବିରି ଲଗାଇ ମୁଁ ଭାତ ଗଣ୍ତିଏ ବସାଇ ଦେଉଛି । ରାତି ବେଶି ହୋଇ ନାହିଁ ଯେ–

 

ଅଧର ବାଧା ଦେଲେ ନାହିଁ । ଭୋକରେ ପେଟ ଗର୍ଜୁଛି । ନିଜେ ଗାୟତ୍ରୀ ଆଜି ଉପାସରେ ଶୋଇଥାନ୍ତା । ନିଜ ବିଷୟରେ ସେ ଏହିପରି ଅଯତ୍ନଶୀଳା ।

 

ଅଧର ଉଠି ଠିଆ ହେଲେ । ଦେହରୁ ଝାଳଭିଜା ଜାମା କାଢ଼ି ଖଟ ଉପରେ ରଖିଲେ । ଅନାଇଲେ ଗାୟତ୍ରୀକୁ । ସେ ବିହ୍ୱଳ ହୋଇ ଚାହିଁ ରହିଛି । ଦେଖୁଛି ପରା ତା’ର ଆଶ୍ରୟଦାତା ପିତା ଅଧମ ଚଣ୍ତାଳଙ୍କର ନୂତନ ରୂପକୁ ! ପୃଥୁଳ ଦେହଟି ଟଳଟଳ ହେଉଛି । ମୁଣ୍ତର ଦରପାଚିଲା ଲମ୍ୱ କେଶ ଇତସ୍ତତ ହୋଇଛି । ଆଖି ଦିଓଟି ଉଜ୍ଜ୍ୱଳ ଦିଶୁଛି । ମୁହଁରୁ ମଦର ଗନ୍ଧ ବାହାରୁ ନାହିଁ । ସେ ଆଜି ମଦ ଖାଇ ନାହାନ୍ତି । ପରିବର୍ତ୍ତନ ଆସିଛି ସତେ ?

 

ଗାୟତ୍ରୀର ବିଷାଦଜଡ଼ିତ ବିଷଣ୍ଣ ମୁହଁରେ ଉଷାର ଉନ୍ମେଷ ପରି ଉଷତ ଆଲୋକର ଆଭା । ସେହି ଅସ୍ପଷ୍ଟ ଉଲ୍ଲାସ ଅଧମ ଚଣ୍ତାଳଙ୍କର ମଦିରାମୁକ୍ତ ଅନ୍ତରାତ୍ମାକୁ ତାଙ୍କର ଅଜାଣତରେ ଆଲୋଡ଼ିତ କଲା । ସାରା ଶରୀର ଥରି ଉଠିଲା । ସେ ଦୃଷ୍ଟି ଫେରାଇଲେ । କୋଠରୀର ଚାରିଆଡ଼କୁ ଚାହିଁଲେ । କାହିଁ, ସୁରା କାହିଁ ? ତଣ୍ଟି ଅଠା ଅଠା ହେଉଛି । ନିଜ ଭିତରୁ କିଏ ଆକୁଳ ଚିତ୍କାର କରି ଉଠୁଛି, ଦେ ଦେ, ମୋତେ ସୁରା–ସାଗରେ ବୁଡ଼ାଇ ଦେ, ମୁଁ ଅଧମ ଚଣ୍ତାଳ, ମୁଁ କ୍ଷୁଧିତ-

 

ଅଧମ ହାତ ବଢ଼ାଇଲେ । ଗାୟତ୍ରୀ ଆର ଘରକୁ ଚାଲି ଯାଇଛି । ମଦ ବୋତଲ କେଉଁଠି ନାହିଁ । ଜିପ୍‌ର ଯନ୍ତ୍ର–ବାକ୍‌ସ ଭିତରେ ରଖାହୋଇଥିବା ବୋତଲରେ ଆହୁରି ଅଧେ ମହୁଲ–ମଦ ଏବେବି ରହିଛି । ଜିପ୍‌ ଅଛି ଗ୍ୟାରେଜ୍‌ରେ । ସେ ଆହ୍ୱାନ କରୁଛି । ହାତ ବଢ଼ାଇଲେ ପାଉ ନାହିଁ । ଆତ୍ମା ନିର୍ଦ୍ଦେଶ ଦେଉଛି, ଧାଇଁ ଯା– ।

 

ଅଧମ ଧାଇଁଗଲେ ନାହିଁ । ମୁହଁଟେକି ଗାୟତ୍ରୀକୁ ଆହୁରି ଥରେ ଚାହିଁଲେ । ସେ ହଲି ଦୋହଲି ଆର ଘରକୁ ଚାଲି ଯାଉଛି । ମୁଣ୍ତଉପରର ଖୋଷା ଖୋଲି ଯାଇଛି । ଅସଜଡ଼ା କହରିଆ ଲମ୍ୱକେଶ ପିଠିଉପରେ ଅଡ଼ୁଆ ହୋଇ ବିଞ୍ଚିହୋଇ ନିତମ୍ୱ ତଳକୁ ଓହଳି ପଡ଼ିଛି । ମନେହେଲା, ସେ ଗାୟତ୍ରୀକୁ ଆଜି ଛଅବର୍ଷପରେ ନୂଆକରି ଦେଖୁଛନ୍ତି । ତା’ର ପ୍ରଫୁଲ୍ଲ ମୁହଁ, ଉଲ୍ଲସିତ ଚାଲି, ସେବା କରିବାକୁ, ଯତ୍ନ ନେବାକୁ ବ୍ୟଗ୍ର ବ୍ୟାକୁଳ ତତ୍ପରତା, ଅଧମଙ୍କର ଅନ୍ତରତଳେ ଯେଉଁ ଅମୃତର ଧାରା ଛୁଟାଇଲା, ସେ ଧାରା ମଦିରାଠାରୁ ଆହୁରି ବିହ୍ୱଳକାରୀ !

 

ତିନୋଟି ଦିନ କଟିଯାଇଛି । ଅଧମ ସୁରା ସ୍ପର୍ଶ କରି ନାହାନ୍ତି । ଅଧମ ଚଣ୍ତାଳଙ୍କର ବ୍ୟକ୍ତିତ୍ୱ ଭିତରେ ଅତୀତକୁ ଝୁରି ହେଉଥିବା ଅଧର ମଣ୍ତଳଙ୍କର ଯେଉଁ ଅଶାନ୍ତ ପ୍ରେତ ପୁରୁଷ ଛଟପଟ ହେଉଥିଲା, ସେ ମୁକ୍ତ ହୋଇଛି । ଭାସ୍କରୀ ନଦୀର ଅପର ପାର୍ଶ୍ୱର ଅରଣ୍ୟ ଉପରକୁ ଘୋଟି ଆସୁଥିବା ମାଈ ସଞ୍ଜର ଛାୟାକୁ ଏକ ଦୃଷ୍ଟିରେ ଅନାଇଁ ରହି, ଅଧମ ଚିନ୍ତା କରୁଥିଲେ, ଅଧର ମଣ୍ତଳର ସେହି ପ୍ରେତକୁ ସେ ମାଲକାନଗିରିରେ ନିର୍ବାସିତ କରି ଆସିଛନ୍ତି, ଯେଉଁଠି ଅନିମା ଅନ୍ୟ କାହାର କନ୍ୟାକୁ ସଂସାରକୁ ଆଣି ଲୋକଲଜ୍ଜାର ଭୟରେ ଅଧର ମଣ୍ତଳଙ୍କର କନ୍ୟା ବୋଲି ଦୁନିଆ ଆଗରେ ପରିଚିତ କରାଉଛନ୍ତି । ଅମିତାର ପିତା ତାଙ୍କୁ ନିଃସହାୟ ଅବସ୍ଥାରେ ପକାଇ ପରିତ୍ୟାଗ କରି ଚାଲି ଯାଇଛି, ଅଥବା କିଏ ତା’ର ପିତା ଏହାବି ଜଣାନାହିଁ ।

 

ବାରଟି ବର୍ଷ ସେ ସ୍ୱାଧୀନ ଭାବରେ ବେଳ କଟାଇଛନ୍ତି । ଯେଉଁ କନ୍ୟାଟିକୁ ସେ ସଂସାରକୁ ଆଣିଛନ୍ତି, ତାକୁ ଆଦର ଓ ସ୍ନେହରେ ପାଳି ବଢ଼ାଇଛନ୍ତି । ସୁଖରେ ରହନ୍ତୁ ସେମାନେ, ଆନନ୍ଦରେ ରହନ୍ତୁ । ଅଧମ ନୂଆ ମଣିଷ । ସେ କାହିଁକି ସେମାନଙ୍କର ସମ୍ମୁଖୀନ ହୋଇ ପୁଣି ଅଧର ମଣ୍ତଳର ପ୍ରେତ–ପୁରୁଷକୁ ଅନିମାନଙ୍କର ଆଗରେ ଠିଆ କରାଇ ତାଙ୍କର ନିଶ୍ଚିତ ଜୀବନକୁ ବ୍ୟଥିତ ମଥିତ କରିବେ ? ସୁଖର ସଂସାରକୁ ଟଳମଟଳ କରିବେ ? ଦୁନିଆରେ ଚହଳ ପଡ଼ିବ । ତା’ର ପରିଣତି ହେବ ବିଷମୟ ।

 

ଗାୟତ୍ରୀ ଏ ଘରକୁ ଆସିଲା । ଅଧମ ବାହାରୁ ଦୃଷ୍ଟି ଫେରାଇଲେ । ଅନ୍ଧାରିଆ ଘର ଭିତରେ ମଶାପଲ ଭାଉଁଭାଉଁ ହେଉଛନ୍ତି । ଗାୟତ୍ରୀ ହାତରେ କାଚ ଗିଲାସ ଧରିଛି । ମନକିଣା କଅଁଳ ସ୍ୱରରେ ସେ କହିଲା, ଚିନି ପାଣିରେ କାଗଜିଲେମ୍ୱୁ ରସ ଦେଇ ସର୍ବତ୍ କରି ଆଣିଛି ବାପା, ଆପଣ ଏତକ ପିଇ ଦିଅନ୍ତୁ ।

 

ଅଧମ ତକ୍ତପୋଷ ଉପରୁ ଉଠି ବାରଣ୍ତାକୁ ଆସିଲେ । ତାଙ୍କ ପଛେ ପଛେ ଗାୟତ୍ରୀ ପଦାକୁ ଆସିଲା । ସରବତ ଗ୍ଲାସ୍‍ଟି ଅଧମଙ୍କ ହାତକୁ ବଢ଼ାଇଦେଇ ସେ କହିଲା, ଘରେ ଚାଉଳ ଡାଲି କି ପନିପରିବା କିଛି ନାହିଁ ବାପା, ମୁଁ ଗୋଟିଏ ତାଲିକା କରି ରଖିଛି, ଆପଣ ଦୋକାନରୁ ନେଇ ଆସନ୍ତୁ ।

 

ଅଧମ ସର୍ବତ୍‌ ପିଇ ଗିଲାସଟି ଗାୟତ୍ରୀ ହାତକୁ ଫେରାଇ ଦେଲେ । କହିଲେ, କେବଳ ତାଲିକା ନେଇ ବଜାରକୁ ଗଲେ କେହି ସଉଦା ଦେବେ ନାହିଁ ମା’, ମୋ ପାଖରେ ପଇସାଟିଏବି ନାହିଁ । ଦୋକାନୀର ଅନେକ ଟଙ୍କା ବାକି । ଆଉ ଉଧାର ଦେବାକୁ ସେ ମନାକରି ଦେଇଛି । ତାଲିକାଟି ମତେ ତୁ ଦେ, ମୁଁ ଚେଷ୍ଟା କରି ଦେଖେ–

 

ଗାୟତ୍ରୀ ଘର ଭିତରକୁ ଗଲା । ଦିଓଟି କନାର ବ୍ୟାଗ୍ ଓ ତାଲିକା ଆଣି ଅଧମ ଚଣ୍ତାଳଙ୍କ ହାତକୁ ବଢ଼ାଇ ଦେଲା । ହସହସ ହୋଇ କାନିରୁ ଫିଟାଇ ଗୋଟିଏ ଦଶଟଙ୍କାର ନୋଟ୍‌ ତାଙ୍କ ଆଡ଼କୁ ବଢ଼ାଇ ଦେଲା ।

 

ଅଧମ ଚକିତ ଚକ୍ଷୁରେ ତା’ର ମୁହଁକୁ ଚାହିଁଲେ । ସେ ହସୁଛି । ସଞ୍ଜାର ମହଳ ଆଲୁଅରେ ତା’ର ସୁନ୍ଦର ମୁହଁକୁ କେଡ଼େ ଶୋଭାକର ଦିଶୁଛି ସେହି ଶେଫାଳିକା ଫୁଲର ସ୍ନିଗ୍ଧ କୋମଳ ହସ ! ଅଲୁରା ମୁଣ୍ତ, ଫୁରୁଫୁରୁ କେଶ । କାନରେ ପଥରବସା ଛୋଟଛୋଟ ସୁନାର ଫୁଲ ଦିଓଟି କେବେ ତାଙ୍କର ଆଖିରେ ପଡ଼ିଥିଲା, ସେତକ ନାହିଁ । ହାତରେ ସେ ସରୁସରୁ ସୁନାର କାଚ ଦିଦିପଟି ନାଇଥିଲା, ସେତକ ଗଲା କୁଆଡ଼େ ? ତା’ ପରିବର୍ତ୍ତେ ପଟିଏ ପଟିଏ ଗାଟାପାର୍ଚ୍ଚାର ନାଲିଆ କାଚ ସେ ପିନ୍ଧିଛି । ଗହଣା ଭିତରେ ଏତିକି । ବେକରେ ସରୁ ଚେନ୍‌ ଥିଲାପରି ମନେ ହେଉଛି ତ, ଦିଶୁ ନାହିଁ, ବେକ ଲଙ୍ଗଳା ଦିଶୁଛି ।

 

ଅଧମଙ୍କର ଆଖିର ପ୍ରଶ୍ନଗୁଡ଼ିକ ଗାୟତ୍ରୀର ମନରେ ପଶିଲା । ସେ ଗେହ୍ଲେଇ କହିଲା, ନିଅ ବାପା ଏ ଟଙ୍କା । ଏତିକିରେ ସବୁ ସଉଦା ହୋଇଯିବ । ବେକର ସେ ସରୁ ଚେନ୍‌ଟା ବାରମ୍ବାର ଛିଣ୍ତୁଥିଲା । କେତେ ଜାଗାରେ ଆଉ ସୂତାରେ ଗଣ୍ଠି ପକାନ୍ତି ? ସେଇ ଅଦରକାରୀ ଛିଣ୍ତାଚେନ୍‌କୁ ଆର ଘରର ବୁଢ଼ୀଙ୍କୁ ବିକିଦେଲି । ହଁ ବାପା, ସେଇ ଖଣ୍ତିଆ ଚେନ୍‌ଟା ମୋ ଛାତି ଉପର ମାଉଁସକୁ ଜନ୍ଦା କାମୁଡ଼ିଲାପରି ରଟରଟ କରି କାମୁଡ଼ୁଥିଲା । ଏବେ ତ ବେଶ୍‌ ଭଲ ଲାଗୁଛି ।

 

ଗାୟତ୍ରୀ !

 

ଅଧମ ଚଣ୍ତାଳଙ୍କର ଥରିଲା ସ୍ୱରରେ ଗାୟତ୍ରୀ ଚମକି ଚାହିଁଲା, ଦେଖିଲା, ଆଖି ଦିଓଟିରେ ଲୋତକ ଢଳଢ଼ଳ ହେଉଛି । ନୂଆ କଥା । କେଉଁ ଅନୁଶୋଚନାର ଜଳନ୍ତ ଅନଳ ସେହି ନିର୍ବିକାର ପଥର–ମଣିଷର ଲୁହାଛାତିକୁ ତରଳାଇ ଦେଇଛି । ଗାୟତ୍ରୀର ପ୍ରଫୁଲ୍ଲ ବଦନ ଉପରକୁ ଘୋଟିଆସିଲା ବ୍ୟଥାର ବଉଦ । ସେ ଅଧମଙ୍କର ହାତକୁ ମୁଠାଇ ଧରି କହିଲା, ବାପା, ସେହି ସହସ୍ର ଛିଣ୍ତା ସୂତା ଗଇଁଠା ଚେନ୍‌ଟା ଖାଲି ମୋର ଛାତି ଉପରକୁ କାମୁଡ଼ି ନଥିଲା ତ, ମୋର ଛାତି ତଳର ଅନ୍ତରାତ୍ମାକୁବି ପ୍ରତି ମୁହୂର୍ତ୍ତରେ ସହସ୍ର ବିଛାର ନାହୁଡ଼ରେ ଦଂଶନ କରୁଥିଲା । ସେଇଟି ମୋର ଆରଜନ୍ମର ପିତାଙ୍କର ଉପହାର । ମୋ ବେକରେ ଥିବାଯାଏ ସବୁବେଳେ ସେହି ଚେନ୍‌ଟା ମୋତେ ଟାଣି ନେଉଥିଲା ଗତ ଜୀବନର ସହସ୍ର ଭଲମନ୍ଦ ସ୍ମୃତି ଆଡ଼କୁ । ସେ ଯାଇଛି । ତୁମେ ମତେ ଜନମ ଦେଇଛ । ଏଣିକି ତୁମେ ମୋର ଅଳି ଅରଦୋଳି ସହିବ । କହୁଛି ପରା, ବେଳ ଥାଉଁଣୁ ବଜାରକୁ ଯାଇ ସଉଦା ନେଇ ଫେରିଆସ ।

 

ଅଧମଙ୍କର ମନେ ହେଲା, ସେଇ ଝିଅଟା ଗାୟତ୍ରୀ, ତାଙ୍କର ମାନସ–କନ୍ୟା, ତାକୁ ଦୁଇହାତରେ ଆଲିଙ୍ଗି ଧରିବେ, ପୁଣି ଦୁଇ ହାତରେ ଶୂନ୍ୟେଶୂନ୍ୟେ ଟେକି ତା’ର ମୁହଁରେ ବୋକ ଦେବେ । ଥେଇଥେଇ ନାଚି ପାଟିକରି କହିବେ, ଶୁଭିବ ଯେପରି ମାଲକାନଗିରି ଅରଣ୍ୟର କ୍ୟାମ୍ପ୍‌ ଭିତରକୁ, ତମସା ନଦୀର କୂଳକୁ, ଦେଖ ଅନିମା, ମୋର ଆରଜନ୍ମର ଗୃହିଣୀ, ଅମିତାଭକୁ ମୁଁ ଫେରି ପାଇଛି, ସେ ଥିଲା ଆରଜନ୍ମର ପୁତ୍ର, ତୁମର ଓ ମୋର ଦେହରୁ ସେ ସମ୍ଭୂତ ହୋଇଥିଲା । ସେ ମରିଛି । ତୁମେ ମରିଛ । ଅଧର ମଣ୍ତଳବି ମରିଛି । ଅଧମ ଚଣ୍ତାଳ ଏ ଜନ୍ମରେ ମନର ମମତାରୁ ଜନ୍ମାଇଛି ଅମିତାଭକୁ, କନ୍ୟା କରି । ଏଇ ମୋର ସେ କନ୍ୟା, ଅତି ପବିତ୍ର ଗାୟତ୍ରୀ !

 

ହାତ ବଢ଼ାଇ ଆଲୁରା–ମୁଣ୍ତୀ ଝିଅଟିର ମୁହଁକୁ ନୁଆଁଇ ଆଣି ଅଧମ ଚଣ୍ତାଳ ତା’ର କପାଳ ଉପରେ ବୋକଟିଏ ଦେଲେ । ଝରିଲା ଆଖିର ଲୁହଧାର ଗାୟତ୍ରୀର କପାଳ ଧୋଇ ଦୁଇ ଚିବୁକ ଉପରେ ପଡ଼ିଲା । କହିଲେ, ଅତୀତବି ମୋର ଧୋଇ ହୋଇଗଲା ମା’, ତୋର ଏଇ ବୁଢ଼ାପୁଅ ଆଉ କେବେ ତୋର ଅବାଧ୍ୟ ହେବ ନାହିଁ ।

 

ଅଧମ ଚଣ୍ତାଳ ଗାୟତ୍ରୀର ହାତରୁ ନୋଟ୍‌ ଖଣ୍ତି ନେଲେ । କନା ବ୍ୟାଗ୍‌ ଦିଓଟି ହାତରେ ଧରି ସେ ବାରଣ୍ତା ଉପରୁ ଓହ୍ଲାଇ ବଡ଼ରାସ୍ତାକଡ଼ ଦୋକାନକୁ ଚାଲିଲେ ।

 

ସଞ୍ଜର ଅନ୍ଧାର ଘୋଟି ଆସୁଥାଏ । ଭାସ୍କରୀ ନଦୀ କୂଳରୁ ଶୃଗାଳ ପଲ ବୋବାଳି ଛାଡ଼ିଲେ । ହାରିକନେ ଆଲୁଅ ଜାଳିବାକୁ ଗାୟତ୍ରୀ ଘର ଭିତରକୁ ପଶିଲା । ଅଧମଙ୍କର ଲୁହର ଧାରା ତା’ର କପାଳ ଓ ଚିବୁକକୁ ଶୀତଳ କରିଛି । ଗାୟତ୍ରୀ ଭାବିଲା, ସେମିତି ସେ ଲାଗିଥାଉ, କେତେ ତୃଷିତ ଉତପ୍ତ ଓଠର ବିଷାକ୍ତ ପରଶ ଭେଦିଥିଲା ଯେଉଁ ଚମରେ, ସେ ଚମ ଶୀତଳ ହେଉ, ପବିତ୍ର ହେଉ, ପିତାର ଲୋତକର ଗଙ୍ଗାଯମୁନାର ଧାରାରେ ।

 

ଚଉରାଳିଶ

 

ଅଧମ ଚଣ୍ତାଳ ଡ୍ରାଇଭରଙ୍କର ସ୍ୱଭାବ, କର୍ମନିଷ୍ଠତା ଓ ଦକ୍ଷତାର ସହସା ପରିବର୍ତ୍ତନର କାରଣ ତାଙ୍କର ସହକର୍ମୀମାନେ କେବଳ ନୁହନ୍ତି ତାଙ୍କର ଉପରିକମାନେ ମଧ୍ୟ ଅନୁସନ୍ଧାନ କରିବାକୁ ଆଗ୍ରହୀ ହୁଅନ୍ତି । ସେ ଆଉ ମଦ ଖାଉ ନାହାନ୍ତି । ସେ ଆଉ ଅନ୍ୟମନସ୍କ ରହୁ ନାହାନ୍ତି । ଧୀରସ୍ଥିର, ଅଳ୍ପଭାଷୀ, ମିଷ୍ଟଭାଷୀ ଓ ଭଦ୍ର ହେଲେଣି । ସମୟର ମୂଲ୍ୟ ସେ ବୁଝିଲେଣି । କେବଳ ଡ୍ରାଇଭର କହିଲେ ତାଙ୍କ ଦକ୍ଷତାର ଉପଯୁକ୍ତ ପରିଚୟ ଦିଆ ହେଉନାହିଁ ବୋଲି ଟ୍ରାନ୍‌ସପୋର୍ଟ ମହକୁମାର ହାକିମମାନେ ଅନୁଭବ କଲେଣି । ଟ୍ରକ୍‌, ଷ୍ଟେସନ୍‌–ଓ୍ୱାଗନ୍‌ ଓ ଜିପ୍‌ ଅଚଳ ହେଲେ, ରାସ୍ତାଘାଟରେ ହେଉ କି କେଉଁ ସହରରେ ହେଉ, ମେକାନିକ୍‌ମାନେ ଅକୃତକାର୍ଯ୍ୟ ହେଲେ, ଚଣ୍ତାଳଙ୍କୁ ଡାକରା ପଡ଼େ । ଶବ୍ଦବାରି ଗାଡ଼ିର ଗଲତି ସ୍ଥାନ ସେ ଅନୁମାନ କରନ୍ତି । ତୀକ୍ଷ୍ଣ ଶ୍ୟେନଦୃଷ୍ଟି ଅଡ଼ୁଆ ସ୍ଥାନକୁ ଠାବ କରେ । ଅଭ୍ୟସ୍ତ ଆଙ୍ଗୁଠି ତାକୁ ସଜାଡ଼େ, ଦୋରସ୍ତ କରେ । ଯେଡ଼େ କଷ୍ଟ ହେଉ, ଯେତେ ପରିଶ୍ରମ ପଡ଼ୁ କି ସମୟ ବିତୁ ସେଥିକି ସେ ଚିନ୍ତା କରନ୍ତି ନାହିଁ । ନିଜ ଦକ୍ଷତାର ବଡ଼େଇ କରି ପ୍ରମୋସନ୍ ଲାଳସୀ ଅନ୍ୟମାନଙ୍କ ପରି ସେ ଲେକ୍‌ଚର୍‌ ଦିଅନ୍ତି ନାହିଁ, କି ପରିଶ୍ରମ ଓ କୃତକାର୍ଯ୍ୟତା ପାଇଁ ଅଧିକ ପାରିଶ୍ରମିକ ତ ଦୂରର କଥା ପ୍ରଶଂସା ଓ ଧନ୍ୟବାଦ ମଧ୍ୟ ଭିକ୍ଷା କରନ୍ତି ନାହିଁ । ନିଜ ସଫଳତାର ମୂଲ୍ୟ ସେ ନିଜେ ଦିଅନ୍ତି ନିଜକୁ, ଗୋଟିଏ ଦୀର୍ଘଶ୍ୱାସ ଓ ଓଠରେ ଟିକିଏ ହସ ।

 

ସେ ପ୍ରହେଳିକା । ଯେଉଁମାନେ ତାଙ୍କର ସଂସର୍ଗରେ ଆସନ୍ତି ସେମାନେ ଅନୁମାନ କରନ୍ତି ଯେ ଏହି ବ୍ୟକ୍ତିଟିର ଅତୀତରେ କେତେ ଭଲମନ୍ଦ ରୋମାଞ୍ଚକର ଘଟଣା ଲୁଚି ରହିଛି । ନିଜର ଗାମ୍ଭୀର୍ଯ୍ୟର କୁହୁଡ଼ି ଭିତରେ ସବୁ ସେ ଲୁଚାଇ ରଖିଛନ୍ତି । ଅତି ଚାଲାଖ୍‍ର ତୀକ୍ଷ୍ଣବୁଦ୍ଧିର ଆଲୁଅ ସେହି କୁହେଳିକାକୁ ଭେଦି ପାରେନାହିଁ । ସେମାନେ ଦେଖନ୍ତି, ଏହି ବଳିଷ୍ଠ ପ୍ରୌଢ଼ ସୁ–ପୁରୁଷଙ୍କର କପାଳରେ କଟାଦାଗ । ବାମ ଗୋଡ଼ର ପେଣ୍ତି ଦୁଇ ପାଖେ ଦୁଇଟି ଗହିଡ଼ା ଚିହ୍ନ ଓ ବାହୁ ଏବଂ ପିଠିରେ ଅନେକଗୁଡ଼ିଏ କଟା ବା କେଞ୍ଚା ହୋଇଥିବା କ୍ଷତର ଦାଗ । ସେମାନେ ଅନୁମାନ କରନ୍ତି ଯେ ସେ କେବେ କେଉଁମାନଙ୍କ ଦ୍ୱାରା ଆକ୍ରାନ୍ତ ହୋଇ ଆହତ ହୋଇଥିଲେ । ତାଙ୍କର ପ୍ରକୃତ ନାମ ସେ ଗୋପନ କରିଛନ୍ତି, ନିଜକୁ ଅଧମ ଚଣ୍ତାଳ ନାମରେ ପରିଚିତ କରାଉଛନ୍ତି-

 

କାହିଁକି ?

 

ଅଧମ ଚଣ୍ତାଳଙ୍କୁ ପଚାରିଲେ ତାଙ୍କର ମାପଚୁପିଆ ଅଳ୍ପ କଥାରୁ କେବଳ ଏତିକି ବୁଝାଯାଏ ଯେ ପୂର୍ବ–ବଙ୍ଗର ଖୁଲନା ଜିଲାର ଗୋଟିଏ ଧ୍ୱସ୍ତବିଧ୍ୱସ୍ତ ଗ୍ରାମର ଲୋକ । ଆତତାୟୀମାନଙ୍କ ହାତରେ ତାଙ୍କର ସମସ୍ତେ ନିହତ । ବଞ୍ଚି ରହିଛନ୍ତି ସେ ଓ ତାଙ୍କର କନ୍ୟା । ସେ ପଳାତକ ହଁ, କିନ୍ତୁ ସେ ଭତ୍ତା–ଭିଖାରି ଆଶ୍ରୟପ୍ରାର୍ଥୀ ନୁହନ୍ତି । ସେ ମୁଣ୍ତ ଝାଳ ତୁଣ୍ତରେ ମାରି ହାଡ଼ଭଙ୍ଗା ପରିଶ୍ରମ କରି ଏ ଦୁନିଆରେ ବଞ୍ଚି ରହିବାକୁ ଚାହାନ୍ତି । ସମ୍ଭବ ହେଲେ ନିଜର ଓ ଝିଅଟିର ଅବସ୍ଥା ସୁଧାରିବାକୁ ଚାହାନ୍ତି । ସେ ମୁଣ୍ତ ସଳଖ କରି ଦୁନିଆର ଦାଣ୍ତରେ ଚାଲିବାକୁ ପଣ କରିଛନ୍ତି । ସେତକ ସମ୍ଭବ ନହେଲେ ବରଂ ସେ ଟଳି ପଡ଼ିବେ ।

 

କ’ଣ ସତେ ତାଙ୍କର ନାମ ? କି ଜାତିର ଲୋକ ସେ ?

 

କୌଣସି ଗୋଟିଏ ନାମରେ ଦୁନିଆରେ ତାଙ୍କର ଚଳନ୍ତି ପ୍ରତିମାକୁ ଚିହ୍ନାଇଁ ପାରିଲେ ହେଲା । ଯେଉଁମାନେ ତାଙ୍କର ନାମ ଦେଇଥିଲେ, ଯେଉଁମାନେ ତାଙ୍କୁ ସେହି ନାମରେ ଚିହ୍ନୁଥିଲେ, ସେମାନେ ଆଉ ନାହାନ୍ତି । ଯେଉଁ ସୁନାର–ବଙ୍ଗଳା ସେହି ନାମଟା ଦେହରେ କେତେ କୃଷ୍ଟି କେତେ ସଂସ୍କୃତିଜଡ଼ିତ କରିଥିଲା, ସେହି ବଙ୍ଗଳା ତାଙ୍କର ଦେହ ଓ ମନ ଆଗରେ ଜଳିପୋଡ଼ି ପାଉଁଶ ଗଦା ହୋଇଛି । ତାଆରି ସଙ୍ଗରେ, ତାଙ୍କର ପୂର୍ବ–ପୁରୁଷଙ୍କର ଅଶରୀରୀ ସ୍ମୃତି ପାଖରେ ସେ ତାଙ୍କର ସେକାଳର ନାମଟାକୁ ଛାଡ଼ି ଦେଇ ଆସିଛନ୍ତି । ଚଳନ୍ତି ଦେହଟାର ନୂଆ ନାମକରଣ କରିଛି ତାଙ୍କର ମନ । ସେହି ନାମରେ ସେ ପରିଚିତ ହେବାକୁ ଚାହାନ୍ତି । କୌଣସି ନିର୍ଦ୍ଦିଷ୍ଟ ଜାତିର ଲୋକ ସେ ନୁହନ୍ତି । ଅଦ୍ୟାପି ବଞ୍ଚି ରହିଥିବା ମଣିଷ ଜାତିର ଅକଳନ ପାରାବାରର ସେ ଗୋଟିଏ ନଗଣ୍ୟ ବୁନ୍ଦା ବାସ୍‌, ସେତିକି ।

 

ମଦ୍ୟପ ଅଧମ ଚଣ୍ତାଳଙ୍କର ସ୍ୱଭାବର ବିଚିତ୍ର ପରିବର୍ତ୍ତନ ହେଲା କିପରି ? କିପରି ସେ ଏଡ଼େ ଭୟଙ୍କର ରାକ୍ଷସର କବଳରୁ ନିଜକୁ ବଞ୍ଚାଇ ନୂଆ ମଣିଷ ହୋଇ ପାରିଲେ ? ଟିକିଏ ହସ, ସେଇଠୁ ଗାମ୍ଭୀର୍ଯ୍ୟ । ଏସବୁ ପ୍ରଶ୍ନର ଉତ୍ତର ସେ ଦିଅନ୍ତି ନାହିଁ । ଦୁନିଆ ଜାଣେ, ମଣିଷର ପ୍ରକୃତି ବିଚିତ୍ର । କେତେବେଳେ ତା’ର ମନ ଉପରେ କି ପ୍ରଭାବ ପଡ଼େ, ସେ ସହସା ବଦଳେ । ଦସ୍ୟୁ ରତ୍ନାକର ହୁଏ ମହର୍ଷି ବାଲ୍ମୀକି । ଦୁନିଆ ଦେଖୁ, ସେ ବଦଳିଛନ୍ତି । ସେ କାହାର କେବେ ଅନିଷ୍ଟ ଚିନ୍ତା କରି ନାହାନ୍ତି । କାହାରି ଦୟାର ପାତ୍ର ସେ ହେବାକୁ ଚାହିଁ ନାହାନ୍ତି । କାହାରି ପାଖରେ ନିଜର ଚଳନ ଓ ପରିବର୍ତ୍ତନ ପାଇଁ ସେ କୈଫିଅତ୍‌ ଦେବାକୁ ଚାହାନ୍ତି ନାହିଁ । ଯେବେ ସେ ଯାହା, ସେ ସେହିଆ !

 

ନିଜର ମାପଚୁପ ଉତ୍ତରର ଉହାଡ଼ରେ ଉଭା ହୁଏ ଅତୀତର ସ୍ମୃତି । ଉହୁଙ୍କି ପଡ଼େ ତା’ର କେତେ ଡାଳପତ୍ର । ଦୁନିଆ ଦେଖିପାରେ ନାହିଁ କିନ୍ତୁ ଅଧମ ଚଣ୍ତାଳଙ୍କର ଭିତର ଆଖି ସେ ସବୁ ସ୍ମୃତିକୁ ଆଡ଼େଇ ଦେଇପାରେ ନାହିଁ । ଦିଶି ଯାଆନ୍ତି ଅନିମା, ତମସା ନଦୀର କୂଳରେ, ଅରଣ୍ୟପଥରେ ଚାଲି ଚାଲି ଆସୁଛନ୍ତି, କାଖରେ ଜଳଭରା କଳସୀ, ପାଖରେ ତାଙ୍କର ଅଲିଅଳ କନ୍ୟା ଅମିତା ! ଦିଶିଯାଏ । ଆଖିସହା ଅନ୍ଧାର ରାତିରେ ପୂର୍ବବଙ୍ଗର ସୀମା ପାଖ ଅରଣ୍ୟ ଭିତରେ, ପଳାତକ ଦଳଙ୍କର ଉଦ୍‌ବିଗ୍ନ ଚଳନ ମଝିରେ ଆଗରେ ଚାଲିଛନ୍ତି ଅନିମା, କାଖରେ ତିନିବର୍ଷର ପୁତ୍ର ଅମିତାଭ, ମୁଣ୍ତରେ ଟିଣ ବାକ୍‌ସ ଏବଂ ପୁଟୁଳା ଓ ପଛରେ ସେ ! ଦିଶିଯାଏ ପୂର୍ବ–ବଙ୍ଗର ହମିଦ୍‌ପୁର ରାସ୍ତା ଉପରେ ବରଷା–ଅନ୍ଧାର ରାତିରେ ଅସ୍ତବ୍ୟସ୍ତ ହୋଇ ଧାଇଁ ଆସୁଛି ନାରୀ ଜଣେ, ଆତ୍ମରକ୍ଷା କରିବାକୁ । ହୋଇଥିବେ ପରା ପୁତ୍ରହରା ଅନିମା !

 

ଅନିମା ନୁହନ୍ତି, ଆଉ ଜଣେ ।

 

ଗାୟତ୍ରୀ !

 

ପଇଁଚାଳିଶ

 

ଏକୁଟିଆ ଜୀବନ ସଙ୍ଗେ ସେ ସୁପରିଚିତ । ପଡ଼ୋଶୀମାନଙ୍କ ପାଖରୁ ଆଡ଼େଇ ହୋଇ ରହିବା ତା’ର ଅଭ୍ୟାସ । ସେ ସମସ୍ତଙ୍କୁ ଭୟ କରେ, ବିଶେଷତଃ ନାରୀମାନଙ୍କୁ । ଯାହାର ସଂସର୍ଗରେ ସେ ଆହା ଉହୁ କରନ୍ତି, ତା’ର ଦୁଃଖମୟ ଜୀବନପାଇଁ ତୁଣ୍ତରେ ସହାନୁଭୂତି ଦେଖାନ୍ତି, ଉପରେ ପଡ଼ି ସାହାଯ୍ୟ କରିବାକୁବି ହମହମ ହୋଇ ଆଗେଇ ଆସନ୍ତି କେତେ, ସମସ୍ତେ ସେମାନେ ଗୁଡ଼େଇ ତୁଡ଼େଇ କଅଁଳେଇ ପଚାରନ୍ତି କେତେ ତୀକ୍ଷ୍ଣ ପ୍ରଶ୍ନ ।

 

ସେ ସବୁ ପ୍ରଶ୍ନର ଉତ୍ତର ଗାୟତ୍ରୀ ଦେବାକୁ ଚାହେଁ ନାହିଁ । ତା’ର ଅଳ୍ପ କଥାରେ ଉତ୍ତର-। ପାକିସ୍ଥାନରେ ଧନ ସମ୍ପତ୍ତି ଓ ଆତ୍ମୀୟମାନଙ୍କୁ ହରାଇ ଜୀବନ ରକ୍ଷା କରିବାକୁ ସେମାନେ ପଳାଇ ଆସିଛନ୍ତି । ଜୀବନ ଉପରେ ଯେଉଁସବୁ ଝଡ଼ଝଞ୍ଜା ବହିଗଲା, ସେ ସବୁର ପ୍ରଭାବରେ ତା’ର ପିତା ମ୍ରିୟମାଣ । ସବୁ ଦୁଃଖର ସ୍ମୃତିକୁ ଭୁଲି ଯିବାକୁ ସେ ସୁଚାର ଆଶ୍ରୟ ନେଇଛନ୍ତି ।

 

ପିତାଙ୍କର ସ୍ୱଭାବ ବଦଳିଛି । ବୀତସ୍ପୃହ ଭାବ ତାଙ୍କ ମନରୁ ଅପସରି ଯାଇଛି । ସେ ହୋଇଛନ୍ତି ସ୍ନେହ ଓ କରୁଣାର ଅବତାର । ଶିଶୁ ପୁତ୍ରଟି ପରି ସେହି ବଳିଷ୍ଠ ସ୍ୱାସ୍ଥ୍ୟବାନ ପ୍ରୌଢ଼, ଗାୟତ୍ରୀ ପାଖରେ ନିଜକୁ ସମର୍ପି ଦେଇଛନ୍ତି । କଟିଗଲାଣି ତ ଚାରୋଟି ମାସ ! ସେହି ବୁଢ଼ା ପୁଅଟିର ଅଳି ଅର୍ଦ୍ଦୋଳିପାଇଁ ପୁଣି ତା’ର ମୁହଁ ଶୁଖିଲା ନ ଦେଖିବାକୁ ଗାୟତ୍ରୀ ତା’ର ଅବହେଳିତ ଦେହର ଟିକିଏ ଯତ୍ନ ନେଉଛି । ଫୁର୍‌ଫୁର୍‌ ମୁଣ୍ତରେ ତେଲ ମାରି ମୁଣ୍ତ କୁଣ୍ତାଇ ଲମ୍ବ କେଶକୁ ସଜାଡ଼ି ବାନ୍ଧୁଛି । ଆଖିରେ ଅଞ୍ଜନ, ଲଲାଟରେ କୁଙ୍କୁମ ଘେନୁଛି । ଦାମିକା ଶାଢ଼ି ବ୍ଲାଉଜ୍ ପିନ୍ଧୁଛି । ବାପେ ତା’ପାଇଁ ସୁନ୍ଦର କାନବାଲା ଦିଓଟି, ଦି’ ଦିପଟି ସରୁ ସରୁ ସୁନାର କାଚ ଓ ପାତଳା ଚେନ୍‌ ହାରଟିଏ ଆଣି ଦେଇଛନ୍ତି । ସେତକ ସେ ପିନ୍ଧିଛି । ତାକୁ ସଫାସୁତୁରା ଦେଖି, ତା’ର ମୁଣ୍ତବନ୍ଧା, ଆଖିରେ ଅଞ୍ଜନ ଓ କପାଳରେ କୁଙ୍କୁମ ବିନ୍ଦୁ ଦେଖି ସେ ଖୁସି ହୁଅନ୍ତି । କହନ୍ତି, ଏଥର ତୁ ମୋ ଝିଅ ପରି ଦିଶୁଛୁ ଗାୟତ୍ରୀ, ସୁନା ଝିଅ, ଲକ୍ଷ୍ମୀ ଝିଅ ମୋର !

 

ସେ ମନକୁ ଆସିଲା ତୁପ୍ତ କୋମଳ ଆଖିରେ ଅନାଇଁ ରହନ୍ତି । ତାଙ୍କର ମନକିଣା ଦୃଷ୍ଟି ଗାୟତ୍ରୀର ମନରେ ଅମାପ ପୁଲକ ଭରେ । ସେ ଧୀରେ ଧୀରେ ଅଧମଙ୍କ ପାଖକୁ ଆସି ନଇଁ ପଡ଼ି ଜୋତାର ଫିତା ଖୋଲେ । ଭାବେ, ଥିଲା କି ତାଙ୍କର ତା’ ବୟସର ଝିଅଟିଏ, ସେ ମଧ୍ୟ ପାକିସ୍ଥାନରେ ମରିଛି ଅବା, ଅପହୃତା ହୋଇ ଚାଲିଯାଇଛି ? ଛଅବର୍ଷକାଳ ଅନ୍ୱେଷଣ ଓ ଅନୁସନ୍ଧାନର କିଛି ଫଳ ହୋଇନାହିଁ, ଅଗତ୍ୟା ସେ ପାକିସ୍ଥାନରୁ ପଳାଇ ଆସିଛନ୍ତି ?

 

ତା’ର ମନର ପ୍ରଶ୍ନ ମନରେ ସମାଧି ନିଏ । ଭାବେ, ସେ ତାଙ୍କର ଅତୀତକୁ ନିର୍ବାସିତ କରିଛନ୍ତି । ମନରୁ ସବୁ ସ୍ମୃତିର ରେଖା ପୋଛି ପକାଇଛନ୍ତି । ରହି ଯାଇଛି ପରା କେତୋଟି ଅଲିଭା ଦାଗ । ଅଜାଣତରେ ତୁଣ୍ତକୁ ଆଣୁଛି ତୁଳନାର ବାଣୀ, ଯାହା ସେ ପ୍ରକାଶ କରିବାକୁ ଚାହାନ୍ତି ନାହିଁ । ସେହି ବିଷୟରେ ପ୍ରଶ୍ନ ପଚାରି କାହିଁକି ତାଙ୍କର ଅତୀତର ରୁଦ୍ଧ ବେଦନାଗାରର ଦ୍ୱାରଦେଶରେ ଆଘାତ କରିବ ? ସେ ତ କେବେ ଗାୟତ୍ରୀକୁ କିଛି ପଚାରି ନାହାନ୍ତି, କି ପଚାରିବାର ଭୟଙ୍କର ଭାବନାର ଆଭାସ ଦେଇ ନାହାନ୍ତି !

 

ଅତୀତ ଲୁଚିଯାଉ ଅତୀତରେ । ନିଶ୍ଚିହ୍ନ ହେଉ । ବର୍ତ୍ତମାନର ତେଜୀୟାନ ଆଲୋକରେ ଉଜ୍ଜ୍ୱଳ ହୋଇ ପ୍ରକଟିତ ହେଉ ପିତା ଅଧମ ଚଣ୍ତାଳଙ୍କର କନ୍ୟା ଗାୟତ୍ରୀ ।

 

ତାହାହିଁ ହୋଇଛି ।

 

ପଡ଼ୋଶୀ ବ୍ଲକ୍‌ମାନଙ୍କରୁ କେତେ ପୁରୁଣା ଅଧିବାସୀ ଅନ୍ୟ କୁଆଡ଼େ ବଦଳି ହୋଇ ଚାଲି ଗଲେଣି । ଅନ୍ୟ କୁଆଡ଼େ ଆସି ନୂଆ ନୂଆ ଅଫିସରମାନେ ରହିଲେଣି । ଆଗ ଦୁଆର ଘରେ ରହନ୍ତି ଜଣେ ଟୋକା ଡାକ୍ତର, ତାଙ୍କର ସ୍ତ୍ରୀ, ଦୁଇବର୍ଷର ଚିନା କଣ୍ଢେଇ ପରି ଝିଅଟିଏ ଓ ପନ୍ଦର ଷୋଳବର୍ଷର ସ୍ୱାସ୍ଥ୍ୟବାନ ଚାକର ପିଲାଟିଏ । ଡାକ୍ତରବାବୁଙ୍କ ନାମ ତରୁଣ ମୁଖାର୍ଜି । ତାଙ୍କର ସ୍ତ୍ରୀଙ୍କୁ ସମସ୍ତେ କଲ୍ୟାଣୀ ବୋଲି ଡାକନ୍ତି । ଝିଅଟିର ନାମ ଗାୟତ୍ରୀକୁ ଜଣା ନାହିଁ । ସମସ୍ତେ ତାକୁ ଗେହ୍ଲାରେ ଡାକନ୍ତି ଖୁକୀ । ଚାକର ପିଲାର ନାମ ବିଧାନ । ସେ କାର୍ଯ୍ୟତତ୍ପର ବୋଲି କଲ୍ୟାଣୀ କହନ୍ତି ।

 

ଏହି କୁଟୁମ୍ବଟି ସଙ୍ଗେ ଧୀରେ ଧୀରେ ଗାୟତ୍ରୀର ସମ୍ପର୍କ ଓ ଘନିଷ୍ଠତା ବଢ଼ିଛି । ଏଥିପାଇଁ କଲ୍ୟାଣୀହିଁ ଦାୟୀ । ସ୍ୱଭାବତଃ ସେ ସ୍ନେହଶୀଳା ଓ ମିଳାପି । ଉପରେ ପଡ଼ି ସେ ବନ୍ଧୁତା କରନ୍ତି । ଅନ୍ୟ ଘରର ସୁବିଧା ଅସୁବିଧା ବୁଝିବାକୁ ଚେଷ୍ଟା କରନ୍ତି । ଅନ୍ୟର ଅସୁବିଧାକୁ ନିଜର ଶକ୍ତିମତେ ସୁଧାରିବାକୁ ସେ ପଛାନ୍ତି ନାହିଁ ।

 

ତାଙ୍କର ଉଦାର ମନର ପରିଚୟ ଗାୟତ୍ରୀ ଅନେକଥର ପାଇଛି । ଗୋଟିଏ ଘରେ ଝିଅଟିଏ ଏକୁଟିଆ କାରବାର ହେବାର ଦେଖି ଆଗ କଲ୍ୟାଣୀ ନିଜେ ଗାୟତ୍ରୀ ପାଖରେ ଉପସ୍ଥିତ ହୋଇଥିଲେ । ବାପ ଗସ୍ତରେ ଯିବାର ଖବର ପାଇ ରାତିରେ କାଳେ ସେ ଡରିବ ବୋଲି ଦାଣ୍ତଘରେ ଜଗି ଶୋଇବାକୁ ବିଧାନକୁ ପଠାଇଥିଲେ ।

 

ଏକା ରହିବାର ଅଭ୍ୟାସ ତା’ର ଅଛି । ଭୂତ ପ୍ରେତଙ୍କ ଉପରେ ତା’ର ମୋଟେ ବିଶ୍ୱାସ ନାହିଁ କି ସେ କେବେ ସେମାନଙ୍କୁ ଦେଖି ନାହିଁ । ଯଦି ସେମାନେ କେଉଁଠି ଥିବେ ଓ ରାତିରେ ଆସି କାରବାର ହେବେ ତ ହେଉଥାନ୍ତୁ, ସେମାନଙ୍କୁ ତା’ର ଭୟ ନାହିଁ । ଚୋର ଟସ୍କର ଦରିଦ୍ରର କୁଡ଼ିଆକୁ କଷ୍ଟ ସ୍ୱୀକାର କରି ଆସିବେ ନାହିଁ । ଗାୟତ୍ରୀ ତାଙ୍କୁ ଏହା ବୁଝାଇ ଦେଇଥିଲା । କହିଥିଲା ପୁଣି, ମୁଁ ଏକୁଟିଆ ରହେ ନାହିଁ ଅପା, ବାପା ଗସ୍ତରେ ଯାଉନ୍ତୁ କି କାର୍ଯ୍ୟ କରିବାକୁ ଯାଉନ୍ତୁ, ମୋର ଛୋଟ ସଂସାରର କାମ ଶେଷ କରି ମୁଁ ମନକୁ ମନ ଲେଖାପଢ଼ା ଶିଖିବାକୁ ଚେଷ୍ଟା କରେ । ବଙ୍ଗଳା ତ ଜାଣିଥିଲି, ଅଳ୍ପ ଅଳ୍ପ ଇଂରାଜୀ ଶିଖିଥିଲି । ଏବେ ହିନ୍ଦୀବି ପଢ଼ିଲେଖି ଶିଖିଲିଣି । ବାପାଙ୍କୁ କହିଲେ ସେ ମୋତେ ବହି ଆଣି ଦିଅନ୍ତି । ପତ୍ରପତ୍ରିକା କିଣି ଦିଅନ୍ତି । ସେଇ ବହିଗୁଡ଼ିକ ମୋର ସଙ୍ଗୀ । ପଢ଼ୁ ପଢ଼ୁ କି ଲେଖୁ ଲେଖୁ ଆଖି ମାଡ଼ି ପଡ଼ିଲେ କେତେବେଳେ ମୋର ନିଦ ହୋଇଯାଏ । ପୁଣି ଆଖି ପତା ଖୋଲିଲେ ଦେଖେ, ରାତି ପାହିଛି, ସକାଳ ହୋଇଛି । ମୋର କି ଡର ?

 

କଲ୍ୟାଣୀ ଅଳପ ହସି କହିଥିଲେ, ଏ ଘରେ ଧନସମ୍ପତ୍ତି ନାହିଁ ବୋଲି ତୁ ଅନୁମାନ କରୁଛୁ ଗାୟତ୍ରୀ, କିନ୍ତୁ ବାହାର ଲୋକେ ଦେଖୁଛନ୍ତି, ସାକ୍ଷାତ୍‌ ଧଳା–ସୁନାରେ ଗଢ଼ା ଚିକି ଚିକି ଝଟକିଲା ପ୍ରତିମାଟିଏ ଏ ଘରେ କାରବାର ହେଉଛି । ଶୁଣ୍‌ଶୁଣ୍‌, ସଞ୍ଜ ନ ହେଉଣୁ ତୋର ଆରପାଖ ଘରେ ମେସ୍‌କରି ରହିଥିବା ଟୋକାବାବୁମାନେ କେମିତି ରେଡ଼ିଓ ବଜାଇ ପାଟିତୁଣ୍ତ କରୁଛନ୍ତି । ସେମାନେ ତାଙ୍କର ସ୍ୱର ବକ୍ତବ୍ୟ ଓ ହସ ତୋତେ ଶୁଣାଇଁ ବୀରତ୍ୱ ପ୍ରକାଶ କରୁଛନ୍ତି । ସେହି ବୀର ପୁରୁଷମାନେ ଚଳନ୍ତି ସୁନା କଣ୍ଢେଇଟି ଚୋରି କରିବାକୁ ଆଗ ମନ ବଳାନ୍ତି । ସେଇଠୁ ଚୋର ପାଲଟନ୍ତି ।

 

ଗାୟତ୍ରୀ ଲାଜରା ହୋଇଥିଲା । ଟିକିଏ ରହି କହିଲା, କାହିଁକି ସେମାନେ ଅନ୍ୟ କୁଟୁମ୍ବର ସୁବିଧା ଅସୁବିଧା ନ ଭାବି ଏପରି ପାଟିତୁଣ୍ତ କରନ୍ତି ଏ ପ୍ରଶ୍ନ କେବେ କେହି ସେମାନଙ୍କୁ ପଚାରି ନାହିଁ । ଆମର ବା ଅଭିଯୋଗ କରିବାର କ’ଣ ଅଛି ? ଶୁଣିବ ଅପା, ସେମାନଙ୍କ ପାଖରୁ ଭଦ୍ରତା ବା ଦୂରେଇ ରହିଛି । ଦୁଇ ଘର ମଝିରେ ଯେଉଁ ପାତଳ ବାଉଁଶ ତଲେଇ, ସେଥିରେ ଛୋଟ ଛୋଟ କଣା କରି ସେମାନେ ଏ ଘରକୁ ଅନାନ୍ତି ।

 

ଆଗେ ମୋତେ ଭାରି ଅଡ଼ୁଆ ଅଡ଼ୁଆ ଲାଗୁଥିଲା ଅପା । ବାପାଙ୍କୁ କହିଲେ ସେ ଯେପରି ଲୋକ, ଭଲମନ୍ଦ ବିଚାର ନ କରି ବିଷମ କାଣ୍ତ ଘଟାଇବେ । ପାକିସ୍ଥାନରୁ ଆଣିଥିବା ଛୁରା ଦିଓଟି ମାନ ସମ୍ଭ୍ରମ ରକ୍ଷା କରିବାକୁ ଯାହାକୁ ସେ କେତେ ପାକିସ୍ଥାନୀ ଗୁଣ୍ତାଙ୍କର ରକ୍ତ ପେଇଛନ୍ତି, ପାଖରେ ସେ ସାଇତି ରଖିଛନ୍ତି । ସେମାନଙ୍କର ପାଟିତୁଣ୍ତ କି ଚୋରା ଚାହାଣି ମତେ ଆଉ ଅଡ଼ୁଆ ଲାଗୁନାହିଁ ।

 

ଅଭଦ୍ର ସେ ଅଲାଜୁକ ଦଳ । ସେମାନଙ୍କୁ ଥଣ୍ତା କରିବାର ଦାୟିତ୍ୱ ମୁଁ ନେଉଛି ଗାୟତ୍ରୀ, ପିଲା କୁଟୁମ୍ବ ଧରି ରହୁଥିବା ଘର ପାଖରେ ମେସ୍‌କରି ରହୁଥିବା ଟୋକାଟାକରାଙ୍କୁ ରହିବାକୁ ଅନୁମତି ଦେବା ମୋଟେ ଉଚିତ ନୁହେଁ ।

 

ପୁରୁଷ ପ୍ରକୃତି ଏମିତିଆଲୋ ଗାୟତ୍ରୀ, ଆମର ଫୁଙ୍ଗୁଳା ଦେହ ଦେଖି ଉତ୍ତେଜିତ ହେବାକୁ ସେଗୁଡ଼ା ଡହଳବିକଳ । କ’ଣ ଆଉ କରିବା ? ସେଇଥିରୁ ଗୋଟାଏ ଅଲାଜୁକକୁ ନେଇ ପୁଣି ଆମୁକୁ ଘରସଂସାର କରିବାକୁ ହେବ । ସେ ହେବେ ଆମର ପତି ପରମ ଗୁରୁ ।

 

ତିନିବର୍ଷ ତଳେ ମୁଁ ଡାକ୍ତରବାବୁଙ୍କ ଅଧୀନରେ ନର୍ସ କାମ କରୁଥିଲି ପାରଲ୍‌କୋଟ୍‌ରେ ମେଡ଼ିକାଲ ଭ୍ୟାନ୍‌ ଗାଡ଼ିରେ ଗୋଟିଏ କ୍ୟାମ୍ପ୍‍ରୁ ଆଉ ଗୋଟିଏ କ୍ୟାମ୍ପ୍‌ ବୁଲି ରୋଗୀ ଦେଖି ଆମ ରହଣି ସ୍ଥାନ ଛୋଟ କାପ୍‌ସି ଗାଁକୁ ଫେରିଲାବେଳକୁ ରାତିଅଧ ହୁଏ । ସେଇ ଡାକ୍ତରବାବୁ ଅତି ଭଦ୍ର ଓ ସାଧୁ ପୁରୁଷ ବୋଲି ଯାହାଙ୍କର ସୁଖ୍ୟାତି ଥିଲା, ଏବେବି ଅଛି ବୋଲି ଯାହାଙ୍କର ଗୁଣ ଲୋକେ ଗାଉଛନ୍ତି, ସେ ହେଲେ ମୋର ପତି–ଦେବତା ।

 

କଲ୍ୟାଣୀ ହସିଥିଲେ । ଗାୟତ୍ରୀର ମୁହଁକୁ ଦୁଇ ହାତରେ ଧରି ଗେହ୍ଲେଇ କହିଲେ, ତୋର ଏଇ ସୁନ୍ଦର ମୁହଁ, ଉଜ୍ଜ୍ୱଳ ଆଖି ଦେଖିଲେ ତୋତେ ସ୍ନେହ କରିବାକୁ କାହାର ମନ ଡହଳବିକଳ ନ ହେବ କହିଲୁ ? ତୋତେ ଜଣକ ହାତରେ ଛନ୍ଦି ନ ଦେବାଯାଏ ଏ ଛତରା ଦଳଙ୍କର ପାଟିତୁଣ୍ତ ବନ୍ଦ କରି ହେବନାହିଁ । ମଉସା ତ ଅଧେ ଦିନ ଗାଡ଼ିରେ ବୁଲିଲେ । ଘରେ ଆଉ କେହି ସ୍ତ୍ରୀ ନାହାନ୍ତି । ତୋତେ ଏକୁଟିଆ ଚଳପ୍ରଚଳ ହେବାକୁ ଡର ମାଡ଼ୁଥିବ । ମଉସା ଘରେ ନ ରହୁଥିବା ଦିନ ବିଧାନ ଏ ଘରେ ଶୋଇବ । ବଳିଷ୍ଠ ପିଲାଟିଏ ବିଧାନ । ସେ ବୁଦ୍ଧିମାନ୍‌ ଓ ସାହସୀ । ଦେଖିଥିବୁ ତ ସେ କେଡ଼େ କାମିକା । ଆହା ବିଚରା ବିଧାନ, ହତଭାଗ୍ୟଟିଏ ସେ ।

 

ଗାୟତ୍ରୀ ଉତ୍ତର ଦେଲା ନାହିଁ ।

 

କଲ୍ୟାଣୀଙ୍କୁ ସେ ଭଲ ପାଇଛି । କଲ୍ୟାଣୀ ସ୍ନେହୀ ମଣିଷ । ପର ଆପଣା ଜ୍ଞାନ ତାଙ୍କର ନାହିଁ । ନିଜର ଛୋଟ କୁଟୁମ୍ବର ସବୁ କାମ ସେ ହାତରେ କରନ୍ତି । ଡାକ୍ତର ତରୁଣବାବୁଙ୍କର କାର୍ଯ୍ୟରେ ସାହାଯ୍ୟ କରନ୍ତି । ତାଙ୍କର ବନ୍ଧୁବାନ୍ଧବଙ୍କର ଚର୍ଚ୍ଚା କରନ୍ତି । ସମୟ ପାଇଲେ ଗାୟତ୍ରୀକୁ ସଙ୍ଗରେ ନେଇ ଉମରକୋଟ କଲୋନିର ବିଭିନ୍ନ ଲୋକଙ୍କ ଘରକୁ ଯାଇ ଘରଣୀମାନଙ୍କ ସଙ୍ଗେ ବନ୍ଧୁତା ସ୍ଥାପନ କରନ୍ତି । ଗାୟତ୍ରୀକୁ ତାଙ୍କର ସାନ ଭଉଣୀ ବୋଲି ପରିଚିତ କରାନ୍ତି । ଛୁଆରଙ୍କୁଣୀ କଲ୍ୟାଣୀ । କେଉଁ ପିଲାର ଦେହ ଖରାପ ହେଲେ, ସେ ନିଜେ ତା’ର ଯତ୍ନ ନିଅନ୍ତି । ଡାକ୍ତରଙ୍କୁ ଡକାଇ ଔଷଧର ବ୍ୟବସ୍ଥା କରାନ୍ତି ।

 

କଲ୍ୟାଣୀଙ୍କର ସଂସର୍ଗରେ ଆସି ଗାୟତ୍ରୀ ନୂତନ ଜୀବନର ସନ୍ଧାନ ପାଇଲା । ତା’ର ସମୟ ହୋଇ ଉଠିଲା କର୍ମମୁଖର । ତା’ର ମନର କ୍ଳାନ୍ତି ଦୂର ହେଲା । ଅଳସ ଓ ଅବାନ୍ତର ଅତୀତ ଭବିଷ୍ୟତ୍‌ ଚିନ୍ତା ମନରୁ ଅନ୍ତର ହେଲା । ଅନ୍ୟ ପାଖରୁ ନିଜକୁ ଆଡ଼େଇ ରଖିବାର ଡର ଡର ପ୍ରକୃତି ଅପସରିଲା ।

 

ଅଧମ ଚଣ୍ତାଳ ଉମରକୋଟରେ ଥିବା ସମୟରେ ସେ ହୁଏ ସୁଦକ୍ଷ ଘରଣୀ । ପିତାଙ୍କର ଯତ୍ନ ନିଏ । ଘରଟିକୁ ସୁ–ଶୃଙ୍ଖଳ କରି ସଜାଇ ରଖେ । ବେଳେବେଳେ କଲ୍ୟାଣୀ ଆସନ୍ତି । ନିଜ ହାତରେ କଣ୍ଢେଇଟି ପରି ଗାୟତ୍ରୀକୁ ସଜାଇ ଦିଅନ୍ତି । ଉଲ୍‌ବୁଣା କାମ ଶିଖାନ୍ତି । ଶିଶୁ ଓ ମା’ମାନଙ୍କର ବିଭିନ୍ନ ରୋଗ ଏବଂ କିପରି ରୋଗଣା ବ୍ୟକ୍ତିର ସେବା କରିବାକୁ ହେବ, ଯତ୍ନ ନେବାକୁ ହେବ, ସେ ବିଷୟ ଶିଖାନ୍ତି । ବଙ୍ଗଳା ଭାଷାରେ ଲେଖା ବହି ମଧ୍ୟ ପଢ଼ିବାକୁ ଦିଅନ୍ତି ।

 

ଗେହ୍ଲେଇ କହନ୍ତି, ଆଲୋ ଗାୟତ୍ରୀ, ନିଜ ଘରକୁ ନିଜର ଶକ୍ତି ଓ ରୁଚି ଅନୁରୂପ ସଜାଡ଼ିବା ଓ ସଜାଇବା ଯେପରି ପ୍ରତି ଘରଣୀର କର୍ତ୍ତବ୍ୟ ନିଜର ଦେହଟିକୁ ସଜାଡ଼ିବା ଓ ସଜାଇବା ସେହିପରି ପ୍ରତି ବ୍ୟକ୍ତିର କର୍ତ୍ତବ୍ୟ । ଏଥିପାଇଁ ଅଧିକ ସମୟ ଲୋଡ଼ା ହୁଏ ନାହିଁ । ଅଭ୍ୟାସ ହେଲେ ସବୁ ଗତରେ ପଡ଼େ । ଅତିଶୀଘ୍ର ହୋଇଯାଏ । ଦେଖିଲୁ ଏବେ ତୋର ନିଜ ମୁହଁଟିକୁ ଆଇନାରେ ? ସୃଷ୍ଟିକର୍ତ୍ତା ଗଢ଼ିଥିବା ସୁନ୍ଦର ମୁହଁକୁ ଟିକିଏ ସଫାସୁତୁରା କରି ସଜାଇଲେ ନିଜକୁ ଯେପରି ଆନନ୍ଦ ଲାଗେ, ଦେଖଣାହାରିଙ୍କ ଆଖିକୁ ଦିଶେ ରୁଚିକର । ମନରେ ଅଜାଣତରେ ଆପେଆପେ ତାଙ୍କର ସରାଗର ଡୋର ଲାଗେ । ସେମିତି ବାହାର ଓ ଘର । ସେମିତି ଆମର ମନ ।

 

ଗାୟତ୍ରୀ ବାଧା ଦିଏ ନାହିଁ । କଥା ମାନେ । ତା’ର ପିତା ସୁଖୀ ହୁଅନ୍ତି । ହସହସ ହୋଇ ଚାହାନ୍ତି । ଗାୟତ୍ରୀର ସ୍ୱାଧୀନ ଚଳନକୁ ପସନ୍ଦ କରନ୍ତି । କଲ୍ୟାଣୀଙ୍କୁ ସ୍ନେହ କରନ୍ତି । ଖୋକୀକୁ କୋଳକୁ ନିଅନ୍ତି । ଆହ୍ଲାଦ କରନ୍ତି । ତା’ପାଇଁ ଖେଳଣା କିଣି ଆଣନ୍ତି । ବିଧାନକୁ ସହାନୁଭୂତିପୂର୍ଣ୍ଣ ଆଖିରେ ଦେଖନ୍ତି । ତା’ର ଜୀବନର ଇତିହାସ ଶୁଣି ଅନୁକମ୍ପାରେ ବିଚଳିତ ହୁଅନ୍ତି । ଆଶ୍ୱାସନା ଦିଅନ୍ତି ।

 

ଛୟାଳିଶ

 

ବିଧାନ ବୋଷର ଜୀବନର ଇତିହାସ ଛୋଟ ହେଲେବି ଅତି ଦୁଃଖପ୍ରଦ । ତିନିବର୍ଷର ପିଲାଟିଏ ସେ ହୋଇଥିଲା ସୁଦୂର ଊଣେଇଶ ପଚାଶ ସାଲରେ । କିଏ ତା’ର ପିତା ଆଉ କିଏ ତା’ର ମାତା କେହି ଜାଣନ୍ତି ନାହିଁ । ପୂର୍ବ–ବଙ୍ଗରୁ ପଳାଇ ଆସୁଥିବା ଅତ୍ୟାଚାରିତ ବାସଚ୍ୟୁତମାନେ କେଉଁ ଛୋଟ ରେଳଷ୍ଟେସନ୍‍ରେ ଗଦା ହୋଇଥିଲେ । ଦଳାଚକଟା ଠେଲାପେଲା ଅନ୍ଧାରିଆ ରେଳଷ୍ଟେସନ୍‍ର ବିଶ୍ରାମାଗାରରେ ଲୋକଭିଡ଼ । ଗାଡ଼ି ଚଢ଼ି ପଳାଇ ଆସିବାକୁ ସମସ୍ତେ ଉଚ୍ଛନ୍ନ । ସେହି ରେଳଷ୍ଟେସନ୍‌ରେ ରାତିଅଧର ଅନ୍ଧାରରେ ତା’ର ମାତା ତାକୁ କୋଡ଼ରେ ଧରି ପିତାଙ୍କ ପଛେ ପଛେ ଲୋକଗହଳିର ଠେଲାପେଲା ଭିତରେ ଗୋଟିଏ ଗାଡ଼ି ଭିତରକୁ ପଶି ପାରିଥିଲେ । ବସିବା ତ ସମ୍ଭବ ନୁହେଁ, ଠିଆ ହୋଇ ସିଆଲ୍‌ଦା ଷ୍ଟେସନ୍‍ ଯାଏଁ ଆସିବା ହେଲା ସମସ୍ତଙ୍କର ଉତ୍କଣ୍ଠିତ ଆଗ୍ରହ ।

 

ରେଳଗାଡ଼ି ଛାଡ଼ିଲା, କିନ୍ତୁ ସେତେବେଳକୁ ଯିଏ ପିଲାଟିକୁ କୋଳରେ ଧରି ଆଣିଥିଲେ ସେ ବୁଝି ପାରିଥିଲେ ଯେ ପୁଅଟି ତାଙ୍କର ନୁହେଁ । ଆଉ କାହାର । ତାଙ୍କର ସେହି ବୟସର ଝିଅଟିକୁ ସେ ଛାଡ଼ି ଆସିଛନ୍ତି । ଆଉ କାହାର ପିଲାଟିକୁ ଗୋଟାଇ ଆଣିଛନ୍ତି ।

 

ରେଳଗାଡ଼ି ଚାଲିଛି । ଷ୍ଟେସନ୍‌ ପରେ ଷ୍ଟେସନ୍‌ ଅତିକ୍ରମ କରୁଛି । ଡବା ଭିତରେ ସୋରିଷ ପକାଇବାକୁ ରାହା ନାହିଁ । ଡବା ବାହାରେ ଲୋକେ ବାଦୁଡ଼ି ପରି ଲଟକିଛନ୍ତି । ଓହ୍ଲାଇ ଯିବା ସମ୍ଭବ ନୁହେଁ । ଯେତେ କାନ୍ଦିଲେ ବୋବାଇଲେ ଆଉ କି ଲାଭ ? କେତେ ପିଲା ତମରି ହଜି ଯାଇଛନ୍ତି । ତାଙ୍କର ଝିଅଟି ମଧ୍ୟ ସେଥିରୁ ଗୋଟିଏ । କିନ୍ତୁ ଏ ଅନାବଶ୍ୟକ ପିଲା ପୁଅଟିକୁ ସେ କ’ଣ କରିବେ ?

 

ମା’ ଉଷାରାଣୀ ବାରମ୍ବାର ତାକୁ କେଉଁ ଅପନ୍ତରାରେ କି ଶରଣାର୍ଥୀ–କ୍ୟାମ୍ପ୍‍ରେ ପରିତ୍ୟାଗ କରିବାକୁ ଚେଷ୍ଟା କରିଥିଲେ । ପିତା ବିଜନ ବୋଷ ଦୟା ପାଇ ସେହି ଅନାଥ ଶିଶୁକୁ ପୁଣି ଗୋଟାଇ ନେଇ ଆଶ୍ରା ଦେଇଥିଲେ ।

 

ସେହି ଅବହେଳିତ ଅତ୍ୟାଚାରିତ ଶିଶୁଟି ବିଧାନ ବୋଷ, ପନ୍ଦରବର୍ଷର ଦୁର୍ବଳ ଅଳ୍ପଶିକ୍ଷିତ ବାଳକ, ପିତା ମାତାଙ୍କର କଳହ ମଝିରେ ବଢ଼ି ଆସିଛି ।

 

ବିଜନ ବୋଷଙ୍କର ତିନୋଟି ସନ୍ତାନ–ବିକାଶ, ବିମଳ ଓ ଝିଅ ବୀଥିକା । ବିକାଶର ବୟସ ଦଶ, ବିମଳର ସାତ ଏବଂ ବୀଥିକାର ଚାରି । ସମସ୍ତେ ତାକୁ ବିଧାନ ବୋଲି ଡାକନ୍ତି ।

 

ହେତୁ ପାଇଲା ଦିନରୁ ବିଧାନ ତା’ର ଜୀବନର ଇତିହାସ ବୀତସ୍ପୃହ ହୋଇ ଶୁଣିଛି ଓ ଜାଣିଛି । ତଥାପି ସେ ତା’ର ଆଶ୍ରୟଦାତାଙ୍କୁ ବାପା ବୋଲି ଡାକେ । ଯେଉଁ ନାରୀଟି ତାକୁ କେବଳ ବଞ୍ଚିବାର ଅଧିକାର ଦେଇ ବିଲେଇ କୁକୁର ପରି ବ୍ୟବହାର କରନ୍ତି, ତାଙ୍କୁ ସେ ମା’ ବୋଲି ଡାକେ । ବିଧା ଗୋଇଠା ସହି, ଦିନରାତି ଗାଳିମନ୍ଦ ଶୁଣି, କୁକୁଡ଼ା ଜଗି, ଛେଳି ଓ ଗାଈ ଚରାଇ, ତା’ପରେ ଜନମିଥିବା ତିନୋଟି ପିଲାଙ୍କୁ ଖେଳାଇ କାଖେଇ, ଘରର କାମ କରି ବଢ଼ି ଉଠିଥିଲା ଗୋଟିଏ ଦୁର୍ବଳ ରୋଗଣା ପିଲା ହୋଇ । ତା’ ପକ୍ଷ ନେଇ ଟିକିଏ ପ୍ରତିବାଦ କରି ବାପା କହନ୍ତି ବୋଲି ବାପା ମାଆଙ୍କର ଝଟାପଟା କଜିଆ ଲାଗେ । ସେ ସବୁ ଅତ୍ୟାଚାର ସହେ । ମୁହଁ ଖୋଲେ ନାହିଁ ।

 

ଛୋଟକାପ୍‌ସି ଗ୍ରାମରେ ଦେବତା ନଦୀକୂଳରେ ଯେଉଁ ବଡ଼ ଗ୍ରାମଟି ବସିଛି, ପାଖାପାଖି ଶହେଟି ଆଶ୍ରୟପ୍ରାର୍ଥୀ କୁଟୁମ୍ବ ଥଇଥାନ ହୋଇଛନ୍ତି, ସେହି ଗ୍ରାମରେ ବିଜନ ବୋଷ ରହନ୍ତି । ସରକାର ତାଙ୍କୁ ଭଲ ଘର ତୋଳାଇ ଦେଇଛନ୍ତି । ଚାଷ କରିବାକୁ ସାତ ଏକର ଭଲ ଜମି ଦେଇଛନ୍ତି । ହାତୀ ପରି ହଳେ ବଳଦ, ଚାଷୋପକରଣ, ଦୁହାଁଳି ଗାଈ ମଧ୍ୟ ସରକାର ଦେଇଛନ୍ତି । ଛୋଟ ଦୋକାନଟିଏ କରିବାକୁ ଟଙ୍କା ଋଣ ଦେଇଛନ୍ତି । ବିଜନ ବୋଷ ଏକୁଟିଆ ଲୋକ । ଏତେ ଜଞ୍ଜାଳ ମୁଣ୍ତେଇ ସବୁ କାର୍ଯ୍ୟ ସୁଚାରୁରୂପେ ଚଳାଇବାକୁ ଅକ୍ଷମ । ସହାୟ ଥିଲା ଛୋଟପିଲା ବିଧାନ ।

 

ସକାଳୁ ବିଛଣା ଛାଡ଼ି ଉଷାରାଣୀଙ୍କୁ ଘର କାମରେ ସାହାଯ୍ୟ କରେ । ଟିକିଏ ମଠ ମଠ ହେଲେ, ନିଆଁଲଗା, ଲକ୍ଷ୍ମୀଛଡ଼ା କାହୁଁ ଆଇଲା ଛତରା ପିଲାଟା, ମରି ଯା ପୋଡ଼ି ଯା, ଏହିପରି କେତେ ଗାଳି ଶୁଣେ । ବିଦେଶ ଜାଗା, ଅରଣ୍ୟ ସଫାହୋଇ ନୂଆ ଗ୍ରାମ ବସିଛି । ନୂଆ ଘର ତୋଳା ହୋଇଛି । ଘରକୁ ବାସୋପଯୋଗୀ ଓ ଜମିକୁ ଚାଷୋପଯୋଗୀ କରିବାକୁ ଅକ୍ଳାନ୍ତ ପରିଶ୍ରମ ଲୋଡ଼ା । ଉଷାରାଣୀ ନିଜେ ପରିଶ୍ରମ କରନ୍ତି । ବଡ଼ ପିଲା ଦିଓଟିଙ୍କୁ ଗ୍ରାମରେ ଖୋଲା ହୋଇଥିବା ନୂଆ ସ୍କୁଲ୍‍ରେ ପାଠ ପଢ଼ିବାକୁ ପଠାନ୍ତି । ଚାରିବର୍ଷର ସୁନ୍ଦରିଆ ଥାକୁଲ ଥାକୁଲ ଝିଅ ବୀଥିକା ତାଙ୍କ ପଛେ ପଛେ ଗୋଡ଼ାଇ ଥାଏ । କେବେ ବିଧାନର ପିଠିରେ ସବାର୍‌ ହୋଇ ବୁଲେ ।

 

ବିଧାନର ସବୁ ହୋଇଛି ଦେହସହା । ମାଆଙ୍କର କଥା ଅକଥାରେ ଗାଳି ମାଡ଼ ଯେ ତା’ର ସବୁଦିନେ ଭାତ ମୁଠିକ ପରି ପ୍ରାପ୍ୟ, ତାହା ସେ ନିର୍ବିକାର ଚିତ୍ତରେ ଗ୍ରହଣ କରିଛି । ମାଆଙ୍କ ଦେଖାଦେଖି ବିକାଶ ଓ ବିମଳଙ୍କର ବେଳେବେଳେ ହାତ ସୁଖ ସହିଛି । ନିଜେ ତା’ର ଉତ୍ତର ଦେଲେ, ସେମାନେ କାନ୍ଦିଲେ କି ପାଟିତୁଣ୍ତ କଲେ ରାହାବାଳୀ ମା’ ଖଣ୍ତିଆ ଝାଡ଼ୁ ଧରି ରେରେକାର କରି ଧାଇଁ ଆସନ୍ତି । ବିଧାନକୁ ଉପ୍ରୋଧ ଛଡ଼ା ଶାସନ କରନ୍ତି । ସେ ଗ୍ରହଣ କରନ୍ତି ଯେ, ସବୁ ବିଶୃଙ୍ଖଳା ଓ ଅଶାନ୍ତିପାଇଁ ଦାୟୀ ଏକା ବିଧାନ ।

 

ବିଜନଙ୍କର ମନରେ ସହାନୁଭୂତି ଥାଏ । ତୁଣ୍ତରେ ଥାଏ ଆହା ପଦ । ସ୍ତ୍ରୀଙ୍କର ଅତ୍ୟାଚାର ଅଧିକ ହେଲେ ସେ କହନ୍ତି, ତୁମର ବ୍ୟବହାର ଅସହ୍ୟ, ଅନ୍ୟାୟ । କାହାର ପିଲା ତୁମ ପଛରେ ତା’ ମନକୁ ଗୋଡ଼ାଇ ଆସି ନଥିଲା । ସହସ୍ର ଥର ଏହି ବାରବର୍ଷ ଭିତରେ ତୁମକୁ କହି ସାରିଲିଣି ଯେ ତୁମେହିଁ ଅଜ୍ଞାତରେ ତା’ର ମା’ କୋଡ଼ରୁ ତାକୁ ଟାଣି ଆଣି ଛାତିରେ ଜାକିଥିଲ । ସେ ତୁମର ପୋଷ୍ୟପୁତ୍ର । ସେ ତୁମର ଆଗ । ହଁ, ଶାସନ କର, ନିର୍ମମ ହୁଅନା । ଆଖି ଆଗରେ ତ ଦେଖିଛ, ପାକିସ୍ଥାନୀ ପଞ୍ଜାବୀ ଗୁଣ୍ତାମାନେ ବଡ଼ମଣିଷଙ୍କ ସଙ୍ଗେ ସଙ୍ଗେ କେତେ ନିରୀହ ଶିଶୁଙ୍କୁ ନିର୍ଦ୍ଦୟ ଭାବରେ ହତ୍ୟା କଲେ । ଆଖିରେ ତ ଦେଖିଛ, ନିଜେ ଅଙ୍ଗେ ଲିଭାଇଛ, ବିଭିନ୍ନ କ୍ୟାମ୍ପ୍‍ରେ ସୁଖାଦ୍ୟ ଅଭାବରୁ, ପାନୀୟ ଜଳ ଅଭାବରୁ, ମୁଣ୍ତ ଗୁଞ୍ଜିବାକୁ ସ୍ଥାନର ଅଭାବରୁ, କେତେ ଶିଶୁ–କୁସୁମ ବିଭିନ୍ନ ରୋଗରେ ମଶା ମାଛି ପରି ଟଳି ପଡ଼ିଲେ । ମନେକର ଆମର ଝିଅଟି ବିନୀତା ସେମିତି କେଉଁ କ୍ୟାମ୍ପ୍‍ରେ ଟଳି ପଡ଼ିଛି ।

 

ଗର୍ଜି ଉଠନ୍ତି ଉଷାରାଣୀ, ରଖ ରଖ ତୁମର ଭଲେଇ ପଣ । ପୋଷ୍ୟପୁତ୍ର କରିବ ଏହି ଜାତିଗୋତ୍ର ଅଜଣା ଅବେଇଜ ପିଲାଟିକୁ ? ମୋ ପିଲାଙ୍କ ସଙ୍ଗେ ସମ୍ପତ୍ତିରୁ ଭାଗ ଟାଣିବ ? ମରଣ ହେବ ନାହିଁ କି ସେ ଅଲକ୍ଷଣାକୁ ? କିହୋ, ମୋ ପଛରେ ସେ ଗୋଡ଼ାଇ ଆସି ନଥିଲା ତ ଆଉ କ’ଣ ? ଷ୍ଟେସନ୍‌ର ଭିଡ଼ ଭିତରେ କ୍ଷୀଣ ଝାପ୍‌ସା ଆଲୁଅ ପଛ ଅନ୍ଧାରରେ ମୋତେ କାଳ ନିଦ ଘୋଟିଗଲା । ଯେତିକିବେଳେ ଏଇ ପିଲାଟା କେଡ଼େ ବଳୁଆ ହୋଇଥିଲାଟି, ମୋ ବିନୀତାକୁ ମୋ ଛାତିରୁ ଅଲଗା କରି ନିଜେ ଆସି ମୋ ଛାତିରେ ଜୋକ ପରି ଲାଖିଥିଲା । କ୍ଷୀର ଟାଣୁଥିଲା । ମୋ ବିନୀତା ପରି ଛୋଟ ପ୍ୟାଣ୍ଟ ଖଣ୍ତେ ତ ପିନ୍ଧିଥିଲା । ପାକିସ୍ଥାନୀ ଗୁଣ୍ତାମାନେ ଦେହରେ ସୁନା ରୁପା ଦେଖିଲେ ପିଲାଙ୍କର ଜୀବନ ନେଇ ଗହଣା ଚୋରି କରୁଥିଲେ କହି ତୁମେ ନିଜେ ବିନୀତା ହାତରୁ ସୁନା କାଚ ଦି’ ପଟି ଓ ବେକରୁ ସୁନା ଚେନ୍‌ ଓହ୍ଲାଇ ଦେଇଥିଲ । ସେହି ଜୀବନମୂର୍ଚ୍ଛା ଠେଲାପେଲାବେଳେ, ତରତର ହୋଇ ରେଳଗାଡ଼ିରେ ପଶିବାର ଉଦ୍‌ବେଗରେ କିପରି ମୁଁ ଜାଣନ୍ତି ଯେ ମୋ ବିନୀତା ମୋ କୋଳରୁ ଅନ୍ତର ହୋଇଛି ଆଉ, ଏହି ଲକ୍ଷ୍ମୀଛଡ଼ା ମୋ ରାତିରେ ଜୋକ ପରି ଲାଖିଛି ?

 

ଉଷାରାଣୀ କଇଁକଇଁ ହୋଇ କାନ୍ଦନ୍ତି । ବାଇଆଣୀ ପରି ମୁଣ୍ତବାଳ ମୁକୁଳା କରନ୍ତି । କେଶ ଓଟାରନ୍ତି । ନିଜ ଛାତିରେ ନିଜେ ବିଧା କୋରନ୍ତି । କାଳେ ସେହି ବିଧା ଚାପଡ଼ାରୁ ଦୁଇ ଚାରିଟା ଛିରିକି ଆସି ବିଧାନର ପିଠିରେ ପଡ଼ିବ, ସେହି ଭୟରେ ବିଧାନ ଦୂରକୁ ପଳାଏ । କାନ୍ଥ କଡ଼ରେ ଠିଆ ହୋଇ ଲୁଚି ଲୁଚି ଦେଖେ, କାନ ଡେରି ଶୁଣେ ।

 

ଉଷାରାଣୀ ଆପେ ପ୍ରକୃତିସ୍ଥ ହୁଅନ୍ତି । ଅଣ୍ଟାରେ କାନି ଗୁଡ଼ାଇ କାକୁସ୍ଥ ବିଜନ ବୋଷଙ୍କୁ କହନ୍ତି, କ୍ୟାମ୍ପ୍‍ମାନଙ୍କରେ କେତେ ଛୋଟ ଛୋଟ ପିଲାଙ୍କର ମରଣ ମୁଁ ଦେଖିଛି । ଅଧିକାଂଶ ମରନ୍ତି ପେଟରୋଗରେ । ମାଆମାନଙ୍କର ଦେହରେ କଣ୍ଟା ଦୋହଲୁଥାଏ । ସ୍ତନ ଦିଓଟି ଶୁଖିଶାଖି ଛାତିରେ ମିଶିଥାଏ, ନୋହିଲେ ଚମ ଦିଖଣ୍ତ ହୋଇ ପେଟରେ ଝୁଲୁଥାଏ । ଦେହରେ ତ ରସ ନଥାଏ କ’ଣ ଖାଇ ପିଲା ବଞ୍ଚନ୍ତେ ? ସୁସ୍ଥ ସବଳ ହୁଅନ୍ତେ ? ଯିଏ ମୋ ବିନୀତାକୁ ଚୋରାଇ ନେଇଥିବ, ସେ ଯଦି ପରର ଝିଅକୁ ଦୟା କରିଥିବ ତ ବଞ୍ଚାଇ ପାରି ନଥିବ । ବିନୀତା କେଉଁ ଅପନ୍ତରା ଅସ୍ଥାୟୀ କ୍ୟାମ୍ପ୍‍ ପାଖ ନାଳ ଉପର ଜଙ୍ଗଲର ମାଟିତଳେ ଶୋଇଥିବ ।

 

ପୁଣି ଉଷାରାଣୀ ଅସ୍ଥିର ହୋଇ ପଡ଼ନ୍ତି । ପାଗଳିନୀ ପରି ମୁଣ୍ତ ଦୋହଲାନ୍ତି ।

 

ବିଜନ ବୋଷ ସାନ୍ତ୍ୱନା ଦେଇ କହନ୍ତି, ନା, ବିନୀତା ଆମର ମରି ନଥିବ । ସେପରି ପିଲାକୁ କେହି ମରିବାକୁ ଛାଡ଼ି ଦେଇ ନଥିବେ । ଯେଉଁଠି ଥାଉ, ସେ ଭଲରେ ଥିବ । ସୁଖରେ ଥିବ-। ଜୀବନରେ ଆଉ କେବେ ତା’ ସଙ୍ଗେ ଦେଖା ନ ହେଉ ପଛେ, ଦେଖା ହେଲେ ସେ ପଛେ ନ ଚିହ୍ନୁ ଆମୁକୁ, କି ଆମେ ପଛେ ତାକୁ ନ ଚିହ୍ନୁ, ସେ ସୁସ୍ଥରେ ଥିବ, ଏପରି ବିଶ୍ୱାସ ମୋର ଅଛି । ତୁମେ ଚିନ୍ତା କର ନାହିଁ, ଅସ୍ଥିର ହୁଅ ନାହିଁ । ଦେଖୁଦେଖୁ ବାରବର୍ଷ ବିତିଗଲା । ଗୋଟିଏ ଯୁଗ । ଭଗବାନ ତୁମ କୋଳରେ ପୁଣି ତିନୋଟି ସନ୍ତାନ ଦେଲେଣି । ସବୁଗୁଡ଼ିକ ତୁମରି ରୂପ ଆଣିଛନ୍ତି । ଆମର ବିନୀତାବି ଏଇ ପିଲାମାନଙ୍କ ପରି ଥିଲା । ସେ ଅନ୍ୟ କେଉଁଠି ବଢ଼ୁଥାଉ କିନ୍ତୁ ତା’ର ଫଟୋ ତୁମେ ଦେଖୁନ କି ବୀଥିକା ମୁହଁରେ ?

 

ନା ଗୋ ନା, ବିନୀତା ଥିଲା ତା’ର ମାମୁ ଅମିୟ ପରି । ଆହା, ମୋର ବାପ ମା’, ଆତ୍ମୀୟମାନେ ଗୁଣ୍ତାଙ୍କ ହାତରେ ନିଧନ ହେଲେ । ସେ ଖବର ମୁଁ ପାଇଥିଲି । ମୋର ଏଇ ପଥର ଛାତି ଏତେ ଦୁଃଖ ସହିଛି । ଯେଉଁମାନେ ସେପୁରକୁ ଗଲେ ସେମାନେ ଆଉ ମଣିଷ ଦେହରେ ଦୁଃଖ ପାଇବେ ନାହିଁ । କିଏ ଯଦି ମତେ ଖବର ଦିଅନ୍ତା ଯେ ମୋର ବିନୀତା ଆଉ ଏ ପୁରରେ ନାହିଁ, ମୁଁ ନିଶ୍ଚିତ ହୁଅନ୍ତି । ତାକୁ ଆଉ ଝୁରି ମରନ୍ତି ନାହିଁ । ଆଗୋ, ମୋର ମନେ ହେଉଛି, ସେ କେଉଁଠି ବଞ୍ଚି ରହିଛି । ବାରମ୍ବାର ମୁଁ ତାକୁ ସପନ ଦେଖୁଛି । କେତେ ଥର ମୁଁ ତୁମକୁ କହିଛି ।

 

ସବୁ ସପନ ତୁମର ଭିନେ ଭିନେ । ସବୁଗୁଡ଼ିକ ଅତି ଭୟଙ୍କର, ଅତି କରୁଣ । ସବୁ ଦିନେ ତୁମେ ତାକୁ ଦେଖୁଛ,–ଗୋଟିଏ ରୋଗଣା ଝିଅ, ପରଘର ଦାସୀ ହୋଇ ରହିଛି, ମାଡ଼ ଗାଳି ସହୁଛି, ପେଟକୁ ମୁଠିଏ ଭଲ କରି ଖାଇବାକୁ ଦେଉ ନାହାନ୍ତି, ଛିଣ୍ତା ମଇଳା ଲୁଗା ପିନ୍ଧି ତା’ର ବେଳ କଟୁଛି । ଆଖିରୁ ଲୁହ ପୋଛି ପୋଛି ସେ କେବଳ କପାଳକୁ ନିନ୍ଦୁଛି, ଦିନରାତି ଆମୁକୁ ସେ ଅଭିଶାପ ଦେଉଛି ।

 

କାହିଁକି ଏପରି ସପନ ତୁମେ ଦେଖ ବୁଝି ପାରୁନାହିଁ ? ତୁମର ନିଜର କାର୍ଯ୍ୟ ଓ ବିଧାନ ପ୍ରତି ତୁମର ନିଷ୍ଠୁର ବ୍ୟବହାର ତୁମର ମନର ମୁକୁରରେ ତୁମ ଅଜାଣତରେ ପ୍ରତିଫଳିତ ହେଉଛି ।

 

ଗର୍ଜି ଉଠିଲେ ଉଷାରାଣୀ । କ’ଣ କହିଲ, ମୁଁ ଏଡ଼େ ଖରାପ ? କିଏ ସେ ହତଭାଗ୍ୟ ଟୋକାକୁ ତିନିବର୍ଷର ଶିଶୁରୁ ପନ୍ଦରବର୍ଷର ଟୋକା କଲା ମ ? ତୁମରି କଥା ଶୁଣି ଦୁନିଆର ଲୋକେ ମୋର ଅପବାଦ ରଟାଉଛନ୍ତି । ମୁଁ କ’ଣ ତାକୁ ଖାଇବାକୁ ଦେଇ ନାହିଁ ? ମୁଁ କ’ଣ ତାକୁ ପିନ୍ଧିବାକୁ ଦେଇ ନାହିଁ ? ଦାଣ୍ତକୁ ଫୋପାଡ଼ି ନ ଦେଇ ଘରେ ଆଶ୍ରା ଦେଇ ନାହିଁ ? ଘରର କାମ ସମସ୍ତେ କରନ୍ତି । ସେ କଲା ତ କ’ଣ ଭାସିଗଲା । ଭୁଲ୍‌ କଲେ ଆକଟ କରିବି ନାହିଁ ? ଅଲକ୍ଷଣା ଟୋକାଟା ଯଦି ମରି ଯାଇଥାନ୍ତା, କେତେଥର ତ ମରମର ହେଲାଣି, ସେ ବି ନିଶ୍ଚିନ୍ତ ହୁଅନ୍ତା,ମୁଁ ବି ନିଶ୍ଚିନ୍ତ ହୁଅନ୍ତି । ତାକୁ ଦେଖିଲେ ବିନୀତା ମୋର ମନେପଡ଼େ । ମୋ ଛାତି କରତି ହୁଏ । ଆତ୍ମା ଛଟପଟ ହୁଏ । ତାକୁ ଦେଖିଲେ ମୋ ହାଡ଼ରେ ନିଆଁ ଲାଗେ । ମରୁ, ସେ ମରୁ ।

 

ପର ପିଲାକୁ ବଞ୍ଚି ରହିବାକୁ ଦୁର୍ଯୋଗ ତୁମେ ଦେଇଛ ଉଷାରାଣୀ, ଆଉ ତାକୁ ଅଭିଶାପ ଦିଅନା । ତା’ ପେଟରେ ପ୍ଲୀହା, ଛାତି ଦୁର୍ବଳ, ଗୋଡ଼ ହାତ ଥରୁଛି । ହୁଏତ ସେ ମରିବ । କିନ୍ତୁ ସେ ପାପର ଭାଗୀ ଆମେ ହେବା କାହିଁକି ? ଡାକ୍ତର ମୁଖାର୍ଜୀ ତାକୁ ପରୀକ୍ଷା କରିଥିଲେ । ସେ କହିଲେ, ଟୋକାକୁ ଡାକ୍ତରଖାନା ଓ୍ୱାଡ଼୍‍କୁ ପଠାଇ ଦିଅ । ଘରେ ତା’ର ଚିକିତ୍ସା ହୋଇ ପାରିବ ନାହିଁ । ବିଧାନ ସେଠାକୁ ଯାଉ । ତୁମର ଅଭିଶାପ ତା’ ଉପରେ ପଡ଼ିଲେ, ଦେବଦାନଦୀକୂଳରେ ତାକୁ ଫୋପାଡ଼ି ଦେଇ ଆସିବେ କି ଜଳାଇ ଦେବେ । ସେ ଯଦି ଭଲ ହୁଏ, ତା’ କଥା ସେ ବୁଝିବ, ବଡ଼ ପିଲା ତ ହେଲାଣି ।

 

ଉଷାରାଣୀ ତୁନି ହେଲେ ।

 

ରାଗ ତମତମ ହୋଇ ବିଜନ ବୋଷ ବାରଣ୍ତାରୁ ଓହ୍ଲାଇଲେ । ଦେଖିଲେ, ବିଧାନ କାନ୍ଥକୁ ଆଉଜି ଠିଆ ହୋଇଛି ! ତା’ର ଦୁର୍ବଳ ଗୋଡ଼ ଥରୁଛି । କୋରଡ଼ିଆ ଆଖିରୁ ଲୁହ ଦି’ଧାର ଗଡ଼ି ଆସୁଛି ।

 

ଦୁଃଖରେ ତାଙ୍କର ଛାତି ବିଗଳିତ ହେଲା ପରା ! ସେ ଡାକିଲେ, ବିଧାନ !

 

ବାପା–

 

ସକାଳ ନଅଟା ହେଲାଣି । ଧୀରେ ଧୀରେ ମୋ ସଙ୍ଗେ ଚାଲିଆ ଡାକ୍ତରଖାନାକୁ । ଡାକ୍ତରବାବୁ ତୋତେ ଆଜି ଯିବାକୁ କହିଥିଲେ । ଆଉଥରେ ପରୀକ୍ଷା କରିବେ ।

 

ବିଧାନ କହିଲା, ଗୁହାଳରେ ଗର୍ଭିଣୀ ଗାଈଟି ବନ୍ଧା ହୋଇଛି । ତାକୁ ଫିଟାଇ ଗୋଠରେ ଛାଡ଼ି ଦେଇ ଆସେ । ସେ ବୋବାଳି ଛାଡ଼ିଛି । ବାସନଗୁଡ଼ା ମଜା ହୋଇନାହିଁ ବାପା, ମାଆ କ’ଣ ଏକା ସେତକ ମାଜି ପାରିବେ ? କଳ ପାଖରୁ ଦି’ ବାଲଟି ପାଣି ନେଇ ଆସେ । ବୀଥିକାକୁ ନେଇ ପିଲାଙ୍କ ସ୍କୁଲ୍‍ରେ ମାଷ୍ଟରଙ୍କ ପାଖରେ ଛାଡ଼ି ନ ଆସିଲେ ସେ ଘରେ ଦୁଷ୍ଟାମି କରିବ, ବିକାଶ ଓ ବିମଳଙ୍କର ବହି ଓଟାରିବ, ପଢ଼େଇ ଦେବନି । ଆମ ଜମିର ହିଡ଼ ଦିଆ କାମ–

 

ଏସବୁ କାମ ପରେ ହେବ ବିଧାନ, ତୋତେ ଡାକ୍ତର ପାଖରେ ଛାଡ଼ି ମୁଁ ଗୋଡ଼େ ଗୋଡ଼େ ଫେରିଆସି କରିବି । ଡାକ୍ତର ତୋତେ ପରୀକ୍ଷା କରି ସାରିଲେ ତୁ ପରେ ଫେରି ଆସିବୁ । ଚାଲିଆ ମୋ ସଙ୍ଗରେ–

 

ବିଧାନ କଥା ମାନିଲା ।

 

ଡାକ୍ତର ମୁଖାର୍ଜୀ ଓ କଲ୍ୟାଣୀ ନର୍ସଙ୍କୁ ବିଧାନର ମର୍ମନ୍ତୁଦ କାହାଣୀ ଅଜଣା ନଥିଲା । ହତଭାଗ୍ୟ ପିଲାଟିକୁ ସେମାନେ ଡାକ୍ତରଖାନାର ଛୋଟ ଓ୍ୱାର୍ଡ଼ରେ ଆଶ୍ରା ଦେଇଥିଲେ । ପରେ ତାଙ୍କର ନିଜ ଘରେ ରହି ଚିକିତ୍ସିତ ହେବାର ସୁଯୋଗ ଦେଲେ ।

 

ଛଅଟି ମାସ ମଧ୍ୟରେ ବିଧାନ ଆରୋଗ୍ୟ ହେଲା । ଏହି ସମୟ ମଧ୍ୟରେ ତା’ର ପିତା ମାତା ଓ ଭାଇ ଭଉଣୀମାନେ ବାରମ୍ୱାର ତା’ ପାଖକୁ ଆସୁଥିଲେ । ତା’ର ଖବର ଅନ୍ତର ନେଉଥିଲେ । ସେ ଆରୋଗ୍ୟ ହୋଇ ଆସୁଥିବା ଅବସ୍ଥାରେ ପ୍ରତିଦିନ ଘରକୁ ଯାଏଁ । ଘର କାମରେ ବାପ ମାଆଙ୍କୁ ସାହାଯ୍ୟ କରି ଫେରି ଆସେ । ଡାକ୍ତର ବିରକ୍ତ ହୁଅନ୍ତି । ସାବଧାନ କରି କହନ୍ତି ଯେ ଆଉ ଦିନାକେତେ ଅବସର ନେଇ ଔଷଧ ଖାଇଲେ ତା’ର ସ୍ୱାସ୍ଥ୍ୟ ବଦଳିବ । ମା’ ତେଣେ କଲ୍ୟାଣୀ ଦେବୀଙ୍କ ନାମରେ ଦୁର୍ନାମ ରଟାଇ ପ୍ରଚାର କରନ୍ତି ଯେ, ବିଧାନକୁ ସେ ବିନା ଦରମାରେ ଚାକର ରଖିଛନ୍ତି, ସବୁ କାମ ତା’ ହାତରେ କରାଉଛନ୍ତି, ପିଲାଟାକୁ ଘରକୁ ଛାଡ଼ୁ ନାହାନ୍ତି, ଘର କାମ ଅଚଳ ରହୁଛି । ତାଙ୍କ ଝିଅ ଖୁକୀର ଚାକର ହୋଇଛି ବିଧାନ ।

 

ଯେଉଁ ନରକ ଭିତରେ ବାରଟି ବର୍ଷ ଘାଣ୍ଟିଚକଟି ହୋଇ, ଅତ୍ୟାଚାରିତ ହୋଇ ବିଧାନ ବଢ଼ିଥିଲା, ତା’ ଭିତରୁ ବାହାରି ଆସି ସେ ନୂତନ ଜୀବନର ସନ୍ଧାନ ପାଇଲା । ଏଠାରେ ଗାଳିମାଡ଼ ନାହିଁ । ଖାଇବା ପିନ୍ଧିବାର ଅସୁବିଧା ନାହିଁ । ଡାକ୍ତର ଓ ତାଙ୍କର ପତ୍ନୀ କଲ୍ୟାଣୀ ବିଧାନକୁ ସ୍ନେହ କରନ୍ତି । ସାନ ଭାଇ ପରି ଯତ୍ନ ନିଅନ୍ତି । ଖୁକୀ ତାକୁ ଦଣ୍ତେ ନ ଦେଖିଲେ ବଣା ହୁଏ ।

 

କଲ୍ୟାଣୀ ତାକୁ ପାଠ ପଢ଼ିବାର ସୁଯୋଗ ଦେଇଛନ୍ତି । ନିଜେ ତାକୁ ପଢ଼ାନ୍ତି । ମାସ ଛଅଟାରେ ସେ ଲେଖିପଢ଼ି ଶିଖିଛି । ହିସାବ ପତ୍ର କରି ଜାଣିଛି । ସେ ନିଜେ ଅନୁଭବ କରିଛି ଯେ ସେ ମଣିଷ ପିଲା । ଭଲରେ ବଞ୍ଚି ରହିବାର ଅଧିକାର ତା’ର ଅଛି । ବଞ୍ଚି ରହିବାର ଦକ୍ଷତା ମଧ୍ୟ ତା’ର ଅଛି । ଯେଉଁ କୁଟୁମ୍ବରେ ସେ ଅଲୋଡ଼ା, ସେ କୁଟୁମ୍ବ ସଙ୍ଗେ ତା’ର ଆଉ ସମ୍ପର୍କ କ’ଣ ?

 

କେବଳ ନାମଟି,–ବିଧାନ ବୋଷ ! ଆହୁରି ଟିକିଏ ସମ୍ପର୍କ ଅଛି, ହେଉ ପଛେ ତାହା ଅବାସ୍ତବ,–ତା’ର ପିତାଙ୍କର ନାମ ବିଜନ ବୋଷ ଓ ମାତାଙ୍କର ନାମ ଉଷାରାଣୀ । ଏହି ଦିଓଟି ନାମର ବନ୍ଧନୀ ଭିତରେ ସେ ଦୁନିଆରେ ଆତଯାତ ହେବ । ତାକୁ ସେମାନେ ବଞ୍ଚି ରହିବାର ଅଧିକାର ଦେଇଥିଲେ । ସେଇଥିପାଇଁ ବଞ୍ଚିଥିବାଯାଏ ସେ ଋଣୀ । ସୁଦୂର ଉମରକୋଟକୁ ଆସି ମଧ୍ୟ ତା’ର କର୍ତ୍ତବ୍ୟ ସେ ଭୁଲି ଯାଇନାହିଁ । କଲ୍ୟାଣୀ ମାସକୁ ମାସ ତାକୁ ପନ୍ଦରଟି ଟଙ୍କା ଦରମା ଦିଅନ୍ତି । ସଙ୍ଗେ ସଙ୍ଗେ ମନିଅର୍ଡ଼ର୍ କରି ଦଶ ଟଙ୍କା ଉଷାରାଣୀଙ୍କ ପାଖକୁ ପଠାଇ ଦିଏ । ବାକି ପାଞ୍ଚ ଟଙ୍କା ନିଜ ପାଖରେ ରଖେ ।

 

ବିଧାନ ମନେ କରେ ସେ ମୁକ୍ତ, ସେ ସ୍ୱାଧୀନ କିନ୍ତୁ ଯେଉଁ ଦିଓଟି ପ୍ରାଣୀ ତାକୁ ତୋରାଣି ପେଇ ତିନିବର୍ଷର ଶିଶୁରୁ ପନ୍ଦରବର୍ଷର ତରୁଣ କରିଛନ୍ତି, ଦେହ ଘୋଡ଼ାଇବାକୁ କେବେ କେମିତି ଲୁଗା ଜାମା ଦେଇଛନ୍ତି, ଛାଇତଳେ ଘର ଭିତରେ ରଖି ଖରା ବରଷା ଶୀତର ପ୍ରକୋପରୁ ଉଦ୍ଧାର କରି ବଞ୍ଚି ରହିବାକୁ ସୁଯୋଗ ଦେଇଛନ୍ତି, ସବୁ ଅନାଦର ଅତ୍ୟାଚାର ସତ୍ତ୍ୱେ ସେମାଙ୍କର ଋଣ ଫେରି ପାଇବାର ଅଧିକାର ଅଛି । ବାସ୍‌, ସେତିକି ।

 

ବାପା ବେଳେବେଳେ ଚିଠି ଲେଖନ୍ତି । ମାଆବି ଲେଖନ୍ତି । ବିକାଶ ଓ ବିମଳବି ଲେଖନ୍ତି-। ଚିଠିଗୁଡ଼ିକରେ ସ୍ନେହ ସରାଗ ଭରପୂର ହୋଇଥାଏ । ସତେ କି ସେ କାହୁଁ ଅଇଲା ନୁହେଁ, ସେ ଘରର ପିଲା, ଉଷାରାଣୀଙ୍କ ପେଟରୁ ଜନମ । ତାକୁ ଦେଖିବାକୁ ସମସ୍ତେ ବ୍ୟାକୁଳ, ବିଶେଷତଃ ଉଷାରାଣୀ ।

 

ମୁହୂର୍ତ୍ତକ ପାଇଁ ଅତୀତ ଭୁଲି ହୋଇଯାଏ । ଦୂର ପାରଲ୍‌କୋଟ ଅଞ୍ଚଳର ଛୋଟ କାପ୍‌ସି ଗାଁ, ଆଉ ସେହି ଗାଁରେ ଥିବା ବିଜନ ବୋଷଙ୍କର ଘର ଓ କୁଟୁମ୍ବର ସମସ୍ତେ ଆଖି ଆଗରେ ଠିଆ ହୁଅନ୍ତି । କେଉଁ ଅଦେଖା ଡୋର ମନରେ ବାନ୍ଧି ଓଟାରନ୍ତି । ବିଧାନର ଆଖିରେ ଲୁହ ଭରେ । ସହସା କାନରେ ବାଜେ ମାତାଙ୍କର ଗର୍ଜନ,–ଏଇ ହତଭାଗାକୁ ଦେଖିଲେ ମନେ ପଡ଼େ ମୋର କନ୍ୟା ବିନୀତା–

 

ଆଦେଖା ଡୋର ଛିଣ୍ତେ, ବିଧାନ ଚିହିଁକି ଉଠେ ।

 

ଷଡ଼ଚାଳିଶ

 

ବିଧାନ ବୋଷର କରୁଣ କାହାଣୀ ଅମିୟ ମଣ୍ତଳକୁ ଅଗୋଚର ନଥିଲା । ଥଇଥାନ ଅଫିସ୍‌ର ଛୋଟ କିରାଣିଟିଏ ହେଲେବି ସମସ୍ତଙ୍କର ସ୍ନେହର ପାତ୍ର ସେ ହୋଇଥିଲା । ମାସ କେତୋଟି ଭିତରେ ନିଜର କର୍ମନିଷ୍ଠା, ବିନୀତ ଓ ଭଦ୍ର ବ୍ୟବହାର, ପରକୁ ସାହାଯ୍ୟ କରିବାର ଆଗ୍ରହ ଓ ଧୀରସ୍ଥିର ଆତ୍ମାଭିମାନରହିତ ଢଙ୍ଗରେ କେବଳ ଅଫିସ୍‌ର ଉପରିକ ଓ ସହକର୍ମୀ ନୁହନ୍ତି, ବାହାର ଲୋକଙ୍କର ସ୍ନେହ ଓ ଶ୍ରଦ୍ଧା ସେ ଅର୍ଜନ କରିପାରିଥିଲା । ଅଳ୍ପଭାଷୀ, ମିଷ୍ଟଭାଷୀ ଓ ସର୍ବଦା କର୍ମ–ତତ୍ପର । ତା’ ଉପରେ ନ୍ୟସ୍ତ କାର୍ଯ୍ୟକୁ ସେ ମନଯୋଗ ଦେଇ ସମ୍ପାଦନ କରେ । ସୁଦକ୍ଷ ଅଭିଜ୍ଞ ଉପରିକ ଓ ସହକର୍ମୀଙ୍କ ପାଖରୁ କାର୍ଯ୍ୟର ପ୍ରଣାଳୀ ଶିଖେ । ମନପ୍ରାଣ ଦେଇ ସମ୍ପାଦନ କରେ । ଅଳ୍ପଦିନ ମଧ୍ୟରେ ଟାଇପିଙ୍ଗ୍‌ ଶିଖି ପରୀକ୍ଷାରେ ଦକ୍ଷତାର ସହିତ ସେ ଉତ୍ତୀର୍ଣ୍ଣ ହୋଇଛି । ଦିନରାତି ପରିଶ୍ରମ କରି ରେଖାଲିପି ବିଦ୍ୟା ଅଭ୍ୟାସ କରୁଛି, ଆଗେଇ ଚାଲିଛି ।

 

ମେସ୍‌କୁ ଫେରି ଅନ୍ୟ ବନ୍ଧୁମାନଙ୍କ ପରି ସେ ତାରୁଣ୍ୟର ପ୍ରାଚୁର୍ଯ୍ୟରେ ଅସ୍ଥିର, ଅଭଦ୍ର ହୋଇ ପାଟିତୁଣ୍ତ କରେ ନାହିଁ । ରେଡ଼ିଓ ସଙ୍ଗୀତ ଉଚ୍ଚସ୍ୱରରେ ବିଚ୍ଛୁରିତ କରି ପଡ଼ୋଶୀମାନଙ୍କର ବିରକ୍ତିର କାରଣ ହୁଏ ନାହିଁ । ବନ୍ଧୁମାନଙ୍କୁ ଧୀରସ୍ଥିର ହେବାକୁ ନିବେଦନ କରେ । ଅନ୍ୟମାନଙ୍କର ସୁବିଧା ପ୍ରତି ଦୃଷ୍ଟିଦେଇ ସେ ଦିଗରେ ସଚେତନ ହୋଇ ବିଦେଶ ଜାଗାରେ ଚଳପ୍ରଚଳ ହେବାକୁ ସେ ଉପଦେଶ ଦିଏ । ସେମାନେ ତା’ର ଅନୁରୋଧ ରକ୍ଷା ନ କଲେ ସେ ତର୍କ କରେ ନାହିଁ । ଉଚ୍ଚ–ବାଚ ହୁଏ ନାହିଁ । ହାତରେ ବହି ଖଣ୍ତିଏ ଧରି ଧୀରେ ଧୀରେ ମେସ୍‌ରୁ ଚାଲିଯାଏ । ଭାସ୍କରୀ ନଦୀର କୂଳରେ ଅଣଆଡ଼ିଆ ହୋଇ କେଉଁ ଗଛମୂଳରେ ବସି ଗଳ୍ପ, ଉପନ୍ୟାସ, ଖବରକାଗଜ, ନୋହିଲେ ବଙ୍ଗଳା କି ଇଂରେଜୀ ମାସିକ ପତ୍ରିକା ପଢ଼େ । ଆଲୋକ କମିଲେ ଆଖିକୁ କଷ୍ଟ ହେଲେ ସେ ନଦୀ ପାରି ହୋଇ ବନ–ଭୂମିରେ ଭ୍ରମଣ କରେ । ସନ୍ଧ୍ୟାର ଅନ୍ଧାର ଘୋଟି ଆସିଲେ ସେ ଫେରିଆସେ ମେସ୍‌କୁ ।

 

ଭାସ୍କରୀ ନଦୀକୂଳରେ ବିଧାନ ସଙ୍ଗେ ତା’ର ବାରମ୍ବାର ଦେଖାହୁଏ । ଡାକ୍ତରବାବୁଙ୍କର ଛୋଟ ଝିଅ ଖୁକୀକୁ ଠେଲାଗାଡ଼ିରେ ବସାଇ ବିଧାନ ନଦୀ–କୂଳକୁ ବୁଲେଇ ନିଏ । ଅମିୟ ଯେ ଖୁକୀକୁ ସ୍ନେହ କରେ, ତା’ର ଟିକି ହାତଟି ଧରି ଛୋଟ ନଦୀର କଅଁଳିଆ ବାଲି ଶେଯ ଉପରେ ଚଲାଏ, ପୁଣି ଦେହରୁ ବାଲି ଝାଡ଼ି, କୋଳ କାଖ କରି ବୁଲାଏ, କଲ୍ୟାଣୀଙ୍କୁ ଅବିଦିତ ନଥିଲା । ସେ ଜାଣନ୍ତି, ତାଙ୍କର ଖୁକୀକୁ ସମସ୍ତେ ସ୍ନେହ କରନ୍ତି । ତା’ର ଖେଳ କୌତୁକ ଦେଖିବାକୁ ଓ ତା’ର ଟିକି ତୁଣ୍ତର ଦରୋଟି କଥା ଶୁଣିବାକୁ ସମସ୍ତେ ଭଲ ପାଆନ୍ତି ।

 

କହନ୍ତି, ଅମିୟବାବୁ କି ଆଉ କେହି ଖୁକୀକୁ ସ୍ନେହ କରନ୍ତୁ, କୋଳ କାଖ କରନ୍ତୁ, ସେଥିକି ଆପତ୍ତି ନାହିଁରେ ବିଧାନ । ପିଲା ତ ସମସ୍ତଙ୍କର ଖେଳଣା, ତେବେ ସାବଧାନ, କେହି ଯେପରି ପିଲାକୁ ମୋ ଅଜାଣତରେ କିଛି ଖାଇବାକୁ ଦେବେ ନାହିଁ । ତା’ ଟିକି ଓଠରେ ମୁହଁ ଲଗାଇ ଗେଲ କରିବେ ନାହିଁ । ମୁହେଁ ମୁହେଁ କହିଦେବୁ ତାଙ୍କୁ, ଏପରି କଲେ ଛୋଟପିଲା ନିଶ୍ଚୟ ବେମାର ପଡ଼ିବେ । ଅମିୟବାବୁ ହେଉନ୍ତୁ କି ସ୍ତ୍ରୀ ପୁରୁଷ ଆଉ ଯେ କେହି ହୁଅନ୍ତୁ, ସଫାସୁତୁରା ସ୍ୱାସ୍ଥ୍ୟବାନ ହସକୁଡ଼ା ପିଲାଙ୍କୁ ସମସ୍ତେ ଭଲ ପାଆନ୍ତି । ମୁହଁରେ ମୁହଁ ଲଗାଇ ଗେଲ କରିବାକୁ ସମସ୍ତଙ୍କର ମନ କନକନ ହୁଏ ।

 

ବିଧାନ ଅମିୟକୁ ଏହା ଜଣାଇଁ ଦିଏ । ଅମିୟ ସତର୍କ ହୁଏ ।

 

ସେହି ଭାସ୍କରୀକୂଳରେ ବିଧାନ ବାରମ୍ବାର ତା’ର ଅତୀତ ଜୀବନର ଦୁଃଖଦୁର୍ଦ୍ଦଶାର ଟିକିନିଖି ଘଟଣା ହେତୁ ପାଇଲା ଦିନୁ ମନରେ ଯାହାକୁ ସଞ୍ଚି ରଖିଛି, ନିର୍ବିକାର ହୋଇ ବର୍ଣ୍ଣନା କରେ । କହେ କେବେ କେବେ, ଆଜି ମାଆଙ୍କ ନାମରେ ମୋର ପୂରା ମାସକର ଦରମା ପନ୍ଦର ଟଙ୍କା ମନିଅର୍ଡ଼ର୍ କରି ପଠାଇ ଦେଇଛି । ଲେଖି ଦେଇଛି, ସେଥିରୁ ପାଞ୍ଚ ଟଙ୍କା ସେ ବିକାଶକୁ ଦେଇଦେବେ ।

 

ଅମିୟ ନିଜର ଅଣାୟତ୍ତରେ ଖୋଳିତାଡ଼ି ବିଜନ ବୋଷଙ୍କର କୁଟୁମ୍ବର ଟିକିନିଖି ଖବର ବୁଝେ,–ସେମାନଙ୍କର ଘର ପୂର୍ବ–ବଙ୍ଗର କେଉଁଠି ଥିଲା, ସେମାନଙ୍କର ଆତ୍ମୀୟସ୍ୱଜନ କେଉଁମାନେ ଅଛନ୍ତି କି ନାହିଁ, କେବେ କେହି ଆସନ୍ତି କି ନାହିଁ, ତା’ର ବାପା ବିଜନ ବୋଷ ଓ ମା’ ଉଷାରାଣୀ ଦେଖିବାକୁ କେମିତି ଇତ୍ୟାଦି । ବିଧାନକୁ ଯେତିକି ଜଣା ସେ ସେତିକି କହିପାରେ । କହୁକହୁ ଉତ୍ତେଜିତ ହୋଇ ତା’ର ମାତାଙ୍କର ଉଗ୍ର ପ୍ରକୃତି ସମ୍ୱନ୍ଧରେ ବର୍ଣ୍ଣନା କରେ । ଛୋଟ ଛୋଟ ଘଟଣାରେ ତା’ ଉପରେ ସେ ଯେଉଁ ଦୁର୍ବ୍ୟବହାର କରନ୍ତି, ନିର୍ଦ୍ଦୟ ଭାବରେ ତାକୁ ଶାସ୍ତି ଦିଅନ୍ତି, ସବୁ ସେ ଛଳଛଳ ଆଖିରେ ବର୍ଣ୍ଣନା କରେ ।

 

ଅମିୟ ପଚାରେ, ତଥାପି ସେମାନେ ତୁମକୁ ଖୋଜୁଛନ୍ତି ? ତୁମର ମା’, ବାପଲୋ ଧନଲୋ କରି ପତ୍ର ଲେଖି ଡାକ୍ତରଙ୍କ ଘରୁ ଚାକିରି ଛାଡ଼ି ଛୋଟକାପ୍‌ସି ଗ୍ରାମକୁ ଫେରି ଯିବାକୁ ବାରମ୍ବାର ଲେଖୁଛନ୍ତି । ସେମାନେ ତୁମକୁ ଭଲ ପାଆନ୍ତି ନାହିଁ କହିଲେ କିଏ ବିଶ୍ୱାସ କରିବ ?

 

ବିଧାନ ବେଖାତିରିଆ ହସ ହସି ଉତ୍ତର ଦିଏ, ସତେ କେହି ବିଶ୍ୱାସ କରିବେ ନାହିଁ । ମୁଁ ସେମାନଙ୍କ ପାଖରୁ ଦୂରକୁ ଚାଲି ଆସିଲା ପରେ ମାଆଙ୍କର ତୁଣ୍ତ ଅଚଳ ହୋଇ ପଡ଼ିଥିବ । ସେ ରଗରଗ ହେଉଥିବେ ସିନା, ତାଙ୍କର ସ୍ୱାମୀ କି ପୁଅ ଝିଅଙ୍କୁ ଅକଲ୍ୟାଣ କରି ଅଭିଶାପ ଦେଇ ଅକଥ୍ୟ ଭାଷାରେ ଗାଳିଗୁଲଜ ଦେଇ ପାରୁ ନଥିବେ । ଦାଣ୍ତ ଲୋକଙ୍କୁ ପଦେ କହିଲେ ସେମାନେ ତ ପାଞ୍ଚ ପଦ ଶୁଣାଇ ଦେବେ । ମାଆଙ୍କର ବହୁଦିନର ପ୍ରକୃତି ମେଣ୍ଟିବ କିପରି ଅମିୟବାବୁ ? କୁକୁଡ଼ା, ଛେଳି, ଗାଈ ବଳଦ କି ଗଛବୃଛକୁ ଅଭିଶାପ ଦେଇ ଅକଲ୍ୟାଣ କଲେ ସେମାନେ ମୋ’ରି ପରି ନିରୁତ୍ତର ରହିବେ ଯେ, କିନ୍ତୁ ମାଆଙ୍କର ମନରେ ତାଙ୍କ ନିଜ ଅକଲ୍ୟାଣକୁ ଡର ହେଉଥିବ ।

 

ଅମିୟର ଓଠରେ ଉୟଭୀତ ମ୍ଳାନ ହସ ଛପିଛପି ଆସେ । ସେ ବିଧାନର ତମତମ ମୁହଁକୁ ଅନାଇଁ ମନେକରେ, ସେ ଯେପରି ପ୍ରକାରାନ୍ତରରେ ତାକୁହିଁ ଉପହାସ କରୁଛି । ଯେତେ ନିର୍ଯାତନା ଯେତେ ଅତ୍ୟାଚାର ସେ ପିଲାଦିନୁ ସହିଛି ସବୁ ତା’ର ମନତଳେ ଶହ ଶହ ବିଷାକ୍ତ ସାପ–ଛୁଆପରି ଲୁଚି ରହିଛନ୍ତି । ଅନ୍ୟ ଆଗରେ ମନର ଢାଙ୍କୁଣୀ ଖୋଲିଲେ ସେହି ଶୋଇଲା ସାପ ମୁଣ୍ତ ଟେକୁଛି ଫଣା କାଢ଼ୁଛି, ମଣିଷର ସ୍ୱାର୍ଥପରତାକୁ ଦଂଶନ କରୁଛି ।

 

ବିଧାନ ନିର୍ବୋଧ ନୁହେଁ । ପରାଧୀନ ଜୀବନର ନିଃସହାୟତା ପ୍ରାଚୀର ବେଷ୍ଟିତ କାରାଗାରରୁ ମୁକ୍ତି ଲଭି ସେ ନିଜ ସ୍ୱାଧୀନ ଜୀବନର ମୁକ୍ତ ଆକାଶ ତଳେ ଠିଆ ହୋଇଛି । ସୁସ୍ଥ ସବଳ ତରୁଣଟି ନିଜ ଦକ୍ଷତାର ଅମୃତ ଚାଖିଲାଣି । ଆତ୍ମ–ବିଶ୍ୱାସର ଆଲୋକ ଦେଖିଲାଣି । ସେ ବୁଝିଲାଣି ଓ ଅନୁଭବ କଲାଣି ଯେ, ସେ ମଣିଷ ପିଲା, ହେଉ ପଛେ ଅଜ୍ଞାତ କୁଳଶୀଳ, ଓ ତା’ର ବଞ୍ଚି ରହିବାର ପୂର୍ଣ୍ଣ ଅଧିକାର ଅଛି, ନିଜର ଭବିଷ୍ୟତକୁ ନିଜେ ନିୟନ୍ତ୍ରଣ କରିବାର ସ୍ୱାଧୀନତା ଅଛି-

 

ଯେଉଁ ଅମିୟ ମଣ୍ତଳ ଆଗରେ ସେ ତା’ର ମନର ଢାଙ୍କୁଣି ଖୋଲିଛି, ସେ ତା’ର ଅତ୍ୟାଚାରୀ ମାତାଙ୍କର ସାନଭାଇ ? ବିଧାନ ଏହା ଜାଣିବ କିପରି ନିଜେ ଏହା ବୁଝି ପାରିଥିଲେ ମଧ୍ୟ ଅମିୟ ପ୍ରକାଶ କରିବାକୁ ଲଜ୍ଜିତ ପୁଣି ଭୀତ ।

 

ଅମିୟ ପଚାରିଲା, ଉଷାରାଣୀଙ୍କର ନିଜ ଅକଲ୍ୟାଣକୁ କାହିଁକି ଡର ହେଉଥିବ ବିଧାନ, ଗାଳି ତ ବଲ୍‌ ନୁହେଁ ଯେ ବାଧା ପାଇ ପୁଣି ନିଜ ଉପରକୁ ଫେରି ଆସୁଥିବ ?

 

ବିଧାନ ଉତ୍ତର ଦେଲା, ଅବଶ୍ୟ ମାଆଙ୍କର କିଲିକିଲା ପାଟି ଦେବତା ନଦୀର ଖଣ୍ତିରେ ବାଜି କି ନଦୀ ଆରପାଖ ଅନୁଜ ପାହାଡ଼ମାଳରେ ବାଜି ଥଟ୍ଟା କଲା ପରି ତାଙ୍କରି ଉପରକୁ ଫେରିଆସେ ଅମିୟବାବୁ, ସତେ ଯେପରି ସେହି ସ୍ୱର ମୋର ଜନ୍ମକଲା ମାଆଙ୍କର ଉତ୍ତର, ଥରଥର ପ୍ରେତପୁରରୁ ଫେରି ଆସୁଛି । ମୋର ମନେହୁଏ, ମୋ ପରି ଶିଶୁ ପୁଅକୁ ନିଜର ଅଜାଣତରେ ହରାଇ ମୋର ମାଆ ବାଇଆଣୀ ହୋଇଥିବେ । ମୋତେ ଝୁରି ଝୁରି ଖୋଜି ଖୋଜି କେବେ କେଉଁଠି ପ୍ରାଣ ହାରି ପ୍ରେତ ହୋଇ ମୋ ପଛେ ପଛେ ଆସିଥିବେ । ମୁଁ ସେକଥା ସିନା ବିଚାରେ, ମୋର ପାଳିକା ମାଆ ତାଙ୍କର ପୋଷା ଜୀବଜନ୍ତୁ ବା ରୋପିଲା ନାଉ, କଖାରୁ, ଖଡ଼ା କି ଗେଣ୍ତୁ ଗଛକୁ କାଟିସମ୍ପି ନିଜେ ଚମକି ଉଠୁଥିବେ । କାଳେ ତାଙ୍କର ପୋଷିଲା ଜୀବ ଓ ରୋପିଲା ଗଛର ଅନିଷ୍ଟ ହେବ !

 

ତୁମେ ବଢ଼ାଇ କହୁଛ ବିଧାନ ।

 

ହୁଏତ କହୁ କହୁ ମୋର କଥା ବଢ଼ି ଯାଉଛି ଅମିୟବାବୁ । ମୋତେ ପାଖକୁ ନେଇ ଯନ୍ତାରେ ପକାଇବାକୁ ସେ ଉପର ଦେଖାଣ ପ୍ରେମର ଜାଲ ପକାଉଛନ୍ତି । ମୋ ଉପରେ ହାତଗୋଡ଼ର ସୁଖ ସାରିବେ । ନିଜ ପିଲାଙ୍କ ଦେହରେ ସେ ଟିପ ଛୁଅଁନ୍ତି ନାହିଁ । ପୋଷା ଜନ୍ତୁଙ୍କ ଉପରେ ଆଘାତ ବସିଲେ ସେମାନେ ଛଟପଟ ହେବେ । ମୋ ଉପରେ ହାତଗୋଡ଼ ବାଜିଲେ ମୁଁ ପଥର ପରି ସହିବି । ମୋ ଦେହ କାଠ ପଥର ହୋଇଛି ଅମିୟ ଭାଇ । ଆଖିରୁ ମୋର ଲୁହ ଝରେନାହିଁ । ଦେହଟା ଖାଲି ଚିହିଁକି ଉଠେ । ଥରେ ଚେଷ୍ଟାକରି ଦେଖ ।

 

ଅମିୟ ବିଧାନକୁ ଆଲିଙ୍ଗନ କଲା । ଆଖି ଛଳଛଳ କରି କହିଲା, ସେଇଆ ଡାକ ବିଧାନ, ଅମିୟ ଭାଇ । ଡାକଟି ତୋତେ ମୋ ଛାତିର ଆହୁରି ନିକଟକୁ ଘୁଞ୍ଚାଇ ଆଣିଛି । ସେମାନଙ୍କର କଥା ଆଉ ମୋ ଆଗରେ କହନା ବିଧାନ, ସେମାନେ ସ୍ୱାର୍ଥପର । ସେମାନଙ୍କ ଘରର କାମ ଅଚଳ ରହୁଛି । ସେଇଥିପାଇଁ ସେମାନେ ତୋତେ ଡାକ ଛାଡ଼ିଛନ୍ତି । ତୋ ଜୀବନର ଦୁଃଖର ଅନୁଭୂତି ଏ ଦୁନିଆରେ ଆଉ କେହି ବୁଝି ପାରିବେ ନାହିଁ । ତୁ ବଡ଼ ହୋଇଛୁ । ତୋର ନିଜର ବୁଦ୍ଧି ଅଛି । ଯାହା ଉଚିତ ମନେ କରୁଛୁ କରିବୁ, କିନ୍ତୁ ତୋର ସେହି ବାଘୁଣୀ ମାଆଙ୍କ ପାଖକୁ ରୀତିମତ ଟଙ୍କା ପଠାଇବାର କାରଣ କ’ଣ ? ଟଙ୍କା ଦେଇ ତାଙ୍କର ସ୍ନେହ ତୁ କିଣିବାକୁ ଚାହୁଁ ?

 

ନା । ମୋର ସ୍ୱାଧୀନ ଜୀବନପାଇଁ ମୁଁ ତାଙ୍କୁ ଉତ୍‌କୋଚ ଦେଉନାହିଁ । କାରଣ ସେ ପଛେ ନ ଜାଣନ୍ତୁ, ମୁଁ ଜାଣେ ମୁଁ ଆଉ ତାଙ୍କ ପାଖକୁ ଫେରି ଯାଉନାହିଁ । ଟଙ୍କା ପଠାଉଥିଲି କାହିଁକି-? ସତେ କାହିଁକି ଅମିୟ ଭାଇ, ଏବେ ତ ମୁଁ ବୁଝି ପାରୁନାହିଁ ? କାଳେ ସେମାନେ ମୋତେ ପୁଣି ପାଖକୁ ଟାଣିନେବେ ସେହି ଡରରେ ? ଯେତେ ଦୁଃଖ କଷ୍ଟ ମୋତେ ସେମାନେ ଦେଉନ୍ତୁ ପଛକେ ମୋତେ ମରିବାକୁ ଫୋପାଡ଼ି ଦେଇ ନଥିଲେ । ତାଙ୍କ ଘରେ ଥାଇ ଜୀବନ ବଞ୍ଚାଇ ରଖିବାର ସୁଯୋଗ ଦେଇଥିଲେ । ସେଥିପାଇଁ ମୁଁ ସେମାନଙ୍କୁ ତାଙ୍କର ଟିକିଏ ଦୟାର ଋଣ ସୁଝୁଥିଲି ? କାହିଁକି ଅମିୟ ଭାଇ, ଆପଣ ମୋତେ ବୁଝାଇ ଦେଉନ୍ତୁ ତ ? ସେମାନେ ଟଙ୍କାପାଇଁ କେବେ ମୋତେ ଲେଖି ନଥିଲେ ।

 

ଅମିୟ ତା’ର ମୁଣ୍ତରେ ହାତ ଚାପଡ଼ି କହିଲେ, ଯାଉ ଏ ସବୁ ପ୍ରଶ୍ନ ଓ ଉତ୍ତରର କାରଣ ତୋ ମନରୁ । ତୋର ଦେହ ଓ ଚଳନ ଯେପରି ସ୍ୱାଧୀନ ହୋଇ ପାରିଛି, ମନକୁ ସେପରି ସ୍ୱାଧୀନ ଓ ଚିନ୍ତାମୁକ୍ତ କର । ମନେକର ତୋର ଅତୀତ ବୋଲି କିଛି ନଥିଲା । ତୁ ଅମୃତର ପୁତ୍ର । ସିଧାସଳଖ ସ୍ୱର୍ଗ ପୁରରୁ ଏ ଦୁନିଆର ଛାତି ଉପରକୁ ଓହ୍ଲାଇ ଆସିଛୁ । ବେଶ୍, ସେଇଠୁ ତୋର ନୂଆ ଜୀବନ ଆରମ୍ଭ କର । ତୋପରି ବୁଦ୍ଧିମାନ ଓ କର୍ତ୍ତବ୍ୟପରାୟଣ ପିଲାର ହାତ ଧରି ଆଗେଇ ନେବାକୁ ସଂସାରରେ ଅନେକ ଲୋକ ଅଛନ୍ତି । ବିଧାନ, ଆହୁରି ଗୋଟିଏ ଉପଦେଶ ମୋର ଅଛି । ଶୁଣିବୁ ? ମନେ ରଖିବୁ ? ପାଳନ କରିବୁ ?

 

କୁହନ୍ତୁ ।

 

ଗତ କଥା ଭୁଲି ହୁଏନାହିଁ ଏହା ତ ସମସ୍ତଙ୍କୁ ଜଣା । ନିଜକୁ କାମରେ ନିୟୋଜିତ କରି ରଖିଲେ ଘଟିଲା ଘଟଣାର ସ୍ମୃତି ମନରେ ପ୍ରବେଶ କରିବାକୁ ଛିଦ୍ର ପାଏ ନାହିଁ । ଅଳସବେଳରେ ସେ ଛପିଛପିକା ଆସେରେ ବିଧାନ । ମନକୁ ହଲାଏ ଦୋହଲାଏ, ଉତ୍ତେଜିତ କରେ । ସେଥିରେ କ୍ଷତି ହୁଏ ବରଂ ଲାଭ ହୁଏନାହିଁ । ଯାହା ଘଟିବାର ଘଟି ଯାଇଛି । ସେ ସବୁ ଏତେ ଲୋକଙ୍କ ଆଗରେ ଟିକିନିଖି କରି ବାରମ୍ବାର ଗପିବା ଭଲ ନୁହେଁ ।

 

ଗାୟତ୍ରୀ ଅପା ମୋତେ ସେହିକଥା କହିଥିଲେ ଅମିୟ ଭାଇ, କିନ୍ତୁ ମୁଁ ତାଙ୍କୁ ଉତ୍ତର ଦେଲି ଯେ ଥରେ କହିବାକୁ ଆରମ୍ଭ କଲେ ସବୁ ଘଟଣା ମନେ ପଡ଼ିଯାଏ । କଥାର ସ୍ରୋତ ମୁଁ ଆଉ ଅଟକାଇ ପାରେନାହିଁ । ଅଧମ ମଉସା ବେଶି କଥା କହନ୍ତି ନାହିଁ । ସେ ଗାୟତ୍ରୀ ଅପାଙ୍କୁ କହିଲେ, ଅତୀତର ଆବର୍ଜନାକୁ ଘୋଡ଼ାଇ ରଖିବା ଭଲଲୋ ଝିଅ, ଉଖାରିଲେ ତହିଁରୁ ଗନ୍ଧ ବାହାରେ, ସମସ୍ତେ ନାକ ଟେକନ୍ତି ।

 

ଅଧମବାବୁ ଗୁଣୀ ଲୋକ । ସେ ଯାହା କହିଲେ ତାକୁ ମନେରଖ ବିଧାନ । ନିଜର ଦୁଃଖ ପର ଆଗରେ ଗପିଲେ ମନ ଉଶ୍ୱାସ ହୁଏ ସତ, ତେବେ ଅନ୍ୟର ସାମୟିକ ଆହା ଆହା ସମ୍ବେଦନ ପାଇଁ ନିଜକୁ ଦୟନୀୟ କରିବା ତ ବୁଦ୍ଧିମାନର କାମ ନୁହେଁ । ସେ ସବୁ ଗପ ଛାଡ଼ି ଭବିଷ୍ୟତରେ କ’ଣ କରିବୁ ତାହାର ଉପାୟ ସ୍ଥିର କର ।

 

ବିଧାନ ଉପଦେଶ ପାଇ ନୀରବ ରହିଛି । କି ଭବିଷ୍ୟ ସେ ଚିନ୍ତା କରୁଛି ତାକୁହିଁ ଜଣା । ଅମିୟ ସଙ୍ଗେ ବାରମ୍ବାର ତା’ର ଦେଖାହୁଏ । କେବେ ଅମିୟ ପାଖକୁ ସେ ଯାଏଁ, ବହି ମାଗିଆଣି ପଢ଼େ ।

 

ଉପଦେଶ ଦେଇ ଅମିୟ ନିଶ୍ଚିନ୍ତ ହୋଇ ପାରିନାହିଁ । ବିଧାନକୁ ଦେଖିଲେ, ତା’ କଥା ମନେ ପଡ଼ିଲେ ମୁହୂର୍ତ୍ତକରେ ଆଖି ଆଗରେ ଠିଆହୁଏ ତା’ର ସ୍ନେହମୟୀ ଅପା ଉଷାରାଣୀ ! ବାହା ହେବା ଆଗରୁ କେଡ଼େ ଭଲ ସେ ଥିଲେ । ଧୀର, ସ୍ଥିର, ଭଦ୍ର ଓ ସ୍ନେହରଙ୍କୁଣୀ । ସମସ୍ତେ ତାଙ୍କୁ ସ୍ନେହ କରୁଥିଲେ । ତାଙ୍କର ଉଷାଅପାଙ୍କର ରୂପଟି କେଡ଼େ ସୁନ୍ଦର । ଧୀର କଥା ଏ କାନରୁ ସେ କାନକୁ ଶୁଭେ ନାହିଁ । ସ୍ନେହଭରା ତିରଷ୍କାର କରି କହନ୍ତି ତା’ର ଜନନୀ, କେମିତି ତୁ ଶାଶୁଘରେ ଚଳିବୁଲୋ ଉଷା, ଏଡ଼େ ସୁଧାର ହେଲେ ପରଘର ଲୋକେ ଖଟାଇ ମାରିବେ ।

 

ପରଘରେ ସେ ଭଲ ବୋହୂପଣିଆ କରିଥିଲା । ସମସ୍ତଙ୍କଠାରୁ ଆଦର ପାଇଥିଲା । ଭିଣୋଇ ବିଜନ୍‌ ବୋଷ, ଯାହା କହନ୍ତି ତାକୁ ମୁଣ୍ତରେ ବସାଇଥିଲେ । ସେଇଥିପାଇଁ ଲୋକେ ତାଙ୍କୁ ଥଟ୍ଟା କରୁଥିଲେ, ବିଜନ ମାଇପି–ବୋଲା । କୋଳକୁ ଆସିଲା ବିନୀତା । କହନ୍ତି ସମସ୍ତେ, ସେ କୁଆଡ଼େ ମାମୁ ଓଳି ଆଣିଥିଲା, ସୁଖ ପାଇବ ।

 

ଆହା, ବିପଦର ଘୂର୍ଣ୍ଣବାୟୁ ସେ କୁଟୁମ୍ୱକୁବି ଛିନ୍‌ଛତର କଲା । ବୃନ୍ତଚ୍ୟୁତ ହୋଇ ଟିକି ପିଲାଟି ବିନୀତା କାହିଁ କେଉଁଠି ଛିଡ଼ିକି ପଡ଼ିଲା । ଉଷାଅପା ପାଗଳ ହୋଇଛନ୍ତି । କୋଳରୁ ଆହୁରି ତିନୋଟି ସନ୍ତାନ ଆଣି ମଧ୍ୟ ସେ ବିନୀତାକୁ ଭୁଲିପାରି ନାହାନ୍ତି । ଘୃଣାର ପାତ୍ର ସେ ନୁହନ୍ତି । ସେ ଦୟାର ପାତ୍ର !

 

ଅଡ଼ଚାଳିଶ

 

କେଉଁଠି ଦେଖିଲା ଦେଖିଲା ପରି ମନେ ହେଉଛି ସେ ଝିଅଟିକୁ,–ଗାୟତ୍ରୀ–, ଥରେ ନୁହେଁ, ଅନେକଥର । ପରିଚିତ ପରି ମନେ ହେଉଛି,–ଚୂନ ପରି ଧୋବଲା ଦେହ । ଗୋଲ ମୁହଁରେ ପୂରିଲା ପୂରିଲା ଗାଲ । ଶୁଆଥଣ୍ଟ ପରି ସୁନ୍ଦର ଛୋଟ ନାକଟି । ଚଉଡ଼ା କପାଳ ତଳେ ଚିତ୍ର କଲା ପରି ଧନୁଆଁ ଲମ୍ବିଲା ଭ୍ରୂଲତା । ବଡ଼ବଡ଼ ପୂରିଲା ପୋଟଳ ଫାଳିଆ ଆଖିରେ ଧୋବଲା ଉଜ୍ଜ୍ୱଳ ଡୋଳା ମଝିରେ ନିର୍ମଳ ପାଣି ପରି ଢଳଢ଼ଳ ଈଷତ୍‌ ନୀଳ ଆଖିର ତାରକା । ସରୁ ସରୁ ପାତଳା ରଙ୍ଗିଲା ଓଠ ଦିଓଟି । ମୁଣ୍ତର କେଶ ଅଳ୍ପ କହରିଆ । ପାତଳୀ ନୁହେଁ, ଭଲ ସ୍ୱାସ୍ଥ୍ୟ । ଧୀର ଦୋହଲା ଚାଲି ।

 

ଅଦୁଆ ଗୁଣ୍ତା ଡ୍ରାଇଭର କେଉଁ ଛଦ୍ମନାମୀ ଅଧମ ଚଣ୍ତାଳର ଅପରିଷ୍କାର ମଳିନବସନା, ଅସଜଡ଼ାକେଶୀ, ମଉନମୁହୀଁ ଝିଅଟିଏ ସେ ଥିଲା ବୋଲି ଅମିୟର ବନ୍ଧୁମାନେ କହୁଥିଲେ । ତା’ ସମ୍ବନ୍ଧରେ ଅଭଦ୍ର କୁତ୍ସିତ ଅଶ୍ଳୀଳ ସମାଲୋଚନା କରି ଆମୋଦିତ ହେଉଥିଲେ । କାହା ସଙ୍ଗେ ସାଙ୍ଗ ହେଉ ନଥିଲା । କାହା ସଙ୍ଗେ ଆଳାପ କରିବାକୁ ସେ ଭଲ ପାଉ ନଥିଲା । କିଏ କ’ଣ ପଚାରିଲେ ସେ ଉତ୍ତର ଦେଉ ନଥିଲା, ହେଉ ପଛେ ସେ ପଡ଼ୋଶୀ ଘରର ଝିଅ ବୋହୂ । ଆଉ ସେ ଯଦି କେବେ ଉତ୍ତର ଦିଏ ତ ପଦେଅଧେ କହି କାଖରେ ପିତଳ ଗରା ଓ ହାତରେ ମଇଳା ଲୁଗାଜାମା ଓ ସାବୁନ ଧରି ସେ ଆଗେଇ ଯାଉଥିଲା ଭାସ୍କରୀ ନଦୀର କ୍ଷୀଣ ଧାରକୁ ।

 

କୁତୂହଳୀମାନେ ଅନୁମାନ କରୁଥିଲେ, ଝିଅଟିର ମୌନବ୍ରତ ଓ ନିଜ ସମ୍ବନ୍ଧରେ ସ୍ପୃହାହୀନ ଭାବର ଅନ୍ତରାଳରେ କେତେ ଅବୋଧ୍ୟ ଗୁପ୍ତ ରହସ୍ୟ ନିଶ୍ଚୟ ଛପି ରହିଛି । ସେ ରହସ୍ୟ ଉଦ୍‌ଘାଟନ କରିବାକୁ କାହାରିକୁ ସେ କେବେ ପ୍ରଶ୍ରୟ କି ସୁଯୋଗ ଦେଇନାହିଁ । ସେ ଥିଲା ଗୋଟିଏ ପ୍ରହେଳିକା, ଆଉ ତା’ର ପିତା ଅଧମ ଚଣ୍ତାଳ ।

 

ଉମରକୋଟ ଆସି ନୂଆ କାମରେ ଯୋଗ ଦେଇ ଅଧମ ଚଣ୍ତାଳଙ୍କର ଅତି ନିକଟିଆ ପ୍ରତିବେଶୀ ହୋଇ ଅମିୟ ତା’ର କୁତୂହଳକୁ ମନରୁ ହୁରୁଡ଼ାଇବାକୁ ଯେତେ ଚେଷ୍ଟା କରିଥିଲା ସଫଳକାମ ହୋଇ ପାରି ନଥିଲା । ଅବାଧ୍ୟ ମାଛିଟାଏ ପରି ଗାୟତ୍ରୀ ସମ୍ୱନ୍ଧରେ କିଛି ଜାଣିବାର ଆଗ୍ରହ ତୁହାଇ ତୁହାଇ ପଶି ଆସୁଥିଲା ତା’ ମନ ଭିତରକୁ । ଏପାଖ ସେପାଖ ଉଡ଼ି ତା’ର କର୍ମନିବିଷ୍ଟତାକୁ ବିରକ୍ତ କରୁଥିଲା, ଅଥୟ କରୁଥିଲା, କିନ୍ତୁ ଭଦ୍ରତାର ସଂକୋଚ ତା’ର ମୁହଁରେ ତୁଣ୍ତି ବାନ୍ଧୁଥିଲା । କାହାରିକୁ ସେ ଗାୟତ୍ରୀ ବିଷୟରେ କିଛି ପଚାରି ପାରୁ ନଥିଲା । ଅନ୍ୟମାନଙ୍କର ଆଲୋଚନା ଶୁଣିବାକୁ ସେ କାନ ଡେରୁଥିଲା ।

 

ଭାବୁଥିଲା ଅମିୟ, ଗାୟତ୍ରୀ ଗୋଟିଏ ଅବୋଧ୍ୟ ପ୍ରଶ୍ନ । କିନ୍ତୁ ଆଉ କେଉଁଠି ଦେଖିଥିଲା ପରି ମନକୁ ଆସୁଛି କ୍ଷୀଣ ଧାରଣା ।

 

କେଉଁଠି ? କେଉଁ ଅସ୍ଥାୟୀ କ୍ୟାମ୍ପ୍‍ରେ ନୁହେଁ ତ ? ମନେ ପଡ଼ୁନାହିଁ । ନିଜ ପ୍ରତି ଅଯତ୍ନଶୀଳା, ମଉନମୁହୀଁ, କରଛଡ଼ା ଦେଇ ରହୁଥିବା ଗାୟତ୍ରୀ ଧୀରେ ଧୀରେ ବଦଳିଗଲା କେଇଟି ମାସରେ । ଅଲକ୍ଷ୍ୟ ପରିବର୍ତ୍ତନ ଆସିଲା ତା’ ମନରେ । ସେ ପରିବର୍ତ୍ତନର ହେତୁ କ’ଣ ? ତା’ ଜୀବନର କେଉଁ ବ୍ରତଟି ପୂରଣ ହୋଇଛି ? ମରମର ହୋଇ ଆତ୍ମଗୋପନ କରିଥିବା କେଉଁ ଆଶା ତା’ର କାହିଁକି ଜିଇଁ ଉଠିଛି ? ପରିବର୍ତ୍ତନ ଆଣିଛି ତା’ର ଢଙ୍ଗରେ ପୁଣି ମଦ୍ୟପ ଡ୍ରାଇଭର ଅଧମ ଚଣ୍ତାଳଙ୍କର ପ୍ରକୃତିରେ ?

 

ଏ ସବୁ ପ୍ରଶ୍ନ ଆଲୋଚିତ ସର୍ବତ୍ର । କିଏ କେଉଁ ତଥ୍ୟ ଆବିଷ୍କାର କରି ଆତ୍ମଗୌରବ ଲାଭ କରନ୍ତି । କିନ୍ତୁ ଅମିୟର ମନରେ ସବୁ ପ୍ରଶ୍ନ କେବଳ ପ୍ରଶ୍ନ ହୋଇ ରହିଯାଏ । ଗାୟତ୍ରୀ ଏବେ ନିଜର ଯତ୍ନ ନେଉଛି । ନିଜକୁ ଶକ୍ତିମତେ ସଜାଇ ଅନ୍ୟମାନଙ୍କ ଆଖିରେ ଲୋଭନୀୟ ହୋଇ ଆତଯାତ ହେଉଛି । ସ୍ତ୍ରୀ ପୁରୁଷ କାହାରି ପାଖରୁ ସଂକୁଚିତ ହୋଇ ଦୂରେଇ ରହୁନାହିଁ । ପ୍ରଶ୍ନ ପଚାରିଲେ ଭାବି ବିଚାରି ଉତ୍ତର ଦେଉଛି । ତା’ ନିଜ ସମ୍ବନ୍ଧରେ ଓ ତା’ର ଛୋଟ ସଂସାର ସମ୍ବନ୍ଧରେ ପଦେଅଧେ ପଚାରିଲେ ସେ ସାମାନ୍ୟ ହସୁଛି । ଧୀର ଓ ନମ୍ର ସ୍ୱରରେ ଉତ୍ତର ଦେଉଛି, ଦେଖୁଛନ୍ତି ତ ମୋତେ ଆଉ ମୋର ଟିକି ସଂସାରକୁ–ବାପଟିଏ ଆଉ ତା’ର ଝିଅଟିଏ । ଏହାଛଡ଼ା ଆଉ ଅଧିକ ଉତ୍ତର ମୋର ନାହିଁ ।

 

ସେ ହୋଇଛି କଲ୍ୟାଣୀ ଅପାଙ୍କର ଛାୟା ପରି ।

 

ସବୁ ଘରେ ତାଙ୍କର ଅବାରିତ ପ୍ରବେଶ । ସ୍ତ୍ରୀ ପିଲାଙ୍କର ଭଲମନ୍ଦ ବୁଝିବାକୁ, ସେମାନଙ୍କୁ ସାହାଯ୍ୟ କରିବାକୁ ଦିହେଁ ସତତ ତତ୍ପର । କେବଳ ଉମରକୋଟ କଲୋନିରେ ନୁହେଁ, ଆଖପାଖ ଆଶ୍ରୟପ୍ରାର୍ଥୀ ଗ୍ରାମମାନଙ୍କରେ ନାରୀ–କଲ୍ୟାଣ ସମିତି ଗଢ଼ିବାକୁ ସେ ଦିହେଁ ମସୁଧା କରୁଛନ୍ତି ବୋଲି କଲ୍ୟାଣୀ ଅପା ପ୍ରକାଶ କରୁଥିଲେ । ସେହି କଲ୍ୟାଣୀ ଅପା ଗାୟତ୍ରୀ ସଙ୍ଗରେ ପରିଚିତ କରାଇ ଦେଇଥିଲେ ତାଙ୍କରି ଘରେ, ଖୁକୀର ଜନ୍ମଦିନ ଉତ୍ସବରେ । କେତେ ଭଦ୍ରଲୋକ ଓ ଭଦ୍ରମହିଳା ନିୟନ୍ତ୍ରିତ ହୋଇଥିଲେ ସେ ଦିନ । ନିଃସଙ୍କୋଚରେ ଗାୟତ୍ରୀ ସେମାନଙ୍କର ଚର୍ଚ୍ଚା କରିଥିଲା । ସେହି ଜନ୍ମଦିନ ଉତ୍ସବରେ ଅଧମ ଚଣ୍ତାଳଙ୍କ ସଙ୍ଗେ କଥାଭାଷା ହୋଇଥିଲା ।

 

ଦିନୁଦିନ ଘନିଷ୍ଠତା ବଢ଼ିଛି । ସେହି ଘନିଷ୍ଠତାକୁ ଅଜଣା ସଂକୋଚ ନିବିଡ଼ କରି ପାରିନାହିଁ । ଅଧମ ଡ୍ରାଇଭର ଉମରକୋଟରେ ଥିବା ସମୟରେ କେବେ କେବେ ଅମିୟକୁ ଡକାଇ ପଠାନ୍ତି । ବିଧାନ ପାଖରେ ଥିଲେ ସେ ଡାକି ଆଣେ । ନୋହିଲେ ସେ ନିଜେ ଯାଇ ଡାକନ୍ତି । କାଳ ବିଳମ୍ବ ନ କରି ଅମିୟ ଧାଇଁ ଆସେ । ଗାୟତ୍ରୀ ଦୁହିଁଙ୍କ ପାଇଁ ଜଳଖିଆ ଓ ଚା’ ଆଣି ଦିଏ । ଚା’ ଖାଉଥିବା ସମୟରେ ଦିହେଁ ଅଳ୍ପ ସମୟ ଗଳ୍ପ କରନ୍ତି । ବିଷୟବସ୍ତୁର ସ୍ଥିରତା ନଥାଏ । କିନ୍ତୁ ଅଧମ ନିଜ ସମ୍ବନ୍ଧରେ କି ଗାୟତ୍ରୀ ସମ୍ବନ୍ଧରେ କେବେ କିଛି କହନ୍ତି ନାହିଁ । ଅମିୟ ସମ୍ୱନ୍ଧରେ କିଛି ପଚାରନ୍ତି ନାହିଁ । ଅମିୟ ଉପଲବ୍ଧି କରେ, ଅଧମ ଯେପରି ତା’ ବିଷୟରେ ସବୁ ଜାଣିବାକୁ ଆଗ୍ରହୀ ମାତ୍ର ସିଧାସଳଖ କିଛି ପଚାରିବାକୁ ସେ ଚାହାନ୍ତି ନାହିଁ ।

 

ମାଲକାନଗିରିରେ ଥଇଥାନ ହେବାକୁ ଯାଇଥିବା ଆଶ୍ରୟପ୍ରାର୍ଥୀମାନଙ୍କର ଚଳନ ଓ ମନର ବଳ ସମ୍ୱନ୍ଧରେ ଅଧମ ପଚାରି କେବଳ ଅମିୟର ଉତ୍ତର ଶୁଣନ୍ତି । ନିଜେ ଗପନ୍ତି ତାଙ୍କ ଜିପ୍ ଓ ଷ୍ଟେସନ୍‍–ୱାଗନ୍‌ ଅଭିଯାନର ସୁଖ–ଦୁଃଖ କଥା । ପାରଲ୍‌କୋଟ ଅଞ୍ଚଳର ଅରଣ୍ୟ ଓ ଆପଦ ବିପଦ ଘଟଣାବି ସେ ଠିକେ ଠିକେ ବର୍ଣ୍ଣନା କରନ୍ତି । ଅତି ରୋମାଞ୍ଚକର । ମନକର୍ଣ୍ଣ ଦେଇ ଅମିୟ ଶୁଣେ । ଗାୟତ୍ରୀବି ଶୁଣେ । ଘରେ କାମ ନଥିଲେ କଲ୍ୟାଣୀ ଆସି ସେ ଗଳ୍ପରେ ଯୋଗ ଦିଅନ୍ତି । ବିଧାନକୁ ଘର ଜଗାଇ, ଖୁକୀକୁ ଅଧମଙ୍କ କୋଳକୁ ଦେଇ ସେ ଗଳ୍ପ ଶୁଣନ୍ତି ।

 

ଅଧମ ଗପନ୍ତି,–ଦଣ୍ତକାରଣ୍ୟ ଅଞ୍ଚଳରେ ଡ୍ରାଇଭରୀ କଲେ ଜୀବନକୁ ହାତମୁଠାରେ ରଖି ଘରୁ ବାହାରକୁ ବାହାରିବାକୁ ପଡ଼େରେ ପିଲାଏ, ଜୀବନ ଧରି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୁଣି ଘରକୁ ଫେରି ଆସିବା ଭାଗ୍ୟର କଥା । ଆପଦ ବିପଦପାଇଁ କିଏ ଦାୟୀ ତାହା ସ୍ଥିର କରିବା ସମ୍ଭବ ନୁହେଁ । ଗାଡ଼ିର ଅବସ୍ଥା ଭଲ ନଥିଲେବି ହାକିମେ ହାକନ୍ତି ଚଲାଓ ଚଲାଓ । ଗାଡ଼ିରେ ବସିଲେ, କୌଣସିମତେ ଠେଲାପେଲା କରି ଗାଡ଼ି ଚାଲିଲେ ତାଙ୍କର ଦାୟିତ୍ୱ ସରିଲା । ସେଇଠୁ ତାଙ୍କର ମନେପଡ଼େ ଯେ ନିର୍ଦ୍ଦିଷ୍ଟ ସ୍ଥାନରେ ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତ ହେବା ନିତାନ୍ତ ଜରୁରୀ, କାରଣ ଅନ୍ୟମାନେ ଆଗରୁ ଆସି ସେଠାରେ ଉପସ୍ଥିତ ଥିବେ, ୟାଙ୍କର ବିଳମ୍ବ ହେଲେ ୟେ ଭାଣ୍ତିଆ ହେବେ । ସେଇଠୁ କୁହାଟ ଛାଡ଼ନ୍ତି, ଜୋରରେ ଚଲାଓ, ଜିପ୍‌ ଚଳାଉଛ ନା ବଳଦଗାଡ଼ି ଚଳାଉଛ ? ପାରୁନା ? ଉଠ, ଦିଅ ମତେ ଷ୍ଟିଅରିଂ ।

 

ଲାଇସେନ୍‌ସ୍ ତ ହାକିମଙ୍କର ନାହିଁ, କେତେ ସରକାରୀ ଜିପ୍‌ ଜଖମ କରି କେତେ ପୁଣି ଚୂନା କରି ନିଜର ଓ ଅନ୍ୟ ଆରୋହୀମାନଙ୍କର ଦେହମୁଣ୍ତ ଖଣ୍ତିଆ କରି, ହାତଗୋଡ଼ ଭାଙ୍ଗି, ରାସ୍ତାରେ ଗାଈ ବଳଦ ଛେଳିମେଣ୍ଢାଙ୍କର ପ୍ରାଣ ନେଇ ହାକିମେ ନିଜକୁ ଧୁରନ୍ଧର ଚାଳକ ବୋଲି ମଣନ୍ତି ।

 

ରାସ୍ତାଗୁଡ଼ିକର ଅବସ୍ଥା ଭଲ ନୁହେଁ । ଅରଣ୍ୟ ମଝିରେ, ଉପତ୍ୟକାରେ, ପାହାଡ଼ କଡ଼ରେ ଯେଉଁସବୁ ଛୋଟ ବଡ଼ ନଈନାଳ ଅଛି ସେଥିରେ ପୋଲ ନାହିଁ । କାଁଭାଁ ଯେଉଁଠି କାଠର ପୋଲ କରାହୋଇଛି, ସେଗୁଡ଼ିକ ନିରାପଦ ନୁହେଁ । ଅରଣ୍ୟ ରାସ୍ତାରେ ଦିନ ଦ୍ୱିପ୍ରହରେ ବେଳେବେଳେ ବାଘ ହାବୁଡ଼ି ଯାଆନ୍ତି । କୋଣ୍ତା ଗାଁରୁ ନାରଣପୁର, ସେଇଠୁ ଅନନ୍ତଗଡ଼, ସେଇଠୁ କେଓଟି, ଦୁର୍ଗାକୋଣ୍ତଳ ବାଟେ ପାରଳକୋଟ ଅଞ୍ଚଳର ଛୋଟକାପ୍‌ସୀକୁ ଯେଉଁ ରାସ୍ତା ପଡ଼ିଛି, ପ୍ରାୟ ଶହେ କୋଡ଼ିଏ ମାଇଲ ଦୂର, ସେ ରାସ୍ତାର ଅଧିକାଂଶ ଯେ ଘଞ୍ଚ ଅରଣ୍ୟ, ଘାଟି ଓ ଛୋଟ ବଡ଼ ନଈନାଳ ଅତିକ୍ରମି ଯାଇଛି । ରାତିରେ ସେ ରାସ୍ତାରେ ଆସିଲେ ନିଶ୍ଚୟ ବିଭିନ୍ନ ପ୍ରକାର ଜନ୍ତୁ ଦେଖିବାକୁ ମିଳେ–ମିରିଗ, ଶମ୍ବର, ବାର୍‌ହା, ନୀଳଗାଈ, ବାଘଭାଲୁ । ଠାଏଠାଏ ପଲପଲ ମୟୂର । ଏହିସବୁ ଦେଖିବାକୁ ଓ ସୁବିଧା ମିଳିଲେ ଶିକାର କରିବାକୁ କେହି କେହି ସାହସିଆ ହାକିମ ସଞ୍ଜ ପରେବି ଛୋଟକାପ୍‌ସିରୁ କୋଣ୍ତା ଗାଁ ବାହାରନ୍ତି । ଆପଦ ବିପଦ ଆସିପାରେ ଏହା ଜାଣି ମଧ୍ୟ ଡ୍ରାଇଭର ଗାଡ଼ି ଚଳାଏ ।

 

ଆପଦ ବିପଦ ଆସେରେ ପିଲାଏ । ଶୁଣ ଦିନକର ଘଟଣା–ବାହାରିଲୁ ଆମେ ଛୋଟ କାପ୍‌ସିରୁ, ରାତି ପ୍ରାୟ ସାତଟା, ଖରାଦିନ, ଉଜ୍ଜ୍ୱଳ ଜହ୍ନ–

 

ଅଧମ ଡ୍ରାଇଭର ତାଙ୍କର ଅଭିଯାନ ବର୍ଣ୍ଣନା କରନ୍ତି । ଶୁଣନ୍ତି ସମସ୍ତେ । ଅମିୟବି ମନ କର୍ଣ୍ଣ ଦେଇ ଶୁଣେ । କଲ୍ୟାଣୀ ଗାୟତ୍ରୀର ମୁହଁକୁ ଅନାଇଁ ମୁଡ଼ୁକେଇ ହସନ୍ତି । କାମ ଅଛି କହି ନିଜ ଘରକୁ ଚାଲି ଯାଆନ୍ତି । କିଛି ସମୟ ପରେ ତାଙ୍କ ଘର ବାରଣ୍ତାକୁ ଆସି କଅଁଳେଇ ଡାକନ୍ତି, ଆରେ ବିଧାନ, ଖୁକୀକୁ ନେଇଆ ତ, ତା’ର ଖାଇବାର ବେଳ ହେଲାଣି, ଡାକ୍ତରବାବୁ ଆଜି କେତେବେଳେ ଫେରୁଛନ୍ତି କେଜାଣି ।

 

ଖୁକୀକୁ ନେଇ ବିଧାନ ଚାଲିଯାଏ । ଅଧମଙ୍କର ଗଳ୍ପ ଶୁଣିବାକୁ ଅଟକି ରହେ ଅମିୟ । କେତେ ରୋମାଞ୍ଚକର ଘଟଣା ବଣ–ଜଙ୍ଗଲ ଅନ୍ଦିକନ୍ଦିରେ ବିଭିନ୍ନ ସ୍ଥାନରେ ବୁଲିବା ସମୟରେ ଘଟିଛି, ଭାଗ୍ୟ ଭଲ ବୋଲି ଜୀବନ ଧରି ସେ ଫେରିଛି । ଅଧମଙ୍କର ଅଭିଜ୍ଞତା ତା’ ପାଖରେ ନୂଆ ନୁହେଁ । ତଥାପି ଯେତେବେଳେ ସେ କହିବାକୁ ଆରମ୍ଭ କଲେଣି, ନ ଶୁଣି ଉଠି ପଳାଇବା ଭଦ୍ରୋଚିତ ହେବନାହିଁ । ଶୁଣିବାକୁହିଁ ପଡ଼ିବ । କଲ୍ୟାଣୀ ଅପା ଅଧମଙ୍କୁ କହିବାକୁ ଉସ୍କେଇ ଦେଇ ନିଜେ କାମ ବାହାନାରେ ଖସି ପଳାଇଲେ । ସେ ଜାଣନ୍ତି, ଯେଉଁ ଅଧମ ଡ୍ରାଇଭରଙ୍କ ମୁହଁରୁ ଦିନେ କଥା ବାହାରୁ ନଥିଲା, ସେ ଏବେ ଗପିବାକୁ ଆରମ୍ଭ କଲେ ତାଙ୍କର ଗପ ଲମ୍ୱିଯାଏ । ସବୁ ସେହି ବଣ–ଅରଣ୍ୟର ଗପ । ଗାଡ଼ି ଆକ୍‌ସିଡ଼େଣ୍ଟ, ମରଣ, ଖଣ୍ତିଆଖାବରା, ହାକିମମାନଙ୍କର ଅନାବଶ୍ୟକ ଜିଦି ଓ ବୀରପଣିଆର ଅନଥକ ଆସ୍ଫାଳନ, ପୁଣି ହଇରାଣ ହେଲେ ଅନୁତାପ–

 

ବାଆଁରେଇ ହୋଇ ଗାୟତ୍ରୀ ଚାଲିଯାଏ ଆର ଘରକୁ । ଘର ସଜଡ଼ାରେ ମନ ଦିଏ । ରୋଷଘରେ ପଶି ହାଣ୍ତିକୁଣ୍ଢେଇ ସଜାଡ଼େ । ସେତକ ସରିଲେ କ୍ରୂସ୍–କଣ୍ଟା ନେଇ ବୁଣି ବସେ । ଅମିୟର ମନ କର୍ଣ୍ଣ ଗାୟତ୍ରୀକୁ ଅନୁସରଣ କରେ । ଅଧମଙ୍କର ଗଳ୍ପ ଶୁଣିବାକୁ ଦେହଟା କେବଳ ବସି ରହେ ।

 

ବିରକ୍ତିକର ପ୍ରତୀକ୍ଷା ।

 

ଅଣଚାଶ

 

ସମ୍ପର୍କ କ୍ରମେ ଗାଢ଼ତର ହେଲା ।

 

ଅଧମ ଗସ୍ତରେ ଚାଲିଗଲେ ଅମିୟ ଗାୟତ୍ରୀର ସୁବିଧା ଅସୁବିଧା ଖବର ବୁଝିବାକୁ ଆଗ୍ରହୀ ହୋଇପଡ଼ିଲା । କେବେକେବେ ନିଜେ ମଧ୍ୟ ଆସି ଉପସ୍ଥିତ ହେଲା । ନିଃସଙ୍କୋଚରେ ଗାୟତ୍ରୀ ବସିବାକୁ ଆସନ ଦିଏ । ଚା’ ଆଣି ହାତରେ ଦିଏ । ଗଳ୍ପ କରିବାକୁ ଅମିୟ ବିଷୟ ଖୋଜି ପାଏ ନାହିଁ । ବିଧାନ ପାଖରେ ଥିଲେ ତାଆରି ସମ୍ବନ୍ଧରେ ଗଳ୍ପ ଆରମ୍ଭ ହୁଏ ।

 

ଅମିୟ ପଚାରେ ବିଧାନକୁ, ଛୋଟକାପ୍‌ସିର ଖବର କ’ଣରେ ବିଧାନ, ସେମାନଙ୍କୁ ଦେଖିବାକୁ କେବେ ତୁ ଯାଉଛୁ ? ତେତେ ଦେଖିବାକୁ ସେମାନେ ବ୍ୟଗ୍ର ଯେ ।

 

ବିଧାନ ଉତ୍ତର ଦିଏ, ସର୍ବସହଣୀ କ୍ରୀତଦାସଟିଏ ପାଖକୁ ନେବାକୁ ସମସ୍ତେ ବ୍ୟଗ୍ର ହେବେ ଅମିୟ ଭାଇ, ତେଣୁ ସେମାନେ ନିଶ୍ଚୟ ବ୍ୟଗ୍ର ହେବେ । ଛୋଟ କାପ୍‌ସି ଆଡ଼କୁ ଅନାଇଲେ ମୋର ମନେହୁଏ, ସେ ଅଞ୍ଚଳ ଯେପରି ମୋପାଇଁ ଗୋଟାଏ ଅମୁକୁଳା ନରକ ।

 

ଗାୟତ୍ରୀ ମୁଖ ଗମ୍ଭୀର କରି କହେ, ଛି, ସେପରି ତୁ କହନାରେ ବିଧାନ, ତୋର ଏପରି ଅକୃତଜ୍ଞ କଥା ଶୁଣିଲେ ମନରେ ଆତଙ୍କ ସୃଷ୍ଟିହୁଏ । ସେମାନେ ତୋର ପିତାମାତା । ଉତାଣି ପିଲାରୁ ବଢ଼ାଇ ଏଡ଼େଟିଏ କଲେ । ତୁ ଦୂରକୁ ଚାଲି ଆସିବାରୁ ସେମାନେ ତୋତେ ଝୁରି ହେଉଛନ୍ତି-। ନିଜ କର୍ମପାଇଁ ନିଜେ ହୋଇଛନ୍ତି ଅନୁତପ୍ତ । ଥରଟିଏ ତୁ ଯା, ସେମାନଙ୍କୁ ତୁ ଦେଖି ଆ, ମୋ କଥାର ସତ୍ୟାସତ୍ୟ ବଳେ ବୁଝିବୁ ।

 

ମୋର ମଧ୍ୟ ସେହି ଉପଦେଶରେ ବିଧାନ ।

 

ଅମିୟର କଥା ଶୁଣି ବିଧାନ ଗର୍ଜି ଉଠିଲା, କାହାରି ମାହାଳିଆ ଉପଦେଶ ଶୁଣିବାକୁ ମୁଁ ପସନ୍ଦ କରେ ନାହିଁ ଗାୟତ୍ରୀ ଅପା, ମିଠାଳିଆ ଚିଠି ଲେଖି ଯେତେ ଭୁଲାଭୁଲ କଲେ ମୁଁ ଆଉ ଭୁଲିବି ନାହିଁ ଅମିୟ ଭାଇ । ଯେଉଁମାନେ ମୋର କେହି ନୁହନ୍ତି, ସେମାନଙ୍କ ପାଖକୁ ମୁଁ ଆଉ ଫେରି ଯିବି ନାହିଁ । ମୋର ମାଆର କୋଳରୁ ସେମାନେ ମୋତେ ଚୋରାଇ ଆଣିଥିଲେ ।

 

ଭୁଲ୍‌ରେ ଆଣିଥିଲେ ବିଧାନ, ଗାୟତ୍ରୀ କହିଲା ।

 

ହେଉ, ଭୁଲ୍‌ରେ ଓଟାରି ଆଣନ୍ତୁ । ମୋତେ ଯଦି ସେମାନେ କେଉଁଠି ଫୋପାଡ଼ି ଦେଇଥାନ୍ତେ, ମୋର ଜୀବନ ଯାଇଥାନ୍ତା । ଦୁଃଖ କଷ୍ଟ ଓ ଅତ୍ୟାଚାର ସହିବାକୁ ମୁଁ ଏ ଦୁନିଆରେ ନଥାନ୍ତି । ମୋତେ ସେମାନେ ବଞ୍ଚାଇ ରଖିଲେ, ମୁଁ ଏବେ ବୁଝି ପାରୁଛି, କେବଳ ତାଙ୍କର ହଜିଲା ଝିଅଟିକୁ ମନେ ପକାଇବାକୁ । ନିଜ ଅସାବଧାନପଣ ପାଇଁ ନିଜକୁ ଦଣ୍ତିବେ କ’ଣ ମା’ ମୋତେ ଦଣ୍ତିଛନ୍ତି । ମଣିଷ ପିଲା ହୋଇ ଜନମିଛି ତ ମୁଁ ଗୋଟିଏ ଜୀଅନ୍ତା ଜୀବ, ଯେତେ ଅଣହେଳା କଲେବି ମୁଁ ନିଶ୍ଚୟ ବଢ଼ନ୍ତି । ମୁଁ ବଢ଼ିଲି ଅପା, ମୂର୍ଖ ହୋଇ ବଢ଼ିଲେବି ବୋଧହୁଏ ମୋତେ ପନ୍ଦରବର୍ଷ ହେଲା । କଲ୍ୟାଣୀ ଅପା ଓ ଡାକ୍ତର ମୁଖାର୍ଜୀ ମୋର ତ୍ରାଣକର୍ତ୍ତା । ମୋତେ ସେମାନେ ବଞ୍ଚାଇଲେ, ପାଠ ପଢ଼ାଇଲେ । ସେମାନେ ମୋ ଆଖି ଖୋଲିଲେ । ସେହିମାନେ ମୋର ବାପ ମାଠୁଁ ବଳି ଉପକାରୀ ।

 

ଅମିୟ ତୁଣ୍ତ ଖୋଲିଲା ନାହିଁ । ବିଧାନ ବିଷୟରେ ଆଳାପ ଆରମ୍ଭ କରିଥିବାରୁ ସେ ଅନୁଶୋଚନା କଲା । ବୁଦ୍ଧିମତୀ ଗାୟିତ୍ରୀ ଏହା ବୁଝି ପାରି କଅଁଳେଇ କହିଲା, ବିଧାନ ତୁ ବଡ଼ ହେଲୁଣି । ପାଠ ପଢ଼ିଲୁଣି । ଆହୁରି ପଢ଼, ଶିକ୍ଷିତ ହୋଇ ବଡ଼ମଣିଷ ହ । ଅନ୍ୟର ପରାମର୍ଶ ଲୋଡ଼ିବୁ କାହିଁକି ? ତୋର ନିଜର ମଙ୍ଗଳପାଇଁ ତୁ ଯାହା ସ୍ଥିର କରିବୁ ତାହାହିଁ ହେବ ।

 

ହଁ, ଅପା, ତୁମେ ଯାହା କହିଲ ତାହାହିଁ କରିବି । ଶୁଣ ଅମିୟ ଭାଇ, ବାପା ଡାକ୍ତରଙ୍କ ପାଖକୁ ଆଉଥରେ ଚିଠି ଲେଖିଥିଲେ–ବିଧାନର ଆଉ ଚାକିରି ଲୋଡ଼ା ନାହିଁ, ତାକୁ ଘରକୁ ପଠାଇ ଦିଅ, ତା’ ମା’ କାନ୍ଦୁଛି । କଲ୍ୟାଣୀ ଅପା ମୋତେ ପଚାରିଲେ, ବାରମ୍ବାର ବୁଝାଇଲେ, କହିଲେ, ସେମାନେ ତୋତେ ଖୋଜୁଛନ୍ତି, ତୁ ଚାଲିଯା । ଡାକ୍ତରବାବୁ କହିଲେ, ମୋର ବାପମାଆଙ୍କର ଧାରଣା ଯେ ଡାକ୍ତର ଓ କଲ୍ୟାଣୀ ଅପା ମୋତେ ଅଟକାଇ ରଖିଛନ୍ତି, ଛାଡ଼ି ଦେଉ ନାହାନ୍ତି, ମୁଁ ଫେରିଗଲେ କୁଆଡ଼େ ତାଙ୍କର କାମ ଅଚଳ ରହିବ ।

 

ସେ ଚିଠିର ଉତ୍ତର ମୁଁ ଦେଲି, ଅପାଙ୍କ ପାଖରେ ଥାଇ ମୁଁ କାମ କରି ଦରମା ନେଉଛି, ପାଠ ପଢ଼ୁଛି । ବାସନ ମାଜିବାକୁ, ଗୋରୁ ଜଗିବାକୁ କି ବିଲୁକୁଲ ଖତ ବୋହି ଗଣ୍ତିଏ ଭାତ ପୋଷେ ଡାଲି ପରିବର୍ତ୍ତେ ବିଧାଗୋଇଠାକୁ ଗାଳି ଗୁଜବରେ ଗୋଳେଇ ଖାଇ ଲୁହ ପିଇବାକୁ ମୁଁ ଯାଇ ପାରିବି ନାହିଁ ।

 

ଗାୟତ୍ରୀ ଶିହରି ଉଠିଲା । ମୁଣ୍ତ ଦୋହଲାଇ ଭୟମିଶା ଥରିଲା ସ୍ୱରରେ କହିଲା, ନା ନା, ତୁ ଏଇଠି ରହ ବିଧାନ । ଅମିୟବାବୁ, ବିଧାନର କଥା ଯଦି ସତ୍ୟ ହୋଇଥାଏ, ତେବେ ଏହା କେଡ଼େ ଭୟଙ୍କର ସତେ !

 

ଗାୟତ୍ରୀର ଆଖିରୁ ଦୁଇ ଧାର ଲୁହ ଝରି ଆସିଲା । ସଞ୍ଜର ହାରିକେନ ଆଲୁଅରେ ସେ ଲୋତକ ଝଲସି ଉଠିଲା । ତକ୍ତପୋଷ ଉପରୁ ଉଠି ତଳେ ଠିଆ ହୋଇଥିବା ବିଧାନର ହାତ ଧରି, ତା’ର ମୁହଁ ଆଉଁସି ଗେହ୍ଲେଇ କହିଲା, ମୋର ସୁନା ଭାଇଟା ବିଧାନ, ଆଉ ତୁ ମୁହଁ ଖୋଲନା । କହ ତ, ମୋର ଅପା ପରି ମୁଁ ଦିଶୁଛି କି ନାହିଁ ? ହୁଏତ ତୋରବି ଗୋଟିଏ ଅପା ମୋ ପରି ଥିଲା-। ତା’ କୋଳରୁ ତୁ ହଜି ଯାଇଛୁ । ମନେକର ମୁଇଁ ତୋର ସେହି ଅଜଣା ଅପା ।

 

ବିଧାନର ଆଖିରେ ଲୁହ ନାହିଁ । ସେ କହିଲା, ଅପାମାନେ ସବୁବେଳେ ଭଲ କିନ୍ତୁ ମା’ ପେଟର ଅପା ନହେଲେ ତାଙ୍କ ମନରେ ଦୃଢ଼ପଣ ଆସିବ ନାହିଁ । ସେଇଥିପାଇଁ ଅପବାଦକୁ ଡରି କଲ୍ୟାଣୀ ଅପା ମୋତେ ପାରଲ୍‌କୋଟ ଫେରି ଯିବାକୁ ପ୍ରବର୍ତ୍ତାଉଛନ୍ତି । ପାରଲ୍‌କୋଟ ମନେ ପଡ଼ିଲେ ଛୋଟକାପ୍‌ସି ଗାଁ ମୋ ଆଖିକୁ ଦିଶେ । ସେ ଗ୍ରାମରେ ଆମର ଘର । ଫାଟକ ଖୋଲି ଘରର ଅଗଣା ଭିତରକୁ ପଶିଗଲା ପରି ମୋର ମନେହୁଏ । ଥକ୍କା ହୋଇ ମୁଁ ଠିଆହୁଏ ଗାୟତ୍ରୀ ଅପା, ମୁଁ ଦେଖିପାରେ ମାଆଙ୍କର ଚଣ୍ତୀ ମୂର୍ତ୍ତି । ହାତରେ ବାଡ଼ି ଧରି କିଳିକିଲା ରାବ ଛାଡ଼ି ସେ ମୋ ଆଡ଼କୁ ଧାଇଁ ଆସୁଛନ୍ତି । ମୁଣ୍ତ ବାଳ ମୁକୁଳା । ଆଖିରେ ସତେ କି ନିଆଁ ଜଳୁଛୁ । କହୁଛନ୍ତି ଗର୍ଜି ଗର୍ଜି, ଦାନ୍ତ ରଗଡ଼ା, ଆରେ ଚୁଲିପଶା, ଏବଯାଏଁ ଥିଲୁ କୁଆଡ଼େ ? ଆ ଆ, ତୋର ରକ୍ତ ଯଦି ମୁଁ ନ ପିଇଛି ତ ମୁଁ ଅମରେଶ ଦତ୍ତର ଝିଅ ନୁହେଁ ।

 

ସହସା ଅମିୟ ଦୁଇ ହାତ ଟେକି ହାତ ପାପୁଲିରେ କାନ ଘୋଡ଼ାଇଲା । ଆଖି ବୁଜି ଦୁଇ ଟିଣ ଚଉକିରେ ହଲଚଲ ହୋଇ ମୁଣ୍ତ ଝୁଙ୍କାଇଲା । ମୁଣ୍ତ ହଲାଇ ହଲାଇ କହି ଉଠିଲା, ତୁ ତୁନିହ ବିଧାନ, ତୁ ତୁନିହ । ସତ୍ୟ ହୋଇପାରେ ତୋର ଜୀବନର ଘଟଣା ଆଉ ଅନୁଭୂତି; କିନ୍ତୁ ସତ୍ୟ ବୋଲି ମାନିନେଲେ ନାରୀ ଜାତି ଉପରୁ ମଣିଷର ବିଶ୍ୱାସ ତୁଟିଯିବ । ଯେଉଁ ହଳାହଳ ପାନ କରି ହୃଦୟରେ ତୁ ସଞ୍ଚି ରଖିଛୁ, କାହିଁକି ତାକୁ ପଦାକୁ କାଢ଼ି ଅନ୍ୟମାନଙ୍କ ଉପରକୁ ପକାଉଛୁ ? ଅନ୍ୟମାନଙ୍କର ମନକୁ ବିଷାକ୍ତ କରୁଛୁ ? ନିଜର ବିଷ ନିଜେ ତୁ ହଜମ କର । ନିଃଶେଷ କର । ତୁ ବୁଦ୍ଧିମାନ ପିଲା । ବଡ଼ ହୋଇଛୁ । ଯାହା ଭଲ ବୋଲି ମଣୁଛୁ ସେଇଆ କର । ଡାକ୍ତର, କଲ୍ୟାଣୀ ଅପା କି ଆଉ କେହି ସେଥିରେ ବାଧା ଦେଇ ପାରିବେ ନାହିଁ । ନିଜକୁ ପୋଡ଼ିଜାଳି ମାରୁଛୁ କାହିଁକି-?

 

ଅମିୟ ଟିଣ ଚଉକିରୁ ଉଠି ଠିଆ ହେଲା ।

 

ବିଧାନ ତ୍ରସ୍ତ ହୋଇ ଆଡ଼େଇ ଗଲା । ଭାବୁଥିଲ ପରା କାହିଁକି ଅମିୟବାବୁ ଏଡ଼େ ବ୍ୟସ୍ତ, ଏତେ ଉତ୍ୟକ୍ତ ହୋଇ ପଡ଼ିଲେ ? ତାଙ୍କର ସୌମ୍ୟ ସୁନ୍ଦର ମୁହଁରେ ହଠାତ୍‌ କିଏ ଯେପରି କାଳି ବୋଳି ଦେଲା ।

 

ଗାୟତ୍ରୀ ଅବିଚଳିତ ମୁଖରେ ଅନାଇଲା ଅମିୟର ମୁହଁକୁ । ଦେଖିଲା, କେଉଁ ଅବ୍ୟକ୍ତ ବେଦନା ସେ ମୁହଁକୁ ଆଚ୍ଛାଦନ କରିଛି । ସ୍ମିତ ହସି ସେ କହିଲା, ଆପଣ ଏପରି ଅସ୍ୱସ୍ତି ବୋଧ କଲେ କାହିଁକି, ଦେହ ଭଲ ଲାଗୁନାହିଁ ? ଓ ବୁଝିଲି, ଆପଣଙ୍କର ବନ୍ଧୁମାନେ ସେ ପାଖ ଘରେ କଳରବ ଆରମ୍ଭ କଲେଣି । ସେମାନଙ୍କର ଠାରକଥା ଶୁଣି ବିରକ୍ତ ହେଲେ କି ? ଆରେ ବିଧାନ, ସେ ପାଖ ଘରେ ଯେଉଁ ନୂଆବାବୁମାନେ ଅଛନ୍ତି ତାଙ୍କୁ ଏଠିକି ଡାକିଆଣ ତ, ସେମାନେ ଚା’ ଖାଇବେ । କହ, ମୁଁ ଡାକୁଛି । ଆପଣ ବସନ୍ତୁ ଅମିୟବାବୁ । ମୁଁ ଚା’ କରି ଆଣୁଛି ।

 

ସଜବାଜ ହୋଇ ଖୋକୀର ହାତ ଧରି କଲ୍ୟାଣୀ ଉପସ୍ଥିତ ହେଲେ । ଅମିୟକୁ ଦେଖି ହସହସ ହୋଇ କହିଲେ, ବିଧାନର କଥା ଶୁଣି ତୁମେ ଭାବପ୍ରବଣ ହୋଇ ପଡ଼ୁଛ କି ? ସେଇଟା ବାଇଆ ହୋଇଛି । ତା’ ମନ ଭିତରେ ଜମା ହୋଇ ରହିଥିବା କେତେ କାଳରୁ ଚାପା ପଡ଼ିଥିବା ଦୁଃଖର ଅନୁଭୂତିଗୁଡ଼ିକ ତା’ର ସ୍ୱାଧୀନ ଜୀବନ ଓ ସ୍ୱଚ୍ଛନ୍ଦ ଚଳନର ମୁକ୍ତ ଆଲୋକ ଓ ମୁକ୍ତ ବାୟୁ ପାଇ ପଦାକୁ ଛୁଟି ପଳାଉଛି । ତା’ର ଅନୁଭୂତିଗୁଡ଼ିକ ବିଷାକ୍ତ ଓ ତତଲା । ସେଗୁଡ଼ିକ ପଦାକୁ ଆସି ବିଛେଇ ହୋଇ ପଡ଼ିଲେ ଅନ୍ୟମାନଙ୍କୁ ତତାଇ ଦେବ । ମନକୁ ବିଷେଇ ଦେବ । ଅତି ସ୍ୱାଭାବିକ ଗାୟିତ୍ରୀ, କିନ୍ତୁ ବିଧାନର ମନରୁ ସେଗୁଡ଼ା ବାହାରି ପଡ଼ିଛି । ଯାଉ । ସେସବୁ ଶୁଣି ତହିଁରେ ଗୁରୁତ୍ୱ ଆରୋପ କରିବା ମୋଟେ ଉଚିତ ନୁହେଁ ।

 

ଗାୟତ୍ରୀର ହାତ ଧରି ଖୁକୀ ତା’ ପାଖକୁ ଗଲା । ଗାୟତ୍ରୀ ତାକୁ କୋଳ କଲା । କଲ୍ୟାଣୀ ପୁଣି କହିଲେ, ଖୁକୀ ତୋ ପାଖରେ ଖେଳୁଥାଉ ଗାୟତ୍ରୀ । ମହାପାତ୍ରବାବୁଙ୍କ ଝିଅର ଦେହ ଭଲ ନାହିଁ ବୋଲି ସେ ଖବର ପଠେଇଛନ୍ତି । ଡାକ୍ତରବାବୁ ସୁନାବେଡ଼ା ଗାଁରୁ ଫେରି ନାହାନ୍ତି-। ପିଲାଟାକୁ ମୁଁ ଟିକିଏ ଦେଖି ଆସେ । ତୁ ଆ ବିଧାନ, ଘର ଜଗି ରହିବୁ । ଗତ ଘଟଣାକୁ ଘାଣ୍ଟି ଆଉ ଲାଭ ନାହିଁ । ତୋର ଯାହା ମନ ତୁ କରିବୁ । କେହି ବାଧା ଦେବେନାହିଁ । ମୁଁ ତୋତେ ଅଟକାଇ ରଖିଛି ବୋଲି ଯଦି ତୋର ବାପ ମା’ ମୋର ଦୋଷ ଦେଇ ପ୍ରଚାର କରନ୍ତି ତ ସେ ବଦନାମ ମୁଁ ସହିବି । ତୋର କି ଥାଏ ? ତୁ ଜାଣୁ, ତତେ ମୁଁ ଅଟକାଇ ରଖିନାହିଁ । ତୋର ମନ ଯେବେ ହେବ, ତୁ ଚାଲିଯିବୁ । ଆମେ ତୋର ମଙ୍ଗଳ ଚାହୁଁ । ଗପରେ ସମୟ ନଷ୍ଟ ନ କରି କାମ ସଙ୍ଗେ ସଙ୍ଗେ ପାଠରେ ଆଉ ଅଧିକ ମନ ଦେଲେ ତୋର ଭବିଷ୍ୟତ ଉଜ୍ଜ୍ୱଳ ହେବ ।

 

କଲ୍ୟାଣୀଙ୍କର କଥା ଶୁଣି ବିଧାନ ପଦାକୁ ଆସିଲା । ତା’ ପଛେ ପଛେ କଲ୍ୟାଣୀ ବାରଣ୍ତାକୁ ଆସିଲେ । ଗାୟତ୍ରୀର କୋଳରେ ଥାଇ ଖୁକୀ ଗେହ୍ଲେଇ କହିଲା, ମୁଁ ଯିବି ମା’ ।

 

କଲ୍ୟାଣୀ ମୁହଁ ବୁଲାଇ କହିଲେ, ମାଉସୀ ପାଖରେ ତୁ ଖେଳୁଥା ମା’, ମୁଁ ସଙ୍ଗେ ସଙ୍ଗେ ଆସିବି ଯେ । ଆରେ ହଁ, ଗାୟତ୍ରୀ, ପରା ଜଗଦଲ୍‌ପୁର ଯାଇଛନ୍ତି, କେଉଁ ମାଟି–ମହକୁମାର ଅଫିସରଙ୍କୁ ନେଇ । ଆଜି ତ ସେ ଫେରିବେ ନାହିଁ । ଏକୁଟିଆ ଲୋକ ତୁ, ରୋଷାଇ କରିବା ଦରକାର ନାହିଁ । ମହାପାତ୍ରବାବୁଙ୍କ ଘରୁ ମୁଁ ଫେରିଲେ ତୋର ମୋର ଦିହେଁ ମିଶି ଆମ ଘରେ ରୋଷେଇ କରିବା ।

 

ଗାୟତ୍ରୀ ପ୍ରତିବାଦ କଲା, ନାଇଁ ଅପା !

 

କଲ୍ୟାଣୀ କହିଲେ ମୁଁ ଏବେ ଖବର ପାଇଲିଣି ଯେ, ମଉସା କୁଆଡ଼େ ବାହାରକୁ ଗଲେ ତୁ ରୋଷେଇ ନ କରି ଉପାସରେ ଶୋଇପଡ଼ୁ । ସେ କିନ୍ତୁ ଏହା ଜାଣନ୍ତି ନାହିଁ । ମୋ କଥା ତୁ ନ ମାନିଲେ ମୁଁ ମଉସାଙ୍କୁ କହିଦେବି ।

 

ଖୁକୀ ପୁଣି ଅଳି କଲା, ମୁଁ ଯିବି ମା’ ।

 

କଲ୍ୟାଣୀ କହିଲେ, ତୁ ସୁନା ଝିଅ ନୁହ କି ? ହେଇ ଦେଖ୍‌, ବାହାରେ କେଡ଼େ ଅନ୍ଧାର ହୋଇଛି । ତୁ ଏଇଠି ଖେଳୁଥା । ମୁଁ ଯାଇ ଗୋଡ଼େ ଗୋଡ଼େ ଫେରିବି । ଅମିୟ ତୁନିତାନି ହୋଇ ବସିଥିଲେ କାହିଁକି ଏବେ ଉଠି ବାହାରିଲେଣି ତ । ବୁଝିଲି, ରାସ୍ତାକଡ଼ ହୋଟେଲକୁ ରାତ୍ରିଭୋଜନ ପାଇଁ ଚାଲିଲ ପରା ! ପୂଝାରି ଚାକର ମିଳୁ ନାହାନ୍ତି ବୋଲି ତୁମେ ଚାରି ଜଣ ମେସ୍‌ ଭାଙ୍ଗିଲ । ପାଳି କରି ଜଣେ ଜଣେ ରୋଷେଇ କରି ପାରିଲ ନାହିଁ ? ସମସ୍ତେ ମିଶି ରୋଷେଇ କଲେବି ଚଳି ଥାଆନ୍ତା ।

 

ଅମିୟ କହିଲା, ବିଧାନ ପାଖରୁ ଏ ଖବର ନିଶ୍ଚୟ ସଂଗ୍ରହ କରିଛ ଅପା; କିନ୍ତୁ ରୋଷେଇ ବିଦ୍ୟାଟା ଆମ କାହାକୁ ଜଣା ନାହିଁ ଏତକ ବିଧାନ କହିନାହିଁ । ରନ୍ଧନ–ପ୍ରଣାଳୀ ସମ୍ବନ୍ଧରେ ଉତ୍କୃଷ୍ଟ ବହି କିଣି ସେଲ୍ଫ–ହେଲ୍‌ପ କରିବାକୁ ଦୁଇ ଦିନ ଚେଷ୍ଟା କରି ଉପାସ ରହିଲୁ । ସେଥିରେ ଭଜା, ତିଅଣ, ଖଟା, ଛେଞ୍ଚେଡ଼ା, ପଲାଉ ଇତ୍ୟାଦି ସମ୍ବନ୍ଧରେ ସବୁ ଲେଖା ଅଛି କିନ୍ତୁ ଭାତ କିପରି ରାନ୍ଧିବାକୁ ହୁଏ, ଚୁଲି କିପରି ଫୁଙ୍କି ଫୁଙ୍କି ଜାଳିବାକୁ ହୁଏ, ତତଲା କଡ଼େଇ କିପରି ଧରିବାକୁ ହୁଏ, ଏହିପରି ଅନେକ ମୂଳ କଥା ଲେଖା ନାହିଁ । ସେଇ ହେଲା ବିପଦ । ମେସ୍‌ ଭାଙ୍ଗିଲା ।

 

ଗାୟତ୍ରୀ ହସିଲା । କହିଲା, ଆପଣମାନଙ୍କର ମେସ୍‌ ଭାଙ୍ଗିବା ବୃତାନ୍ତ ଅପାଙ୍କୁ ମୁଁ କହିଛି-। ଚୁଲି ଫୁଙ୍କୁଣୁ କାହା ଆଖିରେ ପାଉଁଶ ପଡ଼ିଲା, ତତଲା ହାଣ୍ତି ଧରି କାହା ହାତ ପୋଡ଼ିଲା, ପରିବା କାଟୁଣୁ କାହା ଆଙ୍ଗୁଠିରୁ ଫାଳେ ଗଲା, ସେଥିପାଇଁ ପରସ୍ପରକୁ ଦୋଷ ଦେଇ ଯେଉଁ ପାଟିତୁଣ୍ତ କରୁଥିଲେ, ପିଟାପିଟି ହେବାକୁ ଯୁଦ୍ଧର କୁହାଟ ଛାଡ଼ିଥିଲେ, ଆମର ଏପାଖ ଘର ହୁଲସ୍ତୁଲ କମ୍ପିଲା-। ସବୁ ମୁଁ ଶୁଣିଥିଲି । ବାଉଁଶ ତାଟିରେ ସେ ପାଖରୁ ଯେଉଁ କଣା ସବୁ କରାହୋଇଛି ସେଥିରୁ ଗୋଟିକରେ ଗୋଟିଏ ଆଖିରେ ଅନେଇଁ ସବୁ ମୁଁ ଦେଖିଥିଲି । ଅପାଙ୍କୁ ସେଇଆ କହିଲି ।

 

କଲ୍ୟାଣୀ ଉଚ୍ଚ ସ୍ୱରରେ ହସିବାକୁ ଲାଗିଲେ ।

 

ଅମିୟ ଲାଜରା ହୋଇ ମୁଣ୍ତ କୁଣ୍ତାଇବାକୁ ଲାଗିଲା ।

 

ହସ ବନ୍ଦ କରି କଲ୍ୟାଣୀ କହିଲେ, ତୁମେ ହୋଟେଲରେ ନ ଖାଇ କାହା ଘରେ ପେଇଙ୍ଗ୍‌ ଗେଷ୍ଟ୍‌ ହୁଅ । ଗାୟତ୍ରୀ ଏ ଦିଗରେ ତୁମକୁ ସାହାଯ୍ୟ କରିପାରେ । ଅଧମ ମଉସା ବୋଧହୁଏ ଆପତ୍ତି କରିବେ ନାହିଁ । ତାହାହେଲେ କାନ୍ଥର କଣାଗୁଡ଼ାକ ନିଷ୍ପ୍ରୟୋଜନ ହେବ । ଆଚ୍ଛା, ତୁମର ଛୋଟ ଟର୍ଚ୍ଚଟା ମୋତେ ଦିଅ ତ ଅମିୟ, ମୁଁ ଆସିବାଯାଏ ତୁମେ ଏଇଠି ବସି ଗପ କରୁଥାଅ । ଆଜି ହୋଟେଲରେ ଖାଇବାକୁ ଯାଅ ନାହିଁ । ଆମରି ଘରେ ତମର ପତର ପଡ଼ିବ । ଆମୁକୁ ସାହାଯ୍ୟ କଲେ ଭାତରନ୍ଧା ଶିଖିଯିବ । ଏ ଯୁଗର ପୁରୁଷ ପିଲା ହୋଇ ସେ କାମଟି ନ ଶିଖିଲେ ଭବିଷ୍ୟତ୍‌ରେ ସ୍ତ୍ରୀ–ପିଲା ନେଇ ସଂସାର କରିବ କିପରି ଅମିୟ ? ଦେଖିଛ ତ ଡାକ୍ତର ମୁଖାର୍ଜୀଙ୍କୁ, ସେ କ’ଣ କରନ୍ତି ?

 

ଟର୍ଚ୍ଚ ଆଲୁଅଟି ଅମିୟ ହାତରୁ ନେଇ କଲ୍ୟାଣୀ ଆଗେଇ ଗଲେ । ଅମିୟ କହିଲା, ଆପଣ ପଛେ ସେ ଆଲୁଅଟା ନେଇ ଯାଉନ୍ତୁ, ମୁଁ ଆମ ହାକିମ କପୁର୍‌ ସାହେବଙ୍କ ଘରକୁ ଟିକେ ଯିବି । ମୋର ଝିଆରୀ ମାଲକାନଗିରିରୁ ଚିଠି ଲେଖିଛି ଯେ ମୋ ଭାଉଜଙ୍କର ଦେହ ଭଲ ନାହିଁ । ଛଅ ମାସ ହେଲା ମୁଁ ଆସିଲିଣି । କାମ କାର୍ଯ୍ୟର ଭିଡ଼ ହେତୁ ଦିନକପାଇଁବି ମୁଁ ଆଉ ମାଲକାନଗିରି ଯାଇ ପାରିନାହିଁ । ଚାରି ଦିନ ଛୁଟି ନେଇ ମୁଁ କାଲି ମାଲକାନଗିରି ଯିବାକୁ ଚାହେଁ । ସାହେବଙ୍କୁ ମୁଁ ଛୁଟିପାଇଁ ପ୍ରାର୍ଥନା କରିବି ।

 

ଏଇକଥା ? ନିଶ୍ଚିତ ହୋଇ ଗାୟତ୍ରୀ ଓ ଖୁକୀଙ୍କ ସଙ୍ଗେ ଗଳ୍ପ କରୁଥାଅ । ସେଇଠି ତ କପୁର୍‌ବାବୁଙ୍କ ଘର, ଅନେକ ଦିନ ହେଲା ତାଙ୍କର ସ୍ତ୍ରୀଙ୍କୁ ମୁଁ ଦେଖି ନାହିଁ । ଭାରି ଭଲ ସେ । ଆସିଲାବେଳେ ତାଙ୍କ ଘରବାଟେ ମୁହଁ ମାରିଦେଇ ଆସିବି । କପୁର୍‌ବାବୁବି ଥିବେ । ତାଙ୍କୁ ମୁଁ କହି ଦେଇ ଆସିବି । ଛୁଟି ନିଶ୍ଚୟ ପାଇବ !

 

ମୁଁ ନିଜେ ଗଲେ ଭଲ ହେବ ଅପା !

 

ମୋତେ ଏଡ଼େ ନିପାରିଲା ମଣ ନାହିଁ ମ ଅମିୟ, ତୁମେ କ’ଣ ଗାୟତ୍ରୀକୁ ଡରୁଛ କି ? ମୋ ଖୁକୀ ପରା ପାଖରେ ଅଛି ।

 

ଗାୟତ୍ରୀ କହିଲା, କ’ଣ ଯେ ତୁମେ କହୁଛ ଅପା, ମୁଁ କ’ଣ ତମରି ପରି ହୋଇଛି ? ସେମିତି କହିଲେ ମୁଁ ଆଉ ତୁମକୁ କଥା କହିବି ନାହିଁ ।

 

କ’ଣ ମୁଁ କହୁଛି ତୁ ବୁଝି ପାରିଲୁଣି ଗାୟତ୍ରୀ । ସେତେବେଳେ ମୁଁ ବି ମୋପରି ହୋଇ ପାରିଲି ନାହିଁ । କାହାର ଅମୋକ୍ଷ ଆତ୍ମାଟା ମୋର ଝିଅ ହୋଇ ଜନ୍ମ ହେବ ବୋଲି ମୋ ଅଜାଣତରେ ମୋ ଭିତରେ ପଶିଗଲା ମ, ଡାକ୍ତର ତ ମୋ ପାଖେପାଖେ ଥିଲେ । ସେହି ଆତ୍ମାଟା ତୋଓରି ମାଆର ହୋଇଥିବ ପରା ଗାୟତ୍ରୀ, ତୁ ଖୁକୀକୁ ପଚାରି ବୁଝିବୁ । ଯାଉଛିଲୋ,–

 

କଲ୍ୟାଣୀ ଆଗେଇ ଗଲେ । ଖୁକୀ ଛାଟିପିଟି ହୋଇ ଗାୟତ୍ରୀର କୋଳରୁ ଓହ୍ଲାଇ ରଡ଼ି ଛାଡ଼ିଲା, ମୁଁ ମାଆ ପାଖକୁ ଯିବିଲୋ– ।

 

ନିର୍ବାକ୍‌ ହୋଇ ଅମିୟ ବାରଣ୍ତାରେ ଠିଆ ହୋଇ ରହିଲା । କଲ୍ୟାଣୀଙ୍କର ପରିହାସ ଧୀରେ ଧୀରେ ତା’ର ମନରେ ଭେଦୁଥିଲା । ଗାୟତ୍ରୀ ତରବର ହୋଇ କହିଲା, ଆପଣ ଭିତରକୁ ଆସନ୍ତୁ ଅମିୟବାବୁ, ପଦାରେ ଠିଆ ହେଲେ କାହିଁକି ? ଆସନ୍ତୁ, ମୁଁ ଆଉ କପେ ଚା’ କରି ଦେଉଛି-। କଲ୍ୟାଣୀ ଅପା ନିମନ୍ତ୍ରଣ କରିଛନ୍ତି । ଆଜି ଆପଣଙ୍କୁ ହୋଟେଲରେ ଖାଇବାର ଦୁଃଖରୁ ରକ୍ଷା କଲେ । ସେ ଶୀଘ୍ର ଫେରି ଆସିବେ ଯେ ।

 

ଗାୟତ୍ରୀ ଖୁକୀକୁ କହିଲା, ସତେ ତୁ ମୋର ଟିକି ମାଆଟି, କେଡ଼େ ଭଲ ପିଲା, କେଡ଼େ ସୁନା ପିଲା । କାନ୍ଦୁଛୁ କାହିଁକି ? ଚାଲ୍‌ ଆମର ଚା’ କରିବା । ତୁ ଟିକିଏ ଖାଇବୁ କି ?

 

ଖୁକୀ ଖୁସି ହୋଇ କହିଲା, ଚା’ ମତେ ଭଲ ଲାଗେ । ମାଉସୀ, ମୋତେ ବିସ୍କୁଟ୍‌ ଦେବୁ ନା ?

 

ଦେବିଲୋ ଖୁକୀ, କହ ତୁ ମୋର ମା’ ହେବୁଟି ?

 

ହେବି ତ ।

 

ଭିତରକୁ ଆସନ୍ତୁ ଅମିୟବାବୁ, କପେ ଚା’ କରିବାକୁ ମୋତେ ଡେରି ଲାଗିବ ନାହିଁ ।

 

ଅମିୟ ନାହିଁ କରି ପାରିଲା ନାହିଁ । ଗାୟତ୍ରୀର ସୁନ୍ଦର ଦରହସିଲା ମୁହଁ ଓ ଢଳଢଳ ଆଖିର ସରଳ ଚାହାଣି ତାକୁ ସତେ କି ମନ୍ତ୍ରମୁଗ୍ଧ କରି ଓଟାରି ନେଲା ଘର ଭିତରକୁ, ଟିଣ ଚଉକି ଉପରକୁ । ମୁହଁରେ ତା’ର ଭାଷା ନାହିଁ । ମରମ ତଳେ ମର୍ମରି ଉଠିଲା ସୃଜନର ମଞ୍ଜୁଳା ରାଗିଣୀ । ସେ ଦୃଷ୍ଟି ନୁଆଁଇଲା ।

 

ପଚାଶ

 

ଦୁଇ ଘଡ଼ି ଅନ୍ଧାର ପରେ ପାଣିଚିଆ ଜହ୍ନ ଆଲୁଅରେ ଘର ବାହାରେ ଅସ୍ପଷ୍ଟ ଆଲୁଅରେ ଢେଉ ମାଡ଼ି ମାଡ଼ି ଆସୁଛି । ଗଳ୍ପ ଶେଷ ହୋଇ ନାହିଁ । ଅମିୟର ସଂକୋଚ ଦୂର ହୋଇଛି । ଟିଣ ଚଉକି ଉପରେ ବସି ବସି ସେ ଗାୟତ୍ରୀର ମୁହଁକୁ ଚାହିଁ ଗଳ୍ପ କରୁଛି । ଗାୟତ୍ରୀ ଗୋଡ଼ ଲମ୍ୱାର ବସିଛି ଅଧମଙ୍କର ତକ୍ତପୋଷ ଉପରେ । ତାଆରି କୋଳରେ ଖୁକୀ ଖେଳୁ ଖେଳୁ ଶୋଇ ପଡ଼ିଛି । ଦୁହେଁ ଅପେକ୍ଷା କରି ବସିଛନ୍ତି କଲ୍ୟାଣୀ ଅପାଙ୍କୁ । ଭାବୁଛନ୍ତି, କେତେବେଳେ ସେ ଆସିବେ ଓ ସେମାନଙ୍କର ଲୁଚକାଳିଆ ଅତୀତ ଜୀବନର କାହାଣୀ ଶେଷ ହେବ, ସେମାନେ ପରସ୍ପରଠାରୁ ଦୂରେଇ ଯିବେ, ନିଷ୍କୃତି ପାଇବେ ।

 

ପାକିସ୍ଥାନୀ ଗୁଣ୍ତାମାନେ ପଶ୍ଚିମ ପାକିସ୍ଥାନର ପଞ୍ଜାବୀ ସିପାହୀଙ୍କ ସାହାଯ୍ୟ ଓ ପ୍ରରୋଚନାରେ ଗ୍ରାମ ପରେ ଗ୍ରାମ ଲୁଣ୍ଠନ କଲେ । ହିନ୍ଦୁଙ୍କର ବସ୍ତିମାନଙ୍କରେ ନିଆଁ ଲଗାଇଲେ । ନିରସ୍ତ୍ର ନିରାଶ୍ରୟ ପୁରୁଷଙ୍କର ଜୀବନ ନେଲେ । ଝିଅ ବୋହୂ, ଏପରିକି ଅନ୍ତଃସତ୍ତ୍ୱାମାନଙ୍କ ଉପରେ ଅତ୍ୟାଚାର କଲେ । କେତେକଙ୍କୁ ଅପହରଣ କରି ନେଇଗଲେ ।

 

ଗାୟତ୍ରୀ ଜାଣିଲା,–ଅନୁପମ ମଣ୍ତଳ ଓ ତାଙ୍କର ପତ୍ନୀ ସେହି ପୂର୍ବ–ବଙ୍ଗରେ ନିହତ ହେଲେ । ଅନ୍ୟାନ୍ୟ ପଳାତକଙ୍କ ସଙ୍ଗରେ ଅନ୍ଧାର ରାତିର ଆଭରଣ ତଳେ ଅଧର ମଣ୍ତଳ ସ୍ତ୍ରୀ, କନ୍ୟା ଓ ଅନୁଜଙ୍କୁ ସଙ୍ଗରେ ନେଇ ପଳାଇ ଆସୁଥିଲେ । ସେହି ଅନ୍ଧାର ରାତିରେ ପଶ୍ଚିମ–ବଙ୍ଗର ସୀମା ପାଖ ଅରଣ୍ୟ ଭିତରେ ଆତତାୟୀଙ୍କର ଦୂରରୁ ନିକ୍ଷେପ କରାହେଉଥିବା ରହିରହିକା କାଁଭାଁ ଗୁଳି ଚୋଟରେ କେତେ ମରି ମାଟିରେ ଶୋଇଲେ । ଆଉ କେତେ ଆହତ ହୋଇ ଟଳି ପଡ଼ିଲେ ।

 

ଆହତ ହୋଇ ଗୋଡ଼ ଓ ମୁଣ୍ତରେ କ୍ଷତ ଧରି କେଉଁ ମୁରମ୍‌ ଖାତରେ ଟଳି ପଡ଼ିଲେ ଅଧର ମଣ୍ତଳ । ଅମିୟ ମଧ୍ୟ ମୁଣ୍ତ ଓ ଦଳାଗଣ୍ଠି ତଳେ ଗୁଳିର ଘସିହେଲା–ମାଡ଼ ଖାଇ ଭୂମିରେ ପଡ଼ିଲା । ଭୂମିରୁ ଉଠିଲା । ତୀବ୍ର ଯନ୍ତ୍ରଣା ଅନୁଭବ କରୁଥିଲେ ମଧ୍ୟ ରକ୍ତର ଧାର ଛୁଟାଇ କଷ୍ଟେମଷ୍ଟେ ପଳାଇ ଆସି ଆତ୍ମରକ୍ଷା କରିବାକୁ ଦେହରେ ଶକ୍ତି ଥିଲା ।

 

ଅଧର ମଣ୍ତଳ ମୁରମ୍‌ ଖାତ ଭିତରୁ ଅତି କ୍ଷୀଣସ୍ୱରରେ କରୁଣ କଣ୍ଠରେ ନିର୍ଦ୍ଦେଶ ଦେଲେ, ଭାଉଜ ଓ ଅମିତାକୁ ନେଇ ପଳାଇ ଯା ଅମିୟ, ସେମାନଙ୍କର ଓ ନିଜର ଜୀବନ ରକ୍ଷା କରିବାକୁ, ଚେଷ୍ଟାକର । ମୋର କ୍ଷତ ମାରାତ୍ମକ, କିନ୍ତୁ ମୁଁ ବଞ୍ଚି ରହିଛି, ହୁଏତ ବଞ୍ଚିବି । ନ ମରେ ଯଦି ଅବଶ୍ୟ ଭାରତବର୍ଷରେ କେଉଁଠି ଦିନେ ମିଳନ ହେବ ।

 

ଚାଲିଯାଅ ଅତିମା ଅନୁପମ ମଣ୍ତଳଙ୍କ ବଂଶର କୁଳର ପ୍ରଦୀପ ମୋର ଅତି ସ୍ନେହର ସାନ ଭାଇଟି ଅମିୟକୁ ବଞ୍ଚାଇ ରଖ । ଆରେ ଅମିୟ, ଆଉ ଡେରି କରନା, ମରଣର ତାଣ୍ତବ ଆଗରୁ ତୋର ଭାଉଜ ଓ ଆମର ଜୀବନରୁ ବଳି ପ୍ରିୟ ଟିକି ଅମିତାକୁ ଦୂରକୁ ନେଇ ଯା ।

 

ଚାଲି ଆସିଥିଲେ ସେମାନେ ଜୀବନକୁ ହାତରେ ଧରି ।

 

ଆଗରେ ଆସୀନ ଅମିୟ ମଣ୍ତଳ, କର୍ତ୍ତବ୍ୟର ଜୀବନ୍ତ ପ୍ରତିମୂର୍ତ୍ତି । ତା’ରି କଥାରୁ ଗାୟତ୍ରୀ ବୁଝିଲା, ଗୋଟିଏ ଯୁଗ ଅତୀତ ହୋଇଥିଲେବି ଅଧର ମଣ୍ତଳଙ୍କର କୌଣସି ସମ୍ୱାଦ ସେମାନେ ପାଇ ନାହାନ୍ତି । ଟିକି ଅମିତାଟି ମାଆ ଓ କକାଙ୍କର ସ୍ନେହ ଆଦର ଯତ୍ନ ପାଇ ବଡ଼ ହୋଇଛି । ଅମିୟ ନିଜେ ହୋଇଛି ଯୁବକ । ତିନୋଟି ପ୍ରାଣୀଙ୍କ ମନରେ ଏବଯାଏଁ ଦୃଢ଼ବିଶ୍ୱାସ ରହିଛି ଯେ, ଅଧର ମଣ୍ତଳଙ୍କର ଖବର ଦିନେ ନା ଦିନେ ମିଳିବ । ସେ ଫେରି ଆସିବେ । ସେହି ଶୁଭମୁହୂର୍ତ୍ତକୁ ସେମାନେ ଚାତକ ପରି ଚାହିଁ ରହିଛନ୍ତି । ସମୟ ଗଡ଼ି ଚାଲିଛି । ପ୍ରତୀକ୍ଷା ଭିତରେ ସେମାନେ ନିଜ ନିଜର କର୍ତ୍ତବ୍ୟ କରି ଯାଉଛନ୍ତି ।

 

ଗାୟତ୍ରୀ ବୁଝି ପାରିଛି, କଲ୍ୟାଣୀଙ୍କର ସଂସର୍ଗରେ ଆସିଲା ଦିନୁ ସେ ବିଚାରୁଛନ୍ତି, କିପରି ଗାୟତ୍ରୀର ହାତକୁ ସେ ଦୁଇ ହାତ କରାଇପାରିବେ । ପରିହାସ ଛଳରେ କେତେ କଥା ସେ କହନ୍ତି, ଆଲୋ ଗାୟତ୍ରୀ, ତେଇଶି ଚବିଶବର୍ଷ ଏ ଯୁଗରେ କିଛି ଅଧିକ ନୁହେଁ ଯେ, ତେବେ ଆମ ନାରୀ ଜୀବନର ମନ–ଓଟରା ରୂପ–ଯୌବନର ସୀମା ଅଛି । ସେ ସୀମା ପାରି ହେଲେ କେହି ଆଉ ପତ୍ନୀତ୍ୱର ଅଧିକାର ଦେବାକୁ ଆଗେଇ ଆସିବେ ନାହିଁ । ଅଲାଜୁକ ରସିକ ଲୋକ ଦେହ ଓ ମନର ମଉଜ ଖୋଜିବେ ଖାଲି । ତେକେ ଫାନ୍ଦ ପାତିବେ । ଚରା ପକେଇ ବନଶୀ ଥୋପ ଗିଳିବାକୁ ପ୍ରଲୋଭନ ଦେଖାଇବେ । ଖଣ୍ତାଧାରରେ ଚାଲିବାକୁ ପଣ କଲେବି ଗୋଡ଼ ନ ଖସିବ, ଏକଥା କିଏ କହିବଲୋ ଭଉଣୀ ? ରୂପ–ଯୌବନର ତେଜରେ ତୁ ଜଳୁଛୁଲୋ ଗାୟତ୍ରୀ, ନିଜକୁ ନିଜେ ତୁ ଦେଖି ପାରିନୁ, ଅନୁଭବ କରି ପାରିନୁ ?

 

ଗାୟତ୍ରୀ ମୁଡ଼ୁକେଇ ହସେ । ରୂପଯୌବନ ଯେ ଜଳିଜଳିକା ତା’ ଭିତରକୁ ପୋଡ଼ି ପାଉଁଶ କରିଛି ତୁଣ୍ତ ଖୋଲି ସେ ଆଉ କାହାକୁ କହି ପାରିବ ନାହିଁ । ପ୍ରେମ କ’ଣ ସେ ଜାଣି ନଥିଲା-। ପ୍ରେମପାଇଁ ଅନ୍ୟଆଡ଼କୁ ଟାଣି ହୋଇଯିବା କ’ଣ ସେ ଅନୁଭବ କରି ନଥିଲା । କୁକୁର ଦଳ ତା’ର ପଛରେ ଧାଇଁଥିଲେ । ତାକୁ ଭିଡ଼ି ଓଟାରି କେଣ୍ଟା କେଣ୍ଟା କରୁଥିଲେ ।

 

ସେ ବୁଝିଥିଲା ଯେ ଏଇ ଦେହଟା ପୁରୁଷ ଦଳଙ୍କର ଉତ୍ତେଜନା ଓ ଅତ୍ୟାଚାର ସହିବାକୁ ଜନମ ହୋଇଛି, ବଢ଼ି ବଡ଼ ହୋଇଛି । ଏ ଦେହର ନିଜତ୍ୱ ନଥିଲା, ମନର ହଁ–ନାହିଁର ସ୍ୱାଧୀନତା ନଥିଲା । ଏଇ ଦେହଟାକୁ ମରଣର କୋଳରେ ବିସର୍ଜନ କରିବାକୁ ସେ ବାରମ୍ୱାର ପଣ କରିଥିଲା, ଉଦ୍ୟତ ହୋଇଥିଲା, କିନ୍ତୁ ସେହି ରାକ୍ଷସ ଦଳ ନିଜର ପ୍ରୟୋଜନ ପାଇଁ ତାକୁ ଅଟକାଇ ରଖିଥିଲେ-। ଜୀବନ ଦୀପକୁ ଲିଭାଇ ଦେବାର ଶେଷ ଚେଷ୍ଟାକୁ ବିଫଳ କରିଥିଲେ । ଯେଉଁ ମଦ୍ୟପ ତାଙ୍କରି ପାଇଁ ସେ ବଞ୍ଚି ରହିଛି ।

 

ଅଧମ ଚଣ୍ତାଳ,–ପ୍ରକୃତରେ ସେ ଯେ କେହି ହେଉନ୍ତୁ, ନୂତନ ନାମଟିଏ ଦେଇ ତାକୁ ନୂଆ ଜନମ ଦେଇଛନ୍ତି । ଗୋପାଳ ହାଉଲ୍‌ଦାର୍‌ଙ୍କର କନ୍ୟା ଗିରିଜାର କେବଠୁଁ ମୃତ୍ୟୁ ହୋଇଛି । ସେ ହୋଇଛି ଗାୟତ୍ରୀ, ଅଧମ ଚଣ୍ତାଳଙ୍କର କନ୍ୟା ।

 

ତାଙ୍କରବି ଏହି ଦେହ ମନ ଓ ଜୀବନରେ ପ୍ରୟୋଜନ ଅଛି । ତାଙ୍କର କେଉଁ ଅତୀତ ସ୍ମୃତିର ଚଳନ୍ତି ପ୍ରତିମା ହୋଇ ସେ ଆତଯାତ ହେଉଛି, ତାଙ୍କର ପିତୃତ୍ୱର ହଜିଲା ଧାରକୁ ସେ ଗାୟତ୍ରୀ, ଫେରାଇ ଆଣିଛି । ଶୁଖିଲା ଧାରରେ ଛୁଟାଇ ପାରିଛି ଅପତ୍ୟର ଅନାବିଳ ଶୀତଳ ତରଙ୍ଗ-। ବଞ୍ଚି ରହିଛି ସେ ସେଇଥିପାଇଁ । ତା’ର ତ୍ରାଣକର୍ତ୍ତା ପିତାଙ୍କର ଆନନ୍ଦପାଇଁ ।

 

କଲ୍ୟାଣୀ ତାକୁ କଣ୍ଢେଇଟି ପରି ସଜାଇଛନ୍ତି, ସଜ ହେବାକୁ ଦେହ ମୁଣ୍ତର ଯତ୍ନ ନେଇ ଲୋକଚକ୍ଷୁରେ ରୁଚିକର ହେବାକୁ ଉପଦେଶ ଦେଇଛନ୍ତି । ସମାଜରେ ଚଳପ୍ରଚଳ ହେଲେ ଏତକ ଲୋଡ଼ା, ନୋହିଲେ ଲୋକେ ମଣିବେ ସେ ପାଗଳା ।

 

ଗାୟତ୍ରୀ ତାଙ୍କର କଥା ମାନିଛି । ସଂକୋଚକୁ ଦୂରେଇ ଦେଇ ସେ ଆତଯାତ ହେଉଛି । ବଞ୍ଚି ରହିବାକୁ ମନ ଥିଲେ ଲୋକଙ୍କର ସ୍ନେହ ସହାନୁଭୂତି ଲୋଡ଼ା । ସେଥିପାଇଁ ସାମାଜିକ ସମ୍ପର୍କ ମଧ୍ୟ ଲୋଡ଼ା । ଅନ୍ୟର ସୁଖ–ଦୁଃଖରେ ଭାଗୀ ନହେଲେ ତୁମର ସୁଖଦୁଃଖରେ କେହି ଭାଗୀ ହେବେ ନାହିଁଲୋ ଗାୟତ୍ରୀ, କଲ୍ୟାଣୀ କହନ୍ତି, ତୁମେ ସମାଜ ଭିତରେ ଚଳପ୍ରଚଳ ହୋଇ ମଧ୍ୟ ଏକଘରିଆ ହୋଇ ରହିବ ।

 

ସେ ତାଙ୍କର ଉପଦେଶ ଗ୍ରହଣ କରିଛି । ନିଜର ଯତ୍ନ ନେଇ ସମାଜ ଭିତରେ ସତର୍କ ସ୍ୱାଧୀନ ଚଳନ ଅନୁସରଣ କରିଛି ଅନ୍ୟମାନଙ୍କର ସ୍ନେହ ସୌହାର୍ଦ୍ଦ୍ୟ ସେ ଅର୍ଜନ କରି ପାରିଛି । ନିଜେ ସୁଖ ଶାନ୍ତି ଓ ଆନନ୍ଦରେ ଅଛି । ଅତୀତକୁ ବିସ୍ମୃତିର ଅତଳ ଗହ୍ୱରକୁ ନିକ୍ଷେପ କରି ନିଶ୍ଚିହ୍ନ କରି ସେ ନୂଆ ଅବତାର ଧରିଛି । ଏ ଧାରଣା ମନରେ ଆଣି ତା’ର ପିତା ସୁଖୀ ହୋଇଛନ୍ତି ।

 

କିଏ ସେ, କ’ଣ ତାଙ୍କର ଅତୀତ, କେବଳ ତାଙ୍କୁହିଁ ଜଣା । ଭୁଲରେ କେବେ ସେ ତା’ ଆଗରେ ସେହି ଜ୍ୱାଳାମୟ ଅତୀତର ପ୍ରକୃତସ୍ୱରୂପର କିଞ୍ଚିତ୍‌ମାତ୍ର ଉନ୍ମୋଚନ କରି ନାହାନ୍ତି । ଜାଣିବାକୁ ଗାୟତ୍ରୀ କେବେ ଆଗ୍ରହୀ ହୋଇ ନାହିଁ । ତା’ର ପିତା ଯେ ସବୁ ବିସ୍ମରି ବର୍ତ୍ତମାନକୁ ନିରାଟ ସତ୍ୟ ବୋଲି ଘେନି ଧ୍ୱଂସ ପଥରୁ ଫେରି ଆସି ସୁଖୀ ହୋଇ ପାରିଛନ୍ତି, ଏହାହିଁ ଗାୟତ୍ରୀର ନୂଆ ଜୀବନର ପ୍ରେରଣା ।

 

ସେ ତାଙ୍କୁ ସୁଖୀ କରିବାକୁ ଚାହେଁ । ଏତକ କେବଳ ସମ୍ଭବ ହେବ ଗାୟତ୍ରୀ ନିଜେ ତାଙ୍କର ଆଶ୍ରୟରେ ରହି, ତାଙ୍କର ସ୍ନେହ ସୋହାଗର ଅଭୟ କବଚ ପିନ୍ଧି, ପରପଣ ମନକୁ ନ ଆଣି ଯଦି ସୁଖୀ ହୋଇପାରେ । ସେତକ କରିବାକୁ ସେ କ୍ଷମ ହୋଇଛି ପରା !

 

ପିତା ତା’ ନାମରେ ପୋଷ୍ଟ୍–ଅଫିସ୍‍ରେ ପାସ୍‌–ବୁକ୍‌ ଖୋଲି ଦେଇଛନ୍ତି । ମାସକୁ ମାସ ଆଗ ତହିଁରେ ତିରିଶି ଟଙ୍କା ଜମା ଦେଇ ବାକି ଟଙ୍କା ଆଣି ତା’ ହାତରେ ଦେଇ ଯାଆନ୍ତି । ଆବଶ୍ୟକ ହେଲେ ମା’ ପାଖରେ ସାନ ପୁଅ ଅଳି କଲା ପରି ହାତ ପାତି ମାଗି ନିଅନ୍ତି । ନିଜର କୌଣସି ବଦଭ୍ୟାସ ନାହିଁ । ସେ ଟଙ୍କା ମାଗି ନିଅନ୍ତି ଗସ୍ତ ଖର୍ଚ୍ଚପାଇଁ, ନୋହିଲେ କେଉଁ ଦୁସ୍ଥ ସହକର୍ମୀର ସାମୟିକ ଅଭାବ ମେଣ୍ଟାଇବା ପାଇଁ ଧାର ଦେବାକୁ, ଅବା ଗାୟତ୍ରୀ ପାଇ ଶାଢ଼ି ବ୍ଲାଉଜ୍ କି ଆଉ କ’ଣ କିଣି ଆଣିବାକୁ ।

ତାଙ୍କର ଆନନ୍ଦରେ ସେ ବାଧାଦିଏ ନାହିଁ ।

ସେ ବି କ’ଣ ଭାବୁଛନ୍ତି ଯେ ଗାୟତ୍ରୀର ମନ ବଦଳିଛି, ଜୀବନକୁ ସେ ଭଲ ପାଇଛି, ସଂସାରୀ ହୋଇ ସୁଖରେ ରହିବାକୁ ସେ ଆଗ୍ରହୀ ହୋଇଛି ? କିଏ ଜାଣେ ତାଙ୍କର ମନରେ କ’ଣ ଅଛି ? କିନ୍ତୁ ସିଏ ତ ଜାଣନ୍ତି ଯେଉଁ ଦୁର୍ଦ୍ଦଶାଗ୍ରସ୍ତ, ଧର୍ଷିତା, ଜୀବନ ମମତା ବିରାଗିଣୀ, ରକ୍ତମାଂସର ଚଳନ୍ତି ଆକୃତିଟିକୁ ସେ ବାଟରୁ ସାଉଁଟି ଆଣିଥିଲେ, ନିଜେ ନରକ ଆଡ଼କୁ ଆଗେଇ ଯାଇ କେଉଁ ହଜିଲା ମମତାର ସ୍ମୃତିର ଅବଶିଷ୍ଟ ଅମୃତ ଧାରାର ସଞ୍ଜୀବନୀ ସିଞ୍ଚି ସିଞ୍ଚି ସେହି ଆକୃତିଟାରେ ନୂତନ ଜୀବନ ସଂଚାର କରିଥିଲେ, ତା’ର ମାନଟା ପୋଡ଼ିଜଳି ଅଙ୍ଗାର ହୋଇଛି । ପିତାର ସ୍ନେହ, ପିତାର ଆଶୀର୍ବାଦ କ’ଣ ତା’ର ଦେହ ଓ ମନର କଳୁଷକୁ ଧୋଇଧାଇ ନିର୍ମଳ କରିଛି ବୋଲି ସେ ବିଶ୍ୱାସ କରନ୍ତି ?

ହୁଏତ ତାହାହିଁ ତାଙ୍କର ଧାରଣା । ସେଇଥିପାଇଁ ଗାୟତ୍ରୀକୁ ସେ ସୁନ୍ଦର ଅମଳିନ ଦେଖିବାକୁ ଚାହାନ୍ତି । ଗାୟତ୍ରୀର ସଂକୋଚହୀନ ସ୍ୱାଧୀନ ଚଳନକୁ ସେ ପସନ୍ଦ କରନ୍ତି, ଉତ୍ସାହିତ କରନ୍ତି । ଦେଖି, ବାକ୍ୟରେ ନହେଲେ ଢଙ୍ଗରେ ସନ୍ତୋଷ ପ୍ରକାଶ କରନ୍ତି ।

ନିଜର ଟିକିଏ ଯତ୍ନ, ହସ ଖୁସିରେ ନିରୀହ ନିର୍ଦ୍ଦୋଷ ଆଳାପ, ସ୍ୱାଧୀନ ଚଳନ, ଅନ୍ୟମାନଙ୍କ ମନରେ ଅନୁରାଗ ଜନ୍ମାଇଛି; ଏହା ଗାୟତ୍ରୀ ନିଜେ ଅନୁଭବ କରି ପାରିଛି । କାଲି ଯେଉଁମାନେ ତା’ର ଅଧା ବାୟାଣୀ ମଇଳା ରୂପ ଦେଖି ଆଡ଼େଇ ଯାଉଥିଲେ, ଆଡ଼ଆଖିରେ ଅନାଉଁ ନଥିଲେ, ଦୃଷ୍ଟିପଡ଼ିଲେ ନାକ ଟେକୁଥିଲେ, ଆଜି ସେମାନେ ପାଖେଇ ଆସୁଛନ୍ତି । କଣେଇଁ ଚାହୁଣୁ ସିଧାସଳଖ ମୁହଁକୁ ଚାହୁଁଛନ୍ତି । କଥାଭାଷା କରିବାକୁ ଡହଳବିକଳ ହେଉଛନ୍ତି । ପଦେ କଥା ଶୁଣିଲେ ହସହସ ହୋଇ ସମର୍ଥନ କରୁଛନ୍ତି । ସେଇ ଝିଅଟାତ ସେ, ଦେହ ଓ ରୂପର ପରିବର୍ତ୍ତନ ହୋଇ ନାହିଁ, କେବଳ ପିତାଙ୍କର ଆନନ୍ଦ ବର୍ଦ୍ଧନପାଇଁ ସେ ତା’ର ମନ ବଦଳାଇଛି । ନିଜକୁ ଅନ୍ୟର ଆଖିପାଇଁ ରୁଚିକର କରିଛି ।

ପାକିସ୍ଥାନର ମଦ୍ୟପ ନିର୍ମମ ଗୁଣ୍ତାଦଳ ଓ ଯେଉଁ ଭଦ୍ର ପୁରୁଷମାନେ ନିଜକୁ ନୀତିବାନ୍‌ ଓ ସହାନୁଭୂତିଶୀଳ ବୋଲି ଦେଖାଇ ହୁଅନ୍ତି, ସେମାନଙ୍କ ଭିତରେ ବିଶେଷ ପାର୍ଥକ୍ୟ ନାହିଁ । ଆକୃଷ୍ଟ କରୁଥିବା ତରୁଣୀକୁ ସେମାନେ ନିଜର କରିବାକୁ ଚାହାନ୍ତି । ଦୁଇଟା ଦେହକୁ ମିଶାଇ ଦେବାକୁ ସେମାନେ ହମହମ ଅସ୍ଥିର ହୁଅନ୍ତି । ସୁବିଧା ଓ ସୁଯୋଗର ଆଶାୟୀ ହୋଇ ଅପେକ୍ଷା କରି ରହନ୍ତି ।

ସ୍ୱୀକୃତି ମିଳିଲେ ଦୁନିଆରେ ହଇଚଇ ଉଠେ ନାହିଁ । ଦୁଇଟି ଜୀବନକୁ ଏକାଠି ଯୋଡ଼ି ସଂସାର କରିବାର ସର୍ତ୍ତରେ ମିଳନ ହେଲେ, ଅବା ମିଳନ ପରେ କର୍ତ୍ତବ୍ୟବୋଧ ଦୁଇ ଜୀବନକୁ ସ୍ୱାମୀ–ସ୍ତ୍ରୀରୂପେ ଛନ୍ଦି ଦେଲେ, ସେ ମିଳନ ହୁଏ ପବିତ୍ର, ବାଞ୍ଛନୀୟ, ସମସ୍ତଙ୍କର ଆନନ୍ଦ, ସମ୍ମାନ ଓ ସଫଳତାର ସଂଳାପର ଉତ୍ସ ।

ନର୍ସ କଲ୍ୟାଣୀ ଓ ଡାକ୍ତର ତରୁଣ ମୁଖାର୍ଜୀ !

 

ଏକାବନ

 

ଅମିୟର ଆଖିରେ ଗାୟତ୍ରୀ ଅନୁରାଗର ଆଲୋକ ଦେଖିଛି, ଆଜି ନୁହେଁ, ବହୁଦିନରୁ । ତା’ର ଚଳନରେ ପାଖେଇ ଆସିବାର ବିହ୍ୱଳତା ସେ କଳନା କରି ପାରିଛି । କଲ୍ୟାଣୀ ସବୁ ଲକ୍ଷ୍ୟ କରି ପାରିଛନ୍ତି । ସୁଖସ୍ୱପ୍ନରେ ବିଭୋର ହୋଇ ସାନ୍ନିଧ୍ୟର ସୁଯୋଗ ଦେଇଛନ୍ତି । ଉପହାସ ଛଳରେ ଦୁହିଁଙ୍କ ମନରେ ପ୍ରେମର ଅଙ୍କୁର ଜନ୍ମାଇ ନିଜର ଉଦାରତାର ଶୀତଳ ବାରି ସିଞ୍ଚି ସେହି ଅଙ୍କୁରକୁ ଲତାୟିତ କରିବାକୁ ସେ ବ୍ୟଗ୍ର ।

 

ସେ ଭାଗିଛନ୍ତି, ପଲ୍ଲବିତ ଲତା ଦୁଇଟି ଆପେଆପେ ବଢ଼ିବ । ପରସ୍ପରକୁ ଛନ୍ଦି ଏକାକାର ହେବ । ସେଇଠୁ ବାଜିବ ଶୁଭ ଶଙ୍ଖ । ଦିଓଟି ଜୀବନକୁ ଏକାଠି ଯୋଡ଼ିବାର ସୌଭାଗ୍ୟ ଲାଭ କରି ସେ ସୁଖୀ ହେବେ । ବାହାର ଦୁନିଆର ପ୍ରଶଂସା ଲାଭ କରିବେ । ଅଧମ ଚଣ୍ତାଳଙ୍କର କନ୍ୟାଦାୟରୁ ମୁକ୍ତିପାଇଁ ତାଙ୍କର କୃତଜ୍ଞତା ଅର୍ଜନ କରିବେ । ଗାୟତ୍ରୀ ଓ ଅମିୟ, ଦିଓଟି ବୟସ୍କ ଉତ୍ତେଜନା ଜରଜର ଝିଅ ପୁଅଙ୍କର ଆନୁଗତ୍ୟ ସେ ପାଇବେ ଆଜୀବନ । ଡାକ୍ତର ସ୍ୱାମୀ ତରୁଣ ମୁଖାର୍ଜୀଙ୍କର ବିସ୍ମିତ ଅନୁମୋଦନ ପାଇବେ ।

 

କଲ୍ୟାଣୀ ଜାଣନ୍ତି ନାହିଁ ଯେ ହସହସ ଗାୟତ୍ରୀ ତା’ର ଅଇଁଠା ଅପବିତ୍ର ଅଙ୍ଗକୁ ସ୍ୱାମୀତ୍ୱର ଚରଣ ତଳେ ଉପହାର ଦେବ ନାହିଁ କି ଆଜୀବନ ଅନ୍ତର ତଳେ ସେ ଭୟର ଇନ୍ଧନରେ ଅନୁତାପର ଅନଳ ଜଳାଇ ରଖିବ ନାହିଁ । ନାରୀ ଜାତିର ସେବା କରି ସେ ଆଜୀବନ ତା’ର ଆତ୍ମାର କଳୁଷ ଧୋଇଧାଇ ନିର୍ମଳ କରୁଥିବ । ସେତିକି ତା’ର ଜୀବନର ଉଦ୍ଦେଶ୍ୟ ।

 

ଆଗରେ ଉପବିଷ୍ଟ ସମବୟସ୍କ ଯୁବକଟିର ମନରେ ଅନୁରାଗର ସ୍ପର୍ଶ ଲାଗିଛି । ରୂପ–ଯୌବନର ସାନ୍ନିଧ୍ୟ ମନରେ ସେପରି ଦୁର୍ବଳତା ଆଣିବା ସ୍ୱାଭାବିକ ବୋଲି ତା’ର ଧାରଣା ଜନ୍ମିଛି ।

 

କାହିଁକି ତାଙ୍କୁ ଗୋଟିଏ ମରୀଚିକା ପଛରେ ଆହୁରି ଗୋଡ଼ାଇବାକୁ ଜାଣି ଜାଣି ସେ ଉତ୍ସାହିତ କରିବ ? ସୁବିଧା ସମୟ ମିଳିଛି । ମନ ଖୋଲି ସେ ପ୍ରକାଶ କରିବ, ବନ୍ଧୁତାକୁ ଆତ୍ମୀୟତା ବୋଲି ମଣନାହିଁ ଅମିୟବାବୁ, ମୁଁ ବିବାହ କରିବି ନାହିଁ କି ସଂସାରର ବନ୍ଧନରେ ବାନ୍ଧି ହେବି ନାହିଁ ବୋଲି ପଣ କରିଛି । ମୋର ନିଷ୍ପତ୍ତିର କାରଣ ଅନ୍ୟ ଆଗରେ ମୁଁ ପ୍ରକାଶ କରିବାକୁ ଚାହେଁ ନାହିଁ । ଆପଣ ବନ୍ଧୁ ହୋଇ ମୋ ପାଖକୁ ଆସନ୍ତୁ, ମୋ ସଙ୍ଗେ ସମ୍ପର୍କ ରଖନ୍ତୁ କି ଘନିଷ୍ଠତା ବଢ଼ାନ୍ତୁ, ମନରେ ବିକାର ରଖି ମୋ ପାଖକୁ କେବେ ଆସିବେ ନାହିଁ । ମୁଁ କାହାରି ହୋଇ ରହିବାକୁ ଚାହେଁ ନାହିଁ । କାହାରି ଅନୁରାଗ ଓ ଉତ୍ତେଜନାର ଉତ୍ତର ମୋ ପାଖରୁ କେହି ଆଶା କରିବେ ନାହିଁ । ମନ୍ଦିର ଗାତ୍ରରେ ଖୋଦିତ ନାରୀ ମୂର୍ତ୍ତିପରି ମୁଁ ଗୋଟିଏ ନାରୀ । ମୁଁ ପଥର । ମୁଁ ନିର୍ଜୀବ । ମୋତେ ଆତଯାତ କରୁଛି ଜଣକର ମମତା । ସେ ଜଣକ ମୋର ପିତା ଅଧମ ଚଣ୍ତାଳ ।

 

କୋଡ଼ରେ ଶୋଇଥିବା ଖୁକୀ ଉପରୁ ଦୃଷ୍ଟି ଟେକି ଗାୟତ୍ରୀ ଅମିୟକୁ ଚାହିଁଲା । ଅମିୟ ସହସା ସତେ କି ଅପ୍ରତିଭ ହେଲା । କ’ଣ ଗୋଟାଏ ଅନ୍ୟାୟ କି ଭୁଲ କଲା ପରି ସେ ଅସ୍ୱସ୍ତି ଅନୁଭବ କରୁଛି ସତେ, ଗାୟତ୍ରୀ ଏପରି ଅନୁମାନ କଲା । ସେ ନିଜେ ମଧ୍ୟ ଥରି ଉଠିଲା । ବାଆଁରେଇ ହୋଇ ଖୁକୀକୁ ଦୁଇ ହାତରେ ଧରି ଧୀରେ ଧୀରେ ଟେକି ତକ୍ତପୋଷ ଉପରେ ଶୁଆଇ ପିଠି ଥାପଡ଼ିଲା । ଖୁକୀ ଦୀର୍ଘଶ୍ୱାସ ଛାଡ଼ି କଡ଼ ଲେଉଟାଇଲା । ଗାୟତ୍ରୀ ଦୁଇ ଗୋଡ଼ ଟାଣି ଲୁଗା ସଜାଡ଼ି ପୁଣି ଗୋଡ଼ ତଳକୁ ଲମ୍ବାଇଲା । ଅମିୟ ଅପାଙ୍ଗ ଦୃଷ୍ଟିରେ ଚାହିଁ ରହିଥାଏ । ଗାୟତ୍ରୀ ବୁଝିଲା, ତା’ର ସାବଧାନତା ସତ୍ତ୍ୱେ ସେ ଗୋଟିଏ ମୋହିତ ଯୁବକର ମନରେ କାମନାର ଅନଳ ଲଗାଇଛି । କଲ୍ୟାଣୀ ଅପାଙ୍କର ମନକାମନା ଗୋଟିଏ ଦିଗରୁ ସଫଳ ହୋଇଛି ।

 

ସେ ସଂକଳ୍ପ କଲା, ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ଆଗରୁ ସେ ତା’ର ମନକଥା ଖୋଲି କହିବ ।

 

ସେ କହିଲା, ଅନ୍ୟମାନଙ୍କୁ ନିମନ୍ତ୍ରଣ କରି କଲ୍ୟାଣୀ ଅପା ତେଣେ ଆଟକି ଗଲେ ଅମିୟବାବୁ, ଡାକ୍ତର ସାହେବ ଫେରିଲେ ଭୋକରେ ଛଟପଟ ହେବେ । ଆପଣଙ୍କୁବି ଭୋକ କରୁଥିବ । ଦେଖନ୍ତୁ ପିଲାଟା ଶୋଇ ପଡ଼ିଲାଣି । ରାତି ଅଧିକ ହେଉଛି ।

 

ରିଷ୍ଟଓ୍ୱାଚ୍‍କୁ ଅନାଇଁ ଅମିୟ କହିଲା, ରାତି ଅଧିକ ହୋଇନାହିଁ, ଆଠଟା ବାଜିବ । ଆପଣ ମୋତେ ଦୁଇ ଥର ଚା’ ବିସ୍କୁଟ୍ ଦେଇ ସାରିଲେଣି, ଆଉ ମୋର ଭୋକ ନାହିଁ । ଚାରି ଦିନ ଛୁଟି ନେଇ ମାଲକାନଗିରି ଯିବି ବୋଲି ମୁଁ ଆଗରୁ କପୁର୍‌ ସାହେବଙ୍କୁ ଛୁଟିପାଇଁ ଅନୁରୋଧ କରିବାକୁ ଯାଇଥାନ୍ତି । ଅପା ନିଜେ ତାଙ୍କୁ ମୋପାଇଁ କହିବେ ବୋଲି କଥା ଦେଇଗଲେ । ବୋଧହୁଏ ସେ ସେଇଠି ଅଛନ୍ତି ।

 

କେଜାଣି, ଥରେ ପଦାକୁ ଗୋଡ଼ କାଢ଼ିଲେ ସେ ସମସ୍ତଙ୍କ ଘରେ ମୁହଁ ମାରି ଦେଇ ଆସିବେ । ସମସ୍ତେ ତାଙ୍କର ଆପଣାର ଲୋକ । ଖୁକୀ ମୋ ପାଖରେ ଖୁସିରେ ରହେ । ତେଣ ସେ ନିଶ୍ଚିତ ହୋଇ ବୁଲୁଛନ୍ତି । ଜହ୍ନ ତ ଉଠିଲାଣି, ସବୁ ଉଜ୍ଜ୍ୱଳ ଦିଶୁଛି, ସେ ଫେରୁଥିବେ ଯେ ।

 

ଆପଣଙ୍କର ଭାଉଜଙ୍କର କ’ଣ ହୋଇଛି ? ମା’ ଓ ଝିଅ ଦିଓଟି ସେ ଅପନ୍ତରାରେ ଅରଣ୍ୟ ଭିତର କ୍ୟାମ୍ପ୍‍ରେ ମାଲକାନଗିରିରେ ଅଛନ୍ତି ବୋଲି ଅପା ଦିନେ କହୁଥିଲେ । ସେମାନଙ୍କର ଖବର ଅନ୍ତର କିଏ ବୁଝୁଛି ?

 

ଅମିୟ ମୁହୂର୍ତ୍ତେ ନୀରବ ରହିଲା । କ’ଣ ଚିନ୍ତା କରି କହିଲା, ମୋର ଝିଆରୀ ଅମିତା ପତ୍ର ଲେଖିଛି ଯେ ଭାଉଜ ଦିନୁଦିନ ଦୁର୍ବଳ ହୋଇ ପଡ଼ୁଛନ୍ତି । କେତେ ଦିନ ହେଲା ଘରକାମ କରିବାକୁ ଅକ୍ଷମ ହୋଇଛନ୍ତି । ସବୁବେଳେ କ’ଣ ଭାବୁଛନ୍ତି । ମନର କଥା ମୁହଁରେ ପ୍ରକାଶ କରୁ ନାହାନ୍ତି । ତାଙ୍କୁ ଜର ହେଉଛି । ମୋ ପାଖକୁ ଏସବୁ ଖବର ଲେଖିବାକୁ ସେ ମନା କରିଥିଲେ । ଅମିତା ତାଙ୍କ ଅଜ୍ଞାତରେ ଲେଖିଛି ।

 

ନୂଆ ଜାଗାର ଜଳବାୟୁ ତାଙ୍କୁ ସୁହାଉ ନାହିଁ । ବଣ ପାହାଡ଼ ନଈ ନାଳର ଦେଶ ତ, ମେଲେରିଆ ଧରିଥିବ । ଅପା ଓ ତରୁଣବାବୁଙ୍କୁ ପଚାରି ଆପଣ ସଙ୍ଗରେ ଔଷଧ ନେଇ ଯିବେ । ମାଲକାନଗିରି କ୍ୟାମ୍ପ୍‍ରେ ଡାକ୍ତର ଥିବେ ତ ।

Unknown

 

ମାଲକାନଗିରି ହସ୍‌ପିଟାଲରେ ଡାକ୍ତର ଅଛନ୍ତି । କିନ୍ତୁ ଆମର କ୍ୟାମ୍ପ୍‍ ପାଖରୁ ସେ ସ୍ଥାନ ତିନି ଚାରି ମାଇଲ ଦୂର । ଆମ ପ୍ରୋଜେକ୍ଟ୍ ଡାକ୍ତର ଜୟପୁରରେ ଅଛନ୍ତି । ସାତ ଦିନରେ ଥରଟିଏ ସେ ମାଲକାନଗିରି କ୍ୟାମ୍ପ୍‍ ଦେଖିବାକୁ ଛଅଷଠୀ ମାଇଲ ଆସନ୍ତି । ରୋଗୀ ଦେଖି ସେହି ଦିନ ରାତିରେ ଜୟପୂର ଫେରନ୍ତି । ବାରବର୍ଷ ଭିତରେ କେତେ ବଣ ପାହାଡ଼ ଦେଶରେ ଅସ୍ୱାସ୍ଥ୍ୟକର ସ୍ଥାନମାନଙ୍କରେ ଆମର ରହଣି ହୋଇଛି । ଦେହ ଅସୁସ୍ଥ ହୋଇଛି ପୁଣି ଭଲ ହୋଇଛି । ମୁଁ ପାଖରେ ଥାଏ, ଅସୁବିଧା ହୁଏନାହିଁ ।

 

ଅମିୟ କହିବାକୁ ଲାଗିଲା, ଭାଉଜଙ୍କର ସ୍ୱାସ୍ଥ୍ୟ ଭଲ । ସବୁବେଳେ କାମ କରନ୍ତି । କ’ଣ ହୋଇଛି କେଜାଣି, ସେ ଅସୁସ୍ଥ ହୋଇ ପଡ଼ିଛନ୍ତି । ତାଙ୍କର ଯତ୍ନ ନେବାକୁ ପିଲାଟା ବ୍ୟତୀତ ଆଉ କେହି ନାହିଁ । କ୍ୟାମ୍ପ୍‍ର ଯେଉଁମାନଙ୍କ ସଙ୍ଗେ ଘନିଷ୍ଠତା ଅଛି, କେବେ କେବେ ସେମାନେ ଆସି ଖବର ବୁଝୁଥିବେ । ଭାଉଜ ତାଙ୍କର ନିଜର ଦେହ ସମ୍ୱନ୍ଧରେ ଅନ୍ୟକୁ କିଛି ଜାଣିବାକୁ ଦିଅନ୍ତି ନାହିଁ-

 

ଗାୟତ୍ରୀ କହିଲା, ସେ କାଳର ଘରଣୀମାନଙ୍କର ପ୍ରକୃତି ସେମିତି ଅମିୟବାବୁ, ଘରର ସମସ୍ତଙ୍କ ପାଇଁ ସେମାନେ ଦିନରାତି ପରିଶ୍ରମ କରନ୍ତି, ସମସ୍ତଙ୍କର ଖବର ବୁଝନ୍ତି, ନିଜ ଖବର ବୁଝିବାକୁ ତାଙ୍କର ମନେ ପଡ଼େ ନାହିଁ କି ବେଳ ହୁଏ ନାହିଁ । ଶ୍ୱଶୁର ଶାଶୁ ସ୍ୱାମୀ ଦେବର ପୁତ୍ର କନ୍ୟା ଓ କୁଟୁମ୍ବର ଅନ୍ୟ ଆତ୍ମୀୟମାନଙ୍କର ସ୍ୱାଚ୍ଛନ୍ଦ୍ୟପାଇଁ ସେମାନଙ୍କର ମନ ସବୁବେଳେ ଛଟପଟ ହେଉଥାଏ । ଆମର କର୍ତ୍ତବ୍ୟ ସେମାନଙ୍କର ସ୍ୱାସ୍ଥ୍ୟର ଖବର ବୁଝିବା ।

 

ଅମିୟ କହିଲା, ପିଲାଟା ଅମିତା, ସେ କି ଖବର ବୁଝିବ ? ମୋର ଜଣେ ବନ୍ଧୁ ସୁରେନ୍‌ ହାଉଲ୍‌ଦାର । ସେ ଆମ କ୍ୟାମ୍ପ୍‍ର ସ୍କୁଲ୍‍–ଶିକ୍ଷକ । ତାଆରି ଉପରେ ଆମର ଛୋଟ କୁଟୁମ୍ବର ଦାୟିତ୍ୱ ମୁଁ ଦେଇ ଆସିଥିଲି । ଆଗ ପତ୍ରରେ ଭାଉଜ ଲେଖିଥିଲେ ଯେ ସୁରେନ୍ ଆମ ଘରକୁ ଯାଇ ହାଲ୍‌ଚାଲ୍‌ ବୁଝୁଛି । ଅମିତା ଲେଖିଥିଲା ସୁରେନ୍‌ ହସ୍‌ପିଟାଲରୁ ଔଷଧ ଆଣି ଦେଇଥିଲା । ଭାଉଜ ଦୁଇ ଚାରି ପାନ ଖାଇ ଆଉ ଖାଇଲେ ନାହିଁ । କହିଲେ, ସେ ଭଲ ହୋଇ ଗଲେଣି, ଆଉ ଔଷଧ ଲୋଡ଼ା ନାହିଁ ।

 

ଗାୟତ୍ରୀ ବଲବଲ କରି ଅମିୟର ମୁହଁକୁ ଚାହିଁ ରହିଲା । ଛାତି ଭିତରେ କ’ଣ ଯେପରି ଓଲଟିବାକୁ ଲାଗିଲା । ଅତୀତର କେଉଁ ମଧୁର ଓ ଦୁଃଖଦାୟକ ସ୍ମୃତି ମରମର ଅବରୁଦ୍ଧ ମମତା ଦ୍ୱାରରେ କରାଘାତ କଲା ।

 

ସୁରେନ୍‌ ହାଉଲ୍‌ଦାର–କିଏ ସେ ? ପ୍ରଶ୍ନଟି ପଚାରିବାକୁ ସାହସ ହେଲା ନାହିଁ । ଅମିୟ ଆଉ କ’ଣ କହିବ ଶୁଣିବାକୁ ସେ ଉଦ୍‌ବିଗ୍ନ ଓ ଉତ୍କର୍ଣ୍ଣ ହୋଇ ଅନାଇଁ ରହିଲା ।

 

ଅମିୟ କହିବାକୁ ଲାଗିଲା, ମୋ ଭାଉଜଙ୍କର ହିମାଳୟ ପରି ଧୈର୍ଯ୍ୟ ଟଳମଟଳ ହେଲାଣି । ତିନିବର୍ଷର ଝିଅ ଅମିତାକୁ ବଢ଼ାଇ ବଡ଼ କରିବାକୁ ଓ ମୋତେ ମଣିଷ କରିବାକୁ ତାଙ୍କର ସବୁ ଦୁଃଖକୁ ଅନ୍ତର ତଳେ ଘୋଡ଼ାଇ ସେ ବାରବର୍ଷ କାଳ ଆତଯାତ ହୋଇଛନ୍ତି । ଭାଇ ଫେରିବେ ଅବା ତାଙ୍କର ଖବର ଶୀଘ୍ର ମିଳିବ ଏହି ସମ୍ଭାବନା ତାଙ୍କୁ ତାଙ୍କର ସାମାଜିକ କର୍ତ୍ତବ୍ୟ ବାଟରେ ଆଗେଇ ନେଇ ଆସିଲା ।

 

ଭାଇ ଫେରିଲେ ନାହିଁ । ତାଙ୍କର ଖବର ଅନ୍ତର କିଛି ମିଳିଲା ନାହିଁ । ଦାୟିତ୍ୱହୀନ ପରଝରସରୀ ଈର୍ଷାପରାୟଣା ମାଇପେ ତାଙ୍କ ମନର ଶାନ୍ତି ଓ ଆଶାକୁ ଦୋହଲାଇ ନିଜେ ଆମୋଦିତ ହେବାକୁ ନାନାପ୍ରକାର ଭୟଙ୍କର ଅଶୁଭ ଖବରର ଚିତ୍ର ଆଣି ତାଙ୍କ ଆଖି ଆଗରେ ଥୋଇଲେ । ଠାକୁର ସେବା ଓ କୁଟୁମ୍ବର ସେବାରେ ସେ ନିଜକୁ ନିୟୋଜିତ ରଖି ଦୁଶ୍ଚିନ୍ତାକୁ ଦୂରେଇ ଦେବାକୁ ଚେଷ୍ଟା କରୁଥିଲେ । ତାଙ୍କର ଧୈର୍ଯ୍ୟ ଦୋହଲିଛି । ମୁଁ ଭାବୁଛି, ତାଙ୍କର ରୋଗ ମାନସିକ ।

 

ଗାୟତ୍ରୀ କହିଲା, ଆପଣଙ୍କର ଅନୁମାନ ଯଥାର୍ଥ ହୋଇପାରେ ଅମିୟବାବୁ, ପ୍ରଳୟ ଅପେକ୍ଷା ଖଣ୍ତ–ପ୍ରଳୟ ଅଧିକ ଭୟଙ୍କର । ପୂର୍ବପାକିସ୍ଥାନରେ ଊଣେଇଶ ସତଚାଳିଶରୁ ଅଦ୍ୟାବଧି ବେଳେବେଳେ ଯେଉଁ ଅମାନୁଷିତ ଅତ୍ୟାଚାର ହିନ୍ଦୁଙ୍କ ଉପରେ ହେଉଛି, ସେ ସବୁ ଖଣ୍ତ–ପ୍ରଳୟଠାରୁ ଅଧିକ ଭୀଷଣ । ଯେଉଁମାନେ ଧନ ସମ୍ପତ୍ତି, ମାନସମ୍ଭ୍ରମ, ଆତ୍ମୀୟସ୍ୱଜନକୁ ହରାଇ ପଳାଇ ଆସିଲେ କି ପଳାଇ ଆସୁଛନ୍ତି, ସେମାନଙ୍କର ଦୁଃଖଦୁର୍ଦ୍ଦଶାର ଛାତି–କରତିଲା କାହାଣୀ ବର୍ଣ୍ଣି ହେବ ନାହିଁ । ଯେଉଁମାନେ ଜନ୍ମ ମାଟିର ମମତା ଛାଡ଼ି ନ ପାରି ମାଟି କାମୁଡ଼ି ପଡ଼ି ରହିଛନ୍ତି, ସେମାନଙ୍କର ଦୁର୍ଦ୍ଦଶା ମଧ୍ୟ କମ୍‌ ନୁହେଁ । କେତେବେଳେ ବିପଦ ଆସିବ ସେହି ଡର ସବୁବେଳେ ତାଙ୍କର ମନକୁ ଅସ୍ଥିର କରୁଥିବ । ଜୀବନରେ ଶାନ୍ତି ନଥିବ । ଚଳନରେ ନିଶ୍ଚିନ୍ତ ଭାବ ନଥିବ ।

ଗାୟତ୍ରୀର ଆଖି ଛଳଛଳ ହୋଇ ଆସିଲା ।

ଅମିୟ ଭାବିଲା, କେଉଁ ଅବ୍ୟକ୍ତ ଘଟନାବଳିର ସ୍ମୃତି ଝିଅଟିର ଛାତିତଳେ କୁହୁଳି ଉଠିଲା-। ପଚାରି ହେବ ନାହିଁ । ସାନ୍ତ୍ୱନା ଦେଇ ହେବ ନାହିଁ । ସେ କହିଲା, ଅତୀତ ଘଟଣାକୁ ଭୁଲି ଯିବାକୁ ଚେଷ୍ଟା କଲେ ସେ ଚେଷ୍ଟା ବିଫଳ ହେଉଛି । ଯେଉଁମାନେ ଆତ୍ମୀୟସ୍ୱଜନଙ୍କର ମରଣ ଆଖିରେ ଦେଖିଛନ୍ତି ସେମାନେ ଆଖିରୁ ଲୁହ ପୋଛି ନୂଆ ଜୀବନର ବାଟରେ, ଯେଡ଼େ କଷ୍ଟଦାୟକ ହେଉ ପଛେ ସେ ବାଟ, ଆଗେଇ ଯିବେ ନିଶ୍ଚିନ୍ତରେ, ଭବିଷ୍ୟତ ସୁଖର ଆଶାରେ କିନ୍ତୁ ଗାୟତ୍ରୀ ଦେବୀ, ଯେଉଁମାନଙ୍କର ଅତି ପ୍ରିୟ ସ୍ୱଜନମାନେ କେଉଠିଁ ହଜି ଯାଇଛନ୍ତି ଅବା ଧର୍ମ ବଦଳାଇ ପାକିସ୍ଥାନରେ ମୁସଲମାନ ହୋଇ ଚଳୁଛନ୍ତି, ସେମାନେ ଏ ଦେଶରେ ଯେତେ ସୁବିଧାରେ ରହିଲେ ମଧ୍ୟ ନିଶ୍ଚିନ୍ତ ହୋଇପାରୁ ନାହାନ୍ତି । ହଜିଲା ସ୍ୱଜନଙ୍କର ସ୍ମୃତି ସବୁବେଳେ ପଛରୁ ଗୋଡ଼ ଟାଣୁଛି-। ସେହିପରି ଅବସ୍ଥା ହୋଇଛି ଆମର କୁଟୁମ୍ୱରେ । ମୋର ବନ୍ଧୁ ସୁରେନ୍ଦ୍ରର କୁଟୁମ୍ବ ଅବିକଳ ଆମରି ପରି ଦୁଃଖୀ ।

ରହିରହିକା ଅଳପ ଥରିଲା ସ୍ୱରରେ ଗାୟତ୍ରୀ ପଚାରିଲା, କ’ଣ ହୋଇଛି ସେମାନଙ୍କର-? ଅମିୟବାବୁ, ବାରବର୍ଷ କ୍ୟାମ୍ପ୍‍ ଜୀବନ କଟାଇ ଆପଣ ନିଶ୍ଚୟ ବୁଝି ପାରିଥିବେ ଯେ ପାକିସ୍ଥାନରୁ ଚାଲି ଆସିଥିବା ଲୋକଙ୍କ ମଧ୍ୟରେ କେତେ ଅଛନ୍ତି ଯେଉଁମାନଙ୍କର ଜୀବନ ଚରିତ୍ର ଅତି ରହସ୍ୟମୟ । ସେମାନେ କୌଣସି କାରଣପାଇଁ ନିଜର ସ୍ୱରୂପକୁ ଲୁଚାଇ ରଖିଛନ୍ତି । ଅନ୍ୟ ନାମରେ ନିଜକୁ ପରିଚିତ କରାଉଛନ୍ତି । ଲୋମଟାଙ୍କୁରା ମନଗଢ଼ା ଗଳ୍ପ ନିଜ ସମ୍ବନ୍ଧରେ ଗଢ଼ି ପ୍ରଚାର କରୁଛନ୍ତି । ଆପଣଙ୍କର ବନ୍ଧୁଙ୍କର ଗଳ୍ପ ସତ୍ୟବି ହୋଇପାରେ, ମନଗଢ଼ାବି ହୋଇପାରେ-

ଗାୟତ୍ରୀର କଥା ଅମିୟର ଛପିଲା ନିଜତ୍ୱକୁ ଆଘାତ କଲା । ସେ ସାମାନ୍ୟ ବିଚଳିତ ହୋଇ ଏଣେତେଣେ ଦୃଷ୍ଟି ବୁଲେଇଲା । ଗାୟତ୍ରୀର ଗମ୍ଭୀର ପ୍ରଶ୍ନିଳ ମୁଖରେ ଦୃଷ୍ଟି ନିର୍ବନ୍ଧ କଲା । ବୁଝିବାକୁ ଚେଷ୍ଟା କଲା, କଥାର ସୁଅରେ ଭାସିଯାଇ ଝିଅଟି ତା’ର ଜଣାଶୁଣା କେଉଁମାନଙ୍କର ଜୀବନକୁ ଉପଲକ୍ଷ ଦେଇ ଆତ୍ମ–ଗୋପନ ଘଟଣା ବିଷୟ ଉଠାଇଛି କି କେଜାଣି କିପରି ଅମିୟର ପ୍ରକୃତସ୍ୱରୂପ ଜାଣିପାରି ପ୍ରକାରାନ୍ତରରେ ତାହା ତାକୁ ଜଣାଇଁ ଦେଉଛି ।

ତା’ର ଭଙ୍ଗୀରୁ ସେ କିଛି ଠଉରାଇ ପାରିଲା ନାହିଁ । ଅବୋଧ୍ୟ ତ ମଣିଷ ଜାତିର ଜଣ ଜଣ କରି ସମସ୍ତେ, ପୁଣି ଅତି ଅବୋଧ୍ୟ ଯେ ନାରୀ । କହନ୍ତି, ମୁହଁର ଢଙ୍ଗ ସୂଚାଇ ଦିଏ ମନର ରଙ୍ଗ । ସତ ହୋଇଥିବ, ମୁହଁର ଢଙ୍ଗରୁ ପାଞ୍ଚ ମନ ପଚିଶ ପ୍ରକୃତିର କେଉଁ ଆଶୁ ପ୍ରକ୍ରିୟାର ସ୍ୱରୂପ ଅଭିଜ୍ଞ ସିହାଣିଆ ମଣିଷ ଉଠରାଇ ପାରୁଥିବ, କିନ୍ତୁ ସେ ପ୍ରକ୍ରିୟା କେଉଁ ଘଟିଲା ଘଟଣାର ପ୍ରକାଶ ଅବା କେଉଁ ଘଟିବ ଘଟଣା ଆଶାର ଉନ୍ମେଷ, ଅସମ୍ପୃକ୍ତ ଲୋକ ଜାଣିବ କିପରି ? ହୁଏତ ଗାୟତ୍ରୀହିଁ ଆତ୍ମଗୋପନକାରୀ ଆଉ କିଏ !

ଗାୟତ୍ରୀ ପଚାରିଲା, ତୁନି ରହିଲେ କାହିଁକି ?

ଅମିୟ ଖରଶ୍ୱାସ ଛାଡ଼ି କହିଲା, କ’ଣ ହୋଇଛି ସେମାନଙ୍କର, ତୁଣ୍ତ ଖୋଲି ପ୍ରକାଶ କରିବାକୁବି କଷ୍ଟ ହୁଏ । ସେମାନେ କେହି ଆତ୍ମଗୋପନକାରୀ ନୁହନ୍ତି ଗାୟତ୍ରୀ ଦେବୀ, ସେମାନେ ସରଳ ମଣିଷ । ନିର୍ଯାତନା ସହି ସ୍ୱଜନଙ୍କୁ ହରାଇ କେବଳ ଜୀବନ ଧରି ପାକିସ୍ଥାନରୁ ପଳାଇ ଆସିଛନ୍ତି । ମୋର ପ୍ରିୟ ବନ୍ଧୁ ସୁରେନ୍‌ ହାଉଲ୍‌ଦାର୍‌ଙ୍କର ବୃଦ୍ଧ ପିତା ଗୋପାଳ ହାଉଲ୍‌ଦାର୍‌ ପାକିସ୍ଥାନରେ ଦିଓଟି ପୁତ୍ର ଓ ଗୋଟିଏ କନ୍ୟାକୁ ହରାଇଛନ୍ତି । ବଞ୍ଚି ରହିଥିଲା କେବଳ ସାନମଝିଆଁ ପୁଅଟି ସୁରେନ୍ଦ୍ର । ଗୋପାଳଙ୍କର ବଡ଼ ପୁଅ ନଗେନ୍ଦ୍ର ମୁସଲମାନ ହୋଇଛି । ପିଲା କୁଟୁମ୍ବ ଧରି ସେ ପୂର୍ବ–ବଙ୍ଗରେ ରହିଛି । ମଝିଆଁ ପୁଅ ବୀରେନ୍ଦ୍ର ତା’ର ବାରବର୍ଷର ସାନ ଭଉଣୀକୁ ଗୁଣ୍ତାମାନଙ୍କ ହାତରୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେଲା, ଜୀବନ ଦେଲା । ବଞ୍ଚି ରହିଥିଲା ଚଉଦ ପନ୍ଦରବର୍ଷର ସାନ ପୁଅ ସୁରେନ୍ଦ୍ର, ମୋର ବନ୍ଧୁ ।

ମାଆ– ?

ଥରି ଉଠିଲା ଗାୟତ୍ରୀର ସ୍ୱର । ଅବାଧ୍ୟ ଲୋତକ ଦୁଇ ଆଖିରୁ ଝରି ଆସିଲା ।

ଅମିୟ କହିଲା, ସେମାନଙ୍କର ଜୀବନର କରୁଣ କାହାଣୀ ଶୁଣିଲେ ଆପଣମାନଙ୍କ ପରି କୋମଳମନା ନାରୀ ଧୈର୍ଯ୍ୟ ଧରି ପାରିବେ ନାହିଁ । ମୋର ଭାଉଜ ବୁଢ଼ା ଗୋପାଳବାବୁଙ୍କର ତୁଣ୍ତରୁ ଯେଉଁଦିନ ସବୁ ଘଟଣା ଶୁଣିଲେ, ଅଧା ବାଇଆଣୀ ପରି ଅସ୍ଥିର ହେଲେ । ଆଖିର ଲୁହ ଅଟକାଇ ପାରିଲେ ନାହିଁ । କିନ୍ତୁ ସୁରେନ୍‌ର ମା’, ଅସୀମ ତାଙ୍କର ଧୈର୍ଯ୍ୟ, ଅଟଳ ତାଙ୍କର ଧର୍ମବିଶ୍ୱାସ, ସବୁ ଦୁଃଖକୁ ସେ ତାଙ୍କର ବିଶ୍ୱାସର ଦେବାଦେବୀଙ୍କର ଗୋଡ଼ତଳକୁ ଫୋପାଡ଼ି ଦେଇ ନିଶ୍ଚିନ୍ତ ଅଛନ୍ତି ।

 

ଅବ୍ୟକ୍ତ କେଉଁ ବେଦନାର ଚଳନ୍ତି ଧୂସର ବାଦଲ ଗାୟତ୍ରୀର ସୁନ୍ଦର ନିର୍ମଳ ମୁଖମଣ୍ତଳକୁ ଆଚ୍ଛାଦନ କଲା । ସେ ଥରଥର ନିଃଶ୍ୱାସ ଛାଡ଼ିଲା । ଆଖିର ଲୋତକ ଧାରକୁ ଲୁଚାଇ ଦେବାକୁ ସେ ପଦାକୁ ଚାହିଁଲା । ଧୀରେ ଧୀରେ ହାତ ଟେକି ଲୋତକ ପୋଛିଲା । ମୁହଁ ବୁଲାଇ କହିଲା, ଆହା ହତଭାଗିନୀ ମା’, ଯେଉଁ ସନ୍ତାନଗୁଡ଼ିଙ୍କୁ ସେ ହରାଇ ବସିଛନ୍ତି, ତାଙ୍କର ଦେବତାମାନେ ସେମାନଙ୍କୁ ଫେରାଇ ଦେବେନାହିଁ । ଦେବତାମାନେ ଆରଜନ୍ମର କର୍ମଫଳ ତାଙ୍କୁ ଭୋଗାଉଛନ୍ତି ଏହି ବିଶ୍ୱାସରେ ସବୁ ସେ ଭୁଲିଯିବାକୁ ଚେଷ୍ଟା କରୁଛନ୍ତି । ସେହି ବିଶ୍ୱାସ ତାଙ୍କ ମନରେ ଶାନ୍ତି ଆଣୁଛି । ତେଣୁ ତାଙ୍କର ନିଶ୍ଚିନ୍ତ ଭାବ ବାହାରକୁ ପ୍ରକାଶ ପାଉଛି । ଯେଉଁ ଘଟନାବଳି ଆଉ ଫେରାଇ ଆଣି ନୂଆ କରି ଗଢ଼ି ହେବନାହିଁ, ସେଥିପାଇଁ ଅନୁଶୋଚନା ନ କରିବାକୁ ତାଙ୍କର ଚେଷ୍ଟା ଅମିୟବାବୁ, ସେ ଚେଷ୍ଟା ହୃଦୟକୁ ରାମ୍ପି ବିଦାରି ଲହୁଲୁହାଣ କରେ । ଦଦରା ମନକୁ ଦୋହଲାଇ ତା’ର ଦମ୍ଭପଣକୁ ଆହୁରି ହୁଗୁଳା କରେ ।

 

ଅମିୟ କହିଲା, ତନୁଜା ଦେବୀ ବିଶ୍ୱାସ କରନ୍ତି ଯେ ଯେଉଁ ଦେବତାମାନେ ପୂର୍ବଜନ୍ମର କେଉଁ ପାପ ଫଳରୁ ଅନାହୂତ ବିପତ୍ତିର ଝଡ଼–ଝଞ୍ଜା ବୁହାଇଲେ, ସେହିମାନେ ପୁଣି କରୁଣା କରିବେ । ନଗେନ୍ଦ୍ର ଫେରି ଆସିବ, ଫେରି ଆସିବ ତାଙ୍କ ସ୍ନେହର କୁମାରୀ ଗିରିଜା, ଏ ଆଶା ତାଙ୍କର ଅଛି ।

 

ଉଚ୍ଚ ସ୍ୱରରେ ହସି ଉଠିଲା ଗାୟତ୍ରୀ । ତା’ର ପ୍ରକୃତି ବିରୁଦ୍ଧ । ମୁଣ୍ତ ଦୋହଲାଇ, କେଶ–ବାସର ସଂଯମ ବିସ୍ମରି ଝରିଲା ଆଖି ଓ ହସିଲା ମୁହଁରେ କହିଲା, ସ୍ନେହମୟୀ ମାତା ପାଗଳ ହୋଇଛନ୍ତି ଅମିୟବାବୁ, ଦେବତାମାନଙ୍କ ଉପରେ ତାଙ୍କର ପ୍ରଗାଢ଼ ବିଶ୍ୱାସ ତାଙ୍କୁ ପାଗଳ କରିଛି । ତାଙ୍କର ବୀର ପୁତ୍ର ବୀରେନ୍ଦ୍ର ପରି ନଷ୍ଟ ପୁତ୍ର ନଗେନ୍ଦ୍ର ଓ ସାହାହୀନା ହଜିଲା କନ୍ୟା ଗିରିଜାଙ୍କୁ କୌଣସି ଦେବତା ଆଉ ତାଙ୍କୁ ଫେରାଇ ଦେବେ ନାହିଁ ।

 

ଅମିୟ ଚମକି ଚାହିଁଲା ଝଟକିଲା ବିଜୁଳିଲତା ଗାୟତ୍ରୀର ତାରୁଣ୍ୟ ତଳତଳ ଭରପୂର ଦେହ ଓ ମୁହଁକୁ । ତା’ର ମନେ ହେଲା ସତେ ଯେପରି ଏହି ମୂର୍ତ୍ତିଟିକୁ ସେ କେଉଁଠି ଦେଖିଛି,–ଧୋବଲା ଦେହ, ଗୋଲିଆ ମୁହଁ, ପୂରିଲା ଗାଲ, ଛୋଟିଆ ନାକ, ଧନୁଆ ଭୂରୁ, ନେଳିଆ ଡୋଳା ହଁ, ଦେଖିଲା ପରି ମନେ ହେଉଛି ତ ।

 

କେଉଁଠି ?

 

ଗୋପାଳ ହାଉଲ୍‌ଦାରଙ୍କର ତୁଣ୍ତର ବ୍ୟଥିତ କଥାରେ ? ତନୁଜା ଦେବୀଙ୍କର ମୁହଁର ଗଠଣ ଓ ଢଙ୍ଗରେ ? ସେଇଥିପାଇଁ ସେମାନଙ୍କ ସମ୍ବନ୍ଧରେ ଶୁଣି ଗାୟତ୍ରୀର କଠୋର ଗୋପନପଣର ମୂଳଦୁଆ ଥରି ଉଠିଲା । ଧୈର୍ଯ୍ୟ ଓ ସଂଯମର ଦୃଢ଼ ଗ୍ରନ୍ଥିକ୍ଷଣକ ପାଇଁ ହୁଗୁଳି ଆସିଲା ? ରଙ୍ଗମଞ୍ଚରେ ଅଭିନୟ କରୁଣୁ ରାଜକନ୍ୟାର ନକଲି ସୁନା ମୁକୁଟ ପଛକୁ ଓହଳି ଦେଖାଇ ଦେଲା, ଜଣାଇଁ ଦେଲା ମୁହୂର୍ତ୍ତକ ପାଇଁ ଯେ ସେ ଗୋପାଳ ହାଉଲ୍‌ଦାରଙ୍କର ହଜିଲା ଦୁହିତା ଗିରିଜା ?

 

ଖୁକୀ ଭିଡ଼ିମୋଡ଼ି ହୋଇ ଉଠି ବସିଲା । ବଲବଲ କରି ଏଣେତେଣେ ଚାହିଁ ଆଖିରେ ଖୋଜିଲା ତା’ର ମାଆକୁ ।

 

ଉତ୍ତେଜନାକୁ ମୁହୂର୍ତ୍ତକରେ ଆୟତ୍ତ କରି ଗାୟତ୍ରୀ ନିଜକୁ ସଜାଡ଼ିଲା । ଖୁକୀକୁ କୋଳକୁ ଟାଣି ନେଲା । ସ୍ୱାଭାବିକ ସ୍ୱରରେ ଗେହ୍ଲେଇ ପଚାରିଲା, ନିଦ ଭାଙ୍ଗିଲା କି ଖୁକୀ, ମାଆଙ୍କୁ ଖୋଜୁଛୁ-? ସେ ଆସୁଥିବେ ଯେ, ଆ ଦେଖିବା ।

 

ଗାୟତ୍ରୀ ଖୁକୀକୁ ଛାତିରେ ଧରି ବାରଣ୍ତାକୁ ପାଦ ବଢ଼ାଉଣୁ ଦେଖିଲା ଜହ୍ନ ଆଲୁଅରେ, କଲ୍ୟାଣୀ ଆସି ଘର ଆଗରେ ହେଲେଣି । ସଙ୍ଗରେ ପିଲାଟିଏବି ଆସୁଛି । କଲ୍ୟାଣୀ ପିଲାଟି ଆଡ଼କୁ ମୁହଁ ବୁଲାଇ କହିଲେ, ତୁ ଏଥର ଫେରିଯାଆ ।

 

ପିଣ୍ତା ଉପରକୁ ଉଠି ଖୁକୀକୁ ଗାୟତ୍ରୀର ଛାତିରୁ ନେଲେ । ଘର ଭିତରେ ଅମିୟକୁ ଠିଆ ହୋଇଥିବାର ଦେଖି କହିଲେ, ଟିକିଏ ଡେରି ହୋଇଗଲା ଅମିୟ, କପୁର୍‌ବାବୁଙ୍କୁ ଅପେକ୍ଷା କରି ରହିଲି । ଯାହାହେଉ, ତୁମର କାମ ହୋଇଗଲା । ଚାରି ଦିନ ଛୁଟିପାଇଁ ଦରଖାସ୍ତ ଲେଖି ସକାଳେ ତାଙ୍କୁ ଦେବ । ସକାଳ ବସ୍‌ରେ ମାଲକାନଗିରି ଯିବ । ହେଲା ତ, ଏବେ ଆସ ଆମ ଘରକୁ । ପୁରି, ଆଳୁଦମ୍‌, ମାଛ ତରକାରୀ କରିବାକୁ ଆମୁକୁ ବେଶି ବେଳ ଲାଗିବ ନାହିଁ । ବିଧାନ ନିଶ୍ଚୟ ହରଡ଼ ଡାଲି କରିସାରିଥିବ । ତୁମେ କ’ଣ ଭାତ ଖାଇବାକୁ ଭଲପାଅ ? ଭାତ ମୁଠିଏବି ସଙ୍ଗେ ସଙ୍ଗେ ହୋଇଯିବ ଯେ ।

 

ଅମିୟ ପଦାକୁ ଆସି କହିଲା, କାହିଁରେ ମୋର ଆପତ୍ତି ନାହିଁ । ମାଛ ଝୋଳର ନାମ ଶୁଣି ମୋ ଜିଭରୁ ଲାଳ ବୋହିଲାଣି । ଅପା, ମୋତେ ଅନୁମତି ଦେଲେ ମୁଁ ରାସ୍ତାଆଡ଼ୁ ଟିକିଏ ବୁଲି ଆସିବି । ଡେରି କରିବି ନାହିଁ ।

 

କଲ୍ୟାଣୀ କହିଲେ, ଯାଅ ତେବେ, ବସି ବସି କ୍ଳାନ୍ତ ହୋଇ ପଡ଼ିବଣି । ମୁଁ ଜାଣେ ପରା, ଏଇ ଗାୟତ୍ରୀ ଝିଅଟା ଗୋଟିଏ ଚିତ୍ରକରା (…..) କଣ୍ଢେଇ । ସେ ଗପି ଜାଣେ ନାହିଁ କି ଗପାଇ ଜାଣେ ନାହିଁ । ହସି ଜାଣେ ନାହିଁ କି ସହାଇ ଜାଣେ ନାହିଁ ।

 

ଗାୟତ୍ରୀ କହିଲା, ଗୋଡ଼େ ଗୋଡ଼େ ଆସୁଛି କହି ଏତେ ଡେରି ତ କଲ ଅପା, ଖୁକୀ ମୋ କୋଳରେ ଖେଳୁ ଖେଳୁ ଶୋଇ ପଡ଼ିଲା । ଗପ ଓ (…..) ଅବଲମ୍ବନତ ଘୁଙ୍ଗୁଡ଼ି ମାରିଲା, ଆଉ କରନ୍ତି କ’ଣ ?

 

ଠିକ୍‌ ହେଲା ତେବେ । ଚିତ୍ର ପ୍ରତିମା ପରି ଦିହେଁ ଦୁହିଁଙ୍କ ମୁହଁକୁ ଖାଲି ସ୍ଥିର ଦୃଷ୍ଟିରେ ଚାହିଁ ବସିଥିଲ, ତୁଣ୍ତ ଖୋଲୁ ନଥିଲ । ଆଖି ଓ ଆଖିର କଥାଭାଷା ହେଉଥିଲା । ସଂସାର ପାତିବାକୁ ଯାହା ଲୋଡ଼ା ତା’ର ପୂର୍ବାଭାଷ ପରା ଚାରି ଚକ୍ଷୁର ମିଳନ । ହେଇଟି, ଅମିୟବାବୁ ଚାଲି ଯାଉଣୁ ଗୋଡ଼ି ଖଣ୍ତେ ଝୁଣ୍ଟି ଟଳମଳ ହୋଇ ଆଗେଇ ଯାଉଛନ୍ତି । ଦୁଇ ଆଡ଼ର ଚାହାଣି ତାଙ୍କ ଗୋଡ଼ ଛନ୍ଦି ପଛରୁ ଟାଣୁଛି ।

 

ଗାୟତ୍ରୀ କହିଲା, ଛି, ଏପରି କ’ଣ କହୁଛ ଅପା, ତୁମେ ଜାଣ ମୁଁ ଗୋଟାଏ ଚିତ୍ରକରା ମାଟି କଣ୍ଢେଇ । ସତରେ ମୁଁ ସେଇଆ । ଚାଲ ଏଥର ।

 

ବାଉନ

 

ନିଜ ହାତରେ ଲଙ୍ଗଳ ଧରି ବଳଦ ଅଡ଼େଇ ବିଜନ ବୋଷ କେବେ ଚାଷ କରି ନଥିଲେ-। ପୂର୍ବ–ବଙ୍ଗରେ ପଚାଶ ବିଘାରୁ ଅଧିକ ଅଉଲ ନମ୍ୱର ଜମି ତାଙ୍କର ଥିଲା । ସେ ସବୁ ଜମିକୁ ମୁସଲମାନ ଭାଗଚାଷୀମାନେ ଚାଷ କରି ଧାନ, ମୁଗ, ବିରି ଓ ଝୋଟ ଭାଗ ଦେଉଥିଲେ । କେବଳ ତାଙ୍କରି ଅମଳରେ ନୁହେଁ, ତାଙ୍କର ବାପ ଅଜାଙ୍କ ଅମଳରୁ ସେମାନେ ତାଙ୍କର ଭରଣ–ପୋଷଣ ଓ ବଞ୍ଚି ରହିବାର ଅନ୍ୟାନ୍ୟ ସୁବିଧା ସ୍ୱାଚ୍ଛନ୍ଦ୍ୟପାଇଁ ଅନ୍ୟମାନଙ୍କର ପରିଶ୍ରମ ଉପରେ ନିର୍ଭର କରୁଥିଲେ ।

 

ତାଙ୍କରି ପରି ସୁଖରେ ରହୁଥିଲେ ଏବଂ ଏବେବି ସୁଖ ଆନନ୍ଦରେ ରହୁଛନ୍ତି ତ ଅସଂଖ୍ୟ କୁଟୁମ୍ବ, କେବଳ ପୂର୍ବ–ପାକିସ୍ଥାନରେ ନୁହନ୍ତି କି ଭାରତବର୍ଷରେ ନୁହନ୍ତି, ପୃଥିବୀର ଛୋଟ ବଡ଼ ଅନେକ ଦେଶରେ । ପୂର୍ବ–ପୁରୁଷର କେଉଁ ପ୍ର–ପଣଅଜା ବିବିଧ ଉପାୟରେ ନାନା କୌଶଳରେ ଧନ ଅର୍ଜନ କରି ଭୂମିବାଡ଼ି ନିଜର କରିଥିଲେ । କେଉଁ ପୁରୁଷରେ ସେ ସମ୍ପତ୍ତି ଛିଡ଼ିଛିଡ଼ି ଆସିଥିଲା, ପୁଣି କେଉଁ ପୁରୁଷରେ ବଢ଼ିଥିଲା ।

 

ବିଜନ ବୋଷ ଉତ୍ତରାଧିକାରୀ ହୋଇଥିଲେ ସୁନ୍ଦର ଘରବାଡ଼ିର ଓ ଉର୍ବର ପଚାଶ ବିଘା ଜମିର । ଏହାଛଡ଼ା ତାଙ୍କର ନିଜର ପୋଖରୀ ଥିଲା, ଆମ୍ବ ନଡ଼ିଆ ଗୁଆ ଓ ଅନ୍ୟାନ୍ୟ ଫଳର ବଗିଚା ଥିଲା, ଦୁହାଁଳି ଗାଈ ଛଡ଼ା ଓ ବଳଦ କେତେ ଥିଲେ ।

 

ନିଜ ଅମଳରେ ସେ ନିଜ ବୁଦ୍ଧିରେ ବିଘାଏ ହୋଇ ଅଧିକ ଭୂମି କାହାଠାରୁ କ୍ରୟ କରି ଅର୍ଜନ କରି ନାହାନ୍ତି । ଅର୍ଜନ କରିବାର ସୁଯୋଗ ସୁବିଧା ପାଇ ନାହାନ୍ତି । ସେ ଦିଗରେ ଚିନ୍ତା କରିବାର ସମୟ ତାଙ୍କର ହୋଇ ନଥିଲା । ପୂର୍ବ–ପୁରୁଷମାନଙ୍କର ବୁଦ୍ଧି କୌଶଳ ଗୋ–ବ୍ରାହ୍ମଣ–ଦେବତା ପୂଜାପାଇଁ ଆଶୀର୍ବାଦ ଓ ମିତବ୍ୟୟିତା ପ୍ରସାଦରୁ ସେ ଯାହା ଉତ୍ତରାଧିକାର ସୂତ୍ରରେ ପାଇଥିଲେ କଲେଜରେ ପାଠ ନ ହେବାରୁ କଲେଜ ଛୁଇଁ କଲେଜ ଛାଡ଼ି ଆସିବା ପରେ ସେ ବୃଦ୍ଧ ପିତା ଓ ରୁଗ୍‌ଣ କକାଙ୍କ ଉପଦେଶ କ୍ରମେ ସେହି ସମ୍ପତ୍ତିର ରକ୍ଷଣାବେକ୍ଷଣ କରିବାକୁ ଚେଷ୍ଟା କରୁଥିଲେ ।

 

ଭଉଣୀମାନଙ୍କର ବିବାହ ଶେଷ ହୋଇଥିଲା । ସମ୍ପତ୍ତି ବିକ୍ରୟ କରି ଯୌତୁକ ଦେଇ ବଡ଼ଘରର ବୋହୂ କରାଇବାକୁ କି ପାଠୁଆ ଚାକିରିଆ ଜୋଇଁ କରିବାକୁ ବାପେ ପସନ୍ଦ କରି ନଥିଲେ । ତେଣୁ ତାଙ୍କର ଦିଓଟି ଝିଅ ଓ ଶ୍ୱାସ–ରୋଗୀ ଅକ୍ଷମ ସାନ ଭାଇର ତିନୋଟି ଝିଅଙ୍କୁ ସେ ଖୁସିବାସିଆ ଘରେ ଅଳ୍ପ ପାଠୁଆ କର୍ମ–ଦକ୍ଷ ଜୋଇଁମାନଙ୍କ ହାତରେ ଅର୍ପଣ କରିଥିଲେ । ଝିଅଗୁଡ଼ିକ ସୁନ୍ଦର ଓ ଗୁଣର ବୋଲି ଏହା ସମ୍ଭବ ହୋଇ ପାରିଥିଲା । ଅଳ୍ପ ଯୌତୁକ ନେଇ ଉଦାର ଭାବପ୍ରବଣ ବାପମାନେ ସେମାନଙ୍କୁ ବୋହୂ କରି ନେଇଥିଲେ ।

 

ଯାଉନ୍ତୁ ସେମାନେ ପରଘରକୁ, ଲକ୍ଷ୍ମୀଙ୍କର ଦୟା ହେଲେ–ସେଥିପାଇଁ ଲକ୍ଷ୍ମୀ ଠାକୁରାଣୀଙ୍କ ଉପରେ ଅଚଳା ଭକ୍ତି ରଖିବାକୁ ହେବ, ରୀତିମତ ପୂଜା କରିବାକୁ ହେବ–, ଧନ ସମ୍ପତ୍ତି କାହୁଁ ଆସି ଅଜାଡ଼ି ହୋଇ ପଡ଼ିବ ।

 

ତୁମେ ଦୁଃଖ କରୁଛ କାହିଁକି ବିଜନର ମା’ ? ତା’ର ଶଶୁର ଘରର ଯାହା ସମ୍ପତ୍ତି ଅଛି ସେଥିରେ ବାର ମାସ ଚଳିଯିବାକୁ ଅସୁବିଧା ହେବ ନାହିଁ । ଏପରି ବୁଝାଇ କହନ୍ତି ବିଜନର ବାପା, ପୁଣି କହନ୍ତି, ବୁଧିଆ ଲୋକ ଜମି ବିକି ଝିଅ ବାହାଘର କରେ ନାହିଁ । ବାପ ଘର ଧନୀ ରହିଲେ ଶଶୁର ଘରେ ଝିଅର ଟାଣ ଥାଏ, ଖାତିର ରହେ ।

 

ବୁଝାଇ କହୁଥିଲେ ବୃଦ୍ଧ, ପାଠ ସେତିକି ଥାଉ ବିଜନ, ବେଶି ପାଠ ବଢ଼ି ଫେସନ ବଢ଼ାଇ ଯେଡ଼େ ବଡ଼ ଚାକିରି କଲେବି ଅଭାବ ମେଣ୍ଟିବ ନାହିଁ । ବୁଦ୍ଧି ଖେଳାଇ ଚାରି ପଇସା ଯଦି ଉପରି ରୋଜଗାର କରି ପାରିବ ତ ଚାକିରି କର, କୋଠାବାଡ଼ି ଧନସମ୍ପତ୍ତି କରି ପାରିବ । ସେତକ ଦକ୍ଷତା ଯଦି ନାହିଁରେ ବିଜନ, ଚାକିରିର ଆଶା ଛାଡ଼ । ଚାକିରି ଯଦି ନ କରିବାର ହେଲା, କଲେଜ ପାଠ ଛାଡ଼ । ଘରକୁ ଆସି ଘର ଖବର ବୁଝ ।

 

ବିଜନ ବାପାଙ୍କର କଥା ମାନିଥିଲେ । ମିତବ୍ୟୟିତା ଶିଖିଲେ । ଜମିବାଡ଼ିର ଖବର ବୁଝିଲେ । ହାତରେ ଚାରି ପଇସା ରହିଲା । ମା’ ଓ ଖୁଡ଼ୀ ସନ୍ତୁଷ୍ଟ ହେଲେ ।

 

ବୋହୂ ହୋଇ ଆସିଲେ ଉଷାରାଣୀ । ଦୁଇ ଶାଶୁ ଓ ଦୁଇ ଶଶୁରଙ୍କର ସ୍ନେହର ପିତୁଳା ସେ ହୋଇଥିଲେ । ଘରର କାମ କରିବାକୁ ଲୋକ ଅଛନ୍ତି । ତାଙ୍କ ହାତରେ ପାଣି ଲାଗୁ ନଥିଲା । ସମସ୍ତେ ଖୁସି । ବିଜନବି ଖୁସି ।

 

ଆଗ ସେପୁରକୁ ଗଲେ ବାପା, ସେଇଠୁ ଖୁଡ଼ୀ । ଦିଓଟି ବର୍ଷ ନ ଯାଉଣୁ ଦାଦିବି ସ୍ୱର୍ଗକୁ ଗଲେ । ସେମାନଙ୍କର ଶୁଦ୍ଧିଘରକୁ ବିଜନ ସତର୍କତାର ସହିତ ଖରଚର ବ୍ୟବସ୍ଥା କରିଥିଲେ । ବାପାଙ୍କର ସୁ–ପୁତ୍ର ସେ, କଥା ମାନି ଚଳିଥିଲେ ।

 

ବିଜନ ନିର୍ବୁଦ୍ଧିଆ ନୁହନ୍ତି ।

 

ମାଣେ କି ବିଘାଏ ସେ କିଣି ପାରି ନଥିଲେ । ସେଥିପାଇଁ ବୁଢ଼ୀମାଙ୍କ ମନରେ ଦୁଃଖ ଯେ ତାଙ୍କ ଦେଖନ୍ତିରେ ପୁଅଟା ତା’ର ପାରିଲାପଣ ଦେଖାଇ ପାରିଲା ନାହିଁ । ପୂର୍ବ–ପୁରୁଷଙ୍କ ସମ୍ପତ୍ତିରେ କିଛି ଯୋଗ କରି ପାରିଲା ନାହିଁ । କୋଳକୁ ଝିଅଟିଏ ଆସିଲାଣି ବିନୀତା, ଠାକୁରେ ଦୟା କଲେ ବିଜନର ପାଞ୍ଚ ପୁଅ ହେବେ, ଲକ୍ଷ୍ମୀ ବୋହୂଟି ଉଷାରାଣୀ । ପାଞ୍ଚଟି ପୁଅ ସେ କୋଳରେ ଖେଳାଇବ ବୋଲି ଗଣକମାନେ କର କପାଳ ଦେଖି କହି ସାରିଛନ୍ତି । ସେମାନେ ଆସି ମଣିଷ ହେଲେ ଜଣଜଣକ ଭାଗରେ ମୋଟେ ଦଶ ବିଘା ଜମି ପଡ଼ିବ ।

 

ସେମାନେ ଚଳିବେ କିପରିରେ ବିଜନ ? ଆମର ତ ଛୋଟ କୁଟୁମ୍ବ, ଖରଚ କମ୍‌, ଆଉ କିଛି ଭୂମି କରିପକା ।

 

ନାତୁଣୀ ବିନୀତାକୁ ସାତ ମାସ କୋଳରେ ଖେଳାଇ, ମାଆ ସ୍ୱର୍ଗାରୋହଣ କଲେ । ତାଙ୍କର ଉପଦେଶ ବିଜନର ମନେପଡ଼େ । ନୂଆ ଘରଣୀ ଉଷାରାଣୀ ଯେପରି ଅୟସରେ ରହିବାକୁ ଚାହାନ୍ତି, ସେ ଠାକୁର ଖାଇ ଖଟୁଲି ଗିଳି ଦେବେ । ତାଙ୍କର ଭଲ ମୂଲ୍ୟବାନ ଢାକେଇ ଶାଢ଼ି ଦରକାର । ସାଧାରଣ ଶାଢ଼ିରେ ଚଳିବ ନାହିଁ । କଲିକତାର ବି: ସରକାରଙ୍କ ଗହଣା ଦୋକାନରୁ ନୂଆ ନୂଆ ଫେସନର ସୁନା ଗହଣା ଲୋଡ଼ା । ଯେତେ ଆଣି ଦେଲେ ଆହୁରି ଲୋଡ଼ା ।

 

ମହୁମାଛି ପରି ସଂଚିଲା ଧନ ସରିଯିବ ।

 

ଘରର ଘରଣୀ ଉଷାରାଣୀଙ୍କୁ କିଛି କହି ହେବ ନାହିଁ । ବିନୀତାର ମା’ ହେଲା ପରଠାରୁ ମା’ପଣିଆର ଅହମିକା ବଢ଼ିଛି । ସେ ପୁଣି ହେବେ ପାଞ୍ଚ ପୁଅର ଜନମୀ । ପଞ୍ଚ ପ୍ରଦୀପ ଜାଳି ଅନ୍ତତଃ ପାଞ୍ଚ ପୁରୁଷର ପିତାମହ ପ୍ରପିତାମହ ଓ ମହୀମାନଙ୍କୁ ସ୍ୱର୍ଗପୁରରେ ଆହୁରି କେତେ ପାହାଚ ଉପରକୁ ଉଠାଇ ଦେବେ ।

 

ତାଙ୍କର ବରାଦକୁ ସମାଲୋଚନା କରି ହେବ ନାହିଁ । ପଦେ ନାସ୍ତି ବାଣୀ ଶୁଣାଇଲେ, ସେ ଜବାବ ଦେଉଛନ୍ତି । ମୁହଁ ଫଣଫଣ କରୁଛନ୍ତି ।

 

ସେଇ ଉଷାରାଣୀ, ଛନଛନିଆ ତରୁଣୀ ଥିଲାବେଳେ ଯିଏ ଧୀରେ ଧୀରେ ଚାଲୁଥିଲେ, ମୁଣ୍ତରୁ ଦେହରୁ ବସନ ଖସୁ ନଥିଲା, ମୁଖରୁ ବଚନ ବାହାରୁ ନଥିଲା, ସେ ପୁଣି ବଦଳିଗଲେ ।

 

ମାଇପଙ୍କର ଏପରି ଢଙ୍ଗ କେତେ ପଡ଼ିଲାଣି ବିଜନଙ୍କର ଅନୁସନ୍ଧିତ୍ସୁ ଆଖିରେ । ବୟସ ବଢ଼ିବା ସଙ୍ଗେ, ଜନନୀ ହୋଇ ଅଙ୍ଗ ବେଢ଼ଙ୍ଗ ହେବା ସଙ୍ଗେ, ଭଲ ବେଶ ହୋଇ ରୂପଯୌବନକୁ ନୂତନକୃତ କରିବାର ଉତ୍କଣ୍ଠା ଆସେ ପରା ସେମାନଙ୍କ ମନରେ । ସେଇଥିପାଇଁ ସୁନାର ଗହଣା ଲୋଡ଼ା ଉଷାରାଣୀଙ୍କର, କିମ୍ବା ସୁନା ଗହଣା ଆକାରରେ ନିଜର କରି ଧନ ସଂଚୟ କରିବାକୁ ସେ ଚାହାନ୍ତି ?

 

ଥରେ ଘରଣୀ ହୋଇ ଆସିଲେ ସେ ଘରଣୀ ପୁଣି ସଂସାରକୁ ପିଲାଛୁଆ ଆଣିଲେ ସେ ହୋଇଯାଏ ଘରର (…….) ପରି । ଆଉ ତା’ର ରୂପଭେକ ସଜାଇବାର କି ଲୋଡ଼ା ? ଚିହ୍ନା ବାହ୍ମୁଣର ପଇତା ଦେଖିବା ଆବଶ୍ୟକ ପଡ଼େ ନାହିଁ । ଯେଉଁଠି ଭେଟ ହେଲେ ହାତ ଆପେଆପେ ଉପରକୁ ଉଠେ । ତୁଣ୍ତ ତା’ ମନକୁ ଆନୁଗତ୍ୟ ପ୍ରକାଶ କରେ । ମୁଣ୍ତ ନଏଁ । ମନ ଆଶୀର୍ବାଦ ଭିଖାରି ହୁଏ । ଚରଣସେବା କରିବାକୁ ଦୁଇ ହାତ ଖଜବଜ ହୁଏ ।

 

ଉଷାରାଣୀ ଏହା ବୁଝନ୍ତି, ଜାଣନ୍ତି, ଅନୁଭବ କରନ୍ତି । ତଥାପି ଅବୁଝା ହୋଇ ଭଲ ଶାଢ଼ି, ଫେସନୀ ଗହଣାପାଇଁ ଅଳି କରନ୍ତି । ପ୍ରତିବାଦ କଲେ କଳି କରନ୍ତି ।

 

ସଂଚିତ ଧନ ତାଙ୍କ ଗୋଚରକୁ ଆସିଛି । ଘରର ଘରଣୀ ପାଖରେ ଦୁର୍ବଳବେଳରେ ଯେଡ଼େ ସତର୍କିଆ ହେଲେବି ଲୋକର ଗୁମର ଖସିପଡ଼େ । ସେଇଆ ହୋଇଥିଲା ବିଜନ ବୋଷଙ୍କର ।

 

ନୂଆ ଜମି କିଣି ହେବ ନାହିଁ ।

 

ବେଳେବେଳେ ଭାବୁଥିଲେ ବିଜନ ବୋଷ, ଗୋଟାଏ ବ୍ୟବସାୟ ଧରିଲେ ମନ୍ଦ ହୁଅନ୍ତା ନାହିଁ । ବାଣିଜ୍ୟେ ବସତି ଲକ୍ଷ୍ମୀ, ଅବଶ୍ୟ ଯଦି ଭାଗ୍ୟରେ ଥିବ । ଗଣଦେବ ଗଣେଶଙ୍କର ଆରାଧନା କଲେ, ଖଣ୍ତିଏ ଫଟୋ ଟାଙ୍ଗି କି କାନ୍ଥ ଠଣାରେ ଗଣେଶଙ୍କର ପେଟୁଆ ମୂର୍ତ୍ତି ସ୍ଥାପନା କରି ସଞ୍ଜ ସକାଳେ ତାଙ୍କୁ ଧୂପକାଠି ଧୂଆଁର ବାସନା ସୁଙ୍ଘାଇ, ଟିକିଏ ଚିନି ଭୋଗ ଦେଲେ ଭାଗ୍ୟ ନ ବଦଳି ଯିବ କୁଆଡ଼େ ?

 

ଯେଉଁମାନେ ଏପରି କରୁଛନ୍ତି ଦେଖୁଦେଖୁ ସେମାନଙ୍କର ଧନଧାନ୍ୟ ଗୋପଲକ୍ଷ୍ମୀ ହୁହୁ ହୋଇ ବଢ଼ି ଚାଲିଛି । ଗଣେଶ ସତେ କି ତାଙ୍କର ବିରାଟ ଶୁଣ୍ଢରେ ଗଣଙ୍କର ଧନ ଶୋଷି ଆଣି ଭକ୍ତର ଘରେ ଅଜାଡ଼ି ଦେଉଛନ୍ତି । ସେବକର ପେଟବି ବଢ଼ି ଥନ୍ତଲ ହେଉଛି ଗଣପତିଙ୍କ ପେଟ ପରି । ବ୍ୟବସାୟ ଭଲ । ସେଥିରେ ଗଣର ସେବା ସଙ୍ଗେ ସଙ୍ଗେ ଗଣପତିଙ୍କର ଆଉ ନିଜର ମଧ୍ୟ ସେବା କରି ହୁଏ ।

 

ଗଣେଶଙ୍କ ପ୍ରଶସ୍ତି ଗାଆନ୍ତି ବିଜନ ବୋଷ ମନ ଭିତରେ,–ଧନ୍ୟ ତୁମେ ଗଣେଶ, ଶିବ–ପାର୍ବତୀଙ୍କ ନନ୍ଦନ, ଛୋଟ ମୂଷାଟିଏ ଚଢ଼ି, ପିତାମାତାଙ୍କର ଚାରିପାଖେ ସାତ ଥର ପରିକ୍ରମଣ କଲ-। ତୋଷାମୋଦ କରି ତାଙ୍କୁ ବୁଝାଇ ଦେଲ ଯେ ତୁମେ କୋଟି କୋଟି ବିଶ୍ୱ ବ୍ରହ୍ମାଣ୍ତକୁ ଥରେ ନୁହ, ସାତ ଥର ପ୍ରଦକ୍ଷିଣ କରିଛ । ତୁମର ବଡ଼ ଭାଇ କାର୍ତ୍ତିକ ନିର୍ବୋଧ । ମୟୂର ଚଢ଼ି ଗୋଟିଏ ବ୍ରହ୍ମାଣ୍ତ ପ୍ରଦକ୍ଷିଣ କରିବାକୁ ଯାଇଛି । ହେ ଶିବ, ତୁମେ ତ ସୃଷ୍ଟିକର୍ତ୍ତା । ବ୍ରହ୍ମାଣ୍ତ ମାଳମାଳ ହୋଇ ତୋ ଲୋମକୂପେ ଝୁଲୁଥାଇ ।

 

ସଟ୍‍କଟ୍‌ ଉପାୟ ତୁମକୁ ଜଣାହେ ଛୋଟ ଆଖିଆ, ହାତୀ ମୁଣ୍ତିଆ ଗଣନାଥ, ତୁମର ପ୍ରଶସ୍ତି ଶୁଣି ଆଗ ତୁମକୁ, କାର୍ତ୍ତିକଙ୍କୁ ନୁହ, ବାହା କରାଇବାକୁ ବାପ–ମା’ ସମ୍ମତ ହେଲେ । କିଏ ଆଗ ବାହା ହେବ ସେଇଥିପାଇଁ ତୁମ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଲାଗିଥିଲା । ତୁମର ପିତାମାତା ସେଇଥିପାଇଁ ସର୍ତ୍ତ ରଖିଥିଲେ, ଆଗ ଯେଉଁ ପୁଅ ବିଶ୍ୱ ବ୍ରହ୍ମାଣ୍ତ ପ୍ରଦକ୍ଷିଣ କରି ଆସିବ ସେ ବିଭାହେବ ।

 

ବଡ଼ ଭାଇଙ୍କୁ ତୁମେ ଠକି ଦେଲ ଗଣପତି କୌଶଳରେ ଓ ବାକ୍‌ଚାତୁରୀରେ । ତୁମେ ପୁଣି ବାହାହେଲ ବିଶ୍ୱରୂପଙ୍କର ଦୁଇଟି ଝିଅଙ୍କୁ–ଶ୍ରୀମତୀ ସିଦ୍ଧି ଦେବୀ ଓ ଶ୍ରୀମତୀ ବୁଦ୍ଧି ଦେବୀ । ବଡ଼ ଭାଇ କାର୍ତ୍ତିକ ବିଶ୍ୱ ପରିକ୍ରମା କରି ଫେରିବା ଆଗରୁ ସିଦ୍ଧି ଦେବୀଙ୍କ କୋଳକୁ ଓହ୍ଲାଇ ଆଣିଲ ପୁତ୍ର ଶ୍ରୀମାନ ଲକ୍ଷ୍ମଣକୁ ଯାହାର ଅର୍ଥ ସୌଭାଗ୍ୟ, ଆଉ ଶ୍ରୀମତୀ ବୁଦ୍ଧି ଦେବୀଙ୍କ କୋଳକୁ ଶ୍ରୀମାନ ତୋଷଣକୁ ଯାହାର ଅର୍ଥ ସନ୍ତୋଷ ।

 

କାର୍ତ୍ତିକ ବହୁ କଷ୍ଟ ସହି କେତେ ବର୍ଷ ପରେ ବିଶ୍ୱ ପରିକ୍ରମଣ କରି ଫେରିଲେ, ସବୁ ଶୁଣିଲେ, ରୁଷିକରି ଘରୁ ପଳାଇଲେ । ଆଉ ବାହାହେଲେ ନାହିଁ, କୁମାର ହୋଇ ରହିଲେ ।

 

ତୁମର ଦ୍ୱିତୀୟ ବିଜୟ ହେଲା ଆପେଆପେ । ତୁମର ଦୁଇ ପୁତ୍ର ସୌଭାଗ୍ୟ (ଲକ୍ଷ୍ମଣ) ଓ ସନ୍ତୋଷ (ତୋଷଣ) ପିତା ଶିବ ଓ ଶକ୍ତିଙ୍କର ଉତ୍ତରାଧିକାରୀ ହୋଇ ରହିଲେ । ବ୍ୟବସାୟ ? ଛାତ୍ର, ଓ ବୋଧହୁଏ ଏବକାର ରାଜନୈତିକମାନଙ୍କର ତୁମେହିଁ ପ୍ରେରଣା ହେ ଗଣ ଦେବତା, ମୁଁ ବିଜନ ବୋଷ ତୁମର ସେବକ ହେବି, ଝୋଟ ବ୍ୟବସାୟ କରିବି ।

 

ଏହିପରି ଭାବିଥିଲେ ଯେ, ଆଶା ଫଳବତୀ ହେଲାନାହିଁ । ରାଜନୀତି ଯେ ସବୁଠୁ ବଡ଼ ବେପାର, ଶୂନ୍ୟରୁ ଧନଜନ ପ୍ରତିପତ୍ତି ବରଷେ, ସେ କଥା ବିଜନ ଜାଣି ନଥିଲେ ।

 

ପଶ୍ଚିମ ପାକିସ୍ଥାନରେ ସେହି ବେପାର ଆରମ୍ଭ କଲେ କେତେ ଜଣ ଧର୍ମାନ୍ଧ । ସେ ବେପାରର ବିଷ ଢେଉ ଶୂନ୍ୟ ପଥରେ ମାଡ଼ି ଆସିଲା ପୂର୍ବ–ବଙ୍ଗକୁ । ସେହି ବନ୍ୟାରେ ବୁଡ଼ିମଲେ ଆବାଳ–ବୃଦ୍ଧ–ବନିତା କେତେ ହିନ୍ଦୁ । ଶିଙ୍ଗିବୁଡ଼ା ଖାଇ ଉବୁଟୁବୁ ହୋଇ ଭାସି ଆସିଲେ ଆକୁଳ ବିକଳ ହୋଇ କେତେ କୁଟୁମ୍ବ । ସେଥିରୁ ମଧ୍ୟ କେତେ ବୁଡ଼ିଲେ, କେତେ ହଜିଲେ, ବାକି କେତେ ନିଃସହାୟ ହୋଇ ଲାଗିଲେ ଭାରତବର୍ଷର କୂଳରେ ।

 

ତେପନ

 

ପାକିସ୍ଥାନୀ ମୁସଲମାନ ଗୁଣ୍ତାମାନେ ଅଚାନକ ତାଙ୍କର ଗ୍ରାମ ଆକ୍ରମଣ କରିଥିଲେ । ସେମାନେ ନିର୍ମମ ପଶୁଦଳ ପରି । ସେମାନେ ଧର୍ମାନ୍ଧତାର ଆଳରେ ଧନଜନ ଅପହରଣ କରିଥିଲେ । ନିରସ୍ତ୍ର ହୋଇ ମଧ୍ୟ ଧନଜନ ଓ ଆତ୍ମ–ସମ୍ମାନ ରକ୍ଷା କରିବାକୁ ଯେଉଁମାନେ ବୀରତ୍ୱ ଦେଖାଇ ହାତ ଟେକି ପ୍ରତିବାଦ କରିଥିଲେ, ସେମାନଙ୍କର ଜୀବନ ରହି ନଥିଲା ।

 

ପାଗଳ ତୋଫାନ ଆଗରେ ଘାସ ଗଛ ପରି ନଇଁ ପଡ଼ିଥିଲେ ବିଜନ ବୋଷ । ଧନ ସମ୍ପତ୍ତି ସେ ଉପଢ଼ୌକନ ଦେଇ ନଥିଲେ । ଆଗନ୍ତୁକ ଅନିମନ୍ତ୍ରିତ ଅତିଥିମାନେ ଜୀବନ ଓ ମାନର ବିନିମୟରେ ସବୁ ବୋହିନେଇ ଥିଲେ । ଉଷାରାଣୀ ବୋଷ ବଂଶର କୁଳଲକ୍ଷ୍ମୀ, ବିନୀତାକୁ ଥରଥର ହାତରେ ବିଜନଙ୍କୁ ଦେଇ ସେହି ଥରିଲା ହାତରେ ଖଣ୍ତି ଖଣ୍ତି କରି ଦେହରୁ ସବୁ ଗହଣା ଉତାରି ଦେଇଥିଲେ ।

 

ଗୁଣ୍ତା ଦଳରେ ଥିଲେ ତାଙ୍କର ଭାଗଚାଷୀ ପ୍ରଜା–ପୁଅରୁ କେତେଜଣ ଯେଉଁମାନେ ଦିନେ ବାରଣ୍ତା ତଳେ ଦଶ ହାତ ଦୂରରେ ଠିଆ ହୋଇ ମାଆ ବୋଲି ସମ୍ବୋଧୁଥିଲେ । ସେମାନେ ନିଜ କୁଟୁମ୍ବର ଅଭାବ ଅସୁବିଧା ଯୋଡ଼ହସ୍ତ ହୋଇ ବର୍ଣ୍ଣନା କରି ରାତିଅଧରେ ଅସମୟରେ ସାହାଯ୍ୟ ନେଇ କୃତଜ୍ଞତା ପ୍ରକାଶ କରୁଥିଲେ । ଆଲ୍ଲାଙ୍କର ନାମ ନେଇ କଲ୍ୟାଣ କରି ବାହୁଡ଼ୁଥିଲେ । ପୁଣ୍ୟ ପର୍ବରେ ସେମାନଙ୍କର ପାତିଲା ତଳହାତରେ ଦୟାମୟୀ ଅନ୍ନପୂର୍ଣ୍ଣା ରୂପିଣୀ ଉଷାରାଣୀ ମନରେ ସ୍ନେହ, ସହାନୁଭୂତି ଓ କରୁଣା ପରିପୂର୍ଣ୍ଣ କରି କ୍ଷୀରୀ ପୁରି ଅଜାଡ଼ି ଦେଉଥିଲେ-। ପ୍ରଜା ପୁଅକୁ ଆପ୍ୟାୟିତ କରି ପାରିଛନ୍ତି ବୋଲି ଆତ୍ମସନ୍ତୋଷ ଲାଭ କରି କରୁଣାମୟୀ ମା’ ଦୁର୍ଗା, କାଳୀ କି ମହାଲକ୍ଷ୍ମୀଙ୍କର ଫଟୋ ଓ ମୂର୍ତ୍ତିମାନଙ୍କ ଆଗରେ ପ୍ରଣତ ହୋଇ ଧନଜନ ଗୋପଲକ୍ଷ୍ମୀ ଦିଅ ଗୋ ମା’, ବୋଲି ପ୍ରାର୍ଥନା କରୁଥିଲେ ।

 

ଆଗରେ ଉଭା ସେହି ଅକୃତଜ୍ଞମାନେ । ସୁରାପାନ କରି, ଆଖି ରଙ୍ଗ କରି ମଣିଷପଣିଆ ହରାଇ ବସିଛନ୍ତି । ରକ୍ତମୁହାଁ କୁକୁର ଦଳ ପରି ସବୁ ଖାଇ କାମୁଡ଼ି ଭିଣା ଭିଣା କରିବାକୁ ଜୀବନ ଶୋଷିବାକୁ ଟାକି ବସିଛନ୍ତି । ବାଧା ଦେଲେ ବାଡ଼ି ଉଞ୍ଚାଇଲେ ସେମାନେ ସେଇଆ କରିବେ । ସବୁ ସେମାନେ ନେଉନ୍ତୁ ପଛକେ ଜୀବନ ନ ନେଉନ୍ତୁ, ମାନ୍‌ ନ ନେଉନ୍ତୁ ।

 

ଉଷାରାଣୀଙ୍କୁ ଦିନେ ଯେଉଁମାନେ ମାତୃଜ୍ଞାନରେ ମାଆ ବୋଲି ସମ୍ବୋଧୁଥିଲେ, ସେହିମାନଙ୍କ ଆଖିରେ କାମନାର ନିଆଁ ହୁହୁ ଜଳୁଛୁ । ସେହି ଅନଳର ଜିହ୍ୱା ତାଙ୍କର ବସନକୁ ଦୂର କରି ଦେହ ଓ ଯୌବନକୁ ଲେହନ କରିବାକୁ, ପୋଡ଼ିଜାଳି ପାଉଁଶ କରିବାକୁ ଲହଲହ ହେଉଛି । ନେଉନ୍ତୁ, ନୋଉନ୍ତୁ ସେମାନେ ସବୁ, ଜୀବନ ଓ ମାନ ଛାଡ଼ି ଯାଉନ୍ତୁ ।

 

ଆତ୍ମରକ୍ଷା କରି ପଳାଇ ଆସି ପାରିଥିଲେ ସେମାନେ । ବିଶ୍ୱ ଦାଣ୍ତରେ ନିଃସ୍ୱ ହୋଇ ବୁଲିଥିଲେ । ସେମାନଙ୍କର ବାହାର ସମ୍ବଳ ଥିଲା ବସ୍ତ୍ରାବୃତ ତିନୋଟି ଦେହ । ବିଜନ, ଉଷାରାଣୀ ଓ ଶିଶୁ ବିନୀତା ବୋଲି ଯେଉଁ ଦେହର ମୁହଁକୁ ସେମାନେ ଚିହ୍ନି ପାରୁଥିଲେ । ସେ ଦେହରେ ଜୀବନ ଅଛି, ସେମାନଙ୍କୁ ଆତଯାତ କରି ପାରୁଛି । ତୁଣ୍ତରେ ଭାଷା, ଆଖିରେ ଲୁହ କି ଓଠରେ ହସ ଆଣି ପାରୁଛି ସେ ଜୀବନ । ସେଥିପାଇଁ ଅପରିସୀମ ଦୁଃଖ ଦୈନ୍ୟର କୁହେଳି ଭିତରେ ଟିକିଏ ଆଚ୍ଛନ୍ନ ଆନନ୍ଦବି ଉପଭୋଗ କରିପାରୁଥିଲେ ସେମାନେ ।

 

ଅବଚେତନ ମନର ଅନ୍ଧାରି ଗୁହାରେ ଅତୀତର କେତେ ଯୁଗର ଛପି ରହିଥିଲା । ବର୍ତ୍ତମାନର ଚେତନ ମନର ସବୁ ଭଲମନ୍ଦ ସ୍ମୃତି ସେହି ଅବଚେତନ ମନର ଅସୀମ ପାରାବାରର ଅତଳ ଗହ୍ୱରକୁ ଓହ୍ଲାଇ ଯାଉଥିଲା । କେବଳ ଜୀବନ–ଧର୍ମୀ ତିନୋଟି ଦି’ ଗୋଡ଼ିଆ ପଶୁ, ଜୀବନ ରକ୍ଷାପାଇଁ ଅନ୍ୟମାନଙ୍କ ପରି ଅନିଶ୍ଚିତତାର ରଙ୍ଗରେ ଉଠି–ପଡ଼ି ଗତି କରୁଥିଲେ ।

 

ସେମାନେ କ’ଣ ଥିଲେ, କେଉଁଠୁଁ ଅଇଲେ ସେ ସବୁ ଭାବନା (……) ଆସୁ ନଥିଲା । ନିଜର କିଛି ଦୋଷ ନାହିଁ, ନିଜର ଅବିବେଚିତ କୌଣସି କାର୍ଯ୍ୟପାଇଁ ସେମାନେ ଦୁର୍ଦ୍ଦଶାକୁ ନିମନ୍ତ୍ରଣ କରି ନାହାନ୍ତି, ତେଣୁ ମନରେ ଅନୁଶୋଚନା କି ଅନୁତାପ ନଥିଲା । ଜୀବନ ରକ୍ଷାର ସଂଗ୍ରାମପାଇଁ ମନରେ ଥିଲା ତୀବ୍ର ଉତ୍କଣ୍ଠା । ଚଳନରେ ବିଚଳିତ ବ୍ୟାକୁଳତା ।

 

ସେହି ଉତ୍କଣ୍ଠା ଓ ବ୍ୟାକୁଳତା ଅଜାଣତରେ ଫିଙ୍ଗି ଦେଇଥିଲା ଦୂରକୁ, ଉଷାରାଣୀଙ୍କର ଅସତର୍କ ମୁହୂର୍ତ୍ତରେ, ଜୀବନରୁ ବଳି ସେରନ୍ତା କନ୍ୟା ବିନୀତାକୁ, ଟାଣି ଆଣିଥିଲା କୋଳକୁ କାହାର ହୃଦୟର ମାଣିକ ସୁନ୍ଦର ସ୍ୱାସ୍ଥ୍ୟବାନ ଶିଶୁ ପୁତ୍ରଟି–ବିଧାନ ।

 

ଅତୃପ୍ତ ବହୁ ବାସନାର ତାଡ଼ନା, ଅସତର୍କତା ପାଇଁ ଜନ୍ମକଲା କନ୍ୟାଟିକୁ ହରାଇଥିବାର ଅନୁଶୋନନା, ବିଭିନ୍ନ କ୍ୟାମ୍ପ୍‍ରେ ନାନା ଅସୁବିଧା ଅଙ୍ଗେ ଲିଭାଇବାର ଯାତନା, ଉଷାରାଣୀଙ୍କର ମନକୁ ବିଷାକ୍ତ କରିଛି । ଧୀରେ ଧୀରେ ତାଙ୍କର ପ୍ରକୃତିକୁ ବଦଳାଇଛି । ତିନୋଟି ସନ୍ତାନ ଆହୁରି ସଂସାରକୁ ଆଣି ସେମାନଙ୍କର ସେବା ଯତ୍ନ ନିଜେ ନେବା ସଙ୍ଗେ ଛୋଟ ସଂସାରର ସବୁ କାମ ହାତରେ କରି ସେ ଚିଡ଼ୋଳ ପ୍ରକୃତି ଧରିଛନ୍ତି । ସେ ଯାହା କହିବେ ସେହିଆ କରିବାକୁ ହେବ । ନ କର ପଛେ, କେହି ପ୍ରତିବାଦ କରିବ ନାହିଁ । ସେତକ କଲେ, ତାଙ୍କର ମୁଣ୍ତ ବିଗିଡ଼ିବ । ସେ ପାଟିତୁଣ୍ତ କରି କମ୍ପାଇବେ । ଅଶାନ୍ତ ହୋଇ ରାମ୍ପି ବିଦାରି ହେବେ । ନିରପରାଧ ଅଯତ୍ନ ବର୍ଦ୍ଧିତ ବିଧାନକୁ ମାରିବେ । ନିଜେ ମରିବାକୁ ଏଣେତେଣେ ଧାଇଁବେ ।

 

ବିଧାନ ଆଜି ପାଖରେ ନାହିଁ । ଗୋଟିଏ ବର୍ଷ ହେଲା ସେ ଦୂରେଇ ଯାଇଛି । କାମ କରି କରି, ଗାଳିମାଡ଼ ନୀରବରେ ସହି, ଯିଏ ସବୁ ଅବହେଳା ଓ ଅଯତ୍ନ ସତ୍ତ୍ୱେ ଢିଅ କୁକୁର ପରି ପେଟକୁ ଦେଖାଇ ଘର ଜଗି ହାଣ୍ତରେ ପଡ଼ିଥିଲା, ସେହି ବିଧାନ ତା’ର ନୂଆ ଜୀବନର ସ୍ୱାଦ ପାଇଛି, ନୂଆ କର୍ମର ପଥ ସନ୍ଧାନ କରୁଛି । ତାକୁ ପାରଲ୍‌କୋଟର ଛୋଟକାପ୍‌ସି ଗ୍ରାମକୁ ନିଜ ଘରକୁ ଫେରାଇ ଆଣିବାର ସବୁ ଚେଷ୍ଟା ବିଫଳ ହୋଇଛି । ଉଷାରାଣୀଙ୍କର ସବୁ ଦରଦୀ ପତ୍ରର ଉତ୍ତର ସେ ଦେଇଛି, ମୁଁ ଭଲଅଛି ମା’, କଲ୍ୟାଣୀ ଅପାଙ୍କର ସାହାଯ୍ୟରେ ଘରେ ଥାଇ ମୁଁ କେତେ ପାଠ ପଢ଼ିଲିଣି । ଆହୁରି ଅଧିକ ପଢ଼ିବାକୁ, ଜାଣିବାକୁ ମୋର ଆଗ୍ରହ ହେଉଛି । ଦରମା ପାଇଲେ ଆପଣଙ୍କ ପାଖକୁ ଟଙ୍କା ପଠାଇବି–

 

କେବେ ଫେରିବ ସେ ବିଷୟରେ ସେ ପଦେ ଲେଖେ ନାହିଁ । ଅନ୍ୟମାନଙ୍କର ଭଲମନ୍ଦ ପଚାରେ ନାହିଁ । ଲୋକ ଅସୁବିଧା ପାଇଁ ତେଜରାତି ଦୋକାନ ଭାଙ୍ଗିଗଲା । କୁକୁଡ଼ାଗୁଡ଼ିଙ୍କୁ ଶିଆଳ କି ଶିଆଳ–ମନା ଲୋକେ ଚୋରି କରି ନେଲେ । ଏ ବର୍ଷ ଶାଗ–ସବ୍‌ଜି ହୋଇ ପାରିଲା ନାହିଁ । ନୂଆ–ଆବାଦ ଜମିରେ ପର୍ବତିଆ ଘାସ ଭିଡ଼ି ଦେଲା ଓ ଜମି ଭଲଭାବରେ ବଛା ହୋଇ ପାରିଲା ନାହିଁ । ଯତ୍ନ ଅଭାବରୁ ଗାଈ–ବଳଦଙ୍କର କଣ୍ଟା ଦୋହଲିଲାଣି । ବୀଥିକା ସବୁବେଳେ ଭାଇ ଭାଇ ଡାକି ଖୋଜୁଛି । ଏହିପରି ଘରର ସମସ୍ତ ଖବର ତାକୁ ଲେଖାହୁଏ । ଉତ୍ତର ସେ ଦିଏ ନାହିଁ । ଲେଖେ, ଦରମା ମିଳିଲେ ମୁଁ ଟଙ୍କା ପଠାଇବି ।

 

ସବୁବେଳେ ସମସ୍ତେ ତାକୁ ଖୋଜୁଛନ୍ତି । ସେ କେବେ କାହାକୁ ଖୋଜେ ନାହିଁ । ବରଷେ ହେଲା ପାଟିତୁଣ୍ତ କରିବାକୁ ଉଷାରାଣୀଙ୍କୁ ଆଉ ସୁଯୋଗ ମିଳି ନାହିଁ । ସକାଳୁ ଉଠି ରାତିଅଧଯାଏ ଘର କାମରେ ସେ ବ୍ୟସ୍ତ ରହନ୍ତି । ବିଧାନ ସମ୍ବନ୍ଧରେ ଅନ୍ୟମାନେ ଛଳେଇ କହିଲେ, ସେ ଉତ୍ତର ଦିଅନ୍ତି ନାହିଁ । ପରିଶ୍ରମ କରି କରି ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଲାଣି ।

 

କେବେ କେବେ ଡରିଡ଼ରି ସେ ପଚାରନ୍ତି ବିଜନଙ୍କୁ ବିଧାନ କ’ଣ ଆଉ ଫେରିବ ନାହିଁ ? ମା’ ହୋଇ କଥା ଅ–କଥାରେ ଶାସନ କରିବାକୁ ମୋର ଅଧିକାର ନଥିଲା ?

 

ବିଜନ ଉତ୍ତର ଦିଅନ୍ତି ନାହିଁ । କଣେଇଁ ଚାହାନ୍ତି । ସେ ମନେ କରନ୍ତି, ଉଷାରାଣୀ ତାଙ୍କର କୃତ–କର୍ମପାଇଁ ବୋଧହୁଏ ଅନୁତାପ କରୁଛନ୍ତି ।

 

ପୁଣି ଭାବନ୍ତି, ତାଙ୍କର ପ୍ରଶ୍ନ ଯୁଦ୍ଧର ନିମନ୍ତ୍ରଣ ହୋଇପାରେ । ଯେଉଁ ଉତ୍ତର ଦେଲେ ତହିଁରୁ ଖିଅ ବାହାରିବ, ସେଇଠୁ ଚାଲିବ ପଦକୁ ପଦ ପ୍ରଶ୍ନ ଓ ଉତ୍ତର । ମୁଣ୍ଡର ଉତ୍ତାପ ସଙ୍ଗେ ତୁଣ୍ଡର ଉତ୍ତାପ । କାହିଁକି ଉତ୍ତର ଦେଇ ସେ ଉତ୍ୟକ୍ତ କରିବେ, ନିଜେ ଉତ୍ୟକ୍ତ ହେବେ ?

 

ସେ ତୁନି ରହନ୍ତି । ଉଷାରାଣୀ ପୁଣି କହନ୍ତି, ତୁମେ ମୋ କଥାର ଜବାବ ନ ଦେଲେ ନାହିଁ, ତୁମର ଜବାବ୍‌ ମୁଁ ଶୁଣି ପାରୁଛି । ମନେମନେ ତୁମେ ମୋତେ ଦୋଷୀ କରୁଛ । ଦୋଷ ମୋର ନୁହେଁ, ଦୋଷ ତୁମରି ମୁହଁବଢ଼ାର ।

 

ଛାଡ଼ ତା’ କଥା

 

କାହିଁକି ? ତିନିବର୍ଷର ପିଲାକୁ ପାଳି ବଞ୍ଚାଇ ମଣିଷ କଲି, ଏଇ ଘରେ ସେ ବଢ଼ିଲା, ଏ ଘର ପ୍ରତି କ’ଣ ଆଉ ତା’ର ମମତା ନାହିଁ ? ସେତକ ନଥିଲେ ମାସକୁ ମାସ ମୋ ପାଖକୁ ସେ ଟଙ୍କା ପଠାନ୍ତା କାହିଁକି ?

 

ସେ ତୁମର ଋଣ ସୁଝୁଛି ।

 

ଋଣ ? ମୋଠାରୁ ସେ କିଛି ଧାରେ ନାହିଁ । ହଁ, ମନେ ଅଛି,–କାହାର ପିଲା ସେ, ନିଜ ମାଆର କୋଡ଼ରୁ ନିଦ ବାଉଳାରେ ଗଡ଼ି ଆସି, ପୁଅପିଲାଟା ତ, ମୋ ବିନୀତାକୁ ଗୋଡ଼ରେ ଠେଲି ଦେଇ, ସେହି ଛୋଟିଆ ରେଳ–ଷ୍ଟେସନ୍‍ରେ ଅନ୍ଧାରିଆ ପ୍ଲାଟ୍‌ଫର୍ମ୍‍ର ଲୋକ ଗହଳି ଭିତରେ ମୋର ଛାତିରେ ସେ ଜୋକ ଭଳି ଲାଗି କ୍ଷୀର ଶୋଷିଥିଲା । ସେତିକି ସେ ମୋର ଧାରିଛି । ସେହି ୠଣ ସେ ସୁଝାଉଛି ? ମୋର କଟା ଘାଆରେ ତୁମେ ଆଉ ଚୂନ ଲେପ ନାହିଁ । ସତ କହୁଛି, ତୁମ ସଙ୍ଗେ କି କାହା ସଙ୍ଗେ କଜିଆ କରିବାକୁ ମୋର ଆଉ ଧୈର୍ଯ୍ୟ ବଳ କି ଇଚ୍ଛା ନାହିଁ । ବିଧାନକୁ ତୁମେ ଫେରାଇଆଣ ।

 

ସେ କୋଡ଼କାଖର ପିଲା ନୁହେଁ ।

 

ଉଷାରାଣୀଙ୍କର ଆଖିରେ ଲୁହ ଢଳଢ଼ଳ ହେଲା ସେ କହିଲେ, ସେ କଥା ମୁଁ ଜାଣେ । ତୁମେ ଉମରକୋଟ ଯାଅ । ତୁମକୁ ଦେଖିଲେ ସେ ନିଶ୍ଚୟ ଫେରି ଆସିବ । ସେ କଲ୍ୟାଣୀ ନର୍ସର କୁ–ଶିକ୍ଷାରେ ପଡ଼ିଛି । ସେହି କଅଁଳକହି ଆମ ବିରୁଦ୍ଧରେ ପିଲାଙ୍କୁ ମତାଇ ଦେଇଛି । ସେହି ଯାଦୁକରୀର କବଳରୁ ତାକୁ ଓଟାରି ଆଣ ।

 

ମୁଁ ଉମରକୋଟ ଯିବା ସିନା ବିଧାନକୁ ଟାଣିଓଟାରି ଆଣି ପାରିବି ନାହିଁ । ତା’ର ମନ ବୁଝିଲେ ସେ ନିଶ୍ଚୟ ଫେରିବ । ବରଂ ତରୁଣ ଡାକ୍ତରଙ୍କ ପାଖରୁ ଟାଣ କରି ଖଣ୍ଡେ ପତ୍ର ଲେଖି ଦେଉଛି । ସେ ବିଧାନକୁ ଏଠାରୁ ତାଙ୍କ ସଙ୍ଗରେ ନେଇ ଯାଇଥିଲେ ନିଜେ ଆଣି ଛାଡ଼ି ଦେଇ ଯାଉନ୍ତୁ ନୋହିଲେ, କାହା ସଙ୍ଗରେ ସେ ତାକୁ ପଠାଇ ଦିଅନ୍ତୁ । ଏତକ କରିବା ତାଙ୍କର ଦାୟିତ୍ୱ ।

 

ଉଷାରାଣୀ ଆଖିରୁ ଲୁହପୋଛି କହିଲେ, ସେଇଆ କର, ଡାକ୍ତର କି ଉତ୍ତର ଦେଉଛନ୍ତି ଦେଖିବା ।

 

ବିଜନ ବୋଷ ତାଙ୍କ ଗୃହିଣୀଙ୍କର ଆଖିର ଲୁହର ଅର୍ଥ ବୁଝି ପାରିଲେ ନାହିଁ । ପଚାରି ବୁଝିବା ଆବଶ୍ୟକ ମଣିଲେ ନାହିଁ । ପରଦିନ ଡାକ୍ତରବାବୁଙ୍କ ପାଖକୁ ଉମରକୋଟ ମୁକାମକୁ ଖଣ୍ଡିଏ ପତ୍ର ଲେଖିଲେ । ସେ ପତ୍ରର ମର୍ମହେଲା ଯେ ଉଭୟେ ଡାକ୍ତର ଓ ତାଙ୍କର ସ୍ତ୍ରୀ ବିଧାନକୁ କୁ–ଶିକ୍ଷା ଦେଇ ତାକୁ ଚାକର କରି ରଖିବାକୁ ଚକ୍ରାନ୍ତ କରିଛନ୍ତି । ସେ ନିଜେ ବିଧାନକୁ ବିଜନ ବୋଷଙ୍କ ଘରେ ଛାଡ଼ି ଦେଇ ଯାଉନ୍ତୁ । ଏତକ ନ କଲେ, ଛୋଟପିଲାକୁ ଭଣ୍ଡି ନେଇ ଚାକର କରି ପାଖରେ ରଖିଛନ୍ତି ବୋଲି ବିଜନ ଉପରିକମାନଙ୍କ ପାଖରେ ଅଭିଯୋଗ କରିବେ ।

 

ଉମରକୋଟରୁ ତରୁଣବାବୁ ଡାକ୍ତର ଉତ୍ତର ଲେଖି ଜଣାଇଁ ଦେଇଛନ୍ତି,–ଆପଣଙ୍କ ପାଖକୁ ଛୋଟ କାପ୍‌ସି ଫେରି ଯିବାକୁ ବିଧାନକୁ ମୁଁ ଓ ଗାୟତ୍ରୀ ଆଗରୁ ଅନେକଥର ବୁଝାଇଥିଲୁ ଓ ପ୍ରବର୍ତ୍ତାଇଥିଲୁ । ସେ ଫେରି ଯିବାକୁ ଅମତ ହେଉଥିଲା । କାହିଁକି, ସେ ବିଷୟ ଆପଣମାନଙ୍କୁ ବେଶି ଜଣାଥିବ । ଆପଣଙ୍କର ଗତ ପତ୍ରଟି ପଢ଼ି ଆମେ ଦିହେଁ ବେଶ୍‌ ଆମୋଦିତ ହେଲୁଁ । ସେ ପତ୍ରଟିକୁ ଆମେ ବିଧାନକୁ ଦେଇ ଦେଇଛୁ । ତା’ର ଇଚ୍ଛା ହେଲେ ସେ ଆପଣଙ୍କୁ ଉତ୍ତର ଦେଇପାରେ ।

 

ସେ ଛୋଟପିଲା ନୁହେଁ ଯେ ତାକୁ କେହି ବାଧ୍ୟ କରିବ । ଆପଣ ଆମ ଦୁହିଁଙ୍କୁ ଭୁଲ୍‌ ବୁଝିଛନ୍ତି । କେବଳ ଆମ ଉପରେ ଦୋଷାରୋପ କରି ନାହାନ୍ତି ତ, ଧମକବି ଦେଇଛନ୍ତି । ଏହା କରିବାଦ୍ୱାରା ଆପଣ ଆମର ଅନିଷ୍ଟ କରି ପାରିବେ ନାହିଁ, ବରଂ ବିଧାନର ଅନିଷ୍ଟ କଲେ ବୋଲି ମୋର ଧାରଣା । ଗୋଟିଏ ବର୍ଷରୁ ଅଧିକ ଅତୀତ ହୋଇଛି । ଏହି ଅଳ୍ପକାଳ ମଧ୍ୟରେ ଆପଣଙ୍କର ପୁତ୍ର ବିଧାନର ସ୍ୱାସ୍ଥ୍ୟ, ବ୍ୟବହାର ବିଦ୍ୟା ଓ ବୁଦ୍ଧିର ଯଥେଷ୍ଟ ଉନ୍ନତି ହୋଇଛି ।

 

ସେ ଯାହାହେଉ, ଆଜି ଆପଣଙ୍କର ଦୋଷଦିଆ ପତ୍ର ପାଇବା ସଙ୍ଗେ ସଙ୍ଗେ ଆମେ ବିଧାନକୁ ବିଦାୟ କରି ଦେଉଛୁ । ଆଜିସୁଦ୍ଧା ତାହାର ଯାହା ପାଉଣା ଥିଲା ସବୁ ଚୁକ୍ତି କରି, ପାରଲକୋଟ ଫେରି ଯିବାପାଇଁ ପାଥେୟ ମଧ୍ୟ ଦେଇଛୁ । ଆମ ଘରେ ଆଉ ବିଧାନର ସ୍ଥାନ ନାହିଁ, ଏହା ଆପଣ ଓ ଆପଣଙ୍କର ସ୍ତ୍ରୀ ଜାଣନ୍ତୁ । ଭବିଷ୍ୟତ୍‌ରେ ଆପଣଙ୍କର ଯଦି ବିଧାନ ସମ୍ବନ୍ଧରେ କିଛି ଜାଣିବାର ଆଗ୍ରହ ହୁଏତ ସିଧାସଳଖ ତା’ ପାଖକୁ ପତ୍ର ଦେବେ । ତାକୁ ଆମ ଘରୁ ବିଦାୟ ଦେଲାବେଳେ ମଧ୍ୟ ଆମେ ଦୁହେଁ ତାକୁ ଆପଣଙ୍କ ପାଖକୁ ଶୀଘ୍ର ଫେରି ଯିବାକୁ ଉପଦେଶ ଦେଇଛୁ–

 

ପତ୍ରଟି ପାଇ ବିଜନ ସ୍ତମ୍ଭୀତ ହେଲେ । ସ୍ତ୍ରୀଙ୍କ କଥାରେ ପଡ଼ି ଫଳାଫଳ କ’ଣ ହେବ ବିଚାର ନ କରି ସେ ପତ୍ରଖଣ୍ଡି ଲେଖି ଦେଇଥିଲେ । ଡାକ୍ତରଙ୍କ ଉତ୍ତରରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସେ ନିଜେ ବିଧାନର ସର୍ବନାଶ କରିଛନ୍ତି । ହତଭାଗ୍ୟ ନିରାଶ୍ରୟ ପିଲାଟିକୁ ଅନାଥ କରି ସେ ବାଟରେ ଠିଆ କରାଇଛନ୍ତି । କାହିଁକି ସେ ପାରଲ୍‌କୋଟ ଫେରି ଆସିବ, କାହା ପାଖକୁ ? କିଏ ତାକୁ ସ୍ନେହ କରିଛି, ତା’ର ଭବିଷ୍ୟତ ଚିନ୍ତା କରିଛି ? କୁକୁର ବିଲେଇ ପରି ମୁଠିଏ ଅନ୍ନ ଖାଇ, ଗାଳିମାଡ଼କୁ ଦେହର ମଳି କରି, କେବଳ ବଞ୍ଚି ରହିବାକୁ ସେ ଫେରିବ କାହିଁକି ? ପିଲାଟି ଦିନରୁ ତାକୁ ଓ ସଂସାରର ଲୋକଙ୍କୁ ଜଣାଇ ଦିଆହୋଇଛି ଯେ ସେ ଏ ଘରର ପୁଅ ନୁହେଁ । ସେ ଅବାଞ୍ଛିତ ଆଉ କିଏ । ଏ ସଂସାରର କେହି ବା କିଛି ତା’ର ମନକୁ ଓଟାରି ଆଣିବ ନାହିଁ ।

 

ବିଧାନ ଦୂରେଇ ଗଲା ।

 

ସେ ଠିକ୍‌ ଭାବିଛି । ମଣିଷ ପିଲାଟିଏ ସେ । ସ୍ୱାଧୀନ ଜୀବନର ସ୍ୱାଦ ପାଇଲା ପରେ ପରାଧୀନତାର ପଞ୍ଜୁରୀ ଭିତରକୁ ଫେରି ଆସିବାକୁ କାହିଁକି ସେ ଜାଣି ଜାଣି ଆଗ୍ରହୀ ହେବ ? ବିଧାନ ଫେରିବ ନାହିଁ, ଡାକ୍ତରଙ୍କ ପତ୍ରରୁ ଏହାର ସୂଚନା ମିଳୁଛି ।

 

ବିଜନ ବୋଷଙ୍କର ଆଖି ସଜଳ ହେଲା । ଭାବିଲେ, ନିଜେ ସେ ଉମରକୋଟ ଯିବେ । ଡାକ୍ତର ଓ କଲ୍ୟାଣୀଙ୍କ ପାଖରେ କ୍ଷମା ପ୍ରାର୍ଥନା ମାଗିବେ । ଅନୁରୋଧ କରିବେ, ବିଧାନ ଛୋଟକାପ୍‌ସି ନ ଫେରୁ ପଛକେ ତାକୁ ଘରୁ ତଡ଼ି ବାଟରେ ଠିଆ କର ନାହିଁ ।

 

ବିଜନ ଆଖି ପୋଛି ହତା ଭିତରକୁ ପଶିଲେ । ପୋଷ୍ଟ୍ ପିଅନ ସାଇକେଲ ଚଢ଼ି କେତେବେଳୁ ଅଦୃଶ୍ୟ ହୋଇଗଲାଣି । ସମୟ ହେଲାଣି ପ୍ରାୟ ଦଶଟା । ଶୀତୁଆ ସକାଳ କେତେବେଳୁ ମେଲାଣି ନେଲାଣି, ମାଡ଼ି ଆସିଲାଣି ତପନଜାଳର ତାରୁଣ୍ୟ ।

 

ଚଉବନ

 

ଉଷାରାଣୀ ଗୁହାଳ ସଫା କରୁଛନ୍ତି । ଟୋକେଇରେ ଗୋବର ପୂରାଇ ବାଡ଼ ପାଖ ଗୋବରଖାତରେ ଅଜାଡ଼ୁଛନ୍ତି । ଦୁର୍ବଳ ଦେହ । ଅସଜଡ଼ା କେଶ ଫୁର୍‌ଫୁର୍‌ ହୋଇ ଦୋହଲୁଛି । ଦରମଇଳା ଲୁଗାର କାନି ଅଣ୍ଟାରେ ଗୁଡ଼ାଇଛନ୍ତି । ହାତରେ ଦି’ ଦି’ ପଟି ଶଙ୍ଖ ପଥରର ବାଲା । ଦୁଇ କାନରେ ଦିଓଟି ସୁନାର ବାଲା । ଗହଣା ମାତ୍ର ଏତିକି । ଛୋଟ ଝିଅ ବୀଥିକା ଫୁଲକଢ଼ରେ ପୂର୍ଣ୍ଣ ଗେଣ୍ଡୁଗଛର କିଆରି ପାଖରେ ଏପାଖ ସେପାଖ ହେଉଛି । ଫୁଲ ଛିଣ୍ଡାଇ ତଳେ ଜମାଉଛି । ବିମଳ ଓ ବିକାଶ ବୋଧହୁଏ ସ୍କୁଲ୍‍କୁ ଚାଲିଗଲେଣି । ସେମାନଙ୍କର ପାଟିତୁଣ୍ଡ ଶୁଭୁ ନାହିଁ ।

ବିଜନଙ୍କୁ ଦେଖି ଗୋବର ବଲବଲ ହାତ କରି ଉଷା ପାଖକୁ ଆସିଲେ । ପଚାରିଲେ, ଏତେବେଳଯାଏ କୁଆଡ଼େ ଥିଲ କି ? ଗ୍ରାମସେବକ ତୁମକୁ ଖୋଜିବାକୁ ଆସିଥିଲେ । କହୁଥିଲେ, ଆମର କେଉଁ ଜମିରେ କୁଆଡ଼େ ଘାସ ମାଡ଼ି ଯାଉଛି । ଶୀଘ୍ର ବଛାବଛି ନ କଲେ ଧାନ ଗଛ ନଷ୍ଟ ହୋଇଯିବ । କ’ଣ ବରାଦ କରୁଛ ?

ବିଜନ ଉତ୍ତର ଦେଲେ, ଏକା ମୋ ଜମିରେ ନୁହେଁ, ଅଧିକାଂଶଙ୍କ ଜମିରେ ସେପରି ହୋଇଛି । ପ୍ରତ୍ୟେକ କୁଟୁମ୍ବକୁ ସରକାର ପ୍ରାୟ କୋଡ଼ିଏ ବିଘା ଜମି ଦେଇଛନ୍ତି । ଦୁଇବର୍ଷ ହେଲା ସେମାନେ ହଳ କରାଇ ଦେଉଥିଲେ । ଏବର୍ଷ ଅଧେ ଜମି ହଳ କରେଇଲେ । ବାକିତକ ମୋତେ ହାତରେ କରାଇବାକୁ ପଡ଼ିଲା । ଅଭ୍ୟାସ ତ ନଥିଲା, ସ୍ଥାନୀୟ ଲୋକେ ଦୂର ଗ୍ରାମମାନଙ୍କରେ ରହନ୍ତି । ଗଣ୍ଡ ଆଦିବାସୀ, ମଦ ଖାଇ ସବୁବେଳେ ପିଣ୍ଡାରେ ବସି ପାଟିତୁଣ୍ଡ କରନ୍ତି, ନୋହିଲେ ବଣରେ ବୁଲି ଶିକାର ଖୋଜନ୍ତି । ସମସ୍ତଙ୍କରବି ଜମି ଅଛି । ମରଦେ ମାଇପେ ଜମିରେ କାମ କରନ୍ତି । ମୂଲିଆ ମିଳୁ ନାହାନ୍ତି । ଆମ ଜମିରେ କାମ କରିବାକୁ ଆସିବ କିଏ ?

ଉଷା ହାତ ଧୋଇ କହିଲେ, ବଙ୍ଗାଳୀ ଘରର ଝିଅ ବୋହୂ ବିଲରେ କାମ କରିବାକୁ ଯାଉ ନଥିଲେ, ଭଲ ଜାତିର ହେଉନ୍ତୁ କି ନମଃଶୂଦ୍ର ହେଉନ୍ତୁ । ନ ଗଲେ ନ ଚଳେ ଏହା ତ ଅନେକ ବୁଝିଲେଣି । ଆତ୍ମ–ମର୍ଯ୍ୟାଦାକୁ ଅଣ୍ଟାରେ ଖୋସି ଅନେକ ଘରଣୀ ବିଲରେ କାମ କରିବାକୁ ଗଲେଣି । ମୋର ସେଥିକି ଆପତ୍ତି ନାହିଁ ଯେ ମୋତେ ବିଲ ବାଛି ଆସିବ ନାହିଁ, କିନ୍ତୁ ତୁମେ ଯଦି ହଳ କରି ଜାଣିଲଣି, ବିଲ ବାଛି ଜାଣିଲଣି, ଯେଉଁ କାମ ତମ ମୂଲିଆ ପ୍ରଜା କରୁଥିଲେ ସେ ସବୁ ଦେହ ମିହନ୍ତ କାମ କରିପାରିଲଣି, ମୋତେବି ବିଲ ବାଛି ଘାସ ଉପାଡ଼ି ଆସିବ । ଆରମ୍ଭ କଲେ ଅଭ୍ୟାସ ହୋଇଯିବ ।

ତୁମେ ଦତ୍ତ ଘର ଝିଅ, ବୋଷ ଘର ବୋହୂ !

ତୁମେ ବୋଷ ଘର ପୁଅ, ଦତ୍ତ ଘର ଜୋଇଁ ନୁହ କି ?

ଘର କାମ କରିବ କିଏ, ପିଲା ତିନୋଟିଙ୍କର ଖବର ବୁଝିବ କିଏ ତୁମେ ଯଦି ବିଲକୁ ଯାଅ ? ଆମର ଲୋକବଳ ନାହାନ୍ତି । ମୋଦ୍ୱାରା ଯେତିକି ସମ୍ଭବ ସେତିକି ହେବ । ଘାସ ବଢ଼ୁ, ଧାନ ନଷ୍ଟ ହେଉ, ସେଥିକି ଆମର ଚାରା ନାହିଁ ।

ସେ ନିଆଁଲଗା ଡାକ୍ତର ଆଉ ତା’ର କଅଁଳକହି ନର୍ସ ଭାରିଯା କଲ୍ୟାଣୀ ମୁହଁପୋଡ଼ୀ ଯଦି ବିଧାନକୁ ନିଜ କବଳରୁ ମୁକ୍ତି ଦିଅନ୍ତେ ବିଧାନ ଏଠାକୁ ଫେରି ଆସନ୍ତା । ସେ ଆସିଲେ ଆମର ଜୋର୍‌ ବଢ଼ନ୍ତା । ତୁମକୁ ଓଟାରିଆ ପଡ଼ନ୍ତା ନାହିଁ । ସଂସାର ଭଲରେ ଚଳନ୍ତା ।

 

ବିଜନ ଉତ୍ତର ଦେଲେ ନାହିଁ । ମଣିଲେ, ଛାତି ପକେଟରେ ଲୁଚି ରହିଥିବା ପତ୍ର ଖଣ୍ଡି ଯେପରି ହଲ୍‌ଚଲ୍‌ ହେଉଛି । ଉସ୍କଉଛି ପଚାରିବାକୁ, କହତ ଉଷାରାଣୀ, ଦତ୍ତ ଘରର ସୁକୁମାରୀ ଅଲିଅଳ ଝିଅ, ବୋଷ ଘରର ଫୁଲରାଣୀ ପ୍ରଶଂସିତ ବୋହୂ କହତ, ବିଧାନ ଏ ଘରକୁ ଫେରିବ କ’ଣ ହୋଇ, ବିଜନ ବୋଷର ବଡ଼ପୁଅ ହୋଇ କି ଜଣେ ଅନାଥ ଅତ୍ୟାଚାରିତ ଆଜୀବନ କ୍ରୀତଦାସ ହୋଇ ?

 

ବିଜନ ଛାତି ପକେଟରେ ହାତ ଚାପି ଉଷାରାଣୀଙ୍କ ମୁହଁକୁ ଅଳ୍ପ ହସିଲା ଓଠରେ ଚାହିଁଲେ । ସେ ହସ ଓ ଦୃଷ୍ଟିରେ ଛପି ରହିଥିଲା ବିଦ୍ରୂପର ତୀକ୍ଷ୍ଣ ସାୟକ ।

 

ସେ ଆଗେଇ ଗଲେ । ଗେଣ୍ଡୁ କିଆରି ପାଖରେ ଖେଳୁଥିବା ପାଞ୍ଚବର୍ଷର ଝିଅଟିକୁ ତଳୁ ଉଠାଇ ଛାତିରେ ଜାକିଲେ । ମୁହଁରେ ବୋକ ଦେଇ ପଚାରିଲେ, ତୁ ଆଜି ସ୍କୁଲ୍‍କୁ ଯାଇନାହୁଁ କି ମା’, ଘରେ ରହିଛୁ ଯେ ?

 

ବୀଥିକା ତାଙ୍କର ଗାଲ ଆଉଁସି ଗେହ୍ଲେଇ କହିଲା, କେମିତି ଯାଆନ୍ତି, ମାଆ କ’ଣ ଘରେ ଏକା ରହନ୍ତା ? ତା’ର ଦେହ ଭଲ ନାହିଁ । ସେ କାମ କରୁଛି ଆଉ ବେଳେବେଳେ କାନ୍ଦୁଛି । ସ୍କୁଲ୍‍କୁ ଯିବାକୁ ମତେ ସେ ମନା କଲା ।

 

କୋଳରୁ ଓହ୍ଲାଇ ବୀଥିକାକୁ ତଳେ ଠିଆ କରି ବିଜନ ମୁହଁ ବୁଲାଇ ଉଷାରାଣୀଙ୍କୁ ଚାହିଁଲେ । ଉଷାରାଣୀ ପାଣି ଢାଳି ଗୁହାଳ ସଫା କରୁଛନ୍ତି । ବଳଦ ହଳିକ ଓ ଗର୍ଭଣୀ ଛଡ଼ାକୁ ଗୋରୁ ଜଗୁଆଳ ଦେଓଦାନଦୀ କୂଳ ବଣକୁ ଚରାଇବାକୁ ନେଇ ଯାଇଥିବ । ନଈ ସେପାଖ ବଡ଼କାପ୍‌ସି ଗ୍ରାମର ଗଣ୍ଡ–ଆଦିବାସୀ ଟୋକାଟିଏ ପନ୍ଦର ଘରର ଗାଈ–ବଳଦ ଜଗେ ଓ ଚରାଏ । ମୁଣ୍ଡପିଛା ମାସକୁ ନିଏ ଟଙ୍କାଏ । ସଞ୍ଜ ଆଗରୁ ଯେଝା ଗୋରୁ ଯେଝା ଘରେ ଛାଡ଼ି ଦେଇଯାଏ । ତାକୁ ସାହାଯ୍ୟ କରେ ତା’ର ବୁଢ଼ା ବାପ ।

 

ବିଜନ ଗୁହାଳ ପାଖକୁ ଆସି ପଚାରିଲେ, ତୁମର ଦେହ ଭଲ ନାହିଁ ବୋଲି ବୀଥି କହୁଛି-। ଆଜି ଏସବୁ କାମ ନ କରିଥିଲେ ମୁଁ ଆସି କରି ଦିଅନ୍ତି । ତୁମେ ଉଠ, ମୁଁ ସଫା କରି ଦେଉଛି-

 

ଉଷାରାଣୀ କହିଲେ, କାମ ସରିଲାଣି । ଆମର ଛୋଟ ସଂସାରରେ କ’ଣ ବା କାମ ଅଛି ? ଆଳସ୍ୟରେ ବସି ରହିଲେ ମନେହୁଏ ଘରର କାମ ପର୍ବତର ବୋଝପରି । ଅଣ୍ଟାଭିଡ଼ି ହାତ ଗୋଡ଼ ଚାଳିଲେ ଦେଖୁଦେଖୁ ସବୁ ହୋଇଯାଏ । ରୋଷେଇ ସରିଛି । ବୀଥି ମୋର ପକ୍କା ଘରଣୀ ହେଲାଣି ଯେ, କଥାମାନି ଛୋଟ ଛୋଟ କାମ କରିଛି । ସ୍ଲେଟ୍‌ ଧରି ମୋ ପାଖରେ ବସି ପାଠ ଲେଖିଛି । ମୋ କାମ ସରିଲା । ଚାଲ ଏଥର । ବାଇଗଣ କିଆରିରେ ସାର ଦେବାକୁ କହୁଥିଲ ପରା ? ଗଛଗୁଡ଼ିକ ଉଧାଉ ନାହିଁ ।

 

ବିଜନଙ୍କର ଉତ୍ତରକୁ ଅପେକ୍ଷା ନ କରି ଉଷାରାଣୀ ଘର ଭିତରକୁ ଆସିଲେ । ଛାଞ୍ଚୁଣି ଧରି ଓଳାଇବାକୁ ଆରମ୍ଭ କଲେ ।

 

ତାଙ୍କ ପଛେ ପଛେ ବିଜନ ଆସି କହିଲେ, ଉମରକୋଟରୁ ତରୁଣ ଡାକ୍ତର ଚିଠି ଲେଖିଛନ୍ତି । ଆମର ଚିଠି ସେ ପାଇଛନ୍ତି ।

 

ଉଷାରାଣୀ ଛାଞ୍ଚୁଣିଟି ତଳେ ପକାଇ ତକ୍ତପୋଷ ଉପରେ ବସିଲେ । ବିଜନଙ୍କୁ ଚାହିଁ ପଚାରିଲେ, କ’ଣ ସେ ଲେଖିଛନ୍ତି, ବିଧାନକୁ କେବେ ସେ ପଠାଉଛନ୍ତି ?

 

ବିଜନ ଛାତି ପକେଟରୁ ଚିଠି ଖଣ୍ଡି କାଢ଼ି ଉଷାରାଣୀଙ୍କ ପାଖରେ ରଖି କହିଲେ, ଯାହା ହେବାର ହୋଇ ଯାଉଛି । ଡାକ୍ତରଙ୍କ ପତ୍ର ପଢ଼ି ତୁମେ ଉତ୍ୟକ୍ତ ହେବ ନାହିଁ । ଆମେ ତାଙ୍କ ଉପରେ ବିରକ୍ତ ହେଲେ, ଏଠାରେ ଥାଇ ରାମ୍ପି ବିଦାରି ହେଲେ, କ୍ଷତି ସିନା ଆମର ହେବ, ସେମାନଙ୍କର ଅନିଷ୍ଟ ହେବ ନାହିଁ ।

 

ଚିଠି ଖଣ୍ଡି ହାତରେ ଉଠାଇ ଉଷାରାଣୀ କହିଲେ, ବିଧାନକୁ ସେ ଛାଡ଼ିଦେବେ ନାହିଁ, ଏହି କଥା ସେ ଲେଖିଥିବେ ତ ? ସେଥିପାଇଁ ମୁଁ ଉତ୍ୟକ୍ତ ହେବି କାହିଁକି ? ବିଧାନ ବଡ଼ ହେଲାଣି । ପାଠ ପଢ଼ିଲାଣି । ତା’ର ବୁଦ୍ଧି ଅଛି । ସେ ଯଦି ଚାହିଁବ ତା’ ମନକୁ ଚାଲି ଆସିବ । କିନ୍ତୁ ସେ ମୋ ପାଖକୁ ଫେରି ଆସିବାକୁ କାହିଁକି ମନ କରିବ ? ନିର୍ଯାତନା ଦେବା ଛଡ଼ା ମୁଁ ତା’ପାଇଁ କେବେ କ’ଣ କରିଛି କି ?

 

ଉଷାରାଣୀଙ୍କର ଆଖିରେ ଲୁହ ଢଳଢ଼ଳ ହେଲା । ସେ ପତ୍ର ଖଣ୍ଡି ଖୋଲିଲେ । ଦୃଷ୍ଟି ପକାଇଲେ । ପଢ଼ି ପାରିଲେ ନାହିଁ । ମୁହଁ ଟେକି କହିଲେ, ଛୋଟକାପ୍‌ସି ଛାଡ଼ି ସେ ଉମରକୋଟ ଚାଲିଗଲାପରେ ନିଜକୁ ନିଜେ ମୁଁ ଚୋବାଇ ଖାଇଲି । ମୋର ସବୁ ରାଗରୋଷକୁ ନିଜ ଭିତରେ ମୁଁ ଜାଳିପୋଡ଼ି ଭସ୍ମ କଲି । ତୁମେ କି ଏ ସଂସାରର ଆଉକେହି, ମୋ ଭିତରେ ଜଳିପୋଡ଼ି ଭସ୍ମ କଲି । ତୁମେ କି ଏ ସଂସାରର ଆଉକେହି, ମୋ ଭିତରେ ଜଳିପୋଡ଼ି ପାଉଁଶ ହେଉଥିବା ମୋର ଅକାରଣ କ୍ରୋଧକୁ ଦେଖିନାହିଁ । ତିନିଟା ଛୁଆ ପୁଣି ମୁଁ ଜନ୍ମ କରିଥିଲି । ସେଗୁଡ଼ାକ ତମର । ଯେଉଁ ଶିଶୁଟିକୁ ମୁଁ ସର୍ବପ୍ରଥମେ ପେଟରେ ଧରିଥିଲି, ଡର, କୌତୂହଳ, ଆନନ୍ଦ, ଅଭିମାନ, ଅହଂପଣ ପ୍ରତି ମୁହୂର୍ତ୍ତରେ ମୋ ମନରେ ନାଟ କରୁଥିଲେ ଆଉ ପେଟ ଭିତରେ ସେ ଶିଶୁଟିକୁ ଗଢ଼ୁଥିଲେ ସେ ଆସିଲା ସଂସାରକୁ । ମୋହ ହୋଇ ମୁଁ ପଡ଼ିଥିଲି । ମୋହ ଭାଙ୍ଗିଲା । କୁଆଁରଡ଼ି ଶୁଣିଲି । ଅନ୍ୟମାନେ କହିଲେ ଝିଅଟିଏ ହୋଇଛି । ଶାଶୁ ମୁହଁ ନେଫେଡ଼ି ଦେଲେ । ସମସ୍ତେ କହିଲେ ହଁ ଝିଅଟାଏ ତ । ସେମାନେ ଖୋଜୁଥିଲେ ପୁଅଟିଏ । ସେହି ଝିଅକୁ, ଯିଏ ଥିଲା ମୋର, ମୁଁ ହରାଇ ବସିଲି । ଯୁଗଟିଏ କଟି ଯାଇଛି ।

 

ବିଜନ କହିଲେ, ଆଉ କାହିଁକି ସେ କଥା ମନେପକାଇ ବୃଥାରେ ଦୁଃଖ କରୁଛ ? ବାରମ୍ବାର ତୁମକୁ ବୁଝାଇ କହିଛି, ଏବେବି କହୁଛି, ସେ ଶିଶୁ ଆମର ନୁହେଁ । ଯେଉଁ ତିନୋଟି ପିଲା ଭଗବାନ ପୁଣି ତୁମରି ପାଖକୁ ପଠାଇଛନ୍ତି, ତାଙ୍କୁ ତୁମେ ମଣିଷ କର । ଯେଉଁ ହତଭାଗ୍ୟ ପିଲାଟା ତୁମର ଛାତିରୁ ରସ ଟାଣିଥିଲା, ସେହି ବିଧାନ ତୁମକୁ ତୁମର ହଜିଲା କନ୍ୟାକୁ ପ୍ରତି ମୁହୂର୍ତ୍ତରେ ମନେ ପକାଇ ଦେଉଥିଲା । ସେ ଚାଲି ଯାଇଛି । ସେ ଆଉ ଫେରିବ ନାହିଁ କି ତୁମର ଲିଭିଆସିଥିବା ଦୁଃଖର ନିଆଁକୁ ବିଞ୍ଚି ବିଞ୍ଚି ଜଳାଇବ ନାହିଁ । ଯାଉ ସେ, ଯୁଆଡ଼େ ତା’ର ମନ ସେ ଚାଲିଯାଉ । ସବୁ ସମ୍ପର୍କ ତୁଟିଯାଉ ।

 

ପାଟି କରି ଉଠିଲେ ଉଷାରାଣୀ, ନା, ନା, ନା, ସେ କୁଆଡ଼େ ଯାଇ ପାରିବ ନାହିଁ । ଆଗୋ, ଡାକ୍ତର କ’ଣ ତାକୁ ଛାଡ଼ି ଦେବେ ନାହିଁ ? ସେଇଆ ସେ ଲେଖିଛନ୍ତି ? ସେ ଚିଠି ମୁଁ ପଢ଼ିପାରିବି ନାହିଁ । ତୁମେ ତ ପଢ଼ିଛ, ମୋତେ କହ–

 

ତୁମେ ଅସ୍ଥିର ହୁଅ ନାହିଁ କି ଡାକ୍ତରଙ୍କୁ ଭୁଲ୍‌ ବୁଝ ନାହିଁ । ସେ ବିଧାନକୁ ରୋଗମୁକ୍ତ କରି ବଞ୍ଚାଇଲେ । କଲ୍ୟାଣୀ ତାକୁ ପାଠ ପଢ଼ାଇଲେ ତା’ର ଆଖି ଖୋଲି ମଣିଷ କଲେ । ସେ ଉପାର୍ଜନକ୍ଷମ ଓ ଅନ୍ୟର ବିନା ସାହାଯ୍ୟରେ ସେ ରୋଜଗାର କରି ବଞ୍ଚି ପାରିବ ଓ ସୁଖରେ ରହି ପାରିବ, ଏ ଧାରଣା, ଏ ଆତ୍ମନିର୍ଭରଶୀଳତାର ଦୃଢ଼ପଣ ସେହି ଅନାଥ ପିଲାର ମନରେ ଆଣିଲେ କଲ୍ୟାଣୀ । ସେଥିପାଇଁ ଦୁନିଆରେ କେହି ତାଙ୍କର ଦୋଷ ଦେଇ ପାରିବେ ନାହିଁ, କେହି ତାଙ୍କୁ ନିନ୍ଦା କରି ପାରିବେ ନାହିଁ । କଲ୍ୟାଣୀ ତାକୁ ନୂଆ ମଣିଷ କରି ଗଢ଼ିଛନ୍ତି ।

 

ତା’ ବୋଲି ସେ କ’ଣ ତାକୁ ଚିରଦିନ ପାଇଁ ନିଜର ପନ୍ଦର ଟଙ୍କିଆ ଚାକର କରି ପାଖରେ ରଖିଥିବେ ?

 

ରଖି ନାହାନ୍ତି, ସେହି କଥା ଲେଖି ସେ ଜଣାଇ ଦେଇଛନ୍ତି ଏଇ ପତ୍ର ଖଣ୍ଡିକରେ । ମୋର ପତ୍ର ପାଇବା ସଙ୍ଗେ ସଙ୍ଗେ ବିଧାନକୁ ସେ ଘରୁ ବାହାର କରି ଦେଇଛନ୍ତି । ତା’ର ସବୁ ଦରମା ଓ ଛୋଟକାପ୍‌ସି ଗ୍ରାମକୁ ଫେରି ଆସିବାର ଖର୍ଚ୍ଚ ସେ ବିଧାନକୁ ଦେଇଛନ୍ତି । ବିଧାନ ଏଠାକୁ ଫେରିବ କି ନ ଫେରିବ ତାହା ସେ ଜାଣେ । ସେଥିପାଇଁ ଡାକ୍ତର ଦାୟୀ ନୁହନ୍ତି ବୋଲି ସେ ଜଣାଇ ଦେଇଛନ୍ତି ।

 

ବିଜନ ତୁନି ରହିଲେ । ଉଷାରାଣୀ ଚକିତ ହୋଇ ତକ୍ତପୋଷ ଉପରେ ପଡ଼ିଥିବା ପତ୍ର ଖଣ୍ଡିକୁ ଅପଲକ ନେତ୍ରରେ ଚାହିଁ ରହିଲେ । କାହିଁକି ତାଙ୍କର ଦୁଇ ଆଖିରୁ ଲୋତକର ପ୍ରବାହ ଛୁଟିଲା ବିଜନ ଜାଣି ପାରିଲେ ନାହିଁ । କେତେବେଳୁ ବୀଥିକା ଆସି ପାଖରେ ଠିଆ ହୋଇଥିଲା । ବାପର ସେ ଗେହ୍ଲା ଝିଅ । ସେ ଆହ୍ଲାଦ ଚାହୁଁଥିଲା । ବିଜନ ଏହା ବୁଝିପାରି ତାକୁ ତଳୁ ଉଠାଇ କୋଳକୁ ନେଲେ । ତା’ର ମୁଖ ଚୁମ୍ବନ କରି ପାଖରେ ବସାଇଲେ ।

 

ଉଷାରାଣୀ ମୁହଁ ଟେକିଲେ । ଆଖିରୁ ଲୁହ ପୋଛି ଧୀର କଣ୍ଠରେ କହିଲେ, ଫେରିବ ନାହିଁ ବିଧାନ, ଚିରଦିନ ପାଇଁ ମୋତେ ଋଣୀ ରଖିବ ? ଅଜାଣତରେ ନିଦ ବାଉଳାରେ କେବେ ଗୋଟାଏ ଯୁଗ ତଳେ ସେ ମୋ ଛାତିରେ ମୁହଁ ଗୁଞ୍ଜି କେଇ କଳ ଦୁଧ ଖାଇଥିଲା । ସେହି ଅପରାଧ ପାଇଁ ମୋ ପାଖରୁ କେତେ ଗଞ୍ଜଣା ସେ ପାଇଛି । ନିର୍ଯାତନା ସହିଛି । ପିଲାଟିଏ ହୋଇଥିଲାବେଳେ ବିକଳ ହୋଇ ସେ କାନ୍ଦୁଥିଲା । ତା’ର ଆଖିରୁ ଲୁହଧାର ଗଡ଼ୁଥିଲା । ସେ ମୋର ପାଦଧରି କ୍ଷମା ଚାହୁଁଥିଲା । କି ଅପରାଧ ସେ କରିଥିଲା ନିଜେ ଜାଣେ ନାହିଁ ।

 

ଗତ କଥା କାହିଁକି ଆଉ ଭାବୁଛ ? ଡାକ୍ତର ତାକୁ ଘରୁ କାଢ଼ି ଦେଇଛନ୍ତି । ଏଣେତେଣେ ହୋଇ ପାଇଥିବା ପଇସାପତ୍ର ଶେଷ କରି ଅସୁବିଧାରେ ପଡ଼ିଲେ ବଳେ ତା’ ମନକୁ ସେ ଏଠାକୁ ଫେରି ଆସିପାରେ, ନୋହିଲେ ନାହିଁ । ତା’ କଥା ସେ ବୁଝିବ । ତା’ ବିନା ଆମର ଦୁଃଖର ସଂସାର ଅଚଳ ରହିବ ନାହିଁ । ଅସୁବିଧା ସତ୍ତ୍ୱେ ସମୟ କଟିଯିବ ।

 

ହଁ ଗୋ, କାହାରି ବିନା କାହାରି ସଂସାର ଅଚଳ ରହେ ନାହିଁ । ପାଣି ସୁଅ ପରି ସମୟ ବହିଯାଏ । କିନ୍ତୁ ବିଧାନ ବିନା ମୋର ଜୀବନ ସତେ ଯେପରି ହୁହୁ ହୋଇ ଜଳୁଛି । ମୋ ଛାତିତଳେ କ’ଣ ଗୋଟିଏ ପକ୍ଷାଘାତ ରୋଗରେ ପଡ଼ିଛି । ତୁମେ ବିଶ୍ୱାସ କରି ପାରିବ ନାହିଁ । ସଂସାରର ଆଉ କେହି ବିଶ୍ୱାସ କରି ପାରିବେ ନାହିଁ ।

 

ଉଷାରାଣୀ କହିବାକୁ ଲାଗିଲେ, ତୁମେ ଓ ଏ ଦୁନିଆର ଲୋକେ ଜାଣିଛ ବିଧାନ ମୋର ଆଖିର ବାଲି ପରି ଥିଲା । ସବୁବେଳେ ଖେଞ୍ଚୁଥିଲା । ସମସ୍ତେ ଶୁଣିଛ, ମୁଁ ତା’ ଉପରେ ଗର୍ଜୁଥିଲି । କଥା ଅକଥାରେ ତାକୁ ପ୍ରହାର କରୁଥିଲି । କୁକୁର ବିଲେଇ ପରି ତା’ ଆଗରେ ଅଇଁଠା ଭାତ ପୁଞ୍ଜିଏ ଥୋଇ ଦେଉଥିଲି । ସେ କୁଆଡ଼େ ପଳାଉ କି ମରିଯାଉ ବୋଲି ମୁଁ ଅକଲ୍ୟାଣ କରି ଗାଳି ଦେଉଥିଲି ।

 

ଆଖିର ଲୁହ ପାପୁଲିରେ ପୋଛି ସେ ପୁଣି କହିଲେ, ସତକଥା, ମୁଁ ବି ମୋର ଏଇ ପ୍ରକୃତି ଦେଖିଛି । ସବୁ ସତ୍ତ୍ୱେ ତାକୁ ମୁଁ ବଞ୍ଚାଇ ରଖିଥିଲି । ମୋ ଭିତରେ କିଏ ଯେପରି ସବୁବେଳେ ବିକଳ ହୋଇ କାରୁଣ୍ୟ କରି କହୁଥିଲା ପ୍ରତି ମୁହୂର୍ତ୍ତରେ, ଅନାଥ ପିଲାଟା ବଞ୍ଚି ଥାଉ– ।

 

ବିଜନ କହିଲେ, ଏ ସବୁ ଅନ୍ୟ ଆଗରେ ପ୍ରକାଶ କରି ଆଉ ଲୋକଙ୍କର ବିଦ୍ରୂପର କାରଣ ହେବା ଉଚିତ ନୁହେଁ । ସେ ବଞ୍ଚିଛି, ସେ ବଞ୍ଚିବ । ଭଗବାନ ତାକୁ ଦୀର୍ଘାୟୁ କରନ୍ତୁ । ତା’ ବିଷୟ ଚିନ୍ତା କରି ଓ ତା’ ବିଷୟରେ ଚର୍ଚ୍ଚା କରି ଆଉ ଆମର ମନରେ ଅଶାନ୍ତି ଆଣିବା ଉଚିତ ନୁହେଁ । ମନେକର ବିଧାନ ବୋଲି କେହି କେବେ ଆମର ସଂସାରରେ ନଥିଲା ।

 

ଉଷାରାଣୀ କହିଲେ, ସେପରି ମନେ କରିବା ସମ୍ଭବ ନୁହେଁ । ଯୁଆଡ଼େ ଚାହିଁଲେ ଏ ଘରର ପ୍ରତି ସ୍ଥାନରେ ସତେ କି ବିଧାନ ଠିଆ ହୋଇଛି ବୋଲି ମନେ ହେଉଛି । ସମସ୍ତେ ତାକୁ ଝୁରି ହେଉଛନ୍ତି । ନିଦ୍ରିତା ଅବସ୍ଥାରେ ମୁଁ ବାରମ୍ବାର ତାକୁ ସପନ ଦେଖୁଛି ଗୋ, ମୋ କଥା ତୁମେ ବିଶ୍ୱାସ କର । ଚଉଦ କି ପନ୍ଦରବର୍ଷ ତଳକୁ ମୁଁ ମୋର ସପନରେ ଫେରି ଯାଉଛି, ସୁଦୂର ପୂର୍ବ–ବଙ୍ଗର ଆମର ସେହି ବଡ଼ ଗ୍ରାମକୁ, ସୁଖ ସୌଭାଗ୍ୟ ଭରା ଆମର ସେହି ସ୍ୱର୍ଗର ସଂସାରକୁ । ପିଲାଟିଏ ମୋର ହେବ ବୋଲି ସମସ୍ତେ ଉଦ୍‌ବିଗ୍ନ ହୋଇ ଅପେକ୍ଷା କରିଛନ୍ତି । ଗର୍ଭ–ବେଦନାରେ ମୁଁ ଛଟପଟ ହେଉଛି । ତିନିପୁର ମତେ ଅନ୍ଧାର ଦିଶୁଛି । ଭାବୁଛି, ଏଇ ଶୂଳର ତୋଫାନିଆ ଧକ୍କାରେ ମୋର ଜୀବନ ଯିବ । ମୋହ ଗଲି । ଆଖି ଖୋଲିଲି କେତେବେଳକେ । କାନରେ ପଡ଼ିଲା, ସେମାନେ କହୁଛନ୍ତି ହ ଝିଅଟାଏ । ସମସ୍ତେ ସେମାନେ ପୁଅଟିଏ ଖୋଜୁଥିଲେ । ଟିକି ପିଲାର କୁଆଁ ରଡ଼ି ଶୁଣିଲି । କଣେଇଁ ଚାହିଁଲି । ଦେଖିଲି, ପୁଅଟିଏ ମୋର ପାଖରେ ଶୋଇଛି । ଝିଅ ନୁହେଁ, ପୁଅ । ମୋର ପୁଅ, ଯାହାର ନାମ ତୁମେ ଦେଇଛ ବିଧାନ ।

 

ସ୍ୱପ୍ନ ।

 

ହଁ, ସ୍ୱପ୍ନ । ଥରେ ନୁହେଁ କେତେଥର ଦେଖିଛି, ଏଇ ବର୍ଷକ ଭିତରେ, ବିଧାନ ମୋ ପାଖରୁ ଅନ୍ତର ହେଲାପରେ । ସେହି ସ୍ୱପ୍ନ ମୋ ପଛେ ପଛେ ସବୁବେଳେ ଗୋଡ଼ାଇଛି । ମତେ ଚେତାଇ ଦେଉଛି, ଯାହାକୁ ପେଟରୁ ଜନ୍ମ କରିହୁଏ ନାହିଁ ସେ ମନରୁ ଜନ୍ମେ, ବାରମ୍ବାର ଜନ୍ମେ । ବିଧାନକୁ ଛାଡ଼ି ମୁଁ ରହି ପାରିବି ନାହିଁ ଗୋ, ତୁମେ ଉମରକୋଟ ଯାଇ ତାକୁ ନେଇଆସ ।

 

ବିଜନ ଓ ଉଷାରାଣୀ ବାହାରକୁ ଚାହିଁଲେ । ରାମ ଓ କୃଷ୍ଣ ପରି ଭାଇ ଦିଓଟି ବିକାଶ ଓ ବିମଳ, ଗେଟ୍‌ ଖୋଲି ଅଗଣାକୁ ଆସୁଛନ୍ତି । କାନ୍ଧରୁ ଝୁଲୁଛି ପୁସ୍ତକର ବ୍ୟାଗ୍‌ । ମୁହଁ ଦିଓଟି ଝାଉଁଳି ପଡ଼ିଛି ।

 

ଦୁଇ ଭାଇଙ୍କୁ ଦେଖି ବୀଥିକା ଖଟ ଉପରୁ ତଳକୁ ଡେଇଁପଡ଼ି ପଦାକୁ ଛୁଟିଲା । ଦୃଷ୍ଟି ଫେରି ଆସି ପୁଣି ଧାଇଁଗଲା ବୀଥିକାର ପଛେ ପଛେ ବିଜନ ଓ ଉଷାରାଣୀଙ୍କ ମନରୁ ପଲକ ଭିତରେ ବିଧାନର ଚିନ୍ତା ଅନ୍ତର୍ହିତ ହେଲା । ସେମାନେ ମଧ୍ୟ ଉଠିଲେ ।

 

ପଞ୍ଚାବନ

 

ଛୋଟ କାପ୍‌ସିର ବଣ ଜଙ୍ଗଲ ସଫା କରି ନୂଆ ଗ୍ରାମ ବସାଯାଇଛି ପୂର୍ବ–ବଙ୍ଗରୁ ଆସିଥିବା ଶରଣାର୍ଥୀଙ୍କ ପାଇଁ । ଯେଉଁ ପାରଲ୍‌କୋଟ ଅଞ୍ଚଳ ନିଘଞ୍ଚ ଅରଣ୍ୟ, ଛୋଟ ବଡ଼ ପାହାଡ଼ ମାଳରେ ଭରା ଥିଲା, ସେ ଅଞ୍ଚଳ ସଫାସୁତୁରା ହୋଇ ନୂଆ ରୂପ ଧାରଣ କରିଛି । ଦିନେ ଏ ଅଞ୍ଚଳ ଅଗମ୍ୟ ଥିଲା । ବଣ୍ୟ–ଜନ୍ତୁଙ୍କର କ୍ରୀଡ଼ା ଭୂମି ଥିଲା । ସଭ୍ୟ ଦୁନିଆରୁ ବିଚ୍ଛିନ୍ନ । ପାଞ୍ଚ ସାତ ମାଇଲ ଅନ୍ତରରେ କେଉଁ ପାହାଡ଼ ମାଳର କୋଳରେ ଦିଗନ୍ତ ବିସ୍ତାରି ଅରଣ୍ୟର ଅନ୍ତରାଳରେ ଲୁଚିଛପି ଥିଲା ଗୋଟିଏ ଗୋଟିଏ ଆଦିବାସୀ ଗ୍ରାମ, ଦଶ ପଚିଶ ଘର ଗଣ୍ଡଙ୍କର ବସତି ସ୍ଥଳ । ଗ୍ରାମ ବସ୍ତିର ଚାରିପାଖେ ତାଙ୍କର ଚାଷଭୂମି । ପୁଳିପୁଳିକା ଉର୍ବର ଭୂମିକୁ ଲାଗି ନିସ୍ତାର–ଜଙ୍ଗଲ ମାଡ଼ିଯାଇଛି ଦୂର ପାହାଡ଼ର ମଥାନ ଯାଏଁ । ସେଇଠୁ ଡେଇଁ ପଡ଼ିଛି ଆରପାଖକୁ । ବଡ଼ବଡ଼ ସାଗୁଆନ ଗଛ ଓ ନାନା ଜାତିର ଅନ୍ୟାନ୍ୟ ଗଛର ମଝିରେ ମଝିରେ, ପୁଣି ପାହାଡ଼ର ଗଡ଼ାଣୀ ଓ ମଥାନ ଉପରେ ଭିଡ଼ାଭିଡ଼ି ବାଉଁଶ ବଣ । ସମତଳ ଢେଉଆଳିଆ ବିସ୍ତୀର୍ଣ୍ଣ ଭୂମିଗୁଡ଼ିକରେ ଅତି ଘଞ୍ଚ ହାତୀ ବୁଡ଼ା ଉଞ୍ଚ ଘାସ । ତାଆରି ଭିତରେ ଛୋଟ ବଡ଼ ସାପେଇ ସାପେଇ ଗତିକଲା ନାଳ ।

 

ଗଦାଗଦା ଅକର୍ମଶିଳାର କୁଦ ଓ ପାହାଡ଼ ଦିଶେ ସମତଳ ଭୂଇଁର ମଝିରେ, ଛାଡ଼ିଛାଡ଼ିକା । ମାଟି ଉର୍ବର ହେଲେବି ଗଭୀର ନୁହେଁ । ଦୁଇ ଫୁଟ୍ ତଳେ ମୁରମ୍‌ । ଠାଏଠାଏ ତଳର ମୁରମ୍‌–ଚଟାଣ ମାଟି ଉପରକୁ ଫୁଟି ବାହାରି ଲମ୍ବି ଯାଇଛି ଦୂର କି ପାଖର କୁଦ ଭୂମି ବା ଲମ୍ବ ଅନୁଚ୍ଚ ପାହାଡ଼ ଯାଏଁ । ଗଦାଗଦା ପଥର ଓ ମୁରମ୍‌ର ପାହାଡ଼ । ମାଟି–ପରୀକ୍ଷକମାନେ ଅରଣ୍ୟ ଭୂମିର ମାଟି ତନଖି କରି ଭଲ ମାଟି, ଶସ୍ୟୋପଯୋଗୀ ମାଟିଥିବା ଚକଡ଼ା ବାଛି ଦେଇଥିଲେ । ସେହି ସବୁ ଚକଡ଼ାରୁ ଟ୍ରାକ୍ଟର୍ ସାହାଯ୍ୟରେ ଅରଣ୍ୟ ସଫା କରାଗଲା । ଚାଷ–ଜମି ପ୍ରସ୍ତୁତ ହେଲା । ମାପଚୁପ କାମ ଶେଷ କରି ବିଭିନ୍ନ ଚକଡ଼ାରେ ଜମି ଶରଣାର୍ଥୀ–ପରିବାରମାନଙ୍କୁ ବାଣ୍ଟି ଦିଆଗଲା ।

 

ବିଜନ ବୋଷଙ୍କୁ ଯେଉଁ ସାଢ଼େ–ଛ–ଏକର ଜମି ଦିଓଟି ବ୍ଲକ୍‌ରେ ମିଳିଛି, ସେ ଜମି ଉର୍ବର । ମାଟି ଗଭୀର କିନ୍ତୁ ଲୋକ ଅଭାବରୁ ସବୁ ଜମିରୁ ସେ ଭଲକରି ଘାସ ସଫା କରାଇ ପାରି ନଥିଲେ । ବିଲକାମରେ ଅନଭ୍ୟସ୍ତ ସେ, ଦିନରାତି ପରିଶ୍ରମ କରି ମଧ୍ୟ ଅଧେ ଜମିରୁ ଘାସ ସଫା କରି ପାରି ନଥିଲେ । ତାଙ୍କରି ପରି ଆହୁରି ଅନେକ କୁଟୁମ୍ବଙ୍କର ଅବସ୍ଥା ମଧ୍ୟ ଏକାପରି । ପୂର୍ବ–ବଙ୍ଗରେ କିଏ ମାଛ ଧରୁଥିଲା, କିଏ ଡଙ୍ଗା ଚଳାଉଥିଲା, ବଢ଼େଇ କମାର କାମ କରୁଥିଲା, ଲୁଗା ବୁଣୁଥିଲା, ବେପାର କରୁଥିଲା, ଗୀତ ବୋଲି ନାଟ କରୁଥିଲା, ମୂଲ ଲାଗୁଥିଲା କି ଭିକ ମାଗୁଥିଲା, ସମସ୍ତେ ଚାଷୀ ବୋଲି ନିଜକୁ ପରିଚିତ କରାଇ ଭୂମି ପାଇ ଭୂମି–ମାଲିକ ହେଲେ, କିନ୍ତୁ ଚାଷ କରିବାର ପ୍ରଣାଳୀ ଅନେକଙ୍କୁ ଜଣା ନଥିଲା ।

 

ବିଜନ ବୋଷ ସେହି ଅନଭିଜ୍ଞମାନଙ୍କ ମଧ୍ୟରୁ ଜଣେ । କୃଷି ଅଫିସର ଓ ଥଇଥାନ–ଅଫିସର ଗ୍ରାମବାସୀଙ୍କୁ ଡକାଇ ନେଇଛନ୍ତି । ଗହୀର ମାଳରେ ସମସ୍ତେ ବୁଲି ବୁଲି ଫସଲର ଅବସ୍ଥା ଦେଖୁଛନ୍ତି । ଅଫିସରମାନେ ଶରଣାର୍ଥୀ ଚାଷୀମାନଙ୍କୁ ବୁଝାଉଛନ୍ତି ଓ ଉପଦେଶ ଦେଉଛନ୍ତି, ସେମାନଙ୍କର ଅଭାବ ଅଭିଯୋଗ ଶୁଣୁଛନ୍ତି ।

 

ଅଭାବର ଅନ୍ତ ନାହିଁ କି ଅଭିଯୋଗର ସୀମା ନାହିଁ । ପର ଉପରେ ନିର୍ଭରଶୀଳ ଓ ପରିଶ୍ରମକାତର ବ୍ୟକ୍ତିର ଅମୋଘ ଅସ୍ତ୍ର ହେଉଛି ଅଭିଯୋଗ । ବିଜନଙ୍କର ତ ଅଭାବ ଅନେକ, କିନ୍ତୁ ତୁଣ୍ଡରୁ ଅଭିଯୋଗ ବାହାରୁ ନାହିଁ । ସେ କେବଳ ଉପଦେଶ ଶୁଣୁଛନ୍ତି । ମନ ତଳେ ସାଇତି ରଖୁଛନ୍ତି । ଯାହାର ଲୋକବଳ ନାହିଁ, ଚାଷବାସ କାମରେ କେବଳ ଉପଦେଶ ଆହରଣ କଲେ ତା’ର କି ଉପକାର ସାଧିତ ହେବ ? ଭାବୁଛନ୍ତି ସେ, ସତେ କ’ଣ ସେମାନେ ଥଇଥାନ ହୋଇ ପାରିଛନ୍ତି ଏ ଅଞ୍ଚଳରେ ?

 

ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠିଲେ । ଅଫିସରମାନଙ୍କ ପଛେ ପଛେ ବିଲମାନରୁ ଫେରି ଆସିଲେ ଶରଣାର୍ଥୀ–ଚାଷୀ ଦଳ ।

 

ନିଜ ଘରର ଦରଜା ଖୋଲି ହତା ଭିତରକୁ ପଶୁଣୁ ତାଙ୍କର ମନେ ପଡ଼ିଲା ଉଷାରାଣୀଙ୍କର ଅନୁରୋଧ,–ତୁମେ ସଙ୍ଗେ ସଙ୍ଗେ ଉମରକୋଟ ଯାଇ ବିଧାନକୁ ନେଇ ଆସ । ସେ ଜିଗର ଧରିଛନ୍ତି କିନ୍ତୁ ବିଜନ ହଁ କି ନାହିଁ କହି ପାରୁନାହାନ୍ତି । କେତେ କାମର ବୋଝ ତାଙ୍କ ମୁଣ୍ଡରେ ଲଦା ହୋଇଛି । କହିବାମାତ୍ରେ ବସିବା ଠାରୁ ଉଠିଯିବା ସମ୍ଭବ ନୁହେଁ । ତାଙ୍କୁ ଦେଖିବା ସଙ୍ଗେ ସଙ୍ଗେ ପୁଣି ଉଷାରାଣୀ ସେହି କଥା ଉଠାଇବେ । ଅନୁତାପର ଅନଳ ଜଳୁଛି ତାଙ୍କ ମନରେ ଅହରହ । ନିଜ କୃତକର୍ମର ଶହ ଶହ ବିଛା ତାଙ୍କର ବିବେକକୁ ଦଂଶନ କରୁଛନ୍ତି । ବିଧାନକୁ ଫେରି ପାଇବାକୁ ସେ ଛଟପଟ ହେଉଛନ୍ତି ।

 

ଛୋଟ ଘରଟି ସତେ କି ଖାଁ ଖାଁ ଲାଗୁଛି । ପିଲା ତିନୋଟି ସ୍କୁଲ୍‍ରୁ ଫେରି ନାହାନ୍ତି । ଉଷାରାଣୀ ଚଳପ୍ରଚଳ ହେଉ ନାହାନ୍ତି । କୁଆଡ଼େ ସେ ଗଲେ ? ନିର୍ଜନ ଗୃହ ସତେ କି ବିଜନଙ୍କୁ ମାରି ଗୋଡ଼ାଉଛି । ସେ ଘର ଭିତରକୁ ପଶିଲେ । ଉଷାରାଣୀ ଖଟ ଉପରେ ବସି ଶୂନ୍ୟ ଦୃଷ୍ଟିରେ ତାଙ୍କରି ଆଡ଼କୁ ଅନାଇଁ ରହିଛନ୍ତି । ବାଳ ମୁକୁଳା । ଅଧ–ଲଙ୍ଗୁଳି ଠାଣି । ପାଖକୁ ଯାଇ ବିଜନ ପଚାରିଲେ, ସେମିତି ଚୁପ୍‌ ହୋଇ ବସି ରହିଛ କାହିଁକି, ଦେହ ଭଲ ନାହିଁ ?

 

ବିଜନ ତାଙ୍କ ଦେହରେ ହାତ ମାରିଲେ । ଉଷାରାଣୀ ଶିହରି ଉଠିଲେ । ଲୁଗା ସଜାଡ଼ି ମୁଣ୍ଡ ଉପରକୁ ଓଢ଼ଣା ଆଣିଲେ । ଦୀର୍ଘଶ୍ୱାସ ଛାଡ଼ି କହିଲେ, ଘରର ସବୁ କାମ ଶେଷ କରି ଦେଇଛି-। ତମମାନଙ୍କୁ ଅପେକ୍ଷା କରି ବସିଛି । ବୀଥି ସ୍କୁଲ୍‍ରୁ ଆସି ଶୋଇ ପଡ଼ିଛି ଆର ଘରେ-। ବିଧାନ ଉମରକୋଟରୁ ଚିଠି ଲେଖିଛି । ପୋଷ୍ଟ୍–ପିଅନ ଦେଇଗଲା । ନିଅ ଏ ଚିଠି, ତୁମେ ପଢ଼-। ତାଆରି କଥା ଭାବୁଥିଲି ବସି ।

 

ଉଷାରାଣୀ କୋଳରୁ ଉଠାଇ ଥରିଲା ହାତରେ ଇନ୍‌–ଲାଣ୍ଡ ଚିଠି ଖଣ୍ଡି ବିଜନଙ୍କୁ ବଢ଼ାଇ ଦେଉଣୁ ତାଙ୍କର ଦୁଇ ଆଖିରୁ ଝରି ଆସିଲା ଦୁଇ ଧାର ଲୁହ । ବିଜନ ମନେମନେ ପଢ଼ିଲେ,–ବାପାଙ୍କର ପତ୍ର ପାଇ ଡାକ୍ତରବାବୁ ମୋତେ ଘରୁ କାଢ଼ିଦେଲେ । କଲ୍ୟାଣୀ ଅପା ମୋତେ ପୂରା ମାସର ଦରମା ଓ ଛୋଟକାପ୍‌ସି ଫେରିଯିବାକୁ ଆହୁରି ଦଶ ଟଙ୍କା, ସବୁ ମିଶାଇ ପଚିଶ ଟଙ୍କା ଦେଲେ । ଏତେ ଟଙ୍କା ମୋର କ’ଣ ହେବ ? ଆଜି ତୋ ଠିକଣାରେ ପନ୍ଦର ଟଙ୍କା ମନିଅର୍ଡ଼ର୍ କରି ପଠାଇ ଦେଇଛି । ସେମାନେ ମୋତେ ଛୋଟକାପ୍‌ସି ଫେରିଯିବାକୁ ବାରମ୍ବାର କହିଲେ, କିନ୍ତୁ ମୁଁ ଯାଇ ପାରିଲି ନାହିଁ । ମୋର ଗୋଡ଼ ଚଳିଲା ନାହିଁ, ମନ ବଳିଲା ନାହିଁ ।

 

–କାହିଁକି, ଏ କଥା ଯଦି ତତେ ନ ଲେଖେ ଆଉ ଲେଖିବି କାହାକୁ ? ଡାକ୍ତରବାବୁଙ୍କ ଘରୁ ଚାଲିଆସିଲା ପରେ ମତେ ସତେ କି ଦଶଦିଗ ଅନ୍ଧାର ଦିଶିଲା । ମନ ହେଉଥିଲା ତୋ ପାଖକୁ ଚାଲି ଯିବାକୁ କିନ୍ତୁ ମୋ ଭିତରେ କିଏ ଯେପରି ମତେ ଗୁଡ଼ିଏ ପ୍ରଶ୍ନ ପଚାରିଲା, ଆଉ ସେ ସବୁ ପ୍ରଶ୍ନର ଉତ୍ତରବି କିଏ ପୁଣି ଦେଲା । ତୋର ଆଦେଶ ପାଳିବାରେ, ତୋର ଓ ମୋର ବାପା, ଭାଇ ଦିଓଟି ଓ ଭଉଣୀଟିର ସେବା କରିବାରେ ମୁଁ କେବେ ହେଳା କରିନାହିଁ । ତଥାପି, କାହିଁକି ତୁ ମତେ ଘୃଣା କରୁ, କାହିଁକି ମୋର ଭାଇ ଭଉଣୀ ମୋତେ ଘୃଣା କରନ୍ତି ?

 

–କାହିଁକି, ଏବେ ମୁଁ ବୁଝିଲି । ତୋ ପେଟରୁ ମୁଁ ଜନମି ନାହିଁ, ଆଉ ତୁ ମୋତେ କେଉଁଠୁଁ ଗୋଟାଇ ଆଣି ପାଳିଛୁ ବୋଲି ସବୁବେଳେ ତୁ ପ୍ରଚାର କରିଛୁ । ତୋଠାରୁ ଶୁଣି ଅନ୍ୟମାନେ ସେଇଆ ବିଶ୍ୱାସ କରିଛନ୍ତି । ଗପିଛନ୍ତି । ମୁଁ ବି ରାଗରୋଷ ଅଭିମାନରେ ସେଇଆ କରିଥିଲି । ବାଟ କଡ଼ରେ ଠିଆହେଲା ପରେ ମୁଁ ବୁଝି ପାରିଲି ଯେ ମୋର ଓ ଲୋକଙ୍କର ଧାରଣା ସମ୍ପୂର୍ଣ୍ଣ ଭୁଲ୍ ।

 

–ତୁ ମୋତେ ବାଟରୁ ଗୋଟାଇ ଆଣିନୁ ଏ ଧାରଣା ମୋର ହୋଇଛି । ତୁ ଯେମିତି ପୁଅ ଚାହୁଁଥିଲୁ ମୁଁ ସେମିତି ପୁଅ ହୋଇପାରି ନଥିଲି । ମୋତେ ତୋର ମନମାଫି କରି ଗଢ଼ିବାପାଇଁ ତୋର ସବୁ ଚେଷ୍ଟା, ସବୁ ଶାସନ ବିଫଳ ହୋଇଥିଲା । ତୋଓରି ପେଟରୁ ଭଗବାନ ମୋ ପରି ନିର୍ବୋଧ ଅପଦାର୍ଥକୁ ଜନ୍ମ ଦେଇଥିଲେ ତୁ ଏହା ବିଶ୍ୱାସ କରି ପାରିଲୁ ନାହିଁ, ସହି ପାରିଲୁ ନାହିଁ । ମୋତେ ଶାସନ କଲୁ, ନିର୍ଯାତନା ଦେଲୁ, ଛଳେଇ କହିଲୁ ଯେ ମୁଁ ତୋର ପୁଅ ନୁହେଁ, ଆଉ କାହାର-

 

–ମାଆଲୋ, ମୋଓରି ଲକ୍ଷ୍ମୀ ମା’, ଆର ଜନ୍ମରେ ସତେ ମୁଁ ଆଉ କାହାର ଅଭାଗା ପୁଅ ହୋଇଥିବି, ଏ ଜନ୍ମରେ ତୋର ହୋଇ ମଧ୍ୟ ତୋର ହୋଇ ପାରିଲି ନାହିଁ । ସେଇଥିପାଇଁ ତୁ ଚାହୁଁଥିଲୁ କି ମୋର ମରଣ ହେଉ ? ମରଣ ହେଲା ନାହିଁ । ବଞ୍ଚିଛି । ପୁଣି ଏବେ ତୋ ପାଖକୁ ଫେରି ଯାଇ ତୋର ଗୋଡ଼ର କଣ୍ଟା ହେବି ନାହିଁ । ସବୁ ଦୁଃଖ କଷ୍ଟ ସହିବି । ତୋଓରି ମନମାଫିକା ଉପଯୁକ୍ତ ପୁଅ ହେବାକୁ ଚେଷ୍ଟା କରିବି । ଯେଉଁଦିନ ମୁଁ ନିଜେ ବୁଝି ପାରିବି ଯେ ମୁଁ ତୋର ଉପଯୁକ୍ତ ପୁଅ ହୋଇ ପାରିଛି, ସେଇଦିନ ମୋ ମନକୁ ମୁଁ ତୋର ଗୋଡ଼ ତଳକୁ ନିଶ୍ଚୟ ଫେରିଯିବି-

 

–ଏବଯାଏଁ ଜାଣି ପାରି ନାହିଁ, ମୁଁ କ’ଣ ହେବି ବୋଲି ତୁ ଚାହୁଁଥିଲୁ । ମୋତେ ଅଧା ପାଠୁଆ କରି, ଘରର ଛୋଟ ବଡ଼ ସବୁ କାମ ମୋଦ୍ୱାରା କରାଇ, ଗାଳିମାଡ଼ ଦେଇ ନିର୍ଦ୍ଦୟ ବ୍ୟବହାର ଦେଖାଇ ତତେ କ’ଣ କରି ଗଢ଼ି ଖୁସି ହୋଇ ପାରିବୁ ବୋଲି ତୁ ଆଶା କରି ଚାହିଁଥିଲୁ ମୁଁ ଏବଯାଏଁ ବୁଝି ପାରିନାହିଁ । ମୁହଁ ଖୋଲି ତୁ କେବେ ପ୍ରକାଶ କରିନୁ । ମୋ ମନ ଦିନେ ମତେ କହିଦେବ ଯେ । ସେତେଦିନ ଯାଏଁ ମୁଁ ତୋ ପାଖରୁ ବିଦାୟ ନେଉଛି । ତୁ ଓ ବାପା ମୋର ପ୍ରଣାମ ନେବ । ମୋର ସାନଭାଇ ଦିଓଟି ଟିକି ଭଉଣୀ ବୀଥିକୁ ସ୍ନେହ ଜଣାଇବୁ । ବୀଥି ମୋର ସବୁବେଳେ ମନେପଡ଼େ ।–

 

ବିଜନ ଲୁହଭରା ଆଖିରେ ପତ୍ର ଖଣ୍ଡି ଖଟ ଉପରେ ରଖିଲେ । ତୁଣ୍ଡରୁ ବାକ୍ୟ ସ୍ଫୁରିଲା ନାହିଁ । ଦେହରୁ ଜାମା ଖୋଲି ଅଲଗୁଣିରେ ଝୁଲାଇଲେ ।

 

ଉଷାରାଣୀ ଅସ୍ଥିର ହୋଇ ପଚାରିଲେ, ତୁମେ ତୁନି ରହିଲ କାହିଁକି ? କ’ଣ ମୁଁ କରିବି ମୋତେ ବୁଦ୍ଧି ବତାଇ ଦିଅ । ବିଧାନକୁ ଆଣିବାକୁ ତୁମେ ଉମରକୋଟ ଯିବ ନାହିଁ ?

 

ବିଜନ ଛାତିର କୋହକୁ ଚାପି ରଖି କହିଲେ, ଲୋକହସା ହେବାକୁ କାମ ଛାଡ଼ି ମୁଁ ଉମରକୋଟ ଯିବି ନାହିଁ । ମୁଁ ଜାଣେ ବିଧାନ ଫେରିବ ନାହିଁ । ମୋର ମନେ ହେଉଛି, ଏ ପତ୍ର ବିଧାନର ହାତ ଲେଖିଥିଲେବି ତା’ର ବୁଦ୍ଧିରୁ ବାହାରି ନାହିଁ । ଏ ପତ୍ର ଲେଖାଇଛନ୍ତି କଲ୍ୟାଣୀ ।

 

କଲ୍ୟାଣୀ !

 

ତାଙ୍କ ଛଡ଼ା ଆଉ କେହି ନୁହେଁ । ବିଧାନ ପିଲାଟିଏ । ତୁମେ ତ ଜାଣ ସେ କେଡ଼େ ସରଳ । ଯେତେ ମାଡ଼ ଗାଳି ଖାଇଲେବି ତା’ର ପାଟିରୁ ପଦେ କଥା ବାହାରେ ନାହିଁ । ଦିନରାତି ପରିଶ୍ରମ କରି ଲେଖାପଢ଼ା ସେ ଶିଖିଛି ସତ, ହଠାତ୍‌ ତା’ର ବୁଦ୍ଧି ଏଡ଼େ ପ୍ରଖର ହୋଇ ପଡ଼ିଲା ମୁଁ ଏହା ବିଶ୍ୱାସ କରି ପାରୁନାହିଁ । ହେଇ ଦେଖ ବିକାଶ ଓ ବିମଳ ସ୍କୁଲ୍‍ରୁ ଫେରୁଛନ୍ତି । ପତ୍ର ଖଣ୍ଡି ତୁମେ ଚିରି ଫୋପାଡ଼ି ଦିଅ, ନୋହିଲେ ଲୁଚାଇ ଦିଅ, କାଳେ ବିକାଶର ଦୃଷ୍ଟି ପଡ଼ିବ ।

 

ଉଷାରାଣୀ ଚିଠି ଖଣ୍ଡି ଖଟ ଉପରୁ ଉଠାଇ ହାତରେ ଧରିଲେ । ବିକାଶ ଓ ବିମଳ ହତାର ଫାଟକ ଖୋଲୁଛନ୍ତି । ଉଷାରାଣୀ ପଚାରିଲେ, ବିକାଶର ଦୃଷ୍ଟି ଏ ପତ୍ରରେ ପଡ଼ିଲେ କ୍ଷତି କ’ଣ ହେବ ?

 

ବିଜନ କହିଲେ, ବୁଝି ପାରୁନ ଉଷା, ମୋର ମନେ ହେଉଛି, ଏପତ୍ର କଲ୍ୟାଣୀ ଲେଖିଛନ୍ତି ବିକାଶ ଓ ବିମଳଙ୍କ ପାଖକୁ । ଏଠାରେ ଥିଲାବେଳେ ବିଧାନ ସମ୍ବନ୍ଧରେ ସେ ସବୁ ଖବର ଜାଣିଥିଲେ । ବିଧାନକୁ ସେ ରୋଗମୁକ୍ତ କଲେ । ସ୍ନେହ ଆଦର ଦେଖାଇ ତାକୁ ସେ ଚାକର କରି ସଙ୍ଗରେ ନେଇଗଲେ । ଆଜିକାଲି ଘରେ ରହି କାମ କରିବାକୁ ସ୍ଥାନୀୟ ଲୋକ ମିଳୁ ନାହାନ୍ତି-। ବିଧାନକୁ ଏଠାକୁ ପଠାଇ ଦେବାକୁ ବାରମ୍ବାର ମୁଁ ପତ୍ର ଲେଖିଲି । ବିଧାନ ଚାଲି ଆସିଲେ ସେମାନେ ଅସୁବିଧାରେ ପଡ଼ିବେ, ଏହା ବୁଝିପାରି ସେମାନେ ବାର ପ୍ରକାର ଛଳନା ଦେଖାଇ ଉତ୍ତର ଦେଲେ । ମୋର ଶେଷ ପତ୍ରରେ ମୁଁ ତାଙ୍କୁ ଭଲ ଧମକ ଦେଇଥିଲି ।

 

ଏ ସବୁ ମୁଁ ଜାଣେ । କଲ୍ୟାଣୀ ଏ ଚିଠି ବିକାଶକୁ ଲେଖିଛନ୍ତି ଏପରି ଭାବିବାର କି କାରଣ ଅଛି ? ମୁଁ ମୋ ବିଧାନର ହସ୍ତାକ୍ଷର ଭଲ କରି ଚିହ୍ନେ । ଏ ଚିଠି ବିଧାନହିଁ ଲେଖିଛି ।

 

ମୁଁ ମନା କରୁନାହିଁ । କଲ୍ୟାଣୀ ବିଧାନ ହାତରେ ଲେଖାଇଛନ୍ତି । ମୋର କଡ଼ା ପତ୍ର ପାଇ ସେ ବିଧାନକୁ ଘରୁ ବାହାର କରି ଦେବାକୁ ବାଧ୍ୟ ହେଲେ । ଶେଷ ମୁହୂର୍ତ୍ତରେ ସେ ଗୋଟାଏ ମରଣ କାମୁଡ଼ା ଦେବାକୁ ଚାହାନ୍ତି । ସେ ଜାଣନ୍ତି ଯେ ବିକାଶ ଏ ପତ୍ର ପଢ଼ିବ । ବିକାଶ ବଡ଼ ହେଲାଣି, ପାଠ ପଢ଼ିଛି, ତା’ର ବୁଦ୍ଧି ଅଛି । ପତ୍ର ପଢ଼ି ବିକାଶ ବୁଝିବ ଯେ ବିଧାନକୁ ତୁମେ ବାଟରୁ ଉଠାଇ ଆଣିନାହଁ । ସେ ଅମର ଜନ୍ମିତ ପୁତ୍ର, ତା’ର ସହୋଦର ଭାଇ । ବିକାଶ ଜାଣିବ ଯେ ତା’ର ବଡ଼ଭାଇ ବିଧାନକୁ କୌଣସି ଅବୋଧ୍ୟ କାରଣରୁ ତୁମେ ଭଲ ପାଅ ନାହିଁ, ତା’ ଉପରେ ନିର୍ମମ ଅତ୍ୟାଚାର କର । ସତେ, ବିକାଶ ମୋର ଏହା ବୁଝି ପାରିବ, ବିଶ୍ୱାସ କରିବ ?

 

କଲ୍ୟାଣୀଙ୍କର ଅନ୍ତତଃ ସେପରି ଧାରଣା ଅଛି ବୋଲି ମୋର ଅନୁମାନ । ବିକାଶ ଏହା ଜାଣିଲେ ତୁମ ପ୍ରତି ଏବଂ ମୋ ପ୍ରତି ତା’ର ମନରେ ଘୃଣାଭାବ ଭରିଯିବ । ପିଲାଲୋକ, ଭୟରେ ସେ କିଛି କହିବ ନାହିଁ, କିନ୍ତୁ ତା’ ମନରେ ପିତାମାତାଙ୍କ ପ୍ରତି ଭକ୍ତି ପରିବର୍ତ୍ତରେ ଭୟ ସନ୍ଦେହ ଓ ଘୃଣାର ବିଷ ଚହଟିବ । ସେଇ ବିଷ ଦିନେ ଡେଇଁବ ବିମଳର ମନକୁ । ଆମର ଏ ସଂସାର ଉଚ୍ଛନ୍ନ ହେବ । କଲ୍ୟାଣୀ ସେଇଆ ଚାହାନ୍ତି ।

 

ମୁଁ ବି ସେଇଆ ଚାହେଁ । ନିଜର ଭୁଲ୍‌ପାଇଁ ଗୋଟିଏ ନିରୀହ ଅନାଥ ଶିଶୁ ଉପରେ ବର୍ଷ ବର୍ଷ ଧରି ଅତ୍ୟାଚାର କରି ଯେଉଁ ପାପ ମୁଁ ଅର୍ଜନ କରିଛି, ସେ ପାପର ପ୍ରାୟଶ୍ଚିତ୍ତ ହେବ କିପରି ? ବିଧାନ ନିଜେ ଫେରିବ ନାହିଁ । ତୁମେ କି ମୁଁ ଯାଇଁ ତାକୁ ଯେତେ ପାକୁଳେଇଲେବି ସେ ଭୟ ଓ ସନ୍ଦେହରେ ଆଡ଼େଇ ହୋଇଯିବ । ବିଧାନ ବିନା ମୋ ହୃଦୟର ଗୋଟିଏ କୋଣ ଶୂନ୍ୟ ରହିବ, ଆଉ ସେହି ଶୂନ୍ୟସ୍ଥାନରେ ଦିନରାତି ବେଦନାର ନିଆଁ ହାକୁ ହାକୁ ହୋଇ ଜଳୁଥିବ । ବିକାଶହିଁ ମୋର ସେହି ନିଆଁକୁ ଲିଭାଇ ପାରିବ । ସେଇ ଦିନେ ବିଧାନର ହାତ ଧରି ଟାଣି ଆଣିବ ମୋ ପାଖକୁ । ବିଧାନ ମନା କରି ପାରିବ ନାହିଁ ।

 

ବିକାଶ ଓ ବିମଳ ଦୁହେଁ ଘର ଭିତରେ ପଶିଲେ । କିଛି ନ କହି ବିଜନ ଘର ଭିତରୁ ପଦାକୁ ଆସିଲେ । ଅଲଗୁଣି ଉପରୁ ଗାମୁଛା ଟାଣି ପୋଖରୀରେ ସ୍ନାନ କରିବାକୁ ବାହାରିଗଲେ । ଅଜାଣତରେ ଆଖିରୁ ଝରି ଆସିଥିବା ଲୁହ ଧାରକୁ ଅଞ୍ଚଳରେ ପୋଛି ଉଷାରାଣୀ ଖଟ ଉପରୁ ଉଠି ଠିଆହେଲେ । ବିକାଶ ମାଆଙ୍କର ମୁହଁକୁ ଚାହିଁ ପଚାରିଲା, ତୁ କାନ୍ଦୁଛୁ କାହିଁକି ମା’ ?

 

ଉଷାରାଣୀ ଉତ୍ତର ଦେଲେ, ତୋର ଭାଇ ଚିଠି ଦେଇଛି ବାବୁ ! ଡାକ୍ତରବାବୁ ତାକୁ ଘରୁ ବାହାର କରି ଦେଇଛନ୍ତି । ସେ ଉମରକୋଟରେ ଏବେ ଅଛି । ଆମ ଉପରେ ସେ ଅଭିମାନ କରିଛି-

 

ବିକାଶ ପଚାରିଲା, କିଏ ମା’, ବିଧାନ ?

 

ସେଇ, ସେଇ ତୁମର ବଡ଼ ଭାଇ । ତୁମେ ଦିହେଁ ତାକୁ ଭାଇ ବୋଲି ଡାକିବରେ, ନାମ ଧରି ବଡ଼ ଭାଇକୁ କେହି କେବେ ଡାକେ ନାହିଁ । ତା’ ମନରେ ଦୁଃଖ ହେବ । ଲୋକେ ହସିବେ । ମୋ ମନରେ ଆଘାତ ଲାଗିବ । ସେ ମୋର ବଡ଼ପୁଅ, ମୋ କୋଳକୁ ସେ ଆଗ ଆସିଛିଟି !

 

ବହି–ବସ୍ତାନି ରଖିବାକୁ ବାରବର୍ଷର ପୁଅ ବିକାଶ ଆର ଘରକୁ ଗଲା । ବିମଳ ପଚାରିଲା, ବଡ଼ ଭାଇ ଉମରକୋଟରୁ କେବେ ଆସିବ ମା’ ?

 

ଉଷାରାଣୀଙ୍କର ମୁହଁ ଉଜଳି ଉଠିଲା । ବିମଳର ପ୍ରଶ୍ନର ଉତ୍ତର ନ ଦେଇ ସେ ହସହସ ହୋଇ ମୁଣ୍ଡ ନୁଆଁଇଲେ । ଦୁଇ ହାତରେ ଆଠବର୍ଷର ପୁଅର ମୁଣ୍ଡଟିକୁ ଧରି ଗାଲରେ ବୋକ ଦେଲେ । କହିଲେ, ମୁହଁ ହାତ ଧୋଇ ତୁମେ ଦୁଇ ଭାଇ ରୋଷ–ଘରକୁ ଆସ । ସେଇଠି ତୁମକୁ ଭାତ ଦେବି ଯେ ଖାଇଦେଇ ଶୀଘ୍ର ସ୍କୁଲ୍‍କୁ ପୁଣି ଚାଲିଯିବ । ବୀଥି ଶୋଇ ପଡ଼ିଛି । ତାକୁ ତୁ ଉଠାଇବୁ ନାହିଁ ବାପ,–

 

ଉଷାରାଣୀ ବିଧାନର ପତ୍ର ଖଣ୍ଡିକ ଟ୍ରଙ୍କ୍‌ ଉପରେ ରଖି ପଦାକୁ ଆସିଲେ । ମନରେ ଗୋଟିଏ ଭାବନା ତୀକ୍ଷ୍ଣ କଣ୍ଟାପରି ବାରମ୍ବାର ବିନ୍ଧିବାକୁ ଲାଗିଲା,–ବିକାଶ ତୁନି ହୋଇ କିଛି ନ ପଚାରି ଆରଘରକୁ ଚାଲିଗଲା କାହିଁକି ? ସେ କ’ଣ ବିଶ୍ୱାସ କରି ପାରିଲା ନାହିଁ ଯେ ବିଧାନ ତା’ର ବଡ଼ ଭାଇ ? ସତେ କ’ଣ କଲ୍ୟାଣୀ ମନ୍ଦ ମନାସି ବିଧାନ ହାତରେ ଏ ପତ୍ର ଲେଖାଇଛନ୍ତି, ଆଉ ତାଙ୍କର କୁଟିଳ ଉଦ୍ଦେଶ୍ୟ ସଫଳ ହେବ ?

 

ଛପନ

 

କଲ୍ୟାଣୀଙ୍କ ଘରୁ ବାହାରି ଆସି ବିଧାନ ଆଶ୍ରୟସ୍ଥଳ ହରାଇ ଉମରକୋଟ ଗ୍ରାମର ଗୋଟିଏ ହୋଟେଲରେ ଆଶ୍ରା ନେଲା । କଲୋନି ପାଖରୁ ପ୍ରାୟ ଏକ ମାଇଲ ଦୂରରେ ଉମରକୋଟ ପୁରୁଣା ଗ୍ରାମର ଅବସ୍ଥିତି । ଭାସ୍କରୀ ନଦୀ କୂଳରୁ ଖଣ୍ଡେଦୂର ପଛେଇ ଆସିଲେ ପଡ଼େ ଯେଉଁ ଛକଟି ସେହିଠାରୁ ପାଞ୍ଚଟି ରାସ୍ତା ଚାରି ଆଡ଼କୁ ଯାଇଛି । ଜୟପୁରରୁ ଆସିଥିବା ରାସ୍ତା ସିଧାସଳଖ ଲମ୍ବି ଯାଇଛି ରାୟଘର ଯାଏଁ, ବାଟ ଅଠର ମାଇଲ, ସେଇଠୁ ଯାଇଛି ରାୟପୁର । ସେହି ଛକରୁ ଦକ୍ଷିଣ–ପଶ୍ଚିମ ଦିଗକୁ ଯାଇଛି ଯେଉଁ ନୂଆ ରାସ୍ତା, ଅଡ଼ତ୍ରିଶ ମାଇଲ ଦୂରରେ କୋଣ୍ଡାଗ୍ରାମଠାରେ ସେ ରାସ୍ତା ମିଶିଛି ବିଜୟନଗ୍ରମ୍‌–ରାୟପୁର ଜାତୀୟ ପଥରେ । ଉତ୍ତର–ପୂର୍ବଦିଗକୁ ଯାଇଥିବା ରାସ୍ତା ବାର ମାଇଲ ଦୂରରେ ଅବସ୍ଥିତ ଝରି ଗାଁ ଅତିକ୍ରମି କେତେ ଅରଣ୍ୟ ଓ ପାହାଡ଼ ଘାଟିର ମଧ୍ୟ ଦେଇ ପଶିଛି କଳାହାଣ୍ଡି ଜିଲାକୁ ।

 

ଏହି ଚାରୋଟି ରାସ୍ତାର ଦୁଇ ପାଖରେ ରାସ୍ତା କଡ଼ରୁ ଦୂରରେ,–କେଉଁଠି ଏକ ଦୁଇ ଫର୍ଲଙ୍ଗ ତ କେଉଁଠି ଏକ ମାଇଲରୁ ପାଞ୍ଚ ଛଅ ମାଇଲ ଦୂରରେ, ବସିଛି ନୂଆ ନୂଆ ଗ୍ରାମ । ଥଇଥାନ ହୋଇଛନ୍ତି ପୂର୍ବବଙ୍ଗରୁ ପଳାଇ ଆସିଥିବା ଆଶ୍ରୟପ୍ରାର୍ଥୀ ଦଳ । ନୂଆ ଗ୍ରାମଗୁଡ଼ିକ ଛାଡ଼ିଛାଡ଼ିକା, କେଉଁଠି ଦୁଇ ଗ୍ରାମର ମଝିରେ ବ୍ୟବଧାନ ଏକ ମାଇଲ ତ କେଉଁଠି ତିନି ଚାରି ମାଇଲ । ମଝିରେ ମଝିରେ ଆଦିବାସୀ ଗ୍ରାମ । ପ୍ରତ୍ୟେକ ନୂତନ ଗ୍ରାମକୁ ସଂଯୋଜିତ କରିବାକୁ ନୂଆ ରାସ୍ତାମାନ ତିଆରି ହୋଇଛି । ଦିନେ ଯେଉଁ ଅଞ୍ଚଳରେ ଥିଲା ନିବିଡ଼ ଅରଣ୍ୟ, ସେ ସବୁ ଦିଗନ୍ତ ବିସ୍ତାରୀ କେଦାର ମାଳରେ ପରିପୂର୍ଣ୍ଣ । ପ୍ରତି ପୁରୁଣା ଓ ନୂଆ ଗ୍ରାମର ଉପକଣ୍ଠରେ ରହିଯାଇଛି ଯେଉଁ ଛାଡ଼ିଛାଡ଼ିକା ଦୁର୍ବଳ ଜଙ୍ଗଲ, ସେତକ ସମ୍ଭବ ହୋଇଛି ନିମ୍ନଭୂମିର ଅନୁର୍ବରତା ପାଇଁ । ଗୋଚର ଓ ଗ୍ରାମ୍ୟ–ଜଙ୍ଗଲପାଇଁ ସ୍ଥାନେ ସ୍ଥାନେ ଅରଣ୍ୟର କିୟଦଂଶ ଛଡ଼ା ଯାଇଛି ।

 

ଏକାବନଟି ନୂତନ ସ୍ଥାପିତ ଶରଣାର୍ଥୀଙ୍କର ଗ୍ରାମ–କେଉଁ ଗ୍ରାମରେ ପଚିଶି କୁଟୁମ୍ବ ତ କେଉଁ ଗ୍ରାମରେ ପଚାଶ, ଶହେ, ଶହେକୋଡ଼ିଏ କୁଟୁମ୍ବ । ସର୍ବମୋଟ ସତେଇଶ ଶହ କୁଟୁମ୍ବରୁ ଅଳ୍ପ ଊଣା; ଏଗାର ହଜାର ଆବାଳ–ବୃଦ୍ଧ–ବନିତା ପୂର୍ବ–ବଙ୍ଗର ଶରଣାର୍ଥୀ ଥଇଥାନ ହୋଇଛନ୍ତି ।

 

ଶହ ଶହ ଆଦିବାସୀ ଗ୍ରାମର ମଝିରେ ମଝିରେ ଅବସ୍ଥିତ ଏହିସବୁ ନୂତନ ଗ୍ରାମ । ଶରଣାର୍ଥୀମାନଙ୍କର ସୁଖ ଓ ସୁବିଧାପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି, ବ୍ୟୟ ହେଉଛି । ଗ୍ରାମମାନଙ୍କରେ ସୁନ୍ଦର ସୁନ୍ଦର ଘର ତୋଳା ହୋଇଛି । ପ୍ରତି ଗ୍ରାମରେ ଏକ ବା ଅଧିକ ଖୋଲା କୂଅ, ଏକାଧିକ ନଳ କୂଅ, ଗୋଟିଏ ଗୋଟିଏ ପୋଖରୀ । କେଉଁ କେଉଁ ଗ୍ରାମରେ ଏକାଧିକ କଟା-। ପ୍ରତିଗ୍ରାମରେ ସ୍କୁଲ୍‍ । ବଡ଼ବଡ଼ ଗ୍ରାମମାନଙ୍କରେ ହେଲ୍‌ଥ–ସେଣ୍ଟର ।

 

ଶରଣାର୍ଥୀ କୁଟୁମ୍ବଗୁଡ଼ିଙ୍କ ସ୍ଥାନମାନଙ୍କର ଲୋକେ ବେଳେବେଳେ ମୁହଁକୁ ମୁହଁ ଅନାଅନି ହୋଇ ପରସ୍ପରକୁ ପଚାରନ୍ତି, କିଏ ଏମାନେ ? ତାଙ୍କପାଇଁ ଆମର ବଣଜଙ୍ଗଲ କଟିଲା । କନ୍ଦା ଖୋଳି, ଢେମେଣା ସାପ, ମୂଷା, କାଇ ଯୋଗାଡ଼ କରି ପିଲାଛୁଆଙ୍କୁ ଖୋଇ ତାଙ୍କୁ ବଞ୍ଚାଇବାର ସୁଯୋଗ ଗଲା । କିଏ ଏମାନେ, ଯାହାଙ୍କ ପାଇଁ ସରକାର ସବୁ ଖଞ୍ଜି ଦେଉଛନ୍ତି ? ମାସକୁ ମାସ ଅଧିକାରୀମାନେ ଆସି ଟଙ୍କା ବାଣ୍ଟି ଯାଉଛନ୍ତି । କାହାଘରେ କିଏ ବାଧକା ପଡ଼ିଲେ ଡାକ୍ତର ଧାଇଁ ଆସୁଛନ୍ତି । ଆମେ ଯାହା ଥିଲୁତ ସେଇଆ । ଆମର ଭାଗ୍ୟକୁ ଠାକୁରମାନେବି ବଦଳାଇ ପାରୁ ନାହାନ୍ତି ।

 

ଉମରକୋଟର ହାଟକୁ ଶହଶହ ଗ୍ରାମର ଲୋକେ ବିକ୍ରି ଖରିଦ କରିବାକୁ ଆସନ୍ତି । ଛକ ପାଖରୁ ଅଳପ ଦୂରରେ ଭାସ୍କରୀ ନଦୀକୂଳରେ ବସେ ସେ ହାଟ । ସାତ ଦିନରେ ଦୁଇ ଥର । ଦେଶୀୟାମାନେ ଦୂର ଗ୍ରାମମାନଙ୍କରୁ ବିଭିନ୍ନ ପଦାର୍ଥ ଓ ପନିପରିବା ନେଇ ହାଟକୁ ଆସୁଥିଲେ । ଏବେବି ଆସୁଛନ୍ତି, କିନ୍ତୁ ନୂଆ ଗ୍ରାମମାନଙ୍କର ଶରଣାର୍ଥୀ–ବେପାରୀ ଏବେ ଉମରକୋଟ ହାଟର ବ୍ୟବସାୟରେ ଭାଗ ନେଲେଣି, ବେପାର କଲେଣି । ହାଟର ଆକାର ବଡ଼ ହୋଇଛି । ଲୋକ ଗହଳ ଅତ୍ୟଧିକ ବଢ଼ିଛି । ବସ୍‌ ଚଳାଚଳ ଚାରିଆଡ଼କୁ ହେଉଥିବାରୁ କାର୍‌, ଜିପ୍‌, ଟ୍ରକ୍‌ ଅନବରତ ଚାଲିଥିବାରୁ ସବୁ ପଦାର୍ଥର ମୂଲ୍ୟ ବଢ଼ୁଛି । ଅରୋହୀମାନେ ପଦାର୍ଥ କିଣି ସବୁ ଆଡ଼କୁ ବୋହି ନେଉଛନ୍ତି ।

 

ଛୋଟ ଉମରକୋଟ ଗ୍ରାମଟି ସହରିଆ ହୋଇଆସୁଛି । କୋଣ୍ଡା ଗାଁ ଆଡ଼କୁ ଯାଇଥିବା ରାସ୍ତାର ଦୁଇ ପାଖରେ ନୂଆ ଦୋକାନମାନ ଗଢ଼ି ଉଠିଲାଣି । ସବୁ ଜାତିର ବ୍ୟବସାୟୀ–ସିନ୍ଧି, ପଞ୍ଜାବୀ, ଓଡ଼ିଶା, ବଙ୍ଗାଳୀ, ମଧ୍ୟପ୍ରଦେଶୀ । ଦୁଇଜଣ ମାରବାଡ଼ି ଆସି ଆଖି ପକାଇ, ଖବର ଅନ୍ତର ବୁଝି ଗଲେଣି । କେତେ ଜଣ ତେଲେଙ୍ଗା କୁମୁଟି କୁଆଡ଼ୁ ଆସି ଚାଉଳ ଡାଲି ଦୋକାନ ଖୋଲିଦେଲେଣି । କଫି ଓ ଚାହାର ହୋଟେଲ କେତେ ଖୋଲି ଗଲାଣି ରାସ୍ତା କଡ଼ରେ ।

 

ଛଳ ପାଖରୁ କିଛି ଦୂର ଛାଡ଼ି ଦକ୍ଷିଣ ଆଡ଼କୁ ପଛ କରି ଖୋଲା ହୋଇଛି ଗୋଟିଏ ନୂଆ ହୋଟେଲ, ଦୁଇ ବଖରା ଝାଟିମାଟି କାନ୍ଥ, ଚାଳଘର । ହୋଟେଲ ମାଲିକ ପୂର୍ବ–ବଙ୍ଗର ଜଣେ ବାସଚ୍ୟୁତ ପ୍ରୌଢ଼, ନିର୍ମଳ ଗୁଇଁ । ପଇଁତ୍ରିଶବର୍ଷର କଳା ମିଚିମିଚି ବାଙ୍ଗର ସ୍ୱାସ୍ଥ୍ୟବାନ ପୁରୁଷ । ତାଙ୍କର ସହକର୍ମୀ ଯେ ତାଙ୍କର ସାନଭାଇ ବିମଳ ଗୁଇଁ । କୋଡ଼ିଏବର୍ଷର ଯୁବକ, ରଙ୍ଗ ସାବନା, ପାତଳ ଦେହ ହେଲେବି ସ୍ୱାସ୍ଥ୍ୟ ଭଲ । ସବୁବେଳେ ସେ ଚଞ୍ଚଳ ।

 

ଭାଇ ଦିଓଟି ପୂର୍ବ–ବଙ୍ଗର ପଳାତକ ହେଲେ ମଧ୍ୟ ସେମାନେ ରେଜିଷ୍ଟ୍ରେସନ କାର୍ଡ଼୍ ନଥିଲା । ସେମାନେ ବାସଚ୍ୟୁତ ବୋଲି’ ହେଲେ ନାହିଁ । ତେଣୁ, ଚାଷ–ଭୂମି, ବାସ–ଗୃହ ଓ ସରକାରୀ ଭତ୍ତା ସେମାନଙ୍କୁ ମିଳିଲା ନାହିଁ । କିନ୍ତୁ ସେମାନେ ପାଇଲେ ସରକାରୀ ଥଇଥାନ ଅଫିସରମାନଙ୍କର ସହାନୁଭୂତି ଓ ଉତ୍ସାହ । ସେତିକିକୁ ସମ୍ବଳ କରି ନିଜ ଶିଙ୍ଗରେ ମାଟି ଖୋଳି ନିଜ ଗୋଡ଼ରେ ଠିଆ ହେବାକୁ ସେମାନେ ଉଦ୍ୟମ କଲେ ।

 

ସେମାନେ ବିନୟୀ, ଭଦ୍ର, ମିଷ୍ଟଭାଷୀ ଓ ପରିଶ୍ରମୀ । ନିଜ ଉଦ୍ୟମରେ ସଂସାର ଚଳାଇ ନିଜକୁ ସେମାନେ ଥଇଥାନ କରିବାକୁ ଦୃଢ଼ ପରିକର । ସେମାନେ ପଣ କରିଛନ୍ତି ଯେ ସହଜଲବ୍ଧ ସରକାରୀ ଭତ୍ତା ଉପରେ ନିର୍ଭର କରି, ଆତ୍ମ–ସମ୍ମାନରେ ଜଳାଞ୍ଜଳି ଦେଇ, ସେମାନେ ବଞ୍ଚି ରହିବାକୁ ଚାହାନ୍ତି ନାହିଁ । ସେମାନେ କହିବାକୁ କୁଣ୍ଠାବୋଧ କରନ୍ତି ନାହିଁ ଯେ ଭତ୍ତା ଓ ଭିକ୍ଷା ଭିତରେ ବିଶେଷ ପ୍ରଭେଦ ନାହିଁ । ନିଜ ବୁଦ୍ଧି ଓ ନିଜର ପରିଶ୍ରମରୁ ଉତ୍ପନ୍ନ ଧନରେ, ଯେତିକି ହେଲା ସେତିକିରେ ଭଳି ପାରିଲେ ଯେଉଁ ଆତ୍ମ–ଗୌରବ ଓ ଆନନ୍ଦ ମିଳେ, ସେତକ ପରମୁଖାପେକ୍ଷୀକୁ ମିଳେ ନାହିଁ । ପର ଉପରେ ଯେ ନିର୍ଭରଶୀଳ ତା’ର ମନୁଷ୍ୟତ୍ୱ ରୁଗ୍‌ଣ ହୁଏ, ଆତ୍ମାରେ ଲାଗେ କଳଙ୍କ, ତା’ର ନୈତିକତାର ମରଣ ହୁଏ ।

 

ନିର୍ମଳ ବୁଝାଇ କହନ୍ତି ଏବଂ ବୁଝାଇ କହିଥିଲେ ବିଧାନକୁ, ତା’ର ଦୁଃଖ କ’ଣରେ ? କିଏ ତୋତେ ଘରୁ କାଢ଼ି ଦେଲା କି କିଏ ତତେ ପୁଅ ବୋଲି ସ୍ୱୀକାର ନ କରି କୌଣସି ସ୍ୱାର୍ଥସିଦ୍ଧି ପାଇଁ ତୋ ଉପରେ ପିତୃତ୍ୱର ଅଧିକାର ସାବ୍ୟସ୍ତ କରିବାକୁ ବଦ୍ଧପରିକର ହେଲା, ଏଗୁଡ଼ା ଚିନ୍ତା କରି ଲାଭ କ’ଣ ? ଭାବପ୍ରବଣ ହୋଇ ପର ଉପରେ ମାନାଭିମାନ କରି ନିଜକୁ କାହିଁକି କଷ୍ଟ ଦେଉଛୁ ତୁ ଷୋଳବର୍ଷର ସ୍ୱାସ୍ଥ୍ୟବାନ ଟୋକା ବିଧାନ ? ଆଜିଯାଏ ଯାହାସବୁ ଘଟି ଯାଇଛି ଆଉ ଯାହା ତୁ କରି ସାରିଛୁ, ସେଥିପାଇଁ ଅନୁଶୋଚନା କି ଅନୁତାପ କରିବା ମୋଟେ ଉଚିତ ନୁହେଁ ।

 

ମୁଁ ବିଶ୍ୱାସ କରୁଛି ବିଧାନ, ପ୍ରକୃତରେ ସେମାନେ ତୋର ବାପ ମା’ । କେଉଁ କାରଣରୁ ତୋତେ ସେ ଭଲ ପାଉ ନଥିଲେ, ପୁଣି କେଉଁଥିପାଇଁ ତୋତେ ଫେରାଇ ନେବାକୁ ସେମାନେ ପତ୍ରରେ ବ୍ୟାକୁଳତା ପ୍ରକାଶ କରୁଛନ୍ତି, ତୋର ଜାଣିବା ଆବଶ୍ୟକ ନାହିଁ । ଯଦି ତୋପାଇଁ ପ୍ରକୃତରେ ସେମାନେ ବ୍ୟାକୁଳ; ଦିନେ ନା ଦିନେ ସେମାନେ ତୋତେ ଖୋଜି ନେବେ । ତୋର ମଧ୍ୟ ହୃଦ୍‌ବୋଧ ହେବ । ସେମାନଙ୍କ ପାଖକୁ ଫେରି ଯିବାକୁ ତୁ ଆଗ୍ରହୀ ନୋହୁ । କେହି ତୋତେ ବାଧ୍ୟ କରାଇପାରିବେ ନାହିଁ ।

 

ମନେକର ବିଧାନ, ତୁ ଆକାଶରୁ ଗଳି ପଡ଼ିଛୁ, ଷୋଳବର୍ଷର ଶିକ୍ଷିତ ସ୍ୱାସ୍ଥ୍ୟବାନ କର୍ମଠ ଟୋକାଟି । ତୁ ସ୍ୱାଧୀନ ମଣିଷ । ତୋର ଦକ୍ଷତା, ତୋର ସାଧୁତା ତତେ ବଞ୍ଚାଇବ, ତୋତେ ବଡ଼ମଣିଷ କରିବ । ଏତିକି ବିଶ୍ୱାସ ମନରେ ରଖ । ଚିରଦିନ ପାଇଁ ପୋଛିପକା ତୋ ଆଖିର ଲୁହ-

 

ନିର୍ମଳ ଗୁଇଁ ତାକୁ ଉମରକୋଟରେ ଚିହ୍ନିଥିଲେ । ତା’ର ସଚୋଟପଣିଆର ପରିଚୟ ଆଗରୁ ପାଇଥିଲେ । ସେ ଡାକ୍ତରଙ୍କର ଚାକର ହେଲେବି କଲ୍ୟାଣୀ ଯେ ତାକୁ ନିଜର ସାନଭାଇ ପରି ରଖିଥିଲେ ଏହା ନିର୍ମଳଙ୍କୁ ଅଜଣା ନଥିଲା । କେବେ କେବେ ବିଧାନ ନିର୍ମଳଙ୍କ ଦୋକାନରୁ କଲ୍ୟାଣୀଙ୍କ ଆଦେଶରେ ମିଷ୍ଟାନ୍ନ ନେବାକୁ ଆସୁଥିଲା । ସେହି ସୂତ୍ରରେ ପିଲାଟି ସଙ୍ଗେ ତାଙ୍କର ପରିଚୟ ହୋଇଥିଲା । ତାଆରି ମୁହଁରୁ ସେ ତା’ର ଅତୀତ ଜୀବନର କରୁଣ କାହାଣୀ ଶୁଣିଥିଲେ, ବିଶ୍ୱାସ କରିଥିଲେ ଓ ସହାନୁଭୂତିଶୀଳ ହୋଇ ଉତ୍ସାହିତ କରୁଥିଲେ । ଡାକ୍ତରଙ୍କ ଘରୁ ସେ ଚାଲି ଆସିଛି ଜାଣି ହୋଟେଲରେ ଆଶ୍ରା ଦେବାକୁ ସେ କୁଣ୍ଠିତ ହୋଇ ନଥିଲେ ।

 

ନିର୍ମଳ ବ୍ୟବସାୟୀ ଲୋକ । ବିନା କାର୍ଯ୍ୟରେ ସେ କାହାକୁ ପଇସାଏ ଦିଅନ୍ତି ନାହିଁ କି, ବିନା ପଇସାରେ ସେ କାହାକୁ ବାସି ପକୋଡ଼ିରୁ ପୁଞ୍ଜିଏ ଦିଅନ୍ତି ନାହିଁ, କିନ୍ତୁ ଦୁର୍ଗାପୂଜା, ଡ୍ରାମା, ରବୀନ୍ଦ୍ର–ଜୟନ୍ତୀ ଉତ୍ସବମାନଙ୍କରେ ଚାନ୍ଦା ଦେବାକୁ ସେ କୁଣ୍ଠିତ ହୁଅନ୍ତି ନାହିଁ । ସେ ଜାଣନ୍ତି, ବିଧାନ ମନର ଅଭିମାନରେ ତା’ର ମା’ ପାଖକୁ ଟଙ୍କା ପଠାଇ ଦେଇଛି ଓ ତାଙ୍କର ଉପଦେଶ କ୍ରମେ ପତ୍ର ଲେଖିଛି । ବସି ଖାଇଲେ ନଈବାଲି ସରେ । ବିଧାନ ପଇସା ଦେଇ ହୋଟେଲର ଖାଉଛି, କିନ୍ତୁ ପାଖରେ ଥିବା ଟଙ୍କା କେଇଟି ଶେଷ ହୋଇଗଲେ ସେ କରିବ କ’ଣ ? ବିନା କାମରେ ପର ପିଲାକୁ ସେ ବସାଇ ଖାଇବାକୁ ଦେବେ ନାହିଁ ଏହା ନିଶ୍ଚିତ । ତାଙ୍କ ନିଜ ଦୋକାନରେ ବିଧାନପାଇଁ କୌଣସି କାମ ନାହିଁ ।

 

ତିନୋଟି ଦିନ ଭିତରେ କେଜାଣି କାହିଁକି କଲ୍ୟାଣୀ ବିଧାନକୁ ବାରମ୍ବାର ଡକାଇ ପଠାଇଥିଲେ । ବିଧାନ ତାଙ୍କ ସଙ୍ଗେ ଦେଖା କରିବାକୁ ଗଲା ନାହିଁ । ନିର୍ମଳ ଓ ବିମଳ ପଚାରିବାରୁ ସେ ଉତ୍ତର ଦେଲା, କଲ୍ୟାଣୀ ଅପା ମୋତେ ଘରୁ ବିଦା କରି ଦେଇଛନ୍ତି । ତାଙ୍କ ଘର ସଙ୍ଗେ ମୋର ଆଉ ସମ୍ପର୍କ ନାହିଁ । ମୁଁ ଛୋଟକାପ୍‌ସି ଯାଏଁ କି ଆଉ କୁଆଡ଼େ ଯାଏଁ ସେଥିରେ ତାଙ୍କର ସମ୍ପର୍କ ନାହିଁ । ଦେଖାହେଲେ ଅବଶ୍ୟ ତାଙ୍କର ପାଦଧୂଳି ମୁଣ୍ଡରେ ମାରିବି । ମୋ ମନକୁ ମୁଁ ଯିବି । ସେ ଡକାଇଲେ ଯିବି ନାହିଁ ।

 

ହାତରୁ ପଇସା ସରିଗଲେ ତୁମେ ଚଳିବ କିପରି ?

 

ଜାଣେ ନାହିଁ ନିର୍ମଳବାବୁ, ତେବେ ଏତିକି କହି ରଖୁଛି, ମୁଁ ତୁମର ହୋଟେଲରେ ଆଉ ରହିବି ନାହିଁ କି ହାତ ପାତି କେଉଁଠି ଭିକ୍ଷା କରିବି ନାହିଁ । ରାସ୍ତା କଡ଼କୁ ଥରେ ଚାହିଁ ଦେଖ ନିର୍ମଳବାବୁ, କେତେ ଲୋକ ମାଟି କାଟି ମୁଣ୍ଡରେ ବହି ରାସ୍ତାରେ ପକାଉଛନ୍ତି । ମୋର ବାପ ମାଆଙ୍କ ଦୟାରୁ ମୁଁ ଏ କାମ ପିଲା ଦିନରୁ ଶିଖିଛି । ଦେଖୁଛ ତ ପୁଣି ସେଇ ଆଦିବାସୀ ଲୋକଗୁଡ଼ିଙ୍କୁ, ତାଙ୍କର ସ୍ତ୍ରୀ ପିଲାଙ୍କୁ ? ସେମାନେ ରୋଲର୍‌ ଗଡ଼ାଉଛନ୍ତି । ମୁଣ୍ଡରେ ପାଣି ମାଠିଆ ବୋହି ରାସ୍ତାରେ ପକାଉଛନ୍ତି । ସେ କାମବି ମୁଁ କରି ପାରିବି । କଲ୍ୟାଣୀ ଅପାଙ୍କ ଦୟାରୁ ମୁଁ ଲେଖିପଢ଼ି ଶିଖିଛି । ହିସାବ ପତ୍ର କରି ପାରୁଛି । ତାଙ୍କ ପାଖରେ ମୁଁ ଋଣୀ । ଅଧିକ ପାଠ ମୋର ଲୋଡ଼ା ନାହିଁ । ଦେଖୁଛ ତ ନିର୍ମଳ ଭାଇ, ପୂର୍ବ–ବଙ୍ଗରୁ ଯେତେ ଆଶ୍ରୟପ୍ରାର୍ଥୀ ଆସିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଅପାଠୁଆ । ନାମ ଲେଖି ଜାଣନ୍ତି ନାହିଁ ବୋଲି ଟିପଚିହ୍ନ ଦେଇ ଡୋଲ୍‌ ଟଙ୍କା ନିଅନ୍ତି । ମୁଁ ଚାରି ଅକ୍ଷର ପଢ଼ିଛି ତ ।

 

ନିର୍ମଳ ଗୁଇଁ ହସିଲେ । କହିଲେ, ଯେଉଁମାନେ ଟିପଚିହ୍ନ ଦିଅନ୍ତି ସେମାନଙ୍କ ମଧ୍ୟରୁ ଅନେକ ଲେଖାପଢ଼ା ଜାଣନ୍ତି ବିଧାନ, କିନ୍ତୁ ସେମାନେ ଟିପଚିହ୍ନ ଦେବାକୁ ପସନ୍ଦ କରନ୍ତି । କେଉଁ ଲିଡ଼ର୍‍ମାନେ ତାଙ୍କୁ ଆରମ୍ଭରୁ ଶିଖାଇ କହିଥିଲେ ଯେ ଲେଖାପଢ଼ା ଜାଣିଥିବା ଲୋକଙ୍କର ମାସିକ ଡୋଲଭରା ସରକାର କାଟିଦେବେ । ସେହି ଡରରେ ସେମାନେ ଟିପଚିହ୍ନ ଦେବାକୁ ନିରାପଦ ବୋଲି ମଣିଲେ । ଯାହାହେଉ, ତୁମର ଆତ୍ମ–ବିଶ୍ୱାସ ଦେଖି ମୁଁ ଖୁସି ହେଉଛି । ପୂର୍ବ–ବଙ୍ଗ କେବେ ଦେଖିଛ କି ବିଧାନ ?

 

ସ୍ୱପ୍ନରେବି ମୁଁ କେବେ ଦେଖିନାହିଁ । ଶୁଣିଛି, ସେ ଦେଶ କୁଆଡ଼େ ସୁନାର ଦେଶ । ପୁଣି ଶୁଣିଛି, ସେ ସୁନା ଦେଶ ପୁଣି ଚୂନା ହେଲାଣି । ମୋ କଥା କହେଁ,–ଏହି ତିନି ଦିନ ମଧ୍ୟରେ ମୁଁ ଅନେକ ଲୋକଙ୍କ ସଙ୍ଗେ ଦେଖା କଲିଣି । ଅଫିସରମାନେ କେତେ ପ୍ରକାର ଉପଦେଶ ଦେଲେ । କିଏ କହିଲେ ଛୋଟକାପ୍‌ସି ଫେରିଯାଅ, କିଏ କହିଲେ କାଠ କାମ ଶିଖ, ଲୁହା କାମ ଶିଖ, ଏଇ ଉମରକୋଟରେ, ନୋହିଲେ ଜଗଦଲ୍‍ପୁର, ଆମ୍ବଗୁଡ଼ା କି ମାଲକାନଗିରିରେ । ଛୋଟକାପ୍‌ସି ମୁଁ ଫେରିବି ନାହିଁ । ସବୁ କାମ ଶିଖିବାକୁ ମୋର ମନ, କିନ୍ତୁ ରହିବି କେଉଁଠି ? ମୋର କିନ୍ତୁ ଆଗ୍ରହ ହେଉଛି ମୁଁ ମଟରଗାଡ଼ି ଚଳାଇ ଶିଖିବି । ତା’ର ଯନ୍ତ୍ରପାତି କଳ କବଜା ସମ୍ବନ୍ଧରେ ଜାଣିବି ।

 

ନିର୍ମଳ କହିଲେ, ଭଲ ଆଇଡ଼ିଆ । ତୁମେ ଅଧମବାବୁଙ୍କ ସଙ୍ଗେ ଦେଖା କରୁନ ? ସେ ଅତି ବିଚକ୍ଷଣ ଡ୍ରାଇଭର । ମେକାନିକ୍‌ ହିସାବରେ ତାଙ୍କର ସୁନାମ ଅଛି । ତୁମର ଅନୁପସ୍ଥିତିରେ ସେ ଘଣ୍ଟାକ ଆଗରୁ ଗାଡ଼ି ନେଇ ଆସିଥିଲେ । ସନ୍ଧ୍ୟା ହୋଇ ହୋଇ ଆସୁଥିଲା । କପୁର୍‍ ସାହେବଙ୍କୁ ନେଇ ସେ କୋଣ୍ଡାଗାଁ ବାଟେ ଜଗଦଲ୍‍ପୁର ଗଲେ । ରାସ୍ତାରେ ଗଲାବେଳେ ସେ ଏଇ ଦୋକାନରୁ ଜଳଖିଆ ନେଇ ଯାଆନ୍ତି । ସେ କହୁଥିଲେ, ତାଙ୍କର ମାଲକାନଗିରି ବଦଳି ହୋଇଛି ଆଉ, ସେ ମଟର ମେକାନିକ୍‌ କାମ ପାଇ ପ୍ରମୋସନ୍‌ ଲାଭ କରିଛନ୍ତି । ଅଧିକ ଦରମା ପାଇ ସେ ଯାଉଛନ୍ତି । ତାଙ୍କରି ପାଖରେ ମାଲକାନଗିରିରେ ରହିଲେ ସେଠିକା ୱାର୍କସପ୍‌ରେ ତୁମେ କାମ କରିବ, କାମ ଶିଖିବ । ପଇସାର ଅଭାବ ହେବ ନାହିଁ ।

 

ବିଧାନ କହିଲା ଚକ୍ରବର୍ତ୍ତୀବାବୁ କଣ୍ଟ୍ରାକ୍ଟର ମାଲକାନଗିରିରେ କାମ ନେଇଛନ୍ତି । ଆମ ପାରଲ୍‌କୋଟ ପରି ସେଠାରେ କୁଆଡ଼େ ଜଙ୍ଗଲ ଭିତରେ ନୂଆ ନୂଆ ଗ୍ରାମ ବସୁଛି । ଟ୍ରାକ୍ଟର୍ ଲଗାଇ ଜଙ୍ଗଲ ସଫା ହେଉଛି । କୁଆଡ଼ୁ ସବୁ ଆଶ୍ରୟପ୍ରାର୍ଥୀମାନଙ୍କୁ ପ୍ରୋଜେକ୍ଟ୍‌ ବସ୍‌ମାନଙ୍କରେ ନେଇ ସେଠାରେ ଛାଡ଼ୁଛନ୍ତି । ଗୋକୁଳ ଚକ୍ରବର୍ତ୍ତୀବାବୁ ମୋତେ କଥା ଦେଇଛନ୍ତି ଯେ ମୁଁ ଯଦି ଜଙ୍ଗଲ ଭିତରେ ତମସା–ନଦୀର ତୀରରେ, ଯେଉଁଠି ନୂଆ ଗ୍ରାମ ସବୁ ବସୁଛି, ସେଠାରେ ତାଙ୍କର ପୋଖରୀ ଖୋଳା କାମ ଦେଖିବାକୁ ରହେ, ସେ ମୋତେ ରଖିବାକୁ ରାଜିହେବେ । ମୁଁ ତାଙ୍କୁହିଁ କହିଛି ।

 

ଜଙ୍ଗଲ ଭିତରେ କୁଡ଼ିଆ ଘରେ ରହିବାକୁ ମୋର ଡର ନାହିଁ ନିର୍ମଳବାବୁ, କେତେ ଆଡ଼ର କେତେ ତ କାମ କରୁଥିବେ । ରାତିରେ ଯଦି ବିଷାକ୍ତ ସାପ ଚିହ୍ନି ଚିହ୍ନି ଆସି ମୋଓରି ଗୋଡ଼ରେ ଚୋଟ ମାରିବ କି ଗରଜିଲା ବାଘ ମୋଓରି କୁଡ଼ିଆରେ ପଶି ମୋ ବେକରୁ ଧରି ଟାଣି ନେବ ତ ନେବ । ସେମାନେ ମୋତେ ଉଦ୍ଧାର କରିବେ । ମରିବା ଆଗରୁ ସେମାନଙ୍କୁ ମୁଁ ମୋର କୃତଜ୍ଞତା ଜଣାଇଁ ଦେବି ନିର୍ମଳବାବୁ, ସେମାନେ ହେବେ ମୋର ତ୍ରାଣକର୍ତ୍ତା ।

 

ପିଲାଟିର ନିଜ ଜୀବନ ପ୍ରତି ମମତା ଓ କର୍ମ କରି ଜୀବନରେ ଉନ୍ନତି କରିବାର ବାସନା ଓ ଜୀବନର ସୁଖ ଆନନ୍ଦ ଚାଖିବାର ଆଗ୍ରହ ଥିଲେବି ଜୀବନ ପ୍ରତି ବୀତସ୍ପୃହ ଭାବ ଦେଖି ନିର୍ମଳ ଗୁଇଁଙ୍କର କଠୋର ବ୍ୟବସାୟୀ ମନ ଥରି ଉଠିଲା । କଡ଼ ଟିଣ ଚଉକିରେ ବସିଥିବା ବିଧାନ ମୁହଁକୁ ଥରଟିଏ ଅନାଇଁ ନୀରବରେ ଟେବୁଲ୍‌ ଉପରକୁ ଦୃଷ୍ଟି ଫେରାଇଲେ ।

 

ସନ୍ଧ୍ୟା ସାତ ହେଲାଣି । କେତେବେଳୁ ବିମଳ ପେଟ୍ରୋମାକ୍‌ସ ଆଲୁଅ ଜଳାଇ ଘର ମଝିରେ ଟେବୁଲ୍‌ ଉପରେ ରଖି ଦେଲାଣି । ପାଖ ରୋଷଘର ଆଡ଼ୁ ମାଛ ଭଜାର ଲାଳଗଡ଼ା ଗନ୍ଧ ଭାସି ଆସୁଛି । ସନ୍ଧ୍ୟା ଆଗରୁ ଜଳଖିଆ ଓ ଚା’ ଖିଆ ଗରାଖଙ୍କ ଗହଳି ଭାଙ୍ଗି ଯାଇଥିଲା । ଆଠଟା ଆଗରୁ ଅଧିକ ଗରାଖ ଆସନ୍ତି ନାହିଁ । ଯେଉଁମାନେ ଆସନ୍ତି ସେମାନେ ମିଷ୍ଟାନ୍ନ କିଣି ନେଇ ଯାଆନ୍ତି । ଆଠଟାରୁ ଆରମ୍ଭ ହୁଏ ଭାତ, ରୁଟି ଓ ପରଟା ପର୍ବ, ରାତ୍ରି ଭୋଜନିଆ ଗ୍ରାହକ, ଗହଳଚହଳ ଲାଗେ ରାତ୍ରି ଦଶଟା ଯାଏଁ ।

 

ଫାଙ୍କା ସମୟ ହେଲେବି କିଏ ଜଣେ ଖରିଦଦାର ରସଗୋଲା ଛେନାଗଜା ଓ ଲଡ଼ୁ କିଣି ନେଲା । ବିମଳ ପାଟିକରି ଡାକ ଛାଡ଼ିଲା, ତିନି ଟଙ୍କା ପଚାଶ । ନିର୍ମଳ ଗରାଖଙ୍କ ପାଖରୁ ପାଞ୍ଚ ଟଙ୍କାର ନୋଟ୍‌ ଖଣ୍ଡି ନେଇ ବାକି ପଇସା ଫେରସ୍ତ ଦେଲେ । ଖରିଦଦାର ଚାଲି ଯିବାରୁ ନିର୍ମଳ କହିଲେ, ହତାଶ ହେଲେ ଜୀବନରେ ଆଗେଇ ହୁଏ ନାହିଁ । ତୁମେ ଯାହା ଉଚିତ ମନେ କରୁଛ କରିଯାଅ । ଗୋକୁଳ କଣ୍ଟ୍ରାକ୍ଟର ଖାଣ୍ଟି କାମିକା ଲୋକ ମୁଁ ଏହା ଜାଣେ । ଦିନାକେତେ ରହ ତାଙ୍କ ପାଖରେ । ଅଭିଜ୍ଞତା ଅର୍ଜନ କର । ଲୋକ ଚିହ୍ନ । ନିଜକୁବି ଚିହ୍ନି ପାରିବ ଯେ, କିନ୍ତୁ ତାଙ୍କ ପାଖରେ ରହିଲେ ତୁମେ ଆଉ ଡ୍ରାଇଭର ହୋଇ ପାରିବ ନାହିଁ କି ମେକାନିକ୍‌ ହୋଇ ପାରିବ ନାହିଁ । ମନରେ ସେ ଆଶା ଥିଲେ ଅଧମବାବୁଙ୍କର ପରାମର୍ଶ ନିଅ । ତାଙ୍କୁ ତୁମେ ଚିହ୍ନ ।

 

ବିଧାନ କହିଲା, ତାଙ୍କୁ ମୁଁ ଭଲକରି ଚିହ୍ନେ ନିର୍ମଳବାବୁ, ସେ ଅଳ୍ପ କଥା କହନ୍ତି, ଡବଡ଼ବ କରି ଅନାନ୍ତି । ତାଙ୍କୁ ଦେଖିଲେ ମୋତେ ଡର ମାଡ଼େ । ସେ କାଳେ ବହୁତ ମଦ ଖାଉଥିଲେ । ତାଙ୍କ ଦେହଯାକ ଖାଲି କଟା ଦାଗ, ଗୁଳି ଦାଗ । ମନେହୁଏ ସେ କେଉଁଠି ସୈନ୍ୟ–ବିଭାଗରେ କାମ କରୁଥିଲେ କି ନିଜେ ପୂର୍ବବଙ୍ଗରେ ଚୋରି ଡକାୟତି କରୁଥିଲେ । ଏବେ ସେ ଭଲ ହୋଇଛନ୍ତି ପରା-। ଲୋକେ ସେଇଆ କହନ୍ତି । ତାଙ୍କୁ ଦେଖିଲେ ମୋର ମନେହୁଏ ଯେପରି ତାଙ୍କ ଛାତିତଳେ ଗୋଟାଏ ମଦୁଆ ଓ ଖୁଣୀ ମଣିଷ ଲୁଚି ରହିଛି । କେତେବେଳେ ସେ ପୁଣି ବାହାରି ପଡ଼ିବ, ତଣ୍ଟିରୁ ଧରି ଝୁଣିବ ।

 

ତୁମର କଥା ମୁଁ ଅବିଶ୍ୱାସ କରୁନାହିଁ । ମୁଁ ଭାବୁଛି, ଅଧମବାବୁଙ୍କ ପରି ସୁଦକ୍ଷ ଓ ଚତୁର ଲୋକ ପାଖରେ ରହି ତାଙ୍କୁ ସନ୍ତୁଷ୍ଟ କରି ତାଙ୍କ ପାଖରୁ କାମ ଶିଖି ପାରିଲେ ତୁମର ମନକାମନା ପୂରଣ ହେବ, ଭବିଷ୍ୟତ୍‌ ବଦଳିଯିବ । ଯଦି ଚାହଁ, ତୁମପାଇଁ ମୁଁ ତାଙ୍କୁ ଅନୁରୋଧ କରିବି । ଝିଅଟିଏ ଛଡ଼ା ତାଙ୍କର ସଂସାରରେ ଆଉ କେହି ନାହିଁ ।

 

ପାକିସ୍ଥାନୀମାନେ ତାଙ୍କର ସମସ୍ତଙ୍କୁ ମାରି ଦେଇଛନ୍ତି ବିଧାନ । ସେହି ଆଡ଼ପାଗଳୀ ଝିଅଟାପାଇଁ ସେ ବଡ଼ ବ୍ୟସ୍ତ ହେଉଥିଲେ ଦିନେ । ଖୋଜୁଥିଲେ ପିଲାଟିଏ, ଯିଏ ପାଖରେ ରହିଲେ ଅଧମ ନିଶ୍ଚିନ୍ତ ହୋଇ ପାରିବେ ।

 

ଗାୟତ୍ରୀ ଅପା କେବେ ସିନା ଆଡ଼ପାଗଳୀ ଥିଲେ ନିର୍ମଳବାବୁ, ସେ ଭଲ ହୋଇ ଗଲେଣି । କଲ୍ୟାଣୀ ଅପା ତାଙ୍କୁ ସ୍ନେହ କରନ୍ତି । ଅଧମବାବୁ ଗାୟତ୍ରୀ ଅପାଙ୍କ କଥାରୁ ବାହାର ହେବେ ନାହିଁ । ମୁଁ ତାଙ୍କୁ ଥରେ ମୋ ମନ ଖୋଲି କହିବି । କିନ୍ତୁ ନିର୍ମଳବାବୁ, ଅଧମବାବୁଙ୍କୁ ଦେଖିଲେ ସତେ ମୋତେ ଡର ଲାଗେ ।

 

ନିର୍ମଳ ବିମଳର ଡାକ ଶୁଣି ଆଉ ଦୁଇ ଜଣ ଗରାଖଙ୍କ ପାଖରୁ ପଇସା ରଖିବାରେ ମନ ଦେଲେ । ସେତିକିବେଳେ ଭାବିଲେ, ବିଧାନ ସଙ୍ଗେ ଗଳ୍ପ କରି ବୋଧହୁଏ ସେ ତାଙ୍କର ବହୁମୂଲ୍ୟ ସମୟ ନଷ୍ଟ କରିଛନ୍ତି । କୌଣସି ଗରାଖ ଅବଶ୍ୟ ଫେରି ଯାଇ ନାହାନ୍ତି କି ଜିନିଷର ଦରଦାମ୍ ଓ ପରିମାଣ ହିସାବ କରି ପଇସା ରଖିବାରେ ଭୁଲ୍‌ ହୋଇ ନାହିଁ ।

 

ଗାୟତ୍ରୀର ନାମ ଶୁଣି ନିର୍ମଳ ତାଙ୍କ ଶୁଣିଲା କଥାର ସତ୍ୟାସତ୍ୟ ପରଖ କରିବାର ଲୋଭସମ୍ୱରଣ କରି ପାରିଲେ ନାହିଁ । କହିଲେ, ଅଧମବାବୁଙ୍କର ଝିଅ ଗାୟତ୍ରୀ ପରା ଅମିୟବାବୁଙ୍କୁ ବିବାହ କରୁଛନ୍ତି ? କଲ୍ୟାଣୀ ମଧ୍ୟସ୍ଥ ହୋଇ ଏ ବିବାହ କରାଉଛନ୍ତି ?

 

ବିଧାନ କହିଲା, ଏ ଖବର ମୁଁ ଜାଣେ ନାହିଁ । ଅମିୟବାବୁ ଅତି ଉତ୍ତମ ଲୋକ ବୋଲି ମୁଁ ଜାଣେ । ଗାୟତ୍ରୀ ଅପା ତ ଜାଣି ଅତି ଭଲ । କଲ୍ୟାଣୀ ଅପା ତାଙ୍କୁ ଭାରି ସ୍ନେହ କରନ୍ତି ।

 

ନିର୍ମଳ ହଠାତ୍‌ ଗମ୍ଭୀର ହୋଇଗଲେ । କ’ଣ ଭାବି କହିଲେ, ଛାଡ଼ ପରଘର କଥାରୁ ଆମୁକୁ କି ମିଳିବ ? ତୁମେ ସେଇଆ କର ବିଧାନ,–ହୁଏତ ଗୋକୁଳ ଚକ୍ରବର୍ତ୍ତୀଙ୍କ କାମ ଦେଖାଶୁଣା କରିବାକୁ ମାଲକାନଗିରି ଯାଅ ନୋହିଲେ, ଅଧମବାବୁଙ୍କର ଘରେ ରହି ଆପ୍ରେଣ୍ଟିସ୍‌ ହୁଅ । ଛୋଟକାପ୍‌ସି ଫେରିଯାଇ ଘରେ ରହି ଚାଷ କାମରେ ତୁମ ବାପାଙ୍କୁ ସାହାଯ୍ୟ କଲେବି ମନ୍ଦ ହେବ ନାହିଁ । ଟୋକା ମଣିଷ, କିଛି ଗୋଟାଏ କର । ଖାଲି ହୋଟେଲରେ ରହି ଅନ୍ନଧ୍ୱଂସ କେତେ ଦିନ ଆଉ କରିବ ? ହାତରୁ ଧନ ସରିଲେ ହଇରାଣ ହେବ ଯାହା ।

 

ନିର୍ମଳଙ୍କର ସବୁ ସହାନୁଭୂତି ଓ ମୈତ୍ରୀଭାବ ହଠାତ୍‌ ପାଣି ଫାଟିଗଲା । ବ୍ୟବସାୟୀ ବନ୍ଧୁ ବିନା ପଇସାରେ ଉପଦେଶ ଦିଏ, ପକେଟରୁ ଧନ ନ କାଢ଼ିଲେ ପାଣି ଗିଲାସେ ଦେବାକୁ ସେ କୁନ୍ତୁ କୁନ୍ତୁ ହେବେ । ଅଳ୍ପଦିନର ଅଭିଜ୍ଞତା ବିଧାନକୁ ଏ ଶିକ୍ଷା ଦେଇ ସାରିଛି । ସେ ଅନୁଭବ କରିଛି ଯେ ଏ ଦୁନିଆରେ ସମସ୍ତେ ହେଉଛନ୍ତି ବ୍ୟବସାୟୀ । ସବୁଠି ଦେ ଓ ନେଏର କାରବାର । ଦେ ଓ ଦେ ତରାଜୁରେ ହାତସଫେଇ କରି ଯିଏ ଯେତିକି ଦଣ୍ଡି ମାରିପାରିଲା ସିଏ ସେତିକି ପାରିଲାର ।

 

ବିଧାନ ଧୀରେ ଧୀରେ ଟିଣ ଚଉକିରୁ ଉଠି ରାସ୍ତା ଉପରକୁ ଆସିଲା ।

 

ଦୋକାନଗୁଡ଼ିକର ଆଲୁଅ ଅନ୍ଧାରିଆ ରାସ୍ତାର ଅଳ୍ପ ଅଂଶ ଆଲୋକିତ କରୁଛି । ଆଉ ସବୁ ଅନ୍ଧାର । ଲୋକେ ଯା ଆସ କରୁଛନ୍ତି । ପାଟିତୁଣ୍ଡ ଶୁଭୁଛି । କାହାର ଟର୍ଚ୍ଚ ଆଲୁଅ ରହି ରହି ଝଲସି ଆସୁଛି । କେଇ ଖଣ୍ଡି ଜିପ୍‌ ଓ ଟ୍ରକ୍‌ ଆଲୁଅ ଜଳାଇ ରାସ୍ତାର ଦୁଇ ଆଡ଼ୁ ଛୁଟି ଆସୁଛନ୍ତି । ଅନ୍ଧାରି ଆକାଶରେ ଅଗଣନ ଆଖି ଠିରିକିଆ ଅଛି ।

 

ବିଧାନ ଭାବିଲା, ରାଗରୋଷ ଭୁଲି ସେ କଲ୍ୟାଣୀ ଅପାଙ୍କୁ ଭେଟିବ, ପଚାରିବ, କ’ଣ ମୁଁ କରିବି ?

 

ଶତାବନ

 

କ’ଣ ତା’ର ଦୋଷ ସେ କିଛି ବୁଝି ପାରେ ନାହିଁ । କାହିଁକି ତା’ର ମା’ ବେଳେବେଳେ ତା’ ଉପରେ ବିରକ୍ତ ହୁଅନ୍ତି, ପୁଣି ନିଜେ ପ୍ରକୃତିସ୍ଥ ହୋଇ ପାଖକୁ ଡାକି ସ୍ନେହ କରନ୍ତି । ପଚାରିଲେ ବଲବଲ କରି ମୁହଁକୁ ଅନାଇଁ ରହନ୍ତି । ଆଖିରୁ ଧାରଧାର ଲୁହ ଛୁଟେ । ମନକଥା କାହାରି ଆଗରେ ଖୋଲି କହନ୍ତି ନାହିଁ । ଆଖିରୁ ଲୁହ ପୋଛି ରାମାୟଣ ଧରି ବସନ୍ତି । ମନେମନେ ପଢ଼ୁଥିବେ ପରା । ଚାହିଁ ରହନ୍ତି ପୁସ୍ତକକୁ । ପୃଷ୍ଠା ଓଲଟେ ନାହିଁ ।

 

ମନ ହଜିଯାଏ ସେହି ଗୋଟିଏ ପୃଷ୍ଠାରେ ?

 

କେବଠାରୁ ତାଙ୍କର ମନରେ ଓ ଢଙ୍ଗରେ ଏପରି ପରିବର୍ତ୍ତନ ହେଲା କାହା ଆଗରେ ପ୍ରକାଶ କରିବାକୁ ସାହସ କରି ନ ପାରିଲେ ମଧ୍ୟ ଅମିତା ନିଜେ ଅନୁମାନ କରେ । ଯେଉଁଦିନ ତା’ର କକା ଅମିୟ ଚାକିରି ପାଇ ଉମରକୋଟ ଗଲେ, ସେହି ଦିନର ଗୋଟିଏ ଛୋଟ ଘଟଣା ତା’ର ମାଆଙ୍କ ମନରେ କାହିଁକି ଦୁଃଖର ପ୍ରଭାବ ପକାଇଲା ?

 

ମଦୁଆ ଡ୍ରାଇଭରଟାଏ, ଗୋଟାଏ ଖୁଣୀ ଗୁଣ୍ଡାପରି ଚେହେରା ଦେଖିଲେ ଡର ମାଡ଼େ । ଦୂରରେ ଥାଇ ଅନ୍ୟ ପିଲାଙ୍କ ସଙ୍ଗରେ ଅମିୟ ଅନାଇଁ ରହିଥିଲା । ପାଣି ଗିଲାସେ ମାଗିବାରୁ ସେ ତାକୁ ଦେଇଥିଲା ।

 

ତୃଷାର୍ତ୍ତକୁ ପାଣି ଦେବା ଦୋଷାବହ ନୁହେଁ । ପଚାରିଥିଲେ ନାମ ଗ୍ରାମ, ଅମିତା ଉତ୍ତର ଦେଇଥିଲା । ନିଜର ନାମ ପ୍ରକାଶ କଲା,–ଅଧମ ଚଣ୍ଡାଳ ମିଛ ନାମଟିଏ ହୋଇଥିବ । ପୁଣି କହିଥିଲା, ତା’ର କନ୍ୟାଟିଏ ଅଛି, ନାମଟି ତା’ର ଗାୟତ୍ରୀ । ଅମିୟ ଉମରକୋଟ ଯିବାର ଦୁଇ ଚାରିଦିନ ପରେ ମନ ଖୁସିରେ ବାହାଦୁରି ଦେଖାଇ ଦିନ ଦୁଇ ପ୍ରହରେ ସେହି ଛୋଟ ଘଟଣାଟି ଟିକିନିଖି କରି ଅମିତା ଅନିମାଙ୍କ ଆଗରେ ବର୍ଣ୍ଣନା କରୁଥିଲା । କହୁ କହୁ ସେ ଦେଖିଲା, ଅନିମାଙ୍କର ମୁହଁର ଜ୍ୟୋତି ଲିଭିଗଲା । ସେ ଅସ୍ଥିର ହୋଇ ପଡ଼ିଲେ ତତଲା କଡ଼େଇରେ ଜିଅନ୍ତା ମାଛ ଛଟପଟ ହେଲାପରି ସେ ଘର ବାହାର ହେବାକୁ ଲାଗିଲେ । କାହାକୁ କିଛି ନ ପଚାରି ରାସ୍ତା ଉପରକୁ ଗଲେ ।

 

ଅମିତା ପଛେ ପଛେ ଯାଇଥିଲା । ରାସ୍ତା କଡ଼ରେ ଘଣ୍ଟାଏ ଠିଆ ହୋଇ ତା’ର ମା’ ଦୁଇ ଆଡ଼କୁ ଚାହିଁଥିଲେ । ମୁଣ୍ଡରୁ ବସନ ଖସି ପଡ଼ିଛି । କେଶ ମୁକୁଳା । ସତେ କି ସେ ବାଇଆଣୀ ହୋଇଛନ୍ତି । କେତେ ଜିପ୍‌, କେତେ ଟ୍ରକ୍‌ ଯା–ଆସ କଲା । ଆରୋହୀମାନେ ଗତି କମାଇ ପୁଣି ଗତି ବଢ଼ାଇ ଅନ୍ତର୍ଦ୍ଧାନ ହେଲେ । ଏକ ଆଖିରେ ଚାହିଁ ରହିଥିଲେ ଅନିମା ମୁହଁରେ ଭାଷା ନାହିଁ । ଆଖିରେ ଲୋତକ ନାହିଁ ।

 

ଭୀତ ଓ ଅସ୍ଥିର ଅମିତା ତା’ର ମାତାଙ୍କର ହାତ ଧରି କହିଥିଲା, ମୋର ଦୋଷ ହୋଇଛି ମା’, ମୁଁ ତୋର ଅବାଧ୍ୟ ହୋଇଛି ଅପରିଚିତ ମଦୁଆ ଗୁଣ୍ଡା ଡ୍ରାଇଭର ସଙ୍ଗେ କଥାଭାଷା କରିଛି ଆମ କଥା କହି ଦେଇଛି । ସେ ତ ସେଇଦିନ ଉମରକୋଟ ଫେରି ଯାଇଥିବ, ତାକୁ ତୁ ଦେଖିବୁ କେମିତି ଯେ ଶାସନ କରିବୁ ? ମାଆଗୋ, ଦୋଷ ହୋଇଛି ମୋର, ମୁଁ ତା’ ପାଖକୁ ଯାଇ ନଥାନ୍ତି-। ତୁ ମତେ ଦଣ୍ଡ ଦେ । ସେଇ ମଦୁଆଟାକୁ ଦେଖିଲେବି କିଛି କହନା । ସେ ଗୋଟାଏ ଗୁଣ୍ଡା-। ନାମଟାବି ସେମିତି ଭୟଙ୍କର ଅଧମ ଚଣ୍ଡାଳ ।

 

ଉତ୍ତର ନ ଦେଇ ଅନିମା ଫେରି ଆସିଥିଲେ । ମୁକୁଳା ଘର ଆଗରେ ଠିଆ ହୋଇଥିଲେ । ଖେନ୍ଦା ଓ ବିନ୍ଦାଙ୍କର ମା’ କମଳା, ଗେଣ୍ଡୁଫୁଲ ତୋଳୁଥିଲେ । ରାସ୍ତା କଡ଼ରେ ସାଧନ ସନ୍ନ୍ୟାସୀ ଗୋଟାଏ ବଡ଼ କୁକୁଡ଼ାର ବେକ ମୋଡ଼ି, ତା’ର ପକ୍ଷୀ ଓଟାରି ସଫା କରୁଥିଲେ ଓ ମୁଣ୍ଡ ଏବଂ ଦାଢ଼ି ଦୋହଲାଇ ତାଳ ପକାଇ ଗୀତ ଗାଉଥିଲେ । ଛଟପଟ ହେଉଥିବା ଦରମରା କୁକୁଡ଼ାର ଦୁଇ ଗୋଡ଼ ଟାଣିଧରି ଖେନ୍ଦା ଓ ବିନ୍ଦା ଶ୍ୟେନ ଆଖିରେ ଚାହିଁ ରହିଥିଲେ । ବିନ୍ଦୁ ଖଣ୍ଡେ ଦୂର ଛାଡ଼ି ହାତରେ ବାଡ଼ି ଧରି ସାଧନ ସନ୍ନ୍ୟାସୀଙ୍କ ପଛରେ ସଦର୍ପରେ ଠିଆ ହୋଇ ଦେଖୁଥିଲା ।

 

କମଳା ଛଳେଇ କହିଲେ, କାଲି ରାତିରେ ସପନ ଦେଖିଲୁ କି ରାଈ ବିନୋଦିନୀ, ଧାଇଁ ଯାଇଥିଲୁ ରାସ୍ତା ଉପରକୁ ବାଇଆଣୀ ହୋଇ ? କଳା କାହ୍ନୁ ମଥୁରାରୁ ଫେରିଲେ ନାହିଁ ?

 

ଅନିମାଙ୍କ ଆଖିରେ ଦପ୍‌ଦପ୍‌ ହୋଇ ଜଳି ଉଠିଲା ନିଆଁର ଶିଖା । ମୁହୂର୍ତ୍ତେ ସେ କଟମଟ କରି ଅନାଇଁଲେ କମଳାଙ୍କୁ । ଦୃଷ୍ଟି ଓହ୍ଲାଇ ଆସିଲା ଧୀରେ ଧୀରେ କମଳାଙ୍କ ଉଦର ଉପରକୁ । ସେଇଠି ସ୍ଥିର ହେଲା । ଆଖିର ଅନଳ ଲିଭିଲା । ସବୁ ଦୁଃଖ ମନରୁ ମିଳାଇ ଗଲା କି, ଓଠରେ ଝଟକିଲା ହସ । କହିଲେ ଧୀରେ ଧୀରେ, ଫେରିଲେ ନାହିଁ ଗୋ, କିନ୍ତୁ ମୁଁ ରାଈ ବିନୋଦିନୀ ନୁହେଁ, ମୁଁ ଯେ ଯଶୋଦା ମାତା । ତୁମର ଆହୁରି ବାକି ଥିଲା ଅପା ? ସେପୁରକୁ ତୁମେ ଯିବାଯାଏ ସାଧନ ସନ୍ନ୍ୟାସୀ ତାଙ୍କର ଅତିପ୍ରିୟ ଭଜନରୁ କାଣ୍ଡେ ତୁମକୁ ଶୁଣାଉଥିବେ ? ଭଜନ ନୁହେଁ ତ, ପଦ୍ମତୋଳା ମନ୍ତ୍ର । ତମର ରକ୍ତମାଂସ ନଥିଲା ହାଡ଼ୁଆ ଦେହ ନଇଁ ପଡ଼ୁଥିବ । ଦେଖ ତମପାଇଁ ସେ ସାଧ ଯୋଗାଡ଼ୁଛନ୍ତି, ମନ୍ତ୍ରବି ପଢ଼ୁଛନ୍ତି ଶୁଣ ।

 

କୁକୁଡ଼ା ଦେହରୁ ପକ୍ଷୀସବୁ ଓପଡ଼ା ସରିଛି । ଦୁଇ ଗୋଡ଼ ଏକାଠି କରି ଧରି ମଲା ପକ୍ଷୀଟାକୁ ହଲାଇ ହଲାଇ ମୁଣ୍ଡ ଦୋହଲାଇ ସାଧନ ମିସ୍ତ୍ରି ଭଜନ ଗାଉଛନ୍ତି,–ଆପନାରେ ଭୁଲେଯାବ, ତୋମାକେ ପାଇୟା ହେ,–

 

କମଳା ତୁନି ହୋଇ ମୁଣ୍ଡ ନୋଇଁଲେ । ଲୁଗା ଟାଣି ଅଳପ ଫୁଲିଲା ପେଟଉପରେ ଆହୁରି ପରସ୍ତେ ଗୁଡ଼ାଇଲେ । ହତା ଭିତରୁ ବାହାରି ଯାଉଣୁ କହିଲେ, ଏଇ ରୋଗରେ ଏଥର ମୁଁ ମରିବି । ସାବଧାନ ଥିବୁଲୋ ଅନିମା, ଏ ପ୍ରପଞ୍ଚ ରୋଗଟା ଭାରି ଡିଆଁ । ଡାକିଲେ ଆସେ ନାହିଁ । ନ ଆସୁ ବୋଲି ଯେଡ଼େ ସାବଧାନ ହେଲେବି କେଉଁ ଛଟକରେ ଆସି ପେଟ ଫୁଲାଏ । ହଁ, ସାବଧାନ ଥିବୁ ।

 

ଅନିମା ଓ କମଳାଙ୍କର ଛଳ–କପଟିଆ ବାଙ୍କୁଲୀ ବାଣୀର ମର୍ମ ଅମିତା ବୁଝିଲା ନାହିଁ । କମଳା ତାଙ୍କ ଟେଣ୍ଟ୍‍କୁ ଚାଲିଗଲେ । ଅମିତାର ପଛେ ପଛେ ଅନିମା ତାଙ୍କର ଚାଳଘରେ ପଶିଲେ । ଝିଅର ହାତ ଧରି ପଚାରିଲେ, କ’ଣ ପଚାରିଲେ ସେ ମଦୁଆ ଡ୍ରାଇଭର, ଆଉ ତୁ କି ଉତ୍ତର ଦେଲୁ-? କହ ତ ଅମିତା ?

 

ଅମିତା ଡରି ଡରି ପୁଣି ବର୍ଣ୍ଣନା କଲା । ଅନିମା ସବୁ ଶୁଣିଲେ, ପୁଣି ପଚାରିଲେ, ତାଙ୍କର ଝିଅ ଗାୟତ୍ରୀର ବୟସ କେତେ ?

 

ମୁଁ ପଚାରି ନାହିଁ ମା’, ସେ ତ କହିଲେ ନାହିଁ ।

 

ଅନିମା ତୁନି ରହିଲେ । ହସହସ ହୋଇ ଆର ଘରକୁ ଗଲେ । ଅସମୟରେ ଗଳ–ବସ୍ତ୍ର ହୋଇ ମା’ କାଳୀଙ୍କର ଛବି ପାଖରେ ମୁଣ୍ଡ ନୁଆଁଇଲେ । ମୁଣ୍ଡ ଟେକି ଦୁଇ ହାତ ଯୋଡ଼ି କପାଳରେ ଲଗାଇ ଗୁଣୁଗୁଣୁ ସ୍ୱରରେ ପ୍ରାର୍ଥନା କଲେ, ସବୁ ଭଲମନ୍ଦ ତୁମକୁ ଜଣା ମା’, ସତେ କ’ଣ କାଳରାତ୍ରୀ ପୁହାଇଲ ? କାହିଁକି ତାଙ୍କି ରଖିଛ ଏ ଅଭେଦ୍ୟ କୁହେଳି ? କିପରି ସେ ଅପସରିବ, ତୁମକୁ ଜଣା ମା’, ସତ୍ୟ ଓ ଛଳନାର ଟଣାଓଟରାରୁ ତୁମେ ମୋତେ ଉଦ୍ଧାର କର ତାରିଣୀ ମୋତେ ବୁଦ୍ଧି ବତାଅ—

 

ଅନିମା ଉଠିଲେ । ଲୋତକଭରା ଚକ୍ଷୁରେ ବୁଲି ଚାହିଁଲେ । ଦେଖିଲେ ଅମିତା ଦ୍ୱାରବନ୍ଧ ପାଖରେ ଠିଆ ହୋଇଛି ସେ ପାଖକୁ ଆସିଲା । ଭାବୁଥିଲା, ମଦୁଆ ଡ୍ରାଇଭର ସଙ୍ଗେ ଦୁଃଖସୁଖ ହୋଇ ସେ ନିଶ୍ଚୟ ଗର୍ହିତ କର୍ମ କରିଛି । ସତେ, ସେ ବଡ଼ ଝିଅ ହେଲାଣି । ଫୁର୍ତ୍ତି ଫାଜିଲାମି ଆଉ ଶୋଭା ପାଇବ ନାହିଁ । ମାତାଙ୍କର ଆକଟ ସେ ଭୁଲିଥିଲା । ତାଙ୍କ ମନରେ ଦାରୁଣ ଆଘାତ ଦେଇଛି ।

 

କହିଲା ଡରିଡ଼ରିକା, ମଦୁଆ ଗୁଣ୍ଡା ଡ୍ରାଇଭର ପାଣି ପିଇବାକୁ ମାଗିଲା ବୋଲି ତା’ ପାଖକୁ ଯାଇଥିଲି, ମୋର ଦୋଷ ନାହିଁ ।

 

ତୁ ମୋ ଆଗରୁ ଚାଲିଯା ମିତା ।

 

ମୋର ତେବେ ଦୋଷ ହୋଇଛି । ମୁଁ କ୍ଷମା ମାଗୁଛି ମା’, ମୋତେ ତୁ ମନଇଚ୍ଛା ଦଣ୍ଡ ଦେଗୋ, ମୋର ଦୋଷପାଇଁ ତୁ ଆଖିରୁ ଲୁହ ଗଡ଼ାନା । ସେତିକି ମୁଁ ସହି ପାରିବି ନାହିଁ ।

 

ମିତାର ଆଖିରୁ ଲୁହଧାର ଛୁଟିଲା । ଅନିମା ତା’ ପାଖକୁ ଆସିଲେ । ତା’ର ହାତ ଧରି କହିଲେ, କାହାରି ଦୋଷ ଗୁଣ ମୁଁ ବାହୁନୁ ନାହିଁ ମିତା, ଭାଗ୍ୟ ତା’ର ଖେଳ ଖେଳୁଛି । ଯିଏ ଦୁନିଆର ସମସ୍ତଙ୍କର ଭାଗ୍ୟ ନିୟନ୍ତା, ସୁଖଦୁଃଖ ଭଲମନ୍ଦ ସେଇ ଏକା ବାଣ୍ଟି ଦିଅନ୍ତି । ମଣିଷ ସଙ୍ଗେ ସେହି ଖେଳନ୍ତି ଲୁଚକାଳି । ମଣିଷକୁ ଭେଳକି ଦେଖାଇ ତା’ ମନରେ ସେହି ତ ଆଣନ୍ତି ଉତ୍ତେଜନା, କିଏ ରୋକି ପାରିବ ?

 

ତୋ କଥା ମୁଁ ବୁଝି ପାରୁନି ମା’, କାହିଁକି ଆଜି ତୁ ବାଇଆଣୀ ପରି ହେଉଛୁ ? ମୁଁ କ’ଣ ସତରେ ତୋର ଖରାପ ଝିଅଟା ? ଜାଣି ଜାଣି ମୁଁ ତୋର ଅବାଧ୍ୟ ହୁଏ ନାହିଁ । କ’ଣ କେତେବେଳେ କରି ହୋଇଯାଏ, କିନ୍ତୁ ତୋ ପାଖରେ ତ ମୁଁ କିଛି ଲୁଚାଏ ନାହିଁ ?

 

ଅନିମା ଅଶ୍ରୁମୁଖୀ ଅମିତାର ମୁହଁକୁ ଚାହିଁଲେ । ନିଜ ଅଞ୍ଚଳରେ ତା’ର ଆଖିରୁ ଲୁହ ପୋଛିଦେଲେ । ବେଦନାଥରା ସ୍ୱରରେ କହିଲେ, ତୁ ମୋର ଗେହ୍ଲା ଝିଅ । ମୋର ସୁନା ଝିଅ । ମୋ ଛାତିର ରସ ଖୋଇ, ମୋ କୋଳର ଉତ୍ତାପରେ ସେକି ତୋତେ ମୁଁ ବଢ଼ାଇଛି । ତାଆରି ସାଥିରେ ମୋ ଜୀବନରୁ ଅଧେ ନେଇ ତୋ ଦେହରେ ସଞ୍ଚିଛି । ଏଇ ହାତରେ ଗଢ଼ି ତୋତେ ମୁଁ ମଣିଷ କରିଛି । ତୁ ମୋର ଅବାଧ୍ୟ ନୁହୁ । ଯାହା ତୁ କରିଛୁ ଠିକ୍ କରିଛୁ । କାହିଁକି ମୁଁ ଉତ୍ତେଜିତ ହେଲି, ବାଇଆଣୀ ହେଲି, ଠାକୁରେ ଜାଣିବେ ସିନା, ଆଉ କେହି ଜାଣିବେ ନାହିଁ । ଆଉ ମୁଁ ବାଇଆଣୀ ହେବି ନାହିଁ । କେତେ କାମ ବାକି ପଡ଼ିଛି ଝିଅ, ଆ କରିବା ।

 

ଅନିମା ଫୁଲ ଛାଞ୍ଚୁଣି ଧରି ଘର ଓଳାଇଲେ । କହିଲେ, ବାଲଟି ଦିଓଟି ନେଇ ନଳ କଳ ପାଖରୁ ପାଣି ନେଇଆ । ବାସନ ମାଜିବା, ଘର ଯିବା । କେତେ ମାଇପେ କଳ ପାଖରେ ରୁଣ୍ଡ ହୋଇଥିବେ । ପର ହାନିଲାଭ ବୁଝିବାକୁ, ଭିତିରି ଖବର ଜାଣି ଦାଣ୍ଡରେ ଢୋଲ ପଟିବାକୁ କେତେ ଘରଣୀ ସୁଖ ପାଆନ୍ତି । ସେଥିପାଇଁ ଆହା ଉହୁ କହି, ପ୍ରଶଂସା କରି ଖବର କାଢ଼ିବାକୁ ଗେହ୍ଲେଇ ଗେହ୍ଲେଇ ପଚାରନ୍ତିଲୋ ମା’; ଅଭଦ୍ର ହେବୁ ନାହିଁ, ଟାଣ କଥା କହିବୁ ନାହିଁ, ବୁଝି ବିଚାରି ପଦେ ପଦେରେ ଜବାବ ଦେବୁ, ଯେତିକି ଲୋଡ଼ା ସେତିକି । ଯାଆ ମା’, ତୋ ଧଳା ବ୍ଲାଉଜ୍‍ଟି ପିନ୍ଧା ପକା-। ଡୋରିଆ ଶାଢ଼ିଟି ପିନ୍ଧିଲେ ମୋ ଆଖିକୁ ତୁ କେଡ଼େ ସୁନ୍ଦର ଦିଶୁ । ମୁଣ୍ଡବାଳ ପୁଳାପୁଳା ହୋଇ ଉଡ଼ୁଛି । ବାଇଆଣୀ ପରି ଦିଶୁଛୁ । ହଉ, ସେମିତି ଥାଉ, ମୋ ଆଖିକୁ ତ ଭଲ ଦିଶୁଛି ।

 

ଅମିତାର ମନରୁ ସନ୍ଦେହ ଓ ବିଷାଦ ପୋଛି ଦେଇଥିଲେ ତା’ର ମା’ । ତା’ର ଗୋଡ଼ ତଳେ ଲାଗିଲା ନାହିଁ । ଅନିମାଙ୍କ ସଙ୍ଗେ ମିଶି ସେ ଘର କାମ କଲା । ଦିଓଟି ମଣିଷର ଛୋଟ କୁଟୁମ୍ବ ହେଲେବି କାମ ତ ଅଳପ ନୁହେଁ । ଘରକୁ ପରିଷ୍କାର କରିବା, ଦରିଦ୍ର ସଂସାରରେ ଯାହା କିଛି ବାସନକୁସନ ଅଛି ତାକୁ ଘସି ମାଜି ଚିକ୍‌ଚିକ୍‌ କରିବା, ଜିନିଷପତ୍ର ସଜାଡ଼ି ରଖିବା ଲୁଗାପଟା ସଫା କରିବା । ରୋଷେଇବାସ, କନ୍ଥା ସିଲେଇ, କାଇଁଶ ରଙ୍ଗେଇ ସେଥିରେ ବ୍ୟାଗ୍‌ ବୁଣିବା, ଏମିତି କେତେ କାମ !

 

ଏମିତି କେତେ କାମ ସେ କରିଛି । ଅନିମାଙ୍କ ହାତ ଗୋଡ଼ରେ ପାଣି ଲଗାଇ ନ ଦେବାକୁ ସେ ଆପ୍ରାଣ ଚେଷ୍ଟା କରିଛି ।

 

ଦିନ ପରେ ଦିନ କଟି ଯାଇଛି–ଛଅଟି ମାସ ।

 

ମଣିଷ ଜୀବନରେ ଏହି ଛଅଟି ମାସ ଅଧିକ ସମୟ ନୁହେଁ କିନ୍ତୁ ଯେଉଁ ବାସଚ୍ୟୁତ କୁଟୁମ୍ବଗୁଡ଼ିକ ଜନ୍ମଭୂମି ପୂର୍ବବଙ୍ଗ ଛାଡ଼ି ବାରବାର କାଳ କ୍ୟାମ୍ପ୍‍ରୁ କ୍ୟାମ୍ପ୍‍କୁ ଠେଲା ହୋଇ, ଯାହା କହନ୍ତି ବାରଦ୍ୱାର ଶୁଣ୍ଢି ପିଣ୍ଡା ହୋଇଛନ୍ତି, ଶେଷକୁ ଅନିଶ୍ଚିତ, ଉଦ୍‍ବେଳିତ, ଥଳକୂଳ ହୀନ ଦରିଆରେ ଭାସି ଭାସି ବଞ୍ଚିବେ କି ମରିବେ ଏହି ଦ୍ୱନ୍ଦ୍ୱର ନୌକାରେ ଆରୋହୀ ମାଲକାନଗିରିରେ ଲାଗିଛନ୍ତି, ସେମାନଙ୍କର ଜୀବନରେ ଛଅଟି ମାସ ଯେ ଛଅଟି ଯୁଗରୁ ବଳି ଲମ୍ବ । ଏହି ଅଳ୍ପ କାଳକୁ ପିଟି ପିଟି ଲମ୍ବା କରିଛି ଆଳସ୍ୟ ।

 

ମାଆଟିଏ ଓ ଝିଅଟିଏ ।

 

ବାହାର ଦୁନିଆ ସଙ୍ଗେ ସମ୍ପର୍କ ନାହିଁ । ଛୋଟ ଘରଟିହିଁ ତାଙ୍କର ତ୍ରିପୁର । ଦୁହିଁଙ୍କ ପାଇଁ ଦୁହେଁ । କର୍ମ କରି ପରସ୍ପରକୁ ସୁଖୀ କରିବାର ବ୍ୟାକୁଳତା ମର୍ତ୍ତ୍ୟର ସୁଖଦୁଃଖରେ ଦୁହିଁଙ୍କୁ ଭାଗୀ କରେ । ଦୁଇଟି ପ୍ରାଣୀଙ୍କର କେଉଁ ସ୍ୱାଧୀନ ଗୋପନ ଆଶା ପୂରଣର କଳ୍ପନା ଓ ସ୍ୱପ୍ନ ତାଙ୍କୁ ସରଗର ଆନନ୍ଦ ଆଣିଦିଏ ସେହି ଛୋଟ ଘାସ ପତ୍ରର କୁଡ଼ିଆରେ । ନିଜ ଭିତରେ ଦୁହେଁ ପୁଣି ଛଟପଟ ହୋଇ ନରକଯନ୍ତ୍ରଣା ଭୋଗ କରନ୍ତି ସେଇଠି—

 

ଅନିମା ଭାବନ୍ତି, ହୋଇଥିବେ ପରା ସେଇ, ବାରଟି ବର୍ଷର ଅବହେଳିତ କର୍କଶ ଜୀବନ ତାଙ୍କୁ ବଦଳାଇଛି । ଦେବତାର ଆସନରୁ ଓହ୍ଲାଇ ଆସିଛନ୍ତି ସେ, ବାଛି ନେଇଛନ୍ତି ବେପରବା ନଷ୍ଟ–ଜୀବନ । ଚରିତ୍ର ଓ ସ୍ୱଭାବକୁ ଘାଣ୍ଟିଛନ୍ତି ଏ ଦୁନିଆର ନରକକୁଣ୍ଡରେ । ଘାଣ୍ଟି ହେଉଛନ୍ତି । ପାହାଚ ପାହାଚ ଓହ୍ଲାଇ ଯାଉଛନ୍ତି ତଳକୁ ତଳକୁ, ରସାତଳକୁ ।

 

କିଏ ତାଙ୍କର ହାତ ଧରି ଉଠାଇ ଆଣିବ ଉପରକୁ ? ପାରୁନାହିଁ ଗାୟତ୍ରୀ ? କିଏ ସେ ଗାୟତ୍ରୀ, କେଉଁ ପତିତାର ପେଟରୁ ଜନମିଛି ତାଙ୍କରି କନ୍ୟା ? କୁଆଡ଼େ ଗଲା ସେ ପତିତା ? ସେ କ’ଣ ସାଧନ ସନ୍ନ୍ୟାସୀଙ୍କ ପରି ଗୋଡ଼ ଖସାଇ ଗଳାରେ କଳଙ୍କର ପାଶ ପିନ୍ଧିଛନ୍ତି ? ସାଧନ ମିସ୍ତ୍ରିଙ୍କ ପରି ଜୀବନକୁ ଗୋଟାଏ ବିରାଟ ଉପହାସ ବୋଲି ଗ୍ରହଣ କରି ପାରି ନାହାନ୍ତି ? ନିର୍ଲଜ୍ଜପଣିଆ ଦେଖାଇ ଗୀତ ବୋଲି ନାଚି ନାଚି ବେଳ କଟାଇ ପାରିଲେ ନାହିଁ ? କେଉଁ ପାପ କର୍ମର ଅନୁଶୋଚନା ତାଙ୍କୁ ଅହରହ ଦଗ୍ଧ କରୁଛି ?

 

ଭାବନ୍ତି ଅନିମା, ହୋଇଥିବେ ପରା ସେହି । ମରଣ ମୁହଁରୁ ବଞ୍ଚି ଫେରି ଆସିଥିବେ । ପତ୍ନୀ–ପୁତ୍ରଙ୍କର ସମ୍ବାଦ ନ ପାଇ ହତାଶ ହୋଇ କାଟିଥିବେ ସମୟ । ଭୁଲିଥିବେ, ହଁ, ଭୁଲି ଯାଇଥିବେ ଅତୀତ । ସେ ହୋଇଥିବେ ବିପିନ୍‍ କର୍ମକାର ! ନା, ଆହୁରି ଅଧମ, ଆହୁରି ନୃଶଂସ ଚଣ୍ଡାଳ । ବିପିନ୍‍ର ମାତା ଓ ପୁତ୍ର ଯେ ତାଙ୍କର ବନ୍ଧନ, ହେଉପଛେ ଶିଥିଳ, କିନ୍ତୁ ତାଙ୍କର ସ୍ୱାମୀ ମଣିଥିବେ ନିଜକୁ ଚାରିଦଉଡ଼ି କଟା । କିଏ ସେ ଗାୟତ୍ରୀ, ତା’ର ବୟସ କେତେ, କନ୍ୟା ବୋଲି ଯାହାକୁ ଦୁନିଆ ଆଗରେ ସେ ପରିଚିତ କରାଉଛନ୍ତି ? ସତେ, ସତେ ସେ ତାଙ୍କର କନ୍ୟା, ଯିଏ ତାଙ୍କୁ ମଦ୍ୟର ଭାଣ୍ଡରେ ବୁଡ଼ାଇ ରଖିଛି, ଯିଏ ତାଙ୍କୁ ଆତ୍ମଗୋପନ କରାଇବାକୁ ବାଧ୍ୟ କରିଛି ?

 

ଏ ଦୁନିଆ ବିଚିତ୍ର, ଦେଖି ଆସିଛନ୍ତି ଅନିମା ସର୍ବତ୍ର, ଯେଉଁଠି ହୋଇଛି ତାଙ୍କର ରହଣି ।

 

ଅସ୍ୱାଭାବିକ ପରିବେଶ ଓ ପରିସ୍ଥିତି ମଝିରେ ବହୁବର୍ଷ ବାସ କରି ମଣିଷର ମନରୁ ନୀତିର ନିବିଡ଼ ବନ୍ଧନ ହୁଗୁଳି ଥିବାର ବହୁ ଘଟଣା ତାଙ୍କର କାନରେ ପଡ଼ିଛି । ମଣିଷ ହୋଇଛି କେବଳ ରିପୁ ପ୍ରତାଡ଼ିତ ପଶୁ ! ଯୁଗଯୁଗ ଧରି ମଣିଷ ଯେଉଁ ନୀତିର ନିୟମ ଶୃଙ୍ଖଳ ଗଢ଼ିଥିଲା, ପବିତ୍ର ବୋଲି ଯେଉଁ ସାମାଜିକ ନିୟମ ଓ ଚଳନକୁ ସତର୍କତାର ସହିତ ପାଳନ କରି ଆସୁଥିଲା, କେଉଁଠି ଟିକିଏ ସ୍ଖଳନ ହେଲେ ଯାହାପାଇଁ ସମାଜ ଗର୍ଜି ଉଠୁଥିଲା, ନିର୍ଦ୍ଦୟ ଭାବରେ ଶାସ୍ତି ବିଧାନ କରୁଥିଲା, ସମାଜହୀନ ଯାଯାବର ଜୀବନରେ ସେହି ନୀତିର ନିଧନ ସେ ଦେଖିଛନ୍ତି କେତେ ସ୍ଥଳରେ ।

 

ସେହିପରି କ’ଣ ଘଟିଛି କି ଅଧର ମଣ୍ଡଳଙ୍କ ଜୀବନରେ ?

 

ଗୁଣି ହୁଅନ୍ତି ଅନିମା, ଅଧୀର ଅସ୍ଥିର ହୋଇ, ଯାହା ପଛେ ସେ ହୋଇଥାନ୍ତୁ, ସେଇ ସେ, ତାଙ୍କର ସ୍ୱାମୀଦେବତା ! ଦେବତାମାନେ ସଦୟ ହୋଇଛନ୍ତି । ତାଙ୍କର ତପସ୍ୟା ପୂରଣ ହୋଇଛି । ମୁଣ୍ଡର ସିନ୍ଦୁର ଝଟକି ଉଠୁଛି । ହାତର ଶଙ୍ଖା ବଜ୍ର ହୋଇଛି । ଆଉ କେହି ନ ଜାଣନ୍ତୁ ଏ ଦୁନିଆରେ, ସେ ନିଜେ ଜାଣନ୍ତି । ଆଉ ଅଧିକ କ’ଣ ଲୋଡ଼ା ତାଙ୍କର ?

 

କି ଧାରଣା ଦେଲା ଏଇ ନିର୍ବୋଧ ଝିଅ ଅମିତା ତାଙ୍କର ମନରେ ? ଯେଉଁ ଅମିୟର ମୃତ୍ୟୁ ସେ ଦେଖିଥିଲେ ନିଜର ଆଖିରେ, ଯାହାର ଛାତିରେ ଆତତାୟୀମାନେ ବାରମ୍ବାର ଛୁରି ଭୁଷି, ରକ୍ତର ପ୍ରବାହ ଛୁଟାଇଥିଲେ, ଜୀବନ ନେଇଥିଲେ, କିପରି ସେ ବଞ୍ଚି ଉଠିବ ? ବିଶ୍ୱାସ ହେଲା ନାହିଁ-। ପୁତ୍ର ତାଙ୍କର ଗଲା କୁଆଡ଼େ ? କାହୁଁ ଆସିଲା କନ୍ୟାଟିଏ,–ଅମିତା !

 

ଚମକି ଉଠନ୍ତି ଅନିମା । ନିଶୀଥର ନୀରବତା ଭାଙ୍ଗି କଇଁକଇଁ ହୋଇ କାନ୍ଦି ଉଠନ୍ତି, ଓଠ ଚାପିଚାପି,–କାହୁଁ ଆସିଲା ପୁଣି କନ୍ୟାଟିଏ ଅମିତା–, ଯାହାର ପିତା ଅଧର ମଣ୍ଡଳ, ଯାହାର କକା କେଉଁ ଜାଲ୍‌ ମଣିଷ ଅମିୟ ମଣ୍ଡଳ ।

 

ମନରେ ଧାରଣା ଆସିଛି ପରା, ଅନିମା ପାଦ ଖସାଇଛି, ପଙ୍କରେ ପଶିଛି, ଆଉ ସେହି ପଙ୍କରୁ ଦୁନିଆକୁ ଆଣିଛି କନ୍ୟା । ନିଜର ପାପକୁ ଘୋଡ଼ାଇ କାହାର ପୁତ୍ରୀକୁ ସମାଜରେ ନିର୍ମଳ ପବିତ୍ର ଆସନ ଦେବାକୁ ସେ ରଚନା କରିଛି ଗଳ୍ପ । କେଉଁ ଅଜ୍ଞାତ ପୁରୁଷକୁ ଅମିୟ ମଣ୍ଡଳ ନାମରେ ପରିଚିତ କରାଇ ନିଜେ ଅପବିତ୍ର ହୋଇ ପବିତ୍ରତାର ମୁଖା ପିନ୍ଧି ଆତଯାତ ହେଉଛି । ମନେକରିଛି ସେ, ଅଧର ମଣ୍ଡଳ ଦୁନିଆରୁ ବିଦାୟ ନେଇଛନ୍ତି । ଆଉ ସେ ଫେରିବେ ନାହିଁ । ମନଗଢ଼ା ଗଳ୍ପଟାକୁ ସମସ୍ତେ ସତ୍ୟ ମଣିବେ ।

 

କାନ୍ଦି ଉଠନ୍ତି ଅନିମା । ଅନ୍ଧାରରେ ବିଛଣା ଉପରେ ବସନ୍ତି । ଭାବନ୍ତି, ଅମୂଳକ ଧାରଣାକୁ ମନରେ ଧରି ସେ ଫେରିଗଲେ । ଅନିମା ବଞ୍ଚିଛି, ଅନିମା ପାପ ପଙ୍କରେ ଘାଣ୍ଟି ହୋଇ ସଂସାର କରୁଛି, ଏପରି ମନେକରି ସେ ତାକୁ ଥରେ ଦେଖିବାକୁ ଆସିଲେ ନାହିଁ । ପଦେ ପଚାରିଲେ ନାହିଁ, କାହିଁକି ତୁମେ ଗୋଟାଏ ଜାଲ୍‌ ଜୀବନ ଅତିବାହିତ କରୁଛ ? ଆସିଲେ ନାହିଁ, କେବେ ସେ ଆସିବେ ନାହିଁ । ସନ୍ଦେହରେ ନିଆଁ ମନରେ କୁହୁଳାଇ ସେ ତାଙ୍କର ନରକ ଭିତରକୁ ବାହୁଡ଼ି ଗଲେ ।

 

କାହୁଁ ବୁଝିବ ଅମିତା, କାହିଁକି ରାତିଅଧରେ ତା’ର ମା’ କଇଁକଇଁ ହୋଇ କାନ୍ଦି ଉଠନ୍ତି ଆରଘର ଖଟ ଉପରେ ? ଏ ଘରେ ସେ ଉଠି ବସେ । ତା’ର ଦେହ ଥରେ । ଛାତି ଧଡ଼ଧଡ଼ ହୋଇ କମ୍ପେ । ସେ ଘରକୁ ଉଠି ଯିବାକୁ ପ୍ରବଳ ଇଚ୍ଛା ହୁଏ । କେଜାଣି କେଉଁ ଅଜଣା ଡର ଗୋଡ଼ ଅଟକାଏ । ତୁଣ୍ଡ ଖୋଲି ପଚାରିବାକୁ ସାହସ ହୁଏ ନାହିଁ ।

 

ଝରିଲା ଆଖିରେ ସେ କେବଳ ଚିନ୍ତାକରେ, କାହିଁକି ମା’ ଏତେ ଚାକିରି ଗାଁରୁ ଫେରୁ ନାହାନ୍ତି ବୋଲି ସେ ଦୁଃଖ କରୁଛନ୍ତି କି ? କିନ୍ତୁ, କାନ୍ଦୁଛନ୍ତି ? କକା କକା ଭଲ ଅଛନ୍ତି ବୋଲି ପତ୍ର ଦେଇଥିଲେ । ଚାକିରି ଜୀବନରେ ଉନ୍ନତି କରିବାପାଇଁ ସେ ଖଟୁଛନ୍ତି ବୋଲି ଲେଖିଥିଲେ ତ । ସ୍ନେହମୟୀ ମା’ ତା’ର ଝୁରୁଛନ୍ତି କକାଙ୍କୁ ପରା !

 

ଅଠାବନ

 

ଅଳପ କେତୋଟି ମାସରେ ଅମିତା ବଢ଼ିଉଠିଛି । ସେ ହୋଇଛି ଆଖି ଦୁରୁଶିଆ, ଛନଛନିଆ ତରୁଣୀଟିଏ । ସାୟା, ବ୍ଲାଉଜ୍‌ ଓ ଶାଢ଼ି ପିନ୍ଧି ସେ ହୋଇଛି ମାଇପିଟିଏ । ରୂପ ଝଟକିଛି, ସ୍ୱାସ୍ଥ୍ୟ ବଦଳିଛି । ସୁନ୍ଦର ମୁହଁକୁ ଆପେଆପେ ଗାମ୍ଭୀର୍ଯ୍ୟର ପାତଳ ରଙ୍ଗିଲା ବଉଦ ଘୋଡ଼ାଇ ରଖିଛି । କଳକଳ ବେଗବତୀ ତଟିନୀର ହାସ୍ୟକଲ୍ଲୋଳ ହଜି ଯାଇଛି ବ୍ରୀଡ଼ାର ବିଷଣ୍ଣ ତମସାଚ୍ଛନ୍ନ ବନାନୀରେ ।

 

ମୁଖରୁ ଅପସରିଛି ଅନାବଶ୍ୟକ ଭାଷା । କାନ ଖୋଲି ସେ ଭଲମନ୍ଦ ସବୁ ଶୁଣେ, ଯେତିକି ଲୋଡ଼ା ସେତିକି କହେ । ଦୁହିତାର କର୍ତ୍ତବ୍ୟ ସେ ସାଧନ କରେ । ସବୁ ଯତ୍ନ ସତ୍ତ୍ୱେ ଦିନୁଦିନ ଅନ୍ୟମନସ୍କ ଓ କ୍ଷୀଣ ହେଉଥିବା ମାତାଙ୍କର ସେବା କରିବାକୁ ସେ ଉଦ୍‌ବିଗ୍ନ ରହେ । ତା’ ପ୍ରତି ମାତାଙ୍କର ଆଦର ଅନାଦରର ଦ୍ୱନ୍ଦ୍ୱକୁ ସେ ନିଜେ ନିଜେ ବୁଝିବାକୁ ଚେଷ୍ଟା କରେ । ମନରେ ମାଡ଼ିଯାଇଥିବା ଅନ୍ଧାରିଆ କୁହୁଡ଼ିକୁ ବିଦୂରିତ କରିବାକୁ ଯେତିକି ଉଦ୍ୟମ ସେ କରେ ସେ କୁହୁଡ଼ି ସେତିକି ନିଘଞ୍ଚ ହୁଏ । ବର୍ତ୍ତମାନର ଚେତନକୁ ହଜାର କେଉଁ ଅତୀତର ଅବଚେତନର କାଳି ଅନ୍ଧାରରେ ଅଣ୍ଡାଳି ହୁଏ ।

 

କାହିଁକି କାହିଁକି ପ୍ରଶ୍ନ ଉଚ୍ଛନ୍ନ କରେ ଭାବନା । କାହିଁକି ତା’ର ମା’ ପାଗଳୀଙ୍କ ପରି ଦିନେ ଦେବତାଙ୍କ ପାଖରେ ମନ ଖୋଲି ପଚାରୁଥିଲେ,–କାଳରାତ୍ରି ପୁହାଇଲ ? ଢାଙ୍କି ରଖିଛ ଅଭେଦ୍ୟ କୁହେଳି ? ସତ୍ୟ ଓ ଛଳନାର ଟଣାଓଟାରା ?–କାହିଁକି ତା’ର କକା ଉମରକୋଟ ଗଲା ପରେ ଦିନକପାଇଁ ହେଲେ ମାଲକାନଗିରି ଆସି ସେମାନଙ୍କୁ ଦେଖି ଯାଉନାହାନ୍ତି ? ଜିପ୍‌, ବସ୍‌, ଟ୍ରକ୍‌ ଚାଲିଛି ତ ନିତି । କେତେ ରବିବାର ଗଲାଣି । କେତେ କେତେ ଛୁଟି ଅତୀତ ହେଲାଣି । କରଛଡ଼ା ଦେଇ ରହିଛନ୍ତି ଅବା ପ୍ରକୃତରେ ସେ କାର୍ଯ୍ୟବ୍ୟସ୍ତ ? କି ରହସ୍ୟ ଅଚ୍ଛାଦି ରହିଛି ତାଙ୍କର ଛୋଟ କୁଟୁମ୍ବକୁ ?

 

କିଏ କହି ପାରିବ ? ମାଆଙ୍କୁ ପଚାରି ହେବ ନାହିଁ । ପଚାରିବାକୁ ତା’ର ସାହସ ନାହିଁ । କଳା, ଯିଏ ତାକୁ ଜୀବନରୁ ଅଧିକ ଭଲ ପାଆନ୍ତି, କହିଲେ କହିବେ ସେଇ, କିନ୍ତୁ ମାଆଙ୍କର ଅଜାଣତରେ କି ପ୍ରଶ୍ନ ବା ତାଙ୍କୁ ପଚାରିବ, ନିଜେ ସେ ସ୍ଥିର କରିପାରେ ନାହିଁ । କ୍ୟାମ୍ପ୍‍ର ଅନ୍ୟାନ୍ୟ ବାସିନ୍ଦା ସମସ୍ତେ ପର ।

 

ସବୁ କୁଟୁମ୍ବ ସଙ୍ଗେ ତାଙ୍କର ସଦ୍‌ଭାବ ଅଛି କିନ୍ତୁ କାହାରି ସଙ୍ଗେ ଘନିଷ୍ଠତା ନାହିଁ । କମଳା ମାଉସୀ କେବେ ଭଲ ତ କେବେ ଖରାପ । ନ ଡାକିଲେ ମଧ୍ୟ ସେ ବଳେ ବଳେ ଆସନ୍ତି । ଅମିତାର ମାଆଙ୍କ ସଙ୍ଗେ ଗଳ୍ପ କରି ଫେରନ୍ତି । ତାଙ୍କର ଗଳ୍ପ ଆରମ୍ଭ ହୁଏ ସାଧନ ସନ୍ନ୍ୟାସୀଙ୍କର ନିନ୍ଦାରୁ । ସେଇଠୁ, ଖେନ୍ଦା, ବିନ୍ଦା ଓ ବିନ୍ଦୁଙ୍କର ଗୁଣକୀର୍ତ୍ତନ, ପରଘରର ଭଲମନ୍ଦ ଚର୍ଚ୍ଚା, ସମାଲୋଚନା, ଖାଲି ସମାଲୋଚନା । ଅନିମାଙ୍କ ପ୍ରତି ଦୟା ଓ ସହାନୁଭୂତି । ଅମିୟର କର୍ତ୍ତବ୍ୟ–ଜ୍ଞାନ ପାଇଁ ପ୍ରଶଂସା ପୁଣି ଅବହେଳା ପାଇଁ ନିନ୍ଦା । ଅମିତାର କର୍ମପରାୟଣତା ଓ ଘରଣୀପଣ ପାଇଁ ଯେତିକି ବାହା ବାହା, ତା’ର ଆଡ଼େଇ ରହିବାପାଇଁ ସେତିକି ନାକଟେକା ।

 

ଆଗୋ ଅନିମା, ଝିଅଟାକୁ ତୁ କେମିତି ସେକାଳିଆ କରି ବଢ଼ାଉଛୁ ? ଛି, ବୁଲାଚଲା ନାହିଁ, ହସଖୁସି ନାହିଁ, ମନଖୋଲା କଥାଭାଷା ନାହିଁ । ବୟସ ହେଲା, ଟିକିଏ ଏ ଯୁଗର ରୁଚି ଓ ପସନ୍ଦକୁ ନିଘା ଦେଇ ଫେସନଫାସନ ନାହିଁ । ଏଗୁଡ଼ା କି ଢଙ୍ଗ ଗୋ ? ପରଘରେ ଚଳିବ କେମିତି-? ଟିକିଏ ମିଶୁକ୍‌ ନହେଲେ କେହି ପଚାରିବେ ନାହିଁ ।

 

ଯାହା ତା’ର ଭାଗ୍ୟରେ ଥିବ ଗୋ ଅପା, ସେଇଆ ହେବ । ତା’ ପରିକା ବୁଦ୍ଧିଆ ବିବେକୀ ଝିଅକୁ କେହି କିଛି ଶିଖେଇବା ଲୋଡ଼ା ନାହିଁ । ଭଲମନ୍ଦ ବୁଝିବାର, ସାର ଅସାର ବାଛିବାର ଜ୍ଞାନ ତା’ର ହେଲାଣି । ଜୀବନର ଚଳନରେ ମାପିଚୁପି ପାଦେଇବାର ସତର୍କତା ମୋ ଅମିତାର ଆସିଲାଣି ।

 

ଯାହା କହ ପଛେ, ତା’ ଢଙ୍ଗ ମୋ ମନକୁ ପାଉ ନାହିଁ । ଦେଖୁନୁ, ଆଉ ଝିଅମାନେ କିପରି ହସଖୁସିରେ ଚାରିଆଡ଼େ ଯାଉଛନ୍ତି । ପାଞ୍ଚ ଘରେ ପଶି ସାତ ମାଇପଙ୍କ ସଙ୍ଗେ ମିଶି ଦଶକଥା ଶିଖୁଛନ୍ତି । ଭବିଷ୍ୟତ ଜୀବନରେ କାମରେ ଆସିବ । ସେମାନେ ବଣ ପାହାଡ଼ ନଦୀ ନାଳ ମାନୁ ନାହାନ୍ତି । ମନଖୁସିରେ ବୁଲିବାକୁ ଆରମ୍ଭ କଲେଣି ଏଇ ବଣ ଦେଶର ଅଧଲଙ୍ଗୁଳି ହସକୁଡ଼ୀ ମିରିଗ ଛୁଆଙ୍କ ପରି ଚଞ୍ଚଳିଆ ଆଦିବାସୀ ଝିଅଙ୍କ ପରି । ସେମିତିଆ ଝିଅ ଯେ ଭଲ ।

 

ସେପରି ଢଙ୍ଗରେ ପ୍ରମାଦ ଅଛି । ଅପା ଗୋ, ମୋ ମିତାର ମୁରବି ଯେ ସେ ନିଜେ । ମୋ ଦେହ ଭଲ ରହୁ ନାହିଁ । କେବେ ମୁଁ ଆଖି ବୁଜିବି ତା’ର ଠିକଣା ନାହିଁ । ମୁଣ୍ଡ ଭ୍ରମୁଛି । ଛାତି ଥରୁଛି । କାମକୁ ପାରୁନି । ମିତା ସବୁ କରୁଛି । ଛୋଟ କୁଟୁମ୍ବର ବୋଝ ତାଆରି ମୁଣ୍ଡରେ । କେମିତି ସେ ପରଘରକୁ ଯିବ, ତା’ର ସଂସାର ସେ କରିବ, ସେତିକି ମୋର ଚିନ୍ତା । ବଞ୍ଚି ରହିଛି ମୁଁ ତାଆରିପାଇଁ । ଅମିୟ ତ ମରଦ ପୁଅ, ନିଜ ଶିଙ୍ଗରେ ସେ ମାଟି ଖୋଳି ପାରିବ । ଏଇଟା ଯେ ଝିଅଟାଏ—

 

କମଳାଙ୍କର ପେଟର ବୋଝ ବଢ଼ୁଛି । ଝିଅଟିଏ କି ପୁଅଟିଏ ଭିତରେ ଓଲଟପାଲଟ ହେଉଛି । ବେଶି ବେଳ ବସି ଗପ କରିବାକୁ ତାଙ୍କର ସମୟ ନାହିଁ । ସାଧନ ମିସ୍ତ୍ରି ଘର କାମରେ ତାଙ୍କୁ ସାହାଯ୍ୟ କରନ୍ତୁ ପଛେ, ନିଜେ କମଳା ଘୁସୁରି ଘୁସୁରି ବାର କାମ କରନ୍ତି ।

 

ସେ ଉଠି ଚାଲିଗଲେ । ତାଙ୍କର ଆଉ କିଛି କହିବାର ନାହିଁ । ଅନିମା କହିଲେ ଅମିତାକୁ, ପରଘରର ଛିଦ୍ର ଖୋଜିବାକୁ ଏମାନେ ଆସନ୍ତି । ଏମାନଙ୍କ ପାଖରେ ମନ ଖୋଲିବା ଅନୁଚିତ । ସବୁବେଳେ ସାବଧାନ ଥିବୁ ।

 

ଅମିୟ ଉମରକୋଟ ଯିବା ଆଗରୁ ତା’ କୁଟୁମ୍ବପାଇଁ ମିଳୁଥିବା ସରକାରୀ ଭତ୍ତାର ପରିମାଣ ଊଣା କରାହେଲା । ସେତକ ତା’ ତରଫରୁ ନେବାପାଇଁ ଅନିମାଙ୍କୁ ସେ କ୍ଷମତା ଦେଇ ଯାଇଥିଲା । ସମସ୍ତଙ୍କ ସଙ୍ଗେ ମାସକୁ ମାସ ଭତ୍ତା ଆଣିବାକୁ ସେ ହାକିମଙ୍କ ପାଖକୁ ଯାଆନ୍ତି । ଭତ୍ତା ଆଣି ପାଖରେ ରଖନ୍ତି ।

 

ଅମିୟ ଚାକିରି କରିବାର ମାସକ ପରଠାରୁ ରୀତିମତ ଅନିମାଙ୍କ ନାମରେ ସୁରେନ୍ଦ୍ର ମାରଫତରେ ଟଙ୍କା ମନିଅର୍ଡ଼ର୍ କରି ପଠାଏ । ସ୍ୱତନ୍ତ୍ର ପତ୍ର ଲେଖି ନିଜ ଖର୍ଚ୍ଚର ହିସାବ ଅନିମାଙ୍କୁ ଜଣାଏଁ । ସବୁ ଟଙ୍କା ଅନିମା ଅମିତାକୁ ସମର୍ପି ଦେଇ କହନ୍ତି, ଚାବିଟା ମୋ ଅଣ୍ଟାରେ ଝୁଲୁଥାଉ, କିନ୍ତୁ ଟଙ୍କା କଉଡ଼ିର ହିସାବ ତୁ ରଖ । ସବୁ ତମରି ଭବିଷ୍ୟତ୍‌ ପାଇଁ । ଯାହା ରହିବ ତମ ଦୁହିଁଙ୍କର ଉପକାରରେ ଲାଗିବ ।

 

ଅନିମା ମିତବ୍ୟୟୀ । ପିଲା ମନ, ପିଲା ପ୍ରକୃତି ହେଲେବି ଅମିତାର ବାଜେ ଖରଚ କରିବାକୁ ପ୍ରବୃତ୍ତି ନାହିଁ । ଖାଉଟିମାନଙ୍କ ପାଇଁ କ୍ୟାମ୍ପ୍‍ ଭିତରେ ବିପିନ୍‍ କର୍ମକାର ଗୋଟିଏ ଦୋକାନ ଖୋଲିଲା ଦିନରୁ ଅନିମାଙ୍କର ବିଶେଷ ଅସୁବିଧା ହେଉନାହିଁ । ଯେବେ ଯାହା ଲୋଡ଼ା ଅମିତା ଚିଠା କରିଦିଏ । ନିଜେ ଦୋକାନକୁ ଯାଇ ନେଇଆସେ ହେଇଟି ତ ଦୋକାନଟା ଅସ୍ଥାୟୀ ସ୍କୁଲ୍‍ ପାଖରେ ଦେଖାଯାଉଛି । ଅସୁବିଧାବେଳେ ଖେନ୍ଦା କି ବିନ୍ଦାକୁ କହିଲେ ସେମାନେ ସଉଦା ଆଣି ଦିଅନ୍ତି ।

 

ଦୁଇ ଚାରି ଦିନ ଛାଡ଼ି ସ୍କୁଲ୍‍ ଛୁଟିପରେ, ସୁରେନ୍‌ ଆସେ । ହାଲ୍‌ଚାଲ୍‌ ବୁଝିଯାଏ । ବିପିନ୍‍ କର୍ମକାରଙ୍କ ଦୋକାନରେ ମିଳୁ ନଥିବା ଦରକାରୀ ଜିନିଷ ମାଲକାନଗିରି ବଜାରରୁ ଆଣି ଦେବାକୁ ଅମିତା ତାକୁ ଅନୁରୋଧ କରେ । ସୁରେନ୍‌ ନାସ୍ତି କରେ ନାହିଁ । ବୁଢ଼ା ଗୋପାଳ ହାଉଲ୍‌ଦାର ଓ ତାଙ୍କର ପତ୍ନୀ ତନୁଜା କେବେ କେମିତି ବୁଲି ଆସନ୍ତି । ହାଲ୍‍ଚାଲ୍‌ ବୁଝନ୍ତି ।

 

ଛଅଟି ମାସ ମଧ୍ୟରେ କେତେ ଘଟଣା ଘଟି ଯାଇଛି ସେ ଅସ୍ଥାୟୀ କ୍ୟାମ୍ପ୍‍ରେ । ଛୋଟ ବଡ଼ ଚୋରି, କଳି ତକରାର, ମୁଣ୍ଡ ଫଟାଫଟି । କେତେ କୁଟୁମ୍ବ ନାନା ଅସୁବିଧାର ଆଳରେ କ୍ୟାମ୍ପ୍‍ ପରିତ୍ୟାଗ କରି କଲିକତା କି ଆଉ କେଉଁଆଡ଼େ ଚାଲି ଯାଇଛନ୍ତି । ସେମାନଙ୍କ ସ୍ଥାନରେ ଅପରିଚିତ ନୂଆ ନୂଆ କୁଟୁମ୍ବ ଆଉ କେଉଁଠୁଁ ଆସି ପହଞ୍ଚିଛନ୍ତି । ମାଲକାନଗିରିରୁ ଜୟପୁର ମଧ୍ୟରେ ଦୀର୍ଘ ଛଅଷଠୀ ମାଇଲ ରାସ୍ତା କଡ଼ରେ ଖୋଲା ଯାଇଥିବା ପାଞ୍ଚ ଛଅଟି ଅସ୍ଥାୟୀ କ୍ୟାମ୍ପ୍‍ମାନଙ୍କରେ ନବାଗତ ଆଶ୍ରୟପ୍ରାର୍ଥୀମାନଙ୍କୁ ରଖାଗଲାଣି । ଗୋଟିଏ କ୍ୟାମ୍ପ୍‍ରୁ ଆଉ ଗୋଟିଏ କ୍ୟାମ୍ପ୍‍ର ଦୂରତ୍ୱ ଦଶ ମାଇଲରୁ ପନ୍ଦର ମାଇଲ ହେବ ।

 

ଶୁଣାଯାଉଛି, ସେମାନେ ମାଲକାନଗିରି ଅଞ୍ଚଳରେ ଥଇଥାନ ହେବେ । ଟ୍ରାକ୍ଟର୍ ୟୁନିଟ୍‌ ସବୁ ଜଙ୍ଗଲ ସଫେଇ କାମରେ ଲାଗିଗଲେଣି । ନଦୀର ଦୁଇକୂଳରେ ସୁବିସ୍ତୀର୍ଣ୍ଣ ସମତଳ ଭୂମି ଉପରେ ଥିବା ରକ୍ଷତ ଜଙ୍ଗଲ ଟ୍ରାକ୍ଟର୍‍ଗୁଡ଼ିକ ସାହାଯ୍ୟରେ ସଫା ହେଉଛି । ଯନ୍ତ୍ରଗୁଡ଼ିକର ଗର୍ଜନରେ ନଦୀ, ପାହାଡ଼, ଉପତ୍ୟକା ମୁଖରିତ ହେଉଛି । ମେଦିନୀ ଥରି ଉଠୁଛି । ଛୋଟ ଛୋଟ ଗଛକୁ ପଚାରେ କିଏ, ମହା ମହା ଦାରୁ ଆଖି ପିଞ୍ଛୁଡ଼ାରେ ମୂଳରୁ ଉପୁଡ଼ି ତଳେ ପଡ଼ୁଛନ୍ତି । ଟ୍ରାକ୍ଟର୍‍ଗୁଡ଼ିକ ସାହାଯ୍ୟରେ ତଳେ କଚାଡ଼ି ହୋଇ ଉପୁଡ଼ି ପଡ଼ିଥିବା ଗଛଗୁଡ଼ିକୁ ଠେଲିଠେଲିକା ଦେଢ଼ଶ ଦୁଇଶ ଫୁଟ୍ ବ୍ୟବଧାନରେ ଧାଡ଼ି ଧାଡ଼ି କରି ଜମାଇ ରଖାହେଉଛି ।

 

ଯେଉଁସବୁ ଗଛ ଟ୍ରାକ୍ଟର୍ ଧକ୍କାରେ ଭାଙ୍ଗି ଯାଇଛି, ସେଗୁଡ଼ିକର ମୂଳ ଓପାଡ଼ିବାକୁ କାଙ୍କ–ମୁହାଁ ଟ୍ରାକ୍ଟର୍ ବ୍ୟବହାର କରାଯାଉଛି । ଅଳ୍ପ ସମୟ ମଧ୍ୟରେ ମୂଳ ଉପୁଡ଼ି ତଳେ ପଡ଼ୁଛି । ବିଦାକାଠି–ମୁହାଁ ଟ୍ରାକ୍ଟର୍ ସାହାଯ୍ୟରେ ଗଛର ଚେର ଉପୁଡ଼ା ଯାଉଛି । ଟାଣ ଭୂମି ତାଡ଼ି ସେଇ ଟ୍ରାକ୍ଟର୍ ଜମିକୁ ହଳ କରି ସମତୁଲ କରୁଛି । ଟାଣ ମାଟି ଗୁଣ୍ଡା ହୋଇ ଧୂଳି ହେଉଛି । କୋଡ଼ି–ମୁଣ୍ଡା ଟ୍ରାକ୍ଟର୍ ମାଟି ତାଡ଼ି ମାଟି ଠେଲି ବଡ଼ବଡ଼ ହିଡ଼ ପକାଉଛି । ଯେଉଁଠି ଥିଲା ନିଘଞ୍ଚ ଅରଣ୍ୟ; ସେଇଠି ଦିଗହଜା ଚାଷୋପଯୋଗୀ ଜମି ଦିଶୁଛି, ମାତ୍ର କେତୋଟି ଦିନର ବ୍ୟବଧାନରେ ।

 

ତିନିପୁରୁଷ ଅକ୍ଳାନ୍ତ ପରିଶ୍ରମ କରି ଶହ ଶହ ଦରଲଙ୍ଗଳା ଆଦିବାସୀ, ଆବାଳ ବୃଦ୍ଧ ବନିତା, ବାଘ ଭାଲୁ ସାନ ଓ ଖରା ବରଷା ଶୀତ ସଙ୍ଗେ ଅନବରତ ସଂଗ୍ରାମ କରି, କେତେ ଜୀବନ ଅକାଳରେ ବନଦେବୀମାନଙ୍କ ପାଖରେ ଉତ୍ସର୍ଗ କରି ଯାହା କରିବାକୁ ସକ୍ଷମ ହେଉ ନଥିଲେ, ଦିନ କେତୋଟିରେ ଆମେରିକା ଓ ଜାପାନ ଦେଶମାନଙ୍କରୁ ଅଣା ହୋଇଥିବା ଲୁହାର ରାକ୍ଷସ ଦଳ–ବିଭିନ୍ନ ପ୍ରକାର ଟ୍ରାକ୍ଟର୍, ତାହା ସମ୍ଭବ କରୁଛି । ଯନ୍ତ୍ର ସବୁ ବିଦେଶରୁ ସିନା ଆସିଛି, ସେଗୁଡ଼ିକର ସୁଦକ୍ଷ ଚାଳକ ହେଉଛନ୍ତି ଭାରତୀୟ, ସବୁ ପ୍ରଦେଶର ଲୋକ ।

 

କ୍ୟାମ୍ପ୍‍ର ଅନ୍ୟ ନାରୀ ଓ ବାଳିକାମାନଙ୍କ ସଙ୍ଗରେ ଯାଇ ଅମିତା ରିକ୍ଲାମେସନ୍‌ କାର୍ଯ୍ୟ ଦେଖି ଆସିଛି । ସୁଦୂର ପଲ୍ଲୀମାନଙ୍କରୁ ଶହ ଶହ ଆଦିବାସୀ–ସ୍ତ୍ରୀ ଓ ପୁରୁଷ, ପିଲାରୁ ବୁଢ଼ାଯାଏ ଆସି ଯନ୍ତ୍ରରାକ୍ଷସଗୁଡ଼ିକର ଗଛ ଓପଡ଼ା ଓ ଜମି ତିଆରି କାମ ବିହ୍ୱଳ ବିସ୍ମୟ ଓ ଭୀତିଜଡ଼ିତ ଆଖିରେ ଦେଖିଛନ୍ତି । ଦୀର୍ଘଶ୍ୱାସ ଛାଡ଼ିଛନ୍ତି । ଉଜ୍ଜ୍ୱଳ ହସହସ ମୁହଁ ମଳିନ ହୋଇଛି । ଦେହରୁ ଝାଳ ବହିଛି । ଆଖିରୁ ଲୋତକର ଧାର ଛୁଟିଛି,–ସତେ କି ଗଛ ଟଳି ପଡ଼ିଲା ନାହିଁ ଯେ ସେହିମାନଙ୍କର ଅତି ଆପଣାର ଆତ୍ମୀୟସ୍ୱଜନ ଟଳି ପଡ଼ିଲେ, ସତେ କି ଧରଣୀର ଛାତି ଚିରା ହେଉନାହିଁ, ସେହିମାନଙ୍କର ବିଦାକାଠିଆ ଛାତିକୁ ଆମ୍ପୁଡ଼ି ବିଦାରି ଖଣ୍ଡିଆଖାବରା ଲହୁଲୁହାଣ କରି ଗରଜି ଗରଜି ଚାଲିଛନ୍ତି ଯନ୍ତ୍ର ରାକ୍ଷସର ଦଳ !

 

ଅମିତା ଓ ତା’ର ସଙ୍ଗିନୀମାନେ ଦେଖିଥିଲେ ଆଦିବାସୀ ସମବୟସୀ ତରୁଣୀମାନଙ୍କର ଓଠର ଲିଭିଲା ହସ, ଆଖିର ତତଲା ଲୁହ । ଛାତିର କୋହ ସେମାନେ ଅନୁଭବ କରିଲେ ନାହିଁ । ସେମାନଙ୍କ ମନରେ ଆନନ୍ଦ,–ଅରଣ୍ୟ ସଫା ହୋଇ ଜମି କଢ଼ା ଯାଉଛି ସେହିମାନଙ୍କ ପାଇଁ । ତମସାର ତୀରରୁ ହିଂସ୍ରଜନ୍ତୁମାନେ ପଳାଇ ଯାଉଛନ୍ତି ଦୂରର ଅରଣ୍ୟ ଓ ପାହାଡ଼କୁ । ସ୍ଥାନ ହେଉଛି ଭୟଶୂନ୍ୟ । ଗ୍ରାମମାନ ବସିବ । ପୂର୍ବବଙ୍ଗର ଆଶ୍ରୟପ୍ରାର୍ଥୀମାନେ ଥଇଥାନ ହେବେ ।

 

ଦଳଦଳ ହୋଇ ବିଭିନ୍ନ ବିଭାଗର ବଡ଼ ଛୋଟ କର୍ମଚାରୀମାନେ କାମ କରୁଛନ୍ତି । ଉପରିକମାନେ ଗାଡ଼ି ଚଢ଼ି ଦିନରାତି ଆସି କାମ ତନଖି କରୁଛନ୍ତି । ଅସ୍ଥାୟୀ କ୍ୟାମ୍ପ୍‍ରେ ପଶି ସେମାନଙ୍କର ହାଲ୍‌ଚାଲ୍‌ ବୁଝି ଯାଉଛନ୍ତି । ବିପିନ୍‍ କର୍ମକାରଙ୍କର ନୂଆ ଦୋକାନରେ ଦିନରାତି ବିକ୍ରି ଚାଲିଛି । ବିପିନ୍‍ ଲିଡ଼ର୍ ଓ ତାଙ୍କ ପୁଅ ସୋମୁକୁ ସକାଳୁ ରାତିଅଧଯାଏ ନିଃଶ୍ୱାସ ମାରିବାକୁ ସମୟ ମିଳୁନାହିଁ । ଶୁଣାଯାଉଛି, ସେ ଭଲ ଚାରି ପଇସା ରୋଜଗାର କରୁଛନ୍ତି । ପାଖରେ ଟଙ୍କା ନଥିବାଯାଏ ସେ କ୍ୟାମ୍ପ୍‍ର ନେତୃତ୍ୱ ନେବାକୁ ବ୍ୟାକୁଳ ହେଉଥିଲେ । ପାଖରେ ପଇସା ହେବାରୁ ନେତୃତ୍ୱରେ ଜଳାଞ୍ଜଳି ଦେଇ ନିଜ ବେପାର ନିଜେ ସମ୍ଭାଳିବାକୁ ବ୍ୟଗ୍ର ହେଲେଣି । ଆସୁଥିବା ଅଫିସରମାନଙ୍କ ସଙ୍ଗେ ତର୍କ ଓ କଜିଆ କରୁ ନାହାନ୍ତି । ଚାହା ସିଗାରେଟ ଦେଉଛନ୍ତି । ହାତ ଯୋଡ଼ି ସାର୍‌ ସାର୍‌ କହୁଛନ୍ତି ।

 

ଦୁଇ ମାସ ତଳେ ତାଙ୍କର ମା’ ବୁଢ଼ୀ ବେଲାରାଣୀ ପୁଣି ବେମାର ପଡ଼ିଲେ । ଜର, ଝାଡ଼ା, ରହିରହିକା ପ୍ରଳାପ । ଡାକ୍ତର ବାରମ୍ବାର ଆସିଲେ । ଔଷଧ ଦେଲେ । କାଟୁ କଲା ନାହିଁ । ବୁଢ଼ୀଙ୍କୁ ଦେଖିବାକୁ ଅନ୍ୟମାନଙ୍କ ସଙ୍ଗେ ଅନିମା ତାଙ୍କର ଅସ୍ଥାୟୀ ନୂଆ ଘରକୁ ଯାଇଥିଲେ । ଅମିତା ତାଙ୍କ ସଙ୍ଗରେ ଥିଲା । ସଞ୍ଜ ଗଡ଼ି ଯାଇଥାଏ । ହାରିକେନ ଆଲୁଅ ଜଳୁଥାଏ । ଦୋକାନର ଦାୟିତ୍ୱ ସୋମୁ ଉପରେ ଦେଇ ବିପିନ୍‍ ଲିଡ଼ର୍‌ ବୁଢ଼ୀମାଙ୍କ ପାଖରେ ଥାଇ ସେବା କରୁଥାନ୍ତି । ବୁଢ଼ୀଙ୍କର ଜ୍ଞାନ ଫେରି ଆସିଥାଏ ।

 

ଅନିମାଙ୍କୁ ଦେଖି ବୁଢ଼ୀ ତାଙ୍କର ଦୁର୍ବଳ ହାତଟି ବଢ଼ାଇଲେ । ଅନିମା ତାଙ୍କର ହାତ ପାପୁଲି ଆଉଁସିଲେ । ବିପିନ୍‍ ପାଖରୁ ଉଠି ଦୂରେଇ ଠିଆ ହୋଇଥାନ୍ତି । ବୁଢ଼ୀ କ୍ଷୀଣସ୍ୱରରେ କହିଲେ, ଦେଖିବାକୁ ଆସିଛୁ ମା’ ଅନିମା, ଭଲ କଲୁ । ସବୁ ତ ତୁ ଜାଣିଛୁ । ମୁଁ ଆଉ ବଞ୍ଚିବି ନାହିଁ । ମୋ ପାପର ବୋଝ ମୁଣ୍ଡେଇ ଦିନେ ଓଳିକରେ ମୁଁ ସେପୁରକୁ ଚାଲିଯିବି ।

 

ସେପରି କୁହନା ମାଉସୀ, ଅନିମା କହିଲେ, ଭଗବାନ ତୁମକୁ ଆରୋଗ୍ୟ କରିଦେବେ ।

 

ବୁଢ଼ୀ ଅଳ୍ପକ୍ଷଣ ନୀରବ ହୋଇ କହିଲେ, ଆଉ ବଞ୍ଚିବାକୁ ମୋର ଆଗ୍ରହ ନାହିଁ । ମୋପାଇଁ ନରକରେ ଯମରଜା ଜାଗା ସ୍ଥିର କରିସାରିଛି ସେଇଠି ମୋର ସ୍ଥାନ ।

 

ଛି, ଛି, ଏ କି କଥା କହୁଛ ?

 

ସତ କହୁଛି ମା’ ଅନିମା । ହେଇଟି, ମୋ ଆଖିକୁ ଜଳଜଳ ହୋଇ ଦିଶିଲା ପରି ଲାଗୁଛି-। ଯାହାପାଇଁ ତୁ ଅପେକ୍ଷା କରିଛୁ, ସତୀ ସୁଲକ୍ଷଣୀ ମାଆଲୋ ମୋର, ସେ ଫେରି ଆସିଛି-। ତୋ ତପସ୍ୟା ପୂରିବ । ପାଗଳୀଟା ମୁଁ, ନିଜ ହାତରେ, ହେଉପଛେ ଅଜାଣତରେ, ବୋହୂଟାକୁ, ନାତିଟାକୁ ବିଷ ଖୋଇ ମାରିଲି । ନରକକୁ ଯିବି ନାହିଁ ତ ଆଉ କେଉଁ ଚୁଲିକି ଯିବି ?

 

ଅମିତା ଦେଖିଲା, ତା’ର ମାଆଙ୍କର ଦୁଇ ଆଖି ସଜଳ ହେଲା । ସେ ଧୀରେ ଧୀରେ ବୁଢ଼ୀଙ୍କର ହାତ ସାଉଁଳିଲେ । କହିଲେ, ତୁମେ ତୁନିହୁଅ ମାଉସୀ, ତୁମେ ଯାହା କରିଥିଲ ସେତକ ତୁମର ଅଜାଣତରେ କରିଥିଲ । ଭଗବାନଙ୍କର ନାମ ନିଅ । ସେ ତୁମକୁ ତୁମର ଭୁଲ୍‍ପାଇଁ କ୍ଷମା କରିବେ । ଏତେ ବ୍ୟସ୍ତ ହେଉଛ କାହିଁକି ? ଧୀରେ ଧୀରେ ତୁମେ ଆରୋଗ୍ୟ ହୋଇଯିବ ।

 

ବୁଢ଼ୀ କହିଲେ, ମୁଁ ଆଉ ଘାଣ୍ଟି ହେବାକୁ ଚାହୁଁ ନାହିଁ । ଏ ଯନ୍ତ୍ରଣାରୁ ମୁଁ ମୁକ୍ତି ଲଭିବାକୁ ଚାହୁଁଛି । ମା’ ଅନିମା, ମୁଁ ତ ପାଗଳୀଟାଏ । ଗୋଟିଏ ବୋଲି ପୁଅ ମୋର ବିପିନ୍‍ । ପିଲା ବୟସରେ ବାହା କରେଇଥିଲି । ସୋମୁ ଜନ୍ମ ହେଲା । ଆଉ ଯେଉଁଟିମାନେ ଜନ୍ମ ହୋଇଥିଲେ ତାଙ୍କୁ ସଙ୍ଗରେ ନେଇ ମୋର ଲକ୍ଷ୍ମୀ ବୋହୂ ସେପୁରକୁ ଚାଲିଗଲା । ବିପିନ୍‍ ମୋର ପିଲାଟା । ତୋ ଦୁଃଖ ମୁଁ ଶୁଣିଲି । ଜନମିଲା ଝିଅ ପରି ତୋତେ ମଣିଥିଲି । ଭଲ ପାଇଲି । ଏ ଦୁନିଆରେ କେତେକଅଣ ହୋଇଯାଉଛି । ମନ ସ୍ଥିର କରି ପରସ୍ପରକୁ ଭଲ ପାଇ ଚଳିଲେ ଭଙ୍ଗା ସଂସାର ଯୋଡ଼ି ହୋଇ ନୂଆ ସଂସାର ଗଢ଼ା ହୋଇଛି । ମୁଁ ଯେ ପାଗଳୀଟାଏଲୋ ଅନିମା, ମୋର ସେଇ ପାଗଳା ଆଶାପାଇଁ, କେବେ ତୋତେ କ’ଣ କହି ଦେଇଛି । ସେପୁରକୁ ଗୋଡ଼ ବଢ଼ାଇଲିଣି, ମୋ ଦୋଷ ମୁଁ ତୋ ପାଖରୁ ମାଗି ନେଉଛି ।

 

ବୁଢ଼ୀ ତୁନି ହେଲେ । ତାଙ୍କର ଶୁଖିଲା ଆଖିରୁ ଲୋତକ ଝରିଲା । ତାଙ୍କର ହାତ ଛାଡ଼ି ଅନିମା ପଥର ମୂର୍ତ୍ତିପରି ବସି ରହିଲେ । ବିପିନ୍‍ ପାଖକୁ ଆସି ଅନିମାଙ୍କ ପାଖରେ ଠିଆ ହୋଇ ନଇଁପଡ଼ି ବୁଢ଼ୀଙ୍କ କପାଳରେ ହାତ ମାରି କହିଲେ, ଜରର କୋପ ବଢ଼ିଛି ଭାଉଜ, ସେଥିପାଇଁ ଏଣୁତେଣୁ କ’ଣ ସେ ଗପୁଛି । ତୁନି ହୋଇ ଶୋଇପଡ଼ ମା’, ମୁଁ ଡାକ୍ତରଙ୍କୁ ଡକାଇ ପଠାଏଁ । ଏତେ ବେଶି ବକୁଛୁ କାହିଁକି ?

 

ଅମିତାର ମନରେ ବୁଢ଼ୀଙ୍କର ପ୍ରଳାପ ଧୀରେ ଧୀରେ ଭେଦୁଥିଲା । ଦୁନିଆର ଚଳନ, ସେ ଚଳନକୁ ଉପଲକ୍ଷ୍ୟ ଦିଅ । ବାଙ୍କୁଲି ଭାଷାର ସ୍ୱରୂପ ତା’ ପାଖରେ ପ୍ରହେଳିକା ହେଲେବି ଭାଷାର ଅର୍ଥ ସେ ବୁଝୁଥିଲା । ଉଦ୍ଦେଶ୍ୟ ଅନୁମାନ କରିପାରୁଥିଲା । କମଳାଙ୍କର ବାଡ଼ବତାହୀନ ଖୋଲାଖୋଲି କଥା ବାରମ୍ବାର ଶୁଣି ତାଙ୍କର ଓ ସାଧନ ସନ୍ନ୍ୟାସୀଙ୍କର ରହସ୍ୟମୟ ସଂସାରର ଗୋଟିଏ ଝାପ୍‌ସା ଚିତ୍ର ତା’ ମନର ପରଦା ଉପରେ ଆଙ୍କି ହୋଇଥିଲା । ବୁଢ଼ୀଙ୍କର ପ୍ରଳାପ ଅର୍ଥହୀନ ନୁହେଁ, ଅମିତା ଏହା ଅନୁଭବ କଲା । ତାଙ୍କର ପ୍ରଳାପ ଅନିମାଙ୍କୁ ଯେ ପଥର ମୂର୍ତ୍ତି ପାଲଟାଇଲା ଅମିତା ଏହା ବୁଝିଲା । ସେ ତା’ର ମାତାଙ୍କ ପାଖକୁ ଯାଇ ତାଙ୍କର ଦେହକୁ ଆସ୍ତେ ଆଉଜି କହିଲା, ରାତି ବଳାଉଛି ମା’, ଘର ଖୋଲା ପଡ଼ିଛି, ଯିବା ଆ—

 

ଅନିମା ଉଠି ଠିଆହେଲେ । ବିପିନ୍‍ କର୍ମକାର ପଛେଇ ଗଲେ । ବୁଢ଼ୀ ଆଖି ଖୋଲି ଡବଡ଼ବ କରି କଣେଇଁ ଚାହିଁଲେ । ଓଠରେ ହସ ଝଟକିଲା । କ୍ଷୀଣ କଣ୍ଠରେ କହିଲେ, ସ୍ୱରରୁ ବାରିଲି, ତୋ ଝିଅ ଅମିତାଟି, ହଁ କେଡ଼େଟିଏ ହେଲାଣି । ବେଶ୍‌ ସୁନ୍ଦରିଆ ଡଉଲ ଡାଉଲ ହୋଇଛି ଅନିମା । ବାହାଘରର ବୟସ ହେଲାଣି । ଆଗୋ ଅନିମା, ମୋ ବିପିନ୍‍ ଭଲ ବୁଦ୍ଧି କଲାଣି । ଶହ ଶହ ଅର୍ଜନ କରୁଛି । ମୋ ବିପିନ୍‍ର ବାହା ବୟସ ବଳେଇ ନାହିଁ । ତୋର ଏଇ ଝିଅ ଅମିତାଟିକୁ ତାକୁ ବାହା କରାଲୋ, ସେ ସୁଖରରେ ରହିବ ।

 

ଅନିମାଙ୍କର ଦେହ ମନର ତୋଫାନିଆ କୋହରେ ଥରି ଉଠିଲା । ଅମିତା ତାଙ୍କର ହାତ ଧରିଥିଲା । ଅନୁଭବ କରି ପାରିଲା । ଅନିମାଙ୍କ ତୁଣ୍ଡରୁ ଖସି ଆସିଲା କମାଣ ମୁହଁରୁ ଜଳିଲା ଗୁଳା ଖସିଗଲା ପରି, ଗୋଟିଏ ପଦ,–ଓଃ–

Unknown

 

ରାଗ ତମତମ ନାଗସାପ ପରି ଫଁ ଫଁ ହୋଇ ଅମିତାର ହାତ ଧରି ଟଳିଟଳିକା ସେ ବିପିନ୍‍ କର୍ମକାରଙ୍କ ଘର ଭିତରୁ ବାହାରି ଆସିଲେ ରାସ୍ତା ଉପରକୁ ।

 

ଅଣଷାଠି

 

ବୁଢ଼ୀ ବେଲାରାଣୀଙ୍କର ଅବସ୍ଥା ଦିନୁଦିନ ଆହୁରି ଖରାପ ହେବାକୁ ଲାଗିଲା । ଏ ସମ୍ବାଦ କମଳାହିଁ ଦେଉଥିଲେ । ବୁଢ଼ୀ ବେହୋସ ହୋଇ ପଡ଼ିଛନ୍ତି । ଡାକ୍ତର ଓ ବିପିନ୍‍ କର୍ମକାର ତାଙ୍କର ଆଶା ଛାଡ଼ି ବସିଛନ୍ତି । ଏ ସମ୍ବାଦ ଦିନେ ଦ୍ୱିପ୍ରହରେ ସୌମେନ୍‌ ଆସି ଅନିମାଙ୍କୁ ଦେଇଗଲା-। ଅନିମା କେବଳ ଶୁଣିଲେ । ଉତ୍ତର ଦେଲେ ନାହିଁ । ଅମିତା ଅନୁଭବ କଲା, ସୋମୁ ବୁଢ଼ୀଙ୍କର ଖବର ଦେବାକୁ ଆସି ନଥିଲା । ସେ ଆସିଥିଲା ତାଆରି ପାଖକୁ । ସୋମୁ ବଡ଼ ପିଲା ହେଲାଣି । ବଡ଼ମଣିଷ ପରି ଦିଶିଲାଣି । ସ୍ୱାସ୍ଥ୍ୟ ବଦଳିଲାଣି-। ସେ ହେଲାଣି ଗମ୍ଭୀର । ବୁଢ଼ୀ ପ୍ରଳାପ କରି ଯାହା ତାଙ୍କ ମୁହଁରୁ ଖସାଇଥିଲେ, ଅବଶ୍ୟ ସୋମୁର କାନରେ ପଡ଼ିଥିବ । ଆସିଥିଲା କି ସେହି କଥାର ପ୍ରଭାବ ଦେଖିବାକୁ । ଅମିତା ଉପଲବ୍ଧି କଲା ସୋମୁର ଦୃଷ୍ଟି ଯେପରି ଲାଜ ଲାଜ ହୋଇ ତାକୁ ନିରୋଳା ଥାନକୁ ଡାକୁଛି । ପଦେ କ’ଣ ପଚାରିବ । କେଜାଣି ବା ତା’ର ଛଟପଟ ଚାହାଣି ଅମିତାକୁ ଅନୁରୋଧ କରୁଛି, ଆସିବୁ କି ସଉଦା ନେବାକୁ ଦୋକାନ ଆଡ଼େ ? ମନର କଥାଟି କହିବି । ସେ କଥା ତୁ ଜାଣୁଲୋ ଅମିତା, ଉପହାସରେ କେତେଥର ତୋତେ ମୁଁ କହିଛି, ପିଲାଟି ଦିନରୁ । ଖେଳସାଥୀ ସମସ୍ତେ ଶୁଣିଛନ୍ତି । ତୋତେ ଆଲିଙ୍ଗନ କରିଛି । ଗେଲ କରି ମୁହଁରେ ବୋକ ଦେଇଛି-। ତୁ ହେବୁ ମୋର ମା’ ? ଚହଳ ପଡ଼ିଛି ଏ ଖବର । ତୋର ମା’ ବିଚାର କରୁଛନ୍ତି ।

 

ଅମିତାର ମନରେ କେଉଁ ଅନାଗତ ଆଶଙ୍କାର ଝଡ଼ ବହୁଛି । ମାତାଙ୍କର ବିରକ୍ତିଆ ବିଷଣ୍ଣ ମୁହଁକୁ ଚାହିଁ ଅଳପ କମ୍ପିତ ସ୍ୱରରେ ସେ କହିଥିଲା, ସକାଳୁ ତୁ କିଛି ଖାଇନୁ ମା’, ସୂର୍ଯ୍ୟ ମୁଣ୍ଡ ଉପରୁ ଗଡ଼ିଲେଣି, ଦିନ ଗୋଟାଏ ହେବ । ଆ, ଭାତ ଗଣ୍ଡିଏ ଖାଇବୁ ।

 

ମୁହଁ ଫଣଫଣ କରି ସେ ରୁକ୍ଷ ସ୍ୱରରେ କହିଲେ, ମୋତେ ବିରକ୍ତ କରନା । ତୁ କାହିଁକି ଭୋକରେ ବସିଛୁ ? ଜାଣିଛୁ ତ ମୋର ଦେହ ଭଲ ନାହିଁ । ଚାଲିଯା ମୋ ପାଖରୁ ।

 

ଅମିତାର ଆଖିରୁ ଅବାଧ୍ୟ ଲୋତକ ଝରି ପଡ଼ିଲା । ସେ ତା’ର ମାଆଙ୍କ ପାଖରେ ବସି ତାଙ୍କର ଫଣଫଣ ମୁହଁକୁ ଅନାଇଁ ରହିଲା ପେଟ ଭିତରୁ ଉଠି ଆସୁଥିବା କୋହକୁ ଅତି କଷ୍ଟରେ ଚାପି ରଖି ଦୃଷ୍ଟି ନୁଆଁଇଲା । ନ ଯଯୌ ନ ତସ୍ଥୌ ଅବସ୍ଥାରେ ଘରଭିତରେ ଠିଆ ହୋଇଥିବା ସୌମେନ୍‌ ବିଳିବିଳେଇଲା ପରି କହି ଉଠିଲା, ଆଈମା’ ବୋଧହୁଏ ଆଉ ବଞ୍ଚିବେ ନାହିଁ । କାଳେ ଆପଣ ତାଙ୍କୁ ଦେଖିବାକୁ ଯିବେ ବୋଲି ଆପଣଙ୍କୁ ଖବର ଦେବାକୁ ଆସିଥିଲି ମାଉସୀ ।

 

ମୁହଁ ବୁଲାଇ ଅନିମା କହିଲେ, ବେଶ୍‌ କଲୁ ସୋମୁ, ଖବର ଦେଇଗଲୁ । ସେ ପରା ଲୋକ ଚିହ୍ନୁ ନାହାନ୍ତି, କି କଥା କହୁ ନାହାନ୍ତି, ମୁଁ ଗଲେବି ସେ ମୋତେ ଆଉ ଚିହ୍ନିବେ ନାହିଁ । ଯଦି ତାଙ୍କର ମୋହ ଭାଙ୍ଗେ, ଯଦି ସେ ମୋତେ ଖୋଜନ୍ତିରେ ବାପ, ମୋପାଇଁ ତାଙ୍କୁ କହିଦେବୁ, ଯାହା ସେ ଆଗରୁ କହୁଥିଲେ ମୁଁ ଶୁଣିଥିଲି, ପୁଣି ଯାହା ସେ ସେଦିନ ସଞ୍ଜରେ କହିଲେ, ମୁଁ ଶୁଣିଲି । ଏ ପୁର ଛାଡ଼ି ସେପୁରରେ ଯେବେ ଦେଖାହେବ ଆଉ ଯାହା କହିବେ ମୁଁ ଶୁଣିବି । ମୋର ଉତ୍ତର ଦେବାର କିଛି ନାହିଁ । ତୁ ଯା ଏବେ ।

 

ସୌମେନ୍‌ ଯିବା ଆଗରୁ କମଳା ଆସି ପହଞ୍ଚିଲେ । ତରତର କରି କହିଲେ, ଆରେ ତୁ ଏଠି ଅଛୁ କି ସୋମୁ, ତୋର ନୂଆ ମା’ ଅମିତାକୁ ଦେଖିବାକୁ ଆସିଛୁ ? ବଳେ ତ ଦେଖୁଥିବୁ ଚିରଦିନ, ଏବେ କାହିଁକି ତରତର ? ଭଲ ହେବ ଗୋ ଅନିମା, ସତେ ବିପିନ୍‍ କର୍ମକାରଙ୍କ ବୟସ ଅଧିକ ହୋଇନାହିଁ । ଆମ ସନ୍ନ୍ୟାସୀ କହୁଥିଲେ, ବିପିନ୍‍ ଲିଡ଼ର୍ ବେଶ୍‌ ବଳିଷ୍ଟ ସ୍ୱାସ୍ଥ୍ୟବାନ ପୁରୁଷ, ବୁଦ୍ଧିମାନ୍‌ ଲୋକ । ଦୋକାନ କରି ଭଲ ଅର୍ଜନ କରୁଛନ୍ତି । ଆମ ଅମିତା ଭାଗ୍ୟବତୀ ହେବ । ଏ ଘରୁ ଯାଇ ସେ ଘରେ ଗୋଡ଼ ଦେଉଣୁ ସୋମୁପରି ଭେଣ୍ଡା ପୁଅ ପାଇବ । ଚିନ୍ତା କ’ଣ ? ଆରେ ସୋମୁ, ଅନିମା ହେବ ତୋର ଆଈମା’ । ମନକଲେ ତୁ ତାକୁ ବାହାହୋଇ ପଡ଼ିବୁ । ଭେଣ୍ଡା ନାତି ତ ।

 

ଆଉ ମୁହୂର୍ତ୍ତେ ନ ରହି ସୋମୁ ଚିଲପରି ଛୁଟି ପଳାଇଲା । କମଳା କହିଲେ, ନିର୍ଲଜ୍ଜ ଟୋକାଟା ଜବତ ହୋଇ ଚାଲିଗଲା । ଆଉ ଦିନେ ଏ ଘରେ ପାଦ ପକାଇବ ନାହିଁ । ଦେଖୁଛି, ତାଙ୍କ ବଂଶଯାକ ବେହିଆଲୋ ଅନି, ଆଈ ବୁଢ଼ୀ ତେଣେ ମରମର ହେଉଛି, ମରିଗଲାଣି ବୋଲି ଚହଳ ପଡ଼ିଛି । ସାଧନ ସନ୍ନ୍ୟାସୀ ଓ ଖେନ୍ଦା ଖବର ବୁଝିବାକୁ ଧାଇଁଲେଣି । ନାତି ଟୋକାଟା ତୋ ଘରକୁ ବାଆଁରେଇ ହୋଇ ଆସିଛି ଆଡ଼୍‌ଡ଼ା ଦେବାକୁ । ନିରୋଳାରେ ଦେଖିଥିଲେ ଅମିକୁ ଟିକିଏ ଗେଲ କରି ଯାଇଥାନ୍ତା ଖେନ୍ଦା କହେ ପରା– । ଅମିତା କ’ଣ ଆଉ ନିର୍ବୁଦ୍ଧିଆ ଛଇଛଟକୀ ଡହରୀ ଖେଳ–ବାଇଆଣୀ ପିଲା ଝିଅ ହୋଇଛି କି ?

 

ତୁନିହ ଅପା, ତମ ଗୋଡ଼ ଧରୁଛି । ସୁନ୍ଦରିଆ ଛନଛନିଆ ପିଲାଟିଏ ଦେଖିଲେ ସମସ୍ତେ ଗେଲ କରିବାକୁ ହମହମ ହୁଅନ୍ତି । ସେଇ ପିଲା ବଡ଼ ହେଲେ, ସଂସାରର ଭଲମନ୍ଦ ବୁଝିଲେ ଦାୟିତ୍ୱଜ୍ଞାନ ଆସେ । ହମହମିଆ ଲୋକେ ପାଖ ପଶି ପାରନ୍ତି ନାହିଁ । ଅତି ସାହସିଆ ବେହିଆ ଯିଏ କେତେ ଆରା ଧରି ପାଖେଇ ଆସନ୍ତି, ହନ୍ତସନ୍ତ ହୋଇ ଫେରନ୍ତି । ଛଟପଟ ହୋଇ ମରନ୍ତି । ମିତା ମୋର ସୁନା ଝିଅ । ସବୁ ବୁଝିଲାଣି, ସବୁ ଜାଣିଲାଣି । କିଏ ତାକୁ ଠକି ପାରିବ ?

 

ଆଗୋ ଅନିମା, ଜଗୁଆଳ ନଥିଲେ ଚାଲି ଯାଉଥିବା ଭଦ୍ରଲୋକବି ବାଡ଼ରେ ହାତ ଗଳାଇ ପର ବାରିରୁ ସୁନ୍ଦରିଆ ଫୁଲଟିଏ ଛିଣ୍ଡାଏ କି ପାଚିଲା ଫଳଟିଏ ତୋଳେ । ହାତ ନ ପାଇଲେ ନଗି ବଢ଼ାଏ କି ଫୋପଡ଼ ମାରେ । ତୋ ଘର ସେମିତି ହୋଇଛି । କେହି ମୁରବି ପାଖରେ ନଥିବାରୁ,–

 

କାହିଁକି ସେପରି ଭାବୁଛ ଅପା, ମୁଁ ବଞ୍ଚିଛିଟି । ମୋ ମିତାର ସମସ୍ତେ ଅଛନ୍ତି । ମୋ ଦେହ ଭଲନାହିଁ । କେଜାଣି ମରିବି ତ ମରିବି । ଯିଏ ତାକୁ କୋଳକାଖ କରି ବଢ଼ାଇଛି, ସେଇ କକା ତା’ର ଅମିୟ, ମିତାପାଇଁ ସେ ଜୀବନ ଦେବ ଗୋ ଅପା, ତାଆର କି ଡର, ତାଆର କି ଭାବନା ?

 

କମଳା ଫେରିଗଲେ । ଝିଅର ଆଖିରୁ ଅବୁଝା ଲୁହ ପୋଛି ଅନିମା ତାକୁ ସଙ୍ଗରେ ବସାଇ ନିଜ ହାତରେ ଖୋଇ ଦେଲେ । ନିଜେ ମଧ୍ୟ ଭୋଜନ କଲେ । ଅମିତାର ଆନନ୍ଦ କହିଲେ ନ ସରେ । ମାଆଙ୍କ ମନରୁ କେଉଁ ଅଜଣା ଦୁଃଖ ଓ ଭାବନା ଅପସରିଛି । ତାଙ୍କର ଯତ୍ନ ନେବାକୁ ସେ ବାଧା ଦେଉ ନାହାନ୍ତି । ବିନା ଆପତ୍ତିରେ ଔଷଧ ଖାଇଛନ୍ତି । ମୁଣ୍ଡ ବାନ୍ଧିଦେବାକୁ ସେ ମୁଣ୍ଡ ଦେଖାଇଛନ୍ତି । ଅମିତାକୁ କୋଳକୁ ଆଉଜାଇ ଅନିମା ତା’ର ମୁଣ୍ଡ ବାନ୍ଧିଛନ୍ତି । ମୁହଁରେ ଦେଇଛନ୍ତି ପାଉଡ଼ରର ପରଖ, ଆଖିରେ କଜଳ, ପାଦରେ ଅଳତା । ପିନ୍ଧିବାକୁ ଭଲ ଶାଢ଼ି, ଭଲ ବ୍ଲାଉଜ୍‌ କାଢ଼ି ଦେଇଛନ୍ତି । ମା’ ତା’ର ସ୍ନେହମୟୀ ।

 

ସେହିଦିନ ରାତିରେ ବେଲାରାଣୀ ବୁଢ଼ୀ ସେପୁରକୁ ଚାଲିଗଲେ । ଖେନ୍ଦା ମୁହଁରୁ ରାତିଅଧରେ ଅନିମା ଖବର ପାଇଲେ । ଅମିତାକୁ କହିଲେ, ଅଧ–ବାଇଆଣୀ ବୁଢ଼ୀଟି ମୁକ୍ତି ପାଇଗଲା । କେତେ ଘରେ କେତେ ଲୋକ ଆଇଷ ପୂରିଲେ ମରନ୍ତି । ଭଗବାନଙ୍କର ଇଚ୍ଛା ସେ ନିଜେ ପୂରଣ କରନ୍ତି । ଯାହାର ଦୁଃଖ ତା’ର । ଆହା ପଦିଏ କହିବା ଛଡ଼ା ଅନ୍ୟର ଆଉ କିଛି କରିବାର ନାହିଁ । ବୁଢ଼ୀଙ୍କୁ ତୁ ଦେଖିଥିଲୁ, ତାଙ୍କର ପାଗଳ ପ୍ରଳାପ ଶୁଣିଥିଲୁ, ରାତିଅଧରେ ତୋ ମନେ ପଡ଼ିବ, ଡର ମାଡ଼ିବ । ଆ, ମୋ ପାଖରେ ଶୋଇବୁ ।

 

ଅମିତାକୁ କୋଳରେ ପୂରାଇ ଶୋଇଲେ ।

 

ଦୁଇ ମାସ ତଳର କଥା ତ, ବିପିନ୍‍ କର୍ମକାରଙ୍କ ଘରର ସୁବିଧା ଅସୁବିଧା ତାଙ୍କୁହିଁ ଜଣା-। ଲୋକେ ଦେଖୁଛନ୍ତି, ତାଙ୍କର ଦୋକାନର କାମ ପୂର୍ବପରି ଚାଲିଛି । ବାପ ଓ ପୁଅଙ୍କୁ ଦିନରାତି ବେଳ ଅଣ୍ଟୁନାହିଁ । ମାସକ ପରେ ଶୁଦ୍ଧିଘରକୁ ସେ ନିଜେ ଆସି ନିମନ୍ତ୍ରଣ କରି ଯାଇଥିଲେ-। ଅନିମା ଓ ଅମିତା ଯାଇ ନଥିଲେ । ଗୋପାଳ ହାଉଲ୍‌ଦାରଙ୍କ ପୁଅ ସ୍କୁଲ୍‌ ମାଷ୍ଟର ସୁରେନ୍ଦ୍ର ତାଙ୍କୁ ସବୁ ବିଷୟରେ ସାହାଯ୍ୟ କରିଥିଲା । ସେହି ଆସିଥିଲା ସଞ୍ଜବେଳେ ।

 

ଅଗଣାର ତୁଳସୀ ମୂଳରେ ସଞ୍ଜଦୀପ ଦେଇ ଶ୍ୱେତବସନା ଅମିତା ତଳେ ମୁଣ୍ଡ ଲଗାଇ ପ୍ରଣାମ କରୁଥିଲା । ସୁରେନ୍‌ ହତା ଭିତରକୁ ପଶି ଅମିତାକୁ ଦେଖି ଠିଆହେଲା । ଖୋଜିଥିଲା ପରା ଅନିମାଙ୍କୁ । ଅନିମା ଘରଭିତରେ ଦେବଦେବୀଙ୍କର ଆସ୍ଥାନ ପାଖରେ ଯୋଡ଼ହସ୍ତ ହୋଇ ବସି ମନେମନେ ପ୍ରାର୍ଥନା କରୁଥିଲେ । ଦୂରେଇ ହୋଇ ହାରିକେନ ଆଲୁଅ ଅଳପ ତେଜରେ ଜଳୁଥିଲା-। ଧୂପଦାନିରୁ ଧୂପକାଠିର ଧୂଆଁ ଉଠି ମହକ ଆସୁଥିଲା ବାହାରକୁ ।

 

ସବୁ ଶୂନଶାନ୍ । ଶବଦ ନାହିଁ । ଆଖି ବୁଜିଲେ ମନେହେବ ଯେପରି ଏ ଘରେ କେହି ନାହିଁ । ଦିନସାରା ପିଲାଙ୍କୁ ପାଠ ପଢ଼ାଇ, ନିଜେ ବକବକ ହୋଇ ସୁରେନ୍‌ କ୍ଳାନ୍ତ ହୋଇଥିଲା । ପିଲାଙ୍କର ହୋହା ଘୋଘା ଶୁଣି କାନ ହେଉଥିଲା ଭାଁ ଭାଁ । ଶାନ୍ତି ବିରାଜୁଥିବା ଏହି ଛୋଟ ଅଗଣାରେ ଠିଆ ହୋଇ ସୁରେନ୍‌ ଗୋଟିଏ ନୂଆ ଦୁନିଆକୁ ଆସିଲା ପରି ମନେ କରୁଥିଲା । ସ୍ୱର ଶୁଣାଇଁ ଅମିତାର ନିବିଷ୍ଟତା ଭାଙ୍ଗିବାକୁ ସେ ଇଚ୍ଛା କଲା ନାହିଁ । ଠିଆ ହୋଇ ରହିଲା ।

 

ଅମିତା ମୁଣ୍ଡ ଉଠାଇଲା । ଠିଆ ହେଲା । ଆଗରେ ସୁରେନ୍‌କୁ ଦେଖି ଯୋଡ଼ହସ୍ତ ହୋଇ ପ୍ରଣାମ କଲା । ମୁହଁରୁ ଭାଷା ବାହାରିଲା ନାହିଁ । ଛାତି ତଳେ ଛପିଲା କୋହ । ବେଲାରାଣୀଙ୍କର ପ୍ରଳାପ, ସୋମୁର ଆଗମନ ଓ ଆକୁଳିଆ ତରଙ୍ଗ ତରଙ୍ଗ ଆଶାଭାଷାଭରା ଚାହାଣି, କମଳାଙ୍କର ଉପହାସ, ମାଆଙ୍କର ବିରକ୍ତି ପୁଣି ଆଦର ସ୍ନେହ, କକାଙ୍କର ଅନୁପସ୍ଥିତି, ଅବହେଳା ଓ କରଛଡ଼ା ରୀତିସବୁ ଯେପରି ମୁହୂର୍ତ୍ତକରେ ତା’ର ଟିକି ମନରେ ଆଉଟି ହେଲା । ଉଛୁଳି ପଡ଼ିବାକୁ ଫୁଲସ୍ତରା ମାରିଲା ।

 

ସେ ମୁହଁ ଖୋଲିଲା ନାହିଁ । ଅନ୍ୟ ଦିନମାନଙ୍କ ପରି ଆନନ୍ଦରେ ଅଧୀର ହୋଇ କକାଙ୍କର ଏହି କର୍ତ୍ତବ୍ୟପରାୟଣ ବନ୍ଧୁଙ୍କୁ ହସହସ ହୋଇ ସେ ପାଛୋଟି ନେଲା ନାହିଁ । ସୁରେନ୍‌କୁ ଦେଖିଲେ ସେ ଆନନ୍ଦିତ ହୁଏ; କିନ୍ତୁ ସୁରେନ୍‌ ସୋମୁ ନୁହେଁ । ଅନର୍ଥକ ହସି ପାଖେଇ ଆସିଲେ ସୁରେନ୍‌ ହାତ ବଢ଼ାଏ ନାହିଁ । ସେ ଗମ୍ଭୀର ହୁଏ । ତା’ ଦୃଷ୍ଟିରେ ନିର୍ଦ୍ଦେଶ ଥାଏ, ସଞ୍ଜତ ହୁଅ, ଦୂରେଇ ଯାଅ । ସତେ କି ସେ ଶିକ୍ଷକ ହୋଇ ଜନ୍ମ ହୋଇଛି ।

 

ଅମିତାକୁ ଅବିଦିତ ନାହିଁ ଯେ ସୁରେନ୍ଦ୍ରର ମା’ ତନୁଜା ସ୍ନେହ ଜରଜର ହୋଇ ଅନିମାଙ୍କୁ କହନ୍ତି, ତୁମର ଏଇ ଝିଅଟିକୁ ମୁଁ ବୋହୂ କରିବି ଗୋ, ତାକୁ କୋଳରେ ଧରିଲେ ମୋର ହଜିଲା ଝିଅ ଗିରିଜାକୁ ମୁଁ ଭୁଲି ପାରିବି ।

 

ଅନିମା ଖାଲି ହସନ୍ତି ।

 

ଅମିତା ଲାଜ ଲାଜ ହୁଏ ।

 

ସୁରେନ୍‌କୁ ଦେଖିଲେ ତନୁଜାଙ୍କର ସ୍ନେହବୋଳା କଥା ମନେପଡ଼େ । ଟିକିଏ ହସିବାକୁ ଟିକିଏ ଖେଳିବାକୁ ମନହୁଏ । ନିଜ ଅଜାଣତରେ ସୁରେନ୍‌ର ଗାମ୍ଭୀର୍ଯ୍ୟ ଦେଖି ତା’ର ପିଲାପଣିଆର ଆଗ୍ରହ ଭାଙ୍ଗେ । ସେ ସହସା ବଡ଼ ହୋଇଯାଏ । ଟିକିଏ ଶଙ୍କିତ ହୁଏ । ଅନିମାଙ୍କ ପାଖକୁ ସୁରେନ୍ଦ୍ରକୁ ଡାକି ନିଏ ।

 

ସୁରେନ୍‌ ଆଗ ମୁହଁ ଖୋଲିଲା, ଅମିୟବାବୁ ଟଙ୍କା ପଠାଇଛନ୍ତି । ମା’ କାହାନ୍ତି ? ତାଙ୍କର ଦେହ କିପରି ଅଛି ?

 

ଅମିତା ଉତ୍ତର ଦେଲା, ମା’ ପୂଜା କରୁଛନ୍ତି । ତାଙ୍କର ଦେହ ଭଲ ଅଛି ବୋଲି ସେ କହୁଛନ୍ତି ସିନା, ମୁଁ ଦେଖୁଛି ସେ ଦିନୁଦିନ ଦୁର୍ବଳ ହୋଇ ପଡ଼ୁଛନ୍ତି । ଅଳପ ପରିଶ୍ରମ କରି କ୍ଳାନ୍ତ ହୋଇ ବସୁଛନ୍ତି । କ’ଣ ସବୁ ଏଣୁତେଣୁ ଭାବୁଛନ୍ତି । କିଛି ତାଙ୍କୁ ପଚାରିଲେ ସେ ଚିଡ଼ି ଚିଡ଼ି ହେଉଛନ୍ତି ।

 

ଅଳ୍ପ ସମୟ ତୁନି ରହି, ଘର ଭିତରକୁ କଣେଇ ଚାହିଁ ଅମିତା କହିବାକୁ ଲାଗିଲା, ତାଙ୍କର ଦେହର ଖବର କକାଙ୍କୁ ଲେଖିବାକୁ ମୋତେ ବାରଣ କରି କହୁଛନ୍ତି, କ’ଣ ହୋଇଛି କି ମୋର, କାହିଁକି ଏଣୁତେଣୁ ଲେଖି ପିଲାଟାକୁ ବିବ୍ରତ କରିବୁ ? ନୂଆ ଚାକିରି କରିଛି, ନିଜର ଭବିଷ୍ୟତ୍‌ର ଉନ୍ନତିପାଇଁ ଦିନରାତି ଖଟି କାମ କରୁଛି, କାମ ଶିଖୁଛି, ହାକିମମାନଙ୍କୁ ସନ୍ତୁଷ୍ଟ କରୁଛି । ବେଳ ମିଳିଲେ ସେ ବଳେ ଧାଇଁ ଆସିବ ଯେ ।

 

ସୁରେନ୍ଦ୍ରକୁ ନୀରବ ଦେଖି ଶଙ୍କିତ ସ୍ୱରରେ କହିଲା, ମାଆଙ୍କର କଥା ଅମାନ୍ୟ କରି କକାଙ୍କ ପାଖକୁ ମୁଁ ବେଶି ଲେଖିପାରେ ନାହିଁ ସୁରେନ୍‌ ଭାଇ ।

 

ଟିକିଏ ଚିନ୍ତା କରି ସୁରେନ୍‌ କହିଲା, ମା’ ଠିକ୍‌ କହିଛନ୍ତି । ପିତାମାତାଙ୍କର ଆଦେଶ ଅମାନ୍ୟ କରିବା ଭଲ ପିଲାର ଲକ୍ଷଣ ନୁହେଁ । ଅମିୟବାବୁ ସୁସ୍ଥ ସବଳ ଅଛନ୍ତି ଓ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ବୋଲି ଲେଖିଛନ୍ତି । ଶୀଘ୍ର ପ୍ରମୋସନ୍‌ ପାଇବେ । ସେ ଆସି କ’ଣ କରିବେ । ଏଠାରେ ଡାକ୍ତର ଅଛନ୍ତି, ଔଷଧ ଦେଉଛନ୍ତି । ତୁମ ମାଆଙ୍କର ମାନସିକ ଦୁର୍ବଳତା ରହିଛି ବୋଲି ସେ କହୁଥିଲେ । ଟିକିଏ ବିଶ୍ରାମ ନେଇ ଔଷଧ ଖାଇଲେ ଦିନ କେଇଟାରେ ସେ ଭଲ ହୋଇଯିବେ । ତୁମେ ବଡ଼ ପିଲା ହେଲଣି । ମାଆଙ୍କର ଯତ୍ନ ନେବା ଓ ତାଙ୍କୁ ବିଶ୍ରାମ ଦେବାର କର୍ତ୍ତବ୍ୟ ତୁମର । ଏତକ ଭୁଲିବା ଉଚିତ ନୁହେଁ ।

 

ମୁଁ କ’ଣ କରିବି ? ଔଷଧ ଖା କହିଲେ ସେ ଖାଇବେ ନାହିଁ । କହିବେ, ମୋର କ’ଣ ହୋଇଛି କି ? କାମ ନ କର କହିଲେ ସେ ବିରକ୍ତ ହେବେ, ଗାଳି ଦେବେ । ମନା ନ ମାନି ତମସା ନଦୀକୁ ଗାଧୋଇ ଯିବେ, ଘଟିରେ ପାଣି ବୋହି ଆଣିବେ । ଧଇଁସଇଁ ହୋଇ ମୁଣ୍ଡ ଧରି ରାସ୍ତାରେ ଦଶ ଥର ବସିବେ । ଯେତେ ଜିପ୍‌, ଷ୍ଟେସନ୍‌–ୱାଗନ୍ ଯିବ ଆସିବ, ଚାହୁଁଥିବେ, ଖୋଜୁଥିବେ ସେହି ମଦୁଆ ଡ୍ରାଇଭରକୁ, ଯିଏ ଆମ ଘରକଥା ମୋ ମୁହଁରୁ କାଢ଼ି ନେଇଥିଲା । ତମୁକୁ ଦିନେ କହି ଦେଇଥିଲି ସୁରେନ୍‌ ଭାଇ, ରାଣ ଦେଇଥିଲି, କାହାକୁ ତୁମେ କହିବ ନାହିଁ, ଏପରି କି ମୋ କକାଙ୍କୁବି-

 

ସୁରେନ୍‌ କହିଲା, ମା’ ଯଦି ବିରକ୍ତ ହୋଇଥିଲେ, ମନା କରିଥିଲେ, ଘରର ଗୁମର ମୋ ଆଗରେ ପ୍ରକାଶ କରିବା ତୁମ ପକ୍ଷରେ ମୋଟେ ଉଚିତ ହୋଇନାହିଁ ।

 

ଅମିତା ଅସ୍ଥିର ହୋଇ କହିଲା, ମୋର ଭୁଲ୍‌ ହୋଇଛି ମାଷ୍ଟର ମହାଶୟ, ମୋ ମୁହଁ ଖୋଲି ହୋଇଗଲା ।

 

ଆଉ କାହା ପାଖରେ ?

 

ନାଇଁ, ଏକା ଆପଣଙ୍କ ପାଖରେ । ମୋର ଦୋଷ ହୋଇଛି । ଆଉ କାହାକୁ ଆପଣ କହି ନାହାନ୍ତି ତ ?

 

କେବଳ ଜଣକୁ କହିଛି; ସେ ହେଉଛନ୍ତି ଡାକ୍ତର । ଏତକ ନ ଜାଣିଲେ ସେ ଔଷଧର ବ୍ୟବସ୍ଥା କରିପାରି ନଥାନ୍ତେ । ତେବେ, ଚିନ୍ତାର କାରଣ ନାହିଁ । ନିଜ କଥା ପଛେ ନିଜେ ପ୍ରଚାର କର; ବିବେକୀ ଡାକ୍ତର ଅନ୍ୟର କଥା ନିଜର ତୁଣ୍ଡରୁ କାଢ଼ି ନିଜକୁବି କୁହନ୍ତି ନାହିଁ । ସବୁ ମନରେ ଲୁଚାଇ ରଖନ୍ତି । ଔଷଧର ବ୍ୟବସ୍ଥା କଲାବେଳେ ମନର ଢାଙ୍କୁଣି ମନ ଭିତରେ ଖୋଲି ଦେଖନ୍ତି, ବିଚାର କରନ୍ତି ।

 

ଅମିତା ଆଖି ପୋଛିଲା ।

 

ଆରେ, ତୁମେ କାନ୍ଦୁଛ କାହିଁକି ଅମିତା ?

 

ମା’ ଜାଣିଲେ ମୋ ଉପରେ ଆହୁରି ବିରକ୍ତ ହେବେ ।

 

ବେଶ୍‌, ମା’ ଜାଣିବେ ନାହିଁ; କିନ୍ତୁ ମୋତେ ମାଷ୍ଟର ମହାଶୟ ଡାକି ତୁମେ ଭୟ କରୁଛ କାହିଁକି ? ମୁଁ ତୁମର ଶିକ୍ଷକତା କେବେ କରିନାହିଁ । ସୁରେନ୍‌ ଭାଇ ଡାକିଲେ ବେଶ୍‌ ଚଳିବ । ହେଇଟି, ମାଉସୀ ପୂଜା ଶେଷ କରି ଉଠିଲେଣି । ହାରିକେନ ଆଲୁଅ ତେଜି ଉଜ୍ଜ୍ୱଳ କଲେଣି । ଯାଇ ଖବର ଦିଅ, ମୁଁ ଆସିଛି ।

 

ଅମିତା ଦି’ଖେପାରେ ପିଣ୍ଡା ଆଡ଼କୁ ଆଗେଇ ଗଲା । ପଛେ ପଛେ ସୁରେନ୍‌ ଆସି ଧୀର ସ୍ୱରରେ କହିଲା, ଆଖି ଦିଓଟି ପୋଛି ଦେଇଛଟି ଭଲକରି, ନୋହିଲେ ଧରା ପଡ଼ିବ ଯେ !

 

ଅମିତା ଡାକି କହିଲା, ମା’, ସୁରେନ୍‌ ଭାଇ ଆସିଛନ୍ତି । କକା ଟଙ୍କା ପଠାଇଛନ୍ତି ।

 

ଅନିମା ପିଣ୍ଡା ଉପରକୁ ଆସିଲେ । କଅଁଳେଇ କହିଲେ, ଭିତରକୁ ଆସ ସୁରେନ୍‌; ଅମିୟ ଚିଠି ଦେଇଛନ୍ତି ?

 

ସୁରେନ୍‌ ନମସ୍କାର କରି କହିଲା, ଅମିୟବାବୁ ଶହେ ଟଙ୍କା ପଠାଇଛନ୍ତି । ଆପଣଙ୍କ ପାଖକୁ କୁପନ୍‌ରେ ଚିଠି ଲେଖିଛନ୍ତି; ନିଅନ୍ତୁ ।

 

ସୁରେନ୍ଦ୍ର ଟଙ୍କା ଓ କୁପନ ଅନିମାଙ୍କ ହାତକୁ ବଢ଼ାଇ ଦେଲା । ଅନିମା ଟଙ୍କାତକ ଅମିତାକୁ ଦେଇ କହିଲେ, ନେ, ବାକ୍‌ସରେ ରଖିଦେ । ଚୁଲି ଜଳାଇ ସୁରେନ୍‌ପାଇଁ କପେ ଚା’ କରିଦେ ମା’, ଶୀଘ୍ର କର । ଘରେ ତ ଆଉ କିଛି ନାହିଁ । ଆରେ, ଆଖିର କଜଳ ଏମିତି ବାଲୁବାଲୁ କରିଛୁ କାହିଁକି ? କାନ୍ଦୁଥିଲୁ କି ? ମୁଁ ଏତେ ଶୀଘ୍ର ମରିବି ନାହିଁ ମ ମିତା !

 

ଷାଠିଏ

 

ଜଙ୍ଗଲ କଟା ହୋଇ ଟ୍ରାକ୍ଟର୍ ସାହାଯ୍ୟରେ ଯେଉଁ ନୂଆ ଚାଷଜମି କରାଯାଇଛି ସେ ସବୁ ବାସଚ୍ୟୁତମାନଙ୍କୁ ଚାଷ କରିବାକୁ ଦିଆଯିବ । ତମସା ନଦୀର ଦୁଇ ପାଖରେ ମାଲକାନଗିରି ମୋଟୁ ରାସ୍ତାର ଦୁଇ କଡ଼ରେ, କେଉଁଠି ରାସ୍ତା ପାଖରୁ ମାଇଲିଏ ଦୁଇମାଇଲ କି ତିନି ଚାରି ମାଇଲ ଛାଡ଼ି, କେଉଁଠି ବା ରାସ୍ତାକୁ ଲାଗି ପ୍ରସ୍ତାବିତ ଗ୍ରାମସ୍ଥଳୀମାନ ବଛା ହୋଇଛି । ଗ୍ରାମସ୍ଥଳୀଗୁଡ଼ିକ ଛାଡ଼ିଛାଡ଼ିକା,–କେଉଁଠି ତମସାର ତୀରରେ; ଛୋଟ ଛୋଟ ଉପନଦୀ ଅର୍ଥାତ୍‌ ନାଳକଡ଼ରେ, ଅବା ନଦୀ ଓ ନାଳ ପାଖରୁ ଦୂରରେ । ଗ୍ରାମସ୍ଥଳୀଗୁଡ଼ିକ ନୂଆ ନୂଆ ରାସ୍ତାଦ୍ୱାରା ସଂଯୋଜିତ ହେଉଛି; ପୁଣି ନୂତନ ରାସ୍ତାଦ୍ୱାରା ମାଲକାନଗିରି–ମୋଟୁ ବଡ଼ ରାସ୍ତା ସଙ୍ଗେ ଗ୍ରାମରାସ୍ତା କେତେ ସ୍ଥାନରେ ଯୋଗ କରାଯାଉଛି ।

 

ରାସ୍ତା କାମ ଚାଲିଛି । ଗ୍ରାମସ୍ଥଳୀ ମାପଚୁପ ହୋଇ ପ୍ଲଟ୍‌ ବନ୍ଧା ହେଉଛି । ଗୋଟିଏ ପରିବାରକୁ ଖଣ୍ଡିଏ ପ୍ଲଟ୍‌ ମିଳିବ । ଆୟତନ ପ୍ରାୟ ଅଧ ଏକର । ଗ୍ରାମସ୍ଥଳୀ ଭିତରେ ଗ୍ରାମ ରାସ୍ତା ରହିବ । ଆଶ୍ରୟପ୍ରାର୍ଥୀମାନଙ୍କର ଘରବାରି ପ୍ଲଟ୍‌ଗୁଡ଼ିକ ଗ୍ରାମରାସ୍ତାମାନଙ୍କର ଦୁଇ ପାଖରେ ରହିବ । ପ୍ରତି ଗ୍ରାମରେ ରହିବ ସ୍କୁଲ୍‍ଘର, ଚିତ୍ତବିନୋଦନ ପାଇଁ ଘର, ଦେବସ୍ଥଳୀ, ଖେଳ ପଡ଼ିଆ । ଗ୍ରାମ ମଝିରେ, କୁଟୁମ୍ବଙ୍କର ସଂଖ୍ୟା ଅନୁସାରେ ଗୋଟିଏ ବା ଦିଓଟି ନଳକୂଅ, ଖୋଲା କୂଅ ଓ ଗ୍ରାମର ଉପକଣ୍ଠରେ ବଡ଼ ପୋଖରୀ । ଛୋଟ ଛୋଟ ନାଳଗୁଡ଼ିକରେ ଆଡ଼ିବନ୍ଧ ପକାଇ ମଝିରୁ ଖୋଳି ପୋଖରୀସବୁ କରାଯାଉଛି । ବର୍ଷାଦିନେ ନାଳରେ ପାଣି ଆସିଲେ ପୋଖରୀ ପୂର୍ଣ୍ଣ ହେବ । ଅଧିକା ଜଳ ବନ୍ଧକଡ଼ ନିଷ୍କାସନୀ ନାଳରେ ଯାଇ ଚାଷ ଜମିରେ ମାଡ଼ିବ ।

 

ବିଭିନ୍ନ ବିଭାଗର କର୍ମଚାରୀମାନେ କାମ କରାଉଛନ୍ତି । ନଳକୂଅ ଖୋଳେଇ ବିଭାଗର କର୍ମଚାରୀମାନେ ଧରିତ୍ରୀର ଛାତି ଭିତରକୁ ମାଟି ଭେଦକଲା ଡ୍ରିଲିଂ ଯନ୍ତ୍ର ସାହାଯ୍ୟରେ ଲୁହା ନଳ ଭେଦାଉଛନ୍ତି । କେଉଁ ଗ୍ରାମସ୍ଥଳୀରେ ନଳ ବିନା ଆୟାସରେ ଭିତରକୁ ଭିତରକୁ ପଶି ଯାଉଛି; କେଉଁ ସ୍ଥାନରେ ଭୂଗର୍ଭରେ ପଚାଶ ଷାଠିଏ ଫୁଟ୍ କି ଆହୁରି ଉପରେ କି ତଳେ ଅକର୍ମଶିଳା ହାବୁଡ଼ି ଯାଉଛି । ଡ୍ରିଲିଂ ଯନ୍ତ୍ରର ସବୁ ଚେଷ୍ଟା ସତ୍ତ୍ୱେ ନଳ ଆଉ ତଳକୁ ଭେଦୁ ନାହିଁ ।

 

ଦୁରାଶା; ବ୍ୟର୍ଥ ପରିଶ୍ରମ, ବ୍ୟର୍ଥ ଖର୍ଚ୍ଚ । ଦେଖ ଆଉ ଗୋଟିଏ ସ୍ଥାନ, ପୁଣି ଖୋଳ । ଧରିତ୍ରୀ ସଙ୍ଗେ ଯୁଦ୍ଧ କରି କେଉଁଠି ଦୁଇଶ, କେଉଁଠି ଅଢ଼େଇଶ ଫୁଟ୍ ତଳୁ ତା’ର ପେଟ ଭିତରୁ ନଳକୂଅ ସାହାଯ୍ୟରେ ନିର୍ମଳ ଜଳ ଉପରକୁ କଢ଼ା ଯାଉଛି । ଦିଓଟି ନଳକୂଅ ଯେଉଁ ନିର୍ବାଚିତ ଗ୍ରାମସ୍ଥଳୀରେ ହୋଇ ପାରିଲା, ଜମି ସଫେଇ କାମ ସରିଥାଉ କି ନଥାଉ, ଅରଣ୍ୟ ଭିତରର ସେହି ପ୍ରସ୍ତାବିତ ଗ୍ରାମସ୍ଥଳୀକୁ ବାସଚ୍ୟୁତ କୁଟୁମ୍ବମାନଙ୍କୁ ସିଧାସଳଖ ନେବାର ବ୍ୟବସ୍ଥା କରାହୋଇଛି । ସେଠାରେ ଆଗ ସେମାନେ ଟେଣ୍ଟ୍‍ରେ ରହିବେ; ପରିସ୍ଥିତିକୁ ଚିହ୍ନିବେ, ଆଦରିବେ, ଜଳବାୟୁ ଓ ନୂଆ ଚଳନ ଦେହସହା ହେବ ।

 

ପ୍ରତି ଗ୍ରାମରେ ସମାନ ସଂଖ୍ୟକ କୁଟୁମ୍ବ ରହିବା ସମ୍ଭବ ନୁହେଁ । ସୁବିଧା ପ୍ରକାରେ ଅବସ୍ଥିତ ଚାଷୋପଯୋଗୀ ଭୂମିର ପରିମାଣକୁ ଦେଖି କୁଟୁମ୍ବର ସଂଖ୍ୟା ସ୍ଥିର କରାଯାଉଛି । କାଁଭାଁ ପାହାଡ଼ିଆ ଅଞ୍ଚଳ ଯାହା ସବୁ ସରକାରଙ୍କର ରକ୍ଷିତ–ଭୂମି, ସେ ସବୁକୁ ବାଦ୍‌ ଦେଲେ, ଅନାବାଦୀ ଗ୍ରାମ ଜଙ୍ଗଲର ବିସ୍ତୃତି ଦେଖାଯାଏ ମାଇଲ ମାଇଲ ପରିମିତ । ସହସ୍ର ସହସ୍ର ମାଣ ନୁହେଁ ତ, ପାଖାପାଖି ଦୁଇ ଲକ୍ଷ ମାଣ ବୋଲି କହୁଛନ୍ତି । କିନ୍ତୁ ପଟେରୁ ନଦୀର ଦକ୍ଷିଣରୁ ମୋଟୁ ଯାଏଁ ପୁଣି ପଟେରୁ ଓ ଶାବେରୀ ନଦୀର ବିସ୍ତୀର୍ଣ୍ଣ ଅଞ୍ଚଳରେ ଚାଷୋପଯୋଗୀ ଭୂମିର ପରିମାଣ ଅତି ଅଳ୍ପ । ଦୁର୍ବଳ ଅରଣ୍ୟ, ଅସୁମାର ଛୋଟ ବଡ଼ ନାଳ ଓ ନଦୀ ସତ୍ତ୍ୱେ ବିସ୍ତୀର୍ଣ୍ଣ ସମତଳ ଭୂମି ଅନୁର୍ବର । ମାଟିର ଗଭୀରତା ଅଧିକାଂଶ ସ୍ଥାନରେ ଚାଖଣ୍ଡେରୁ ମୁଠୁଣିଏ ହେବ । ତଳେ ମୁରମ୍‌, ପଥୁରିଆ ପାଉଁଶିଆ ମାଟି ।

 

କିନ୍ତୁ, ତମସା ଓ ସତୀ ନଦୀର ଦୁଇକୂଳରେ ଲମ୍ବି ଯାଇଥିବା ଅରଣ୍ୟ ତଳର ମାଟି ସରସ । ସେଇଠି ଆଗ ବସିବ ଗ୍ରାମ । ରିକ୍ଲାମେସନ୍ ଚାଲିଛି । ଗ୍ରାମସ୍ଥଳୀ ସ୍ଥିର କରାହୋଇଛି । ଏଥର ବିଭିନ୍ନ ଗ୍ରାମକୁ କୁଟୁମ୍ବ ପଠାଯିବ । ସ୍ଥିର କରାଯାଇଛି ଯେ ପ୍ରତି କୁଟୁମ୍ବପାଇଁ ଘରବାରି ଛାଡ଼ି ସାଢ଼େ ଛ’ ମାଣ ଜମି ରଖାଯିବ । ଗୋଟିଏ ଗ୍ରାମକୁ ଯେତେ କୁଟୁମ୍ବ ପଠାହେବେ ସେମାନଙ୍କୁ ଦୁଇ ବା ତିନି ଦଳରେ ସାମିଲ କରାହେବ । ଗୋଟିଏ ଦଳରେ ପନ୍ଦରରୁ କୋଡ଼ିଏ କୁଟୁମ୍ବ ରହିବେ । କିଏ କେଉଁ ଦଳଭୁକ୍ତ ହେବ ସେମାନେ ନିଜେ ସ୍ଥିର କରିବେ । ଯେଉଁ ଦଳରେ ଯେତେ କୁଟୁମ୍ବ ମିଶିବେ ସେହି ଅନୁପାତରେ ଚାଷଜମି ବ୍ଲକ୍‌ୱାରି ବା ଚକବନ୍ଦୀ କରି ସେମାନଙ୍କୁ ଦିଆହେବ । ପ୍ରତି ଦଳର ସବୁ କୁଟୁମ୍ବ ମିଶି ଜମିକୁ କୋଠଚାଷ କରିବେ, ଫସଲ ବାଣ୍ଟି ନେବେ ।

 

ସୁରେନ୍‌ ହାଉଲ୍‌ଦାର, ଯେତିକି ସେ ଶୁଣିଥିଲା ଓ ଜାଣିଥିଲା, ଅନିମାଙ୍କୁ ସବୁ ବୁଝାଇ କହିଲା । ଅନିମା ଓ ଅମିତା ମନ ଦେଇ ଶୁଣୁଥିଲେ । ସୁରେନ୍‌ ପୁଣି କହିଲା, ବ୍ୟବସ୍ଥା ମନ୍ଦ ନୁହେଁ ମାଉସୀ, ଗ୍ରୁପ୍‌ୱାରୀ କୋଠଚାଷ କରିବା ଭଲ । ଆମେ ତ ଜାଣୁ ଓ ଥଇଥାନ କରିବାର ଦାୟିତ୍ୱରେ ଥିବା ବଡ଼ ହାକିମମାନେ ଜାଣନ୍ତି ଯେ ଆମ ଭିତରୁ ଅନେକ କୁଟୁମ୍ବରେ ଚାଷ କରିବାକୁ ସମର୍ଥ ଓ ଉପଯୁକ୍ତ ଲୋକ କେହି ନାହାନ୍ତି । ଅନେକ କୁଟୁମ୍ବରେ ସମର୍ଥ ଲୋକ ଅଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକ ଲୋକ ଚାଷୀ ନଥିଲେ । ଅନ୍ୟ ଉପାୟରେ ପୂର୍ବ–ବଙ୍ଗରେ ଜୀବିକା ନିର୍ବାହ କରୁଥିଲେ । ସେମାନେ ନିଜକୁ ଚାଷୀ ନାମରେ ଲେଖାଇଛନ୍ତି କେବଳ ଭୂମି ପାଇବା ଆଶାରେ । ଏହିସବୁ କାରଣରୁ କୋଠଚାଷ ଭଲ ମାଉସୀ, ଦେଖନ୍ତୁ ଆମ କୁଟୁମ୍ବକୁ, ବାପା ବୃଦ୍ଧ, ସେ ପୁଣି ଶିକ୍ଷକ ଥିଲେ, କେବେ ଲଙ୍ଗଳ କଣ୍ଟିରେ ହାତ ପକାଇ ନଥିଲେ । ଚାଷକାମ ମୋତେବି ଜଣା ନାହିଁ-। ଆମ ପକ୍ଷରେ କୋଠଚାଷ ବ୍ୟବସ୍ଥାହିଁ ଭଲ ।

 

ଅନିମା ସୁରେନ୍‌କୁ ଚାହିଁ ରହିଥିଲେ, ତା’ର କଥା ଶୁଣୁଥିଲେ, କିନ୍ତୁ ସେ ସତେ କି ଆଉ କ’ଣ ଚିନ୍ତା କରୁଥିଲେ । ସେ ଉତ୍ତର ଦେଲେ ନାହିଁ । ଅମିତା ତାଙ୍କରି ପିଠିକୁ ଲାଗି ବସି ସୁରେନ୍‌ର କଥା ତନ୍ମୟ ହୋଇ ଶୁଣୁଥିଲା । ସେ କହିଲା, କୋଠଚାଷ ବେଶ୍‌ ଭଲ । ସବୁ ଜମି ଏକାଠି ଚାଷ କରାହେବ, ଯେଉଁମାନେ ଚାଷ ଜାଣନ୍ତି ଓ ଚାଷ କରି ପାରିବେ ସେମାନେ ଫସଲ କରିବେ, ଆଉ ସମସ୍ତେ ସମାନ କରି ବାଣ୍ଟି ନେବେ । ମୋ କକା ସବୁ କାମ ଜାଣନ୍ତି କିନ୍ତୁ ଲଙ୍ଗଳ ଧରି ଚାଷ କରି ଜାଣନ୍ତି ନାହିଁ । ସେ ପୁଣି ସରକାରୀ ଚାକିରି କରି ଭଦ୍ରଲୋକ ହେଲେଣି । ସେ ଚାଷ କରିବେ ନାହିଁ-

 

ସୁରେନ୍‌ କହିଲା, ଯେଉଁମାନେ ହଳ ଧରି ଚାଷ କରି ନ ପାରିବେ, ସେମାନେ ବିଲରେ ଅନ୍ୟ କାମ କରିବେ । ଯେଉଁମାନେ କିଛି କରି ନ ପାରିବେ, ସେମାନେ ମୂଲିଆ ହେବେ ନୋହିଲେ, ମୂଲ ବାବଦକୁ ମଜୁରି ଦେବେ । କ’ଣ ହେବ ସେ କଥା ପରେ ବୁଝାଯିବ, କିନ୍ତୁ ମାଉସୀ, ପ୍ରଥମ କଥା ହେଉଛି, କେଉଁ ଦଳରେ କେଉଁ କୁଟୁମ୍ବ ରହିବେ ତା’ର ଗୋଟାଏ ତାଲିକା କରି ଶୀଘ୍ର ଅଫିସରଙ୍କୁ ଦେବାକୁ ହେବ । ଆଜି କ୍ୟାମ୍ପ୍‍ରେ ଯେତେ କୁଟୁମ୍ବ ଅଛନ୍ତି ସେମାନଙ୍କୁ ଦିଓଟି ନୂଆ ଗ୍ରାମକୁ ପଠାଯାଉଛି । ଗୋଟିଏ ଗ୍ରାମକୁ ଚାଳିଶ କୁଟୁମ୍ବ ଯିବେ, ଆର ଗ୍ରାମକୁ ଯିବେ ପଞ୍ଚତିରିଶ । କିଏ କେଉଁଠିକି ଯିବେ ବିପିନ୍‍ବାବୁ ତା’ର ତାଲିକା କରୁଛନ୍ତି ।

 

ଅନିମା ମୁହଁ ଖୋଲିଲେ, ତାଙ୍କୁ ସେ ଅଧିକାର କିଏ ଦେଲା ବାବୁ ?

 

ସୁରେନ୍‌ କହିଲା, କ୍ୟାମ୍ପ୍‍ର ସେ ହେଉଛନ୍ତି ଗଣ୍ୟମାନ୍ୟ ବ୍ୟକ୍ତି । ସବୁ କୁଟୁମ୍ବଙ୍କୁ ସେ ଜାଣନ୍ତି । ହାକିମମାନେ ତାଙ୍କୁ ଖାତିର କରନ୍ତି, ଭଲ ପାଆନ୍ତି । ସେଇଥିପାଇଁ ସାନ ହାକିମ ତାଙ୍କୁ ଏ ଦାୟିତ୍ୱ ଦେଇଗଲେ । କ୍ୟାମ୍ପ୍‍ର ଅଧିକାଂଶ ଲୋକ ସେଥିରେ ରାଜି ହେଲେ । ମୋ ବାପାବି ମଙ୍ଗିଲେ । ବିପିନ୍‍ବାବୁ ଜଣ ଜଣ କରି ସମସ୍ତଙ୍କୁ ପଚାରି ବୁଝୁଛନ୍ତି–କେଉଁ ଗ୍ରାମକୁ କିଏ ଯିବ ଓ କେଉଁ ଗ୍ରୁପ୍‌ରେ କିଏ ରହିବ । ହୁଏତ ସେ ଆପଣଙ୍କୁ ପଚାରିବାକୁ ଆସିବେ ।

 

ଅନିମା କହିଲେ, ଏ ଘରକୁ ଆସିବାକୁ ତାଙ୍କୁ ତୁମେ ମନା କରିଦେବ ସୁରେନ୍‌, କହିଦେବ, ଏ ଘରର ମୁରବି ମୁଁ ନୁହେଁ । ସେ ଅମିୟଙ୍କୁ ଲେଖି ବୁଝନ୍ତୁ । ଅମିୟ ଏ କୁଟୁମ୍ବର ମୁରବି-। କେଉଁ ବନ୍ଧୁମାନଙ୍କ ପାଖରେ ଘରକରି ସେ ଚିରଦିନ ରହିବେ ତାହା ସେ ସ୍ଥିର କରିବେ । ଝିଅଟିକୁ ଯେଉଁଠି ହେଲେ ମୁଁ ପରଘରକୁ ଦେଇଦେବି ସେଇଠୁ ମୋର ବଞ୍ଚିବା ମରିବା ସମାନ । ଅମିୟ ମରଦ ପୁଅ, ତା’ପାଇଁ ମୋର ଚିନ୍ତା ନାହିଁ ।

 

ଆଗରେ ବସିଛି ସୁରେନ୍‌ । ସଙ୍ଗେ ସଙ୍ଗେ ଯେ ଚାଲିଯିବାକୁ ଉଚ୍ଛନ୍ନ ହେଉଥିଲା, ଘଣ୍ଟାଧିକ କାଳ ସେ ବସି ଗପ କଲାଣି । ଏକାଏକା ସେ ଗପୁଛି । ବେଳେବେଳେ ଅମିତା ପଦେଅଧେ କ’ଣ କହୁଛି, ଅବା ପଚାରି ଦେଉଛି । ଅନିମା ମନେକଲେ, ଅମିତାଟି ତ ବଡ଼ ହେଲାଣି, ଆଖି ଦୁରୁଶିଆ ଛନଛନିଆ ସୁନ୍ଦରିଆ ହେଲାଣି, ସୁରେନ୍ଦ୍ରର ମନରେ ସେ ସ୍ନେହ ଜଗାଇ ପାରିଛି । ତାକୁ ଅଟକାଇ ବାରକଥା ଗପାଇ ପାରିଛି । ଆଗ୍ରହରେ ହେଉ କି କୌତୁକରେ ହେଉ ସୁରେନ୍ଦ୍ରର ମା’ ତନୁଜା ବେଳେବେଳେ ଯାହା କହନ୍ତି, ତାକୁ ସତ ଫଳାଇବାକୁ ସେ ନିଜେ ପ୍ରସ୍ତାବଟି ଉଠାଇବେ । ସୁରେନ୍ଦ୍ର ଭଲ ପିଲା, ଅମିତା ତନୁଜାଙ୍କ ପାଖକୁ ଗଲେ ସୁଖରେ ରହିବ ।

 

ସୁରେନ୍ଦ୍ରକୁ ବଳାଇ ଦେବାକୁ ଆଲୁଅ ଧରି ସେ ରାସ୍ତା ଉପରକୁ ଯାଇଥିଲେ । ଚଳନ୍ତା ଯନ୍ତ୍ରଟିଏ ପରି ପୁଣି ଫେରି ଆସିଥିଲେ ଘର ଭିତରକୁ । ତୁଣ୍ଡ ଖୋଲି ନଥିଲେ ।

 

ଏକଷଠି

 

ଦୁଇ ଦିନ ପରେ, ସକାଳ ଆଠଟା ସମୟରେ, ଗୋପାଳ ହାଉଲ୍‌ଦାର, ବିପିନ୍‍ କର୍ମକାର ଓ ସାଧନ ମିସ୍ତ୍ରି ଆସି ଅନିମାଙ୍କ ଘରେ ଉପସ୍ଥିତ ହେଲେ । ସମୟ ନଷ୍ଟ ନ କରି ବିପିନ୍‍ ହାଉଲ୍‌ଦାର କାଗଜ ଖୋଲି ଅନିମାଙ୍କୁ କହିଲେ, ଭାଉଜ, ଅସ୍ଥାୟୀ କ୍ୟାମ୍ପ୍‍ ଛାଡ଼ି ଆମମାନଙ୍କୁ ଦିଓଟି ନୂଆହୋଇ ବସୁଥିବା ଗ୍ରାମକୁ ଶୀଘ୍ର ଯିବାକୁ ହେବ ବୋଲି ଆଦେଶ ଆସିଛି । କେଉଁମାନେ କେଉଁ ଗ୍ରାମକୁ ଯିବେ ଓ କିଏ କେଉଁ ଦଳରେ ରହିବ, ତାଲିକା କରିବାକୁ ସାନ ହାକିମ ମତେ କହିଛନ୍ତି । ଆଜି ମାଲକାନଗିରି ଥଇଥାନ ଅଫିସ୍‍ରେ ତାଲିକା ନ ପହଞ୍ଚିଲେ ସେମାନେ ତାଙ୍କ ମନକୁ ତାଲିକା କରି ଗ୍ରାମମାନଙ୍କୁ କୁଟୁମ୍ବ ପଠାଇବେ ।

 

ଅନିମାଙ୍କ ଆଦେଶ ପାଇ ଅମିତା ବାରଣ୍ଡା ଉପରେ କମକୁଟ କରାହୋଇ ଘାସରେ ବୁଣା ଯାଇଥିବା ପିଟ୍ଟିଟି ବିଛାଇ ଦେଲା । ଗୋଟିଏ କାଚ ଥାଳିଆରେ କଟା ଗୁଆ ଓ ଲବଙ୍ଗ ଆଣି ପଟ୍ଟି ଉପରେ ରଖିଲା । କହିଲା, ଆପଣମାନେ ବସନ୍ତୁ ।

ଗୋପାଳ ପିଣ୍ଡା ଉପରକୁ ଉଠି ପଟ୍ଟି ଉପରେ ବସିଲେ । ସାଧନ ତଳେ ଠିଆହୋଇ କାଚଥାଳିଆରୁ ଲବଙ୍ଗଟିଏ ଉଠାଇ ପାଟିରେ ପକାଇଲେ । କହିଲେ, ଅମିତାଟି ଭଲ ଝିଅ । ବିପିନ୍‍ବାବୁଙ୍କ ପାଲ୍ଲାରେ ପଡ଼ି ଘର ଘର ବୁଲି ଗୋଡ଼ ଥକିଲାଣି । ସମସ୍ତେ ଦେଉଛନ୍ତି ଗୁଆ ଓ ଲବଙ୍ଗ । ଚାହାଟିକେ ଦେବାକୁ କେହି ମନ କରୁ ନାହାନ୍ତି । ଅମିତା କିନ୍ତୁ ଭୁଲିବ ନାହିଁ ବୋଲି ମୁଁ ଅନୁମାନ କରୁଛି ।

 

ଘର ଭିତରେ ଥାଇ ଅନିମା କହିଲେ, ପୁରୁଣା ଚାହାଗୁଣ୍ଡ ଅଛି ଯେ ଆମ ଘରେ କ୍ଷୀର ନାହିଁ କି ଚିନି ନାହିଁ । ଚାହା ପାଣିରେ ଲବଣ ମିଶାଇ ଖାଇବାକୁ ତ ଆପଣମାନେ ପସନ୍ଦ କରିବେ ନାହିଁ, ନୋହିଲେ ସଙ୍ଗେ ସଙ୍ଗେ ଅମିତା ଗରମପାଣି କରି ଦିଅନ୍ତା ।

 

ସାଧନ ମିସ୍ତ୍ରି କହିଲେ, ବିନା ଲବଣରେବି ମୋର ଚଳିବ ।

 

ବିପିନ୍‍ କର୍ମକାର ପିଣ୍ଡା ଉପରକୁ ଆସିଲେ । ଠିଆଠିଆ ତାଲିକାରେ ଲେଖା ହୋଇଥିବା ନାମଗୁଡ଼ିକ ପଢ଼ି ଅନିମାଙ୍କୁ ଶୁଣାଇବାକୁ ଚେଷ୍ଟାକଲେ । ଅନିମା ବାଧାଦେଇ କହିଲେ, ଆପଣ ଏତେ କଷ୍ଟ କରି ସେ ସବୁ ପଢ଼ି ମୋତେ ଶୁଣାନ୍ତୁ ନାହିଁ । ଅମିୟ ଥିଲେ ତାକୁ ଶୁଣାଇଥାନ୍ତେ-। ସୁରେନ୍ଦ୍ର ହାତରେ ମୁଁ ଆପଣଙ୍କ ପାଖକୁ ଖବର ପଠାଇଥିଲି । ସେ ଅବଶ୍ୟ କହିଥିବ । ଅମିୟ ଜାଣିବା ଆଗରୁ ଯଦି ତାଲିକା କରିବା ନିତାନ୍ତ ଆବଶ୍ୟକ ମଣୁଛନ୍ତି ତ କରନ୍ତୁ । ସରକାର ଆମୁକୁ ଯେଉଁ ଗ୍ରାମକୁ ପଠାଇବେ, ଯେଉଁ ଦଳରେ ରଖିବେ, ସେଥିରେ ଆମର ଆପତ୍ତି ନାହିଁ-। କେହି ଆମର ଆତ୍ମୀୟ ନୁହନ୍ତି । ଯେଉଁ ଗ୍ରାମକୁ ଆମେ ଯିବୁ, ଯେଉଁ ଦଳରେ ଆମେ ମିଶିବୁ, ସେଠାରେ ଯେଉଁମାନେ ରହିବେ, ସେମାନେ ଆମର ଆପଣାର ଲୋକ ହୋଇ ପାରିବେ ।

 

ଗୋପାଳ କହିଲେ, ଅନିମା ଠିକ୍‌ କହିଛନ୍ତି । ଆମେ ଯିବା ସେଇ ତମସା କୂଳର ଗ୍ରାମକୁ । ଗ୍ରାମଗୁଡ଼ିକର ନାମ ନ ଦେଇ ସେଗୁଡ଼ିକର ନମ୍ବର ସେମାନେ ଦେଉଛନ୍ତି । ମୋ ମନକୁ ପାଉନାହିଁ । ଆହେ ବିପିନ୍‍, ନମ୍ବର କି କେବେ ମନରେ ଉତ୍ସାହ ଓ ଉଦ୍ଦୀପନା ଆଣି ପାରିବ ? ଯଦି କିଏ ପଚାରେ, ତୁମର ଘର କେଉଁଠି, ତୁମେ ଉତ୍ତର ଦେବ, ଛଅ ନମ୍ବର ଗ୍ରାମ । ଭଲ ଶୁଭୁନାହିଁ । ମନ ଘେନୁନାହିଁ । ନାମଗୁଡ଼ିକ ଯଦି ଦିଆଯାଆନ୍ତା–ରାମକୃଷ୍ଣ ନଗର, ବିବେକାନନ୍ଦ ଗ୍ରାମ, ରବୀନ୍ଦ୍ରପୁର କି ସୁଭାଷ ପଲ୍ଲୀ, ତେବେ ଭଲ ହୁଅନ୍ତା । ମୁଁ ଭାବୁଛି, ତମସା କୂଳର ଯେଉଁ ଗ୍ରାମକୁ ଆମେ ଯିବା ସେ ଗ୍ରାମର ନାମ ଦେବା ରବୀନ୍ଦ୍ର ପଲ୍ଲୀ ।

 

ମୁଣ୍ଡ ହଲାଇ ଦାଢ଼ି ସାଉଁଳି ସାଧନ–ସନ୍ନ୍ୟାସୀ କହିଲେ, ସେ ନାମଟା ମୋ ମନକୁ ପାଉନାହିଁ । ପୌରାଣିକ ହେଲେ ଭଲ ହେବ,–ନବ–ବୃନ୍ଦାବନ ! ଆହା କି ସୁନ୍ଦର ନାମ, ଉଚ୍ଚାରଣ କଲେ ଦେହ ରୋମାଞ୍ଚିତ ହେବ ।

 

ବିପିନ୍‍ କହିଲେ, ଗ୍ରାମର ନାମ କ’ଣ ଦିଆଯିବ ସେଥିପାଇଁ ଆଗରୁ ଏତେ ଚିନ୍ତା କାହିଁକି-? ଶୁଣ ଭାଉଜ, ଅମିୟବାବୁଙ୍କୁ ତୁମେ ଲେଖିଦିଅ, ଆମେ ସମସ୍ତେ ତମସା ତୀରର ସାତ ନମ୍ବର ଗ୍ରାମକୁ ଯିବା, ଆଉ ଆମେ ସମସ୍ତେ ଗୋଟିଏ ଗ୍ରୁପ୍‌ରେ ରହିବା । ବେଶ୍‌ ଭଲ ହେବ । ଏଇକଥା ଛିଣ୍ଡିଲା ।

 

ଅମିତା ଗୋଟିଏ କପ୍‌ରେ ଚାହାପାଣି ଆଣି ସାଧନ ସନ୍ନ୍ୟାସୀଙ୍କ ହାତକୁ ବଢ଼ାଇ ଦେଲା-। ସାଧନ ଆନନ୍ଦରେ କପ୍‌କୁ ମୁହଁରେ ଲଗାଇ ଅଳପ ଶୋଷି କହିଲେ, ଭଲ ହୋଇଛି । ଭଲ ଝିଅଟି ଆମର ଅମିତା । ଗୋପାଳବାବୁ, ତୁମର କପେ ହେବ କି ? ଚା’ ପାଣିରେ ସାମାନ୍ୟ ଲବଣ ପକାଇ ଖାଇଲେ ଦେହକୁ ତାଜା ରଖେ ।

 

ଗୋପାଳ କହିଲେ, ମୁଁ ଚା’ ଖାଏଁ କେବଳ ଦୁଧ ଓ ଚିନିପାଇଁ ବିପିନ୍‍, ତୁମେ କପେ ଚେଷ୍ଟାକର ।

 

ବିପିନ୍‍ କହିଲେ, ମୋ ଦୋକାନରେ ଚିନିର ଅଭାବ ନାହିଁ କି ଗୁଣ୍ଡ–ଦୁଧର ଅଭାବ ନାହିଁ-। କାହାକୁ କହିଥିଲେ ସେ ଆମ ଦୋକାନରୁ ନେଇ ଆସିଥାନ୍ତା । ଅମିୟବାବୁ ନାହାନ୍ତି । ଏ ଘରର ଅଭାବ ଅସୁବିଧା ବିଷୟ ବୁଝିବା ଆମର କର୍ତ୍ତବ୍ୟ, କିନ୍ତୁ କ’ଣ କରିବି ଭାଉଜ, ମା’ ମଲାପରେ ଆମୁକୁ ଆଉ ବେଳ ମିଳୁନାହିଁ । ଦୋକାନ ଚଳାଇବାରେ, ହିସାବପତ୍ର ଲେଖିବାରେ ସୋମୁ ମୋତେ ସାହାଯ୍ୟ କରୁଛି । ନିଜେ ପୁଣି ରୋଷେଇ କରୁଛି । ମୋର ତ ବାରଆଡ଼ର କାମ ।

 

ଅମିତା କାଚ ଗ୍ଲାସ୍‍ରେ ଲୁଣଦିଆ ଚା’ ଆଣି ବିପିନ୍‍ କର୍ମକାରଙ୍କ ହାତକୁ ବଢ଼ାଇ ଦେଲା-। ବିପିନ୍‍ ଚା’ ଗ୍ଲାସ୍ ନେଉଁଣୁ ହସିଲା ମୁହଁରେ ଅମିତାକୁ ଚାହିଁଲେ । ସାଧନ ସନ୍ନ୍ୟାସୀ କପ୍‌–ପ୍ଲେଟ୍ ତଳେ ରଖି ମନଖୁସିରେ ଗାଇଲେ,–ଅପନାରେ ଭୁଲେ ଯାବ, ତୋମାକେ ପାଇୟାଁ ହେ–, ଧନ୍ୟ ଚା’ !

 

ଅମିତା ସଂକୁଚିତ ହୋଇ ଘରଭିତରକୁ ଅନିମାଙ୍କ ପାଖକୁ ଗଲା । ବିନିନ ଢୋକେ ଲୁଣିଆ ଚା’ ପିଇ ମୁଖ ବିକୃତ କଲେ । କହିଲେ, ଗୋଟିଏ ପ୍ରସ୍ତାବ ମୋ ମନରେ ଖେଳୁଛି ଭାଉଜ, ନିଜେ ଆସି ସେ ପ୍ରସ୍ତାବ ଅଦ୍ୟାପି କହିପାରି ନାହିଁ । ଗୋପାଳବାବୁ ତ ଅଛନ୍ତି । ସେ ଆମର ମୁରବି-। ସାଧନ ସନ୍ନ୍ୟାସୀ ଆପଣାର ଲୋକ । ତୁମର ଝିଅ ଅମିତା ବୟସର ହେଲାଣି । ତାକୁ ତୁମେ ପରଘରକୁ ଦେବାକୁ ବିଚାରୁଛ ?

 

ଅନିମା ଥରିଲା ସ୍ୱରରେ ପଚାରିଲେ, ତ କ’ଣ ହେଲା ?

 

ମୁଁ ଅମିତାକୁ ମାଗୁଛି ଭାଉଜ !

 

ଅନିମା ମୁଣ୍ଡରେ ହାତ ଦେଇ ବସିପଡ଼ିଲେ । ତାଙ୍କର ମସ୍ତକ ଭ୍ରମିବାକୁ ଲାଗିଲା । ଆଖି ଆଗରେ ସହସ୍ର ଜୁଳୁଜୁଳିଆ ପୋକ ଖେଳିବାକୁ ଲାଗିଲେ । ଆଖି ବୁଜି ନିର୍ବାକ୍‌ ହୋଇ ସେ ରହିଲେ । ଆଖିପତାର ଅନ୍ଧାର ତଳେ ବୁଢ଼ୀ ବେଲାରାଣୀଙ୍କର ମରଣ ଆଗର ବିଛଣାଲଗା ରୂପ ଉଭା ହେଲା । କାନରେ ବାଜିଲା ତାଙ୍କର ଅନୁରୋଧ ବାଣୀ–ଅମିତାଟିକୁ ବିପିନ୍‍କୁ ବାହାକର, ସେ ସୁଖରେ ରହିବ– ।

 

ଭାବୁଥିଲେ ସେ, କି ଉତ୍ତର ଦେଇ ନିର୍ଲଜ୍ଜ ବିପିନ୍‍ ଲିଡ଼ର୍‍କୁ ସେ ଜବତ କରିପାରିବେ । ଯେଉଁ ଦୁଶ୍ଚରିତ୍ର, ନିର୍ବୋଧ, ଦୁରାଚାରର ଅପବିତ୍ର ଆଶା ତାଙ୍କର ଚାରିପାଖରେ ଘୂରି ବୁଲୁଥିଲା, ଯେଉଁ ପାପକର୍ମାର ଆଶାକୁଳ ଦୃଷ୍ଟି ତାଙ୍କ ହାଡ଼ଚମରେ ନିଆଁ ଲଗାଉଥିଲା, ସେହି ପଶୁ ପୁଣି ତାଙ୍କର ଉତାଣି ପିଲା, ସ୍ନେହର ପିତୁଳାକୁ ତାଙ୍କ ଛାତିରୁ ଓଟାରି ନେବାକୁ ମନ ବଳାଇଛି ! କି ଉତ୍ତର ସେ ଦେବେ ? ବଜ୍ରରୁ କଠିନ କି ଭାଷା ସେ ପ୍ରୟୋଗ କରିବେ ? କାହିଁ ସେ ଭାଷା, ତୁଣ୍ଡକୁ ଆସୁ ନାହିଁ ?

 

ଘର ଭିତରେ ଠିଆ ହୋଇ ବିବ୍ରତ ଅମିତା ବିପିନ୍‍ କର୍ମକାରଙ୍କର ମୁହଁକୁ ଚାହିଁଲା । ବୁଢ଼ୀ ବେଲାରାଣୀଙ୍କର କଥା ତା’ର ମନେ ପଡ଼ିଲା । କେଉଁ ଅଜଣା ଭୟରେ ତା’ର ସର୍ବାଙ୍ଗ ଥରି ଉଠିଲା । ମନରୁ ଉଠିଲା କୋହ, କାନ୍ଦକାନ୍ଦର ଅଦମ୍ୟ ରିହ । ମନେ ପଡ଼ିଲା ତା’ର କକା ଅମିୟ । ଧାଇଁଯାଇ ତା’ର ଛାତିରେ ମୁଣ୍ଡ ରଖି ଦୁଇ ବାହୁରେ ତା’ର ଗଳାକୁ ଗୁଡ଼ାଇ ଧରି ବଡ଼ପାଟି କରି କାନ୍ଦିବାକୁ ତା’ର ପ୍ରାଣ ଡାକିଲା । ଆଗରେ ବସିଛନ୍ତି ତା’ର ଜନନୀ, ଉତ୍ତର ଦେଉ ନାହାନ୍ତି । ମୁଣ୍ଡରେ ହାତ ଦେଇ ସେ କ’ଣ ଚିନ୍ତା କରୁଛନ୍ତି ?

 

ଅମିତା ଟଳିଟଳିକା ଆର ଘରକୁ ଗଲା । କକାର ବାଉଁଶ ଖଟିଆ ଉପରେ ତା’ର ଥରିଲା ଦେହକୁ ଅଜାଡ଼ି ଦେଲା । ଶବଦ ହେଲା ।

 

ଅନିମା ଆଖି ଖୋଲିଲେ । ଦେଖିଲେ, ପାଖରେ ଅମିତା ନାହିଁ । ଶୁଣିଲେ, ବିପିନ୍‍ ଲିଡ଼ର୍‌ ନରମିଲା କଣ୍ଠରେ ତାଙ୍କର ବଡ଼ପଣିଆକୁ ଛୋଟକରି ଦୁଃଖ ଓ ଅସୁବିଧାର କାହାଣୀ ବର୍ଣ୍ଣନା କରୁଛନ୍ତି,–ବ୍ୟବସାୟରେ ଶହ ଶହ ଟଙ୍କା ରୋଜଗାର ହେଲେ କି ହେବ ଭାଉଜ, ଜୀବନରେ ଶାନ୍ତି ପାଇଲି ନାହିଁ । ସୋମୁ ମୋର ଅଠରବର୍ଷର ପୁଅ । ସ୍ୱାସ୍ଥ୍ୟ ଯେପରି ଭଲ, ଦେଖିଛ ତ, ରୂପବି ସୁନ୍ଦର । ବେଶି ପାଠ ନ ପଢ଼ିଲେ ନାହିଁ, ଲେଖାପଢ଼ା ଜାଣେ । ହିସାବପତ୍ରରେ ଧୁରନ୍ଧର ।

 

ଆପଣ କହନ୍ତୁ ହାଉଲ୍‌ଦାର୍‌ବାବୁ, ଆଜିକାଲି ପାଠର କି ମୂଲ୍ୟ ଅଛି ? ପାସ୍‌ ଖଣ୍ଡେ କଲେ କେଉଁଠି ଯାଇ କିରାଣି ହୋଇ ଅଳ୍ପ କେଇଟା ଟଙ୍କାପାଇଁ ହାତ ଯୋଡ଼ି ଆଜ୍ଞା ଆଜ୍ଞା କହିବ । ନୋହିଲେ, କେଉଁଠି ସ୍କୁଲ୍‍ମାଷ୍ଟର ହୋଇ ବେତ ଧରି ବସିବ, ସେମିତି ପାଠ ନ ପଢ଼ିବା ଭଲ । ବୁଦ୍ଧି ଖରଚ କରି ବ୍ୟବସାୟ କଲେ ଟଙ୍କା ତା’ ମନକୁ ଆସି ଅଜାଡ଼ି ହୋଇ ପଡ଼ିବ । ଟଙ୍କା ସୁଖ ଆଣେ, ସମ୍ମାନ ଦିଏ, ନା କ’ଣ କହୁଛ ସାଧନବାବୁ ?

 

ସାଧନ ସନ୍ନ୍ୟାସୀ କହିଲେ, ଏଥିରେ ଆଉ ସନ୍ଦେହ କ’ଣ ଅଛି ? ଟଙ୍କା ଏଇ ଜୀବନରେ ସ୍ୱର୍ଗବି ଦେଖାଇ ଆଣେ । ଅର୍ଜନ କରି ଜାଣିଲେ ହେଲା । ଚାକିରି କଲେ ଲାଞ୍ଚ ନେବ, ରାଜନୀତି କଲେ ଧପ୍‌ପାବାଜ ହେବ, ବ୍ୟବସାୟ କଲେ ଆଖିଛୁଇଁ ମିଛକୁ ସତ ଓ ସତକୁ ମିଛ କରିବ, ଧର୍ମନୀତି କଲେ, ହିଁ ହିଁ କ’ଣ କହିବି, ନ କହିଲେ ଭାବଧାରା ଅଟକି ଯାଉଛି ।

 

ତେବେ କହେଁ, ପ୍ରେମ ବିନା ନାହିଁ ମିଳେ ରାଈ, ରାଈ ବିନା ମୁକ୍ତି ନ ପାଇ । ଆହା, ଆପନାରେ ଭୁଲେ ଯାବ, ତୋମାକେ ପାଇଆ ହେ, ଏ ହେଲା ଟଙ୍କା ! ସବୁ ବିଦ୍ୟା ତୁମକୁ ଜଣା ବିପିନ୍‍ବାବୁ । ସେଥିପାଇଁ ଟଙ୍କା ଅର୍ଜି ପାରୁଛ, ସମ୍ମାନ ଲାଭ କରିଛ, ଲିଡ଼ର୍‍ବି ହୋଇଛ । ଆମେ ସବୁ ଅକର୍ମା ।

 

ବିପିନ୍‍ କହିଲେ, ମୋର ଧନ ମୋର ନୁହେଁ । ସବୁ ସୋମୁର । କି ଅକ୍ଳାନ୍ତ ପରିଶ୍ରମ ସେ କରୁଛି ! ଜାଣ, ସେହି କରୁଛି ରୋଜଗାର । ହେଲେ କି ହେବ ? ସାଇତି ରଖିବ କିଏ ? ଘରେ ପରା ଲକ୍ଷ୍ମୀ ନଥିଲେ ସବୁ ଅର୍ଜନ ବ୍ୟର୍ଥ । ବାପପୁଅ ଦିହେଁ ଆମେ ମୁଠିଏ ଭଲକରି ଖାଇବାକୁ ପାଇଲୁ ନାହିଁ ଭାଉଜ, ବାର ହଇରାଣ ହରକତ୍ ହେଉଛୁ । ଶୁଣିଛି, ଅମିତା ତୁମରି ଶିକ୍ଷା ପାଇ ସବୁ କାମରେ ପାରଙ୍ଗମ ହୋଇଛି । ସେଇଟିକୁ ମୋତେ ଦିଅ ଭାଉଜ, ସବୁ ତା’ ହାତକୁ ମୁଁ ଟେକି ଦେବି-

 

ହାଉଲ୍‌ଦାର ବୁଢ଼ା ଚନ୍ଦା ମୁଣ୍ଡରେ ହାତ ବୁଲାଇ ଦୀର୍ଘଶ୍ୱାସ ଛାଡ଼ିଲେ । ବେଲାରାଣୀଙ୍କର ମରଣ ଆଗର ପ୍ରଳାପ ଯେ ତାଙ୍କ କାନରେ ନ ବାଜିଛି ଏହାତ ନୁହେଁ, ସେ ଅସମ୍ଭବ ଆଶାକୁ ହସରେ ଉଡ଼ାଇ ଦେଇଥିଲେ । ତନୁଜା ମୋଟେ କାନକୁ ନେଲେ ନାହିଁ । କାହୁଁ–ଅଇଲା ଷାଠିଏ ସତୁରୀ କୁଟୁମ୍ବଙ୍କ ଘରେ ଯେଉଁ ଅକଥାମାନ ଘଟେ ସେ ସବୁ ଲୁଚିଛପି ରହେ ନାହିଁ । ତୁଣ୍ଡବାଇଦ ସହସ୍ର କୋଶ । ଛୋଟ କ୍ୟାମ୍ପ୍‍ର ଲମ୍ବା ଚଉଡ଼ା ସହସ୍ର ଫୁଟ୍ ହେବକି ନ ହେବ ।

 

ଗୋପାଳ ହାଉଲ୍‌ଦାର ବିପିନ୍‍ ଓ ସାଧନଙ୍କର ମୁହଁକୁ ତୀକ୍ଷ୍ଣଦୃଷ୍ଟିରେ ଅନାଇଁ ସେମାନଙ୍କର ମନର ଉଦ୍ଦେଶ୍ୟ କଳନା କରିବାକୁ ଚେଷ୍ଟା କରୁଥିଲେ ।

 

ସାଧନ କହିଲେ, ସମ୍ବନ୍ଧଟି ମନ୍ଦ ହୁଅନ୍ତା ନାହିଁ । ଏପରି ଅନେକ ହେଉଛି । ସଂସାର ସୁଖରେ କଟୁଛି । ବିପିନ୍‍ବାବୁ ବୁଦ୍ଧିମାନ୍‌, କର୍ମଠ, ସ୍ୱାସ୍ଥ୍ୟବାନ । ତାଙ୍କର ବୃଦ୍ଧା ମାତାଙ୍କର ଶେଷ ଆଶା ଥିଲା,–

 

ଚୁପ୍‌କର ହେ ଭଣ୍ଡ ସନ୍ନ୍ୟାସୀ ସାଧନ ମିସ୍ତ୍ରି,–ଗୋପାଳ ହାଉଲ୍‌ଦାର ଉତ୍ତେଜିତ ହୋଇ କହିଲେ,–ତୁମେ ଦୁହେଁ ଭଦ୍ରତା ଓ ଶିଷ୍ଟାଚାରର ସୀମା ଲଙ୍ଘନ କରୁଛ । ଏଇଥିପାଇଁ ମୋତେ ଡାକି ଆଣିଥିଲ ସଙ୍ଗରେ ? ହଇହେ ବିପିନ୍‍, ତୁମର ବୁଦ୍ଧିବୃତ୍ତି କ’ଣ ଲୋପ ହୋଇଛି ? ତୁମର ସ୍ନେହମୟୀ ଜନନୀଙ୍କର ଆତ୍ମା ଯଦି ସ୍ୱର୍ଗରୁ ଓହ୍ଲାଇ ଧପ୍‌କରି ନରକରେ ପଡ଼େ କି ତୁମେ ବାପପୁଅ ଦିହେଁ ଯଦି ବାର ହଇରାଣ ହୋଇ ତମ ମାଆଙ୍କର ପଥରେ ଅନୁଗମନ କର, ସେଥିପାଇଁ କେହି ଦୁଃଖିତ ହେବେ ନାହିଁ ।

 

ବିପିନ୍‍ କହିଲେ, ଆରେ, ଆପଣ ମୋର କଥା ନ ଶୁଣି ନ ବୁଝି ଉତ୍ତେଜିତ ହେଉଛନ୍ତି କାହିଁକି ଗୋପାଳବାବୁ ? ସାଧନ ମିସ୍ତ୍ରି ମୋର ଉଦ୍ଦେଶ୍ୟ ବୁଝି ନ ପାରି–

 

ଗୋପାଳ ପୂର୍ବପରି ଉତ୍ତେଜିତ ସ୍ୱରରେ କହିଲେ, ଆହେ, ରଖ ତୁମର ଉଦ୍ଦେଶ୍ୟ ତୁମର ଘରେ । ତୁମେ ଲିଡ଼ର୍ ହୁଅ, ପଲିଟିକ୍‌ସ୍ କର, ଲାଞ୍ଚୁଆ ମୋହମତିଆ ଅଫିସର କେଇଜଣଙ୍କୁ ଉତ୍କୋଚ ଦେଇ ସୁବିଧା ହାସଲ କରି ବ୍ଲାକ୍‌–ମାର୍କେଟ କରି ଶହ ଶହ ରୋଜଗାର କର, ପାରୁଛ ଯଦି କେଉଁଠିକି ଯାଇ ଇଲେକ୍‌ସନ ଲଢ଼ି, ଜିତି, କୂଟନୀତି ପ୍ରୟୋଗ କରି ମନ୍ତ୍ରୀ ହୋଇ ଆକାଶରେ ଉଡ଼, କୋଠାବାଡ଼ି ଧନ ସମ୍ପତ୍ତି କର, ମିଲ୍‌ ମାଲିକ ହୁଅ, ସେଥିରେ କେହି ଆପତ୍ତି କରିବେ ନାହିଁ । ଘରର ମୁରବି ଅମିୟ ଘରେ ନାହିଁ । କେଉଁ ସାହସରେ ତୁମେ ତା’ର ଭାଉଜଙ୍କ ଆଗରେ ନିର୍ଲଜ୍ଜ ଅସମ୍ଭବ ପ୍ରସ୍ତାବ ବାଢ଼ୁଛ ହେ ? ତୁମେ ଜାଣ, ମୁଁ ସ୍ଥିର କରି ସାରିଛି, ଅମିୟ ଯଦି ସମ୍ମତ ହୁଏ, ମୁଁ ଅମିତାକୁ ମୋର ବୋହୂ କରି ନେବି । ସେଇ ମୋର ସୁରେନ୍‌ର ଉପଯୁକ୍ତ । ପିଲାଟାର ବୁଦ୍ଧି ହେଉ-

 

ବିପିନ୍‍ ଉଚ୍ଚ ସ୍ୱରରେ ହସିଲେ । କହିଲେ, ଆପଣ ଅତି ବୃଦ୍ଧ, ତେଣୁ କଥାଟି ସମ୍ପୂର୍ଣ୍ଣ ନ ଜାଣି ଉତ୍ତେଜିତ ହେଲେ । ପ୍ରକୃତିସ୍ଥ ହୁଅନ୍ତୁ । ମୋ ମାଆଙ୍କର ବାଉଳା ଚାଉଳା କଥା ସିନା ଆପଣମାନେ ଶୁଣିଥିଲେ, ତାଙ୍କର ଉଦ୍ଦେଶ୍ୟ କେହି ବୁଝିପାରି ନଥିଲେ । ତାଙ୍କର ଉଦ୍ଦେଶ୍ୟ ଯାହା, ମୋର ଇଚ୍ଛା ଓ ଆଗ୍ରହ ଠିକ୍‌ ସେଇଆ । ମୁଁ ଅମିତାକୁ ମୋର ବୋହୂ କରିବାକୁ ଚାହେଁ । ସୋମୁକୁ ଓ ତାକୁ ମୁଁ ବାହା କରାଇବି । ସେଇଥିପାଇଁ ଭାଉଜଙ୍କୁ ମୁଁ ଅମିତାକୁ ମାଗୁଥିଲି ।

 

ସାଧନ ମିସ୍ତ୍ରି ଦାଢ଼ି ସାଉଁଳି ଢଳି ଢଳି ନାଚି କହି ଉଠିଲେ, ସତେ କି ଚମତ୍କାର ପ୍ରସ୍ତାବ ! ଖୁବ୍‌ ଭଲ ହେବ । ପିଲା ଦିଓଟି ରାଧାକୃଷ୍ଣ ପରି ଦିଶିବେ ।

 

ଗୋପାଳ ଚମକି ଉଠିଲେ । ତାଙ୍କର ମୁହଁ କଳାକାଠ ପଡ଼ିଗଲା । ଅକାରଣ ସେ ବିପିନ୍‍ କର୍ମକାରଙ୍କୁ ଗୁଡ଼ାଏ ଟାଣ ଟାଣ କଥା କହି ତାଙ୍କ ପ୍ରତି ନିଜର ଧାରଣା ପ୍ରକାଶିତ କରିଛନ୍ତି ବୁଝିପାରି ଲଜ୍ଜିତ ହେଲେ । କିପରି ସେ ସ୍ଥାନ ପରିତ୍ୟାଗ କରି ଚାଲିଯିବେ ତାହାହିଁ ବିଚାର କରୁଥିଲେ ।

 

ବିପିନ୍‍ ଧୀରସ୍ଥିର ହୋଇ କହିଲେ, ଏ ଦୁନିଆରେ ଜଣେ ଆଉ ଜଣକୁ ଭୁଲ୍‌ ବୁଝିବା ସ୍ୱାଭାବିକ ଗୋପାଳବାବୁ, ସେଥିପାଇଁ ପଶ୍ଚାତାପ କରିବା ନିଷ୍ପ୍ରୟୋଜନ । ଅନିମା ଦେବୀଙ୍କ କୁଟୁମ୍ବ ସଙ୍ଗେ ଆପଣମାନଙ୍କର ଏଇଠି ପରିଚୟ କିନ୍ତୁ ମନେ ରଖନ୍ତୁ, ବହୁଦିନ ହେଲା ଆମର ଦୁଇ କୁଟୁମ୍ବ ମଧ୍ୟରେ ଘନିଷ୍ଠତା ଅଛି । ସୋମୁ ଓ ମିତା ଭାଇ ଭଉଣୀ ପରି ଏକାଠି ଚଳପ୍ରଚଳ ହୋଇ ଆସିଛନ୍ତି-। ମୁଁ ଜାଣେ, ଭାଉଜବି ଜାଣନ୍ତି, ଦୁହେଁ ଦୁହିଁଙ୍କୁ ଭଲ ପାଆନ୍ତି । ସେମାନେ ତ ଭାଇ ଭଉଣୀ ନୁହନ୍ତି, ତେଣୁ ମୋ ପ୍ରସ୍ତାବ ଅପ୍ରାସଙ୍ଗିକ ନୁହେଁ ।

 

ସାଧନ ସନ୍ନ୍ୟାସୀ ଖୁସି ହୋଇ କହିଲେ, ଯାହା କହିଥିଲି ଠିକ୍‌, କିନ୍ତୁ ଗୋପାଳବାବୁ, ରାଧାକୃଷ୍ଣଙ୍କର ଆଶୀର୍ବାଦ ଯେଉଁ ପିଲା ଦିଓଟିଙ୍କ ଉପରେ ବୃଷ୍ଟି ହୋଇଛି ଏ ଯୁଗରେ ଏ ଜନ୍ମରେ ସେମାନଙ୍କର ମିଳନ ହେଉ, ସେମାନେ ସୁଖରେ ସଂସାର କରନ୍ତୁ । ସେହି କଲ୍ୟାଣ ଆପଣ କରନ୍ତୁ-। ଜାଣି ଜାଣି ସେମାନଙ୍କ ମଝିରେ ସୁରେନ୍ଦ୍ରପରି ନିରୀହ ପିଲାକୁ ଚନ୍ଦ୍ରସେଣ କରି ଠିଆ କରାଇବେ କାହିଁକି ?

 

ଅନିମା ଆଉ ସହି ପାରିଲେ ନାହିଁ । ତାଙ୍କର ଧୈର୍ଯ୍ୟ ସହନଶୀଳତାର ବନ୍ଧ ଡେଇଁ ଉଛୁଳି ପଡ଼ିଲା । ସେ ଥରି ଥରି ଦ୍ୱାରବନ୍ଧ ଧରି ଠିଆ ହେଲେ । ଦୁଇ ପାଦ ଆଗେଇ ଆସି କଟମଟ କରି ବିପିନ୍‍ କର୍ମକାର ଓ ସାଧନ ମିସ୍ତ୍ରିଙ୍କୁ ଚାହିଁ କୃଦ୍ଧିତା ନାଗିଣୀ ପରି ଫଁ ଫଁ ହୋଇ ନିଃଶ୍ୱାସ ଛାଡ଼ିଲେ । ନିଜର ଅଜାଣତରେ ଦୁଇ ଆଖିରୁ ଅଶ୍ରୁଧାର ବହିବାକୁ ଲାଗିଲା ।

 

କହିଲେ, ଆପଣ ଦୁହିଁଙ୍କର ଅଭିସନ୍ଧି ମୁଁ ବେଶ୍‌ ବୁଝି ପାରିଛି । ମୁଁ ଜାଣେ, ଶୁଣ୍ଡୀର ସାଥୀ ମାତାଳ । ମୋ ପିଣ୍ଡାରେ ବସି ମୋ ଘରର ଚର୍ଚ୍ଚା କରିବାକୁ ଆଉ ସାହସ କରନ୍ତୁ ନାହିଁ । ଚାଲି ଯାଆନ୍ତୁ ଏଠାରୁ । ଆଗ ମୁଁ ସୁରେନ୍‌କୁ ମୋର ଜୋଇଁ କରିବି । ସେଇଠୁ ବିପିନ୍‍ ଲିଡ଼ର୍‌ଙ୍କର ଘର ଚଳେଇବାକୁ ରାଈ ବିନୋଦିନୀ ହୋଇ ତାଙ୍କ ପାଖକୁ ମୁଁ ଯିବି । ସେଇଆ ତ ଚାହିଁଥିଲ ତୁମେ ପତ୍ନୀକନ୍ୟାହନ୍ତା ବିପିନ୍‍–କର୍ମକାର ! ମନର ଆଶା ନ ମେଣ୍ଟିଲା ବୋଲି ମୋର ଭତାଣି ପିଲା ଉପରେ ଆଖି ପକାଇଲ ? ବୁଲେଇ ବୁଲେଇ କଥା କହିଲ ? ପ୍ରସ୍ତାବଟା ଅସମ୍ଭବ, ଏତକ ଶୁଣି ନିର୍ବୋଧ ସୋମୁର ନାମ ଧରୁଛ ? ପିଲା ଛୁଆଙ୍କର ଖେଳକୁ ରାଧାକୃଷ୍ଣଙ୍କର ଲୀଳା ବୋଲି ସାଧନ ଭଣ୍ଡଙ୍କ ମୁହଁରେ କୁହାଉଛ ? ମୋ ପିଲାର ବଦନାମ କରୁଛ ?

 

କ’ଣ ତୁମେ କହୁଛ ଭାଉଜ ?

 

ଆହା ହା, କିଛି ବୁଝି ପାରୁନ ସାଧୁ ମହାତ୍ମା ? ତୁମର ଧନ, ତୁମର ଭଲପଣିଆ, ଲିଡ଼ର୍‌ଗିରି ସବୁ ସମ୍ପାଦି ରଖିଥା ତୁମର ଘରେ । ତୁମର ମୃତ–ପତ୍ନୀଙ୍କର ପ୍ରେତାତ୍ମାକୁ ଡାକି ପଚାରିଲେ ସବୁକଥା ସେ ତମୁକୁ ବୁଝାଇ ଦେବେ । ବହୁତ ହେଲା, ଏଥର ଉଠ । ସମ୍ମାନ କ’ଣ ତୁମେ ଜାଣନାହିଁ ହେ ଦଣ୍ଡୀମରା ଭେଜାଲ ବିକା ଠକ, କିନ୍ତୁ ନିଲଠା ହେଉପଛେ ଭଗବାନ୍‌ ତମୁକୁ ଗୋଟାଏ ମୁହଁ ଦେଇଛନ୍ତି । ଏଠି ବସି ଆଉ ଲେକ୍‌ଚର ଦେବାକୁ ଚେଷ୍ଟା କଲେ, ମୋ ଘରେ ଛାଞ୍ଚୁଣି ଅଛି, ମୋ ହାତରେବି ଶକ୍ତି ଅଛି, ତା’ର କରାମତି ବୁଝିବ ।

 

ଅନିମା ଟଳି ଟଳି ଘର ଭିତରକୁ ଆସିଲେ । ସେମାନଙ୍କର ଯିବା ନ ଯିବାକୁ ଅପେକ୍ଷା ନ କରି ସେ ତକିଆ ଉପରେ ମୁଣ୍ଡ ମାଡ଼ିଦେଲେ । କାନରେ ବାଜୁଥାଏ ଆରଘର ଖଟ ଉପରୁ ଅମିତାର କଇଁକଇଁ ଶୋକ ।

 

ବାଷଠି

 

ଦିନୁଦିନ ଅନିମାଙ୍କ ଦେହର ଅବସ୍ଥା ଖରାପ ହେଉଛି । ମୁଣ୍ଡ ବୁଲାଉଛି । ଛାତି ଧଡ଼ଧଡ଼ ହେଉଛି । ଘରକାମ କରିବାକୁ ହମହମ ହେଉଛନ୍ତି; କିନ୍ତୁ ଛାଞ୍ଚୁଣି ମୁଠିକ ଧରି ଘର ଓଳାଇଲେ କ୍ଳାନ୍ତ ହୋଇ ପଡ଼ୁଛନ୍ତି । ଅମିତାହିଁ ହୋଇଛି ତାଙ୍କ ଛୋଟ ଘରର ଟିକି ଘରଣୀ । ଅନିମାଙ୍କର ଯତ୍ନ ନେଉଛି । ତାଙ୍କ ହାତରେ ପାଣି ଲଗାଇ ଦେଉନାହିଁ । କିଏ କ’ଣ କହିଲା, ତା’ ବିଷୟରେ ଯାହା ସବୁ ଚର୍ଚ୍ଚା ହୋଇଗଲା, ସେ ସବୁକୁ ମନେପକାଇ ଦୁଃଖ କରିବାକୁ ତା’ର ବେଳ ନାହିଁ । କିଏ କ’ଣ କହୁଛି ମନଇଚ୍ଛା କହୁଥାଉ । ସେ ଶୁଣିବ, ଉତ୍ତର ଦେବ ନାହିଁ । ନିଜର କର୍ତ୍ତବ୍ୟ କର୍ମ ସେ କରିଯିବ-। ଏହି ନୀତି ସେ ଗ୍ରହଣ କଲା ।

 

ନଳ–କୂଅରୁ ପାଣି ବୋହି ଆଣେ । ଆବଶ୍ୟକ ହେଲେ ବିପିନ୍‍ କର୍ମକାରଙ୍କ ଦୋକାନରୁ ସଉଦା କିଣି ଆଣେ । ମାଆଙ୍କ ପାଇଁ ଔଷଧର ବ୍ୟବସ୍ଥା କରିବାକୁ ଗୋପାଳ ହାଉଲ୍‌ଦାରଙ୍କ ଘରକୁ ଯାଇ ସୁରେନ୍ଦ୍ର କି ତନୁଜାଙ୍କୁ ଖବର ଦିଏ । ମୁହୂର୍ତ୍ତେ କେଉଁଠି ସେ ଅଟକି ରହେ ନାହିଁ । କ୍ୟାମ୍ପ୍‍ର ଅନ୍ୟ କୁଟୁମ୍ବର ସମ–ବୟସୀ ଝିଅମାନେ ବାଟରେ କି ଘରେ ଥଟ୍ଟା ନକଲ କରନ୍ତି । ସେ ମୁହଁ ଖୋଲେ ନାହିଁ । ଅଳପ ହସି ନିଜ ବାଟରେ ନିଜେ ଯାଏଁ ଆସେ, ନିଜ କାମରେ ନିଜେ ଲାଗିଥାଏ ।

 

ଅଳ୍ପ ବୟସରେ ସେ ବୁଝି ପାରିଛି, ଦୁନିଆରେ ଭଲ ସମସ୍ତେ, ମନ୍ଦବି ସମସ୍ତେ । ନିଜର ଚଳନ ଓ ତୁଣ୍ଡର ଭାଷା ଭଲ ମଣିଷକୁ ମନ୍ଦ କରେ, ପୁଣି ମନ୍ଦ ମଣିଷକୁ ଭଲ କରେ । ଅମିତା ପୁଣି ବୁଝିପାରିଛି, ଛେଳି ପରି ଡରୁଆ ହେଲେ ଟିକି ପିଲାବି ପିଠିରେ ବସି ଘୋଡ଼ା କରିବେ ବିଧା ଗୋଇଠା ମାରିବେ । ଆଉ, କଥା କଥାକେ ଅରଣା ମଇଁଷି ପରି ଶିଙ୍ଗ ନୁଆଁଇ ହେଣ୍ଟାଳ ଛାଡ଼ି ମାରିବାକୁ ଧାଇଁଲେ ଦୂରରେ ଥାଇ ଅତି ବଳୁଆ ହେଉନ୍ତୁ କି ମାଇଚିଆ ମିଇଁ ମିଇଁକା ହେଉନ୍ତୁ, ସ୍ତ୍ରୀ ପୁରୁଷ ଢେଲା ଫୋପାଡ଼ିବେ । ଯାହା ପଛରେ କେହି ନାହିଁ,–ତା’ କକା ତ ବିଦେଶରେ, ଦୂରରେ,–ତା’ ପକ୍ଷରେ ମୁହଁରେ ଢଙ୍ଗରେ ଭଦ୍ରତା ଓ ବିନୟ ଭାବ, ପୁଣି ମନରେ ଓ ଚଳନରେ ଦୃଢ଼ତା ଏବଂ ନିର୍ଭୀକପଣହିଁ ତା’ର ରକ୍ଷାକବଚ ।

 

ଗୋପାଳ ଓ ତନୁଜା ତାକୁ ଆଦର କରିଛନ୍ତି । ସ୍ନେହ ଦେଖାଇ ବୋହୂ କରିବେ ବୋଲି ଗଦ୍‌ଗଦ୍‌ ହୋଇଛନ୍ତି । ହେଉନ୍ତୁ ସେମାନେ । ଅମିତାର ସେମାନଙ୍କୁ କୌଣସି ଉତ୍ତର ନାହିଁ ।

 

ସୁରେନ୍ଦ୍ର ଲାଜ ଲାଜ ହୋଇ ନିଜ ଦୁର୍ବଳତାକୁ ଦମନ କରି ଶିକ୍ଷକପଣରେ କହିଛନ୍ତି, ଏଇଟା ଭଲ, ସେଇଟା ଖରାପ । ବୋଧହୁଏ ତାଙ୍କର ମନତଳେ ଛପି ଛପି ଆଗ୍ରହ ଖେଳୁଛି,–ଅମିତା ଦିନେ ତାଙ୍କର ଗୃହିଣୀ ହେବ, ତେଣୁ ତା’ର ଜାଣିବା ଉଚିତ, ଶିଖିବା ଆବଶ୍ୟକ, କେଉଁଟା ଭଲ କେଉଁଟା ମନ୍ଦ । ଦେଖୁଥାଉନ୍ତୁ ସେ ଦିବାସ୍ୱପ୍ନ । ଅମିତାର କି ଥାଏ ? କକାଙ୍କର ବନ୍ଧୁ ସେ ସୁରେନ୍‌ବାବୁ, ହିତେଷୀ ଓ ସହାୟକ, ତାଙ୍କର ଉପଦେଶ ଶୁଣିଲେ କ୍ଷତି ନାହିଁ ।

 

ସୌମେନ୍ କଣେଇଁ ଚାହିଁଛି, ହସିଛି, ମୁଖଭଙ୍ଗୀ କରି ମନେମନେ କହୁଛି ପରା,–ନେ ମିତା ଏ ସଉଦା, ଓଜନ ଠିକ୍‌ ଅଛି, ଦାମ୍‌ବି ଠିକ୍‌ ଅଛି । ମୁଁ ବେପାର ଜାଣେ । ମନେପକା ମିତା ଅତୀତର ଖେଳ, ତତେ ମୁଁ ଭଲ ପାଇଥିଲି, ସେତକ ତୁ ଫେରାଇ ଦେ,– ।

 

ଝୁରି ହେଉଥାଉ । ସେ ନିର୍ବୋଧ, ମିତାର କି ଥାଏ ?

 

ଦରବୁଢ଼ା ବିପିନ୍‍ ଦୃଷ୍ଟିରେ ତା’ର ଗୋଡ଼ରୁ ମୁଣ୍ଡଯାଏ ଅଣ୍ଡାଳି ଯାଇଛନ୍ତି । କହୁଛନ୍ତି ପରା ଦୀର୍ଘଶ୍ୱାସରେ,–ଆରେ, କେଡ଼େ ଶୀଘ୍ର ବଡ଼ଟିଏ ହେଲୁଣି ମ । କାଲିକାର ପିଲାଟା ! ମୋର ଧନ ଅଛି, ସୁଖରେ ରହିବୁ ।

 

ବିପିନ୍‍ ଲିଡ଼ର୍‌ ଚୁଲିରେ ପଶନ୍ତୁ ।

 

ଅମିତାର କିଛି କହିବାର ନାହିଁ । ତା’ର କାର୍ଯ୍ୟ ସେ କରିଯିବ । ମୁହଁ ପ୍ରଫୁଲ୍ଲ କରି ସମସ୍ତଙ୍କୁ ସେ ଚାହିଁବ । ଯେତିକି ଲୋଡ଼ା ସେତିକି ଭାଷା ସେ ତୁଣ୍ଡରୁ ଖସାଇବ । ବିଦାୟ ନେବ । କର୍ତ୍ତବ୍ୟ ଡାକ ଛାଡ଼ିଛି ।

 

ଅନିମା ଦେଖନ୍ତି, ଝୁରୁଝୁରିମୁଣ୍ଡୀ ଅମିତା, ନିଜ ଦେହର ଯତ୍ନ ନେଉ ନାହିଁ । ସଫା ଲୁଗା ଖଣ୍ଡେ ପିନ୍ଧିବାକୁ ମନ କରୁ ନାହିଁ । ସବୁ କାମ ନିଜେ ଆଦରି ନେଇଛି । ସେଇ କରୁଛି ରୋଷେଇ । ମା’ ନ ଖାଇଲେ ସେ ପାଟିରେ ପାଣି ଛୋଉଁନାହିଁ । ବିରକ୍ତ ହେଲେ ସେ ହସିହସିକା କଥା ରଖିବାକୁ ଗୁଣ୍ଡିଏ ଭାତ ନିଜେ ବାଢ଼ି ନିଜେ ଖାଇ ପୁଣି ଆସୁଛି ପାଖକୁ । ଗୋଡ଼ ତଳେ ବସି ପାଦ ଆଉଁସୁଛି । ମୁଣ୍ଡରେ ତେଲ ବୋଳି କେଶ ସଜାଡ଼ୁଛି । ରାମାୟଣ ଖୋଲି ପଢ଼ି ଶୁଣାଉଁଛି । ରାତିଅଧରେ ତା’ ଖଟରୁ ଉଠି ଅନିମାଙ୍କ ପାଖକୁ ଆସି ଛାତିରେ ମୁହଁ ଜାକି ଦେହକୁ ବେଢ଼ାଇ ଶୋଉଛି । ବିରକ୍ତ ହେଲେ ଛାଡ଼ି ଯାଉନାହିଁ ।

 

ଭାବନ୍ତି ଅନିମା, କି ଜାଣେ ସେ ସରଳ ନିରୀହ ଝିଅଟି, କାହିଁକି ଅନିମାଙ୍କର ମନ ପୋଡ଼ିଜଳି ଛାରଖାର ହେଉଛି ? ଦୁଇ ତିନିବର୍ଷର ଝିଅଟିକୁ ବାରବର୍ଷ ତଳେ ସେହି ରେଳଷ୍ଟେସନ୍‌ରେ ପରିତ୍ୟାଗ କରିଥିଲେ ଭଲ ହୋଇଥାନ୍ତା । ଯେଉଁ ଆଶାରେ ପିଲାଟିକୁ ଛାତିର ରସ ଖୁଆଇ ବଞ୍ଚାଇ ରଖିଲେ, ବଢ଼ାଇ ମଣିଷ କଲେ, ସେ ଆଶା ବିଫଳ ହୋଇଛି । ହଜିଲା ପୁଅ ଅମିତାଭକୁ ସେ କେଉଁଠି ଠାବକରି ପାରି ନାହାନ୍ତି । ବଞ୍ଚିଥିବ ଯଦି ସେ ବଡ଼ ପିଲା ହେବଣି । ଦେଖିଲେବି ଚିହ୍ନି ପାରିବେ ନାହିଁ ।

 

ଏଇ ଅମିତାହିଁ ତାଙ୍କ ଜୀବନର ସୁଖର ଅନ୍ତରାୟ । କହିଦେବେ ତା’ର ଜୀବନର ରହସ୍ୟ ? ସଭିଙ୍କ ଆଗରେ ପ୍ରକାଶ କରିବେ ? ଯିବେ କି ନିଜେ ଉମରକୋଟ ? ଭେଟିବେ ତାଙ୍କର ସ୍ୱାମୀଙ୍କୁ ? ସବୁ ପ୍ରକାଶ କରିବେ, ତାଙ୍କ ମନରୁ ଦୂର କରିବେ ସନ୍ଦେହ ?

 

ତାହାହିଁ କାମ୍ୟ ।

 

ରାତିର ନିସ୍ତବ୍ଧତାରେ, ବିଲିବିଲି ଅନ୍ଧାର ଭିତରେ, କେତେଥର ସେ ଏହି ସଂକଳ୍ପ କରିଛନ୍ତି । ଆଖିକୁ ନିଦ ଆସୁନାହିଁ । ଅମିତା ତାଙ୍କରି ଛାତିରେ ମୁହଁ ରଖି ଦେହକୁ ଗୁଡ଼ାଇ ନିଶ୍ଚିନ୍ତ ନିଦରେ ଶୋଇଛି । କର୍ମକ୍ଳାନ୍ତ । ତାକୁ ସେ ଉଠାଇବେ । ସବୁ ସତ୍ୟ ପ୍ରକାଶ କରିବେ । ଜାଣିବ ଏକା ସେ । ଆଉ କେହି ଜାଣିବେ ନାହିଁ । ଅମିୟକୁବି ଜଣାଇଁ ଦେବେ ନାହିଁ । ସେଇଠୁ ସେ ଉମରକୋଟ ଯିବେ, ଭେଟିବେ ତାଙ୍କର ସ୍ୱାମୀଙ୍କୁ ।

 

କିଏ ସେ ଗାୟତ୍ରୀ ?

 

ହୋଇଥାଉ ସେ ଯେ କେହି । ତୁଣ୍ଡ ଖୋଲିଲେ ଘଟଣା ଛପି ରହିବ ନାହିଁ । ପ୍ରଘଟ ହେବ । ନିନ୍ଦା ଅପମାନ ସଙ୍ଗେ କେତେ ଜଟିଳତା ସୃଷ୍ଟି ହେବ ।

 

କ’ଣ କରିବ ଅମିୟ ?

 

ସେ ପୁରୁଷ ପିଲା, ଯୁବକ, ଶିକ୍ଷିତ, ପଦସ୍ଥ । ଘୃଣାରେ ସେ ନାକ ଟେକିବ । ହୁଏତ ଦୁହିଁଙ୍କୁ ପରିତ୍ୟାଗ କରି ଚାଲିଯିବ ।

 

ଯେତେ ବୁଝାଇଲେ ଅଧର ମଣ୍ଡଳ ବୁଝିବେ ନାହିଁ ।

 

କହିବେ, ତୁମେ ବିଶ୍ୱାସଘାତିନୀ, ତୁମେ କୁଳଟା । ନିଜର ପାପକୁ ଘୋଡ଼ାଇବାକୁ ଗଳ୍ପ ଗଢ଼ିଛ । ଜୀବନ ରକ୍ଷା କରିବାକୁ ବିପଥ–ଗାମିନୀ ହୋଇ ଯେଉଁ କନ୍ୟାକୁ ଜନମ ଦେଇଛ, ଯାହାର ଜନକ କିଏ ହୁଏତ ତୁମେ ନିଜେ ଜାଣ ନାହିଁ, ଅବା ଜାଣିଥିଲେ ତୁମେ ପ୍ରକାଶ କରିବ ନାହିଁ, ତାକୁ ପୁଣି ମୋଓରି କନ୍ୟା ବୋଲି ପରିଚିତ କରାଉଛ ? କ’ଣ କରିବ ତାକୁ ? ବାଟରେ ଛାଡ଼ିବ ? ତା’ର ଦାୟିତ୍ୱ ନେଇ ନିର୍ଲଜ୍ଜ ହୋଇ ମୋର କନ୍ୟା ବୋଲି ଦୁନିଆରେ ପରିଚୟ ଦେବାକୁ ମୋତେ ତୁମେ ଅନୁରୋଧ କରୁଛ ? ପ୍ରବର୍ତ୍ତାଉଛ ? କିନ୍ତୁ, କାହିଁକି ମୁଁ ସମ୍ମତ ହେବି ?

 

ପଚାରିବେ ସେ, କାହିଁ ମୋର ଅମିତାଭ ?

 

କିଏ ଏ ଯୁବକ ଅପରିଚିତ ଅମିୟ ? ଆମର ଜୀବନ ବଞ୍ଚାଇବାକୁ, ତୁମର ସମ୍ମାନ ରକ୍ଷା କରିବାକୁ ବୀର ଭାଇ ମୋର ଅମିୟ ଜୀବନ ଦେଇଥିଲା ଆତତାୟୀ ଗୁଣ୍ଡାଙ୍କ ହାତରେ, ତୁମେ ଦେଖିଛ ଅନିମା, କିପରି ଛୁରାର ଆଘାତରେ ତା’ର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇଥିଲା, ଛୁଟିଥିଲା ରକ୍ତର ଧାର, ଜଣକର ନୁହେଁ, ଅଗଣନଙ୍କର । ଭୁଲିଗଲ କି ?

 

ଏ ଅମିୟ ତୁମର ଅମିତାର ଜନକ ?

 

ନା, ନା, ନା– ।

 

ଚିତ୍କାର କରି ଉଠିଲେ ଅନିମା । ବିଲିବିଲି ଅନ୍ଧାର ଭିତରେ ଅନିମା ଆଖି ଖୋଲିଲେ । ଛାତି ଥରୁଛି । ମୁଣ୍ଡ ଭ୍ରମୁଛି । ମନେ ହେଉଛି, ସତେକି ଘୃଣାରେ ମୁହଁ ଫଣଫଣ କରି ମଦ ନିଶାରେ ଭୋଳ ଅମିତାଭର ବାପା ଟଳଟଳ ହୋଇ ଚାଲି ଯାଉଛନ୍ତି କହି କହିକା, କାହିଁକି ମୋର ବେପରବା ଜୀବନର ବାଟ ଓଗାଳି ଭଲେଇ ହେବାକୁ ଆସିଛ ? ତୁମେ ଭଲରେ ଅଛ, ଭଲରେ ଥାଅ । ଦୁନିଆର ଲୋକଙ୍କ ଆଖିରେ ଯେଉଁ ଭେଳିକି ଲଗାଇଛ, ମୁଁ ତାକୁ ଗ୍ରହଣ କରିଛି । ସତ୍ୟ ବୋଲି ମାନି ନେଇଛି । ପ୍ରକୃତ ସତ୍ୟ ପ୍ରକାଶପାଇଲେ ଅନୁପମ ମଣ୍ଡଳଙ୍କ କୁଳରେ କଳଙ୍କ ବୋଳି ହେବ । ତାଙ୍କର ସମସ୍ତେ ମରିହଜି ଯାଇଛନ୍ତି । ରହି ଯାଇଛି ବଂଶର ମର୍ଯ୍ୟାଦା । ବଡ଼ପୁଅ ମୁଁ, ସବୁ ଦୁଃଖଦୁର୍ଦ୍ଦଶା ମୁଣ୍ଡକୁ ନେଇ ତିଳତିଳ କରି ମୁଁ ମୋର ଦେହ ଓ ମନକୁ ଜଳାଇ ନିଜେ ମୁଁ ନରକ ଆଡ଼କୁ ଆଗେଇ ଯାଉଛି ମଣ୍ଡଳ ବଂଶର ସେହି ମର୍ଯ୍ୟାଦାକୁ ବଞ୍ଚାଇ ରଖିବାକୁ ।

 

ସେ ଚାଲି ଯାଉଛନ୍ତି !

 

କାହାର ମୁହଁଟା ତାଙ୍କର ଛାତିକୁ ଆଉଜିଛି ? କାହାର କଅଁଳ ହାତ ତାଙ୍କର ଥରିଲା ଦେହକୁ ଗୁଡ଼ାଇଛି ?

 

ଅନିମା ଫେରି ଆସିଲେ ମାଲକାନଗିରିକୁ, ବାସ୍ତବତାର ବନ୍ଧନୀ ଭିତରକୁ । ଏଇ ସେ ଝିଅଟା, ଅମିତା, ସୁନ୍ଦର ସାପ ଛୁଆଟିଏ ଥିଲା, ଆସି ତାଙ୍କର ଛାତିରେ ଲାଗି ରସ ଶୋଷୁଥିଲା । ସବୁ ରସ ଶୋଷି ତାଙ୍କର ମାତୃତ୍ୱର ଅମୃତ ଧାରକୁ ନିଃଶେଷ କଲା । ମାୟାର ବନ୍ଧନରେ ତାଙ୍କୁ ଗୁଡ଼ାଇ, ଭିଡ଼ି ତାଙ୍କ ମନର ରସ ମଧ୍ୟ ଶୋଷି ଶୋଷି ଖାଉଛି । ମାଆପଣିଆର ସବୁ ଆଦର ସବୁ ସ୍ନେହ ସେ ଟାଣି ନେଉଛି ।

 

କାହିଁକି ଏପରି ହେବ ?

 

ସେହି ବିଷାକ୍ତ ଭୁଜଙ୍ଗିନୀକୁ ସେ ଦୂରକୁ ନିକ୍ଷେପ କରି ମୁକ୍ତ ହେବେ ।

 

ଅମିତାର ନିଦ୍ରିତ ହାତକୁ ନିଜ ଉପରୁ କାଢ଼ି ସେ ତଳକୁ ଖସାଇଲେ । ତା’ର ମୁହଁକୁ ଠେଲିଦେଲେ ଦୂରକୁ । ଥରି ଥରି ଉଠି ବସିଲେ । ତୁନିତୁନି କାନ୍ଦିବାକୁ ଲାଗିଲେ । ଅତି ବିକଟାଳ ସ୍ୱରରେ ପାଖ ଅରଣ୍ୟ ଭିତରୁ ବୋବାଳି ଛାଡ଼ିଲା ଅଣ୍ଡିରା ବିଲୁଆ । ପରେ ପରେ ଶହ ଶହ ବିଲୁଆଙ୍କର ମିଶାମିଶି ଡାକ ରାତିର ନିଶ୍ଚଳ ଅନ୍ଧାରକୁ ଦୋହଲାଇ ଦେଲା । କାହିଁ କେତେ ଦୂରରୁ, ସତୀ ନଦୀର ସେପାରି ଚିଡ଼ୁପଲ୍ଲୀର ଅରଣ୍ୟ ମଝିରୁ, ଅବା ତମସା ନଦୀର ଆରପାରି ନିଲିମାରିର କେଉଁ ପାହାଡ଼ କନ୍ଦରାରୁ ମହାବଳ ବାଘର ପର୍ବତ ଦୋହଲା ମେଦିନୀ–ଥରା ହେଣ୍ଟାଳ ରହିରହିକା କାନରେ ବାଜିଲା । ଛାତିର ସ୍ପନ୍ଦନ ଦ୍ରୁତତର କଲା ।

 

ଅମିତା ଜାଗ୍ରତ ହେଲା ।

 

ପାଖର କେଉଁ ଟେଣ୍ଟ୍‌ କି ଅସ୍ଥାୟୀ ଘରୁ ରାତିଅଧରେ ପୋଷା କୁକୁଡ଼ାଙ୍କର ଡାକ ଶୁଭିଲା-। କାହାର ଛୋଟପିଲା କେଉଁଠି କାନ୍ଦି ଉଠିଲାଣି । ପାଖ ଟେଣ୍ଟ୍‌ରୁ ସାଧନ ସନ୍ନ୍ୟାସୀଙ୍କର ନଟରା କାଶ ରହି ରହି କାନରେ ବାଜୁଛି ।

 

ଅମିତା ହାତ ଅଣ୍ଡାଳିଲା । ଅନୁଭବ କଲା, ତା’ର ମା’ ଉଠି ବସିଛନ୍ତି । ସେ ଆଖି ଖୋଲିଲା । ଚାଳତଳେ ବଣୁଆ ମୂଷା କିଲିବିଲି ହୋଇ ଧାଇଁଛନ୍ତି । ଚିଁ ଚିଁ ହେଉଛନ୍ତି । ରୋଷଘର ଭିତରେ ସେହି ମୂଷାରୁ କେତୋଟି ପେଟରା କାଟି ଚାଉଳ ଖାଇବାକୁ ଚେଷ୍ଟା କରୁଛନ୍ତି ପରା, କଟର କଟର କାଟିଲା ଶବ୍ଦ ଶୁଭୁଛି ।

 

ଅମିତା ଉଠି ବସିଲା ।

 

ଆକୁଳ ସ୍ୱରରେ ଅମିତା ପଚାରିଲା, କାହିଁକି ତୁ କାନ୍ଦୁଛୁ ମା’, ତୋତେ ନିଦ ହେଉ ନାହିଁ-? କ’ଣ ତୋର ଦେହ ହେଉଛି କହିବୁ ନାହିଁ ? କହ, ତୋତେ ମୋ ରାଣ ।

 

ଅନିମାଙ୍କର ପାଦରେ ହାତ ଦେଲା । ଅନିମା ପାଦ ଛିଞ୍ଚାଡ଼ି ବିରକ୍ତିଭରା ସ୍ୱରରେ ଉତ୍ତର ଦେଲେ, ଚାଲି ଯା ତୁ ମୋ ପାଖରୁ, ମୋତେ ଚିଡ଼ାନା କହୁଛି । ଆର ଘରେ ନ ଶୋଇ କେତେବେଳେ ଆସି ମୋ ପାଖରେ ଶୋଇବାକୁ କିଏ ତୋତେ ଡାକିଥିଲା ? ତୁଇ ଏକା ମୋର ସବୁ ଦୁଃଖଦୁର୍ଦ୍ଦଶାର କାରଣ ।

 

ଅମିତା ଖଟ ଉପରୁ ଓହ୍ଲାଇ ଅନ୍ଧାରରେ ମୁହୂର୍ତ୍ତେ ତୁନି ହୋଇ ଠିଆ ହେଲା । ଭାବିଲା, କାହା କଥାରେ ସେ ଛଳ କରିବ ? କ’ଣ ତା’ର ଜନନୀର ହୋଇଛି ? କାହିଁକି ସେ ଅଧୀର ଅସ୍ଥିର ଛଟପଟ ହେଉଛି; କାହାରିକୁ ତ କହୁ ନାହିଁ ? କି ଔଷଧର ବ୍ୟବସ୍ଥା କରାହେବ ? ଯେତେ ରାଣନିୟମ ପକାଇଲେବି ସେ ମୁଠିଏ ଖାଇଲା ନାହିଁ । ପାନେ ଔଷଧବି ଢୋକିବାକୁ ମନା କରିଦେଲା ।

 

ଅମିତା ନିଜେ ଉପାସ ରହି ହାଣ୍ଡି ପଖାଳିଲା । ଟିକିଏ ନିଦ ହୋଇଯାଇଥିଲା ତାକୁ, ରାତିଅଧରେ ବୋଧହୁଏ ବିଲୁଆ ପଲାର ରଡ଼ି ଓ ବାଘର ହେଣ୍ଟାଳ ଶୁଣି ନିଦ ଭାଙ୍ଗିଛି । ମୁଠୁଣିଏ ଲମ୍ବର ଅବେଇଜ ପାହାଡ଼ିଆ ମୂଷାଗୁଡ଼ାକ ଶବଦ କରି ନିଦରେ ବ୍ୟାଘାତ ଜନ୍ମାଇଲେ ।

 

ଅମିତା କହିଲା, ସତେ ମା’, ମୁଁ ତୋର ସବୁ ଦୁଃଖର କାରଣ ହୋଇଛି । ତୋର ମୁଁ ସେବା କରିପାରୁ ନାହିଁ କି ଯତ୍ନ ନେଇ ପାରୁ ନାହିଁ । ଯେତେ ଚେଷ୍ଟାକଲେ ମୋତେ ଆସୁ ନାହିଁ । ଜନମ ଦେଲାବେଳେ ଝିଅଟିଏ ଦେଖି ତୁ ଯଦି ମୋ ତଣ୍ଟି ଚିପି ମାରି ଦେଇଥାନ୍ତୁ, ମୋପାଇଁ ତୁ ନିଶ୍ଚିନ୍ତ ହୋଇଥାନ୍ତୁ । ଝିଅ କରି ଜନ୍ମ ଦେଲୁ କାହିଁକି ? ପୁଅ ହୋଇ ଜନ୍ମିବାକୁ ମୁଁ କ’ଣ ମନା କରିଥିଲି ?

 

ଅନିମା କଇଁକଇଁ ହୋଇ କାନ୍ଦି ଉଠିଲେ । ଓଠ ଚାପି କୋହକୁ ଦବାଇ ରଖିଲେ ।

 

ଥରଥର ନିଃଶ୍ୱାସ ଛାଡ଼ି ଅମିତା କହିଲା, ମୋର ମରଣ ହେଉ ମା’, ତୁ ମୋ ତଣ୍ଟି ଚିପିଦେ । ମୁଁ ତୋର ଅବାଧ୍ୟ ଅଯୋଗ୍ୟ ଝିଅ । ମୋର ଦୋଷ ମୁଁ କିଛି ଜାଣି ପାରୁ ନାହିଁ । ମୋ ପାଖରେ ଲୁଚାଇ ରଖିଛୁ କାହିଁକି ? ମୋତେ ତୁ କହିଦେ । ମୋତେ ତୁ ଶାସନ କର । ତୁ ନିଶ୍ଚିନ୍ତ ହୋଇ ଶୋଇଲୁ ଆଗ, ମୁଁ ସେ ଘରକୁ ଯିବି । ମତେ ଡର ମାଡ଼ିବ ନାହିଁ । ଆଲୁଅ ଲଗାଇବି କି ?

 

ଅନିମା କହିଲେ, ଭାକୁଚିଆଳି ହୋଇ ରାତିଅଧରେ ବହୁତ ତୁ ବକୁଛୁ । ଯା ସେ ଘରେ ଶୋଇବୁ । ଆଲୁଅ ଲୋଡ଼ା ନାହିଁ । ମିତେ ଟିକିଏ ନିଶ୍ଚିନ୍ତ ହୋଇ ଶୋଇବାକୁ ଛାଡ଼ିଦେ । ଯା କହୁଛି, ହେଇଟି ମୁଁ ଶୋଇଲି ।

 

ଅନିମା ଲମ୍ବ ହୋଇ ଶୋଇଲେ । ଶାଢ଼ିର କାନି ଓଟାରି ମୁହଁ ଘୋଡ଼ାଇଲେ । ସେ ବୁଝି ପାରିଲେ, ଅମିତା ସେଇ ଅନ୍ଧାରରେ ଧୀରେ ଧୀରେ ଆର ଘରକୁ ଚାଲିଗଲା । ଅମିୟର ଖଟ ଉପରେ ବସିବାର ଶୋଇବାର କଟକଟ ଶବଦ ହେଲା । ଭାବିଲେ, ଭଲ ହୋଇଛି ସେ ଚାଲି ଯାଇଛି । ପାଖରେ ଶୋଇ ଛାତିରେ ମୁହଁ ଗୁଞ୍ଜି ଛାତିତଳର ଛପିଲା ବ୍ୟଥାର ଆଭାସ ସେ ପାଇବ ନାହିଁ । ଯାଉ ସେ, ଦୂରେଇ ଯାଉ ।

 

ଛଟପଟ ହୋଇ ଶୋଇବାକୁ ଚେଷ୍ଟା କଲେ । ମନେ ହେଲା, ଯେପରି ସେ ଶୁଣିବାକୁ ପାଇଲେ, ଆରଘର ଖଟ ଉପରେ ଶୋଇ ହଲଚଲ ନ ହୋଇ ଅମିତା ଓଠ ଚାପି ତୁନି ତୁନି କାନ୍ଦୁଛି-। କାନ୍ଦର ଆଭାସ ଅନିମା ଯେପରି ନ ପାଆନ୍ତି, ସେଥିପାଇଁ ଝିଅଟି ପ୍ରଗାଢ଼ ଚେଷ୍ଟା କରୁଛି-। କାନ୍ଦୁଥାଉ ସେ, କାହୁଁ ଅଇଲା ହତଭାଗିନୀ ଝିଅଟା, ତାଙ୍କ ସୁଖ ଆନନ୍ଦର ଅନ୍ତରାୟ । ତା’ କଥା ସେ ମୋଟେ ଭାବିବେ ନାହିଁ । ଅକୃତଜ୍ଞ ଅମିୟର କଥାବି ସେ ଭାବିବେ ନାହିଁ ।

 

ସେ ଅକୃତଜ୍ଞ ସତେ ! ଦେଖୁଦେଖୁ ଛଅଟି ମାସ କଟିବାକୁ ଲାଗିଲା । ମାଲକାନଗିରିରେ ମାଇପିଟାଏ ବଢ଼ିଲା ଝିଅକୁ ଧରି ଏତେ ହଇରାଣ ହରକତ୍ ହୋଇ ଚଳୁଛି, ଥରଟିଏ ଆସି ଦେଖି ଯିବାକୁ ମନ ହେଉ ନାହିଁ । ବଥ ବଥାଏ, ଆବୁ ବଥାଏ ନାହିଁ । ସେ ଜାଣନ୍ତି, ଏହି ଅପ୍ରାକୃତ କୁଟୁମ୍ବର ସେ ଆବୁ ପରି । ପାଖରେ ଥିବାଯାଏ ସେ ମନପ୍ରାଣ ଦେଇ ଭଲ ପାଉଥିଲେ, ଅକ୍ଳାନ୍ତ ପରିଶ୍ରମ କରୁଥିଲେ । ଦୂରକୁ ଯାଇ ସେ ନିଜର ପରପଣିଆ ସମ୍ବନ୍ଧରେ ସଚେତନ ହେଲେ । ଦେହରେ ପକ୍ଷୀ ଲାଗିଲା, ସେ ଉଡ଼ିଯାଇ ଆଉ ଗୋଟିଏ ଗଛରେ ବସିଲେ । ସେ ସ୍ୱାଧୀନ, ସେ ନିଶ୍ଚିନ୍ତ ।

 

ଏ କୁଟୁମ୍ବର ଯାହା ହେଉ ତାଙ୍କର କି ଥାଏ ? କେବେ କେମିତି ଲୋକଦେଖାଣ ପାଇଁ, କି କର୍ତ୍ତବ୍ୟବୋଧରୁ ବନଇେଁ ଚୁନେଇଁ ଚିଠି ଖଣ୍ଡିଏ ଲେଖି ଦିଅନ୍ତି । ମାସକୁ ମାସ ଟଙ୍କା ପଠାନ୍ତି । ଭାବନ୍ତି ପରା, ଏତିକିରେ ତାଙ୍କର ଦାୟିତ୍ୱ ସରିଲା ? ଋଣ ସୁଝୁଛନ୍ତି ? ଯେଉଁଦିନ ଅନୁଭବ କରିବେ ଯେ ସ୍ନେହର ମୂଲ୍ୟ ସେ ପରିଶୋଧ କରି ସାରିଛନ୍ତି, ସେହି ଦିନରୁ ସେ ବି ହଜି ଯିବେ, ଖୋଜିଲେ ଆଉ ମିଳିବେ ନାହିଁ ।

 

ଅନିମା ଛଟପଟ ହେବାକୁ ଲାଗିଲେ । ଦଉଡ଼ିବୁଣା ଖଟ ଶବଦ କଲା । ଭାବନାର ଗତିକୁ ସେହି ଶବଦ ଆଡ଼େଇ ନେଲା ଆର ଘରକୁ । ଦେଖି ଆସିଲା ଅଧୀର ମନ, ଦୋଷ ନ ବୁଝି ନିଜକୁ କେଉଁ ଅଜଣା ଦୋଷରେ ଦୋଷୀ ବୋଲି ଗ୍ରହଣ କରି, ବିରକ୍ତିର ଧକ୍କାରେ ଠେଲି ହୋଇ ଯାଇଥିଲା ଯେଉଁ ନିଷ୍କଳଙ୍କ, ନିଷ୍ପାପ, କର୍ତ୍ତବ୍ୟପରାୟଣା, ସ୍ନେହ, ସୋହାଗର ଉପାଦାନରେ ଗଢ଼ା ଝିଅଟି, ସେହି ଅମିତାକୁ, ସେ ଶୋଇ ପଡ଼ିଲାଣି ।

 

ଆହା, ମାଆର ମନର ଦୁଃଖ ବୁଝିବାକୁ କେଡ଼େ ବ୍ୟଗ୍ର, କେଡ଼େ ଛଟପଟ ହେଉଛି ପିଲାଟି । ଶୋଇପଡ଼ୁ ସେ ନିଶ୍ଚିନ୍ତ ନିଦରେ, କକା ବୋଲି ଜାଣେ ସେ ଯାହାକୁ ତାଆରି ଖଟରେ । ମାଆଠାରୁ ଅବହେଳା ପାଇ, ମାଆ ମୁହଁରୁ କଠୋର ଭାଷା ଶୁଣି, ସେ ଝୁରିହେବ ତା’ର କକାକୁ । କକା ତା’ର ସପନରେ ଆସିବ । ଛାତିରେ ପକାଇ ପିଠି ଥାପଡ଼ିବ । ଗୀତ ବୋଲି ବୋଲି ଶୁଆଇ ଦେବ ତା’ର ସ୍ନେହର ଜୀବନ୍ତ କଣ୍ଢେଇକୁ ।

 

ଅମିୟର ସ୍ନେହ ଉମରକୋଟରେ ଆଉ କାହାକୁ ଆବୋରିଛି ? ସେହି ସ୍ନେହର ପ୍ରତିମା ତା’ର ସବୁ ବଳକା ସମୟକୁ ଟାଣି ନେଉଛି । ସେଇଥିପାଇଁ କାମର ଭିଡ଼ ଓ ଭବିଷ୍ୟତ୍‌ ଉନ୍ନତିର ଆଳରେ ଅମିୟ ଆସି ପାରୁନାହିଁ ? ଭଗବାନ୍‌ କରନ୍ତୁ, ତାଙ୍କର ଏହି ଜାଗ୍ରତ ସ୍ୱପ୍ନ ସତ୍ୟ ହୋଇଥାଉ-

 

ନିଜର ଭାବନାରେ ଅନିମା ଆମୋଦିତ ହେଲେ । ପଚାରିଲେ ନିଜ ମନକୁ, କିପରି ହୋଇଥିବ ସେହି ଝିଅଟି, ଅମିୟର ମନକୁ ଯେ ଆପଣାର କରିବାକୁ ସକ୍ଷମ ହୋଇ ପାରିଥିବ ? ସୁନ୍ଦରଟିଏ ହୋଇଥିବ ଅବଶ୍ୟ । କୁଲୁକୁଲିଆ ତରୁଣୀଟିଏ ।

 

କିଛି ମୁଁ ଚାହେଁ ନାହିଁ, ଧନଦରବ ଯାନିଯୌତୁକ, ମୁଁ ସେଇଆକୁ ଚାହେଁ । ଆଣିଦିଅ ମୋତେ, ମୋର ଆକାଂକ୍ଷିତ ସାନ ଭଉଣୀକୁ । ମୁଁ ତାକୁ ସଜାଇ ଦେବି, ଛାତି ଉପରକୁ ଟାଣି ନେଇ ନିଜର କରିବି, ଆଣିଦିଅ ମୋତେ ।

 

ଏହିପରି ଭାବୁ ଭାବୁ ଅନିମାଙ୍କର ମୁଦ୍ରିତ ଆଖି ପତାତଳେ ଆଖିଡ଼ୋଳା ସ୍ଥିର ହେଲା । ସେ ନିଦ୍ରିତ ହେଲେ ।

 

ତେଷଠୀ

 

ଆଖିପତା ଧୀରେ ଧୀରେ ଖୋଲିଲେ । ଦେଖିଲେ ରାତି ପାହିଛି । ଆଲୋକର ଆଗମରେ ଘରଭିତର ଉଜ୍ଜ୍ୱଳ ଦିଶୁଛି । ସକାଳର ବିବିଧରବ କାନରେ ବାଜୁଛି । ସେ ତାଙ୍କର ଲମ୍ବିଲା ପାଦ ଉପରେ କାହାର ଚାପ ଅନୁଭବ କଲେ । ତଳେଇ ଚାହିଁଲେ । ଅମିତାର ହାତଟିଏ ତାଙ୍କର ଗୋଡ଼ ଉପରେ । ମୁଣ୍ଡଟି ଖଟ ଉପରେ ପାଦତଳେ ପଡ଼ିଛି । ନିଦ୍ରାଭିଭୂତ । ନିଃଶ୍ୱାସ ଘନଘନ ଛାଡ଼ୁଛି । ଅମିତା ତଳେ ବସି ଖଟିଆ ଉପରକୁ ଆଉଜି ପଡ଼ିଛି ।

 

ନିରେଖି ଚାହିଁଲେ ତା’ର ଫାଳିକା ମୁହଁକୁ । ରାତିସାରା ଅନିଦ୍ରା ହାଇ ଅମିତା ଆର ଖଟରେ ଛଟପଟ ହୋଇଛି ପରା ! ମାଆର ସେବା କରିବାକୁ, ମାଆ ଛାତିର ବେଦନା ଓ ଦେହର ଅଜଣା ରୋଗକୁ ନିଜ ପାଖକୁ ଟାଣି ନେବାକୁ ତା’ର ମନ ବାରମ୍ବାର ଏଇ ଖଟକୁ ଧାଇଁ ଆସିଛି । ମାଆର ମନରେ କାଳେ ଦୁଃଖ ହେବ ସେହି ଡରରେ ଦେହକୁ ଉଠାଇ ଏ ଘରକୁ ସେ ଆଣି ପାରି ନଥିଲା ।

 

ଅନିମା ଅନୁମାନ କଲେ, ମାଆ ମରଣର ଦୁଃସ୍ୱପ୍ନ ଦେଖି, କେଜାଣି ତା’ର କ୍ଳାନ୍ତି ଜରଜର ଛାଇନିଦ ଭାଙ୍ଗି ଯାଇଥିବ । ବିକଳ ହୋଇ ଧାଇଁ ଆସିଥିବ । ଅନୁଭବ କରିଥିବ, ମାଆ ତା’ର ଶୋଇଛି । କୋଳକୁ ନ ଆସି ତଳେ ବସି ସେ ପାଦ ମଞ୍ଚାଳିଥିବ । ଅବଶ ମୁଣ୍ଡ ନଇଁ ପଡ଼ିଥିବ ପାଦତଳେ । ଆଖି କୋଣରେ ଲୁହର ଦାଗ ।

 

କିଏ ତୁ ମା’, କାହାର ପେଟରୁ ଜନମିଥିଲୁ ? ମାଆକୁ ଛାଡ଼ି ମୋର ନିଦଭୋଳ ଅବସ୍ଥାରେ ଛାତିରେ ଲାଖିଲୁ ? ଅବା, କେଉଁ ବସୁଦେବ ତୋତେ ଆଣି ମୋର କୋଳରେ ଛାଡ଼ିଗଲା । ମୁଁ ସେ କାଳର ଯଶୋଦା ମାତା, ଆଉ ତୁ ମୋର କୃଷ୍ଣ କହ୍ନେଇ । ଏ ଜନ୍ମରେ ଝିଅ ହୋଇ ଜନମିଛୁ । ଦେବତାମାନଙ୍କ କୂଟରୁ ଜନମିଲା ଝିଅ ମହାମାୟା ଅନ୍ତର୍ଦ୍ଧାନ ହେଲା ? ନାଇଁ ନାଇଁ, ତୁ ମୋର ସେ ଜନ୍ମର ଜନମିଲା ଝିଅ ମହାମାୟା । ଫେରି ଆସିଲୁ ମୋ କୋଳକୁ ଏ ଜନ୍ମରେ ! ଏ ଜନ୍ମର ମାୟାପୁତ୍ର ଅମିତାଭ, ହସି ଖେଳି, କେତେ ହୁନ୍ଦର କରି, ଉଭେଇ ଗଲା । ସେ ମୋର ନୁହେଁ, ତୁଇ ଏକା ମୋର ।

 

ମୋର ସୀତା ଠାକୁରାଣୀ ତୁ, ତୁଇ ଏକା ମୋର ଶକୁନ୍ତଳା !

 

ତୋତେ ମୁଁ ମୁରୁଛି ପାରିବି ନାହିଁ । ତୋ ମନରେ ଦୁଃଖ ଦେବାକୁ, ତୋର ଭବିଷ୍ୟତ୍‌ ଓ ଜୀବନକୁ ପୋଡ଼ିଜାଳି ଛାରଖାର କରିବାକୁ ମୁଁ ସତ୍ୟ ପ୍ରକାଶ କରି ପାରିବି ନାହିଁ । କରିଥାନ୍ତି ମୁଁ ଜଣଙ୍କ ପାଖରେ, ଅତି ଗୋପନରେ, କିନ୍ତୁ ସେ ତ ମଦ୍ୟ–ରାକ୍ଷସର କବଳରେ ପଡ଼ିଛନ୍ତି । କେଉଁ ଗାୟତ୍ରୀକୁ କନ୍ୟା କରି ରଖିଛନ୍ତି, ଅବା ଗାୟତ୍ରୀ ତାଙ୍କର କନ୍ୟା, ଜନମିଛି କେଉଁ ପ୍ରେୟସୀର ଦେହରୁ ।

 

ସେ ପ୍ରେୟସୀ ତାଙ୍କର ନାହିଁ, ସେପୁରକୁ ଚାଲି ଯାଇଛି । ସେ ଝୁରି ହେଉଛନ୍ତି । ପ୍ରାଣରୁ ଅଧିକ ସ୍ନେହ ସେ ତାକୁ କରୁଥିଲେ ପରା ! ତା’ର ତିରୋଧାନର ମନଦୋହଲା ଦୁଃଖକୁ ଭୁଲିଯିବାକୁ ସେ ମଦ୍ୟର ଆଶ୍ରୟ ନେଇଛନ୍ତି । ଆସିଲେ ନାହିଁ ପାଖକୁ, ଲୋଡ଼ିଲେ ନାହିଁ ।

 

ସେ ମୋତେ ପରିତ୍ୟାଗ କରିଛନ୍ତିଲୋ ଅମିତା, ସନ୍ଦେହ କରିଛନ୍ତି । ସତ୍ୟ ଘଟଣା ଜଣାଇଁ ଦେଲେ ସେ ବିଶ୍ୱାସ କରିବେ ନାହିଁ । ନ ଆସନ୍ତୁ ପାଖକୁ, ନ ଶୁଣନ୍ତୁ ମୋର ଦୁଃଖଦୁର୍ଦ୍ଦଶାର କାହାଣୀ, ଠାକୁରେ ତାଙ୍କୁ ସଦ୍‌ବୁଦ୍ଧି ଦେଉନ୍ତୁ । ଗାୟତ୍ରୀର ମାତାକୁ ସେ ଭୁଲି ଯାଉନ୍ତୁ । ସେ ଭଲ ମଣିଷ ହେଉନ୍ତୁ । ତାଙ୍କର ଭାବନାରେ ମୁଁ କଳଙ୍କିନୀ ପାପିନୀ ହୁଏ ପଛେ, ତୋତେ ମୁଁ ଭସାଇ ଦେବି ନାହିଁ ।

 

ଅନିମାଙ୍କ ଆଖିରୁ ଦୁଇଧାର ଅଶ୍ରୁଝରି ଆସିଲା । ସେ ଧୀରେ ଧୀରେ ଅମିତାର କପାଳରେ ଆଙ୍ଗୁଠି ଚଳାଇଲେ । ତୁଳିରେ ଆଙ୍କିଲା ପରି ଭ୍ରୂଲତାଟିକୁ ସାଉଁଳିବାକୁ ଲାଗିଲେ ।

 

ଉଷୁମ ପରଶ ପାଇ ଅମିତାର ନିଦ ଭାଙ୍ଗିଗଲା । ସେ ଆଖି ଖୋଲିଲା । ଦିବସର ଆଲୋକ ଦେଖି ସେ ଚମକି ଉଠିଲା । ହାତ ଟାଣି, ମୁଣ୍ଡ ଟେକି ସେ ଅସ୍ତବ୍ୟସ୍ତ ହୋଇ ଉଠିଲା । ଦେହରୁ ମୁଣ୍ଡରୁ ବସନ ଖସି ପଡ଼ିଛି । ଅସଜଡ଼ା କେଶ ଫିଟି ପଡ଼ିଛି । ଆଲୁରା ହୋଇ ପିଠିରେ ଝୁଲୁଛି । ଦୁଇପାଦ ପଛେଇ ଗଲା ।

 

ଅନିମାଙ୍କ ଆଖିରେ ଲୁହ ଦେଖି ବିକଳ ହୋଇ ପଚାରିଲା, ପୁଣି ତୁ କାନ୍ଦୁଛୁ ମା’ ? କାଲି ରାତିରେ ତୋର ନିଦ ସିନା ହେଲା, ନିଦ ବାଉଳାରେ ତୁ କେତେଥର ବିଳିବିଳେଇ ଉଠିଲୁ, କାନ୍ଦିଲୁ-। ସେଇଥିପାଇଁ ତୋ ପାଖକୁ ଆସିଲି । ସକାଳୁ ଉଠି ପୁଣି କାନ୍ଦୁଛୁ, କାହିଁକି ମୋତେ କହିବୁ ନାହିଁ-? ମୁଁ କ’ଣ ତୋର ଝିଅ ନୁହେଁ, ମୋତେ ତୁ ଜନମ କରିନୁ ?

 

କ’ଣ ସେ ବିଳିବିଳେଇଥିଲେ ? କ’ଣ ଶୁଣି ଅମିତା ଏପରି ପ୍ରଶ୍ନ ପଚାରୁଛି ? ମନ ଭିତରେ ବସାବାନ୍ଧି ଫଡ଼ଫଡ଼ ହେଉଥିବା ଗୋଟିଏ ଯୁଗର ଉଯନ୍ତ୍ରୀ ଭାବନାଗୁଡ଼ିକ ତାଙ୍କରି ଅଣାୟତରେ ଧୈର୍ଯ୍ୟର ମୁକୁଳା କବାଟର ଫାଙ୍କବାଟେ ପଦାକୁ ବାହାରି ଆସିଲେ ? ଗୋପନ ଭୟ ଓ ଅନୁତାପରେ ଅନିମା ମ୍ରିୟମାଣ ହେଲେ । ତଳକୁ ଚାହିଁଲେ । ଅମିତା ତାଙ୍କ ପାଖକୁ ଘୁଞ୍ଚି ଆସିଲା । ଖଟକୁ ଆଉଜି ଅଳି କଲା, କହିବୁ ନାହିଁ ମତେ ?

 

ମୁଣ୍ଡ ଉଠାଇ ଅନିମା ପଚାରିଲେ, କ’ଣ ମୁଁ ବିଳିବିଳେଇଲି ?

 

ବୁଝି ପାରିଲି ନାହିଁ । ଅବୁଝା ଭୟଙ୍କରିଆ କ’ଣ ସବୁ ।

 

ଅନିମା ନିଶ୍ଚିନ୍ତରେ ନିଃଶ୍ୱାସ ମାରିଲେ । ହସହସ ହୋଇ ଅମିତାର ହାତ ଧରି କହିଲେ, ବସ ମୋ ପାଖରେ ।

 

ଅମିତା ପାଖରେ ବସିଲା ।

 

ଅନିମା କହିଲେ, ତୋ ଛଡ଼ା ଆଉ କିଏ ମୋର ଅଛି ? କାହା ମୁହଁ ଚାହିଁ କାହାର ଅର୍ଦ୍ଦଳି କରି ମୁଁ ବଞ୍ଚି ରହିବି, ଜୀବନରେ ସୁଖ ଶାନ୍ତି ପାଇବି ? ପିଲା ବୁଦ୍ଧିରେ ଖେଳୁଆ ବେ–ପରବାପଣରେ କେବେ ତୁ କ’ଣ କରିଲୁ କି କାହାକୁ କ’ଣ କହିଲୁ ବୋଲି ତୋତେ ମୁଁ ଆକଟ କରିଛି । ମୋ ବିବେଚନାରେ କେଉଁଟା ଭଲ କେଉଁଟା ମନ୍ଦ ତୋତେ ବଢ଼ାଇ ଦେଇଛି, ଶିଖାଇ ଦେଇଛି । ସେଥିପାଇଁ ଭାବିଛୁ କି ତୋ ମା’ ତତେ ଭଲ ପାଏନାହିଁ ?

 

ନାଇଁଲୋ ମା’, ଆଉ କହନା, କିଛି ଭାବିବାର ବୁଦ୍ଧି ମୋର ନାହିଁ । ତୋ କଥା ମାନିବାକୁ ମୁଁ ପଣ କରିଛି ।

 

ଅନିମା ଦୁଇ ହାତର ପାପୁଲିରେ ଅମିତାର ମୁହଁକୁ ପୋଛି ଆଣିଲେ । କହିଲେ, ତୁ ମୋର ଲକ୍ଷ୍ମୀ ଝିଅଟି, ତୁ ମୋର ସୁନା ଝିଅଟି । କଥା ନ ମାନି ବାଟରୁ ଆଡ଼େଇ ଅବାଟରେ ଧାଇଁବା ଛୋଟପିଲାଙ୍କର ପ୍ରକୃତି । ଚିନ୍ତାହୀନ, ଦାୟିତ୍ୱହୀନ, ସବୁ ବିଷୟରେ ଜାଣିବାକୁ ଆଗ୍ରହୀ ଚଞ୍ଚଳ ମନର ଖୋଇ । ତୁ ସେଥିରୁ ବାହାର ନୁହୁ । ମାଆମାନଙ୍କର ପ୍ରକୃତି ସେମାନେ ବାଧା ଦେବେ, ଶାସନ କରିବେ ମୁଁ ତୋର ମାଆ, ମୋ କଥା ମନରେ ଧରି କାନ୍ଦୁଛୁ ? ସେତିକି ତ ମୋର ଦୁଃଖ ।

 

ଢଳଢ଼ଳ ଆଖିରେ ଅମିତା ତା’ର ମାଆର ବେକକୁ ଦୁଇ ବାହୁରେ କୁଣ୍ଢାଇ ଧରିଲା । କାନ୍ଧ ଉପରେ ଅଲରା ମୁଣ୍ଡଟି ରଖି କହିଲା, ଆଉ ମୁଁ କାନ୍ଦିବି ନାହିଁ, ତୋର ଅବାଧ୍ୟ ହେବି ନାହିଁ । ଦିନ କେତେ ହେଲାଣି ଦେଖିଲୁ । ଝରକାବାଟେ ଖରା ପଡ଼ିଲାଣି । ତୁ କାଲି ଉପାସ ରହିଲୁ । ଆ, ଉଠିଆ, ଦାନ୍ତ ଘସି ଆଗ ଔଷଧ ପାନେ ଖାଇଦେ । ସେଇଠୁ ତୁ ଯାହା ଖାଇବାକୁ ମନ କରିବୁ ମୁଁ କରିଦେବି ।

 

ଅମିତା ମୁଣ୍ଡ ଟେକିଲା ।

 

ଅନିମା ଖଟ ତଳକୁ ଗୋଡ଼ ଲମ୍ବାଇ କହିଲେ, ଆଉ ମୁଁ ଔଷଧ ଖାଇବି ନାହିଁ । ମୁଁ ଭଲ ହୋଇ ଗଲିଣି । ଯେଉଁ ବିଷାକ୍ତ ଚିନ୍ତାର ସାପଗୁଡ଼ାକ ମୋ ମନରେ ପଶି ମୋତେ ଦଂଶୁଥିଲେ, ସେଗୁଡ଼ାଙ୍କୁ ମୁଁ କାଲି ରାତିରେ, ମୋ ନିଦବେଳର ଅଣାୟତରେ ପଦାକୁ ଛାଡ଼ି ଦେଇଛି । ଶୁଣିଛୁ ପରା, ମୁଁ ଭୟଙ୍କର ଚିତ୍କାର କରି ବିଳିବିଳଉଥିଲି ? କ’ଣ ସେ ସାପ ମୁଁ ଜାଣି ନାହିଁ । ସେଗୁଡ଼ା ଆଉ ମୋ ମୁଣ୍ଡ ଭିତରେ ପଶିବେ ନାହିଁ । ବାଟ ପାଇବେ ନାହିଁ । ତାଙ୍କପାଇଁ ମୋ ମନର କବାଟ ତୁ କିଳିଦେଇ ପାରିବୁ ଅମିତା, ପାରିବୁ ?

 

ପୁଣି ପାଗଳୀପରି କ’ଣ ଗୁଡ଼ାଏ ଗପୁଛୁ ? ମୁଁ କ’ଣ କରି ପାରିବି ବୋଲି ତୁ କହୁଛୁ ?

 

ଯାହା ତୁ କରିଆସୁଥିଲୁ ପିଲାଟି ଦିନରୁ–ମୋ କୋଳରେ ଶୋଇ, ମୋତେ ବିଧା ଗୋଇଠା ମାରି, ମୋ ଉପରେ ରାଗରୋଷ ଅଭିମାନ କରିବୁ । ମୋ ପାଖରୁ ଦୂରେଇ ନ ଯାଇ, ମୋର ହାତ ଛିଞ୍ଚଡ଼ାକୁ ନ ମାନି ମୋତେ ତୁ କୁଣ୍ଢାଇ ଧରିବୁ ।

 

ସକାଳ ସୂର୍ଯ୍ୟର କଅଁଳ ଆଲୁଅ ପରି ଅମିତାର ଢଳଢ଼ଳ ଶିଶିର–ସିକ୍ତ ଆଖି ଦିଓଟିରେ ଉଷତ ଆଲୁଅ ଝଟକି ଉଠିଲା । ସେ ଦୁଇ ହାତ ବଢ଼ାଇ ଅନିମାଙ୍କର ମୁଣ୍ଡଟି ଧରି ତାଙ୍କର ନିରକ୍ତିଆ ମୁହଁରେ ଗେଲ କଲା । ନିଜଭୁଲା ଉତ୍ତେଜନାର ତୋଫାନର ଉପଶମ ହେଲାରୁ ସେ ପୁଣି ନିଶ୍ଚଳ ମୁଗ୍ଧ ଦୃଷ୍ଟିରେ ଚାହିଁଲା । କହିଲା, ହେଲା ଏଥର ? ଆଉ ମୁଁ ତୋ କଥା ମାନିବି ନାହିଁ । ମୋ ହାତ ଧରି ତୁନି ହୋଇ ଉଠିଆ । ସକାଳ ହେଲା, ମୁହଁ ଧୋଇଲେ ଔଷଧ ଖାଇବୁ । କାଲିଠୁ ପୁଣି ଉପାସ ଅଛୁ ।

 

ଅନିମା ଉଠି ଠିଆ ହେଲେ । କହିଲେ, ମୋ ଦେହ ତ ଭଲ ହୋଇଗଲାଣି, ଆଉ ଔଷଧ କାହିଁକି ଖାଇବି ? ହଉ ଚାଲ, ତୋର ଅବାଧ୍ୟ ହେବିନି । ତୁ ମୋର ମାଆଟି ?

 

ଅମିତାର ଛାତି ଫୁଲିଫୁଲି ଉଠିଲା ।

 

ଚଉଷଠୀ

 

ଦିନ ସାତୋଟି ମନରୁ ସବୁ ଦୁଶ୍ଚିନ୍ତା ଦୂର କରି, ନିଜଗଢ଼ା ସଂସାରକୁ ପୁଣି ନିଜର ବୋଲି ଗ୍ରହଣ କରି, ସେ ନୂଆ ମଣିଷଟିଏ ହୋଇଥିଲେ । ସେ ହୋଇଥିଲେ ସତେକି ଅମିତାର ଟିକି ଝିଅଟିଏ, ଅବା ଅତି କୌତୁକିଆ ଖେଳ–କଣ୍ଢେଇ । ସେ ବୁଝିଥିଲେ, ତାଙ୍କର ଯତ୍ନ ନେଇ, ତାଙ୍କୁ ଔଷଧ ଓ ପଥ୍ୟ ଖୁଆଇ, ନିଜ ହାତରେ ତାଙ୍କୁ ସଜାଇ ଅମିତା ଆନନ୍ଦିତ ହେଉଛି ।

 

ହେଉ ସେ ଆନନ୍ଦିତ, ଦରବୁଢ଼ୀ ମାଆର କେଶ ବାନ୍ଧି, ମୁଣ୍ଡରେ ସିନ୍ଦୂର, ଆଖିରେ କଜଳ, ପାଦରେ ଅଳତା ବୋଳି । ସେ ବାଧା ଦେବେ ନାହିଁ । କାଁଭାଁ ହୋଇ ମୁଣ୍ଡରେ ପାଚିଥିବା କେଶଗୁଡ଼ିକ ସେ ଓପାଡ଼ି ପକାଇଛି । ମାଆ ତା’ର ବୁଢ଼ୀ ହେବ, ଏହା ସେ ବିଶ୍ୱାସ କରିବାକୁ ଚାହୁଁ ନାହିଁ । ମାଆକୁ ସେ ବୁଢ଼ୀ କରାଇ ଦେବ ନାହିଁ ।

 

ଅନିମା ଭାବନ୍ତି, ଏ ସଂସାର ତାଙ୍କର ନୁହେଁ, ଅମିୟର ନୁହେଁ, ଏ ସଂସାର ଅମିତାର । ନ ଜାଣୁ ପଛେ, ସେହି ଏକା ଅବାସ୍ତବକୁ ବାସ୍ତବ କରି ନିଜ ଉପରେ ତାଙ୍କର ଓ ଅମିୟର ସ୍ନେହକୁ ବାନ୍ଧି ଗଣ୍ଠି ପକାଇଛି । ସେ ଗଣ୍ଠିକୁ ସେ ଛିନ୍ନ କରିବେ ନାହିଁ, ଦୁନିଆର ଲୋକେ ଯାହା ପଛେ କୁହନ୍ତୁ, ଅବା ଭାବନ୍ତୁ । ସେ ଗଣ୍ଠିକୁ ଖୋଲିଲେ ଅବା କାଟିଲେ ତା’ର ତ ସର୍ବନାଶ ହେବ, ଅନିମା ଓ ଅମିୟ ଦୁହେଁ ଦୁଇଆଡ଼େ କେତେ ଦୂରରେ ଛିରିକି ପଡ଼ିବେ ।

 

ଏଇ ଝିଅଟି, ଫୁଟିଲା ଗୋଲାପ ଫୁଲ ପରି ସୁନ୍ଦର, ସଜ ଓ ସତେଜ । ମନ ଖୁସିରେ ଦୋହଲି ଦୋହଲି ଖେଳୁଛି । ହସର ପ୍ରଭା ଓ ସବୁ ସଦ୍‌ଗୁଣର ବାସ ଚହଟାଇଛି । ତାକୁ ବୃନ୍ତରୁ ଛିଣ୍ଡାଇ ତଳେ ପକାଇ ଗୋଡ଼ରେ ଚକଟି ନାଶ କରିବାକୁ କେଉଁ ମାଆର ମନ ହେବ ? ସ୍ୱାମୀ ତାଙ୍କୁ କଳଙ୍କିନୀ ଭାବି ଦୂରେଇ ଯାଇଛନ୍ତି ତାଙ୍କ ନିଜ ଗଢ଼ା କୁଟୁମ୍ବ ମଝିକୁ । କନ୍ୟାଟିଏ ତାଙ୍କର ଅଛି-। ସେହି କନ୍ୟାଟିର ମମତାରେ ବାନ୍ଧି ହୋଇ ସେ ସୁଖରେ ରହନ୍ତୁ, ଛଦ୍ମନାମ ଧରି ଶାନ୍ତିରେ ରହନ୍ତୁ-

 

କାହିଁକି ସେ ଛଦ୍ମନାମ ଧରି ଆତଯାତ ହେଉଛନ୍ତି ? ସେ କ’ଣ ଖୁଣୀ, ଅବା କେଉଁ ଅକ୍ଷମଣୀୟ ଅପରାଧ କରି ଦଣ୍ଡ ପାଇବା ଭୟରେ ଆତ୍ମଗୋପନ କରିବାକୁ ଚାହାନ୍ତି ? କେଉଁ ପାପକର୍ମ ପାଇଁ ଅନୁତପ୍ତ ? ସହି ପାରୁ ନାହାନ୍ତି ସେହି କର୍ମର ତାପ ? ମଦ ନିଶାରେ ବିବେକକୁ ସର୍ବଦା ନିର୍ଜୀବ କରି ରଖିବାକୁ ମଦର ଆଶ୍ରୟ ନେଇଛନ୍ତି, କେବଳ ବଞ୍ଚି ରହି କନ୍ୟାଟିକୁ ପାଳି, ବଢ଼ାଇ, ପରଘରକୁ ପଠାଇ ନିଶ୍ଚିନ୍ତ ହେବାକୁ ?

 

ହୋଇଥିବ ସତ୍ୟ ! ଘଟଣା ଚକ୍ରରେ ମଣିଷର ସ୍ୱଭାବ ଓ ପ୍ରକୃତି ବଦଳେ । ଅନିମାଙ୍କ ପାଖକୁ ଆସି ଆତ୍ମପ୍ରକାଶ କଲେ ଦୁନିଆ ତାକୁ ଚିହ୍ନିବ । ସେହି ଅଜଣା ଅପରାଧ ପାଇଁ ତାଙ୍କର କ’ଣ ଦଣ୍ଡ ହେବ, ସେହି ଡରରେ ସେ ଦୂରେଇ ଗଲେ ?

 

ଯଦି ଏପରି କିଛି ହୋଇଥାଏ, ସେ ନିଜେ ଅଧୀର ଅସ୍ଥିର ହୋଇ, ଧୈର୍ଯ୍ୟକୁ ମନରୁ ନିର୍ବାସିତ କରି ସତ୍ୟ ଘଟଣା ପ୍ରକାଶ କଲେ, ଜାଣି ଜାଣି ସେ ବିପଦକୁ ସ୍ୱାମୀଙ୍କ ମୁଣ୍ଡକୁ ଟାଣି ଆଣିବେ । ଭଗବାନଙ୍କୁ ଧନ୍ୟବାଦ ଯେ ସେ ବଞ୍ଚି ରହିଛନ୍ତି । ଶତ୍ରୁଦଳଙ୍କ ମଝିରୁ ପଳାଇ ଆସି ପାରିଛନ୍ତି । ଭଗବାନ୍‌ ତାଙ୍କୁ ସଦ୍‌ବୁଦ୍ଧି ଦେଉନ୍ତୁ । ଜୀବନ ରକ୍ଷାପାଇଁ ଆତ୍ମଗୋପନ କରି ସେ ଆତଯାତ ହେଉନ୍ତୁ ପଛେ, ସେ ଭଲ ମଣିଷ ହେଉନ୍ତୁ । ଦୂରରୁ ଦେଖି ଅନିମା ସୁଖୀ ହେବେ !

 

ଏଇ ଝିଅଟି ପାଇଁ ସ୍ୱାମୀଙ୍କ ମନରେ ଜାଗିଥିବା ସନ୍ଦେହକୁ ଏ ଜୀବନରେ ଦୂର କରିବାକୁ ସେ କେବେ ଚେଷ୍ଟିତ ହେବେ ନାହିଁ । ଅମିତା ପିଠିଆଡ଼େ ବସି ମୁଣ୍ଡ କୁଣ୍ଡାଇ ଦେଉଛି । ଆଣ୍ଠୁମାଡ଼ି ପିଠି ଉପରେ ଭରା ଦେଇ ମୁଣ୍ଡର କେଶ ଭିତରେ ଆଙ୍ଗୁଠି ଚଳାଇ ଧଳା କେଶ ଖୋଜୁଛି-। ବେଳେବେଳେ ଓପାଡ଼ି ଖୁସିହୋଇ ପାଚିଲା କେଶକୁ ଦେଖାଇ କହୁଛି, ନଅଟା ହେଲା ମା’–

 

ମୁଁ ବୁଢ଼ୀ ହେଲିଣି ମିତା, ଏଥର ଗୋଟି ଗୋଟି ହୋଇ ସବୁ କେଶ ପାଚିବ । ତୁ ଯଦି ବାଳ ବାଛି ଉପାଡ଼ିବାକୁ ପଣ କରିବୁ, ଦିନେ ମୋତେ ଲାଣ୍ଡି କରିଦେବୁ ।

 

ଆଉ ତେବେ– ।

 

ଝିଅର ହାତ ଧରି ଆଗକୁ ନେଇ ସ୍ନେହପୂର୍ଣ୍ଣ ଆଖିରେ ତା’ର ଢଳଢ଼ଳ ମୁହଁକୁ ଚାହିଁ କହିଲେ, ମୋ କେଶ ସେମିତି ବିଞ୍ଚିହୋଇ ପଡ଼ିଥାଉ ପିଠି ଉପରେ । ଆ, ଆଗ ତୋର କେଶ ବାନ୍ଧି ଦିଏଁ, ସେଇଠୁ ତୁ ମୋ ମୁଣ୍ଡକୁ ଲଣ୍ଡା କରିବୁ ପଛେ । ମା’ ଦେହ ଭଲ ହୋଇ ଗଲାଣି । ଦେହ ଖରାପ ଅଛି ବୋଲି ତୋ କକାଙ୍କୁ ଡରାଇ ଲେଖି ଦେଲୁ । ଦେଖିବୁ ରହ, ସେ ଉଚ୍ଛନ୍ନ ହୋଇ ଧାଇଁ ଆସିବେ । ତୋ ଶୁଖିଲା ମୁହଁ, ଅଭେକା ରୂପ ଦେଖି ମନେ କରିବେ, ମୁଁ ତୋ ଯତ୍ନ ନେଇନାହିଁ । ତତେ ଖଟେଇ ଖଟେଇ ଏ ଅବସ୍ଥା କରିଛି ।

 

ତୋ ଆଖିକି ମୁଁ ସେମିତି ଦିଶୁଥିବି । ଆଉମାନେ କହୁଛନ୍ତି, ମୁଁ ଡେଙ୍ଗା ହୋଇଛି । ମୋଟେଇ ଯାଇଛି । ସତୋଲୋ ମା’, ମୁଁ ତୋ ଉଞ୍ଚ ହେଲିଣି । କମଳା ମାଉସୀ କହିଲେ, ମୋ ମୁହଁଟା କୁଆଡ଼େ ଅବିକଳ ମୋ କକା ମୁହଁ ପରି ହୋଇଛି । ସତେ କି ମା’ ?

 

ଅନିମା ତୁନି ରହି ଚିନ୍ତା କଲେ, କମଳା ପିଲାଟାକୁ ଏପରି କହି ତାଙ୍କ ମନତଳେ ଖିଲି ଖିଲି ହୋଇ ହସୁଥିବା ଅସନା କୁତୂହଳର ଆଭାସ ଦେବାକୁ ଚାହାନ୍ତି । ଉତ୍ତର ଦେଲେ, ତୁଳନା କଲେ ସବୁ ମଣିଷ ସବୁ ମଣିଷ ପରି ଦିଶନ୍ତି । ସେଇ ତ ଦୁଇଟା ଆଖି, ଦୁଇଟା କାନ, ଗୋଟାଏ ନାକ ଓ ଗୋଟାଏ ପାଟି । ତୋ କକା ପରି ଯଦି ତୁ ଦିଶିଲୁ ତ ଦିନେ ପୁଣି ତାଙ୍କ ଆଖିକୁ ତୁ ତୋ ମା’ ପରି ଦିଶିବୁ । ମୋ ଆଡ଼କୁ ପିଠି କରି ତୁନି ହୋଇ ବସ । ବେଳ ହେଲାଣି ଚାରିଟା । କେତେ କାମ ବାକି ଅଛି ।

 

ସେହି ଦିନ ସନ୍ଧ୍ୟାରେ ଅମିୟ ଆସି ଘରେ ଉପସ୍ଥିତ ହେଲା । ସଙ୍ଗରେ ଅଛି ବୋଝିଆ-। ସେ ବଦଳିଛି । ସେ ବାବୁ ହୋଇଛି । ଧଳା ପ୍ୟାଣ୍ଟ ଉପରେ ଅଧା ହାତକଟା ହାୱାଇନ୍‌ ପିନ୍ଧିଛି-। ଗୋଡ଼ରେ ଖଇରିଆ ମୋଜା ଓ ଜୋତା । ମୁଣ୍ଡବାଳ ଓଲଟା କୁଣ୍ଡାଇଥିଲା । ବସ୍‌–ଜର୍ଣ୍ଣିରେ ଇତସ୍ତତଃ ହୋଇଛି । କେରା କେରା କେଶ କପାଳ ଉପରକୁ ଓହଳି ପଡ଼ିଛି । ନାକ ତଳେ ପ୍ରଜାପତିଆ ନିଶ । ସ୍ୱାସ୍ଥ୍ୟ ଭଲ ହୋଇଛି । ରଙ୍ଗ ବଦଳିଛି । ପକେଟରେ ଦୁଇଟି ଫାଉଣ୍ଟେନ୍‌ ପେନ୍‌-। ବାଁ ହାତରେ ରିଷ୍ଟ–ୱାଚ୍‌ ।

 

ବୋଝିଆର ମୁଣ୍ଡରୁ ହୋଲ୍‌ଡ଼ର୍ ଓ ନୂଆ ଚମଡ଼ା ସୁଟ୍‌କେଶ୍‌ ସେ ତଳକୁ ଓହ୍ଲାଇଲା । ତା’ ହାତରୁ ହ୍ୟାଣ୍ଡ୍‌ବ୍ୟାଗ୍‌ଟି ନେଇ ପିଣ୍ଡା ଉପରେ ରଖିଲା । ଅମିତା ନଲଟଣ ଜଳାଇ ବାରଣ୍ଡାକୁ ଆଣିଲା । ଅନିମା ଆନନ୍ଦର ଉତ୍ତେଜନାରେ ଏ ଘର ସେ ଘର ହୋଇ ବାରଣ୍ଡାକୁ ଆସି ଫେରିଗଲେ ଠାକୁରମାନଙ୍କ ପାଖକୁ । ତଳେ ମୁଣ୍ଡ ଲଗାଇଲେ । ପ୍ରାର୍ଥନା କରିବାକୁ ଭୁଲିଗଲେ ପରା ! ମୁଣ୍ଡ ଉଠାଇ ଦି’ ଖେପାରେ ବାରଣ୍ଡାକୁ ଆସିଲେ । ଦେଖିଲେ, ଅମିୟ ଫାଟକ ପାଖକୁ ଯାଇ ବୋଝିଆକୁ ପଇସା ଦେଇ ବିଦାୟ କରୁଛି, ଅମିତା ଆଲୁଅ ଦେଖାଉଛି । ଅନିମା ଚାହିଁ ରହିଲେ । ତୁଣ୍ଡରୁ କଥା ବାହାରିଲା ନାହିଁ ।

 

ଅମିତା ତଳେ ଆଲୁଅ ରଖି ଫାଟକ ପାଖରୁ ଲେଉଟି ଆସୁଥିବା ଅମିୟ ପାଖକୁ ଯାଇ କହି ଉଠିଲା, କକା– ! ସଙ୍ଗେ ସଙ୍ଗେ ନଇଁପଡ଼ି ଅମିୟର ଜୋତାପିନ୍ଧା ପାଦରେ ହାତ ଦେଇ, ମୁଣ୍ଡରେ ଆଙ୍ଗୁଠି ଲଗାଇଲା ।

 

ଅମିୟ ଅଳପ ନଇଁ ତା’ର ହାତ ଧରି ଉଠାଇ କହିଲା, ଆରେ ମୋର ମା’ ମିତା, ଭାଉଜଙ୍କର ଦେହ କିପରି ଅଛି ?

 

ଅମିତା ଆଲୁଅ ଟେକି ଅଭିମାନିଆ ସ୍ୱରରେ କହିଲା, ସେ ବେଶ୍‌ ଭଲ ଅଛି । ତମର କି ଥାଏ ? ଦିଶୁ ନାହିଁ କି, ସେ ପିଣ୍ଡା ଉପରେ ଠିଆ ହୋଇଛି ?

 

ଅନିମା ଆକଟି କହିଲେ, ମିତା, କକାଙ୍କ ଉପରେ ଅଭିମାନ କରିବାର କ’ଣ ଏଇ ବେଳ-? ଦିନରାତି କକାଙ୍କୁ ଝୁରି ହୋଇ ତୋର କଣ୍ଟା ଦୋହଲିଲାଣି । ଦେଖିବା ସଙ୍ଗେ ସଙ୍ଗେ ଆଗ ଆରମ୍ଭ କରିଦେଲୁଣି ଅଭିମାନ ?

 

ଅମିୟ ପାଖକୁ ଆସି କହିଲା, ସେଇଟା ମୋର ମା’ କିନା, ସେଇଥିପାଇଁ ସେ ଆଗ ତିଆରିବ । ସେଇଠୁ ଆସି ମୋତେ ଗେଲ କରିବ ।

 

ଅମିୟ ତା’ର ଭାଉଜଙ୍କର ପଦଧୂଳି ନେଇ ମୁଣ୍ଡରେ ଲଗାଇଲା । ତାଙ୍କର ବିଷଣ୍ଣ ମୁହଁକୁ ଅନାଇଁ ରହିଲା । ଅନିମା ତା’ର ଚିବୁକରେ ହାତ ଦେଇ କହିଲେ, ଦେଖ୍‌ଲୋ ମିତା, ତୋ କକାର ଅବସ୍ଥା କ’ଣ ହୋଇଛି । ହୋଟେଲରେ ଏଣୁତେଣୁ ଖାଇ ଆଖି ଦିଓଟି ପଶି ପଶି ଯାଇଛି ।

 

ଅମିୟ ଆଖି ଛଳଛଳ କରି କହିଲା, ମୋର କିଛି ଅସୁବିଧା ହୋଇ ନାହିଁ ଭାଉଜ, କିନ୍ତୁ ତୁମେ–

 

ଆଉ ସେ କହି ପାରିଲା ନାହିଁ । ଅନିମା ହସହସ ହୋଇ କହିଲେ, ମୁଁ ତ ବେଶ୍‌ ଭଲ ଅଛି । ମିତା କଥା ଜାଣନାହିଁ ? ତମୁକୁ ନ ଦେଖି ରାତିରେ ସେ ସପନ ଦେଖୁଛି । ମୋ ଦେହକଥା ବଢ଼େଇ ଲେଖି ତମୁକୁ ସେ ଓଟାରି ଆଣିଛି ଅମିୟ, ଆଉ ତା’ର ଧୈର୍ଯ୍ୟ ରହିଲା ନାହିଁ । ଛ’ ମାସର ଅଦେଖା !

 

ଅମିତା ସୁଟ୍‌କେଶ୍‌ ଓ ହ୍ୟାଣ୍ଡ୍‍ବ୍ୟାଗ୍ ଘର ଭିତରକୁ ନେଉଣୁ କହିଲା, ବେଶ୍‌ ହେଲା, ଅମିୟ ମୋର କ’ଣ ଖାଉଛି, କେମିତି ଚଳୁଛି ଏଇଆ ଗୁଣି ହୋଇ ମା’ ମୁଠିଏ ଭଲକରି ଖାଉ ନାହିଁ-। ରାତିଅଧରେ ବିଳିବିଳଉଛି । କହ ତ କକା, ଏତେ ଭାବିଲେ ମୁଣ୍ଡ ବୁଲାଇବ ନାହିଁ, ଛାତି ଧଡ଼ଧଡ଼ ହେବ ନାହିଁ । ସେଇଥିପାଇଁ ସେ ଦୁର୍ବଳ ହୋଇ ପଡ଼ିଛି ।

 

ଆଲୋ ଅମିତା, କକା ତୋର ଉପାସ ଭୋକରେ ଧାଇଁ ଆସିଛନ୍ତି, ଗୁଡ଼ାଏ କଥା କହି ତାଙ୍କର ପେଟ ପୂରାଇବୁ ? ଯା ଆଗ, ଚୁଲି ଲଗାଇ ଚଟ୍‌କରି ଦିଖଣ୍ଡି ପରଟା, ଟିକିଏ ମୋହନଭୋଗ, ଆଉ କପେ ଚା’ କରି ଆଣ । ତୁମେ ଆଗ ପୋଷାକ ବଦଳାଇ ସୁସ୍ଥ ହୁଅ ଅମିୟ, ଖବର ପାଇଲେ କେଉଁମାନେ ସବୁ ପହଞ୍ଚି ଯିବ ତ ରାତିଅଧଯାଏ ଗପ କରିବେ । ଆସ, ତୁମେ ଭାରି କ୍ଳାନ୍ତ ହୋଇଛ ।

 

ଦୁଇ ହାତରେ ହୋଲ୍‌ଡ଼ର୍ ଟେକି ଅନିମା ଟଳଟଳ ହୋଇ ଆର ଘରକୁ ଗଲେ । ଅଶ୍ରୁଭରା ନେତ୍ରରେ ଅମିୟ ଚାହିଁ ରହିଲା ତା’ର ସ୍ନେହମୟୀ ଭ୍ରାତୃଜାୟାଙ୍କୁ, ଯିଏ ଅଭୟ ଦେଇ ତାକୁ ବଞ୍ଚାଇ ରଖିଛନ୍ତି, କୂଳରେ ଲଗାଇ ତାକୁ ମଣିଷ କରିଛନ୍ତି, ଅନାଥ ପିଲାଟିଏ ବୋଲି ଜାଣି, ନିର୍ମଳ ସ୍ନେହଶୀଳ ମନରେ ଯିଏ ତାକୁ ଅର୍ପଣ କରିଛନ୍ତି ମାତୃତ୍ୱ । ହେଇଟି, ଟଳି ଟଳି ସେ ଯାଉଛନ୍ତି—

 

ଅମିୟ ଜୋତାର ଫିତା ଖୋଲୁ ଖୋଲୁ ଭାବିବାକୁ ଲାଗିଲା । କି ଦଣ୍ଡ ସେ ତା’ର ଅପରାଧୀ ନିଜତ୍ୱକୁ ଦେବ ? ସେ କ’ଣ କେବଳ ନୂତନ କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତ ଥାଇ, ପୁଣି ଭବିଷ୍ୟତ୍‌ରେ ପଦୋନ୍ନତି ପାଇବାପାଇଁ ଉଦ୍ୟମ କରି ହାକିମମାନଙ୍କୁ ସନ୍ତୁଷ୍ଟ କରିବାରେ ଏତେଦିନ କାଳ ତା’ର ଭ୍ରାତୃଜାୟା ଓ ଝିଆରୀଙ୍କୁ ଦେଖିବାଲାଗି ଆସି ପାରି ନଥିଲା ? ଅମିୟ ତା’ର ଭାଉଜଙ୍କର ଖଟିଆ ଉପରେ ବସି ଦେହରୁ ଜାମା ଖୋଲୁଣୁ ଏହି ପ୍ରଶ୍ନଟି ନିଜର ମନକୁ ପଚାରିଲା । ଅମିତା ଆଉ ଗୋଟିଏ ନଲଟଣ ଜଳାଇ ଘର ମଝିରେ ରଖିଲା । ଅମିୟ କହିଲା, ମିତା ଶୁଣ, ମୋ ପାଖକୁ ଆ ।

 

ଅମିତା କହିଲା, ନା, ତୁମେ ଜାମା ଖୋଲି ଲୁଗା ପାଲଟି ଗୋଡ଼ ହାତ ଧୋଇ ସୁସ୍ଥ ହୁଅ-। ଆଗ ମୁଁ ଚୁଲି ଧରାଇ ତୁମପାଇଁ କପେ ଚା’ କରି ଆଣେ । ହଁ, ଗୁଣ୍ଡ ଦୁଧରେ ଚା’ ହେବ, ଭଲ ନ ଲାଗିଲେ ମୋ ଦୋଷ ଦେବନାହିଁ ଆଗରୁ କହୁଛି । ହେଇଟି, ମା’ ସେ ଘରେ ତୁମର ଲୁଗାପଟା ଓ ବିଛଣା ସଜାଡ଼ିବାରେ ଲାଗି ଗଲେଣି । ମୁଁ ଚୁଲି ନ ଲଗାଇଲେ ସେ ରୋଷେଇଘରେ ପଶିବେ ।

 

ବେଣୀ ଦୋହଲାଇ ନାଚିଲା ଭଙ୍ଗୀରେ ଅମିତା ଘରୁ ବାହାରି ପଦାକୁ ଚାଲିଗଲା । ମୁଗ୍ଧ ନେତ୍ରରେ ଅମିୟ ଚାହିଁଲା । ଭାବିଲା, ଅମିତାଟି କେତେ ଶୀଘ୍ର ବଡ଼ ହୋଇ ଗଲାଣି । ଝିଅମାନେ ଏମିତି ବଢ଼ି ଉଠନ୍ତି ପରା ! ଏଇ ଝିଅଟି ଆଉ ତା’ର ମା’, ଯେଉଁମାନେ ତାକୁ ଆପଣାର କରି ସାରିଛନ୍ତି, ସେମାନଙ୍କୁ ଏକୁଟିଆ ଛାଡ଼ି ନିଶ୍ଚିନ୍ତରେ ସେ ଉମରକୋଟରେ ରହି ପାରିଲା କିପରି ?

 

ପିଲାଟିକୁ ଅଦ୍ୟାପି ତା’ର ମା’ ଜଣାଇଁ ନାହାନ୍ତି ଯେ ତା’ର କକା ଅମିୟ ମଣ୍ଡଳ ପ୍ରକୃତରେ ଆଉ ଜଣେ କିଏ–ଅମିୟ ଦତ୍ତ ! ନିଜ ଭିତରେ ସେ ପ୍ରକୃତ ସତ୍ୟକୁ ସମାଧି ଦେଇଛନ୍ତି । ସେ ସମାଧିକୁ ଭୁଲ୍‌ରେ କେବେ ଖୋଲିବାକୁ ସେ ପ୍ରୟାସୀ ନୁହନ୍ତି । କିନ୍ତୁ ସେ ନିଜେ ଆପଣାକୁ ଆୟତ୍ତାଧୀନ ରଖି ପାରିଥିଲେ ମଧ୍ୟ ସତ୍ୟର ସମାଧି ତଳେ ଅଣାୟତ୍ତରେ ନିରୋଳା ନୀରବରେ ଛଟପଟ ହେଉଛି । କେବେ କେମିତି ତା’ର ପରପଣିଆ ଅବଚେତନର କବାଟ ଖୋଲି ଚେତନର ଚୁଟି ଧରି ପଛରୁ ଟାଣିବାକୁ ହାତ ବଢ଼ାଉଛି ।

 

ସେହି ପରପଣିଆର ଅଲକ୍ଷ୍ୟ ହାତ ତାକୁ ଉମରକୋଟରେ ଅଟକାଇ ରଖିଥିଲା, ଅବା ତା’ର ନିଦ୍ରିତ ତାରୁଣ୍ୟର ନିଦ ଭଙ୍ଗାଇ, ତାକୁ ହଲାଇ ହଲାଇ ଜାଗ୍ରତ କରି ଉଠାଇଥିଲା ଯେଉଁ ରୂପସୀ ମଉନାବତୀ ତରୁଣୀ ଗାୟତ୍ରୀର ସାନ୍ନିଧ୍ୟ, ସେ ? ଆଜି ସକାଳେ ଉମରକୋଟରୁ ବିଦାୟ ନେଇ ମୋଟେ ଚାରୋଟି ଦିନ ଛୁଟିରେ ଆସିବା ସମୟରେ ସେ ତା’ର ବଡ଼ ଟ୍ରଙ୍କ୍‍ଟି, ବିଛଣାପତ୍ର ଓ ବାସନକୁସନ ଏବଂ ବହିପତ୍ରଭରା କାଠର ଢାବଲ ଅଧମବାବୁଙ୍କ ଘରେ ରଖିଲା ।

 

ମେସ୍‌ର ଭୂତଖାନା ଭିତରେ ସେଗୁଡ଼ିକ ପକାଇ ଦିନକପାଇଁ ହେଲେ କୁଆଡ଼େ ଯିବାକୁ କଲ୍ୟାଣୀ ବାରଣ କଲେ । ଜିନିଷପତ୍ର ଅଧମବାବୁଙ୍କ ଘରେ ରଖିବାକୁ ସେ ପ୍ରସ୍ତାବ କଲେ । ଅଧମବାବୁ ସମ୍ମତ ହେଲେ । ସେଗୁଡ଼ିକର ଉପରେ ଟିକିଏ ଦୃଷ୍ଟି ଦେବାକୁ ସେ ଗାୟତ୍ରୀକୁ ନିର୍ଦ୍ଦେଶ ଦେଲେ । ଗାୟତ୍ରୀ ବାଧା ଦେଲାନାହିଁ କି ବିଶେଷ ଆଗ୍ରହ ପ୍ରକାଶ କଲାନାହିଁ । ତା’ର ହସହସ ସୁନ୍ଦର ମୁହଁରେ ଅଜଣା ଅନନୁମୋଦନର ଟିକିଏ ଆଭାସ ଥିଲାପରି ଅମିୟ ଅନୁଭବ କଲା ।

 

ବିଧାନ ପିଲାଟି ଆଗ୍ରହରେ ଓ ଉତ୍ସାହରେ ଜିନିଷପତ୍ର ମେସ୍‌ରୁ ଆଣି ଅଧମବାବୁଙ୍କ ଘରେ ରଖିବାରେ ସାହାଯ୍ୟ କରୁଥାଏ । କଲ୍ୟାଣୀ ଅପା ଖୁକୀର ହାତ ଧରି ପାଖରେ ଠିଆ ହୋଇ ହସହସ ମୁହଁରେ ଲକ୍ଷ୍ୟ କରୁଥାନ୍ତି । ମେସ୍‌ର ବନ୍ଧୁମାନେ ବିଶେଷତଃ, ବନ୍ଧୁ ସୁକୁମାର ବିରକ୍ତିକର ଥଟ୍ଟା କରୁଥାନ୍ତି,–ଆରେ ଜୋଇଁବାବୁ !

 

ସେହିମାନଙ୍କର ମିଳିତ ପ୍ରଭାବରେ ସେ ଅଟକି ରହିଥିଲା ଉମରକୋଟରେ, ମାଲକାନଗିରିର ବନ୍ଧନ ମନରୁ ହୁଗାଳି ? ବିଧାନର ଜୀବନର ଇତିହାସ ଶୁଣି ଦୁଃଖର କୁହୁଡ଼ି ଭିତରେ ସେ ନିଜ ଅସ୍ତିତ୍ୱର ବିସ୍ମରିଲା ନିଜତ୍ୱକୁ ଆବିଷ୍କାର କରିଥିଲା ଭଉଣୀ ଭିଣେଇ ଓ ଭଣଜା ଭାଣିଜୀଙ୍କର ଅସ୍ପଷ୍ଟ ଉପସ୍ଥିତିରେ ।

 

ଅପାଙ୍କ ପାଖକୁ ଖଣ୍ଡେ ପତ୍ର ଲେଖିବାପାଇଁ ବାରମ୍ବାର ସେ କଲମ ଉଠାଇଛି । ଘଣ୍ଟା ଘଣ୍ଟା ସେ ଚିନ୍ତା କରିଛି, କ’ଣ ଲେଖିବ । ଭାବୁ ଭାବୁ ତା’ର ବୁଦ୍ଧି ହଜି ଯାଇଛି । ନିଜକୁ ପ୍ରକାଶ କଲେ ପରିରତି କ’ଣ ହେବ ? ସେ ପୁରୁଷ ପିଲା, ଦୁନିଆ ଲୋକଙ୍କର ନିନ୍ଦା ଓ ସମାଲୋଚନାକୁ ସେ ପିଠେଇ ଦେଇ ପାରିବ କିନ୍ତୁ କି ଅବସ୍ଥା ହେବ ଏହି ପତି–ବିରହିଣୀ ଅନାଥିନୀ ନାରୀ ଓ ତାଙ୍କର କନ୍ୟାର, ଯେଉଁମାନେ ତାକୁ ସ୍ନେହ ସୋହାଗର ବନ୍ଧନରେ ପରସ୍ତ ପରସ୍ତ ଗୁଡ଼ାଇ ବାନ୍ଧିଛନ୍ତି ? ନା, ସେ ଚିଠି ଲେଖି ପାରିବ ନାହିଁ । ତା’ର ଅପା, ଭିଣୋଇ ଓ ଭଣଜାଭାଣିଜୀ, ସୁଖରେ ରହନ୍ତୁ, ଆନନ୍ଦରେ ରହନ୍ତୁ ।

 

କଲମ ବନ୍ଦ କରି ଅମିୟ କେତେ ଥର ଉଠିଛି । ମନର ଦ୍ୱନ୍ଦ୍ୱ ଓ ବିଷାଦ ଭାବ ଦୂର କରିବାକୁ ଗାୟତ୍ରୀ ପାଖକୁ ଯିବାକୁ ଉଠି ଆସିଛି । ଘର ଆଗରେ ଠିଆ ହୋଇ କର୍ମରତା ବା ପଠନରତା ଗାୟତ୍ରୀ ଆଡ଼କୁ ତାଙ୍କର ଘର ଭିତରକୁ ଦୃଷ୍ଟି ପକାଇଛି । ଦୃଷ୍ଟି ଫେରାଇ ଚାରି ଆଡ଼କୁ ଚାହିଁଛି, କିଏ କେଉଁଠି ତାକୁ ଦେଖୁଛି କି ? ଆଗେଇ ଯାଇଛି, କଲ୍ୟାଣୀ ଅପା ଘରକୁ, ଯେଉଁଠିକି ସମସ୍ତଙ୍କର ଅବାଧ ଗତି ।

 

ସେହି ନୂତନ ପରିସ୍ଥିତିରେ ସେ ଅଟକି ରହିଥିଲା । ଆଉ ସବୁ ପେଖନା ମନର ଆରା । ନ ପଚାରିବା କାହାର ପ୍ରଶ୍ନର ଆଗୁଆ ଉତ୍ତର । ପରିଚିତ ବାୟୁମଣ୍ଡଳରେ ନିଜଗଢ଼ା ସଂସାରରେ ଯେଉଁଠି ଯୁଆଡ଼କୁ ଅନାଇଁଲେ ସେ ନିଜ ମନର ଓ ହାତର ପରଶର ଜୀବନ୍ତ ଚିତ୍ର ଦେଖି ପାରୁଛି, ସେଇଠି ମୁହୂର୍ତ୍ତକରେ ଆତ୍ମ–ସମୀକ୍ଷା କରି ସେ ବୁଝି ପାରିଛି ଯେ ସେ କେବଳ ଅନ୍ୟାୟ କରିନାହିଁ, ସେ ଅପରାଧ ମଧ୍ୟ କରିଛି ।

 

ଯେଉଁ ପାଗଳିନୀ ମାତୃମୂର୍ତ୍ତି ତା’ର ରକ୍ତାକ୍ତ କ୍ଷତ ମୁହଁଟିକୁ କୋଳରେ ଧରି ତା’ର ତୃଷିତ କଣ୍ଠରେ ମନର ଉଦ୍ଦାମ ଉଦ୍‌ବେଗରେ ବକ୍ଷ–ସୁଧା ଢାଳି ଦେଇଥିଲେ, ଛାଡ଼ି ପଳାଇବାକୁ ଛଟପଟ ଜୀବନକୁ ଏ ଦେହରେ ଅଟକାଇ ରଖିଥିଲେ, ଅଭୟ ଦେଇ ଯତ୍ନ ନେଇ ତାକୁ ବଢ଼ାଇ ମଣିଷ କଲେ, ତାଙ୍କର ଚରଣ ଦର୍ଶନ କରିବାକୁ ଏତେ ଦିନ ଯାଏଁ ନ ଆସି ପାରି ସେ ହୋଇଛି ଅକୃତଜ୍ଞ, ଅଧମ । ତାଆରି ଅଭାବ ଅସୁବିଧା କଥା ଭାବି ସେ ରାତିରେବି ସପନ ଦେଖି ବିଳିବିଳଉଛନ୍ତି ! ତାଙ୍କ ସ୍ୱାସ୍ଥ୍ୟହାନୀ ପାଇଁ ଅମିୟହିଁ ଦାୟୀ ।

 

ଆର ଘରୁ ଅନିମା ଆସିଲେ କହିକହିକା, ତୁମର ହୋଲ୍‌ଡ଼ର୍‍ ଭିତରେ ସଫା ଲୁଗା ନାହିଁ ଅମିୟ, ସୁଟ୍‌କେଶ୍‍ର ଚାବି କ’ଣ କଲ ?

 

ଅମିୟକୁ ପଥର ମୂର୍ତ୍ତି ପରି ବସି ରହିଥିବାର ଦେଖି ସେ ପୁଣି କହିଲେ, ତୁମେ ବେଶି କ୍ଳାନ୍ତ ହୋଇ ପଡ଼ିଛ । ଆରେ, ଆଖିରେ ଲୁହ ଢଳଢ଼ଳ କରୁଛ କାହିଁକି ?

 

ତୁମର କ’ଣ ହୋଇଛି ଭାଉଜ ?

 

ଅନିମା ପାଖକୁ ଘୁଞ୍ଚିଯାଇ ଅମିୟର ହାୱାଇନ୍ ସାର୍ଟ୍‍ଟି ଦେହରୁ ଟାଣି ଉତାରି କହିଲେ, ମୁଁ ଭଲ ହୋଇଗଲାଣି । ତୁମେ ଆଗ ଉଠ ତ ।

 

ଅମିତା ଚାହା କପ୍‌ ନେଇ ଆସିଲା । କହିଲା, ଆଗ ଏତକ ପିଇଦିଅ କକା, ସେଇଠୁ ଉଠିବ । ମା’, ଘରେ ପାଣି ନାହିଁ । ନଳକୂଅରୁ ମୁଁ ଦି’ ବାଲଟି ପାଣି ନେଇ ଆସେ । କମଳା ମାଉସୀ ଆଲୁଅ ଧରି ଆସୁଛନ୍ତିଲୋ ମା’ !

 

ଅନିମା କହିଲେ, ମୋ ଅମିୟକୁ ଆଶୀର୍ବାଦ କରିବାକୁ ଆସୁଛନ୍ତି ଆସନ୍ତୁ ।

 

ପଅଁଷଠୀ

 

ବୁଲିବୁଲିକା ଅମିୟ ଦେଖୁଛି ତମସାତୀର ଅଞ୍ଚଳର ବିଚିତ୍ର ପରିବର୍ତ୍ତନ । ସଙ୍ଗରେ ଚାଲିଛି ସୁରେନ୍ଦ୍ର । ସକାଳ ପ୍ରହର ଗଡ଼ି ଗଲାଣି । ଦୂର ଅନ୍ଧାରିଆ ଓର୍‌କେଲ ପାଖ ପାହାଡ଼ ମାଳର ଢେଉଢ଼େଉକା ମଥାନ ରେଖା ଉପରକୁ ସୂର୍ଯ୍ୟ ଉଠିଲେଣି । ବନ୍ଧୁ ଆଗରେ ସ୍କୁଲ୍‍ମାଷ୍ଟର ସୁରେନ୍‌ ଟିକିନିଖି କରି ତାଙ୍କ ପୁରୁଣା କ୍ୟାମ୍ପ୍‍ର ହାଲ୍‌ଚାଲ୍‌ ଗପି ଚାଲିଛି । ଅମିୟ ଶୁଣୁଛି । ବେଳେବେଳେ ଓଲଟି ପ୍ରଶ୍ନ ପଚାରୁଛି । ସୁରେନ୍ଦ୍ରର କଥାରୁ ସେ ବୁଝି ପାରିଛି ଯେ କେବଳ ସାତୋଟି କୁଟୁମ୍ବ କ୍ୟାମ୍ପ୍‍ ଛାଡ଼ି କେଉଁ ଅଜଣା କାରଣରୁ ରାତିରାତି ମାଲକାନଗିରି ଚାଲିଗଲେ । ସେଠାରୁ ବସ୍‌ ଚଢ଼ି ଜୟପୁର ଯାଇଥିବେ । ଶୁଣାଶୁଣିରେ ଜଣାଗଲା ଯେ ସେମାନେ ପଶ୍ଚିମବଙ୍ଗକୁ ଫେରିଯିବେ ।

 

କିଏ କାହାର ଭିତିରି କଥା କହି ପାରିବ ଅମିୟବାବୁ ? ପୂର୍ବ ବଙ୍ଗରୁ ଯେଉଁ ସହସ୍ର ସହସ୍ର କୁଟୁମ୍ବ ଚାଲି ଆସିଛନ୍ତି, ସେମାନଙ୍କ ଜୀବନର ସ୍ୱତନ୍ତ୍ର କାହାଣୀ ଅଛି । ସେମାନେ ଯେତିକି ପ୍ରକାଶ କରନ୍ତି, ସେତିକି ସତ୍ୟ ବୋଲି ଅନ୍ୟମାନଙ୍କୁ ଗ୍ରହଣ କରିବାକୁ ପଡ଼େ, ବିଶ୍ୱାସ କରନ୍ତୁ ଅବା ନ କରନ୍ତୁ । ଗୋଟିଏ କାହାଣୀ କିନ୍ତୁ ସତ୍ୟ, ସେଥିରେ ସନ୍ଦେହ କରିବାର କୌଣସି କାରଣ ନାହିଁ ଯେ ଧର୍ମାନ୍ଧତାର ଝଟିକା ସମସ୍ତଙ୍କୁ ଜନ୍ମଭୂମିରୁ କୁଟାକାଠି ପରି ଉଡ଼ାଇ ଦେଇଛି ବା ଉଡ଼ାଇ ଆଣିଛି ଏ ଦେଶକୁ ।

 

ଚାରିଆଡ଼ର ପରିବର୍ତ୍ତନ ଭିତରେ ଅମିୟର ଦୃଷ୍ଟି ସଙ୍ଗେ ସଙ୍ଗେ ମନବି ହଜି ଯାଇଥିଲା । ଏଇଠି ଥିଲା ଗହନ ବନ । ପଦେପଦେ ଭୟ ଓ ଆଶଙ୍କାର ମନ ଛନଛନ ଚିହିଁକା । ସେଠାରେ ଲମ୍ବି ଯାଇଛି ଆଖି ହଜା ନୂଆ ବିଲମାଳ । ଦିଗଭୁଲା ଗହୀର । ଠାଏଠାଏ ଅନୁର୍ବର ଉଚ୍ଚଭୂମି କି ଛୋଟ ଛୋଟ ପାହାଡ଼ ଉପରେ ଓ ଚାରିକଡ଼ରେ ଏବଂ ଟ୍ରାକ୍ଟର୍‍ଦ୍ୱାରା ସଫା କରାହୋଇଥିବା ଭୂମିର ମଝିରେ ମଝିରେ ଅବା, ପ୍ରସ୍ତାବିତ ଗ୍ରାମ–ସ୍ଥଳୀଗୁଡ଼ିକରେ ଏବେବି ଛାଡ଼ିଛାଡ଼ିକା ଛୋଟ ବଡ଼ ଉଦ୍ୟାନଗୁଡ଼ିକ ପରି ଅରଣ୍ୟର ଅଂଶ ଠିଆ ହୋଇଛି । ସେଗୁଡ଼ିକବି ସୁନ୍ଦର ଦିଶୁଛି ।

 

ଅମିୟର କଳ୍ପନାରେ ଯେଉଁ ଦିଗନ୍ତ–ବିସ୍ତାରୀ ବନ ମହର୍ଷି ବାଲ୍ମୀକିଙ୍କର ଆଶ୍ରମର ଉଦ୍ୟାନ ହୋଇ ରହିଥିଲା, ପୁଣି ଯେ ଥିଲା ଶୁକ୍ରାଚାର୍ଯ୍ୟଙ୍କର ତପୋବନ, ସୁନ୍ଦରୀ ଅରଜାର କ୍ରୀଡ଼ାଭୂମି, ଦୁର୍ଦ୍ଦାନ୍ତ ଦଣ୍ଡ ରାଜାଙ୍କର ମୃଗୟା ବିହାର, ସେହି ବନ ଧ୍ୱଂସ ହୋଇଛି । ଓପଡ଼ା ହୋଇଥିବା ବୃକ୍ଷଗୁଡ଼ିକ ଧ୍ୱଂସ–ସ୍ତୂପ ପରି ଧାଡ଼ି ଧାଡ଼ି ହୋଇ ଗଦା ହୋଇଛି ।

 

ଅମିୟର କୁତୂହଳ ବୁଲି ଯାଉଥିଲା ଚାରି ଆଡ଼କୁ । ଇଏ ଥିଲା ନିର୍ଜନ ବନ । ନାନା ଜାତିର ଅଗଣନ ବିହଙ୍ଗମ ଉଡ଼ି ଉଡ଼ି ମିଶାମିଶି ରବରେ ପ୍ରକୃତିକୁ ମୁଖର କରୁଥିଲେ । ସେହି ବନାନୀର ଶ୍ରୀହୀନତା ଭିତରେ ଲୌହ–ରାକ୍ଷସ ଟ୍ରାକ୍ଟର୍ ଦଳ ମେଦିନୀ ଥରାଇ ଆକାଶ କମ୍ପାଇ ଭୁଲା ଅତୀତର ସୂର୍ପଣଖା ଓ ତାହାର ଦଳବଳ ଦାନବ ସୈନ୍ୟଙ୍କ ପରି ରଡ଼ି ଛାଡ଼ି ବୃକ୍ଷଲତା ସବୁ ମାଡ଼ି ଚକଟି, ଛୋଟ ବଡ଼ ପାଦପଗୁଡ଼ିକୁ ଧକ୍କା ମାରି, ଅବା ଚେନ୍‌ଗୁଡ଼ିକରେ ଓଟାରି ମୂଳରୁ ଓପାଡ଼ି ତଳେ ପକାଇ, ଆଗକୁ ଚାଲିଛନ୍ତି ଅନୁଦାର, ନିର୍ଭୀକ ଓ ଗର୍ବିତ ରୀତିରେ । ପ୍ରତ୍ୟେକର ସାରଥି ଏଇ ମଣିଷ,–ଦୃଢ଼–ସଂକଳ୍ପଳ, କର୍ମନିଷ୍ଠ, କର୍ତ୍ତବ୍ୟ–ପରାୟଣ ମଣିଷ !

 

ପ୍ରସ୍ତାବିତ ଗ୍ରାମ–ସ୍ଥଳୀଗୁଡ଼ିକୁ ମୋଟୁ ରାସ୍ତା ସଙ୍ଗେ ସଂଯୋଜିତ କରିବାକୁ ନୂଆ ରାସ୍ତାମାନ ପଡ଼ୁଛି । ନାଳଗୁଡ଼ିକ ଉପରେ ପୋଲ ନିର୍ମାଣ କରାହେଉଛି । ଗ୍ରାମ–ସ୍ଥଳୀ ଭିତରେ ନଳ–କୂଅମାନ ବସୁଛି । ଗ୍ରାମର ଉପକଣ୍ଠରେ ନାଳ ବନ୍ଧାଇ ମାଟି ଖୋଳି ପୋଖରୀ କରାହେଉଛି । ସହସ୍ର ସହସ୍ର ଲୋକ କାର୍ଯ୍ୟରେ ମନ ପ୍ରାଣ ଢାଳି ଦେଇଛନ୍ତି । ସେମାନେ ଆସିଛନ୍ତି ଭାରତର ବିଭିନ୍ନ ପ୍ରାନ୍ତରୁ । ସେମାନଙ୍କର ଚେହେରା, ବେଶଭୂଷା, ଚଳନର ରୀତି ଓ ଭାଷା ଭିନ୍ନ; କିନ୍ତୁ ସବୁ ବିଭେଦକୁ ଗୋଟିଏ ଅଛିଣ୍ଡା ଡୋରରେ ଗୁନ୍ଥି ଭାରତମାତା ମାଳା କରି ଛାତିରେ ଲମ୍ବାଇଛନ୍ତି । ସମସ୍ତେ ତାଙ୍କର ସନ୍ତାନ, ସମସ୍ତେ ବଡ଼, ସମସ୍ତେ ପାରିଲାର । କେହି ଛୋଟ ନୁହେଁ, କେହି ହେୟ ନୁହେଁ ।

 

ସୁରେନ୍ଦ୍ରର ଅପୁଚ୍ଛା ମତାମତ ଶୁଣି ଅମିୟ ତାକୁ କଣେଇଁ ଚାହିଁଲା । ତା’ର ବାକ୍ୟ ଅମିୟର ନିଜ ବ୍ୟକ୍ତିତ୍ୱକୁ ଅଜାଣତରେ ଉଖାରିଲା । ଆଘାତ ଦେଲା । ସେ କହିଲା, ତୁମର ଧାରଣା ସତ୍ୟ ସୁରେନ୍‌, କିନ୍ତୁ ଯେଉଁମାନେ ଆତ୍ମଗୋପନ କରି ଆତଯାତ ହେଉଛନ୍ତି ଅବା ଆତ୍ମଗୋପନ ନ କରି ମଧ୍ୟ ନିଜ ସମ୍ବନ୍ଧରେ କି ନିଜ କୁଟୁମ୍ବ ସମ୍ବନ୍ଧରେ ମନଗଢ଼ା ଗଳ୍ପ ପ୍ରଚାର କରୁଛନ୍ତି, ସେମାନେ ନିଜ ନିଜର କେଉଁ ଉଦ୍ଦେଶ୍ୟ ପାଳନ କରୁଛନ୍ତି ସେମାନଙ୍କୁ ଜଣା । ଅନ୍ୟର ଅତୀତକୁ ସନ୍ଦେହ କରି ସେହି ଅତୀତକୁ ଖୋଳି ତହିଁରୁ ସତ୍ୟ କାଢ଼ିବାକୁ ଚେଷ୍ଟା କରିବା ମୂର୍ଖତା । ସେ ଦିଗରେ ମୁଣ୍ଡ ନ ଖେଲାଇବାହିଁ ବୁଦ୍ଧିମାନର କାର୍ଯ୍ୟ ।

 

ସୁରେନ୍ଦ୍ର କହିଲା, ଲୋକେ ଆପେଆପେ ଆସି ତାଙ୍କ ମନକୁ ମୋ ଆଗରେ ତାଙ୍କର ଅତୀତ ଜୀବନର ଇତିହାସ ଗପନ୍ତି । ଶୁଣିବାକୁ ମୋର ଆଗ୍ରହ ନଥିଲେବି କାନ ଦୁଇଟା ବନ୍ଦ କରି ପାରେ ନାହିଁ । ସତ୍ୟ ହେଉ କି ମିଥ୍ୟା ହେଉ, ଲୋକେ ଅନ୍ୟ ନାମରେ କୁତ୍ସାରଟନା କରନ୍ତି । ତୁମେ ଶୁଣି ଆମୋଦିତ ହେବ ଅମିୟବାବୁ, ବିପିନ୍‍ ଲିଡ଼ର୍‌ ସ୍ଥାନୀୟ ଗୋଟିଏ ଗଉଡ଼ ଘରର ଯୁବତୀ ଝିଅକୁ ବିବାହ କରିବାକୁ ମନସ୍ଥ କରିଛନ୍ତି । ଶୁଣିଲି, ସତୀନଦୀ ଆରପାଖରେ କେଉଁ ଗାଁ, ସେଇ ଗ୍ରାମରେ ତା’ର ଘର । ବର୍ଷକ ତଳେ ତା’ର ସାନଭାଇ, ବୁଢ଼ାବାପ ଓ ମାଆଙ୍କୁ ରାତିଅଧରେ ଘରେ ପଶି ମହାବଳ ବାଘ ମାରିଲା । ତା’ର ବୁଢ଼ୀ ଆଈ ତିନିଶ ଟଙ୍କା ନେଇ ଝିଅଟିକୁ ଦେବାକୁ ରାଜି ହୋଇଛି ।

 

ସତେ ? କିଏ କହୁଥିଲା ? ବିପିନ୍‍ବାବୁଙ୍କ ସଙ୍ଗେ ମୋର ଦେଖା ହୋଇଥିଲା । ଏ ବିଷୟରେ ସେ ମୋତେ କିଛି କହି ନାହାନ୍ତି । ତାଙ୍କର ବେପାର ଓ କଣ୍ଟ୍ରାକ୍‌ଟରୀ କାମ କଥା ସେ ଗପୁଥିଲେ । କେଉଁ କୁଟୁମ୍ବ କେଉଁ ଗ୍ରାମକୁ ଯିବେ ତା’ର ତାଲିକା ପକ୍କା କରି ହାକିମଙ୍କୁ ଦେଇଛନ୍ତି ବୋଲି କହୁଥିଲେ । ମାଆଙ୍କର ମୃତ୍ୟୁ ପରେ ବାପ ପୁଅ ଦିହେଁ ଅତି ହଇରାଣ ହେଉଛନ୍ତି । ବଙ୍ଗାଳୀ ଘରର ଝିଅଟିଏ ତାଙ୍କୁ ମିଳିଲା ନାହିଁ । ସେମାନେ ଚଳିବେ କିପରି ? ବିପିନ୍‍ କର୍ମକାର ବୁଦ୍ଧିମାନ ଲୋକ । ସେ ଯାହା ବିଚାରିଛନ୍ତି, ମୋ ମତରେ ଠିକ୍‌ ହୋଇଛି । ଏ ଯୁଗରେ ମଣିଷ ଓ ମଣିଷ ମଧ୍ୟରେ ତଫାତ୍‌ ଦେଖିବା ମୂର୍ଖତା ଛଡ଼ା ଆଉ କ’ଣ ହୋଇପାରେ ? ଜାତିଭେଦ, ପ୍ରାନ୍ତ ଭେଦ କି ଭାଷା ଭେଦକୁ ଆଳ କରି ସ୍ୱଚ୍ଛନ୍ଦ ଜୀବନ ଯାପନକୁ ବିପନ୍ନ କରିବା ମୋଟେ ଠିକ୍‌ ନୁହେଁ ।

 

ସୁରେନ୍ଦ୍ର କହିଲା, ତୁମେ ଆଦର୍ଶ ପ୍ରଚାର କରୁଛ, କିନ୍ତୁ ଯେଉଁମାନେ ଜନରବ ସୃଷ୍ଟି କରିଛନ୍ତି, ବିପିନ୍‍ କର୍ମକାରଙ୍କୁ ସେମାନେ ବାଛନ୍ଦ କରିବାକୁ ମନସ୍ଥ କରିଛନ୍ତି ।

 

ଅମିୟ ହସିଲା । କହିଲା, ସେଥିପାଇଁ ବୋଧହୁଏ ବିପିନ୍‍ବାବୁ ଡରି ଯିବେ ନାହିଁ । ତାଙ୍କ ସଂସାର ସୁଖରେ ଚଳାଇବାର ବ୍ୟବସ୍ଥା ସେ କରିବେ ।

 

ବନ୍ଧୁ ଦିହେଁ ଆସି ତମସାକୂଳରେ ପହଞ୍ଚିଲେ । ଗ୍ରାମସ୍ଥଳୀଟି ନଦୀ ତୀରରୁ ଅଧ ମାଇଲ ଦୂରରେ । ସେହି ଗ୍ରାମକୁ ତାଙ୍କ କ୍ୟାମ୍ପ୍‍ରେ ବାସ କରିଥିବା କୁଟୁମ୍ବମାନଙ୍କୁ ପଠାଇବେ ବୋଲି ଥଇଥାନ ଅଫିସର ଆଦେଶ ଦେଇଛନ୍ତି । ନଳ–କୂଅ ଦିଓଟିର କାର୍ଯ୍ୟ ଶେଷ ହେଲେ ଘରବାରି ପ୍ଲଟ୍‍ଗୁଡ଼ିକ ଲଟେରି କରି ବାଣ୍ଟି ଦିଆଯିବ ବୋଲି ଖବର ମିଳିଛି । ତା’ପରେ ନିଜେ ନିଜର ଘର ତୋଳିବାକୁ ତତ୍ପର ହେବେ । ସରକାର ବଲ୍ଲା ଓ ଟିଣ–ପଟ୍ଟା ଯୋଗାଇ ଦେବେ । ଇଞ୍ଜିନିୟର୍‍ମାନେ ସାହାଯ୍ୟ କରିବାକୁ ଓ ଉପଦେଶ ଦେବାକୁ ଆସିବେ । ଘର ତୋଳିବାର ମୂଲ ଖର୍ଚ୍ଚ ସରକାର ଦେବେ । ଯେଉଁମାନେ ଦେହ ମିହନ୍ତ କରି ନିଜେ ଘର ତୋଳିବେ, ମାଟି କାନ୍ଥ ପକାଇବେ, ଖର୍ଚ୍ଚ ଟଙ୍କା ସେମାନେ ପାଇବେ । ଯେଉଁମାନଙ୍କର ଲୋକବଳ ନାହିଁ, ଯେଉଁମାନେ କାର୍ଯ୍ୟ କରିବାକୁ କ୍ଷମ ନୁହନ୍ତି, ମୂଲିଆ ଲଗାଇ ସେମାନଙ୍କର ଘର ତୋଳା ହେବ । ଯେତେ ଟଙ୍କା ଖରଚ ହେବ, ସେତକ ଆଶ୍ରୟପ୍ରାର୍ଥୀକୁ ଋଣରୂପେ ଦିଆଯିବ । ବର୍ଷକୁ ବର୍ଷ ଧୀରେ ଧୀରେ ସେ ଋଣ ପରିଶୋଧ କରିବ ।

 

ସୁରେନ୍ଦ୍ର ଦୂରକୁ ଆଙ୍ଗୁଳି ଦେଖାଇ କହିଲା, ଦେଖ ଅମିୟ, ନୂଆ ହୋଇ ରିକ୍ଲେମ କରାହୋଇଛି ଏଇ ଯେଉଁ ଚାଷ–ଜମି ତାଆରି ମଝିରେ ଜଙ୍ଗଲିଆ ଦିଶୁଛି ଯେଉଁ ସ୍ଥାନଟି, ସେହି ହେବ ଆମର ଗ୍ରାମସ୍ଥଳୀ । ଖରାଦିନେ ଛାଇ ହେବ ଓ ଥଣ୍ଡା ହେବ ବୋଲି ଘରବାରି ପ୍ଲଟ୍‍ଗୁଡ଼ିକରୁ କେବଳ ଜଙ୍ଗଲ ସଫା କରି ବାଜି ଗଛ ସବୁ ଛାଡ଼ି ଦିଆହୋଇଛି । ଭଲ ବିଚାର । ଜମି ସମତଳ ଓ ଉର୍ବର । ଗ୍ରାମ–ସ୍ଥଳୀର ଆରପାଖରେ ଛଡ଼ା ଯାଇଥିବା ଜଙ୍ଗଲ ଭିତରେ ପ୍ରବାହିତ ହେଉଛି ତମସାର ଗୋଟିଏ ଶାଖାନଦୀ । ଏବେବି ଆଣ୍ଠୁଏ ଜଳ କଳକଳ ହୋଇ ଗଡ଼ି ଚାଲିଛି । ନଦୀର ଆରପାଖରେ ଅନୁଚ୍ଚ ପାହାଡ଼ଟିଏ । ଭାରି ସୁନ୍ଦର । ଯିବ କି, ଥରେ ଦେଖି ଆସିବ ?

 

ଖରା ଟାଣ ହୋଇ ଆସିଲାଣି । କ୍ୟାମ୍ପ୍‍କୁ ଫେରି ଯିବାକୁ ଅମିୟର ମନ ଡାକିଲାଣି, ତଥାପି ସୁରେନ୍‌ର ଆଗ୍ରହ ସେ ଭାଙ୍ଗିପାରିଲା ନାହିଁ । ଯିବାକୁ ସମ୍ମତ ହେଲା । ସୁରେନ୍‌ କେବଳ ତା’ର ପ୍ରିୟ ବନ୍ଧୁ ନୁହେଁ, ନିକଟ ଭବିଷ୍ୟତରେ ସେ ହେବ ତା’ର ଝିଆରୀ–ଜୋଇଁ । ଗୋପାଳ ହାଉଲ୍‌ଦାର ଓ ତାଙ୍କର ପତ୍ନୀ ତନୁଜା ଦେବୀଙ୍କର ଆଗ୍ରହକୁ ଭାଉଜ ମନେମନେ ଗ୍ରହଣ କରିଥିଲେ କିନ୍ତୁ ତାକୁ ନ ପଚାରି ଓ ତା’ର ସମ୍ମତ ନ ନେଇ ସେ ମୁହଁ ଖୋଲି ନଥିଲେ ।

 

ଅମିୟ ସମ୍ମତ ହୋଇଛି । ତା’ ଆଗରୁ ସୁରେନ୍ଦ୍ରର ମତାମତ ଗୁପ୍ତରେ ଗ୍ରହଣ କରିଛି, ବୁଝିଛି ଯେ ସେ ତା’ର ପିତାମାତାଙ୍କର କଥାରୁ ବାହାର ହେବ ନାହିଁ । ଅମିତା ପିଲାଲୋକ । ତା’ର ମତାମତ ଲୋଡ଼ା ହୋଇନାହିଁ । ଭଲ ଅସାର ବୁଝିବାର ବୁଦ୍ଧି ତା’ର ହୋଇନାହିଁ କି ଦାୟିତ୍ୱ ତା’ର ଆସିନାହିଁ । ଯେଉଁ ଯୁବକଟିର ହାତକୁ ନିକଟ ଭବିଷ୍ୟତରେ ତା’ର ଜୀବନସଙ୍ଖାଳୀ କନ୍ୟାଟିକୁ ଟେକି ଦେବ, ତାଆରି ପାଖେପାଖେ ଥାଇ ତାକୁ ସେ ଭଲକରି ଚିହ୍ନିବାକୁ ଚାହେଁ ।

 

ନୂଆ ପଡ଼ୁଥିବା ରାସ୍ତାର କଡ଼େ କଡ଼େ ଆଡ଼େଇ ହୋଇ ସୁରେନ୍ଦ୍ରର ପଛେ ପଛେ ସେ ଗ୍ରାମ–ସ୍ଥଳୀ ଆଡ଼େ ଚାଲିଲା । କେତେ ଲୋକ ରାସ୍ତା କାମ କରୁଛନ୍ତି । ଦୁଇ ପାଖରୁ ଖୋଳି ମାଟି ବୋହି ରାସ୍ତାରେ ପକାଉଛନ୍ତି । ଅମିୟ ଦେଖି ଦେଖି ଯାଉଛି । ଡେରି ତ ହେଲାଣି, ତରତର ହୋଇ ଲାଭ ନାହିଁ । ମୋଟେ ଚାରି ଦିନର ଛୁଟି ନେଇ ସେ ଆସିଥିଲା । ଏତେ ଅଳ୍ପ–କାଳ ମଧ୍ୟରେ ତା’ର ଛୋଟ ସଂସାରର ଅସୁବିଧା ଦୂର କରି ପାରିବା ସମ୍ଭବ ନୁହେଁ ଜାଣି, ସେ ପନ୍ଦର ଦିନ ଅଧିକ ଛୁଟିପାଇଁ ଦରଖାସ୍ତ କରିଥିଲା । ଦଶ ଦିନ କେଡ଼େ ଆନନ୍ଦରେ କଟି ଗଲାଣି । ଆହୁରି ପାଞ୍ଚ ଦିନ ବାକି ଅଛି । କାହିଁକି ସୁରେନ୍ଦ୍ରର ମନ ଭାଙ୍ଗିବ ?

 

ଗପ କରି କରି ଅମିୟ ଓ ସୁରେନ୍ଦ୍ର ଆଗେଇ ଗଲେ । ନୂଆ ପଡ଼ୁଥିବା ରାସ୍ତାରେ କାମ କରୁଛନ୍ତି ଆଦିବାସୀ ଝିଅଟିମାନେ । ସେମାନେ ରୋଡ଼୍‌–ରୋଲର୍‌ ଆଗରେ ପାଣି ଅଜାଡ଼ୁଛନ୍ତି । ଟିକିଏ କଥାରେ ହସି ହସି ଆକାଶ ଫଟାଉଛନ୍ତି । ଦୋହଲି ଦୋହଲି ମୁଣ୍ଡରେ ମାଠିଆ ଧରି ଚାଲି ଯାଉଛନ୍ତି ପାଖନାଳରୁ ଆହୁରି ପାଣି ଆଣିବାକୁ । ସେମାନେ ଆଖପାଖ କେଉଁ ଗ୍ରାମମାନଙ୍କର ଝିଅ ବୋହୂ ହୋଇଥିବେ । ଅନ୍ୟ ଦେଶୀ ଅନ୍ୟ ଭାଷୀ ଓ ଅନ୍ୟ ବେଶୀ ଆଗନ୍ତୁକଙ୍କୁ ଦେଖି ଭୟ ଓ ସନ୍ଦେହରେ ଦିନେ ସେମାନେ ବ୍ୟତିବ୍ୟସ୍ତ ହୋଇ ଧାଇଁ ପଳାଉଥିଲେ । ଲୁଚୁଥିଲେ ନଦୀ ନାଳର ଅତଡ଼ା ତଳେ, ପଥର ସନ୍ଧିରେ, ଗଛଲଟାର ଅନ୍ତରାଳରେ । ସେମାନଙ୍କର ଭୟ ଦୂର ହୋଇଛି । ସନ୍ଦେହ ଅପସରିଛି । ସେମାନେ ପାଖେଇ ଆସିଛନ୍ତି, କଥା କହୁଛନ୍ତି ।

 

ଦୁଇ ବନ୍ଧୁ ସେମାନଙ୍କ ଉପରେ କୌତୁକୀ ଦୃଷ୍ଟିନିକ୍ଷେପି, ଦୃଷ୍ଟି ଫେରାଇ ଆଗେଇ ଗଲେ । ଅମିୟ କହିଲା, ସୁରେନ୍‌, କହିଲି ପରା, ମଣିଷ ଓ ମଣିଷ ମଧ୍ୟରେ ବିଶେଷ ପ୍ରଭେଦ ନାହିଁ-। ସବୁ ମଣିଷଙ୍କର ଜନମିଲା ଲଙ୍ଗଳା ଦେହ । ସେ ଦେହ ଭିତରର ଆତ୍ମା, ଦେହକୁ ଚଳାଉଥିବା ଜୀବନ, ମନର ଅନୁଭବଶକ୍ତି ସମାନ । ଭେଦ କେବଳ ଦେହକୁ ଘୋଡ଼ାଇବା ଓ ସଜାଇବାର ଆଭରଣରେ, ତୁଣ୍ଡର ଭାଷାରେ, ଓ ଚଳନର ରୀତିରେ । ଆଗ୍ରହ ଥିଲେ ଓ ମନକଲେ ଏଗୁଡ଼ିକ ମଧ୍ୟରେ ଥିବା ବ୍ୟବଧାନ କମିଯିବ, ଦିନେ ଲୋପବି ହେବ ।

 

ସୁରେନ୍‌ କହିଲା, ସବୁଠାରୁ ବଡ଼କଥାଟି ତୁମେ ଛାଡ଼ିଗଲ ଅମିୟବାବୁ, ସେଇଟି ହେଉଛି ସଂସ୍କୃତି, ଯାହା ପଛରେ ଯୁଗଯୁଗର ଇତିହାସ ଲୁଚି ରହିଛି, ଅଲକ୍ଷ୍ୟରେ ଅଭ୍ୟାସକୁ ନିୟନ୍ତ୍ରିତ କରିଛି, ଚଳନକୁ ରୂପ ଦେଇଛି । ବାପା ବରାବର ଏହି କଥା କହନ୍ତି । ବିପିନ୍‍ କର୍ମକାରଙ୍କ ସମ୍ବନ୍ଧରେ ଜନରବ ଶୁଣି ସେ ଏଇଆ କହିଲେ ।

 

ଅମିୟ ପଚାରିଲା, ତାଙ୍କୁ ଏକଘରକିଆ କରିବାକୁ ଗୋପାଳବାବୁ କ’ଣ ସାହାଯ୍ୟ କରିବେ ? ବିପିନ୍‍ବାବୁ ତାଙ୍କର ଭଙ୍ଗାରୁଜା ସଂସାରକୁ ଯେକୌଣସି ଉପାୟରେ ପୁଣି ଯୋଡ଼ି ସଜାଡ଼ିବାକୁ ଚାହୁଁଛନ୍ତି । ସେତକ କରିବାକୁ ଯଦି କୌଣସି ବଡ଼ବଡ଼ କଥାକୁହା ବଙ୍ଗାଳୀ ଉଦ୍ଦାସ୍ତୁ ସାହାଯ୍ୟ କରିବାପାଇଁ ଆଗେଇ ନ ଆସିଲେ ତ ସେମାନଙ୍କର ନାକଟେକି ବାଧା ଦେବାର କି ଅଧିକାର ଅଛି ? ତୁମେ କୁହ ତ ସୁରେନ୍‌, ସୁଖରେ ରହିବାକୁ ବିପିନ୍‍ କର୍ମକାର ଯାହା କରିବାକୁ ମନସ୍ଥ କରିଛନ୍ତି ସେଥିରେ ମୋର ସହାନୁଭୂତି ଓ ସମର୍ଥନ ସେ ପାଇବେ । ଯେଉଁସବୁ ବୈପ୍ଳବିକ ନୂଆ ଘଟଣାମାନ ଦେଶ ସ୍ୱାଧୀନ ହେଲା ପରେ ପରେ ଘଟିଗଲା, ଅତୀତର ସବୁ ଇତିହାସକୁ ପୋଡ଼ିଜାଳି ଛାରଖାର କରି ନୂଆ ଇତିହାସ ସର୍ଜନା କଲା । ଅଭ୍ୟାସ ଆପେଆପେ ବଦଳିବ, ଆଉ ତା’ ସଙ୍ଗେ ବଦଳିବ ସଂସ୍କୃତି ଓ ଚଳନ ।

 

ସୁରେନ୍‌ କହିଲା, ସେଥିରେ ମୋର ସନ୍ଦେହ ନାହିଁ । ଧୀରେ ଧୀରେ ଦେହସହା ହୋଇ ବଦଳିବ । ସମୟ ଲାଗିବ । ବାପା ସେକାଳିଆ ଲୋକ । ନୂଆ କଥାକୁ ସେ ସଙ୍ଗେ ସଙ୍ଗେ ଅନୁମୋଦନ କରିବେ ନାହିଁ, ବାଧାବି ଦେବେ ନାହିଁ । ରହି ରହି ସ୍ୱାଗତ କରିବେ ।

 

ଅମିୟ ହସି ଉଠିଲା । ଟିକିଏ ରହି ସୁରେନ୍‌ବି ତା’ର ହସରେ ନିଜର ଅକୁଣ୍ଠିତ ହସ ମିଶାଇ ଦେଲା । ହସ ଥମିଲା । ସୁରେନ୍ଦ୍ରକୁ ହଲାଇ ଦେଇ ଅମିୟ କହିଲା, ଦେଖିଲେ ଧାଇଁ ପଳାଉଥିବା ଅଧଲଙ୍ଗୁଳି ବନ–କନ୍ୟାମାନେ ଏବେ ନୂଆ ଅଧିବାସୀଙ୍କର ଝିଅ ବୋହୂଙ୍କୁ ଅନୁକରଣ କଲେଣି । ସାୟା, ସେମିଜ, ଶାଢ଼ି ପିନ୍ଧିବାକୁ ଆରମ୍ଭ କଲେଣି । ପାଖକୁ ଆସି ଚଳପ୍ରଚଳ ହେବା ଓ ଘରେ କାମଦାମ କରିବା ତ ଆରେଇ ଗଲାଣି । କେତେଜଣ ବଙ୍ଗାଳୀ, କେରଳୀ, ପଞ୍ଜାବୀ ସେଇଥିରୁ ଗୋଟିଏ ଗୋଟିଏ ବିବାହ କଲେଣି ।

 

ସେମିତି ଏଠି ମଧ୍ୟ ହେବ, ରକ୍ତ ରକ୍ତର ଫେଣ୍ଟାଫେଣ୍ଟି । ଆଉ, ଯାହାକୁ ତୁମେ କହୁଛ କୃଷ୍ଟି, ତା’ର ମିଶାମିଶି ଯୁଗଯୁଗ ଧରି ଚାଲିଛି ଏହି ବିଚିତ୍ର ଦୁନିଆରେ । ସବୁଦିନେ ପ୍ରତିବନ୍ଧକ ଆସି ଆଗରେ ଠିଆ ହୋଇଛି । ଚହଳ ପଡ଼ିଛି । ସେ ସବୁ ଦିନେ ମିଳାଇ ଯାଇଛି ।

 

ବିପିନ୍‍ବାବୁ ଆଦିବାସୀ ଝିଅ ବିବାହ କରି ସୁଖରେ ରହନ୍ତୁ । ଆନନ୍ଦର କଥା ।

 

ଛଅଷଠୀ

 

ବନ୍ଧୁ ଦିହେଁ ଗ୍ରାମ–ସ୍ଥଳୀରେ ପହଞ୍ଚିଲେ । ଦିହେଁ ନୀରବ । ନୂତନ ଉତ୍ସାହରେ ସେମାନେ ଚାରିଆଡ଼କୁ ଚାହିଁ ଚାହିଁ ଚାଲିଛନ୍ତି । ବିଭିନ୍ନ ବିଭାଗର କର୍ମଚାରୀମାନେ କାମ କରୁଛନ୍ତି । ମାପଚୁପ ଚାଲିଛି । ଗଛକଟା ହୋଇ ପ୍ଲଟ୍ ସଫା କରାଯାଉଛି । ଲେଭଲ୍‌ ଯନ୍ତ୍ର ଧରି ଗ୍ରାମ–ସ୍ଥଳୀ ମଧ୍ୟରେ ରଖିବା ଗ୍ରାମ ରାସ୍ତାର ପ୍ରସାର ଖୁଣ୍ଟି ମାରି ସୂଚାଇ ଦିଆଯାଉଛି । ଟ୍ରକ୍ ବୋଝେଇ କରି ଶାଳ–ବଲ୍ଲା ଆଣି ଠାଠାକରେ ଗଦାଇ ରଖୁଛନ୍ତି । ନଳ–କୂଅ ଖୋଳା ଚାଲିଛି । ଇଞ୍ଜିନ୍‍ର ଶବ୍ଦରେ କାନଅତଡ଼ା ପଡ଼ୁଛି । କେତେଗୁଡ଼ିଏ ଛୋଟ ବଡ଼ ଟେଣ୍ଟ୍ ଗୋଟିଏ ସ୍ଥାନରେ ଟଣା ହୋଇଛି । ଖଣ୍ଡେଦୂର ଛାଡ଼ି ବଡ଼ବଡ଼ ଦିଓଟି ଟିନ୍‌–ସେଡ଼୍ । ଗୋଦାମ ଘର ପରି ଦିଶୁଛି ।

 

ଦୂରରୁ ଦିଶୁଛି, ଗ୍ରାମ–ସ୍ଥଳୀ ଶେଷରେ ଜଙ୍ଗଲ ମଝିରେ ଅନେକ ଲୋକ କାମ କରୁଛନ୍ତି-। ମାଟି ଖୋଳା ଚାଲିଛି । ଲୋକେ ମାଟି ବୋହି ବନ୍ଧରେ ପକାଉଛନ୍ତି । ଧାଡ଼ି ଧାଡ଼ି ହୋଇ କେତେ ଧାଡ଼ି ଘାସ ପତର ଆଣି ଛୋଟ ଛୋଟ କୁଡ଼ିଆଗୁଡ଼ିଏ ତୋଳା ହୋଇଛି ଗୋଟିଏ ପାଖରେ-। ଛୋଟ ଛୋଟ ପିଲାଗୁଡ଼ିଏ ଖେଳୁଛନ୍ତି । କେତେ ଜଣ ମାଇପେ ପାଖ ନାଳରୁ ମୁଣ୍ଡରେ ପାଣି ମାଠିଆ ଧରି ଆସୁଛନ୍ତି । ସେମାନେ ଆଶ୍ରୟପ୍ରାର୍ଥୀ ବଙ୍ଗାଳୀ କି ଏ ଦେଶର ଆଦିବାସୀ ଝିଅବୋହୂ ନୁହନ୍ତି । ସେମାନେ ଅନ୍ୟ କେଉଁଆଡ଼ର ଲୋକ ।

 

ଅମିୟ ସେହିମାନଙ୍କୁ ଦେଖି ଦେଖି ଆଗେଇ ଯାଉଛି । ସୁରେନ୍ଦ୍ର କଣେଇଁ କଣେଇଁ ଚାହୁଁଛି ଅମିୟକୁ, ସତେ ଯେପରି ଆଜି ସେ ତାକୁ ନୂଆ କରି ଦେଖୁଛି । ମନରେ ଖେଳୁଛି ଆହ୍ଲାଦ ମିଶା ବିସ୍ମୟ । ଅମିତା ଅବିକଳ ତା’ର ଏଇ କକାର ମୁହଁକୁ ନକଲ କରି ଜନ୍ମିଛି । ସେମିତି ଆଖି, କାନ ନାକ ଆଉ ମୁହଁର ଗଢ଼ଣ । ସମସ୍ତେ ଏକମତ ହୋଇଛନ୍ତି ଯେ ଅମିତା ହେବ ତା’ର ପତ୍ନୀ । ବାପ ମାଆଙ୍କର ଆଗ୍ରହ ପୂରଣ ହେଉ । ସେମାନେ ସୁଖୀ ହେଉନ୍ତୁ । ଅତୀତର ସବୁ ଦୁଃଖତାପ ବିସ୍ମରି ଜୀବନରେ ସେମାନେ ଶାନ୍ତି ପାଉନ୍ତୁ । ସେତିକି ଦେଖିଲେ ସେ ନିଜେ ସୁଖୀ ହୋଇ ପାରିବ-

 

ଅନିମା ଆରୋଗ୍ୟ ଲାଭ କରି ଆସୁଛନ୍ତି । ସ୍ନେହଶୀଳା ସେ ଥିଲେ, ଏବେବି ଅଛନ୍ତି । ସୁରେନ୍ଦ୍ରକୁ ଦେଖିଲେ ସେ ଆଜିକାଲି ବ୍ୟସ୍ତ ହୋଇ ପଡ଼ୁଛନ୍ତି । କିପରି କ’ଣ ତା’ର ଚର୍ଚ୍ଚା କରିବେ ସେଥିପାଇଁ ଉଚ୍ଛନ୍ନ ହେଉଛନ୍ତି । ଯେଉଁ ଅମିତା ଆଗେ ପାଖକୁ ଧାଇଁଆସି କେତେକଅଣ ଗପି ଯାଉଥିଲା, କଥା କଥାରେ ରାଗରୋଷ କରୁଥିଲା, ସେ ଏବେ ସଂକୁଚିତ ହେଉଛି । ମାଆଙ୍କ ସ୍ନେହବୋଳା ନିର୍ଦ୍ଦେଶରେ ଚା’ ଜଳଖିଆ ନେଇ ପାଖକୁ ଆସିଲେବି ସଂକୁଚିତ ହୋଇ ଲାଜେଇ ଲାଜେଇ ଧୀରେ ଧୀରେ ଆସୁଛି । ପଚାରିଲେ ଅଳ୍ପ କଥାରେ ଠିକେ ଠିକେ ଉତ୍ତର ଦେଇ ଆଗରୁ ଚାଲି ଯାଉଛି । ସେ ବି ଜାଣିଲାଣି, ସେ ବି ଉପଲବ୍ଧି କଲାଣି ଯେ ଦିନେ ନା ଦିନେ ସେ ହାଉଲ୍‌ଦାର କୁଟୁମ୍ବର ବୋହୂ ହେଇ ଯିବ ।

 

ତା’ର ସେଥିରେ ଆପତ୍ତି ନାହିଁ କିନ୍ତୁ ଟିକି ମନରେ ତା’ର ଗୋଟିଏ ଦାୟିତ୍ୱର ଧାରଣା ଛଟପଟ ହେଉଛି । ଅନିମା ସୁରେନ୍‌ର ମାଆଙ୍କୁ କହୁଥିଲେ, ସୁରେନ୍‌ ଅନ୍ତରାଳରେ ରହି ଶୁଣିଛି ।

 

କହୁଥିଲେ ଅନିମା ଦେବୀ, ଥରଥର ବିହ୍ୱଳ କଣ୍ଠରେ । ଅନିତାର ଅନୁପସ୍ଥିତିରେ, ଅପା ଗୋ, ପିଲାଟାର କର୍ତ୍ତବ୍ୟଜ୍ଞାନ ଅଛି । ଦେଖୁଛ ତ ସେ ଘରର ସବୁକାମ କରୁଛି । କାଳେ ପୁଣି ମୋର ଦେହ ବିଗିଡ଼ିବ ଡରରେ ମୋ ହାତରେ ପାଣି ଲଗାଇ ଦେବ ନାହିଁ ବୋଲି ଚେଷ୍ଟା କରୁଛି । ତା’ର ବାହାଘର ସ୍ଥିର ହୋଇଛି ଜାଣି ଦିନେ ଲାଜେଇ ଲାଜେଇ ଆସି ମୋତେ କହୁଛି, ମାଆ, ଆଗ କକାର ବାହାଘର କରିଦେ । ଖୁଡ଼ୀମାଆଙ୍କୁ ଦେଖିବି । ସେଇଠୁ ତୋର ଯାହା ମନ ତୁ କରିବୁ । ମୁଁ ତାକୁ କହିଲି ଗୋ ଅପା, କକାର ଯେତେବେଳେ ବାହାଘର ହେବ ମୁଁ ତତେ ମୋ ପାଖକୁ ଆଗରୁ ନେଇ ଆସିବି । ଅମିତା ଲୁହ ଛଳଛଳ ଆଖିରେ କହିଲା, କକା ତ ଚାକିରି ଗାଁକୁ ଚାଲିଯିବେ, କିଏ ତୋର ଯତ୍ନ ନେବ ? ତିନିଠେଇଁ ଆମେ ତିନିହେଁ ଝୁରି ଝୁରି କାନ୍ଦି କାନ୍ଦି ମରିବା । ତତେ ଏକା ଛାଡ଼ି ମୁଁ କୁଆଡ଼େ ଯିବିନାଇଁ ମା’, ଆଗରୁ କହି ଦେଉଛି । ତୋର ଅବାଧ୍ୟ ହେଲେ ମୋର ଦୋଷ ଦେବୁ ନାହିଁ । ଆଗ ତୁ କକାଙ୍କର ବାହାଘର କର ।

 

ସୁରେନ୍ଦ୍ର ମୁଗ୍ଧ ହେଲା । ସୁରେନ୍ଦ୍ର ଟିକି ଅମିତାର କଥା ଶୁଣି ଟିକିଏ ହତାଶିଆ ହେଲା । ତାକୁ ପାଖରେ ପାଇବାକୁ ସହସା ତା’ର ତାରୁଣ୍ୟ ଉଚ୍ଚାଟ ହେଲା । ଏପରି ଅନୁଭୂତି ଆଗରୁ କେବେ ହୋଇ ନଥିଲା । କେତେ ଝିଅଙ୍କର ସାନ୍ନିଧ୍ୟରେ ଜୀବନରେ ସେ ଆସିଛି । ମନ ଆମୋଦିତ ହେଲେବି ନିଜର କରିବାର ଲାଳସା କେବେ ତାକୁ ବିବ୍ରତ କରିନାହିଁ । ପାଖରେ ପାଇବାର ଆଗ୍ରହ ମନକୁ କେବେ ଉଚ୍ଛନ୍ନ କରିନାହିଁ । ପୁତ୍ରକନ୍ୟାହରା ବୃଦ୍ଧ ପିତା ଓ ଦେବାଦେବୀ–ପୂଜା ପାଗଳୀ ମାଆଙ୍କର ବିଷାଦସନ୍ତୁଳା ମନରେ କିପରି ସେ ଶାନ୍ତି–ବାରି ସିଞ୍ଚି ପାରିବ ସେହି ଉଦ୍ୟମରେ ବାହାରେ ହସି ଭିତରେ ଆକୁଳ ହୋଇ ସେ ଜୀବନସଂଗ୍ରାମରେ ଲଢ଼ି ଲଢ଼ି ବେଳ କଟାଇଛି । ସେ ଆଜି ସତେଇଶବର୍ଷର ଯୁବକ । ପୂର୍ବବଙ୍ଗରୁ ପଳାଇ ଆସିଲାବେଳେ ସେ ହୋଇଥିଲା ପନ୍ଦରବର୍ଷର-

 

ସବୁ ବିଭୀଷିକାର ଚିତ୍ର ଏବଯାଏଁ ତା’ର ମାନସ–ପଟରେ ଜୀବନ୍ତ ହୋଇ ରହିଛି । ଉତ୍ତେଜନା ଓ ପାଗଳାମିର ନଗ୍ନ ବର୍ବରତା ସେ ଦେଖିଛି । ପ୍ରଳୟ ଅଗ୍ନିର ମନପୋଡ଼ା ତାପ ସେ ମର୍ମେ ମର୍ମେ ଅନୁଭବ କରିଛି । ଗିରିଜାର ଉଲଙ୍ଗ ଦେହକୁ ସେମାନେ ଟାଣି ନେଉଛନ୍ତି । ଟେକି ନେଉଛନ୍ତି । କଇଁଫୁଲ ପରି କଅଁଳ ସୁନ୍ଦର ପିଲାଟି, ତେରବର୍ଷର ଅଜ୍ଞାନ ନିରୀହ ଝିଅ, ଚିତ୍କାର କରି ଆକାଶ ଥରାଉଛି । ଏକା ଗିରିଜା ନୁହେଁ, ଆହୁରି କେତେ ଝିଅ ଓ ବୋହୂ । କୋଳର ପିଲାଙ୍କୁ ବିଚ୍ଛେଦ କରି ଶୂନ୍ୟକୁ ନିକ୍ଷେପି ପଡ଼ିଲାବେଳକୁ ଛୁରି ଦେଖାଇଛନ୍ତି । ବାଧା ଦେବାକୁ ଚେଷ୍ଟା କରିଥିଲେ ଯେଉଁମାନେ, ସେମାନଙ୍କର ଜୀବନ ନେଇଛନ୍ତି । ଆହା, ବୀରେନ୍ଦ୍ର ଭାଇ !

 

ସେମାନେ ବାଘ ନୁହନ୍ତି, ରାକ୍ଷସ ନୁହନ୍ତି, ଯମଦୂତବି ନୁହନ୍ତି । ବାଘ ହେଉ କି ପୁରାଣ ବର୍ଣ୍ଣିତ ରାକ୍ଷସ ହେଉନ୍ତୁ, ସେମାନେ ମଣିଷର ଜୀବନ ନିଅନ୍ତି ତା’ର ଶରୀରକୁ ଭକ୍ଷଣ କରିବାପାଇଁ-। ଯମଦୂତ ଠିକ୍‌ବେଳରେ ଶରୀରରୁ ଆତ୍ମାକୁ ଅଲଗା କରି ନିଅନ୍ତି । ବେଳକାଳ ପୂରିଲେ ଆତ୍ମା ମୁକ୍ତ କରିବାକୁ ଆସନ୍ତି ସେମାନେ । ଧର୍ମଦ୍ୱେଷୀ ଆତତାୟୀମାନେ ଆହୁରି ଭୟଙ୍କର-! ସେମାନଙ୍କର ଶରୀର କି ଆତ୍ମା ଲୋଡ଼ା ନାହିଁ । ତଥାପି ସେମାନେ ହସି ହସିକା ଅନ୍ୟର ଜୀବନ ନିଅନ୍ତି । ନିଜ ଧର୍ମ ପ୍ରତି ବିଶ୍ୱାସ ଓ ନିଜ ଧର୍ମର ଶିକ୍ଷା ଉପରେ ସେମାନଙ୍କର ଆସ୍ଥା ନଥାଏ-। ମଣିଷର ଜୀବନ ନେବାକୁ କେଉଁ ଧର୍ମ ଶିକ୍ଷା ଦିଏ ନାହିଁ । ଅନ୍ୟର କନ୍ୟା ଓ ପତ୍ନୀଙ୍କୁ ବଳାତ୍କାରରେ ଅପହରଣ କରି ନେବାକୁ କୌଣସି ଧର୍ମ ଉପଦେଶ ଦିଏ ନାହିଁ । ସେମାନେ ମାନବ–ଧର୍ମୀ ନୁହନ୍ତି-

 

କ’ଣ ସେମାନେ, ଯେଉଁମାନେ ତା’ର ତେରବର୍ଷର ଗେହ୍ଲା ଭଉଣୀକୁ ଅପହରଣ କଲେ-? ଆହା, ଗିରିଜା ! ବଞ୍ଚି ରହିଥିଲେ ପଚିଶିବର୍ଷର ଯୁବତୀ ସେ ହୋଇ ସାରନ୍ତାଣି କିନ୍ତୁ, ସେ ରୂପରେ ତା’ର ସ୍ମୃତି ଆସି କେବେ ସୁରେନ୍ଦ୍ରର ମନ ଆଗରେ ଠିଆ ହୁଏ ନାହିଁ । ସେ ଆସେ ସେହି ତେରବର୍ଷର ଝିଅଟି ରୂପରେ, ଅବା ଆହୁରି ଛୋଟ ପିଲାଟିଏ ହୋଇ, ଲଙ୍ଗଳା କୁଲୁକୁଲିଆ-

 

ଅମିତା ସେହି ଗିରିଜାର ରୂପରେହିଁ ଦେଖା ଦେଇଥିଲା । ଗତ ଦେଢ଼ବର୍ଷର ସୁନ୍ଦର ଚଞ୍ଚଳ ଫ୍ରକ୍‌ପିନ୍ଧା ଚାବୁରୀ ଝିଅଟି ! ହାତ ଧରି ଟାଣିଛି, ଅମାନିଆପଣରେ ତର୍କ କରିଛି, ସ୍ନେହ ସଙ୍ଗେ ସଙ୍ଗେ ମନରେ ବିରକ୍ତି ଆଣିଛି । ଗୋଟିଏ କ୍ୟାମ୍ପ୍‍ରେ ଅସ୍ଥାୟୀ ବସାବାନ୍ଧି ରହିଥିବା ପରଘରର ଅଣଆକଟା ଝିଅ, କ୍ୟାମ୍ପ୍‍–ଭଉଣୀଟିଏ । ବାହାଘରର ସମ୍ବନ୍ଧ ପଡ଼ିବାରୁ ତାଆରି ରୂପ ବାହାର ଆଖି ଓ ମନର ଆଖିରେ ବଦଳି ଗଲା । ସେ ପୁଣି ଆଣିଲା ଉଚ୍ଚାଟିଆ ଶିହରଣ ।

 

ଗ୍ରାମ–ସ୍ଥଳୀର ଆବଡ଼ାଖାବଡ଼ା ବଣୁଆ ବାଟରେ ଅମିୟର ପାଖେପାଖେ ଚାଲୁଛି ସୁରେନ୍ଦ୍ର, କଣେଇଁ କଣେଇଁ ତା’ର ମୁହଁକୁ ଅନାଉଛି । ଦିଓଟି ମୁହଁ ଏକାପରିକା, ଦାଦି ଓ ଝିଆରୀ । ଖୋଳା ହେଉଥିବା ଗ୍ରାମ–ପୋଖରୀ ପାଖେଇ ଆସିଲାଣି । କାମ କରୁଥିବା ଲୋକମାନଙ୍କ ଉପରୁ ଦୃଷ୍ଟି ଫେରାର ଟିକିଏ ଅଟକି ଅମିୟ ସୁରେନ୍ଦ୍ରର ମୁହଁକୁ ଅନାଇଲା । ପଚାରିଲା, ଡେରି ହେଲା ବୋଲି ତୁମେ ଅନ୍ୟମନସ୍କ ହେଲଣି ସୁରେନ୍‌, ଖରାବି ଟାଣ ହେଲାଣି । ଚାଲ, ଏବେ କ୍ୟାମ୍ପ୍‍କୁ ଫେରିଯିବା ।

 

ସୁରେନ୍ଦ୍ର ଅପ୍ରତିଭ ହେଲା । କହିଲା, ମୁଁ ଟିକିଏ ଅନ୍ୟମନସ୍କ ହୋଇ ତୁମକୁହିଁ ଦେଖୁଥିଲି-। ସତେ, ତୁମର ଆଉ ତୁମର ଗେହ୍ଲା ଝିଆରୀ ଅମିତାଭ ମୁହଁ ଭଗବାନ୍‌ ଏକାପରି ଗଢ଼ିଛନ୍ତି-। ତାହାହିଁ ମୁଁ ନିରେଖୁଥିଲି । କିଛି ମନେ କରିବ ନାହିଁ ଅମିୟବାବୁ, ତମୁକୁ ମିଶାଇ ସମସ୍ତେ ଯେତେବେଳେ ଏକମତ ହୋଇଛନ୍ତି ଯେ ଅମିତା ହାଉଲ୍‌ଦାର ଘରର ବୋହୂ ହେବ, ତା’ପରେ ମୁଁ ତୁମକୁ ଆପଣ ବୋଲି ଡାକିବି । ବନ୍ଧୁତା ଅତୁଟ ହେବ । ଅମିତା ଏକ ଜିଦି ଧରିଛି ଯେ ସେ ତା’ର ଖଡ଼ୀକୁ ନ ଦେଖି ଆଉ କୁଆଡ଼େ ନ ଯାଏଁ । ସେଥିପାଇଁ ଖୋଜାପଡ଼ିଛି ଝିଅଟିଏ । ସେ ଦାୟିତ୍ୱ ପୁଣି ମୋ ମୁଣ୍ଡକୁ ଓହ୍ଲାଇ ଆସିଲାଣି । ଝିଅଟିଏ ଖୋଜି ବାହାର କରିବି, ଯିଏ ହେବ ମୋର ଖୁଡ଼ୀଶାଶୁ, ଯାହାର ପାଦଧୂଳି ନେଇ ମୁଁ ଦିନେ ମୁଣ୍ଡରେ ମାରିବି । କି କଠିନ ଦାୟିତ୍ୱ !

 

ଅମିୟ କହିଲା, ଏ କର୍ମରୁ ତୁମେ କ୍ଷାନ୍ତ ହେଉନ କାହିଁକି ? ଅମିତା ପିଲାଲୋକ । ମୁଁ ବୁଝାଇଦେଲେ ସେ ବୁଝିଯିବି । ବାହାଘରର ଆୟୋଜନ ମୁଁ କରୁଛି ।

 

ତୁମର ? ପାତ୍ରଟିଏ ମନୋନୀତ କରିଛ କି ?

 

କରିଛି କିନ୍ତୁ, ସେ ମୋତେ ମନୋନୀତ କରିବାକୁ ବୋଧହୁଏ ପଶ୍ଚାଦ୍‌ପଦ । ଯେଉଁ କାରଣରୁ ତୁମର ବାପା ଓ କ୍ୟାମ୍ପ୍‍ର ଅନ୍ୟମାନେ ବିପିନ୍‍ କର୍ମକାରଙ୍କ ବିରୁଦ୍ଧରେ ଠେଙ୍ଗା ଉଠାଇବାକୁ ଚକ୍ରାନ୍ତ କରୁଛନ୍ତି, ସେହିପରି କାରଣଟିଏ ମଧ୍ୟ ମୋ ଆଗରେ ଠିଆ ହୋଇଛି ।

 

ଏ ଦେଶର କଳା ମିଚିମିଚି ଆଦିବାସୀ ଝିଅଟିଏ ହେବେ ପରା ! ସେଇ ହେବେ ମୋର ଖୁଡ଼ୀଶାଶୁ ? ମୁଁ ଏଥିରେ ସମ୍ମତ ।

 

ନା, ସେ ବଙ୍ଗାଳୀ ଘରର ଝିଅ । ବାସ୍‌, ସେତିକି । ବାପଟିଏ ଆଉ ଯୁବତୀ ଝିଅଟିଏ, ଦୁଇ ପ୍ରାଣୀର କୁଟୁମ୍ବ । ଜାତିଗୋତ୍ର ଜଣା ନାହିଁ । ସେମାନେ ମଧ୍ୟ ଅତ୍ୟାଚାରିତ । ପୂର୍ବବଙ୍ଗରୁ ବିତାଡ଼ିତ । ପ୍ରୌଢ଼ ବାପକୁ ସଂସାରରେ ଏକା ଛାଡ଼ି ଅନ୍ୟ କାହାର ସଂସାର ଉଜ୍ଜ୍ୱଳ କରିବାକୁ ବୋଧହୁଏ ସେ ଝିଅଟି ଚାହୁଁନାହିଁ । ଝିଅ ନୁହେଁ ଯେ, ମା’ । ମାଆଠୁ ବଳି ସେ ତା’ର ବାପର ଯତ୍ନ ନିଏ ।

 

ବୁଝିଲି ଏଥର । ସମସ୍ୟାଟା ପ୍ରାୟ ଏକ ରକମର । ତୁମର ଝିଆରୀ ଚାହୁଁଛି ଯେ ତା’ର ମାତାଙ୍କର ସେବାଯତ୍ନ କରିବାକୁ ସେ ଆଗ ତା’ର କକାଙ୍କୁ ବାହା କରାଇବ ଓ ଖୁଡ଼ୀଙ୍କୁ ଆଣି ତା’ର ମାଆଙ୍କ ପାଖରେ ଛାଡ଼ିବ । ତେଣେ କେଉଁଠି ତା’ର ମନୋନୀତ ଖୁଡ଼ୀ ଅଡ଼ି ବସିଛନ୍ତି ଯେ ତାଙ୍କର ପିତାଙ୍କର ଯତ୍ନ ନେବାକୁ ସେ ଆଗ ମାଆଟିଏ ପାଖକୁ ଆଣିବ, ତା’ପରେ ତା’ କକାଙ୍କର ପ୍ରସ୍ତାବକୁ ବିଚାର କରିବ । କିନ୍ତୁ କିଏ ସେ ଅମିୟବାବୁ, ଦେଖିବାକୁ କିପରି ?

 

ଅମିୟ ଗମ୍ଭୀର ହେଲା । ଖୋଳା ହେଉଥିବା ପୋଖରୀ କଡ଼ରେ ତୋଳା ହୋଇଥିବା ଛୋଟ ଛୋଟ ପତ୍ରକୁଡ଼ିଆ ଆଗରେ ଥକ୍କା ହୋଇ ଠିଆ ହେଲା । ବିସ୍ମୟ ଓ କୁତୂହଳ ପୂର୍ଣ୍ଣ ଦୃଷ୍ଟିରେ ସୁରେନ୍‌ର ମୁହଁକୁ ଚାହିଁଲା । ଭାବିଲା, କେବେଠୁଁ ତା’ର ଏହି ଅଳ୍ପଭାଷୀ ବନ୍ଧୁଟିର ମୁହଁ ଖୋଲିଲା ? ସେ ଏବେ ରସଗର୍ଭକ ହେଲାଣି । ଅନ୍ୟକୁ ଉପହାସ କରିବାର ଭାଷା ତୁଣ୍ଡକୁ ଆଣିଲାଣି । ଶିକ୍ଷକତ୍ୱ କରି ନିର୍ଲଜ୍ଜପଣକୁବି ନିଜସ୍ୱ କଲାଣି ।

 

ଅମିୟ ସୁରେନ୍ଦ୍ରର ହାତ ଧରି କହିଲା, ଆମ ଦୁହିଁଙ୍କର ଶ୍ଳେଷ ଉକ୍ତି ବହୁତ ଦୂରକୁ ଆଗେଇ ଆସିଲାଣି । ବିପିନ୍‍ ଲିଡ଼ର୍‌ଙ୍କୁ ସମର୍ଥନ କରିବାକୁ ମନସ୍ଥ କରି ମୋ ବିଷୟରେ ଗଳ୍ପଟିଏ ରଚନା କରିଥିଲି । ସେ ଗଳ୍ପକୁ ଆଗେଇ ନେଇ ଶେଷ କରିବାର ଶକ୍ତି ମୁଁ ହରାଇଛି । ଚାଲ ଏବେ ଫେରିବା ।

 

କହିବାବେଳେ ମନର ପରଦା ଉପରେ ଉଭା ହୋଇଥିଲା ଗାୟତ୍ରୀ, ଯାହାର ମୁହଁର ସାମଞ୍ଜସ୍ୟ ଦେଖି ଅବ୍ୟକ୍ତ କେଉଁ ଆନନ୍ଦ ଉପଭୋଗ କରିବାକୁ ନିତି ସେ ଧାଇଁଯାଏ ଗୋପାଳ ହାଉଲ୍‌ଦାରଙ୍କ ଘରକୁ । ଅଣ୍ଟାନୁଆଁଇ ତନୁଜାଙ୍କର ପଦ ସ୍ପର୍ଶକରି ମୁଣ୍ଡରେ ହାତ ଲଗାଏ ଆଉ, ତନୁଜାଙ୍କର ସ୍ନେହ ଜରଜର ହସିଲା ମୁହଁକୁ ଚାହେଁ । ଦୁନିଆରେ ଦୁଇଟି ବ୍ୟକ୍ତିଙ୍କର ମୁଖ ଏକାଥରେ ନ ମିଶିଲେବି କେବେ କେଉଁଠି ଟିକିଏ ଟିକିଏ ଛିଟିକା ମିଳିଯାଏ, ଭୁଲବି ହୁଏ ।

 

ଅନିମାଙ୍କର କନ୍ୟା ଅମିତାର ମୁହଁ ସଙ୍ଗେ ତା’ର ମୁହଁର କେଉଁଠି କ’ଣ ସାମଞ୍ଜସ୍ୟ ଅଛି-। ଅମିତା ତା’ର ରକ୍ତର ଝିଆରୀ ଏଇ ଧାରଣାର ସେହି ଛିଟିକାରେ ଲୋକେ ପୂର୍ଣ୍ଣ ସାମଞ୍ଜସ୍ୟ ଅନୁଭବ କରୁଛନ୍ତି । ଗାୟତ୍ରୀ ଯଦି ତନୁଜାଙ୍କ ପାଖକୁ ଆସନ୍ତା, ତାଙ୍କର କନ୍ୟା, ଏ ଧାରଣା ଦୁଇଟି ମୁହଁକୁ ଏକ କରି ଦିଅନ୍ତା !

 

ସତଷଠୀ

 

ସୁରେନ୍ଦ୍ର ଓ ଅମିୟ ଫେରି ଆସିଲେ । ସର୍ଭେ–କ୍ୟାମ୍ପ୍‍ ଆଗରେ ଗଛ ଉହାଡ଼ରୁ ପରିଚିତ କଣ୍ଠରେ କିଏ ବଡ଼ପାଟି କରି ଡାକ ଛାଡ଼ିଲା, ଅମିୟବାବୁ– ! ଅମିୟ ଅଟକିଲା । ଆଖି ବୁଲାଇ ଚକିତ ହୋଇ ଦେଖିଲା, ହସିହସିକା ବଧାନ ତାଙ୍କରି ପାଖକୁ ଧାଇଁ ଆସୁଛି ।

 

ଅମିୟ ଅପେକ୍ଷା କଲା । ବିଧାନ ପାଖକୁ ଆସି ନମସ୍କାର କରି ଖୁସି ହୋଇ ତରତର କରି କହିଲା, ମୁଁ ଏଠାକୁ ଚାଲି ଆସିଛି । ଡାକ୍ତରବାବୁ ମୋତେ ତଡ଼ିଦେଲେ ଅମିୟବାବୁ, କିନ୍ତୁ ତାଙ୍କର ଦୋଷ ମୁଁ ଦେଇପାରିବି ନାହିଁ । କଲ୍ୟାଣୀ ଅପାଙ୍କରବି ଦୋଷ ନାହିଁ । କାହାରି ଦୋଷ ମୁଁ ଦେବି ନାହିଁ ଅମିୟବାବୁ, ସବୁ ମୋର ନିଜ ଭାଗ୍ୟର ଦୋଷ । ଭାଗ୍ୟ ବିରୁଦ୍ଧରେ ମୁଁ ଲଢ଼ିବାକୁ ପଣ କରିଛି, ବଞ୍ଚେ ବା ମରେ ସେଥିକୁ ମୁଁ ଖାତିର କରୁ ନାହିଁ ।

 

କିଛି ଉତ୍ତର ନ ଦେଇ ଅମିୟ ଦୁଇ ହାତ ବଢ଼ାଇ ବିଧାନକୁ ଛାତି ଉପରକୁ ଟାଣି ଆଣିଲା । ଉତ୍ତେଜନାର ପ୍ରବଳ ବେଗକୁ ସେ ଅଟକାଇ ପାରିଲା ନାହିଁ । ଏଇତ ତା’ର ଅତ୍ୟାଚାରିତ ନିଜ–ଭୁଲା ଭଣଜାଟି ! ମନେପଡ଼ିଲା ଅତୀତ ଯୁଗର ସ୍ନେହମୟୀ ଅପା ଉଷାରାଣୀ, କୋଳରେ ତା’ର ଟିକି ଭାଣିଜୀ ବିନୀତା ! ବିନୀତା ହଜିଛି । ସେଥିପାଇଁ ଅତ୍ୟାଚାରର ତୋଡ଼ ସହିଛି ଏହି ଅଜ୍ଞାନ ଶିଶୁଟି । ଉଷା ଅପା ତିନୋଟି ସନ୍ତାନଙ୍କୁ ସଂସାରକୁ ଆଣି ମଧ୍ୟ କେଉଁ ଅଜଣା ଅପରାଧ ପାଇଁ ଏହି ଅନାଥ ପିଲାଟିକୁ କ୍ଷମା ଦେଇ ପାରି ନାହାନ୍ତି । ଅନିଶ୍ଚିତତାର ଘୂର୍ଣ୍ଣି–ବାୟୁରେ ପତ୍ରଟିଏ ପରି ଘୂରି ବୁଲୁଛି ଏ ପିଲାଟି । ଅମିୟର ମନ ହାହାକାର କଲା । ବିଧାନର ଦେହ ଏପରି ତାତିଛି କାହିଁକି ?

 

ସେ ତାକୁ ମୁକ୍ତି ଦେଲା । ଟଳିଟଳି ବିଧାନ ଆଗରେ ଠିଆ ହେଲା । ଦୁର୍ବଳ ଦିଶୁଛି । ମୁହଁ ଫଣଫଣ । ଆଖିରେ ଢଳଢ଼ଳ ଲୁହ । ଟିକିଏ ଅପେକ୍ଷା କରି ମନର କୋହକୁ ଆୟତ୍ତ କରିବାକୁ ଛେପ ଢୋକି ସେ କହିଲା, ପାରଲ୍‌କୋଟରୁ ବାପା ଡାକ୍ତର ତରୁଣବାବୁଙ୍କୁ କ’ଣ ଧମକ ଦେଇ ଚିଠି ଲେଖିଥିଲେ । କଲ୍ୟାଣୀ ଅପାଙ୍କ ସଙ୍ଗେ ତାଙ୍କର କଜିଆ ହେଲା । ସେମାନେ ବୋଲାବୋଲି ହେଲେ । ଆପଣ ଆସିବାର ଦୁଇ ଦିନ ପରେ ସେମାନେ ମୋତେ ମାସକର ଦରମା ଓ ପାରଲ୍‌କୋଟ ଫେରିଯିବାକୁ ବାଟଖର୍ଚ୍ଚ ଦେଇ ବିଦା କଲେ । ମୁଁ ପାରଲ୍‌କୋଟ ଗଲିନାହିଁ ।

 

ଅମିୟ କହିଲା, ସେ ସବୁ କଥା ପରେ ହେବା । ତୁମେ ଏଡ଼େ ଦୁର୍ବଳ ଦିଶୁଛ କାହିଁକି ? ଦେହ କାହିଁକି ତାତିଛି ? କ’ଣ ଏଠି କରୁଛ ? ରହିଛ କେଉଁଠି ?

 

ବିଧାନ ହସିଲା । କହିଲା, ଆପଣଙ୍କର ଏତେଗୁଡ଼ିଏ ପ୍ରଶ୍ନର ଉତ୍ତର କ’ଣ ପଦେ କଥାରେ ମୁଁ ଦେଇ ପାରିବି ? ମୋତେ ଟିକିଏ ଜର ହୋଇଛି । ଲାଣ୍ଡ୍ ସର୍ଭେ ଇନ୍‌ସପେକ୍ଟର ପଣ୍ଡାବାବୁଙ୍କ ହାତରେ ଔଷଧ ମଗାଇଥିଲି ମାଲକାନଗିରିରୁ । ଔଷଧ ନେଇ ମୋ କୁଡ଼ିଆକୁ ଯାଉଥିଲି । ଏଇ ତ ଅତି ପାଖରେ । ଆସିବେ ନାହିଁ ଟିକିଏ, କପେ ଚା’ ଅନ୍ତତଃ ଖାଇଯିବେ ?

 

Unknown

ବିଧାନ ସୁରେନ୍ଦ୍ରର ମୁହଁକୁ ଚାହିଁଲା । ଅମିୟ କହିଲା, ସୁରେନ୍‌ ମୋର ବନ୍ଧୁ । ସେ କ୍ୟାମ୍ପ୍‍–ସ୍କୁଲ୍‍ର ଶିକ୍ଷକ । ତା’ର ସ୍କୁଲ୍‍ ଯିବାକୁ ଡେରି ହୋଇଯିବ । ପିଲାମାନେ ଆସି କଜିଆ କରିବେ । ପିଟାପିଟି ହେବେ । ଡେରି ହେବ ଆହୁରି, କିନ୍ତୁ ତୁମର କାହାଣୀ ନ ଶୁଣି ତ ମୁଁ ଯାଇପାରୁ ନାହିଁ ।

 

ବିଧାନ କହିଲା, ସୁରେନ୍‌ବାବୁ ନମସ୍କାର ! ସୁରେନ୍‌କୁ ସେ ନମସ୍କାର କଲା । ପୁଣି ଅମିୟକୁ କହିଲା, ଆପଣଙ୍କର ବନ୍ଧୁଙ୍କ କଥା ଉମରକୋଟରେ ଆପଣଙ୍କ ମୁହଁରୁ ଆମେ ଶୁଣିଥିଲୁ । ଯେଉଁଦିନ ଆପଣ ଚାରି ଦିନ ଛୁଟି ନେଇ ଭାଉଜଙ୍କୁ ଦେଖିବାକୁ ଆସିଲେ, ସେହିଦିନ ସନ୍ଧ୍ୟାରେ ଆପଣଙ୍କ ମେସ୍‌ର ସେହି ଫାଜିଲ୍‌ବାବୁ ସୁକୁମାର ମିତ୍ର, ସୁରେନ୍‌ବାବୁଙ୍କ ପୋଷ୍ଟ୍‍କାର୍ଡ଼୍ ଚିଠି ମତେ ଦେଇ କହିଲେ, ଆରେ ବିଧାନ, ଜୋଇଁବାବୁଙ୍କର ଚିଠି ଆସିଛି । ନେ, ଭାଉଜଙ୍କୁ ଦେଇଦେ । କାହାକୁ ଦେବି ମୁଁ ପଚାରିବାରୁ ସେ କହିଲେ, ଆରେ ବେକୁବ୍, ତୋର ଗାୟତ୍ରୀ ଅପାଙ୍କୁ । ତାଙ୍କ ଉପରେ ମୋର ଭାରି ରାଗ ହେଲା । ମୁଁ କହିଲି, ଆପଣଙ୍କୁ ମୁଁ ଏଣିକି ଭାଇ ବୋଲି ଡାକିବି । ସୁକୁମାର ଯବତ ହେଲେ । ଆସନ୍ତୁ ନା ମୋର କୁଡ଼ିଆକୁ, ଦେଖିବେ କେମିତି ରାତିରେ ଭାଲୁ ପଶି ମାଟି ଖୋଳି ଉଇଟାଙ୍କୁ ଖାଇଛି ।

 

ବିଧାନ ଅମିୟର ହାତ ଧରିଲା । ଅମିୟ ଅନୁଭବ କଲା, ବିଧାନର ଦେହରେ ଜର ଭରି ରହିଛି । ହାତ ଥରୁଛି । ତଥାପି ସେ ଗୁଡ଼ାଏ ବକୁଛି । ସୁରେନ୍ଦ୍ରର ମୁହଁରେ ଅପାଙ୍ଗ ଦୃଷ୍ଟିନିକ୍ଷେପିଲା-। ସେ ହସୁଛି, ମନେମନେ ଭାବୁଛି ପରା, ଅଚାନକ ସେ ତା’ର ପ୍ରସ୍ତାବିତ ଖୁଡ଼ୀଶାଶୁଙ୍କର ସନ୍ଧାନ ପାଇଛି । ଘୋଟି ଆସୁଥିବା ଲଜ୍ଜାକୁ ଆଡ଼େଇ ସେ ବ୍ୟସ୍ତତାର ଭାବ ଦେଖାଇ ପଚାରିଲା, ଘରେ କିପରି ଭାଲୁ ପଶିଲା ?

 

ତା’ର ଦୋଷ ନୁହେଁ ଅମିୟବାବୁ, ଦୋଷ ମୋର । ଗରମ ହେଲା ବୋଲି ବାଉଁଶ ତାଟିର କବାଟକୁ ଖୋଲି ଠିଆମେଲା କରି ମୋ ଖଟିଆ ଉପରେ ମୁଁ ନିଶ୍ଚିନ୍ତରେ ଶୋଇ ପଡ଼ିଥିଲି । ଖଟିଆ ତଳେ ଗୋଟିଏ ଟୋକେଇରେ କେଇଟା ବାଇଗଣ, ଫାଳେ କଖାରୁ ଓ ଅଧସେର ହେବ ଆଳୁ ରଖାହୋଇଥିଲା । ସେଇ ଆଳୁ ଖାଇବାକୁ ସେ ଆସିଥିଲା ।

 

ମୋର ଅଜଣା ବାପ ମାଆଙ୍କର ଭାଗ୍ୟ ଭଲ, ଆଉ ମୋର ଜଣା ବାପ ମାଆଙ୍କର କପାଳ ମନ୍ଦ ଯେ ସାଉଁ ସାଉଁ ଶବଦ ଶୁଣି, ଭୂତପ୍ରେତ ବୋଲି ମନେକରି, ମୁଁ ଯେମିତି ଉଠି ବସି ଚିତ୍କାର କଲି, ସେ ମୋତେ ଆକ୍ରମଣ ନ କରି ଛୁଟି ପଳାଇଲା । ଲୋକେ ଠେଙ୍ଗା ବାଡ଼ି ଧରି ରୁଣ୍ଡ ହେଲେ । ଭାଲୁକୁ ମାରିବାକୁ ଜଙ୍ଗଲ ଭିତରେ ଧାଇଁଲେ । ଭାଲୁରଜାକୁ ପାଇଲେ ନାହିଁ । ସେ ହୁଏତ କେଉଁ ପଥର ସନ୍ଧିରେ ଲୁଚି ବସିଥିବ, ଜୁଳୁଜୁଳୁ ଚାହିଁ ହସୁଥିବ, କହୁଥିବ, ରଜାପୁଅ ମୁଁ, ଡରେ ନାହିଁ କି କାହାର ଧାରେ ନାହିଁ । ଯେତେ ଖାଇଲି ତା’ଠାରୁ ଅଧିକ ନିର୍ଯାସ ଦେଇ ଆସିଲି । ସତେ ଅମିୟବାବୁ, ମୋ କୁଡ଼ିଆ ଭିତରେ ଓ ବାହାରେ ଟୋକେଇଏ ହେବ ମଇଳା ଛାଡ଼ି ଯାଇଥିଲା-

 

ସୁରେନ୍ଦ୍ର କହିଲା, ବେଶ୍‌ ମଜାର ପିଲା ତ ବିଧାନ । ଦେହରେ ତାତି ଭରି ରହିଛି, ତଥାପି ସେ ଗପୁଛି ଯେ ଗପୁଛି । ଟୋକାଟାର ଭିତରେ ହାସ୍ୟରସ ଭରି ରହିଛି । କିଏ ତୁମେ ବିଧାନ, କ’ଣ କରୁଛ ଏଠାରେ ? ନିଜ ଜୀବନ ପ୍ରତି ଭ୍ରୂକ୍ଷେପ କରୁନା କାହିଁକି ?

 

ମୋ ଉପରେ ଆପଣ ବିରକ୍ତ ହେଲେ କି ସୁରେନ୍‌ବାବୁ, ଅମିୟବାବୁଙ୍କୁ ଅଟକାଇଲି ବୋଲି ? ମୋ ପରିଚୟ ମୁଁ ଦେଇ ସାରିଛି । ଚକ୍ରବର୍ତ୍ତୀବାବୁ କଣ୍ଟ୍ରାକ୍ଟରଙ୍କର କୁଲିମାନଙ୍କର ହାଜିରା ରଖିବାକୁ ମୁଁ ଏଠି ଅଛି । ପ୍ରତିଦିନ କେତେ ପୁରୁଷ, କେତେ ସ୍ତ୍ରୀ, କେତେ ବାଳିକା କାମ କଲେ, ସେମାନଙ୍କର ନାମ, ଏଇସବୁ ଗୋଟିଏ ଖାତାରେ ଲେଖେ । କେଉଁ ଦଳ କେଉଁ ପିଟ୍‌ରେ କାମ କରି ମାଟି ତାଡ଼ି ବନ୍ଧରେ ପକାଉଛନ୍ତି, ସେ କଥା ଆଉ ଗୋଟିଏ ଖାତାରେ ଲେଖିରଖେ ।

 

ଗୋକୁଳ ଚକ୍ରବର୍ତ୍ତୀବାବୁ କେତେଆଡ଼େ କାମ ନେଇଛନ୍ତି । ଛଅ ସାତ ଦିନରେ ଥରେ ଆସି ସେ ଏଠି ଦିନେ ଓଳିଏ ରହନ୍ତି । ଖାତା ଦେଖନ୍ତି । ପିଟ୍‌ ମାପ କରି ହିସାବ କରନ୍ତି । କୁଲି–ସର୍ଦ୍ଦାରକୁ ପଇସା ଦିଅନ୍ତି । ମାଟି ଖୋଳାର ମାପଚୁପ କାମବି ମୁଁ ଶିଖିଗଲିଣି । ଆଉ, ମୋ ଜୀବନ ପ୍ରତି ଦୃଷ୍ଟି ଦେବା କଥା ମୋତେ ପଚାରିଲେ ପରା ? ତା’ର କି ଉତ୍ତର ଦେବି ? ସେଥିପ୍ରତି ମୋର ଖାତିର ନାହିଁ କି ବେଖାତିର ନାହିଁ । ମୋ ଜୀବନକୁ ବଞ୍ଚାଇ ରଖିବାକୁ ମୋ ଅପେକ୍ଷା ଅନ୍ୟମାନେ ବେଶି ବ୍ୟସ୍ତ !

 

ସୁରେନ୍‌ ପଚାରିଲା, କାହିଁକି ବିଧାନ ?

 

ବିଧାନ ହସି ହସି ଉତ୍ତର ଦେଲା, ମୋର ଏଇ ହାତ ଗୋଡ଼ ପୁଞ୍ଜିକପାଇଁକି । ଯେଉଁ କାମରେ ଲଗାଇଲେ ସାଧ୍ୟମତେ ସେଗୁଡ଼ିକ କାମରେ ଲାଗିଥାନ୍ତି । ମୋ ଜୀବନଟାକୁ ରଖି ପାରିଲେ ଅନ୍ୟମାନେ ତାଙ୍କର କାମରେ ଲଗାଇ ଫାଇଦା ଉଠାଇ ପାରିବେ । ମୁଁ ଅତି ଶସ୍ତା ସୁରେନ୍‌ବାବୁ, କେବଳ ବଞ୍ଚି ରହିବାକୁ ମୁଁ କାମକରେ, ଆଉ କାମ ତ କରେ ମୁଁ ବଞ୍ଚି ରହିବାକୁ । ମୋ କଥାଗୁଡ଼ାଏ ଗପି ଆପଣ ଦୁହିଁଙ୍କର ଅନେକ ସମୟ ନଷ୍ଟ କଲି । କ୍ଷମା କରିବେ । ଏଥର ବିଦାୟ ନେଉଛି । ଆରେ ହଁ, ଆପଣ ପାଖକୁ ସୁରେନ୍ଦ୍ରବାବୁ ଯେଉଁ ପତ୍ରଟି ଦେଇଥିଲେ, ତାକୁ ମୁଁ ଗାୟତ୍ରୀ ଅପାଙ୍କୁ ଦେଇଛି ।

 

ବିଧାନ ଦୁହିଁଙ୍କୁ ନମସ୍କାର କଲା । ଦୁହିଁଙ୍କୁ ସ୍ତମ୍ଭିତ କରି ସେ ମୁହଁ ବୁଲାଇ ଖୋଳା ହେଉଥିବା ପୋଖରୀ ଆଡ଼କୁ ଟଳଟଳ ହୋଇ ଚାଲିଲା ।

 

ସୁରେନ୍‌ କହିଲା, ବିଚିତ୍ର ତ ସେ ପିଲାଟା । ବୟସ ତୁଳନାରେ ତା’ର ଚିନ୍ତାଧାରା ବେଶ୍‌ ବଢ଼ି ଉଠିଛି, ଆଉ କଥା କହିବାର ଢଙ୍ଗ ! ମନେ ହେଉଛି, ସେ ଗୋଟାଏ ଏଞ୍ଚୋଡ଼–ପାକା ଫାଜିଲ୍‌ ଚାଲାଖ ପିଲା । ବିପଦ !

 

ଅମିୟ କହିଲା, ହତଭାଗ୍ୟ ଆଡ଼ବାଇଆ ପିଲାଟିଏ ସେ ସୁରେନ୍‌, ବୁଦ୍ଧିମାନ ଓ ବିଚକ୍ଷଣ । ତା’ର ସଂସର୍ଗରେ ଆସିଲେ ତୁମେ ବୁଝି ପାରିବ ଯେ ଦୁନିଆର ସବୁ ଅତ୍ୟାଚାର ସହି ସେ ଗୋଟିଏ ଛେଚାପିଟା ନିଦା ମଣିଷ ହୋଇ ଉଠିଛି । ସ୍ନେହରଙ୍କୁଣା ସେ, ଟିକିଏ ସ୍ନେହ ଆଦର ପାଇଲେ ସେ କିଣି ହୋଇଯାଏ ।

 

ସୁରେନ୍‌ ଆଉ କିଛି ନ ପଚାରି ଆଗେଆଗେ ଚାଲିଲା । ଅମିୟ ତା’ର ଅନୁଗମନ କଲା-। ଚଲାବାଟରେ ଗ୍ରାମ–ସ୍ଥଳୀକୁ ସିଧାସଳଖ ଅତିକ୍ରମ କଲେ । ଦୁହେଁ ନିଜ ନିଜର ଚିନ୍ତାରେ ନିମଗ୍ନ-

 

ଅମିୟ ଯନ୍ତ୍ରଚାଳିତ ପରି ଯାଉଥାଏ, ସତେ କି ବିଧାନର ଅଦୃଶ୍ୟ ହାତ ତାକୁ ପଛରୁ ଓଟାରି ଧରୁଥାଏ । ତା’ର ମନ ଜାଣିବାକୁ ଚାହୁଁଥାଏ, କାହିଁକି ବିଧାନକୁ କଲ୍ୟାଣୀ ଘରୁ ବାହାର କରିଦେଲେ । ପୁଣି, କାହିଁକି ସେ ପାରଲ୍‍କୋଟ ନ ଯାଇ ଚକ୍ରବର୍ତ୍ତୀବାବୁ କଣ୍ଟ୍ରାକ୍ଟରଙ୍କର ଶରଣାପନ୍ନ ହୋଇ ଏଠାକୁ ଆସିଲା ।

 

ଜରରେ ପୀଡ଼ିତ ହୋଇଛି ହତଭାଗ୍ୟ ପିଲାଟି, କିପରି ଚଳୁଛି, କିଏ ତା’ର ତତ୍ତ୍ୱ ନେଉଛି, ଏ ସବୁ ଖବର ତା’ର ବୁଝିବା କର୍ତ୍ତବ୍ୟ । ଉଷାରାଣୀ ଯେଉଁ ଅନ୍ୟାୟ କରିଛନ୍ତି, ଦୂରରେ ଥାଇ ତାଙ୍କର ଅଜ୍ଞାତରେ, ଅମିୟ ତା’ର କିଞ୍ଚିତ୍‌ ପ୍ରତିକାର କରିବାକୁ ମନେମନେ ବ୍ୟସ୍ତ ହୋଇ ଉଠିଲା ।

 

ସୁରେନ୍‌ କହିଲା, ବହୁତ ଡେରି ହେଲାଣି ଅମିୟବାବୁ, ରାସ୍ତାରେ ବୁଲିବୁଲି ଗଲେ ଆହୁରି ଅଧିକ ଡେରି ହେବ । ଆମେ ନାକ–ସଳଖା ଗହୀର ମଝିରେ ଯିବା । ଆମ କ୍ୟାମ୍ପ୍‍ ତିନି ମାଇଲରୁ ଅଧିକ ହେବ ନାହିଁ ବୋଲି ମୋର ବିଶ୍ୱାସ । ଭୋକ ହେଲାଣି । ଟିକିଏ ଜୋରରେ ଚାଲ-

 

ଅମିୟ କହିଲା, ଶୁଣ ସୁରେନ୍, ଅନାଥ ରୋଗଣା ପିଲାଟା ବିଧାନ । ତା’ର ଖବର ନ ବୁଝିଲେ ମୋର ମନ ଓଟାରି ହେଉଥିବ । ତା’ର ଜୀବନର କରୁଣ କାହାଣୀ ଶୁଣିଲେ ପାଷାଣର ଆଖୁରୁ ଲୁହ ଝରିବ । ବର୍ତ୍ତମାନ ମୋର କହିବାକୁ ବେଳ ନାହିଁ କି ତୁମର ଶୁଣିବାକୁ ସମୟ ଓ ଧୈର୍ଯ୍ୟ ନାହିଁ । ପରେ ସବୁ କଥା କହିବି । ତୁମେ ଏକା କ୍ୟାମ୍ପ୍‍କୁ ଫେରିଯାଅ । ମୁଁ ଯାଉଛି ବିଧାନ ପାଖକୁ । ମୋର ଫେରିବାକୁ ବିଳମ୍ବ ହେବ ବୋଲି ମୋ ଭାଉଜଙ୍କୁ ସମ୍ବାଦ ଦେବ ।

 

ସୁରେନ୍‌ କହିଲା, ତାହାହିଁ ହେଉ ।

 

ମୁହୂର୍ତ୍ତେ ଅପେକ୍ଷା ନ କରି ସେ ଏକମୁହାଁ ହୋଇ ନୂଆ ରିକ୍ଲେମ କରାହୋଇଥିବା ଜମି ଭିତରେ ଚଲାବାଟରେ କ୍ଷିପ୍ରଗତିରେ ଚାଲିଲା ।

 

ବିଧାନର ଛୋଟ ପତ୍ର–କୁଡ଼ିଆଟି ଖୋଜି ବାହାର କରିବାକୁ ଅମିୟକୁ ଡେରି ଲାଗିଲା ନାହିଁ । କଳାହାଣ୍ଡି ଜିଲାରୁ ଆସି କାମ କରୁଥିବା ମଜୁରିଆମାନଙ୍କର ଧାଡ଼ିଧାଡ଼ିକା ପତ୍ର–କୁଡ଼ିଆ ବିଧାନ ରହୁଥିବା ଟିକିଏ ବଡ଼ କୁଡ଼ିଆର ଅନତିଦୂରରେ । ସେମାନଙ୍କର ଛୋଟ ଛୋଟ ପୁଅଝିଅମାନେ ସେହି କଲୋନିରେ କାରବାର ହେଉଛନ୍ତି ।

 

ବିଧାନ ଚାଦର ଖଣ୍ଡେ ଦେହରେ ପକାଇ ଖଟିଆ ଉପରେ ବସିଛି । ଦଶ ବାରବର୍ଷର ସ୍ୱାସ୍ଥ୍ୟବତୀ, ଶ୍ୟାମଳୀ, ଗୋଲମୁହୀଁ ଝିଅଟିଏ ତା’ର ନିର୍ଦ୍ଦେଶରେ ଘରଭିତର ସଫା କରି ଜିନିଷପତ୍ର ସଜାଡ଼ି ରଖୁଛି । ଗୋଟିଏ କୋଣରେ ପକା ହୋଇଥିବା ଚୁଲି ଉପରେ ଛୋଟ ନୂଆ ଡେକ୍‌ଚିରେ ପାଣି ଗର୍ଜୁଛି ।

 

ଅମିୟକୁ ଦେଖି ବିଧାନ ଆନନ୍ଦରେ ଅଧୀର ହୋଇ ଉଠି ଠିଆ ହେଲା । କହିଲା, ମୁଁ ଜାଣିଥିଲି ଯେ ଆପଣ ନିଶ୍ଚୟ ଅଧବାଟରୁ ଫେରି ଆସିବେ । ମୋ କଥା ଆପଣ ବିଶ୍ୱାସ କରନ୍ତୁ । ଆପଣଙ୍କ ଉଦାର ମନକୁ ମୁଁ ଚିହ୍ନିଛି । ଏଇ ଝିଅଟି, ତା’ ନାମ ଲକ୍ଷ୍ମୀ । ତାକୁ ଡାକି ଆପଣଙ୍କୁ ଚା’ ଦେବି ବୋଲି ପାଣି ଗରମ କରୁଛି ।

 

ଅମିୟ ବିହ୍ୱଳ ହୋଇ ବିଧାନର ହାତ ଧରି ଖଟିଆରେ ବସାଇଲା । ପିଠି ଚାପଡ଼ି କହିଲା, ତୁମର ଦେହରେ ଜର ଭରି ରହିଛି । ମୁଁ ତ ଆସିଗଲିଣି, ଏଥର ତମପାଇଁ ମୁଁ ନିଜେ ଚା’ କରି ମୋତେ ଦେବି । ତୁମେ ଖାଇବ କ’ଣ ବିଧାନ, ତୁମର ଭାତ ଖାଇବା ମୋଟେ ଉଚିତ ନୁହେଁ । ଟିକିଏ ବାର୍ଲି କରିଦେଲେ ଖାଇବ ?

 

ବିଧାନ କହିଲା, ଆଜି ମୁଁ କିଛି ଖାଇବି ନାହିଁ । ଆପଣ ଯେଉଁ ଚା’ କରିବେ, ଗୁଣ୍ଡ ଦୁଧରେ ଏକା, ସେଇଥିରୁ ଟିକିଏ ପିଇବି । ଔଷଧ ପାନେ ଖାଇଛି । ଆପଣଙ୍କୁ ଦେଖି ମୋର ଏତେ ଆନନ୍ଦ ହେଉଛି ଯେ, ମୋ ଜର ଅଧେ ଭଲ ହୋଇଗଲାଣି ।

 

ଏଇ ନାଳ ପାଣିରେ ଟିକିଏ ବେଶି ସମୟ ଗାଧୋଇଲି । କାଚକେନ୍ଦୁ ପରି ନିର୍ମଳ ଶୀତଳ ଜଳ ମତେ ଭଲ ଲାଗିଲା । ସେଇଥିପାଇଁ ଜର ହେଲା । କାଲି ରାତିରେ ବହୁତ ଜର ହୋଇଥିଲା । ଲକ୍ଷ୍ମୀର ମା’ ତା’ ମନକୁ ଆସି ନିଆଁ କରି ମୋ ପାଦରେ ସୋରିଷ ତେଲ ବୋଳି ସେକି ଦେଲା । ରାତିସାରା ମୋ ପାଖରେ ଜଗି ବସିଲା ।

 

ସକାଳକୁ ବୋଧହୁଏ ଜର ଛାଡ଼ି ଯାଇଥିଲା । ଲକ୍ଷ୍ମୀକୁ ମା’ ପାଖରେ ଛାଡ଼ି ସେ ମାଟି ଖୋଳିବାକୁ ତା’ ସ୍ୱାମୀଙ୍କ ସଙ୍ଗରେ ଚାଲିଗଲା । ମୁଁ ଟିକିଏ ଏଣେତେଣେ ବୁଲାଚଲା କଲି । ସେଇଥିପାଇଁ କି କ’ଣ, ପୁଣି ଦେହରେ ତାତି ଆସିଛି । ମୁଁ ବିଶେଷ ଜାଣି ପାରୁ ନାହିଁ ।

 

ଅମିୟ କହିଲା, ସେ ଯାହାହେଉ, ମୁଁ ବାର୍ଲି କରି ଦେଉଛି । ତୁମେ ଆଉ ବେଶି ଗପ ନାହିଁ । ଚୁପ୍‌ ହୋଇ ବସ ।

 

ବିଧାନ କହିଲା, ଆପଣଙ୍କୁ ଦେଖି ବହୁତ ଗପିବାକୁ ମୋର ମନ ହେଉଛି । ଛାତିତଳେ ଯେଉଁସବୁ ଦୁଃଖ ଏଇ ଡେକ୍‌ଚିର ପାଣି ପରି ଟକ୍‌ଟକ୍‌ ହୋଇ ଫୁଟୁଛି, କାହା ଆଗରେ ସେତକ ମୁଁ ପ୍ରକାଶ କରିବି କହିଲେ ? ମୋଟେ ଆଠ ଦିନ ହେଲା ମୁଁ ଏଠାକୁ ଆସିଛି । ଚକ୍ରବର୍ତ୍ତୀବାବୁ ମୋତେ ଆଗତୁରା ପନ୍ଦର ଦିନର ଦରମା ପଚିଶ ଟଙ୍କା ଦେଇଥିଲେ । ତାଙ୍କର ଦୋଷ ନାହିଁ । ଚଳିବାପାଇଁ କେତେ ଆବଶ୍ୟକୀୟ ପଦାର୍ଥ ମୁଁ କିଣି ଆଣିଥିଲି । ପରିବାପତ୍ର ଆଉ ଚାଉଳ ଡାଲିତକ ସବୁ ଭାଲୁ ଶେଷ କରିଦେଲା ।

 

ଜର ହେବ ବୋଲି ଆଗରୁ ମୁଁ ଜାଣି ନଥିଲି; ବାର୍ଲି କାହିଁକି କିଣନ୍ତି ? ଆପଣ ଖାଇବେ କ’ଣ ? କିଛି ମୁଁ ଦେଇ ପାରିବି ନାହିଁ । ଆପଣଙ୍କର ଭାଉଜ ଭଲ ହୋଇ ଯାଇଛନ୍ତି ବୋଲି ସୁରେନ୍‌ବାବୁ ପୋଷ୍ଟ୍‍କାର୍ଡ଼୍‍ରେ ଆପଣଙ୍କୁ ଲେଖିଥିଲେ । ଚାରି ଦିନ ଛୁଟି ପରେ ଆପଣ ଉମରକୋଟ ଫେରିଯିବେ ବୋଲି ଆମେ ଆଶା କରିଥିଲୁ । ଆପଣ ଛୁଟି ବଢ଼ାଇଲେ । ଗାୟତ୍ରୀ ଅପା କହିଲେ, ବୋଧହୁଏ ଆପଣଙ୍କ ଭାଉଜଙ୍କ ଦେହ ପୁଣି ଖରାପ ହେଲା ।

 

ଅମିୟ ଆଉ କିଛି ନ ପଚାରି ଖଟିଆ ଉପରୁ ତଳକୁ ଓହ୍ଲାଇଲା । ଲକ୍ଷ୍ମୀ ଝିଅଟି କେତେ ଖଣ୍ଡି ଶୁଖିଲା କାଠ ଭାଙ୍ଗି ହାତରେ ଧରି କୁଡ଼ିଆରେ ପହଞ୍ଚିଲା । ତିଆରି ସାହାଯ୍ୟରେ ଅମିୟ ଦୁଇ କପ୍‌ ଚା’ କରିବାକୁ ଲାଗିଲା । ଚାରିଆଡ଼େ ଆଖି ବୁଲାଇ ବିଧାନର ଦୁର୍ଦ୍ଦଶା ଓ ନିଃସହାୟତା ବିଚାର କରୁଥିଲା ।

 

ଦଶ ଫୁଟ୍ ଲମ୍ବ ଓ ଆଠ ଫୁଟ୍ ଚଉଡ଼ା ହେବ ସେ କୁଡ଼ିଆଟି । ଅରଣ୍ୟର ଝାଟି ବୁଜା ହୋଇ କାନ୍ଥ କରାହୋଇଛି । ଝାଟି କାନ୍ଥର ଜଳାଗୁଡ଼ିକରେ ବାହାରର ଆଲୋକ ଓ ପବନ ଘରେ ପଶୁଛି । ନୁଆଁଣିଆ ଚାଳର ଅବସ୍ଥା ମଧ୍ୟ ସେହିପରି । ଖଟିଆ ଉପରେ ପରା ହୋଇଛି ଖଣ୍ଡେ ପୁରୁଣା ସତରଞ୍ଜି । ପୁରୁଣା ଲୁଗାଟିଏ ଗୁଡ଼ା ହୋଇ ତକିଆ ହୋଇଛି । ଖଣ୍ଡିଏ ରଙ୍ଗିନ ବିଛଣା ଚଦର, ଖଣ୍ଡିଏ ଲୁଗା, ଗୋଟିଏ ପଟ୍ଟିପଟ୍ଟିକା ହାୱାଇନ୍‌ ସାର୍ଟ୍ ଓ ଖଣ୍ଡିଏ ମଇଳା ଗାମୁଛା ଦଉଡ଼ା ଅଲଗୁଣିରୁ ଝୁଲୁଛି । ବୋଧହୁଏ ବିଧାନର ସମ୍ବଳ ମାତ୍ର ଏତିକି ।

 

ପଳାଇ ଆସିଥିବା ବହୁ କୁଟୁମ୍ବର ଏତକ ସମ୍ବଳ ନଥିଲା । ସେଥିକି ଦୁଃଖ ନାହିଁ । ମଣିଷର ଦେହ ଓ ମନ ସବୁ ସହିପାରେ, ସବୁ ଅବସ୍ଥାକୁ ଆପଣାର କରିପାରେ । କାମ କରୁଥିବା ମଜଦୁର କୁଟୁମ୍ବଗୁଡ଼ିକର ଏତକବି ନାହିଁ । ଦଶବର୍ଷର ଝିଅ ଲକ୍ଷ୍ମୀ, ସ୍ୱାସ୍ଥ୍ୟରେ ଭରପୂର ଯାହାର ଦେହ, ଶାନ୍ତି ଓ ସନ୍ତୋଷରେ ଉଛୁଳି ପଡ଼ୁଛି ଯାହାର ହସିଲା ମୁହଁ, ପିନ୍ଧିଥିବା ଦର ମଇଳା ଛୋଟ ନୀଳ ଶାଢ଼ିଟି ଛଡ଼ା ବୋଧହୁଏ ତା’ର ଆଉ କିଛି ନାହିଁ । ସେତିକିବି ନଥିବ ଅନେକ ପୁଅ ଝିଅଙ୍କର-

 

ଏଇ ତ ଆମର ଦେଶ ଓ ସମାଜର ଅବସ୍ଥା । ପ୍ରାଚୁର୍ଯ୍ୟର ବୋଝରେ କିଏ ଫାଟି ପଡ଼ୁଛି-। ଅଭାବର ବୋଝରେ କିଏ ଚାପି ହୋଇ ଯାଉଛି ।

 

ହତଭାଗ୍ୟ ବିଧାନ ସୁଖରେ ଅଛି !

 

ଅଡ଼ଷଠୀ

 

କଥା ନ ମାନି ବିଧାନ ତା’ ଜୀବନର ସବୁ ଦୁଃଖ ଅମିୟ ଆଗରେ ଗପିଥିଲା ।

 

ନିର୍ମଳ ଗୁଇଁ ହୋଟେଲ ମାଲିକଙ୍କର ପରାମର୍ଶ ଅନୁଯାୟୀ ବିଧାନ ରାତି ଦିଘଡ଼ି ସମୟରେ ଅଧମବାବୁଙ୍କ ଘରେ ପହଞ୍ଚିଥିଲା । ସେ ଜାଣିଥିଲା ଯେ ଅଧମ ଡ୍ରାଇଭର ଗାଡ଼ି ନେଇ ଟୁର୍‌ରେ ଜଗଦଲ୍‍ପୁର ଯାଇଥିଲେ । ଡାକ ଶୁଣି ଗାୟତ୍ରୀ କବାଟ ଖୋଲିଲା । ବିଧାନକୁ ଦେଖି ସେ ଆଦର କରି ଭିତରକୁ ଡାକି ନେଲା ।

 

ତିନି ଦିନର ଖବର ତା’ଠାରୁ ବୁଝି ଗାୟତ୍ରୀ କହିଲା, କଲ୍ୟାଣୀ ଅପା ତୋ ସମ୍ବନ୍ଧରେ ସବୁ ଖବର ରଖିଛନ୍ତିରେ ବିଧାନ, ତୁ ପାରଲ୍‍କୋଟ ଫେରି ନ ଯାଇ ହୋଟେଲରେ ପଡ଼ିଛୁ ଏହା ଜାଣି ସେ ଅତ୍ୟନ୍ତ ଦୁଃଖିତ । ଖୁକୀ ତୋତେ ଖୋଜୁଛି । ଏବେ ତ ସେ ଗଲା । କଲ୍ୟାଣୀ ଅପା ତୋତେ ପୁଣି ପାଖରେ ରଖିବାକୁ ଚାହାନ୍ତି । ଡାକ୍ତରବାବୁ ସେଥିରେ ବାଧା ଦେଲେ ସେ ମାନିବେ ନାହିଁ । ତୋରିପାଇଁ ସ୍ୱାମୀ ସ୍ତ୍ରୀଙ୍କ ଭିତରେ କେତେଥର ବଚସା ହୋଇ ଗଲାଣି । ଜାଣୁ ତ ବିଧାନ, କଲ୍ୟାଣୀ ଅପା ତୋତେ କେତେ ଭଲ ପାଆନ୍ତି ?

 

ବିଧାନ କହିଲା, ଜାଣେ । ତାଙ୍କର ସ୍ନେହ ଓ କରୁଣା ଜୀବନରେ ମୁଁ ସୁଝାଇ ପାରିବି ନାହିଁ । ମୋ ପରି ଜଣେ ହତଭାଗ୍ୟ ପାଇଁ ତାଙ୍କ କୁଟୁମ୍ବରେ ମୁଁ ଅଶାନ୍ତି ଆଣିବାକୁ ଚାହେଁ ନାହିଁ । ଯେତେ ଦିନ ଯାଏଁ ମୁଁ ତାଙ୍କ ପାଖରେ ଥିବି ପାରଲ୍‍କୋଟରେ ମୋ ବାପ ମା’ ମନେ କରୁଥିବେ ସେ ଚାକର ମିଳୁନାହିଁ ବୋଲି ସେମାନେ ମୋତେ ଜବରଦସ୍ତି ତାଙ୍କ ଘରେ ଅଟକାଇ ରଖିଛନ୍ତି । ସେମାନେ ତାଙ୍କ ନିଜର ସ୍ୱାର୍ଥ ଦୃଷ୍ଟିରୁ ଡାକ୍ତରବାବୁ ଓ କଲ୍ୟାଣୀ ଅପାଙ୍କ ନାମରେ ବାରଆଡ଼େ ନିନ୍ଦା ରଟାଇବେ । ଉପରକୁ ଲେଖାଲେଖି କରି ବାପା ଡାକ୍ତରବାବୁଙ୍କର ଅନିଷ୍ଟ କରିବାକୁ ଚେଷ୍ଟା କରିବେ । ମୁଁ ଏହା ସହି ପାରିବି ନାହିଁ । ମୁଁ ଆଉ ତାଙ୍କ ପାଖରେ ରହିବି ନାହିଁ ।

 

ଅମିୟ ଆଗରେ ବିଧାନ ଗପିବାକୁ ଲାଗିଲା, ମୋର ମନର ଉଦ୍ଦେଶ୍ୟ ଗାୟତ୍ରୀ ଅପାଙ୍କ ଆଗରେ ମୁଁ ଖୋଲି କହିଲି । ସେ ଖୁସି ହେଲେ । ତାଙ୍କରି କଥା ମାନି ମୁଁ ହୋଟେଲରୁ ଚାଲି ଆସି ଗାୟତ୍ରୀ ଅପାଙ୍କ ଘରେ ରହିଲି । ମୋ ପାଖରୁ ଟଙ୍କାପଇସା ସରି ଆସିଥିଲା । ଦିନଟିଏବି ସ୍ୱାଧୀନ ଭାବରେ ଚଳିବାକୁ ମୋର ସମ୍ବଳ ନଥିଲା । ଗାୟତ୍ରୀ ଅପାଙ୍କ ଦୟାରୁ ମୁଁ ମୋଟେ ଦିନଟିଏ ତାଙ୍କ ଘରେ ଥିଲି । ଚକ୍ରବର୍ତ୍ତୀବାବୁ କଣ୍ଟ୍ରାକ୍ଟରଙ୍କ ସଙ୍ଗେ ଦେଖା କରିଥିଲି । ଦରିଦ୍ର ନିରାଶ୍ରୟ ବଙ୍ଗାଳୀ ପିଲାଟିଏ ବୋଲି ମୋତେ କାମ ଦେଇ ସେ ସାହାଯ୍ୟ କରିବାକୁ ପ୍ରସ୍ତୁତ ବୋଲି ଜଣାଇଁ ଦେଲେ । ଆଶ୍ରା ପାଇ ନିଜ ଅର୍ଜନରେ ମୁଁ ନିଜେ ଚଳି ପାରିବି ଏ ଧାରଣା ମୋ ମନର ଶକ୍ତିକୁ ବଢ଼ାଇ ଦେଲା-

 

ବିଧାନ ପୁଣି କହିଲା, ପରଦିନ ଅଧମବାବୁ ଆସିଲେ । ତାଙ୍କ ଘରେ ମୋତେ ଦେଖି ସେ ସୁଖୀ ହେଲେ କି ଦୁଃଖିତ ହେଲେ ମୁଁ ଜାଣି ପାରିଲି ନାହିଁ । ଗାୟତ୍ରୀ ଅପା ମୋ ବିଷୟରେ ସବୁ କଥା ତାଙ୍କୁ କହିଲେ । ଅଧମବାବୁ ମୋତେ କିଛି ନ କହି ଗାୟତ୍ରୀ ଅପାଙ୍କୁ ଜବାବ ଦେଲେ, ମୁଁ ମେକାନିକ୍‌ ହୋଇ ମାଲକାନଗିରି ବଦଳି ହୋଇଛି ଯେ, ଆମେ କେବେ ଏଠାରୁ ଯିବା ତା’ର ସ୍ଥିରତା ନାହିଁ । ବିଧାନର ବୟସ ଅଳ୍ପ । ସେ ବା କି ଚାକିରି କରିବ ? ଆମ ଘରେ ତୋ ପାଖରେ ରହିଲେ ମୋର କିଛି ଆପତ୍ତି ନାହିଁ । ମୁଁ ଖୁସି ହେବି । ମୁଁ ତ ତାଆରି ପରି ପିଲାଟିଏ ଖୋଜୁଥିଲି ମା’, ତା’ ପାଖରେ ସେ ତୋର ସାନ ଭାଇ ପରି ରହିବ ।

 

ବିଧାନର କାମ ଶିଖିବାକୁ କେବଳ ଆଗ୍ରହ ହେଲେ ଯେ ସେ କାମ ଶିଖି ପାରିବ, ଏପରି ବିଚାରିବା ଠିକ୍ ନୁହେଁ । ସେ ଛୋଟପିଲା । ପରିଶ୍ରମ କରି ପାରିବ କି ନାହିଁ କିଏ ଜାଣେ ? ବିଦ୍ୟା, ବୁଦ୍ଧି, ଧୀର ପ୍ରକୃତି ନଥିଲେ ସେପରି କାମ କରିବା ସମ୍ଭବ ନୁହେଁ । ବିଧାନ ଚଞ୍ଚଳ ପ୍ରକୃତିର ପିଲା ପରି ମନେ ହେଉଛି । ଗୁଡ଼ାଏ ଗପିବାକୁ ସେ ସୁଖ ପାଏ । ତୋ ପାଖରେ ରହି ଆଗ ସେ ନିଜର ପ୍ରକୃତି ବଦଳାଉ ।

 

ଅମିୟବାବୁ, ଅଧମବାବୁ ମୋତେ ଶୁଣାଇଁ ଗାୟତ୍ରୀ ଅପାଙ୍କୁ ଯାହା କହିଲେ ସେଥିରୁ ମୁଁ ବୁଝିପାରିଲି ଯେ ସେ ମୋତେ ଘୃଣା କରନ୍ତି । ତାଙ୍କ ଝିଅର ଆଗ୍ରହ ନ ଭାଙ୍ଗିବାକୁ ତାଙ୍କ ଘରେ ଆଶ୍ରୟ ଦେବାକୁ ସେ ରାଜି ହେଲେ ।

 

ପରଦିନ ସେ ମୋତେ ପାଖକୁ ଡାକି ମୋ ମୁହଁକୁ ବଲବଲ କରି ଚାହିଁଲେ । କହି ପାରିବି ନାହିଁ କାହିଁକି ମୋ ଆଖିରେ ଲୁହ ଛଳଛଳ ହେଲା । ତାଙ୍କର ରୁକ୍ଷ ମୁହଁ ମୋ ଆଖିର ଲୁହରେ ନରମି ଆସିଲା ।

 

ସେ ମୋର ହାତ ଧରି ପିଠି ଆଉଁସି କହିଲେ, ତୋ ଜୀବନର ଦୁଃଖର କାହାଣୀ ମୁଁ ଜାଣେ । ପାରଲ୍‌କୋଟରେ ଅନ୍ୟମାନଙ୍କ ତୁଣ୍ଡରୁ ଶୁଣିଛି । ତୁ ଚାଲାଖ ଚତୁର ପିଲା । ସବୁ ବୁଝି ପାରୁଛୁ । ଧୈର୍ଯ୍ୟଧରି ଧୀରସ୍ଥିର ହୋଇ ଯାହା କରିବାର କର । ଉତ୍ତେଜିତ ହୋଇ ବାରଆଡ଼େ ବୁଲି ବାପ ମାଆଙ୍କର ଦୁର୍ନାମ ରଟାଇଲେ ତୋର କି ଉପକାର ହୋଇ ପାରିବ ? ତୁ ତୋର ଗାୟତ୍ରୀ ଅପା ପାଖରେ ନିଶ୍ଚିନ୍ତରେ ରହ । ତା’ ଘରକୁ ନିଜର ଘରପରି ମଣ । କେହି ତୋତେ ଏ ଘରୁ ମୋ ପାଖରୁ ଓଟାରି ନେଇ ପାରିବେ ନାହିଁ । ନିଜର ମନକୁ ନିଜେ ତୁ ଦମ୍ଭକର ।

 

ସେତିକି ମୁଁ କରି ପାରିଲି ନାହିଁ ଅମିୟବାବୁ ! ନିଜେ ବରଂ ଆହୁରି ଦୁଃଖ ସହିବି, କାହାର ଦୟାର ପାତ୍ର ହେବି ନାହିଁ, ଏପରି ଧାରଣା ମୋ ମନକୁ ଆସିଲା । ଅଧମବାବୁ ତାଙ୍କ ୱାର୍କସପ୍‌କୁ ଗଲା ପରେ ମୋର ଲୁଗାପଟା ଦିଖଣ୍ଡି ବାନ୍ଧି ମୁଁ ଚକ୍ରବର୍ତ୍ତୀବାବୁଙ୍କ ଘରକୁ ଚାଲି ଆସିଲି-। ଗାୟତ୍ରୀ ଅପା, ଏପରିକି କଲ୍ୟାଣୀ ଅପା ଆସି ମୋତେ ବୁଝାଇବାକୁ ଚେଷ୍ଟା କଲେ । ମୁଁ ସବୁ ଶୁଣିଲି, କାହାକୁ କିଛି ଉତ୍ତର ଦେଲି ନାହିଁ ।

 

ମୁଁ ଜାଣିଲି, ଦୁନିଆରେ କେହି ମୋର ନୁହନ୍ତି । ମୁଁ ନିଜେହିଁ ମୋର । ମୁଁ ବୁଝିଲି, ଗୋଟାଏ ଉତ୍ତେଜନାରେ ଭାବପ୍ରବଣ ହୋଇ, ମୋର ମାଆଙ୍କ ପାଖକୁ ଯେଉଁ ଚିଠି ଖଣ୍ଡି ମୁଁ ଲେଖିଥିଲି ସେଇଟା ତାଙ୍କର ଓ ଅନ୍ୟମାନଙ୍କର ହସର କାରଣ ହୋଇଥିବ । ସେଥିପାଇଁ ମୁଁ ମୋଟେ ଦୁଃଖିତ ନୁହେଁ, କାରଣ ସେଇ ଖଣ୍ଡି ତାଙ୍କ ପାଖକୁ ମୋର ଶେଷ ଚିଠି । ଯେଉଁ ଟଙ୍କା ପାଖକୁ ପଠାଇଲି ସେତକ ମୋ ଋଣ ପରିଶୋଧର ଶେଷ କିସ୍ତି ।

 

ବିଧାନ ତା’ର ଗଳ୍ପ ଶେଷ କରି ଆନନ୍ଦରେ କୁରୁଳି ଉଠିଥିଲା । ଅମିୟ ମନେକଲା, ସତେ କି ତା’ର ମୁଣ୍ଡରୁ ସେ ହିମାଳୟର ବୋଝ ଟଳାଇ ଦେଲା । ସାନ୍ତ୍ୱନା ଦେବା କି ଉପଦେଶ ଦେବାକୁ ସେ ଅବାନ୍ତର ମଣିଲା । ଜରର କୋପ ବଢ଼ୁଥିଲେବି ସେ କଥା ନ ମାନି କେବଳ ଗପିବାକୁହିଁ ଲାଗିଥିଲା । ଲକ୍ଷ୍ମୀକୁ ପଠାଇ ସର୍ଭେ କ୍ୟାମ୍ପ୍‍ରୁ ବାର୍ଲି ମଗାଇ ଆଣିଥିଲା । ନିଜ ହାତରେ ବାର୍ଲି କରି ସେ ବିଧାନକୁ ଖୁଆଇଲା । ଦିନସାରା ଉପାସ ରହି ସେ ପିଲାଟିର ଯତ୍ନ ନେଇଥିଲା । ସନ୍ଧ୍ୟା ପୂର୍ବରୁ କ୍ୟାମ୍ପ୍‍ର ଅନ୍ୟମାନେ ସେମାନଙ୍କର କାର୍ଯ୍ୟ ଶେଷ କରି ଫେରିଲେ । ସ୍ଥାନଟି ଜନ–ମୁଖର ହୋଇ ଉଠିଲା । ବିଧାନର ଖବର ବୁଝିବାକୁ କଣ୍ଟ୍ରାକ୍ଟରଙ୍କର କାର୍ଯ୍ୟର ଅନ୍ୟ ତତ୍ତ୍ୱାବଧାରକମାନେ ଉପସ୍ଥିତ ହେଲେ । ଲକ୍ଷ୍ମୀର ବାପ ମା’ ଆସି ପହଞ୍ଚିଲେ ।

 

ନିଜ ଦେହର ଯତ୍ନ ନେବାକୁ ଉପଦେଶ ଦେଇ ବ୍ୟଥିତ ଚିତ୍ତରେ ଅମିୟ ମାଲକାନଗିରି କ୍ୟାମ୍ପ୍‍କୁ ଫେରି ଆସିଲା । ଭାବିଲା, ଛୋଟପିଲାଟିଏ ହେଲେ ମଧ୍ୟ ନିଜ ନିଃସହାୟତାର ଓ ଦୁଃଖଦୁର୍ଦ୍ଦଶାର ଅଭିମାନରେ ସେ ଏକଜିଦିଆ ହୋଇଛି । ଅଧମବାବୁଙ୍କର ସଦୁପଦେଶକୁ ଗ୍ରହଣ ନ କରି ପ୍ରତ୍ୟାଖ୍ୟାନ କରି ବିପଦର ସମ୍ମୁଖୀନ ହୋଇଛି । ନିଜେ ଦୁଃଖ ସହିଲେ ବଳେ ସେ ଚେତିବ, ଶିଖିବ ଓ ସାବଧାନ ହେବ । ଜର ତ ହୋଇଛି, ତା’ର ଯତ୍ନ ନେବାକୁ ଅନ୍ୟମାନେ ଆଗେଇ ଆସିଲେଣି । ବଳେ ସେ ଭଲ ହୋଇଯିବ ।

 

ସୁରେନ୍ଦ୍ର ପାଖରୁ ଅନିମା ବିଧାନର ଖବର ପାଇଥିଲେ । ସେ ଆଶା କରି ନଥିଲେ ଯେ ଅମିୟର ଫେରିବାକୁ ଏତେ ଡେରି ହେବ । ଅପେକ୍ଷା କରି ସନ୍ଧ୍ୟାଯାଏ ସେ ଉପାସରେ ବସିଥିଲେ-। ଅମିତା ଶାସନ କରି କହିଲା, ତୁମେ ଏତେ ଡେରି କଲ କକା, ମାଆକୁ ମୋର ଉପାସ ରଖିଲ, ନିଜେ କ’ଣ ଖାଇଛ କି ନାହିଁ କହିଲ ?

 

ଅନିମା ଆକଟି କହିଲେ, କକାଙ୍କୁ ଏମିତି କହନ୍ତି କି ପାଗଳୀ ? ଦେଖୁନୁ, କେମିତି ତାଙ୍କର ମୁହଁ ଶୁଖି କଳାକାଠ ଦିଶୁଛି ? ଆଗ ତାଙ୍କୁ କ’ଣ ଖାଇବାକୁ ଦେ, ତା’ପରେ ତୋର ସବୁ କଥା କହିବୁ । ପିଲାଟିର ଦେହ କିପରି ଅଛି ଅମିୟ ? ସତରେ ଏତେ ଡେରି କଲ କାହିଁକି ?

 

ଅମିୟ ଜାମା ଜୋତା କାଢ଼ି ଗାମୁଛା ଧରି ପଦାକୁ ଆସିଲା । ଗୋଡ଼ ପଖାଳୁଣୁ କହିଲା, ତା’ର ଜର ଭଲ ହୋଇ ନାହିଁ । ହତଭାଗ୍ୟ ପିଲାଟାଏ ସେ ଭାଉଜ, ଅତି ଅଭିମାନୀ ଓ ଟିକିଏ ଅବାଧ୍ୟ । ତା’ର ନିଜ କଥା ଗପିବାକୁ ସେ ମୋତେ ଅଟକାଇ ରଖିଥିଲା । ଦିପହରେ ତାଙ୍କ ମଜୁରିଆ କଲୋନିର ସମସ୍ତେ ପୋଖରୀ ଖୋଳା କାମରେ ବ୍ୟସ୍ତ ଥିଲେ । କିପରି ତାକୁ ଛାଡ଼ି ଆସନ୍ତି ? ବେଳବୁଡ଼ଯାଏ ଅଟକି ଗଲି । ତାକୁ ବାର୍ଲି କରି ଖୁଆଇଲି । ଅନ୍ୟମାନେ ଆସି ପହଞ୍ଚିଲାରୁ ମୁଁ ଫେରିଲି । ଜର ଭଲ ହୋଇ ନାହିଁ । ଔଷଧ ଖାଉଛି ।

 

ଅନିମା କହିଲେ, ଉପାସ ଭୋକରେ ପର ପିଲା ପାଖରେ ଅଟକି ଯତ୍ନ ନେଲ ତ ଭଲ କାମ କଲ । ଭଗବାନ ତାକୁ ଆରୋଗ୍ୟ କରି ଦେବେ । ତା’ କଥା ପରେ କହିବ । ଆଗ ତୁମେ ନିଜର ପେଟ ଥଣ୍ଡା କର ।

 

ପାଖ ଟେଣ୍ଟ୍‍ରୁ କୁଆଁ କୁଆଁ ରଡ଼ି ଶୁଭୁଛି । ଅମିୟ ଆଲୁଅ ଧରି ଘର ଭିତରକୁ ଆସି ପଚାରିଲା, କାହାର ପିଲା ହୋଇଛି ଭାଉଜ ?

 

କମଳା ଦିଦିଙ୍କର । ମୁଁ ଓ ଅମିତା ଯାଇ ଦେଖି ଆସିଲୁଣି । କେଡ଼େ ସୁନ୍ଦର ଝିଅଟିଏ ହୋଇଛି । ତୁମ ପାଖରୁ ଫେରି ସୁରେନ୍‌ ଆସି ମୋତେ ଖବର ଦେଲା ଯେ ତୁମର ଫେରିବାକୁ ଡେରି ହେବ । ସେ ତା’ ଘରକୁ ଯାଇ କ’ଣ ଖାଇ ସ୍କୁଲ୍‍କୁ ଯାଇଥିବ କି ନାହିଁ, ସାଧନ ସନ୍ନ୍ୟାସୀ ଆତୁର ହୋଇ ମତେ ଡାକିଲେ । କମଳା ଅପା ଭାରି କଷ୍ଟ ପାଇଲେ । ମୋତେ ଛାଡ଼ିଲେ ନାହିଁ, ଖେନ୍ଦା ହାତରେ ସୁରେନ୍‍କୁ ମୁଁ ଡକାଇ ଡାକ୍ତର ଆଣିବାକୁ ମାଲକାନଗିରି ପଠାଇଲି । ଡାକ୍ତର ଓ ନର୍ସ ଆସିଲାରୁ ମୁଁ ଚାଲି ଆସିଲି । ପ୍ରାୟ ଦୁଇଟାବେଳେ ତାଙ୍କର ଝିଅଟିଏ ହେଲା । କାଲି ସକାଳେ ଯାଇ ଦେଖିବ ।

 

ଅଣସ୍ତୁରୀ

 

କ୍ଳାନ୍ତ ଅମିୟ ଖାଇପିଇସାରି ଖଟିଆ ଉପରେ ତକିଆକୁ ଆଉଜି ବିଧାନର କଥା ଭାବୁଥିଲା । ପିଲାଟା ପିଲାଦିନରୁ ଅଶ୍ରଦ୍ଧା ଭିତରେ ବଢ଼ିଛି । ଅତ୍ୟାଚାର ସହିଛି । ତା’ର ଅନ୍ତର୍ନିହିତ ଧୀ–ଶକ୍ତିକୁ ଅନ୍ୟମାନେ ବାରମ୍ବାର ଚାପି ଦେଇଥିଲେ । ପାଠ ପଢ଼ି ଶିଖିବା ଓ ଜାଣିବାର ପ୍ରଚଳ ଆଗ୍ରହକୁ ପ୍ରଶ୍ରୟ ଦେବା କି ଉତ୍ସାହିତ କରିବା ତ ଦୂରର କଥା, ତାକୁ ଅନ୍ୟ କାମରେ ଲଗାଇ ଭୀତ କରି ରଖି ଉଷାଅପା ତା’ର ଆଗ୍ରହକୁ ଜାଳିପୋଡ଼ି ପାଉଁଶ କରିବାକୁ ଚେଷ୍ଟା କରିଥିଲେ । ବିଜନ ଭାଇଙ୍କର ଉଦାର ଓ ଦୟାପରବଶ ମନର ଆଶ୍ରା ପାଇ ସେ ଲେଖିପଢ଼ି ଶିଖିଥିଲା । ଈର୍ଷାପରାୟଣା ଉଷାଅପାଙ୍କର ତାଡ଼ନା ସତ୍ତ୍ୱେ ବିଧାନର ତୀକ୍ଷ୍ଣବୁଦ୍ଧି ଓ ସ୍ମରଣ ଶକ୍ତି ତା’ର ଜ୍ଞାନର ପରିସର ବଢ଼ାଇଥିଲା ।

 

ତରୁଣବାବୁ ଓ କଲ୍ୟାଣୀ ଅପାଙ୍କର ସଂସର୍ଗରେ ଆସି, ସାହାଯ୍ୟ ସହାନୁଭୂତି ପାଇ ତା’ର ଅନ୍ତର୍ନିହିତ ଶକ୍ତି ବିକଶି ଉଠିଲା । ସ୍ୱାଧୀନ ଜୀବନ, ମନ ଓ ଭାବନାର ଶୃଙ୍ଖଳ ଖୋଲିଲା । ଆତ୍ମନିର୍ଭରଶୀଳତା ତା’ର ଚାପି ହୋଇ ରହିଥିବା ସହସ୍ର ଦୁଃଖ ନିର୍ଯାତନା ଓ ବେଦନାକୁ ଅନ୍ତରର କାରାଗାରରୁ ମୁକ୍ତ କଲା । ବିଧାନ ହେଲା ମୁଖର, ବିଧାନ ହେଲା ଚଞ୍ଚଳ ।

 

ଏତିକି ତୁମେ ବୁଝି ପାରିଲ ନାହିଁ ଅଧମବାବୁ, ଚାରିଦଉଡ଼ି କଟା ଭାବପ୍ରବଣ ବିଧାନର ମନରେ ଆଘାତ ଦେଲ ? ପରପିଲାକୁ ନିଜ ଘରେ ଆଶ୍ରା ଦେବ କି ନ ଦେବ ତା’ର ବିଚାରକ ତୁମେ । କେହି ତୁମକୁ ବାଧ୍ୟ କରିବେ ନାହିଁ କି ଓଲଟି ପ୍ରଶ୍ନ ପଚାରିବେ ନାହିଁ । କିନ୍ତୁ ନିଜ କନ୍ୟାକୁ ସନ୍ତୁଷ୍ଟ କରିବାପାଇଁ ଉପର ମନରେ ତା’ର ପ୍ରସ୍ତାବରେ ସମ୍ମତ ହୋଇ ପର ପିଲାର ଦୋଷଗୁଣ ବାହୁନି ତା’ର ଦଉଡ଼ି–କଟା ନିଃସହାୟ, ଉତ୍ତେଜିତ ମନରେ ଆଘାତ ଦେଲ କାହିଁକି ? ପଦେ କଥାରେ କନ୍ୟାର ପ୍ରସ୍ତାବରେ ନାହିଁ କରିଥିଲେ, କେହି ତୁମର ଦୋଷ ଦେଇ ପାରି ନଥାନ୍ତେ !

 

ଅମିୟର କ୍ଳାନ୍ତ ଆଖି ପତା ମୁଦି ହୋଇ ଆସିଲା । ମନ ଆଗରେ ସପନର ହଲହଲ ପଟ୍ଟ–ଭୂମି ଉପରେ ଉଭାହେଲେ ଉଷାରାଣୀ । ପାଖରେ ଦିଓଟି ପୁଅ ଓ ଗୋଟିଏ ଝିଅ । ଆଖିରୁ ଝରି ଆସୁଛି ଦି’ ଧାର ଲୁହ । କଇଁକଇଁ ହୋଇ କହୁଛନ୍ତି ସେଇ ଟୋକାଟା ମୋ ଛାତିରୁ ତୋର ଅତି ସ୍ନେହର ଭାଣିଜୀ ବିନୀତାକୁ ଆଡ଼େଇ ଦେଇ ନିଜେ ମୋ ଛାତିରୁ କ୍ଷୀର ଶୋଷିଥିଲା । କେମିତି ମୁଁ ଜାଣନ୍ତିରେ ଅମିୟ ? ସେଇଟା ଆମର ଶତ୍ରୁ ।

 

ତଥାପି ତାକୁ ମୁଁ ବଞ୍ଚାଇ ରଖିଛି । କାହିଁକି ତୁ ଆତ୍ମ–ଗୋପନ କରି ରହିଛୁରେ ଅମିୟ, ସେମାନେ ତୋର କେହି ନୁହନ୍ତି । ମୋ ପାଖକୁ ଚାଲିଆ ବାବୁ । ତୋ ମୁହଁଟିକୁ ଛାତିରେ ଧରିବି । ଛାତି ତଳର ଛପିଲା ବ୍ୟଥାକୁ ତରଳାଇ ଲୋତକ କରିବି । ସେହି ଲୋତକରେ ଧୋଇ ଦେବି ତୋର ମୁହଁ, ତୋରି ମୁହଁ ଦେଖି ବିନୀତାକୁ ଭୁଲିଯିବି ।

 

ଚାଲିଯିବ ? ପାଗଳିନୀ ବେଶରେ ଆଖିରେ ଲୋତକ ଭରି ଡକା ଛାଡ଼ିଛନ୍ତି ଅନିମା, ଯାଅ, ଯାଅ, ଗୋଟିଏ ଧାର ରକ୍ତ ଦୁଇ ଧାର ହୋଇ ବହୁଛି ଉଷାରାଣୀ ଓ ତୁମରି ଦେହରେ । ମୁଁ ପ୍ରତିବନ୍ଧକ ହୋଇ ମଝିରେ ଠିଆ ହେବି ନାହିଁ । ତୁମ ଆନନ୍ଦର ଆଉ ମୁଁ ଅନ୍ତରାୟ ହେବି ନାହିଁ । ହେଇଟି, ତୁମର ଭଣଜା ଭାଣିଜୀ ତିନୋଟି କରୁଣ ଆଖିରେ ଚାହିଁ ରହିଛନ୍ତି । କୋଳ ହେବାକୁ, ବୋକ ନେବାକୁ ଅଳି କରୁଛନ୍ତି ।

 

ଅମିତା କଥା ଭାବୁଛ କି ? କୋଳ କାଖ କରି, ଛାତିରେ ପକାଇ, ଧୁଅରେ ବାଇଆ ଧୁଅ କରି ତାକୁ ବଢ଼ାଇଛ । ଯାହା ତା’ର ପ୍ରାପ୍ୟ ନୁହେଁ ତାକୁ ଅକୁଣ୍ଠିତ ମନରେ ତୁମେ ଦାନ କରିଛ-। ଝୁରିବ ସେ, ଝୁରି ହେଉଥିବ, ଆହା, ପିତୃହରା ହତଭାଗିନୀ !

 

ଟିକିଏ ରୁହ କକା ।

 

ହସି ହସି ଅମିତା କହୁଛି, ମୁଁ ମାଆଙ୍କର ହାତ ଧରି ଆଣେ । ତୁମକୁ ଝୁରି ସେ ପ୍ରାଣ ହାରିବେ । ତୁମୋ ମୋର କକା ହଁ, କିନ୍ତୁ ମାଆଙ୍କର ତୁମେ ପୁଅଠୁ ବଳି ପୁଅ । ଟିକିଏ ରୁହ, ଆମେବି ଯିବୁ ।

 

ଚାଲି ଯାଉଛ ଅମିୟବାବୁ ?

 

ବେଶ୍‌ କରୁଛ । ତୁମେ କାୟସ୍ଥ ଘରର ପୁଅ । ମୁଁ ଅଧମ ଚଣ୍ଡାଳଙ୍କର ଝିଅ ଗାୟତ୍ରୀ । ମୋର ଜାତିଗୋତ୍ର ତୁମକୁ ଜଣା ନଥିଲା । କାହିଁକି ତୁମର ଅନୁରାଗଭରା ଦୃଷ୍ଟିରେ ମୋତେ ବେଷ୍ଟନ କଲ ? ମୋର ନିଦ୍ରିତ ତାରୁଣ୍ୟକୁ ଜାଗରିତ କଲ ? ଲିଭି ଯାଉଥିବା ଆଶାର କ୍ଷୀଣ ଆଲୁଅକୁ ତେଜି ତେଜି ଉଜ୍ଜ୍ୱଳ କଲ ? ସମାଜର ସମାଲୋଚନାକୁ ଡରି ତୁମେ ପଛେଇଯିବ ମୁଁ ଜାଣେ । ମୁଁ ଜଳିବି । ଜଳି ଜଳି ନିଃଶେଷ ହେବି ।

 

ମୋତେ ତୁମେ ଦେଖି ଯାଇଛ ଅମିୟବାବୁ, ମୁଁ ପୀଡ଼ିତ ।

 

ଅରଣ୍ୟ ମଝିରେ ତମସା ତୀରର ପତ୍ର କୁଡ଼ିଆରେ ମୁଁ ଛଟପଟ ହେଉଛି । ସେମାନେ ସମସ୍ତେ ମୋତେ ଛାଡ଼ି ଯାଇଛନ୍ତି । ମୁଁ ତୁମର କେହି ନୁହେଁ କିନ୍ତୁ, ତୁମର ଭଉଣୀ ଉଷାରାଣୀ ମୋର ମା’ । ତିଳତିଳ କରି ମୋ ଜୀବନକୁ ସେ ଜାଳିପୋଡ଼ି ଛଟପଟ କରିଛନ୍ତି ।

 

ଟିକିଏ ରହ ।

 

ଏ ପିଣ୍ଡରୁ ମୋର ଛଟପଟ ପ୍ରାଣଟା ବାହାରି ଯାଉ । ସେଇ ସନ୍ଦେଶ ନେଇ ତୁମେ ଚାଲିଯିବ, ତୁମର ସ୍ନେହମୟୀ ଅପାଙ୍କୁ ଦେବ । ସେ ସୁଖୀ ହେବେ । କନ୍ୟା–ହଜିଲାର ଦୁଃଖ ଭୁଲିବେ ।

 

ନାଇଁରେ ବିଧାନ, ତୋତେ ଅପନ୍ତରାରେ ପକାଇ ମୁଁ ଯାଇ ପାରିବି ନାହିଁ । ନା, ନା– ।

 

କକା, କକା,– ।

 

ହାତର ପରଶ ପାଇ ଅମିୟର ଯନ୍ତ୍ରଣା କୁହୁଳା ନିଦ ଭାଙ୍ଗିଲା । ସେ ଦୀର୍ଘଶ୍ୱାସ ଛାଡ଼ି ଖଟିଆ ଉପରେ ବସି ପଡ଼ିଲା । ବିଛଣା ପରା ହୋଇନାହିଁ । ମଶାରି ଟଙ୍କା ହୋଇଛି । ହାତରେ ଆଲୁଅ ଧରି ମଶାରି ବାହାରେ ଅମିତା । ଠିଆ ହୋଇଛି । ଡାକୁଛି ।

 

ଅମିୟ ମଶାରି ଟେକିଲା ।

 

ଅମିତା ତ୍ରସ୍ତ କଣ୍ଠରେ କହିଲା, ତୁମେ ବିଳିବିଳଉଥିଲ କକା, ନିଶ୍ଚୟ କ’ଣ ଭୟଙ୍କର ସ୍ୱପ୍ନ ଦେଖୁଥିଲ । ବସୁ ବସୁ ତ ଢୁଳାଇ ପଡ଼ିଲ, ବିଛଣା ପରା ହୋଇ ନାହିଁ । ତୁମକୁ ଉଠାଇବାକୁ ମା’ ମନା କଲେ । ନିଜେ ଆସି ମଶାରି ଟାଙ୍ଗିଲେ । କି ସ୍ୱପ୍ନ ତୁମେ ଦେଖୁଥିଲ କକା ?

 

ଆର ଘରୁ ଅନିମା ଆସିଲେ । ପାଖରେ ଠିଆହୋଇ ଅମିୟର ମୁଣ୍ଡରେ ହାତ ରଖି କହିଲେ, ଏ ଦେଶରେ ପ୍ରତି ପଥର, ନାଳ, ଗଛରେ କେଉଁ ନା କେଉଁ ଦେବୀ ଆଶ୍ରା ନେଇଛନ୍ତି । ବାଟରେ ନ ଆସି ତମସା କୂଳରୁ ଅବାଟରେ ଧାଇଁ ଧାଇଁ ଏକା ଆସିଲ ବୋଲି କହୁଥିଲ, ନିଶ୍ଚେ କେଉଁଠି ତୁମେ ଡରିଛ । ଆଁ କର । ଆଗ ଠାକୁରଙ୍କର ପାଦୁକା ତୁଳସୀ ଖାଇଦିଅ, ସେଇଠୁ ଭାତ ଖାଇବ । ରାତି ବେଶି ହୋଇ ନାହିଁ ଯେ ।

 

ଅମିୟ ଆଁ କରି ଅନିମାଙ୍କ ହାତର ତୁଳସୀ ଖାଇଲା । ସଞ୍ଜର ସପନ କ୍ଷଣକରେ ମିଳାଇଗଲା, କିନ୍ତୁ ବିଧାନର ଆକୁଳ ଅନୁରୋଧର ଅସ୍ପଷ୍ଟ ସ୍ୱର ମନ–କନ୍ଦରରେ ଗୁମରି ଉଠିଲା । ହାତ ପାପୁଲିରେ ଆଖି ଆଉଁସି ଅମିୟ କହିଲା, ସେହି ରୋଗଣା ପିଲାକୁ ମୁଁ ସପନ ଦେଖିଲି ଭାଉଜ, ଅଶୁଭ ସପନ । ତାକୁ ଛାଡ଼ିଆସିଲାବେଳେ ସେ ଜରର କୋପରେ ଛଟପଟ ହେଉଥିଲା । ବିକଳ ହୋଇ ମୋ ମୁହଁକୁ ଚାହିଁ ରହିଥିଲା । ବାପ ମା’ ତା’ର ପାରଲ୍‌କୋଟରେ । ଅମାନିଆ ହୋଇ ସେ ମାଲକାନଗିରି ଚାଲି ଆସିଛି । ଅପନ୍ତରାରେ ପଡ଼ିଛି । ଭଲ ପିଲାଟିଏ ସେ ବିଧାନ, ତା’ପାଇଁ ମନ ବ୍ୟସ୍ତ ହେଉଛି ।

 

ଅନିମା କହିଲେ, ଭଗବାନ ତା’ର ମଙ୍ଗଳ କରିବେ, ସେ ଆରୋଗ୍ୟ ହୋଇଯିବ । କାଲି ସକାଳେ ଯାଇ ତାକୁ ଦେଖ । ଯଦି ସେ ଭଲ ହୋଇ ନଥାଏ ତାକୁ ଏଠିକି ନେଇଆସ । ଏତେ ବ୍ୟସ୍ତ ହେଉଛ କାହିଁକି ? ତୁମର ମନ କେଡ଼େ କୋମଳ, ପରର ଦୁଃଖରେ ତୁମେ କିପରି ଅଧୀର ହୁଅ, ସେ କଥା ମୋଠାରୁ ଅଧିକ କେହି ବୁଝେ ନାହିଁ । ସେ ଆରୋଗ୍ୟ ହେବାଯାଏ ଆମରି ଘରେ ରହିବ । ମୁଁ ତା’ର ଯତ୍ନ ନେଇ ପାରିବି । ହେଲା ତ ଏବେ ? ନିଶ୍ଚିନ୍ତ ହୋଇ ତୁମେ ଉଠି ଆସ । ରାତି ଡେରି ହେଉଛି, ଭାତ ଗଣ୍ଡିକ ଶୁଖିଯିବ । ସଞ୍ଜବେଳେ ଗୁଣ୍ଡିଏ ଦିଗୁଣ୍ଡା ଖାଇ ଉଠିଲ, ମିତା ମୋର ରାନ୍ଧିଥିଲା । ତା’ ମନରେ ଭାରି ଦୁଃଖ ଯେ ତା’ ରାନ୍ଧଣା ତମ ମନକୁ ଆସିଲା ନାହିଁ, ସେଇଥିପାଇଁ କିଛି ନ କହି ସେ ବି ଦିଗୁଣ୍ଡା ଖାଇ ଉଠିଲା ।

 

ଅମିୟ ଖଟିଆରୁ ଉଠି ତଳେ ଠିଆ ହେଲା । ଅମିତାକୁ ଚାହିଁ ପଚାରିଲା, ସତେ କି ମିତା-?

 

ଅମିତା କହିଲା, ମୋ ମା’ ମିଛ କହନ୍ତି ନାହିଁ, ତୁମେ ଛୁଟ୍‌କରି ଶୋଇ ପଡ଼ିଲ, ମା’ ଆସି ନିଜେ ତୁମପାଇଁ ରାନ୍ଧିଛନ୍ତି । ଜୟପୁରରୁ ମାଛ ଗାଡ଼ି ସ୍କୁଲ୍‍ ପାଖକୁ ଆସିଥିଲା । ଆମପାଇଁ ବଡ଼ ମାଛଟିଏ କିଣି ସୁରେନ୍‌ ମାଷ୍ଟର ଖେନ୍ଦା ହାତରେ ପଠାଇ ଦେଇଥିଲେ । ଦୁଇ ଖଣ୍ଡି ଚିଠିବି ପଠାଇ ଦେଇଛନ୍ତି ।

 

ଭାତ ବାଢ଼ିବାକୁ ଅନିମା ରୋଷଘର ଭିତରକୁ ଚାଲି ଯାଇଥିଲେ । ସେଇଠୁ ସେ ଡକା ଛାଡ଼ିଲେ, ମିତା, ଠିଆ ହୋଇ ପୁଣି କ’ଣ ଗପିଲୁ ? ଏ ଘରେ କକାଙ୍କ ପାଇଁ ଜାଗାକରି ପାଣି ରଖ-। ତାଙ୍କର ବିଛଣା ପାରିଦେ । ସେ ଆଗ ଖାଇ ସାରନ୍ତୁ, ସେଇଠୁ ଚିଠି ଦେବୁ । ଆ—

 

ଅମିତା ତରବର ହୋଇ ଆର ଘରକୁ ଚାଲିଗଲା ।

 

ମଝି କବାଟ ବନ୍ଦ କରି ଅମିୟ ଆଗ ସରକାରୀ ଚିଠିଟି ଖୋଲିଲା । କୋଣ୍ଡାଗାଁ ଥଇଥାନ ଅଫିସ୍‍ରୁ ଆସିଛି, ବଦଳି ଆଦେଶ । ମାଳଶ୍ରୀ ନାମ, ଆଖି ବୁଲାଇ ଗଲା । ନିଜର ନାମ ଦେଖି ପଢ଼ିଲା, ତା’ର ମାଲକାନଗିରି ଅଫିସ୍‍କୁ ବଦଳି ହୋଇଛି ।

 

ଆହୁରି ଥରେ ପଢ଼ିଲା । ସତେ ତ, ତା’ର ମୌଖିକ ପ୍ରାର୍ଥନା ବଡ଼ ହାକିମ ଗ୍ରହଣ କରିଛନ୍ତି । ଦୟାବନ୍ତ ପୁରୁଷ ସେ ।

 

ଆନନ୍ଦରେ ଅଧୀର ହୋଇ ଉଠିଲା । ଭାବିଲା, ବଡ଼ପାଟି କରି ଭାଉଜଙ୍କୁ ଡାକିବ, ସୁ–ସମ୍ବାଦଟି ଆଗ ତାଙ୍କୁ ଜଣାଇଁ ଦେବ । ତାଙ୍କର ବ୍ୟାକୁଳ ଡାକ ତାଙ୍କର ଠାକୁରମାନେ ଗ୍ରହଣ କରିଛନ୍ତି । ତାଙ୍କରି ସ୍ନେହର ଡୋର ତାକୁ ପାଖକୁ ଟାଣି ଆଣିଛି । କରୁଣାର ଚଳନ୍ତି ପ୍ରତିମା ତପସ୍ୱିନୀ ଭାଉଜ ତା’ର ! ଡାକିବ ?

 

କାନ ପାରିଲା, ସେ ଶୋଇ ପଡ଼ିଲେଣି । ଥାଉ, ରାତି ପାହୁ, ବଡ଼ି ସକାଳୁ ସୁ–ଖବରଟି ତାଙ୍କୁ ଜଣାଇଁ ଦେବ । ନିଦରେ ବ୍ୟାଘାତ ଘଟାଇବ ନାହିଁ ।

 

ଅମିୟ ଆର ଚିଠି ଖଣ୍ଡି ଖୋଲିଲା । ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖିଛି ଗାୟତ୍ରୀ । ନିଜର ଆଖିକୁ ସେ ବିଶ୍ୱାସ କରି ପାରିଲା ନାହିଁ । ମାଲକାନଗିରି ଆସି ଯେଉଁ ଝିଅଟିକୁ ସେ କ୍ଷଣେ ହେଲେ ପାସୋରି ପାରି ନାହିଁ, ମନେମନେ ଯାହା ପାଖକୁ ଶହେଥର ପତ୍ର ଲେଖିଲେବି କଲମ ଧରି ଖଣ୍ଡିଏବି ପତ୍ର ଲେଖିବାକୁ ସେ ସାହସ କରି ନାହିଁ, ସେହି ଗାୟତ୍ରୀ, ତା’ର ମାନସ–ପ୍ରତିମା, ଆଗବଳିପଡ଼ି ପତ୍ର ଲେଖିଛି—

 

ଅମିୟବାବୁ,

 

ବାପାଙ୍କର ମାଲକାନଗିରି ବଦଳି ହୋଇଛି । ସେ ପ୍ରମୋସନ୍‌ ପାଇ ମେକାନିକ୍‌ ହୋଇ ଯାଉଛନ୍ତି । କେବେ ଆମେ ଯିବୁ ସ୍ଥିର ହୋଇ ନାହିଁ । ତେବେ, ଶୀଘ୍ର ଯିବାର ସମ୍ଭାବନା ଅଛି । ଆପଣଙ୍କର ଭାଉଜଙ୍କର ଦେହ ଭଲଥିଲା ବୋଲି ଆପଣଙ୍କର ବନ୍ଧୁ ସୁରେନ୍‌ବାବୁ ଚିଠି ଲେଖିଥିଲେ-। ଆପଣ ଯେଉଁ ଦିନ ଛୁଟିରେ ଗଲେ ସେହି ଦିନ ସନ୍ଧ୍ୟାରେ ଆପଣଙ୍କ ମେସ୍‌–ବନ୍ଧୁ ସୁକୁମାର ବିଧାନ ହାତରେ ସେହି ପୋଷ୍ଟ୍‍କାର୍ଡ଼୍ ଚିଠି ମୋ ପାଖକୁ ପଠାଇ ଦେଇଥିଲେ ! ଚିଠି ଖଣ୍ଡି ବିଧାନ କେଉଁଠି ରଖି ଦେଲା, ମିଳୁ ନାହିଁ ।

 

ବୋଧହୁଏ ଆପଣଙ୍କର ଭାଉଜଙ୍କର ଦେହ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇ ଯିବଣି ।

 

ଆପଣ ଛୁଟି ବଢ଼ାଇଛନ୍ତି ବୋଲି କଲ୍ୟାଣୀ ଅପା କହୁଥିଲେ । ଆପଣ ଉମରକୋଟ ଫେରିବା ଆଗରୁ ଯଦି ଆମେ ମାଲକାନଗିରି ଯିବାକୁ ବାଧ୍ୟ ହେଉଁ ତେବେ ଆପଣଙ୍କର ଜିନିଷପତ୍ର ଏଠାରେ କାହା ଜିମା ରହିବ ଶୀଘ୍ର ଲେଖି ଜଣାଇଁବେ । ଭାବିଥିଲି, ସବୁ କଲ୍ୟାଣୀଅପାଙ୍କ ଘରେ ରଖାଇ ଦେବି କିନ୍ତୁ ଡାକ୍ତରବାବୁଙ୍କର ମଧ୍ୟ ବଦଳି ହୋଇଛି । ଦିନେ ଓଳିକ ଭିତରେ ସେ କଲ୍ୟାଣୀ ଅପା ଓ ଖୁକୀକୁ ସଙ୍ଗରେ ନେଇ ଜଗଦଲ୍‌ପୁର ଚାଲିଯିବେ ।

 

ବିଧାନ ତାଙ୍କ ପାଖରୁ ଚାଲିଗଲା । ନା, ବିଧାନର ବାପା ଡାକ୍ତରବାବୁଙ୍କର ନିନ୍ଦା ରଟାଇ ବିଧାନକୁ ପାରଲ୍‌କୋଟ ପଠାଇ ଦେବାକୁ ଲେଖିଲେ । ତେଣୁ ଡାକ୍ତରବାବୁ ତାକୁ ପାରଲ୍‍କୋଟ ଯିବାକୁ ଘରୁ କାଢ଼ି ଦେଲେ । ବିଧାନ ସେଠାକୁ ନ ଯାଇ ଦୁଇ ତିନି ଦିନ ଏଠାରେ ଥିଲା । ଆମ ଘରେବି ଗୋଟିଏ ଦିନ ରହିଲା । ଆମ ଘରେ ରହିବାକୁ ମୁଁ ତାକୁ ବୁଝାଇଲି । ବାପା ରାଜି ହେଲେ-। ତାଙ୍କର ଉପଦେଶକୁ ସେ ବୋଧହୁଏ ଭୁଲ୍‌ ବୁଝିଲା । ଗୋକୁଲ ଚକ୍ରବର୍ତ୍ତୀ କଣ୍ଟ୍ରାକ୍ଟରଙ୍କର କି କାମ କରିବ ବୋଲି ସେ ମାଲକାନଗିରି ଯାଇଛି । ବାପା ଦୁଃଖ କରି କହୁଥିଲେ ।

 

ସତେ କ’ଣ ଭାଗ୍ୟ ବୋଲି ମଣିଷର କିଛି ଅଛି ?

 

ବୋଧହୁଏ ଅଛି । କାହା ଜୀବନରେ କ’ଣ କେବେ ଘଟିଛି, ଘଟୁଛି ଓ ଘଟିବ ଆଗରୁ ଜାଣି ହେଉନାହିଁ । ମଣିଷର ମଣିଷ ସଙ୍ଗେ ସମ୍ପର୍କ କେଜାଣି କେମିତି ଅଜାଣତରେ ଲାଗିଯାଏ ପୁଣି, କେଜାଣି କେମିତି ଅଚାନକ ଛିଡ଼ିବି ଯାଏଁ ! ଚବିଶବର୍ଷ ମୋତେ ପୂରିଗଲା । ହେତୁ ପାଇଲା ଦିନରୁ ଭାଗ୍ୟର ଖେଳ ମୁଁ ଦେଖି ଆସିଛି ।

 

ଆରେ, ଏ ସବୁ କାହିଁକି ଆପଣଙ୍କୁ ଲେଖିଲି ? କଲ୍ୟାଣୀ ଅପା ଓ ଖୁକୀ ମୋ ପାଖରୁ ଚାଲି ଯାଉଛନ୍ତି, ବିଧାନ ତ ଚାଲି ଯାଇଛି, ସେମାନଙ୍କର ଚିନ୍ତା ମୋ କଲମକୁ ଅନାବଶ୍ୟକ ବାଟରେ ମଡ଼ାଇ ନେଇଛି । କ୍ଷମା କରିବେ । ପ୍ରଣାମ ନେବେ ।

 

ଗାୟତ୍ରୀ ।

 

ଚିଠି ଖଣ୍ଡି ଅମିୟ ବାରମ୍ବାର ପଢ଼ିଲା । ସେ ଅନୁଭବ କଲା, ଗାୟତ୍ରୀକୁ ସେ ମୁହଁ ଖୋଲି ଯାହା କହିବାକୁ ଭରସି ନଥିଲା, ସେ ତାହା ବୁଝି ପାରିଛି । ପ୍ରକାରାନ୍ତରରେ ସେ ଜଣାଇଁ ଦେଇଛି ଯେ ସେ ଷୋଳ ସତର ବର୍ଷୀୟା, ଛନଛନିଆ, ଉତ୍ତେଜନାରେ ଭାସିଗଲା ତରୁଣୀ ନୁହେଁ । ସଂସାରକୁ ହାଡ଼େ ହାଡ଼େ ଚିହ୍ନି, ଭଲମନ୍ଦ ତଉଲିଥିବା ଚବିଶବର୍ଷର ଯୁବତୀ ସେ, ଯାହା ପାଖରେ ହସହସ ଆଡ଼ଚାହାଣି, ସାନ୍ନିଧ୍ୟ, ଟିକିଏ ପରଶ ଓ ରସୁଆଳ ଭାବ–ବିହ୍ୱଳ କଥା ପରାହତ ହୁଏ । ସେ ଜଣାଇଁ ଦେଇଛି ଦୃଢ଼ ଭାବରେ, ସିଧାସଳଖ ଭାଷାରେ ଯେ, ସମୟ ଓ ପରିସ୍ଥିତି ଅଜଣା ଲୋକଙ୍କ ସଙ୍ଗେ ସମ୍ପର୍କ ଯୋଡ଼ିଦିଏ କିନ୍ତୁ ଆନ୍ତରିକତା ଅଭାବରୁ ସମ୍ପର୍କ ଛିନ୍ନ ହୁଏ ।

 

ଗାୟତ୍ରୀକୁ ସେ ଜଣାଇଁ ଦେବାକୁ ଚାହେଁ ଯେ ଗାୟତ୍ରୀ ଯିଏ ହୋଇଥାଉ, ଯାହା ହୋଇଥାଉ, ତାକୁ ଅମିୟ ହୃଦୟ ଦେଇ ଭଲ ପାଏ । ତାକୁ ସେ ପ୍ରେମ କରେ ଓ ବିବାହ କରି ଜୀବନ–ସଙ୍ଗିନୀ କରିବାକୁ ଚାହେଁ । ଗାୟତ୍ରୀ ସମ୍ମତ ହୋଇ ପାରିଲେ, ଦୁନିଆର ଲୋକେ ଏହା ଜାଣିବେ । ସେ ଯଦି ସମ୍ମତ ନହୁଏ ମନର କାମନା ମନରୁ ଧୋଇ ଧାଇ ସେ ନିର୍ମଳ କରିବ । ସବୁଥରପରି ହସି ହସି ହାତ ଯୋଡ଼ି ଭଦ୍ରତାର ସଂକେତ ଦେଖାଇ ଶେଷ ବିଦାୟ ନେବ । ସେଇଠୁ ଗାୟତ୍ରୀ ହେବ ତା’ ଅତୀତ ଜୀବନର ମନ–ଉଲ୍ଲସିଆ ସୁନ୍ଦର ସ୍ୱପ୍ନ, ମନ–ଜଳା ହତାଶିଆ ଦୁଃ–ସ୍ୱପ୍ନବି !

 

ସତୁରୀ

 

ଛାଇ ଲେଉଟିଲା ।

 

ଅମିୟ ବିଧାନ ପାଖରୁ ଫେରିଲା ନାହିଁ । ଅନିମା ଅପେକ୍ଷା କରି ବସିଛନ୍ତି । ଭାବୁଛନ୍ତି, ପିଲାଟିର ଦେହ ବିଶେଷ ଖରାପ ହେଲା । ଜଳଖିଆ ଖାଇ ସକାଳ ଆଠଟାବେଳେ ଅମିୟ ନିର୍ବାଚିତ ଗ୍ରାମ–ସ୍ଥଳୀକୁ ଚାଲି ଯାଇଥିଲା । ମୁହଁ ନ ଧୋଉଣୁ ଆଗ ସେ ତା’ର ମାଲକାନଗିରିକୁ ବଦଳି ହୋଇଥିବା ସୁ–ସମ୍ବାଦଟି ଜଣାଇଁ ଦେଇଥିଲା । ଖେଳାଇ ଦେଇଥିଲା ଛୋଟ କୁଟୁମ୍ବରେ ଆନନ୍ଦର ଲହରୀ । ସେ ପୁଣି କହି ଯାଇଥିଲା ଯେ ସେ ଯେତେ ଶୀଘ୍ର ପାରେ ବିଧାନର ଖବର ବୁଝି, ଅବା ଯଦି ତା’ର ଦେହ ଭଲ ହୋଇ ନଥାଏ ତାକୁ ସଙ୍ଗରେ ନେଇ ଫେରି ଆସିବ । ସମୟ ଥିଲେ ଉପରବେଳା ବସ୍‌ରେ ଉମରକୋଟ ଚାଲିଯିବ । ବଦଳି ଆଦେଶ ତ ପାଇଛି, ଛୁଟି ପୂରିବା ଆଗରୁ ଛୁଟି କାଟି ସେ କାର୍ଯ୍ୟରେ ଯୋଗଦେବ । ଶୀଘ୍ର ରିଲିଭ୍‌ ହୋଇ ମାଲକାନଗିରି ଚାଲି ଆସିବାକୁ ଚେଷ୍ଟା କରିବ ।

 

ଅନିମା ସେଥିରେ ଏକମତ ହୋଇଥିଲେ । ଅମିୟ କ୍ୟାମ୍ପ୍‍ରୁ ଚାଲିଯିବା ପରେ ଅପେକ୍ଷା କରି ସେ ନ ଫେରିବାରୁ ଅନିମା ଓ ଅମିତା ତା’ର ଜିନିଷପତ୍ର ସଜାଡ଼ୁଥିଲେ ।

 

ସରକାରୀ ଆଦେଶ ସଙ୍ଗେ ସଙ୍ଗେ ଗାୟତ୍ରୀର ଚିଠି ଖଣ୍ଡି ସେମାନଙ୍କର ନଜରରେ ପଡ଼ିଲା । ସୁନ୍ଦର ହସ୍ତାକ୍ଷର ଦେଖି ଚିଠିଖଣ୍ଡି ଆଗ ଅମିତା ମନେମନେ ପଢ଼ିଲା । ଗାୟତ୍ରୀ ନାମଟି ଦେଖି ତା’ର ମୁହଁ ମଉଳିଗଲା । ଅଜଣା କେଉଁ ଭୟରେ ତା’ର ଛାତି ଥରିବାକୁ ଲାଗିଲା ।

 

ସେହି କ’ଣ ମଦୁଆ ଡ୍ରାଇଭର ଅଧମ ଚଣ୍ଡାଳର ଝିଅ ? ତାଙ୍କ ସଙ୍ଗେ କଥାଭାଷା ହୋଇଥିଲା ବୋଲି ମାଆ ତାକୁ ଦିନେ ଘୃଣା କରିଥିଲେ । ଶାସନ ନ କରି ତାକୁ ଆଡ଼େଇ ଦେଉଥିଲେ । ତା’ ପ୍ରତି ମନରେ ଦୁଃଖ ଆଣି ନିଜେ ନ ଖାଇ ନ ପିଇ ବେମାର ପଡ଼ିଥିଲେ । ଅଧାବାଇଆଣୀ ପରି ହୋଇଥିଲେ ।

 

ଗାୟତ୍ରୀ ତା’ ପାଖରେ ଗୋଟାଏ ଭୟଙ୍କର ନାମ । ମଦୁଆ ଡ୍ରାଇଭର ତା’ର ଝିଅଟିର ନାମ ସେଇଆ କହିଥିଲା । ଜଣାଇଁ ଦେଇଥିଲା । ଯେ ସେ ଉମରକୋଟରେ ରହେ ।

 

କନ୍ୟାର ପ୍ରଫୁଲ୍ଲ ମୁହଁକୁ ଯିଏ ମଳିନ କଲା, ଯିଏ ତା’ର ଆଖିରେ ଭରିଲା କେଉଁ ଭୟର ମ୍ଳାନତା, ସେହି ପତ୍ରଖଣ୍ଡି କିଏ ଲେଖିଛି ଓ କାହା ପାଖକୁ, ଏ ଖବର ଜାଣିବାକୁ ଅନିମା ଆଗ୍ରହୀ ହେଲେ । ପଚାରିଲେ, କାହାର ସେ ପତ୍ର, କିଏ ଲେଖିଛି ? ପଢ଼ୁ ପଢ଼ୁ ତୁ ଏମିତି ଗମ୍ଭୀର ହେଲୁ କାହିଁକି ?

 

ଅମିତା ଥରିଲା ସ୍ୱରରେ କହିଲା, ଉମରକୋଟରୁ ଝିଅଟିଏ ଲେଖିଛି କକାଙ୍କ ପାଖକୁ । ତା’ ନାମ ଗାୟତ୍ରୀ ! ସେ ଯେଉଁ ମଦୁଆ ଡ୍ରାଇଭର କଥା ବହୁଦିନ ତଳେ ମୁଁ ତତେ କହିଥିଲି, ତା’ର ଝିଅର ନାମ ଗାୟତ୍ରୀ ବୋଲି ସେ କହୁଥିଲା । ଭାବୁଥିଲି ଇଏ କ’ଣ ଆଉ ସେହି ? ନେ, ତୁ ନିଜେ ପଢ଼ ମା’– ।

 

ଅନିମାଙ୍କ ହାତକୁ ଚିଠିଖଣ୍ଡି ଅମିତା ବଢ଼ାଇ ଦେଲା ।

 

ଭୟ ଓ କୁତୂହଳରେ ଅଳପ ଥରିଲା ହାତରେ ଅନିମା ପତ୍ରଟି ଉପରେ ଆଖି ପକାଇ ଗଲେ । କାଗଜର ଦୁଇ ପାଖରେ ଲେଖା ପତ୍ରଟିକୁ ଓଲଟାଇ ମନେମନେ ଭଲକରି ସେ ଆହୁରି ଥରେ ପଢ଼ିଲେ । ଭୟରେ ପାଣ୍ଡୁର ହୋଇଥିବା ଅମିତାର ମୁହଁରେ ଅଜଣା ଉତ୍କଣ୍ଠାର ଲହଡ଼ି ଖେଳୁଥାଏ । ସେ ଏକ ଧ୍ୟାନରେ ତା’ର ମାତାଙ୍କର ସହସା ତମସା ଆଚ୍ଛାଦିତ ଗମ୍ଭୀର ମୁହଁ ଓ ଅନ୍ୱେଷୀ ତୀକ୍ଷ୍ଣ ଆଖି ଦିଓଟିକୁ ଚାହିଁ ରହିଥାଏ ।

ଅମିତା ଅନୁଭବ କଲା, ପତ୍ରଟିକୁ ଭଲ କରି ପଢ଼ୁ ପଢ଼ୁ ତା’ ମାଆଙ୍କର ମୁହଁରେ ଆହ୍ଲାଦର ଆଲୋକ ଚହଟି ଉଠିଲା । ଓଠ ଦିଫାଳିରେ ଖେଳିଲା ସ୍ନିଗ୍ଧ ହସର ଢେଉ । ସେ ହସ ଅମିତାର ମୁଖମଣ୍ଡଳକୁ ବିଷାଦ ବଉଦ ମୁକ୍ତ କଲା । ସେ ଦେଖିଲା ତା’ର ମା’ ପତ୍ରଟିକୁ ଆହୁରି ଥରେ ଓଲଟାଇ ଆଖି ବୁଲାଇ ଗଲେ । ଏଥର ତାଙ୍କର ମୁହଁ କେଉଁ ନୂତନ ଆଲୋକରେ ଉଜଳି ଉଠିଲା । ସେ ଆଲୋକ ଅମିତାର ଆନନରେ ପ୍ରତିଫଳିତ ହେଲା ।

ଅନିମା ମୁଣ୍ଡ ଟେକିଲେ । ପତ୍ରଟିକୁ କନ୍ୟାର ହାତକୁ ବଢ଼ାଇ ଦେଇ ସେ କହିଲେ, କକାଙ୍କର ଏ ପତ୍ରଟି ଯଥାସ୍ଥାନରେ ରଖିଦେ ମା’, ଆମେ ଦିହେଁ ଏହାକୁ ପଢ଼ିବା ବୋଲି ଜାଣି ଜାଣି ତୋ କକା ଏଠି ଥୋଇଦେଇ ଯାଇଛନ୍ତି । ଗାୟତ୍ରୀ ନାମଟି କେଡ଼େ ପବିତ୍ର ! କାନକୁ ମଧୁର ଶୁଭୁଛି-। ଦେଖିଲୁ, କେଡ଼େ ନିର୍ମଳ ଓ ସୁନ୍ଦର ଅକ୍ଷରଗୁଡ଼ିଏ । ମୁଁ ଭାବୁଛି, ଗାୟତ୍ରୀର ମନବି ଏମିତି ନିର୍ମଳ ହୋଇଥିବ, ରୂପ ମଧ୍ୟ ଖୁବ୍‌ ସୁନ୍ଦର ହୋଇଥିବ ।

ଚିଠି ଖଣ୍ଡି ଲଫାଫା ଭିତରେ ପୂରାଇ ଖଟିଆ ଉପରେ ରଖି ଅମିତା ପଚାରିଲା, ହୋଇଥାଉ ସେ ସୁନ୍ଦର, ଆମର କି ଥାଏ ? ସେ କ’ଣ ମଦୁଆ ଡ୍ରାଇଭର ଅଧମ ଚଣ୍ଡାଳର ଝିଅ ହୋଇ ନଥିବ ?

 

ହୋଇଥାଉ, ସେଥିରେ ଆମର କି ଥାଏ ? ଯେଉଁ ଝିଅଟି ତୋ କକା ପାଖକୁ ଚିଠି ଲେଖିଛି ଯାହା ଉପରେ ତୋର କକାଙ୍କର ଏତେ ବିଶ୍ୱାସ ଯେ ସବୁ ଜିନିଷ ତା’ ଜିମା ଛାଡ଼ି ଦେଇ ଆସିଛନ୍ତି, ସେ ଝିଅ ତ ଆଉ ମଦ ପିଉ ନଥିବ ? ଡ୍ରାଇଭରମାନେ କେହି କେହି ସାଙ୍ଗସାଥୀରେ ପଡ଼ି ବେଳେବେଳେ ମଦ ପିଇ ଦିଅନ୍ତି । ତା’ ବୋଲି ସେ ଡ୍ରାଇଭର, କ’ଣ ତାଙ୍କର ନାମଟି—

 

ଅଧମ ଚଣ୍ଡାଳ !

 

ସେ ଯଦି ସେ ଦିନ ମଦ ଖାଇଥିବେ ତ ତାଙ୍କୁ ମଦୁଆ କହିବା ଠିକ୍‌ ହେବ ନାହିଁ । ସେ ଯଦି ଗାୟତ୍ରୀର ବାପା ହୋଇଥିବେ, ସେ ନିଶ୍ଚୟ ଭଲଲୋକ, ନୋହିଲେ ତାଙ୍କ ଘର ସଙ୍ଗେ ତୋ କକାର ସମ୍ପର୍କ ହୁଅନ୍ତା କିପରି ? ଗାୟତ୍ରୀର ବାପା ପୁଣି ପ୍ରମୋସନ୍‌ ପାଇଛନ୍ତି !

 

ହଁ ଲୋ ମା’, ମୋ କକା ଖରାପ ଲୋକଙ୍କ ପାଖରୁ ଦୂରେଇ ରହନ୍ତି । ଅଧମ ଡ୍ରାଇଭର ମଦ ସିନା ଖାଇଥିଲେ ସେ ଦିନ, ସେ ତ ଭଲଲୋକ । ଆମ କଥା ପଚାରିଲେ, ତାଙ୍କ ଝିଅ ଗାୟତ୍ରୀ କଥା କହିଲେ । ଗାୟତ୍ରୀଙ୍କୁ ଦେଖିବାକୁ ମୋର ଆଗ୍ରହ ହେଉଛି । ତାଙ୍କୁ ମୁଁ ନିଶ୍ଚୟ ଅପା ବୋଲି ଡାକିବି ।

 

ଆସୁଛନ୍ତି ତ ସେମାନେ ମାଲକାନଗିରି !

 

ଅନିମାଙ୍କ ମନ ତଳେ ତରଙ୍ଗାୟିତ ହେଉଥିଲା ଯେତେ ଭାବନା ଅମିତା ତା’ର ଆଭାସ ପାଇଲା ନାହିଁ । କୁ–ସଙ୍ଗରେ ପଡ଼ି ଦିନିକିଆ ମଦ ଖାଇ ଯେଉଁ ରୁକ୍ଷ–ମୁଖା ଡ୍ରାଇଭର ଅଧମ ଚଣ୍ଡାଳ ଦିନେ ତାଙ୍କୁ ରାସ୍ତା ଉପରେ ସତର୍କ କରିଥିଲେ, ସୁନ୍ଦର ସ୍ୱାସ୍ଥ୍ୟବତୀ ଓ ବୁଦ୍ଧିମତୀ ଝିଅଟିଏ ଦେଖି ମଦ ନିଶାରେ ଭୋଳ ହୋଇ ଯିଏ ପାଞ୍ଚ କଥା ପଚାରି କ୍ୟାମ୍ପ୍‍ର ଖବର ନେଉଥିଲେ, ତାଙ୍କରି ମୁହଁରେ ସେ ଅନୁଭବ କରିଥିଲେ ଅମିତାଭର ବାପାଙ୍କ ମୁହଁର ସାମଞ୍ଜସ୍ୟ । ତାଙ୍କର ଆକୁଳବିକଳ ଉତ୍କଣ୍ଠାର ପ୍ରତିବିମ୍ବ ସେ ଦେଖିଥିଲେ ପରା !

 

ତୁଳନା କରି ବସିଲେ ଜଣକ ମୁହଁର କେଉଁ ଅଂଶରେ ଅନ୍ୟ ଜଣକର ସାମଞ୍ଜସ୍ୟ ଦିଶିଯାଏ, ଆକାଶର ଚଳନ୍ତା ବାଦଲର ଆକାର ଓ ରଙ୍ଗବଦଳା କଳେବରରେ ଦିଶେ ଯେପରି ମନେକଲା ରୂପରାଜି । ଅମିତା ଅବିକଳ ଦିଶେ ତା’ କକାଙ୍କ ପରି ଆଉ, କେହି କେହି ଅମିତାର କାନ, ଭ୍ରୂଲତା ଓ ଚିବୁକରେ ଦେଖି ପାରନ୍ତି ଅନିମାଙ୍କର ସାମଞ୍ଜସ୍ୟ ।

 

ଗାୟତ୍ରୀ ଚବିଶବର୍ଷର ଝିଅ !

 

ମାତୃହରା ତେରବର୍ଷର କନ୍ୟାଟିକୁ ନେଇ ପୂର୍ବ–ବଙ୍ଗରୁ ଚାଲି ଆସିଥିଲେ ତା’ର ବାପା, କେଜାଣି କେଉଁ କାରଣରୁ ସେ ନାମ ବଦଳାଇ ଆତ୍ମ–ଗୋପନ କରିଛନ୍ତି । ସେଥିରେ କାହାର କ’ଣ ଥାଏ ? ତାଙ୍କର ଅମିତାଭ ହଜିଛି, ଅମିତାଭର ବାପାଙ୍କର କୌଣସି ସମ୍ବାଦ ମିଳିନାହିଁ । ବଞ୍ଚିଥିବା ଯାଏଁ ସେମାନଙ୍କୁ ସେ ଅପେକ୍ଷା କରି ରହିଥିବେ । ସେମାନଙ୍କର ଶୁଭ ମନାସି ଠାକୁରମାନଙ୍କ ପାଖରେ ଜଣାଣ କରୁଥିବେ, ସେତିକି ତାଙ୍କର କର୍ତ୍ତବ୍ୟ ।

 

ଭଗବାନଙ୍କର ଇଚ୍ଛା ପୂରଣ ହେଉଛି । ସେମାନଙ୍କୁ ସେ ଦେଇଥିଲେ, ସେମାନଙ୍କୁ ସେ ନେଇ ଲୁଚାଇ ଦେଇଛନ୍ତି । ଆଖି ଆଗରେ, ପୁଣି ମନ ଭିତରେ, ସେ କେତେ ଦୃଶ୍ୟ ବଦଳାଉଛନ୍ତି ଜୀବନର ପ୍ରତି ମୁହୂର୍ତ୍ତରେ । ବାଳଗୋପାଳ ସେ, ନିଜ ମନକୁ ଖେଳୁଛନ୍ତି । ହସି ହସାଉଛନ୍ତି, କାନ୍ଦି କନ୍ଦାଉଛନ୍ତି । ଭ୍ରମରେ ପଡ଼ି ଭ୍ରମରେ ପକାଉଛନ୍ତି । ନିଜ ଉପରେ ଚିଡ଼ି ଚିଡ଼ାଉଛନ୍ତି । ଭାଙ୍ଗି ଭଙ୍ଗାଉଛନ୍ତି । ପୁଣି, ନିଜ ଇଚ୍ଛାରେ ଗଢ଼ି ଗଢ଼ାଉଛନ୍ତି ସେ ନବରଙ୍ଗିଆ ।

 

ଗାୟତ୍ରୀ ଭଲ ଝିଅଟିଏ । ଭାଗ୍ୟ ଉପରେ ସେ ବିଶ୍ୱାସ କରେ । ଭଗବାନଙ୍କୁ ସେ ବିଶ୍ୱାସ କରେ । ତାଙ୍କର ଖେଳକୁ ସେ ବୁଝି ପାରିଛି । ଅନୁଭବ କରୁଛି ଯେ ଅଚାନକ ସମ୍ପର୍କ ଲାଗିଯାଏ; ପୁଣି ଅଚାନକ ଛିଡ଼ିଯାଏ । ପିଲା ନହେଲେବି ଅନଭିଜ୍ଞ ଝିଅଟିଏ । ଅମିୟ ପ୍ରତି ତା’ ମନରେ ଯେ ସୋହାଗ ଜନ୍ମିଛି, ଏହା ସେ ଜାଣି ପାରୁନାହିଁ ।

 

ବୟସର ଗର୍ବ ମନର ସୋହାଗକୁ ତା’ର ଅସ୍ୱୀକାର କରିବାକୁ ଛତା ଟେକିଛି । ଅମିୟ ନିର୍ବୋଧ ନୁହେଁ । ସେ ଠିକ୍‌ ବୁଝିବ । ଅତି ଶୀଘ୍ର ସେ ଲାଜେଇ ଲାଜେଇ ଅଳି କରି କହିବ, ତୁମର ସେବା କରିବାକୁ, ଅମିତାର ଯତ୍ନ ନେଇ ସଜାଇ ସୁଜାଇ ଗୋପାଳ ହାଉଲ୍‌ଦାରଙ୍କର ବୋହୂ କରି ପଠାଇବାକୁ ମାତୃହରା ଏଇ ଝିଅଟି ଗାୟତ୍ରୀକୁ ପାଖକୁ ଆଣିବ କି ?

 

ଆଣିବି ଅମିୟ, ମୋ ଛାତି ଉପରକୁ ଟାଣି ଆଣିବି, ମୁହଁରେ ବୋକ ଦେବି । ତୁମେ ଦିହେଁ ଭାଇଭଉଣୀ ପରି ଦିଶିବ, ଘରସଂସାର କରି ସବୁ ଝଡ଼ଝଞ୍ଜାକୁ ଚାରି ହାତରେ ଠେଲି ଆଗେଇ ଚାଲିବ । ମୋ କୋଳକୁ ଟେକି ଦେବ ଟିକି ଅମିତାଭ ଓ ଟିକି ଅମିତାକୁ । ସେମାନଙ୍କର ମୁହଁ ଚୁମି ମୁଁ ମୋର ସବୁ ଅତୀତକୁ ଘୋଡ଼ାଇ ଦେବି । ଗାୟତ୍ରୀ ଅଭିମାନ କରିଛି । ତୁମେ ତା’ର ଅଭିମାନ ଭାଙ୍ଗିବାକୁ ଉମରକୋଟ ଯାଅ ।

 

ମା’ ଝିଅ ଦିହେଁ ଅମିୟର ଜିନିଷ ସଜାଡ଼ି ରଖିଲେ ।

 

ଖରା ନଇଁ ଆସିଲାଣି । କାହିଁକି ଅମିୟ ଏତେ ବେଳଯାଏ ନ ଫେରିଲା ସେଥିପାଇଁ ଅନିମା ବାରକଥା ଭାବୁଛନ୍ତି । ଅମିତା ଝାଡ଼ୁ ଖଣ୍ଡେ ଧରି ଘର ଆଗରେ କୋଡ଼ିଏ ହାତ ଛାଡ଼ି ନୂଆ ତୋଳା ହୋଇଥିବା ଛୋଟ କୁଡ଼ିଆର ଚଟାଣ ଓଳାଉଛି । ଅମିୟର ଏଇ କେତେଦିନର ରହଣି କାଳ ମଧ୍ୟରେ ବାରଫୁଟ୍ ଲମ୍ବା ଓ ଦଶଫୁଟ୍ ଚଉଡ଼ା ବିଶିଷ୍ଟ ଏହି ଝାଟିମାଟିର ନୂଆ ଘରଟି ଉଲ୍ଲେଖଯୋଗ୍ୟ କରାମତି ।

 

ନିଜେ କାମ କରିଛି । ମୂଲିଆ ଲଗାଇ କାମ କରାଇଛି । ଅନିମା ଓ ଅମିତା ତଳ ଲିପିଛନ୍ତି । ଝାଟିମାଟି କାନ୍ଥରେ ମାଟି ଛାଟିଛନ୍ତି । ଭଦ୍ରଲୋକ କେହି ଆସିଲେ ସେମାନେ ସେଇଠି ବସିବେ, ଏହାହିଁ ଅମିୟର ଉଦ୍ଦେଶ୍ୟ । ନୂଆ ଗ୍ରାମକୁ ଯିବା ଡେରି ଅଛି । ସେତେ ଦିନଯାଏ ଅସୁବିଧାରେ ଚଳିବା ମୋଟେ ଉଚିତ ନୁହେଁ ବୋଲି ତା’ର ମତ ।

 

ଅମିୟର ନାମ ଡାକି ଡାକି ବିପିନ୍‍ କର୍ମକାର ଓ କ୍ୟାମ୍ପ୍‍ର ଆଉ ଦୁଇ ଜଣ ଲୋକ ହତା ଭିତରକୁ ପଶିଲେ । ଅମିତା ଝାଡ଼ୁ ତଳେ ରଖି ପଦାକୁ ଆସିଲା । ନମସ୍କାର କରି ଜଣାଇଁ ଦେଲା ଯେ ଅମିୟ ଘରେ ନାହିଁ ।

 

ବିପିନ୍‍ ପାଖେଇ ଆସି କହିଲେ, ତୁମର ମାଆଙ୍କୁ ଡାକିଦିଅ, ଜରୁରୀ ଖବର ଅଛି ।

 

ତାଙ୍କର ସ୍ୱର ଶୁଣି ଅନିମା ମୁଣ୍ଡ ଉପରକୁ ଓଢ଼ଣା ଟାଣି ଘର ଭିତରୁ ପଦାକୁ ବାହାରି ଆସିଲେ । ବିପିନ୍‍ ନମସ୍କାର କରି ବିନା ଅବତରଣିକାରେ କହିଲେ, ଅମିୟ ତ ଘରେ ନାହିଁ, ତେବେ ତୁମେ ତ ଅଛ ଭାଉଜ, ମାଲକାନଗିରିରୁ ସାନ ଅଫିସର ଆସି ସ୍କୁଲ୍‍ ଆଗରେ ବସିଛନ୍ତି, ସେ କହୁଥିଲେ ଅମିୟର ଉମରକୋଟରୁ ଏଠାକୁ ବଦଳି ହୋଇଛି, ସରକାରୀ ଆଦେଶ ଆସିଛି । ଏ ସୁ–ଖବର ତାକୁ ଜଣାଇଁ ଦେବାକୁ ଆମେ ଆସିଥିଲୁ ।

 

ଅନିମା କହିଲେ, ସେ ତମସାତୀରକୁ ସକାଳୁ ଗଲେଣି, ଏତେବେଳ ଯାଏଁ ଫେରି ନାହାନ୍ତି । ସେ ଆସିଲେ ମୁଁ ତାଙ୍କୁ କହିଦେବି ।

 

ମାଛ ଧରିବାକୁ ଯାଇଛି ?

 

ନା । ତାଙ୍କର କେଉଁ ବନ୍ଧୁ ସେଠି ବେମାର ପଡ଼ିଛନ୍ତି ଯେ ତାଙ୍କୁ ଦେଖିବାକୁ ଯାଇଛନ୍ତି ।

 

ବୁଝିଲି । ମତେ ସୁରେନ୍‌ କହୁଥିଲା । ମୁଁ ଜାଣେ ସେ ଚଗଲା ଟୋକା ବିଧାନ ବୋଷକୁ । ଚକ୍ରବର୍ତ୍ତୀ କଣ୍ଟ୍ରାକ୍ଟର ଛ’ ସାତ ଦିନ ତଳେ ସେଠାକୁ ଆସିଥିଲେ । ସେ କାମର ଦାୟିତ୍ୱ ମୋତେ ଦେବାକୁ ଅନୁରୋଧ କରୁଥିଲେ । ପୋଖରୀ ଖୋଳା କାମ ଅତି ଦିଗ୍‌ଦାରିଆ । ମୋର ବେଳ ନାହିଁ ବୋଲି ମୁଁ ମନା କରିଦେଲି ।

 

ଚକ୍ରବର୍ତ୍ତୀ ମୋତେ କହୁଥିଲେ, ସେ ଛତରା ଟୋକାଟା ତା’ର ପାଳକ ବାପ ମାଆଙ୍କ ସଙ୍ଗେ କଜିଆ କରି ଡାକ୍ତରଙ୍କ ସଙ୍ଗେ ଉମରକୋଟ ଚାଲି ଆସିଥିଲା । ତାଙ୍କରି ଘରେ ଚାକିରି କରୁଥିଲା ଆଉ, ତା’ର ବାପ ମାଆଙ୍କର ସବୁ ପ୍ରକାର ଦୁର୍ନାମ ରଟାଉଥିଲା । ଡାକ୍ତର ତାକୁ ଘରୁ କାଢ଼ିଦେଲେ । ତା’ ବାପ ମାଆଙ୍କ ପାଖକୁ ଫେରିଯିବାକୁ କହିଲେ । ହତଭାଗା କଥା ମାନିଲା ନାହିଁ-। ହୋଟେଲ ପିଣ୍ଡାରେ ପଡ଼ି ଦିନ କାଟିଲା । ହାତରୁ ପଇସା ସରିଲାରୁ ଉପାସ ଭୋକରେ ବେଳ କାଟି ଚକ୍ରବର୍ତ୍ତୀଙ୍କ ଶରଣ ପଶିଲା । ଏକାଜିଦି ଧରିଲା ଯେ ସେ ପାରଲ୍‍କୋଟ ଯିବ ନାହିଁ, ଚାକିରି କରିବ ।

 

ଅଭାଗାଟା ଡରିଲା ଯେ ବାପ ମାଆଙ୍କର ଯେତେ ଦୁର୍ନାମ ସେ ରଟାଇଛି, ତାକୁ ପାଖରେ ପାଇଲେ ସେମାନେ ତାକୁ ଦିଗଡ଼ କରି ହାଣି ଦେବେ । ପାଳିତ ପୁଅଟା । ଚକ୍ରବର୍ତ୍ତୀ ଦୟା ପାଇ ତାକୁ ଚାକିରି ରଖିଛନ୍ତି । ପୋଖରୀ ଖୋଳା କାମର ହିସାବ ରଖିବାକୁ ତମସା କୂଳକୁ ପଠାଇଛନ୍ତି । ଯାହାହେଉ ବଙ୍ଗାଳୀ ପିଲାଟିଏ ତ ।

 

ଅନିମା ତୁନି ହୋଇ ଶୁଣିଲେ । କାହିଁକି ବିପିନ୍‍ ଲିଡ଼ର୍ ନିଜେ ଧାଇଁଆସି ପରର ରୋଗଣା ପିଲାର ଦୁର୍ଗୁଣ ତାଙ୍କ ଆଗରେ ଗପୁଛନ୍ତି ସେ ବୁଝି ପାରିଲେ ନାହିଁ । କହିଲେ ଧୀରେ ଧୀରେ, ହଁ, ବଙ୍ଗାଳୀ ପିଲାଟିଏ । ଭଲ ହେଉ କି ମନ୍ଦ ହେଉ, ଅପନ୍ତରାରେ ପଡ଼ି ରୋଗରେ ଛଟପଟ ହେଉଛି । ପାଖରେ ତା’ର ଆପଣାର କେହି ନାହିଁ । ଅମିୟ ତାକୁ ଚିହ୍ନନ୍ତି । ଯଦି ସେ ପିଲାଟି ଭଲ ହୋଇଥାଏ ତ ସୁଖର କଥା । ଭଲ ହୋଇ ନଥିଲେ ତାକୁ ଆଣି ମୋ ପାଖରେ ଛାଡ଼ି ଦେବାକୁ ମୁଁ ଅମିୟକୁ ଆଦେଶ ଦେଇଛି । ତା’ର ମୁଁ ଯତ୍ନ ନେବି । ଭଲ ହୋଇଗଲେ ତା’ ବାପ ମାଆଙ୍କ ପାଖକୁ ପଠାଇ ଦେବି । ତା’ ସମ୍ବନ୍ଧରେ ଆପଣ ନିଶ୍ଚିନ୍ତ ରହନ୍ତୁ ।

 

ଅନିମା ମୁହଁ ବୁଲାଇ ଘର ଭିତରକୁ ଚାଲି ଯାଉଥିଲେ, ବିପିନ୍‍ଙ୍କର ଜଣେ ଅନୁଚର ଅନ୍ୟ ଜଣକୁ କହିଲା, ଦେଖିଲ ଅନିମାଙ୍କୁ ? ସାକ୍ଷାତ୍‌ କରୁଣାର ଅବତାର ! ପର ପିଲାପାଇଁ କାହାର ମନ ଏମିତି ତଟେ ?

 

ବିପିନ୍‍ବାବୁ, ଯେଉଁଥିପାଇଁ ସାନ ହାକିମ ତୁମକୁ ପଠାଇଥିଲେ, ଆଉ ତୁମେ ଆମୁକୁ ସଙ୍ଗରେ ନେଇ ଆସିଲ, ସେ କଥା ତୁମେ କହିଲ ନାହିଁ ?

 

ଆରେ ହଁ, ଭାଉଜ, ଟିକିଏ ଶୁଣ ।

 

ଅନିମା କଅଁଳେଇ କହିଲେ, ମିତା, ବିପିନ୍‍ବାବୁ କ’ଣ କହୁଛନ୍ତି ଶୁଣ୍‌ । କକା ଫେରିଲେ ତାଙ୍କୁ ତୁ ଜଣାଇଁ ଦେବୁ ।

 

ଅନିମା ମନେ କରିଥିଲେ ବିପିନ୍‍ କର୍ମକାର ତାଙ୍କର ବ୍ୟଙ୍ଗ ଭାଷାରେ ଅପ୍ରସ୍ତୁତ ହୋଇ ଲେଉଟିଯିବେ କିନ୍ତୁ ସେ ଶୁଣିଲେ ତାଙ୍କର ଚାପା ହସର ଖିଲି ଖିଲି । ସେ କହିଲେ, ତେବେ ଶୁଣ ମିତା, ତମର କକାଙ୍କୁ ଜଣାଇଁ ଦେବ ଯେ ସରକାରୀ ଆଦେଶ ଆସିଛି, ଏ କ୍ୟାମ୍ପ୍‍ରେ ଯେତେ ପୁରୁଣା ଆଶ୍ରୟପ୍ରାର୍ଥୀ ଆସି ରହିଛନ୍ତି ସମସ୍ତଙ୍କୁ ପନ୍ଦର ଦିନ ଭିତରେ ଏ କ୍ୟାମ୍ପ୍‍ ଛାଡ଼ି ତମସା କୂଳର ନୂଆ ଗାଁକୁ ଯିବାକୁ ହେବ । ନୂଆ ଆଶ୍ରୟପ୍ରାର୍ଥୀମାନେ ଆସି ଏଠାରେ ରହିବେ । ସାନ ହାକିମ ଲଟାରୀ କରି ଏବେ ଘର ବାରି ପ୍ଲଟ୍ ବାଣ୍ଟିବେ । ତୁମ କୁଟୁମ୍ବର ସେଠାରେ କେହି ଉପସ୍ଥିତ ରହିବା ଲୋଡ଼ା ।

 

ଅମିତା କହିଲା କକା ଫେରିଲେ ମୁଁ ତାଙ୍କୁ ଜଣାଇଁ ଦେବି । ତାଙ୍କର ଯଦି ଫେରିବାକୁ ଡେରି ହୁଏ ସାନ ହାକିମ ଯାହା କରିଦେବେ ସେଥିରେ ଆମର ରାଜି । କକା ସିନା ନାହାନ୍ତି, ଆମ ତରଫରୁ ଆପଣମାନେ ଅଛନ୍ତି । ଆପଣମାନଙ୍କ ଉପରେ ଆମର ଅବିଶ୍ୱାସ ନାହିଁ ।

 

ଅମିତା ଏତିକି କହି ନୂଆ ଘର ଭିତରକୁ ପଶିଗଲା । ତା’ର କଥା ଅନିମାଙ୍କର କାନରେ ବାଜିଲା । ସେ ଉତ୍‌ଫୁଲ୍ଲ ହୋଇ ଫେରି ଚାହିଁଲେ । ଦେଖିଲେ, ବିପିନ୍‍ ଲିଡ଼ରଙ୍କର ସହଯାତ୍ରୀ ଦୁହେଁ ଫାଟକ ଆଡ଼କୁ ମୋହିଁ ଚାଲିଛନ୍ତି, କିନ୍ତୁ ବିପିନ୍‍ ଲିଡ଼ର୍‌ ନିଜେ ଅଳପ ଘୁଞ୍ଚି ଆସି ନୂଆ ଘର ଭିତରକୁ ଅନାଇଁ ରହିଛନ୍ତି ।

 

ମୁହୂର୍ତ୍ତକରେ କ୍ରୋଧର ଅନଳ ତାଙ୍କର ସାରା ଶରୀରକୁ ଦହନ କଲା । ଦୁର୍ଗା ନାମ ସ୍ମରି ସେ ଆତ୍ମ–ସଂଯମ କଲେ । ଥରିଲା ସ୍ୱରରେ କଅଁଳେଇ କହିଲେ ଉଚ୍ଚ ସ୍ୱରରେ, ଆରେ ମିତା, ବିପିନ୍‍ବାବୁ ତୋତେ ଆଉ କ’ଣ କହିବେ ପରା, ଅପେକ୍ଷା କରି ରହିଛନ୍ତି । ଯା ଶୁଣ– ।

 

ବିପିନ୍‍ କର୍ମକାର ହସିଲା ମୁହଁରେ ଅନିମାଙ୍କର ରାଗ ଫଣଫଣ ଆଖିକୁ ଦେଖି ଉତ୍ତର ଦେଲେ, ଆଉ ଯାହା ବାକି ରହିଲା ମୁଁ ଅମିୟକୁ କହିବି । ଆସୁଛି ଭାଉଜ ।

 

ବିପିନ୍‌ କର୍ମକାର ପ୍ରଣାମ କରି ବାହୁଡ଼ିଲେ ।

 

ଏକସ୍ତରୀ

 

ସେଇଦିନ ସଞ୍ଜବେଳେ ଗୋଟାଏ ଖଟିଆରେ ବୁହାଇ ଅମିୟ ବିଧାନକୁ ଆଣି ଘରେ ପହଞ୍ଚାଇଲା । ଜରର କୋପରେ ପିଲାଟି ବେଳେବେଳେ ହତଜ୍ଞାନ ହୋଇ ପଡ଼ୁଛି । ଖବର ପାଇ ସୁରେନ୍ଦ୍ର ଓ ଗୋପାଳ ହାଉଲ୍‌ଦାର ଆସି ଉପସ୍ଥିତ ହେଲେ । ବିପିନ୍‌ କର୍ମକାର, ସାଧନ ମିସ୍ତ୍ରି ଓ ଅନ୍ୟମାନେ ଆସି ସାହାଯ୍ୟ କରିବାକୁ ପ୍ରସ୍ତୁତ ହେଲେ ।

 

ବିପିନ୍‌ ପ୍ରସ୍ତାବ କଲେ, ବିଧାନକୁ ମାଲକାନଗିରି ହସ୍‌ପିଟାଲ୍‌କୁ ପଠାଇ ଦିଆଯାଉ । ସେଠାରେ ରହିଲେ ଡାକ୍ତର ପାଖେପାଖେ ରହି ଦେଖି ପାରିବେ ।

 

ସାଧନ ସନ୍ନ୍ୟାସୀ ସେଥିରେ ଏକମତ ହେଲେ । ଗୋପାଳଙ୍କର ମତାମତ ଜାଣିବାକୁ ଅନ୍ୟମାନେ ଅମିୟର ନୂଆ ଘରେ ଅପେକ୍ଷା କରି ରହିଲେ ।

 

ଆଖପାଖର ପିଲାମାନେ ଆସି ହାଉହାଉ ହେଉଛନ୍ତି । ନୂଆ ଗ୍ରାମସେବକ ହିରେନ୍‌ ରାୟଙ୍କ ପାଖରେ ଜର ଔଷଧ ଅଛି । ତାଙ୍କୁ ଡକାଇଲେ ସେ ଔଷଧ ଦେଇ ପାରିବେ ବୋଲି କିଏ ଜଣେ ଉପଦେଶ ଦେଲେ । ଆଉ କିଏ କହିଲେ, ହିରେନ୍‍ବାବୁ ସାନ ହାକିମଙ୍କ ସଙ୍ଗେ ମାଲକାନଗିରି ଗଲେ । ବଜାରରୁ ଟ୍ରାନ୍‌ଜିଷ୍ଟର ବ୍ୟାଟେରୀ ଖରିଦ କରିବେ । ଫେରୁ ଫେରୁ ଡେରି ହେବ ।

 

କାହାରି ଉପଦେଶ ଶୁଣିବାକୁ ଓ ପରାମର୍ଶ ନେବାକୁ ଅମିୟ ଓ ଅନିମା ଅପେକ୍ଷା କରୁ ନାହାନ୍ତି ।

ଅମିୟର ନିର୍ଦ୍ଦେଶରେ ଅମିତା କ’ଣ ଘର ଖଟିଆରେ ବିଛଣା ପାରି ଦେଇଛି । ଜରୁଆ ବିଧାନର ଜ୍ଞାନ ଫେରି ଆସିଛି । ସୁରେନ୍ଦ୍ର ଓ ଅମିୟ ତାକୁ ଧରି ଖଟିଆରେ ଶୁଆଇ ଦେଇଛନ୍ତି । ସୁରେନ୍‌ର କଥା ମାନି ଖଟ ପାଖରେ ନଇଁପଡ଼ି ଅନିମା ତା’ର ମୁଣ୍ଡରେ ପାଣି ପଟ୍ଟି ଦେଉଛନ୍ତି । ବିଧାନ ଜୁଳୁଜୁଳୁ କରି ଚାହୁଁଛି । ନୂଆ ମଣିଷଗୁଡ଼ିଙ୍କୁ ଦେଖି ସେ ନୀରବ ରହିଛି ।

ଅମିୟ ପଦାକୁ ଆସି କହିଲା, ଆପଣମାନେ ତା’ପାଇଁ ବ୍ୟସ୍ତ ହେଉନ୍ତୁ ନାହିଁ । ଜଙ୍ଗଲ ଭିତରେ ରହିଲେ ମଶା କାମୁଡ଼ିଲେ ମେଲେରିଆ ଜ୍ୱର ତ ହେବାର କଥା, ବିଧାନକୁ ସେଇଆ ହୋଇଛି । ସେ ଭଲ ଅଛି, ଔଷଧ ଖାଇଛି । ମୁଁ ନିଜେ ମାଲକାନଗିରି ଯାଉଛି ଡାକ୍ତରଙ୍କୁ ଡାକି ଆଣିବି । ବିଧାନ ଏଇଠି ରହିବ ଆମ ଘରେ । ଭାଉଜ ଓ ଅମିତା ତା’ର ଯତ୍ନ ନେବେ । ଦିନେ ଓଳିକରେ ଜର ଭଲ ହୋଇଗଲେ ସେ ପୁଣି ତା’ କାମ ଉପରକୁ କି ଆଉ କେଉଁଠିକି ଚାଲିଯିବ ।

ଅମିୟ ସୁରେନ୍‍କୁ କହିଲା, ତୁମେ ବିପିନ୍‌ବାବୁଙ୍କ ଦୋକାନରୁ କିଛି ବାର୍ଲି ଓ କିଛି ମିଶ୍ରି କିଣି ଆଣିଦେବ, ମୁଁ ମାଲକାନଗିରି ଯାଉଛି । ତୁମେ ସବୁ ପାଟି କରନା ପିଲାଏ, ଘରକୁ ଯାଅ । ରୋଗଣା ପିଲାଟାକୁ ଟିକିଏ ନିଶ୍ଚିନ୍ତରେ ଶୋଇବାକୁ ଦିଅ ।

ଅମିୟ ମାଲକାନଗିରି ଚାଲିଗଲା ସୁରେନ୍‌ ବିପିନ୍‌ କର୍ମକାରଙ୍କୁ ସଙ୍ଗରେ ନେଇ ଚାଲିଗଲା ତାଙ୍କ ଦୋକାନକୁ । ଅନ୍ୟମାନେ ବିଧାନକୁ ଦେଖିଲେ । ସେବାରତା ଅନିମା ଓ ଅମିତାଙ୍କୁ ଉପଦେଶ ଦେଇ ନିଜ ନିଜର ଘରକୁ ଫେରିଲେ । ବୃଦ୍ଧ ଗୋପାଳ ହାଉଲ୍‌ଦାର ପୁରୁଣା ଟିଣ ଚଉକିଟି ଆଣି ବିଧାନର ଖଟିଆ ପାଖରେ ବସି ତା’ର ହାତଟିକୁ ଟାଣି ଧୀରେ ଧୀରେ ଆଉଁସୁଥିଲେ ଓ ଯେଉଁ ଟିକି ଅମିତାଟିକୁ ବୋହୂ କରି ନେବେ ବୋଲି ସେ ସଂକଳ୍ପ କରିଛନ୍ତି ତା’ର କାର୍ଯ୍ୟଦକ୍ଷତା ଲକ୍ଷ୍ୟ କରୁଥିଲେ ।

 

ଡାକ୍ତର ଆସିଲେ ନାହିଁ । ଔଷଧ ନେଇ ଅମିୟ ଫେରି ଆସିଲା । ଦେଖିଲା, ବିଧାନ ଶୋଇ ରହିଛି । ଅନିମା ମଶାରି ଟାଙ୍ଗି ଦେଇଛନ୍ତି । ସୁରେନ୍ଦ୍ର ଓ ଗୋପାଳ ଅନିମାଙ୍କର ଅନୁରୋଧ ରକ୍ଷା କରି, ତନୁଜା ତେଣେ ଏକାଥିବାରୁ ଓ ରାତି ଅଧିକ ହେଉଥିବାରୁ ନିଜର ଟେଣ୍ଟ୍‍କୁ ଚାଲିଯାଇଛନ୍ତି ।

 

ଅମିତା ମଶାରି ବାହାରେ ଟିଣ ଚଉକିରେ ଜଗିବସିଛି । ଆରଘରୁ ଦଉଡ଼ି ଖଟିଆଟି ଆଣି ବିଧାନ ଥିବା ଘରେ ପକାଇ ଅନିମା ବିଛଣା ପାରି ଦେଇଛନ୍ତି । ପୁରୁଣା ସାତ ସିଆଁ ଦରମଇଳା ମଶାରିଟି ଟାଙ୍ଗି ଦେଇଛନ୍ତି ।

 

ଅମିୟ ହାତରୁ ଔଷଧ ବୋତଲ ନେଇ ଅନିମା କହିଲେ, ସିଏ ତ ଶୋଇ ପଡ଼ିଲାଣି, ବାର୍ଲି ଓ ମିଶ୍ରି ମିଶାଇ ଅମିତା ତାକୁ ପେଇ ଦେଇଛି, ତୁମେ କ୍ଳାନ୍ତ ହୋଇଛ, ଗୋଡ଼ ହାତ ଧୁଅ । ଦାଦି ଝିଆରୀ ଦିହେଁ ଚାଲ ଖାଇବ । ଡେରି କରନା । ତୁମେ ଏଇ ଖଟରେ ଶୋଇପଡ଼ । ଆମେ ଦିହେଁ ଆର ଘରେ ଶୋଇବୁ । ମଝି କବାଟ ଖୋଲା ଥାଉ । ତୁମେ ନିଶ୍ଚିନ୍ତରେ ଶୋଇପଡ଼ । ଆମେ ବିଧାନର ଖବର ବୁଝିବୁ । ମିତା, ପୁଣି କ’ଣ ସରକାରୀ ଚିଠି ଆସିଛି, ସୁରେନ୍‌ ଦେଇଥିଲା ସଞ୍ଜରେ, କେଉଁଠି ରଖିଛୁ କକାଙ୍କୁ ଦେ ।

 

ଅମିତା ଟେବୁଲ ଉପରୁ ଲଫାଫାରେ ବନ୍ଦ ହୋଇଥିବା ପତ୍ରଖଣ୍ଡି ଅମିୟ ହାତକୁ ବଢ଼ାଇ ଦେଲା । ଅମିୟ ଖୋଲି ଆଲୁଅ ପାଖରେ ଧରି ମନେମନେ ପଢ଼ିଲା । ଉମରକୋଟରୁ ଆସିଛି । କପୁର୍‍ ସାହେବ ଧମକ ଦେଇ ଲେଖିଛନ୍ତି ଯେ ଶୀଘ୍ର କାର୍ଯ୍ୟରେ ଯୋଗ ନ ଦେଲେ ତା’ର ଦାୟିତ୍ୱହୀନ ଆଚରଣ ପାଇଁ ତା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାହେବ ।

 

ଅମିୟର ମୁହଁ ଶୁଖିଗଲା । ସେ ଭାବିଲା, ସରକାରୀ କଳର ଏହାହିଁ ରୀତି । କେହି କାହାର ସୁବିଧା ଅସୁବିଧା ଭାବେ ନାହିଁ । ଆଖି ଆଗରୁ ଅନ୍ତର ହେଲେ ସବୁ ସ୍ନେହ, ମମତା, ସହାନୁଭୂତି ପାଣି ଫାଟିଥାଏ । ଚାକିରି ତ କରିଛି, କାହା ଉପରେ ମାନାଭିମାନର କୌଣସି ଅର୍ଥ ନାହିଁ । ଚାରୋଟି ଦିନପାଇଁ ଛୁଟିରେ ଆସି ସେ ପୁଣି ପନ୍ଦର ଦିନ ଛୁଟି ବଢ଼ାଇଛି । କାମ ଅଚଳ ହେଉଥିବ । କପୁର୍‍ ସାହେବଙ୍କ ଆଦେଶପାଇଁ ତାଙ୍କୁ ନିନ୍ଦି ହେବ ନାହିଁ ।

 

ପରଦିନ ସକାଳେ ବିଧାନର ଦେହର ଅବସ୍ଥାର ଟିକିଏ ପରିବର୍ତ୍ତନ ହେଲା । ଜରର ପ୍ରକୋପ ଊଣା ହେଲା । ଅନିମା ଓ ଅମିତା ତା’ର ଯତ୍ନ ନେଲେ । ଅମିୟ ମାଲକାନଗିରି ଯାଇ ଡାକ୍ତରଙ୍କୁ ଡାକି ଆଣିଲା । ବିଧାନକୁ ପରୀକ୍ଷା କରି ସେ ମତ ଦେଲେ ଯେ ଥଣ୍ଡାଜର ସଙ୍ଗେ ମେଲେରିଆବି ମିଶିଛି, ଦିନେ ଦୁଇ ଦିନ ମଧ୍ୟରେ ଭଲ ହୋଇଯିବ, ଚିନ୍ତାର କାରଣ ନାହିଁ ।

 

ଔଷଧର ବ୍ୟବସ୍ଥା କରି ଡାକ୍ତର ଫେରିଗଲେ । ଉମରକୋଟ ଯିବାକୁ ଅମିୟ ପ୍ରସ୍ତୁତ ହେଲା ।

 

ବିଧାନର ପାଖକୁ ଆସି ଅମିୟ ତା’ର ମୁଣ୍ଡ ଆଉଁସି କହିଲା, ତୁମେ ଅନେକ ପରିମାଣରେ ସୁସ୍ଥ ହୋଇ ଗଲଣି । ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ଯାଏଁ ତୁମେ ଏଠାରେ ରହିବ । ତରତର ହୋଇ ଚାଲିଯିବ ନାହିଁ । ମୋ ଭାଉଜ ମାଆପରି ତୁମର ଯତ୍ନ ନେବେ, ତାଙ୍କର ଅବାଧ୍ୟ ହେବ ନାହିଁ । ସେ ମନଦୁଃଖ କରିବେ । ମୋ ଝିଆରୀ ଅମିତାକୁ ଦେଖୁଛ ତ ବିଧାନ, ସେ ଆମର ବୁଢ଼ୀମା ହେଲାଣି । ସମସ୍ତଙ୍କର ସୁଖ ଓ ସୁବିଧାପାଇଁ ନିର୍ବିକାର ଚିତ୍ତରେ ସବୁ ଦୁଃଖ ଓ ଅସୁବିଧା ନିଜ ଉପରକୁ ଟାଣି ନେଉଛି ।

 

ଅଭିମାନ କରି ଅମିତା ତା’ ମାଆର ପିଠି ଆଡ଼େ, ନିଜକୁ ଅଧେ ଲୁଚାଇ କହିଲା, ଦେଖୁଛ ଗୋ ମା’, କକା କେମିତି ମୋତେ ଥଟ୍ଟା କରୁଛନ୍ତି ? ବେଶି କ୍ଳାନ୍ତ ହୋଇ କାଲି ରାତିରେ ସେ ଛୁଟ୍‌କରି ଶୋଇ ପଡ଼ିଲେ । ଘୁଙ୍ଗୁଡ଼ି ମାରିଲେ ଯେ ସତେ କି ଆମ ଘରର ଚାଳ ଉଠିଲା ପଡ଼ିଲା । ତୁ ବି ଶୋଇ ଛଟପଟ ହେଲୁ । ମଶାଗୁଡ଼ାକ ଭାଉଁ ଭାଉଁ ହୋଇ ବେଢ଼ି ଯାଉଥାନ୍ତି । ବିଧାନବାବୁଙ୍କର ନିଦ ଭାଙ୍ଗିଲା । ସେ ବ୍ୟସ୍ତ ହେଲେ । ମୁଁ ଉଠି ତାଙ୍କୁ ପାନେ ଔଷଧ ଦେଲି । ପାଣି ପିଇବାକୁ ମାଗିଲେ । ପତର ଜାଳି ପାଣି ଟିକିଏ ଗରମ କରି ଦେଲି ।

 

ଅନିମା କହିଲେ, କକାଙ୍କ ଉପରେ ତୁ ରାଗିଲୁ କି ମା’ ? ସେ ବିଦେଶରୁ ଫେରି ତୋତେ ଦେଖି ଠିକ୍‌ ବୁଝି ପାରିଲେଣି ଯେ ତୁ ସତକୁସତ ମୋ ମା’ ହୋଇ ସାରିଛୁ । ଆଉ ଜାଣିକରି ତ ତୋ କକାଙ୍କର ମାଆ ତୁ ଥିଲୁ । କାଲି ରାତିସାରା ତୁ ଅନିଦ୍ରା ରହିଛୁ, ମୁଁ ଜାଣେ ଯେ । ମଶାଙ୍କ ଦାଉରେ ମୋଟେ ଶୋଇ ପାରିନୁ । ଛଟପଟ ହୋଇଛୁ । ବିଞ୍ଚଣା ଧରି ମୋତେ ବିଞ୍ଚିଛୁ । ବିଧାନକୁ ଔଷଧ ଦେଲୁ । ପାଣି ଦେଲୁ । ସବୁ ମୁଁ ଜାଣେ । ମୋ ନିଦ ଭାଙ୍ଗୁଥାଏ, ଆଖି ଖୋଲେ, ପୁଣି ଆଖି ମାଡ଼ିପଡ଼େ । ଭାବିଲି, ରାତି ଅନିଦ୍ରା ହୋଇ କିପରି ରୋଗୀର ସେବା କରିବାକୁ ହୁଏ, ପର ପିଲାର କିପରି ଯତ୍ନ ନେବାକୁ ହୁଏ ମିତା ମୋର ଶିଖୁ, ଜାଣୁ ।

 

ବିଧାନ ପଚାରିଲା, ଆପଣଙ୍କର ମାଲକାନଗିରି ବଦଳି ହୋଇଛି ମୁଁ ଶୁଣିଲି । ଉମରକୋଟରୁ କେବେ ଫେରିବେ ? ମାଆ ଭଉଣୀଙ୍କର ସ୍ନେହ କ’ଣ ଆଗରୁ ମୁଁ ଜାଣି ନଥିଲି ଅମିୟବାବୁ, କିପରି ମୁଁ ଏ ଋଣ ସୁଝାଇ ପାରିବି ?

 

ବିଧାନର ଦୁଇ ଆଖିରୁ ଦୁଇ ଧାର ଲୁହ ଝରି ଆସିଲା ।

 

ଅମିୟ କହିଲା, ପୁଣି ତୁମେ ଏଣୁତେଣୁ ଗପିବାକୁ ଆରମ୍ଭ କଲଣି । ତୁନି ହୁଅ । ଦେହ ଭଲ ହୋଇଯାଉ, ମୁଁ ଫେରି ଆସିଲା ପରେ କାହାର ଋଣ କେମିତି ସୁଝାଇବାକୁ ହୁଏ ତୁମକୁ ମୁଁ ଶିଖାଇ ଦେବି । ସେତେ ଦିନ ଯାଏଁ ଏ ଘରକୁ ଆପଣାର ଘର ବୋଲି ମଣି ଚଳିବ ।

 

ଅନିମା ବିଧାନ ପାଖକୁ ଘୁଞ୍ଚି ଆସିଲେ । ଅଞ୍ଚଳରେ ତା’ ଆଖିର ଲୁହ ପୋଛି କହିଲେ, ମା’ ଭଉଣୀଙ୍କର ଋଣ ବୋଲି ଯାହାକୁ ତୁ ମଣୁଛୁ, ତାକୁ କେହି କେବେ ସୁଝାଇ ପାରେ ନାହିଁ । ସେଇଟା ଋଣ ନୁହେଁରେ ବାବୁ, ସେଇଟା ଆଉ କ’ଣ, ଯାହା ପ୍ରକାଶ କରିବାକୁ ମୁଁ ଭାଷା ଖୋଜି ପାଉନି । ତୋ ନିଜ ମନର ପରପଣିଆ ଋଣ ଶବ୍ଦଟା ତୋ ମୁହଁକୁ ଆଣିଛି । ଆରେ ମିତା, ବିଧାନକୁ ତୁ ଭାଇ ବୋଲି ଡାକିବୁ ଯେ ତା’ ମନରୁ ପରପଣିଆ ଘୁଞ୍ଚିଯିବ, ସଂକୋଚ ଭାଙ୍ଗିବ । ତା’ର ଦେହ ଶୀଘ୍ର ଆରୋଗ୍ୟ ହୋଇଯିବ ।

 

ଉପରବେଳା ବସ୍‌ରେ ଅମିୟ ଉମରକୋଟ ଚାଲିଗଲା । ବସ୍‌ରେ ବସାଇ ଦେବାକୁ ସଙ୍ଗରେ ଆସିଥିଲା ସୁରେନ୍ଦ୍ର । ଅମିୟ ତାଆରି ହାତରେ ମାଲକାନଗିରି ବଜାରରୁ କିଣି ଗୋଟିଏ ବଡ଼ ମଶାରି ପଠାଇ ଦେଇଥିଲା । ଗୁପ୍ତରେ କହିବାକୁ ଭାଉଜଙ୍କ ପାଖକୁ ଖବର ପଠାଇଥିଲା ଯେ, ଯଦି ଉମରକୋଟରୁ ଫେରି ଆସିବାକୁ କୌଣସି କାରଣରୁ ବିଳମ୍ବ ହୁଏ, ଆଉ ଯଦି ବିଧାନ ସମ୍ପୂର୍ଣ୍ଣ ଆରୋଗ୍ୟ ହେଲାପରେ ତା’ର କର୍ମସ୍ଥଳକୁ କି ଆଉ କେଉଁଠିକି ଚାଲି ଯିବାକୁ ଚାହେଁ, ସେଥିରେ ଭାଉଜ ଆପତ୍ତି କରିବେ ନାହିଁ । ପର ପିଲାର ଆପଦ ବିପଦବେଳରେ ସାହାଯ୍ୟ କରିବା ପ୍ରତ୍ୟେକ ବ୍ୟକ୍ତିର ସାମାଜିକ କର୍ତ୍ତବ୍ୟ; କିନ୍ତୁ ତା’ର ସ୍ୱାଧୀନ ଚଳନରେ ବାଧା ଦେବାର ଦାୟିତ୍ୱ ଅନ୍ୟର ନାହିଁ । କାହିଁକି ତା’ର ପିତା ମାତାଙ୍କ ଧାରଣାରେ ସେବା କରି ସ୍ନେହ ଦେଖାଇ ମଧ୍ୟ ଆମେ ଦୋଷୀ ହେବା-? କର୍ତ୍ତବ୍ୟପରାୟଣ, ପର ଦୁଃଖ କାତର ଡାକ୍ତର ତରୁଣବାବୁ ଓ ସ୍ନେହ ସୋହାଗର ଚଳନ୍ତି ବିଗ୍ରହ ତାଙ୍କର ପତ୍ନୀ କଲ୍ୟାଣୀ ଦେବୀ ବିଧାନକୁ ବଞ୍ଚାଇ ମଣିଷ କରି ତା’ର ବାପ ମାଆଙ୍କର ନିନ୍ଦା ଅପବାଦ ଶୁଣିଲେ ।

 

ସୁରେନ୍ଦ୍ର ତା’ର ବନ୍ଧୁର ଅନୁରୋଧ ରକ୍ଷା କରିଥିଲା ।

 

ବାଆସ୍ତରୀ

 

ଦୁଇ ଘଡ଼ି ଅନ୍ଧାର ପରେ ଖଣ୍ଡିଆ ଜହ୍ନ ଦେଓଦା ନଦୀର ଆରପାଖ ଘଞ୍ଚ ଅରଣ୍ୟର ମଥା ଉପରକୁ ଉଠି ଆସିଲା । ଜ୍ୟୋତ୍ସ୍ନାର ଢେଉରେ ଛୋଟକାପ୍‌ସିର ଆଶ୍ରୟପ୍ରାର୍ଥୀ ଗ୍ରାମ ପ୍ଳାବିତ ହେଲା । ରୋଷେଇ କାମ ଶେଷ କରି ବାରଣ୍ଡାରେ ବଣ–ଖଜୁରି ପତ୍ରରେ ବୁଣା ହୋଇଥିବା ପଟ୍ଟିଖଣ୍ଡେ ବିଛାଇ ଉଷାରାଣୀ ଶ୍ରାନ୍ତି ହରଣ କରୁଥିଲେ । ଖେଳୁ ଖେଳୁ ବିଥି ପାଖରେ ଶୋଇପଡ଼ିଥିଲା । ପାରଲ୍‍କୋଟ ଅଞ୍ଚଳର ହାତୀ–ବୁଡ଼ା ଘାସ–ବଣୁଆ ଲମ୍ବଲମ୍ବ ମଶାଙ୍କ ଉତ୍ପାତରୁ ଝିଅଟିକୁ ରକ୍ଷାକରିବାକୁ ଉଷାରାଣୀ ତା’ର ଫୁଙ୍ଗୁଳା ଦେହ, ମୁହଁ ଓ ଗୋଡ଼ ହାତରେ ପାପୁଲି ଚଳାଉଥିଲେ । ମୁଣ୍ଡ ଟେକି ନାଲିଆ ଜହ୍ନକୁ ଚାହିଁଲେ । ମନରୁ ସବୁ ଦୁଶ୍ଚିନ୍ତା ଦୂର ହେଲା । ସେ ଉଠି ବସିଲେ, ବୀଥିକାର ଦେହରେ ଅଞ୍ଚଳ ଘୋରାଇ ଦେଲେ ।

 

କଣେଇଁ ଚାହିଁଲେ ଘର ଭିତରକୁ । ମସିଣା ଉପରେ ବସି ମଝିରେ ନଲଟନ ଜାଳି ବିକାଶ ଓ ବିମଳ ଗୁଣୁଗୁଣୁ ହୋଇ ପାଠ ପଢ଼ୁଛନ୍ତି । ସେମାନେ ଭଲ ପିଲା । କେହି ନ କହିଲେ ମଧ୍ୟ ନିଜ ମନକୁ ପଢ଼ନ୍ତି । ସେମାନଙ୍କର ଶ୍ରେଣୀରେ ଭଲ କରନ୍ତି । ଉଷାରାଣୀ ଭାବିଲେ, ପଢ଼ନ୍ତୁ ସେମାନେ, ଯେତେବେଳେ ଭୋକ ହେବ ବଳେ ଖାଇବାକୁ ମାଗିବେ ।

 

ଛୋଟକାପ୍‌ସିର କର୍ମଚାରୀଙ୍କ ରହଣୀ–କ୍ୟାମ୍ପ୍‍ଆଡ଼ୁ ଓ ଛୋଟ ବଜାର ଆଡ଼ୁ କେତେ ରେଡ଼ିଓର କ୍ଷୀଣ ଶବଦ ଭାସିଆସୁଛି । ପ୍ରାୟ ସମସ୍ତଙ୍କ ଘରେ ସେଥିରୁ ଗୋଟିଏ ଗୋଟିଏ ଯନ୍ତ୍ର ଅଛି । ବିଭିନ୍ନ ଭାଷାରେ ସଙ୍ଗୀତ ବୋଲା ହେଉଛି ଅବା ସମ୍ବାଦ ପରିବେଷଣ କରାହେଉଛି । ଭାରତବର୍ଷର ବିଭିନ୍ନ ପ୍ରଦେଶରୁ କର୍ମଚାରୀମାନେ ଆସି ଏକାଠି ଠୁଳ ହୋଇଛନ୍ତି । ପୂର୍ବ–ବଙ୍ଗରୁ ପଳାଇଆସିଥିବା ଆଶ୍ରୟପ୍ରାର୍ଥୀମାନଙ୍କୁ ଥଇଥାନ କରାଇବାରେ ସାହାଯ୍ୟ କରିବା ହେଲା ସେମାନଙ୍କର ଏକମାତ୍ର ଉଦ୍ଦେଶ୍ୟ । ଜାତି, ଗୋତ୍ର, ଭାଷା, ପ୍ରଦେଶ ଓ ଚଳନର ରୀତି ସେମାନଙ୍କର ଭିନେ ହୋଇପାରେ; କିନ୍ତୁ ସମସ୍ତଙ୍କୁ ଏକମନ ଏକପ୍ରାଣ କରି କର୍ମରେ ବ୍ରତୀ କରାଇଛି ଏହି ଗୋଟିଏ ଉଦ୍ଦେଶ୍ୟ, ଯାହା ଜନମ ଲଭିଛି ମହାଭାରତୀୟ ଜାତି ପ୍ରେମର ପ୍ରେରଣାରୁ ।

 

ଉଷାରାଣୀ ଏ ସବୁ ବୁଝି ପାରନ୍ତି ନାହିଁ । ବାହାରର ସବୁ ବିଭେଦ ତାଙ୍କୁ ବିରକ୍ତିକର ଲାଗେ । ନୂଆ ସ୍ଥାନରେ ନୂଆ ଘର ଓ ନୂଆ ସଂସାର ପାତି, ସ୍ୱାମୀ ଓ ପୁତ୍ରକନ୍ୟାଙ୍କ ପାଇଁ ଆପ୍ରାଣ ପରିଶ୍ରମ କରି ତାଙ୍କର ବେଳ କଟି ଯାଉଛି । ନୂଆ ଗ୍ରାମର କିଏ କୁଆଡ଼ୁ ଆସି ଥଇଥାନ ହୋଇଥିବା ଅପରିଚିତ କୁଟୁମ୍ବଗୁଡ଼ିକ ପରିଚିତ ହୋଇଛନ୍ତି । କେତେ କୁଟୁମ୍ବଙ୍କ ସଙ୍ଗରେ ଘନିଷ୍ଠତା ବଢ଼ିଛି । ତେବେବି ମନ ଭିତରେ ଶୂନ୍ୟତା ସେ ଅନୁଭବ କରନ୍ତି ।

 

ଉପରକୁ ଚାହିଁଲେ ଦୃଷ୍ଟିରେ ପଡ଼େ ସେହି ଅତି ପରିଚିତ ନେଳିଆ ଆକାଶ, ଭାସିଲା ମେଘ, ଅଗଣନ ମିଟିମିଟି ତାରା, ହସିଲା ଜହ୍ନ । ତଳକୁ ଚାହିଁଲେ ଦିଶେ ଧରିତ୍ରୀ ମାତାର ସବୁଜିମା-। ସବୁଠାରେ ପ୍ରକୃତିର ରୂପ ଓ ରୂପବଦଳା ଏକାପରି ମନେହୁଏ । ନିରୋଳା ମନରେ କେତେ ଅଭାବ ହାହାକାର କରିଉଠେ । ସେହି ହାହାକାରର ବିଳାପକୁ ଶମିତ କରିବାକୁ, ମନର ଅଜଣା ଶୂନ୍ୟତାକୁ ପୂର୍ଣ୍ଣ କରିବାକୁ, ନିଜର ସର୍ଜିଲା ସଂସାରରେ ସେ ନିଜକୁ ବିଲୀନ କରନ୍ତି ।

 

ତାଙ୍କ ସର୍ଜିଲା ସଂସାରର ଦୋସର, ତାଙ୍କ ପୁତ୍ର କନ୍ୟାଙ୍କର ଜନକ ଓ ପାଳକ, କୁଟୁମ୍ବର ମଙ୍ଗଳପାଇଁ, ପିଲାଗୁଡ଼ିଙ୍କର ଭବିଷ୍ୟତ୍‌ ପାଇଁ ସବୁ ସୁଖ–ସ୍ୱାଚ୍ଛନ୍ଦ୍ୟକୁ ପାସୋରି ଦିନରାତି କାର୍ଯ୍ୟରେ ବୁଡ଼ି ରହିଛନ୍ତି । ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗିଛି । ଅଳ୍ପ କେତୋଟି ମାସରେ ସେ ଯେପରି ବୟସରେ ଦଶବର୍ଷ ବଢ଼ି ଯାଇଛନ୍ତି । କାମର ରିହରେ ଖିଆପିଆ ମନେ ପଡ଼େ ନାହିଁ । ଦେହ ଓ ଜୀବନକୁ ସେ ତିଳତିଳ କରି ଆହୁତି ଦେଉଛନ୍ତି ।

 

ଯେଉଁ ନୂଆ ବଳଦ ଗାଡ଼ିଟି ସେ କରାଇଥିଲେ ସେଥିରେ କଖାରୁ, ପାଣିକଖାରୁ, ବାଇଗଣ, ଖମ୍ବଆଳୁ ଓ ଅନ୍ୟାନ୍ୟ ପରିବା ବୋଝେଇ କରି ସକାଳ ଦଶଟାବେଳୁ ସେ ଯାଇଛନ୍ତି ମୁର୍‌ଝର ହାଟକୁ । ହାତୀ ପରି ତାଙ୍କର ବଳଦ ଦିଓଟିକୁ ଗାଡ଼ିରେ ଯୋଚି ନେଇଛନ୍ତି । ପଡ଼ୋଶୀ ଘରର ବୃଦ୍ଧ ଗୁରୁଚରଣ ଶିଲ୍‌ ନିଜ ଘରର କଖାରୁ, ପାଣିକଖାରୁ ବୋଝେଇ କରିଛନ୍ତି ତାଙ୍କରି ଗାଡ଼ିରେ । ସେ ମଧ୍ୟ ସାହାଯ୍ୟ କରିବାକୁ ଯାଇଛନ୍ତି ସଙ୍ଗରେ, କିନ୍ତୁ ସେ ଅତି ଦୁର୍ବଳ ।

 

ମୁର୍‌ଝର ଆଶ୍ରୟପ୍ରାର୍ଥୀ ଗ୍ରାମରେ ନୂଆ ହାଟ ବସିଛି । ସପ୍ତାହରେ ଦିନେ । ଉଷାରାଣୀ ଦେଖି ନାହାନ୍ତି । ସାତ କି ଆଠ ମାଇଲ ଦୂରରେ ଅବସ୍ଥିତ ସେ ଗ୍ରାମ । ବିଜନ ବୋଷଙ୍କ ମୁହଁରୁ ଶୁଣିଛନ୍ତି, ମହାରାଷ୍ଟ୍ର ପ୍ରଦେଶର ଚାନ୍ଦା ଜିଲାର ସୀମାରେ ସେ ଗ୍ରାମଟି ଅବସ୍ଥିତ । ପୁରୁଣା ଆଦିବାସୀ ଗ୍ରାମର ଗଣ୍ଡ–ଅଧିବାସୀମାନେ ଅରଣ୍ୟ–ଘେରା ଅଞ୍ଚଳରେ ରହନ୍ତି । ସ୍ତ୍ରୀ–ପୁରୁଷ ପ୍ରଚୁର ମଦ ଖାଆନ୍ତି ।

 

ସେହି ଆଦିବାସୀ ଗ୍ରାମର ଅଳପ ଦୂରରେ, ନଦୀ–କୂଳରେ ହାଟ ବସେ ନୂଆ ଗ୍ରାମର ଉପକଣ୍ଠରେ । ଛୋଟକାପ୍‌ସିରୁ ମୁର୍‌ଝରକୁ ନୂଆ ରାସ୍ତା ପଡ଼ୁଛି । ଆବଡ଼ା ଖାବଡ଼ା ଅସାଧ୍ୟ ସେ ରାସ୍ତା । ପାହାଡ଼ମାଳର କଡ଼େ କଡ଼େ କେତେ ନାଳ ଡେଇଁ ଯାଇଛି । ଉଷାରାଣୀଙ୍କ ମନରେ ଦୁଶ୍ଚିନ୍ତା,–ବୋଝେଇ ବଳଦଗାଡ଼ି କେଉଁଠି ଓଲଟି ପଡ଼ିଲେ ସର୍ବନାଶ । ଏ ଦେଶର ଲୋକେ ଅତି ଛୋଟ ଛୋଟ ଗାଡ଼ି କରନ୍ତି । ମାଇପେ ଚଳାନ୍ତି । ନିରାପଦ ସେ ଗାଡ଼ି । ସେହିପରି ଗାଡ଼ି ଖଣ୍ଡେ କରିଥିଲେ ଭଲ ହୋଇଥାନ୍ତା ।

 

ଚନ୍ଦ୍ର ଉଠିଲେଣି । ମନର ଦକ କେତେ ପରିମାଣରେ ଦୂର ହୋଇଛି । ଚାରିଆଡ଼େ ଆଲୁଅ ବିଛେଇ ହୋଇ ପଡ଼ିଲାଣି ରାସ୍ତା ବାଟ ପରିଷ୍କାର ଦିଶିବ । ଢିପ, ଖାଲ, ନାଳ ବାରି ହେବ । କେତେ ଗାଡ଼ି କେତେ ଲୋକ ବିଭିନ୍ନ ଗ୍ରାମରୁ ଯା–ଆସ କରୁଥିବେ । ଭୟ ନାହିଁ । ଆସୁଥିବେ ସେ ଧୀରେ ଧୀରେ, ଉପାସ ଭୋକରେ, କ୍ଳାନ୍ତ ଓ ଅବଶ ହୋଇ ।

 

କି ଘର ପିଲା ସେ ଥିଲେ, କେଡ଼େ ସୁଖରେ ଜୀବନ କଟାଉଥିଲେ, ଭାଗ୍ୟର ବିପର୍ଯ୍ୟୟରୁ ସବୁ ଓଲଟି ଗଲା । ସେ କାଳର ସୌଭାଗ୍ୟ ଆଉ ଫେରିବ ନାହିଁ । ନ ଫେରୁ ପଛେ ଜୀବନ ରହୁ । ପିଲାଟିମାନେ ବଢ଼ି ପଢ଼ି ମଣିଷ ହୁଉନ୍ତୁ । ଏ ଦେଶ ହେବ ତାଙ୍କର । ଏ ଦେଶକୁ ସେମାନେ ଆପଣାର କରି ପାରିବେ । ଏ ଦେଶବି ତାଙ୍କୁ ନିଜର କରିବ । ପୂର୍ବ ବଙ୍ଗ କଥା ଜନଶ୍ରୁତିରୂପେ ଜାଣିବେ ସେମାନେ, ସ୍ୱପ୍ନରେ ସୁଦ୍ଧା ଦେଖି ପାରିବେ ନାହିଁ । ସେ ଦେଶର ପାଣି ପବନ, ସେ ଦେଶର ସୁଖ–ଦୁଃଖ ଅଙ୍ଗରେ ଓ ମନରେ ଅନୁଭବ କରିବା ଦୂରର କଥା । ଭଗବାନ ବଞ୍ଚାଇ ରଖନ୍ତୁ ସେମାନଙ୍କୁ ।

 

ବଞ୍ଚି ରହିଥାଉ ଜନମ–ଦୁଃଖୀ ବିଧାନଟି । କେଉଁ ଡାଳରୁ ଉଠି ଆସି, ତାଙ୍କ ଛାତିରୁ ବିନୀତାକୁ ଦୂରେଇ ଦେଇ ସେ ନିଜେ ନିଜେ ବସିଥିଲା । ବଢ଼ିଥିଲା ଦୁଃଖରେ । ହଁ, ଦୁଃଖରେ । ଉଡ଼ି ଚାଲିଗଲା । ବିଜନ ବୋଷ କହିଲେ, ଏବଯାଏଁ ବାରମ୍ବାର ସେ କହୁଛନ୍ତି, ଭାବ–ବିହ୍ୱଳ ହୋଇ, ବିଧାନ ଟଙ୍କା ପଠାଇଥିଲା, ଲେଖୁ ଲେଖୁ କ’ଣ ସେ ଲେଖି ଦେଇଛି ସିନା, ତା’ର ଦେହରେ ମନରେ ପକ୍ଷୀ ଲାଗିଛି । ଥରେ ସେ ଉଡ଼ି ଯାଇଛି, ଆଉ ଫେରିବ ନାହିଁ । ତାକୁ ଭୁଲିଯିବାହିଁ ଶ୍ରେୟସ୍କର । ପିଲାଟି ଦିନରୁ ସେ ଜାଣିଛି ଓ ଅନୁଭବ କରିଛି ଯେ ସେ ଏ ଘରର ପିଲା ନୁହେଁ, ସେ କାହୁଁ ଅଇଲା ।

 

ଉଷାରାଣୀ ମୌନ ରହନ୍ତି । ଛାତି ତଳେ ଅକୁହା ବେଦନା ଅନୁଭବ କରନ୍ତି । ବିଧାନର ମନରେ ଏପରି ଧାରଣା ଜନ୍ମିଥିବା ସ୍ୱାଭାବିକ । ସେଥିପାଇଁ କେବଳ ସେ ନିଜେ ଦାୟୀ । ସ୍ୱାମୀଙ୍କର କଥାଗୁଡ଼ିକ ତାଙ୍କ ମନରେ ସହସ୍ର କଣ୍ଟା ଫୋଡ଼େ । ସେ ଭାବନ୍ତି, ବଞ୍ଚିଥିବା ଯାଏଁ କ’ଣ ତାଙ୍କର ସ୍ୱାମୀ ତାଙ୍କୁ ଉଲୁଗୁଣା ଦେଉଥିବେ ?

 

ଅନୁତପ୍ତ ବିଷାଦଭରା ଆଖିରେ ଉଷାରାଣୀ ବିଜନ ବୋଷଙ୍କ ମୁହଁକୁ ଚାହାନ୍ତି ।

 

ତାଙ୍କ ମନର ଭାବ ବୁଝିଲା ପରି ବିଜନ କହନ୍ତି, କାହିଁକି ତା’ପାଇଁ ଚିନ୍ତା କରୁଛ ? ସେ ଆମର କିଏ ? ଯେଉଁ ଦୁଃଖରେ ଆମେ ଓ ଆମ ପରି ସହସ୍ର ସହସ୍ର କୁଟୁମ୍ବ ପ୍ରାଣ ବଞ୍ଚାଇବାକୁ ଆମର ପ୍ରିୟ ଜନ୍ମଭୂମିକୁ ଛାଡ଼ି ଆସିଲୁ, ତୁମେ ଥରେ ମନେପକାଅ । କେତେ ଶିଶୁ ପ୍ରାଣ ହାରିଲେ-। ବିଭିନ୍ନ ସ୍ଥାନରେ ଗୋଟିକ ପରେ ଗୋଟିଏ କ୍ୟାମ୍ପ୍‍ର ରହଣୀ କାଳରେ, ଅନାହାର, ଅଭାବ, ଅଯତ୍ନପାଇଁ କେତେ ସୁକୁମାର ଶିଶୁ ଚିରଦିନ ପାଇଁ ଆଖି ବୁଜିଲେ । ମନେକର ଆମର ବିନୀତା ସେମିତି କେଉଁଠି ଟଳି ପଡ଼ିଛି । ଯେଉଁମାନେ ପୁତ୍ର କନ୍ୟା ହରାଇଥିବେ, ଭଗବାନ ପୁଣି ସେମାନଙ୍କ କୋଳକୁ ସନ୍ତାନ ଟେକି ଦେଇଛନ୍ତି । ଯେଉଁ ତିନୋଟି ଶିଶୁ ତୁମ କୋଳକୁ ଆସିଛନ୍ତି, ସେମାନଙ୍କୁ ବଢ଼ାଇ ମଣିଷ କର । କାହୁଁ ଆସି ପୁଣି ଉଡ଼ିଯାଇଥିବା ବିଧାନକୁ ଭୁଲିଯାଅ । ତା’ର ଏଠାକୁ ନ ଫେରିବାହିଁ ବାଞ୍ଛନୀୟ ।

 

ସେ ନିଶ୍ଚୟ ଫେରି ଆସିବ ଗୋ, ତା’ର ପତ୍ର ଖଣ୍ଡି ମତେ ସେହି କଥା ବାରମ୍ବାର କହୁଛି-। ସେ ଆସିଲେ ସେ ଏ ଘରର ବଡ଼ପୁଅ ହୋଇ ରହିବ । ତୁମକୁ ସେ ସାହାଯ୍ୟ କରିବ-। ତା’ର ଋଣ ସୁଝିବାକୁ ମତେ ସେ ସୁଯୋଗ ଦେବ ।

 

ତୁମର ଆଶା ଭଗବାନ ପୂରଣ କରନ୍ତୁ ।

 

ଆଶା ଏବଯାଏଁ ପୂରଣ ହେଲା ନାହିଁ । ବିଧାନ ଫେରିନାହିଁ । ବିଧାନ ପାଖକୁ ପତ୍ର ଖଣ୍ଡିଏ ଲେଖିବାକୁ କେତେ ଦିନ ହେଲା ଉଷାରାଣୀ ଡହଳବିକଳ ହେଉଥିଲେ । କ’ଣ ଲେଖିବେ, କେଉଁ ଠିକଣାରେ ଲେଖିବେ, ଭାବି ସ୍ଥିର କରି ପାରୁ ନଥିଲେ ।

 

ଚନ୍ଦ୍ରର ଆଲୋକରେ ଅନ୍ଧାର ଅପସରିଲା । ସେ ଉଠି ବସିଲେ । ବୀଥିକା ଉପରେ ପଣତଟି ଭଲକରି ଘୋଡ଼ାଇ ଦେଇ କଅଁଳେଇ ଡାକିଲେ, ବିକାଶ, ଶୁଣ ତ ।

 

ବିକାଶ ଏଗାରବର୍ଷର ସ୍ୱାସ୍ଥ୍ୟବାନ ପୁଅଟି, ପାଠ ଛାଡ଼ି ପଦାକୁ ଆସିଲା । ଉଷାରାଣୀଙ୍କ ପାଖରେ ଠିଆ ହୋଇ ପଚାରିଲା, କ’ଣ ମା’ ?

 

ବିଧାନର ଚିଠି, ଆଉ ତୁ ମୋପାଇଁ ଯେଉଁ ଇନ୍‌ଲାଣ୍ଡ୍ କଭର୍‌ କିଣି ଆଣିଥିଲୁ କ’ଣ କଲୁ-?

 

ତୋ ଖୋଲା ଟ୍ରଙ୍କ୍‍ରେ ରଖି ଦେଇଛି ।

 

ମୋପାଇଁ ତୁ ଖଣ୍ଡିଏ ଚିଠି ଲେଖି ପାରିବୁ ବାବା, ତୋର ହସ୍ତାକ୍ଷର ତ ଖୁବ୍‌ ସୁନ୍ଦର । ବିଥି ଶୋଇଛି ପିଣ୍ଡାରେ, ମୁଁ ତାକୁ ଜଗି ବସିଛି । ନୋହିଲେ, ମୁଁ ଲେଖନ୍ତି । ମୁଁ ଡାକିବି, ତୁ ଲେଖିବୁ-। ଛୋଟ ଚିଠିଟିଏ ।

 

ପାରିବି ମା’, କାହାକୁ ଲେଖିବୁ ? ବିଧାନ ଭାଇକୁ ?

 

ହଁରେ ବିକାଶ । ପନ୍ଦର ଦିନ ହେବ ତା’ର ଚିଠି ପାଇଲିଣି । ଭାବିଥିଲି ସେ ଫେରି ଆସିବ । ଆଜିଯାଏ ଫେରିଲା ନାହିଁ କି କୁଆଡ଼େ ଗଲା, କେଉଁଠି ରହିଲା ଜଣାଇଁଲା ନାହିଁ । ତାକୁ ଫେରି ଆସିବାକୁ ଚିଠି ଲେଖିବି ଭାବୁଛି ।

 

ମା, ସେ ତ ଏତେ ଶୀଘ୍ର ଫେରିବ ବୋଲି ତା’ ଚିଠିରେ ଲେଖି ନାହିଁ ? ସତେ କି ମା’, ତାକୁ ବାଟରୁ ଗୋଟାଇ ଆଣି ପାଳି ନଥିଲୁ ? ସେ ତୋର ବଡ଼ପୁଅ, ଆମର ସେ ବଡ଼ ଭାଇ ?

 

ପୁଅର ପ୍ରଶ୍ନ ଶୁଣି ସେ ଚମକି ଉଠିଲେ । ଆଠବର୍ଷର ପୁଅ ବିମଳ ବହି ଉପରୁ ଦୃଷ୍ଟି ଟେକି ପିଣ୍ଡା ଆଡ଼କୁ ଅନାଇଁଲା । ସେ ବି ଯେପରି ମାଆଙ୍କର ଉତ୍ତର ଶୁଣିବାକୁ ଆଗ୍ରହୀ । ଉଷାରାଣୀ ଅଡ଼ୁଆରେ ପଡ଼ିଲେ । ସ୍ୱାମୀଙ୍କର ସତର୍କବାଣୀ ତାଙ୍କର ମନେ ପଡ଼ିଲା । ବିଧାନ ତାଙ୍କର ପୁଅ ବୋଲି ପିଲା ଦିଓଟିଙ୍କୁ ମିଛରେ କହିଲେ ସେମାନେ ଆହୁରି କେତେ ପ୍ରଶ୍ନ ନିଶ୍ଚୟ ପଚାରିବେ । ଉତ୍ତର ଦେବାକୁ ତାଙ୍କର ବୁଦ୍ଧି ହଜିଯିବ । ଭୁଲାଇ ଦେବାପାଇଁ କଥାକୁ ବୁଲେଇ ବଙ୍କେଇ କହିଲେ ସେମାନଙ୍କର କୁତୂହଳ ମେଣ୍ଟିବ ନାହିଁ । ଚିରଦିନ ପାଇଁ ମନରେ ସନ୍ଦେହ ଲୁଚକାଳି ଖେଳୁଥିବ । ସତ୍ୟ ପ୍ରକାଶ କଲେ ବିଧାନର ଧାରଣା ଭୁଲ୍ ବୋଲି ସେ ପ୍ରମାଣିତ କରିବେ, ଚିଠି ଲେଖିବାର ଉଦ୍ଦେଶ୍ୟ ସଫଳ ହେବ ନାହିଁ ।

 

ମାଆଙ୍କୁ ନୀରବ ରହିବାର ଦେଖି ବୁଦ୍ଧିମାନ୍‌ ବିକାଶ କଟାଳ କଲାନାହିଁ । ଧୀରେ ଧୀରେ ଆଗରୁ ଚାଲି ଆସିଲା । ଟ୍ରଙ୍କ୍‍ର ଢାଙ୍କୁଣି ଉଠାଇ ବିଧାନର ପତ୍ର ଓ ଇନ୍‌ଲାଣ୍ଡ୍ କଭର୍‌ କାଢ଼ିଲା । ଦୁଆତ କଲମ ଓ ଆଲୁଅ ଧରି ପିଣ୍ଡାକୁ ଗଲା । ବିମଳ ମଧ୍ୟ ପଢ଼ା ଛାଡ଼ି ଉଷାରାଣୀଙ୍କ ପାଖକୁ ଆସିଲା । ବିକାଶ କଲମ ଧରି ଆଲୁଅ ପାଖରେ ନଇଁପଡ଼ି କହିଲା, ଡାକ ମା’, କ’ଣ ଲେଖିବି, ଶୀଘ୍ର ଡାକ । ମୋ ସ୍କୁଲ୍‍ପାଠ ସରିନାହିଁ । ଆଉ ଦିଖଣ୍ଡି ଅଙ୍କ ବାକି ଅଛି ।

 

ବିମଳ କହିଲା, ମୋତେ ଭୋକ କଲାଣି ମା’, ପାଠଯାକ ସବୁ ପଢ଼ିଦେଲି । ମତେ ଖାଇବାକୁଦେ ।

 

ବିକାଶ କହିଲା, କିରେ, ଦଶ ଖଣ୍ଡ ଅଙ୍କ କରିବାକୁ ତୋତେ ସାର୍‌ ଦେଇଥିଲେ । କେଇ ଖଣ୍ଡ କଲୁ ?

 

ତିନି ଖଣ୍ଡ କଲି । କାଲି ସକାଳେ ଆଉ ସବୁ କରିଦେବି । ସକାଳକୁ ନ ରଖିଲେ, ତୁ ପୁଣି ବାପାଙ୍କ ଆଗରେ ଖଚ କହିବୁ ଯେ ମୁଁ ପଢ଼ିଲି ନାହିଁ, ଖେଳିଲି । ଭୋକ କଲାଣି ଗୋ ମା’, ନିଦ ମାଡ଼ିଲାଣି ।

 

ଉଷାରାଣୀ କହିଲେ, ଆଚ୍ଛାରେ ବିକାଶ, ଚିଠି ଲେଖା ଆଜି ବନ୍ଦ ରହୁ । ଆଉ ଦିନେ ଲେଖିବା । ବୀଥିବି ହଲଚଲ ହେଲାଣି, ଏବେ ଉଠିବ । ତୁମେ ତିନିହେଁ ଆଗ ଖାଇ ନିଅ, ତମର ବାପା ହାଟରୁ ଫେରିବାକୁ କେତେ ଡେରି କରିବେ କେଜାଣି ? ବେଳେବେଳେ ତ ରାତିଅଧ ହୁଏ ।

 

ବିଜନ ବୋଷଙ୍କର ହାଟରୁ ଫେରିବାକୁ ଉଚ୍ଛୁର ହେଲା । ପିଲାମାନେ ଖାଇପିଇ ଶୋଇ ପଡ଼ିଥିଲେ । ଉଷାରାଣୀ ଜାଗ୍ରତ ରହି ଛୁଆଖାଇ ବିଲେଇ ପରି ଘର ବାହାର ହେଉଥିଲେ ! ମନରେ କେତେ ପ୍ରକାର ଅଶୁଭ ଡରୁଆ ଭାବନା ପଶୁଥିଲା । ଛାତିର ସ୍ପନ୍ଦନ ଦ୍ରୁତ କରୁଥିଲା । ନିନ୍ଦୁଥିଲେ ସେ ନିଜକୁ । କହୁଥିଲେ, ବିଧାନକୁ ଯଦି ସେ ଟିକିଏ ସ୍ନେହ ଦେଖାଇ ଥାଆନ୍ତେ, ନିଜର ଉତ୍ତେଜନାକୁ ଆୟତ୍ତ କରି ପର ପିଲାକୁ ଆପଣାର କରି ଥାଆନ୍ତେ, ସେ ନିଜର ହୋଇ ପାରିଥାନ୍ତା, ଭାଗ୍ୟକୁ ନିନ୍ଦି ସେ ସୁବିଧା ପାଇ ଉଡ଼ି ପଳାଇ ନଥାନ୍ତା । ଭେଣ୍ଡା ପୁଅ ହେଲାଣି । ଆଜି ବାପକୁ ସାହାଯ୍ୟ କରିବାକୁ ଅଣ୍ଟାଭିଡ଼ି କାନ୍ଧକୁ କାନ୍ଧ ଲଗାଇ ଠିଆ ହୋଇଥାନ୍ତା ! ବିଜନ ବୋଷଙ୍କର ସବୁ ଦୁଃଖ ଦହଗଞ୍ଜ ପାଇଁ ସେ ଏକା ଦାୟୀ, ସେ ଉଷାରାଣୀ ।

 

ସ୍ୱାମୀ ହାଟରୁ କ୍ଳାନ୍ତ ଅବଶ ହୋଇ ଫେରିଲେ । ଗାଡ଼ିରୁ ବଳଦ ଖୋଲୁଣୁ ଶୀତୁଆ ଜହ୍ନିଫୁଲିଆ ରାତିରେ ସ୍ନେହବୋଳା କଣ୍ଠରେ କହିଲେ, ଏତେ ରାତିଯାଏ କାହିଁକି ତୁମେ ଜାଗି ରହିଛ ଉଷା, ମୁଁ ବଳେ ଡାକି ଉଠାଇଥାନ୍ତି । ସବୁ ପରିବା ଆଜି ବିକ୍ରି ହୋଇଗଲା । ଚନ୍ଦା–ଜିଲାରୁ ବହୁ ଲୋକ ଆଜି ହାଟକୁ ଆସିଥିଲେ । ଭଲ ଚାରି ପଇସା ଲାଭ ହୋଇଛି । ଅନେକ ଲୋକ ଆମେ ଗାଡ଼ି ନେଇ ଧୀରେ ସୁସ୍ଥେ ଆସୁଥିଲୁ । କି ସୁନ୍ଦର ଜହ୍ନ ରାତି । ବାଟରେ ମୂଷାଟିଏବି ଦେଖିନୁ । ଭୟର କାରଣ ନାହିଁ ।

 

ଉଷାରାଣୀଙ୍କ ପିଣ୍ଡାରେ ପ୍ରାଣ ପଶିଲା । ସେ ଜାଣନ୍ତି ଆପଦ ବିପଦର ସମ୍ମୁଖୀନ ହୋଇଥିଲେ ମଧ୍ୟ ତାଙ୍କର ସ୍ୱାମୀ ସେ ବିଷୟରେ କିଛି କହିବେ ନାହିଁ । ଯେତେ କ୍ଳାନ୍ତ ହେଉନ୍ତୁ ପଛକେ ଉତ୍ସାହିତ କରିବାକୁ ମୁହଁର ଟାଣ ସେ ରଖିଥିବେ । ଅକ୍ଳାନ୍ତ ପରିଶ୍ରମ କରି ସେ ଦିନୁଦିନ ଦୁର୍ବଳ ହେଉଛନ୍ତି । ଆଜିବି ସବୁ ଦୁଃଖକଷ୍ଟକୁ ଉଡ଼ାଇ ଦେବାକୁ କଥା କହିଲାବେଳେ ଦୁର୍ବଳତାପାଇଁ ସ୍ୱର ଥରି ଉଠୁଛି ।

 

ଆହା, ବିଧାନଟି ଯଦି ପାଖରେ ଥାଆନ୍ତା !

 

ସତେ କ’ଣ ସେ ଫେରିବ ନାହିଁ ?

 

ପରଦିନ ନିଜ ହାତରେ ସେ ବିଧାନକୁ ପତ୍ର ଲେଖିଲେ,–ବାବା ବିଧାନ, ତୋର ପତ୍ର ପାଇଛି, ପଠାଇଥିବା ଟଙ୍କାବି ପାଇଛି । ଆଉ ଆମର ଟଙ୍କା ଲୋଡ଼ା ନାହିଁ । ବାଇଆ ବୁଦ୍ଧି ତୁ ଛାଡ଼-। ତୋତେ ନ ଦେଖି, ତୋର ଖବର ନ ପାଇ ମୁଁ ବାଇଆଣୀ ପରି ହେଉଛି । ତୋର ବାପା, ଦୁଇ ଭାଇ ଓ ବୀଥି ତୋତେ ଝୁରି ହେଉଛନ୍ତି । ତୋ ବାପାଙ୍କର ଅବସ୍ଥା ରହିଲାଣି ।

 

ତୁ ମୋର ଗେହ୍ଲା ପୁଅ, ବୁଦ୍ଧିମାନ୍‌ ପୁଅ । କଥା ଅକଥାରେ ପଦେ କହିଲେ କି ଶାସନ କଲେ କ’ଣ ପୁଅଠାରୁ ମାଆର ସ୍ନେହ ଊଣା ହୋଇଯାଏ କି ବାପ ?

 

କାହିଁକି ତୁ ଅଭିମାନ କରିଛୁ ? ସୁନା ପୁଅଟି ମୋର, ଚିଠି ପାଇ ସଙ୍ଗେ ସଙ୍ଗେ ମୋ ପାଖକୁ ଫେରିଆ । ତୋ ନିଜ ଘରର କାମ ତ ଏଠାରେ ବଳେଇ ପଡ଼ିଛି, ପିଲା ବୟସରେ ପରଘରେ କାହିଁକି ତୁ ଖଟିବୁ ? ପରର କୁ–ଶିକ୍ଷାରେ ତୁ ଆଉ ପଡ଼ନା । ସମସ୍ତେ ସେମାନେ ଟେକାଟେକି କରି କହି କାମ ହାସଲ କରିବେ ।

 

ମୋର କଲ୍ୟାଣ ନେବୁ । ତୋର ଫେରନ୍ତି ବାଟକୁ ମୁଁ ଅନାଇଁ ରହିଛି । ଇତି, ତୋର ମା’ ।

 

ଡାକ୍ତରଙ୍କ ମାରଫତରେ ଉମରକୋଟ ଠିକଣାରେ ପତ୍ରଟି ପଠାଇ ଦେଲେ ।

 

ତେଏସ୍ତରୀ

 

ରାତି ପାହିଲେ ଡାକ୍ତର ତରୁଣ ମୁଖାର୍‌ଜୀ, କଲ୍ୟାଣୀ ଓ ଖୁକୀ ଜଗଦଲ୍‌ପୁର ଚାଲିଯିବେ-। ସେମାନଙ୍କର ଜିନିଷପତ୍ର ବନ୍ଧା ସରିଛି । ଅମିୟ ସାହାଯ୍ୟ କରୁଛି । ପାଞ୍ଚ ଦିନ ହେଲା ସକାଳେ ଓ ସଞ୍ଜରେ ବନ୍ଧୁମାନଙ୍କର ନିମନ୍ତ୍ରଣ ରକ୍ଷା କରିବାକୁ ଡାକ୍ତର ଦମ୍ପତ୍ତି ଏ ଘର ସେ ଘର ହେଉଛନ୍ତି । କାହାରି ନିମନ୍ତ୍ରଣକୁ ସେ ଉପେକ୍ଷା କରିବେ ନାହିଁ । କାହାରି ମନରେ ଦୁଃଖ ଦେବେ ନାହିଁ ।

 

ସରକାରୀ ଚାକିରି, ଆଜି ଏଠି, କାଲି ସେଠି । ନୂଆ ନୂଆ ସ୍ଥାନ, ନୂଆ ନୂଆ ବନ୍ଧୁ । ସମ୍ପର୍କ ଲାଗିଯାଏ, ପୁଣି ଦିନେ ସମ୍ପର୍କ ଛିଡ଼ିଯାଏ । ମନରେ ଲାଖିରହେ ଟିକିଏ ସ୍ମୃତି, କେତେଗୁଡ଼ିଏ ମୁହଁର ଛାୟା, ଘଟିଯାଇଥିବା ଭଲମନ୍ଦ କେତେଗୁଡ଼ିଏ ଘଟଣାର ସ୍ୱପ୍ନିଳ ପାତଳ କୁହେଳିର କାୟା । ଅବଚେତନ ମନରେ ଅଜାଣତରେ ରହିଯାଏ ସବୁର ସମାବେଶର ଅସ୍ପଷ୍ଟ ମାୟା !

 

କଲ୍ୟାଣୀଙ୍କୁ ଏହା ଅବିଦିତ ନାହିଁ । ବର୍ତ୍ତମାନର ପିଠିଆଡ଼େ ଛାୟା ଭିତରେ ସବୁ ଅତୀତ ଶୋଇ ଶୋଇ ମୁଣ୍ଡ ଟେକନ୍ତି । ହାତ ବଢ଼ାଇ ଗୋଡ଼ ଟାଣିବାକୁ ଭୟ ଦେଖାନ୍ତି । ଦୃଢ଼ ପଦକ୍ଷେପରେ ଭବିଷ୍ୟତ୍‌କୁ ଆଗେଇ ଯିବାର ସଂକଳ୍ପ ଓ ଉଦ୍ୟମର ଓଟରା ଖାଇ ଅତୀତ ଘୁସୁରି ଘୁସୁରି ପଛରେ ଧାଏଁ । ଆସନ୍ତୁ ସେମାନେ ଅତୀତର ବିଜିତ ସ୍ମୃତି, ଅବା ବିଜୟୀ ସ୍ମୃତି । ବର୍ତ୍ତମାନ ସେମାନଙ୍କୁ କେବଳ ମୁଣ୍ଡହଲାଇ ମୁଡ଼ୁକି ହସରେ ସମ୍ବର୍ଦ୍ଧନା କରି ଆଗେଇଯିବ । ବାସ୍‌ ସେତିକି ।

 

ରାତି ନଅଟା ହେଲାଣି । ଗାୟତ୍ରୀ ପାଖରେ ଖୁକୀ ଖେଳୁଛି । ଅଧମବାବୁଙ୍କ ପିଠିରେ ନାଉ ହେଉଛି । କାନ୍ଧ ଉପରେ ବସୁଛି । ହସି ହସି ଦୁହେଁ ନୟାନ୍ତ ହେଉଛନ୍ତି । ପିଲା ହସର ସ୍ୱର କଲ୍ୟାଣୀଙ୍କ କାନରେ ବାଜୁଛି । ଡାକ୍ତର ମୂର୍ତ୍ତିକା–ରକ୍ଷଣ ଅଫିସର ମହାନ୍ତିବାବୁଙ୍କ ଘରେ ଉମରକୋଟ୍‌ର ଶେଷ ଭୋଜିଭାତ ଖାଇବାକୁ ଯାଇଛନ୍ତି । ଶ୍ରୀମତୀ ମହାନ୍ତିଙ୍କୁ କହି ବୋଲି ଟିକିଏ ଜଳଯୋଗ କରି ସହଳ ସହଳ କଲ୍ୟାଣୀ ଫେରି ଆସିଥିଲେ ଜିନିଷପତ୍ର ବନ୍ଧାବନ୍ଧି କରି ସଜାଡ଼ି ରଖିବେ । ସବୁ ସେ ଗୋଟିଏ ଟ୍ରକ୍‌ରେ ସକାଳୁ ଆଗ ଜଗଦଲ୍‌ପୁର ପଠାଇ ଦେବେ । ନଅଟା ଆଗରୁ କାଲି ଉମରକୋଟ୍‌ରୁ ଗୋଟାଏ ଷ୍ଟେସନ୍‍–ଓ୍ୱାଗନ ମଟର ଗାଡ଼ିରେ ଜଗଦଲ୍‌ପୁର ଚାଲିଯିବେ ।

 

ଖୁକୀ ତା’ର ମାଉସୀ ଗାୟତ୍ରୀ ଓ ଅଜା ଅଧମଙ୍କ ପାଖରେ ଉମରକୋଟ୍‌ ରହଣୀ କାଳର ଶେଷ ହସ ହସିଯାଉ, ଶେଷ ଖେଳ କୌତୁକ ଦେଖାଇ ଯାଉ, କଲ୍ୟାଣୀ ବାଧା ଦେବେ ନାହିଁ । ବନ୍ଧାବନ୍ଧି କାମ ଶେଷ ହୋଇଛି । ଅମିୟ ସାହାଯ୍ୟ କରିଛି । ହସି ହସି ପରିଶ୍ରମ କରିଛି । ଭଲ ମଣିଷ ଅମିୟ, ପର ଆପଣା ଜ୍ଞାନ ରଖେ ନାହିଁ । ନିଜ କଥା ଭୁଲି ଆଗ ସେ ଅନ୍ୟର କାମ କରେ ।

 

କଲ୍ୟାଣୀ ବାରଣ୍ଡାରେ ଗୋଟିଏ ଟିଣ ଚଉକିରେ ବସି ଅଧମବାବୁଙ୍କ ଘର ଆଡ଼କୁ ଅନାଇଁ ଖୁକୀର ଖେଳ ଦେଖୁଥିଲେ । ସେ ଅଧମଙ୍କ କାନ୍ଧରୁ ଗାୟତ୍ରୀର କୋଳକୁ ଡେଉଁଛି । ଗାୟତ୍ରୀ ତାକୁ ଛାତିରେ ଜାକି ଗେଲ କରୁଛି । କିଲ୍‌କାଲିଆ ହୋଇ ଖୁକୀ ତଳକୁ ଓହ୍ଲାଇ ଅଧମଙ୍କର ଲମ୍ବିଲା ଗୋଡ଼ ଉପରେ ଚଢ଼ି, ପୁଣି ତକ୍ତପୋଷ ଉପରକୁ ଉଠୁଛି । ଖେଳୁ ଥାଉ ସେ ।

 

କଲ୍ୟାଣୀ ଘର ଭିତରକୁ ଚାହିଁଲେ । ଅମିୟ ପେଟ୍ରୋମାକ୍‌ସ ଆଲୁଅରେ ପମ୍ପ୍ ଦେଉଛି-। ବନ୍ଧା ହୋଇଥିବା ପଦାର୍ଥଗୁଡ଼ିକ କାନ୍ଥ କଡ଼ରେ ସଜା ହୋଇ ରଖା ହୋଇଛି ।

 

କଲ୍ୟାଣୀ ଭାବିଲେ, ତାଙ୍କର ରହଣୀକାଳ ମଧ୍ୟରେ ସେ ଗାୟତ୍ରୀ ଓ ଅମିୟଙ୍କୁ ବିବାହ ବନ୍ଧନରେ ଛନ୍ଦି ପାରିଲେ ନାହିଁ, ଏହି ଅବଶୋଷ ମନରେ ରଖି ସେ ଉମରକୋଟ୍‌ ଛାଡ଼ି ଚାଲିଯିବେ-। ପରସ୍ପରଙ୍କୁ ଚିହ୍ନିବାର ଓ ମନ ମିଳାଇବାର ସୁଯୋଗ ସେମାନଙ୍କୁ କଲ୍ୟାଣୀ ବାରମ୍ବାର ଦେଇଛନ୍ତି-। ଦୁହିଁଙ୍କ ମନରେ ପ୍ରବଳ ମମତା ଜଗାଇବାକୁ ଉପହାସ ଛଳରେ ସେ ଉତ୍ସାହିତ କରିଛନ୍ତି-। ସେ ଜାଣନ୍ତି, ଅମିୟ ଗାୟତ୍ରୀକୁ ସ୍ନେହ କରେ କିନ୍ତୁ ଗାୟତ୍ରୀ ଅମିୟକୁ ସମ୍ମାନ ଦେଖାଏ-। ମନର କଥା ଗାୟତ୍ରୀ କେବେ କଲ୍ୟାଣୀ ପ୍ରକାଶ କରେ ନାହିଁ ।

 

କଲ୍ୟାଣୀ ଅମିୟକୁ ପାଖକୁ ଡାକିଲେ କହିଲେ, ଚଉକିଟା ଟାଣିଆଣି ମୋ ପାଖରେ ବସ ଅମିୟ, ତୁମେ ଆଜି କ୍ଳାନ୍ତ ହୋଇଛ । ଶୁଣ, ପୁଣି ଆଜି ତୁମ ସମ୍ବନ୍ଧରେ ମୁଁ କପୁର୍‌ବାବୁଙ୍କୁ କହିଥିଲି । ତୁମକୁ ଶୀଘ୍ର ରିଲିଭ୍‌ କରିବାକୁ ସେ ନାରାଜ । ତୁମ ସ୍ଥାନରେ ଆଉ ଜଣେ ଆସି ଯୋଗ ନ ଦେବାଯାଏ ସେ ତୁମକୁ ଛାଡ଼ିବେ ନାହିଁ । ଭଲ କାମ କଲେ ଏଇଆ ଫଳ ହୁଏ । ତେବେ ତୁମେ ବ୍ୟସ୍ତ ହୁଅ ନାହିଁ । କପୁର୍‍ବାବୁ ଯେତେ ଶୀଘ୍ର ପାରନ୍ତି ତମୁକୁ ଛାଡ଼ି ଦେବେ । ମାଲକାନଗିରିର ଖବର କ’ଣ ? ବିଧାନ କିପରି ଅଛି ? ତାକୁ ମୁଁ ମୋ ପାଖରୁ ଦୂରେଇ ଦେବାକୁ ବାଧ୍ୟ ହେଲି ଅମିୟ, ତା’ର ବାପ ମା’ ଆମର ଦୁର୍ନାମ ରଟାଇଲେ ଆମୁକୁ ବ୍ୟତିବ୍ୟସ୍ତ କଲେ ।

 

ଅମିୟ ଆଗରେ ବସି ଅଧମବାବୁଙ୍କ ଘରକୁ ଚାହିଁଲା । କବାଟ ଖୋଲା ଅଛି । ଗୋଟିଏ ଷ୍ଟୁଲ୍ ଉପରେ ନଲଟଣ ଆଲୁଅ ଜଳୁଛି । ଅଧମଙ୍କ କୋଳରେ ଠିଆ ହୋଇ ଖୁକୀ ତାଙ୍କର ଲମ୍ବା ବାଳକୁ ଓଟାରୁଛି ଓ ହସୁଛି । ଗାୟତ୍ରୀ ତା’ର ଗୋଟିଏ ହାତ ଧରି ଆକଟି କହୁଛି, ଛି, ଖୁକୀ ମା’, ବାବାଙ୍କୁ କାଟିବ । ଗାୟତ୍ରୀ ଖୁକୀକୁ କୋଳକୁ ନେଇ ଗେଲ କରୁଛି ।

 

ଅମିୟର ଉତ୍ତରକୁ ଅପେକ୍ଷା ନ କରି କଲ୍ୟାଣୀ କହିଲେ, ଗାୟତ୍ରୀ ପରି ସୁନ୍ଦର ଝିଅ ଅତି ବିରଳ ଅମିୟ, ତା’ର ରୂପ ଯେପରି ଗୁଣବି ସେପରି । ମୁଁ ଜାଣେ, ସେ ତୁମକୁ ସ୍ନେହ କରେ । ସେ କ’ଣ ତୁମର ପସନ୍ଦ ହେଉନାହିଁ ?

 

ଅମିୟ ମୁହଁ ଫେରାଇ କହିଲା, ମୋ ଭାଉଜ ପତ୍ର ଦେଇଥିଲେ ଅପା, ଲେଖିଥିଲେ, ବିଧାନ ଆରୋଗ୍ୟ ହେଲାଣି । ତାକୁ ପାରା–ଟାଇଫଏଡ଼୍‌ ହୋଇଥିଲା । ସେ ଦୁର୍ବଳ ଥିବାରୁ ଭାଉଜ ତାକୁ ପାଖରେ ଅଟକାଇ ରଖିଛନ୍ତି । ପୋଖରୀଖୋଳା କାମର ହିସାବ ରଖିବାକୁ ଚକ୍ରବର୍ତ୍ତୀବାବୁ ତାକୁ ରଖିଥିଲେ । ପିଲାଟା କାମକୁ ପାରିବ ନାହିଁ, କଷ୍ଟ ସହିପାରିବ ନାହିଁ, ଆଉ ତାକୁ ସେ ରଖିବେ ନାହିଁ ବୋଲି ଚିଠି ଲେଖିଲେ ।

 

ଏଠାରେ ତାଙ୍କ ସଙ୍ଗେ ମୋର ଦେଖା ହୋଇଥିଲା । ଚକ୍ରବର୍ତ୍ତୀବାବୁ ମୋତେବି ସେ କଥା କହୁଥିଲେ, ଆଉ ଉପଦେଶ ଦେଲେ ଯେ ତାକୁ ଉମରକୋଟ୍‌ରୁ ପାରଲ୍‌କୋଟକୁ ତା’ ବାପ ମା’ଙ୍କ ପାଖକୁ ପଠାଇ ଦିଅ । ହତଭାଗ୍ୟ ପିଲାଟିଏ ସେ ଅପା । ଭାଉଜଙ୍କର ତା’ ଉପରେ ଦୟା ହୋଇଛି ।

 

କଲ୍ୟାଣୀ କହିଲେ, ମୁଁ ଜାଣେ, ସେ ତା’ର ପାଳକ ବାପ ମାଆଙ୍କୁ ଓ ତାଙ୍କର ପିଲାଗୁଡ଼ିଙ୍କୁ ଭୟ କରେ, ଘୃଣା କରେ । ଯେତେ ଯିଏ ପ୍ରବର୍ତ୍ତାଇଲେ ବିଧାନ ଆଉ ପାରଲ୍‌କୋଟ୍‌ ଫେରିବ ନାହିଁ । କାହାରି ପାଖରେବି ସେ ଅଧିକ ଦିନ ରହି ପାରିବ ନାହିଁ । ବୁଦ୍ଧିମାନ, କାମିକା ପିଲାଟା । ତା’ର ଢଙ୍ଗଢ଼ାଙ୍ଗ ଓ ଭଦ୍ର ବ୍ୟବହାର ଦେଖିଲେ ଯେ କେହି ସନ୍ତୁଷ୍ଟ ହେବ କିନ୍ତୁ ତା’ର ପାଳକ ବାପ ମା’ ତା’ର ଆଶ୍ରୟଦାତାଙ୍କ ବିରୁଦ୍ଧରେ ଏପରି ଅଭଦ୍ର ଭାଷା ପ୍ରୟୋଗ କରି କୁତ୍ସାରଟାଇବେ ଯେ ତା’ ଆଶ୍ରୟଦାତା ବାଧ୍ୟ ହୋଇ ତାକୁ ଘରୁ ତଡ଼ିଦେବେ । ସତରେ ସେ ଅତି ହତଭାଗ୍ୟ । ଛାଡ଼ ତା’ କଥା । ମୁଁ ତୁମକୁ ଗାୟତ୍ରୀ କଥା ପଚାରୁଥିଲି

 

ଅମିୟ କ୍ଷଣକାଳ ନୀରବ ରହି କହିଲା, ଆପଣ ଗାୟତ୍ରୀ ଦେବୀଙ୍କୁ ପଚାରୁ ନାହାନ୍ତି ? ମୁଁ ଅନୁମାନ କରୁଛି, ତାଙ୍କର ବାପାଙ୍କୁ ଏକୁଟିଆ ନିଃସହାୟ ଅବସ୍ଥାରେ ପକାଇ ସେ ସଂସାର ପାତିବାକୁ ଅନ୍ୟ କୁଆଡ଼େ ଯିବାକୁ ରାଜି ହେବେ ନାହିଁ ।

 

ନିର୍ବୋଧ ଝିଅଟା ! ସେ ତ ଅବଶ୍ୟ ଜାଣିଥିବ ଯେ ତାକୁ ଉପଯୁକ୍ତ ପାତ୍ର ହାତରେ ଅର୍ପଣ କରି ନିଶ୍ଚିନ୍ତ ହେବାକୁ ତା’ର ବାପା କେଡ଼େ ବ୍ୟଗ୍ର ! କାହିଁକି ସେ ତା’ର ବିବାହ ସମ୍ବନ୍ଧରେ ଅନାଗ୍ରହୀ, କଥା ପ୍ରସଙ୍ଗରେ ତୁମ ଆଗରେ ସେ କେବେ ପ୍ରକାଶ କରି ନାହିଁ କି ଅମିୟ ? ନିଃସଙ୍କୋଚରେ ତୁମେ ମୋ ଆଗରେ ଖୋଲି କହ ।

 

ଅମିୟ ହସି ଉଠିଲା । କହିଲା, ସେ ସମ୍ବନ୍ଧରେ କେବେ ଆମ ଦୁହିଁଙ୍କ ମଧ୍ୟରେ ଆଳାପ ହୋଇ ନାହିଁ । ଅପା, ସାହସ କରି ପ୍ରକାରାନ୍ତରରେ ମଧ୍ୟ ମୁଁ କେତେ ତାଙ୍କ ଆଗରେ ଏ ବିଷୟରେ ମୁହଁ ଖୋଲି ନାହିଁ । ଆବଶ୍ୟକ ମଣି ନାହିଁ । ଆମେ ପଡ଼ୋଶୀ । ପଡ଼ୋଶୀପଣିଆର ସହାନୁଭୂତି ତାଙ୍କ କୁଟୁମ୍ବରୁ ପାଇଛି । ତୁମେହିଁ ତ ଅପା, ଆମ ଭିତରେ ଟିକିଏ ଚିହ୍ନାପରିଚ କରାଇ ଦେଇଛ !

 

ଖାଲି ଟିକିଏ ଚିହ୍ନାପରିଚ ? ଆଉ କିଛି ନୁହେଁ ? ତୁମର ଅପା ହୋଇ ମୁଁ କ’ଣ ତୁମ ଦୁହିଁଙ୍କର ମନକଥା ଜାଣିପାରି ନାହିଁ ମଣିଛ ? ତୁମେ ଦିହେଁ ପରସ୍ପରକୁ ଭଲ ପାଅ, ଏହା ମୁଁ ଜାଣେ-। କିନ୍ତୁ କୌଣସି ଅଜଣା କାରଣରୁ କେହି କାହା ଆଗରେ ମନର ମମତା ପ୍ରକାଶ କରିବାକୁ ସଂକୋଚବୋଧ କରୁଛ । ଏ ଦିଗରେ ଅଗ୍ରଣୀ ହେବାର ସାହସ ଝିଅପିଲାର କେବେ ହୁଏ ନାହିଁ-

 

ଅମିୟ ନିରୁତ୍ତର ହେଲା ।

 

କଲ୍ୟାଣୀ କଣେଇଁ ଚାହିଁଲେ ଅଧମଙ୍କ ଘରକୁ । ଖେଳି ଖେଳି ଖୁକୀ କ୍ଳାନ୍ତ ହୋଇ ପଡ଼ିଛି । ଗାୟତ୍ରୀ ତାକୁ ଛାତିରେ ଧରି ଘର ଭିତରେ ଟହଲୁଛି । ସତେ କି ସେ ଝଟକିଲା ବିଜୁଳିଲତା । ରୂପର ଲାବଣ୍ୟ ଛିଟିକି ଆସୁଛି ପଦାକୁ । ଈଷତ୍‌ ନେଳିଆ ଶାଢ଼ିଟି, କଲ୍ୟାଣୀ ଯେଉଁଟି ଖୁକୀର ଜନ୍ମତିଥିରେ ଗାୟତ୍ରୀକୁ ମାସକ ତଳେ ଉପହାର ଦେଇଥିଲେ, ଆଉ ସ୍ନେହରେ ନିଜ ହାତରେ ତାକୁ ପିନ୍ଧାଇ ଦେଇଥିଲେ, ତାକୁ ବେଶ୍ ମାନୁଛି । ପଥରବସା ସୁନାର କାନବାଲା ଦିଓଟି, ଅଧମବାବୁ ଯାହାକୁ କଲିକତାରୁ ମଗାଇ ଆଣିଥିଲେ, ଗାୟତ୍ରୀର କାନରେ ଝଟକୁଛି । ଅଧମ ମୁଗ୍ଧ–ନେତ୍ରରେ ତାଙ୍କର ଏକୋଇ ସନ୍ତାନକୁ ଚାହିଁ ରହିଛନ୍ତି । ମୁହଁରେ ସ୍ମିତ ଲାଖି ରହିଛି ।

 

କଲ୍ୟାଣୀ ଅମିୟର ମୁହଁକୁ କଣେଇଁ ଚାହିଁଲେ । ଦେଖିଲେ, ସେ ମଧ୍ୟ ଦୂରରୁ ଗାୟତ୍ରୀ ଆଡ଼କୁ ଦୃଷ୍ଟି ବଢ଼ାଇଛି ।

 

ସେ ଅଳପ ହସି କହିଲେ, ସୁନ୍ଦର ଝିଅଟି ନୁହେଁ କି ଅମିୟ ? ଗାୟତ୍ରୀର କେବଳ ରୂପ ସୁନ୍ଦର ନୁହେଁ, ଗୁଣବି ସୁନ୍ଦର । ତା’ର ସ୍ୱଭାବ ଓ ପ୍ରକୃତିରେ ଖୁଣିଲାଭଳି କିଛି ଦୋଷ ନାହିଁ, ଏହା ସମସ୍ତେ ଜାଣନ୍ତି ! ତୁମେବି ଜାଣ । ତୁମର ଭାଉଜ ନିଶ୍ଚୟ ଗାୟତ୍ରୀକୁ ପସନ୍ଦ କରିବେ । ତୁମର ଝିଆରୀକୁ ସେ ସ୍ନେହ ସୋହାଗ ଦେଇ କିଣି ନେବ । ତୁମ ଦୁହିଁଙ୍କ ଭିତରେ ଗୋଟିଏ ବୁଝାମଣାର ଶୁଭମୁହୂର୍ତ୍ତକୁ ମୁଁ ଚାତକିନୀ ପରି ଚାହିଁ ରହିଥିଲି । ସେତିକି ଜାଣି ପାରିଥିଲେ ଅଧମବାବୁଙ୍କ ସ୍ୱୀକୃତି ଓ ତୁମ ଭାଉଜଙ୍କ ସମ୍ମତି ଆଣିବାକୁ ମୋତେ ଡେରି ଲାଗି ନଥାନ୍ତା । ଉମରକୋଟରେ ମୋର ରହଣୀ ଆଉ ମାତ୍ର ଗୋଟିଏ ରାତି ! ତଥାପି ସମୟ ଅଛି । ତୁମର ମତ କ’ଣ ?

 

ଅମିୟର ସଂକୋଚ ଦୂର ହୋଇଥିଲା । ସହଜ କଣ୍ଠରେ କହିଲା, ସତେ ଅପା, କାଲି ଏତେବେଳକୁ ତୁମେ ଜଗଦଲ୍‌ପୁରରେ ଥିବ !

 

ସେଇଥିପାଇଁ ମୁଁ ତୁମକୁ ପଚାରୁଛି, ଗାୟତ୍ରୀକୁ ବିବାହ କରିବାକୁ ତୁମେ ସମ୍ମତ ତ ?

 

ମୋର ସମ୍ମତି ସଙ୍ଗରେ ଥାଏ କ’ଣ ? ମୁଁ ଜାଣେ, ଗାୟତ୍ରୀ ମୋତେ ବିବାହ କରିବାକୁ ସମ୍ମତ ନୁହନ୍ତି । ତାଙ୍କ ସଙ୍ଗେ ମୋର ଅନେକ ଥର ଆଳାପ ହୋଇଛି । ପ୍ରତିଥର ମୁଁ ଅନୁଭବ କରିଛି ଯେପରି ସେ ଅନ୍ତରର ସହିତ ଚାହାନ୍ତି ଯେ ମୁଁ ତାଙ୍କ ପାଖରୁ ଦୂରେଇ ରହେ । ମୋର ସାନ୍ନିଧ୍ୟ ସେ ପସନ୍ଦ କରନ୍ତି, କିନ୍ତୁ ସାଧାରଣ ଭଦ୍ରତାକୁ ସେ ବ୍ୟାହତ କରି ମୁହଁ ଖୋଲି କହି ପାରନ୍ତି ନାହିଁ ତୁମେ ଚାଲିଯାଅ ।

 

ତୁମର ମନରେ ଏପରି ଧାରଣା ହୋଇଛି ?

 

ମୋର ଧାରଣା ଭୁଲ ନୁହେଁ । ମୁଁ ଏହା ମଧ୍ୟ ବୁଝି ପାରିଛି ଯେ ତୁମର ଅନାବିଳ ଅକୃତ୍ରିମ ସ୍ନେହ ଆମ ଦୁହିଁଙ୍କୁ ସାନ୍ନିଧ୍ୟର ସୁଯୋଗ ଦେଇଛି । ତୁମେ ଏଠାରୁ ଚାଲିଗଲା ପରେ ଗାୟତ୍ରୀ ଭଦ୍ରଭାବରେ ମୋତେ ମୁହେଁ ମୁହେଁ ଦିନେ କହିଦେବେ, ଘରେ ବାପା ନାହାନ୍ତି, ସନ୍ଧ୍ୟାବେଳେ ଆସିଲେ ଦେଖା ହେବ ।

 

କଲ୍ୟାଣୀ ହସିବାକୁ ଲାଗିଲେ । ହସ ବନ୍ଦ କରି ଦୁଇ ହାତରେ ମୁହଁ ଘୋରାଇ ଚିନ୍ତା କରିବାକୁ ଲାଗିଲେ । ଅମିୟର ମନରେ ଏପରି ଧାରଣା ହେଲା କାହିଁକି ? କାହିଁକି ଗାୟତ୍ରୀ ନିଜର ଭବିଷ୍ୟତ୍‌ ସମ୍ବନ୍ଧରେ ଚିନ୍ତା କରୁନାହିଁ ? ଗାୟତ୍ରୀର ବୟସ ଅଳ୍ପ ହୋଇନାହିଁ । ହୁଏତ ଅମିୟର ସେ ସମବୟସ୍କା । ଅନ୍ୟ କାହାକୁ ସେ ଭଲପାଏ ? କ’ଣ ତା’ର ଅତୀତ ? ସେ କ’ଣ ବିବାହିତା ? ସ୍ୱାମୀଙ୍କୁ ହରାଇ କେଉଁ ଅବୋଧ୍ୟ କାରଣପାଇଁ ବୈଧବ୍ୟକୁ ଗୋପନ ରଖିଛି ? ଦୁନିଆକୁ ପ୍ରତାରଣା କରୁଛି ? ସତେ, କେତେ ଅଳ୍ପ ସେ ଜାଣନ୍ତି ଗାୟତ୍ରୀ ସମ୍ବନ୍ଧରେ ! ଅଧମ ଚଣ୍ଡାଳ କିଏ ? ଆତ୍ମଗୋପନକାରୀ କିଏ ଜଣେ ? ସତେ କ’ଣ ଗାୟତ୍ରୀ ତାଙ୍କରି ଦୁହିତା ? ଅଥବା,–

 

ଯେଉଁ ପ୍ରଶ୍ନଟି ତାଙ୍କର ମନକୁ ଆସିଲା, ସେ ପ୍ରଶ୍ନର ତଡ଼ିତାଘାତରେ ସହସା ସେ ଚମକି ଉଠିଲେ । ନର ମାୟା ନାରାୟଣଙ୍କୁ ଅଗୋଚର । କିଏ କହିବ କାହାର ଅତୀତ କେତେ ଘଟଣାରେ ଚିତ୍ରିତ !

 

କଲ୍ୟାଣୀ ଦୃଷ୍ଟି ଫେରାଇଲେ ଗାୟତ୍ରୀ ଉପରକୁ । ଏବେବି ସେ ଖୁକୀକୁ ଛାତିରେ ଧରି ଘରଭିତରେ ଟହଲୁଛି, ଖୁକୀ ତା’ର କାନ୍ଧ ଉପରେ ମୁଣ୍ଡଟି ଲଦି ଦେଇଛି । ଶୋଇଲାଣି ପରା ! ଅଧମଚଣ୍ଡାଳ ତନ୍ମୟ ହୋଇ ଚାହିଁ ରହିଛନ୍ତି ଗାୟତ୍ରୀକୁ । ମୁହଁରୁ ତାଙ୍କର ହସ ଲିଭିଛି । ସେ ଦିଶୁଛନ୍ତି ଗମ୍ଭୀର, ତାଙ୍କର ଗାମ୍ଭୀର୍ଯ୍ୟକୁ କେଉଁ ଅକୁହା ଭାବନା ବିଷାଦର କାଳିମାରେ ଲେପି ଦେଇଛି ।

 

ଚଉସ୍ତରୀ

 

ଅମିୟ ନିର୍ମଳ ଗୁଇଁଙ୍କ ହୋଟେଲକୁ ଚାଲିଗଲା । ଡାକ୍ତରଙ୍କ ଘରେ ଦୁଇ ଦିନ ହେଲା ଚୁଲି ଜଳୁ ନାହିଁ । ବିଦାୟକାଳୀନ ନିମନ୍ତ୍ରଣ ରକ୍ଷା କରିବାରେ ସମୟ କାଟୁଛି । କଲ୍ୟାଣୀ ଅମିୟକୁ ଅଟକାଇ ପାରିଲେ ନାହିଁ । ଧୀରେ ଧୀରେ ଉଠି କେତେବେଳେ ଅମିୟ ପ୍ରସ୍ଥାନ କଲା କଲ୍ୟାଣୀ ଜାଣି ପାରି ନଥିଲେ ।

 

ସେ ଚିନ୍ତା କରୁଥିଲେ ଗାୟତ୍ରୀର କଥା–ଜୀବନ ପ୍ରତି ବୀତସ୍ପୃହ ଗୋଟାଏ ଅଧବାଇଆଣୀ ଝିଅଟିଏ ସେ ଥିଲା । ସାମାଜିକ ସଂସର୍ଗରୁ ଦୂରେଇ ରହି କେଉଁ ଅଜ୍ଞାତ ଦୁଃଖର ତାପରେ ସନ୍ତୁଳି ହୋଇ ଘର କୋଣରେ ଲୁଚି ରହୁଥିଲା । ମଦ୍ୟପ ଓ ବୋଧହୁଏ ଆତ୍ମ–ଗୋପନକାରୀ ଜଣେ ଦରବୁଢ଼ା ଡ୍ରାଇଭରର ଦୁଃଖିନୀ ଦୁହିତା !

 

ଦେଢ଼ଟି ବର୍ଷର ଘନିଷ୍ଠତା ଭିତରେ ସେଇ ଝିଅଟିକୁ ସେ ବଦଳାଇ ପାରିଛନ୍ତି । ତା’ର ଜୀବନ ପ୍ରତି ମମତା, ଚଳନରେ ସ୍ୱାଭାବିକତା ଫେରାଇ ଆଣିଛନ୍ତି । ଶୁଖିଲା ମୁହଁରେ ହସ ଫୁଟାଇ ପାରିଛନ୍ତି । ମୂକ ମୁଖରେ ନିର୍ଭୀକ ସ୍ୱଚ୍ଛନ୍ଦ ଭାଷା ସେ ପ୍ରକାଶ କରି ପାରିଛନ୍ତି । ମନରେ ଆତ୍ମ–ନିର୍ଭରଶୀଳତାର ବିଶ୍ୱାସ ଓ ଦୃଢ଼ପଣ ସେ ଜଗାଇ ପାରିଛନ୍ତି ।

 

ବାହାର ଦୁନିଆର ଆଗ୍ରହୀ ଆଖିର ସମ୍ମାନ ସେ ଲାଭ କରିଛି । ସେଇ ସମ୍ମାନର ଅଧିକାରିଣୀ ହେବାକୁ ସେ ଯତ୍ନଶୀଳା ହୋଇଛି । ନିଜକୁ ସେ ସୁନ୍ଦର କରିବାକୁ ଚେଷ୍ଟା କରୁଛି । ମଦୁଆ ଅଭିଭାବକଙ୍କୁ ସେ ସାମାଜିକ କରି ପାରିଛି, ସୁଦକ୍ଷ କର୍ମଚାରୀର ପ୍ରଶଂସା ଶୁଣାଇଛି ।

 

ସେଇ ଝିଅଟି ସଂସାରର ବନ୍ଧନରେ ବାନ୍ଧି ହେବାକୁ କାହିଁକି ପଶ୍ଚାଦ୍‌ପଦ ? ଅମିୟ ମଣ୍ଡଳ ତା’ ମନକୁ ଆସୁନାହିଁ ?

 

କଲ୍ୟାଣୀ କଣେଇଁ ଚାହିଁଲେ । ଅଧମଚଣ୍ଡାଳ ଘରୁ ବାହାରି ପଦାକୁ ଆସୁଛନ୍ତି । ତାଙ୍କ ପଛରେ ଗାୟତ୍ରୀ ପଦାକୁ ବାହାରୁଛି । ଛାତିରେ ଜାକିଛି ଖୁକୀକୁ । ପିଲାଟି ବୋଧହୁଏ ଶୋଇ ପଡ଼ିଲା ।

 

କଲ୍ୟାଣୀ ଉଠି ଠିଆ ହେଲେ । ଗାୟତ୍ରୀ ପାଖକୁ ଆସିଲା । ସେ କହିଲା, ଖୁକୀ ଶୋଇ ପଡ଼ିଲା ଅପା, ସଞ୍ଜବେଳୁ ଖେଳି ଖେଳି କ୍ଳାନ୍ତ ହୋଇ ପଡ଼ିଲା । ତା’ ସଙ୍ଗରେ ଖେଳିବାକୁ ଏତେବେଳ ଯାଏଁ ବାପା ବସାରେ ଅଟକି ରହିଲେ । କେବେ ମାଲକାନଗିରି ଯିବାକୁ ହେବ ସେ ବିଷୟ ବୁଝିବାକୁ କାହା ପାଖକୁ ଏବେ ବାହାରୁଛନ୍ତି ।

 

କଲ୍ୟାଣୀ କହିଲେ, କାଲି ତୁମମାନଙ୍କୁ ଛାଡ଼ି ସେ ଜଗଦଲ୍–ପୁର ଚାଲିଯିବ ବୋଲି ତା’ର ସବୁ ଖେଳ କୌତୁକ ତମୁକୁ ଦେଖାଇ ଯାଉଛି । ସତେଲୋ ଗାୟତ୍ରୀ, ସେ ତତେ ଭାରି ଭଲ ପାଏ । ଦିନାକେତେ ସେ ଝୁରିବ । ହଉ, ତା’ର ଛୋଟ ଖଟରେ ବିଛଣା ପରା ହୋଇଛି । ତାକୁ ଶୁଆଇ ଦେଇ ଆ ।

 

ଗାୟତ୍ରୀ ଘର ଭିତରକୁ ଗଲା । ଖୁକୀକୁ ଶୁଆଇ ଦେଇ କିଛିକ୍ଷଣ ପରେ ଫେରି ଆସିଲା-। କଲ୍ୟାଣୀ ଆଲୁଅ ନେଇ ଘର ଭିତରେ ରଖି ବାରଣ୍ଡାକୁ ଆସିଲା । ଟିଣ ଚଉକି ଅନ୍ଧାରିଆ ସ୍ଥାନକୁ ଘୁଞ୍ଚାଇ ନେଇ ବସିଲେ । ଗାୟତ୍ରୀପାଇଁ ଆର ଚଉକିଟି ପାଖକୁ ଘୁଞ୍ଚାଇ ଆଣିଲେ । କହିଲେ, ଏଇଠି ମୋ ପାଖରେ ବସ । ଆଜି ଏଇ ସନ୍ଧ୍ୟାଟି ଆମ ଦୁହିଁଙ୍କର ନିରୋଳାରେ ଏକାଠି ବସିବାର ଶେଷ ସନ୍ଧ୍ୟା ହୋଇପାରେ ଗାୟତ୍ରୀ, କିଏ ଜାଣେ ଜୀବନରେ ଆଉ କେବେ କେଉଁଠି ଦେଖା ହେବ କି ନାହିଁ । ନହେଲେ ନାହିଁଲୋ ଗାୟତ୍ରୀ, ବଞ୍ଚିଥିବାଯାଏ ତୋର ରୂପ, ଗୁଣ, ସ୍ନେହ, ସାହଚର୍ଯ୍ୟ ମୁଁ ଭୁଲି ପାରିବି ନାହିଁ ।

 

ଗାୟତ୍ରୀ ପାଖ ଚଉକିରେ ବସିଲା । କଲ୍ୟାଣୀଙ୍କର କଥା ଶୁଣି ସେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଲା । କେଉଁ ଅଜଣା କୋହ ତା’ର କଣ୍ଠ ରୁଦ୍ଧ କଲା । ତା’ର ଥରିଲା ଓଠରୁ ବାହାରି ଆସିଲା ଅନ୍ତରର ସଂଚିତ କୃତଜ୍ଞତାଭରା ପଦଟିଏ ଡାକ, ଅପା– !

 

କଲ୍ୟାଣୀ କହିଲେ, ସମସ୍ତେ ମୋତେ ସେଇଆ ଡାକନ୍ତି, କିନ୍ତୁ କେଜାଣି କାହିଁକି ଗାୟତ୍ରୀ, ତୋ ତୁଣ୍ଡର ସେହି ପଦକ ଡାକରେ ମୁଁ କିଣି ହୋଇଯାଏ । ମୋର ମନେହୁଏ ସତେ ଯେପରି ମୁଁ ପ୍ରକୃତରେ ତୋର ଅପା ! ମନରେ ମୋର ଦୁଃଖ ରହିଗଲା ଯେ ମୁଁ ତୋର କିଛି କରିପାରିଲି ନାହିଁ ।

 

ଗାୟତ୍ରୀ ଉତ୍ତର ଦେଲା, ତୁମେ ମୋତେ ନୂଆ ଜୀବନ ଦେଇଛ । ତୁମର ଆଦର ଓ ସ୍ନେହର ଭଣ୍ଡାର ଖୋଲି ମୋ ପରି ହତଭାଗିନୀର ଜୀବନକୁ ପୂର୍ଣ୍ଣ କରିଛ ଅପା !

 

ପୂର୍ଣ୍ଣ କରିବାର ଆଗ୍ରହ ମୋର ଥିଲା । ଶେଷ ମୁହୂର୍ତ୍ତରେ ମୁଁ ବୁଝି ପାରିଛି ଯେ ମୋର ସେ ଆଗ୍ରହ ଆଗ୍ରହରେହିଁ ରହିଗଲା । ତୋତେ ବିବାହିତା ଦେଖି ଯାଇଥିଲେ ସତରେ ମୁଁ ଅନୁଭବ କରିଥାଆନ୍ତି ଯେ ତୋର ଜୀବନ ପରିପୂର୍ଣ୍ଣ ହୋଇଛି । ଆଜି ସନ୍ଧ୍ୟାରେ ମୁଁ ଜାଣି ପାରିଛି ଯେ ଯାହାକୁ ମୁଁ ତୋପାଇଁ ମନୋନୀତ କରିଥିଲି ତାକୁ ତୁ ଘୃଣା କରୁ, ଅନ୍ତତଃ ପସନ୍ଦ କରୁ ନାହିଁ ।

 

ଗାୟତ୍ରୀ ଚମକି ଉଠିଲା । କଲ୍ୟାଣୀଙ୍କ କଥାର ମର୍ମ ବୁଝି ବ୍ୟଥିତ ହେଲା । ଯାହାଙ୍କ କଥା ମନରେ ରଖି କଲ୍ୟାଣୀ ଏପରି ନିର୍ଦ୍ଦୟ ବାଣୀ ତାକୁ ଶୁଣାଇଁଲେ ସେହି ଅମିୟବାବୁ କିଛି ସମୟ ଆଗରୁ ତାଙ୍କରି ପାଖରେ ବସି ଗଳ୍ପ କରୁଥିଲେ । କଲ୍ୟାଣୀଙ୍କ ମନରେ ଏପରି ଧାରଣା ସେ ଆଣିଛନ୍ତି । ସେ ଜାଣେ, ସେ ଯଦି ତା’ର ମନ ଗହନର ଗୋପନ କଥା ପ୍ରକାଶ କରି ନିଜର ସ୍ୱରୂପ ପ୍ରକାଶ କରିବ, କେବଳ ଅମିୟ ନୁହନ୍ତି ଗାୟତ୍ରୀ ମଧ୍ୟ ତାକୁ ଘୃଣା କରିବେ । ତୁଣ୍ଡରୁ ଖସିଲା କଥା କେହି ଗୋପନ ରଖିବେ ନାହିଁ । ଦୁନିଆରେ ଡିବିଡ଼ିବି ନାଗରା ବାଜିବ । ସେ ଆଉ ମୁହଁ ଦେଖାଇ ପାରିବ ନାହିଁ । ଯେଉଁ ଉଦାର ଓ ମହାନ୍ ବ୍ୟକ୍ତି ତାକୁ ନରକ ପୁରରୁ ଉଦ୍ଧାର କରିଛନ୍ତି, ମରଣ କୋଳରୁ ଟାଣି ଆଣି ନିଜର ବାହୁଛାୟା ତଳେ ଆଶ୍ରା ଦେଇଛନ୍ତି, କ’ଣ ହେବ ତାଙ୍କର ଅବସ୍ଥା ?

 

ତାଙ୍କ ପାଖରେ ମଧ୍ୟ ନିଜକୁ ସେ ଲୁଚାଇ ରଖିଛି । ତାଙ୍କ ସମ୍ବନ୍ଧରେ ବା ସେ ଜାଣେ କ’ଣ ? ପିତୃତ୍ୱର ପବିତ୍ର ପ୍ରବାହରେ ସେହି ଉଦାର ପୁରୁଷ ତା’ର ମନ ଓ ଜୀବନର ସବୁ ଆବିଳତା ଧୋଇଧାଇ ନିର୍ମଳ କରିଛନ୍ତି । ଏତେ ଦାନର କି ପ୍ରତିଦାନ ସେ ଦେଇ ପାରିଛି ? କନ୍ୟାପଣର ସବୁ ଆନୁଗତ୍ୟ ତାଙ୍କର ପାଦତଳେ ଅଜାଡ଼ି ଦେଇ ମଧ୍ୟ ସେ ଅନୁଭବ କରୁଛି ଯେ ତାଙ୍କର ଋଣରୁ କାଣିଚାଏବି ସେ ପରିଶୋଧ କରି ପାରିନାହିଁ । ଅନ୍ୟର ପ୍ରେମର ପ୍ରତ୍ୟୁତ୍ତର ଦେବାର ଅଧିକାର ତା’ର ନାହିଁ । ବିବାହ କରି ଅନ୍ୟର ସଂସାର କରିବାର ପ୍ରଶ୍ନ ଉଠୁନାହିଁ ।

 

ତୁନି ରହିଲୁ କାହିଁକି ଗାୟତ୍ରୀ ?

 

ଗାୟତ୍ରୀର ଆଖି ସଜଳ ହେଲା । କଲ୍ୟାଣୀଙ୍କର ହାତ ଧରି ସେ ବ୍ୟଥାଭରା କଣ୍ଠରେ କହିଲା, ଅପା, କାହାରିକୁ ପସନ୍ଦ କରିବା କି ଘୃଣା କରିବାର ଅଧିକାର ମୋର ନାହିଁ । ବିବାହ କରି ସଂସାର ପାତିବାର ଧାରଣା ମୋ ମନକୁ କେବେ ଆସେ ନାହିଁ । ମୋର ହତଭାଗ୍ୟ ପିତାଙ୍କର ସେବା କରି, ଯତ୍ନ ନେଇ, ମୁଁ ଯଦି ତାଙ୍କୁ ଖୁସୀ କରି ପାରିବି, ମୋ ଜୀବନ ସାର୍ଥକ ହେଲା ବୋଲି ମଣିବି ।

 

କଲ୍ୟାଣୀ ହସିଲେ । କହିଲେ, ତୋଠାରୁ ବଳି ନିର୍ବୋଧ ଝିଅ ମୁଁ ଆଉ କେଉଁଠି ଦେଖି ନାହିଁ । ପିତା କ’ଣ କେବଳ ଏଇଆ ଚାହାନ୍ତି ଗାୟତ୍ରୀ ? କେଉଁ ପିତା ନ ଚାହାନ୍ତି ଯେ ତାଙ୍କର କନ୍ୟା ବିବାହ କରି ସଂସାର ପାତି ସୁଖୀ ହେଉ ? ପୁଅ ଝିଅର ଜନନୀ ହୋଇ କୋଳ ଓ କୁଳ ସୁନ୍ଦର କରୁ ? ତୋର ପିତାଙ୍କର ମନ ଅନ୍ୟ ଉପାଦାନରେ ଗଢ଼ା ନୁହେଁ । ମୁଁ ଜାଣେ, ଅଧମବାବୁ ତୋତେ ଅନ୍ୟର ହାତରେ ଅର୍ପଣ କରିବାକୁ ବ୍ୟାକୁଳ; କିନ୍ତୁ ତୋର ମନର ମଣିଷଟି କିଏ ସେତକ ଜାଣିବାକୁ ସେ ଆଗ୍ରହୀ । ଅମିୟକୁ ସେ ସ୍ନେହ କରନ୍ତି । ତୁମେ ଦୁହେଁ ପରସ୍ପରକୁ ଚିହ୍ନିବାର ଜାଣିବାର ସୁଯୋଗ ସେ ଦେଇଛନ୍ତି । ଅମିୟ ତୋତେ ଭଲପାଏ ଏଥିରେ ତ ସନ୍ଦେହ ନାହିଁ, କିନ୍ତୁ ତା’ର ଧାରଣା ଯେ ତୁ ତାକୁ ଘୃଣାକରୁ ।

 

ତାଙ୍କର ସେ ଧାରଣା ଭୁଲ୍‌ ଅପା, ତାଙ୍କ ମନରେ ଏପରି ଧାରଣା ଆଣିବା ଭଳି ବ୍ୟବହାର ମୁଁ କେବେ ଦେଖାଇ ନାହିଁ । ମୁଁ ପିଲାଛୁଆ ନୁହେଁ । ସେ ମୋତେ ସ୍ନେହ କରନ୍ତି ମୁଁ ଏହା ଜାଣେ । ମୁଁ ତାଙ୍କୁ ଭଦ୍ରତା ଦେଖାଇବାରେ କେବେ ତ୍ରୁଟି କରି ନାହିଁ । ଅପା, ତାଙ୍କର ସ୍ନେହର ଉତ୍ତର ସ୍ନେହରେ ଦେବାକୁ ମୁଁ କେବେ ମନ କରିନାହିଁ । ମୋତେ ସେ ବିବାହ କରିବାକୁ ମନ କରିଥିବେ, ସେଥିପାଇଁ ମୁଁ ଦାୟୀ ନୁହେଁ । ସେ ଯଦି ମୁହଁ ଖୋଲି କେବେ ତାଙ୍କ ମନକଥା କହିବାକୁ ସାହସ କରି ଥାଆନ୍ତେ, ମୁଁ ମଧ୍ୟ ସାହସ କରି ନିଃସଙ୍କୋଚରେ ହାତ ଯୋଡ଼ି କ୍ଷମା ମାଗି ନେଇଥାନ୍ତି-

 

ଅପା ଗୋ, ପଚିଶବର୍ଷର ଯୁବତୀ ମୁଁ, ବୟସରେ ତୁମଠାରୁ କି ତାଙ୍କଠାରୁ ବଡ଼ ହେବି କି ଛୋଟ ହେବି ମୁଁ ଜାଣେ ନାହିଁ । ଏତକ ତ ଜାଣେ ଯେ ମୋ ଜୀବନ ଉପରେ ଯଦି ଝଡ଼ଝଞ୍ଜା ବହିଯାଇ ନଥାନ୍ତା ମୁଁ ସ୍ୱାଭାବିକ ରୀତିରେ କେଉଁଠି କାହାର ଘରଣୀ ହୋଇ କେତେ ପୁଅ ଝିଅଙ୍କର ଜନନୀ ହୋଇଥାନ୍ତି । ତୁମ ପାଖରେ ଆଜି ପ୍ରକାଶ କରିବାକୁ ମୁଁ କୁଣ୍ଠିତ କି ଲଜ୍ଜିତ ନୁହେଁ ଯେ ପରର ଘରଣୀ ହୋଇ ସଂସାର ପାତିବାକୁ ମୁଁ ଏବେ ଅନୁପଯୁକ୍ତ ।

 

ଗାୟତ୍ରୀର ଟିକିଏ ଉତ୍ତେଜିତ କଥା ଶୁଣି କଲ୍ୟାଣୀ ବ୍ୟଥିତ ହେଲେ । ଗାୟତ୍ରୀ ସଙ୍ଗେ ଏତେ ଘନିଷ୍ଠ ଭାବରେ ମିଶି ମଧ୍ୟ ବିବାହ ସମ୍ବନ୍ଧରେ ତାକୁ ଆଗରୁ କେବେ ସେ ପଚାରି ନଥିଲେ, ତା’ର ମନକଥା ବୁଝିବାକୁ ଚେଷ୍ଟା କରି ନଥିଲେ । ମାଆ ନଥିଲା ପୂର୍ବ ବଙ୍ଗର ଉଦ୍‌ବାସ୍ତୁ କୁଟୁମ୍ବର ସୁନ୍ଦର ସ୍ୱାସ୍ଥ୍ୟବତୀ ଝିଅଟିଏ, ଏ ଦୁନିଆରେ ଆତଯାତ ହେଲେ ଅଣଆୟତ୍ତରେ କେବେ କାଳେ କାଦୁଅକୁ ଗୋଡ଼ ଖସିବ, ଏପରି ଦୁର୍ଯୋଗର ସମ୍ଭାବନାରୁ ତାକୁ ଉଦ୍ଧାର କରିବାକୁ ତା’ର ହାତକୁ ଦି’ ହାତ କରିବାର ବାସନା ମନରେ ଜାଗିଥିଲା । ଅମିୟ ତା’ର ଉପଯୁକ୍ତ ହୋଇ ପାରିବ, ଏହି ଆଶାରେ ସେ ଦୁହିଁଙ୍କୁ ମିଶିବାର ସୁଯୋଗ ଦେଇଥିଲେ । ଗାୟତ୍ରୀର ମନଖୋଲା କଥା ଶୁଣି ସେ ତାଙ୍କର ଭୁଲ୍‌ ବୁଝି ପାରିଲେ ।

 

ଉମରକୋଟରେ ତାଙ୍କର ଶେଷରାତ୍ରିରେ ଗାୟତ୍ରୀ ସଙ୍ଗେ ଶେଷ ନିରୋଳା–ଆଳାପ ତାଙ୍କ ମନରେ ଯେଉଁ ଅନୁତାପର ତୋଫାନ ବୁହାଇଲା ଚିରଦିନ ତାଙ୍କର ମନେ ରହିବ । ସେହି ତୋଫାନର କିଞ୍ଚିତ୍‌ ଉପଶମ ପାଇଁ କାହା ପାଖରୁ ସେ କ୍ଷମା ଚାହିଁବେ ?

 

କଲ୍ୟାଣୀ ଦୁଇ ହାତ ପ୍ରସାରି ଗାୟତ୍ରୀର ଦୁଇ ହାତ ଧରିଲେ । କହିଲେ, ବୟସରେ ତୁ ମୋଠାରୁ ସାନ, ମୁଁ ସଂସାରୀ, ମୁଁ ପୁଣି ମା’ । ତୋତେ ଯେତେ ବୟସ ହେଲେବି ମୋ ଆଖିରେ ତୁ ପିଲା । ଛୋଟ ଭଉଣୀର ପ୍ରାପ୍ୟ ସବୁ ସ୍ନେହ ତୋତେ ମୁଁ ଦେଇଛି । ତୋତେ ସୁଖୀ ଦେଖିବାର ମାନସରେ ଅମିୟ ସଙ୍ଗେ ତୋର ଘନିଷ୍ଠତା ବଢ଼ାଇ ପରସ୍ପରକୁ ବୁଝିବାର ସୁଯୋଗ ମୁଁ ଦେଇଛି । ଏବେ ମୁଁ ବୁଝୁଛିଲୋ ଗାୟତ୍ରୀ, ତୋ ପ୍ରତି ମୋର ଅକୁଣ୍ଠିତ ଅନୁରାଗ ପାଇଁ ମୁଁ ମସ୍ତବଡ଼ ଭୁଲ୍‌ କରି ପକାଇଛି । କାହିଁକି ତୁ ସଂସାର ପାତିବାକୁ ଅନୁପଯୁକ୍ତ ସେ ପ୍ରଶ୍ନ ମୁଁ ପଚାରିବି ନାହିଁ । ନାରୀ କହ କି ପୁରୁଷ କହ, ବିଶେଷତଃ ଜନ୍ମଭୂମି ଛାଡ଼ି ଦୁଃଖଦୁର୍ଦ୍ଦଶା, ଅତ୍ୟାଚାର ନିର୍ଯାତନା ସହି ଯେଉଁ ହତଭାଗିନୀ ଓ ହତଭାଗ୍ୟମାନେ ଜୀବନ ଘେନି ଏ ଦେଶକୁ ପଳାଇ ଆସି ବାରଦ୍ୱାର ଶୁଣ୍ଢି–ପିଣ୍ଡା ହୋଇଛନ୍ତି, ସେମାନଙ୍କ ଜୀବନରେ କେତେକଅଣ ଘଟି ଯାଇଥିବ । ସେ ସବୁ ଘଟଣା ପ୍ରତ୍ୟେକ ବ୍ୟକ୍ତିର ନିଜସ୍ୱ, ଅତି ଗୋପନୀୟ ।

 

କାହିଁକି ମୁଁ ଜାଣିବାକୁ ଚାହିଁବି ଗାୟତ୍ରୀ ? ମୁଁ ଆଜି ଏତିକି ବୁଝିଲି ଯେ ତୁ ଅମିୟକୁ ଘୃଣା କରୁ । ମୋଓରି ଖାତିରରେ ମୋ ମନରେ ଦୁଃଖ କାଳେ ହେବ, ସେଥିପାଇଁ ତା’ ସଙ୍ଗେ ତୁ ଚଳନ୍ତି ଭଦ୍ରତା ଦେଖାଇ ଆସିଛୁ । ମୋ ଉପହାସର ବେଦନା ହସି ହସି ସହିଛୁ । ଅମିୟ ପ୍ରତି ତୋ ମନର ଘୃଣାଭାବ କେବେ ମୋ ଆଗରେ ପ୍ରକାଶ କରିନୁ । ସେଥିପାଇଁ ମୁଁ ତତେ କେବେ ସୁଯୋଗ ଦେଇ ନାହିଁ ।

 

ଆଜି ମୁଁ ଦୁଃଖିତଲୋ ଭଉଣୀ, ମୁଁ ଅନୁତାପ କରୁଛି । ମୋର ଅବିବେକିତା ପାଇଁ ତୋ ପାଖରୁ କ୍ଷମା ଚାହୁଁଛି ।

 

ଗାୟତ୍ରୀର ଧୈର୍ଯ୍ୟର ପାହାଡ଼ ଟଳି ପଡ଼ିଲା । ସେ କଲ୍ୟାଣୀଙ୍କ ହାତମୁଠା ଭିତରୁ ନିଜର ହାତ ଓଟାରି ନେଲା । ତଡ଼ିତ ଲାଗିଲା ପରି ଚମକି ଉଠିଲା । ଦୁଇ ହାତରେ କଲ୍ୟାଣୀଙ୍କର ବେଳକୁ ଗୁଡ଼ାଇ ଧରି ତାଙ୍କର କାନ୍ଧରେ ମୁହଁ ଘସି କଇଁକଇଁ ହୋଇ କାନ୍ଦି ଉଠିଲା ।

 

କଲ୍ୟାଣୀ ବାଧା ଦେଲେ ନାହିଁ । ଗାୟତ୍ରୀର ଅଧଫୁଙ୍ଗୁଳା ପିଠିରେ ହାତ ସାଉଁଳିଲେ । ଭାବିଲେ, ତା’ର ମନର କେଉଁ ରୁଦ୍ଧ ବେଦନାର ହାର ଉତ୍ତେଜନାରେ ମୁକ୍ତ ହୋଇଛି । ଆଖିର ଲୁହ ଧାରରେ ସେ ବେଦନା ଭାସିଯାଉ ।

 

ଗାୟତ୍ରୀ ଆପେଆପେ ପ୍ରକୃତିସ୍ଥ ହେଲା । ଛାତିର କୋହ ପ୍ରଶମିତ ହେଲା । ଟିଣ ଚଉକିର ବାଡ଼କୁ ଆଉଜି ଅଞ୍ଚଳରେ ଲୁହ ପୋଛିଲା । ଧୀରେ ଧୀରେ କହିଲା, ଅପା, ମୋତେ ତୁମେ ଭୁଲ୍‌ ବୁଝୁନା । ମୋ ପାଖରୁ କ୍ଷମା ଚାହିଁ ତୁମେ ମୋ ପ୍ରତି ଅନ୍ୟାୟ କରିଛ । ମୋ ମନରେ ଦାରୁଣ ଆଘାତ ଦେଇଛ । ଅପା ଗୋ, ଅମିୟବାବୁଙ୍କ ସଙ୍ଗେ ମୋର ସମ୍ପର୍କ ସ୍ଥାପିବାକୁ ତୁମେ କଲ୍ୟାଣମୟୀ ବଡ଼ଭଉଣୀର କର୍ତ୍ତବ୍ୟ ସମାପନ କରିଛ । ତୁମର ଭୁଲ୍‌ ହୋଇ ନାହିଁ । ଅମିୟବାବୁ ଭଲ ମଣିଷ । ସେ ଭଦ୍ର, ସଂଯତ ଓ ସ୍ନେହୀ । ମୋତେ ନିଜର କରିବାକୁ ତାଙ୍କ ଆଖିରେ ଯଦି ପ୍ରେମର ପବିତ୍ର ଆଲୋକ ଦେଖିଲି ତ କାହିଁକି ତାଙ୍କର ଦୋଷ ଦେବି ? ମୁଁ ତାଙ୍କୁ ସମ୍ମାନ ଦେଖାଏ ଅପା, ମୁଁ ତାଙ୍କୁ ସ୍ନେହ କରେ । ତାଙ୍କ ପରି ଲୋକକୁ କିଏ ଘୃଣା କରି ପାରିବ ?

 

ଆନନ୍ଦରେ ଅଧୀର ହୋଇ କଲ୍ୟାଣୀ ଗାୟତ୍ରୀର କାନ୍ଧ ଧରି ହଲାଇ ଦେଲେ । ପଚାରିଲେ, ସତେ, ତୁ ଅମିୟକୁ ଭଲ ପାଉ ?

 

ଗାୟତ୍ରୀ ଉତ୍ତର ଦେଲା, କିନ୍ତୁ, ମୁଁ ତ ନିଜକୁ ଘୃଣା କରେ ଅପା, ମୋର ଘୃଣିକ ଅତୀତକୁ ଦେହରେ ଓ ମନରେ ଧରି କାହାର ପାଦତଳେ ନିଜକୁ ମୁଁ ଉତ୍ସର୍ଗ କରିବି ? ପୂର୍ବବଙ୍ଗର ଆତତାୟୀମାନଙ୍କର କବଳରୁ ଖସିଆସି ମୋର ଏଇ ଘୃଣିତ ଦେହଟାକୁ ଝିଲ୍‌ର ଗଭୀର ଜଳରେ ବୁଡ଼ାଇ ଜୀବନ ହାରିବାକୁ ପାଗଳୀ ପରି ଛୁଟିଲାବେଳେ ମୋର ପିତା ମୋତେ ଅଟକାଇ ରଖିଲେ-। ମୋତେ ସେ ନରକକୁଣ୍ଡରୁ ଉଦ୍ଧାର କରି ଆଣିଲେ । ତାଙ୍କରି ଆନନ୍ଦପାଇଁ ମୋର ଏଇ କଳଙ୍କିତ ଘୃଣିତ ଦେହରେ ମୋ ଜୀବନକୁ ମୁଁ ଏବଯାଏଁ ଅଟକାଇ ରଖିଛି ।

 

ଅପା ଗୋ, ମୋର ଲକ୍ଷ୍ମୀ ଅପା, ଶେଷ–ରାତ୍ରିରେ ମୁଁ ମୋର ପଙ୍କିଳ ଅତୀତକୁ ତୁମ ଆଗରେ ଖୋଲିବାକୁ ବାଧ୍ୟ ହୋଇଛି । ତୁମେ ମତେ ଘୃଣା କରି ଯାଅ । ସେତିକି ହେବ ମୋର ସାନ୍ତ୍ୱନା । ଅମିୟବାବୁ ମୋର ବାହାର ରୂପ ଦେଖି ମୋତେ ସ୍ନେହ କରିଛନ୍ତି । ମୋତେ ନିଜର କରିବାକୁ ମନ ବଳାଇଛନ୍ତି । ତୁମେ ତାଙ୍କୁ ସତ୍ୟ ଘଟଣାଟି ଜଣାଇଁ ଦିଅ । ବଳେ ସେ ବାଟ ଭାଙ୍ଗି ଆଡ଼େଇ ଯିବେ ।

 

କଲ୍ୟାଣୀ କହିଲେ, ଅମିୟର ଅନୁରାଗକୁ ଏତେଦୂର ଆଗେଇ ଯିବାକୁ ପ୍ରକାରାନ୍ତରରେ ତୁ ଉତ୍ସାହିତ କଲୁ କାହିଁକି ? ଭଲପଣ ଦେଖାଇବାକୁ ତୋ ଜୀବନର ଅତି ଗୋପନୀୟ ଘଟଣା ଯାହା ତୁ ସାହସ କରି ମୋ ଆଗରେ ବର୍ଣ୍ଣନା କଲୁ, ଅମିୟକୁ ମୂଳରୁ ତା’ର ସୂଚନା ଦେଲୁ ନାହିଁ କାହିଁକି ଗାୟତ୍ରୀ ?

 

ପାରିଲି ନାହିଁ ଅପା !

 

କାହିଁକି,ଏ ପ୍ରଶ୍ନର ଉତ୍ତର ମୁଁ ଜାଣେ । ଅମିୟକୁ ତୁ ମନ ପ୍ରାଣ ପୂର୍ଣ୍ଣ କରି ଭଲପାଉ । ତାକୁ ତୁ ବାକ୍ୟରେ କରଛଡ଼ା ଦେଇ ରହିଲେବି ତା’ର ସାନ୍ନିଧ୍ୟକୁ ତୁ ଝୁରି ହେଉଥାଉ । ଆଲୋ ପାଗଳୀ, ଅତୀତରେ ତୋ ଜୀବନରେ ଯାହା ଘଟିଗଲା, ସେଥିପାଇଁ ତୁ ଦାୟୀ ନୁହ । ତୋର ଦେହ ଓ ମନ ବିଦ୍ରୋହ କରିଥିଲା । ତୋର ନିଃସହାୟପଣ ପାଇଁ ସେ କାଳର ଦେହ ବିଜିତ ହୋଇଥିଲା ସିନା, ତୋର ବିଦ୍ରୋହୀ ମନ ଚିରଦିନ ବିଜୟୀ ହୋଇ ରହିବ ।

 

ଦୁଃସ୍ୱପ୍ନ ପରି ଭୁଲିଯା ସେହି ଅତୀତକୁ । ସେ ଦିନର କଳେବର ଆଜି ତୋର ନାହିଁ । ତୁ ନୂଆ ଜନ୍ମ ପାଇଛୁ, ନୂଆ କଳେବର ଧରିଛୁ । ତୁ ନିଷ୍ପାପ, ତୁ ପବିତ୍ର । ଯାହାକୁ ତୁ ସ୍ନେହ କରୁଛୁ, ତା’ର ସ୍ନେହର ଉତ୍ତର ତୁ ଦେ ଲୋ ଗାୟତ୍ରୀ, ତା’ରି ହାତଧରି ସଂସାର କର । ମନେରଖ, ରୂପ ଓ ଯୌବନ ଚିରନ୍ତନ ନୁହେଁ । ଯେଉଁଥିପାଇଁ ବିଧାତା ନାରୀ ଅଙ୍ଗରେ କ୍ଷଣସ୍ଥାୟୀ କରି ସେତକ ଲିହିଛି, ସେ ବିଧାନ ତୁ ନିରର୍ଥକ କରନା, ଲଙ୍ଘନ କରନା ।

 

ଅପା, ଯାହାଙ୍କୁ ମୁଁ ଭଲ ପାଏ, ବଞ୍ଚିଥିବା ଯାଏଁ ତାଙ୍କର ଜାୟା ହୋଇ ତାଙ୍କ ସନ୍ତାନଙ୍କର ଜନନୀ ହୋଇ ତାଙ୍କୁ ମୁଁ ପ୍ରତାରଣା କରି ଜୀବନରେ ଶାନ୍ତି ପାଇବି ନାହିଁ । ଯେତେ ଯାହା ବିତର୍କ କରି ମନକୁ ବୁଝାଇଲେ କି ହେବ, ଏ ଦେହଟା ବଦଳିବ ନାହିଁ କି ଅନ୍ୟର ଉତ୍ତେଜନାର ନିଆଁରେ ଦିନେ ଯେ ଦେହଟା ଜଳିପୋଡ଼ି ଛଟପଟ ହୋଇଥିଲା ସେ ସ୍ମୃତିକୁ ମୁଁ ଭୁଲି ପାରିବି ନାହିଁ । ଅମିୟବାବୁଙ୍କ ସଙ୍ଗେ ତୁମେ ମୋର ଘନିଷ୍ଠତା ଜନ୍ମାଇ ଥିଲ । ସତ୍ୟ ପ୍ରକାଶ କରି ତୁମେ ସେତକ ଭାଙ୍ଗି ଦେଇ ଯାଅ । ତୁମର ଗୋଡ଼ ଧରୁଛି ଅପା, ତୁମେ ତାଙ୍କୁ ଜଣାଇଁ ଦେଇ ଯାଅ ଯେ ମୁଁ ଭ୍ରଷ୍ଟା ।

 

ମୁଁ କାହାର ପତ୍ନୀ ହେବାକୁ ଉପଯୁକ୍ତ ନୁହେଁ । ଆଜୀବନ ମୁଁ ଦୁହିତା ହେବାକୁ ଚାହେଁ । ଯେଉଁ ନରରାକ୍ଷସମାନେ ମୋର ନିଃସହାୟ ଦେହକୁ ଭିଡ଼ି ଓଟାରି କେଣ୍ଟା କେଣ୍ଟା କରି ଖାଉଥିଲେ, ସେମାନେ ସପନରେ ଆସି ଏବଯାଏଁ ମୋତେ ଆକ୍ରମଣ କରିବାକୁ ନିଜ ନିଜ ଭିତରେ ପିଟାପିଟି ହଣାହଣି ହୋଇ ମରୁଛନ୍ତି । ସେମାନଙ୍କୁ ମୁଁ ଭୁଲି ପାରୁ ନାହିଁ । ମୋ ବିଷୟରେ କିଛି ନ ଜାଣି ଯେଉଁ ଅମିୟବାବୁ ତାଙ୍କର ପ୍ରେମଭରା ଦୃଷ୍ଟିରେ ମୋ ହୃଦୟକୁ ବାରମ୍ବାର ବିଦ୍ଧକରି କେଣ୍ଟା କେଣ୍ଟା କରିଛନ୍ତି, ଜୀବନରେ ତାଙ୍କୁବି ମୁଁ ଭୁଲି ପାରିବି ନାହିଁ ।

 

ଉତ୍ତେଜିତ ହୋଇ ଗାୟତ୍ରୀ ତା’ ଜୀବନର ଦୁଃଖ ପ୍ରକାଶ କଲା । ସେହି ଦୁଃଖର ପ୍ରବାହ ଲୋତକର ଧାର ହୋଇ ଝରି ଆସିଲା ତା’ର ନେତ୍ର ଯୁଗଳରୁ । ନିଜ ଅତୀତକୁ ଉନ୍ମୋଚନ କରି ସେ ଭୁଲ୍‌ କରିଛି କି ଠିକ୍‌ କରିଛି ତା’ର ବିକ୍ଷୁବ୍ଧ ମନ ସ୍ଥିର କରି ପାରିଲା ନାହିଁ । ସେ ଲକ୍ଷ୍ୟ କଲା, କଲ୍ୟାଣୀ ଅଚଳ ସ୍ଥାଣୁ ପରି ବସି ରହିଛନ୍ତି ।

Image